ଏକା ଏକା ରହିଲେ ଜଣେ ନିଜ ବିଷୟରେ ସଚେତନ ହୋଇଉଠେ, ବ୍ୟକ୍ତିଗତ ସମ୍ପତ୍ତି ଓ ସମ୍ପର୍କୀୟମାନଙ୍କ ପ୍ରତି ଗଭୀର ଯତ୍ନଶୀଳ ହୁଏ । ସୁଧୀର ତାହାହିଁ ହୋଇଥିଲା ।
ଯୁବାବସ୍ଥାରେ ତା’ ସ୍ତ୍ରୀ ମରିଯାଇଥିଲା ଓ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ତା’ର ପୁରୁଣା ଓ ବିରାଟକାୟ ଅଟ୍ଟାଳିକାରେ ସେ ଏକୁଟିଆ ହୋଇଯାଇଥିଲା । ଯଦି ରୀନା ନ ଥା’ନ୍ତା, ତା’ ହେଲେ ତା’ ଜୀବନ ହୁଏତ ଅନ୍ୟ ରକମର ହୋଇଥାନ୍ତା ।
ରୀନାକୁ କିନ୍ତୁ ସେ ଆରମ୍ଭରୁ ଭଲ ପାଉନଥିଲା, ଏକରକମ୍ ଘୃଣା ମଧ୍ୟ କରୁଥିଲା । ରୀନା ପ୍ରତି ତା’ର ବିତୃଷ୍ଣାର କାରଣ ଥିଲା ରୀନାକୁ ଜନ୍ମ ଦେଇ ତା’ ସ୍ତ୍ରୀ ବୀଣା ମରିଯାଇଥିଲା । ଧୀରେ ଧୀରେ ତା’ର ରାଗ ଓ ବିରୋଧାଭାସ ପ୍ରେମକୁ ପରିବର୍ତ୍ତିତ ହୋଇଯାଉଥିଲା । ତା’ର ଆଶଙ୍କା ହୋଇଥିଲା ହୁଏତ ଭାଗ୍ୟ ତା’ଠାରୁ ତା’ ବୀଣାକୁ ଛଡ଼ାଇ ନେବା ଭଳି ରୀନାକୁ ଛଡାଇ ନେବ । ରୀନା ପାଇଁ ସେ ପାଣିପରି ଟଙ୍କା ଖର୍ଚ୍ଚ କରୁଥିଲା । ଆଉ ଖର୍ଚ୍ଚ କରିବାକୁ ତା’ର ପ୍ରଚୁର ଟଙ୍କା ଥିଲା ।
ରୀନାକୁ ଏଗାର ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କୁ ଦୃଷ୍ଟିର ଅନ୍ତରାଳକୁ ଛାଡିବାକୁ ସେ ଭୟ ପାଉଥିଲା । ସେ ତା’ ପାଇଁ ଦୁଇଟା ଆୟା ଓ ଦୁଇ ଦୁଇଟା ଟୁ୍ୟସନ ମାଷ୍ଟର ରଖିଥିଲା । ତା’ପରେ ବନ୍ଧୁମାନଙ୍କ ପରାମର୍ଶରେ ସେ ରୀନାକୁ ବୋର୍ଡିଂ ସ୍କୁଲକୁ ପଠାଇଦେଲେ ବି ଥୟ ଧରି ରହିପାରୁନଥିଲା । ରୀନା ଜେ.ଏନ୍.ୟୁ. ରେ ପଢ଼ିବାକୁ ଦିଲ୍ଲୀ ଚାଲିଗଲା ପରେ ବି ସେ ଅନେକ ସମୟରେ ରୀନାକୁ ଦେଖିବାକୁ ଦିଲ୍ଲୀ ଯାଉଥିଲା ।
