ଜୟନ୍ତ ଯେଉଁଦିନ ଇତିଶ୍ରୀକୁ ପ୍ରଥମ ଥର ଦେଖିଥିଲା, ସେଦିନ ଇତିଶ୍ରୀ ଛୋଟେଇ ଛୋଟେଇ ଚାଲୁଥିଲା । “ନିରଜା ମାର୍କେଟ କମ୍ପ୍ଲେକ୍ସ”ର ବାଗ୍ଦେବୀ ପୁସ୍ତକ ଭଣ୍ଡାର ପାଖରେ ଭାରି ଗହଳି ଥିଲା ।
ଦୁଇଟା ଦୋକାନ ଛାଡ଼ି ସେଇ ପାଖରେ ‘ସାଜସିଙ୍ଗାର’ ନାମକ ଲେଡିଜ କର୍ଣ୍ଣରରେ ସେଦିନ କ’ଣ ଗୋଟେ ପୂଜା ଚାଲିଥିଲା ଓ ମିଠା ପ୍ୟାକେଟ୍ ବଣ୍ଟା ଯାଉଥିଲା ଗ୍ରାହକମାନଙ୍କୁ । କଲେଜରେ ପଢ଼ୁଥିବା ଆଉ ଚାକିରି ଖୋଜୁଥିବା ଝିଅମାନେ, ଏମିତିକି ମଧ୍ୟବୟସ୍କା ଗୃହିଣୀମାନେ ବି ସେଠି ମେଳା ମେଳା ହେଉଥିଲେ । କେତେଗୁଡିଏ ଛୋଟପିଲା ଦୋକାନ ସାମ୍ନାରେ ଠିଆ ହୋଇ ନିଜ ନିଜର ବାପା ମା’ମାନଙ୍କୁ ଟଣାଓଟରା କରୁଥିଲେ ତୋରଣ ଦେହରୁ ବେଲୁନ୍ ତୋଳି ଆଣି ଦେବା ପାଇଁ ।
‘ବାଗ୍ଦେବୀ ପୁସ୍ତକ ଭଣ୍ଡାର’ ସାମ୍ନାରେ ବଡ଼ ଗହଳି । ଝୁପୁଝୁପୁ ବର୍ଷା ଏଇ ମାତ୍ର ଛାଡିଛି । ପାଣିକାଦୁଅରେ ପଚର ପଚର ସବୁଆଡ । ତଥାପି ଲୋକମାନେ ବାହାରେ ବୁଲୁଛନ୍ତି, କାହିଁକି ନା ତିନିଦିନର ମେଘୁଆ ପାଗ ପରେ ଆଜି ଦି’ପହରରେ ଖରା ପଡ଼ିଥିଲା ।
ଇତିଶ୍ରୀକୁ ସେଇଠି ଦେଖିଥିଲା ଜୟନ୍ତ ପ୍ରଥମଥର । ପ୍ରଥମେ ତ ସେ ଭାବିଥିଲା ଯେ ଝିଅଟାର ଗୋଡ଼ରେ ବା ଅଣ୍ଟାରେ ସମସ୍ୟା ଅଛି । ଆହାଃ, ଛୋଟୀ ଝିଅଟି ଏ ଗହଳି ଭିତରେ ଚାଲିପାରୁନି ଠିକ୍ଠାକ୍ । ହଠାତ୍ ସେ ଟିକିଏ ବ୍ୟସ୍ତ ହୋଇପଡ଼ିଥିଲା । ଖସଡ଼ା ହେଇଯାଇଛି ଜାଗାଟା ଏତେ ଲୋକଙ୍କର ଗହଳି ଓ ଠେଲାପେଲାରେ, ସଂକୀର୍ଣ୍ଣ ଜାଗାଟା ଭିତରେ ଛୋଟ ପିଲାମାନଙ୍କର ‘ଆଖି ନାଇଁ, କାନ ନାଇଁ’ ଭଳିଆ ଧାଁଦଉଡ । ଏସବୁ ଭିତରେ ଝିଅଟା ପଡ଼ିଯିବନି ତ?
ସେ ଚାରି ଛ’ଜଣଙ୍କୁ ଠେଲାପେଲା କରି ପହଞ୍ଚିଥିଲା ଇତିଶ୍ରୀ ପାଖରେ ।
“କ’ଣ ଦରକାର କହନ୍ତୁ ମାଡାମ୍, ମୁଁ ଆଣିଦେବି । ଆପଣ ଏତେ ଗୁଡାଏ ପାହାଚ ଚଢ଼ି ଉପରକୁ ଯାଆନ୍ତୁନି ।”
ଇତିଶ୍ରୀ ମୁହୂର୍ତ୍ତେ ଇତସ୍ତତଃ ହେଲା । ତା’ପରେ କହିଲା, “ଧନ୍ୟବାଦ, କିନ୍ତୁ ମୋର କିଛି ଅସୁବିଧା ନାହିଁ । ମୋ ସାଙ୍ଗ ଆସିଛି, ସେ କିଣାକିଣି କରିଦେବ ମୋ ପାଇଁ ।”
“ଓଃ, ଠିକ୍ ଅଛି ତା’ହେଲେ ।” ଜୟନ୍ତ ଫେରିଆସୁ ଆସୁ ଇତିଶ୍ରୀ ତାକୁ ଡାକ ପକେଇଲା, ‘ରହନ୍ତୁ ରହନ୍ତୁ ଟିକିଏ । ହେଇ ମୋ ସାଙ୍ଗ ଆସିଲାଣି । ଆମେ ଥରେ ଦିଇଟା ମିଠା ପ୍ୟାକେଟ୍ ଆଣି ଖାଇଥିଲୁ । ସେ କ’ଣ ପୁଣି ଦି’ଟା ପ୍ୟାକେଟ୍ ନେଇ ଆସିଲାଣି । ଆପଣ ଏଥିରୁ ଗୋଟିଏ ପ୍ୟାକେଟ ନେଇଯାଆନ୍ତୁ ।”
ଏତେବେଳକୁ ଯାଇ ଜୟନ୍ତ ଦେଖିଲା ଇତିଶ୍ରୀକୁ । ତାକୁ ପ୍ରକୃତରେ ଭାରି ଭୋକ ଲାଗୁଥିଲା ବେଳେ ଯେଉଁ ଝିଅ ତାକୁ ଖାଇବା ପାଇଁ ନିଜ ଆଡୁ ଶ୍ରଦ୍ଧାରେ ଖାଦ୍ୟ ବଢ଼େଇ ଦେଉଛି ତାକୁ ଟିକିଏ ଭଲରେ ଦେଖିବା ତ ଦରକାର ।
ପାୱାର ଚଷମା ଆଖିରେ, ଅଳ୍ପ ଚେପେଟା ନାକକୁ ଚଳେଇ ନେଇଛି ସେ ଚଷମା । ବାଁପଟ ଗାଲରେ ପାଞ୍ଚ ସାତଟା ଶୁଖିଲା ବ୍ରଣ । ଖରାରେ ବୁଲିବୁଲି କି ରାତି ଅନିଦ୍ରାରେ କେଜାଣି ମୁହଁଟା କେମିତି ଝାଇଁମରା ଦିଶୁଛି । ହସିଦେଲା ବେଳେ ସାମ୍ନା ଦୁଇଦାନ୍ତ ମଝିରେ ଅଧଅଙ୍ଗୁଳି ଫାଙ୍କ । ସାଧାରଣ ମିଠାଳିଆ ଗୋରା ରଙ୍ଗ, ରସୁଆଳ ଓଠ । ସବୁ ମିଶି ମୁହଁଟି ସୁନ୍ଦର । ଆହା, ବିଚାରୀ ଛୋଟାଗୋଡ଼ ଯୋଗୁଁ ବାଁପଟକୁ ନଇଁପଡୁଛି ତା’ଦେହ ।
