ଆଷାଢ଼ ଆକାଶର ରୂପନେଇଥିବା ନୂଆ ଛବିର ନା କଣ ଦେବି ତୁମକୁ ପଚାରିଲି, ତୁମେ କହିଲ ସଂଗ୍ରାମ ଖବରକାଗଜ ଅଫିସ୍ର ଏକଧାରାରେ ସାମ୍ବାଦିକ, ପ୍ରୁଫ୍ରିଡର ଏବଂ ସମ୍ପାଦକ ସୁରେନ୍ଦ୍ର ମହାନ୍ତି ହୋଇଥିଲେ, କହିଥାନ୍ତି “କୃଷ୍ଣଚୂଡ଼ା”, କିନ୍ତୁ ମୁଁ ତାଙ୍କ ପରି ପ୍ରତିଭାବାନ ମଣିଷ ନୁହେଁ, ସହଜ ଭାବରେ କହିଲି ଅତିଥି ଆଷାଢ଼, ମଣ୍ଟୁ ସମ୍ମତ ହୋଇ ସେଇଆ ରଖିଲା |
ମଣ୍ଟୁ ଆଉ ଫେରିବ ନାହିଁ । ଏହି ନିଷ୍ଠୁର ସତ୍ୟକୁ ଆମ ଛୋଟ ସହରର ଲୋକମାନେ କେବେ କଳ୍ପନା କରି ନଥିଲେ । ଆମ ସମସ୍ତଙ୍କ ପାଇଁ ସେଥିଲା ଜଣେ ପ୍ରିୟ ମଣିଷ । ଖୁବ୍ ଅଳ୍ପ ବୟସରୁ ସେ ଜଣେ ତରୁଣ ଶିଳ୍ପୀର ପରିଚୟ ସୃଷ୍ଟି କରିଥିଲା । ତା’ ବିକଶିତ ପ୍ରତିଭା ପତ୍ରପତ୍ରିକା ଏବଂ ଗଣମାଧ୍ୟମରେ ଚର୍ଚ୍ଚା ହେବା ବେଳେ ଆମ ଛୋଟ ସହରର ପରିଚୟ ସହିତ ଆମ ଅଞ୍ଚଳ ଏବଂ ରାଜ୍ୟରେ ତା’ ପ୍ରତିଭା ବିକଶିତ ହେଉଥିଲା । ନିଶ୍ଚିତ ଭାବରେ ସେ ଥିଲା ଜଣେ ନିଛକ କଳାସାଧକ । ଗୋଟାଏ ସ୍ୱଚ୍ଛଳ ପରିବାରର ସନ୍ତାନ ଭାବରେ ତା’ଉପରେ ଉପାର୍ଜନର ଦାୟିତ୍ୱ ସେତେଟା ଆବଶ୍ୟକ ନଥିଲା ଯାହା ତା’ରି ବୟସର ଯୁବକମାନଙ୍କୁ ଭାରାକ୍ରାନ୍ତ କରିଥାଏ ।
ତା’ର ପ୍ରତ୍ୟେକଟି ଅଙ୍କନର ନିରବ ଭାଷାକୁ ମୁଁ ବୁଝିପାରୁଥିବାରୁ ମୋ’ ଉପରେ ତା’ର ବିଶ୍ୱାସ ବଢ଼ିଯାଇଥିଲା ଏବଂ ସେ ମୋ’ ପାଖକୁ ପ୍ରାୟ ଆସୁଥିଲା । ମୁଁ ବୟସରେ ତା’ଠାରୁ ଢେର ବଡ଼ ନହେଲେ ବି କିଛିବର୍ଷ ନିଶ୍ଚୟ ବଡ଼ ଥିଲି । ସେଥିପାଇଁ ସେ ମୋତେ ବଡ଼ଭାଇର ସମ୍ମାନ ଦେଉଥିଲା ଏବଂ ମୁଁ ତାକୁ ଶ୍ରଦ୍ଧା କରୁଥିଲି ଜଣେ ସହୃଦୟ ବଡ଼ଭାଇ ଭାବରେ । ଅନ୍ୟ ଦିଗରେ ଜଣେ ବିଚାରକ ଭାବରେ ତା’ର ପ୍ରତ୍ୟେକ ଅଙ୍କନ ଉପରେ ସେ ମୋ ମତାମତ ଚାହୁଁଥିଲା । ତା’ ସୃଷ୍ଟି ମୋତେ ମୁଗ୍ଧ କରୁଥିଲା, ଏକଥା ମୁଁ ମନରେ ମଧ୍ୟ ସ୍ୱୀକାର କରୁଥିଲି, ତା’କୁ ଉତ୍ସାହିତ କରୁଥିଲି । ଜଣେ ନିକଟ ମଣିଷ ଭାବରେ ମୁଁ ତାକୁ ମାନି ନେଇଥିଲି, ମୋର ମନେହେଉଥିଲା, ସେ ଯେମିତି ଆଉ ଜଣେ ଗୋପାଳ କାନୁନ୍ଗୋ ହୋଇ ଜନ୍ମ ନେଇଛି ଆମ ସମୟରେ ।
ରଙ୍ଗତୂଳୀର ନିଶାରେ ସେଥିଲା ବିଭୋର ମଣିଷ । ଚିତ୍ରକଳା ପ୍ରତି ତା’ର ନିଶା ସେତିକି ଘନିଷ୍ଠ ହେଉଥିଲା, ଯେତିକି ସମର୍ଥନ ସେ ପ୍ରଶଂସା ଭାବରେ ପାଉଥିଲା । ପ୍ରକୃତିକୁ ଆଧାର କରି ସେ ବେଶୀ ସମୟରେ ଛବି ଆଙ୍କୁଥିଲା, ତେବେବି କଳ୍ପନା ଆଧାରିତ ଛବି ଯେ ସେ ଆଙ୍କୁନଥିଲା, ସେପରି ନୁହେଁ ।
ଏକଦା ତା’ ଛବି ଉପରୁ ମୁଁ ଆଖି ଉଠାଇ ପାରିନଥିଲି । ତା’ ଇଜେଲ ଉପରକୁ ସେ ଉଠେଇ ଆଣିଥିଲା ଅବିକଳ ଆଷାଢ଼ ଆକାଶକୁ, ମେଘୁଆ ଆକାଶର ବାଦଲ ଭିତରୁ ମୁକୁଳି ଯିବାକୁ ବ୍ୟସ୍ତ ହୋଇ ଉଠିଥିବା ସୂର୍ଯ୍ୟର ତରଳା ସୁନା ପରି ଆଲୋକ ଉଜ୍ଜ୍ୱଳ ରଙ୍ଗ ବାଦଲର ଧାରେଧାରେ ଝଲସି ଉଠିଥିଲା । ଫିକା କଳାର ଆଉ ଖଣ୍ଡେ ବାଦଲ ଗଭୀର ଆଶ୍ୱାସନା ଦେଇ ଝୁଲିପଡ଼ିଥିଲା । ଦିଗ୍ବଳୟ ତଳେ ଠିଆ ହୋଇଥିବା ନିଦାଘ ପୀଡ଼ିତ ଏକାକି ପତ୍ରଝରା ଦ୍ରୁମ ଉପରେ, ଯେମିତିକି କହୁଥିଲା ଆଉ ସନ୍ତାପିତ ହୁଅନାହିଁ, ମୋ ବଉଦର ପଣତ ତଳେ ଆଶ୍ରୟ ନେଇଯାଅ, ଅଳ୍ପଦିନରେ ଆଉଥରେ ପଲ୍ଲବିତ ହୋଇଉଠିବ ।
ଚମକ୍ରାର ବିଭବ, ଘଣ୍ଟାକ ଭିତରେ ଆଷାଢ଼ ଆକାଶର ଅପରୂପକୁ ମଣ୍ଟୁ ରଙ୍ଗତୂଳୀରେ ଉତ୍ତରି ଆଣିଥିଲା ତା’ କାନ୍ଭାସ୍ ଫ୍ରେମ୍ରେ ତା’ ଷ୍ଟୁଡିଓ କୋଠରିକୁ । ରଙ୍ଗ-ବିନ୍ୟାସରେ ଟିକିଏବି ତ୍ରୁଟି ନାହିଁ । ସୂର୍ଯ୍ୟକୁ ବନ୍ଦୀ କରି ରଖିଥିବା ମେଘମାନଙ୍କ ଧାରରେ ଯୋଉ ବର୍ଣ୍ଣିଳ ଆଲୋକ ପ୍ରତିଭାଷ ହେଉଥିଲା, ତା’ ମଧ୍ୟ ଉଠିଆସିଥିଲା । ମଣ୍ଟୁ କହିଲା ଝୁଲିପଡ଼ିଥିବା ମେଘର ଗାଢ଼ କଳାରଙ୍ଗ ପବନ ହିଲ୍ଲୋଳରେ ସଙ୍ଗେସଙ୍ଗେ ପତଳା ହେବାକୁ ଲାଗିଲା, ଫଳରେ ରଙ୍ଗ ନିର୍ଣ୍ଣୟ କଲାବେଳେ ଠିକ୍ ଧରିହେଲା ନାହିଁ ନହେଲେ ଆହୁରି ନିଖୁଣ ହୋଇଥା’ନ୍ତା ।
