ମୋତେ ଭୁଲ ବୁଝିବନି ଠାକୁର ମା’ । ଏ ବାହାଘରରେ ମୁଁ ଖୁସି ନୁହେଁ । ମୁଁ ମୋ ନିଜ ପସନ୍ଦରେ ବାହା ହେବାକୁ ଚାହେଁ । ମୁଁ ଯାହାକୁ ମୋ ନିଜ ପାଇଁ ଠିକ୍ କରିଛି ସେ ଆମ ଠାରୁ ଜାତିରେ ଛୋଟ ସେଥିପାଇଁ ଭୟରେ ଘରେ କାହାକୁ କିଛି କହି ପାରିଲିନି । କହିଥିଲେ ବି କ’ଣ ହୋଇଥାନ୍ତା ? ମୋ କଥାରେ କେହି ରାଜି ହୋଇ ନଥାନ୍ତେ । ସେଥିପାଇଁ ମୁଁ ତାଙ୍କ ସହିତ ଘରଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଲି । ମୋତେ ସେ ଏବେ ଗାଁ ମୁଣ୍ଡ ନଈକୂଳରେ ଅପେକ୍ଷା କରିଥିବେ । ମୁଁ ଯାଉଛି ଠାକୁର ମା’ । ଘରଲୋକଙ୍କୁ ଟିକେ ବୁଝେଇଦେବ । ଏ ଘରେ ମୋତେ ସବୁଠାରୁ ବେଶୀ ଭଲପାଅ ତୁମେ । ଅନ୍ତତଃପକ୍ଷେ ତୁମେ ମୋତେ ଭୁଲ ବୁଝିବନି ବୋଲି ମୋର ଆଶା ।
ଠାକୁର ମା’ଶୋଧିଶୋଧି ସଦେଇର ଚଉଦପୁରୁଷ ଉଝାଳି ସାରିଲେଣି । ତଥାପି ମନ ଶାନ୍ତି ହେଉନି ତାଙ୍କର । ସଦେଇର ଭୁଲ ହେଲା ଯେ ତା’ର ଦୁଇବର୍ଷର ଅଜ୍ଞାନ ଛୁଆଟା ଠାକୁର ମା’ଙ୍କୁ ଛୁଇଁଦେଲା । ସଦେଇ ଜାତିରେ ଅଚ୍ଛବ ଆଉ ଠାକୁର ମା’ ହେଲେ ଖାଣ୍ଟି ଶାସନୀ ବ୍ରାହ୍ମଣ । ବ୍ରାହ୍ମଣ ତ ବ୍ରାହ୍ମଣ ସେଥିରେ ପୁଣି ବିଧବା । ତେଣୁ ବାରଣ ଚାରଣଟା ବହୁମାତ୍ରାରେ ଅଧିକ । ସାରା ଜୀବନ ଛୁଆଁଛୁତି, ଜାତିଅଜାତି, ନୀତିନିୟମକୁ ଜାବୁଡି ଧରି ବୟସର ସାୟାନ୍ନରେ ଉପନୀତ ଠାକୁର ମା’ଙ୍କୁ ଜଣେ ଅଚ୍ଛବ ଛୁଇଁଦେବ ଆଉ ସେ ପୁଣି ସମ୍ଭାଳିଯିବେ !!
