ଆଜିକାଲି କିଛିବି ଭଲ ଲାଗୁନି ମନୀଷାକୁ । ସବୁ ପ୍ରାପ୍ତି ଭିତରେ ବାହାରକୁ ପରିପୂର୍ଣ୍ଣ ଓ ସୁଖୀସୁଖୀ ଲାଗୁଥିବା ମଣିଷଟିଏ ଭିତରେ ଯେ ଥାଏ ଏତେ ରିକ୍ତତା, ଏତେ ଶୂନ୍ୟତା ତାହା ଯେମିତି ନୂଆ କରି ଅନୁଭବ କରୁଛି ସେ । ସଭିଙ୍କ ଆଗରେ ଖୁସିଥିବାର ଛଳନା ଓ ଅଭିନୟ କରିହୁଏ ସିନା ହେଲେ ଦେଖେଇହୁଏକି ମନ ଗହୀରର ଦୁଃଖ! ତା’ ଛାତିତଳେ ଥିବା ଅହଂକାରର ଦୁର୍ଗଟି କ୍ରମଶଃ ଦୋହଲୁଥିବାର ଅନୁଭବ କରୁଥିଲା ସିଏ, ଆତଙ୍କିତ ହୋଇପଡ଼ୁଥିଲା କାଳେ କୋଉ ମୁହୂର୍ତ୍ତରେ ତା’ ଭିତରର ସଶକ୍ତ ଓ ସୁରକ୍ଷିତ ସେଇ ଇମାରତଟି ଭୁଷୁଡ଼ି ପଡ଼ି ଯାଇପାରେ!
ନିରୋଳା ବେଳାରେ ସେ ବସି ରହୁଥିଲା ଚୁପ୍ଚାପ୍ । ତା’ ଦୁଇ ଆଖି ଛଳଛଳ ହେଇ ଯାଉଥିଲା ଲୁହରେ । କୋଉ କାମରେ ମନ ଲାଗୁନଥିଲା । କ୍ରମଶଃ ସେ ଖୁବ୍ ଏକୁଟିଆ ହେଇ ଯାଉଥିବାର ଅନୁଭବ ତା’ ଛାତିତଳ ଗୋପନ ଇଲାକାକୁ କୋରି ପକୋଉଥିବାର ଅଦୃଶ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ମନୀଷା । ଯନ୍ତ୍ରଟିଏ ପରି ସେ କାମ କରୁଥିଲା, ଅଫିସ୍ ଯାଉଥିଲା, ଅମିତଙ୍କର ଯାବତୀୟ କାମ କରୁଥିଲା । ଦୂର ସହରରେ ଚାକିରି କରୁଥିବା ପୁଅଝିଅ ଫୋନ୍ କଲେ ସ୍ୱାଭାବିକ ଢ଼ଙ୍ଗରେ କଥା ହେଉଥିଲା । ହେଲେ କେଜାଣି କାହିଁକି ସେ ଆଗପରି ସ୍ୱପ୍ନ ବିଭୋର ହେଇ ପାରୁନଥିଲା କି ପ୍ରାଣ ପ୍ରାଚୁର୍ଯ୍ୟରେ ଛଳଛଳେଇ ଯାଉନଥିଲା । ଅନ୍ୟମନସ୍କତା ଯୋଗଁ କେବେ ନିୟମିତ ମେଡିସିନ୍ ଖାଇବାକୁ ଭୁଲି ଯାଉଥିଲା ତ କେବେ ତରକାରିରେ ଲୁଣ/ହଳଦୀର ଭାଗମାପରେ ଭୁଲ୍ ହେଉଥିଲା । ସବୁବେଳେ କିଛି ଗୋଟେ ହରେଇବାର ଦୁଃଖରେ ଆଉଟପାଉଟୁ ହେଉଥିଲା ସେ । ହେଲେ ଭିତରର କ୍ରିୟାଶୀଳ ଅସହାୟତାକୁ ସେ ପ୍ରକାଶ କରି ପାରୁନଥିଲା କାହାରି ପାଖରେ ।
ଯାହା ଆଗରେ ପ୍ରକାଶ କରନ୍ତା ସେ’ତ ସତେ ଯେମିତି ଗୋଟେ ଭିନ୍ନ ଇଲାକାର ଲୋକ । କଥାକୁହା ହୃଦୟଟେର ଅଧିକାରୀ ଅମିତ୍ ଏବେ ପୁରା ଗୁମ୍ସୁମ୍ ଓ ଚୁପ୍ଚାପ୍ । କ’ଣ ହେଇଚି ତାଙ୍କର, କେଉଁ ଦୁଃଖରେ ସେ ଘାରି ହେଉଛନ୍ତି କିଛି ବୁଝି ପାରୁନି ମନୀଷା । ଏବେ ଭାବିବାକୁ ଖୁବ୍କଷ୍ଟ ହେଉଛି ଯେ ଅନେକ ବର୍ଷତଳେ କେବଳ ତାଙ୍କରି କଥା କହିବାର ଶୈଳୀରେ ଆକର୍ଷିତ ହେଇ, ଢ଼େର ବାଧା ବନ୍ଧନକୁ ବେଖାତିର କରି ଏଇ ଲୋକଟିର ପ୍ରେମରେ ବିଭୋର ହୋଇ ଶେଷରେ ସାରାଜୀବନ ତାଙ୍କରି ସହ କାଟି ଦେବାକୁ କଟାଳ କରି ଘରଲୋକଙ୍କୁ ପର କରିଦେଇଥିଲା । ସେଇ ପୁରୁଣା ଦିନମାନଙ୍କର କଥା ମନେ ପଡ଼ି ଭାରି ଛଟପଟ ଲାଗେ ତାକୁ ।
କାହିଁକି ଏମିତି ହେଲା ବୁଝିପାରେନି ମନୀଷା । ଆଗରୁ ଅନେକ କିଛି ତା’ର ନଥିବା ଭିତରେ ବି ଖୁବ୍ ଭରପୁର ଲାଗୁଥିଲା ତାକୁ । ନାହିଁ ନାହିଁର ସଂସାରରେ ଅମିତଙ୍କ ହାତରେ ହାତରଖି ସେଇ କଷ୍ଟକର ଦିନସବୁର ସାମ୍ନା କରୁଥିଲାବେଳେ ଅମିତଙ୍କ ପ୍ରେମରେ ଭିଜି ଏକ ଅନୁଭୂତ ଶିହରଣରେ ସେ ରୋମାଞ୍ଚôତ ହେଉଥିଲା । କେତେ କଷ୍ଟରେ ଲହୁଲୁହାଣ ହେଇ ପୁଅଝିଅଙ୍କୁ ପାଠଶାଠ ପଢ଼େଇ ସେମାନଙ୍କୁ ନିଜଗୋଡ଼ରେ ସେ ଠିଆ କରେଇଛି । ଖିଆଲି ଓ ଭାବପ୍ରବଣ ଅମିତଙ୍କର ଯନ୍ତ୍ରଣାଜର୍ଜ୍ଜର ସଂଘର୍ଷମୟ ଦିନମାନଙ୍କରେ ଭାଙ୍ଗି ନପଡ଼ି ବାସ୍ତବତାକୁ ସାମ୍ନା କରିବା ପାଇଁ ସଦାବେଳେ ତାଙ୍କୁ ଭରସା ଦେଇଛି । କାହାରି ଜୀବନର ଦୁଃଖମୟ ଅମାରାତି ଯେ ସେମାନଙ୍କ ପରି ଏତେ ଦୀର୍ଘ ଆଉ ଅସରା ହୋଇପାରେ ଏକଥା ମନେପଡ଼ିଲେ ଏବେବି ବିସ୍ମିତ ହୁଏ ସେ । ହେଲେ ସବୁ କିଟିମିଟିଆ ଦୀର୍ଘ ରାତିର ଶେଷରେ ଯେ ଏକ ସୁନେଲୀ ସୂର୍ଯେ୍ୟାଦୟ ଥାଏ – ଏଇ ଆତ୍ମ ପ୍ରତ୍ୟୟରେ ସେ ଅମିତଙ୍କ ମନକୁ ପ୍ରତି ମୁହୂର୍ତ୍ତରେ ଭରି ଚାଲିଥିଲା । ଶେଷରେ ଯୋଉଦିନ ତାଙ୍କ ଅନ୍ତହୀନ ପ୍ରତୀକ୍ଷା ପରେ ମେଘମୁକ୍ତ ହେଇଗଲା ତାଙ୍କର ସଂଶୟପୂର୍ଣ୍ଣ ଜୀବନ ଆକାଶ ସେଦିନ ସେ ତା’ ଖୁସିକୁ ପ୍ରକାଶ କରିବାର ଭାଷା ପାଇ ନଥିଲା ।
