(୧) ସନ୍ଧାନର ଶେଷ ପ୍ରୟାସ
ଅନେକ ବରଷର ଅବସୋସ : ପୃଥିବୀ ପ୍ରସିଦ୍ଧ ବାଲିଯାତ୍ରା କଟକର ଗଡ଼ଗଡ଼ିଆ ଘାଟ-ମହାନଦୀର ତଟଦେଶରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ । ଷୋଡଶ ଶତାବ୍ଦୀରୁ ଏଯାବତ୍ ଏହା କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ସାତଦିନ ଚାଲେ । ଗୋଟିଏ ଛୋଟ ମେଳାରୁ ଆରମ୍ଭ ହୋଇ ଏବେ ଏହା ଭାରତ କାହିଁକି ପୃଥିବୀର କୋଣ ଅନୁକୋଣରୁ ଦେଖଣାହାରିକୁ ଡାକିଆଣେ ଏ ମେଳାର ଭରପୂର ମଜାନେବା ପାଇଁ ।
କଟକ ବାଲିଯାତ୍ରାର ଏକ ବିଶେଷ ଆବେଦନ ଠୁଙ୍କାପୁରି ଖାଇବା । ମହାନଦୀର ସୁଲୁସୁଲୁଆ ଛାତି ଉଲୁସା ଶୀତଳ ସମୀରଣ ସାଙ୍ଗକୁ ଦଳ ଦଳ ଯୁବକ ଯୁବତୀଙ୍କ ମସ୍ତ ଭିଡ଼ । ଭିଡ଼ ଭିତରେ କୋମଳ ସ୍ପର୍ଶ ପାଇଁ ବ୍ୟାକୁଳିତ ଯୁବକ ଦଳ । ମଉକା ପାଇ ତା’ର ସଦ୍ବ୍ୟବହାର । ଯୁବତୀ ଦଳ ବି କମ୍ ନୁହଁନ୍ତି ବା ! ହୋ ହୋ ହସି ହସି ଦେହରେ ଘଷି ହୋଇ ଯିବାରେ ଆନନ୍ଦ ସାଉଁଟୁଥାନ୍ତି । ମଉକା ଦେଖି ଉସୁକେଇ ଦେଇ, “ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ” ଭଳି ବିଜୁଳି ବେଗରେ ଅପସରି ଯାଆନ୍ତି ଏଇ ଯୁବତୀ ଦଳ । ଏଇ ଛକାପଞ୍ଝା ଖେଳ ଅନ୍ୟ ଦର୍ଶକମାନଙ୍କୁ ବି ଉପଭୋଗର ଉପଚାର ଯୋଗାଇଥାଏ । ପ୍ରତ୍ୟେକ ଯୁବକ-ଯୁବତୀଙ୍କ ଏ ବାବଦରେ ବାଉଳା-ବଉଳର ମଧୁର ସ୍ମୃତି ମହଜୁଦ୍ ଥିବ ନିଜ ନିଜର ସ୍ମୃତିକୋଷରେ ଅବଶ୍ୟ ।
କି ବୁଢ଼ା-ବୁଢ଼ୀ/ବାଳକ-ବାଳିକା/କିଶୋର-କିଶୋରୀ/ ତରୁଣ-ତରୁଣୀ/ବୟସ୍କ-ବୟସ୍କା ସମସ୍ତଙ୍କ ପାଇଁ ଏ ବାଲିଯାତ୍ରା ସାତଦିନ ଆନନ୍ଦର/ଖୁସିର ମଧୁର ଲଗ୍ନ । ଚରଖିରେ ବସି ଘୂରିବା, ଦୋଳିରେ ବସି ଝୁମିବା, ବନ୍ଧୁକରେ ବେଲୁନ୍ ଫୁଟେଇବା, ଆଇସ୍କ୍ରିମ୍, ଚାଟ, ଗୋଲଗପ୍ପା, ଦୋସା, ଇଡିଲି, ସମ୍ବର ବରା, ଲଡୁ, ବୁନ୍ଦି, ଜଲେବି ରସଗୋଲା, ଛେନା ତାଡ଼ିଆ, ଛେନାପୋଡ଼, ଗୋଲାପଜାମୁ, ଚଣା, ଝାଲମୁଢ଼ି, ସୁନ୍ପାପୁଡି ଏମିତି କେତେ ପାଟି ସୁଆଦିଆ ମଜା ମଜା ଦିଲ୍ଖୁସ୍ ଖାନା । ମେଳାକୁ ଆସୁଥିବା ଗରାଖଙ୍କୁ ଆକର୍ଷିତ କରିବା ପାଇଁ କେତେ ପ୍ରକାର ମନଲୋଭା ଆଖିଝଲସା ବିପଣୀ/ବେପାରର କିସମ କିସମ ତରିକା !