ଇତିଶ୍ରୀର ସାଙ୍ଗ ଫେରିଲା ଦୁଇଟି ମିଠା ପ୍ୟାକେଟ୍ ଧରି ଓ ସିଏ ହିଁ ତା’ ଆଡୁ ଚିହ୍ନିଲା ଜୟନ୍ତକୁ । ସେ ମନେପକେଇଦେଲା ଯେ ଜୟନ୍ତ ତା’ରମାନେ ସୁଇଟିର ଦୁଇ ବ୍ୟାଚ୍ ଉପରେ ଥିଲା ହାଇସ୍କୁଲରେ । ଯେତେବେଳେ କି ସୁଇଟିର ବାପା ଜୟନ୍ତର ହାଇସ୍କୁଲ ପଢ଼ା ସହର ଫୁଲବାଣୀରେ ସରକାରୀ ଡାକ୍ତର ରୂପେ କାମ କରୁଥିଲେ ।
ସୁଇଟି ଭାରି ସହଜ ଝିଅ । ହାଇସ୍କୁଲରେ ବି ସେ ଚିହ୍ନାଅଚିହ୍ନା ନ ମାନି, ଲୋକଙ୍କ ବାଡ଼ିରେ ପଶି, ତାଙ୍କ ଗଛରେ ଚଢ଼ି କଷିଆମ୍ବ, ପିଜୁଳି, ଆତ ଇତ୍ୟାଦି ତୋଳି ଆଣୁଥିଲା । ଆଉ ଏତେ ଦିନ ପରେ ବି, ଏଠି ଛୋଟପିଲାଙ୍କ ପରି ଥରେ ଖାଇସାରିବି ପୁଣିଥରେ ଯାଇ ମିଠା ପ୍ୟାକେଟ୍ ମାଗି ଆଣୁଛି ।
ସୁଇଟି କହିଥିଲା, ଜୟନ୍ତ ଭାଇ, ଆମେ ସେଇ ଯୋଉଁ ପାଣିଟାଙ୍କି ଲାଇନ୍ ନାହିଁ, ସେଇଠି ବୁଦ୍ଧମନ୍ଦିର ପଛପଟେ ରହୁଛୁ । ଇଏ ମୋ ରୁମମେଟ୍ ଇତିଶ୍ରୀ । ରେଲୱେ କ୍ଲରିକାଲର ଫର୍ମ ପକେଇବାକୁ ଆସିଥିଲୁ । ଆଉ ତମେ ଏବେ କ’ଣ କରୁଛ, ଅଛ କେଉଁଠି?”
ଜୟନ୍ତ ଜଣେଇଥିଲା ଯେ ସିଏ ଏବେବି ବେକାର ଅଛି, ରହୁଛି ଷ୍ଟେସନ ପାଖ ମାରୁୱାଡ଼ି ଗଳିରେ ଜଣଙ୍କର ସିଡିଘରେ ଏବଂ ସିଏ ମଧ୍ୟ ସେଇ ରେଲୱେ କ୍ଲରିକାଲର ଫର୍ମ ନେବାକୁ ଆସିଥିଲା ।
ସେଦିନ ଜୟନ୍ତ, ତିନୋଟି ଫର୍ମ କିଣିଥିଲା ତିନିଜଣଙ୍କ ପାଇଁ । ବିଦାୟ ନେବା ପୂର୍ବରୁ ଇତିଶ୍ରୀ ତାକୁ କହିଥିଲା, “ଆପଣଙ୍କର ତ ସୋସିଓଲୋଜି ଥିଲା । ମତେ ଟିକିଏ ସାହାଯ୍ୟ କରିବେ, ମାନେ ନୋଟ୍ କି ବହିପତ୍ର ରଖିଥିଲେ ଦେବେ । ମୁଁ ଏ ବର୍ଷ ଓ.ଏ.ଏସ୍.ଟା ଦେଇଦେବି ଭାବୁଛି । ଦି’ବର୍ଷ ହେଲା ତ ବାହାରିନି । ଶୁଣୁଛି ଏ ବର୍ଷ ନିଶ୍ଚୟ କେତେଟା ପୋଷ୍ଟ ବାହାରିବ ।”
ଜୟନ୍ତ କହିଥିଲା, “ମୋର ନିଜର ବେଶି କିଛି ବହିପତ୍ର ନାହିଁ । ମୁଁ ପ୍ରାୟ ପ୍ରତିଦିନ ଆସି ଷ୍ଟେଟ୍ ଲାଇବ୍ରେରୀରେ ପଢ଼େ । ତମେମାନେ ସେଇଠିକୁ ଆସୁନ । ସେଠି ବହୁତ ପିଲା ପଢ଼ୁଥାଆନ୍ତି ତ, ସେଠି ପଢ଼ିଲେ ନିଦ ଲାଗେନା ।”
ସେଇ ପ୍ରଥମଥର । ତା’ପରେ ପ୍ରାୟ ସେମାନେ ଏକାଠି ମିଶି ପାଠ ପଢ଼ନ୍ତି । ଏକାଠି ମିଶି ଫର୍ମ ଭରନ୍ତି ।
ଏକା ଟେବୁଲ୍ରେ ବସି ଚା’ ସିଙ୍ଗଡ଼ା ଖାଆନ୍ତି । ଉଠାଦୋକାନୀ ପାଖରୁ ଘୋଳଦହି ପିଅନ୍ତି ଖରାଦିନେ ।
ସୁଇଟିର ବାପା ଡାକ୍ତର, ଭାଇ ଚେନ୍ନାଇରେ ବୈଜ୍ଞାନିକ । ସେ ଯେତେ ସହଜ ସରଳ ହେଲେ ବି, ତା’ ସହିତ ସବୁ କଥା ଗପି ହୁଏନାହିଁ । ଯେଉଁ ସହଜତାର ସହ ଗପିହୁଏ ଇତିଶ୍ରୀ ଆଗରେ ।
ଇତିଶ୍ରୀର ବାପାଙ୍କର ଗୋଟେ ତେଜରାତି ଦୋକାନ ଅଛି ଗାଁରେ । ଚାଷ ବି ଅଛି ନିଜର । ଗାଁରୁ ମୁଢ଼ି, ଛତୁଆ, ହୁଡୁମ ଭଜା, ଆରିସାପିଠା ଆଣି ଆସେ ସିଏ, ପ୍ରତିଥର । ଗ୍ୟାସ୍ଷ୍ଟୋଭ୍ ରଖିଛି ସିଏ । ଅଧିକାଂଶ ଦିନ ହାତରେ ରାନ୍ଧି ଖାଏ । କେବେ କେବେ ଗାଁ ଗାଡ଼ିରେ ତାଙ୍କ ଘରୁ ତା’ ପାଇଁ ବଡ଼ି, ରସୁଣ, ଘର ମୁଗଡାଲି, ବାଡ଼ିରେ ଫଳୁଥିବା ଜହ୍ନି, ପୋଟଳ, କଲରା, ଭେଣ୍ଡି ଇତ୍ୟାଦି ପଠାନ୍ତି ।
