ଅରକ୍ଷିତ ବି ବଇଥେଲା ସେଇଠି । ସେ ଖାଲି ମନଦୁଃଖ କରୁ ନଥିଲା । ତା’ ଭିତରେ କିଏ ଗୋଟେ ପଥର ପାହାଚରେ ମୁଣ୍ଡ କୋଡ଼ି କାନ୍ଦୁଥିଲା: “ମୁଁ ଅଳପେଇଷା ‘ପାନ ଖିଲ’ କଥା କହି ଛୁଆଙ୍କୁ ମତେଇ ଦେଲି… ଟକଳ ଫୁଟେଇ ଟିହେଇ ଦେଲି… ଝିମିଟି ଖେଳ ନଗେଇ ଦେଲି ! ତୁ ବିଚାରି କେତେ କଷ୍ଟ ପାଇଲୁ ! ମତେ କ୍ଷମା କରିଦେ… ୟେ ଅଳପେଇଷା ଅରକ୍ଷିତକୁ କ୍ଷମା କରିଦେ ।” ଅନ୍ଧାରରେ ଅରକ୍ଷିତର ଆଖିରୁ ଝରି ପଇଲା କେଇ ଟୋପା ଲୁହ !
ଏଇଠି ଜଳିଥିଲା ସେମାନଙ୍କ ଏନ୍ତୁଡି, ଏଇ ଗାଆଁରେ ।
ଆଗପଛ ହେଇ ଏଇଠି ବି’ ଜଳିଗଲା ଦୁହିଁଙ୍କ ଜୁଇ, ଗାଆଁ ମଶାଣିରେ ।
ଆଉ ଯିଏ ରଇଗଲା… ଏଯାଏ ଯା’ ଘଟ ଛୁଟିନି, ସିଏ ଅରକ୍ଷିତ । ଅରକ୍ଷିତ ମଳିକ ।
ଏ ଖଣ୍ଡ ମଣ୍ଡଳର ଯେତେସବୁ ଆମ୍ବତୋଟା, ନଡ଼ିଆ ବଗିଚା, ଝାଡ ଜଙ୍ଗଲ, ଗୋହିରି, ନଈ ନାଳ, ଯୋର, କଣ୍ଡିଆ ପୋଖରୀ ଓ ସେସବୁର ଅଭୁଲା କାହାଣୀ ଯେମିତି ଲେଖାଥାଏ ତା’ ଜିଭ ଅଗରେ ! ଗାଆଁଗଣ୍ଡାର ଯେତେ ଯେତେ ଦୁଃଖ କଥା… ସୁଖ କଥା… ଜାଣ ତାକୁ ହିଁ ମାଲୁମ୍, ସତେକି ସେ ଆଙ୍କି ରଖିଥାଏ ତା’ ଛାତିରେ… ନଖଦର୍ପଣରେ !
ସେଇପେଇଁ କଇଁଆ ଗଛ କଥା ପଇଲେ ସେ ଖସିପଡ଼େ ଆକାଶରୁ! କହେ: “ଦୂର୍… ଦୂର୍ ! ମତେ ସବୁ କଇବ, ସେ କଇଁଆ ଗଛ କଥା କଇବନିଟି ! କଇଁଆ ଗଛ ପରା ବ୍ରହ୍ମରାକ୍ଷସର ଘର ! ବେଳା ଯଦି ଖରାପ ପଇଲା… ତେବେ ଜାଣ ସବୁ ସଇଲା ! କୋଉ ଛଟକରେ ଏମିତି ପେଲିଦବ ଯେ’ ହାଡ ଗୋଡ ଚୂନା… ଛତୁ! ପ୍ରାଣ ଶେଷ୍ ! ଠିକ୍ ବିକଳି ଦାଦି ପରି ଅବସ୍ଥା ହବ ! କଇଁଅ । ତୋଳୁଥେଲା… ଗଛରୁ ପଇଲା ତ’ ମଲା !’
ତେଣୁ ସେ କଇଁଆ ଗଛ ଚଢ଼େନା କି କଇଁଆ ତୋଳେନା । ତୋଳା ମଜୁରି ବାବଦକୁ ଯେତେ ଅଧିକ ଦବାକୁ କହିଲେ ବି’ ତା’ର ଏଥକୁ ନା… ନା !