ଏଇ ବାଲିଯାତ୍ରାରେ କ’ଣ ନ ମିଳେ କହିପାରିବେ । ଛୁଞ୍ଚି-ସୂତାଠୁଁ ଆରମ୍ଭ କରି ଘରକରଣା, ପ୍ରସାଧନ, ପୋଷାକପତ୍ର, ଶାଢ଼ି, ସାୟା, ବ୍ଲାଉଜ୍, ବ୍ରା, ଘାଗରା, ଚୋଲୀ, ଦୁପଟା, କୁର୍ତ୍ତା, ପାଇଜାମା, ଶାଲ୍, ଶେରୱାନୀ, ଜୋତା, ଛତା, ଖେଳନା, ଜିନ୍ସ, ସାର୍ଟ, ବଡ଼ି ସ୍ପ୍ରେ, ଫେସ୍କ୍ରିମ୍, ପାଉଡର ଇମିତି ଇମିତି ସବୁକିଛି । ଯାହା ତୁମେ ଇଛିବ ସବୁ ମିଳିବ ହୋ ! ଖାଲି ପର୍ସ ଭାରି ଥିଲେ ହେଲା ।
ହେଲେ ଏସବୁ ଭିତରେ ଅଣନିଃଶ୍ୱାସୀ ହୋଇ ଏଲିନା ଆଉ କିଛି ଖୋଜୁଥିବ ଆତୁରରେ । ଏଲିନା ସୁଦୂର ଲଣ୍ଡନରୁ ଆସୁଥିବ ପ୍ରତିବର୍ଷ ଏଇ ପାଞ୍ଚ ବର୍ଷ ହେବ । ରହୁଥିବ ହୋଟେଲ ହେମିଲଟନ୍ର ରୁମ୍ ନମ୍ବର ସାତରେ ଦଶଦିନ । ସଂଧ୍ୟା ଚାରିଟାରୁ ରାତି ଆଠଟା ଯାଏଁ ଖୋଜି ବୁଲୁଥିବ ‘ମାଆ’ ‘ମାଆ’ ଡାକି/ହାତରେ ଥିବ ମିରର୍ ସାଇଜର ଗୋଟିଏ ରମଣୀର ଫଟୋ । ଖୋଜିଲା ଖୋଜିଲା ଆଖିରେ ତା’ର ପ୍ରାପ୍ତିର ପଜିଟିଭ୍ ସିଗନାଲ୍/ଦୃଢ଼ ଆତ୍ମବିଶ୍ୱାସ ।
ପ୍ରାୟ କୋଡିଏ ବର୍ଷ ହେବ ସେ ତା’ ମା’କୁ ହଜେଇ ଦେଇଥିବ ଏଇ ବାଲିଯାତ୍ରା ପଡ଼ିଆରେ । ସେତେବେଳେ ତା’ ଡାଡି ମିଷ୍ଟର ଜନ୍ ସ୍ମିଥ୍ ରହୁଥିବେ, ଏଇ ହେମିଲଟନ୍ ହୋଟେଲ୍ର ରୁମ୍ ନମ୍ବର ସାତରେ । ତା’ ମା’ ଲକ୍ଷ୍ମୀ ଓରଫ ଲକୀ ସେ ଆଉ ଡାଡି ଘୂରି ବୁଲୁଥିବେ ବାଲିଯାତ୍ରା ପଡ଼ିଆର ଏମୁଣ୍ଡରୁ ସେମୁଣ୍ଡ । ପୁଣି ସେମୁଣ୍ଡରୁ ଏମୁଣ୍ଡ । ଚେନାଚୂର, ବାଦାମ୍, ଝାଲମୁଢ଼ି ଖାଇ ଖାଇ ତିନିହେଁ ବୁଲି ବୁଲି ଯାତ୍ରା ମଜା ନେଉଥିବେ । କାହାର ନଥିବ ଅବସାଦ/କ୍ଲାନ୍ତି/ବିରକ୍ତି । କେବଳ ଥିବ ଆନନ୍ଦ/ଖୁସି/ହସ/ବିଭୋରପଣରେ ମସ୍ଗୁଲ ଥିବେ ତିନିହେଁ । ହେଲେ ଶେଷଦିନ ଫେରିବା ବେଳକୁ ଏଲିନାର ମା’ ଲକ୍ଷ୍ମୀ ଓରଫ ଲକୀ କେଉଁଆଡେ ଅକସ୍ମାତ୍ ଅନ୍ତର୍ଦ୍ଧାନ ହୋଇଯିବ ।
ତା’ ଡାଡି ଆଉ ସିଏ କେତେ ଖୋଜିଥିବେ । ସେତେବେଳକୁ ଏଲିନାକୁ ମାତ୍ର ପାଞ୍ଚବର୍ଷ ବୟସ ହୋଇଥିବ । ସେ ବହୁତ କାନ୍ଦିଥିବ । ତା’ ଡାଡି ଥାନାରେ ରିପୋର୍ଟ କରିଥିବେ । ପୋଲିସ୍ ବି ବହୁତ ଖୋଜିଥିବ । ପୋଷ୍ଟର/ପାମ୍ପଲେଟ ଛପେଇ ବାଣ୍ଟିଥିବେ । ଲୋକାଲ୍ ପେପର୍ରେ ଫଟୋ ସହ ବିଜ୍ଞାପନ ଦେଇଥିବେ । ତା’ ମା’ର ସନ୍ଧାନ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିବେ । ତଥାପି ବର୍ଷେ ପର୍ଯ୍ୟନ୍ତ ଲଗାତାର ପ୍ରୟାସ/ସନ୍ଧାନ ବ୍ୟର୍ଥ ଯାଇଥିବ ମିଷ୍ଟର ଜନ୍ ସ୍ମିଥ୍ଙ୍କର । ତା’ ମା’ ଅଫେରା ଶବ୍ଦ ଭଳି ମିଳେଇ ଯାଇଥିବ କେଉଁଆଡେ ।
