ଶେଷ ନିଷ୍ପତ୍ତି
ଦିହେଁ ଦିହିଁଙ୍କୁ ଖୁବ୍ ନିବିଡ଼ ଭାବେ ଜଡେଇ ନେଲେ । ସେ ନିବିଡ଼ତା’ରେ ଦେହର ଦାହ ନଥିଲା, ବରଂ ଥିଲା ଏକ ନିରୁତା ଭଲପାଇବା, ଭଭୟେ ଉଭୟଙ୍କୁ ବୁଝିପାରିବାର ପରିପ୍ରକାଶ । ଶିହରଣ ନିଶ୍ଚେ ନଥିଲା ସେ ନିବିଡ଼ତାରେ, ଥିଲା ଏକ ମାନସିକ ଆଶ୍ୱସ୍ତି କେବଳ ।
କିଛିଦିନ ସେମାନେ ପୁଣି ଭୁଲିଗଲେ ସେମାନଙ୍କ ଦୁଃଖକୁ । ବେଶ୍ ବିତୁଥିଲା ଜୀବନ ।
ପୁଅଟାର ବୟସ ଏଇ ଚାଳିଶ ଖଣ୍ଡେ ହେବ ଅତି ବେଶୀରେ । ଝିଅର ବୟସ ପଇଁତିରିଶ ଛତିଶ । ପାଞ୍ଚବର୍ଷ ତଳେ ସେମାନେ ବାହା ହୋଇଥିଲେ । ଦି’ଜଣଯାକ ସପ୍ଟୱେୟାର ଇଂଜିନିୟର । ଛୁଆପିଲା ହେଇନି ଏଯାଏ । ସେମାନେ ପୂର୍ଣ୍ଣାଙ୍ଗ ସଂସାର ଚାହୁଁଥିଲେ ବୋଧେ । ସ୍ୱାମୀଟିଏ-ସ୍ତ୍ରୀଟିଏ ଆଉ ଛୁଆଟିଏ- ଯେମିତି ସ୍ୱପ୍ନ ସେମାନେ ଦେଖିଥିଲେ ବିବାହ ପୂର୍ବରୁ ।
ସବୁପ୍ରକାର ଚେଷ୍ଟା ସରିଛି, କିଛି ଲାଭ ହୋଇନି । ଅନେକ ନାମୀ ଡାକ୍ତରଙ୍କ ପାଖକୁ ଯାଇଛନ୍ତି ସେମାନେ । ଟେଷ୍ଟଟୁ୍ୟବ୍ ବେବି ପାଇଁ ରାଜିଥିଲା ସ୍ୱାମୀ, କିନ୍ତୁ ଅନ୍ୟ କାହାର ସ୍ପର୍ମରେ ଛୁଆ କରିବାକୁ ଚାହିଁଲାନି ତା’ ସ୍ତ୍ରୀ । ୟା ସ୍ପର୍ମରେ ଦମ୍ ନଥିଲା କୁଆଡ଼େ !
ସ୍ୱାମୀ କହିଲା- ସ୍ପର୍ମ ଯାହାର ହେଉ, ଛୁଆ ତ ତମ ଗର୍ଭରେ ବଢ଼ିବ । ତମେ ଜନ୍ମ ଦେବ ତାକୁ, ଅସୁବିଧା କ’ଣ ଅଛି?
ସ୍ତ୍ରୀ କହିଲା- ମୋ’ର ତମ ଔରସର ସନ୍ତାନ ଦର୍କାର । ତମରି ସତ୍ତାକୁ ମୁଁ ଚାହେଁ ମୋ ଭିତରେ ବଢ଼େଇ ଜନ୍ମଦେବାକୁ ।
ମୁଁ ଖୁସି ହୋଇପାରିବିନି ଆଉ କାହା ସନ୍ତାନକୁ ମୋ ଗର୍ଭରେ ରଖି । ତମେ ବି କ’ଣ ଖୁସି ହେଇପାରିବ? ସତ କହିଲ? ସେ ଛୁଆ କ’ଣ ତମ ଭଳି ଦରଦୀ ହୋଇପାରିବ? ବରଂ ଏମିତିରେ ଆମେ ଠିକ୍ ଅଛେ । ଆଉ ଗୋଟେ ଦୁଃଖକୁ କାହିଁକି ଜାଣିଶୁଣି ଡାକିଆଣିବା?