କହିଲି, ତେବେବି ଚମକ୍ରାର ।
ମଣ୍ଟୁ କହିଲା ଏ ଛବିର ନାମକରଣ ତୁମେ କରିବ । ଗତଥର ପ୍ରଦର୍ଶନୀରେ ମୋ’ ଛବି ବେଶୀ ପ୍ରଶଂସିତ ହୋଇଥିଲା, ତୁମେ ତା’ର ନାମକରଣ କରିଥିଲ । ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ । ସେ ଛବି ମହାବାତ୍ୟା ବେଳର କ୍ରୋଧାନ୍ଧ ଆକାଶ, ଏକ୍ସପ୍ରେସ୍ ହାଇୱେ ଉପରୁ ମୁଁ ସେ ଛବି ଆଙ୍କିଥିଲି । ଗୋଟାକ ପରେ ଗୋଟାଏ ମହାଦ୍ରୁମ ଯେତେବେଳେ ଧରାଶାୟୀ ହେଉଥିଲା । ଜଟାୟୁର ଛେଦନ ଡେଣା ପରି ଘରମାନଙ୍କ ଛପରଚାଳ ଉଡୁଥିଲା ଆକାଶରେ । ମହାକାଳର କ୍ରୋଧ, ଥରହର ସୃଷ୍ଟି କରୁଥିଲା । କରାଳ କାୟାବିସ୍ତାର କରି ସମୁଦ୍ର ଗ୍ରାସ କରୁଥିଲା ଜନବସ୍ତିକୁ । ପଥଚାରୀମାନଙ୍କ ପାଇଁ ଆଶ୍ରୟର କିଛିବି ଆଶ୍ୱାସନା ନଥିଲା । ଭୂଇଁରୁ ଉଠାଇନେଇ କଚାଡ଼ି ଦେଉଥିଲା । ସେମାନଙ୍କ ଆର୍ତ୍ତଚିକ୍ରାର ଶୂନ୍ୟରେ ମିଳେଇ ଯାଉଥିଲା । ଭୟରେ ଆକାଶରୁ ସୂର୍ଯ୍ୟ ଅନେକ ଆଗରୁ ଅପସରି ଯାଇଥିଲେ । ମୁଁ ଛବିଟିର ନାଁ ରଖିଥିଲି ‘କ୍ରୋଧ’ । ତୁମେ ନିରୀକ୍ଷଣ କରି କହିଲ, ହେଲାନାହିଁ । ମୁଁ ତୁମ ସହିତ ଏକମତ ହୋଇଗଲି, ତୁମେ ନାଁ’ ବାଛିଥିଲ “ଅଣତିରିଶ ଅକ୍ଟୋବର’ । ମୁଁ ସେଇଆ ରଖିଲି । ଗୋଟାଏ ପ୍ରଳୟଙ୍କରୀ ଦିନର ନାମ ଛବିକୁ ଦେଖିଲେ ମନେ ରହିବ ।
