ଏତେଗୁଡାଏ ପାହାଚ ଚଢ଼ିପାରିବି ନାହିଁ ବୋଲି ଯେତେ ମନା କଲେ ବି, ଅଗତ୍ୟା ଛାତ୍ରଛାତ୍ରୀମାନଙ୍କ ବାଧ୍ୟବାଧକତାରେ ପାହାଚ ଚଢ଼ିବା ପାଇଁ ମନସ୍ତ କରିଥିଲି ।
ଚାକିରିର ଶେଷବର୍ଷ । ପିଲାଙ୍କ ସାଥୀରେ ଆସିବା ମଧ୍ୟ, ଏହାପରେ ଆଉ କେବେ ହୁଏତ କପିଳାସ ଆସିଲେ ପାହାଚ ଚଢ଼ିବା ପାଇଁ କେହି ମୋତେ ଏତେ ବାଧ୍ୟ କରିନପାରେ କିମ୍ବା ମୁଁ ଇଚ୍ଛା କରିନପାରେ; ମୋ ଆଣ୍ଠୁ ସମସ୍ୟା ପାଇଁ । ଛାତ୍ରଛାତ୍ରୀମାନେ ଶିକ୍ଷକଟିର ସାହସ ଓ ବଳ ଏବଂ ଶିକ୍ଷକଟି ପାଇଁ ସେମାନେ ହେଉଛନ୍ତି ମୂଲ୍ୟବାନ ସମ୍ପତ୍ତି ।
କାଣ୍ଟିଆ ବଗ ଶୁଖିଲା ପଙ୍କ ଗାଡ଼ିଆରେ ଖପଖାପ ହୋଇ ଡେଇଁଗଲା ପରି ପିଲାମାନେ ପାହାଚ ପରେ ପାହାଚ ଅତିକ୍ରମି ଚାଲିଥିଲେ ଆଗପଛ ହୋଇ । ପଛରେ ରହିଥିଲୁ ମୋ ସମେତ ଚାରିଜଣ ଦୁର୍ବଳିଆ ପିଲା । ମୁଁ ହିଁ ରହିଯାଇଥିବା ପିଲାଙ୍କୁ ସାହସ ଦେଇ କହିଥିଲି, “ପାହାଡ ଚଢ଼ିଲା ବେଳେ କେବେ ତା’ର ଉଚ୍ଚତାକୁ ବିଚାରକୁ ନିଅନାହିଁ । କେବଳ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଆଗକୁ ଚାଲ ।”
କେତେ ବା ପାହାଚ ଆମେ ଚଢ଼ିଛୁ କି ନାହିଁ ହଠାତ୍ ମୋ’ ଦୃଷ୍ଟି ଜଣଙ୍କ ଉପରେ ପଡ଼ିଯିବାରୁ ଆପଣାଛାଏଁ ପାଦ ଅଟକିଗଲା ।
ସେ ଦର୍ଶନ ସାରି ଓହ୍ଲାଉଥିଲା, ଏକାନୁହଁ ସାଥୀରେ ଥିଲା ଅନିନ୍ଦ୍ୟ ସୁନ୍ଦରୀ ଝିଅଟି । ମୋତେ ଦେଖି ଚିନୁ ପ୍ରଥମେ ହଡବଡେଇ ଯାଇଥିଲା । ତା’ପରେ ମୋ ପାଦଛୁଇଁ ପ୍ରଣାମ କରିଥିଲା ଏବଂ ଝିଅଟିକୁ ଇସାରା ଦେଇ ତାହା କରାଇଥିଲା ।
ତା’ ମୁହଁରେ ଥିଲା ଆଶ୍ଚର୍ଯ୍ୟଭାବ । ଏମିତି ଅପ୍ରତ୍ୟାଶିତ ଭାବେ ଆମ ଦୁହିଁଙ୍କର ଭେଟ ହୋଇଯାଇଥିବାରୁ ।
ସେ ଏତେ ଭାବପ୍ରବଣ ହୋଇପଡ଼ିଥିଲା ଯେ ତା’ ପାଟିରୁ ଅକସ୍ମାତ ବାହାରିଥିଲା, ‘ମୋର କପିଳାସ ଆସିବା ସାର୍ଥକ ହୋଇଗଲା ମଉସା’ ।
ମୁଁ ତା’ ପାଟିରୁ କଥା ଛଡେଇ ନେଇ କହିଥିଲି, ‘ସେମିତି କହନା, କହ ଆମ ଦୁଇଜଣଙ୍କ ଭେଟ ହୋଇଯିବା ପ୍ରଭୁ ଭୋଳାନାଥଙ୍କ କୃପା ।’
ଭଲମନ୍ଦ କିଛି କଥା ହୋଇସାରିବା ପରେ ଚିନୁ ବାଧ୍ୟ କରିଥିଲା ଏବଂ ତା’ ଘର ଠିକଣା ବତେଇଥିଲା, ଫେରିବା ବେଳେ ତା’ ଘର ହୋଇଯିବା ପାଇଁ । ଯେହେତୁ ରାସ୍ତାକଡ଼ରେ ତାଙ୍କ ଘର ।
ମୁଁ ଚେଷ୍ଟା କରିବି ବୋଲି କହି ତାକୁ ବିଦା କରିଥିଲି ।
ଚିନୁ ପାହାଚ ଦେଇ ପାହାଚ ତଳୁ ଓହ୍ଲେଇବା ଆରମ୍ଭ କରିଥିଲା ।
ମୁଁ ପିଲାଙ୍କ ସହ ପାହାଚ ପରେ ପାହାଚ ଚଢ଼ି ଉପରକୁ ଉଠୁଥିଲି ।
ମାତ୍ର ସାତ ଆଠଟା ପାହାଚ ଚଢ଼ିଥିବି କି ନାହିଁ, ମୋ’ ସାଙ୍ଗରେ ଥିବା ପିଲାମାନଙ୍କ ମଧ୍ୟରୁ ଜଣେ ପଚାରି ଦେଲା, “ସାର୍ ! ସେ କ’ଣ ଆପଣଙ୍କ ଛାତ୍ର ଥିଲେ?”
“ନାଇଁ ନାଇଁ ସେ ମୋ’ ଘରେ ଭଡ଼ାରେ ରହୁଥିଲେ ।” ମୁଁ ପିଲାଟା ପ୍ରଶ୍ନର ଉତ୍ତର ଦେଲି ।
– “ସେ କରୁଛି କ’ଣ?”
– ‘ଚାକିରି କରିଥିଲେ ।’
– କି’ ଚାକିରି?
– ‘ମିଲିଟାରୀ ଚାକିରି’ ।
ଆପଣଙ୍କ ଘରେ କାହିଁକି ରହୁଥିଲେ?
ତାଙ୍କ ଝିଅକୁ ପାଠ ପଢ଼େଇବା ପାଇଁ ।
କାହିଁ ତାଙ୍କ ଝିଅ ତ ଆସିନି ତାଙ୍କ ସାଥୀରେ? ସାଙ୍ଗରେ ଆଉଜଣେ ଅବିବାହିତା ଝିଅ?
