ଯନ୍ତ୍ରଚାଳିତ ପରି ଯାଇ ମୁଁ ସେ ଆମ୍ବଗଛ ପାଖରେ ଠିଆହେଲି । କାନ୍ଦୁରା ଆଖି ସହିତ ଅନେକ ଅଭିଯୋଗ ନେଇ ମୁଁ ପ୍ରବଳ କ୍ରୋଧରେ ଗଛକୁ ଗୋଇଠାଟିଏ ମାରି କହି ଉଠିଲି, ତୁ ବି ଭାରି କୃତଘ୍ନରେ ଆମ୍ବଗଛ । ତା’ ମାନ ମର୍ଯ୍ୟଦା କିଛି ରଖିଲୁ ନାହିଁ । କାହିଁକି ତୁ ଭାଙ୍ଗିଗଲୁ? ତୁ କ’ଣ ପ୍ରମାଣ କରିବାକୁ ଚାହିଁଲୁ? ତତେ ଏଠି ମାଟିରେ ପୋତି, କେତେ ଆଦରରେ ବଢ଼େଇଥିବା ଅନନ୍ତ ଦାସ ଏବେ ଗୋଟେ ଓଥରା ଭୂତ ! ଓଥରା ଯେଉଁ ଡାଳରେ ବସେ ସେ ଡାଳ ଭାଙ୍ଗେ ! ଏଇଆ ନା !
ଗାଁ ମୁଣ୍ଡରେ ଆମ ସମସ୍ତଙ୍କ ଅପା କୋଇଲି ଅପାର ଘର । ଘର ଚାରିପାଖ ନରକୋଳି, ବରକୋଳି, ଅଁଳା, ଆମ୍ବଡ଼ା, କଇଥ ଆଦି ବିଭିନ୍ନ ସ୍ୱାଦିଷ୍ଟ ଓ ଟକଳିଆ କୋଳିଗଛରେ ଭର୍ତ୍ତି । ଏଣୁ ସେଇଠି ହିଁ ଆମେ ପିଲାମାନଙ୍କର ଆଠକାଳି ବାରମାସୀ ନାଟ ଲାଗିଥାଏ ।
କିନ୍ତୁ ସେଲଫିସ୍ ଜାଏଣ୍ଟ୍ ଭଳି ତା’ ଭାଇ ଅନନ୍ତା ସବୁବେଳେ ପିଣ୍ଡାରେ ବସିଥାଏ ଓ ଦୁଷ୍ଟପିଲାମାନଙ୍କ ଉପରେ ଆଖିରଖି ଆମ ସମସ୍ତଙ୍କୁ କୋଳିତୋଳା ଅଭିଯାନରୁ ନିବୃତ କରୁଥାଏ । ସବୁବେଳେ ତା’ ପାଖରେ ରଖିଥାଏ ଭୟପ୍ରଦ ମୂଳିବାଉଁଶର ଠେଙ୍ଗାଟିଏ । ଅନେକ ସମୟରେ ଆମେ ଦୁଃସାହସୀ ପିଲାମାନେ ଡେଇଁଡେଇଁ ଥକିପଡ଼ିଥିବା ବିଫଳ ମନୋରଥ ବିଲୁଆଟି ପରି ଅଙ୍ଗୁର ଖଟା ବୋଲି କହି କୋଇଲି ଅପା ଅଗଣାରୁ ଅପସରି ଆସୁ ।
ଅନନ୍ତ ଦାସ ତା’ ଭଉଣୀ କୋଇଲି ଅପା ଘରେ କାହିଁ କେବେଠୁ ରହିଆସୁଛି ବୋଧହୁଏ ମୋ ଜନ୍ମର ଢେର ଆଗରୁ । ସେ ଆମ ଗାଁରେ ତା’ ଭଉଣୀଘରେ ଜଣେ ସ୍ଥାୟୀ ସଦସ୍ୟ ଓ ସୁଖ ଦୁଃଖରେ ଷୋଳଅଣା ଭାଗୀଦାର । ଜୀବଜନ୍ତୁ ଗଛବୃଛଙ୍କୁ ତାର ଭାରି ଆଦର । ଗାଈ ଛେଳି ଚରେଇବା, ଗାଈବଳଦଙ୍କୁ କୁଣ୍ଡାପାଣି ଦେବା ଆଦି ତା’ର ପ୍ରତିଦିନର ବେଉସା ।
