ଅବିନାଶ ରୁଦ୍ରଭୈରବଙ୍କ ପାଖରେ ଥିବା ତ୍ରିଶୂଳଟି ଉଠେଇନେଲା ଓ ଫୁଟେଇଦେଲା ତାଙ୍କର ବେକରେ । ତା’ପରେ ଲୁହା ଚିମୁଟା ଉଠେଇ ପିଟିଦେଲା ତାଙ୍କର ମୁଣ୍ଡକୁ । ‘ଢୋ’ କରି ଶବ୍ଦ ହେଲା । ରକ୍ତରେ ପିଚକି ଉଠିଲା ଚାରିଆଡ଼ । ତା’ଦେହ ସାରା ରକ୍ତ । ସୁଜାତା ରକ୍ତରେ ସ୍ନାନ କରୁଛି । କପାଳଭୈରବ ଓ ପାର୍ବତୀ ଭୈରବୀର ଦେହସାରା ରକ୍ତ । ମହାକାଳୀଙ୍କ ପାଷାଣ ଦେହରେ ମୁଣ୍ଡାମୁଣ୍ଡା ରକ୍ତ ଛିର୍କି ପଡ଼ି ବୋହି ଆସୁଛି ତଳକୁ ତଳକୁ
ପ୍ରଫେସର ଶର୍ମା ନିଜ ପାଠାଗାର ଭିତରେ ଚିନ୍ତାମଗ୍ନ ଥିଲାବେଳେ ଦ୍ୱାରପାଖେ ଠିଆହୋଇ ପ୍ରଶ୍ନ ପଚାରିଲା ଅବିନାଶ, ମୁଁ ଭିତରକୁ ଯାଇପାରେ କି ସାର୍? ସାମାନ୍ୟ ଚିନ୍ତାଗ୍ରସ୍ତ ଦେଖାଯାଉଥିବା ପ୍ରଫେସର ଶର୍ମା ହସିଦେଇ କହିଲେ, ମୁଁ ତ ତୁମକୁ ଅପେକ୍ଷା କରିଥିଲି ଅବିନାଶ । ଆସ । ବେଶ୍ ସମ୍ଭ୍ରମତା ସହିତ ଅବିନାଶ ବସିଲା ପ୍ରଫେସର ଶର୍ମାଙ୍କ ସମ୍ମୁଖରେ ପଡ଼ିଥିବା ଚେୟାର ଉପରେ ଏବଂ ର୍ୟାକ୍ରେ ସଜ୍ଜିତଥିବା ପୁସ୍ତକ ଓ ପ୍ରାଚୀନ ପୋଥିକୁ ମୁଗ୍ଧ ହୋଇ ଚାହିଁଲା ।
– କ’ଣ ଠିକ୍ କଲ ଅବିନାଶ, ତୁମର ରିସର୍ଚ୍ଚ କଥା ପଚାରୁଥିଲି ।
– ଆପଣ ମୋ ପାଇଁ ବିଷୟ-ନିର୍ବାଚନ କରିଦିଅନ୍ତୁ ସାର୍ ।
– କରିପାରିବ ପ୍ରାଚୀନ ତନ୍ତ୍ର ଉପରେ ଗବେଷଣା? ବିଶେଷ କରି ବାମାଚାର ତନ୍ତ୍ର ସମ୍ପର୍କରେ? ପଚାରିଲେ ପ୍ରଫେସର ଶର୍ମା ।
– ବାମାଚାର ତନ୍ତ୍ର? ଶୁଣିଛି ଏହା ଗୁରୁମୁଖୀ ତଥା ଗୁପ୍ତବିଦ୍ୟା । ଏ ସମ୍ପର୍କରେ କ’ଣ ମିଳିପାରିବ ରେଫରେନ୍ସ ବୁକ୍ସ?
ପ୍ରଫେସର ଶର୍ମା ସାମାନ୍ୟ ହସି କହିଲେ, ହଁ ଚେଷ୍ଟା କଲେ ଅବଶ୍ୟ ମିଳିପାରିବ ଅବିନାଶ । ଭାରତବର୍ଷର ବିଭିନ୍ନ ଭାଷାରେ ଲେଖାଯାଇଛି ପ୍ରଚୁର ତନ୍ତ୍ର ପୁସ୍ତକ । ପ୍ରାଚୀନ ସଂସ୍କୃତ ପୋଥି ରହିଛି ବିଭିନ୍ନ ପୁରୁଣା ପାଠାଗାରରେ । ତା’ଛଡ଼ା ଅନେକ ବିଦେଶୀ ବିଦ୍ୱାନ୍ ବି ଲେଖିଛନ୍ତି ଇଂରାଜୀ ଭାଷାରେ । ଅବଶ୍ୟ ଗୋଟିଏ ଅସୁବିଧା, ଏହା ଗୋପନୀୟ ବିଦ୍ୟା ହୋଇଥିବାରୁ, ପ୍ରତ୍ୟକ୍ଷ ଅନୁଭୂତି ହାସଲ ପାଇଁ ତୁମେ କିଛି ବାମାଚାରୀ ତାନ୍ତ୍ରିକମାନଙ୍କ ସହଯୋଗ ନେଇପାର ।
– ବାମାଚାରୀ ତାନ୍ତ୍ରିକ? ସେମାନେ ମିଳିବେ ତ? ଯଦି ବା ସେମାନେ ମିଳିବେ ଏ ବିଦ୍ୟା ମୋତେ ନିଃସଙ୍କୋଚରେ କହିବେ ତ?
ପ୍ରଫେସର ଶର୍ମା କହିଲେ ପ୍ରଥମେ ଏମିତି ହତୋତ୍ସାହ ହେଲେ ଚଳିବ ନାହିଁ ଅବିନାଶ । ସାଧାରଣ ଭାବେ ଜ୍ଞାନ ଅର୍ଜନ କରିବା ପାଇଁ ମୋ ପାଖେ କିଛି ସଂସ୍କୃତ ପୋଥି ଓ ଛାପା ପୁସ୍ତକ ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ପାଠାଗାରର ବି ସାହାଯ୍ୟ ନେଇପାର । ‘ବାମାଚାର ତନ୍ତ୍ର -ଏକ ଅଧ୍ୟୟନ’ ତୁମର ନିର୍ବାଚିତ ଟପିକ୍ । ଆଜି କିଛି ସଂସ୍କୃତ ପୋଥି ନେଇ ଅଧ୍ୟୟନ କର ।
ପ୍ରଫେସର ଶର୍ମା ପୁସ୍ତକ ଆଲମାରି ପାଖକୁ ଗଲେ ଓ କେତେ ଖଣ୍ଡ ପୋଥି କାଢ଼ିଲେ । ଅବିନାଶ ସେଗୁଡ଼ିକୁ ପଢ଼ି ଦେଖିଲା । ତାହା ଥିଲା ରୁଦ୍ରଯାମଳ, ଉଡ୍ଡୀଶତନ୍ତ୍ର, ଜ୍ଞାନବଲ୍ଲୀତନ୍ତ୍ର, ଚାମୁଣ୍ଡାକଳ୍ପ, ଯୋଗିନୀତନ୍ତ୍ର, କୁମାରୀତନ୍ତ୍ର ଓ ବାରାହୀତନ୍ତ୍ର ।
– ଏ ସାତଖଣ୍ଡ ତନ୍ତ୍ରପୋଥି ଧ୍ୟାନର ସହ ଅଧ୍ୟୟନ କର । ମନେରଖ ଏହା ଶାମ୍ଭବୀ ବିଦ୍ୟା । କୁଳାର୍ଣ୍ଣବତନ୍ତ୍ରରେ କୁହାଯାଇଛି ‘ଇୟଂ ତୁ ଶାମ୍ଭବୀ ବିଦ୍ୟା, ଗୋପ୍ୟା କୁଳବଧୂ ଇବ’ ଅର୍ଥାତ୍ ଏହାକୁ କୁଳବଧୂ ପରି ଗୋପନ ରଖିବାକୁ ପଡ଼େ । ବାମାଚାରୀ ତାନ୍ତ୍ରିକମାନେ ଏହାକୁ ଗୋପନରେ ହିଁ ସାଧନ କରିଥାନ୍ତି । ଏହାକୁ ପଢ଼, ତା’ପରେ ତୁମର ପ୍ରତ୍ୟକ୍ଷ ଅନୁଭୂତି ପାଇଁ ମୁଁ ସହଯୋଗ କରିବି ।
– ପ୍ରତ୍ୟକ୍ଷ ଅନୁଭୂତି! ତା’ମାନେ ମତେ କ’ଣ ବାମାଚାରୀ ତାନ୍ତ୍ରିକ ହେବାକୁ ପଡ଼ିବ? ସେଥିରେ ତ ଜୀବନହାନିର ଭୟ ।
– ପ୍ରତ୍ୟକ୍ଷଅନୁଭୂତି ହିଁ ହେବ ଗବେଷଣାର ଅପରିହାର୍ଯ୍ୟ ଅଂଶ । ବାଡ଼ି ବାଇଗଣ ଓ ପୋଥି ବାଇଗଣର ତଫାତ୍ ଜାଣିଛ ତ? ତମେ ଭାବ ଯେ କେବଳ ପିଏଚ୍.ଡି ଡିଗ୍ରୀଟିଏ ପାଇବା ପାଇଁ ତମେ ଏ ବିଷୟ ନେଇନାହଁ । ଏହା ହିଁ ତ ରିସର୍ଚ୍ଚ । ଯାଅ, କାମ ଆରମ୍ଭ କର ।
ଭୂତ, ପ୍ରେତ, ଡାଆଣୀ, ଚିର୍ଗୁଣୀକୁ ଭୟ କରୁଥିବା ଅବିନାଶ ସାହସ ବାନ୍ଧିଲା ଓ ସ୍ଥିର କଲା ଯେ ପ୍ରଫେସର ଶର୍ମାଙ୍କ ସହଯୋଗ ଓ ଆଶୀର୍ବାଦରେ ସେ ନିଶ୍ଚେ ସଫଳ ହେବ । ହେଲେ ତନ୍ତ୍ରବିଦ୍ୟା ଭଳି ଏକ କଠିନ ବିଷୟବସ୍ତୁକୁ ନିର୍ବାଚିତ କରି ସେ ଠିକ୍ପଥରେ ଚାଲିପାରିବ ତ? ଅବଶ୍ୟ ପୁସ୍ତକର ବିଦ୍ୟା ତାକୁ ସାହାଯ୍ୟ କରିପାରେ । ହେଲେ ପ୍ରତ୍ୟକ୍ଷ ଅନୁଭୂତି! ପ୍ରଫେସର ଶର୍ମା କହିସାରିଲେଣି ଯେ ତନ୍ତ୍ରରେ ପ୍ରତ୍ୟକ୍ଷ ଅନୁଭୂତି ନଥିଲେ ତମେ ଯାହା ଲେଖିବ ତାହା ହେବ କେବଳ ଶୁଷ୍କଗ୍ରନ୍ଥ ।
