ପଣତକାନି? ହଁ ମୋ ଗଳ୍ପଟିର ନାମ ହେଲା ‘ପଣତକାନି’ । ‘ପଣତକାନି’ ଶବ୍ଦ ସହ ମୋର ଗୋଟିଏ ଭାବନାତ୍ମକ ସମ୍ପର୍କ । ଏ ସମ୍ପର୍କଟି ଆରମ୍ଭ ହୁଏ ମୁଁ ଦୁନିଆରେ ପାଦ ଦେଉ ଦେଉ ।
ଦୁନିଆର ରଙ୍ଗ ଦେଖୁ ନଦେଖୁ, ଆଖି ଖୋଲୁଖୋଲୁ, କାହାକୁ ଚିହ୍ନୁ ନଚିହ୍ନୁ ମୋର ପ୍ରଥମ ପରିଚୟ ହୁଏ ଏଇ ପଣତକାନି ସହ । ନିଦଲାଗୁ, ଭୋକକରୁ, କଷ୍ଟ ଲାଗୁ ଏମିତିକି କିଛି ହେଲେ ଯଦି ଖେଳିବାକୁ ଇଚ୍ଛା ହୁଏ, ଏହିପରି ମୋର ସବୁ ଛୋଟବଡ଼ ସମସ୍ୟାର ସମାଧାନ ଏଇ ପଣତକାନି ଦ୍ୱାରା ହିଁ ତ ହୋଇଥାଏ । ୟା’ ଦେହରେ ଗୋଡ ପିଟିପିଟି ମୋ ପିଲାଦିନର ଖେଳ ମନେ ପଡ଼ିଲେ ଏବେବି ମୁଁ ବିହ୍ୱଳିତ ହୋଇପଡ଼େ । ଏଣୁ ପଣତକାନିକୁ ଦେଖିଦେଲେ ପିଲାବେଳୁ ମୋ ମନରେ ଗୋଟିଏ ଅଭୟ ମିଶ୍ରିତ ଆନନ୍ଦର ଲହରୀ ଖେଳିବୁଲେ । ଆଉ ସେହି ଆନନ୍ଦ ମୋ କୁନି ଗୋଡ଼ ଦୁଇଟିକୁ ପିଟି ମୁଁ ପ୍ରକାଶ କରିଥାଏ, ତାହା ଏହି ସମାଜ କ’ଣ ଜାଣିପାରେ? କିନ୍ତୁ ମୋର ପୂରା ବିଶ୍ୱାସ ମୋର ସେହି ପ୍ରିୟ ପଣତକାନି ମୋ ହୃଦୟର ସବୁ ଭାବକୁ ବେଶ୍ ବୁଝିପାରେ ।
ତା’ପରେ ମୁଁ ଚାଲି ଶିଖିଲି କୁନି କୁନି ପାଦ ଦୁଇଟିକୁ ଅଙ୍କାବଙ୍କା କରି । କେତେ ପଡ଼ିଲି, କେତେ ଉଠିଲି । ପଡ଼ିଗଲେ ଏଇ ପଣତକାନି ଧାଇଁ ଆସି ମତେ କୋଳ କରି ନେଉଥିଲା ଓ ମୋ’ କଷ୍ଟକୁ ଲାଘବ କରୁଥିଲା, ମୋ’ କାନ୍ଦୁରା ମୁହଁକୁ ପୋଛି । ମତେ ଭୁଲାଇ ଦେଉଥିଲା କୌଣସି ଏକ ସୁଖର ଅନୁଭୂତି ଦେଇ । ମୁଁ ହସି ଦେଉଥିଲି । ମୁଁ ପଡ଼ିଯାଉଥିଲେ ପୁଣି ଚାଲିବାକୁ ସାହସ ଯୋଗାଇ ଚାଲିଯାଉଥିଲା ଦୂରକୁ ଆଉ ଦୂରକୁ । ଆଉ ମୁଁ ! ମୁଁ ପୁଣି ମାଡ଼ିଚାଲୁଥିଲି ମୋର ସେଇ ଅଙ୍କାବଙ୍କା ପାଦପକାଇ ଆଗକୁ ଆଉ ଆଗକୁ ଏଇ ପଣତକାନି ଧରିବାର ଲୋଭରେ । ଏମିତି ମୁଁ ଚାଲିଶିଖିଲି, ପୁଣି ଦୌଡ଼ି ଶିଖିଲି, ତା’ପରେ ମୋ ଅଜାଣତରେ କେତେବେଳେ ଆସ୍ତେ ଆସ୍ତେ ମୁଁ ବଡ଼ ହୋଇଗଲି ଏଇ ପଣତକାନିର ଆଢ଼ୁଆଳରେ ରହି ତା’ ଜାଣି ପାରିଲିନି । ଆଶୀର୍ବାଦର ଢାଲ ପରି ଏହି ମମତାମୟୀ ପଣତକାନି ହିଁ ତ ମତେ ସୁନାଗରିକ ସହ ସୁସନ୍ତାନର ବାହାବାହା ଶୁଣାଇଥିଲା । ତା’ପରେ ଆରମ୍ଭ ହୁଏ ମୋ ଜୀବନର ଦ୍ୱିତୀୟ ଅଧ୍ୟାୟ ପୁଣି ଏକ ପଣତକାନିର ଆବିର୍ଭାବରେ ।
