ଆରେ ଏ ଚଢ଼େଇଗୁଡ଼ାକ କ’ଣ ରାତିରେ ଶୁଅନ୍ତି ନାହିଁ ? ଏମିତି ଚିଁ ଚିଁ ହଉଛନ୍ତି ? କାନ ଡେରି ଶୁଣିଲି, ଏ.ସି. ପାଖରୁ ଶବ୍ଦ ହେଉଛି । କ’ଣ ବୋଧେ ଅସୁବିଧା, ହୋଇଛି । କେଇ ଦିନ ହେଲାଣି ମୋଟେ ଥଣ୍ଡା ଲାଗୁନି । ଏତେ ଗରମ ଯେ ଶୋଇ ହେଉନି, ବାହାରେ ବି ଗଛପତ୍ର ହଲୁନି । ପଙ୍ଖା ଚଲାଇଲେ ଗରମ ପବନ ଆସୁଛି । କାଲି ହିଁ ଏ.ସି. ସଜାଡ଼ିବାକୁ ପଡ଼ିବ । ବାଲକୋନିକୁ ଗଲେ ବୋଧେ ଟିକେ ଥଣ୍ଡା ଲାଗିବ କି କ’ଣ ? କବାଟ ଖୋଲି ବାହାରକୁ ଆସି ଠିଆହେଲି । ରାତି କେତେ ହେଲା କେଜାଣି, ଚାରିଆଡ଼ ଶୁନ୍ଶାନ୍ ହୋଇଯାଇଛି । ପୁଣି ସେଇ ଚିଁ ଚିଁ ଶବ୍ଦ । ଏ.ସି.କୁ ଚାହିଁଲି । ଅଧା ଅନ୍ଧାରରେ ଠିକ୍ ଦେଖା ଯାଉନି । ହଠାତ୍ ସାନ ଚଢ଼େଇଟିଏ ପାଖ ଗଛକୁ ଉଡ଼ିଗଲା । ଏଇ ତାହେଲେ ବୋବାଉଥିଲା । ଏତେ ରାତିରେ ନିଜ ବସାକୁ ନ ଯାଇ କ’ଣ ପାଇଁ ଚଢ଼େଇଟା ବୁଲୁଛି କେଜାଣି । ବାହାର ପବନ ଦେହରେ ବାଜି ଟିକେ ଥଣ୍ଡା ଲାଗିବାରୁ ଆସି ଶୋଇବାକୁ ଚେଷ୍ଟା କଲି । ଭଲରେ ନିଦ ହେଲା ନାହିଁ । ହଠାତ୍ ଏ.ସି. ବନ୍ଦ ହୋଇଗଲା । ଘଣ୍ଟାକୁ ଚାହିଁଲି, ଚାରିଟା ବାଜିଲାଣି, ଅଳସ ଭାଙ୍ଗୁନି । ଆଉ ନିଦ ବି ହେବନି । ଏତେ ଅନ୍ଧାରରୁ ଉଠି କ’ଣ ବା କରିବ ? ଆଖି ବନ୍ଦ କରି ଖାଲିଟାରେ ଏପଟ ସେପଟ ହୋଇ ଶେଷକୁ ଉଠିଲି ।
ଗଛପତ୍ର ହଲୁନି, ସକାଳଟାରୁ ଏତେ ଗରମ ଲାଗୁଛି ଯେ ମୁଣ୍ଡ ବିନ୍ଧି ପକାଉଛି । ଛ’ଟା ବାଜିବା ପୂର୍ବରୁ ଖରା ମାଡ଼ି ଆସୁଛି । କବାଟ ବନ୍ଦ ନ କଲେ ଘରେ ଖରା ପଡୁଛି । ଏଇ ବର୍ଷଟା ଶୀତଦିନ ଖରାଦିନ ଲକ୍ଷ୍ନୌରେ କଟିଲା ମୋର । ନିଜ ଘର ନିଜ ମାଟି ଛାଡ଼ି ବାହାରେ ଏତେଦିନ ରହିବା ଏଇ ମୋର ପ୍ରଥମ । ଶୀତଦିନେ ରୁମ୍ହିଟର ନ ହେଲେ ଚଳି ହେଉନି, ଖରାଦିନେ ବିନା ଏ.ସି.ରେ ରହିହେଉନି । ଆମ ଜଳବାୟୁ ଆମ ଦେହକୁ ସୁହାଏ । ଆମ ଶୀତଦିନ ଭାରି ଆରାମ ଲାଗେ । ଖରାଦିନେ ବି ବେଶ୍ ଭଲ ପବନ ଦେହକୁ ଅନ୍ତତଃ କିଛିଟା ଶୀତଳ କରେ । ଛାଡ଼ – ଯାହା ନ ମିଳେ ତାକୁ ଆମେ ଝୁରି ହେଉ, ଯାହା ଆସେ ତାକୁ ଗ୍ରହଣ କରିବା ଛଡ଼ା ବାଟ ନଥାଏ ।