ସେ କଣ କେବେ ସ୍ୱପ୍ନରେ ବି ଭାବିଥିଲା ତା ହାତମୁଠାରେ ସୁଖ ଆଉ ଖୁସିର ମୁହୂର୍ତ୍ତମାନ ଛାଁ କୁ ଝରି ଆସୁଥିଲାବେଳେ ଅଦୃଷ୍ଟର ଇଙ୍ଗିତରେ ପୁଣିଥରେ ଏମିତି ଅସହାୟ ହେଇ ପଡ଼ିବ ବୋଲି! ତା’ର ଅଫୁରନ୍ତ ପ୍ରେମ ଆଉ ଭଲପାଇବା ଭିତରେ ବି ଏମିତି ବିମର୍ଷ, ଅନ୍ୟମନସ୍କ ପାଲଟି ପାରନ୍ତି ଅମିତ୍, ସେ କେବେବି ଭାବି ନଥିଲା । ଆଗରୁ ଅମିତ୍ ଥିଲେ ବୋହି ଯାଉଥିବା ବଣ୍ୟ ଝରଣାଟିଏ ପରି ପ୍ରାଣ ପ୍ରାଚୁର୍ଯ୍ୟରେ ଛଳଛଳ । ଶରତର ଆକାଶ ପରି ସଫା ସଫା । ମନରେ ଯାହା ଭାବିବେ ତାକୁ ନ କହିଲାଯାଏଁ ରହିପାରନ୍ତିନି ସେ । କେବେକେବେ ରାଗୁଥିଲା ସେ ଏଇଥିପାଇଁ ଯେ ତାଙ୍କ ପେଟରେ ବୁନ୍ଦାଏ ଲୁଣ ବି ମିଳେଇବନି, ତାଙ୍କର ଏଇ ପ୍ରଗଳ୍ଭପଣ ଯୋଗୁଁ ସେ ଯେତେ ବିରକ୍ତ ହେଲେ ବି ଅମିତ୍ ହସି ଦିଅନ୍ତି ତାଙ୍କ ସ୍ୱଭାବ ସୁଲଭ ଢ଼ଙ୍ଗରେ କଥାଟି କହିଦେଇ । ତାକୁ ସେତେବେଳେ ଲାଗୁଥିଲା ଯେମିତି କଥା ନ କହିଲେ ବଞ୍ଚି ପାରିବନି ଲୋକଟା! ଆଗରୁ ଦିନେ ଦିନେ ରାତିରେ ତ ଅମିତଙ୍କ କଥା ଶୁଣୁଶୁଣୁ ପାହାନ୍ତି ପହରର କୁଆ କୋଇଲିଙ୍କ ରାବ ଶୁଭୁଥିଲା, ସକାଳୁ ଦର୍ପଣରେ ନିଜର ନିଦୁଆ ନିଦୁଆ ମୁହଁ ଦେଖି ନିଜେ ଲାଜେଇ ଯାଉଥିଲା ସେ । ହେଲେ କୋଉଠି ହଜିଗଲା ସେଇ କଥାକୁହା ମଣିଷଟି! କେମିତି ବଦଳିଗଲେ ଏମିତି- ଭାବିଲେ କିଛି କୂଳ କି ଥଳ ପାଏନି ମନୀଷା । ନିଜ ମନକୁ ଯେତେ ବୁଝେଇବାକୁ ଚେଷ୍ଟା କଲେବି ବୁଝେଇ ପାରେନି । ବେଳେବେଳେ ସେ ନିଜ ଉପରେ ରାଗେ ତ ଆଉକେବେ ଅଭିମାନ ଆସେ, ଆଉ କେବେ ସେ ରାଗରେ ଥରିଯାଏ । ମୁହଁ ଲାଲ୍ ପଡ଼ି ଗମ୍ ଗମ୍ ଝାଳରେ ଗୋଟିପଣେ ଗାଧୋଇ ପଡ଼େ ସେ ।
ଅଥଚ ତା’ର ରାଗ, ଅଭିମାନ, ନିରବତା- ଏସବୁକୁ ପରୁୱା ନକରି ଅମିତ୍ ଥାଆନ୍ତି ସେମିତି ନିର୍ଲିପ୍ତ ଓ ଚୁପ୍ଚାପ୍, ତା’ର ଯାବତୀୟ ପ୍ରଶ୍ନକୁ ଆଡ଼େଇ ଦେଇ ଘର ଆଗ ଲନ୍ରେ ଚେୟାରଟିଏ ପକେଇ ସେମିତି ଉଦାସ ଦୃଷ୍ଟିରେ ଚାହିଁଥାନ୍ତି ଆକାଶର ନୀଳିମା କି ମେଘ ଉହାଡ଼ରେ ଲୁଚକାଳି ଖେଳୁଥିବା ଜହ୍ନ ଆଡ଼କୁ । କଣ ଖୋଜୁଥାନ୍ତି କେଜାଣି ସେ ଯେତେ ଯାହା ପଚାରିଲେ ବି କିଛି ଉତ୍ତର ପାଏନି ତାଙ୍କ ଠାରୁ ମନୀଷା । ଆହୁରି ଚିଡ଼ି ଉଠେ ସେ । ଅନବରତ କଥା କହୁଥିବା, ମୋବାଇଲରେ ଗପୁଥିବା ଲୋକଟି କେମିତି ଏକାଥରେ ଚୁପ୍ ହେଇଗଲେ ଭାବେ ତ ମନୀଷା ଛଟପଟ ହୁଏ ନିଜ ଭିତରେ । ବେଳେବେଳେ ଅମିତ୍ଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୁଏ, ତାଙ୍କ ତଣ୍ଟି ଶୁଖି ଅଠା ଅଠା ହେଇଯାଏ, ଚେୟାରରୁ ଉଠିଯାଇ ଛାତି ତଳେ ତକିଆଟିଏ ଚାପିଧରି ଝାଳରେ ଗୋଟାପଣେ ଗାଧେଇ ଶୋଇରହନ୍ତି, ପଚାରିଲେ କିଛି କହନ୍ତିନି । କିଛି ସମୟପରେ ଯନ୍ତ୍ରଣା କମିଗଲେ ଉଠି ଢ଼କ ଢ଼କ କରି ଥଣ୍ଡା ପାଣି ଗ୍ଲାସେ ପିଇ ଦେଇ ପୁଣି ଚାଲିଯାନ୍ତି ତାଙ୍କ ବସିବା ଯାଗାକୁ । ଅଥଚ ଯେତେଥର ଜିଦ୍ କଲେ ବି ଡାକ୍ତରଙ୍କ ପାଖକୁ ଯାଇ ଚେକ୍ଅପ୍ କରାଇ ଆସିବାକୁ, ଅମିତ୍ କାନ ଦିଅନ୍ତିନି ସେ କଥାରେ । କେବେ କେମିତି ଚିହ୍ନା ଡାକ୍ତରଙ୍କ ଠାରୁ ପଚାରି ଟାବ୍ଲେଟ୍ ଦି’ଟା ଆଣି ଖାଆନ୍ତି ଓ ପୁଣି ମଝିରେ ମଝିରେ ସେମିତି ଛାତି ଯନ୍ତ୍ରଣାରେ ଜର୍ଜରିତ ହୁଅନ୍ତି । ଆଖିରୁ ଝରି ଆସୁଥିବା ଲୁହକୁ ନିରବରେ ପୋଛିଦେଇ ମନୀଷାକୁ ଆଡ଼େଇ ଦେଇ ଉଠିଯାଆନ୍ତି ଅମିତ୍ ।
ସେ ନେହୁରା ହେଇ କହେ, ତମ ଛାତି ତଳର ଅକୁହା କଥା ସବୁକୁ ଖୋଲି ଦେଉନ ମୋ ସାମ୍ନାରେ, ଦେଖିବ ହାଲ୍କା ଲାଗିବ ତୁମକୁ । ଅମିତ୍ ଉଦାସ ସ୍ୱରରେ କହନ୍ତି, କିଛି କହିବାକୁ ଥିଲେ ତ କହିବି, ତମେ କଣ ସନେ୍ଦହ କରୁଚ ମୋତେ ଅନେକ କଥା ତୁମକୁ ମୁଁ ଲୁଚୋଉଚି ବୋଲି! ମନୀଷା ପାଖରେ ଶବ୍ଦ ନିଅଣ୍ଟ ହୁଏ । ବାଧ୍ୟ ହେଇ ସେ ଚୁପ୍ ହେଇଯାଏ । ଆଉ କେବେ କାନ୍ଦ କାନ୍ଦ ହୋଇ ସେ କହେ- ଏୟ! ଚାଲ ମୋ ସହ କୋଉ ସାଇକିଆଟି୍ରଷ୍ଟଙ୍କୁ ଟିକେ ଦେଖେଇବା । ସେ କଥାକୁ ଅଶୁଣା କରିଦେଇ ଅମିତ୍ କହନ୍ତି- ତମେ ବ୍ୟସ୍ତ ହୁଅନି ଜମ୍ମା । ମୋର କିଛି ବି ହେଇନି । ବଳେବଳେ ମୁଁ ଠିକ୍ ହେଇଯିବି ଯେ । ମନୀଷା ଅଭିମାନ କରେ ନିଜ ଉପରେ । ନିୟମିତ ଖିଆପିଆ କରେନି । ନିଜ ସ୍ୱାସ୍ଥ୍ୟର ଯନô ନିଏନି । ଦେହ ଭଲ ନ ଲାଗିଲେ ବି କିଛି କହେନି ଅମିତ୍ଙ୍କୁ ।