ସେଦିନ ମୁଁ ଶୀଘ୍ରତାରେ ଥାଏ ଅଫିସ ଯିବାକୁ । ଗାଡ଼ିରୁ ଓହ୍ଲାଇ ଲିଫ୍ଟ ଦିଗକୁ ଧାଉଁ ଧାଉଁ ହଠାତ୍ କାହା ସହ ବାଡେଇ ହୋଇ ପଡ଼ିଗଲା ମୋ ହାତରେ ଥିବା ଫାଇଲ୍ ଓ ଫାଇଲ୍ ଭିତରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜଗୁଚ୍ଛ । ଇତସ୍ତତଃ କାଗଜଗୁଡାକୁ ବିବ୍ରତର ସହ ସାଉଁଟୁ ସାଉଁଟୁ ହଠାତ୍ କାହାର ସୁବାସିତ ପଣତକାନି ମୋ ମୁଣ୍ଡ ସହ ମୁହଁକୁ ଘୋଡାଇ ଲୁଚକାଳି ଖେଳିଲା ପରି ଚାଲିଗଲା । ପଣତକାନିଟି ସତେ ଯେପରି ମୁହୂର୍ତ୍ତକ ପାଇଁ ମୋର ସବୁ ବ୍ୟସ୍ତତା ଓ ବିବ୍ରତତାକୁ ପୋଛି ନେଇଥିଲା ତା’ର ଉଷ୍ଣତା, ମଧୁରତାର ଠାଣିରେ । ଫାଇଲର କାଗଜଗୁଡା ପରି ଏବେ ଏ ପଣତକାନି ବି ମୋ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା । ଏଣୁ ମୁଁ ସାଉଁଟି ଧରିଥିଲି ଏହି ପଣତକାନିକୁ ଖୋଜିଖୋଜି । ତା’ପରେ ଧୀରେ ଧୀରେ ନିଜକୁ ବାନ୍ଧି ନେଇଥିଲି ଏଇ ପଣତକାନିରେ । ଲେଖିଦେଇଥିଲି ମୋର ନାଁ, ଆଉ ମୋର ସବୁ ଅଧିକାରଗୁଡିକୁ ଗୁନ୍ଥି ସଜାଇ ଦେଇଥିଲି ଚୁମ୍କିର ମାଳା କରି ଏଇ ପଣତକାନିରେ । ଏବେ ଗୋଟେପଟେ ମମତାମୟୀ ପଣତକାନୀ ଓ ଅନ୍ୟପଟେ ପ୍ରେମମୟୀ ପଣତକାନି ଆବଦ୍ଧରେ ବାନ୍ଧି ହୋଇ ମୁଁ ଏକ ଖୁସିମୟ, ରାଜକୀୟ ଜୀବନ ଅତିବାହିତ କରୁଛି ।
କେଁ କେଁ ଶବ୍ଦ ଶୁଣି ମୁଁ ମୋ ଭାବନା ରାଜ୍ୟରୁ ବର୍ତ୍ତମାନକୁ ଫେରିଆସିଲି । ମୋ କୁନିପୁଅ । ଖଟରେ ଶୋଇ ଖେଳୁଛି ତା’ କୁନି କୁନି ପାଦ ପିଟିପିଟି । ତା’ କାନ୍ଦ ଶୁଣି ପ୍ରେମମୟୀ ପଣତକାନିଟି ଦୌଡ଼ିଆସି କୋଳେଇ ନେଇଥିଲା ମୋ କୁନି ପୁଅକୁ । ଆଜି କିନ୍ତୁ ମୁଁ ଦେଖିବାକୁ ପାଇଥିଲି ମୋ ପ୍ରେମମୟୀ ପଣତକାନିକୁ ମମତାମୟୀ ରୂପରେ । ଆଉ ମୋ କୁନିପୁଅ ତା’ କୁନି କୁନି ପାଦ ଦୁଇଟିକୁ ପିଟି ଚାଲିଥିଲା ପଣତକାନିରେ ଆଉ ତା’ର କୁନି କୁନି ହାତର ଆଙ୍ଗୁଠିଗୁଡା ହଲାଇ ମୁଠାଇ ଧରିବାକୁ ଚେଷ୍ଟା କରୁଥିଲା ଏଇ ପଣତକାନିକୁ ଠିକ୍ ମୋର ଦାୟାଦ ଭାବରେ । ମୋ ଗଚ୍ଛିତପୁଞ୍ଜିକୁ ଧୀରେ ଧୀରେ ହସ୍ତଗତ କରିନେଇଥିଲା ମୋ ଧରୋହର ଭାବରେ । ମୁଁ ଦୂରରେ ଖଟପାଖରେ ତା’ର ଅନୁଭୂତିକୁ ଅନୁଭବ କରିପାରିଥିଲି । ତା’ ହୃଦୟର କୋମଳତା ଓ ଆନନ୍ଦକୁ ମନେ ମନେ ସ୍ପର୍ଶ କରି ହସି ଦେଇଥିଲି ମୁଚୁକେଇକି ।