ପାଗଳୀର ହାତ ଧରି ବାଟ କଢ଼ାଇ ନେଲାବେଳେ ବଡ଼ ସାଆନ୍ତ ସ୍ୱରରେ ସତୀ କହିଲା- ମୁଁ ଜାଣିଛି ଏ ପିଲାର ବାପ କିଏ । ନୀଳ ନାଏକ । ଆଜିଠାରୁ ନାମକରଣ କଲି । ପୁଅ ହେଲେ ଡାକିବି ନାଏକ ଆଉ ଝିଅ ହେଲେ ନୀଳା । ଆ’ଲୋ ମା’ ଘରକୁ ଯିବା । ପ୍ରତିବାଦ ତ’ ଦୂର କଥା, କେହି ରାହା କାଢ଼ିଲେନି । ନୀଳ ନାଏକ ବି ନୁହେଁ । ସେ ତ ସତୀ ଆସିଲା ପାଖରୁ ପଛ କରି ଛିଡ଼ା ହୋଇଛି । ବୋଧହୁଏ ଗଛ ସବୁର ପତ୍ର ଗଣୁଛି ।
ଗାଁର ନାଁ ହଳଦୀପୁର । ସତୀ ଏ ଗାଁକୁ ବାହା ହୋଇ ଆସିଥିଲା କାହିଁ କେତେ ବର୍ଷ ତଳେ । ତା’ ବାପଘର ଆଉ ହଳଦୀପୁର ମଝିରେ ନଈ । ସେ ନଈ ଅଛି, ଲୋକେ ବି ଡଙ୍ଗାରେ ଆତଯାତ ହେଉଛନ୍ତି, ହେଲେ ସତୀର ବାପଘର ଆଉ ନାହିଁ । ମା’ ତ ପିଲାବେଳୁ ଯାଇଥିଲା । ବାପ ବି ଯେପରି ଅନେଇ ବସିଥିଲା, କେମିତି ଝିଅର ହାତକୁ ଦି’ହାତ କରି ଆରପୁରକୁ ଚିତା କାଟିବ ।
ଖାଲି ଘରଟା ପାଇ ଆବୋରି ବସିଛି ଲକ୍ଷ୍ମଣ । କାହିଁ, କେଉଁ ଲମ୍ବି ଯାଇଥିବା ସମ୍ପର୍କରେ ଦାଦାପୁଅ କି ପିଉସୀ ପୁଅ ଭାଇ । କେବେ କିପରି ଲୋଭ ହୁଏ ସତୀର, ମନେମନେ ଭାବେ ଲକ୍ଷ୍ମଣଟା ଥରେ ଅଧେ ଆସନ୍ତାନି ତାକୁ ବାପଘରକୁ ନେବା ପାଇଁ । ଲକ୍ଷ୍ମଣ ଆସେନା । ହାଟରେ କ୍ୱଚିତ୍ କେବେ ଦେଖା ହେଇଗଲେ ଅବଶ୍ୟ ହସି କି ପାଖକୁ ଆସେ । ତା’ ହାତରେ ଧରିଥିବା ବ୍ୟାଗ୍ଟାକୁ ନିଜ ହାତରେ ନେଇ କହେ- ବୁଝିଲୁ ସତୀନାନୀ, ଘରଟାକୁ ଆମୂଳଚୂଳ ବଦଳାଇ ଦେଲିଣି, ହେଲେ ତୋର ଧଳା ପାରା ସବୁ ସେମିତି ଅଛନ୍ତି । ଦିନକୁ ଦିନ ବଂଶ ବଢ଼ାଇ ଚାଲିଛନ୍ତି । କୋଉଠୁ ଆଣିଥିଲୁ ଲୋ ନାନୀ, ଏମିତି ପାରା ଆମ ଖଣ୍ଡମଣ୍ଡଳରେ ଆଉ କାହାରି ନାହିଁ । ମନେ ଅଛି ନା, ସେମାନଙ୍କ ପାଦରେ ବି ଧଳା, ଧଳା କେତେ ପର, ସତେ ଅବା ମଣିଷ ପରି ମୋଜା ପିନ୍ଧିଛନ୍ତି । ଆଉ ତୋ’ ଲଗେଇଥିବା ସେଇ କୃଷ୍ଣଚୂଡ଼ା, ରାଧାଚୂଡ଼ା ଗଛ । କେତେ ଫୁଲ ଯେ ନାଲି ଆଉ ହଳଦିଆ ପତ୍ର ଦିଶେନା । ହାଟ ବାହାରେ ଅପେକ୍ଷା କରିଥିବା ଶଗଡ଼ରେ ବ୍ୟାଗ୍ ରଖି ଓଳଗି ହୋଇ ଚାଲିଯାଏ ଲକ୍ଷ୍ମଣ । ଘରକୁ ଫେରିଲା ବେଳେ ଭାବେ, ଏଇ ଭାଇଟା ସିନା ତା’ ଘରକୁ ଅସେନା । କିନ୍ତୁ ନଈ ପାରେଇ ପ୍ରାୟ ଉଡ଼ି ଆସନ୍ତି ଲୋଟଣୀ ପାରା ଯେତେ, ସତୀ ହାତରୁ ଆଧାର ଖାଇ ପୁଣି ବାହୁଡ଼ି ଯାଆନ୍ତି ।
ଏଇ ଯେଉଁ ଲକ୍ଷ୍ମଣ ସହିତ କେତେ ପାଦ ସାଙ୍ଗ ହୋଇ ଚାଲିବା, ଲୋଟଣୀ ପାରା ଆସି ଆଧାର ଖାଇଯିବା, ସତୀ ପାଇଁ ଏତିକି ହିଁ ତାର ବାପଘର ।
ସମ୍ପନ୍ନ ଚାଷୀଘର ଦେଖି ବାପା ତା’ର ବାହା ଦେଇଥିଲା । ଖାଲି ଯାହା ବରର ବୟସ ଥିଲା ଯଥେଷ୍ଟ ବେଶୀ । ଥିଲା ବେମାର ବି । କିନ୍ତୁ ସତୀର ଏସବୁ ପାଇଁ ଦୁଃଖ ନଥିଲା ଜମା । ବରଂ ଏଇ ବୟସ୍କ ଶ୍ୟାମକାନ୍ତକୁ ବହୁତ ଭଲପାଇଥିଲା ସେ । କିନ୍ତୁ ତା’ ଯିବାକୁ ଅଟକାଇ ପାରିନଥିଲା ସତୀ । ବାହାଘରର ଦି’ବର୍ଷ ପୂରିନି ଲିଭିଯାଇଥିଲା ସିନ୍ଦୂର । ସେତେବେଳେ ପୁଅ ତା’ କୋଳରେ । କିନ୍ତୁ ସତୀ ବୋଧହୁଏ ଏକା ରହିବାର ଭାଗ୍ୟ ନେଇ ହିଁ ଆସିଥିଲା । ସେଥିପାଇଁ ଶ୍ୟାମକାନ୍ତ ଯିବାର କିଛିବର୍ଷ ପରେ ପୁଅ ବି ଚାଲିଗଲା ।
ଗାଁ ଲୋକେ କିଛିଦିନ ପାଇଁ ଆହା- ଉହୁ କଲେ । ଆଉ କେତେକ କହିଲେ- ତୋ’ର ତ ହୀନିମାନିଆ ଜୀବନ । ବାପ-ଭାଇ ତ କେହି ନାହିଁ, କୁଆଡ଼େ ଆଉ ଯିବୁ? ପଡ଼ି ଥା’ ଗୋଟେ କୋଣରେ, ଖୁଦ ମୁଠେର ଅଭାବ ତୋର କେବେ କରାଇ ଦେବୁନୁ । ତୋ ଚାଷବାସ, ଅମାର, ପୋଖରୀ, ମାଛଚାଷ ସବୁ ଆମକୁ ଲାଗିଲା ।
ହେଲେ ହତାଶ ହେଲେ ଗାଁ ଲୋକେ । ଦିନ କେଇଟା ପରେ ଅଣ୍ଟା ସଳଖି ଛିଡ଼ା ହେଲା ସତୀ । ଆଉ ସେଇ ଛିଡ଼ା ହେବାଟା ହଳଦୀପୁର ଗାଁ ଲୋକଙ୍କୁ ବଡ଼ ଅଡୁଆରେ ପକାଇଦେଲା । ସତୀ ଚାଷ କଲା । ସ୍ତ୍ରୀ ଲୋକଟା, ପୁଣି ବିଧବା ନିଜର ଚାରିବର୍ଷର ଛୁଆକୁ ଖାଇଛି, ଅଥଚ ଦେଖ କି ଚାଷ କରୁଛି ସେ । ଧାନ, ଗହମ, କପା, ପନିପରିବା ପୁଣି ମହୁ ଚାଷ ବି । ତିନିକୋଶ ବାଟ ଯାଇ କୃଷି ଅଫିସରୁ ଆଣିଥିଲା ବିହନ । ମିଠା-ମକା । ସମସ୍ତେ ଯେତେବେଳେ ଗୋଟାଏ ଫସଲ କରି, ତାସ୍ ପଶା ଖେଳି ଭୋକ ଆଉ ଅଭାବ ସହିତ ମିତ ବସନ୍ତି ସେତେବେଳେ ସତୀ ତା ଜମିରେ ବର୍ଷଯାକ ଫସଲ ଫଳାଏ । ଲୋକେ କହନ୍ତି ସତୀ ନିଶ୍ଚୟ ତନ୍ତ୍ରମନ୍ତ୍ର, ଗୁଣିଗାରେଡ଼ି ଜାଣେ । ଚଉପଦା ହାଟରେ ତା’ ଜିନିଷ ଆପେ ବାରି ହୋଇପଡ଼େ । ଗୁଣିଗାରେଡ଼ି କଥା ସବୁ ତା’ ପଛରେ କହନ୍ତି । ସାମ୍ନାରେ କହିବା ସମ୍ଭବ ନୁହେଁ କାରଣ ଯାହାର ଯେଉଁ ଅସୁବିଧା ପଡ଼ିଲେ ସେଇ ସତୀ ହିଁ ସାହା, ତାରି ପାଖରେ ସମସ୍ତଙ୍କୁ ହାତ ପତାଇବାକୁ ପଡ଼େ ।
କେହି କେହି ଦରଦ ଦେଖାଇ କହନ୍ତି- “ସତୀ ଖୁଡୀ, ସବୁ ତ’ ଦେଇଦେଉଛ ନିଜ ପାଇଁ କ’ଣ ରଖିଲ ଯେ? ସତୀ ହସେ- ଆରେ ସାରା ଦେହରେ ପେଟଟା ପରା ଚାଖଣ୍ଡେ, ତା’ ପାଇଁ ପୁଣି ଏତେ ଭାବନା??
ଯାହା ହେଉ ସତୀ ପରି ବିଧବାକୁ ଯେମିତି, ସେମିତି ହେଉ ଗାଁ ଲୋକେ ସହି ନେଇଥିଲେ । କିନ୍ତୁ ତା’ ପରେ ଯାହା ହେଲା ତାକୁ କ’ଣ ସହି ହୁଏ? ଜହ୍ନ ରାତିରେ ସତୀ କୁଆଡ଼େ ତା’ ବିଶାଳ ଖଳାରେ ନାଚେ । ଯେମିତି ସେମିତି ନାଚ ନୁହେଁ, ପୂରା ଘୁଙ୍ଗୁର ପିନ୍ଧି ନାଚେ । ହାତରେ କେତେବେଳେ ମୃଦଙ୍ଗ ଥାଏ ତ କେତେବେଳେ ଚାଙ୍ଗୁ । ଲୋକେ ସବୁ ରାତିରେ ଲୁଚିଲୁଚି ତା’ ବାରିପଟ ବାଡ଼ ପାଖରୁ ତାକୁ ଦେଖନ୍ତି । ତା’ ବାରିଟା ଏତେ ବଡ଼ ଯେ ଦୂରରୁ ଏ ନାଚ କିଛିଟା ଅସ୍ପଷ୍ଟ ଦିଶେ ।
ଦୂରରୁ ତା’ ନାଚ ଦେଖିଲେ ଲାଗେ ସେ ନାରୀ ନୁହେଁ, ଗୋଟିଏ ନଦୀ ପାଲଟି ଯାଇଛି । ତା’ ଦେହର ବିଭଙ୍ଗରେ ନଦୀ ବାଙ୍କ । ଗାଁ ଲୋକେ ଜାଣି ନାହାନ୍ତି ଯେ ସତୀ ନାଚ ଶିଖିଛି ତାଙ୍କ ପଡ଼ୋଶୀ ଅନାମ ଦାଦାଙ୍କ ପାଖରୁ । ପ୍ରତିବର୍ଷ ସେ ପଞ୍ଚାୟତ ପାଖରୁ ନଈ-ଘାଟ ଧରୁଥିଲେ । ଲୋକଙ୍କୁ ଘାଟ ପାରି କରିବା ଥିଲା ତାଙ୍କ କାମ । ତାଙ୍କ ପୁଅ ଥିଲା ଅନନ୍ତ । ତା’ର ବି ମା’ ନଥିଲା । ସକାଳୁ ଅନାମ ଦାଦା ଏଇ ଦି’ ଛୁଆଙ୍କୁ ଧରି ଘାଟକୁ ଯାଉଥିଲା, ଯେଉଁଠି ବନ୍ଧା ରହୁଥିଲା ତାଙ୍କ ନୌକା । ସତୀ- ବାପାକୁ ବି ସୁବିଧା ହେଉଥିଲା ନହେଲେ ମା’ ଛେଉଣ୍ଡ ଏଇ ଛୋଟ ଝିଅକୁ ଛାଡ଼ି ବିଲବାଡ଼ିକୁ ଯାଆନ୍ତା କେମିତି??