ଦିହେଁ ଦିହିଁଙ୍କୁ ଖୁବ୍ ନିବିଡ଼ ଭାବେ ଜଡେଇ ନେଲେ । ସେ ନିବିଡ଼ତା’ରେ ଦେହର ଦାହ ନଥିଲା, ବରଂ ଥିଲା ଏକ ନିରୁତା ଭଲପାଇବା, ଭଭୟେ ଉଭୟଙ୍କୁ ବୁଝିପାରିବାର ପରିପ୍ରକାଶ । ଶିହରଣ ନିଶ୍ଚେ ନଥିଲା ସେ ନିବିଡ଼ତାରେ, ଥିଲା ଏକ ମାନସିକ ଆଶ୍ୱସ୍ତି କେବଳ ।
କିଛିଦିନ ସେମାନେ ପୁଣି ଭୁଲିଗଲେ ସେମାନଙ୍କ ଦୁଃଖକୁ । ବେଶ୍ ବିତୁଥିଲା ଜୀବନ ।
ଦିନେ ଏକ ଶ୍ରାବଣ ଭିଜା ସକାଳରେ ବାଲକୋନୀରେ ବସି ଚା’ ସହ ଖବରକାଗଜର ମଜା ନେଉ ନେଉ ହଠାତ୍ କେମିତି ଟିକେ ଅନ୍ୟମନସ୍କ ହୋଇଗଲା ସ୍ୱାମୀଟି । ସ୍ତ୍ରୀଟି ଜାଣିପାରିଥିଲା କୌଣସି ଏକ ଖବର ତାଙ୍କୁ ବିଚଳିତ କରିଛି । ଆଗରୁ ବୋଧେ କହିଛି- ସ୍ୱାମୀଟି ଥିଲା ଖୁବ୍ ଦରଦୀ ଆଉ ସ୍ୱାମୀର ଏଇ ଦରଦୀପଣ ପାଇଁ କଲେଜ ଦିନରେ ଇଏ ବିଭୋର ହୋଇପଡ଼ିଥିଲା ତାଙ୍କ ପ୍ରତି । ତା’ପରେ ସମ୍ପର୍କ ନିବିଡ଼ ହେଲା ଆଉ ଶେଷରେ ସେ ସମ୍ପର୍କରେ ଦାମ୍ପତ୍ୟର ମୋହର ।
ଘରଲୋକ ଜାଣିଲା ବେଳକୁ ରେଜିଷ୍ଟ୍ରି ମ୍ୟାରେଜ ଶେଷ ହୋଇସାରିଥିଲା । ସେଇ ଦିନଠୁ ବାପଘର କବାଟ ବନ୍ଦ ହୋଇଗଲା ୟା’ ପାଇଁ ।
ସ୍ୱାମୀର ଇଚ୍ଛା ନଥିଲା ଏମିତି ବିବାହ ପାଇଁ । ସିଏ କହୁଥିଲା- ଘରେ ଜଣାଇବା, ତା’ପରେ ବାହାହେବା । ଆମେ କ’ଣ ଚୋରି କରିଛେ?