ତେବେ ସେ ଗାଆଁ ଗାଆଁ ବୁଲି ଗଛରେ ଚଢ଼ି ନଡ଼ିଆ ତୋଳେ, ଖୁଣ୍ଟୁଣି ଲଗେଇ ଆମ୍ବ ପାରେ । ଝାଡ ଜଙ୍ଗଲ କି’ କାହା ବାଡିରୁ ମହୁ ମାରେ । ନଈ, ଯୋର, କଣ୍ଡିଆରୁ ଉଣ୍ଡାଳି ଉଣ୍ଡାଳି ମାଛ ଧରେ ।
ମଜୁରି ବାବଦକୁ ଯୋଉ ନଡ଼ିଆ, ଆମ୍ବ କି’ ମହୁ ସିଏ ପାଏ, ଆଉ ଯୋଉ ମାଛ ଧରେ… ତାକୁ ସେ ବିକିଦିଏ ସେଇ ଗାଆଁଗଣ୍ଡାରେ । ମିଠା ହସ ସାଙ୍ଗେ ମିଠା କଥାରେ ନଥା ପୂରେଇ ସେ ଏସବୁ ଚିଜକୁ ଏମିତି ବିକିଦିଏ ଯେ’ କେହି ମୂଲଚାଲ କରନ୍ତିନି ତା’ ସାଥିରେ । ଯଦି ବା କିଏ କଲା, ସେ କହେ: “ମାଆ, ବାବୁ, ଦାଦି, ଅପା କି ଖୁଡ଼ୀ… ତମେ ଯଦି ମୂଲଚାଲ କରିବ ତେବେ ଏ ଅରକ୍ଷିତକୁ ସାହା ହବ କିଏ ? କେମିତି ବଞ୍ଚିବ ଏ ଅଳପେଇଷା !’
ସେଥିପେଇଁ ତା’ ସହ କେହି ମୂଲଚାଲ କରନ୍ତିନି । ନା ସେ ବି’ ବଜାର ଦରଠୁ କେବେ ପଇସାଟିଏ ଅଧିକା ହାଙ୍କେନି କାହାଠୁ ।
ତା’ ଛଡା ଅରକ୍ଷିତ ଏ ସାହିରେ ନଇଲେ ସେ ସାହିରେ… ଆଉ କୋଉ ଗାଆଁର ଆଉ ଆଉ ସବୁ ସାହିରେ କେତେକେତେ କଥାର ପେଡ଼ି ଖୋଲିଦିଏ । ବେଦ, ପୁରାଣ, ଶାସ୍ତ୍ର, ରାମାୟଣ, ମହାଭାରତ, ଭାଗବତ, ମାଳିକାଠୁ ଆରମ୍ଭ କରି କଳ୍କୀ ଅବତାର, ନର୍କରେ ପାପୀଙ୍କୁ ଯମଦଣ୍ଡ କଥା ଶୁଣାଏ । ଶୁଣଉ ଶୁଣଉ କାହିଁକେତେ ଢଗଢମାଳି, ନୀତିବାଣୀ ପଶିଆସେ ତା’ କଥା ଭିତରକୁ । ଠାକୁରାଣୀ କେମତି ଆଲୁଅ ଜାଳି ଗାଆଁ ବୁଲୁଥିଲେ… ନଈପଠା ମଶାଣିରେ ଭୂତ ପ୍ରେତ, ଡାହାଣୀ ଚିର୍ଗୁଣୀ କେମିତି ସଭା କରୁଥିଲେ… ଆକାଶରେ ଚାରିଟା ମଣିଷ କେମିତି ମୁର୍ଦାର କାନେ୍ଧଇ ଯାଉଥିଲେ… ଏମିତି ଏମିତି ବାରଆଡୁ ତେରକଥା କହି ସିଏ ସଭିଙ୍କ ମନ ମୋହିନିଏ ।
ସେଇଥିପେଇଁ ଫାଙ୍କା ସମୟରେ… ଖରାବେଳେ କି ଓପରଓଳି… ସବୁ ଓଷା ବ୍ରତ, ପୂଜା ପର୍ବରେ ଗାଆଁ ଗାଆଁର ପିଲା ପିଚିକାଏ, ଝିଅ ବୋହୂଏ, ମାଇପେ, ବୁଢ଼ାବୁଢ଼ୀଏ ଖୋଜନ୍ତି ଅରକ୍ଷିତକୁ । ଘରେ ହେଇଥିବା ପିଠାପଣା, ଭଲମନ୍ଦ ଜିନିଷ ତାକୁ ଦିଅନ୍ତି ଖାଇବାକୁ । କାହା ବାଡ଼ିପଟ ପିଣ୍ଢାରେ… କାହା ଢିଙ୍କିଶାଳେ ବେଢିଯାଇ ବ୍ରହ୍ମାଣ୍ଡର କେତେ ବିଚିତ୍ର କଥା, ଅଜବ କଥା… ଖୁବ୍ ସରାଗରେ ଶୁଣନ୍ତି ତାଠୁ ।
କାହିଁ କେତେଦୂର… କୋଉ ଗାଆଁର ଛୋଟ ବଡ ତାଜା ଖବର ବି’ କେଇ ନିମିଷକେ ସେ ବାଣ୍ଟିଦିଏ ସଭିଙ୍କୁ ! ସାହିରୁ ସାହି ଡେଇଁ… ଗାଆଁରୁ ଗାଆଁ ଡେଇଁ କଥା ବ୍ୟାପିଯାଏ ଖଣ୍ଡ ମଣ୍ଡଳକୁ !