ନାଉରିଆ ହେବାଟା ଥିଲା ଅନାମଦାଦାଙ୍କ ପେସା । ତାକୁ ଛାଡ଼ି ସେ ଥିଲେ ଜଣେ ଛଉ ନୃତ୍ୟ ଶିଳ୍ପୀ । ଗାଁରେ ପୌଷ-ମାଘରେ ଚାଲେ ଯାନିଯାତ୍ରା । ସେଥିରେ ଛଉ ନାଚ ହେଉଛି ଅନ୍ୟତମ ଆକର୍ଷଣ । ଅନାମଦାଦା ଯେତେବେଳେ ଅର୍ଜୁନ ହୋଇନାଚନ୍ତି ତାକୁ ଜମା ନାଉରିଆ ବୋଲି ଚିହ୍ନି ହୁଏନା । ସଖା- ଅର୍ଜୁନ, ପ୍ରେମିକ- ଅର୍ଜୁନ, ଯୋଦ୍ଧା- ଅର୍ଜୁନ, ବିଶ୍ୱରୂପ ଦର୍ଶନରେ ଅଭିଭୂତ ଅର୍ଜୁନ । କି ମେଧା ତାଙ୍କ ନୃତ୍ୟଶୈଳୀରେ ତାଙ୍କ ସୂକ୍ଷ୍ମଅଭିବ୍ୟକ୍ତିରେ ।
ରାତି ପାହିଲେ ଅନନ୍ତ ଆଉ ସତୀ ନଦୀ ତୀରରେ ସେମିତି ନାଚିବାକୁ ଚେଷ୍ଟା କରୁଥିଲେ । କେତେ ଯତ୍ନରେ ଅନାମ ଦାଦା ସଜାଡ଼ି ଦେଉଥିଲେ ସେମାନଙ୍କର ପାଦ ମୁଦ୍ରା, ତାଳ ଏବଂ ବିଭଙ୍ଗ । ସଜାଡ଼ି ଦେଲା ବେଳେ କହୁଥିଲେ ନଦୀ କୁଆଡ଼େ କେବଳ ପାଣି ନୁହେଁ ତା’ ଦେହରେ ଅନେକ କିଛି ଧରି କେହି ଚାଲେ । ନ ଜାଣିବା ଲୋକେ କେବଳ ତା’ ପାଣିକୁ ଦେଖନ୍ତି ଆଉ ଜାଣିବା ଲୋକେ ତା’ ଭିତରେ ଖୋଜି ପାଆନ୍ତି କେତେ ଶବ୍ଦ, ତାଳ, ନାଦ ଆଉ ଛନ୍ଦ । ଅନାମଦାଦାଙ୍କ ହାତ ଧରି ସତୀ, ନଦୀକୁ ଚିହ୍ନିବାକୁ ଶିଖିଥିଲା । ଅନାମ ଦାଦା, ଅନନ୍ତ ଓ ସତୀ ଭିତରେ କେବବି ଭେଦଭାବ କରୁନଥିଲେ ବରଂ ସତୀକୁ କିଛି ଅଧିକ ହିଁ ସ୍ନେହ କରୁଥିଲେ । ତା’ ଛଡ଼ା ନଦୀରେ ପହଁରିବା, ନୌକା ଚଲାଇବା, ନୃତ୍ୟ ଅଭ୍ୟାସ, ତୀରନ୍ଦାଜର ଅଭ୍ୟାସ ଏସବୁ କାମରେ ସେ ସମାନଙ୍କ ଭିତରେ ପୁଅ-ଝିଅର ପାର୍ଥକ୍ୟ ବି ରଖୁନଥିଲେ ।
ସେଥିପାଇଁ ସତୀ ବଡ଼ ହୋଇଥିଲା ଖୁବ୍ ସହଜ, ସ୍ୱାଭାବିକ ଭାବରେ । ଝିଅ ବା ନାରୀମାନଙ୍କ ପାଇଁ ସମାଜ ଟାଣି ଦେଇଥିବା ଅଦୃଶ୍ୟ ସୀମାରେଖା ସବୁ ସେ ଚିହ୍ନି ନଥିଲା । ସେ ତା’ ନିଜ ଜୀବନ ଜୀଉଁଥିଲା ନିଜ ଢଙ୍ଗରେ । ସ୍ୱାମୀ-ପୁତ୍ର ହରାଇଲା ପରେ ବି । ସେଥିପାଇଁ ତା’ ବିଲରେ ଆଠ ଦଶ ହଳିଆ ହଳ କରୁଥିଲା ବେଳେ ସେ ବିଲ ପାଖରେ ଛତା ଧରି ଖାଉନ୍ଦାଣୀ ପରି ବସୁ ନଥିଲା, ବରଂ ହଳେ ବଳଦ ନେଇ ନିଜେ ବି ହଳ କରୁଥିଲା । ସେମିତି ବିହୁଡ଼ା କିମ୍ବା ରୋଇବା ଆଉ ଶେଷରେ ଧାନ କାଟିବା ସବୁଥିରେ ସେ ନିଜ ଜମିରେ କାମ କରୁଥିଲା ।
ସେ ସବୁ ଦେଖି ପ୍ରତାପୀ ପୁରୁଷଙ୍କର ରାଗରେ ଦାନ୍ତ କଡ଼ମଡ଼ ।
ଖାଲି କ’ଣ ସେତିକି?
ହରିଜନ ବସ୍ତିର ଝିଅ ଅବନ୍ତୀ ଦୂର ଗାଁ’ ହାଇସ୍କୁଲ୍କୁ ସାଇକେଲ୍ରେ ପାଠ ପଢ଼ିବାକୁ ଯାଉଥିଲା । ଦିହ ସହିଲାନି ପ୍ରଧାନଙ୍କ ସାନଭାଇ ସାନ-ସାଆନ୍ତଙ୍କର । ସେ ଆଜ୍ଞା ଜାରି କଲେ ଯେ ତାଙ୍କ ଘର, ଘରକୁ ଲାଗି ରାସ୍ତାକଡ଼ରେ ଲମ୍ବି ଯାଇଥିବା ତାଙ୍କ ଜମି ପାଖ ଦେଇ ଗଲା ବେଳେ ସାଇକେଲରୁ ଓହ୍ଲାଇ ଯିବ । ସେ ତ’ ଗୁଡ଼ାଏ ବାଟ । ତଥାପି ସେ ମାନୁଥିଲା । ଝିଅଟା ଖୁବ୍ ଭଲ ପଢ଼େ । ଦିନେ ପରୀକ୍ଷା ଡେରି ହେଇଯାଉଥିଲା ବୋଲି ସେ ନ ଓହ୍ଲେଇ ସାଇକଲ୍ରେ ହିଁ ଯାଉଥିଲା । ଆଉ ଦେଖ ରାକ୍ଷସ ପାଲଟି ଗଲେ ସାନ ସାଆନ୍ତେ । ରାସ୍ତା ଉପରେ ଘୋଷାରି ନେଇଗଲେ ଅବନ୍ତୀକୁ ଶହେ ଫୁଟ୍ ଖଣ୍ଡେ । ତା’ପରେ ସେ ଯେଉଁ ମାଡ଼, ହାତ-ଗୋଡ଼- ଜୋତା- ବେତ ସବୁଥିରେ, ଯେତେ ପର୍ଯ୍ୟନ୍ତ ଥକି ଯାଇ ତାଙ୍କ ନିଜ ପାଟିରୁ ଫେଣ ବାହାରି ନଗଲା । ତା’ପରେ ନଈକୁ ଗଲେ ଗାଧୋଇବା ପାଇଁ, ହରିଜନଙ୍କୁ ଛୁଇଁଛନ୍ତି ଯେ । ଅବନ୍ତୀ ବି ଧୂଳି ଆଉ ରକ୍ତକୁ ପୋଛିଲା, ତା’ପରେ ଧାଇଁଲା ସ୍କୁଲ୍ । ପରୀକ୍ଷା ଅଛି ପରା ।
ତା’ ପରଦିନ ଦେଖାଗଲା କେଉଁ ବଡ଼ିଭୋର୍ରୁ କାଠ ଆଉ କୋଇଲାରେ ନିଆଁ ଜାଳି ପ୍ରଧାନ ଘର ରାସ୍ତା ଆରପଟେ ସତୀ କ’ଣ କରୁଛି । କୌତୁହଳୀ ଗାଁବାଲା ଦେଖିଲେ, କିଛି ନାହିଁ ମ’, ନିଆଁ ଭିତରେ ପକାଇଛି ଶାବଳ, ଚିମୁଟା ଏଇସବୁ । ନିଜ ଜମିର ଏତେ ଫସଲର ଆୟରେ ସତେ ଅବା ତା’ ପେଟ ପୂରୁନି ଯେ ଏବେ ବୋଧହୁଏ ମନ କରିଛି କମାରଶାଳ କରିବ । ସତୀ ଦ୍ୱାରା ସବୁ ସମ୍ଭବ, ଏ ଆଖି ଆହୁରି କେତେ କ’ଣ ଦେଖିବ କେଜାଣି?
