ମକରସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିହୁଏ । ସୂର୍ଯ୍ୟ ମକର ରାଶିକୁ ଆସି ବିଷୁବରେଖା ଆଡକୁ କ୍ରମଶଃ ଗମନ କରନ୍ତି । ଏହି ସଂକ୍ରାନ୍ତିଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ କ୍ରମଶଃ ପ୍ରଖର ହୁଏ ।
ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ଗୃହସ୍ଥମାନେ ସେହିଦିନ ପୂଜାର୍ଚ୍ଚନା କରିଥାନ୍ତି । ଆଉ କେତେକ ସ୍ଥାନରେ ଲୋକେ ମକର ସଂକ୍ରାନ୍ତି ଦିନ ଶିବଙ୍କୁ ମଧ୍ୟ ପୂଜା କରନ୍ତି । ଶିବ ପୂଜନର ଉଦେ୍ଦଶ୍ୟ ହେଲା, ଶିବ ମଙ୍ଗଳମୟ ଏବଂ ସୂର୍ଯ୍ୟଙ୍କୁ ପୂଜା କରିବାର ଉଦେ୍ଦଶ୍ୟ ହେଲା, ସୂର୍ଯ୍ୟ ସର୍ବଶକ୍ତିର ଆଧାର ।
ହିନ୍ଦୁମାନେ ମକର ସଂକ୍ରାନ୍ତି ଦିନ ଦେବଦେବୀଙ୍କ ପାଖରେ ହୋମ କରି ମାସଟି ଶୁଭରେ କଟିବା ପାଇଁ ପ୍ରାର୍ଥନା କରନ୍ତି । ଏହିଦିନ ଗ୍ରହଦୋଷ ଖଣ୍ଡନ ପାଇଁ ମଧ୍ୟ ହୋମ କରିବାର ବିଧାନ ଅଛି ।
ମକର ସଂକ୍ରାନ୍ତି ସମୟକୁ ଓଡ଼ିଶାରେ ଧାନ, ଆଖୁ ଆଦି ଅମଳ ଶେଷ ହୋଇଥାଏ । ସେଦିନ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, ଦୁଧ ଆଦି ପକାଇ ସୁମିଷ୍ଟ ଭୋଗ ପ୍ରସ୍ତୁତ କରାହୁଏ ଓ ତାହା ଦେବଦେବୀଙ୍କ ଉଦେ୍ଦଶ୍ୟରେ ଅର୍ପଣ କରାହୁଏ । ସେଦିନ ଭୋଗର ବୈଶିଷ୍ଟ୍ୟ ହେଲା- ନୂଆ ଅରୁଆ ଚାଉଳ ଠାକୁରଙ୍କ ନିକଟରେ ଭୋଗ କରିବା । ସେହି ଅରୁଆ ଚାଉଳରେ ପ୍ରସ୍ତୁତ ଭୋଗକୁ ‘ମକର ଚାଉଳ’ କୁହାଯାଏ । ଏହା ଭୋଗ ଲାଗିବା ପରେ ଗୃହର ମୁରବୀ ପରିବାର ଓ ପଡ଼ୋଶୀମାନଙ୍କୁ ଆନନ୍ଦରେ ବଣ୍ଟନ କରନ୍ତି ।
ସଂକ୍ରାନ୍ତି ମାତ୍ରେ ହିଁ ତାହା ପୁଣ୍ୟ ଦିବସ ରୂପେ ଗୃହୀତ ହୋଇଥାଏ । ପ୍ରତ୍ୟେକ ସଂକ୍ରାନ୍ତି ତିଥିରେ ହୋମ, ଦାନ ଓ ବିବିଧ ପ୍ରକାର ପୁଣ୍ୟ କାର୍ଯ୍ୟ କରାଯାଏ । ଏହି ଦିନ ପ୍ରାତଃସ୍ନାନ ସହ ଦାତାମାନେ ଯେଉଁ ଦାନ, ଧର୍ମ ଆଦି ସୂର୍ଯ୍ୟଙ୍କ ଉଦେ୍ଦଶ୍ୟରେ କରିଥାନ୍ତି, ତାହା ସୂର୍ଯ୍ୟଦେବ ପର ଜନ୍ମମାନଙ୍କରେ ଦାତାଙ୍କୁ ପ୍ରତ୍ୟାର୍ପଣ କରନ୍ତି ବୋଲି ଲୋକ ବିଶ୍ୱାସ ରହିଛି । ପୁରାଣରେ ଉଲ୍ଲେଖ ଅଛି, ରବି ସଂକ୍ରମଣ ସମୟରେ ଯେଉଁ ବ୍ୟକ୍ତି ସ୍ନାନ କରେ ନାହିଁ, ସେ ସପ୍ତଜନ୍ମ ବ୍ୟାପୀ ରୋଗ ଓ ଦୁଃଖୀ ହୁଏ ।