ପିଲାଙ୍କ ସାଥୀରେ ମୋର ଏମିତି ଅନେକ ପ୍ରଶ୍ନ ଉତ୍ତର ଚାଲିଥିଲା ପ୍ରାୟ ଢ଼େର ସମୟ ଧରି । ଗୋଟିଏ ପିଲା ନୁହଁ, ଚାରିଚାରିଟା ପିଲାଙ୍କ ମନରେ ଥିଲା କୌତୂହଳ ଓ ଜିଜ୍ଞାସା ଚିନୁକୁ ନେଇ ।
ମୁଁ ବି ଚିନୁକୁ ଦେଖିଲା ପରଠାରୁ ତାକୁ ନେଇ ଅନେକ ଅନେକ କଥା ଭାବୁଥିଲି । ଭାବନାର ବୁଢ଼ିଆଣୀ ଜାଲ ବୁଣି ଚାଲିଥିଲି । ମାତ୍ର ପିଲାମାନଙ୍କୁ କ’ଣ କହିବି?
ହେଲେ, ପିଲାମାନେ ଥିଲେ ନଛୋଡବନ୍ଦା । ମୋ’ ନିରବତାକୁ ଲକ୍ଷ୍ୟ କରି ଏକାବେଳକେ ପିଲା ଜିଦ୍ ଧରିଲେ, “ସାର୍! ଚୁପ୍ ରହିଲେ ଯେ କ’ଣ କିଛି ରହସ୍ୟ ଅଛି କି? ପ୍ଲିଜ୍ କୁହନ୍ତୁ ନା?”
ପିଲାଏ ସେ ବଡ଼ ଗହନ କଥା । କହି ବସିଲେ ପୁରାଣଟିଏ ହେବ । -ଉଦାସ କଣ୍ଠରେ ଉତ୍ତର ଦେଇଥିଲି । ପିଲାଙ୍କ ମନର ଉତ୍ସୁକତା ବଢ଼ିବା ଦେଖି, ମୁଁ ମନେ ମନେ ପ୍ରସ୍ତୁତ ହୋଇସାରିଥିଲି ।
ଏକରେ ପଥକଷ୍ଟ ଦୂର ହେବ ଦ୍ୱିତୀୟତଃ ସଂସାର ସଂପର୍କରେ ଯଦି ପିଲାମାନେ କିଛି ଶିକ୍ଷାଲାଭ କରିପାରନ୍ତି, ତା’ହେଲେ ଲାଭ ହେବ ।
‘ପିଲାଏ, ଜୀବନଟା ବହୁତ ମଜାଦାର । ଯଦି ତୁମେମାନେ ତାକୁ ଅନୁଶୀଳନ କରିପାରିବ, ତାହାହେଲେ ଜାଣିପାରିବ ମୁଁ ଠିକ୍ କହୁଛି କି ଭୁଲ୍ କହୁଛି ।’
ବାରବର୍ଷ ତଳେ ଚିନୁ ଓ ତା’ ସ୍ତ୍ରୀ ତାଙ୍କ ଟିକିଝିଅଟିକୁ ସାଥୀରେ ଧରି ପହଞ୍ଚିଥିଲେ ବସା ବାନ୍ଧିବାକୁ, ମୁଁ ରହୁଥିବା ସହରରେ । ସେ ରହୁଥିବା ଭଡ଼ାଘରେ ଚଳିବାକୁ ଅସୁବିଧା ହେଉଥିଲା । ଠିକ୍ ସେଇ ସମୟରେ ମୋ’ ଉପରଘର କାମ ଚାଲିଥିଲା । ଚିନୁର ସ୍ତ୍ରୀ ବିନି ତା’ର ଜଣେ ଆତ୍ମୀୟଙ୍କୁ ସାଥୀରେ ଧରି ଅଧାତୋଳା ଘରକୁ ଶୀଘ୍ର ସାରିଦେବା ପାଇଁ ମୋତେ ବାଧ୍ୟ କରିଥିଲେ ।
ଏବଂ ଘର ପୂଜା ହେବା ଦିନ ହିଁ ଉପରବେଳା ତାଙ୍କ ଘରକରଣା ଜିନିଷପତ୍ର ସବୁ ଧରି ମୋ ନୂଆ ତୋଳା ଘରକୁ ଚାଲିଆସିଥିଲେ ।
ଚିନୁ ବାହ୍ୟଶତ୍ରୁକୁ ଦେଶ ଭିତରକୁ ନପୂରେଇ ଦେବା ପାଇଁ ବର୍ଡରରେ ଜଗିରହିଥିଲା ବେଳେ, ଶହ ଶହ ମାଇଲ ଦୂରରେ ଗୋଟେ ମଫସଲିଆ ସହରରେ ତା’ ସ୍ତ୍ରୀ ବିନି ଝିଅର ସବୁ ଅଳିଅର୍ଦ୍ଦଳୀକୁ ସହି ତା’ ସ୍ୱାମୀର ଫେରନ୍ତା ସମୟକୁ ଅପେକ୍ଷା କରି ରହୁଥିଲା ।
ଦି’ମାସ, ତିନିମାସ ଅନ୍ତରରେ ଚିନୁ ପହଞ୍ଚିଯାଉଥିଲା । ଆନନ୍ଦ ଓ କୋଳାହଳରେ ଫାଟିପଡୁଥିଲା ତାଙ୍କ ବସାଘର । ଜୀବନକୁ ସେମାନେ ମନଭରି ଉପଭୋଗ କରୁଥିଲେ ।
ଧୁମ୍ଧାମ୍ ଖର୍ଚ୍ଚବାର୍ଚ୍ଚ କରୁଥିଲେ । ବାହାର ରାଜ୍ୟର ତୀର୍ଥ ଓ ଦର୍ଶନୀୟ ସ୍ଥାନ ପାଇଁ ଚିନୁ ସବୁ ବ୍ୟବସ୍ଥା କରିଆସୁଥିଲା । ସେମାନେ ଏକରକମ ଉଡିବୁଲୁଥିଲେ, ଆକାଶରେ ପକ୍ଷୀମାନେ ଉଡିବୁଲିଲା ପରି । ଚିନୁ ଝିଅକୁ ଏତେ ଗେହ୍ଲା କରୁଥିଲା ଯେ ତା’ ପାଇଁ ଖେଳନାଠାରୁ ଆରମ୍ଭ କରି ପୋଷାକପତ୍ର ପର୍ଯ୍ୟନ୍ତ ଭଳିକି ଭଳି ଜିନିଷ କିଣି ଆଣୁଥିଲା ।