ଆଗରୁ ଟିକିନିଖି ତା’ କଥା ପଚାରି ବୁଝୁଥିବା ଅମିତ୍ ମଧ୍ୟ ଆଜିକାଲି ତାକୁ କିଛି ପଚାରନ୍ତିନି ବା ତା’ ପାଇଁ ବ୍ୟସ୍ତ ହୁଅନ୍ତିନି । ଭିଷଣ କଷ୍ଟ ହୁଏ ତାକୁ ଅମିତ୍ଙ୍କର ଏ ଅବହେଳା, ନିରବରେ ସେ ଲୁହ ଗଡ଼ାଏ ସିନା ପୁଣି କେଇକ୍ଷଣ ପରେ ନିଜ ମନକୁ ବୁଝେଇ ସ୍ୱଭାବିକ ହେବାକୁ ଚେଷ୍ଟା କରେ । ହେଲେ ବାରମ୍ବାର ହାରିଯାଏ ନିଜ ପାଖରେ । ଆକୁଳ ସ୍ୱରରେ ଅମିତ୍ଙ୍କୁ କହେ- ‘ନିଜ ମନକଥା ଓ ସୁଖଦୁଃଖକୁ ବାଣ୍ଟିବା ପାଇଁ ତମର ସିନା ଆହୁରି କେତେକିଏ ଅଛନ୍ତି, ମୋର ଆଉ କିଏ ଅଛି କହିଲ ତମ ଛଡ଼ା! ମୋତେ ବିଶ୍ୱାସ କର, ଆଗଠାରୁ ମୁଁ ତମକୁ ଆହୁରି ବେଶି ଭଲପାଏ, ଭଲମନ୍ଦ କଥା ଦି’ପଦ ହେବାକୁ ତମ ଛଡ଼ା ଆଉ କେହି ନାହିଁ ମୋର । ତା’ର ଏ ଆକୁଳ ଆର୍ତ୍ତିରେ ଚିଡ଼ି ଉଠନ୍ତି ଅମିତ୍ । ‘ତମେ ଆଜିକାଲି ଖୁବ୍ ଅବିଶ୍ୱାସ କରୁଚ ମୋତେ, ତମ ମନରେ ଥରେ ସନେ୍ଦହ ପ୍ରବେଶ କରିଚି ମାନେ ତାହା ବଢ଼ି ବଢ଼ି ଚାଲିବ ସିନା ଆଉ କେବେ କମିବନି ।” କାନ୍ଦକାନ୍ଦ ସ୍ୱରରେ ମନୀଷା କହେ, ‘କାହିଁକି ତୁମକୁ ସନେ୍ଦହ କଲି ସେ ବିଷୟରେ ଭାବିଛ! ମୋ ନିରୀହପଣକୁ ନେଇ ବାରମ୍ବାର ଆଘାତ ଦେଇ ଚାଲିଚ ତୁମେ । ତମେ ନିରବତାର ପ୍ରତିଶୋଧ ନେଇ ମୋତେ ବାରମ୍ବାର ଡରେଇ ଚାଲିଛ ।’ ତା’ ପାଟିରୁ କଥା ନ ସରୁଣୁ ରାଗରେ ଥରି ଉଠନ୍ତି ଅମିତ୍ । ତାଙ୍କ ମୁହଁର ଭଙ୍ଗୀ ଏମିତି ବଦଳିଯାଏ ଯେ ମନୀଷା ଚାହିଁ ପାରେନି ତାଙ୍କ ମୁହଁକୁ । “ଏଡିକି ନୀଚ ତମେ, ଏତେ ଇତର ଓ କୁତ୍ସିତ ତମର ଭାବନା! ମୁଁ ତ ଭାବି ପାରୁନି କେମିତି ଆମେ ଏତେବର୍ଷ ଏକାଠି କଟେଇଲେ, ଅମିତ୍ଙ୍କ କଥା ଶୁଣୁଶୁଣୁ ସେ ଯୋଡ଼େ- ‘ମୁଁ ବି ତ ଠିକ୍ ସେଇୟା ଭାବୁଚି । ତା’ପରେ ସେ ଆଉ ଯାହା ଯାହା କହିବାକୁ ଭାବୁଥାଏ ସେ କଥା ଶୁଣିବାକୁ ଘରେ ଆଉ ଅମିତ୍ ନଥାନ୍ତି, ଦୁମ୍ଦୁମ୍ ପାଦ ପକେଇ ଚାଲି ଯାଆନ୍ତି ବାହାରକୁ । ତା’ ମନ ବିଳପି ଉଠେ କରୁଣ ଅସହାୟତାରେ ।
ଘରେ ସବୁ ଦି’ଟା ଲୋକ ରହୁଥିଲାବେଳେ, ଏଇମିତି ଗୁମ୍ସୁମ୍ ଭାବେ ଦିନ ପରେ ଦିନ, ମାସ ପରେ ମାସ, ବେଶ୍ କିଛି ମାସ ବିତିଲା ପରେ କେମିତି ବା ଆଉ ସହିପାରିଥାନ୍ତା ମନୀଷା! ତା’ର ବିଦ୍ରୋହୀ ନାରୀତ୍ୱ ଗୁମୁରି ଉଠେ । ହେଲେ ସେମିତି ନିର୍ଲିପ୍ତ ଓ ନିର୍ବିକାର ଥାଆନ୍ତି ଅମିତ୍ । ଅନ୍ୟମନସ୍କ ଭାବେ ସେ ଯେମିତି ବିଚରଣ କରୁଥାନ୍ତି ତାଙ୍କ ସ୍ୱପ୍ନର ଆଉ କେଉଁ କଳ୍ପିତ ଇଲାକାରେ । ତା’ ପ୍ରତି ଏତେ ଅବହେଳା ଜମ୍ମା ସହିପାରେନି ସେ । ନିରବରେ ଲୁହ ଝରାଏ, ଟି.ଭି. ଦେଖେ ଅନ୍ୟମନସ୍କ ଭାବେ, ବହି ପଢ଼େ । ଶୀଘ୍ର ଅଫିସ୍ ବାହାରିଯାଇ ଡେରିରେ ଫେରେ, କେବେ ଖାଏ ତ କେବେ ଖାଇବାକୁ ତା’ର ଇଚ୍ଛା ହୁଏନା । ପ୍ରତିଟି ମୁହୂର୍ତ୍ତରେ ସେ ଭାବେ ତା’ର ଏଇସବୁ ବ୍ୟତିକ୍ରମକୁ ଲକ୍ଷ୍ୟ କରନ୍ତେ ଅମିତ୍ । ତାକୁ କିଛି ପଚାରନ୍ତେ ଅବା ବିରକ୍ତ ହୁଅନ୍ତେ! ମାତ୍ର ସେପରି କିଛି ଘଟେନା । ତା’ ପ୍ରତି ଜମାରୁ ଲକ୍ଷ୍ୟ ନଥାଏ ଅମିତ୍ଙ୍କର । ସେ ଥାଆନ୍ତି ତାଙ୍କ ନିଜସ୍ୱ ଗୋପନ ଇଲାକାରେ, ତାଙ୍କ ଭାବ ରାଇଜରେ ଯାହା ଭିତରକୁ କେବେ ପ୍ରବେଶ କରିପାରେନା ସେ ।
କୋଉଠୁ ଏମିତି ବ୍ୟତିକ୍ରମ ଆରମ୍ଭ ହେଲା ଅମିତ୍ଙ୍କର, ଭାବିହୁଏ ମନୀଷା, ଭାବିବାକୁ ତାଙ୍କୁ କଷ୍ଟ ହୁଏ, କିଛି ବି କୂଳ କିନାରା ପାଏନା । ସିଏ ନିଜେ ଆମନ୍ତ୍ରି ଆଣିନାହିଁ ତା’ ଦୁଃସ୍ଥିତିକୁ, ନିଜକୁ ପ୍ରଶ୍ନ କରେ । ମୂଳରୁ ନିଜ ଘର କାମ ନିଜେ କରିବାରେ ଅଭ୍ୟସ୍ତ ଥିଲା ସେ । କାମବାଲୀଙ୍କ ଉପରେ କେବେ ତା’ର ଭରସା ନଥିଲା । ଯାହା ତ କାମ କରିବେ ପୁଣି ଆସିବେ ନିଜ ମର୍ଜ୍ଜିରେ । ତାଙ୍କ ପଡ଼ିଶା ରୀନା ଭାଉଜଙ୍କୁ କେତେଥର କାମବାଲୀଙ୍କୁ ଚାହିଁ ବସିବାର ଦେଖି ମନେ ମନେ ବେଶ୍ ଆତ୍ମସନ୍ତୋଷ ପାଉଥିଲା ମନୀଷା । ପୁଣି ତାଙ୍କର କେତେ ବା କାମ! ଘର ଓଳା ପୋଛା, ବାସନ ମଜା ଆଉ ଲୁଗା କଚାକୁ ଛାଡ଼ିଦେଲେ ଆଉ କି କାମ ତାଙ୍କର! ସେଥିରେ ପୁଣି ୱାସିଂମେସିନ୍ ଅଛି ଘରେ । ତା’ ପାଲଟାଲୁଗା ଆଉ କେହି ଧୋଇଲେ କି ଅଇଁଠା ବାସନ ଆଉ କେହି ମାଜିଲେ ସେ ଯେମିତି ପସନ୍ଦ କରେନି, ସେମିତି ବି ତାକୁ ଭଲ ଲାଗେନି ସକାଳର ବାସି ବିଛଣା ଉଠୁ ଉଠୁ ଘର ଝାଡ଼ୁ ମରାନହେଲେ । କୋଉ କାମବାଲୀ ବା ଏତେ ସକାଳୁ ଆସିବ! ଅଗତ୍ୟା ମନୀଷା ଏତକ କାମ ନିଜେ କରିନେବାର ନିଷ୍ପତ୍ତି ନେଇଥିଲା । ହେଲେ ଏବେ ବର୍ଷେ ଦି’ବର୍ଷ ହେଲା ତା’ର ରୁ୍ୟମାଟିକ୍ ସମସ୍ୟା ଆରମ୍ଭ ହେଲାପରେ କେବଳ ଯାହା ଅସୁବିଧା ହେଉଥିଲା ପ୍ରତିଦିନ ଘର ମାର୍ବଲ ଚଟାଣ ସଫା କରିବାରେ । ତଥାପି ବି ସେ ପ୍ରତିଦିନ ବଦଳରେ ସପ୍ତାହରେ ଦୁଇ ତିନିଥର ଘର ପୋଛୁଥିଲା ତା’ର ଯୁକ୍ତିଥିଲା ଯଥାସମ୍ଭବ ଘରକାମ ନିଜେ କଲେ କିଛିଟା ଶାରୀରିକ ବ୍ୟାୟାମ ହେବା ସହ ତା’ ଶରୀରର କ୍ରମବର୍ଦ୍ଧିଷ୍ଣୁ ଚର୍ବିର ପରିମାଣ କିଛି କମିଯିବ ତା’ଛଡ଼ା କାମବାଲୀମାନେ ପ୍ରାୟତଃ ଏତେ ଅଧିକା କଥା କହନ୍ତି ଯେ ଜମା ସହି ପାରେନି ସେ । ଦୁନିଆ ଯାକର ଖବର ଥିବ ତାଙ୍କ ଜିଭ ଆଗରେ । ବିଶେଷତଃ ସେମାନେ କାମ କରୁଥିବା ଘର ମାନଙ୍କର ଗୁମର । ତୁମେ ପଚାର କି ନପଚାର ସେମାନେ ସେକଥା ବଖାଣିବେ ମନକୁ ମନ । ନିଜ ଘରର ଗୋପନୀୟତା ଆଉ କେହି ଜାଣୁ ଏକଥା ପସନ୍ଦ କରେନି ମନୀଷା ।
ଅଥଚ କ୍ରମଶଃ ତା’ ହାତ ଗୋଡ଼ର ଗଣ୍ଠି ବେଶି ବେଶି ଦରଜ ଲାଗୁଥିଲା ନିୟମିତ ଔଷଧ ଖାଇବା ସତ୍ତ୍ୱେ । ଅଗତ୍ୟା ଅମିତ୍ଙ୍କ ପ୍ରସ୍ତାବରେ ସେ ରାଜିହେଲା । କେବଳ ଘରର ଚଟାଣ ପୋଛିବା ପାଇଁ ଜଣେ କାମବାଲୀ ଆସିବ ବହୁତ ଭାବିଚିନ୍ତି ସେ ପାଖଘରେ କାମକରୁଥିବା ମଧ୍ୟବୟସ୍କା ଆପାତତଃ ମାର୍ଜିତ ବେଶଭୂଷା ସଂପନ୍ନା ସ୍ତ୍ରୀ ଲୋକଟି ସହ କଥା ହେଇ ତାଙ୍କ ଘରେ କାମ କରିବାକୁ ଠିକ୍ କରିଥିଲା । କାମକୁ ଆସିବା ପରେ ମନୀଷା ଲକ୍ଷ୍ୟ କରେ, ବିଶେଷ ଦରକାର ନଥିଲେ ସେ କଥା ହୁଏନି । କାମସାରି ଗଲାବେଳେ ଆଉ କିଛି ଦରକାର କି ପଚାରି ଦେଇ ନିରବରେ ଅପସରି ଯାଏ । ଆସ୍ତେ ଆସ୍ତେ ତା’ର ସଂଭ୍ରମପଣ ଓ ରୁଚିଶୀଳତାରେ ମନୀଷା ଆକର୍ଷିତ ହୋଇଥିଲା । କାମ ସାରି ଚା’ ପିଇଲା ବେଳେ କେବେ କେବେ ମନୀଷା ତାକୁ ନିଜ ଆଡ଼ୁ ତା’ ସ୍ୱାମୀ/ପରିବାର ବିଷୟରେ କିଛି ପଚାରିଲେ ସଂକ୍ଷେପରେ ଉତ୍ତର ଦିଏ ସେ । କିଛି ଦିନର ଆଳାପ ପରେ ମନୀଷା ଜାଣିଲା ଯେ ସେ ସ୍ତ୍ରୀ ଲୋକଟିର ବାପଘର ତା’ ବାପଘର ପାଖ ଗାଁରେ ।
କେବେ କେବେ ତା’ ଦେହ ଭଲ ନଥିଲେ ସାଂଗରେ ଆଣୁଥିଲା ତା’ ଝିଅକୁ । ପ୍ରଥମେ ଯୋଉଦିନ ତା’ ଝିଅକୁ ଦେଖିଲା, ଚମକି ପଡ଼ିଥିଲା ସିଏ ଖତ ଗାଡ଼ିଆରେ ପଦ୍ମ! ତା’ର ମନଜିଣା ରୂପ ସାଙ୍ଗକୁ ମା’ଠାରୁ ଆହୁରି ମାର୍ଜିତ ଓ ଚୁପ୍ଚାପ୍ ଗୁଣ ଆକୃଷ୍ଟ କରିଥିଲା ତାକୁ । ମା’ର ନିଦେ୍ର୍ଦଶ ମତେ ସେ କରିଯାଉଥିଲା ଗୋଟିକ ପରେ ଗୋଟିଏ କାମ । ଓଦା କପଡ଼ାରେ ଚଟାଣ ପୋଛିଲା ପରେ ପତଳା ସଫା ଲୁଗା ଖଣ୍ଡେ ଧରି ଘଷି ଘଷି ଚିକ୍ ଚିକ୍ କରୁଥିଲା । ତା’ପରେ ଫୁଲ୍ସ୍ପିଡ୍ରେ ଫ୍ୟାନ୍ ଘୁରେଇ ଘର ପୂରା ଶୁଖିଗଲେ ମନେକରି ପୁଣି ଫ୍ୟାନ ସୁଇଚ୍ ଅଫ୍ କରୁଥିଲା । ଏମିତି ମଝିରେ ମଝିରେ ସେ ଆସୁଥିଲା ତା’ ମାଆ ସହିତ । ଦିନେ ସେଇ ଝିଅକୁ ସାଙ୍ଗରେ ଆଣି ତା’ ମା’ କହିଲା – ଦିଦି, ଆଉ ଦି’ ଘର କାମ ଧରିଚିତ ଏକା ଏକା ପାରୁନି । ଆଜିଠୁ ରୁନି ପାଇଟି କରିବ ତୁମ ଘରେ । ସିଏ ନିଜେ ବି କହିଲା, କହିବୁ ଯଦି ସେଇ ବାବୁ ମାଆଙ୍କ ଘରେ ଯାଇ କାମ କରିଦେବି । ଆଉ କାହା ଘରକୁ ଡାକିବୁନି ମୋତେ । କଥାଟା ଶୁଣି ମନୀଷା ହସିଦେଇଥିଲା ଟିକେ । ଆଉ ସେଇଦିନ ଠାରୁ ତା’ ମାଆ ବଦଳରେ ରୁନି ନିୟମିତ ଆସୁଥିଲା ତାଙ୍କ ଘରକୁ । ଘର ପୋଛିଲା ପରେ ବି ଆଉ କିଛି ଛୋଟ ଛୋଟ କାମ ଜୋର୍ କରି ସେ କରିଦେଉଥିଲା । ଦିନେଦିନେ ସେ ବରାଦ କଲେ ଚା ଦି’କପ୍ କରି ଦେଉଥିଲା ସେମାନଙ୍କ ପାଇଁ ବଢ଼ିଆ ଚା’ କରୁଥିଲା ରୁନି । ଚା, ଚିନି, କ୍ଷୀର ସବୁର ଭାଗମାପ ଏକଦମ୍ ପର୍ଫେକ୍ଟ । ଅମିତ୍ ଭାରି ତାରିଫ୍ କରୁଥିଲେ ରୁନିର ଚା’କୁ । ବେଶି ପ୍ରଶଂସା କଲେ ମନେ ମନେ ଚିଡ଼ି ଯାଉଥିଲା ମନୀଷା ।