ସାରାରାତ୍ରି ଅନିଦ୍ରା ହୋଇ ସେ ସାତଖଣ୍ଡ ତନ୍ତ୍ର ପୋଥି ସାରିଦେଲା । କିଛିକିଛି ବୁଝିଲା । କିଛି ବୁଝିଲା ନାହିଁ । ତଥାପି ସାଧାରଣ ଧାରଣା ହେଲା ତନ୍ତ୍ର ସାହିତ୍ୟ ଉପରେ । ସେ ପୋଥିତକ ଫେରାଇଦେଇ କିଛି ନୂତନ ପୋଥି ଆଣିବାକୁ ଗଲା ପ୍ରଫେସର ଶର୍ମାଙ୍କ ପାଖକୁ ।
ପ୍ରଫେସର ଶର୍ମା ଧ୍ୟାନମଗ୍ନ ହୋଇ ପାଠାଗାରରେ ବସିଥିଲେ । ଅବିନାଶକୁ ଦେଖି କହିଲେ ସରିଗଲା ନା? ଠିକ୍ ଅଛି । ଶୁଣ । ତନ୍ତ୍ରର ପ୍ରଥମ ପୀଠ ଉଡ୍ଡୀୟାନ୍ ବା ଆମ ଓଡ଼ିଶା । ଦ୍ୱିତୀୟ ଜାଳଶୈଳ, ତୃତୀୟ ପୂର୍ଣ୍ଣପୀଠ, ଚତୁର୍ଥରେ କାମରୂପ । ତେଣୁ ତନ୍ତ୍ରଯାନର ଆମ ଓଡ଼ିଶା ଆଦିଭୂମି । ଏଇଠି ସୃଷ୍ଟି ହୋଇଛି ଦଶମହାବିଦ୍ୟା ସାଧନା । ଚଉଷଠି ଯୋଗିନୀ ସାଧନା । ଚାମୁଣ୍ଡା ଉପାସନା ।
– ଏ ଦଶମହାବିଦ୍ୟା ସାଧନ ସମ୍ପର୍କରେ କିଛି ଆଲୋଚନା କରନ୍ତୁ ସାର୍ ।
– ଦଶମହାବିଦ୍ୟା ଶୃଙ୍ଖଳାରେ ପ୍ରଥମ ମହାବିଦ୍ୟା ମହାକାଳୀ ।
ଏ ଆଦ୍ୟାଶକ୍ତି । ଶିବଙ୍କ ଉପରେ ଦଣ୍ଡାୟମାନ । ଚାରିହାତ । ବାମ ଦୁଇହାତରେ ଖଡ୍ଗ ଓ ମୁଣ୍ଡ । ଦକ୍ଷିଣ ଦୁଇହାତ ବରଦ ଓ ଅଭୟମୁଦ୍ରା । ଏ ଉଲଗ୍ନା, ଭୟଙ୍କରୀ । ଦ୍ୱିତୀୟ ମହାବିଦ୍ୟା ତାରା । ଏ ଶିବ ଉପରେ ଦଣ୍ଡାୟମାନ, ଘୋର ଅଟ୍ଟହାସ୍ୟା, ଚତୁର୍ଭୁଜା, ନାଗଭୂଷଣା, ନୀଳପିଙ୍ଗଳ, ଜଟାଜୁଟ ମସ୍ତକା, ଖଡ୍ଗ ଓ ଖର୍ପର ଧାରିଣୀ । ଏହାଙ୍କୁ ତାରା, ଉଗ୍ରତାରା ଓ ନୀଳ ସରସ୍ୱତୀ କୁହାଯାଏ । ତୃତୀୟ ଷୋଡ଼ଶୀ । ଏ ମହାତ୍ରିପୁର ସୁନ୍ଦରୀ ଷୋଡ଼ଶୀ । କମନୀୟ ମୂର୍ତ୍ତି । ଚତୁର୍ଭୁଜା, ତ୍ରିଲୋଚନା, ପାଶ, ଅଙ୍କୁଶ ଶର, ଚାପଧାରିଣୀ । ଚତୁର୍ଥ ଭୁବନେଶ୍ୱରୀ । ଏ ଚତୁର୍ହସ୍ତା, ତ୍ରିନେତ୍ରା, ଚାରୁମୁଖୀ, ବାଳସୂର୍ଯ୍ୟ ପରି ଲୋହିତ ଅଂଗ । ବାମ ଦୁଇହାତରେ ପାଶ, ଅଙ୍କୁଶ । ଦକ୍ଷିଣ ଦୁଇହାତରେ ଅଭୟ ଓ ବରଦମୁଦ୍ରା । ପଞ୍ଚମ ମହାବିଦ୍ୟା ଛିନ୍ନମସ୍ତା । ଏ ଦିଗମ୍ବରୀ । ଦ୍ୱିଭୁଜା । ଗୋଟିଏ ହାତରେ ଖଡ୍ଗ ଓ ଅନ୍ୟ ହାତରେ ନିଜର ଛିନ୍ନ ମସ୍ତକ । ନିଜ ଗଳାଦେଶରୁ ତ୍ରିଧାର ରକ୍ତ ବାହାରି ଦୁଇ ସଖୀଙ୍କ ମୁହଁରେ ଓ ଗୋଟିଏ ଧାର ନିଜ ଛିନ୍ନ ଶିର ମୁଖରେ ପଡୁଛି । ଦୁଇ ସଖୀ ଦିଗମ୍ବରୀ, ମୁକ୍ତକେଶୀ ଓ ମୁଣ୍ଡମାଳ ଧାରିଣୀ । ଭୈରବୀ ଷଷ୍ଠ ମହାବିଦ୍ୟା । ଦେବୀ ଚତୁର୍ଭୁଜା । ବାମ ଦୁଇଟି ହସ୍ତରେ ପୁସ୍ତକ ଓ ଅକ୍ଷମାଳା । ଦକ୍ଷିଣ ଦୁଇ ହସ୍ତ ବରଦ ଓ ଅଭୟମୁଦ୍ରା । ଏ ମୁକ୍ତକେଶା, ତ୍ରିନେତ୍ରା, ପଦ୍ମାସନା, ଭୂଷଣ ପରିଶୋଭିତା । ସପ୍ତମ ମହାବିଦ୍ୟା ଧୂମାବତୀ । ଏ ବଡ଼ ଭୟଙ୍କରୀ । ନିଜର ସ୍ୱାମୀ ଶିବଙ୍କୁ ଗିଳି ଦେଇଛନ୍ତି । ଏ ବିଧବା ବେଶ୍ ଧାରିଣୀ, ରୁକ୍ଷବେଶା, ବିମୁକ୍ତ କେଶା, ବିଲମ୍ବିତପୟୋଧରା । କାକଧ୍ୱଜରଥ ଆସୀନା । ଅଷ୍ଟମ ବଗଳାମୁଖୀ । ଏ ମହିମାଶାଳିନୀ, ସର୍ବଦୁଃଖନିବାରିଣୀ, ପୀତବସ୍ତ୍ର ଧାରିଣୀ, ଶତ୍ରୁ ସଂହାରିଣୀ । ସୁଧାଧବଳ ରତ୍ନସିଂହାସନରେ ଆସୀନା । ମହାର୍ଘବସ୍ତ୍ର ଓ ଅଳଙ୍କାର ବିଭୂଷିତା । ଦକ୍ଷିଣ ହାତରେ ଗଦା, ବାମ ହାତରେ ଶତ୍ରୁର ଜିହ୍ୱା ଧାରଣ କରନ୍ତି । ନବମ ବିଦ୍ୟା ମାତଙ୍ଗୀ । ଏ ଶ୍ୟାମାଙ୍ଗୀ, ସୁନ୍ଦରୀ, ତ୍ରିନେତ୍ରା, ରତ୍ନସିଂହାସନରେ ବିରାଜିତା, ଚତୁର୍ଭୁଜା । ବିଦ୍ୟାଦାତ୍ରୀ । ଦଶମ ବିଦ୍ୟା କମଳାତ୍ମିକା । ଏ ଲକ୍ଷ୍ମୀ ସ୍ୱରୂପା । ଅପୂର୍ବ ସୁନ୍ଦରୀ । ସହସ୍ର ଦଳ ଉପରେ ଆସୀନା ଶୁଦ୍ଧସୁବର୍ଣ୍ଣବର୍ଣ୍ଣା । ଚତୁର୍ଭୁଜା, ବାମ ଦୁଇଭୁଜରେ ପଦ୍ମ, ଦକ୍ଷିଣ ଦୁଇଭୁଜ ଅଭୟ ବରମୁଦ୍ରା । ଚାରୋଟି ହସ୍ତୀ ହିରଣ୍ମୟ ଘଟରେ ତାଙ୍କୁ ଅଭିଷେକ କରନ୍ତି ।
ପ୍ରଫେସର ଶର୍ମାଙ୍କ ଦଶମହାବିଦ୍ୟାତତ୍ତ୍ୱ ବର୍ଣ୍ଣନା ଶୁଣି ଅବିନାଶ ବିମୁଗ୍ଧ ହୋଇ ଚାହିଁଥାଏ ତାଙ୍କ ମୁହଁକୁ । କ୍ଷଣ କ୍ଷଣକେ ବଦଳି ଯାଉଥାଏ ତାଙ୍କର ମୁଖଭଙ୍ଗୀ ।
ଶୁଣିଲ ଦଶମହାବିଦ୍ୟାଙ୍କ ସ୍ୱରୂପ? କିଛି ବୁଝିଲ? କିନ୍ତୁ ତାନ୍ତ୍ରିକ ସାଧନାରେ ରହିଛି ଏମାନଙ୍କର ବୀଜମନ୍ତ୍ର, ଧ୍ୟାନ ଓ ଯନ୍ତ୍ର । ଏମାନଙ୍କର ଅର୍ଚ୍ଚନା, ବଳି ଓ ପୁରଶ୍ଚରଣ ଦ୍ୱାରା ସାଧକ ଆମୋଘସିଦ୍ଧିର ଅଧିକାରୀ ହୋଇଥାଏ ।
– କିନ୍ତୁ ବାମାଚାରୀ ତାନ୍ତ୍ରିକମାନେ କେଉଁ ଦେବୀଙ୍କୁ ପୂଜା କରନ୍ତି?