ଏ.ସି. ମେକାନିକ ସଂଜବୁଡ଼େ ଆସିବ କହିଛି । ଖରାଦିନେ ସେମାନେ ବୁଲିବୁଲି ସମସ୍ତଙ୍କୁ ଆରାମ ଦିଅନ୍ତି । ଖରାବେଳେ ବି ସିଝିସିଝି ଲୋକଙ୍କ ଘରକୁ ଯାଆନ୍ତି । ଏ.ସି. ସଜାଡ଼ି ଦିଅନ୍ତି । ସେମାନଙ୍କ ଆରାମ କଥା ଆମେ ଚିନ୍ତା କରୁନା । କଥା ଦେଇ ନ ଆସି ପାରିଲେ ଆମ ଅସନ୍ତୋଷ ବଢ଼ିଯାଏ । ଆଜି ଦିନ ସାରା କେମିତି କଟିବ ଭାବିଲେ ମୁଣ୍ଡ ବେଶି ଗରମ ହୋଇଯାଉଛି ।
ସନ୍ଧ୍ୟାରେ ମେକାନିକ୍ ଆସିଲା । ଏ.ସି. ରେ ଗ୍ୟାସ୍ ଭରିବାକୁ ପଡ଼ିବ । ସେ ଖୋଲିକରି ନେଇ ଆଠଟା ବେଳକୁ ଆଣି ଦେବ । ଅନ୍ତତଃ ରାତିରେ ଶୋଇ ହେବତ । ଏ.ସି. ବାହାର କଲା ବେଳକୁ ତା ତଳେ ଗୁଡ଼ାଏ ଅଳିଆ । କାଠିକୁଟା, ଚଢ଼େଇପର । ତାକୁ ସଫା କରିଦେବାକୁ ଝାଡ଼ୁ ଧରି ଆସିବା ବେଳକୁ ମେକାନିକ୍ କହିଲା – ଏଇଟା ଚଢ଼େଇ ବସା ।
ଦୁଇ ତିନି ଆଙ୍ଗୁଳି ଜାଗାରେ ଚଢ଼େଇ ବସା କରିଛି । ହାତ ଭର୍ତ୍ତି କରି ସେ ଅଳିଆ କାଢ଼ିବାକୁ ଯାଉଥିଲା । ହଠାତ୍ ମୋର ମନେ ପଡ଼ିଲା ଚିଁ ଚିଁ ଶବ୍ଦ । ତାକୁ କହିଲି – ଟର୍ଚ୍ଚ ପକାଇ ଦେଖ ତ କାଳେ ଚଢ଼େଇ ଅଣ୍ଡା ଦେଇଥିବ କି ଛୁଆ ହେଇଥିବ ।
ଟର୍ଚ୍ଚ ପକାଇବା ବେଳକୁ ଦୁଇଟା ଗୋଲାପୀ ଥଣ୍ଟ ଦିଶିଲା । ଆଲୁଅ ପଡ଼ିଲେ କାଳେ ଛୁଆଗୁଡ଼ାକ ବ୍ୟତିବ୍ୟସ୍ତ ହେବେ ଭାବି କପଡ଼ା ଢାଙ୍କିଦେଲି । ମନ ବୁଝିଲା ନାହିଁ, ଏଇମାନେ ତାହେଲେ ଚିଁ ଚିଁ କରୁଥିଲେ । କୁନି ଚଢ଼େଇଟି ଅନେକ ସମୟରେ ଏ.ସି. ଉପରେ ବସେ । ସେଇ ବୋଧେ ଏମାନଙ୍କ ମା’ । ମନଟା ହଠାତ୍ ଖରାପ ହୋଇଗଲା । ଏ.ସି.ଟା ଏତିକିବେଳେ ଖରାପ ହେବାକୁ ଥିଲା ? ସେ ଲୋକ ପଚାରିଲା – ଏ ବସାଟା ମୁଁ କାଢ଼ିନେବି ?