ଚିନୁର ବିଚାରଧାରା ଅଲଗା । ବସ୍ତୁ ଓ ଭୋଗବିଳାସ ଠାରୁ ଦୂରେଇ ରହି ଖୁସିରେ ଜୀବନ ବିତେଇଦେବା । ମାତ୍ର ବିନିର ଦର୍ଶନ ଥିଲା ଅଲଗା । ନିଜ ଆୟରୁ ଧନ ସଞ୍ଚୟ କରି ଆଗ ମୁଣ୍ଡରେ ଛାତଟିଏ ପାଇଁ ଚିନ୍ତା କରିବା । ସେଥିପାଇଁ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ବି ବେଳେବେଳେ ହେଉଥିଲା । ଚିନୁ କେବେ ରାଗିବାର ମୁଁ ଜାଣିନାହିଁ ବରଂ ବିନି ପାଟି ତଳକୁ ଶୁଭେ ।
ଚାଲିଥିଲା । ଖୁବ୍ ଖୁସିରେ ଚାଲିଥିଲା, ସେମାନଙ୍କ ଟିକି ସଂସାରଟି । ଦିନ ସରୁଥିଲା । ଚିନୁ ଚାଲିଯାଉଥିଲା ତା’ ଚାକିରି ଜାଗାକୁ । ବିନି ଝିଅ ଆଖିରେ ସ୍ୱପ୍ନକୁ ନେଇ ସମୟ କାଟୁଥିଲା ।
ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ ବିତିବାକୁ ଲାଗିଥିଲା । ଝିଅ ବଡ଼ ହେଉଥିଲା । ଚିନୁର ଚାକିରିର ସମୟ ସରିବାକୁ ଯାଉଥିଲା ।
ଦିନେ ରାତିରେ ମୁଁ ଶୋଇବାକୁ ଯାଉଛି, ଉପରଘରୁ ଶୁଭିଲା ଫୋପଡ଼ା କଚଡାର ଶବ୍ଦ । ତା’ ସାଙ୍ଗକୁ ଅଶ୍ଳୀଳ ଭାଷାରେ ଶୋଧାଶୋଧି । ଚିନୁ ଏତେ ବଡ଼ପାଟି କରୁଥିଲା, ପାଖ ପଡୋଶୀଙ୍କ ବନ୍ଦ ଝର୍କା ସବୁ ଖୋଲା ହୋଇଗଲା ତତ୍କ୍ଷଣାତ୍, ଘଟଣା କ’ଣ ଜାଣିବା ପାଇଁ ।
ମୁଁ ରାଗି ଉପରକୁ ଯାଇ ଚିନୁକୁ ଗାଳିଗୁଲଜ କରିଥିଲି । ‘ଏଇଟା ଭଦ୍ରଲୋକଙ୍କ ଘର । ଅନ୍ୟ ଲୋକମାନେ କ’ଣ ଭାବୁଥିବେ ତୁମକୁ?’
ତା’ ରାଗ ଶାନ୍ତ ହେବାକୁ ଢେର ସମୟ ଲାଗିଥିଲା । ତା’ ଆଖି ଦିଶୁଥିଲା ଲାଲ୍ ଫର୍ଫର୍ । କୁମ୍ଭାଟୁଆ ଆଖିପରି । ମୁହଁ ସାରା ଝାଳ ବିନ୍ଦୁ ବିନ୍ଦୁ । ପିନ୍ଧିଥିବା ଗଞ୍ଜି ପୂରା ଓଦା ।
ମୁହଁରେ କ୍ରୋଧ ଓ ଘୃଣାର ଏକ ଫେଣ୍ଟାଫେଣ୍ଟି ଭାବ ଉତ୍ତୁରି ପଡ଼ିଥିଲା ।
କଥା କ’ଣ ବୁଝୁ ବୁଝୁ, ସେ ଯାଇଥିଲା ତାଙ୍କ ଗାଁକୁ । ଗାଁରୁ ଭଉଣୀ ଶାଶୂଘରକୁ । ଭଉଣୀର ଦେହଖରାପ । ଭିଣୋଇଙ୍କର ଏତେବେଶୀ ରୋଜଗାର ନଥିଲା । ଭଉଣୀଟିର ଦୁଃଖ ସହିନପାରି ପନ୍ଦର ହଜାର ଟଙ୍କା ଦେଇ ଦେଇଆସିଥିଲା ।
ବସାରେ ପହଞ୍ଚି ଧର୍ମ ଯୁଧିଷ୍ଠିର ପରି ସବୁ ସତକଥା କହିଦେଲା, ନିଜ ସ୍ତ୍ରୀକୁ । ମିଲିଟାରୀ ଚାକିରି । ସ୍ତ୍ରୀକୁ ଡରିବ କାହିଁକି? ନିର୍ଭୀକତା ସଂପର୍କରେ ଯିଏ ଅନ୍ୟମାନଙ୍କୁ ବୁଝେଇବା ପିଲା ପୁଣି ନିଜ ରୋଜଗାର ପଇସା ସେ ଦେଇଛି ରକ୍ତର ଭଉଣୀଟିକୁ, ସେ ତ ମଦ ମାଂସ ଖାଇ ଉଡେଇ ଦେଇନି ଟଙ୍କା; ଡରିବ କାହାକୁ?
ସେ ଭଲଭାବେ ଜାଣିଛି । ସ୍ତ୍ରୀ ଜାତିଟା କାଳକାଳ ପାଇଁ ସେମିତି । ସ୍ୱାମୀର ରୋଜଗାରରେ କେମିତି ମାମଲତକାର ହେବେ, ସେ ବିଦ୍ୟାଟି ଆଗ ଶିକ୍ଷାଲାଭ କରିଥାଆନ୍ତି ।
ତା’ପରେ ଅଣ୍ଟାରେ ନେଥା ଚାବିକୁ ଖୋସିଲା ପରି ସ୍ୱାମୀକୁ ରଖିଥାଆନ୍ତି ନିଜ ହାତମୁଠାରେ ।
କିନ୍ତୁ ଚିନୁ ଥିଲା ବ୍ୟତିକ୍ରମ ଏ କ୍ଷେତ୍ରରେ ।
ବିନି ଓ ଚିନୁର ପାଟି ଚରମସୀମାରେ ପହଞ୍ଚି ସାରିଥିଲା । ବିନି ଏତେବେଶୀ ଡରିଯାଇଥିଲା ଯେ ସାଙ୍ଗେ ସାଙ୍ଗେ ଝିଅକୁ ଧରି ପାଖରେ ରହୁଥିବା ତା’ ଆତ୍ମୀୟଙ୍କ ଘରକୁ ପଳେଇଗଲା ।