ଦିନେ ରୁନୀ କହିଲା- ଜାଣିଚ ମା’! ମୋ ମାଆ ମୋତେ ନିଏନା ସେ କାମ କରୁଥିବା ଆଉ କାହା ଘରକୁ । ଗୋଡ଼େ ଗୋଡ଼େ ଜଗିଥାଏ ମୋତେ । କେଜାଣି କେମିତି ସାଙ୍ଗରେ ଡାକିଲା ତମ ଘରକୁ । ଯୋଉ ଦିନ ତୁମ ଘରେ ମୋ କାମ କରିବାକୁ କଥା ମୋତେ ଘରେ ଯାଇ କହିଲା- ଯାଅ । ଏଙ୍କ ଘର କାମ ତୋତେ ଭଲ ଲାଗିବ । ଏ ବାବୁ ମାଆ ବି ଆଉ ମା’ମାନଙ୍କଠାରୁ ଭିନ୍ନେ । ତୋତେ କିଛି ଅଡ଼ୁଆ ଲାଗିବନି । ମା’ ଠିକ୍ ଠଉରେଇ ଥିଲା । ଏଠି କାମ କଲେ ମୋତେ ନିଜଘର କାମ କଲାଭଳି ଲାଗୁଛି । ତମେ ଓ ବାବୁ ସତରେ ଭାରି ଭଲ । ତା’ କଥାର ଗତି ବଦଳେଇବାକୁ ମନୀଷା ତାକୁ ଟେବୁଲ୍ ପୋଛିବାକୁ କହିଲା । ରୁନି ଉଠିଗଲା । ସେ କିଛି କାମରେ ବ୍ୟସ୍ତ ଥିଲେ ବେଳେବେଳେ ଚଷମା କି ପେପର ନେଇ ଅମିତ୍ଙ୍କୁ ବଢ଼େଇ ଦଉଥିଲା ରୁନି, ଅମିତ୍ କିଛି ପଚାରିଲେ ଧଳା ଧଳା ଦାନ୍ତ ଦେଖେଇ ଫିକ୍କିନା ହସିଦେଇ ଥିରିଥିରି ଉତ୍ତର ଦେଉଥିଲା । ରୁନି ପ୍ରତି ଅମିତ୍ କ୍ରମଶଃ ସମ୍ବେଦନଶୀଳ ହୋଇ ପଡ଼ୁଥିବାର ଲକ୍ଷ୍ୟ କରୁଥିଲା ମନୀଷା । ତା’ ଆସିବା ଟିକେ ଡେରି ହେଲେ ଅମିତ ଘର ବାହାର ହୋଇ ଇତଃସ୍ତତ ବିଚରଣ କରୁଥିଲେ । ତାକୁ ଲାଗୁଥିଲା ଯେମିତି ସେ ଅଧୀର ହୋଇ ପଡ଼ୁଛନ୍ତି ରୁନୀକୁ ଟିକେ ଦେଖିବା ଲାଗି । ସତରେ ଗୋଟେ ଅଦ୍ଭୁତ ଆକର୍ଷଣ ଅଛି ରୁନି ମୁହଁ, ଚେହେରା ଓ କଥାରେ । ଖାଲି ଅମିତ୍ କାହିଁକି ଯେ କୌଣସି ଲୋକ ଘାରିହେବାକୁ ବାଧ୍ୟ ହେବ ଥରୁଟେ ତା’ ନିକଟ ସଂସ୍ପର୍ଶରେ ଆସିଲା ପରେ କି କଥା ହେଲା ପରେ । ସହଜେ ତ ଭାବପ୍ରବଣ ମଣିଷଟିଏ ଅମିତ୍ ଭାବି ମନକୁ ସେ ବୁଝେଇ ଦେଉଥିଲା । ହେଲେ ରୁନିକୁ ଦେଖୁଦେଖୁ ସେ ଯେମିତି ଖୁସିରେ ଛଳଛଳ ହେଇଯାଉଥିଲେ ଅମିତ୍ଙ୍କ ଅଲକ୍ଷ୍ୟରେ ତାହା ଲକ୍ଷ୍ୟ କରି କୋରି ହେଇଯାଉଥିଲା ତା’ ହୃଦୟ । କାଳେ କ’ଣ ଭାବିବେ ବୋଲି ମୁହଁ ଖୋଲି ସେ କିଛି କହିପାରୁନଥିଲା ଅମିତ୍ଙ୍କୁ । ମାତ୍ର ରୁନି ଭିତରେ ସେ କେବେବି ଲକ୍ଷ୍ୟ କରୁନଥିଲା କୌଣସି ବ୍ୟତିକ୍ରମ । ତା’ର ନିରୀହ ହସ ଓ ସ୍ୱାଭାବିକ ଚାଲିଚଳଣରେ ସେ ପୁଣି ଭୁଲିଯାଉଥିଲା ସବୁକିଛି ।
ମନୀଷା ଲକ୍ଷ୍ୟ କରୁଥିଲା, ବଦଳି ଯାଇଥିଲା ରୁନି ଆସିବାର ସମୟ ଏଣିକି ସେ ଆସୁଥିଲା ପ୍ରାୟ ସିଏ ବାଥରୁମ୍ରେ ପଶିବା ପରେ, ନିତ୍ୟକର୍ମ ସାରି ବାହାରିଲା ବେଳକୁ ସୁନାଝିଅଟେ ପରି ସେ ତା’ କାମ କରୁଥିଲା । ପଚାରିଲେ କହୁଥିଲା ରୋଗୀଣା ବାପା କଥା ବୁଝି ଆସିଲା ବେଳକୁ ତା’ର ଡେରି ହେଇଯାଉଚି । ଅନେକ ଦିନରୁ ଏକ ନିର୍ଦ୍ଦିଷ୍ଟ ସମୟରେ ନିତ୍ୟକର୍ମ ସାରିବା ଥିଲା ମନୀଷାର ଅଭ୍ୟାସ । ଥରେ ବାଥରୁମ୍ରେ ପଶିଲେ ବାହାରିବାକୁ ତାକୁ ଅଧଘଣ୍ଟେରୁ କମ୍ ସମୟ ଲାଗୁନଥିଲା । ସେ ବାଥ୍ରୁମ୍ରେ ଥିଲାବେଳେ ଅମିତ୍ କ’ଣ କଥା ହେଉଥିବେ କି ରୁନି ସହ! ଏଣୁତେଣୁ କଥା ପଚାରି ତା’ ସହ ବଢ଼ାଉଥିବେ କି ଆତ୍ମୀୟତା । ଏମିତି ନାନା ଚିନ୍ତା ତା’ ମୁଣ୍ଡକୁ ଆସିଲେ ବି ସେ କିଛି ଭରସିକି ପଚାରି ପାରୁନଥିଲା ଅମିତ୍ଙ୍କୁ । ହେଲେ ଯୋଉଦିନ ଚା’ ପିଇଲାବେଳେ ସେ କହିଲେ, ଏୟ, ବୁଝିଲ, ରୁନିଟା ସତରେ ଖୁବ୍ ଭଲ ଝିଅ, ମନୀଷା କିଛି ପ୍ରତିକ୍ରିୟା ପ୍ରକାଶ କରିନଥିଲା ସିନା ତା’ ଛାତିରେ ପିନ୍ କଣ୍ଟାଟେ ଫୋଡ଼ି ହୋଇଗଲା ଭଳି ସେ ଅନୁଭବ କରିଥିଲା ।
ଆଗ ଠାରୁ ଅପେକ୍ଷାକୃତ ଭଲ ଡ୍ରେସ୍ ପିନ୍ଧି, ନୂଆ ନୂଆ ଢ଼ଙ୍ଗରେ ମୁଣ୍ଡ କୁଣ୍ଢେଇ ରୁନି ଆସୁଥିବାର ଲକ୍ଷ୍ୟ କଲେ ବି ସେ କିଛି କହିପାରୁନଥିଲା । ମନକୁ ବୁଝେଇ ଦଉଥିଲା – ଗରୀବ ଘରେ ଜନ୍ମ ନେଇଛି ବୋଲି ତା’ ପରି ନହୁଲୀ ବୟସର ଝିଅଟିର ମନ କ’ଣ ମରିଯିବ! ବରଂ ଅଯଥାରେ ଅମିତ୍ଙ୍କୁ ସନେ୍ଦହ କରୁଚି ବୋଲି ନିଜ ମନକୁ ସେ ବୁଝୋଉଥିଲା । ମାତ୍ର ପର କ୍ଷଣରେ ଅମିତଙ୍କର ଉଦାସିଆ ଚେହେରା ଓ ଅନ୍ୟମନସ୍କତାକୁ ଦେଖି ନିଜ ଭିତରେ ସେ ମୃଦୁ କମ୍ପନ ଅନୁଭବ କରୁଥିଲା । ଯୋଉଦିନ ରୁନି ହାତରେ ମୋବାଇଲଟିଏ ଦେଖିଲା ସେଦିନ ଆଉ ନିଜର ଆବେଗ ସେ ଲୁଚେଇ ପାରିନଥିଲା । ପଚାରିଥିଲା, ‘କିଲୋ! ଏଇଟା କେବେ କିଣିଲୁ? କେତେ ପଡ଼ିଲା? ‘ସବୁଦିନ ପରି ହସି ଦେଇ କହିଲା – ‘ଯୋଉ ପୀଇସାପୁଅ କଥା କହୁନଥିଲି, ଯିଏ ଡ୍ରାଇଭର ଅଛି, ଏଇ ରାଖୀ ପୁନେଇଁରେ ଦେଇଚି ମୋତେ, କେତେ ଦିନରୁ ମୁଁ ଲଗେଇଥିଲି ତା’ ସାଥିରେ ।’ ମନୀଷାର ମନେପଡ଼ିଲା, ହଁ ବେଳେବେଳେ ରୁନି କହେ ତା’ରି କଥା । ହେଲେ ବି ପୂରାପୂରି ବିଶ୍ୱାସ କରିନଥିଲା ସେ ।