ହଠାତ୍ ଚମକିଲା ପରି ପାଟି କଲି – ନାଇଁ ନାଇଁ, ସେମାନେ ଥାଆନ୍ତୁ । ଏ.ସି. କାଢ଼ିଲା ବେଳେ ତ ତାଙ୍କ ବସା ଠିକ୍ ରହିଛି । ପୁଣି ଯେତେବେଳେ ଆଣି ରଖିବ ତାଙ୍କର କିଛି ଅସୁବିଧା ହେବନି ତ ! ନାଇଁ ନାଇଁ ସେମାନେ ଯେମିତି ଅଛନ୍ତି ସେମିତି ରହିବେ ।
– ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କାଢ଼ିଲା ବେଳେ କିଛି ହେଲାନି ରଖିବାବେଳେ ବି କିଛି ହେବନାହିଁ ।
ଏ.ସି. ନେଇ ସେ ଲୋକ ଚାଲିଗଲା, ମନ ବୁଝିଲା ନାହିଁ, ଘର ଲାଇଟ ବନ୍ଦ କରି ସେଇଠି ଜଗି ବସିଲି । ପୁଣି ସେଇ ଚିଁ ଚିଁ ଶବ୍ଦ । ତା ସହ ଆଉଟିକେ ଅଲଗା ଶବ୍ଦ – କିଚିରିମିଚିରି । ବୋଧେ ସେମାନଙ୍କ ମା’ ଆସିଛି । ଭାରି ଭଲ ଲାଗୁଛି ସେମାନଙ୍କ ଆଳାପ । କିଛି ନ ବୁଝି ପାରିଲେ ବି ମା’ ଛୁଆଙ୍କ ଭାବର ଆଦାନପ୍ରଦାନ ବେଶ୍ କିଛି ସମୟ ଧରି ଉପଭୋଗ କଲି । ବାହାରକୁ ଯାଇ ବାଲ୍କୋନିରେ ଠିଆହୋଇ ରହିଲି । ଅଳ୍ପ ସମୟ ପରେ ମା’ ଚଢ଼େଇ ଉଡ଼ିଗଲା । ବୋଧେ ଆହାର ଦେବାକୁ ଆସିଥିଲା । ଏଡ଼ିକି ଟିକିଏ ଚଢ଼େଇ ଛୁଆଙ୍କ ପାଖରେ ରହିବାକୁ ତାକୁ ସମୟ ନାହିଁ । କୁଆଡ଼େ ଗଲେ କ’ଣ ଟିକେ ଆଣି ଛୁଆଙ୍କ ପାଟିରେ ଭରିବ । ସତରେ ମା’ ଛୁଆ ସଂପର୍କ କେତେ ନିବିଡ଼ । ମଣିଷଠୁ ଆରମ୍ଭ କରି ଛୋଟ ଚଢ଼େଇଟି ପର୍ଯ୍ୟନ୍ତ । ଗୋଟିଏ ତ ଆସୁଛି । ବାପ ବୋଧେ ବିଦେଶ କରି ଯାଇଛି । ନିଜ ଭାବନାରେ ନିଜକୁ ହସ ଲାଗିଲା, ଆମ ପରି ବାପ ଯାଇ ରୋଜଗାର କରି ଆଣିବ । ମା’ ରାନ୍ଧିବାଢ଼ି ଛୁଆଙ୍କ ପାଟିରେ ଆଧାର ଦେବ । ପିଲା ଦିନ କଥା ମନେ ପଡ଼ିଲା । କୋଉଠି ବଣି ଛୁଆ କରିଛି । କୋଉଠି ଘର ଚଟିଆ ଛୁଆ କରିଛି । ସାଙ୍ଗମାନଙ୍କ ଭିତରୁ ଜଣେ ଯଦି ଏ ଆବିଷ୍କାରର ବାର୍ତ୍ତା ଦିଏ ଗଛ ତଳେ ଯାଇ ଘଣ୍ଟା ଘଣ୍ଟା ଚାହିଁରହୁ । ବର୍ଷାଦିନେ କାଉଛୁଆର ନାଲିଆ ପାଟିରେ ମା’ ଥଣ୍ଟରୁ ଆଧାର ଦବା ଦେଖିଛି, ବିଲେଇଗୁଡ଼ିଏ ମୋ ମା’ ପୋଷିଥିଲା । ଗୁଡ଼ାଏ ଲେଖାଏ ଛୁଆ କରନ୍ତି ସେମାନେ । ବେକରୁ କାମୁଡ଼ି ଧରି କେମିତି ନିରାପଦରେ ଛୁଆକୁ ଏଠୁ ସେଠିକି ସେଠୁ ଏଠିକି ମା’ ବିଲେଇ ନିଏ ଦେଖିଛି । ସାନ ବେଳେ କେତେଥର ଆଖିରୁ ପାଣି ବାହାରି ଆସିଛି । ମା’କୁ ପଚାରେ – ସେ କ’ଣ ତା ଛୁଆକୁ କାମୁଡ଼ି ଦେଇ ମାରିଦେବ । ମା’ ବୁଝାଏ – ନାଇଁ ନାଇଁ, ତା ମା’ ତାକୁ ଆଉ କେଉଠି ଭଲ ଜାଗା ଦେଖି ନଉଛି । ମା’ କ’ଣ ଛୁଆକୁ ମାରେ ? ସେ କ’ଣ ଆମପରି କୋଳରେ ଟେକି ନେଇ ପାରିିବ ? ସେମାନେ ସେମିତି ଛୁଆକୁ ନିଅନ୍ତି । ଭୂଆ ବିଲେଇ ଛୁଆଙ୍କୁ କାଳେ ଖାଇଦେବ ବୋଲି ମା’ ବାରମ୍ବାର ଜାଗା ବଦଳାଇ ଛୁଆଙ୍କୁ ଯନôରେ ରଖେ । ଭୂଆ ବି ତ ବିଲେଇ । ସେ କାହିଁକି ଖାଇଦିଏ ? ଭୂଆଗୁଡ଼ାକ ବଦମାସ, ବହୁତ ରାଗୀ । ଏଇ କୁନି ଛୁଆ ବଡ଼ ହେଲେ କାଳେ ଭୂଆ ହୋଇ ତା’ ସହ ଲଢ଼େଇ କରିବ ସେଇ ରାଗରେ ବୋଧେ ମାରି ପକାଏ । ମା’ କଥାରେ ସବୁ ବୁଝିଯାଉ ଆମେ । ସତରେ ଭୂଆଗୁଡ଼ାକ ମୋଟେ ଭଲ ଦିଶନ୍ତି ନାହିଁ । କେମିତି ଗାଉଁ ଗାଉଁ ହୋଇ କାମୁଡ଼ାକାମୁଡ଼ି ହୁଅନ୍ତି ଅନେକଥର ଦେଖିଛି ।
ଏ.ସି. ମେକାନିକ୍ ଏ.ସି. ସଜାଡ଼ି ଆଣି ଆସିଲା । ତାକୁ ବାରମ୍ବାର ତାଗିଦ କରି କହିଲି – ଦେଖ, ଯେମିତି ସେମାନଙ୍କ ବସା ଖସି ନ ପଡ଼େ । ସାବଧାନରେ ଏ.ସି. ଭର୍ତ୍ତି କରିବ ।
