ଦୁଇ ଚାରିଖଣ୍ଡ ସରୁ ବାଉଁଶ ପାତିଆ, ଦୁଇ ତିନିପୃଷ୍ଠା କାଗଜ, କିଛି ସୂତା ପାଇଁ ଗୋଟାଏ ମହାର୍ଘ ସଂପର୍କ କିପରି ଚିରଦିନ ପାଇଁ ଛାରଖାର ହୋଇଗଲା, ସେକଥା ଏବେ ଭାବିଲେ ଦୀର୍ଘଶ୍ୱାସଟିଏ ବାହାରି ଆସେ ଛାତିକୁ ଆନେ୍ଦାଳିତ କରି ।
ସେତେବେଳକୁ କେତେ ହେବ ମୋର ବୟସ, ସଠିକ୍ ମନେ ନାଇଁ । ବୋଧହୁଏ ଆଠ କିମ୍ବା ନ’ବର୍ଷ । ଦିନେ ଖରାବେଳେ ଶୋଇକି ଉଠି ମୁଁ ବାରି ଆଡକୁ ଯାଇ ପାଳଗଦା ନିକଟରେ ଠିଆ ଠିଆ ପରିଶ୍ରା କରୁଛି । ଦେଖିଲି ଆକାଶରେ କ’ଣ ଗୋଟାଏ ମୁଣ୍ଡ ହଲାଇ ହଲାଇ ଉଡୁଛି । ତା’ର ଲମ୍ବା ଲାଞ୍ଜଟି ସାପପରି ଦୋହଲୁଚି ପବନରେ । ମୁଁ ଚିର୍ଚିରେଇ ଘର ଭିତରକୁ ଧାଇଁ ଡାକପକାଇଲି ବୋଉକୁ । ବୋଉ ଅତର୍ଚ୍ଛା ହୋଇ ଧାଇଁଲା ବାରି ଆଡକୁ । ଆକାଶ ଆଡକୁ ହାତ ଦେଖାଇ ସନ୍ତ୍ରସ୍ତ ସ୍ୱରରେ ମୁଁ ବୋଉକୁ ପଚାରିଲି, “ସେଇଟା କ’ଣ?”
ପାନଖିଆ ଓଠରେ ହସି ହସି ବୋଉ କହିଲା, “ଛେରୁଆଟା, ସେଇଟା ପରା ଗୁଡ଼ି! ଗୋପାଳ ଘର ପଦିଆ ଗାଁକୁ ଆଇଚି । କଲିକତାରୁ ଗୁଡ଼ି ଆଣି ଉଡ଼ୋଉଚି!
– “ସେଇଟା ଚଢ଼େଇ ନା ସାପ? ସେ ଉଡୁଚି କେମିତି? ଆଶ୍ଚର୍ଯ୍ୟ ହୋଇ ମୁଁ ପଚାରିଲି ।
: ସେ ହେଉଛି ଗୁଡ଼ି ଚଢ଼େଇ । ତୁ ଆଉ ଟିକେ ବଡ଼ ହେଇଗଲେ ଉଡ଼େଇବୁ! ବୋଉ କହିଲା ।
ସେଦିନ ରାତିରେ ମତେ ନିଦହେଲା ନାହିଁ । ସାରାରାତି ବିତିଗଲା ଗୁଡ଼ି ଚଢ଼େଇ କଥା ଭାବିଭାବି । ତା’ପର ଦିନ ଭଲ କରି ସକାଳ ହେଉ ନହେଉଣୁ ମୁଁ ବୋଉକୁ କହିଲି- “ଏବେ ମୁଁ ବଡ଼ ହେଇଗଲି ବୋଉ, ମତେ ଗୁଡ଼ି ଚଢ଼େଇ ଦେ…