ତାଙ୍କ ଘରେ କାମ କଲାବେଳେ ସେ ମୋବାଇଲ ବନ୍ଦ ରଖୁଥିଲା କି କ’ଣ କେବେ ତାହା ରିଂ ହେଉନଥିଲା । ଆସିଲାବେଳେ କାହାସହ ଗପି ଗପି ଆସୁଥିଲା ତା’ ତାଙ୍କରି ଘର ଗେଟ୍ ଧରିଲାବେଳକୁ କଥା ବନ୍ଦ କରି ଦେଉଥିଲା । ଦିନେ କେଉଁ ଅଜଣା କୌତୁହଳରେ ତା’ର ମୋବାଇଲ ନମ୍ବର ମାଗିକି ରଖିଥିଲା ମନୀଷା ଧୀରେଧୀରେ ଅମିତଙ୍କର ଆଉ ଏକ ପରିବର୍ତ୍ତନ ଲକ୍ଷ୍ୟ କରି ଭାଙ୍ଗି ପଡ଼ିଥିଲା ନିଜ ଭିତରେ । ସବୁବେଳେ ବେଶ୍ ବଡ଼ ପାଟିରେ ସେ କଥା ହୁଅନ୍ତି ଫୋନ୍ରେ, ଏଣିକି କେବେ କେମିତି କାହିଁକି କେଜାଣି ତାକୁ ନ ଶୁଭିବା ଭଳି ଖୁବ୍ ଧୀର ସ୍ୱରରେ କଥା ହେଉଥିଲେ ତ କେବେ ପୁଣି ଫୋନ୍ ରିଂ ହେଲେ ସେ ରିସିଭ କରୁକରୁ ଚାଲି ଯାଉଥିଲେ ଘର ଛାତ କି ରାସ୍ତା ଉପରକୁ । ପୁଣି କେବେ ମିସ୍କଲ ଆସିଲେ କି ଫୋନ୍ ରିଂ ହେଲେ ସେ କାଟିଦେଇ ବାହାରକୁ ଯାଇ ଫୋନ୍ ଲଗାଉଥିଲେ । ଦିନେ ସେ ଅମିତ୍ଙ୍କ ପାଖରେ ନିଜ ଭାବନା ପ୍ରକାଶ କଲାବେଳେ ହଠାତ୍ ଚିଡ଼ି ଉଠିଥିଲେ ଅମିତ୍, ସଙ୍ଗେ ସଙ୍ଗେ ପ୍ୟାଣ୍ଟସାର୍ଟ ପିନ୍ଧି ବଜାରକୁ ଯାଇ ବେଶ୍ ଡେରିରେ ଫେରିଥିଲେ ଘରକୁ । ଦି’ଦିନ ଭଲରେ କଥା ହେଇ ନଥିଲେ ତା’ ସହ । ବେଳେବେଳେ ସେ ଅମିତ୍ଙ୍କୁ ଫୋନ୍ କଲାବେଳେ ତାହା ବ୍ୟସ୍ତ ଥିଲେ କୌତୁହଳୀ ହୋଇ ସେ ଲଗାଉଥିଲେ ରୁନିକୁ । ତା’ ଫୋନ୍ ବି ବ୍ୟସ୍ତଥିବାର ଜାଣୁଥିଲା ତ’ ତା’ ଭିତରେ ଆଶଂକାର ଚାରାଗଛଟି କ୍ରମଶଃ ଶାଖା ପ୍ରଶାଖା ମେଲୁଥିବାର ସେ ଅନୁଭବ କରୁଥିଲା । ଅମିତ୍ କ’ଣ କଥା ହେଉଥିବେ କି ରୁନି ସହ! ତା’ ମୋବାଇଲରେ ପକେଇ ଦଉଥିବେ କି ବାଲାନ୍ସ! ଥରେ ତ ବାହାନା କରି ରୁନିର ମୋବାଇଲ ଆଣି କାଳେ ଅମିତଙ୍କ ନମ୍ବର ଥିବ ଭାବି ଖୋଜି ଖୋଜି ନିରାଶ ହୋଇଥିଲେ ବି ଶହେଟଙ୍କାରୁ ଅଧିକ ବାଲାନ୍ସ ଥିବାର ଜାଣି ସେ ବିସ୍ମିତ ହୋଇଥିଲା । କେଉଠୁ ଏତେ ପଇସା ପାଉଚି ରୁନି! ତା’ ମନର ଜ୍ୱଳନ ନା ସେ ପ୍ରକାଶ କରିପାରୁଥିଲା ଅମିତ୍ଙ୍କ ପାଖରେ ନା ପଚାରିପାରୁଥିଲା ରୁନୀକୁ! ଦିନେ ଅଧେ ପାଇଁ ବାପଘରକୁ ଯାଉଥିଲାବେଳେ ତା’ ଅନୁପସ୍ଥିତିରେ ରୁନୀର ଆସିବା ସେ ଚାହୁଁ ନଥିଲେ ବି ଅମିତ୍ ଖରାପ ଭାବିବେ ବୋଲି ସେ ରୁନୀକୁ ମନା କରିପାରୁନଥିଲା । ସେ ଫେରିଲା ପରେ ଅମିତ୍ଙ୍କର ଖୁସି ଖୁସି ଭାବ ଦେଖି ତା’ ଛାତି ତଳେ ଦୁଃଖର ନିରବ ଝରଣାଟେ ଝରିଯାଉଥିଲା ।
ନିଜସ୍ୱ ଦୁଃଖ ସବୁକୁ ନିରବରେ ସେ ହଜମ କରୁଥିଲାବେଳେ ଦିନେ କୋଉଠୁ କେଜାଣି କଥାର ଖିଅ ଲମ୍ବିଯାଇ ରୁନିକୁ ନେଇ ଅମିତ୍ଙ୍କ ସହ ତା’ର କଥା କଟାକଟି ହେଇଥିଲା ଆଉ ରାଗରେ ଲାଲ ପଡ଼ିଯାଇ ତା’ ସନେ୍ଦହୀ ଗୁଣ ଯୋଗୁଁ ତାକୁ ଇତର ସ୍ତ୍ରୀ ଲୋକଟେ ବୋଲି କହିଥିଲେ ଅମିତ୍ । କଇଁ କଇଁ ହୋଇ କାନ୍ଦି ଉଠିଥିଲା ସେ ଓ ରାଗରେ ହିତାହିତ ଜ୍ଞାନ ଭୁଲି କାନ୍ଥରେ ନିଜ ମୁଣ୍ଡକୁ ଖୁବ୍ ଜୋର୍ରେ ବାଡ଼େଇ ଚାଲିଥିଲା । ଅମିତ୍ ସେଦିନ ତାକୁ ସମ୍ଭାଳି ନଥିଲେ କ’ଣ ଯେ ହୋଇଥାନ୍ତା ତା’ର ଅବସ୍ଥା! ସେଇ ଘଟଣାର ଦି’ ଚାରିଦିନ ପରେ ରୁନି ବଦଳରେ ପୁଣିଥରେ ତାଙ୍କ ଘରକୁ ତା’ର ମାଆ ଆସିଥିଲା ପାଇଟି କରିବାକୁ ।
ମନେମନେ କ୍ଷୁବ୍ଧ ହୋଇଥିଲେ ବି ଅମିତ୍ ମୁହଁ ଖୋଲିନଥିଲେ । ରୁନିର ମାଆ କହିଥିଲା- ରୁନି କେଇଦିନ ପାଇଁ ଯାଇଚି ତା’ ମାମୁଘରକୁ । ଅମିତ୍ ଖୁବ୍ ଉଦାସ ଓ ଚୁପ୍ଚାପ୍ ପାଲଟି ଯାଇଥିଲେ । ରୁନି ପାଇଁ ସେମାନଙ୍କ ଭିତରେ ଯେ ଫାଟଟିଏ ସୃଷ୍ଟି ହୋଇଚି ଓ କ୍ରମଶଃ ତାହା ବଢ଼ିବାରେ ଲାଗିଚି ସେ କଥା ବୁଝିପାରୁଥିଲା ମନୀଷା, ଆତଙ୍କିତ ବି ହୋଇପଡ଼ିଥିଲା । ଦିନେ ଅଫିସ୍ରୁ ସହଳ ଫେରି କିଛି ମାର୍କେଟିଂ କରିବାକୁ ଯାଇଥିଲାବେଳେ ହଠାତ୍ ତା’ର ଭେଟ ହୋଇଗଲା ରୁନି ସହ । ତାକୁ ଦେଖୁ ଦେଖୁ ଖୁସିରେ ଛଳଛଳ ହୋଇଯାଇଥିଲା ରୁନି । ତାକୁ ଜୁହାରଟେ ପକେଇ ଗପିଥିଲା ସେ । ତା’ ଭିତରେ ଟିକେ ବି ବ୍ୟତିକ୍ରମ ଲକ୍ଷ୍ୟ କରିନଥିଲା ମନୀଷା । କଥା ଭିତରେ ରୁନି ପଚାରିଥିଲା – ମାଆ! ମୋର କୋଉ କାମଟା ଯଦି ତୁମ ମନକୁ ନପାଇଲା, ମୋତେ ବତେଇ ଦେଇଥିଲେ ମୁଁ କ’ଣ ଠିକ୍ଠିକ୍ କରିପାରିନଥାନ୍ତି । ମୋତେ ନ କହି ମୋ ମାଆକୁ କହିଲ ଯେ, ମୋତେ ବନ୍ଦ କରିଦେଇ ନିଜେ ସେ ଯାଉଚି, ଭାରି କଷ୍ଟ ହେଉଚି ତାକୁ ଏତେ ଘର କାମ କରିବାକୁ ସେକଥା ଶୁଣି ନିଜ ଭିତରେ ସେ ତରଳି ଯାଉଥିବାର ଅନୁଭବ କରୁଥିଲା । ସତକଥାଟି କଣ ତା’ କ’ଣ ସେ କେବେ କହିପାରିଥାନ୍ତା ରୁନିକୁ! ରୁନି ମା’କୁ ସେ କେବଳ ଏତିକି କହିଥିଲା- ‘ଆମ ଘରକୁ ରୁନି ନଆସି ଏଣିକି ତୁ ଆସିଲେ ଭଲ ହୁଅନ୍ତା!” ବାସ୍, ତା’ର ଦି ଚାରିଦିନ ପରେ ବନ୍ଦ ହୋଇଥିଲା ରୁନିର ଆସିବା ।