ଯୁବାବସ୍ଥାରେ ସ୍ତ୍ରୀ ମରିଯାଇଥିଲେ ବି ସୁଧୀର ଆଉଥରେ ବାହା ହେବା କଥା କେବେବି ଚିନ୍ତା କରିନଥିଲା । ଶରୀରର କ୍ଷୁଧା ତ ଥିଲା- ସେ ତ ଆଉ ବ୍ରହ୍ମଚାରୀ ନଥିଲା- ସେଇ କ୍ଷୁଧା ମେଣ୍ଟାଇବାକୁ ନାରୀମାନଙ୍କର ଅଭାବ ନଥିଲା । କେବଳ ବାସନା, ଯେଉଁ ବାସନା ଅନେକ ସମୟରେ ପ୍ରେମଠାରୁ ସତ୍ୟ । ସେଇ ବିଷୟରେ କୌଣସି ମିଥ୍ୟାଚାର ନଥିଲା । ରୀନାକୁ କେତେଦିନ ସେ ତା’ ପାଖରେ ରଖିପାରିବ ଓ ରୀନା ପରଘରକୁ ଚାଲିଗଲେ ତା’ର ଅବସ୍ତା କ’ଣ ହେବ ଭାବି ସେ ଅନେକ ସମୟରେ ବିଚଳିତ ହୋଇପଡ଼ିଥିଲା । ସେ ଭାବିଥିଲା କେଉଁଦିନ ହୁଏତ ଯୁବକଟିଏ ଆସି ରୀନାର ସୌନ୍ଦର୍ଯ୍ୟ ଓ ତା’ର ଧନ ସମ୍ପତ୍ତିରେ ଆକର୍ଷିତ ହୋଇ ରୀନାକୁ ତା’ଠାରୁ ଛଡ଼ାଇନେବ ବା ରୀନା ଚାକିରି କରି ତାକୁ ଛାଡି ଚାଲିଯିବ । ଆଉ ରୀନାର ଚାକିରି କରିବାର ଆବଶ୍ୟକତା ନାହିଁ କହିଲେ ସେ ଶୁଣିବ କି? ରୀନାର ଯେଉଁ ପ୍ରତିଭା ଅଛି, ତାକୁ କିଛି କରିବାକୁ ବାରଣ କରିବା ଅର୍ଥ ତା’ ପ୍ରତିଭା ପ୍ରତି ଅସମ୍ମାନ କରିବା ।
ଶୀତ ପଡ଼ି ଯାଇଥିଲା । ଦରଜା ଓ ଝରକା କବାଟ ଖୋଲା ରଖି ରୀନା ଡ୍ରଇଂରୁମ୍ରେ ଏକା ଏକା କ’ଣ କରୁଛି ଭାବି ସୁଧୀର ଡ୍ରଇଂରୁମ୍କୁ ପଶି ଆସି ଚମକ୍ରୃତ ହେଲା । ଡ୍ରଇଂରୁମ୍ର ଦରଜାକୁ ସାମ୍ନା କରି ଟଙ୍ଗା ହୋଇଥିବା ତା’ ମାଆର ତୈଳଚିତ୍ର ସାମ୍ନାରେ ଠିଆ ହୋଇ ରୀନା ତୈଳଚିତ୍ରଟିକୁ ନିବିଷ୍ଟ ମନରେ ଚାହିଁଥିଲା । ଚିତ୍ରଟିକୁ ସୁଧୀରର ଜଣେ ବନ୍ଧୁ ଆଙ୍କିଥିଲା । ସେ ବନ୍ଧୁଜଣକ ଖୁବ୍ ପ୍ରତିଭାଶାଳୀ ଶିଳ୍ପୀ ଥିଲା, କିନ୍ତୁ ସବୁ ପ୍ରତିଭାଶାଳୀ ଶିଳ୍ପୀଙ୍କ ଭଳି ସେ ବଡ଼ ଖିଆଲୀ ଥିଲା ଓ ସେନାବାହିନୀରେ ଯୋଗ ଦେଇ ବାଂଲାଦେଶ ଯୁଦ୍ଧକୁ ଚାଲିଯାଇଥିଲା ।