ଶେଷରେ କଟକ ଚଣ୍ଡୀ ମନ୍ଦିର ବାହାରେ ରହି ବାପ-ଝିଅ ଶେଷ ମୁଣ୍ଡିଆ ମାରି କାନ୍ଦି କାନ୍ଦି ଲଣ୍ଡନ ଫେରିଯାଇଥିବେ ସବୁଦିନ ପାଇଁ । ଢେର କାନ୍ଦିଥିବ ଏଲିନା ସେଦିନ । ସାନ୍ତ୍ୱନା ଦେଇଥିବେ ତା’ ଡାଡି । କହିବେ- ମୁଁ କେତେ ଭଲ ପାଉଥିଲି ତୋ ମା’କୁ ମୋ ଲକୀକୁ; ସାକ୍ଷୀ- କେବଳ ଏଇ କାଠଯୋଡି ପଥରବନ୍ଧ, ଚଣ୍ଡୀମନ୍ଦିର ଛକ, ବାଲିଯାତ୍ରା ପଡ଼ିଆ, ହୋଟେଲ ହେମିଲଟନ୍ର ରୁମ୍ ନମ୍ବର ସାତ, ଯୋବ୍ରା ଆନିକଟ, ମହାନଦୀ ବାଲୁକା ଶେଯ, ବାଦାମବାଡ଼ି ବସ୍ଷ୍ଟାଣ୍ଡ, କଟକ ରେଲ୍ୱେ ଷ୍ଟେସନ୍, ପ୍ଲାଟଫର୍ମ ଏତିକି କେତେ ସ୍ମୃତି ତୀର୍ଥ । ଯାହା ଅପାସୋରା/ଅଭୁଲା/ଅଣଲେଉଟା ଅତୀତର ଅଫେରା/ମହାର୍ଘ ସ୍ମୃତିର ଭଙ୍ଗା ଆଇନା ।
(୨) ସ୍ମୃତିର ପୁରୁଣା ଫର୍ଦ୍ଦ ସଂପର୍କର ସୁନେଲି ସର୍ତ୍ତ
ଯୁବକ ଜନ୍ ସ୍ମିଥ୍ କଟକ ସହରକୁ ଆସିଥିବେ ଜଣେ ଟୁରିଷ୍ଟ ଭାବେ ପ୍ରାୟ କୋଡିଏ ବର୍ଷ ତଳେ । କାହିଁକି କେଜାଣି ଏ ସହରର ପ୍ରେମରେ ପଡ଼ିଯିବେ ସିଏ । ଏ ସହରର ଅସନା ରାସ୍ତାଘାଟ, ନାଳନର୍ଦ୍ଦମା, ଗଳିକନ୍ଦି, ଛକ, ହୋଟେଲ ବଜାର, ବସ୍ଷ୍ଟାଣ୍ଡ, ରେଲ୍ୱେ ଷ୍ଟେସନ, ଯୋବ୍ରା ଆନିକଟ, ଛତ୍ରବଜାର, ବାଲୁବଜାର, ମାଲ୍ଗୋଦାମ୍ ରୋଡ୍, ବକ୍ସିବଜାର, ବାଦାମ୍ବାଡି, କଚେରିଛକର ମାୟାରେ ପଡ଼ିଯିବେ ଏଇ ବିଦେଶୀ ଯୁବକ । ମହାନଦୀ, କୁଆଖାଇ, କାଠଯୋଡ଼ି ନଦୀର ଆକର୍ଷଣ ବି କାବୁ କରିଦେଇଥିବ ତାଙ୍କୁ । ଆତ୍ମୀୟତାର ଆମନ୍ତ୍ରଣରେ ବାନ୍ଧି ହୋଇଯାଇଥିବ ତାଙ୍କର ଯୁବ ହୃଦୟ ।
ଜନ୍ ସ୍ମିଥ୍ ଇଂରାଜୀ ଖାନା ଛାଡି ସକାଳୁ ସକାଳୁ ପହଞ୍ଚି ଯାଉଥିବେ ଲକ୍ଷ୍ମୀର ଏଇ ଝୁମ୍ପୁଡି ହୋଟେଲ୍ରେ । ପୁରୀ, ଘୁଗୁନି, ବରା, ପକୁଡ଼ି, ସିଙ୍ଗଡ଼ା, ବାଇଗଣୀ, ଆଳୁଚପ୍ ଖାଇ ମସଲାଦିଆ ଚାହା ପିଇ ତୃପ୍ତ ହେଉଥିବେ । ବେଳେବେଳେ ମାଛ/ଚିଙ୍ଗୁଡ଼ି ଚପ୍ ବି ଲକ୍ଷ୍ମୀ କରି ଦେଉଥିବ ଜନ୍ ଙ୍କୁ । କେଜାଣି କେମିତି ଜନ୍ ଓଡ଼ିଆ ଶିଖିବାକୁ ଇଚ୍ଛା ପ୍ରକଟ କରିବେ ଖୋଦ୍ ଲକ୍ଷ୍ମୀଠାରୁ । ମାତ୍ର ଷୋହଳ/ଅଠର ବର୍ଷର ତରୁଣୀ ବି ରାଜି ହୋଇଯିବ ।
ଲଣ୍ଡନରେ ପ୍ରଚୁର ସମ୍ପତ୍ତିର ମାଲିକ ଥିବେ ଜନ୍ ସ୍ମିଥ୍ । ଅବିବାହିତ-ଆଡ୍ଭାଞ୍ଚରିୟସ୍- ସ୍ମାର୍ଟ-ଫରୱାର୍ଡ ତରୁଣ । କାହିଁକି କେଜାଣି ପିଲାଦିନୁ ଭାରତର ଇତିହାସ ବିଶେଷ କରି ଓଡ଼ିଶାର ନୌବାଣିଜ୍ୟ ଜାଭା, ସୁମାତ୍ରା ଦ୍ୱୀପ ସହ ସଂପର୍କ ପଢ଼ି ତାରି ମାୟାରେ ପଡ଼ିଯାଇଥିବେ ସିଏ । ଅବଚେତନ ମନରେ ଜଳଛବି ଭଳି ଆଙ୍କି ହୋଇଯାଇଥିବ “କଟକ ନଗର ଧବଳ ଟଗର”ର ମାୟାବୀ ଛବି । ଏଇଠିକି ଆସି ରହୁ ରହୁ ପାଞ୍ଚବର୍ଷ ରହିଯିବେ ଅଚାନକ । ନିଜର ବଡ଼ ସମ୍ପତ୍ତିର ରକ୍ଷଣାବେକ୍ଷଣ କରୁଥିବେ ନିଜ ବାପା ମା’-ଭାଇ ଭଉଣୀ । ଅର୍ଥର ଅଭାବ ନଥିବ ।
ହୋଟେଲ୍ ହେମିଲ୍ଟନ୍ କମ୍ପାଉଣ୍ଡକୁ ଲାଗି ଏକ ଝୁମ୍ପୁଡ଼ି ହୋଟେଲ କରିଥିବ କୁମାରୀ ଲକ୍ଷ୍ମୀ ଓ ତା’ ମାଆ । ବରା, ପକୁଡ଼ି, ସିଙ୍ଗଡା ସହ ମସଲା ଦିଆ ଚାହା ତିଆରି କରି ଅଗଣିତ ଗରାଖଙ୍କ ପ୍ରିୟ ହୋଇପାରିଥିବ । ବେଳେବେଳେ ଛେନାପୋଡ. ପେଡ଼ା, ଛେନାଗଜା, ଜଲେବି, ମହୀଶୂର ପାକ ବି ତିଆରି କରୁଥିବ ଲକ୍ଷ୍ମୀ ।
ଜନ୍ ସ୍ମିଥ୍ ଇଂରାଜୀ ଖାନା ଛାଡି ସକାଳୁ ସକାଳୁ ପହଞ୍ଚି ଯାଉଥିବେ ଲକ୍ଷ୍ମୀର ଏଇ ଝୁମ୍ପୁଡି ହୋଟେଲ୍ରେ । ପୁରୀ, ଘୁଗୁନି, ବରା, ପକୁଡ଼ି, ସିଙ୍ଗଡ଼ା, ବାଇଗଣୀ, ଆଳୁଚପ୍ ଖାଇ ମସଲାଦିଆ ଚାହା ପିଇ ତୃପ୍ତ ହେଉଥିବେ । ବେଳେବେଳେ ମାଛ/ଚିଙ୍ଗୁଡ଼ି ଚପ୍ ବି ଲକ୍ଷ୍ମୀ କରି ଦେଉଥିବ ଜନ୍ଙ୍କୁ ।
କେଜାଣି କେମିତି ଜନ୍ ଓଡ଼ିଆ ଶିଖିବାକୁ ଇଚ୍ଛା ପ୍ରକଟ କରିବେ ଖୋଦ୍ ଲକ୍ଷ୍ମୀଠାରୁ । ମାତ୍ର ଷୋହଳ/ଅଠର ବର୍ଷର ତରୁଣୀ ବି ରାଜି ହୋଇଯିବ ଟଙ୍କା ଲୋଭରେ ଏଇ ବିଚିତ୍ର ପ୍ରସ୍ତାବରେ । ବୁଢ଼ୀ ମାଆ ବି ତା’ର ପ୍ରତିବାଦ କରିବନି ଏତେ ବଡ଼ ନୋଟ୍ ବିଡା ଦେଖି ପ୍ରଥମଥର ପାଇଁ ଜୀବନରେ । ଲକ୍ଷ୍ମୀର ଏଇ ବୁଢ଼ୀ ମା’ ଛଡ଼ା ଆଉ କେହି ବି ଜଣେ ଆପଣାର ମଣିଷ ନଥିବେ ଏଇ ଏତେ ବଡ଼ ଦୁନିଆରେ । ଲକ୍ଷ୍ମୀର ବାପା ଥିବ ରେଲ୍ୱେ ଗ୍ୟାଙ୍ଗମ୍ୟାନ୍ । ରେଲୱେ ଟ୍ରାକ୍ରେ ସକାଳୁ ସଂଜଯାଏଁ ହାଡଭଙ୍ଗା ଖଟଣୀ । ଜବରଦସ୍ତ ମେହେନତ୍କୁ ଭୁଲିବା ପାଇଁ ମଦ ପିଇ ମାତାଲ୍ ହୁଏ ଲକ୍ଷ୍ମୀର ବାପା । ଦିନେ ମଦ ପିଇ ମାତାଲ୍ ହୋଇ ରେଲ୍ୱେ ଟ୍ରାକ୍ରେ କାମ କରୁଥିବାବେଳେ ଏକ୍ସପ୍ରେସ୍ ଟ୍ରେନ୍ରେ କଟି