– ଦଶମହାବିଦ୍ୟା ଶୃଙ୍ଖଳାର ଦ୍ୱିତୀୟ ମହାବିଦ୍ୟା ତାରା ବା ଉଗ୍ରତାରା । ଏ ତ ନୀଳସରସ୍ୱତୀ । ବାମାଚାରୀ ତାନ୍ତ୍ରିକର ସମସ୍ତ ବାଧାବିଘ୍ନ ଏହାଙ୍କୁ ପୂଜା କଲେ ଦୂରୀଭୂତ ହୁଏ । ତାରା ସାଧକମାନଙ୍କର ସାଧନା ଅତ୍ୟନ୍ତ ଗୋପନୀୟ । ତମେ ତାଙ୍କ ବିଷୟରେ ଜାଣିବା ପାଇଁ ଚାରି ଖଣ୍ଡ ପୋଥି ଯଥା ତାରାର୍ଚ୍ଚନ ତରଙ୍ଗିଣୀ, ଉଗ୍ରତାରା ପଦ୍ଧତି, ତାରାତନ୍ତ୍ର ଓ ତାରା ପ୍ରଦୀପ ମୋଠାରୁ ନେଇପାର । ପ୍ରଫେସର ଶର୍ମା ଆଲ୍ମାରି ଖୋଲିଲେ । ଚାରିଖଣ୍ଡ ପୋଥି ବଢ଼ାଇଦେଲେ ଅବିନାଶ ହାତକୁ । ଅବିନାଶ ତା’ର ଝୁଲାବ୍ୟାଗ୍ ଭିତରେ ଚାରିଖଣ୍ଡ ତନ୍ତ୍ର ପୋଥି ସଯତ୍ନରେ ରଖି କହିଲା- ଏସବୁ ତନ୍ତ୍ରର ମନ୍ତ୍ରଗୁଡ଼ିକ ପାଠ କଲେ ଅନ୍ତତଃ କିଛିକିଛି ଧାରଣା କରିହେଉଛି ସାର୍ ।
– ଦେଖ ଅବିନାଶ ତନ୍ତ୍ରମନ୍ତ୍ରମୂଳକ ନୁହେଁ, ଏହା କ୍ରିୟାମୂଳକ । ଯେଉଁଟି ତନ୍ତ୍ର ତାହା ମନ୍ତ୍ର ନୁହେଁ । ତାହାକୁ ମନ୍ତ୍ର ସହିତ ସମ୍ପର୍କିତ କରାଯାଇଛି । ଶୁଣ, ମୋର ଜେଜେବାପା ଜଣେ ମହାତାନ୍ତ୍ରିକ ଥିଲେ । ଦଶମହାବିଦ୍ୟା ଓ ସପ୍ତମାତୃକା ସାଧନା କରିଥିଲେ । ମୋର ବାପା ଅତ୍ୟନ୍ତ ଭୟଙ୍କର ଚାମୁଣ୍ଡା ସାଧନା କରିଥିଲେ । ହେଲେ ଦିନେ ଚାମୁଣ୍ଡାଙ୍କ ଆଗରେ ଶ୍ମଶାନରେ ଶବସାଧନା କରୁକରୁ ଶବ ପାଇଗଲା ଜୀବନ୍ୟାସ ଓ ବାପାଙ୍କ ଛାତିରେ ବସିଗଲା । ରକ୍ତବାନ୍ତି କରି ମରିଗଲେ ମୋ ବାପା । ତାଙ୍କ ପାଟିରୁ ରକ୍ତ ବାହାରି ମାଟିରେ ଭିଜି କଳା ପଡ଼ିଯାଇଥିଲା ।
– ଏପରି ଅସମ୍ଭବ କଥା ଘଟିପାରେ ସାର୍? ଶବ ପାଇବ ଜୀବନ୍ୟାସ?
– ମୋ ମନରେ ବି ବେଳେବେଳେ ସନେ୍ଦହ ହୁଏ । ହେଲେ ବାମାଚାରୀମାନଙ୍କ କ୍ରିୟାକଳାପ ଦେଖିଲେ ଆଶ୍ଚର୍ଯ୍ୟ ହୁଏ । ଅତି ଅଦ୍ଭୁତ-ଅଦ୍ଭୁତ । କେବଳ ଯଥାର୍ଥ ଗୁରୁଙ୍କ ସାହାଯ୍ୟ ନେଇ ଏ ଶାମ୍ଭବୀ ବିଦ୍ୟାସାଧନ କରାଯାଇପାରେ । ତେବେ ଗୋଟିଏ ବାମାଚାରୀ ତାନ୍ତ୍ରିକ ପାଖକୁ ଯିବକି?
– ଓଡ଼ିଶାରେ କ’ଣ ଅଛନ୍ତି ବାମାଚାରୀ ତାନ୍ତ୍ରିକ?
ପ୍ରଫେସର ଶର୍ମା ସାମାନ୍ୟ ଚିନ୍ତିତ ଦେଖାଗଲେ । ଡ୍ରୟର ଭିତରୁ ବାହାର କଲେ ଗୋଟାଏ ମୋଟା ଡାଏରୀ । ପଢ଼ି କହିଲେ, ପ୍ରାଚୀନଦୀ କୂଳରେ ଚଉରାଶି ବୋଲି ଗୋଟିଏ ଗ୍ରାମ ଅଛି । ସେଠି ଅଛି ଏକ ଚମକ୍ରାର ବାରାହୀ ମନ୍ଦିର । ତମେ ରୁଦ୍ରଭୈରବଙ୍କ ପାଖକୁ ଯାଅ । ମୋ ନାଁ କହି ତାଙ୍କୁ ସାହାଯ୍ୟ ମାଗ । ଏକ ବିରାଟ ବଟବୃକ୍ଷ ତଳେ, ସେଠାର ମହାଶ୍ମଶାନକୁ ଲାଗି, ଅଛି ତାଙ୍କର ଆଶ୍ରମ ।
ବିସ୍ମୟ ପ୍ରକାଶ କରି କହିଲା ଅବିନାଶ, ଏପରି ନାମ କ’ଣ ପିତାମାତା ଜନ୍ମିତ ଶିଶୁକୁ ଦେଇପାରନ୍ତି?
– ଏହା ତାଙ୍କର ପୂର୍ବାଶ୍ରମର ନାମ । ପ୍ରକୃତ ନାମ କପିଳ ମିଶ୍ର । ତନ୍ତ୍ରସାଧନା କଲେ ପିତାମାତା ପ୍ରଦତ୍ତ ନାମକୁ ଭୁଲିବାକୁ ପଡ଼େ । ତନ୍ତ୍ର ପ୍ରାକୃତିକ ନିୟମର ଅନୁସରଣ କରେ । ଏହା ଜାତିଗୋତ୍ର ବର୍ଣ୍ଣ ବିଚାର କରେ ନାହିଁ । ନୀତି ଅନୀତିର ପ୍ରଶ୍ନ ଉଠେନାହିଁ । ସହଜମାର୍ଗରେ ତନ୍ତ୍ରସାଧନକୁ ଆଗେଇନିଏ । ଯାହା ମଣିଷର ସ୍ୱାଭାବିକ ପ୍ରବୃତ୍ତି ତାହାର ପୂର୍ଣ୍ଣତା ହିଁ ତନ୍ତ୍ରର ଉଦେ୍ଦଶ୍ୟ । ଅବଶ୍ୟ ପଞ୍ଚମକାର ସାଧନାର ପ୍ରକୃତତତ୍ତ୍ୱକୁ ନବୁଝି ମଦ୍ୟ, ମାଂସ, ମତ୍ସ୍ୟ, ମୁଦ୍ରା ଓ ମୈଥୁନକୁ ସାଧାରଣ ଭାବେ ପ୍ରୟୋଗ କରାଯାଇଛି । ଭୈରବୀ ସାଧନା ଅପରିହାର୍ଯ୍ୟ ହୋଇପଡ଼ିଛି । ତନ୍ତ୍ର କୁହେ, ଭୈରବୀ ସହିତ ଏକାତ୍ମତା ଆସିଲେ ସାଧକ ଭୈରବ ଶକ୍ତିମାନ ଓ ଭୈରବୀ ଶକ୍ତିସ୍ୱରୂପା ପାଲଟେ । ବୈଦିକ ବ୍ରାହ୍ମଣମାନେ ଏଭଳି ଅଭିଚାରକୁ ଘୃଣା କଲେ ମଧ୍ୟ କପିଳ ମିଶ୍ର ଭଳି ବ୍ରାହ୍ମଣମାନେ ବାମାଚାର ତନ୍ତ୍ରକୁ ଆଦରି ନେଇଛନ୍ତି ।
ଦୁଇଦିନ ପରେ ଅବିନାଶ ପ୍ରାଚୀନଦୀକୂଳର ଗ୍ରାମ ଚଉରାଶିକୁ ଯାଇ ଜଣେ ବୃଦ୍ଧ ବ୍ରାହ୍ମଣକୁ ପଚାରିଲା, “ମହାଶୟ, ରୁଦ୍ର ଭୈରବ ଓରଫ୍ କପିଳ ମିଶ୍ରଙ୍କ ଠିକଣା କହିବେକି ? ବୃଦ୍ଧ ବ୍ରାହ୍ମଣଟି ତାକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ଓ କହିଲା ରୁଦ୍ର ଭୈରବ! ସେଟା ତାନ୍ତ୍ରିକଟାଏ । ସବୁବେଳେ ମଦପିଇ ହିତାହିତ ଜ୍ଞାନ ଭୁଲେ । ମଶାଣିରେ ଚଣ୍ଡୀସାଧନା କରେ । ଭୈରବୀ ସାଙ୍ଗରେ ରଙ୍ଗରସ ହୁଏ । ତା’ ପାଖକୁ ଯିବ କାହିଁକି?