ଆଗରୁ ମନକୁ ଯାହା ଆସିଲା ଗପୁଥିବା ଓ ତାକୁ ପଚାରୁଥିବା ଅନେକ କଥା ଏବେ ମନ ଭିତରେ ଯେମିତି ଚାପି ରଖୁଥିଲେ ଅମିତ୍ । ସିଏ ବି କ’ଣ ତାଙ୍କ ଆଗରେ ଆଗପରି ଖୋଲିଦେଇ ପାରୁଥିଲା ନିଜ ମନକଥା! କାହିଁକି ଏମିତି ହେଲା, ବାରମ୍ବାର ନିଜକୁ ଏଇ ପ୍ରଶ୍ନ କରି କୌଣସି ଉତ୍ତର ପାଉନଥିଲା ସେ । ସେ ଅଯଥାରେ ସନେ୍ଦହ କରୁଚି ବୋଲି ଅଭିମାନରେ ଭାଙ୍ଗି ପଡ଼ୁଛନ୍ତି କି ଅମିତ୍! ସେ ଲକ୍ଷ୍ୟ କରୁଥିଲା – ଏଣିକି ଆଉ ଆଗଭଳି କୁଆଡ଼େ ଫୋନ୍କରୁ ନଥିଲେ । ବେଳେବେଳେ ଫୋନ୍ ରିଂ ହେଇ ହେଇ କଟିଗଲେ ବି ଧରୁ ନଥିଲେ । ଆଉ କେବେ ମୋବାଇଲ୍ ଅସଜ ହେଲେବି ସଜାଡ଼ୁ ନଥିଲେ । ବେଶପୋଷାକ କି ଖିଆପିଆ କୋଉଥିରେ ବି ଆଗପରି ନିୟମିତ ହେଉ ନଥିଲେ ଅମିତ୍ । କେତେ ଦିଅଁ ଦେବତାଙ୍କ ପାଖରେ ନିଜ ଦୁରାବସ୍ଥା ପାଇଁ ସେ ମାନସିକ/ପୂଜାପାଠ କଲେ ବି ଘୁଞ୍ଚୁ ନଥିଲା ତା’ ଦୁଃଖ । ଅମିତ୍ ଥିଲେ ସେମିତି ନିର୍ଲିପ୍ତ ଓ ନିର୍ବିକାର । ଲାଗୁଥିଲା ଯେମିତି ତା’ ପାଖରେ ଥାଇ ବି ସେ ନାହାନ୍ତି । ତାଙ୍କ ମନ ଲଟ୍କି ରହିଛି ଆଉ କୋଉଠି, ଯୋଉଠି କି ତା’ ଆଖି ପାଉନି । ଏମିତି କେମିତି ବଦଳି ଗଲା ତାଙ୍କର ଖୁସି ବାସିଆ ଜୀବନ!
ଦିନେ ଭୋର୍ରୁ କଲିଂବେଲ୍ର ଶବ୍ଦରେ ନିଦ ଭାଙ୍ଗିଲା ମନୀଷାର । କବାଟ ଖୋଲିଲା ବେଳକୁ ଗେଟ୍ ସେପଟେ ଛଳଛଳ ଆଖିରେ ମୁହଁ ପୋତି ଠିଆ ହୋଇଛି ରୁନି ମା’ । ମନୀଷା ତରତରରେ ଗେଟ୍ ଚାବି ଖୋଲୁଖୋଲୁ ପଚାରିଲା- “କ’ଣ ହେଲା କିଛି କହୁନୁ କାହିଁକି? ରୁନି ବାପା ଦେହ ବେଶୀ ଖରାପ ହେଲା କି?” ଆଖି ଲୁହକୁ ଶାଢ଼ିକାନିରେ ପୋଛୁ ପୋଛୁ ସେ କହିଲା- ‘ନାଇଁ ମା’, କାଲି ରାତିରୁ ରୁନି ପଳେଇଚି ସେଇ ଛତରା ଟୁଟୁ ସାଙ୍ଗରେ ।’ ନାଁଟା ଶୁଣିଲା ଭଳି ଲାଗିଲା ମନୀଷାକୁ । ପଚାରିଲା, ସେଇ ତା’ ପୀଇସାପୁଅ ଭାଇ ତ! ଯିଏ ରୁନିକୁ ମୋବାଇଲ ଦେଇଥିଲା । ହଁ, ସେଇ ପୋଡ଼ାମୁହାଁ କଳା ନେସି ଦେଇଚି ଆମ ସମସ୍ତଙ୍କ ମୁହଁରେ । ସେଇ କଥାହେବା ଯନ୍ତ୍ରଟା ପାଇଲା ଦିନୁତ ବଦଳି ଗଲା ମୋ ଝିଅଟା । ଯେତେବେଳେ ଦେଖିବ କଥା ହେଉଥିବ ତା’ ସାଙ୍ଗରେ ନହେଲେ ଗୀତ ଶୁଣୁଥିବ । ନଣନ୍ଦ ତ ମଲାଣି, ଇଏ ତା’ ସାନ ଯାଆର ପୁଅ ଲେଖାରେ ପୀଇସାପୁଅ ବୋଲି ଘରକୁ ଯା ଆସ ଥିଲା । ରୋଜଗାରିଆ ବୋଲି କେବେ କେମିତି ଏଟା ସେଟା ଆଣିଦେଉଥିଲା । ଭାଇଭଉଣୀ ବୋଲି ମୁଁ ବି ସେ ଆଡ଼କୁ ଏତେ ନଜର କରିନଥିଲି । ହେଲେ ମୋତେ କି ଜଣାଥିଲା ମାଆ ସେ ନିଆଁନଗାଟା ମନରେ ଏତେ କଥା ଥିଲା! ଏବେ ବୁଝୁଛି ସେ ଫୋନ୍ଦେଇ ଚବିଶ ଘଣ୍ଟା ତା’ ସାଥିରେ ଗପି ତା’ ମୁଣ୍ଡଟାକୁ ଖାଇଦେଇଥିଲା ସେ ଟୋକା । ନହେଲେ ମୋର ଏଡ଼େ ସୁଧାର ଝିଅ ଏ କାମ କରିନଥାନ୍ତା, ରୁନି ମା’ ଠୁଁ କଥା ଛଡ଼େଇ ସେ କହିଲା- ଆଉ କାନ୍ଦିଲେ କ’ଣ ହେବ । ଗଲା ତ ଗଲା । ଟୁଟୁ ପରା କ’ଣ ଡ୍ରାଇଭର ଅଛି । ତମ ଝିଅକୁ ଭଲରେ ରଖିବ ଯେ ରୁନି ମା’ ପୁଣି ଅସରାଏ କାନ୍ଦି କହିଲା- ‘ନାଇଁ ମା’! ସେ ଟୋକା ନଷ୍ଟ କରିଦେଲା ମୋ ଝିଅ ଜୀବନକୁ । ଟୁଟୁଟା ବାହା ହେଇଚି ବର୍ଷେ ହେଲା । ବୋହୂଟା କଳିହୁଡ଼ି ପୁଣି ରଙ୍ଗ ସଫା ନୁହେଁ ବୋଲି ୟା’ର ତା’ ସାଙ୍ଗରେ ପଡ଼ୁନି । ବାହାଘର ଦି’ମାସ ପରେ ସେଇ ଯେ ବାପଘରକୁ ଯାଇଚି ସିଏ ଆସୁନି କି ଇଏ ବି ଆଣିବାର ନାଁଗନ୍ଧ ଧରୁନି । ଏବେ ଯଦି ସେ ଝିଅ କେସ୍ବାସ୍ କରେ ତୁମେ କୁହତ ମା’ କ’ଣ ହେବ ମୋ ରୁନିର ଅବସ୍ଥା! କୋଉ କୂଳର ହେବ ଝିଅଟା ମୋର! କହୁ କହୁ ଚୁପ୍ ହୋଇଗଲା ରୁନି ମା’ । ପଛକୁ ବୁଲି ମନୀଷା ଦେଖିଲା କେତେବେଳୁ ବୋଧେ ଉଠିଆସି କବାଟ ପାଖରେ ଠିଆ ହୋଇଛନ୍ତି ଅମିତ୍ । ତା’ ନଜର ପଡ଼ିଲା ତ’ ବୁଲି ପଡ଼ି ସେ ପୁଣି ଫେରିଗଲେ ଶୋଇବା ଘରକୁ । ଯାହା ହେବାର ତ ହେଲାଣି । ଆଉ ବ୍ୟସ୍ତ ହେଇ ଲାଭ କ’ଣ? ଘରେ କିଛି ଅସୁବିଧା ହେଲେ କିଛି ଗୋଟେ କରିବାନି? ଆମେ ସବୁ ଅଛୁ, ତୁ ଏତେ ଛାନିଆ ହେଉଛୁ କାହିଁକି?