ଅବନ୍ତୀ ଆସିଲା ତା’ ସାଇକେଲ୍ ଚଢ଼ି । ଇସ୍ କାଲିକା ମାଡ଼ରେ ମୁହଁଟା ଫୁଲି ଯାଇଛି । ଗୋଡ଼, ହାତ ବି କେତେ ଜାଗା, ଜାଗା ଫୁଲିଛି । ଜ୍ୱର ଆସିଛି ବୋଧହୁଏ ତେଣୁ ଏ ଖରାଦିନରେ ବି ଚାଦରଟେ ଘୋଡ଼ାଇ ହେଇଛି । ଦୃଢ଼ ପାଦରେ ଆଗେଇ ଗଲା ସତୀ, ହାତରେ ଶାବଳ ସାମ୍ନାଟା ନିଆଁ ତାତିରେ ପାଚି ନାଲି ଟହଟହ । ତାକୁ ବିଡ଼ାଏ କେନ୍ଦୁପତ୍ରରେ ବଜ୍ରମୁଠାରେ ଧରିଛି । ନା’ ତୁ ସାଇକେଲ୍ରୁ ଓହ୍ଲାଇବୁନି । ତୁ ଚଢ଼ି କି ଯା’ । ମୁଁ ଦେଖିବି କୋଉ ସାଆନ୍ତେ ସାନ କି ବଡ଼ ତୋତେ ଅଟକାଇବେ । ଆଉ ଖାଲି ଆଜି ନୁହେଁ, ସବୁଦିନ ତୁ ସାଇକେଲ ଚଢ଼ି ହିଁ ସ୍କୁଲ୍ ଯିବୁ । ଅନ୍ତତଃ ଯେତେଦିନ ଏ ଗାଁ’ରେ ମୁଁ ଅଛି ଆଉ ମୋ’ ହାତରେ ଅଛି ତାତିଲା ଶାବଳ । ଯା’ ମା’ ସ୍କୁଲ୍ ଯାଆ ।
ସବୁଦିନିଆ ଶାନ୍ତ ଶିଷ୍ଟ ସତୀର ସେ ଯୋଉ ରୂପ । ମାଆଲୋ! କେହି ତା’ ସାମ୍ନାକୁ ଆସିଲେନି । ଗାଁ ବାଲା ଆଉ ପ୍ରଧାନ ଘର କହିଲେ, ସତୀ ଉପରେ ସେଦିନ କୁଆଡ଼େ ଠାକୁରାଣୀ ସୱାର ହେଇଥିଲେ ନ ହେଲେ ଏଇ ଛାର ମାଇପିଟାକୁ କିଏ ଡରିଛି ନା’ କ’ଣ? କିଏ କିଏ ପରା ସେତେବେଳେ ସତୀ ଗଳାରେ ନରମୁଣ୍ଡ ମାଳ ବି ଦେଖିଛନ୍ତି । କେଜାଣି! ସ୍ୱାଭାବିକ ମଣିଷପଣିଆ ଯେତେବେଳେ ଲୋକେ ଚିହ୍ନିବାକୁ ଭୁଲ୍ କରନ୍ତି ସେତେବେଳେ ବଖାଣି ବସନ୍ତି କେତେ ଠାକୁର-ଠାକୁରାଣୀଙ୍କ ସୱାର ହେବା କଥା । ଦୃଶ୍ୟ ଉପରେ ଢାଳି ଦିଅନ୍ତି ଅଦୃଶ୍ୟର ପ୍ରଲେପ । ମଣିଷର କଳ୍ପନାରେ ଯେ ସଦାବେଳେ ଡେଣା ଲାଗିଥାଏ ।
ଗାଁ’ରେ ଦିନେ ନିଶାପ ବସିଥାଏ । ବିଚାର ହେଉଛି ସୁମୀ ପାଗଳୀର । ଗାଁ’ ମୁଣ୍ଡର ମଙ୍ଗଳା ମନ୍ଦିର ପାଖରେ ରହେ ସେ । କାହା ସହିତ କଥାଭାଷା ହୁଏନା । ମେଳା ବସିଲେ ସେ ନିଶ୍ଚୟ ଯାଏ ଏବଂ କାହାକୁ ଯେପରି ଖୋଜି ବୁଲେ । କୋଉ ଗାଁରୁ ଆସି ଯେ ସେ ପହଞ୍ଚିଛି କେଜାଣି? ଦି’ ବର୍ଷ ତ’ ହୋଇଗଲା । କାହିଁ ତାକୁ ଖୋଜି କେଉଁ ଗାଁରୁ ବି କେହି ଆସିନାହାନ୍ତି?
ଏବେ ସେ ଗର୍ଭବତୀ । ଏଡେ ବଡ଼ ପାପ! ତାକୁ ଶାସ୍ତି ନଦେଲେ ତ ଏ ଗାଁରେ ଆଉ ସୂର୍ଯ୍ୟ-ଚନ୍ଦ୍ର ଆତଯାତ ହେବେନି । ଅବଶ୍ୟ ବିଚାର ପୂର୍ବରୁ ହିଁ ତା’ର ଶାସ୍ତି ଆରମ୍ଭ ହୋଇଯାଇଛି । ଗୋଟାଏ ମୋଟା ଦଉଡ଼ିରେ ତାକୁ ଭିଡ଼ି କି ଗଛରେ ବନ୍ଧା ଯାଇଛି । ଯାହା ମନ ହେଉଛି ସେ ଯାଇ ତାକୁ ବିଧା, ଗୋଇଠା ପକାଉଛି । ଆଉ କିଏ ତା’ ପେଟ ଉପରେ ମୁଥ ମାରି କହୁଛି- ଲାଗୁଛି ଏ ପାପ ବୋଧହୁଏ ଛଅମାସ ଉପରେ ହେଲାଣି । ସବୁଠାରୁ ବେଶୀ ପାଟି କରୁଛି ନୀଳ ନାୟକ- ସୁମୀକୁ କଠୋର ଶାସ୍ତି ନଦେଲେ ଗାଁରେ ଆଉ ମାଇପିମାନଙ୍କୁ ସମ୍ଭାଳି ହେବନି । ଘରେ ଘରେ ଏମିତି କଥା ହେବ । ତେଣୁ ତା’ ହାତ ଗୋଡ଼ ବାନ୍ଧି ନଈରେ ପକାଇ ମାରିଦେଲେ ଏକାଥରେ କାମ ଶେଷ ।
କାହାରି ପ୍ରଶ୍ନର ଉତ୍ତର ଦେଉନି ସୁମୀ-ପାଗଳୀ । ଆଖିରେ ତା’ର ଶିଶୁ ସୁଲଭ ଦୃଷ୍ଟି । ସେ ଜାଣେନା ପାପ-ପୁଣ୍ୟର ହିସାବ । ସେ କେବଳ ଜାଣେ ସେ ମା’ ହେବାକୁ ଯାଉଛି । ଏ ସମୟରେ ଆସି ପହଞ୍ଚିଲା ସତୀ । ହାତରେ ଧାରୁଆ ଦା’ । ଆଦୌ ଚଣ୍ଡୀ ଚାମୁଣ୍ଡୀ ପରି ଦିଶୁନି । ତାକୁ ଦେଖି ସମସ୍ତେ ତାଟକା, କାରଣ ଗାଁରେ କୌଣସି ଯନ୍ତାଳ, ପର୍ବପର୍ବାଣି ମେଳଣରେ ସେ ଆସେନା, ନ୍ୟାୟ ନିଶାପ ତ ଦୂର କଥା । କିଛି ସାବଧାନୀ ଲୋକେ କଛା ଭିଡ଼ି ସାରିଲେଣି, ପ୍ରାଣ ବିକଳରେ କାଳେ ଦୌଡ଼ିବାକୁ ପଡ଼ିବ ।