– ତନ୍ତ୍ର ଉପରେ ଗବେଷଣା କରୁଛି । ତାଙ୍କଠାରୁ କିଛି ଜ୍ଞାନପ୍ରାପ୍ତି ପାଇଁ ଭୁବନେଶ୍ୱରରୁ ଆସିଛି ।
– ଠିକ୍ ଅଛି, ଏଇ ସିଧାରାସ୍ତା ମଶାଣିକୁ ବାଟ । ହେଲେ ବାବୁ ସାବଧାନ । ସନେ୍ଦହ, ଅବିଶ୍ୱାସ ଓ ଭୟର ଭାବନେଇ ବୃଦ୍ଧ ବ୍ରାହ୍ମଣ ଚାଲିଗଲା ପରେ ଦ୍ରୁତଗତିରେ ଯାଇ ଝଙ୍କାଳିଆ ବରଗଛ ମୂଳ କୁଡ଼ିଆ ଆଗରେ ଠିଆ ହେଇ ଡାକିଲା ଭିତରେ ଅଛନ୍ତି କି ମହାରାଜ?
ଘରର କବାଟ ବନ୍ଦ ଥିଲା । ଭିତରୁ ଘାଗଡ଼ା କଣ୍ଠର ସ୍ୱର ଶୁଣାଗଲା କିଏ? କିଏ ଡାକୁଛ? କାହିଁକି ଆସିଛ ଏଠିକି? କ’ଣ ଦରକାର?
ଅବିନାଶ ସାମାନ୍ୟ ଭୟ ପାଇଗଲା । ସେ ଗମ୍ଭୀର କଣ୍ଠର ସ୍ୱର, ସେ ଶବ୍ଦ ସବୁ ବୋମା ଫୁଟାର ଶବ୍ଦ କରି ତାକୁ ଜଣାଗଲା । ସାହସ ବାନ୍ଧି କହିଲା, ମୁଁ ଅବିନାଶ । ଭୁବନେଶ୍ୱରରୁ ଆସିଛି ।
– ଫେରିଯା’ ଫେରିଯା’ ମୂର୍ଖ । ଭୟଙ୍କର ବିପଦକୁ ସାମ୍ନା କରିବାକୁ ଆସିଛ ତମେ । ଏଠି କି କାମ ତମର?
– ଦୟାକରନ୍ତୁ ମହାରାଜ । ପ୍ରଫେସର ଶର୍ମା ପଠେଇଛନ୍ତି ଆପଣଙ୍କ ପାଖକୁ ।
ଘରର କବାଟ ଖୋଲିଗଲା । ଘର ଭିତରୁ ବାହାରି ତା’ ଆଗରେ ଠିଆ ହୋଇଗଲେ ରୁଦ୍ରଭୈରବ ଓରଫ କପିଳ ମିଶ୍ର । ତାଳୁରୁ ତଳିପା ପର୍ଯ୍ୟନ୍ତ ତୀର୍ଯ୍ୟକ୍ ଦୃଷ୍ଟିଭଙ୍ଗୀରେ ତାକୁ ଅନେଇ ରହିଲେ । ଅଦ୍ଭୁତ ସେ ନୟନର ଦୃଷ୍ଟି । ଅବିନାଶର ମନେହେଲା ସେ ଆଖିର ଜ୍ୱଳନ୍ତ ଦୃଷ୍ଟି ଯେପରି ତା’ କପାଳ, ଛାତି, ପେଟ, ଶିରା ପ୍ରଶିରା ଏପରିକି ସାରା ଶରୀର ଭିତରକୁ ପଶିଯାଇ କ’ଣ ସବୁ ଖୋଜି ଚାଲିଛି । ତାଙ୍କ ଦୃଷ୍ଟି ସଙ୍ଗେ ଅବିନାଶର ଦୃଷ୍ଟି ଏକ ହେଲା ମାତ୍ରେ ସେ ଅନୁଭବ କଲା ସେ ଯେମିତି ଶୂନ୍ୟରେ ମିଳେଇ ଯାଉଛି । ତା’ର ହାଡ଼, ରକ୍ତ, ମାଂସ, ନୟନ, ମୁହଁ, ହାତ, ପାଦ ବୋଲି କିଛି ନାହିଁ । ସେ ଏପରିକି ପୃଥିବୀରେ ନାହିଁ । ଅନନ୍ତ ଆକାଶ ଭିତରେ ଏକ ବିନ୍ଦୁ ପରି ସେ କାହିଁ କୁଆଡ଼େ ଭାସିଚାଲିଛି ।
ଖପ୍ କରି ତା’ର ଡାହାଣ ହାତକୁ ଧରି ପକାଇଲେ କପିଳ ମିଶ୍ର । ଆରେ ଚଣ୍ଡାଳ- ଆକାଶରେ ବୁଲୁଚୁ ଯେ! ଆରେ ମାଟିକୁ ଫେର ମାଟିକୁ । ଏଇ ମହାଶ୍ମଶାନକୁ । ଦେଖ ମୁଁ ଠିଆ ହୋଇଛି ତୋ ଆଗରେ ମହାତାନ୍ତ୍ରିକ, ମହାଯୋଗୀ ରୁଦ୍ରଭୈରବ ।
ସମ୍ମୋହିତ ଅବସ୍ଥାରୁ ଫେରିଆସିଲା ଅବିନାଶ । ପ୍ରକୃତିସ୍ଥ ହୋଇ ଦେଖିଲା ବିଶାଳ ଶରୀରଧାରୀ, କୃଷ୍ଣକାୟ, ଜଟାଧାରୀ, ଭୟଙ୍କର ଦିଶୁଥିବା ପାଞ୍ଚଫୁଟ ଛଅ ଇଞ୍ଚର ମଣିଷ ଜଣେ । ନୟନ ଦୁଇଟି କୁମ୍ଭାଟୁଆ ଆଖିପରି ଲାଲ । ସର୍ବାଙ୍ଗ ଭସ୍ମ ଆଚ୍ଛାଦିତ । ପିନ୍ଧା କେବଳ ଲାଲରଙ୍ଗର କୈପୁନୀଟିଏ । ବାମହାତରେ ଲୁହା ତ୍ରିଶୂଳଟିଏ ଓ ଡାହାଣ ହାତରେ ଲୁହାର ବଡ଼ ଚିମୁଟା ।
– ପ୍ରଫେସର ଶର୍ମା ପଠେଇଛନ୍ତି ତତେ? କାହିଁକି? ସେ ତ ମହାଜ୍ଞାନୀ ଲୋକ ।
– ତନ୍ତ୍ର ଉପରେ ଗବେଷଣା କରୁଛି ମହାରାଜ । ଆପଣଙ୍କ ସାହାଯ୍ୟ, ଆଶୀର୍ବାଦ ଲୋଡ଼ା ।
ହୋ ହୋ ହେଇ ହସିଲେ ରୁଦ୍ରଭୈରବ । ସେ ହସରେ ଯେମିତି ଭୂମିକମ୍ପ ସୃଷ୍ଟି ହେଲା । ଥରି ଉଠିଲା ପାଦତଳର ମାଟି ।
ତନ୍ତ୍ର ଉପରେ ଗବେଷଣା । ହାଃ ହାଃ । ଏ ଶାମ୍ଭବୀ ବିଦ୍ୟା ଜାଣିବା ପାଇଁ ତୋର ଏତେ ଆଗ୍ରହ କାହିଁକିରେ ପାଷାଣ୍ଡ? ହଉ ଗୁରୁ କରିବୁ ମତେ? ବିନା ଗୁରୁରେ ସାଧନ କ’ଣ ହେବ ଏ ମହାବିଦ୍ୟା? ପାରିବୁ ମୋର ଶିଷ୍ୟ ହେଇ?
– ମତେ କ’ଣ କରିବାକୁ ହେବ ମହାରାଜ? ଅବିନାଶ ପଚାରିଲା ।
– ଭୟଙ୍କର ସାଧନା । ପଞ୍ଚମକାର ସାଧନା । ପିଇପାରିବୁ ମଦ୍ୟ? ଖାଇପାରିବୁ ପୋଡ଼ା ମାଂସ ଓ ମତ୍ସ୍ୟ? କରିପାରିବୁ ମୁଁ କହିବା ପ୍ରକାରେ ମୁଦ୍ରା ପ୍ରକରଣ? କରିପାରିବୁ ଯୋଗର ଷଡ଼ଚକ୍ର ଭେଦ? ପ୍ରାଣ ପବନକୁ ନେଇ ପହଁଚେଇ ପାରିବୁ ସହସ୍ର ଦଳ ପଦ୍ମକେଶର ପାଖରେ? ପାରିବୁ ସୁଷୁମ୍ନା ନାଡ଼ିକୁ ଜାଗ୍ରତ କରି? ଭୈରବୀ ସହିତ ମିଶି ସାଧନାରୁ ସିଦ୍ଧି ପର୍ଯ୍ୟନ୍ତ ଯୁକ୍ତ ହେଇପାରିବୁ?