କେବଳ ବୋଉ ନୁହେଁ, ଏକଥା ଯିଏ ଶୁଣିଲା, ହସିଲା । ମୋର କିନ୍ତୁ ସେ ହସରେ କିଛି ଯାଏ ଆସେ ନଥିଲା । ମୋର ଏକା ଜିଦ୍, ଗୁଡ଼ି ଚଢ଼େଇ ଦରକାର ।
ଚାରି ପାଞ୍ଚଖଣ୍ଡ ଖଡ଼ିକା, ଦି’ଫର୍ଦ୍ଦ କାଗଜ, ଟଙ୍କିକିଆ ସୂତା ବଣ୍ଡଲଟିଏ । ସୂତା ଗୁଡ଼ା ହେଲା ଗୋଟାଏ ଫୁଟିକିଆ ବାଡ଼ିରେ । ସେଇଟା ହେଲା ନଟେଇ । ସେସବୁ ଧରି ପ୍ରବଳ ଉତ୍ସାହରେ ମୁଁ ଦୌଡ଼ିଲି କେନାଲ ବନ୍ଧକୁ । ମୋ ଗୁଡ଼ି ଚଢ଼େଇ ଏବେ ଆକାଶରେ ଉଡ଼ିବ ମୁଣ୍ଡ ହଲାଇ ଓ ଲାଞ୍ଜ ହଲାଇ । ଆନନ୍ଦରେ ମୁଁ ଆତ୍ମହରା ହୋଇ ଉଠୁଥିଲି । ବୋଉ ମୋ ଗୁଡ଼ିକୁ ହାତରେ ଉପରକୁ ଟେକି ଛାଡ଼ିଦେଲା । ମୁଁ ସୂତାଛାଡ଼ି ଛାଡ଼ି ଦୌଡ଼ିଲି ବନ୍ଧ ଉପରେ । ଗୁଡ଼ି ମୁଣ୍ଡ ହଲାଇ ହଲାଇ ଉପରକୁ ଉଠିଲା । ମୁଁ ବିଭୋର ହୋଇପଡୁଥିଲି । ମୋ ଗୋଡ଼ ତଳେ ଲାଗୁନଥିଲା । ସତେଅବା ଗୁଡ଼ି ନୁହେଁ, ମୁଁ ହିଁ ଆକାଶରେ ଉଡୁଛି!!
ଅଥଚ ସେଇ ଆନନ୍ଦ ମୋର ଦୀର୍ଘସ୍ଥାୟୀ ହେଲା ନାଇଁ । ଆଖି ପିଛୁଳାକେ ସର୍ବନାଶ ଘଟିଗଲା । କୁଆଡୁ ଆଉ ଗୋଟାଏ ଗୁଡ଼ି ଆସି ମୋ ଗୁଡ଼ି ସୂତାରେ ସାପପରି ଗୁଡ଼ାଇ ହୋଇଗଲା ଏବଂ ମୁହୂର୍ତ୍ତକ ଭିତରେ ମୋ ଗୁଡ଼ିଟି ଛିଣ୍ଡିଯାଇ ହଲିହଲି ଆସି ତଳେ ପଡ଼ିଲା । ମୁଁ ତଟସ୍ତ ହୋଇଗଲି । ମୋ ପାଟିରୁ ଅନେକ ସମୟଯାଏ ବଚନ ବାହାରିଲା ନାଇଁ । ଦୁଃଖ ଓ କୋହରେ ମୋର ସମଗ୍ର ଶରୀର ଥରି ଉଠିଲା । ଦେଖିଲି ପ୍ରତାପ ନାମକ ମୋର ଜଣେ ସାଙ୍ଗ କିର୍କିର୍ ହୋଇ ହସୁଚି!