ସତୀ ଆସି ଦା’ରେ ରସିକୁ କାଟିଲା । ସୁମୀ-ପାଗଳୀ ବନ୍ଧନରୁ ମୁକ୍ତ ହେଲା ପରେ କାନ୍ଦିଲା, ପୋଛି ହେଲା ସତୀର ପଣତରେ, ତା’ପରେ କେତେ ମଧୁର ହସି କହିଲା- ଜାଣ ମୁଁ ଏବେ ମା’ ହେବି । ତା’ର ସେଇ ପଦେ କଥାରେ ସ୍ୱର୍ଗ ବି ଯେପରି ଆସି ଏଇ ମାତୃତ୍ୱ ପାଖରେ ମଥାନତ କଲା । ଆଉ ସେଇଥିପାଇଁ ବୋଧହୁଏ ଗାଁର ଏଇ ପରାକ୍ରମୀ ପୁରୁଷମାନେ ପଥର ପରି ନିର୍ବାକ ହୋଇଗଲେ ।
ପାଗଳୀର ହାତ ଧରି ବାଟ କଢ଼ାଇ ନେଲାବେଳେ ବଡ଼ ସାଆନ୍ତ ସ୍ୱରରେ ସତୀ କହିଲା- ମୁଁ ଜାଣିଛି ଏ ପିଲାର ବାପ କିଏ । ନୀଳ ନାଏକ । ଆଜିଠାରୁ ନାମକରଣ କଲି । ପୁଅ ହେଲେ ଡାକିବି ନାଏକ ଆଉ ଝିଅ ହେଲେ ନୀଳା । ଆ’ଲୋ ମା’ ଘରକୁ ଯିବା । ପ୍ରତିବାଦ ତ’ ଦୂର କଥା, କେହି ରାହା କାଢ଼ିଲେନି । ନୀଳ ନାଏକ ବି ନୁହେଁ । ସେ ତ ସତୀ ଆସିଲା ପାଖରୁ ପଛ କରି ଛିଡ଼ା ହୋଇଛି । ବୋଧହୁଏ ଗଛ ସବୁର ପତ୍ର ଗଣୁଛି ।
କିଛିମାସ ପରେ ପିଲା ହେଲା । ଜନ୍ମ ହେଲା ନାଏକ, ଡଉଲ ଡାଉଲ କୋଦ… ଦା ପିଲାଟେ । ଆଉ ସୁମୀ ତ’ ଯେପରି ନୂଆ ଜନ୍ମ ପାଇଲା । ପ୍ରାୟ ମୌନ ରହୁଥିବା ସୁମୀ ଏବେ କଥା କହେ, ପୁଅକୁ ଗୀତ ଗାଇ ଶୁଆଏ, ବୋକ ଦିଏ ଆଉ ହୁକୁମ୍ କରେ । ସତୀକୁ ମୋ’ ପୁଅ ପାଇଁ ଏଇଟା ଆଣି ଦେ’, ସେଇଟା ଦେ ।
ସତୀ ଆଣେ, ସୁମୀ ଯାହା କହେ ସବୁ । ସତୀ ବୋଧହୁଏ ତା’ ଜୀବନରେ କେବଳ ସୁମୀର ହିଁ ହୁକୁମ ମାନିଛି ।
ଆଜିକାଲି କାହିଁକି କେଜାଣି କେମିତି ଗୋଟାଏ ଉଦାସିଆ ପବନ ବୋହୁଛି ସତୀ ମନରେ । ସେ ବେଳେବେଳେ ନଈ କୂଳର ସେଇ ବାଉଁଶ ନଟୀ ପାଖକୁ ଯାଏ । ସେଇ ବାଲିପଠା ଯେଉଁଠି ଶୋଇଛନ୍ତି ତା’ ସ୍ୱାମୀ ଆଉ ପୁଅ । ଅନେକ ସମୟ ନିରବରେ ବସିଥାଏ । ମନେ ମନେ ପଚାରେ କେମିତି ଅଛ ତମେ ମାନେ? ମୋତେ ମନେ ପକାଅ ନା ନାହିଁ? ତମେ ମାନେ ଚାଲିଗଲ ହେଲେ ମୋ’ ଘାଟ ନୌକା ଆସୁନି କାହିିଁକି? ପଣତରେ ପଣତେ କଥା ଗଣ୍ଠେଇ ରଖିଛି । ଦେଖା ହେଲେ କହିବି । ପୁଅରେ ତୁ କ’ଣ ଆଉ କୋଉଠି ଜନ୍ମ ନେଇସାରିଲୁଣି? ସ୍କୁଲ୍ ଯାଉଛୁ ତ?
କେତେ କଥା ।
ସତୀ ଦିନେ ଘର ସଜାଡୁ ସଜାଡୁ ଆହୁଲାଟେ ପାଇଲା । ସେଇଟା ଅନନ୍ତର ଆହୁଲା । ବିଚରା ବାପ-ପୁଅ ଦିହେଁ ହିଁ ଚାଲିଗଲେ ମହାବାତ୍ୟାରେ । ନା ମିଳିଲା ତାଙ୍କ ଦେହ ନା ମିଳିଲା ନଉକା ? ପାହାନ୍ତା ରାତିରେ ଧାଇଁ ଯାଇଥିଲା ସତୀ । ସେତେବେଳେ ଆଉ କିଛି ଚିହ୍ନବର୍ଣ୍ଣନଥିଲା । କେବଳ ପଥର ସନ୍ଧିରେ କେମିତି କେଜାଣି ରହି ଯାଇଥିଲା ଅନନ୍ତର ଆହୁଲାଟା । ସତୀ ହିଁ ତ ଛୁରୀରେ ଧୀରେ ଧୀରେ କାଟି ଏଇ ଆହୁଲା ଉପରେ, ଲେଖିଥିଲା ‘ଅନନ୍ତ’ । ସେଇଟା ଦେଖି ତା’ ମୁହଁରେ ଚନ୍ଦ୍ରଉଦିଆ ହସ ଆଉ କେତେ ସରାଗରେ ସେ ତା’ ବାପାକୁ ଦେଖାଇଥିଲା- ବାବା ଦେଖ, ସତୀ ଅପା କେମିତି ମୋ ନାଁ ଲେଖିଦେଇଛି ।
ସେଇ ମୁହୂର୍ତ୍ତଟା ଆଜି ବି ସତୀ ପାଖରେ ସେମିତି ଅଛି । ସମୟ ଯେତେ ଖରସ୍ରୋତା ହେଲେ ବି ସବୁତକ ମୁହୂର୍ତ୍ତ ପୋଛି ଦେଇପାରେନା । ଆଜି ଆହୁଲାଟା ଅଛି, ସେମାନେ ନାହାନ୍ତି । ସତୀର ଜୀବନରେ କ’ଣ ମୃତୁ୍ୟ ହିଁ କେବଳ ଧାଡ଼ି ବାନ୍ଧି ଆସେ!!