– ଭୈରବୀ!
– ହଁ ଭୈରବୀ ସହିତ ଯୁକ୍ତ ହେଇ ତୁ ପାଲଟିବୁ ଶିବ ଓ ଭୈରବୀ ଶିବା । ଉଭୟଙ୍କର ଜୀବନଗତି ଏକ ହେଲେ ପୁରୁଷ ଶକ୍ତିମାନ ଓ ନାରୀଶକ୍ତିସ୍ୱରୂପା ହୁଏ । ଏଠି ସ୍ତ୍ରୀ-ପୁରୁଷର ସାଧାରଣ ସମ୍ପର୍କ ରହେନାହିଁ ।
– ହେଲେ ଭୈରବୀ ମିଳିବେ କେଉଁଠୁ? ଅବିନାଶର କଣ୍ଠଧୀର ଶୁଭୁଥିଲା ।
– ମିଳିବରେ ପାଷାଣ୍ଡ, ଅଲବତ୍ ମିଳିବ । ଯାହାସଙ୍ଗେ ତୋର ମନର ମିଳନ ହେଇଛି ସେଇ ଆସିବ ଏଠି ଭୈରବୀ ହେବାକୁ । ଚଉରାଶିଜଣ ସିଦ୍ଧାଚାର୍ଯ୍ୟଙ୍କ ଭୈରବୀ ଥିଲେ । ଡମୁଣୀ, ଚମାରୁଣୀ, ଧୋବଣୀ, ଶବରୁଣୀ ଏମାନେ ସବୁ କୁଳନାୟିକା ତନ୍ତ୍ରରେ । କିଏ କେମିତି ତନ୍ତ୍ରାଚାର କରିବ ତା’ର ସାଧନା ଉପରେ ନିର୍ଭର କରେ । ବେଦାଚାରଠାରୁ କୌଳାଚାର ଯାଏ ସାତଟି ତନ୍ତ୍ରାଚାର । ଏସବୁ ସାଧନା କଲେ ଚିତ୍ତ ପ୍ରଶାନ୍ତ ଓ ସମଦୃଷ୍ଟି ସମ୍ପନ୍ନ ହେବ । ଏହି ଅବସ୍ଥାରେ ପଙ୍କ ଓ ଚନ୍ଦନ, ତୃଣ ଓ ତଳ୍ପ, ନର ଓ ଦେବ, ଖାଦ୍ୟ ଓ ଅଖାଦ୍ୟ, ଶତ୍ରୁ ଓ ମିତ୍ରର ଭେଦ ରହେନାହିଁ । ବାମାଚାର, ସିଦ୍ଧାଚାର ପରେ କୌଳାଚାର ସାଧନା କଲେ ସାଧକ ବ୍ରହ୍ମାନନ୍ଦ ସୁଖ ଲାଭ କରେ । ଚାହୁଁଚୁ ସେଇ ବ୍ରହ୍ମାନନ୍ଦ ସୁଖ? ସହଜାନନ୍ଦସୁଖରେ ହଜିବାକୁ ଚାହୁଁ?
– ମତେ କ’ଣ ଶିଷ୍ୟ ହେବାକୁ ପଡ଼ିବ ମହାରାଜ ଏଥିପାଇଁ?
– ସବୁ ଶିଖାଇବିରେ ମୂର୍ଖ, ଶିଖିବୁ ଦଶମହାବିଦ୍ୟା ସାଧନା । ସପ୍ତାମାତୃକା ତନ୍ତ୍ରାଚାର । ଚାମୁଣ୍ଡା ଉପାସନା । ଆରେ ମୂର୍ଖ ଦୀକ୍ଷା ନନେଲେ ହେବନି ମନ୍ତ୍ରସିଦ୍ଧି । ଗୁରୁ ନକରି, ଦୀକ୍ଷା ନନେଇ ମନ୍ତ୍ର ଜପିବୁ? ପାଗଳ ହେଇଯିବୁ ପାଗଳ, ରୋଗୀ ହେବୁ ନଚେତ୍ ଦୁର୍ବୃତ୍ତ ହେବୁ । ବାମାଚାରୀ ହେବା କ’ଣ ଏତେ ସହଜ? କାହାକୁ ବାମାଚାରୀ କହିବୁତୁ? ଯେଉଁ ବ୍ୟକ୍ତି ପରଦ୍ରବ୍ୟ ଦେଖି ଅନ୍ଧପରି, ପରସ୍ତ୍ରୀ ନିକଟରେ ନପୁଂସକ ପରି, ପର ଅପବାଦରେ ମୂଢ଼ ପରି, ସେହି ଜିତେନ୍ଦ୍ରିୟ ବ୍ୟକ୍ତି ହିଁ ବାମାଚାରର ଅଧିକାରୀ ।
ଅବିନାଶର ମୁଣ୍ଡଭାରି ଭାରି ଲାଗୁଥିଲା ଏପରି ତତ୍ତ୍ୱଜ୍ଞାନ ଶୁଣି ଶୁଣି । ଏସବୁ ସାଧନା କଲେ ତ ସଂସାର ଛଡ଼ା ତାନ୍ତ୍ରିକଟିଏ ହେବ ସିନା । ତା’ର ଯେ ତନ୍ତ୍ର ସମ୍ପର୍କରେ ସାଧାରଣଜ୍ଞାନ ଦରକାର । ଅନ୍ତତଃ ଥେସିସ୍ଟିଏ ପୂର୍ଣ୍ଣ କରିବା ପାଇଁ ।
– ଆରେ ମୂର୍ଖ । ବ୍ୟସ୍ତ ହ’ନା । ଏପର୍ଯ୍ୟନ୍ତ ତୋର ଆତ୍ମଜ୍ଞାନ ଆସିନାହିଁ । ହୃଦୟରେ ଭାବମୂର୍ତ୍ତି ତିଆରି ହେଇନି ଏପର୍ଯ୍ୟନ୍ତ ତେବେ ଆସନ୍ତା ଅମାବାସ୍ୟା ଦିନ ସନ୍ଧ୍ୟା ବେଳକୁ ତୋ ଭୈରବୀ କି ନେଇଆସ । ରାତ୍ରିଅର୍ଦ୍ଧରେ ଏ ମହାଶ୍ମଶାନରେ ଆମର ଚକ୍ରପୂଜା ହେବ । ମୋର ଭୈରବୀ ଯୋଗ୍ନୀପୀଠରୁ ଆସିବ । କପାଳ ଭୈରବ ବି ତା’ ଭୈରବୀକୁ ନେଇ ଆସିବ । ସେଇ ଗୋଟିଏ ଦିନ ପାଇଁ ତତେ ଭୈରବ ଓ ତୋ’ ଭୈରବୀକୁ ମୁଁ ଦୀକ୍ଷା ଦେବି । ପାହାନ୍ତା ପ୍ରହରକୁ ତୁ ଫେରିବୁ ସ୍ୱାଭାବିକ ଜୀବନକୁ ।
ଡରିଡରି କହିଲା ଅବିନାଶ ଏ ମହାଶ୍ମଶାନକୁ କ’ଣ ଆସିବ ସୁଜାତା? ରାଜିହେବ ଭୈରବୀ ହେବା ପାଇଁ? ସେ ଯେ ମୋର ବାକ୍ଦତ୍ତା । ଆମର ନିର୍ବନ୍ଧ ସରିଯାଇଛି ମହାଭାଗ ।
– ରୁଦ୍ରଭୈରବଙ୍କ ଆଖି ଯୋଡ଼ାକ ଜ୍ୱଳନ୍ତ ମଶାଲ ଭଳି ଜଳି ଉଠିଲା ହଠାତ୍ । କ’ଣ କହିଲୁ ଆସିବ ନାହିଁ? ଆସିବ, ଅଲବତ୍ ଆସିବ । ଏ ଆଦ୍ୟାଶକ୍ତି ମହାକାଳୀଙ୍କ ଆଦେଶ । ମୋର ଷଟ୍କର୍ମ ବିଦ୍ୟାର ପରାକ୍ରମ ଜାଣିଛୁ? ସ୍ତମ୍ଭନ, ମୋହନ, ବଶ୍ୟ, ଉଚ୍ଚାଟନ, ବିଦ୍ୱେଷଣ ଓ ମାରଣ ବିଦ୍ୟାରେ ମୁଁ ଅମିତ ପରାକ୍ରମଶାଳୀ । ନେଏ ବଶୀକରଣ ବିଦ୍ୟାରେ ମନ୍ତ୍ରିତ ହୋଇଥିବା ବିଭୂତି । ଏ ବିଭୂତି କପାଳରେ ଲଗାଇଲେ ରାଜା, ଶତ୍ରୁ ଓ ଅଲଭ୍ୟ ସ୍ତ୍ରୀ ବଶ୍ୟ ହୁଅନ୍ତି ।
ଯନ୍ତ୍ରଚାଳିତ ମଣିଷଟିଏ ପରି ବଶୀକରଣ ବିଭୂତି ଗ୍ରହଣ କଲା ଅବିନାଶ । ମନରେ ସନେ୍ଦହ, ସତରେ କ’ଣ ନେଇ ଆସିପାରିବ ତା’ର ବାକ୍ଦତ୍ତା ସୁଜାତାକୁ? ଚକ୍ରପୂଜାରେ ସେ ବସିବାକୁ ରାଜି ହେବ? ଏସବୁ ତାନ୍ତ୍ରିକ ଅଭିଚାର ଦେଖି ସେ ଭୟ ପାଇବ ନାହିଁ ତ?
– କ’ଣ ଭାବୁଛୁ? ଦେଖ ମୂର୍ଖ, ଏ ଭୈରବୀଚକ୍ରରେ ଉପସ୍ଥିତ ହେଲାମାତ୍ରେ ତୁ ଶିବସ୍ୱରୂପ ଓ ତୋ’ ବାକ୍ଦତ୍ତା ଶିବାସ୍ୱରୂପା । ଯା ଯା ପଳା । ଆସିବୁ ଅମାବାସ୍ୟା ଦିନ ।
ଚଉରାଶିର ମହାଶ୍ମଶାନରୁ, ରୁଦ୍ରଭୈରବଙ୍କଠାରୁ ବିଦାୟ ନେଇ ଫେରି ଆସିଲା ଅବିନାଶ ଓ ପହଞ୍ଚିଗଲା ସକାଳୁ ସକାଳୁ ସୁଜାତାର ଗେଟ୍ ପାଖରେ । ସୁଜାତା ସ୍ନାନସାରି ତା’ର ଗହଳ କଳାକେଶକୁ ଛାତ ଉପର ସକାଳ ସୂର୍ଯ୍ୟକିରଣରେ ଶୁଖାଉଥିଲା । ମୁକ୍ତକେଶା ଥିବାରୁ ସେ ଦେଖାଯାଉଥିଲା ଦେବୀ ପରି । ଅବିନାଶକୁ ଦେଖି ସେ ହସିଦେଲା ଓ ଛାତରୁ ଓହ୍ଲାଇ ଆସି ପଚାରିଲା ଏତେ ସକାଳୁ ଯେ?
– ସ୍ନାନ ସାରିଚ । ଏଥରକ କପାଳରେ ଲଗେଇଦିଅ ସାଇବାବାଙ୍କ ‘ଉଦି’ । ଜଣେ ବନ୍ଧୁ ଶିରିଡ଼ି ଯାଇଥିଲା । ନିଅ ।
– ମୋର କେତେବଡ଼ ଭାଗ୍ୟ? ସ୍ନାନପରେ ବାବାଙ୍କ ବିଭୂତି । ସୁଜାତା କପାଳରେ ବିଭୂତି ଲଗେଇଲା ଓ ପାଟିରେ କିଛି ପକାଇଲା । ତମ ରିସର୍ଚ୍ଚ କେତେବାଟ ଗଲା? ଏହାପରେ ତ ଆମର ବିଭାଘର ହେବନା?
– ରିସର୍ଚ୍ଚ କାମ ଆଗେଇ ଚାଲିଛି । ହେଲେ ତମର ସାହାଯ୍ୟ ଦରକାର ।
‘ମୋର ସାହାଯ୍ୟ’ କହି ଆଶ୍ଚର୍ଯ୍ୟ ହେଲା ସୁଜାତା ଏବଂ ପଚାରିଲା ତାହା କିପରି କୁହତ?
– ମୋ ସାଙ୍ଗେ ଟିକେ ଯିବ ଚଉରାଶିକୁ । ସେଠି ଭୈରବୀ ଚକ୍ରରେ ବସିବ । ଅବଶ୍ୟ ଡରନାହିଁ । ମୁଁ ତ ଅଛି । ଭୈରବ ରୁଦ୍ରଭୈରବ ମତେ ତନ୍ତ୍ର ସମ୍ପର୍କରେ ଧାରଣାଦେବେ । କ’ଣ କହୁଛ?
– ତାନ୍ତ୍ରିକ, ଭୈରବମାନଙ୍କୁ ମୋର ଡର । ହେଲେ ତମେ ତ ଅଛ ମୋର ଡର କ’ଣ?
ଝଙ୍କା ବରଗଛ ତଳେ, ରୁଦ୍ରଭୈରବଙ୍କ କୁଡ଼ିଆ ପାଖେ ପହଞ୍ଚି ଅବିନାଶ ଯେତେବେଳେ ‘ମୁଁ ଆସିଛି ମହାରାଜ’ ବୋଲି କହିଲା, ଭିତରୁ ଜଣେ ଜଟାଧାରିଣୀ, କୃଷ୍ଣବର୍ଣ୍ଣର ଭୈରବୀ ବାହାରି ଆସି ପଚାରିଲା ଓଃ ତମେ ଅବିନାଶ ନାଁ?
– ହଁ, ଏ ମୋର ବାକ୍ ଦତ୍ତା ସୁଜାତା । ଅବିନାଶ ସୁଜାତାକୁ ଦେଖେଇ ହସିଦେଲା ।
– ଜାଣେ ।
ସୁଜାତା ଜଟାଧାରିଣୀ କୃଷ୍ଣବର୍ଣ୍ଣା ଭୈରବୀକୁ ଦେଖି ଭୟ ପାଇଗଲା । ତା’ର ଗୋଲମୁହଁ, ପ୍ରଶସ୍ତ କପାଳ, କପାଳରେ ବଡ଼ ଲାଲ୍ସିନ୍ଦୂରର ଠୋପା । ଆଖି ଦୁଇଟା ରକ୍ତବର୍ଣ୍ଣ, ସତେ କି ଜାଳିଦେବ ସମଗ୍ର ପୃଥ୍ୱୀକୁ, ପିନ୍ଧିଥାଏ ଲାଲ ରଙ୍ଗର କସ୍ତା ଶାଢ଼ୀଯିଏ ।
– ତୁମ ଦୁହିଁଙ୍କୁ ଚକ୍ରପୂଜାରେ ଉପସ୍ଥିତ ପାଇଁ ସାଦର ନିମନ୍ତ୍ରଣ । କହିଲା ଭୈରବୀ ।
ଏତିକିବେଳେ ରୁଦ୍ରଭୈରବ ଉଠିଆସିଲେ ବାହାରକୁ । କାତ୍ୟାୟନୀଙ୍କ ମନ୍ତ୍ରପାଠ କରୁଥିଲି । କହିଲେ ସେ । ପୁଣି କହିଲେ ପରିଚୟ ହେଲାଣି ନା ନାହିଁ? ଏ ମୋର ସାଧିକା ଭୈରବୀ ପାର୍ବତୀ ମା’ ।
ଆଶ୍ଚର୍ଯ୍ୟ ହେଇ ଅନେଇଥାଏ ସୁଜାତା । ଅବିନାଶ ଦେଖୁଥାଏ ଦୂର ଦିଗ୍ବଳୟରେ ବୁଡ଼ିଯାଉଥିବା ସୂର୍ଯ୍ୟକୁ ।
– କାରଣାନନ୍ଦ (ମଦ୍ୟ) ଯୋଗାଡ଼ ହେଇଛି ଭୈରବୀ? ମଦ୍ୟମାଂସ ପାକ ହେଇଗଲା ତ? ପଚାରିଲେ ରୁଦ୍ରଭୈରବ ।
– କପାଳଭୈରବ କାରଣାନନ୍ଦ (ମଦ୍ୟ) ନେଇ ଆସିବ ତା’ ଭୈରବୀ ମାହେଶ୍ୱରୀ ସହିତ । ମଦ୍ୟମାଂସର ପାକ ପ୍ରସ୍ତୁତ ।
– ମା’ ମହାକାଳୀର ଇଚ୍ଛା । “ଭୈରବୀ ପାର୍ବତୀ ତମେ ଆଜି ରାତ୍ରରେ ଅବିନାଶ ଆଉ ସୁଜାତାକୁ ତନ୍ତ୍ରର ଅଭିଚାର ସମ୍ପର୍କରେ ଶିକ୍ଷା ଦିଅ । ଏ ଡରକୁଳୀ ଝିଅଟିର ମନରୁ ସବୁ ଭୟ ଛଡ଼ାଅ । ସୁଜାତାକୁ ଚାହିଁ କହିଲେ ରୁଦ୍ରଭୈରବ ଓ ପଶିଗଲେ କୁଡ଼ିଆ ଭିତରକୁ । ତା’ ପଛେପଛେ ବି ଭୈରବୀ ପାର୍ବତୀ ଚାଲିଗଲା ।
– ମତେ ବଡ଼ ଭୟଲାଗୁଛି ଅବିନାଶ? ଫେରିଯିବା କି?
– କିଛି ଡରନାହିଁ ସୁଜାତା । ଚକ୍ରପୂଜା ନଦେଖି କ’ଣ ଫେରିଯିବା ଠିକ୍ ହେବ? ତନ୍ତ୍ରର ପ୍ରତ୍ୟକ୍ଷ ଅନୁଭୂତି ପାଇଁ ଏ ପୂଜା ଦେଖିବା ଉଚିତ୍ । ମୋ’ ରିସର୍ଚ୍ଚ ପାଇଁ ଏ ଉପଯୋଗୀ ହେବ ଯେ!
ନିରବ ରହିଲା ସୁଜାତା । ଏତିକିବେଳେ କପାଳଭୈରବ ଓ ତା’ ଭୈରବୀ ମାହେଶ୍ୱରୀ ପହଞ୍ଚିଗଲେ । ହାତରେ ତାଙ୍କର ଚାରିଟା ବୋତଲରେ ତରଳ ପଦାର୍ଥ । ଅବିନାଶ ଅନୁମାନ କଲା ତାହା କାରଣାନନ୍ଦ (ମଦ୍ୟ) ହୋଇପାରେ ।
ଠିକ୍ ଅର୍ଦ୍ଧରାତ୍ର ବେଳକୁ, ଅମାବାସ୍ୟାର ନିରନ୍ଧ୍ର ଅନ୍ଧକାର ଭିତରେ ବରଗଛର କେଉଁ ଗୁପ୍ତକୋରଡ଼ରୁ ଗୋଟାଏ ପେଚା ବୋବେଇ ଉଠିଲା ହୁଟ୍… ହୁଟ୍… ହୁଟ୍… କେଉଁ ବୁଦାମୂଳରୁ ବିଲୁଆଟାଏ ବୋବେଇ ଉଠିଲା ହୁକେ ହୋ…ଓ…ଓ..
ଭୈରବୀ ପାର୍ବତୀ ଡାକ ଛାଡ଼ିଲେ ଉଠ ଅବିନାଶ, ଉଠ ସୁଜାତା । ଚକ୍ର ପୂଜା ବସିବ ପରା!