ମହାଦେବଙ୍କ ନାଁରେ ପାଣିଛଡ଼ା ହୋଇଥିବା ଆମ ଗାଁର ସାମୁହିକ ସମ୍ପତ୍ତି ବୃହଦାକାର ବୁଲାରି ଷଣ୍ଢଟିର ପ୍ରାୟତଃ ଦାୟିତ୍ୱ ଅନନ୍ତ ଦାସ ନେଉଥାଏ । ସର୍ବସାଧାରଣ ପୋଖରୀ ହୁଡ଼ାରେ ଆମ୍ବଗଛଟି ସିଏ ଲଗାଇଛି ଯେଉଁଟାକି ଏବେ ଖୁବ୍ ବଡ଼ । ସେଥିରେ ବଡ଼ ସାଇଜ୍ର ମିଠା ଆମ୍ବ ଫଳେ । କଞ୍ଚା ଆମ୍ବ ବି ମିଠା । ଆମେ ପିଲାମାନେ ବଡ ଲୋଭିଲା ଆଖିରେ ସେ ଫଳନ୍ତି ଗଛ ଆଡକୁ ଅନେଇଁ ପାଖ ପୋଖରୀ ହୁଡ଼ାରେ ଆତଯାତ ହେଉଥାଉ । ଆମ୍ବ ସିଜିନରେ ଅନନ୍ତାର ସୈତାନୀ ଦୃଷ୍ଟିର ଅଢୁଆଳରେ ହିଁ ଆମକୁ ରହିବାକୁ ହୁଏ ।
ଖରାଦିନଟା ଅନନ୍ତା ସେ ଆମ୍ବଗଛ ମୂଳେ ବସି ବସି ବିତେଇ ଦିଏ । ତାସ୍ ଖେଳ ହେଲେ ସେଇଠି, ପଶାଖେଳ ହେଲେ ସେଇଠି । ଆମ୍ବ ପାକଳ ହେଲେ ସେ ଘର ଘର ବୁଲି ଦି’ ଚାରିଟା ଲେଖାଏଁ ଆମ୍ବ ପ୍ରତିଘରେ ବାଣ୍ଟିଦିଏ ।
ଦରବୁଢ଼ା ଅନନ୍ତ ଦାସ ଭାରି ଚିଡୁଆ । ଆମେ ପିଲାମାନଙ୍କ ଉପରେ ଟିକେଟିକେ କଥାରେ ଟିଙ୍ଗ୍ ଟିଙ୍ଗ୍ । ଏଣୁ ଆମେମାନେ ମଧ୍ୟ ତା’ ଠାରୁ ନିରାପଦ ଦୂରତ୍ୱରେ ରହି ତାକୁ ଚିଡେଇବାରେ ଥିଲୁ ଧୂରନ୍ଧର । ତା’ର ନିଜର କେହିନାହିଁ । ସେ ତା’ ଭଉଣୀଘରେ ରହୁଛି । ଏଣୁ ତାକୁ କିଏ କିଏ ଡାକନ୍ତି ଅଘରୀ ଆତ୍ମା ।
ବେଶୀ ରାଗିଗଲେ ଗାଁର ଝଗଡାରେ ସ୍ତ୍ରୀଲୋକମାନଙ୍କ ପରି ଆମେ ତାକୁ ଡାକୁ, ‘ଓଥରା’ ।
ଚିଡ଼େଇ କରି ଆମେ ପୁରୁଣା ଗାଉଁଲି ଗୀତର ଲହର ଛୁଟେଇ ଦେଉ,
ବାହାଚୁରା ହେଲୁନି
ମଠକୁ ବି ଗଲୁନି
ବନି ଥାଆନ୍ତୁ ବାବାଜୀ
ମାତ୍ର ହୋଇଲୁ ଅରାଜି
ତୁ ଅଭିଆଡ଼ା ବୁଢା
ମଲେ ହେବୁ ଓଥରା
