ଭାରି ଚିହ୍ନାଚିହ୍ନା ଲାଗୁଥିଲା ମୁହଁଟା । ବହୁତ ମନେ ପକେଇବାକୁ ଚେଷ୍ଟା କଲି । ମୋଟେ ମନେପଡ଼ିଲାନି । କୋଉଠି ଗୋଟେ ଦେଖିଛି ନିଶ୍ଚେ!
ସାଙ୍ଗରେ ଥିବା ଛୋଟ ପିଲାଟା ଖୁବ୍ ବ୍ୟସ୍ତ କରୁଥିଲା ତାଙ୍କୁ । ବାଧ୍ୟ ହୋଇ ସିଏ ମୋତେ ପଚାରିଲେ- ଟାଉନ୍ ବସ୍ ଯାଉଚି ତ ଏ ବାଟେ?
ମୁଁ ହଁ କଲି ।
ସିଏ କହିଲେ- ବହୁତ ଦିନ ପରେ ଆସୁଚି ତ, ୟା’ ଭିତରେ ଅନେକ କିଛି ବଦଳି ଗଲାଣି ଏ ସହର । ବହୁତ ବଢ଼ିଗଲାଣି ଘରଦ୍ୱାର ।
ମୁଁ ପଚାରିଲି- ଆପଣଙ୍କ ଘର କ’ଣ ଏଇଠି?
ସିଏ ଦୂରକୁ ଆଙ୍ଗୁଠି ଦେଖେଇ କହିଲେ- ସେଇ ବଡ଼ ବିଲ୍ଡିଂଟା ଫାଙ୍କରେ ଗୋଟେ ନାଲି ରଙ୍ଗର ଛାତଟେ ଦିଶୁନି? ଡିସ୍କ ଆଣ୍ଟେନାଟେ ଲାଗିଚି, ତା’ରି ପାଖ ଘରଟା ଆମର । ଗୋଟେ ବଡ଼ ପିଜୁଳି ଗଛ ଅଛି । ଆଗେ ଏଇଠୁ ପୂରା ଦିଶୁଥିଲା ଆମ ଘରଟା । ଏବେ ତ ଅନେକ ଘର ହୋଇଗଲାଣି ।
ଏଥର ମୋର ଠିକ୍ ମନେପଡ଼ିଲା ମୁହଁଟା କାହିଁକି ଏତେ ଚିହ୍ନାଚିହ୍ନା ଲାଗିଲା ।
ସେଦିନ ସ୍କୁଲ୍ ଛୁଟିଥାଏ । ହାତରେ ନଟେଇ ଥାଏ । ମୋ’ ଗୁଡ଼ିଟା ଆକାଶର ଖୁବ୍ ଉପରେ ଚକ୍କର କାଟୁଥାଏ, ଆଉ କେତେଟା ଗୁଡ଼ିଙ୍କ ମେଳରେ । ଥିଲା ଥିଲା ହଠାତ୍ ମୋ ହାତଟା ହାଲୁକା ଲାଗିଲା । ଗୁଡ଼ିଟା ମୋର କଟିଗଲା କାହାର ଗୋଟେ ମଜଭୁତ୍ ମାଞ୍ଜାଦିଆ ସୂତାର ତୀକ୍ଷ୍ଣ ଧାରରେ । ଗୁଡ଼ିଟା ହଲି ହଲି ଖସୁଥିଲା ଆକାଶରୁ । ମୁଁ ନଟେଇରେ ସୂତାତକ ଗୁଡେଇ ନେଇ ଦୌଡ଼ୁଥିଲି ଗୁଡ଼ିଟାକୁ ଧରିବା ପାଇଁ । ଗୁଡ଼ିଟା ସେତେବେଳକୁ ମୋତେ ଆମ ଘରଠୁ ବେଶ୍ କିଛିବାଟ ଦୌଡ଼େଇ ଆଣିଥାଏ । ଶେଷରେ ଗୁଡ଼ିଟା ଯେଉଁଠି ଲଟ୍କି ରହିଲା, ସେଇଟା ଥିଲା ଜଣଙ୍କ ପାଚେରି ଭିତରେ ଥିବା ଗୋଟେ ପିଜୁଳି ଗଛ । ଖୁବ୍ ଉପର ଡାଳଟିଏରେ ଅଟକି ରହିଥିଲା ଗୁଡ଼ିଟା । ମୁଁ ପାଚେରି ଉପରେ ଚଢ଼ି ଗୁଡ଼ିଟାକୁ ଆଣିବାକୁ ଚେଷ୍ଟା କରୁଚି, ହଠାତ୍ ଗୋଟେ ଚିକ୍ରାର ଶୁଣିଲି, “ହେଇ, କ’ଣ କରୁଛୁ ସେଠି? ଓହ୍ଲା ଶୀଘ୍ର ! ବାଥ୍ରୁମ୍ ପାଚେରି ଉପରେ ଚଢ଼ିବାକୁ କିଏ କହିଲା?”
ମୁଁ ତଳକୁ ଅନେଇଲା ବେଳକୁ ଝିଅଟା ତରତରରେ ଓଦା ଲୁଗାଟାକୁ ଛାତି ଉପରକୁ ଟାଣିଆଣି ଛିଡ଼ା ହେଇଥାଏ ମୋ ଆଡକୁ ଚାହିଁ । ଲୁଗାଟା ତା’ର ପୂରା ଦେହଟାକୁ ଢାଙ୍କିପାରି ନଥାଏ ଠିକ୍ସେ । ଠାଏ ଠାଏ ଜଡ଼ି ଯାଇଥାଏ ଦେହ ସାଙ୍ଗରେ । ବାଳରୁ ଝରୁଥିବା ପାଣି ଠୋପା ସବୁ ଏକାଠି ଧାରଧାର ହେଇ ଗଡ଼ି ଯାଉଥାଏ ତା’ର ସଫେଦ୍ ଗାଲ ଆଉ ବେକ ଉପର ଦେଇ ତଳ ଆଡକୁ । ସିଏ ପୁଣି ଥରେ ଚିକ୍ରାର କଲା- ଚାହିଁଚୁ କ’ଣ, ଓହ୍ଲା !
ସେଦିନ ମୁଁ ମୋର ନିହାତି ଆପଣାର ସେ ଗୁଡ଼ିଟାକୁ ପିଜୁଳି ଗଛର ଡାଳରେ ଅସହାୟ ଭାବେ ଲଟକୁଥିବା ଅବସ୍ଥାରେ ଛାଡ଼ିଦେଇ ଦୌଡ଼ି ପଳେଇ ଆସିଥିଲି ଯେ, ଆଉ କେବେ ବି ଯାଇନି ସିଆଡିକି ଭୟରେ ।
ସ୍କୁଲ୍ ଛାଡ଼ି କଲେଜ ଆସିବା ଭିତରେ ସେ ଦୃଶ୍ୟ ମୋର ଅନେକବାର ମନେପଡ଼ିଛି, କିନ୍ତୁ ମୁହଁଟା ଭୁଲି ଯାଇଥିଲି ଆସ୍ତେ ଆସ୍ତେ ।
[…] କଟାଗୁଡ଼ି ଓ ଭିଜା ନାୟିକା […]