ଧଡ଼ପଡ଼ ହେଇ ଉଠିଲା ଅବିନାଶ । ତରତର ହେଇ ଉଠିଲା ସୁଜାତା ।
ମା’ ବାରାହୀ ମନ୍ଦିରର ଅଳ୍ପଦୂରରେ, ମହାଶ୍ମଶାନର ଗୋଟିଏ କଡ଼କୁ ଦୁଇଟି ପ୍ରାଚୀନ ସମାଧିମନ୍ଦିର । ତା’ପାଖକୁ ଘାସ ସଫା ହୋଇ ଲିପା ଯାଇଛି ଗୋବରରେ । ସେଠି ଥୁଆ ହୋଇଥାଏ ମାଟିର ଦୁଇଟି ନୂଆ କଳସୀ । ତା’ ଉପରେ ନାଲି ବସ୍ତ୍ର, ନାଲି ମନ୍ଦାରଫୁଲ । ଗୋଟାଏ ଡାଲାରେ ଅରୁଆ ଚାଉଳ ଓ ମନ୍ଦାର ମାଳ । ତା’ ପାଖରେ ଗୋଡ଼ ବନ୍ଧା ହୋଇ ପଡ଼ିଥାଏ ଗୋଟାଏ ଜୀଅଁନ୍ତା କଳାରଙ୍ଗର କୁକୁଡ଼ା । ମାଟିର ଦୀପଟିଏ ଜଳୁଥାଏ ପବନରେ ହଲିହଲି । ପଥରରେ ତିଆରି ମହାକାଳୀଙ୍କ ପ୍ରାଚୀନ ମୂର୍ତ୍ତି । ମୂର୍ତ୍ତିରେ ବୋଳା ଯାଇଥାଏ ସିନ୍ଦୂର ।
– ଏଥର କାରଣାନନ୍ଦ (ମଦ୍ୟ) ପାନ କରାଯାଉ କପାଳଭୈରବ । ରୁଦ୍ରଭୈରବ ଆଦେଶ ଦେଲା ମାତ୍ରେ ମାଟି କଳସୀରୁ ଢଳା ହେଲା ଛଅଟି ନରଖପୁରିରେ ମଦ୍ୟ । ରୁଦ୍ରଭୈରବ, ଭୈରବୀ ପାର୍ବତୀ, କପାଳଭୈରବ ଓ ମାହେଶ୍ୱରୀ ଚରମତୃପ୍ତିରେ ପିଇ ଦେଲେ ‘ଜୟ ମହାକାଳୀ’ କହି ।
– ତମେ କ’ଣ କାରଣାନନ୍ଦ ପାନ କରିବ ନାହିଁ ଅବିନାଶ? ସୁଜାତା ବି କ’ଣ ପିଇବ ନାହିଁ? ଏହାକୁ ନପିଇଲେ କେମିତି ଜାଣିବ ମହାସୁଖ ପ୍ରାପ୍ତିର ରହସ୍ୟ?
ଅବିନାଶର ହାତ ଚାଲିଗଲା ନରଖପୁରି ଆଡକୁ ଓ ସେ ଆଖିବୁଜି ସେତକ ଉଦରସ୍ଥ କଲା । ସୁଜାତା ବି ନରଖପୁରିଟା ଟେକିନେଲା ତା’ ମୁହଁପାଖକୁ ।
ଅବିନାଶ ଅନୁଭବ କଲା ହଠାତ୍, ସେ ଯେମିତି ଅବିନାଶ ନାମଧାରୀ ଯୁବକଟିଏ ନୁହେଁ । ତା’ର ଚାରିପଟେ ମହାଶ୍ମଶାନର ଗଛବୃଚ୍ଛ ଓଲଟପାଲଟ ହେଇଯାଉଛି । ପୃଥିବୀଟା ଘୂରୁଛି ଦ୍ରୁତଗତିରେ । ମଥା ଉପର ଆକାଶ ଓହଳି ଆସିଛି ତଳକୁ, ତାହା ମାଟି ଛୁଇଁଛି । ସହସ୍ର ସହସ୍ର ତାରାମାନେ ତା’ ଚାରିପଟେ ଘୂରୁଛନ୍ତି ଦ୍ରୁତଗତିରେ । ସେ ଯେ ଶରୀରଧାରୀ ମନୁଷ୍ୟ ଏପରି ଭାବନା ତା’ର ଲୋପ ହେଇଯାଉଛି । ତା’ର ଆତ୍ମା ଶୂନ୍ୟ ହେଇ ପଶିଯାଉଛି ଅନନ୍ତଆକାଶ ଭିତରକୁ । ଜାଣିପାରୁନି ସେ କେଉଁଠି ଅଛି? କ’ଣ କରୁଛି? ଅବଶ୍ୟ ଏକ ଅନିର୍ବଚନୀୟ ଆନନ୍ଦ ସେ ଅନୁଭବ କରୁଛି । ଅସ୍ମିତା ଲୋପ ପାଇଯିବା ଅବସ୍ଥା ।
ସୁଜାତା ଖୋଲିଦେଇଛି ତା’ର କେଶ । ସେ ମୁଣ୍ଡ ହଲାଇ ସାରା ଶରୀର ଦୋହଲାଉଛି ଏବଂ ନାଗସାପର ଗର୍ଜନ ପରି ତା’ ପାଟିରୁ ବାହାରୁଛି ହିସ୍ ହିସ୍ ଶବ୍ଦ ।
ଗୋଟାଏ ଗମ୍ଭୀର ସ୍ୱର ଶୁଣାଗଲା ରୁଦ୍ରଭୈରବ କଣ୍ଠରୁ, ଜୟ ଆଦ୍ୟାଶକ୍ତି ମହାକାଳୀ ମା’, ହେ ଅଭୟଦାୟିନୀ, ଆମର ଚକ୍ରପୂଜା ନିର୍ବିଘ୍ନରେ ସମାପ୍ତ କର ମା’ । ସେ ବୋଲିଚାଲୁଛି କାଳୀଙ୍କ ବୀଜମନ୍ତ୍ର, କ୍ରୀଂ, କ୍ରୀଂ କ୍ରୀଂ ହ୍ରୀଂ ହ୍ରୀଂ ହୁଁ ହୁଁ ଦକ୍ଷିଣକାଳିକେ କ୍ରୀଂ କ୍ରୀଂ କ୍ରୀଂ ହ୍ରୀଂ ହ୍ରୀଂ ହୁଁ ହୁଁ ସ୍ୱାହା । ଧୁନି ଜଳୁଛି । କପାଳ ଭୈରବ ଦେଉଛି ଘୃତାହୁତି ।
– ମାଂସ ଓ ମତ୍ସ୍ୟ ମା’ କାଳୀଙ୍କୁ ସମର୍ପଣ କରି ଭୋଜନ କର ଆଦେଶ ଦେଲେ ରୁଦ୍ରଭୈରବ ।
ମାଂସ ଓ ମତ୍ସ୍ୟର ଭୋଜନ ସମାପ୍ତ ହେଲା ପରେ ରୁଦ୍ରଭୈରବ ଚିକ୍ରାର କରି ଉଠିଲେ ମା’ ବଳି ଚାହୁଁଛିରେ । ତା’ର ରକ୍ତ ଦରକାର । ତାଜା ରକ୍ତ ।
ଛୁରୀଟାକୁ ଉଠାଇନେଇ, କଳାରଙ୍ଗର କୁକୁଡ଼ାର ମୁଣ୍ଡକୁ କାଟି ଦେଇ ଥାଳିରେ ରକ୍ତ ଢାଳିଲା କପାଳ ଭୈରବ ଓ ମହାକାଳୀଙ୍କ ମୁହଁରେ ଲଗାଇଦେଇ କହିଲା ନେ ମା’ ଏ କୃଷ୍ଣ ବର୍ଣ୍ଣ କୁକ୍କୁଟର ରକ୍ତ ପାନ କର ମା’ ।
ରକ୍ତ ତକ ସମର୍ପଣ ପରେ ମିଶାହେଲା ଅରୁଆ ଚାଉଳରେ । ନିଅ ଏ ମା’ର ଦିବ୍ୟ ପ୍ରସାଦ । ସମସ୍ତେ ଭକ୍ଷଣ କର । କହିଲେ ରୁଦ୍ରଭୈରବ । ରକ୍ତମିଶ୍ରିତ ଅରୁଆ ଚାଉଳ ଭକ୍ଷଣ କଲା ପରେ ପୁଣି ଚାଳିଲା ଆକଣ୍ଠ କାରଣାନନ୍ଦ ସେବନ, ମାଂସ ଓ ମତ୍ସ୍ୟର ଭୋଜନ ।
ଅବିନାଶ ଜଳଜଳ ହେଇ ଅନେଇଥାଏ । ବୁଝିପାରୁନଥାଏ ତା’ ଆଖି ଆଗରେ କ’ଣ ସବୁ ଘଟୁଛି? ତା’ର ଚେତନା ଶକ୍ତି ଲୋପ ପାଇଯିବ କି? ସୁଜାତାର ମୁକ୍ତକେଶ କେତେବେଳେ ଆଗକୁ ତ କେବେ ପଛକୁ ବିଛାଡ଼ି ହେଇପଡୁଥାଏ । ସେ ତା’ର ସାରା ଶରୀରକୁ ଝୁଲାଉଥାଏ ।
ରୁଦ୍ରଭୈରବ ନିର୍ଲିପ୍ତ ଭାବେ ବୋଲି ଚାଲିଥାନ୍ତି ବୀଜମନ୍ତ୍ର କ୍ରୀଂ କ୍ରୀଂ କ୍ରୀଂ…
– ‘ଘଟକଞ୍ଚୁକୀ’ ଆରମ୍ଭ କର ପାର୍ବତୀ ଭୈରବୀ । ଶୁଭିଲା ହଠାତ୍ ରୁଦ୍ରଭୈରବଙ୍କର ବଜ୍ର ଗମ୍ଭୀର ସ୍ୱର ।