କଥାରେ ଅଛି, ‘ମର କହିବୁ ପଛେ ମରମ କହିବୁ ନାହିଁ ।’
ଅଭିଆଡ଼ା ବୁଢ଼ା, ଓଥରା ଆଦି କହି ଗାଳିକଲେ ବା ଏମିତି ଗୀତବୋଲି ଛିଗୁଲେଇଲେ ଜୋକ ମୁହଁରେ ଲୁଣ ଦେଲାପରି ଅନନ୍ତା ବିଚରା ଚୁପ୍ ହୋଇଯାଏ । ନିଜେ ନିଜେ ବାଟକାଟି ସେଠୁ ଚାଲିଯାଏ ।
ଟିକିଏ ବଡହେଲା ପରେ ମୁଁ ଶୁଣିଲି ପଦନା ଗାଁର ଏ ଅନନ୍ତ ଦାସ କପାଳରେ କନିଆ ନଥିଲେ । ପ୍ରଥମ ବାହାଘର ବେଳେ ବିଚରାକୁ ଟାଇଫଏଡ୍ ରୋଗ ହୋଇଗଲା । ବାହାହୋଇ ପାରିଲାନି । ମଙ୍ଗୁଳାକନ୍ୟାର ବାହାଘର ଅନ୍ୟତ୍ର ହୋଇଗଲା । ତା’ ପର ବର୍ଷ ଥାଟବାଟରେ ବାଜା ବାଣ ରୋଷଣୀ ଧରି ବରଯାତ୍ରୀ ସାଙ୍ଗରେ ନେଇ ବରବେଶରେ ବାହାରିଗଲେ ଅନନ୍ତ ଦାସ କନ୍ୟା ଘରକୁ । ହୋମ ପାଖରେ ମନ୍ତ୍ରୋଚ୍ଚାରଣ ଭିତରେ ବାହାବେଦୀରେ ବସିଗଲେ । ମାତ୍ର କନ୍ୟାର ଦେଖାନାହିଁ । ଖୋଜିଲା ବେଳକୁ କନ୍ୟା ତା’ର ପୂର୍ବ ପ୍ରେମିକ ସାଥିରେ ଗାଏବ୍ । ପରଦିନ ପ୍ରେମୀଯୁଗଳ ଅବଶ୍ୟ ମାଉସୀଘରୁ ବରାମତ ହେଲେ ଯେ ମାତ୍ର ବର ଅନନ୍ତକୁ ଶିଶୁପାଳ ହୋଇ ବାହୁଡ଼ିବାକୁ ପଡ଼ିଥିଲା ।
ଶିଶୁପାଳ ସାଜି ନିରୁଦ୍ଦିଷ୍ଟ ହୋଇଯାଇଥିବା କନ୍ୟାର ଘରୁ ଖାଲିହାତରେ ଲେଉଟିବା ପରେ ଅନନ୍ତ ଦାସ ବିଚରା ସବୁବେଳେ ଅନ୍ୟମନସ୍କ ରହୁଥିଲା ଏବଂ ଖୁବ୍ କମ୍ କଥାବାର୍ତ୍ତା କରୁଥିଲା । କିଛି ବର୍ଷ ଏ ପ୍ରକାର ବିତିଗଲା । ବାହାଘର ପାଇଁ ସେ ସ୍ପୃହାହୀନ ହୋଇପଡିଥିଲା ।
ସେତେବେଳେ କେତେଜଣ ଶୁଭାକାଂକ୍ଷୀ ତାକୁ ବାହାହୋଇ ଘରସଂସାର କରିବାକୁ ପ୍ରରୋଚନା ଦେବାକୁ ଲାଗିଲେ । ଏ ପ୍ରକାର ଶ୍ମଶାନ ବୈରାଗ୍ୟରୁ ବାହାରିଆସି ତୁରନ୍ତ ବାହା ହୋଇଯିବାକୁ ଏକରକମ ବାଧ୍ୟ କରିବାକୁ ଲାଗିଲେ । ଦୂରରେ ବ୍ରହ୍ମପୁର ଆଡ଼େ ଗରିବ ଝିଅଟିଏ ଦେଖି ବାହା ହେବା ବରଂ ଭଲ । ଅବଳା ଉଦ୍ଧାର କରିବା ସାଙ୍ଗରେ ସମାନ ହେବ । ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେବ ଯାହା କନିଆ କିଣିବାକୁ । ଏ ଲାଇନ୍ରେ ଦଲାଲ୍ ବା ମଧ୍ୟସ୍ଥଙ୍କର ଅଭାବ ନାହିଁ । ଶେଷରେ ଅନନ୍ତ ଦାସ ରାଜିହେଲା ଏବଂ ପୈତୃକ ଯାହା ଚାରିଗୁଣ୍ଠ ଜମି ମିଳିଥିଲା ତାକୁ ସବୁ ବିକ୍ରିକରି ପୁଳାଏ ଟଙ୍କା ଧରି ବ୍ରହ୍ମପୁର ଚାଲିଲା । ସେଠି ଅଗ୍ନିସାକ୍ଷୀରେ ବରକନ୍ୟାଙ୍କର ବାହାଘର ହୋଇଗଲା, ମନ୍ଦିରରେ ବେଦମନ୍ତ୍ର ଉଚ୍ଚାରଣ ଭିତରେ । କନ୍ୟାର ଘର ଲୋକେ ଏମିତି କି ମଧ୍ୟସ୍ଥ ଭଦ୍ରଲୋକ ଜଣକ ବି ଚିପୁଡ଼ିହୋଇ କାନ୍ଦିକାନ୍ଦି ଝିଅ ବିଦାକଲେ । ଅନନ୍ତ ତା’ର ସଦ୍ୟ ବିବାହିତା ପତ୍ନୀ ସମେତ ରେଳ ଷ୍ଟେସନରେ ପହଞ୍ଚିଗଲା ।
ଟ୍ରେନ୍ ଆସିବାକୁ ଅନେକ ଡେରିଥାଏ । ପତିପତ୍ନୀ ବେଞ୍ଚ ଉପରେ ବସିଥାଆନ୍ତି । ଆଖିରେ ଆଖିଏ ସ୍ୱପ୍ନ ନେଇ ଅପେକ୍ଷମାଣ ହୋଇ ନୀରବରେ ବସିଥାଏ ଅନନ୍ତା । ସ୍ତ୍ରୀଟି ଭାରି ଶର୍ମିଲି ଯେମିତି କି ଲାଜକୁଳି ଲତାଟିଏ! ଅନନ୍ତ ଦାସ କେବେ କେବେ ଆକାଶକୁ ତ କେବେକେବେ ନିଜ ଅବଗୁଣ୍ଠନବତୀ ପତ୍ନୀ ଆଡକୁ ଭାବପ୍ରବଣ ହୋଇ ବିଭୋର ଦୃଷ୍ଟିରେ ଚାହିଁ ରହୁଥାଏ । ନିଜହାତକୁ ନିଜେ ଚିମୁଟି ଧରି ଚିମୁଟାର ବାସ୍ତବ ଯନ୍ତ୍ରଣା ଅନୁଭବ କରିବାପରେ ଯାହା ଘଟୁଛି ସବୁ ବାସ୍ତବ ଓ ସେ ନିଜେ ଶେଷକୁ ପ୍ରକୃତରେ ବାହାହୋଇ ସାରିଛି ବୋଲି ହୃଦ୍ବୋଧ କରି ଆପ୍ୟାୟିତ ହେଉଥିଲା ।