ଏକଦମ୍ ଏକ୍ଲା ହୋଇଗଲା ଚିନୁ । ଏକଦମ୍ ଏକ୍ଲା ।
ଓଃ! ସେହି ପଛଦିନର ରାତି କଥା ମନେ ପକାଇ ଯେମିତି ହଠାତ୍ ବିମର୍ଶ ହୋଇଉଠିଲି । ମୋ ସାଙ୍ଗରେ ଯାଉଥିବା ଛାତ୍ରୀଟି କ’ଣ ଭାବିଲା କେଜାଣି ମୋ’ ମନରଭାବ ଠଉରାଇ କହିଥିଲା ‘ସାର୍! ଟିକେ ବସିଯିବା ।’
ଦେହ କ୍ଲାନ୍ତ ଲାଗୁନଥିଲା ମାତ୍ର ମନଟା ଉଦାସ ଥିଲା ମୋର ।
‘ସାର୍! ଆମେ କେତେ ପାହାଚ ଆସିଲେଣି ଆପଣ ଜାଣିପାରୁଛନ୍ତି? ଆମକୁ ମୋଟେ ଜଣାପଡୁନାହିଁ କଥା ହୋସ୍ରେ ।’
ମୋତେ କଷ୍ଟ ଲାଗୁନଥିଲେ ବି ଗୋଟେ ଉତ୍ତେଜନା ମୋ’ ଭିତରେ ଥିଲା ଚିନୁ ଓ ବିନିର ସଂସାର କଥାକୁ ନେଇ । ପୁଣି ଚିନୁକୁ ଭେଟିଲା ପରେ ମୁଁ ଯେମିତି ହଜିଲା ଅତୀତର ପୃଷ୍ଠା ଖେଳେଇ ପଢ଼ିବାରେ ଲାଗିଥିଲି ।
ସେ ଦିନଗୁଡ଼ିକ କଥା ଭାବିଲେ ମୋ’ ପଞ୍ଜରା ଥରାଇ ଗୋଟେ କୋହ ଉତ୍ତରି ଆସୁଥିଲା ମୁହଁ ଉପରକୁ ।
ଟୁଆଁଟୁଇଁ ପରି ଟିକି ସଂସାରଟା ମୋ’ ଆଖି ଆଗରେ ଭାଙ୍ଗି ଚୁର୍ମାର୍ ହୋଇଗଲା, ମୁଁ କିଛି ବି କରିପାରିଲି ନାହିଁ ।
“ସାର୍! କ’ଣ ଭାବୁଛନ୍ତି? ଆପଣ କେମିତି ଅନ୍ୟମନସ୍କ ଥିଲା ପରି ଲାଗୁଛନ୍ତି ।” ଟିକେ ବସିପଡ଼ିବା । ଏହା କହୁ କହୁ ପିଲାମାନେ ଗୋଟେ କଡ଼କୁ ଓପର ତଳ ପାହାଚରେ ବସିପଡ଼ିଲେ । ଅନ୍ୟମନସ୍କତାରେ ପାହାଡ ଚଢ଼ିବା ଉଚିତ୍ ନୁହଁ । କେହି ଜଣେ ପିଲା ମନ୍ତବ୍ୟ ଦେଇଥିଲା । ବସିବା ଦ୍ୱାରା ପିଲାଙ୍କୁ ସୁବିଧା ହେଲା ମୋତେ ପଚାରିବା ପାଇଁ-
“ତା’ପରେ କ’ଣ ହେଲା ସାର୍?” ପିଲାଟିଏ ପଚାରିଦେଲା ।
“ହେବ ଆଉ କ’ଣ?” ଗୋଟାଏ ଲମ୍ବା ଦୀର୍ଘଶ୍ୱାସ ନେଇ ଛାଡିଯାଇଥିବା କଥାର ଖିଅକୁ ଯୋଡ଼ିବା ପାଇଁ ଚାହିଁଥିଲି ।
ଚିନୁ ବସାରେ ଏକା । କ’ଣ ଖାଏ କ’ଣ କରେ । ସେ ଜାଣେ ।
ସେ ଝର୍କା ଖୋଲିଲେ ତା’ ସ୍ତ୍ରୀର ଆତ୍ମୀୟଙ୍କ ଘର ଝର୍କା ଖୋଲାଥିଲେ, ଘର ଭିତରର ଦୃଶ୍ୟ ଦିଶେ । ଘଟଣା ଘଟିବାର ଦୁଇଦିନ ପରେ ଦିନେ ମେଘ ଅନ୍ଧାର ରାତିରେ ବାହାର ଗେଟ୍ ବାଡେଇବାର ଶବ୍ଦ ହେଲା ।
ଗେଟ୍ ଖୋଲି ଦେଖିଲା ବେଳକୁ ଚିନୁ । ଗୋଟାପଣେ ଓଦା ସରସର ।
‘ବର୍ଷାରେ କାହିଁକି ଓଦା ହେଉଛ? ଭିତରକୁ ଆସ ।’ ମୁଁ ମଧୁର ଗାଳି କରିଥିଲି ।
“ନାଇଁ ମଉସା, ମୁଁ ଟିକେ ବଜାରକୁ ଯିବି । ଏ ପ୍ୟାକେଟ୍ଟା ନିଅନ୍ତୁ । ଗାଁକୁ ଯାଇଥିଲି । ଟାଙ୍ଗୀରୁ କାକରା ଆଣିଥିଲି ମାଉସୀଙ୍କ ପାଇଁ ।” – ନମ୍ର ସ୍ୱରରେ ସେ କହିଥିଲା । ‘ତମେ ଆଗ ଭିତରକୁ ଆସିଲ, ପରେ କଥାବାର୍ତ୍ତା । ବଜାରକୁ ଯିବ ଯଦି ବର୍ଷାତି ଓ ହେଲମେଟ୍ ପିନ୍ଧି ଯିବ ।’ ମୁଁ ଏକରକମ୍ ଗାଳି କରିଥିଲି ।
ସେ ବାଧ୍ୟ ହୋଇ ଭିତରକୁ ଆସିଲା । ପୋଟିକୋରେ ମଟରସାଇକେଲ ଷ୍ଟାଣ୍ଡ ମାରୁ ମାରୁ ମୁଁ ତା’ ହାତକୁ ଗାମୁଛାଟା ବଢ଼େଇ ଦେଇଥିଲି । ଆଗ ପୋଛି ହୋଇପଡେ ।
ବର୍ଷାରେ ଏତେ ସମୟ ହେଲା ତିନ୍ତୁଛ, ଥଣ୍ଡା ମାରିବନି ?