ଆଷାଢ଼ ଆକାଶର ରୂପନେଇଥିବା ନୂଆ ଛବିର ନା’ କ’ଣ ଦେବି ତୁମକୁ ପଚାରିଲି, ତୁମେ କହିଲ ସଂଗ୍ରାମ ଖବରକାଗଜ ଅଫିସ୍ର ଏକଧାରାରେ ସାମ୍ବାଦିକ, ପ୍ରୁଫ୍ରିଡର ଏବଂ ସମ୍ପାଦକ ସୁରେନ୍ଦ୍ର ମହାନ୍ତି ହୋଇଥିଲେ, କହିଥାନ୍ତି “କୃଷ୍ଣଚୂଡ଼ା”, କିନ୍ତୁ ମୁଁ ତାଙ୍କ ପରି ପ୍ରତିଭାବାନ ମଣିଷ ନୁହେଁ, ସହଜ ଭାବରେ କହିଲି ‘ଅତିଥି ଆଷାଢ଼’, ମଣ୍ଟୁ ସମ୍ମତ ହୋଇ ସେଇଆ ରଖିଲା ।
କୌଣସି ଚିତ୍ର ଶିଳ୍ପୀ ତା’ ସୃଷ୍ଟିକୁ ଅଗୋଚରରେ ରଖିବା ପାଇଁ ଇଚ୍ଛା କରେନାହିଁ, ଚିତ୍ରଗୁଡ଼ିକର ପରିପ୍ରକାଶରେ ଅନେକ କଥନ ନିରବରେ ରହିଥାଏ, ଦର୍ଶକ ସେ କଥା ବୁଝନ୍ତି । ସେହି ବିଚାରରେ ମଣ୍ଟୁ ଥରେ ରାଜଧାନୀର ଏକ କର୍ମ୍ସିଆଲ ଆର୍ଟ ଗ୍ୟାଲେରୀରେ ତା’ର କେତେଖଣ୍ଡ ଛବି ରଖିଦେଇଆସିଥିଲା । କିଛିଦିନ ପରେ ଜଣେ ବିଦେଶୀ ପର୍ଯ୍ୟଟକ ଆଶାତୀତ ଦାମ୍ ଦେଇ ଛବିଟିଏ କିଣି ନେଇଥିଲେ । ତା’ପରେ ମଣ୍ଟୁର କୃତିତ୍ୱ ବେଶୀ ଚର୍ଚ୍ଚାକୁ ଆସିଥିଲା । ବିଶେଷ କରି ଆମ ଛୋଟ ସହର ବାସୀଙ୍କ ମନରେ ମଣ୍ଟୁ ପାଇଁ ଗର୍ବ ଏବଂ ଉତ୍ସାହ ଆସିଥିଲା ।
ମଣ୍ଟୁ ବାବା ଦୁର୍ଗାପ୍ରସାଦ ପୁଲିସ ବିଭାଗର ଜଣେ ଅଫିସ୍ର ଥିଲେ । ଅବସର ନେବା ପରେ ଆମ ଛୋଟ ସହର ତାଙ୍କର ପସନ୍ଦ ହେଲା, ସେ ଘର କରି ରହିଗଲେ । ପରବର୍ତ୍ତୀ ସମୟରେ ଆମ ଏନ୍ଏସିର ଚେୟାରମ୍ୟାନ୍ ହେଲେ । ଆମ ଏଠାକାର ଦାତବ୍ୟ ଚିକିତ୍ସାଳୟ ତାଙ୍କରି ଅବଦାନ । ଆମ ସହରବାସୀ ତାଙ୍କୁ ଜଣେ ମୁରବୀ ମଣିଷର ସମ୍ମାନ ଦେଉଥିଲେ । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ମଣ୍ଟୁ ସାନ । ବଡ଼ଭାଇ ଗୋଟିଏ ଘରୋଇ ଉଦ୍ଯୋଗରେ ଚାକିରି ପାଇ ବାହାରେ ରହୁଥିଲା ବେଳେ ମଣ୍ଟୁ ଏକାକୀ ରହୁଥିଲା ଆମ ସହରରେ ।