ଚପଲ ଛିଣ୍ଡିଗଲେ ଇତିଶ୍ରୀ ପ୍ରଥମେ ସେଥିରେ ସେପ୍ଟିପିନ ଲଗାଏ, ତା’ପରେ ମୋଚିକୁ କହେ ସିଲେଇ କରିଦେବାକୁ । ଥରେ ନୁହେଁ ବରଂ କେବେ କେବେ ଏକାଧିକ ଥର ତା’ର ଚପଲରେ ସୋଲ ବାଡେଇ ସେ ଚଳେଇ ନିଏ । ସେଇଥିପାଇଁ ଜୟନ୍ତ ଇତିଶ୍ରୀକୁ ଦୁଃଖ ଜଣେଇପାରେ ଏକୁଟିଆ ବେଳେ ଯେ- ଭାଗରେ ଅନ୍ୟ ଲୋକମାନଙ୍କର ଜମି ଧରି ଧାନଚାଷ କରୁଥିବା ବାପାଙ୍କ ସାମ୍ନାରେ ଠିଆ ହେବା ପାଇଁ ତାକୁ ମାଡ଼ି ମାଡ଼ି ପଡୁଛି ବୋଲି ସେ ଏବେ ଗାଁକୁ ଯିବାକୁ ଭୟ କରୁଛି ।
କେବଳ ଇତିଶ୍ରୀକୁ ହିଁ ଲାଇବ୍ରେରୀ ପାଖରେ ଚବିଶ ଶହ ସ୍କୋୟାରଫୁଟ୍ ଜାଗା ଉପରେ ପ୍ରାୟ ସତରଶହ ସ୍କୋୟରଫୁଟ ବିଲ୍ଡ ଅପ୍ ଏରିଆରେ ଠିଆ ହେଇଥିବା ତିନିମହଲା ବିଶିଷ୍ଟ ହଳଦିଆ ରଙ୍ଗର ଚଉଖୁଣ୍ଟିଆ କୋଠାଘରକୁ ଦେଖେଇ ସେ କହିପାରେ ଯେ, କଲେଜ ପଢ଼ିବା ଦିନରୁ ବାପା ଯେତେ ବସ୍ତା ଧାନ ବିକି ତାକୁ ଟଙ୍କା ଦେଲେଣି, ସେତକ ଧାନବସ୍ତା ତା’ ଉପରେ ତା’ ଉପରେ କରି ରଖି ଦେଇଥିଲେ ଏଇ କୋଠାଠାରୁ ଆହୁରି ଉଚ୍ଚା ଦିଶନ୍ତା?
ଇତିଶ୍ରୀ ହସେ ବଡ଼ପାଟିରେ । “ମୁଁ ତ ଛୋଟୀ, ପାହାଚ ଚଢ଼ି ମୁଁ ଉପରକୁ ଯିବି କେମିତି ଯେ?” ଜୟନ୍ତ ଖତେଇ ହୁଏ, “… ହୁଁ, ନଳିଗୋଡ଼ରେ ବାରମୁଳିଆଟେ ବାହାରିବ ବୋଲି ଜଣେ ଯଦି ଏତେ ଡ୍ରାମା କରିବ ତ, ଦେଖିବା ଲୋକର ଦୋଷ କ’ଣ? ଇତିଶ୍ରୀ କହେ, “ଆରେ ସେତିକି ଡ୍ରାମା ଯୋଗୁଁ ତ ତମେ ଆସିଲ ମୋ ପାଖକୁ ।” ‘ହଁ ପରା’, ଜୟନ୍ତ କହେ, ‘ସେଇ ଯେ ଆସିଗଲି ଭୁଲକରି, ଆଉ କ’ଣ ଫେରିପାରୁଛି କି?”
ସୁଇଟି ଓ ଇତିଶ୍ରୀକୁ ସାଙ୍ଗରେ ଧରି ଜୟନ୍ତ ବହିମେଳାକୁ ଯାଏ । ସେଠି ସେମାନେ ଚିନାବାଦାମ, ବୁଟଭଜା ଖାଆନ୍ତି । ସୁଇଟି ପାଇଁ ଚାକିରି ଖୋଜିବାଟା ସମୟ କାଟିବାର ଗୋଟେ ଆଳ, ବାହାଘର ପାଇଁ ଅପେକ୍ଷା କରିବା ଭିତରେ । ଚାକିରି ଗୋଟାଏ ମିଳିଗଲେ ଭଲକଥା, ନମିଳିଲେ ବି ଚଳିବ ବରଂ ଭଲହେବ ଆହୁରି ତା’ ପାଇଁ ବୋଲି ସେ ନିଜେ ହସି ହସିକା ଘୋଷଣା କରେ । ତେଣୁ ସେ ନିୟମିତ ପାର୍ଲର ଯାଏ, ହୋଟେଲରେ ଖାଏ, ସାରାବର୍ଷ ସାରା ସହର ଘୂରି ଘୂରି ସବୁ ମେଳା, ପ୍ରଦର୍ଶନୀ, ସିନେମା, ଯାତ୍ରା ଇତ୍ୟାଦି ଦେଖେ ଓ ଖୁବ୍ କିଣାକିଣି କରୁଥାଏ ସବୁବେଳେ ।
ସେଇ ସମୟ ଫାଙ୍କରେ କେବେ କେବେ ପାର୍କ ଭିତରେ, ହାତରେ ଝାଲମୁଢ଼ିର ଅପୂର୍ବ ଐଶ୍ୱର୍ଯ୍ୟ ଧରି କଣକିଆ ବେଞ୍ଚ ଉପରେ ଇତିଶ୍ରୀ ବସିଥାଏ ଜୟନ୍ତ ପାଖରେ ।
ଜୟନ୍ତ କାନ୍ଦ କାନ୍ଦ ହୁଏ ତା’ ବୋଉଙ୍କର ଡାଇବେଟିସ୍ ଓ ଉଚ୍ଚରକ୍ତଚାପର କଥା କହି ତ, ଇତିଶ୍ରୀ ରୁମାଲ ଅଭାବରୁ ଓଢ଼ଣିରେ ମୁହଁ ପୋଛିଦିଏ ଜୟନ୍ତର । ଆଶା ଦିଏ । ସବୁକିଛି ଦିନେ ଠିକ୍ ହେଇଯିବ, ବ୍ୟସ୍ତ ହୁଅନି ।
ବେଶି ଗହଳି ନଥିଲେ ସେମାନେ ପରସ୍ପରର ନିକଟକୁ ଆଉଟିକିଏ ଘୁଞ୍ଚି ଆସନ୍ତି । କେବେ କେବେ ଦେହରେ ଦେହ ବାଜିଯାଏ ତ ଜୟନ୍ତକୁ ଭଲ ଲାଗେ ଭାରି ଇତିଶ୍ରୀର ସ୍ପର୍ଶ ଓ ସେ ସ୍ପର୍ଶର ଉଷ୍ମତା । ତା’ ଅଜାଣତରେ ତା’ର ନିଃଶ୍ୱାସ ଦ୍ରୁତ ହେଇଯାଏ, ଝାଳ ଫିଟିଯାଏ ତା’ର ପାପୁଲିରେ । ଘନିଷ୍ଠତା ଅଧିକ ନିବିଡ ହେବା ପୂର୍ବରୁ ଇତିଶ୍ରୀ ପ୍ରସ୍ତାବ ଦିଏ, ଚାଲ ପ୍ରାକ୍ଟିସ୍ କରିବା ଗ୍ରୁପ୍ ଡିସକସ୍ନର ।