ଏମିତି ଦିନେ ସେ ବାଣ୍ଟିଦେଲା ଖବରଟିଏ । ପହଲି ବଳକୁ ନେଇ ତାଜା ଖବରଟିଏ !
ଦିନେ ପହଲି ବଳ ନୂଆ ଧୋତି ପିନ୍ଧି, ପିନ୍ପିନ୍ ମଠା ଚଦର ଘୋଡେଇ ହେଇ ବାହାରିଲା ତା’ ଶଶୁର ଘର, ବରହମ୍ପୁର । ତା’ ସ୍ତ୍ରୀ ବାସନ୍ତୀ ତିନି ସେରେ ବାସୁମତୀ ଚାଉଳ, ଦି’ ସେରେ ମୁଗ ଜାଇ, ଗୋଟେ ଏଡ଼େବଡ଼ ପୋଡ଼ପିଠା, ଚାରିଟା ନଡିଆ, ପାଏ ଦହିଛେନା ଆଉ ଦେଢ଼ କିଲିଆ ଇଲିଶି ମାଛର ଭଜାକୁ ଜତନରେ ଅଲଗା ଅଲଗା ବାନ୍ଧିବୁନ୍ଧି ବେଗ୍ରେ ଭରିଦେଲା । ବେଗ୍କୁ କାନ୍ଧରେ ଥୋଇ ନଈ ଘାଟକୂଳେ ବାଟେଇ ଦେଲା । କହିଲା: “ଗାଡି ମଟର କଥା… ଖୁଉ ହୁସିଆରି ଯିବ ।’ ହଉ ବୋଲି କହି ପହଲି ଡଙ୍ଗାରେ ଚଢ଼ିଲା ।
ନଈ ପାରିହେଇ, ବେଗ୍ କାନ୍ଧରେ ବୋହି କୋଶେ ବାଟ ଚାଲିଚାଲି ପହଲି ପହଞ୍ଚôଲା କଟକ ଷ୍ଟେସନ୍ରେ । ଟିକଟ କାଟି, ଲୋକଙ୍କୁ ପଚାରି ରେଳ ଚଢିଲା । ଟିକେ ପରେ ତାରି ବୟସର ନଳୀ ପେଣ୍ଟ୍ପିନ୍ଧା ଲୋକଟେ ତା’ ପାଖରେ ଆସି ବସିପଡ଼ିଲା । ସିଏ ସେଇ ବରହମ୍ପୁର ଯିବ ବୋଲି କହିଲାରୁ ପହଲି ମନେମନେ ଭାବିଲା, ଯାହା ହଉ ଭଲ ହେଲା ।
ଭୁବନେଶୋର ଷ୍ଟେସନ ପରେ ଲୋକଟି ହଠାତ୍ ତା’ ପେଟକୁ ଚାପିଧରି ବୋପାଲୋ ମାଆଲୋ ହେଇ ରଡ଼ିଲା ! ମରିଗଲି… ମରିଗଲି ବୋଲି ବୋବାଳି ଛାଡ଼ିଲା ! କ’ଣ ହେଲା ବୋଲି ପହଲି ପଚାରିଲାରୁ ସେ କହିଲା: ‘ଭୀଷଣ ବାଇ ହେଇ ଯାଇଚି ! ପେଟକୁ ମାରୁଚି… ପେଟ କାମୁଡୁଚି !’