ଦୁଇମାସ ପରେ, ୧୯୭୧ ମସିହା ଏପ୍ରିଲ ମାସରେ ତାଙ୍କର ବନ୍ଧୁ ବାଂଲାଦେଶ ଯୁଦ୍ଧରେ ମରିଯିବା ଖବର ପାଇଲେ । ଏଇ ଖବର ସେମାନଙ୍କୁ ସ୍ତମ୍ଭୀଭୂତ କରିଦେଲା, ବିଶେଷତଃ ବୀଣାକୁ । ସୁଧୀରର ତ ମନେ ହୋଇଥିଲା ବୀଣା ମୂର୍ଚ୍ଛା ଯାଇଛି । ସେ ଦିନ ବିଚଳିତ ହୋଇପଡ଼ିଥିଲା, କାରଣ ଡାକ୍ତର କହିଥିଲେ ବୀଣା ମା’ ହବାକୁ ଯାଉଛି । ସୁଧୀର ଧାର୍ମିକ ନୁହେଁ । ମୃତୁ୍ୟ ପରେ ଜୀବନ ଅଛି ବୋଲି ସେ ବିଶ୍ୱାସ ମଧ୍ୟ କରେ ନାହିଁ । ତଥାପି ସେମାନଙ୍କର ବିବାହ ବାର୍ଷିକୀ ଦିନ ସେ ତା’ର ସ୍ତ୍ରୀର ଚିତ୍ର ସମ୍ମୁଖରେ ଠିଆ ହୁଏ । ସେତେବେଳେ ସେ ଗୁଣୁଗୁଣୁ ହୋଇ ଯାହା ସବୁ କହେ, ଜଣେ କେହି ଶୁଣିଲେ ତାକୁ ପାଗଳ ଭାବିବ । ତା’ପରେ ସେ ମହମବତିଟିଏ ଜଳେଇ ଚିତ୍ର ସମ୍ମୁଖରେ ଥିବା ଷ୍ଟାଣ୍ଡରେ ପୋତିଦିଏ ।
ସୁଧୀରର ବିଚଳିତ ଭାବ ଦୂର ହୋଇଗଲା । ରୀନା ବିଷୟରେ ତା’ର ଆଶଙ୍କା ଅମୂଳକ ବୋଲି ସେ ଜାଣିପାରିଲା । ତାକୁ ଅଧିକ ଆଶ୍ୱସ୍ତ କରି ରୀନା ଘରର ସବୁ ଦାୟିତ୍ୱ ସମ୍ଭାଳିଲା । ପୁରୁଣା ଘରକୁ ମରାମତି କରିବା ଓ ଆଧୁନିକୀୟତାରେ ରୀନାର ଉଦ୍ୟମକୁ ସୁଧୀର ଉତ୍ସାହିତ କଲା । ରୀନାର ଅଳ୍ପ କେତେଜଣ ବନ୍ଧୁ ଥିଲେ ଓ ସେମାନେ ରୀନା ଭଳି ମାର୍ଜିତ ଥିଲେ ଓ ସେମାନଙ୍କର ମଧ୍ୟ କଳା, ସାହିତ୍ୟ ଓ ବୌଦ୍ଧିକ ଆଲୋଚନା ପ୍ରତି ରୁଚି ଥିଲା । ରୀନା ମଧ୍ୟ ସ୍ଥାନୀୟ ମହିଳା କଲେଜରେ ଅଧ୍ୟାପିକା ଚାକିରିଟିଏ ପାଇଗଲା । ତା’ର ଯୁବବନ୍ଧୁମାନଙ୍କ ଭିତରୁ କାହାର ତା’ ପ୍ରତି ଆସକ୍ତି ଭାବ ନଥିବା ଦେଖି ସୁଧୀର ନିଜକୁ ସୁଖୀ ନିରାପଦ ମନେ କଲା ।
ଦିନେ କ୍ଲବରେ ସୁଧୀର ଜଣେ ଲୋକଙ୍କୁ ଭେଟିଲା । ଲୋକଟି ଖୁବ୍ ମଜାଦାର ଥିଲା, ବହୁତ ଜାଗା ବୁଲିଥିଲା ଓ ସାହିତି୍ୟକ ଭାବରେ କିଛି ଖ୍ୟାତି ମଧ୍ୟ ଅର୍ଜନ କରିଥିଲା । ସୁଧୀର ତାକୁ ଚା’ ପିଇବାକୁ ଡାକିଲା । ଡ୍ରଇଂରୁମ୍ରେ ବସି ଚା’ ପିଉ ପିଉ ସେ ସୁଧୀରକୁ ତା’ର