ଦିବଙ୍ଗତ ହୋଇଯିବ । ଯାହା କମ୍ପାନୀସେସନ୍ ମିଳିବା କଥା ଲକ୍ଷ୍ମୀର ମା’ ପାଇନଥିବ । ତା’ର ମଦୁଆ ଦିଅର ଟାଉଟରି କରି ସେ ଟଙ୍କା ମାରି ନେଇଥିବ । ବୁଢ଼ୀ ବହୁତ ଅଭିଯୋଗ କରିଥିବ । ନେହୁରା ହୋଇଥିବ । କିଛି ସୁଫଳ ମିଳିନଥିବ । ଦିଅରଟି ସେ ଟଙ୍କା ନେଇ ଚମ୍ପଟ ମାରିଥିବ ସୁଦୂର ବିଶାଖାପାଟଣା । ସେଇଠି ସେ ଘର କିଣି ଫୁଲ ବିଜ୍ନେସ୍ କରି ଆରାମରେ ରହିଥିବ ।
ଲକ୍ଷ୍ମୀର ମା’ ଅସହାୟା ହେଲେ ଏଇ ହୋଟେଲ୍ ହେମିଲଟନ୍ କଡେ, ଝୁମ୍ପୁଡ଼ି ଚା’ ହୋଟେଲ୍ଟିଏ କରି, ଏକମାତ୍ର ଝିଅ ଲକ୍ଷ୍ମୀକୁ ଧରି, ପେଟ ପୋଷିବାର ଉପକ୍ରମ କରିଥିବେ । ଚା’ ବିସ୍କୁଟ, ରାସ୍କୋ ବିକି ବେଶ୍ ଦି’ ପଇସା କମାଉଥିବ ବୁଢ଼ୀ । ଲକ୍ଷ୍ମୀ ବଡ଼ ହେଲା ପରେ ମାଆକୁ ସାହା ହେବ ତ ବରଂ, ପକୁଡ଼ି, ଚପ୍, ସିଙ୍ଗଡ଼ା ତିଆରି କରି ଜୀବିକାର୍ଜନର ନୂଆ ରାସ୍ତା ନିକାଲିବ । ଗ୍ରାହକ ବଢ଼ିଥିବେ ଡିମାଣ୍ଡବି ବି ବଢ଼ିଥିବ ।
(୩) ଆଶା/ଆଶଂକାର ଆକାଶ ଶୁଭ ପରିଣୟର ମଧୁମାସ
ବଢ଼ିଲା ଝିଅକୁ ଘରେ ରଖି ଲକ୍ଷ୍ମୀର ମା’ ସବୁବେଳେ ଥିବ ଚିନ୍ତା/ଶଂକାଗ୍ରସ୍ତ । କେତେବେଳେ କୋଉ କଥା ଘଟିବ କିଏ କହିପାରିବ? ଲକ୍ଷ୍ମୀର ଚା’ ଦୋକାନରେ ଆଜିକାଲି ଖୁବ୍ ଭିଡ଼ । ବିଶେଷ କରି ଟୋକା ଗରାଖମାନଙ୍କର ଭିଡ଼ ବେଶୀ । ସୁନ୍ଦରୀ-କୁଅାଁରୀ-ହସକୁରୀ ଲକ୍ଷ୍ମୀ ସବୁବେଳେ ବିଜୁଳି ଭଳି ହସୁଥିବ ଫିକ୍ ଫିକ୍ । ତା’ର କୋମଳ ହାତର ଟିକିଏ ନହୁଲୀ ସ୍ପର୍ଶ ପାଇଁ ବାଉଳି ହେଉଥିବେ କାମାତୁର ତରୁଣଗଣ । ହେଲେ ଲକ୍ଷ୍ମୀର କଥା/ହାବଭାବ/ଚାଲିଚଳଣି, ଶାଣଦିଆ ଛୁରୀ ଭଳି ଧାରୁଆ । ଖୁବ୍ ସାହସୀ ଆଉ ନିର୍ଭୟା । ତେଣୁ ଲକ୍ଷ୍ମୀର ଚାରିପଟେ ଏକ ନିରାପଦ ବଳୟ ସୃଜି ଦେଇଥିବ ସିଏ ନିଜେ ନିଜ ଅଜାଣତରେ ।
ଜନ୍ ସ୍ମିଥ୍ ପ୍ରଥମେ ଲକ୍ଷ୍ମୀକୁ ଦେଖି ତା’ ପ୍ରେମରେ ପଡ଼ିଯାଇଥିବେ । ଓଡ଼ିଆ ଶିଖିବା ବାହାନାରେ ଲକ୍ଷ୍ମୀକୁ ଜନ୍ ହୋଟେଲ୍ ହେମିଲ୍ଟନ୍ ନେଇଯାଉଥିବେ ବାରମ୍ବାର । ପ୍ରାୟ ତିନି ମାସାଧିକ କାଳ ଏ ବ୍ୟାପାର ଚାଲୁରହିଥିବ । ଦିନେ ହଠାତ୍ ଲକ୍ଷ୍ମୀର ମାଆ ଅଡି ବସିବ ଜନ୍ ସହ ଲକ୍ଷ୍ମୀର ବିବାହ ପାଇଁ । ଜନ୍ ଲକ୍ଷ୍ମୀକୁ ଅତ୍ୟଧିକ ଭଲ ପାଉଥିବେ । ସେ ସଙ୍ଗେ ସଙ୍ଗେ ଏ ପ୍ରସ୍ତାବରେ ରାଜି ହୋଇଯିବେ । ସେଇ ବାଲିଯାତ୍ରାର ଶେଷଦିନରେ କଟକ ଚଣ୍ଡୀଙ୍କ ଠାରୁ ଆନୀତ ଫୁଲମାଳ, ଚୁଡି/ଶଙ୍ଖା, ସିନ୍ଦୂର ବିନିମୟରେ, ସାହି ଲୋକଙ୍କୁ ଭୁରିଭୋଜନରେ ଆପ୍ୟାୟିତ କରି ସମସ୍ତଙ୍କ ସମକ୍ଷରେ ଜନ୍, ଲକ୍ଷ୍ମୀକୁ ବାହା ହୋଇପଡ଼ିବେ ।