ଜଟଣୀ ଷ୍ଟେସନରେ ରେଳ ରହୁରହୁ ସେ ପାଞ୍ଚ ପଇସିଟେ ପହଲିକୁ ଦେଇ ନେହୁରା ହେଲା: “ମୋ ଭାଇଟା ପରା ! ତମର ଧର୍ମ ହବ । ଏଇ ଗେଟ୍ ପାଖ ପାନ ଦୋକାନରେ ପେଟକାମୁଡା ବଟିକା ମିଳୁଚି । ଦି’ ପଇସା ନବ । ମୁଁ ଉଠି ପାରୁନି ! ମୋ ପେଇଁ ଗୋଟେ ବଟିକା ଆଣିବ । ମୁଁ ତମ ବେଗ୍କୁ ଜଗିଚି । କିଛି ଅସୁବିଧା ହବନି ।”
ତାଠୁ ପାଞ୍ଚ ପଇସିଟେ ନେଇ ରେଳରୁ ଓହ୍ଲେଇ ପହଲି ଷ୍ଟେସନ୍ ଗେଟ୍ ପାଖ ପାନ ଦୋକାନକୁ ଗଲା । ଦୋକାନୀକୁ ପେଟକାମୁଡା ବଟିକା ମାଗିଲା । ଦୋକାନୀ ମନା କଲାରୁ ସେ ତା’ ପାଖ ଦୋକାନରେ… ପୁଣି ତା’ ପାଖ ଦୋକାନରେ ବଟିକା ଖୋଜିଲା । ମିଳିଲାନି । ରେଳ କାଳେ ଛାଡିଦବ ଭାବି ତରତର ହେଇ ସେ ଫେରି ଆସିଲା ଡବାକୁ, ତା’ ସିଟ୍ ପାଖକୁ ।
ହେଲେ ସେଠି ପେଟକାମୁଡ଼ା ଭାଇ ନଥିଲା ! ନା ତା’ ବେଗ୍ ବି ନଥିଲା ! ଧଡ୍କରି ତା’ ଛାତିରୁ କ’ଣଟେ ଖସି ପଡିଲା! ପାଖ ସିଟ୍ରେ ଆଗରୁ ବସିଥିବା ଯାତ୍ରୀଙ୍କୁ ସେ ପଚାରିଲା, “ଏଇଠି ବଇଥବା ସେ ପେଟକାମୁଡା ଭାଇ କୁଆଡେ ଗଲା ?’
ସମସ୍ତେ କହିଲେ, କେଜାଣି ?
ଏଥର ବଗିସାରା ସେ ପେଟକାମୁଡ଼ା ଭାଇକୁ ଖୋଜିଲା ! ତା’ ବେଗ୍କୁ ଖୋଜିହେଲା ! ପେଟକାମୁଡ଼ା ଭାଇ କି ତା’ ବେଗ୍ର ଆଉ ପତ୍ତା ନଥିଲା ! ସିଏ ପୁଣି ଜରିରେ ଗୁଡେଇ ସେଇ ବେଗ୍ରେ ପଚାଶ ଟଙ୍କା ରଖିଥିଲା ! ସବୁ ଗଲା !
ଭୀଷଣ ମନ ଦୁଃଖରେ ସେ ନିଜକୁ ମନେମନେ ବହେ ଗାଳିଦେଲା । ଆଉ ଶଶୁର ଘରକୁ ନଯାଇ ସେଇଠୁ ଫେରି ଆସିବା କଥା ଭାବିଲା ବେଳକୁ ଜଟଣୀରୁ ରେଳ ଛାଡ଼ିଦେଲା !
ଅଗତ୍ୟା ମୁହଁ ଶୁଖେଇ ଶଶୁର ଘରେ ଖାଲି ହାତରେ ପହଞ୍ଚôଲା ପହଲି । ତା’ ଶାଶୂବୁଢୀ ଓ ଶାଳୀକି ସବୁକଥା କହିଲା । ମନଦୁଃଖ କଲେ ଶାଶୂ… ମନଦୁଃଖ କଲା ଶାଳୀ ।
ଏମିତି ମନଦୁଃଖ କରି ନଂଘାରେ ବଇଥେଲାବେଳେ ପହଲିର ଶାଳୀ ତା’ ଗାଲରେ ସରୁ ଖୁନ୍ଦାଟିଏ ଖୁନ୍ଦିଦେଇ କହିଲା: “ତମର କୋଉଦିନ ପେଟ କାମୁଡ଼ିବ କେଜାଣି ! ଯୋଉଦିନ କାମୁଡିବ ନା, ସେଦିନ ଜାଣ ସବୁ ସଇଲା !”
ପହଲି ମୁରୁକି ମୁରୁକି ହସିଲା । ସେଇ ଖୁନ୍ଦାରେ ତା’ ଦୁଃଖ ନିମିଷକେ ପାଣି ପରି ବୋହିଗଲା !