ଯୁଦ୍ଧ- ସମ୍ବାଦଦାତା ସମୟର କାହାଣୀ ଶୁଣାଉଥିଲା । ହଠାତ୍ ଲୋକଟିର ଦୃଷ୍ଟି ବୀଣାର ତୈଳଚିତ୍ର ଉପରେ ପଡ଼ିଗଲା ଓ ସେ ସୋଫାରୁ ଉଠିପଡ଼ି ଚିତ୍ରଟିକୁ ଦେଖିଲା । ଚିତ୍ରଟି ଉପରେ ଥିବା ଦସ୍ତଖତକୁ ସେ ନିରିଖେଇ ଚାହିଁଲା ।
“ବଡ଼ ଅଦ୍ଭୂତ କଥା ତ!” ଲୋକଟି ଫେରିଆସି ସୋଫା ଉପରେ ବସୁ ବସୁ କହିଲା, “ସେଇ ତୈଳଚିତ୍ର ତଳେ ଥିବା ନାଁର ଜଣେ ଶିଳ୍ପୀଙ୍କୁ ମୁଁ ଜାଣେ । ଏକସ୍ତରି ମସିହା ବାଂଲାଦେଶ ଯୁଦ୍ଧବେଳେ ମୁଁ ତାଙ୍କୁ ଭେଟିଥିଲି । ଚମକ୍ରାର ଲୋକ, କିନ୍ତୁ ଟିକେ ଅସୁଖୀ ମନେ ହେଉଥିଲେ, ସତେ ଯେମିତି ତାଙ୍କ ବିବେକ ତାଙ୍କୁ ପୀଡା ଦେଉଥିଲା । ସେ ଷ୍ଟ୍ରେଚରରେ ବୁହାହୋଇ ଆସିବା ଦିନ ହିଁ ସତ କଥାଟା କହିଲେ ଯେ ସେ ତାଙ୍କ ବନ୍ଧୁପତ୍ନୀର ପ୍ରେମରେ ପଡ଼ି ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ ବିଶ୍ୱାସଘାତକତା ଦେଇଛନ୍ତି ଏବଂ ସେଇଦିନ ସେ ତାଙ୍କ ବନ୍ଧୁପତ୍ନୀଙ୍କଠାରୁ ଚିଠି ପାଇଛନ୍ତି ଯେ ସେ ତାଙ୍କ ପିଲାର ମା’ ହେବାକୁ ଯାଉଛି । ବିଚରା, ପରଦିନ ସକାଳେ ତାଙ୍କୁ ପୋଡିବାକୁ ନେଇଗଲେ ।
ସୁଧୀରର ମନେ ହେଲା ଯେମିତି ତା’ ଛାତିରେ କିଏ ଛୁରୀ ଭୂଷିଦେଇ ସେଇ ଛୁରୀକୁ ଘୂରାଉଛି । ତା’ର ମନେହେଲା ଯେମିତି ଯନ୍ତ୍ରଣାରେ ତା’ର ଛାତି ଫାଟିଯିବ । ଚିକ୍ରାର କରି ଲୋକଟିକୁ ବାରଣ କରିବାକୁ ଇଚ୍ଛା ହେଲା ଆଉ ଠିକ୍ ସେଇ ସମୟରେ ଲୋକଟି ଅନ୍ୟ ବିଷୟରେ କହିଲା ଓ ପରେ ପରେ ଚାଲିଗଲା । ଚିତ୍ରଟିକୁ ତୀବ୍ର ଭାବରେ ଚାହିଁ ସୁଧୀର ବସି ରହିଲା । ତା’ର ସବୁ କଥା ମନେ ପଡ଼ିଗଲା ଓ ଏଥର ଯନ୍ତ୍ରଣା ବନ୍ଦ ହେବାର ନଥିଲା । ତା’ର ବନ୍ଧୁର ମୃତୁ୍ୟ ଖବରରେ ତା’ର ସ୍ତ୍ରୀର ଦୁଃଖ ଓ ଯନ୍ତ୍ରଣା, ମରିବାର ଶେଷ କେଇଦିନ ପୂର୍ବରୁ ନର୍ସିଂହୋମ୍ରେ ବିଛଣାରେ ପଡ଼ିରହି ତାକୁ କିଛି କହିବା ଭଙ୍ଗୀରେ ଚାହିଁବା ଆଳାପ ନଥିଲା । କୌଣସି ପ୍ରତିଶ୍ରୁତି ଦେବାର ବା ଭାଙ୍ଗିବାର ନଥିଲା ।