ଜୟନ୍ତର ଇଂରାଜୀ ଉଚ୍ଚାରଣରେ ଅନେକ ସମସ୍ୟା । ଯଦିଓ ଅନେକ ବହି ସେ ପଢ଼ିଛି ଓ ତା’ର ଇଂରାଜୀ ଅକ୍ଷର ତଥା ଲେଖିବାର ଶୈଳୀ ଅତି ଚମକ୍ରାର କିନ୍ତୁ ଜାଣିଥିବା କଥାଟିକୁ ତରତର ହୋଇ କହିଲା ବେଳେ ତା’ର ଅନେକ ଅସୁବିଧା ହୁଏ । ସିଧା ସମତଳ ରାସ୍ତାରେ ବି ବାରମ୍ବାର ଝୁଣ୍ଟି ପଡୁଥିବାରୁ ତାକୁ ବିରକ୍ତ ଲାଗେ । ଏଣେ ଇତିଶ୍ରୀ ପାଟିରେ ଡ’ ପଶେନା ।
ସେମାନେ ଅଭ୍ୟାସ କରନ୍ତି କେମିତି ଗ୍ଲୋବାଲ ୱାର୍ମିଂ, ଆଣବିକ ଯୁଦ୍ଧ, ଆତଙ୍କବାଦ, ସ୍ୱଚ୍ଛଭାରତ, କାଶ୍ମୀର ସମସ୍ୟା ଓ ନାରୀବାଦ ଇତ୍ୟାଦି ଟପିକ୍ ଉପରେ କହିପାରିବେ । ଇଣ୍ଟରଭିଉ ବୋର୍ଡର ଚାଲାଖି ଓ ଚାତୁର୍ଯ୍ୟଭରା ପ୍ରଶ୍ନର କେମିତି ଧୈର୍ଯ୍ୟପୂର୍ଣ୍ଣ ଓ ତକ୍ରାଳ ଉତ୍ତର ଦିଆଯାଇ ପାରିବ ସେମାନେ ସେ ବିଷୟରେ ବି ପ୍ରସ୍ତୁତ ଜାରି ରଖନ୍ତି- ସମ୍ଭାବ୍ୟ ପ୍ରଶ୍ନାବଳୀର ତାଲିକା କରି । ଜୟନ୍ତର ତେଢ଼ା ଇଂରାଜୀ ଉଚ୍ଚାରଣ ଓ କଥା ମଝିରେ ଇତିଶ୍ରୀର ଜିଭକୁ ଅସାଡ଼ କରି ଦେଉଥିବା ଡ’ ଅକ୍ଷରର ଉଚ୍ଚାରଣକୁ ନେଇ ସେମାନେ ହସି ହସି ବେଦମ୍ ହେଇଯାଆନ୍ତି । ସେମାନେ ଏତେ ହସନ୍ତି ଯେ ସେଇ ପାଖରେ ଦଉଡାଦଉଡି କରି ଖେଳୁଥିବା ଛୋଟପିଲାମାନେ ଦିନେ ଦିନେ ଖେଳ ବନ୍ଦ କରି ଦେଖନ୍ତି ଏମାନଙ୍କୁ ଆଶ୍ଚର୍ଯ୍ୟ ହୋଇ ।
ସୁଇଟି ଦିନେ କହେ, “ଭାଇ କହୁଛି ଓଡ଼ିଶାରେ ଏତେ ସୁବିଧା ନାହିଁ । ସତରେ ଚାକିରି କରିବାର ଇଚ୍ଛା ଅଛି ଯଦି, ଦିଲ୍ଲୀ ଯାଆ । ମୋର କିନ୍ତୁ ଇଚ୍ଛା ନାହିଁ କୁଆଡେ ଯିବାକୁ ।”
ସୁଇଟି ତା’ପରେ ସତସତିକା ଦିନେ ଦିଲ୍ଲୀ ଚାଲିଯାଏ । ତାକୁ ବିଦାୟ ଜଣାଇବା ପାଇଁ ଷ୍ଟେସନକୁ ଯାଆନ୍ତି ଇତିଶ୍ରୀ ଓ ଜୟନ୍ତ । ସୁଇଟି ଚାରିପଟେ ତା’ର ବାପାମାଆ ଓ ଅନ୍ୟ ସଂପର୍କୀୟମାନଙ୍କର ଗହଳି ଭେଦି ନପାରି ସେମାନେ କରଛଡ଼ା ଦେଇ ଗୋଟାଏ ବେଞ୍ଚ ଉପରେ ଯାଇ ବସନ୍ତି ଓ ସୁଇଟିର ଟ୍ରେନ୍ ଛାଡିବା ପରେ ଷ୍ଟେସନର ପାଣିଚିଆ ଚା’ ଦୁଇକପ୍ ପିଇ ଫେରନ୍ତି ।
ଏବେ ଇତିଶ୍ରୀର ଜୟନ୍ତ ନହେଲେ ଚଳେନା, ଚଳେଇ ନେଇ ପାରେନା ବି ବିନା ଇତିଶ୍ରୀରେ ଜୟନ୍ତ ଗୋଟିଏ ଦିନ ।
ଇତିଶ୍ରୀ ପାଇଁ ପରିବା କିଣିଦିଏ ଜୟନ୍ତ, ଫୋନ୍ ରିଚାର୍ଜ କରେ ଜୟନ୍ତ, ଆବଶ୍ୟକୀୟ ତଥ୍ୟ ଇଣ୍ଟରନେଟ୍ରୁ ଖୋଜି ଡାଉନଲୋଡ କରିଆଣେ ଜୟନ୍ତ । ଇତିଶ୍ରୀର ବାପା ଛତୁଚାଷ କରିବେ ବୋଲି ବୋତଲ ଭର୍ତ୍ତି ଛତୁମଞ୍ଜି କେବେ ତ, କେଉଁଦିନ ପୁଣି ତା’ର ବୁଢ଼ୀମା’ର ଶ୍ୱାସ ପାଇଁ ଜେନେରିକ ମେଡିସିନ କିମ୍ବା ଅଣ୍ଟାବାତ ଭୋଗୁଥିବା ତା’ର ବୋଉଙ୍କ ପାଇଁ କବିରାଜୀ ମୋଦକ କିଣି ତାଙ୍କ ଗାଁ ବସ୍ରେ ପଠାଇବାକୁ ଦଉଡେ ଜୟନ୍ତ । ଏମିତିକି କେତେଥର ଫୁଟପାଥରୁ କିଣା ହୋଇଥିବା ଇତିଶ୍ରୀର କୁର୍ତ୍ତି ଓ ସ୍କର୍ଟ ଇତ୍ୟାଦିକୁ ଡବଲ ସିଲେଇ କରେଇ ଆଣିଦେଇଛି ସେ ଟେଲର ପାଖରୁ । ଖବରକାଗଜ ଗୁଡେଇ ପଲିଥିନରେ ସୁନ୍ଦର କରି ପ୍ୟାକ ହୋଇଥିବା ଇତିଶ୍ରୀର ଛିଣ୍ଡା ଚପଲ ନେଇ ସେ ମରାମତି ବି କରିଆଣିଛି ଷ୍ଟେସନ ଗଳିର ସ୍ୱନାମଧନ୍ୟ ବଇଆମୋଚି ପାଖରୁ; ଆଉ ସେ କାମ ତାକୁ ଇତିଶ୍ରୀ ବତେଇଲା ବୋଲି ସେ ଜମାରୁ ଖରାପ ଭାବିନାହିଁ ।
ଇତିଶ୍ରୀ ତା’ର ହାତରନ୍ଧା ଚୁଡାଉପମା, ମିଠା ଖେଚୁଡି ବା ପରଟା ଆଳୁକଷା ଟିଫିନ ଭର୍ତ୍ତିକରି ନେଇଆସେ ଜୟନ୍ତ ପାଇଁ । ଶସ୍ତା ହୋଟେଲର ଖାଦ୍ୟ ଖାଇ ଖାଇ ଅରୁଚି ଧରିଯାଇଥିବା ଜୟନ୍ତ ପାଟିକୁ ସେ ଖାଦ୍ୟ ଅମୃତ ଭଳି ଲାଗେ ।