ଦି’ ଦିନ ପରେ ଘରକୁ ବାହାରିଲା ପହଲି । ତା’ ଶାଳୀ ବି’ ସାଙ୍ଗରେ ଆସିଲା । ଆସିଲାବେଳେ କହିଲା: “ପୁଣି କିଏ ଯଦି ତା’ ପେଟ କାମୁଡୁଚି କହି ପୋଡ଼ପିଠା, ଦହିଛେନା, ଇଲିଶି ମାଛ ଭଜା ଭଳିଆ ତମକୁ ନେଇଗଲା? ତେବେ ତ ମୋ’ ଦେଈର ଭେଳା ବୁଡ଼ିଲା ! ଚାଲ ଚାଲ… ମୁଁ ତମକୁ ମୋ ଦେଈ ପାଖେ ଛାଡିଦେଇ ଆସିବି ଚାଲ !”
ଏଇ ଖବରଟି ଏମିତି ରଟିଗଲା ଯେ’ ବାଇଜା ଛୁଆଙ୍କୁ ମଉକାଟେ ଜୁଟିଗଲା !
ଏଣିକି ବାଟରେ ଘାଟରେ, ବିଲ ବାଡ଼ିରେ, ଗାଧୁଆ ତୁଠରେ… ବେଳ ଅବେଳରେ ଛୁଆଏ ଗଛ ଉହାଡ଼ରୁ… କଦଳୀ ବଣରୁ ଲୁଚିଛପି ଚିଲ୍ଲେଇ ଉଠିଲେ: “ହୋଓ… ୱଇ ! ୟେ’ ପେଟ୍କାମୁଡା ଭାଇ !” ଓ ଆଉ କେଇଟା ଭେଣ୍ଡିଆ ବୁଢ଼ା ବି ଏଥିରେ ତାଳଦେଇ ଆଖପାଖରୁ କୁହାଟ ଛାଡିଲେ! ଅରକ୍ଷିତ ବି କେବେ କେମିତି ଆସ୍ତେକରି କୁହାଟଟେ ଛାଡ଼ିଦେଇ… ଆଖି ମାରି ଟିହେଇ ଦେଲା ଛୁଆଙ୍କୁ !
ପହିଲେ ପହିଲେ ପହଲି ଟିକେ ଚିଡ଼ିଗଲେ ବି କିଛି କହୁ ନଥିଲା । ହେଲେ ସବୁବେଳେ ଚିଡ଼େଇଲାରୁ ଦିନେ ସେ ନିର୍ଧୁମ୍ ଶୋଧିଲା: “ହଇବେ ଶଳା ବେଧ ବାଳୁଙ୍ଗା ଛୁଆ ! ମୋ ଜିନିଷ ଚୋରିହେଲା… ତମ ବୋପାର କି’ ଗଲା?’
“ନାଇଁ ନାଇଁ… ଆମ ଶାଳୀ ଆମକୁ ଖୁନ୍ଦା ମାଇଲା !” ଆହୁରି ବଡ ପାଟିକରି କିଏ କିଏ ଚିଲ୍ଲେଇ ଉଠିଲେ । ହୋ ହୋ… କିର୍ରି କିର୍ରି ହେଇ ହସିଲେ । ଧୁମ୍ ଗମାତ କଲେ ।
ଦିନେ ହଳ ବୁଲଉ ବୁଲଉ ବାଇଜା ଛୁଆଏ ଏମିତି ଚିଲ୍ଲେଇଲେ ଯେ’ ସେ ରାଗିଗଲା । ତା’ ହାତରୁ ଲଙ୍ଗଳର କଣ୍ଟି ଟିକେ ତେଢ଼େଇ ଗଲା ଯେ’ ବାଅାଁ ବଳଦର ପଛ ଗୋଡରେ ଲଙ୍ଗଳ ଲୁହା ପଶିଗଲା !