‘ନାଇଁ ମଉସା, ବର୍ଷାରେ ଭିଜିବାକୁ ମୋତେ ଭଲ ଲାଗେ । ବର୍ଷାଋତୁ ମୋର ପ୍ରିୟ ଋତୁ ।’
ଅଦ୍ଭୁତ ଥିଲା ତାହାର ରୁଚିବୋଧ ଓ ବିଚାରଧାରା ଅଥଚ ସେ ଦୁଃଖୀ ହେଉଛି କିବା କଥାରେ ।
ଦୁହେଁ ଗପୁ ଗପୁ ଘର ଭିତରକୁ ଆସିଲୁ । ବର୍ଷାରେ ଏତେ ତିନ୍ତିବା ସତ୍ତ୍ୱେ ତା’ ଆଖି ଦିଶୁଥିଲା ଲାଲ ଫର୍ଫର୍ । ପିଇବା ମାତ୍ରା ଟିକେ ଅଧିକ ଥିଲା ପରି ମନେ ହେଉଥିଲା ମାତ୍ର ତା’ କଥାବାର୍ତ୍ତା ଥିଲା ସ୍ୱାଭାବିକ ।
“ମଉସା! ମୋତେ ଅଧଘଣ୍ଟା ସମୟ ଦେବ? ମୁଁ ଓଦା ପ୍ୟାଣ୍ଟସାର୍ଟ ବଦଳେଇ ଆସୁଛି ।” ଚିନୁ କଣ୍ଠସ୍ୱରରେ ଥିଲା ଆଦ୍ରତା ।
‘ଆରେ ଏମିତି କ’ଣ କହୁଛ?’ – ତମେ ଆସ । ଆଜି ସାଙ୍ଗ ହୋଇ ଖାଇବା । ମୁଁ କହିଥିଲି-
‘ନାଇଁ ମଉସା ! ମୁଁ ହୋଟେଲରେ ଖାଇଦେଇ ଆସିବି ।’
“କ’ଣ ବର୍ଷା ରାତିରେ ବଜାରକୁ ନିହାତି ଯିବା ଦର୍କାର? ଆମ ଘରେ ଖାଇବାରେ କିଛି ଆପତ୍ତି ଅଛି?”- ମୁଁ ଅଭିମାନରେ କହିଥିଲି ।
ସେ ଓଦା ପ୍ୟାଣ୍ଟସାର୍ଟ ବଦଳେଇ ତା’ ବରମୁଣ୍ଡା ଓ ବ୍ୟାନିଅନ ପିନ୍ଧି ତଳକୁ ଆସିଲା । ବିନି ଚାଲିଗଲା ପରେ ସେ କେମିତି ଭାଙ୍ଗିପଡ଼ିଥିଲା । ପତ୍ରଝଡ଼ା ଗଛଟିଏ ପରି ଭାରି ନିରିମାଖି ଦିଶୁଥିଲା ।
ଆରମ୍ଭ କରିଥିଲା ତା’ କଥା ।
‘ସବୁ ମଣିଷମାନଙ୍କ ପରି ମୋର ଗୋଟିଏ ଘର ଅଛି । ପ୍ରଥମେ ମୁଁ କାହାର ପୁଅ । କାହାର ଭାଇ । କାହାର ବଡ଼ବାପା । କାହାର ମାମୁ । ତା’ପରେ କାହାର ସ୍ୱାମୀ, ଜ୍ୱାଇଁ ଓ ବାପା । ହଁ ! ନା ନାଇଁ, ମଉସା?- ଚିନୁ ମୋ’ ମୁହଁକୁ ଚାହିଁ ରହିଥିଲା ।
“ନାଇଁର ପ୍ରଶ୍ନ କେଉଁଠୁ ଉଠୁଛି । ଏହାତ ଚିରାଚରିତ କଥା ।
ତମର କେତେ ଛୋଟ ପରିବାରଟି । କାହିଁକି ସବୁବେଳେ ପାଟିତୁଣ୍ଡ, କଳିତକରାଳ? – ମୁଁ ପଚାରିଥିଲି ।
କେବଳ ଟଙ୍କା ପାଇଁ । ମଣିଷକୁ କେବଳ ଟଙ୍କାରେ ମାପୁଛନ୍ତି ମୋ’ ଶ୍ୱଶୁରଘର । ସେମାନଙ୍କର ଦର୍କାର କେବଳ ମୋ’ କଷ୍ଟ ଉପାର୍ଜିତ ଧନ, ମୁଁ ନୁହେଁ ।
ମୋ’ର ଦରକାର ପରିବାର, ମୋ’ ସ୍ତ୍ରୀର ଦରକାର ଟଙ୍କା । ସେଥିପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ।
ଆପଣ ଜାଣିନାହାନ୍ତି ମଉସା, ମୋ ଶ୍ୱଶୁର ଚାଲାଖି କରି, ଝିଅକୁ ଶିଖେଇ ମୋ’ଠାରୁ ସବୁ ଧନ ନେଇଗଲେ । ସର୍ତ୍ତ ରଖିଥିଲେ ମୁଁ ଚାକିରିରୁ ଅବସର ପରେ ଯାହା ଧନ ପାଇବି, ତା’ ଝିଅ ନାଁରେ ଡିପୋଜିଟ୍ ହେବ । ଜଏଣ୍ଟ ଆକାଉଣ୍ଟରେ ବର୍ତ୍ତମାନ ଟଙ୍କା ରହିବ । ଝିଅ ବଡ଼ ହେଲେ ସେ ଟଙ୍କାର ହକ୍ଦାର ସେ ହେବ ଏବଂ ସେଇଆହିଁ ହେଲା ।
-ଚିନୁ କ୍ରୋଧରେ ଜଳୁଥିଲା ।
“ସେ ତ ତମଝିଅ । ତା’ ଭବିଷ୍ୟତ ପାଇଁ ଟଙ୍କା ରହିଲା । ଏଥିରେ ପାଟିତୁଣ୍ଡ କରିବା କ’ଣ ଦରକାର?”- ମୁଁ ବୁଝାଇ କହିଥିଲି ।
“ଠିକ୍ କଥା ଆପଣ କହୁଛନ୍ତି । ପାଖାପାଖି କୋଡିଏ ଲକ୍ଷ ଟଙ୍କା ମୁଁ ଚାକିରିରୁ ଅବସର ପରେ ପାଇଥିଲି । ଯେଉଁ ଘରେ ମୁଁ ଛୋଟରୁ ବଡ଼ ହୋଇଥିଲି; ଯେଉଁ ବାପା ଓ ମା’ ମୋତେ ପାଳିପୋଷି ବଡ଼ କରିଥିଲେ ଅଭାବ ସଂସାରରେ କଲେଜରେ ପାଠ ପଢ଼େଇ ଥିଲେ, ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ଅଛି ନା ନାହିଁ?”- ଚିନୁ ମୋ’ ଠାରୁ ଉତ୍ତର ଚାହୁଁଥିଲା ।