ଘରେ ପୁଅ-ବୋହୂ, ଝିଅ-ଜ୍ୱାଇଁ ମାନେ ତାଙ୍କୁ ମା’ ବୋଲି ଡାକନ୍ତି ନହେଲେ ନାତି ନାତୁଣୀଙ୍କ ଠାରୁ ଆରମ୍ଭ କରି ଗାଁର ପିଲାଛୁଆ ଯାଏ ସମସ୍ତଙ୍କର ସେ ଠାକୁର ମା’ । ଠାକୁର ମା’ଙ୍କ ଗେହ୍ଲା ବଡନାତୁଣୀ ସୁମୀର ବାହାଘର ଦୁଇଦିନ ପରେ । ସେଥିପାଇଁ ବାହାରେ ଚୌକିଟିଏ ପକେଇ ବସି ନିଜେ ସବୁକାମ ତଦାରଖ କରୁଛନ୍ତି ସେ । ସଦେଇ ଆଉ ତା’ ସ୍ତ୍ରୀ ସକାଳୁ ଆସି କାମରେ ଲାଗି ଯାଇଛନ୍ତି । କେମିତି ବା ନ କରିବେ ? ସଦେଇର ବାପା ଅଜା ଅମଳରୁ ତା’ ପରିବାର ଠାକୁର ମା’ଙ୍କ ଲୁଣ ଖାଇ ତାଙ୍କ ଋଣ ଭାର ତଳେ ଚାପି ହୋଇ ରହିଛନ୍ତି ଯେ । ସଦେଇ ଛାମୁଡ଼ିଆ ବନ୍ଧାରେ ବ୍ୟସ୍ତ ଆଉ ତା’ ସ୍ତ୍ରୀ ଦାଣ୍ଡବାଡ଼ି ଲିପାପୋଛାରେ । ହଠାତ ସଦେଇର ଲଙ୍ଗଳା ପିଲାଟା ଖେଳିଖେଳି ଆସି ଛୁଇଁଦେଲା ଠାକୁର ମା’ଙ୍କୁ । ବାସ… ତା’ପରେ ଠାକୁର ମା’ଙ୍କ ଗାଳିଗୁଡ଼ାକ ଗୁଳିବର୍ଷଣ ପରି ଚାଲିଛି ଯେ ଚାଲିଛି ।
ସଦେଇ ନେହୁରା ହୋଇ କହିଲା, ଦୋଷ କ୍ଷମାକର ଠାକୁର ମା’ । ଦୁଇବର୍ଷର ଅଜ୍ଞାନ ଛୁଆଟା । ସେଥିରେ ପୁଣି ଲଙ୍ଗଳା ଦେହ । ଦେହରେ କନା ଖଣ୍ଡେ ନାହିଁ ତା’ର । ତା’ ଠି ପୁଣି କି ଛୁଆଁ?
ତୋର ତ ଭାରି ସାହସରେ ସଦେଇ । ମୋତେ ପୁଣି ତୁ ନୀତିନିୟମ ଶିକ୍ଷାଦେବୁ !! ଲଙ୍ଗଳା ପିଲା କ’ଣରେ…
ଦେହରେ ସିନା କନା ଖଣ୍ଡେ ନାହିଁ… ଆଉ ଯୋଉ ବେକରେ, ହାତରେ, ଅଣ୍ଟାରେ ମାଳମାଳ ତାବିଜ ଡେଉଁରିଆ ଝୁଲେଇଛୁ ତୋ ଛୁଆର ସୂତାରେ ବାନ୍ଧି… ସେଗୁଡା? ସୂତାରେ କ’ଣ ଛୁଆଁ ନାହିଁ? ଏ ବୁଢ଼ୀଲୋକଟାକୁ କି ହଇରାଣ କଲୁରେ ସଦେଇ ଏ ଶୀତରେ । ମୋତେ ଏବେ ପୁଣି ମୁଣ୍ଡ ଧୋଇ ଶୁଦ୍ଧିସ୍ନାନ କରିବାକୁ ପଡିବ । ମୋ କାୟା ଅପବିତ୍ର କରିଦେଲା ତୋ ଛୁଆ । ତୋର କିଛି ଭଲ ହେବନିରେ…
ଥାଉ… କିଛି ଅମଙ୍ଗଳ କଥା କୁହନ୍ତୁନି ଠାକୁର ମା’ । ଦୋଷ କ୍ଷମା କରନ୍ତୁ ଏ ଅଚ୍ଛବର । ମୁଁ ଆପଣଙ୍କ ଗୋଡ଼ ତଳେ ପଡୁଛି କହି ଠାକୁର ମା’ଙ୍କ ଗୋଡ ପାଖରେ ବସି ପଡ଼ିଲା ସଦେଇର ସ୍ତ୍ରୀ ।