ହାଲ୍କୁ ଲକ୍ଷ୍ମୀ ରହିବ ତା’ ମାଆ ପାଖରେ ଝୁମ୍ପୁଡି ହୋଟେଲ୍ ବନ୍ଦ କରିଦିଆଯିବ । ଲକ୍ଷ୍ମୀ ଦିନସାରା ଜନ୍ ପାଖରେ ହୋଟେଲ୍ ହେମିଲଟନ୍ର ରୁମ୍ ନମ୍ବର ସାତରେ ରହୁଥିବ ତ ରାତିରେ ତା’ ମାଆ ପାଖରେ । ଏମିତି ବର୍ଷେ ଖଣ୍ଡେ ଯାଇଥିବ କି ନା ଲକ୍ଷ୍ମୀର ମା’ ଚାଲିଗଲେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ।
ହୋଟେଲ୍ ହେମିଲଟନ୍ର ମାଲିକ ହୋଇଥିବେ ଜଣେ ଆଙ୍ଗ୍ଲୋଇଣ୍ଡିୟାନ୍ ଲେଡି, ଯିଏ ଜନ୍କୁ ପୁଅ ଭଳି ଭଲ ପାଉଥିବେ । ଜନ୍,ଲକ୍ଷ୍ମୀଙ୍କୁ ନେଇ ଗୋଟିଏ ଭଡ଼ାଘରେ ରହିବା ଅପେକ୍ଷା ଏଇ ହୋଟେଲ୍ ହେମିଲଟନ୍ର ରୁମ୍ ନମ୍ବର ସାତରେ ରହିବାକୁ ନିରାପଦ କଂପୋର୍ଟବେଲ୍ ମନେକରିବେ । ପରମାନେଣ୍ଟ ଭାବେ ପାଞ୍ଚବର୍ଷ କାଳ ସେଇ ରୁମ୍ରେ ନିଜର ସଂସାର ଗଢ଼ି ଦେଇଥିବେ ତ ଦୁହିଁଙ୍କର ସୁଖର ସାମିଆନା ତଳକୁ କନ୍ୟାରତ୍ନଟିଏର ଆବିର୍ଭାବ ହୋଇଥିବ । ଯିଏ ଦେଖିବାକୁ ଅନିନ୍ଦ୍ୟ ସୁନ୍ଦରୀ । କଣ୍ଢେଇଟିଏ ଭଳି ତା’ ନୀଳ ନୀଳ ଆଖି, ଗୋରା ଗୋରା ଦେହ, ମୁଣ୍ଡ ବାଳ କଳା, ଓଠ ଗୋଲାପୀ ଗୋଲାପୀ । ବିଦେଶିନୀ ନୁହେଁ ବରଂ ଶତକଡ଼ା ନବେ ଇଣ୍ଡିୟାନ୍ ଓରଜିନ୍ । ତା’ ମା’ର ଚେହେରା ନବେଭାଗ ତ ଜନ୍ଙ୍କ ଦଶଭାଗରେ ଗଢ଼ା ହୋଇଥିବ ଏଲିନାର ଶରୀର ।
ପ୍ରତିବର୍ଷ ବାଲିଯାତ୍ରାର ଶେଷଦିନ ବିବାହ ବାର୍ଷିକୀ ପାଳନ କରୁଥିବେ ଜନ୍, ଲକ୍ଷ୍ମୀ ଓ ଏଲିନା । ସାରା ସାହି/ବସ୍ତି ବାସିନ୍ଦାଙ୍କୁ ଭୁରି ଭୋଜନରେ ସନ୍ତୁଷ୍ଟ କରାଉଥିବେ । ପୂରା ଓଡ଼ିଆ ଖାନାପିନା, ଓଡ଼ିଆ ଭାଷାରେ କଥାବାର୍ତ୍ତା, ଓଡ଼ିଆ ବେଶପୋଷାକ, ଚାଲିଚଳଣିରେ ଜନ୍ ଶତକଡ଼ା ଶହେଭାଗ ଖାଣ୍ଟି ଓଡ଼ିଆ ହୋଇସାରିଥିବେ ।
ଯେତେବେଳେ ଏଲିନାକୁ ପାଞ୍ଚବର୍ଷ ସେଇ ବାଲିଯାତ୍ରା ଶେଷଦିନରେ କୁଆଡେ ଅଦୃଶ୍ୟ ହୋଇଯାଇଥିବ ଲକ୍ଷ୍ମୀ ଓରଫ ଜନ୍ଙ୍କ ଲକୀ । ଆଉ ଫେରି ନଥିବ । ପ୍ରାୟ ଏକବର୍ଷ ଯାଏଁ ଖୋଜିଖୋଜି କ୍ଲାନ୍ତ ହେଲାପରେ ବାପ-ଝିଅ ଲଣ୍ଡନ ରୱାନା ହୋଇଯାଇଥିବେ ସବୁଦିନ ପାଇଁ ।