ଜୟନ୍ତ କହେ, “ପଇସା ହେଲେ ମୋ ପାଖରେ, ଗୋଟେ ଦୁଇମହଲା ଘର କରିବି । ବାହାର କାନ୍ଥରେ ଦିଆ ହେବ ହାଲୁକା ନୀଳ ରଙ୍ଗ, ଅବଶ୍ୟ ସେ ନୀଳ ଜାଗାଏ ଜାଗାଏ ଜମାଟ ବାନ୍ଧିଗଲା ପରି ବି ଲାଗୁଥିବ । ତଳୁ ଉପରେ ସବୁଠି ଚିତ୍ର ହେବ ବିଭିନ୍ନ ମାଛ, ସାମୁଦ୍ରିକ ଉଦ୍ଭିଦ, ରଙ୍ଗିନ୍ ଶୈବାଳ ଆଉ ସୁନ୍ଦରୀ ଜଳପରୀମାନଙ୍କର । ପୂରା ଘରଟା ଦୂରକୁ ଲାଗୁଥିବ ଗୋଟାଏ ଅତିକାୟ ଆକ୍ୱାରିୟମ୍ ପରି । ଛାତ ଉପର ସାରା ରହିବ ଫୁଲକୁଣ୍ଡ, ଉପର ମହଲା ଗୋଟାଏ ବିରାଟ ହଲ୍, କାନ୍ଥ ନ ଥିବ କେଉଁଠି । ତଳେ ଖାଲି ମସିଣା ପରା ହେବ । ଆଉ ହଁ, ସେ ହଲ୍ଟା ଏସି ହେଇଥିବ, ମାନେ ସବୁବେଳେ ସେଠି ଏସି ଚାଲୁଥିବ । ମୁଁ ଶୋଇ ଶୋଇ ଗପବହି ପଢ଼ିବି ଆଉ ଚାହା ପିଉଥିବି ମଝିରେ ମଝିରେ ।”
ଇତିଶ୍ରୀ ହସେ ବଡ଼ପାଟିରେ । “ମୁଁ ତ ଛୋଟୀ, ପାହାଚ ଚଢ଼ି ମୁଁ ଉପରକୁ ଯିବି କେମିତି ଯେ?”
ଜୟନ୍ତ ଖତେଇ ହୁଏ, “… ହୁଁ, ନଳିଗୋଡ଼ରେ ବାରମୁଳିଆଟେ ବାହାରିବ ବୋଲି ଜଣେ ଯଦି ଏତେ ଡ୍ରାମା କରିବ ତ, ଦେଖିବା ଲୋକର ଦୋଷ କ’ଣ? ଇତିଶ୍ରୀ କହେ, “ଆରେ ସେତିକି ଡ୍ରାମା ଯୋଗୁଁ ତ ତମେ ଆସିଲ ମୋ ପାଖକୁ ।” ‘ହଁ ପରା’, ଜୟନ୍ତ କହେ, ‘ସେଇ ଯେ ଆସିଗଲି ଭୁଲକରି, ଆଉ କ’ଣ ଫେରିପାରୁଛି କି?”
ମାସ ମାସ ହୋଇ ଗଡ଼ି ଯାଉଥାଏ ବର୍ଷ । ଥଳକୂଳ ନଥିବା ମହାସମୁଦ୍ରରେ ଭାସୁଥାଆନ୍ତି ଦୁଇଟି ଦରିଦ୍ର ପ୍ରାଣୀ । ପରିଶ୍ରମରେ ଊଣା ନଥାଏ କିଛି । ଊଣା ନଥାଏ ପ୍ରସ୍ତୁତିରେ । କିନ୍ତୁ କାହିଁକି କେଜାଣି ମୁହଁ ଦେଖେଇ ଦେଇ ପୁଣି କେଉଁଠି, ବଣ ଭିତରେ, ଛପି ଯାଉଥାଏ ହେମ ହରିଣୀ । କୋଉଥର ଭାଇଭାବୋସ୍ରେ କଟିଯାଇ ଫେରିଆସିବାକୁ ପଡୁଥାଏ ତ, କୋଉଥର ଶୁଣାଯାଉଥାଏ କୁହୁକ ଦେଖେଇଲା ରାଜନୈତିକ ଚାପ । ପୁଉଣି ବି କେବେ କେବେ ଅଲଗା ପିଲାମାନେ କୁହନ୍ତି ଯେ ଚୟନକର୍ତ୍ତାଙ୍କୁ କିଣିନେଲେ ପ୍ରାର୍ଥୀଙ୍କ ବାପା କି ମଉସା ।
ତା’ର କୋଳରେ ମୁଣ୍ଡ ରଖି ଶୋଇଥିବା ଜୟନ୍ତର ଗହବା ବାଳକୁ ହାତରେ ମୁଠା ମୁଠା କରି ସାନ୍ତ୍ୱନା ଦିଏ ଇତିଶ୍ରୀ, “ହେବ… ହେବ… ନିଶ୍ଚୟ ହେବ… । ବଡ଼ ନ ହେଲେ ମଝିଲା, ମଝିଲା ନହେଲେ ସାନ, ନହେଲେ ଅବା ଆଉ ଟିକିଏ ସାନ । କିନ୍ତୁ ଚାକିରି ମିଳିବ ନିଶ୍ଚୟ ।”
ଇତିଶ୍ରୀର ବାପା ଚିଠି ଲେଖନ୍ତି । ତତେ ବାହାରେ ରଖି ଆଉ ଚଳେଇ ପାରିବିନି ଝିଅ । ଘରକୁ ଫେରିଆ କିଛି ନ ଭାବି ନ ଚିନ୍ତି । ସମସ୍ତେ କ’ଣ ଚାକିରି କରୁଛନ୍ତି । କ’ଣ ହେଲାଣି ତୋ ଚେହେରା ମାଆ କହିଲୁ? ସୁନାଝିଅ ଏଥର ଲେଉଟି ଆ’ ଘରକୁ । ଅର୍ଥାତ୍ ଫେରିଆ ଏଥର, ତତେ ଚାକିରି ମିଳିବା କଥା ନୁହଁ ଆଉ… ତୋର ବାହାଘର ସାରିଦେଲେ ମୁଁ ଦାୟିତ୍ୱମୁକ୍ତ ହେଇ ଶାନ୍ତିରେ ବଞ୍ଚିବି ।
ଇତିଶ୍ରୀ ରୋଷେଇ ବନ୍ଦ କରିଦିଏ ଦୁଃଶ୍ଚିନ୍ତାରେ ଓ ଉପାସ ରହେ । ଆଶ୍ଚର୍ଯ୍ୟର କଥା ଯେ, କେମିତି କେଜାଣି ଜୟନ୍ତ ବୁଝିପାରେ ଯେ ଉପାସରେ ଅଛି ଇତିଶ୍ରୀ ।