ଅନାମ ଦାଦା କହୁଥିଲେ ବୁଝିଲୁ ମା’ ଜୀବନରେ ଯେତେ ଦୁଃଖକଷ୍ଟ ଆସୁ ନିଜ ଉପରୁ କେବେ ଆଗ୍ରହ ହରାଇବୁନି । ଯିଏ ଆଗ୍ରହ ହରାଏ ସେ ମରିଲା ପରି ବଞ୍ଚି ରହେ । ନଈ ପାଖରୁ ଜୀଇଁବା ଶିଖ! ତା’ର ତ କେତେ ଦୀର୍ଘ ରାସ୍ତା, ତଥାପି ସେ ନିଜକୁ ପ୍ରତି ମୁହୂର୍ତ୍ତରେ ନୂଆ ଜଳରେ ସଜାଉଥାଏ । ତୁ ଚାହିଁଲେ ବି ସେଇ ଏକା ପାଣିରେ ଦି’ଥର ଗାଧୋଇ ପାରିବୁନି । ନଦୀ ସାଜେ ନିଜକୁ ବଞ୍ଚାଇ ରଖିବାକୁ, ତା’ ଦୀର୍ଘ ପଥର ଯାତ୍ରାକୁ ଅତିକ୍ରମ କରିବାକୁ । ମଣିଷକୁ ବି ସଠିକ୍ ଭାବରେ ମରିବାକୁ, ହେଲେ ଜୀବନଯାକ ନିଜକୁ ନୂଆ ନୂଆ ଭାବ ତ ଭଲପାଇବା ଦେଇ ସଜାଇବାକୁ ପଡ଼ିଥାଏ ।
ସତୀ ନିଜ ମନକୁ ଅଣ୍ଡାଳି ସେମିତି ଏକ ଭାବ ଖୋଜି ପାଇଛି । ନଦୀ ତୀରର ନାଚ । ସତୀ ଯେ ଆହୁରି ବଞ୍ଚିବାକୁ ଚାହେଁ, ନ ଥାଆନ୍ତୁ ପଛେ ତା’ର ପି୍ରୟଜନ । ଏକୁଟିଆ ହିଁ ବଞ୍ଚିବ ସେ, ବେଶ ଦୀର୍ଘ ଜୀବନ । ଜନ୍ମରୁ ପାଇଥିବା ଆୟୁ ଯଦି ସରିଯାଏ, ତେବେ ଆଞ୍ଜୁଳାରେ ଉଧାର ମାଗିବ ନଦୀକୁ । ତେଣୁ ବଞ୍ଚିବା ପାଇଁ ସତୀ ନାଚେ । ଏ ବୟସରେ ହାଡ଼ ଓ ଗଣ୍ଠି ଟିକିଏ ଅବାଧ୍ୟ ହୋଇଯାଇଛି । ତେଣୁ କିଛି, କିଛି ମୁଦ୍ରା, କିଛି ବିଭଙ୍ଗ ସେଇ କିଶୋରୀ ବେଳା ପରି ସେତେ ସାବଲୀଳ ହେଉନାହିଁ । ନ ହେଉ ଏ ନାଚ ତ ଦର୍ଶକ ପାଇଁ ନୁହେଁ, ଇୟେ ତା’ ଅବଲମ୍ବନ, ବଞ୍ଚିବା ପାଇଁ ।
ସତୀ ଚେଷ୍ଟା କରେ ପୂର୍ଣ୍ଣିମାର ରାତିରେ ଜନ୍ମ- ମାଟି-ଜୀବନ ଗୋଟିଏ ସରଳ ରେଖାରେ ଆଣିବାକୁ ।
ଅନନ୍ତର ମରଶରୀରର ଖବର ମିଳିନି, ସେହି ମହାବାତ୍ୟାରେ ଭାସି ଯିବା ପରଠାରୁ । କିନ୍ତୁ ଆଶ୍ଚର୍ଯ୍ୟର କଥା, ତା’ ଆହୁଲାଟାକୁ ଖଳାରେ ଆଣି ରଖିବା ପରେ ଅନନ୍ତ ବେଳେବେଳେ କୁହୁଡ଼ି ରାତିରେ ଆସି ବସେ ଆଉ ତା’ ସତୀ ଅପା ସହିତ କଥା ବାର୍ତ୍ତା ବି କରେ- ଏଡ଼େ ଯତ୍ନରେ ଯେଉଁ କେନେ୍ଦରା ବଜାଉଛୁ ସତୀ- ଅପା କାହା ପାଇଁ? ମୋ ପାଇଁ?
ସତୀ ହସେ- ନା । ତୁ ତ’ ମୋର ଗେହ୍ଲା ନାଉରିଆ ଭାଇଟା, ତୁ ଏ କେନେ୍ଦରା ନେଇ କ’ଣ କରିବୁ? ଏଇଟା ତିଆରି କରୁଛି ସେଇ ସନାତନ ଯୋଗୀ ପାଇଁ । ଏବେ ନାଥ ସଂପ୍ରଦାୟର ଭାରୀ ସଙ୍କଟ, କେହି ଆଉ ତାଙ୍କ ଗୀତ ଶୁଣୁନାହାନ୍ତି । ହଜି ଯାଉଛି ଟୀକା ଗୋବିନ୍ଦ ଚନ୍ଦ୍ର, ବଉଳାର ଗୀତ ଆଉ କେନେ୍ଦରାର ବୈରାଗୀ ସ୍ୱର । ତେଣୁ ଏଇଟା ସନାତନକୁ ଦେବି । ନୂଆଟିଏ କିଣିବା ପାଇଁ ଆଉ ତା’ର ସାମର୍ଥ୍ୟ ନାହିଁ । ଅନେକ ଦିନ ହେଲା ସେ ଆସୁନାହିଁ । ସେ ଆସିଲା ବେଳେ ମୁଁ ଥିବି କି ନାହିଁ, କେଜାଣି । ହଉ ଛାଡ଼ ସେ କଥା, ମୋତେ ଏବେ କହିଲୁ ତୁ କେମିତି ମୋ ପାଖକୁ ଆସିପାରୁଛୁ?
ତୁ ପିଲାବେଳେ ମୋ ପାଖରୁ କିଛି ଗୋଟିଏ ମାଗିଥିଲୁ, ମୁଁ ଦେଇପାରିନି । ସେଥିପାଇଁ ମୋତେ କେତେ ଦୂରରୁ ଏକ ଭିନ୍ନ ପୃଥିବୀରୁ ମୋତେ ଆସିବାକୁ ପଡୁଛି । ତୋର ବଡ଼ ଇଚ୍ଛା ଥିଲା ଥରେ ସହରକୁ ଯାଇ ଚଳଚ୍ଚିତ୍ର ଦେଖିବୁ । ମୁଁ କଥା ଦେଇଥିଲି ଦେଖାଇବି ବୋଲି । ସେ କଥା ରଖିପାରିନି ।
ସତୀର ଜରାଗ୍ରସ୍ତ ମୁହଁରେ ଉକୁଟି ଉଠେ ସେହି କିଶୋରୀ ବୟସର ହସ- ହଁରେ ଭାଇ, ଶୁଣିଛି ଗୋଟିଏ ବହୁତ ବଡ଼ ଘରେ ଅନେକ ଲୋକ ବସି ଅପେକ୍ଷା କରିଥା’ନ୍ତି । ଘର ପୂରା ଅନ୍ଧାର । ସେଇ ଅନ୍ଧାରକୁ ଚିରି ପରଦା ଉପରେ ଆଲୁଅ ଆସେ, ଚଳଚ୍ଚିତ୍ର ଚାଲେ । ଲାଗେ ସତେ ଅବା ପରଦା ପଛରେ ଆମରି ପରି ଆଉ ଗୋଟିଏ ଦୁନିଆ ଅଛି । ସେଠିକା ଲୋକଙ୍କର ଦୁଃଖ, ସୁଖ, ହସ, କାନ୍ଦ, ପ୍ରେମରେ ଦେଖିବା ଲୋକେ ଦି’ ତିନି ଘଣ୍ଟା ପୂରା ମଜି ଯାଆନ୍ତି । ମୋର ଭାରି ଇଚ୍ଛା ଥରେ ଦେଖନ୍ତି ଚଳଚ୍ଚିତ୍ର, କେମିତି ଏତେ ଆକର୍ଷଣ ଯେ ପାଖରେ ବସିଥିବା ମଣିଷଙ୍କୁ ଦେଖିବାର, ଜାଣିବାର ଇଚ୍ଛା ହୁଏନା ।
– ସତୀ ଅପା ଥରେ ଯାଇ ଦେଖି ଆ’ । ତୋର ନ ଦେଖିବାର ଏଇ କଷ୍ଟ ମୋତେ ବହୁତ ଦୁଃଖ ଦେଉଛି । କେବଳ ଘାଟରେ ରହି ଲୋକଙ୍କୁ ନଦୀ ପାରେଇବାରେ ଏମିତି ବ୍ୟସ୍ତ ରହିଗଲି ଯେ ତୋ’ କଥା ବୁଝିବାକୁ ସମୟ ପାଇଲିନି!