… ଏମିତି କହି ରୁନି ମା’କୁ ବୁଝାଶୁଝା କରି ଫେରିଲା ବେଳକୁ ସେମିତି ଉଦାସ ଦୃଷ୍ଟିରେ କାନ୍ଥରେ ଝୁଲୁଥିବା କ୍ୟାଲେଣ୍ଡରକୁ ଚାହିଁ ବିଛଣାରେ ଗଡ଼ୁଛନ୍ତି ଅମିତ୍ । ରୁନି ପ୍ରସଙ୍ଗକୁ ନେଇ ଯେତେ କଥାର ଖିଅ ଯୋଡ଼ିଲେବି ସେ ସେମିତି ଚୁପ୍ ।
ଅଫିସ୍ ଟାଇମ୍ର ଢ଼େର ଆଗରୁ ତାକୁ କିଛି ନକହି ସେ ବାହାରି ଗଲେ ଯେ ଫେରୁଫେରୁ ରାତି ନଅ । ଫେରିବାରେ ବିଳମ୍ବ ହେବାରୁ ମନୀଷା ଯେତେ ଫୋନ୍ କଲେବି ସେପଟରୁ ମୋବାଇଲ ରିଂ ହେଇ ହେଇ କଟିଲା ସିନା ଧରି ନଥିଲେ ଅମିତ୍ । ଘରେ ପହଞ୍ଚôଲା ବେଳକୁ ସେ ଥିଲେ ମେଘୁଆ ଆକାଶ ପରି ଭାରି ଭାରି ଓ ଥମ୍ ଥମ୍ । ଫ୍ରେସ ହେଲା ପରେ ଚୁପ୍ଚାପ୍ ଚା’ ପିଇ ସବୁଦିନ ପରି ଚେୟାରଟିଏ ନେଇ ଆକାଶମୁହାଁ ହେଇ ବସିଥିଲେ ବାହାରେ । ରୋଷେଇ ସାରି ଅପେକ୍ଷା କରିକରି ସେ ନଆସିବାରୁ ବିରକ୍ତ ହୋଇ ମନୀଷା ଯାଇ ଡାକିଥିଲା ତାଙ୍କୁ, ସାଢ଼େ ଏଗାର ହେଲାଣି, କେତେବେଳୁ ବାଢ଼ିକି ବସିଛି, ତୁମକୁ କ’ଣ ରାତି ଜଣାପଡ଼ୁନି ଆଜିକାଲି । ଆଗରୁ ଏମିତି କଥାରେ ହଠାତ୍ ଚିଡ଼ି ଉଠୁଥିବା ଅମିତ୍ କିଛି ବି ଉତ୍ତର ନଦେଇ ସୁନାପିଲା ପରି ହାତ ଧୋଇ କ’ଣ ଅଳ୍ପଟିକେ ଖାଇନେଇ ଉଠି ଯାଇଥିଲେ । ସେ ଖାଇସାରି ଆସି ବାସନ ଧୋଇ ରୋଷେଇ ଘର କାମ ତୁଟାଇ ଆସିଲା ବେଳକୁ ବେଡ୍ରୁମ୍ରେ ମଶାରି ଟାଣି ଲାଇଟ୍ ଲିଭେଇ ଶୋଇ ପଡ଼ିଥିଲେ ଅମିତ୍ ।
ପୁରୁଣା ଅଭ୍ୟାସବଶତଃ ଶୋଇବା ପୂର୍ବରୁ ଟି.ଭି. ଖୋଲିଥିଲା ମନୀଷା, ଆଗରୁ ତା’ର ଏଇ ଅଭ୍ୟାସ ପାଇଁ କ’ଣ କମ୍ ରାଗୁଥିଲେ ଅମିତ୍! ସେ ବିଛଣାକୁ ଗଲେ କଥା ହେଉନଥିଲେ ତା’ସହ । ବେଳେବେଳେ ଦିନଦିନ ଧରି କଥା ବନ୍ଦ କରି ଦେଉଥିଲେ । ଆଜିକାଲି ଆଉ କିଛି କହନ୍ତିନି । ତା’ର ଏଇ ଅଭ୍ୟାସ ତାଙ୍କର ଦେହସୁହା ହେଇଗଲାଣି । କାହିଁକି ତାକୁ ଏବେ କୋଉଥିରେ କିଛି କହନ୍ତିନି ଅମିତ୍? ସେ ଟି.ଭି. ଦେଖୁଦେଖୁ ଗାଢ଼ ନିଦରେ ଶୋଇ ସେ ଘୁଙ୍ଗୁଡ଼ି ମାରିଲେଣି । ହଠାତ୍ କାହିଁକି ତା’ର ଇଚ୍ଛା ହେଲା ନିରିଖେଇକି ଆହୁରି ଭଲ କରି ଦେଖିବାକୁ ଅନେକ ବର୍ଷ ଧରି ଦେଖିଆସୁୁଥିବା ତା’ ପ୍ରିୟ ମଣିଷଟିକୁ ପୁଣି ଥରେ ନୂଆକରି । ଟି.ଭି. ବନ୍ଦ କରି ବେଡ୍ରୁମ୍କୁ ଯାଇ ସେ ଲାଇଟ୍ ଜଳାଇଲା । ସବୁଦିନ ପରି ବାଁକଡ଼ ମାଡ଼ି ଗାଲତଳେ ହାତଦେଇ ଆଣ୍ଠୁତଳକୁ ଗୋଡ଼ ସାମାନ୍ୟ ଭାଙ୍ଗିକି ଶୋଇଛନ୍ତି ଅମିତ୍ । ମୁହଁଟି ଦିଶୁଚି ଅସମ୍ଭବ ଭାବେ ଉଦାସ, ନିରୀହ ଓ କରୁଣ । କେତେଦିନ ହେଲା ସେଭିଂ କରିନାହାନ୍ତି ସେ? ସିଏ କ’ଣ ଆଗପରି ଆଉ ମନଦେଇ ଲକ୍ଷ୍ୟ କରୁଚିକି ତାଙ୍କୁ ? ଏଇ ଲୋକଟି ତା’ର ସମଗ୍ର ସତ୍ତାକୁ ଗ୍ରାସି ଯାଇଚି ବୋଲି ସିନା ସେ ସହିପାରୁନି ତାଙ୍କ ସାମାନ୍ୟ ଅବହେଳା କି ବ୍ୟତିକ୍ରମକୁ! ହେଲେ ସିଏ, ଏତେବେଶି ପଜେସିଭ୍ ହେବା କ’ଣ ଠିକ୍? ନା ତା’ ହୃଦୟକୁ ସେ ଆବୋରି ବସିଛନ୍ତି ବୋଲି ପ୍ରତିଟି କଥାରେ ତାଙ୍କୁ ସନେ୍ଦହ କରି ସେ ଭୁଲ କରୁନିତ! ଭାବିଲାତ ତା’ ମନରେ ଭାରି ମାୟା ଜାଗିଲା ଅମିତ୍ଙ୍କ ପ୍ରତି । କ’ଣ ସତରେ ଅମିତ୍ଙ୍କର ଦୁଃଖ? ଏଥର ଅମିତ୍ଙ୍କ ମୁହଁ ତାକୁ ଦିଶିଲା ମେଘମୁକ୍ତ ଆକାଶ ପରି ଶାନ୍ତ, ସରଳ ଓ କମନୀୟ । ସେ ଲାଇଟ ଲିଭେଇଲା । ତା’ର ମନେପଡ଼ିଲା ଢ଼େର ଦିନ ହେଲା ସେ ମନ ଖୋଲି ଗେହ୍ଲା କରିନି ଅମିତ୍ଙ୍କୁ । ଆସ୍ତେକିନା ସେ ତାଙ୍କ ମୁହଁରେ ହାତ ସାଉଁଳେଇ ନେଲା । ଦୁଇ ହାତରେ ତାଙ୍କ ମୁହଁଟିକୁ ଧରି କପାଳରେ ନିଜ ଓଠ ଛୁଆଁଇଲା ବେଳେ ସେ ଅନୁଭବ କଲା ତାଙ୍କ ଭିତରେ ଯେଉଁ ଫାଟଟି ତିଆରି ହେଇଛି ବୋଲି ସେ ଭାବୁଥିଲା ତାହା କୁଆଡ଼େ ମିଳେଇ ଯାଇଛି ଓ ସେ ଦୁହେଁ ପୁଣି ଏକ ଓ ଅଭିନ୍ନ ହୋଇଯାଇଛନ୍ତି । ଝରକା ସେପଟୁ ରାତିଫୁଟା ଫୁଲର ମହକ ବେଡ୍ରୁମ୍କୁ ପଶି ଆସୁଥିଲା ।