“ବାପା ତାଙ୍କ ହିସାବରେ ଠିକ୍, କିନ୍ତୁ ଏଇଟା ଯେ କଠିନ ପ୍ରତିଯୋଗିତାର ଯୁଗ । ତମେ ଯାହା ବି ହେଉ ତାଙ୍କୁ ବୁଝେଇ ସୁଝେଇ ମ୍ୟାନେଜ୍ କର । ଆର ମାସରେ ପୁଣିଥରେ ଓଏଏସ୍ ବାହାରୁଛି ପରା । ଦେଖ, କଥା ଟାଳଟୁଳ କରି, ମିଛସତ କହି ଲାଭ ନାହିଁ । ସ୍ପଷ୍ଟ ଭାବରେ ବାପାଙ୍କୁ ଜଣେଇ ଦିଅ ଯେ, ତମର ଏବେ ବାହା ହେବାର ନାହିଁ । ବଡ଼ ନହେଲେ ମଝିଲା, ମଝିଲା ନ ହେଲେ ସାନ, ନହେଲେ ଅବା ଆଉ ଟିକିଏ ସାନ କିନ୍ତୁ ଚାକିରି ମିଳିବ ନିଶ୍ଚୟ’, ଜୟନ୍ତ ବୁଝାଏ ।
କୋଚିଂ ସେଣ୍ଟରରୁ ପାଇଥିବା ପଇସାରେ ରୁଟି ଆଉ ଅଣ୍ଡା ତଡ଼କା କିଣି ଆଣିଥାଏ ପାର୍ସଲ ପ୍ୟାକେଟ କରି ଇତିଶ୍ରୀ ପାଇଁ ଜୟନ୍ତ ।
ପୁଉଣି ଝାଳବୁହା, ଅଣ୍ଟାବିନ୍ଧା, ଆଖିରେ ରୁଗୁରୁଗୁ ଜଳାପୋଡ଼ା । ଜେରକ୍ସ ମେସିନ ପାଖରେ ଠିଆ ହୋଇ ଡାଉନଲୋଡ଼ କର ଶହ ଶହ ପୃଷ୍ଠା, ଫାଇଲ କର ଖବରକାଗଜ କଟିଂ ସବୁର । ବିଡାବିଡା କରି କିଣ ବଲପେନ୍, ପେନ୍ସିଲ । ପାଣି ବୋତଲ ଓହଳେଇ ଡାହାଣ ହାତରେ, ନିରାଟ ଖରାରେ ବସ୍ଷ୍ଟାଣ୍ଡରୁ ଚାଲି ଚାଲି ଯାଅ ପରୀକ୍ଷା କେନ୍ଦ୍ରକୁ… ।
ଏବଂ ଦିନେ ଇତିଶ୍ରୀକୁ ମିଳିଯାଏ ଚାକିରି । ସାନ କି ମଝିଲା ନୁହେଁ, ପ୍ରଶାସନିକ ଦପ୍ତରରେ ବେଶ୍ ଭଲ ପାହ୍ୟାର ଚାକିରି । ବହୁତ ଖୁସି ଇତିଶ୍ରୀ । ବହୁତ ବହୁତ ଖୁସି ଇତିଶ୍ରୀର ବାପା । ଖୁସିର ସୀମା ନାହିଁ ଜୟନ୍ତ ମନରେ । ଜୟନ୍ତ ନିଜେ କିନ୍ତୁ ହାରିଯାଇଛି ଏ ପରୀକ୍ଷାରେ । ଅବଶ୍ୟ ସେ ପୂର୍ବରୁ ଦେଇଥିବା ଆଉ ଦୁଇଟା ପରୀକ୍ଷାର ଫଳାଫଳ ଆସିନାହିଁ ଏ ପର୍ଯ୍ୟନ୍ତ ।
ବୟସ ଗଡ଼ି ଗଡ଼ି ଯାଉଛି ଜୟନ୍ତର । ଇତିଶ୍ରୀଠାରୁ ସେ ପୁଣି ବର୍ଷେ ପାଖାପାଖି ବଡ଼ । ଏ ଭିତରେ ଯଦି ଆଉ ପୁଣି ନୂଆ ଚାକିରିର ବିଜ୍ଞାପନ ନ ବାହାରେ ତ…
ଇତିଶ୍ରୀର ଏବେ ଖୁସି ମନେଇବାର ବେଳ । ସେ ମନ୍ଦିର ଯାଉଛି ମାନସିକ ପୂରଣର ଭୋଗ ଲଗେଇବା ପାଇଁ, ହୋଟେଲ ଯାଉଛି ସାଙ୍ଗମାନଙ୍କୁ ଖାଇବାକୁ ଦେବା ପାଇଁ, ପାର୍ଲର ଯାଉଛି ଫେସିଆଲ କରିବାକୁ ଓ ଚୁଟି କାଟିବାକୁ । ଇତିଶ୍ରୀ ଏବେ ଦିନକୁ ଦିନ ବେଶିରୁ ବେଶି ସୁନ୍ଦର ଦିଶୁଛି । ପୁରୁଣା ଚଷମା ଫୋପାଡ଼ି ଦେଇ ଏବେ ସେ ଲେନ୍ସ ଲଗେଇଛି ଆଗରେ । ଛାମୁଦାନ୍ତ ଦୁଇଟା ମଝିରେ ଥିବା ଫାଙ୍କା ଜାଗାଟା କେମିତି କ’ଣ କଲେ ଆଉ ଏତେ ନ ଦିଶି କମ୍ ଦିଶିବ ବା ଜମା ଦିଶିବ ନାହିଁ, ସେଥିପାଇଁ ସେ ସହରର ଜଣେ ନାମୀ ଡେଣ୍ଟିଷ୍ଟଙ୍କ ପାଖକୁ ଯାଉଛି ଏବେ ।
ଇତିଶ୍ରୀ ସାନ୍ତ୍ୱାନା ଦିଏ, ବ୍ୟସ୍ତ ହୁଅନି । ମୋର ଆହୁରି ଗୁଡାଏ ଦିନ ବାକି ଅଛି ଟ୍ରେନିଂ ଯିବା ପାଇଁ । ଏ ଭିତରେ ନିଶ୍ଚୟ ତମର କେଉଁଠି କିଛି ଗୋଟାଏ ହୋଇଯିବ ।
ଜୟନ୍ତର ଭାରି ଇଚ୍ଛା ହୁଏ କହିବା ପାଇଁ ଯେ, ବ୍ୟସ୍ତ ହେବନି ତମେ ଜମା ବି । ତମ ପାଖରେ ତମର ଟ୍ରେନିଂ ଜାଗାରେ ମୁଁ ନ ଥିଲେ ବି, ମୁଁ ତମରି ପାଖେ ପାଖେ ଥିବି ସେଇଠି କୋଉଠି । ତମେ ଚାହିଁଲେ ଅନୁଭବ କରିପାରିବ ମୋର ଉପସ୍ଥିତି । ପ୍ରତିଦିନ ତମର ସ୍ୱପ୍ନରେ ଆସିବି ମୁଁ । ତମକୁ କେବେବି ଏକୁଟିଆ ହେଇଯିବା ପାଇଁ ଦେବିନାହିଁ ସେଇ ଅପରିଚିତ ଜାଗାରେ । ଆତ୍ମୀୟ ମଣିଷମାନଙ୍କ ମେଳରେ । କିନ୍ତୁ ଜୟନ୍ତ କହିପାରେ ନା ଏତେସବୁ କଥା । ବୁଝିପାରେନା ଏମିତିକା କଥା କହି ଇତିଶ୍ରୀକୁ ସାନ୍ତ୍ୱନା ଦେବା ତା’ ପକ୍ଷରେ ଠିକ୍ ହେବ କି ନା !