ହାଁ… ହାଁ… କହି ଦଶପାଦ ପଛକୁ ଘୁଞ୍ଚିଗଲେ ଠାକୁର ମା’ । ଦୁର୍… ଦୁର୍… ପୁଣି ମୋ ଦେହ ମାରା କରିବୁ ନା କ’ଣ । ଘୁଞ୍ଚ… ଘୁଞ୍ଚ… ଆଜି ଏକାଦଶୀଟାରେ ସକାଳୁ କାହା ମୁହଁ ଚାହିଁଥିଲି କେଜାଣି… ନାରାୟଣ… ନାରାୟଣ… । ଆଲୋ ହେ… ବଡବୋହୂ… କୁଆଡେ ଗଲୁ… ଅଧବାଲ୍ଟିଏ ଗୋବର ପାଣି ଗୋଳେଇ ଦେ ମୋ ପାଇଁ । ଆଉ ଦି’ ଚାରି ବାଲ୍ଟି ଭଲପାଣି କୂଅରୁ କାଢି କୁଣ୍ଡରେ ଭର୍ତ୍ତି କରି ରଖ… ମୁଁ ଆଉ ଥରେ ମୁଣ୍ଡଧୋଇ ଗାଧୋଇବି ଏବେ । ଆଉ… ହଁ… ସେ ରଜକିଆଣୀକୁ ଟିକେ ଡକେଇ ପଠା । ମୋ ପିନ୍ଧାଲୁଗାଟା ଧୋଇଦେଇ ଯିବ ସେ ତା’ ହାତରେ । ସବୁ ମାରା କରିଦେଲା ପିଲାଟା ।
ବାହାଘର ପୂର୍ବଦିନ ରାତି । ଠାକୁର ମା’ଙ୍କ ଖଳାବାଡ଼ିରେ ମଙ୍ଗନ ଭୋଜି ଚାଲିଛି । ଗାଁ ଲୋକଙ୍କ ଖିଆପିଆ ସରିଲାପରେ ଠାକୁର ମା’ ଆସିଲେ ଶୋଇବା ପାଇଁ ତାଙ୍କ କୋଠରିକୁ । ପାଖରେ ଶୋଇଛି ଗେହ୍ଲା ନାତୁଣୀ । ସସ୍ନେହେ ହାତ ବୁଲେଇ ଆଣିଲେ ନାତୁଣୀ ମୁଣ୍ଡରେ । ଭାବିଲେ… ଆହା.. କାଲି ପରିକା ଲାଗୁଛି, କେଡେ କୁନିପିଲାଟିଏ ଥିଲା ଏ ସୁମି । ମୋରି କୋଳରେ ବଡ ହୋଇଛି ଛୁଆଟା । ଆଜିଯାଏ ମୁହଁ ଖୋଲି ପଇସାଟାଏ ବି ମାଗିନି ମା’ ବାପାଙ୍କୁ । ତା’ର ସବୁ ଅଳିଅର୍ଦ୍ଦଳି ମୋରି ପାଖରେ । କାଲି ସକାଳେ ଚାଲିଯିବ ପର ଘରକୁ!! କେଡେ ବେଗି ବେଗି ଯାଉଛି ଏ ସମୟ !!! ଆଖିରେ ଲୁହ ଜକେଇ ଆସିଲା ଠାକୁର ମା’ଙ୍କର । ନାତୁଣୀକୁ ହଲେଇ ଦେଇ ପଚାରିଲେ, ଆଲୋ… ମା’… ପେଟପୁରା ଖାଇଛୁଟି? କାଲି ଦିନଯାକ ଫେରେ ଉପାସ ଯେ… ଖାଲି ପଣାପାଣି ଟିକେ ଯାହା ପିଇକି ରହିବୁ । ହୁଁ… ଟାଏ ମାରି ମୁହଁ ଉପରକୁ ଚାଦରଟା ଟାଣିଆଣି ଶୋଇଗଲା ସୁମି ।