ମୁଁ ସାବାଡ ହୋଇଗଲି ଚିନୁ ବାକ୍ୟ ମାଡ଼ରେ ।
“ପନ୍ଦର ହଜାର ଟଙ୍କା ଗରିବ ଭଉଣୀଟାକୁ ଦେଇଆସିଲି ବୋଲି ମୋ’ ଚଉଦପୁରୁଷକୁ ଉଧାର କରୁଛି, ମୋ’ ସ୍ତ୍ରୀ । କେଡେ ଟିକି ଝିଅଟା, ଯାହାକୁ ମୁଁ କାନ୍ଧରେ ବସାଇ ରଥଦାଣ୍ଡରେ ଠାକୁରଙ୍କୁ ଦେଖାଉଥିଲି, ସେ ମୋତେ କହୁଛି, ‘ବାପା ନା ଚୋପା’ ! – ମୁଁ ବଞ୍ଚି ଥାଉ ଥାଉ ହଜାରବାର ମରୁଛି ମଉସା ।
ଚିନୁ ଆଖିରେ ଲୁହ ଟଳମଟଳ ହୋଇ ଥପଥପ ଗଣ୍ଡଦେଶ ଦେଇ ନିଗିଡ଼ି ପଡ଼ିଲା ।
ମୁଁ ଭାବପ୍ରବଣ ହୋଇ ତା’ ପାଖକୁ ଘୁଞ୍ଚିଯାଇ ତାକୁ ବୋଧ ଦେଲି । ତା’ ପିଠି ଥାପୁଡେଇ କହିଲି, ଥାଉ ଥାଉ ।
କଥା ଆଉ ଆଗକୁ ନବଢ଼ାଇ ପ୍ରସଙ୍ଗ ବଦଳେଇଥିଲି । ତା’ପରେ ରାତିଖାଇବା ପରେ ସେ ଉପର ଘରକୁ ଗଲା ।
“ସାର୍! ପାହାଡ଼ ଉପର ମନ୍ଦିରର ପତାକା ଦିଶିଲାଣି । ଛାତ୍ରଟି ଖୁସିରେ ଅଧିର ହୋଇ କହିଥିଲା ।
ମୁଁ ତଳକୁ ଅନେଇଲା ମାତ୍ରେ ମୋ’ ମୁଣ୍ଡ ବୁଲେଇ ଦେଉଥିଲା । ଆମେ ଏତେ ବାଟ ଚାଲିଆସିଲୁଣି କଥା ଯୋସ୍ରେ । କ୍ଲାନ୍ତି ଟିକିଏ ବୋଲି ନଥିଲା ବରଂ ଅହେତୁକ ଉତ୍ତେଜନା ଓ ଉକ୍ରଣ୍ଠା ପିଲାଙ୍କ ମୁହଁରେ । ମୋ’ କଥା ନ କହିଲେ ଭଲ ହେବ ।
‘ସାର୍! ସେମାନଙ୍କ କଳି ତୁଟିଲା ନା ନାହିଁ । ଏହି ଛୋଟ କଥାରୁ ସେମାନେ କ’ଣ ଅଲଗା ହୋଇଗଲେ?’ ଭେରି ଟ୍ରାଜେଡି ସାର୍ । କେହି ଜଣେ ପିଲା ଦୁଃଖିତ ହୋଇ କହିଥିଲା ।
‘ଟ୍ରାଜେଡି ହେଲେ ବି ଭେରି ଇଣ୍ଟେରେଷ୍ଟିଙ୍ଗ୍ ଷ୍ଟୋରି । ଆଉ ଜଣେ ଛାତ୍ର କଥା ପଡ଼ିଲା ।
“ତୁମମାନଙ୍କ ପାଇଁ ଯାହା ଇଣ୍ଟରେଷ୍ଟିଙ୍ଗ୍, ମୋ’ ପାଇଁ ତାହା କେବଳ ଦୁଃଖ, କେବଳ ଅନୁଶୋଚନା, କେବଳ ଦୀର୍ଘଶ୍ୱାସ ବ୍ୟତୀତ ଆଉ କିଛି ଘଟିଲା ନାହିଁ ।”
ତା’ ପରବର୍ତ୍ତୀ ଘଟଣାସବୁ ଶୁଣିଲେ ତୁମମାନଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିଯିବ । ତୁମମାନଙ୍କର ମଉଜ ମଜଲିସ୍ରେ ଭଟ୍ଟା ପଡ଼ିଯିବ । ଥାଉ, ଏ କଥା ଏଇଠି ଥାଉ । ପରେ କେବେ ତମକୁ ମୁଁ କହିବି । -ମୁଁ ଏତକ କହି ଦେଇ ତଳକୁ ମୁହଁପୋତି ଚୁପ୍ ହୋଇଗଲି ।
ପିଲାମାନଙ୍କ ଉକ୍ରଣ୍ଠା ଚରମସୀମାରେ ପହଞ୍ଚି ସାରିଥିଲା । ସେମାନେ ଘଟଣାର ଆରମ୍ଭ ଶୁଣିଛନ୍ତି । ଶୀର୍ଷାରୋହଣରେ ପହଞ୍ଚିଛନ୍ତି ମାତ୍ର । କ୍ଲାଇମାସ୍କ ପର୍ଯ୍ୟନ୍ତ ନଶୁଣିଲେ ଅଧୁରା ରହିଯିବ ସେ କାହାଣୀ ।
ପିଲାମାନେ ମୋତେ ଫୁସ୍ଲେଇବାରେ ଲାଗିଥିଲେ । ମୋ’ ଭିତରେ ଥିବା ଅବସୋସକୁ ମୁଁ କହିଦେଇପାରିଲେ କିଛି ପରିମାଣରେ ଆସ୍ୱସ୍ତ ହୋଇପାରିବି ବୋଲି ମୋତେ ବୁଝାଉଥିଲେ ।
ମୁଁ ବି ବଟଲ୍ରୁ ପାଣିପିଇ ସେତେବେଳକୁ ସୁସ୍ଥ ଅନୁଭବ କଲିଣି ।
ଅଧାରୁ କଥାଟାକୁ ବନ୍ଦ କରିଦେବା ଯାହା; ନଈମଝିରେ ଡଙ୍ଗାରୁ ଜଣଙ୍କୁ ନଈକୁ ପେଲିଦେବା ସେଇଆ । ପହଁରା ନ ଜାଣିଥିଲେ ବୁଡ଼ିମରିବ । ପହଁରା ଜାଣିଥିଲେ ପହଁରି ପହଁରି ଡଙ୍ଗାକୁ ଧରିବ, ନ ହେଲେ କୂଳରେ ପହଞ୍ଚିବ ।
ମୁଁ ନିଜେ ଯେମିତି ମଝିନଈରେ ଗୋଡ଼ହାତ ହଲେଇ ପହଁରୁଥିବା ଭଳି ଅନୁଭବ ହୋଇଥିଲା । କୂଳରେ ପହଞ୍ଚିଗଲେ ଯାଇ ରକ୍ଷା ।