ଇତିଶ୍ରୀ ନୂଆ ସେଲ୍ଫୋନ୍ କିଣେ ।
ଇତିଶ୍ରୀ ନୂଆ ଚପଲ କିଣେ ।
ଇତିଶ୍ରୀ ନୂଆ ନୂଆ ଜୋକ୍ସ ଶୁଣାଏ ଦେଖାହେଲେ ।
ଦିନେ ଇତିଶ୍ରୀ କହେ, “ଚାଲ ଗୋଟାଏ ସିନେମା ଦେଖିବା ।”
ଜୟନ୍ତ କୁନ୍ଥୁ କୁନ୍ଥୁ ହୁଏତ ଇତିଶ୍ରୀ ଆଉ ବାଧ୍ୟ କରେନା ।
ଦିନେ ଇତିଶ୍ରୀ ନୂଆ ସାର୍ଟଟାଏ କିଣିଦେବା ପାଇଁ ଚାହେଁ ଜୟନ୍ତ ପାଇଁ ଓ ଜୟନ୍ତ ପ୍ରସ୍ତାବ ଦିଏ ଦରମା ପାଇସାର କିଣିଦେବ ତ, ଇତିଶ୍ରୀ କହେ, ‘ଯେମିତି ତମର ଖୁସି ।’
ଦିନେ ରାସ୍ତାରେ ଝୁଣ୍ଟିପଡ଼ି ବାମପଟ ପାଦର ବୁଢ଼ାଆଙ୍ଗୁଳି ଲେଉଟି ପଡେ ଇତିଶ୍ରୀର ଓ ଟିଟି ନେବା ପାଇଁ ସେ ଗୋଟାଏ ଟାକ୍ସି ଡାକି ଏକୁଟିଆ ହସ୍ପିଟାଲ ଚାଲିଯାଏ । ଜୟନ୍ତ ବ୍ୟସ୍ତ ହୋଇ କ’ଣ ହେଇଛି ଜାଣିବା ପାଇଁ ଚାହିଁଲାରୁ ଇତିଶ୍ରୀ କହେ ଯେ ଏଇ ଛୋଟିଆ କଥାଟା ପାଇଁ ବ୍ୟସ୍ତ ହେବା ଦରକାର ନାହିଁ, ନିଜର କାମ ନିଜେ କରିବା ନ ଶିଖିଲେ ମୁଁ ଅଫିସ୍ ଚଳେଇବି କେମିତି । ତା’ପରେ ଜୟନ୍ତ ହସିଦେଇ ‘ଆଚ୍ଛା ଆଚ୍ଛା, ଠିକ୍ କଥା’ ବୋଲି କହେ ଓ ଜୟନ୍ତ ମୁରୁକି ହସେ ହାତ ହଲେଇ… ବାୟ… ବାୟ… କରି ଚାଲିଯାଏ ।
ଇତିଶ୍ରୀ ଦିନେ ଟ୍ରେନ୍ ଧରେ ଟ୍ରେନିଂ ନେବାକୁ ଯିବ ବୋଲି ଆଉ ଗୋଟିଏ ଦୂର ସହରକୁ ।
ଜୟନ୍ତକୁ ଜଣାଥାଏ କେଉଁଦିନ ସେ ଯାଉଛି, କିନ୍ତୁ ଏ ଦୁଇମାସ ଭିତରେ ଜଣାପଡ଼ିଯାଇଥାଏ ଯେ ଜୟନ୍ତ ହାତରୁ ଆର ଦୁଇଟା ଚାକିରି ବି ଯାଇଛି ।
ଇତିଶ୍ରୀ ଜଣେଇପାରେନା ଜୟନ୍ତକୁ ଯେ ସେ କେଉଁ ଟ୍ରେନ୍ରେ ଯାଉଛି ।
ଇତିଶ୍ରୀର ଟ୍ରେନ୍ ଛାଡିବା ବେଳେ, ଷ୍ଟେସନ ବାହାରେ ଗୋଟେ କଲଭର୍ଟ ଉପରେ ବସି ସିଗନାଲ ଆଲୁଅ ଦୂରରୁ ଦେଖୁଥିଲା ଜୟନ୍ତ ।
ମୁହଁ ସଂଜର ଅନ୍ଧାରରେ ଜୟନ୍ତ ପରିଷ୍କାର ଭାବରେ ଦେଖିପାରିଲା ଯେ ସିଗନାଲ ଖୁଣ୍ଟରେ ଦପ ଦପ ହୋଇ ଜଳୁଥିବା ନେଳି ଆଲୁଅ ଲିଭିଗଲାଣି ।
ଛାପିଛାପିକିଆ ଆଲୁଅ ପଡୁଛି ପାଖ ଦୋକାନ ସବୁରୁ ।
ଜୟନ୍ତର ଆଖି ସାମ୍ନାରେ ଭିନ୍ନ ଭିନ୍ନ ଟ୍ରେନ୍ରୁ ଭିନ୍ନଭିନ୍ନ ପ୍ରକାରର ଗହଳି ଓହ୍ଲେଇ, ଫ୍ଲାଇଓଭର ଟପି, ପ୍ଲାଟଫର୍ମରୁ ବାହାରି ମିଳେଇ ଯାଉଥାଆନ୍ତି ସହରର ରାସ୍ତାରେ ରାସ୍ତାରେ ।
ଆଜି କ’ଣ ବୋଉ ଠିକ୍ ସମୟରେ ଇନ୍ସୁଲିନ ଇଂଜେକ୍ସନ ନେଇନି ନା ଆଜି କିଛି ବ୍ରତ ପାଳି ଉପବାସରେ ଅଛି ବୋଉ, ଜୟନ୍ତକୁ ଶୀଘ୍ର ଶୀଘ୍ର ଚାକିରି ମିଳିଯାଉ ବୋଲି?