– ସମସ୍ତେ ଖୋଲିଦିଅ ଦେହରୁ ବସ୍ତ୍ର । ଉଲଗ୍ନ ହୋଇଯାଅ ସମସ୍ତେ । କପାଳ ଭୈରବ ନିଦେ୍ର୍ଦଶ ଦେଲା ।
ରୁଦ୍ରଭୈରବ ତାଙ୍କର କୌପୁନୀଟି ଖୋଲି ଦେଇ ମହାକାଳୀଙ୍କ ପାଦତଳେ ଥୋଇଦେଲେ । କପାଳ ଭୈରବ ଖୋଲିଦେଲା ତା’ର ଲାଲ ରଙ୍ଗର ବସ୍ତ୍ର ଓ ରଖିଦେଲା କାଳୀଙ୍କ ପାଦତଳେ । ଯନ୍ତ୍ରଚାଳିତ ପରି ଧୋତିଟି ଖୋଲି ଦେଇ ଉଲଗ୍ନ ହେଇଗଲା ଅବିନାଶ ।
ପାର୍ବତୀ ଭୈରବୀ ଖୋଲିଦେଲା ଲାଲ ରଙ୍ଗର ଶାଢ଼ୀ । ଉଲଗ୍ନ ହେଲା ମାହେଶ୍ୱରୀ ବସ୍ତ୍ର ଖୋଲି । ହସି ହସି ଖୋଲିଦେଲା ବସ୍ତ୍ର ଦେହରୁ ସୁଜାତା ଓ ଉଲଗ୍ନ ହୋଇଗଲା ।
– ଭୈରବୀ ପୂଜା ଆରମ୍ଭ ହେଉ- କହିଲେ ରୁଦ୍ରଭୈରବ । ଭୈରବୀ ପାର୍ବତୀ ଠିଆ ହୋଇପଡ଼ିଲା ରୁଦ୍ରଭୈରବଙ୍କ ସମ୍ମୁଖରେ । ରୁଦ୍ର ଭୈରବ ତା’ର ଉଲଗ୍ନ ଶରୀରରେ ପାଦଠାରୁ ବୋଳି ଚାଲିଲେ ଚନ୍ଦନ, କପାଳ ପର୍ଯ୍ୟନ୍ତ । କପାଳରେ ଦେଲେ ସିନ୍ଦୂର । କପାଳ ଭୈରବ ମାହେଶ୍ୱରୀର ଉଲଗ୍ନ ଦେହରେ ଚନ୍ଦନ ବୋଲିଲା ଓ କପାଳରେ ସିନ୍ଦୂର ଦେଲା । ଯନ୍ତ୍ର ଚାଳିତ ମଣିଷ ପରି ସୁଜାତାର ଉଲଗ୍ନ ଦେହରେ ଅବିନାଶ ବି ଚନ୍ଦନ ବୋଳିଲା ଓ କପାଳରେ ସିନ୍ଦୂର ଠୋପା ଦେଲା ।
ବଡ଼ପାଟିରେ କହିଲେ ରୁଦ୍ରଭୈରବ, ଦେଖ ଭୈରବ ଅବିନାଶ ମୁଁ ମୋ ଦିବ୍ୟଦୃଷ୍ଟିରେ ଜାଣିପାରୁଛି ତମେ ଷଡ଼ଚକ୍ର ଭେଦ କରି କୁଣ୍ଡଳିନୀ ଶକ୍ତିକୁ ସହସ୍ରାର ପଦ୍ମ ପାଖକୁ ନେଇପାରିବ । ଏ ଚକ୍ର ଓ ଭୈରବୀ ପୂଜାରେ, ତମେ ଯେ ଭବିଷ୍ୟତରେ ଜଣେ ଉତ୍ତମ ବାମାଚାରୀ ସାଧକ ହେବ ସେ ବିଶ୍ୱାସ ମୋର ହେଲା ।
ଦେବୀଙ୍କ ସମ୍ମୁଖରେ ଥୁଆ ହୋଇଥାଏ ଗୋଟାଏ ନୂଆ ମାଠିଆ । ଭୈରବୀ ପାର୍ବତୀ ଉଠିଗଲା ଓ ନିଜର, ମାହେଶ୍ୱରୀର ଓ ସୁଜାତାର ବସ୍ତ୍ର ଗଳେଇଦେଲା ମାଠିଆ ଭିତରେ ।
– ଏଥର ଭୈରବମାନେ ମାଠିଆ ଭିତରୁ କାଢ଼ିବେ ଭୈରବୀଙ୍କ ବସ୍ତ୍ର । ଯେଉଁ ଭୈରବ ହାତରେ ଯେଉଁ ଭୈରବୀର ବସ୍ତ୍ର କଢ଼ାହେବ ସେ ହେବ ଆଜିପାଇଁ ସେ ଭୈରବର ଉତ୍ତର ସାଧିକା । କହିଲା ପାର୍ବତୀ ଭୈରବୀ । ପ୍ରଥମେ କାଢ଼ିଲେ ରୁଦ୍ରଭୈରବ । ଉଠି ଆସିଲା ସୁଜାତାର ବସ୍ତ୍ର । ଦ୍ୱିତୀୟରେ କାଢ଼ିଲା
କପାଳଭୈରବ । ଉଠିଆସିଲା ପାର୍ବତୀର ବସ୍ତ୍ର । ତୃତୀୟରେ କାଢ଼ିଲା ଅବିନାଶ । ଉଠିଆସିଲା ମାହେଶ୍ୱରୀର ବସ୍ତ୍ର । ରୁଦ୍ରଭୈରବ କହିଲେ- ଏ ଚକ୍ରପୂଜାରେ ଭୈରବ ଭୈରବୀ ମିଳିତ ହୋଇ ସହଜାନନ୍ଦ ଓ ଦିବ୍ୟସୁଖ ଲାଭ କରିବେ । ମନେରଖ ଏ ତନ୍ତ୍ରର ଚକ୍ରପୂଜାରେ ପୁରୁଷ ଶିବ ଓ ନାରୀ ଶିବା । ଏ ପୁରୁଷ ଓ ପ୍ରକୃତିର ମିଳନ । ଶକ୍ତି ବିନା ଶିବ ଶବ । ଏଥିରେ ଲଜ୍ଜା, ଘୃଣା ଓ ବ୍ୟଭିଚାରିତାର ସ୍ଥାନ ନାହିଁ । ଆତ୍ମାର ନୈସର୍ଗିକ ଆନନ୍ଦ ହିଁ ଆମର କାମ୍ୟ । ଆସ ଭୈରବୀ ସୁଜାତା, ମୋ କୋଳକୁ ଉଠିଆସ । ସୁଜାତା ଆଗେଇଯାଇ ବସିପଡ଼ିଲା ରୁଦ୍ରଭୈରବଙ୍କ କୋଳରେ । କପାଳ ଭୈରବ କୋଳରେ ବସିପଡ଼ିଲା ପାର୍ବତୀ ଭୈରବୀ । ଅବିନାଶ କୋଳରେ ମାହେଶ୍ୱରୀ ବସିବାକୁ ଗଲାବେଳେ ହଠାତ୍ ସମ୍ବିତ୍ ଫେରିପାଇଲା ଅବିନାଶ । ହଠାତ୍ ଗର୍ଜନ କରି କହିଲା, ସେଇଠି ଠିଆ ହୁଅ ମାହେଶ୍ୱରୀ । ସେଇଠି ।
ଏ କ’ଣ ମୋର ବାକ୍ଦତ୍ତା ସୁଜାତା ଉଲଗ୍ନ ହୋଇ ବସିଛି ରୁଦ୍ରଭୈରବ କୋଳରେ? ସେ ଚିକ୍ରାର କଲା, ସୁଜାତା ଏ କ’ଣ, ତମେ ଉଲଗ୍ନ ହୋଇ ବସିଛ? ପୁଣି ରୁଦ୍ର ଭୈରବ କୋଳରେ !
ସୁଜାତା ହସି ହସି କହିଲା, କିଏ ତୁମର ସୁଜାତା, ମୁଁ ଯେ ଶକ୍ତିମୟୀ, କାତ୍ୟାୟନୀ । ମୁଁ ମୋର ପ୍ରିୟ ମହାକାଳଙ୍କ ସଙ୍ଗେ ମିଶି ସହଜାନନ୍ଦ ଲାଭ କରୁଛି ।
– “ଏ ବ୍ୟଭିଚାର, ବ୍ୟଭିଚାର । ‘ଘଟକଞ୍ଚୁକୀ’ ପୂଜା ନାମରେ ଏ ଚରମ ବ୍ୟଭିଚାର ।” ରୁଦ୍ରଭୈରବ ସହଜାନନ୍ଦ ଭୋଗ କରୁଥିଲେ । ସୁଜାତା ତାଙ୍କ ଛାତିରେ ଲାଗି ରହିଥିଲା । କପାଳ ଭୈରବ ସେ ଦୃଶ୍ୟ ଦେଖି ରାବଣକୃତ ଶିବତାଣ୍ଡବ ବୋଲୁଥିଲା ।
ଅବିନାଶ ରୁଦ୍ରଭୈରବଙ୍କ ପାଖରେ ଥିବା ତ୍ରିଶୂଳଟି ଉଠେଇନେଲା ଓ ଫୁଟେଇଦେଲା ତାଙ୍କର ବେକରେ । ତା’ପରେ ଲୁହା ଚିମୁଟା ଉଠେଇ ପିଟିଦେଲା ତାଙ୍କର ମୁଣ୍ଡକୁ । ‘ଢୋ’ କରି ଶବ୍ଦ ହେଲା । ରକ୍ତରେ ପିଚକି ଉଠିଲା ଚାରିଆଡ଼ । ତା’ଦେହ ସାରା ରକ୍ତ । ସୁଜାତା ରକ୍ତରେ ସ୍ନାନ କରୁଛି । କପାଳଭୈରବ ଓ ପାର୍ବତୀ ଭୈରବୀର ଦେହସାରା ରକ୍ତ । ମହାକାଳୀଙ୍କ ପାଷାଣ ଦେହରେ ମୁଣ୍ଡାମୁଣ୍ଡା ରକ୍ତ ଛିର୍କି ପଡ଼ି ବୋହି ଆସୁଛି ତଳକୁ ତଳକୁ ।