ରସରାଜ ସ୍ୱର୍ଗତ ନାରାୟଣ ପ୍ରସାଦ ସିଂହ କହିଥିଲେ- ମକର ସଂକ୍ରାନ୍ତି ଆସିଲେ ଆଉ ନୀଳ ଆକାଶରେ ଗୁଡ଼ି ଦେଖିଲେ ମନେପଡ଼େ ‘କିଏ କାହାର’ ଚଳଚ୍ଚିତ୍ରର ଗୁଡ଼ି ଗୀତ କଥା ।
ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ସେ ଗୀତ ଆଜି ବି ଖୁବ୍ ସତେଜ ଲାଗେ କାନକୁ । ମନ ଫେରିଯାଏ ସେଇ ପୁରୁଣା ଦିନକୁ । ମକର ଆସିଲେ ଏବେବି ଶୀତୁଆ ଆକାଶରେ ଚକ୍କର କାଟେ ରଙ୍ଗବେରଙ୍ଗର ଗୁଡ଼ି । ଅକ୍ଷୟ ମହାନ୍ତିଙ୍କ ସେ ଗୀତ ଅଜାଣରେତ ଚାଲିଆସେ କଣ୍ଠକୁ । ଗୁଣଗୁଣେଇବାକୁ ମନଚାହେଁ ।
କିନ୍ତୁ ସେ ଗୀତର ସୁରକାର ଅକ୍ଷୟ ମହାନ୍ତି ଆଜି ନାହାନ୍ତି କି ନାହାନ୍ତି ଗୀତିକାର ନାରାୟଣ ପ୍ରସାଦ ସିଂହ ।
ଏ ଗୀତର ସର୍ଜନା ସମ୍ପର୍କରେ ଗୀତିକାର ସ୍ୱର୍ଗତ ନାରାୟଣ ପ୍ରସାଦ ସିଂହ ‘ଶୋଭନା’କୁ ଯାହା କହିଯାଇଥିଲେ…
ଯଦି ତାରୁଣ୍ୟକୁ ଧରି ରଖିବାକୁ ଚାହୁଁଛନ୍ତି ଗୁଡ଼ି ଉଡ଼ାନ୍ତୁ । ଗୁଡ଼ି ଆପଣଙ୍କୁ ଫେରେଇନେଇ ଯିବ ଅତୀତକୁ । ଆକାଶରେ ଗୁଡ଼ି ଚକ୍କର କାଟୁଥିବ ଆପଣଙ୍କ ହାତରେ ଥିବ ନଟେଇ ଠିକ୍ ଏତିକିବେଳେ ମନ ଫେରିଯାଇଥିବ ସେଇ ଗୁଡ଼ିଉଡ଼ା ବୟସକୁ । କେତେ କେତେ ଉପଭୋଗ୍ୟ ନ ଥିଲା ସେ ବୟସ?
ପ୍ରେମ ପାଇଁ ଯେମିତି ବୟସ ବାଧକ ସାଜେନି ଠିକ୍ ସେମିତି ବୟସ ଅଲୋଡ଼ା ହେଇପଡ଼େ ଗୁଡ଼ି ଉଡେଇବାକୁ ଇଚ୍ଛା ହେଲେ ।
ପ୍ରେମ ନ କରି କ’ଣ ପ୍ରେମର ମଜା ନେଇହୁଏନି? ପରିଣତ ବୟସର ମଣିଷଟିଏ କ’ଣ ତା’ କଲେଜ ବେଳର ପ୍ରେମିକା କଥା ମନେ ପକେଇ ଖୁସି ହୁଏନି ଭିତରେ ଭିତରେ?
ଠିକ୍ ସେମିତି ନିଜେ ଗୁଡ଼ି ନଉଡେଇଲେ ବି ଆକାଶରେ ଗୁଡ଼ି ଦେଖି ଗୁଡ଼ି ଉଡ଼ଉଥିବା ବୟସକୁ ଥରେ ଫେରିଯା’ନ୍ତୁନା, ଦେଖିବେ କେତେ କଥା ମନେପଡ଼ିଯିବ ।
ଗୁଡ଼ି ଉଡ଼ା ବୟସର କଥା ମନେପକାନ୍ତୁ ଦେଖିବେ ମନ କେତେ ସତେଜ ହେଇଯିବ । ଆଗାମୀ ଦିନ ପାଇଁ ବଞ୍ଚିବାର ଅନେକ ଖୋରାକ ମିଳିଯିବ ।
ହଁ, ଯଦି ପାରୁଛନ୍ତି ଏବେବି ଗୁଡ଼ି ଉଡାନ୍ତୁ, ମନକୁ ଉଡ଼େଇ ଦିଅନ୍ତୁ ଗୁଡ଼ି ସହ । ଗୁଡ଼ିଉଡ଼ା ପରମ୍ପରା ବଞ୍ଚୁ ।
ଯଦି ଗୁଡ଼ି ଉଡ଼େଇବାର ସୁଯୋଗ ନାହିଁ, ତା’ହେଲେ ଗୁଡ଼ିକୁ ନେଇ କେଇଟି ଗପ ପଢ଼ନ୍ତୁ ଏଠି…
ନୀଳ ଆକାଶର ଗୁଡ଼ି ଦେଖିଲେ ମନ ଫେରିଯାଏ ଅତୀତକୁ