ଅନେକ ସମୟ ପରେ ତା’ ପାଖରେ ବସିଥିବା ତା’ର ନବବିବାହିତା ବ୍ରୀଡ଼ାବତୀ ପତ୍ନୀ ଆସ୍ତେକରି ଅନନ୍ତକୁ ଚିମୁଟିଦେଇ ଗୋଟିଏ ଆଙ୍ଗୁଳି ଉପରକୁ ଟେକି ଦେଖାଇଲା । ଇସାରା ବୁଝିପାରି ଅନନ୍ତ ତାକୁ ସାଥିରେ ନେଇ ଟିକିଏ ନିଭୃତରେ ଥିବା ପରିସ୍ରାଗାର ପାଖରେ ଛାଡ଼ିଦେଇ ଆସିଲା । ଅନେକ ସମୟ ଯାଏ ସେ ନଫେରିବାରୁ ଗାଉଁଲି ଝିଅଟି ବାଟବଣା ହୋଇଯାଇଥିବାସନେ୍ଦହକରି ଅନନ୍ତ ଖୋଜିଖୋଜି ପରିସ୍ରାଗାର ଭିତର ଯାଏ ଗଲା ଆଉ ଭିତରକୁ ଚାହିଁଦେଇ ଚାପୁଡ଼ାଟିଏ ଖାଇଲାପରି ଆଁ କରି ଅନେଇ ରହିଲା । ତା’ ପାଦତଳୁ ଯେମିତି ମାଟି ଖସିଗଲା । ଭିତରେ ଶୂନ୍ଶାନ୍ । କେହି ହେଲେ ବି ନଥିଲେ । କେବଳ ପଡିରହିଥିଲା ଦୁଇଟି ଫମ୍ପା ଷଢ଼େଇ, କେଶୀ ବା ନକଲି ବାଳ ପଂଝାଏ ଓ କନ୍ୟାବିଦାୟ ସମୟର ଗାଢ ଗୋଲାପି ରଙ୍ଗର ପିନ୍ଧା ଶାଢିଟି, ଭଙ୍ଗା ଚୁଡି ଗୁଡିଏ, ଆଉ କାନ୍ଥ ଚଢ଼ି ଡେଇଁ ପଳେଇଥିବାର ଗୋଡ଼ ଘୋଷରା ଦାଗ କାନ୍ଥ ଉପର ଶାଗୁଆ ଶିଉଳି ଉପରେ ।
ଗୋଡ଼ଭଙ୍ଗା ବାଟୋଇ ପରି ସେଇ ବେଳର ସର୍ବହରା, ନିଃସ୍ୱ ଅନନ୍ତ ଦାସ ବ୍ରହ୍ମପୁରରୁ ସିଧା ଫେରିଆସିଲା ଶରଣାର୍ଥୀ ପରି ଆମ ଗାଁରେ ତା’ ଭଉଣୀ ଘରକୁ । ତାଙ୍କ ଗାଁ ପଦନାରେ ନିଜ ପୈତୃକ ସମ୍ପତ୍ତି ଜମିବାଡ଼ି ଆଦି ତ ବିକ୍ରି କରିସାରି ପୁଞ୍ଜି ଧରି ବ୍ରହ୍ମପୁର ଯାଇଥିଲା କନିଆ କିଣିବାକୁ । ନିଜ ଗାଁକୁ କେମିତି ଆଉ କେଉଁ ମୁହଁରେ ବା ଫେରିବ ! ଅଜାଗା ଘା’ । ଦେଖିହୁଏ ନାହିଁ କି ଦେଖେଇ ହୁଏ ନାହିଁ । କିଛି ନହେଲା ପରି ଭଉଣୀ ଘରେ ଆସି ପଡ଼ିରହିଲା ସେଇମାନଙ୍କୁ ଆଶ୍ରାକରି ।
ଘର କାମ ସବୁ ଯେମିତିକି ଝୋଟ ଅମଳ କରିବା, ପିଣ୍ଡାରେ ବସି ଦଉଡ଼ି ବୁଣିବା, ବାଡ଼ିରେ ଶାଗ ପନିପରିବା ଆଦି ଲଗେଇବା, ପାଣି ଦେବା, ଧାନ ଚାଷରେ ଲାଗିପଡିବା ଇତ୍ୟାଦିରେ ସେ ଲାଗିପଡି ଥାଏ । ଖରାବେଳଟା ଯାହା ଆମ୍ବଗଛ ମୂଳେ ପଶା ନଚେତ୍ ତାସଖେଳ ।