ଇଏ କହିଲା- ମୁଁ ଜାଣେ ଆମ ଘରେ ତମ ସହ ବାହା ଦେବାକୁ ଚାହିଁବେନି ।
ହଁ, କେଉଁ ଖବରଟି ତାଙ୍କୁ ବିଚଳିତ କରିଛି ଜାଣିବା ପାଇଁ ଇଏ କାଗଜଟାକୁ ଭିଡ଼ିଆଣିଲା ତାଙ୍କ ହାତରୁ, ଆଉ ସେଇ ପୃଷ୍ଠା ଉପରେ ନଜର ବୁଲେଇ ଆଣି ଠିକ୍ ଜାଣିପାରିଥିଲା ଖବରଟି କ’ଣ, ଯେଉଁ ଖବରଟି ତାଙ୍କର ସେ ସୁନ୍ଦର ସକାଳଟିକୁ ନଷ୍ଟ କରିଥିଲା ।
ଖବରଟି ଥିଲା- ନିଃସନ୍ତାନ ଏନ୍ଆଇଟି ପ୍ରଫେସର ଦମ୍ପତିଙ୍କ ଆତ୍ମହତ୍ୟା ।
ରାଉରକେଲା ୧୭.୮.୨୦୧୯, ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଅନୁଷ୍ଠାନ ପରିସର କ୍ୱାର୍ଟର୍ସ ଭିତରୁ ଉଦ୍ଧାର କରାଯାଇଛି ।
ସେମାନେ ନିଃସନ୍ତାନ ଥିବାରୁ ଉଭୟେ ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ସେମାନେ ଚାରିପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଛାଡ଼ିଯାଇଛନ୍ତି ।
ସ୍ୱାମୀ ପଚାରିଲା- ପଢ଼ିଲ ତ ଖବରଟା?
ଇଏ ମୁଣ୍ଡ ହଲେଇ ହଁ କଲା ଆଉ କହିଲା- ଆମେ କ’ଣ ଏମିତି ନିଷ୍ପତ୍ତି ନେଇପାରିବାନି? ସେମାନଙ୍କ ସମସ୍ୟା ଯାହା ଥିଲା ଆମର ତ ଠିକ୍ ସେଇଆ ।
ସିଏ କହିଲା- ମୁଁ ତ ଅନେକ ଦିନ ହେଲା ମନେମନେ ଚିନ୍ତା କରୁଥିଲି ଠିକ୍ ଏଇ କଥା । ମୁଁ ଅଛି ବୋଲି ସିନା ତମେ କଷ୍ଟ ପାଉଛ । ତମର ଦୋଷ କ’ଣ? ଆଉ ଜଣେ ପୁରୁଷ ତ ତମ କୋଳ ଭରିଦେଇ ପାରିବ ଖୁବ୍ ସହଜରେ । ତମେ ଆଉଥରେ ବାହା ହେଇଯିବ ।
ଇଏ କହିଲା- ତମେ ଏକୁଟିଆ କେମିତି ଏ ନିଷ୍ପତ୍ତି ନେଉଥିଲ? ଖୁବ୍ ତ ସ୍ୱାର୍ଥପର ହେଇଗଲଣି ଦେଖୁଛି? ବଞ୍ଚିଛେ ଏକାଠି ମରିବା ଏକାଠି । ଅନେକ ଦିନ ତ ବଞ୍ଚିଲେଣି, ଆଉ ବଞ୍ଚି ଲାଭ କ’ଣ? ସେମାନେ ବି ତ ଆମ ବୟସର ଥିଲେ । କିଛି ଚିନ୍ତା ନକରି କ’ଣ ଏତେବଡ଼ ଗୋଟେ ନିଷ୍ପତ୍ତି ନେଇନେଲେ? ସେମାନେ କ’ଣ ମୂର୍ଖ ଥିଲେ ନା ବୋକା?
ସିଏ କହିଲା- ଆମେ କ’ଣ ପାରିବା?
ଇଏ କହିଲା- କାହିଁକି ପାରିବାନି?
ସିଏ କହିଲା- ଆଉ ଡେରି କରିବା କାହିଁକି ତା’ହେଲେ?
ଇଏ କହିଲା- କିଏ କହୁଛି ଡେରି କରିବାକୁ?
ପରଦିନ ଖବରକାଗଜ ପକାଉଥିବା ପିଲାଟିକୁ କହିଲେ- ଆର ମାସରୁ ଆଉ କାଗଜ ପକେଇବୁନିରେ ବାବୁ! ଏ ମାସର ଟଙ୍କା ନେଇଯିବୁ ।
ପିଲାଟି ପଚାରିଲା- କାଇଁ କୁଆଡ଼େ ଯିବେ ବାହାରକୁ?