ଅଧରାତିରେ ନିଦ ଭାଙ୍ଗିଲା ଠାକୁର ମା’ଙ୍କର । ସୁମି !!! ସୁମି କୁଆଡେ ଗଲା? ବାରମ୍ବାର କହିଥିଲି ତାକୁ ପରିଶ୍ରା ଲାଗିଲେ ଏକୁଟିଆ କବାଟ ଖୋଲି ବାହାରକୁ ଯିବୁନି । ମୋତେ ଉଠେଇକି ଯିବୁ । ଏକା ଏକା ବାହାରକୁ ଚାଲିଗଲା ନା କ’ଣ ? ମଙ୍ଗୁଳା ଝିଅଟା… କୁଆଡେ ଗଲା… ଭଲଅଛି ମନ୍ଦଅଛି…ଏମିତି ଭାବୁଭାବୁ ହଠାତ ଠାକୁର ମା’ଙ୍କ ଆଖି ପଡିଲା ଖଟ ଉପରେ ପଡିଥିବା ଧଳା କାଗଜରେ ଲେଖା ଚିଠି ଖଣ୍ଡେ ଉପରେ । ଚିଠି ଖୋଲି ପଢିବାକୁ ଚେଷ୍ଟା କଲେ ଠାକୁର ମା’ । ଆଖିକୁ ଆଉ ଦିଶୁନି ଭଲରେ । ତଥାପି ଆଲୁଅ ତଳେ ଚିଠିଟି ଧରି ନିରିଖେଇ ପଢିବା ପାଇଁ ଚେଷ୍ଟା କଲେ…
ମୋତେ ଭୁଲ ବୁଝିବନି ଠାକୁର ମା’ । ଏ ବାହାଘରରେ ମୁଁ ଖୁସି ନୁହେଁ । ମୁଁ ମୋ ନିଜ ପସନ୍ଦରେ ବାହା ହେବାକୁ ଚାହେଁ । ମୁଁ ଯାହାକୁ ମୋ ନିଜ ପାଇଁ ଠିକ୍ କରିଛି ସେ ଆମ ଠାରୁ ଜାତିରେ ଛୋଟ ସେଥିପାଇଁ ଭୟରେ ଘରେ କାହାକୁ କିଛି କହି ପାରିଲିନି । କହିଥିଲେ ବି କ’ଣ ହୋଇଥାନ୍ତା ? ମୋ କଥାରେ କେହି ରାଜି ହୋଇ ନଥାନ୍ତେ । ସେଥିପାଇଁ ମୁଁ ତାଙ୍କ ସହିତ ଘରଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଲି । ମୋତେ ସେ ଏବେ ଗାଁ ମୁଣ୍ଡ ନଈକୂଳରେ ଅପେକ୍ଷା କରିଥିବେ । ମୁଁ ଯାଉଛି ଠାକୁର ମା’ । ଘରଲୋକଙ୍କୁ ଟିକେ ବୁଝେଇଦେବ । ଏ ଘରେ ମୋତେ ସବୁଠାରୁ ବେଶୀ ଭଲପାଅ ତୁମେ । ଅନ୍ତତଃପକ୍ଷେ ତୁମେ ମୋତେ ଭୁଲ ବୁଝିବନି ବୋଲି ମୋର ଆଶା । ତୁମେ ଏ ଚିଠି ପାଇଲା ବେଳକୁ ମୁଁ ଏ ଗାଁ ଛାଡି ବହୁତ ଦୂରକୁ ଚାଲିଯାଇଥିବି । ମୁଁ… ଆଉ ଅଧିକ ପଢି ପାରିଲିନି ଠାକୁର ମା’ । ଛାତିଟା ଦାଉଁକିନା ହେଲା । ଏତେ ଶୀତରେ ବି ଦେହଟା ଝାଳେଇ ଗଲାଣି । ମୁଣ୍ଡ ଉପର ଛାତଟା ର୍ଘି ର୍ଘି ବୁଲିବା ଆରମ୍ଭ କଲାଣି । କାହାକୁ କହିବେ ସେ ଏ କଥା? ସମସ୍ତେ ଶୋଇଛନ୍ତି ହାଲିଆ ହୋଇ । ରାତି ପାହିଲେ ବାହାଘର । କନ୍ୟା ମଙ୍ଗୁଳା ସରିଛି । ବରଧରା ହାତରେ ବର ନିମନ୍ତ୍ରଣ ପଠା ସରିଛି । ଏବେ ସେ କାହାକୁ ମୁହଁ ଦେଖେଇବେ? ଛିଃ… କି ଲଜ୍ଜା… ହେ ଭଗବାନ ଏଇ ଦିନ ଦେଖେଇବାକୁ ମୋତେ ବଞ୍ଚେଇ ରଖିଥିଲ ପ୍ରଭୁ ।