ଜେ.ଏନ୍.ୟୁ.ରେ ଏମ୍.ଏ. ପାସ୍ କରିବା ପରେ ଏମ୍.ଫିଲ୍ କରିବାକୁ ରୀନା ଦିଲ୍ଲୀରେ ଆଉ ଦୁଇବର୍ଷ ରହିଗଲା ଓ ସେଇ ଦୁଇବର୍ଷ କାଳ ବ୍ୟବସାୟରେ ବ୍ୟସ୍ତତା ଯୋଗୁ ସୁଧୀର ତା’ ପାଖକୁ ଯାଇନଥିôଲା । ରୀନାକୁ ଆଣିବାକୁ ଏୟାରପୋର୍ଟ ଯାଇଥିବା ଦିନଟିକୁ ସୁଧୀର କେବେବି ଭୁଲି ପାରିବ ନାହିଁ । ରୀନା ତା’ ମା’ ଭଳି ଡେଙ୍ଗା ହୋଇଯାଇଥିଲା । ପ୍ରାୟ ଏକ ଉଚ୍ଚତା । ତା’ ଆଡକୁ ସ୍ମିତ ହସି ଆଗେଇ ଆସୁଥିବା ଝିଅଟିକୁ ଦେଖି ସେ ହଡବଡେଇ ଯାଇଥିଲା ପଚିଶ ବର୍ଷ ତଳେ ପ୍ରେମ କରି ବାହା ହୋଇଥିବା ଯୁବତୀର ଅବିକଳ ଜୀବନ୍ତ ପ୍ରତିଛବିକୁ ସେ ଭେଟିବ ବୋଲି ସୁଧୀର କେବେ ଆଶା କରିନଥିଲା । ରୀନାର ତା’ ମା’ ଭଳି ଚଟକା ମୁହଁ, ବାଦାମୀ ରଙ୍ଗ ଦେହ ଓ ସେ ସେଇ ଏକାଭଳି ପ୍ରାଣୋଚ୍ଛ୍ୱଳ ଓ ଉଷ୍ଣ ଥିଲା ।
“ବାପା !” ତା’ର ସେଇ ହତବାକ୍ତା ଦେଖି ରୀନା ବିସ୍ମିତ ହୋଇ ମଜା କରି କହିଥିଲା, “କ’ଣ ହେଲା? ମନେ ହେଉଛି ତମେ ଯେମିତି ଭୂତୁଣୀ ଦେଖୁଚ ।”
“ଏଁ !” ସେ ଚମକି ପଡ଼ିଥିଲା, “ପାଗିଳୀଟା ! କ’ଣ କହିଲୁ ଭୂତୁଣୀ? ହଁ, ଏଇ ଭୂତୁଣୀ କିନ୍ତୁ ତା’ ମା’ ଭଳି ମୋତେ ଅସମୟରେ ଛାଡି ଚାଲିଯିବ ନାହିଁ” କହି ସେ ରୀନାର କେଶକୁ ସ୍ନେହରେ ସାଉଁଳେଇ ଦେଇଥିଲା । ଘରକୁ ଫେରିବା ବାଟରେ ରୀନା ତା’ର ପଢ଼ା ଓ ଦିଲ୍ଲୀରେ ଶେଷ ପନ୍ଦରଦିନ ସୁଧୀରର ବନ୍ଧୁମାନଙ୍କ ଘରେ କଟାଇଥିବା କଥା ଉଚ୍ଛ୍ୱସିତ ଭାବରେ ବର୍ଣ୍ଣନା କରିଥିଲା । ସୁଧୀର ତା’ର ପାପୁଲି ଦୁଇଟିକୁ ନିଜ ପାପୁଲି ଭିତରେ ମୁଠା କରି ମନେଯୋଗ ସହକାରେ ତା’ର କଥାଗୁଡିକ ଶୁଣିଥିଲା । ନ କହି ରହିଯିବା କ’ଣ ସେ ତାକୁ ଆଘାତ ଦେବାକୁ ଚାହୁଁନଥିଲା ନା ତା’ ପ୍ରତି ଥିବା ତା’ର ବିଶ୍ୱାସକୁ ଧ୍ୱଂସ ହେବାକୁ ଚାହୁଁନଥିଲା? ତା’ ହେଲେ ଲୀନା ତା’ର ଝିଅ ନୁହେଁ । ପାପ ଓ ପ୍ରତାରଣାରୁ ତା’ର ଜନ୍ମ । ବୋଧହୁଏ ସେଇଥିପାଇଁ ରୀନା ଜନ୍ମ ହୋଇ ଦୋଳିରେ ଆଙ୍ଗୁଠି ଚୋଷୁଥିବା ବେଳୁ ହିଁ ସେ ତାକୁ ଘୃଣା କରିଥିଲା । ରୋଷେଇ ଘରୁ ଛୁରୀ ଆଣିବାକୁ ଯିବାକୁ ସୁଧୀର ଉଠିପଡ଼ିଲା ।
ଚିତ୍ରଟିକୁ ଟିକ୍ ଟିକ୍ କରି କାଟି ନିଅାଁରେ ପକାଇଦେବାକୁ ତା’ର ଭାରି ଇଚ୍ଛା ହେଲା । ସେ ଡ୍ରଇଂରୁମ୍ରୁ ବାହାରି ଯାଉ ଯାଉ କିଛି ଗୋଟାଏ ଧଡ୍ କରି ପଡ଼ିବା ଶବ୍ଦରେ ବୁଲି ଚାହିଁଲା । ଚିତ୍ରଟି ଚଟାଣ ଉପରେ ତଳମୁହାଁ ହୋଇପଡ଼ିଥିଲା । ଶବ୍ଦ ଶୁଣି ରୀନା ରୁମ୍ ଭିତରକୁ ପଶିଆସିଲା । ପଡିଯାଇଥିବା ଚିତ୍ରଟିକୁ ଓ ତା’ପରେ ତା’ ବାପାର ରୋଷପୂର୍ଣ୍ଣ ମୁହଁକୁ ସେ ଚାହିଲା ।
“ବାପା !” ସେ ଚିକ୍ରାର କଲା, “କ’ଣ କଥା କ’ଣ? ୟେ ତମେ କ’ଣ କଲ?”
ରୀନା ଆତଙ୍କିତ ଦେଖାଯାଉଥିଲା । ଆତଙ୍କିତ ସୁଧୀର ଭାବିଲା, କିନ୍ତୁ ତଥାପି ସୁନ୍ଦର, ଠିକ୍ ତା’ ମା’ ଭଳି । ପର ମୁହୂର୍ତ୍ତରେ ସେ ଭାବିଲା ରୀନା ବିନା ସେ କେମିତି ବଞ୍ଚିବ । ତା’ ଛଡ଼ା ଅନ୍ୟ ଜଣକର ଦୋଷ ପାଇଁ ରୀନା ବା ଦାୟୀ ହେବ କାହିଁକି? ସେ ତା’ର ରକ୍ତମାଂସରୁ ଗଢ଼ା ନୁହେଁ ସତ, କିନ୍ତୁ ସେ ପ୍ରେମ କରିଥିବା ଓ ଆଦର କରିଥିବା ସ୍ତ୍ରୀ ଲୋକର ସେ ତ ଏକମାତ୍ର ଅମାନତ ।
“ମୁଁ କେତେ ବୋକା ! ଟଙ୍ଗାଯାଇଥିବା ସେଇ ତାରଟାକୁ ବଦଳେଇବାକୁ କେତେଥର ଭାବିଚି । କଳଙ୍କି ଲାଗି ତାରଟା ଛିଡିଗଲା । କାଲି ନୂଆ ତାରରେ ଟଙ୍ଗେଇ ଦବା”, କହି ସୁଧୀର ସ୍ନେହରେ ଚିତ୍ରଟିକୁ ଉଠେଇ ନେଇ ଥାକରେ ରଖିଦେଲା ।