ଏମାନେ ହଁ କଲେ ।
ପିଲାଟା କହିଲା- ଠିକ୍ ଅଛି ମୋ’ ନମ୍ବର ରଖନ୍ତୁ, ଫେରିଲେ ଖବର ଦେବେ, ମୁଁ ପୁଣି କାଗଜ ପକେଇବି ।
ଏମାନେ କହିଲେ- ଆଉ ଫେରିବାର ନାହିଁରେ…
ପିଲାଟା ଗେଟ୍ ଲଗେଇ ଚାଲିଗଲା ।
ସଉଦା ଦୋକାନର ବାକି ଟଙ୍କା ହିସାବ କରି ଦେଇ ଆସିଲେ । ଦୋକାନୀ ଜଣକ ଖୁବ୍ ଭଲ । ଫୋନ୍ କଲେ ସଉଦା ପଠେଇ ଦିଏ ଘରକୁ । ସିଏ ବି ପଚାରିଲେ- କ’ଣ ଏଠି ଆଉ ରହିବେନି? ବାହାରକୁ କୁଆଡ଼େ ଯିବେ?
ଏମାନେ ମୁଣ୍ଡ ହଲେଇ ହଁ କଲେ । ମନେମନେ ବୋଧେ ଭାବୁଥିଲେ- ଏ ଦୁନିଆ ଛାଡ଼ିଦେବୁ ସବୁଦିନ ପାଇଁ ।
ଦୋକାନୀଜଣକ କହିଲେ- କେବେ ଯଦି ପୁଣି ଆସନ୍ତି ଏ ସହରକୁ, ଆସିବେ ଆମ ଦୋକାନକୁ । ଫୋନ୍ କରିବେ ଆଜ୍ଞା!
ଏମାନେ ଟଙ୍କା ଦେଇ ଫେରିଆସିଲେ । ହାଉସ୍ ଓନର୍ଙ୍କୁ ବି କହିଦେଲେ- ଏଇ ମାସ ଶେଷରେ ଆମେ ଘର ଛାଡ଼ିବୁ । ଦି’ମାସର ଭଡ଼ା ଅଛି ଆପଣଙ୍କ ଉପରେ । ଗୋଟେ ମାସର ଭଡ଼ା ଆଡଜଷ୍ଟ ହୋଇଯିବ, ଆଉ ଯେଉଁ ଗୋଟେ ମାସର ଭଡ଼ା ରହିବ ସେଇଟା ଆମ ଏଇ ସ୍ଥାନୀୟ ମନ୍ଦିରକୁ ଦେଇଦେବେ ! ଆମେ କିଛି ଦେଇନୁ ସେ ମନ୍ଦିରକୁ ।
ହାଉସ୍ ଓନର୍ ବି ପଚାରିଲେ- ହଠାତ୍ ଘର ଛାଡ଼ିବା ନିଷ୍ପତ୍ତି କାହିଁକି ନେଲେ ? କ’ଣ ବାହାରକୁ ଯିବେ ଜବ୍ କରିବାକୁ?