(୪) ପ୍ରାପ୍ତିର ପୁଲକିତ ପଦପାତ : ଆଶା-ଆନନ୍ଦର ମହୁରତ
ଜନ୍ ଲଣ୍ଡନ ଫେରିଯାଇ ଆଉ ବାହାହେବ ନାହିଁ । ଏଲିନାକୁ ଜଣେ ବଡ଼ ସାଇଣ୍ଟିଷ୍ଟ କରିବାର ସ୍ୱପ୍ନ ଦେଖୁଥିବେ ସେଇ ଚେଷ୍ଟାରେ ରାତିଦିନ ଏକା କରି ଲାଗିପଡ଼ିଥିବେ ତ ‘ପାରାଡାଇଜ୍’ ନାଁରେ ଗୋଟିଏ ଏନ୍.ଜି.ଓ ଚଳାଉଥିବେ । ଏଇ ଏନ୍.ଜି.ଓ ହଜି ଯାଇଥିବା ପିଲାଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ପାଖରେ ପହଞ୍ଚାଇ ଦେଉଥିବ ତ ଅଭିଭାବକ ନ ପାଇଲେ ନିଜର ବିରାଟ ନେଟ୍ୱାର୍କ ପରିଚାଳିତ ନାରୀ କେୟାରଟେକରମାନେ ଛୁଆକୁ ପାଳିପୋଷି ଦୁନିଆର ବଡ଼ଦାଣ୍ଡରେ ଛାଡି ଦେଉଥିବେ ।
ଏଲିନାକୁ ପନ୍ଦର ବର୍ଷ ହେଲାପରେ ସେ ଜିଦ୍ ଧରିବ କଟକ ଆସିବା ପାଇଁ ଓ ଓଡ଼ିଆ ଶିଖିବା ପାଇଁ । ତା’ ଡାଡି ଜନ୍ ସ୍ମିଥ୍ ଓଡ଼ିଆ ଭାଷା ଭୁଲିନଥିବେ ବରଂ ଏଲିନା ସହ ଓଡ଼ିଆରେ ହିଁ କଥାବାର୍ତ୍ତା କରୁଥିବେ । ଏକା ଏକା ଏଲିନା ପ୍ରତିବର୍ଷ ବାଲିଯାତ୍ରାକୁ କଟକ ଆସୁଥିବ । ରହୁଥିବ ସେଇ ହୋଟେଲ୍ ହେମିଲଟନ୍ର ରୁମ୍ ନମ୍ବର ସାତରେ । ହୋଟେଲ୍ ହେମିଲ୍ଟନ୍, ଏଲିନାର ସଂପୂର୍ଣ୍ଣ ସୁରକ୍ଷା ବନେ୍ଦାବସ୍ତ କରି ଦୁଇଜଣ ପ୍ରାଇଭେଟ୍ ସିକୁ୍ୟରିଟି ଗାର୍ଡ ତା’ ସହ ସବୁଆଡେ ଯିବା ପାଇଁ ବ୍ୟବସ୍ଥା କରିଦେଇଥିବ । ଏମିତି ଚାରିବର୍ଷ ଧରି ନିରାଶ ମନରେ ଫେରିଯାଉଥିବ ଏଲିନା ତା’ ମା’କୁ ଖୋଜିଖୋଜି ।
ଏ ବର୍ଷ ପଞ୍ଚମବର୍ଷ । ତା’ ସନ୍ଧାନର ଶେଷବର୍ଷ । ଆସନ୍ତାବର୍ଷଠାରୁ ଆଉ ସିଏ ଆସିବ ନାହିଁ । ଫେସ୍ବୁକ୍/ଟ୍ୱିଟର ଜରିଆରେ ତା’ ମା’କୁ ଖୋଜିବା ପାଇଁ ମଦଦ୍ ମାଗିଥିବ । ଏନ୍ଜିଓ ‘ସନ୍ଧାନ’ର ଯୁବ ସମ୍ପାଦକ ନିହାର ରାୟ ନେଟ୍ ମାଧ୍ୟମରେ ସାରା ହିନ୍ଦୁସ୍ଥାନ ଛାନ୍ଭିନ୍ କରି ଖୋଜି ଖୋଜି ନିରାଶ ହୋଇଥିବେ ।
ପୁଣି ବାଲିଯାତ୍ରାର ସେଇ ଶେଷଦିନ । ରାଜସ୍ଥାନର ଏନ୍ଜିଓ ‘ଆଶାକିରଣ୍’ର ଯୁବ ସମ୍ପାଦକ ରାଜ୍କୁମାର ତଲୱାର ସହ ନିହାରର ସାକ୍ଷାତ ହେବ ସେଇ ବାଲିଯାତ୍ରା ପଡ଼ିଆରେ । ‘ଆଶାକିରଣ’ର ମନୋରମ ରାଜସ୍ଥାନୀ ହାଣ୍ଡିକ୍ରାପ୍ଟ ଷ୍ଟଲ୍ ଲାଗିଥିବ ବାଲିଯାତ୍ରା ପଡ଼ିଆରେ । ରାଜ୍କୁମାର, ଲକ୍ଷ୍ମୀର ପୁରୁଣା ଫଟୋ ସହ ଏଲିନା କମ୍ପୁ୍ୟଟରରେ ତିଆରି କରିଥିବା ରିସେଣ୍ଟ ଫଟୋ ଦେଖି ଆନନ୍ଦରେ ଚିକ୍ରାର କରି ଉଠିବ ସେ ଲକ୍ଷ୍ମୀକୁ ମିଶେଇ ଦେଇପାରିବ ଏଲିନା ସହ । ସେ ଏବେ ଲକ୍ଷ୍ମୀ ନୁହଁ ଲକୀ ଆଣ୍ଟି । ଯିଏ କି ତାଙ୍କରି ଏନ୍ଜିଓ ‘ଆଶାକିରଣ୍’ ଧୂମାଲ୍ ଶାଖାରେ କାର୍ଯ୍ୟରତ ।