ସେଉଠୁ ବନ୍ଦ ରହିଲା ହଳବୁଲା ।
ସେ ନଈ ପାରିହେଇ ଧାଇଁଲା ପଶୁ ଡାକ୍ତରଖାନା ।
ଡାକ୍ତର ଆସି ବଳଦକୁ ଇଞ୍ଜେକ୍ସନ୍ ଦେଲା । ତା’ ଗୋଡ଼ରେ ମଲମ ଲଗେଇ ବ୍ୟାଣ୍ଡେଜ୍ କଲା ।
ଆଖିରୁ ଲୁହ ଗଡ଼େଇ ବଳଦକୁ ଆଉଁସୁ ଆଉଁସୁ… ପହଲି ତାକୁ ଦୂବ ଘାସ ଖୁଏଇ ଦେଲା ।
ତା’ ସ୍ତ୍ରୀ ବାସନ୍ତୀ କହିଲା: ‘ସେ ଉଦୁବିଜା ଜାରଜାଗୁଡା ଚିଡେଇଲେ… ଚିଡେଇଲେ ! ତମେ କାଇଁ ରାଗୁଚ? ରାଗିଲ ବୋଲି ସିନା ଏମିତି ହେଲା !’
ତା’ ଶାଳୀ ବି ତାକୁ ସେଇଆ କହିଲା ।କେତେ ବୁଝେଇଲା ।
ସବୁ ଶୁଣି ପହଲି ଗୁମ୍ମାରି ଚୁପ୍ ରହିଲା । ଯିଏ ଯେତେ ଚିଡ଼େଇଲେ ସିଏ ଆଉ ରାଗିବନି ବୋଲି ହଲପ୍ କଲା ।
ସତକୁ ସତ ତାହାହିଁ ହେଲା ।
ଏଣିକି ଯିଏ ଯେତେ ଚିଡ଼େଇଲେ ବି, “ନାଇଁ ନାଇଁ… ଆମ ଶାଳୀ ଆମକୁ ଖୁନ୍ଦା ମାଇଲା!’ ବୋଲି କୁହାଟ ଛାଡ଼ିଲେ ବି ସେ ମୋଟେ ରାଗିଲାନି କି ପାଟି ଖୋଲିଲାନି ! ଚୁପ୍ଚାପ୍ କାମରେ ମନ ଦେଲା । ମନ ଦେଇ କାମ କଲା ।
ହେଲେ ଆଉଦିନେ ସେ କୁମ୍ଭୀରେ ପାଣି ବୋହିଲାବେଳେ କେଇଟା ଛୁଆ ବିଲେ ବିଲେ ଯାଉଥିଲେ । ଜଣେ “ହୋଓ ୱଇ… ୟେ’ ପେଟ୍କାମୁଡ଼ା ଭାଇ !’ କହି ଗଡ଼ିଆକୁ ଦି’ଟା ଏଡ଼େ ଏଡ଼େ ବୋଲୁଅ ନାଦିଦେଲା । ପହଲି ପଛକୁ ବୁଲିପଡ଼ି ଅନେଇବ କ’ଣ, ସେ ଠିଆ ହେଇଥବା କୁମ୍ଭୀ ବାଉଁଶରୁ ତା’ ଗୋଡ଼ ଖସିଗଲା! ବାଲ୍ଟି ସହ କୁମ୍ଭୀର ବାଲ୍ଟି ବନ୍ଧା ଛଡକୁ ଧରି ସେ ଏମିତି ଓହଳି ପଇଲା ଯେ’ ଯାଇ ଗଡ଼ିଆର ପଙ୍କ ପାଣିରେ ଦୁମ୍କରି ଗଳି ପଇଲା! ତା’ ଆଖି ନାକ ପାଟିରେ ପଙ୍କ ପଶିଗଲା ! ଜଖମ ହେଇଗଲା ଅଣ୍ଟା !
ସେବେଠୁ ବିଲ ବାଡ଼ିରେ କାମ କଲାବେଳେ ତା’ ସ୍ତ୍ରୀ ମଝିରେ ମଝିରେ ଧାଇଁଆସି ତାକୁ ଟିକେ ଦେଖି ଯାଉଥିଲା ! ତା’ ଶାଳୀ ବି ତା’ ସହ ପଦେଅଧେ କଥା ହେଇ ଆଖି ପିଛୁଳାକେ ତାଙ୍କ କଦଳୀ ବାଡ଼ିରେ ଲୁଚି ଯାଉଥିଲା !
ଦୁହେଁ ଦେଖୁଥିଲେ… ସବୁ ଠିକ୍ ଅଛି । ଉଦୁବିଜାଙ୍କ ଉଲ୍କୁମତ୍ତା ଟିକେ କମି ଯାଇଚି ।
ୟାରି ଭିତରେ ରଜ ସଂକ୍ରାନ୍ତି ବେଳେ ଦିନେ ଧୋବା ସାହିର ମାଣିକ ସେଠୀ ଲୁଗା ନବାକୁ ଆଇଲା ପହଲି ଘରକୁ । ପହଲିର ସ୍ତ୍ରୀ ମଇଳା ଲୁଗାପଟା, କନ୍ଥା ଚଦର ତାକୁ ଦଉଥେଲା ସଫା କରିବାକୁ । ପିଣ୍ଡାରେ ବସି ପାନ ଭାଙ୍ଗୁଥେଲା ପହଲି ।
ତା’ ସ୍ତ୍ରୀ ବାସନ୍ତୀ କହିଲା: ‘ହେଇମ, ମାଣିକକୁ ଖଣ୍ଡେ ପାନ ଦଉନ !’