ଏମାନେ କହିଲେ- ହଁ ।
ହାଉସ ଓନର୍ ବୋଧେ ସେମାନଙ୍କ ମୁହଁକୁ ଭଲକରି ଚାହିଁ ନଥିଲେ, ନହେଲେ ଠିକ୍ ଜାଣିପାରିଥା’ନ୍ତେ ସେମାନଙ୍କ ଆଖି ବେଶ୍ ଜକେଇ ଆସିଥିଲା ଲୁହରେ ।
ଆଉ ଅଳ୍ପଦିନ ଥାଏ ସେମାନଙ୍କ ହାତରେ ।
ସେଦିନ କାହିଁକି ଖୁବ୍ ଇଚ୍ଛାହେଲା ପାର୍କ ଯିବାକୁ । ନୂଆ ନୂଆ ପ୍ରେମ କରୁଥିବା ସମୟରେ ଅନେକ ପାକଳ ଅପରାହ୍ଣ କଟେଇଛନ୍ତି ସେମାନେ ସେଇ ପାର୍କରେ । ଜଣେ ଅନ୍ୟଜଣକୁ ଅପେକ୍ଷା କରିବାର ସେ ବିରକ୍ତି ଆଉ ଛଟପଟପଣ ଏବେବି ମନେଅଛି । ପୁଅମାନେ ହିଁ ସବୁବେଳେ ଡେରି କରନ୍ତି । ସମୟ ଜ୍ଞାନ ମୋଟେ ନଥାଏ ବୋଲି ସବୁବେଳେ ଗାଳି ଖା’ନ୍ତି । ଗାଳି ସହିଯିବା ଆଉ କାନଧରି ଭୁଲ ମାଗିବାର ସେ ପିଲାଳିଆମିକୁ ପ୍ରେମିକାମାନେ ଖୁବ୍ ଉପଭୋଗ କରନ୍ତି । ଇଏ ବି ଠିକ୍ ସେମିତି ଥିଲା ।
କିଛି ଦିନ ତଳେ ସେମାନେ ଯାଇଥିଲେ କଲେଜ ବେଳେ ନିୟମିତ ଯାଉଥିବା ସେ ରେସ୍ତୋରାଁକୁ । ଯେଉଁ କଣିକିଆ ଟେବୁଲ୍ରେ ବସି ସେମାନେ ଦୋସା ଖାଉଖାଉ ବାହା ହେବାର ନିଷ୍ପତ୍ତି ନେଇଥିଲେ ସେଇ ଟେବୁଲରେ ଶେଷଥର ପାଇଁ ବସି ଦୋସା ଖାଇଥିଲେ । କଫି କପ୍ ଏକ୍ସଚେଞ୍ଜ କରି ପିଇଥିଲେ, ପ୍ରପୋଜ କରିବା ଦିନ ଯେମିତି କରିଥିଲେ । ସେତେବେଳେ ଅଫୁରନ୍ତ ଖୁସିଥିଲା ପ୍ରାଣରେ । ଏବେ କେମିତି ଗୋଟେ ଶୂନ୍ୟତା ରହିଛି । ଆଖି ଟିକେ ଜକେଇ ଆସିଥିଲା ଦିହିଁଙ୍କର ।
ହଁ, ସେମାନେ ପାର୍କକୁ ଗଲେ । ପାର୍କରେ ଫୁଲ ଫୁଟିଥିଲା । ଫୁଆରାରୁ ପାଣି ଉଠୁଥିଲା । ପିଲାଏ ଖେଳୁଥିଲେ । ପ୍ରେମୀମାନେ ଚୁମା ପାଇଁ ଆଢ଼ୁଆଳ ଖୋଜୁଥିଲେ । କେହି କେହି ଗପୁଥିଲେ ପାଖାପାଖି ବସି । ବେଶ୍ ଗହଳି ଥିଲା ପାର୍କ ଆଗ ଭଳି । ଏମାନଙ୍କୁ କିଛି ଭଲ ଲାଗୁନଥିଲା ଯେମିତି । କେମିତି ଗୋଟେ ଉଦାସ ଭାବ ଥିଲା ପ୍ରାଣରେ ।
ସେମାନେ ବସିବାକୁ ଚେୟାର ଖୋଜୁଥିଲେ । ଆଖିରେ ପଡୁନଥିଲା ଖାଲି ଚେୟାର । ହଳ ହଳ ହେଇ ବସିଥିଲେ ପ୍ରେମୀଯୁଗଳ ।
ଆଖିରେ ପଡ଼ିଲା ପାର୍କର ଶେଷଆଡକୁ ଧାଡ଼ିଏ ଦେବଦାରୁ ଗଛ ପଛପଟେ ପରିଣତ ବୟସର ହଳେ ଦମ୍ପତି ବସିଥିଲେ ଗୋଟେ ଲମ୍ବାଚୌକିରେ । ଯେଉଁଠି ସାନସାନ ପିଲାମାନେ ଦୋଳି ଖେଳୁଥିଲେ । ଖସଡ଼ାରେ ଖସୁଥିଲେ । ଏମାନେ ପାଖକୁ ଯିବାରୁ ସେ ବୃଦ୍ଧ ଦମ୍ପତି ପାଖାପାଖି ଲାଗିଯାଇ ବସିବାକୁ ଜାଗାଦେଲେ ଏମାନଙ୍କୁ । ଏମାନେ ବସିଲେ । ବୃଦ୍ଧ ଜଣକ ପଚାରିଲେ- ମନ ଶୁଖେଇଛନ୍ତି କାହିଁକି? ଝଗଡ଼ା ହେଇଛି?