ବଡ଼ଭାଇଙ୍କ ପାଖକୁ କେବେ କେବେ ଯାଉଥିଲା କିନ୍ତୁ ବେଶୀଦିନ ରହୁନଥିଲା । ବଡ଼ଭାଇ କେବେକେବେ ଟଙ୍କା ପଠାଉଥିଲେ, ଏଠି ଘରଭଡ଼ା ପାଉଥିଲା, ମଣ୍ଟୁର ଚଳିବାରେ ଅସୁବିଧାନଥିଲା ବରଂ କେତେଟା ସାମାଜିକ ଅନୁଷ୍ଠାନ ସହିତ ତା’ର ନିବିଡ଼ ସମ୍ପର୍କ ଥିଲା ଏବଂ ସାମାନ୍ୟ ହେଲେ ବି କେବେକେବେ ସାହାଯ୍ୟ କରୁଥିଲା । ଖାଦ୍ୟପେୟ ଏବଂ ପରିଧାନରେ ସେ ଖୁବ୍ ମାର୍ଜିତ । ତା’ ବଳିଷ୍ଠ ଦେହକୁ ପାଇଜାମା ପଞ୍ଜାବି ପରିଧାନ ଭଲମାନେ । ନିଜ ପାଇଁ ନିଜେ ଖାଦ୍ୟ ପ୍ରସ୍ତୁତ କରିନିଏ, କହେ ଆଜିକାଲି ଏତେ ସୁବିଧା ହୋଇଗଲାଣି ଯେ ମାତ୍ର ଗୋଟିଏ ଘଣ୍ଟା ସମୟ ବ୍ୟୟରେ ସାରାଦିନ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଯାଉଛି ।
ବାହାଘର କଥା ପଚାରିଲେ କହେ, ପାରିବାରିକ ଜୀବନ ମଣିଷକୁ ବାନ୍ଧିପକାଏ ଗୋଟାଏ ଦାୟିତ୍ୱର ମେରିଖୁଣ୍ଟିରେ । ଜୀବନର ପରିକ୍ରମା ସୀମିତ ହୋଇଯାଏ । ଛବି ଆଙ୍କିବା ପାଇଁ କିମ୍ବା ଆଉକିଛି ସାମାଜିକ କାମ ପାଇଁ ସ୍ୱାଧୀନ ଭାବରେ ସମୟ ଦେଇହେବନାହିଁ ।
ତା’ଘର କହିଲେ ଗୋଟିଏ ଷ୍ଟୁଡ଼ିଓକୁ ବୁଝାଉଥିଲା । ସବୁ କୋଠରୀରେ ବିଭିନ୍ନ କାନ୍ଭାସର ଫ୍ରେମ୍, ରଙ୍ଗ, ତୂଳୀ । କମର୍ସିଆଲ ଛବି କରି ଉପାର୍ଜନର ବାଟ ଧରିନେଇଥିଲା ।
କିଛିଦିନ ତଳେ ମୋତେ ଗୋଟାଏ ଚିଠି ଦେଖାଇଲା । ସର୍ବଭାରତୀୟ ଚିତ୍ରକଳା ପ୍ରଦର୍ଶନୀରେ ଯୋଗଦେବା ପାଇଁ କେତେଟା ସଦ୍ୟ ପ୍ରସ୍ତୁତ ଛବିନେଇ ଦିଲ୍ଲୀଯିବାକୁ ନିମନ୍ତ୍ରଣ ପାଇଥିଲା । କହିଲା ଗଲାଥର ମାତ୍ର ଦୁଇଟି ଛବିନେଇ ଯାଇଥିଲି । ଦର୍ଶକମାନଙ୍କର ଖୁବ୍ ପସନ୍ଦ ହେଲା, ଖବରକାଗଜରେ ମନ୍ତବ୍ୟ ପ୍ରକାଶ ପାଇଲା, ନିଶ୍ଚୟ କୌଣସି ସାମ୍ବାଦିକମାନଙ୍କୁ ଛୁଇଁଥିଲା । ଏଥର ନେବା ପାଇଁ ପାଖରେ ତିନିଖଣ୍ଡ ଭଲ ଛବି ଅଛି, ନେଇଯିବି ।
ଛବିଗୁଡ଼ିକ ନେଇ ଦିଲ୍ଲୀଯିବା ଦିନ ମୁଁ ତାକୁ ରେଳଷ୍ଟେସନରେ ବିଦାୟ ଦେଇଥିଲି । ପ୍ରଥମଥର ପାଇଁ ସେ ମୋତେ ମଥାନତ କରି ପ୍ରଣାମ କଲା ଏବଂ ସଫଳତା ପାଇଁ ଆଶୀର୍ବାଦ ମାଗିଲା । କେତେ ଅନ୍ତରଙ୍ଗ ଥିଲା ଆମ ସମ୍ପର୍କ ସେତେବେଳେ ମୁଁ ଅନୁଭବ କରିଥିଲି ।