ତାସଖେଳରେ ନାଲିପାନ ଗୋଲି ପ୍ରାୟତଃ ତା’ ପାଖକୁ ଯାଏ । ଏ ପ୍ରକାର ଲଗାତାର ସଂଯୋଗରେ ଭାରି ହସ ଲାଗେ ।
କେବଳ ସେତିକି ନୁହେଁ ପଶାଖେଳିଲା ବେଳେ ତିନିଟି ପଶାବାଡ଼ି ଗଡ଼େଇଦେଲେ ତା’ର ବାର ପଡ଼ିଲେ ଅନେକ ବେଳେ କଚେ ବାର ପଡ଼ିଯାଏ (ଛଅ, ପାଞ୍ଚ ଓ ଏକ) । ଦଶ ଦୁଇ ବାର (ପାଞ୍ଚ, ପାଞ୍ଚ, ଦୁଇ) ପଡ଼େନାହିଁ । ଅନନ୍ତା ଥିଲା ବଡ଼ ଖେଳାଳି ।
ସେ ବୁଢ଼ା ହୋଇଯାଇଥିଲା । ମୁଁ କଲେଜରେ ପଢିବା ବେଳେ ସେ ଗୋଟାଏ ଅଜ୍ଞାତ ପେଟରୋଗରେ ମରିଗଲା ।
ପିଲାଳିଆମି ଭରା ବୟସ ଅତିକ୍ରମ କଲା ପରେ କଟକରେ କଲେଜ ହଷ୍ଟେଲରେ ତା’ ମରିବା ଖବର ପାଇ ବିମର୍ଷ ହୋଇ ଭାବିଲି, ଆହା ! ଗୋଟିଏ ଅଖୋଜା, ଅଲୋଡ଼ା ଜୀବନର ପରିସମାପ୍ତି ।
ପୁଣି ଭାବିଲି ଆମ ପିଲାଦିନକୁ ସେ ଭରପୂର ମହିମାମୟ କରି ରଖିଥିଲା ଆଉ ଆମ ଗାଁ ସାରା ସେ ଯେମିତି ଖୁନ୍ଦିହୋଇ ରହିଥିଲା!
ପନ୍ଦର ଦିନ ପରେ ମୁଁ ଛୁଟିରେ ଗାଁକୁ ଆସିଲି । ସେତେବେଳକୁ ଓଥରା ଅନନ୍ତ ଦାସ ପଞ୍ଚଭୂତରେ ବିଲୀନ ହୋଇସାରିଲାଣି । କୋଇଲି ଅପାର ଘର, ଅଗଣା, ଆଉ ଅନତିଦୂରରେ ଅନନ୍ତା ଲଗେଇଥିବା ସେ ଆମ୍ବଗଛ ତଳ (ଯେଉଁଠି ତାସ, ପଶା ଖେଳ ହୁଏ) ସବୁ ଶୁନ୍ୟ ଶୁନ୍ୟ ଖାଁ ଖାଁ ଲାଗୁଥାଏ । ଖରାଦିନ । ସେ ଦିନର ରାତିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ଲାଗିଲା । ମନ୍ଦମନ୍ଦ ଶୀତୁଆ ପବନ । ଆମ୍ବଗଛର ଡାଳପତ୍ର ଦୋହଲି ଉଠୁଥାଆନ୍ତି । ଘରେ ସମସ୍ତେ ଭୟାର୍ତ୍ତ ଭାବେ ନିମ୍ନକଣ୍ଠରେ କଥା ହେଉଥାଆନ୍ତି ଯେ ଅନନ୍ତ ଦାସ ମରିଛି । ସିଏ ପୋଖତ ଓଥରା । ଗଛ ଭାଙ୍ଗିବ, ଡାଳ ଭାଙ୍ଗିବ । ଅତୃପ୍ତ ଆତ୍ମା । ଭୟାବହ ପୁରୁଣା ଓଥରା । ହେଇ ଦେଖ ଅଦିନିଆ ବର୍ଷା, ଅଦିନ ତୋଫାନ ନେଇକି ଆସିଛି । ଗଛ ସବୁ ଦୋହଲିଲେଣି । ଓଥରା ଯେଉଁ ଡାଳରେ ବସେ ସେଇ ଡାଳ ଭାଙ୍ଗେ । ଅନନ୍ତା ସବୁ ଗଛବୃଛ ଲଣ୍ଡା କରିଦେଇ ଯିବ । ଏ ଗାଆଁ ଶେଷରେ ହୋଇଯିବ ବୃକ୍ଷଶୂନ୍ୟ । ହେଇ କଡ଼କଡ଼ ମଡ଼ମଡ଼ ଶବ୍ଦ ଶୁଭୁଛି । ହେଇ ଧସସ୍ କରି କ’ଣ ଗୋଟାଏ ମାଟିରେ ପଡ଼ିଗଲା । ଗଛ କି ଡାଳ କେଜାଣି ! ଝିଅବୋହୂମାନେ ସତର୍କ ରୁହ, ମାଆ କାତ୍ୟାୟନୀ, ମାଆ ପତର ସଉରୁଣୀଙ୍କ ଶରଣ ନିଅ । ପିଲାମାନେ ଶୋଇପଡ଼ । ଆଜି ସାରାରାତି ତାଣ୍ଡବ । ଅନନ୍ତା ଓଥରା ମାତିଛିରେ !
ସାରା ରାତି ବର୍ଷା ଲାଗିରହିଲା । ହୋହା ଘୋଘା ଭିତରେ ମୁଁ ଶୋଇପଡ଼ିଲି ।
ସକାଳକୁ ଥିଲା ସବୁ ଶାନ୍ତ, ନୀରବ । ବର୍ଷା ପବନ କିଛି ଆଉ ନଥାଏ । ଗାଁ ମୁଣ୍ଡରେ ମୁଁ ଯାଇ ଦେଖିଲି ଅନନ୍ତ ଦାସର ନିଜ ହାତଲଗା ଆମ୍ବଗଛରୁ ଗୋଟିଏ ବିରାଟ ଆମ୍ବଡାଳ ରାତିରେ ଭାଙ୍ଗି ପଡ଼ିଛି । ଆଉ କେଉଁଠି କିଛି କ୍ଷୟକ୍ଷତି ହୋଇନାହିଁ ।
ଯନ୍ତ୍ରଚାଳିତ ପରି ଯାଇ ମୁଁ ସେ ଆମ୍ବଗଛ ପାଖରେ ଠିଆହେଲି । କାନ୍ଦୁରା ଆଖି ସହିତ ଅନେକ ଅଭିଯୋଗ ନେଇ ମୁଁ ପ୍ରବଳ କ୍ରୋଧରେ ଗଛକୁ ଗୋଇଠାଟିଏ ମାରି କହି ଉଠିଲି, ତୁ ବି ଭାରି କୃତଘ୍ନରେ ଆମ୍ବଗଛ । ତା’ ମାନ ମର୍ଯ୍ୟଦା କିଛି ରଖିଲୁ ନାହିଁ । କାହିଁକି ତୁ ଭାଙ୍ଗିଗଲୁ? ତୁ କ’ଣ ପ୍ରମାଣ କରିବାକୁ ଚାହିଁଲୁ? ତତେ ଏଠି ମାଟିରେ ପୋତି, କେତେ ଆଦରରେ ବଢ଼େଇଥିବା ଅନନ୍ତ ଦାସ ଏବେ ଗୋଟେ ଓଥରା ଭୂତ ! ଓଥରା ଯେଉଁ ଡାଳରେ ବସେ ସେ ଡାଳ ଭାଙ୍ଗେ ! ଏଇଆ ନା !
୧୦୮-ଏ, ସେକ୍ଟର-୭,
ଉକ୍କାଉନଗରମ୍,
ବିଶାଖାପାଟଣା-୩୨