ଏମାନେ ହସିବାକୁ ଚେଷ୍ଟା କରି କହିଲେ- ନା, ଝଗଡ଼ା କାହିଁକି ହେବ?
ବୃଦ୍ଧ ଜଣକ କହିଲେ- ସରି!
ଏମାନେ ପଚାରିଲେ- କେମିତି ଜାଣିଲେ ଆମ ମନ ଶୁଖିଯାଇଛି ବୋଲି?
ବୃଦ୍ଧ ଜଣକ କହିଲେ- ଆମେ କ’ଣ ତମ ବୟସର ନଥିଲୁ କେବେ ନା ପ୍ରେମ କରିନୁ? ଆଉ ତା’ଛଡ଼ା ଏ ମୁଣ୍ଡବାଳ ତ ଆଉ ଖରାରେ ପାଚିନି । ଅଭିଜ୍ଞତାରେ ପାଚିଛି ।
ଏମାନେ ପଚାରିଲେ- ଆପଣମାନେ ନିୟମିତ ଆସନ୍ତି ଏଠିକି?
ବୃଦ୍ଧଜଣକ ଉତ୍ତର ଦେଲେ- ଯେତେବେଳେ ମନବେଶୀ ମରିଯାଏ ସେତେବେଳେ ଚାଲିଆସୁ । ସବୁବେଳେ ଆସିହୁଏନି । ଅଧାଦିନ ତ ଦେହ ଅସୁସ୍ଥ ଥାଏ । କେତେବେଳେ ମୋ’ର ପୁଣି କେତେବେଳେ ୟା’ର ।
ଏମାନେ ପଚାରିଲେ- ଆପଣଙ୍କ ପିଲାମାନେ?
ବୃଦ୍ଧ ଉତ୍ତର ଦେଲେ- ସେମାନେ ବାହାରେ । ଖୁବ୍ କମ୍ ଆସନ୍ତି ଭାରତକୁ । ଦି’ବର୍ଷ ତଳେ ଆସିଥିଲେ । ସମୟ କାଇଁ ସେମାନଙ୍କ ପାଖରେ ଆମ ପାଇଁ? ନିଜ ନିଜ ପ୍ରଫେସନ୍ ଆଉ ଫ୍ୟାମିଲି ନେଇ ବ୍ୟସ୍ତ ସେମାନେ ।
ଏମାନେ ପଚାରିଲେ- ଆପଣ ଦି’ଜଣ ଏକୁଟିଆ ରହୁଛନ୍ତି ଏ ବୟସରେ?