ଆଜି କ’ଣ ବାପା ବେଉଷଣ ହୋଇଥିବା କାଦୁଆ ବିଲକଡ଼ରେ, ବୁଢ଼ା ଜାମୁଗଛ ତଳେ ପଡ଼ିଥିବା ଚଟା ପଥରଟା ଉପରେ ବସି ଏବେବି ସୁଝା ହୋଇପାରୁନଥିବା ବ୍ୟାଙ୍କଋଣର ହିସାବ କରୁଛନ୍ତି !
ଏଇ ଏବେ ଏବେ ଛାତିଟା ଫାଟିଗଲା ଭଳି ଲାଗୁଛି ଜୟନ୍ତର । ଜୟନ୍ତର ଆଖିରୁ ଉଛୁଳି ଉଠୁଛି ବହଳିଆ ଲୁହ ଯେ ଲୁଣି ଚରିଯାଉଛି ଜୟନ୍ତର ଆଖିପତାରେ, ଓଠରେ, ଜିଭରେ, ଗଳାରେ, ଛାତି ପଞ୍ଜରାର ଫାଙ୍କରେ ଓ ଫୁସ୍ଫୁସ୍ ଭିତରେ ଦାନାଦାନା ହୋଇ । ତା’ ଦେହରେ ସବୁଠି କ୍ଷତ, ତା’ର ସବୁ କ୍ଷତରେ ଦାନ ଦାନା ଲୁଣ ।
କେଜାଣି କେତେ ସମୟ ଏମିତି ଏମିତି ଚାଲିଗଲା ।
ହଠାତ୍ ଜୟନ୍ତ ସଚେତନ ହେଲା ଯେ ପୁଣି ଗୋଟାଏ ଟ୍ରେନ୍ ଆସୁଛି ସେଇ ଦିଗରୁ, ଯେଉଁ ଦିଗଆଡ଼େ ଇତିଶ୍ରୀର ଗାଡ଼ି ତରତର ହୋଇ ଧାଇଁ ପଳେଇ ଯାଇଥିଲା କିଛି ଘଣ୍ଟା ଆଗରୁ ।
ପୁଣି ଥରେ ଧାତୁ, ସଂଘର୍ଷ, ଉତ୍ତାପ, ଆଲୋକ, ଶବ୍ଦ, କୋଳାହଳ ବାତ୍ୟା ପରି ପବନ ଓ ଆପେକ୍ଷିକ ଗତିର ଆପାତଃ ସ୍ଥିରତା । ଉପରକୁ ମଥାଟେକି ନିଜ ଗାଁ ଆଡର ଆକାଶ ଆଡେ ଚାହିଁଲା ଜୟନ୍ତ । ବୈଦୁ୍ୟତିକ ଆଲୋକର ପ୍ରାବଲ୍ୟ ହେତୁ ଏଇ ବିପଣୀମାଳା ବେଷ୍ଠିତ ସହର ମଥାନରେ ମ୍ଲାନ ଦିଶୁଛି ଅବଶ୍ୟ, କିନ୍ତୁ ତଥାପି ଜହ୍ନ ଅଛି ଆକାଶରେ ।
ଯାଆରେ ଇତିଶ୍ରୀ ଯାଆ… ଯାଆ… । ଶୁଭ ହେଉ ତୋର ନୂଆ ଜୀବନରେ ସବୁ କିଛି । ଯେଉଁଠି ବି ରହିବୁ ଭଲରେ ରହ ତୁ ।
ହାତ ଆଙ୍ଗୁଳିରେ ନିଜ ମୁଣ୍ଡର ଗହବା ବାଳକୁ ଶିରା ଶିରା କରି ଝାଡିଝୁଡି ହେଲା ଜୟନ୍ତ । କେବେଠୁ ଦେଖିନି ବାପାଙ୍କୁ, ବୋଉକୁ । ଏଇ ସପ୍ତାହରେ ଯିବି ନିଶ୍ଚୟ । ସେ ନିଜକୁ ନିଜର ନିଷ୍ପତ୍ତି ଶୁଣେଇଲା ।
ପକେଟ୍ରେ କିଛି ରେଜା ପଇସା ଝଣଝଣ ହେଉଛି । ଦୁଇମାସର ଟଙ୍କା ବାକି ଅଛି କୋଚିଂ ସେଣ୍ଟରରେ । କାଲି ଗଲେ ଆଣିବି, ସେ ଭାବିଲା ।
ବାଦାମଭଜା କିଣିଲା ଜୟନ୍ତ ଓ ବାଦାମଭଜା ସହିତ ଦୋକାନୀ ଦେଇଥିବା ଛୋଟିଆ କାଗଜ ମୋଡାରେ ଥିବା କଳାଲୁଣକୁ ଧରିଲା ଯତ୍ନରେ ଯେମିତି ସେତକ ଖସି ନଯିବ ହାତରୁ ।
ଅନେକ ରାସ୍ତା ଚାଲିବାକୁ ଅଛି ତା’ର । ଅନେକ କାମ ବାକି ଅଛି କରିବାକୁ । ନିଜର ଦାୟଦାୟିତ୍ୱକୁ ଚିନାବାଦାମର ଚୋପା ପରି ସେ ଫୋପାଡ଼ି ଦେଇପାରିବନି ଅଳିଆଗଦାରେ । ସତରେ ତା’ ହାତରେ ଏତେ ବେଳବି କାହିଁ ଯେ ସେ ଆବେଗର ଆବର୍ଜନାସବୁକୁ ଖେଳେଇ ଖେଳେଇ ଦେଖିବ ଓ ସେଇଥିରୁ ସୁଖ ପାଇବ!
କଲଭର୍ଟ ଉପରେ ବସି ବାଦାମ ଭଜା ତକ ଚୋବେଇ ସାରିଲା ପରେ ଝାଡିଝୁଡି ହୋଇ ଠିଆହେଲା ଜୟନ୍ତ । ଅନେକ ବେଳୁ ତାକୁ ଶୋଷ କରୁଥିଲା ବୋଲି ବୁଝିପାରି ସେ ପାଣିପାଉଚଟାଏ କିଣି ପିଇଲା ତା’ପରେ । ଏବେ ମେସ୍କୁ ଫେରିଯାଇ ଗାଧୋଇ ପଡ଼ିଲେ ଭଲ ଲାଗିବ । ରାତି ବାରଟା ଉପରେ ହେଲାଣି ଅବଶ୍ୟ । ଚଳିବ । ମେସକୁ ଫେରିଯିବା ପୂର୍ବରୁ ଜୟନ୍ତ ସେଇ ପାଖରେ ଥିବା ବୁକ୍ଷ୍ଟଲକୁ ଯାଇ ମାଗିଲା- ଦିଅ ଭାଇନା, ଏ ମାସର ଏମ୍ପ୍ଲୟମେଣ୍ଟ ନିଉଜ ଆଉ ଆଜିର ମାନେ ଆସନ୍ତାକାଲିର କ’ଣ ଖବରକାଗଜ ଅଛି ।
ୟୁ.ଏନ୍. କଲେଜ, ଅଡସପୁର, କଟକ