ସଙ୍ଗେ ସଙ୍ଗେ ଏଲିନା, ନିହାର, ରାଜକୁମାର ପ୍ଲେନ୍ରେ ପହଞ୍ଚିବେ ଜୟପୁର ଏରୋଡ୍ରମ୍ । ତା’ପରେ ଟ୍ୟାକ୍ସିରେ ପହଞ୍ଚିଯିବେ ଧୂମାଲ୍ । ଯେଉଁଠି ଏନ୍ଜିଓ ‘ଆଶାକିରଣ୍’ର ଜଣେ କର୍ମି ହିସାବରେ କାମ କରୁଥିବେ ଲକ୍ଷ୍ମୀ । ବୟସ ଅନୁପାତରେ ଚେହେରା ଖୁବ୍ ମଳିନ ପଡ଼ିଯାଇଥିବ ।
ଦୀର୍ଘ କୋଡିଏ ବର୍ଷ ପରେ ମା’-ଝିଅଙ୍କର ଏ ମହାମିଳନ । ଓଃ ହୋ କି ମନୋରମ ଦୃଶ୍ୟ । ଏଲିନା ତା’ ମାଆକୁ ଓଡ଼ିଆରେ ପଚାରୁଥିବ- ମା’… ମା’… ମା’… ତୁ ଆମକୁ ଛାଡି କୁଆଡେ ଚାଲିଗଲୁ ସେଦିନ?
ଲକ୍ଷ୍ମୀ ସେମିତି ଆଉ ବାହା ନହୋଇ ରହିଯାଇଥିବ ଏକା ଏକା । ଝିଅ ଏଲିନାକୁ ଏ ଜନ୍ମରେ ଦେଖିବ ଏଇ ବିଶ୍ୱାସ ସେ ହରାଇସାରିଥିବ । ସେ ଝିଅକୁ ଧରି ଖାଲି କାନ୍ଦୁଥିବ । ବୋକ ଦେଉଥିବ । ତା’ ଦେହସାରା ଅଣ୍ଡାଳୁ ଥିବ କାତର/ଆତୁର ହୋଇ । ସେ ଆନନ୍ଦରେ ଏତେ ଅଧିରା ହୋଇଯାଇଥିବ ଯେ ତା’ର ବାକ୍ଶକ୍ତି ଲୋପ ପାଇଗଲା ଭଳି ବୋଧ ହେଉଥିବ । କିନ୍ତୁ ସବୁ ଥିବ ଠିକ୍ଠାକ୍ ।
ଏଲିନା ତା’ ଡାଡିକୁ ତା’ ମାଆର ମିଳିବା ଖବର ମୋବାଇଲ୍ରେ ଜଣାଇ ଦେଇଥିବ । ତା’ର କଷ୍ଟଲି ସ୍ମାର୍ଟ ଫୋନ୍ରେ ତା’ ଡାଡି ଲକ୍ଷ୍ମୀ ଓରଫ ଲକୀକୁ ଦେଖି କାନ୍ଦି ପକାଇଥିବେ ତ ଓଡ଼ିଆରେ କେତେ କଥା ପଚାରୁଥିବେ । ଲକ୍ଷ୍ମୀ ଖାଲି କାନ୍ଦୁଥିବ । ନେକ୍ସଟ୍ ଏଭେଲେବୁଲ୍ ପ୍ଲେନ୍ରେ ଜନ୍ ଆସୁଥିବେ ଭାରତ ।
ମା’ ଝିଅ ଏକାଠି ବସି ଗପୁଥିବେ ଏଧରା ଏ ମହାମିଳନର ସୂତ୍ରଧର : ‘ଆଶାକିରଣ’ର ରାଜକୁମାର ଆଉ ‘ସନ୍ଧାନ’ ନିହାର ଦୁହିଁଙ୍କୁ ଅଜସ୍ର ଧନ୍ୟବାଦ ଓ କୃତଜ୍ଞତା ଜଣାଉଥିବ ଏଲିନା !
ସତରେ ! ଏ ଦୁନିଆଟା ବଡ଼ ବିଚିତ୍ରା କାହାକୁ କେତେବେଳେ କେଉଁଠି କେମିତି ପହଞ୍ଚାଇ ଦିଏ କହିବା ମୁସ୍କିଲ ।
କିଏ ଯେମିତି କେଉଁଠୁ କହୁଥିବ ମଧୁର ସ୍ୱରରେ । ସମସ୍ତେ କାନେଇଥିବେ । ବୁଝିପାରୁଥିବେ ଏ ମହାମିଳନ ମନ୍ତ୍ର ପାଠର ମର୍ମବାଣୀ ।
ମା ମା ବୋଲି କେତେ ମୁଁ ଡାକିଲି
କେହି ତ ଶୁଣିଲେ ନାହିଁ,
ଏତେ ବରଷର ଅନ୍ତରେ କିଏ
ଓଃ କହିଦେଲା ସତରେ କାହିଁ ।