ମକର ସଂକ୍ରାନ୍ତିର ଅନ୍ୟ ନାମ ‘ତିଳ ସଂକ୍ରାନ୍ତି’ । କାରଣ ଏହିଦିନ ସୂର୍ଯ୍ୟଙ୍କୁ ‘ମକରଚାଉଳ’ ସମେତ ତିଳରେ ପ୍ରସ୍ତୁତ ଖଜା ଅର୍ପଣ କରାଯାଏ ।
ସୂର୍ଯ୍ୟଙ୍କର ବାରରାଶିର ବାର ସଂକ୍ରାନ୍ତି ଗୋଟିଏ ଗୋଟିଏ ପବିତ୍ର ଦିବସ ରୂପେ ଗୃହୀତ ହୋଇଥାଏ । ତେବେ ଶାସ୍ତ୍ରକାରମାନେ ତନ୍ମଧ୍ୟରୁ କର୍କଟ ସଂକ୍ରାନ୍ତି ଓ ମକର ସଂକ୍ରାନ୍ତିକୁ ସୂର୍ଯ୍ୟଙ୍କ ଅୟନ ଦୃଷ୍ଟିରୁ ବିଶେଷ ମାନ୍ୟତା ପ୍ରଦାନ କରିଥାନ୍ତି । ଏହା ପୁଣ୍ୟ ଓ ପବିତ୍ର ସଂକ୍ରାନ୍ତି ଭାବରେ ଖ୍ୟାତ ।
ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ମକରସଂକ୍ରାନ୍ତିକୁ ଏକ ଆନନ୍ଦ ମୁଖର ପର୍ବ ରୂପେ ଗ୍ରହଣ କରାଯାଏ । ଏହିଦିନ ଆଦିବାସୀ ସଂପ୍ରଦାୟର ଲୋକମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ନୃତ୍ୟ, ଗୀତ ତଥା ପାନ ଭୋଜନରେ ନିଜ ନିଜକୁ ହଜାଇ ଦେଇଥାନ୍ତି । ଘରେ ଘରେ ପିଠାପଣା ହୁଏ । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ସଂପ୍ରଦାୟର ଲୋକମାନେ ମକର ପର୍ବକୁ ତିନିଦିନ ବ୍ୟାପୀ ପାଳନ କରନ୍ତି । ଏହି ପର୍ବ ଦିନରେ ସେମାନେ କୌଣସି କାମଧନ୍ଦା କରନ୍ତି ନାହିଁ । ଏହି ସମୟରେ ସେମାନେ ସେମାନଙ୍କର ଦେବଦେବୀଙ୍କ ନିକଟରେ ପୂଜା କରନ୍ତି । ପୁରୁଷ ଓ ସ୍ତ୍ରୀ ଲୋକମାନେ ଦଳ ଦଳ ହୋଇ ଗୀତ ଗାଇ ବନ ଭୂମିକୁ ମୁଖରିତ କରନ୍ତି । ମକର ପର୍ବରେ ସେମାନେ ତୀର ପ୍ରତିଯୋଗିତାର ଆୟୋଜନ କରିଥାନ୍ତି । ଗୋଟିଏ ବୃକ୍ଷକୁ ପୂଜା କରି ଓ ଭୋଗ ଇତ୍ୟାଦି ଦେଇ ସେମାନେ ସେହି ବୃକ୍ଷକୁ ଲକ୍ଷ୍ୟ କରି ଶରଭେଦ କରନ୍ତି । ଯାହାର ତୀର ବୃକ୍ଷର ନିର୍ଦ୍ଦିଷ୍ଟ ଅଂଶକୁ ଭେଦ କରେ ତାକୁ ସେମାନେ ସମ୍ମାନିତ କରିଥାନ୍ତି, ତାକୁ ନୂଆ ଲୁଗା ପିନ୍ଧାଇ, ପେଟଭରା ଭୋଜନ ଦେଇ, କାନ୍ଧରେ ବସାଇ ବାଦ୍ୟବାଜଣା ସହ ସାହି ସାହି ବୁଲାନ୍ତି । ଏହିଦିନ ଠାରୁ ତାଙ୍କର ଶିକାର ପର୍ବ ଆରମ୍ଭ ହୁଏ ।
ତେବେ ମକରସଂକ୍ରାନ୍ତି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ପାଳିତ ହୋଇଥାଏ । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ସୌରମାସ ଗଣନାନୁସାରେ ସଂକ୍ରାନ୍ତିକୁ ମାସର ପ୍ରଥମ ଦିବସ ରୂପେ ଗ୍ରହଣ କରାଯାଏ । ମକରସଂକ୍ରାନ୍ତି ମାଘମାସର ପ୍ରଥମ ଦିନ ।
ଦକ୍ଷିଣ ଭାରତରେ ମକରପର୍ବ ସବୁଠାରୁ ବଡ଼ ପର୍ବ । ସେଠାରେ ଏହା ପୋଙ୍ଗଲପର୍ବ ରୂପେ ପରିଚିତ । ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିଠାରୁ ବର୍ଷ ଆରମ୍ଭ ହେଉଥିଲା ବେଳେ ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିଠାରୁ ବର୍ଷ ଆରମ୍ଭ ହୁଏ । ଏହିଦିନ ଦକ୍ଷିଣ ଭାରତର ପ୍ରତ୍ୟେକ ପରିବାର ଏହି ପର୍ବ ପାଇଁ ଆନନ୍ଦ ମୁଖରିତ ହୋଇଥାଏ । ସେମାନେ ଏହାକୁ ତିନିଦିନ ଧରି ପାଳନ କରନ୍ତି । ମକରସଂକ୍ରାନ୍ତିର ପୂର୍ବଦିନ ରାତିରେ ଘରେ ଘରେ ନିଅାଁ ଜାଳି, ସେହି ନିଅାଁରେ ପାଣି ଗରମ କରାହୁଏ ଓ ପରିବାରର ପ୍ରତ୍ୟେକ ଲୋକ ସେହି ଗରମ ପାଣି ସ୍ନାନ କରନ୍ତି । ପରିବାରର ପ୍ରତ୍ୟେକ ଲୋକ ନୂତନ ବସ୍ତ୍ର ପରିଧାନ କରନ୍ତି । ଏହି ଦିନ ସେମାନେ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ପିଣ୍ଡଦାନ କରନ୍ତି । ଦକ୍ଷିଣ ଭାରତର ମହିଳାମାନେ ମକର ଦିନ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରି ବିଭିନ୍ନ ଭାବରେ ସଜାନ୍ତି ଓ ମୁରୁଜରେ ଚିତା ଦିଅନ୍ତି । ପର୍ବର ପ୍ରଥମ ଦୁଇଦିନ ସେମାନେ ଭଳିକି ଭଳି ପିଠା କରନ୍ତି । ପର୍ବର ପ୍ରଥମ ଦୁଇଦିନ ନିରାମିଶ ଭୋଜନ ହୁଏ । କିନ୍ତୁ ପର୍ବର ତୃତୀୟ ଦିନ ବ୍ରାହ୍ମଣ ଘର ବ୍ୟତୀତ ଅନ୍ୟ ଘରମାନଙ୍କରେ ଆମିଷ ଭୋଜନ ହୁଏ । ଗାଁ ଗାଁରେ ନାଚଗୀତର ଆୟୋଜନ କରାଯାଏ । ଏହି ତିନିଦିନ କେହି କାମଧନ୍ଦା କରନ୍ତି ନାହିଁ ।
କୃଷକ ପରିବାରର ଲୋକମାନେ ନୂଆ ଶସ୍ୟରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ପାଖପଡୋଶୀ, ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ଏକତ୍ର ନବାନ୍ନ ଭକ୍ଷଣ କରନ୍ତି । ବିବାହିତା ଝିଅମାନେ ମକର ପର୍ବରେ ଶାଶୂଘରୁ ବାପଘରକୁ ଆସିବାର ବିଧି ଅଛି । ଗାଁ ଗାଁରେ ତାସ୍ ଖେଳ ଜମେ । ସମଗ୍ର ଦକ୍ଷିଣ ଭାରତ ଆନନ୍ଦ ମୁଖରିତ ହୋଇଥାଏ ।
କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମକରପର୍ବକୁ ଦୁଇଦିନ ଧରି ପାଳନ କରାହୁଏ । ପରିବାରର ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । କ୍ଷେତରୁ ଅମଳ ହୋଇଥିବା ନୂଆ ଗୁଡ଼, ତିଳ, ଚିନାବାଦାମ ଇତ୍ୟାଦିରୁ ମିଷ୍ଟାନ୍ନ ପ୍ରସ୍ତୁତ କରାଯାଇ ଦେବଦେବୀଙ୍କୁ ପୂଜା କରାଯାଏ । ମକର ସଂକ୍ରାନ୍ତିର ଦ୍ୱିତୀୟ ଦିବସକୁ ସେମାନେ କିଂକ୍ରାନ୍ତି ବା ସଂକ୍ରାନ୍ତିର ସାନଭଉଣୀ ବୋଲି କହନ୍ତି । ସେଦିନ ଗୃହିଣୀମାନେ ପ୍ରାତଃ ସ୍ନାନ କରି ଗହମ, ରାଶି, ଚିନାବାଦାମ୍, ଗୁଡ଼ ଆଦିରେ ପ୍ରସ୍ତୁତ ମିଷ୍ଟାନ୍ନ ପ୍ରୀତି ଉପହାର ସ୍ୱରୂପ ପଡ଼ୋଶୀ ଓ ବନ୍ଧୁବାନ୍ଧବମାନଙ୍କୁ ବଣ୍ଟନ କରିଥାନ୍ତି । ଏତଦ୍ବ୍ୟତୀତ ପରସ୍ପର ମଧ୍ୟରେ ସିନ୍ଦୂର ଓ ମିଷ୍ଟାନ୍ନ ଆଦାନ ପ୍ରଦାନ କରନ୍ତି ।
ମକରପର୍ବରେ ଉତ୍ତର ଭାରତର ଅଧିବାସୀମାନେ ଅନ୍ନ, ବସ୍ତ୍ର ଏବଂ ରାଶିରେ ତିଆରି ହୋଇଥିବା କୋରା, ମିଠେଇ ଆଦି ବାଣ୍ଟନ୍ତି । ବଙ୍ଗଳାର ସ୍ତ୍ରୀଲୋକମାନେ ମକର ସଂକ୍ରାନ୍ତି ଦିନ ‘ବାବନ ପୋରୀ’ ଉତ୍ସବ ପାଳନ କରନ୍ତି । ସେଦିନ ସେମାନେ ହାତରେ ଦୁବ ଧରି ଭଗବାନଙ୍କୁ ସ୍ମରଣ କରି ଭଣ୍ଡାର ଘରର ଚତୁଃପାଶ୍ୱର୍ରେ ‘ବାମନପୋରୀ ଶବ୍ଦ ଉଚ୍ଚାରଣ କରି ପରିକ୍ରମା କରନ୍ତି । ଏହାର ଅର୍ଥ ହେଲା, ଭଣ୍ଡାର ଘରର ଭଣ୍ଡାର କ୍ଷୀଣ ନ ହୋଇ ଧନ ସମ୍ପଦ ବାଉନ ଗୁଣକୁ ବୃଦ୍ଧି ପାଉ ।
ମକର ସଂକ୍ରାନ୍ତି ଦିନ ଧର୍ମ ପରାୟଣ ବ୍ୟକ୍ତିମାନେ ବିଭିନ୍ନ ତୀର୍ଥ ସ୍ଥାନକୁ ଯାଇ ବୁଡ଼ ପକାନ୍ତି । ଏହି ସଂକ୍ରାନ୍ତି ଦିନ ପ୍ରସିଦ୍ଧ ଗଙ୍ଗାସାଗର ଠାରେ ବିରାଟ ମେଳା ବସେ । ସେଠାରେ ବହୁ ଲୋକ ସମାଗମ ହୁଏ । ଭାରତର ବହୁ ଦେବ ମନ୍ଦିରରେ ମକର ପର୍ବ ଆଡମ୍ବର ସହକାରେ ପାଳିତ ହୁଏ ।
ମକର ପର୍ବ ଭାରତର ସାମାଜିକ ଜୀବନକୁ ସଂଘବଦ୍ଧ କରିବା ସଙ୍ଗେ ସଙ୍ଗେ ଧାର୍ମିକ ଜୀବନକୁ ମଧ୍ୟ ନାନାମତେ ପୁଷ୍କଳ କରିଥାଏ । ଏହା ନିରୋଗ, ସୁସ୍ଥ ଶରୀର ରକ୍ଷା ପାଇଁ ଉପାଦାନ ଯୋଗାଇବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଜୀବନର ପରିପୁଷ୍ଟି ପାଇଁ ସହାୟକ ହୋଇଥାଏ ।