– ତୁ କାହିଁକି ଦୁଃଖ କରୁଛୁ? ଏମିତି ହିଁ ହୁଏ । କରିବା, କରିବା ବୋଲି ରହିଯାଏ କେତେ କାମ ଅଥଚ ଜୀବନ ସରି ଆସେ । ସେତେବେଳେ ନ କରିଥିବା କାମ କହିନଥିବା କଥାର ଭିଡ଼ରେ ଚାପି ହୋଇଯାଏ ମଣିଷ । ତୋର ଅବନ୍ତୀକୁ ମନେ ଅଛି? ସେଇ ଯେଉଁ ଝିଅଟି ଲମ୍ବ ବେଣୀ ପକାଇ ସାଇକେଲରେ ସ୍କୁଲ୍ ଯାଉଥିଲା । ସେ ଏବେ ପ୍ରଶାସିକା ହୋଇଛି । ବିଡ଼ିଓ । ସରକାରୀ ଜୀପ୍ରେ ଗାଁ ଗଣ୍ଡା ବୁଲି ମଣିଷକୁ ସରକାରୀ ସାହାଯ୍ୟ ଦିଏ । ଏବେ ସାନ ସାଆନ୍ତଙ୍କ ପୁଅ ତ ଶିକ୍ଷକ, ତାକୁ ଦରମା ଆଣିବାକୁ ସେହି ବ୍ଲକ୍ ଅଫିସକୁ ଯିବାକୁ ପଡ଼େ । ବାପା କରିଥିବା ଅତ୍ୟାଚାର ପାଇଁ ଅନୁତାପ କରେ କି ନା କେଜାଣି! ସେଇ ଅବନ୍ତୀ ବେଳେବେଳେ ମୋ ପାଖକୁ ଆସେ, କହେ ମୋତେ ଦିନେ ସହରକୁ ନେଇ ଚଳଚ୍ଚିତ୍ର ଦେଖାଇ ଆଣିବ । ହେଲେ ତା’ର ବି ବେଳ କାହିଁ ଯେ!
– ଛାଡ଼ ସେ କଥା । ତୁ କିନ୍ତୁ ସତୀ ଅପା ବହୁତ ଭଲ ନାଚୁ, ଏ ବୟସରେ ବି ।
– ହଁ ଏଇ ନାଚ ହିଁ ମୋତେ ବଞ୍ଚାଇ ରଖିଛିରେ ଅନନ୍ତ । ବଳ ବୟସ ଥିଲାବେଳେ ଜମିବାଡ଼ିର କାମ, ଗାଁ ଭିତରେ ଥିବା ଲୋକଙ୍କର ଅଭାବ, ଅସୁବିଧା କଥା ବୁଝି ମୋ ଜୀବନର ଦୁଃଖ-ଶୋକ-ଏକୁଟିଆ ପଣକୁ ଭୁଲି ଯାଉଥିଲି । ଭାବୁଥିଲି ସେସବୁ ଆଉ ନାହିଁ, ସବୁ ପୋଛି ହୋଇଯାଇଛି । ସେସବୁ କିନ୍ତୁ ଠିକ୍ ଅପେକ୍ଷା କରି ରହିଥିଲେ ବାର୍ଦ୍ଧକ୍ୟରେ ମୋତେ ମାଡ଼ି ବସିବେ ବୋଲି । କିନ୍ତୁ ଏଇ ନାଚ ହିଁ ସେ ଦୁଃଖ-ଶୋକର ପ୍ରଭାବରୁ ଢାଲ ପରି ମୋତେ ସୁରକ୍ଷିତ ରଖିଛି ।
କିନ୍ତୁ ଗାଁ ଲୋକେ ରାଗରେ ଦାନ୍ତ କଡ଼ମଡ଼ କରୁଛନ୍ତି । ଏଇ ବିଧବା, ଛୁଆଖାଇ ସ୍ତ୍ରୀଲୋକଟା ତା’ର ଯାହା ମନ ତାହା କରିବ ନା କ’ଣ? ସ୍ୱାମୀ ଗଲେ ବି କାହା ପାଖରେ ଆଶ୍ରା ନେବାର ନାହିଁ, ଛୁଆ ମଲେ ବି ଗୋଡ଼ ଲମ୍ବାଇ ବର୍ଷ ବର୍ଷ ବାହୁନିବା ନାହିଁ । ସୁମୀ ପାଗଳୀର ପାପକୁ ଚିହ୍ନୁ ନାହିଁ ଏ ସ୍ତ୍ରୀ ଲୋକଟା, ଶାବଳ ଧରି ଡରେଇ ରଖିଛି ସମସ୍ତଙ୍କୁ!!! ପୁଣି ଏ ବୟସରେ ଜହ୍ନ ରାତିରେ ନାଚୁଛି ଦେଖ । ଜଣେ ସ୍ତ୍ରୀଲୋକ, ଏକୁଟିଆ, ପୁଣି ନିଜ ଇଚ୍ଛାରେ ଜୀଇଁବ,ଏ କଥା କେମିତି ସହି ହେବ ଯେ? ତା’ରି ପାଇଁ ଆଖପାଖ ଗାଁଲୋକେ ଆଉ ହଳଦୀପୁର ନ କହି ନାଚୁଣୀ ଗାଁ କହୁଛନ୍ତି । କେତେ ସହିବ ମଣିଷ ।
ଦିନେ ନାଚୁ ନାଚୁ ପଡ଼ିଗଲା ସତୀ । ଜାଣି ପାରିଲା ତା’ ସମୟ ସରି ଆସୁଛି । ସେଥିପାଇଁ ଚିନ୍ତା ନାହିଁ । ବରଂ ସେ ଖୁସି ହେଲା ଯେ ବେଳ ଥାଉ ଥାଉ ସେ କିଛି ବିଧି ବ୍ୟବସ୍ଥା କରି ରଖିଛି । ଏଇ ଘରବାଡ଼ି ସବୁ ସୁମୀ ପୁଅ ନାଏକ ପାଇବ । ଏମ୍.ଇ. ସ୍କୁଲ ପାଖ ଜାଗାଟାରେ ହାଇସ୍କୁଲ୍ ହେବ । ନଦୀ ପାଖ ବଡ଼ ତରଭୁଜ କ୍ଷେତଟା ଖାଇବ ଲକ୍ଷ୍ମଣ । ଘରକୁ ନଆସୁ, ସତୀକୁ ଭଉଣୀ ବୋଲି କେବେ ନିଆଅଣା ନ କରୁ ତଥାପି ହାଟରେ ଦେଖା ହେଲେ ଅପା ବୋଲି ଡାକି କିଛି ବାଟ ତ ସାଙ୍ଗରେ ଚାଲିଛି । ସୁମୀକୁ ଦାୟିତ୍ୱ ବୁଝାଇ ଦେଇଛି ଯେ ସେ ଗଲା ପରେ ଲୋଟଣୀ ପାରା ସବୁ ତା’ ବାପଘରୁ ଆସିଲେ ଯେମିତି ଆଧାର ଦେବ । କାଗଜପତ୍ର ସବୁ ଅବନ୍ତୀ ପାଖରେ ଅଛି ।