ବୃଦ୍ଧ ଜଣକ କହିଲେ- ଏକୁଟିଆ କାହିଁକି? ଆମେ ତ ଦି’ଜଣ ।
ଏଥର ସମସ୍ତେ ହସିଲେ ।
ବୃଦ୍ଧ ଜଣକ କହିଲେ- ଆମେ ତଳ ମହଲାରେ ଅଛୁ । ଉପର ମହଲା ଭଡ଼ା ଲାଗିଛି । ସେଇମାନଙ୍କ ସାହାଯ୍ୟ ନେଉ ଦର୍କାର ହେଲେ । ଭାବିଛୁ ଯେତେବେଳେ ଜିଇଁବା ବେଶୀ କଷ୍ଟକର ହେବ ସେତେବେଳେ ତଳ ଘର ବି ଭଡ଼ା ଦେଇ ଚାଲିଯିବୁ ଓଲ୍ଡଏଜ୍ ହୋମ୍କୁ । ଆଜିକାଲି ଅନେକ ପେଡ୍ ଓଲ୍ଡଏଜ୍ ହୋମ୍ ହେଇଗଲାଣି ଏ ସହରରେ । ସେମାନେ ଖୁବ୍ କେୟାର ନେଉଛନ୍ତି କୁଆଡ଼େ ଆମ ବୟସର ବୁଢ଼ାବୁଢ଼ୀଙ୍କର ।
ଏମାନେ ପଚାରିଲେ- ପିଲାମାନଙ୍କୁ ଜଣେଇଛନ୍ତି? ସେମାନେ କ’ଣ ଆପଣମାନଙ୍କୁ ସେଠିକୁ ଯିବାକୁ ଦେବେ?
ବୃଦ୍ଧ କହିଲେ- ସେଇମାନେ ତ ଏ ପରାମର୍ଶ ଦେଇଛନ୍ତି ଆମକୁ । ସେମାନଙ୍କ ସାଙ୍ଗମାନଙ୍କ ବାପା-ମା’ ମଧ୍ୟ ଅଛନ୍ତି ଓଲ୍ଡଏଜ୍ ହୋମ୍ରେ । ସେଇମାନଙ୍କଠୁ ଠିକଣା ଆଣି ଆମ ପିଲାଏ ପଠେଇଛନ୍ତି ଆମ ପାଖକୁ । ତା’ଛଡ଼ା ଆଜିକାଲି ସବୁ ସୂଚନା ତ ମିଳିଯାଉଛି ନେଟ୍ରେ । ଅସୁବିଧା ରହିଲା କେଉଁଠି?
ଏମାନେ ନିରବ ରହିବାର ଦେଖି ବୃଦ୍ଧ ପଚାରିଲେ- ଆପଣମାନେ ବାହା ହୋଇଛନ୍ତି?
ଏମାନେ କହିଲେ ପାଞ୍ଚବର୍ଷ ହେଇଗଲାଣି, ଜଣାଯାଉନି?
ବୃଦ୍ଧ ଜଣକ କହିଲେ- ଆଜିକାଲି କ’ଣ ଜାଣି ହେଉଛି? ଆଉ ପିଲାପିଲି? ସାଙ୍ଗରେ ଆସିନାହାନ୍ତି ସେମାନେ, ନା ଖେଳୁଛନ୍ତି ଏଇ ପାର୍କରେ କେଉଁଠି?
ଏମାନେ କହିଲେ- ପିଲାପିଲି ନାହାନ୍ତି, ହେଇନାହାନ୍ତି ଏଯାଏ ।
ବୃଦ୍ଧ କହିଲେ- ଆଉ କିଛିଦିନ ମଜା କରିଯାଅ, ତା’ପରେ ଝାମେଲା ଭିତରକୁ ଯିବ । କ୍ୟାରିୟର ଗଢ଼ିବା ଭିତରେ ସେ ଆଡକୁ ଚିନ୍ତା କରିନ ବୋଧେ?