“ହଉ, ନେ ମାଣିକ ପାନ ଖିଲେ ନେ !’ ପହଲି ମାଣିକ ହାତକୁ ପାନ ଖଣ୍ଡେ ବଢେଇ ଦେଲା ।
ମାଣିକ ତା’ ହାତରୁ ପାନ ଖଣ୍ଡକ ନେଇ କଳରେ ଜାକିଦେଲା ଯେ’ ସବୁ ସଇଲା ! ପହଲିଠୁ କଥା ଯାଇ ମାଣିକଠି ନାଖିଗଲା !
ସଂଜ ବୁଡୁ ବୁଡୁ ପହଲି ଘରେ ଲୁଗା ଦେଇ ଫେରିଲା ବେଳକୁ ମାଣିକକୁ ଦେଖି ଛୁଅ ।ଏ ଚିଲ୍ଲେଇ ଉଠିଲେ: ‘ନେ ନେ ମାଣିକ… ପାନ ଖିଲେ ନେଏ ! ପହଲି ଭାଇ ତତେ ଦେଇଚି !’
ତହୁଁ ରାଗରେ ନିଅାଁବାଣ ହେଇଗଲା ମାଣିକ । ଗୋଡ଼ କଚାଡ଼ି ନିର୍ଘାତ ସମ୍ପିଲା: “ହଇରେ ରଇଜଳା ଛତରା! ମୁଁ ହଉଚି ଖାଣ୍ଟି ଧୋବଣୀ ! କା’ ମାଆର କେଇଟା ଘଇତା… ମୋ ନଖ ଅଗରେ ନେଖା ! ଡାଙ୍କୁଣୀଖିଆଙ୍କ ଗୋଇ ତାଡ଼ି ବିଣ୍ଡ ଉଝାଳି ଦେବି ଯେ’ ନାମ ନଉଥବ ! ଗୁଣ ଗାଉଥବ ! ହେଇଟି, ମୁଁ ଯୋଉ ନୁଗା ସଫା କରୁନି, ସେଥିରେ ପରା ତମ ମା’ ଘଇତାର ବିଣ୍ଡ ନେସି ହେଇଚି !’
ମାଣିକର ନିର୍ଘାତ ଅଶଣ୍ଡଶଣ୍ଡ ସଂପାରେ ଛୁଆଏ, ଭେଣ୍ଡିଆ ବୁଢ଼ାଏ ଚୁପ୍ ହେଇଗଲେ ଦଣ୍ଡକେ । ମନ ମାରି ଯିଏ ଯା’ ବାଟେ ପଳେଇଲେ ଘରକୁ କେଇ ନିମିଷକେ!
ତଥାପି ବେଳେବେଳେ ଦୂରରୁ ନୁଚିଛପି କିଏ କେମିତି ଚିଡ଼ଉଥିଲେ ମାଣିକକୁ । ତାଠୁ ସଂପା ଖାଉଥିଲେ । କିର୍ କିର୍ ହେଇ ହସୁଥିଲେ!
ଏଥିପେଇଁ ଅଷ୍ଟମ ନବମ ଶ୍ରେଣୀର କେଇଟା ଅବିଜା ଛୁଆ ସ୍କୁଲ୍ରେ ପାଣୁ ମାଷ୍ଟ୍ରଙ୍କଠୁ ମାଡ ଖାଇଲେ । କାନ ଧରି ପନ୍ଦର ଥର ଲେଖାଏଁ ଉଠ୍ବସ୍ ହେଲେ । ମାଣିକକୁ ଆଉ ଚିଡ଼େଇବେନି, ସୁନାପିଲା ହେବେ ବୋଲି ହାତ କାଟି ସାଦା କାଗଜରେ ନେଖିଦେଲେ !