‘ଶୁଣିବା ପାଇଁ ଧୈର୍ଯ୍ୟ ଅଛି ତ ତମମାନଙ୍କର?’ – ପିଲାମାନଙ୍କ ମୁହଁକୁ ଚାହିଁ ପଚାରିଥିଲି । ‘ଅଛି ବୋଲି ତ ଆମେ ଶୁଣିବା ପାଇଁ ବ୍ୟସ୍ତ ହୋଇପଡୁଛୁ ।’ ସବୁ ପିଲାଙ୍କ ମୁହଁରୁ ଏକାଥରକେ ଯେମିତି କଥାଟା ବାହାରି ପଡ଼ିଲା ।
ମୁଁ ପୁଣି ଛାଡିଯାଇଥିବା କଥାର ଖିଅକୁ ଯୋଡ଼ିବାକୁ ମନେ ମନେ ପ୍ରସ୍ତୁତ ହୋଇଥିଲି ।
ପିଲାମାନେ, ‘ଏ ସଂସାରରେ କିଏ ନଚାହେଁ ସୁନ୍ଦର ଜୀବନଟିଏ ଜିଇଁବାକୁ? ହେଲେ ପରିବେଶ, ପରିସ୍ଥିତି ସମାନ ସୁଯୋଗ ଦିଏ ନାହିଁ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜୀବନକୁ ସୁନ୍ଦର କରି ଗଢ଼ିହେବ । ଏଭଳି ବିଶ୍ୱାସ ଯେଉଁମାନେ ରଖନ୍ତି, ସେମାନେ ଜୀବନର ସନ୍ଧାନରେ ଲାଗିପଡ଼ନ୍ତି । ଯେଉଁମାନଙ୍କ ଭିତରୁ ଏଇ ବିଶ୍ୱାସ ଟିକକ ମରିଯାଏ ସେମାନଙ୍କ ଜୀବନ ପିତା ଲାଗେ । ସେମାନେ ନିଜକୁ ଶେଷ କରିଦେବାର ନିଷ୍ପତ୍ତି ନିଅନ୍ତି ।
ଚିନୁ, ସେହିଭଳି ଗୋଟେ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବସିଥିଲା ।
ମୁଁ ଠିକ୍ ସମୟରେ ପହଞ୍ଚି ପାରିନଥିଲେ, ଅସମୟରେ ଗୋଟିଏ ସୁନ୍ଦର ଜୀବନ ବୃନ୍ତଚୁ୍ୟତ ଫୁଲ ପରି ଝଡ଼ିଯାଇଥାଆନ୍ତା ।
ବଜାରକୁ ଯିବା ପାଇଁ ଦରକାର ପଡନ୍ତେ, ମୁଁ ଉପରମହଲାରେ ରହୁଥିବା ଚିନୁର କବାଟ ବାଡେଇଲି, ମଟର ସାଇକେଲ ଚାବି ପାଇଁ ।
ରାତି ଆଠଟାରେ ସେ କ’ଣ ଶୋଇପଡ଼ିଲାଣି? ଭାବିଲି ଫେରିଆସିବି ମାତ୍ର ନିହାତି ବଜାରକୁ ଯିବା ପାଇଁ ପଡ଼ିବ ବୋଲି, ଏଥର ଜୋରରେ କବାଟରେ କରାଘାତ କରିଥିଲି ।
କବାଟ ଫିଟିବା ମାତ୍ରେ ଘର ଭିତରେ ମୋ’ ଆଖି ଯେଉଁ ଦୃଶ୍ୟପଟ୍ଟ ଉପରେ ପଡ଼ିଲା, ମୁଁ ଭୟରେ ଶିହିରି ଉଠିଲି ।
ଫ୍ୟାନ୍ ହୁକ୍ରେ ଦଉଡି ଲାଗିଥିଲା । ଖଟ ଉପରେ ପଡ଼ିଥିଲା ଚେୟାର ଓ ଚେୟାର ଉପରେ ଷ୍ଟୁଲ୍ ।
ମୋତେ ଦେଖି ଚିନୁ ଭୂତ ଦେଖିଲା ଭଳିଆ ପ୍ରଥମେ ଡରିଗଲା । ଗୋଟାପଣେ ଝାଳରେ ବୁଡିଥିଲା । ଦେହ ତା’ର ବରଡ଼ାପତ୍ର ପରି ଥରୁଥିଲା । ତା’ପରେ ଖାଲି କାନ୍ଦିବାକୁ ଲାଗିଥିଲା ।
ପ୍ରଥମେ ମୁଁ ତାକୁ କୁଣ୍ଢେଇ ପକେଇଲି । ତା’ ଆଖିରୁ ଲୁହ ପୋଛି ଦେଇଥିଲି । “ତମେ ଏ କ’ଣ କରିବାକୁ ଯାଉଥିଲ? ଦଉଡ଼ି ଦେଇ ଝୁଲିପଡ଼ିବାକୁ ତମ ମନ କେମିତି ଚାହିଁଲା?
ଛି, ଚିନୁ ଛି! ତମେ ପୁରୁଷପୁଅଟି? ସମଗ୍ର ପୁରୁଷ ଜାତି ପକ୍ଷରୁ ତମକୁ ଯେତେ ଗାଳି ଦେଲେ ବି ମୋ’ ମନ ସନ୍ତୁଷ୍ଟ ହେବନାହିଁ ।
ମୁଁ ମାନୁଛି ତମେ ଚାରିଦିନ ହେଲା ଦୁଃଖରେ ଅଛ । ସ୍ତ୍ରୀ ତମକୁ ଛାଡିଦେଇ ଏଇ ପାଖରେ ଆରାମରେ ଅଛି । ତମର ଏକମାତ୍ର ଅଲିଅଳି କନ୍ୟା ତମକୁ ଗାଳିଦେଲା । ଏହି ସାଧାରଣ ଦୁଃଖ ପାଇଁ ତମେ ଆତ୍ମହତ୍ୟା ଭଳି ଏକ ନିଷ୍ଠୁର ନିଷ୍ପତ୍ତି ନେଇପାରିଲ କିପରି?
ଯିଏ ଆତ୍ମହତ୍ୟା କରିବାକୁ ଯାଉଥାଏ, ସେ ଜୀବନକୁ ତୁଚ୍ଛ ମଣୁଥାଏ । ନିଜକୁ ଅକିଞ୍ଚିତ୍ କର ବୋଲି ହେୟ ମଣୁଥାଏ । ଜୀବନର ଗୋଟିଏ ଦୁଇଟି ବ୍ୟର୍ଥତା ପାଇଁ ତମେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇପାରିଲ ଅଥଚ ଥରେ ଭାବିଲନି ତମେ କେତେ ସଫଳ ପାହାଚ ଚଢ଼ି ଶୀର୍ଷରେ ପହଞ୍ଚିଥିଲ ବୋଲି ତମ ଛାତି ସାରା ପଦକରେ ମଣ୍ଡିତ ହୋଇ ଶୋଭାବର୍ଦ୍ଧନ କରୁଥିବା କଥାକୁ?
‘ଏ ସଂସାରରେ କିଏ ଦୁଃଖୀ ନୁହଁ କହିଲ?’
ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଠାରୁ ରାସ୍ତାକଡ଼ରେ ବସିଥିବା ଭିକାରି ପର୍ଯ୍ୟନ୍ତ ସମସ୍ତେ ଜୀବନକୁ ଭଲ ପାଇ ବଞ୍ଚିବାର ସ୍ୱାଦ ଚାଖିବାକୁ ଚାହାନ୍ତି ।
କେତେ ରାଗ ହେଉଛି ତମ ଉପରେ ମୋର, ତମେ ବିଶ୍ୱାସ କରିପାରିବ ନାହିଁ ।
ଈଶ୍ୱର ତମକୁ ଦେଇଛନ୍ତି ସୁନ୍ଦର ଜୀବନଟିଏ ଜିଇଁବା ପାଇଁ, ଜୀବନ ହାରି ଦେବା ପାଇଁ ନୁହେଁ । ଏ ଜୀବନଟି ଉପରେ ସଂପୂର୍ଣ୍ଣ ଅଧିକାର ତମର । ତମ ପରିବାରର କି ତମ ସ୍ତ୍ରୀ ଓ ଝିଅର ନୁହେଁ । କେବଳ ତମର ।
ମୋର ବିଶ୍ୱାସ ତମ ଜୀବନକୁ ଆଉ କିଏ ନିୟନ୍ତ୍ରଣ କରୁଥିଲା । କାହାର ଛଳନା ଅବହେଳା, ପ୍ରେମ ଓ ଅପ୍ରେମ, ଶ୍ରଦ୍ଧା ଓ ଅଶ୍ରଦ୍ଧା ତମ ଜୀବନକୁ ନିୟନ୍ତ୍ରଣ କରୁଥିଲା ।
ଯାହାଫଳରେ ତମ ଅକ୍ତିଆରରୁ ଜୀବନଟି ଯାଇ ଆଉ କାହାର ଦୟା ଉପରେ ବଞ୍ଚିବା ପାଇଁ ଚେଷ୍ଟା କରୁଥିଲା ।
ଚିନୁ, ଆତ୍ମହତ୍ୟା ଜିଦି ଜୀବନ ବିତୃଷ୍ଣାର ଶେଷ ଅସ୍ତ୍ର ବୋଲି ଭାବୁଥାଅ, ମୁଁ କହିବି ତମେ ଜଣେ ଭୀରୁପୁରୁଷ ।’ ମୋଠାରୁ ମଧୁର ଗାଳି ଖାଇ ସେ ଚୁପ୍ ହୋଇ କାନ୍ଥକୁ ଆଉଜି ବସିପଡ଼ିଥିଲା ।
ମୁଁ କିନ୍ତୁ ଡରିଯାଇଥିଲି । ତେଣୁ ଘଟଣାର ସମାଧାନ ପାଇଁ ମୁଁ ତାଙ୍କ ଘରକୁ ଫୋନ୍ କରିଥିଲି । କିଛି ସମୟ ତା’ ପାଖରେ ବସିରହିଥିଲି ।
ତା’ ସାନଭାଇ ମଟରସାଇକେଲ ଧରି ଆସି ପହଞ୍ଚିଥିଲା । ଚିନୁକୁ ତା’ ସାଥୀରେ ବିଦା କରିଥିଲି । ସେମାନେ ବିଦା ହୋଇଗଲା ପରେ ସାରାରାତି ମୁଁ ଶୋଇପାରିନଥିଲି ।
ଦୁଶ୍ଚିନ୍ତାରେ ମୋତେ ନିଦ ହୋଇନଥିଲା ।
‘ସାର୍ ! ତାଙ୍କ ସ୍ତ୍ରୀ ଓ ଝିଅ ଏବଂ ଶ୍ୱଶୁରଘର ଏ କଥା ଜାଣିଥିବେ ତ । ସେମାନଙ୍କ ପ୍ରତିକ୍ରିୟା କ’ଣ ହେଲା? କେହି ଜଣେ ପିଲା ଉଦ୍ବେଗର ସହ ପଚାରିଥିଲା ।
ସମସ୍ତେ ଜାଣିଲେ । ଏ ଘଟଣାଟିକୁ ହାଲ୍କା ଭାବରେ ନେଇଥିଲେ ତା’ ଶ୍ୱଶୁରଘର । ତା’ ସ୍ତ୍ରୀ କହିଲା, ଏହା କୁଆଡେ ଗୋଟାଏ ଡ୍ରାମାବାଜି, ଫିସାଦି ସେମାନଙ୍କୁ ଡରେଇବା ପାଇଁ ।
ମୁଁ ଯାହା ଅଙ୍ଗେ ନିଭେଇଲି ତାକୁ ବିଶ୍ୱାସ କରିବି ନା ତା’ ସ୍ତ୍ରୀ କଥାକୁ ବିଶ୍ୱାସ କରିବି । ମୋ ଭିତରେ ଚାଲିଥିଲା ଏକ ଅସମାହିତ ଦ୍ୱନ୍ଦ୍ୱ ।
କଥା ଯୋସ୍ରେ ଆମେ ପହଞ୍ଚି ଯାଇଥିଲୁ ପାହାଡ଼ ଉପରେ, ଆମକୁ ମାଲୁମ୍ ନଥିଲା । ଗୋଟାଏ ନାହିଁନଥିବା ଉତ୍ତେଜନାପୂର୍ଣ୍ଣ କାହାଣୀ ହିଁ ମୋ’ ପରି ଜଣେ ଅସୁସ୍ଥ ମଣିଷଟିକୁ ଆଉ ଚାରିଟା ଦୁର୍ବଳିଆ ପିଲାଙ୍କୁ ଏତେ ଗୁଡାଏ ପାହାଚ ଚଢ଼େଇ ଦେଇପାରିଲା, ସେଥିପାଇଁ ମୁଁ ଆଶ୍ଚର୍ଯ୍ୟ ହେଲି ଏବଂ ଭୋଳାନାଥଙ୍କୁ ଭାବ ଗଦ୍ ଗଦ୍ ହୋଇ ବାରମ୍ବାର ପ୍ରଣତି ବାଢ଼ିଥିଲି ।
ଛୋଟ ଛୋଟ ନଦୀମାନେ ସମୁଦ୍ରରେ ମିଶିବା ପାଇଁ ବ୍ୟାକୁଳ ହେଲାପରି, ମୋ’ ସାଙ୍ଗରେ ଆସିଥିବା ଚାରିଟା ପିଲାସେମାନଙ୍କ ବନ୍ଧୁ ଓ ବାନ୍ଧବୀଙ୍କୁ ପାଇ କିଏ କୁଆଡେ ଚାଲିଯାଇଥିଲେ ।
ଗୋଟାଏ ଅସମାପ୍ତ କାହାଣୀର ଶେଷ ଅଂଶକୁ ଶୁଣିବାର ଧୈର୍ଯ୍ୟ ଆଉ ଥିଲା କି ନଥିଲା, ମୁଁ ବୁଝିପାରୁନଥିଲି ।
ମୁଁ ଭୋଳାନାଥଙ୍କୁ ଦର୍ଶନ ସାରି ଗୋଟିଏ ମୁଣ୍ଡିଆ ପଥର ଉପରେ ବସିପଡ଼ିଥିଲି ।
ଚାହୁଁ ଚାହୁଁ ମୋ’ ଆଖି ସାମ୍ନାରେ ଗୋଟାଏ ସୁଖର ସଂସାର ଜଳିପୋଡ଼ିଗଲା, ଡହଡହ ଝାଞ୍ଜି ଖରାରେ ଗଛର ସବୁଜପତ୍ର ପୋଡ଼ିଗଲା ପରି । ଏ କଥା ଯେମିତି ସତ ସେମିତି ସତ ମଧ୍ୟ ଡହଡହ ଖରାକୁ ତାତ୍ସଲ୍ୟ କରି କୃଷ୍ଣଚୂଡା ଫୁଲ ଠୋ ଠୋ ହସିବା । ଏମିତି ଏକ ବିରୋଧାଭାସରେ ମୁଁ ସଢ଼ି ମରୁଥିଲି ।
ତେବେ ଚିନୁ ସାଙ୍ଗରେ ସେ ଝିଅଟି କିଏ? ଏ କଥା ଜାଣିବାକୁ ହେଲେ ମୋତେ ଚିନୁକୁ ଆଉ ଥରେ ଭେଟିବାକୁ ପଡ଼ିବ ।