ପ୍ରତାପର ଗୁଡ଼ି ଯେ ମୋ ଗୁଡ଼ିର ଏପ୍ରକାର ଦୁରାବସ୍ଥା ପାଇଁ ଦାୟୀ, ଏକଥା ଜାଣି ସେଇ ସମୟରେ ମୋର ଇଚ୍ଛା ହେଉଥିଲା ତାକୁ ମାରି ଖାଇଯିବା ପାଇଁ । ହେଲେ ସେସବୁ କରିବା ସମ୍ଭବ ନଥିଲା । ଶାରୀରିକ ଦୃଷ୍ଟିରୁ ମୁଁ ପ୍ରତାପଠାରୁ ବେଶ୍ ଦୁର୍ବଳ ଥିଲି । ଗୋଟାଏ ଅସହାୟ କ୍ରୋଧରେ ମୋ ଭିତର ଖିନ୍ଭିନ୍ ହୋଇ ଯାଉଥିଲା । ମୁଁ କାନ୍ଦି ପାରୁନଥିଲି କି ରାଗି ପାରୁନଥିଲି । ଛାତି ଭିତରେ ପର୍ବତେ କୋହ ଲଦି ମୁଁ ଫେରିଆସିଥିଲି ଘରକୁ ଓ ଘରେ ପହଞ୍ଚି ଭେଁ ଭେଁ କାନ୍ଦି ଉଠିଥିଲି । ଆଉ ଗୋଟାଏ ନୁହେଁ, ସେହିପରି ଦଶଟା ଗୁଡ଼ି ତିଆରି କରିଦେବ ବୋଲି ବୋଉ ଯେତେ ପ୍ରବୋଧନା ଦେଲେ ବି ମୋ ଆତ୍ମା ଶାନ୍ତ ହୋଇନଥିଲା ।
ସେଇ ଦିନଠାରୁ ଏପର୍ଯ୍ୟନ୍ତ ମୁଁ ଆଉ ଥରେ ମଧ୍ୟ ଗୁଡ଼ି ଉଡ଼ାଇନାହିଁ । ସେଇଦିନଠାରୁ ଆଜି ପର୍ଯ୍ୟନ୍ତ, ପ୍ରତାପ ସାଙ୍ଗରେ ପଦଟିଏ ମଧ୍ୟ କଥା ହୋଇନାହିଁ । ସେ ଏବେ କେଉଁ ବ୍ୟାଙ୍କରେ, ରାଜ୍ୟ ବାହାରେ । ମୁଁ କେନ୍ଦ୍ର ସରକାରଙ୍କ ଅଧୀନ ଏକ ବଡ଼ ଦପ୍ତରରେ । ଆଦ୍ୟ କୈଶୋରରେ ପ୍ରତାପ ପ୍ରତି ମୋ ମନ ଭିତରେ ସେଦିନ ଯେଉଁ ପ୍ରଚଣ୍ଡ ଘୃଣା ଓ କ୍ରୋଧର ମଞ୍ଜିଟିଏ ପୋତି ହୋଇଯାଇଥିଲା, ତାହା ଏବେ ମନକୁ ମନ ଡାଳପତ୍ର ମେଲାଇ ବିଶାଳ ଦ୍ରୁମଟିଏ ହୋଇ ଠିଆ ହୋଇଗଲାଣି । ମୋ ପିଲାମାନେ ଏବେ ଗୁଡ଼ିଉଡ଼ା ବୟସ ପାର୍ ହୋଇଗଲେଣି । ତଥାପି ଏବେ ଆକାଶରେ ଗୁଡ଼ିଟିଏ ଖୁସି ମନରେ ଉଡୁଥିବାର ଦେଖିଲେ ମତେ କେମିତି ଗୋଟାଏ ଆତଙ୍କିତ ଭାବ ଆକ୍ରାନ୍ତ କରିପକାଏ । କାଳେ ତାହା କେଉଁ ଜଣେ ଅବିବେକୀ ମଣିଷ ଦ୍ୱାରା କର୍ତ୍ତିତ ହୋଇ ଭୂପତିତ ହୋଇଯିବ କି!!
କହିବା ବାହୁଲ୍ୟ ପ୍ରତାପକୁ ମୋ ମନ ଏପର୍ଯ୍ୟନ୍ତ ଗ୍ରହଣ କରିପାରିନାହିଁ । ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ବାଲ୍ୟାବସ୍ଥାର ସେଇ ତୁଚ୍ଛ ଘଟଣାଟିକୁ ମନ ଭିତରୁ ଫିଙ୍ଗି ଦେଇପାରିନାହିଁ ।
ମୁଁ କହିଲି ତୁଚ୍ଛ ଘଟଣା! ତାହା କ’ଣ ଠିକ୍? ନ’ବର୍ଷର କୁନି ବାଳକଟିର ନରମ ମନଟିଏ ଖିନ୍ଭିନ୍ ହୋଇଯିବା କ’ଣ କେବେ ତୁଚ୍ଛ ଘଟଣା ହୋଇପାରେ!!
ଗୁଡି ବିଶେଷାଙ୍କ ଭଲ ହୋଇଛି, ବିଶେଷତଃ ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ରଂକ ଗପ।