ଏଥର କଥା ଏମିତି ହେଲା ଯେ, ଦିନେ ଚକି ପକେଇ ଶାଶୂ ସାଙ୍ଗେ କୋଳଥ ଜାଇ ଚୂନା କରୁକରୁ ମାଣିକ କହିଲା: ‘ମୁଁ ଆଉ ଗାଆଁକୁ ଲୁଗା ଆଣି ଯିବିନି । ସେ ଡାଙ୍କୁଣୀଖିଆଙ୍କ ଲୁଗା ସଫା ହେଲେ କେତେ, ନ ହେଲେ କେତେ! ବେଧେ ମଇଳା ଲୁଗା ପିନ୍ଧନ୍ତୁ ! ବେଧେଙ୍କ ଅଣଶୁଦିଆ ମାରା ଲୁଗା କିଏ ସଫା କରୁଚି କରୁ! ଆରେ… କ’ଣ ବିଲି ପାଇଲକି ! କେଇଟା ଦରବୁଢ଼ୀ ମାଇକିନିଅାଁ ପୁଣି ପହଲି ଭାଇ ସାଙ୍ଗେ ଜୋଡି ମେତେ ପାନଖିଲ କଥା କହୁଚନ୍ତି ! ବେଧେଙ୍କୁ ଯଦି ପାନେ ନ ଦେଇଚି…!’
ତା’ ବର କହିଲା: ‘ହଉ ତୋ ଇଚ୍ଛା । ତୁ ଯା’ କରୁଚୁ କର !’
ସତକୁ ସତ ସେଇଆ ହେଲା ।
ଏଣିକି ଓଷା ବାରରେ… ପୂନେଇଁ ପର୍ବରେ ମାଣିକ କୋଉ ଖାଉନ୍ଦ ଘରକୁ ଯାଇ ପିଠାପଣା, ଭୋଗଭାତ… କି ତା’ ବର୍ତ୍ତନ ବି ଆଇଁଲାନି ।
କିଏ କିଏ ଲୁଗା ସଫା ପାଇଁ ତା’ ଘରକୁ ଖବର ପଠେଇଲେ ।
ହେଲେ ସିଏ ଅଡ଼ି ବସିଲା ।
ଏଥର ଘରର ମୁରବିମାନେ ପିଲାଛୁଆଙ୍କୁ ତାଗିଦା କଲେ । ଭେଣ୍ଡିଆ ବୁଢାଙ୍କୁ ଗାଳିଦେଲେ । ଗାଆଁର ପଣ୍ଡିତେ କହିଲେ: ‘ଯିଏ ମାଣିକକୁ ଚିଡ଼େଇବ ତାକୁ ଟଙ୍କାଏ ଜୋରିମାନା ହବ ।’
ସେଇ ମାଣିକ ପହଲି ବଳ ମରିବାର ବରଷକ ପରେ ଆଜି ଚାଲିଗଲା !
ସଞ୍ଜବୁଡେ ଗାଆଁ ପୋଖରୀ ଘାଟ ପକ୍କା ପାହାଚ ଉପରେ ବଇଥେଲେ କେଇଟା ବୁଢ଼ା, ଦରବୁଢ଼ା । ମାଣିକ ସେଠୀ କଥା କହି, ‘ଆହା ବିଚାରି ଏତେ ଶୀଘ୍ର ଚାଲିଗଲା !’ ବୋଲି ମନଦୁଃଖ କରୁଥିଲେ !
ଅରକ୍ଷିତ ବି ବଇଥେଲା ସେଇଠି । ସେ ଖାଲି ମନଦୁଃଖ କରୁ ନଥିଲା । ତା’ ଭିତରେ କିଏ ଗୋଟେ ପଥର ପାହାଚରେ ମୁଣ୍ଡ କୋଡ଼ି କାନ୍ଦୁଥିଲା: “ମୁଁ ଅଳପେଇଷା ‘ପାନ ଖିଲ’ କଥା କହି ଛୁଆଙ୍କୁ ମତେଇ ଦେଲି… ଟକଳ ଫୁଟେଇ ଟିହେଇ ଦେଲି… ଝିମିଟି ଖେଳ ନଗେଇ ଦେଲି ! ତୁ ବିଚାରି କେତେ କଷ୍ଟ ପାଇଲୁ ! ମତେ କ୍ଷମା କରିଦେ… ୟେ ଅଳପେଇଷା ଅରକ୍ଷିତକୁ କ୍ଷମା କରିଦେ ।”
ଅନ୍ଧାରରେ ଅରକ୍ଷିତର ଆଖିରୁ ଝରି ପଇଲା କେଇ ଟୋପା ଲୁହ !
ମୋ. ୯୮୬୧୮୬୯୯୧୦