କାହାକୁ କହିବେ… କ’ଣ କରିବେ ଭାବି ଧୀରେ କବାଟ ଖୋଲି ବାହାରକୁ ଆସିଲେ ଠାକୁର ମା’ । ଦେଖିଲେ ସଦେଇ ଅଇଁଠାପତ୍ର ଗୁଡ଼ାକ ସବୁ ଏକାଠି କରି ଫୋପାଡ଼ି ସାରିଲା ପରେ ଖଳାବାଡ଼ିରେ ଗୋବର ପକେଇ ଲିପାପୋଛା କରୁଛି । ଠାକୁର ମା’ ଜାଣନ୍ତି ସଦେଇ ଅଚ୍ଛବ ହେଲେ ବି ବହୁତ ବିଶ୍ୱସ୍ତ । ନିଜ କପାଳର ବିନ୍ଦୁବିନ୍ଦୁ ଝାଳକୁ ଲୁଗା କାନିରେ ପୋଛିଦେଇ ସଦେଇକୁ ହାତ ଠାରି ଡାକିଲେ ଠାକୁର ମା’ । ତା’ ଆଗରେ ସବୁ କଥା କହି ତାକୁ ପଠେଇଲେ ନଈକୂଳକୁ । ସଦେଇ ବିଚରା ସବୁକଥା ଶୁଣି ହଡବଡେଇ ଯାଇ ଧାଇଁଲା ନଈକୂଳ ଆଡେ ।
ଘରୁ ବାହାର ବାହାରୁ ଘର ହେଉଛନ୍ତି ଠାକୁର ମା’ । କିଛି ସମୟ ପରେ ସଦେଇ ଫେରିଲା ଦୁଇ ହାତରେ ସୁମିକୁ ଟେକିଟେକି ଧରି । ଚେତା ନାହିଁ ସୁମିର । ଛୁଆଁଛୁତି ଭୁଲିଯାଇ ସଦେଇ ହାତରୁ ଟାଣି ଆଣିଲେ ସୁମିକୁ ନିଜ କୋଳକୁ ଠାକୁର ମା’ । ଏ କ’ଣ ସୁମିର ଦେହମୁଣ୍ଡ, ପିନ୍ଧାଲୁଗା ସବୁ ଓଦା ସଡ଼ସଡ଼ ଯେ !! ଆଶ୍ଚର୍ଯ୍ୟ ହୋଇ ସଦେଇକୁ ଚାହିଁଲେ ଠାକୁର ମା’ । ଧୀରେ କରି ସଦେଇ କହିଲା, ଠାକୁର ମା’… ସୁମିଦେଇ ଯେଉଁ ପିଲା ସାଙ୍ଗେ ଯିବେ ବୋଲି ଘରୁ ବାହାରି ଯାଇଥିଲେ, ସେ ପିଲା ତାଙ୍କୁ ଧୋକା ଦେଲା । ନଈକୂଳକୁ ସୁମିଦେଇଙ୍କୁ ଡକେଇ ଦେଇ ନିଜେ ଆଉ ଆସିଲାନି । କୋଉ ମୁହଁରେ ସୁମିଦେଇ ଆଉ ଫେରିଥାନ୍ତେ ଘରକୁ । ନଈକୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରୁଥିଲେ । ମୋର ଆଉ ଟିକିଏ ଡେରି ହୋଇଥିଲେ ସରିଥାନ୍ତା ସବୁ । ଏବେ ବି କିଛି ବିଗିଡି ଯାଇନି ଠାକୁର ମା’ । ସୁମିଦେଇଙ୍କୁ ଘର ଭିତରକୁ ନେଇ ଟିକେ ଗରମ ତେଲ ଘଷାଘଷି କରି ସାଷ୍ଟାଙ୍ଗ କରନ୍ତୁ । ଏ କଥା ଆମ ଭିତରେ ରହିଲା । ମୁଁ କାହାରି ଆଗରେ କହିବିନି କିଛି । ଆଉ ଏ କଥା ବି କେହି ଜାଣିବେନି ଯେ ଗୋଟେ ଅଚ୍ଛବକୁ ଛୁଇଁ ତୁମର ଆଉ ସୁମିଦେଇଙ୍କର କାୟା ଅପବିତ୍ର ହୋଇଛି ବୋଲି ।