ପୁଅଟା କହିଲା- ସବୁ କରିଛୁ, ସବୁ ଚେଷ୍ଟା ସରିଛି । ଆମର ଛୁଆପିଲା ହେବାର ସମ୍ଭାବନା ହିଁ ନାହିଁ । ଡିଫେକ୍ଟ ରହିଛି ମୋର ।
ବୃଦ୍ଧଜଣକ ହସିଲେ, ଆଉ କହିଲେ- ତମେ ଦିହେଁ ତ ଭାଗ୍ୟବାନ । ଖୁସି ହେବା କଥା ଭଗବାନଙ୍କ ଏ ନ୍ୟାୟରେ । ଆମ କଥା ତ ଶୁଣିଲ । ପିଲାଛୁଆ ଥାଇ ଆମେ ଲାଭ କ’ଣ ପାଇଛୁ?ସେମାନଙ୍କ ପାଇଁ ବ୍ୟାକୁଳ ହେବା ବଦଳରେ କ’ଣ ମିଳିଛି ଆମକୁ ? ଆମକୁ ଓଲ୍ଡଏଜ୍ ହୋମ୍କୁ ଯିବା ପାଇଁ ନିଷ୍ପତ୍ତି ନେବାକୁ ପଡୁଛି କାହିଁକି? ଏ କଷ୍ଟଠାରୁ କ’ଣ ନିଃସନ୍ତାନ ହେବାର କଷ୍ଟ ବେଶୀ କଷ୍ଟଦାୟକ? ସନ୍ତାନ ଥାଇ ନିଃସନ୍ତାନ ହେବା ବେଶୀ ଯନ୍ତ୍ରଣାଦାୟକ ନୁହେଁ?
ବୃଦ୍ଧ ଚଷମା ଖୋଲି ଆଖି ପୋଛିଲେ ।
ସନ୍ଧ୍ୟା ପାକଳ ହେଇ ଆସୁଥିଲା । ଏମାନେ ଫେରିଲେ । ସେ ବୃଦ୍ଧ ଦମ୍ପତି ମଧ୍ୟ ଉଠିଲେ ।
ପାର୍କର ଗେଟ୍ ବାହାରେ ସେମାନେ ଆଉ ଏମାନେ ଅଲଗା ହେଲା ବେଳକୁ ଏମାନେ କହିଲେ- ମଉସା ଓଲ୍ଡଏଜ୍ ହୋମ୍ ଯିବା ନିଷ୍ପତ୍ତି ବଦଳାନ୍ତୁ ପ୍ଲିଜ୍! ସେଇଘରେ ଥା’ନ୍ତୁ । ଦର୍କାର ହେଲେ ଆମକୁ ଫୋନ୍ କରିବେ । ନମ୍ବର ରଖନ୍ତୁ ।
ବୃଦ୍ଧ ଦମ୍ପତି କହିଲେ- ଥ୍ୟାକ୍ସ ଫର୍ ଦି ଅଫର !
ଏମାନେ ଘରକୁ ଫେରିବା ବାଟରେ ଗୋଟେ ରେସ୍ତୋରାଁରେ ଖାଇନେଲେ । ରାତିସାରା ଖୁବ୍ ଉପଭୋଗ କଲେ ଜଣେ ଅନ୍ୟଜଣକୁ । ଯେମିତି କଲେଜ ବେଳେ ସାମାନ୍ୟ ସୁଯୋଗ ପାଇଲେ କରୁଥିଲେ । ମନେ ହେଉଥିଲା ସତେ ଯେମିତି ସବୁ ପ୍ରେମ ସାରିଦେବେ ଗୋଟିଏ ରାତିରେ ।
ସକାଳ ହେଲା । ସେ ସକାଳ ଖୁବ୍ ଉପଭୋଗ୍ୟ ଥିଲା ସେମାନଙ୍କ ପାଇଁ । ସେମାନେ ଅପେକ୍ଷା କରୁଥିଲେ ଖବରକାଗଜ ପକାଉଥିବା ସେ ପିଲାଟିକୁ । ପିଲାଟି କାଗଜ ପକେଇବା ମାତ୍ରେ ଏମାନେ କହିଲେ- କାଗଜ ପହିଲା ପରେ ବନ୍ଦ କରିବୁନିରେ, ଯେମିତି ଦେଉଥିଲୁ ଦେବୁ ।
ଘର ମାଲିକକୁ ସେମାନେ ଘର ଛାଡ଼ିବେନି ବୋଲି କହିଦେଲେ । ତା’ପରଠୁ ସେମାନେ ଖୁସିରେ ଅଛନ୍ତି ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