ଛାତିରେ ବହୁତ ଯନ୍ତ୍ରଣା । କୌଣସି ପ୍ରକାରେ ସତୀ ଆସି ଖଟରେ ଶୋଇଲା । ବେଳେବେଳେ ଅନ୍ଧାର ହୋଇ ଆସୁଛି ତ ପୁଣି ଆଲୁଅ ଦିଶୁଛି । ଚେତା ବୁଡ଼ି ଯାଉଛି ନା କ’ଣ? ଆରେ ଦାଣ୍ଡ କବାଟଟା କ’ଣ ବନ୍ଦ କରିନି ସେ? ଏଡେ, ଏଡେ ଆଖି ମଇଁଷି ପିଠିରେ ବସି ଆସିଛି । ଏକାବେଳେ ପଶି ଆସିଛି ଶୋଇବା ଘରକୁ । ଦୂର୍ ଦୂର କରି ତାଙ୍କୁ ତଡ଼ିଲା ଶୋଇବା ଘରୁ ।
ହଠାତ୍ କେମିତି ଫୁଲ-ଅଗୁରୁ-ଚନ୍ଦନ ମହମହ ବାସ୍ନାରେ ଭରିଗଲା । ଆଲୁଅ- ଅନ୍ଧାରର ଆତଯାତ ଭିତରେ ସତେ ଅବା ଚଳଚ୍ଚିତ୍ରଟେ ଦେଖୁଛି ସତୀ । ହେଇ ଦେଖ ଆଉ ପୁଣି କିଏ ପଶି ଆସିଲାଣି । ଦାଣ୍ଡ କବାଟଟା କ’ଣ ଖୋଲା ଅଛି? ସେ ଆସି ତା’ ଖଟ ପାଖରେ ଆଣ୍ଠୁ ମାଡ଼ି ବସିଲା, ମୁହଁରେ କି ମୋହନ ହସ- ଆ’ ମା’ ଯିବା । ବେଳ ହେଲାଣି ।
– ହଇରେ ଛଳ କାଢ଼ୁଛୁ ମୋ’ ପାଖରେ! ତୁ ଜାଣିନୁ ମୋର କେତେ କାମ ବାକି ଅଛି! ସନାତନକୁ କେନେ୍ଦରାଟା ଏ ପର୍ଯ୍ୟନ୍ତ ଦେଇପାରିନି । ଧୂଳି ଲାଗିଛି ଅନନ୍ତର ଆହୁଲାରେ, ଟିକେ ସଫା କରିବି, କାଲି । ପୁଣି ଯିବି ଟିକେ ବାଲିପଠାକୁ ଯେଉଁଠି ଶୁଆଇ ଆସିଥିଲି, କେତେବର୍ଷ ତଳେ ମୋ’ ସ୍ୱାମୀ ଆଉ ପୁଅକୁ । ନଈରେ ବି ଥରେ ଗାଧୋଇବାକୁ ଅଛି, ଶେଷଥର ପାଇଁ । ନଦୀ ପାଖରେ କେତେ ଋଣ ମୋର ଜାଣିଛୁ ତ’ ବାଇୟା । ପୁଣି ପଙ୍ଗପାଳ ମାଡ଼ି ଆସୁଛନ୍ତି ତା’ ବ୍ୟବସ୍ଥା ବି ନେବାକୁ ପଡ଼ିବ, ନହେଲେ ଗାଁ ଲୋକେ ହଇରାଣ ହୋଇଯିବେ ।ମୟୂରଚୂଳିଆଙ୍କ ଦୀର୍ଘ ଆୟତ ଆଖି, ନୀଳ ପଦ୍ମ କଢ଼ି ପରି । ସେ ମଧୁର ହସି ମୁଣ୍ଡ ହଲାଇଲେ । ସତୀ ବୁଝିଗଲା ଏଇ କୂଟନୀତିଆ ପାଖରେ କିଛି ପ୍ରସ୍ତାବ ଚାଲିବନି, ଇୟେ ଯେ, କେବଳ ସମର୍ପଣରେ ବିଶ୍ୱାସକରେ ।
ସତୀ କହିଲା- ହଇରେ ପୁଅ, ତୋତେ ଆମେ ମା’ ମାନେ ଜନ୍ମ ଦେଇଥିଲୁ କେତେ ସରାଗରେ । ରାଧାକୁ ଭଲ ପାଇ ସାରା ମଣିଷ ଜଗତରେ ପ୍ରେମ ଭରିଦେବୁ ବୋଲି । ଖୋଜି, ଖୋଜି ଯିବୁ ସୁଦାମା ଘରକୁ । ସେଇଟା ଯେ ତୋ ପାଇଁ ବି ଏକ ତୀର୍ଥକ୍ଷେତ୍ର । ତୋର ଚମ୍ପାକଢ଼ି ପରି ସୁନ୍ଦର କୁନିକୁନି ଆଙ୍ଗୁଳିରେ କେତେ ଯତ୍ନରେ ତେଲ ମଖେଇଥିଲି ବଇଁଶୀ ବଜେଇବୁ ବୋଲି । ହେଲେ ଦଶ ଆଙ୍ଗୁଳିରେ ବଇଁଶୀ ବଜାଇବା ଛାଡ଼ି ଗୋଟିଏ ଆଙ୍ଗୁଳିରେ ତୋଳି ନେଲୁ ସୁଦର୍ଶନ ଚକ୍ର । ପରାକ୍ରମ ଦେଖାଇବା ପାଇଁ । ସେଇ ବିନାଶରୁ କ’ଣ ପାଇଲୁରେ ହତଭାଗା?
ମୟୂରଚୂଳିଆ ଅଳି କଲେ- ମୁଁ କୋଉ ଦିନୁ ଅପେକ୍ଷା କରିଛି । ତୋ’ ପଣତରେ ପୋଛି ଦେ’ ମୋତେ । ଆଉଥରେ, ସବୁ ଭୁଲି ମୁଁ ପୁଣି ଲବଣୀ ଚୋର ହେବାକୁ ଚାହେଁ । ଦେ’ ମା’ ଟିକେ ପୋଛି ଦେ । ତା’ପରେ ମୋ ହାତ ଧର । ତୋ ମହାଯାତ୍ରାରେ ଆଗେଇ ଦେବି ତୋତେ ।
ସତୀ ଆଖି ସାମ୍ନାରେ ଏଥର ଅନ୍ଧାର ହେଲା ଯେ ଆଉ କାହିଁ ଆଲୁଅ ଆସିଲାନି । ସତୀର ବଡ଼ ଦୁଃଖ ଥିଲା ଯେ ସେ କେବେ ଚଳଚ୍ଚିତ୍ର ଦେଖି ପାରିଲାନି । ବିଚାରୀ! ସେ ଜାଣି ନଥିଲା କେବେ କେବେ କିଛି ଚଳଚ୍ଚିତ୍ର ନିଜେ ହିଁ ପହଞ୍ଚିଯାଏ କାହାର ମହାଯାତ୍ରା ପୂର୍ବରୁ । ନଦୀ ଚିହ୍ନିଥିବା ମଣିଷ ପାଖକୁ ।
ଜେନେରାଲ ମ୍ୟାନେଜର, ହାଇଟେକ୍, ଗ୍ରୁପ୍, ଭୁବନେଶ୍ୱର
ମୋ. ୯୯୩୭୧୯୧୧୪୮