ତା’ଛବିଗୁଡ଼ିକ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା ବୋଲି ଦିଲ୍ଲୀରୁ ଫୋନ୍ କରିଥିଲା । କେତେଜଣ ସାମ୍ବାଦିକ ତା’ର ସାକ୍ଷାତକାର ନେଇଥିଲେ, ମନ୍ତବ୍ୟ ଦେଇଥିଲେ ଅର୍ଥ ଏବଂ ସୁନାମ ଅର୍ଜନ ପାଇଁ ସର୍ବକାଳୀନ ଦିଲ୍ଲୀରେ ରହିଯିବାକୁ ତାକୁ ପରାମର୍ଶ ଦେଇଥିଲେ । ଆଶାତୀତ ଚଢ଼ାଦରରେ ତା’ର ତିନୋଟି ଯାକ ଛବି ଜଣେ ବିଦେଶୀ ଶିଳ୍ପପତି କିଣିନେଇ ଚେକ୍ ଆକାରରେ ମୂଲ୍ୟ ଧରେଇ ଦେଇଥିଲେ ।
ଖୁସି ମନରେ ଘରକୁ ଫେରିବା ପୂର୍ବରୁ ତା’ ବନ୍ଧୁମାନଙ୍କୁ ଉପହାର ଦେବା ପାଇଁ କିଛି ଜିନିଷ କିଣିବାକୁ ବଜାରକୁ ଯାଉଛି କହି ମୋ ପାଖକୁ ଟେଲିଫୋନ୍ କରିଥିଲା ।
ଏ ଘଟଣାଟି ହେଉଛି ସେହି ସମୟର ଯେତେବେଳେ ପାକିସ୍ତାନ ସନ୍ତ୍ରାସବାଦୀମାନେ ଦିଲ୍ଲୀର ଜନଗହଳି ଅଞ୍ଚଳରେ ବିସ୍ଫୋରଣ ଘଟାଉଥିଲେ ।
ତା’ପରେ ମଣ୍ଟୁ ଆଉ ଫେରିନାହିଁ । ତା’ ପାଖକୁ ଫୋନ୍ କଲେ ରିଙ୍ଗ୍ ଯାଉନାହିଁ । ଅନୁସନ୍ଧାନରୁ ଜଣାପଡ଼ିଲା ଯେଉଁ ଶିଳ୍ପପତି ଛବି କିଣିଥିଲେ ତାଙ୍କ ଆକାଉଣ୍ଟରୁ ଚେକ୍ ଡ୍ର ହୋଇନାହିଁ । ଯେଉଁ ହୋଟେଲରେ ମଣ୍ଟୁ ରହୁଥିଲା ମଣ୍ଟୁର ଦୀର୍ଘଦିନ ଅନୁପସ୍ଥିତି ପାଇଁ ବିବ୍ରତ ହୋଇ ପୁଲିସକୁ ଜଣାଇ ମଣ୍ଟୁର ଲଗେଜ୍ ବାହାରକୁ କାଢ଼ି ଦେଇଥିଲା । ମଣ୍ଟୁର ବଡ଼ଭାଇ ଦିଲ୍ଲୀରେ ଥିବା ଆମ ଏଠାକାର ରାଜନେତାଙ୍କ ସାହାଯ୍ୟ ନେଇ ଯଥାସମ୍ଭବ ଅନୁସନ୍ଧାନ କରିଥିଲେ, କିଛି ସୁଫଳ ମିଳିନଥିଲା । ଏଥିଭିତରେ ତିନିବର୍ଷ ବିତିଗଲାଣି, ମଣ୍ଟୁ ପାଇଁ ଆମ ସହର ବାସୀଙ୍କ ମନରେ ବ୍ୟସ୍ତତା ବସାବାନ୍ଧିଛି, ମଣ୍ଟୁ କ’ଣ ହଜିଗଲା !
ବେରବୋଇ, ପୁରୀ