ହସିଲା ଲୋକଟା – ମାଡାମ୍, ଆପଣ ଏତେ ବ୍ୟସ୍ତ ହେଉଛନ୍ତି ? ଅନ୍ୟମାନେ ଆମକୁ ଚଢ଼େଇ ବସା କାଢ଼ି ନେବାକୁ କହନ୍ତି । କାଢ଼ି ନେଲାବେଳେ କିଛି ଅସୁବିଧାତ ହୋଇ ନ ଥିଲା । ଏବେ ବି କିଛି ହେବ ନାହିଁ । ଆପଣ ନିଶ୍ଚିନ୍ତ ରହନ୍ତୁ ।
ନିଶ୍ଚିନ୍ତ ରହି ପାରିଲି ନାହିଁ । ବାଲ୍କୋନିକୁ ଧାଇଁଗଲା ପୁଅ । ତା’ ପଛେ ପଛେ ମୁଁ ବି ଗଲି । ଆହା ଗଲା ଗଲା କଳା କଳା ହୋଇ କ’ଣ ମେଞ୍ଚାଏ ତଳକୁ ଖସି ପଡ଼ିଲା । ତଳ ଘର ବାଲ୍କୋନିରେ ପଡ଼ିଗଲା । ବସାଟା ଖସି ପଡ଼ିଲା ବୋଧେ । ଅସ୍ତବ୍ୟସ୍ତ ହୋଇ ପୁଅ ତଳକୁ ଗଲା । କେତେଥର ବେଲ୍ ବଜାଇବା ପରେ ନିହାତି ଅସନ୍ତୁଷ୍ଟ ହୋଇ ତଳଘର ଭଦ୍ରମହିଳା କବାଟ ଫାଙ୍କ କରି ଚାହିଁଲେ । ବିକଳ ହୋଇ ପୁଅ କହିଲା – ଚଢ଼େଇ ବସାଟା ଆପଣଙ୍କ ବାଲ୍କୋନିରେ ଖସି ପଡ଼ିଛି । ଆମେ ଜାଣି ନ ଥିଲୁ ଏ.ସି. ତଳେ ଚଢ଼େଇ ବସା କରିଥିଲା । ଛୋଟ ଛୁଆ ଗୁଡ଼ାକ ଥିଲେ । ମୁଁ ନେଇ ପୁଣି ସେଇଠି ବସାଟା ରଖିଦେବି ।
ନିହାତି ବିରକ୍ତ ହୋଇ ଭଦ୍ର ମହିଳା କହିଲେ, ‘ବାଲକୋନିରେ ଲାଇଟ୍ ନାହିଁ ।’
ପୁଅ ପଛେ ପଛେ ମୁଁ ବି ଯାଇଥିଲି । କହିଲି – ମୁଁ ଟର୍ଚ୍ଚ ଆଣୁଛି, ଆମେ ଦେଖିନେବୁ । କିନ୍ତୁ ତାଙ୍କ ମୁହଁରେ କିଛି ଦୟାମାୟାର ଚିହ୍ନ ନ ଥିଲା । ଆମେ ବି ଫେରି ପାରୁନଥିଲୁ । ତାପରେ ସେ ବାହାରକୁ ଗଲେ । ବାହାର ବାଲ୍କୋନି ଦେଖି ଆସି କବାଟ ଖୋଲିଲେ । କିନ୍ତୁ ଆମେ ଗଲାବେଳକୁ ଆଖି ଖୋଲି ନଥିବା ଗୋଲାପୀ ଗୋଲାପୀ ରଙ୍ଗର ଚଢ଼େଇ ଛୁଆ ଦିଟାଙ୍କ ଥଣ୍ଟ ମେଲା ହୋଇ ରହିଥିଲା । ବୋଧେ ସେମାନେ ଆଉ ନ ଥିଲେ । କିଛି ହଲ୍ଚଲ୍ ବି ହେଉ ନ ଥିଲେ । ଅଜାଣତରେ କେତେବେଳେ ପାପ ହୋଇଗଲା, ଛାତି ଭିତର ପୋଡ଼ି ଉଠିଲା । ଆହା ନିରୀହ ଚଢ଼େଇ ମା’ଟି କାଲି ସକାଳେ ଆସି ତା ଛୁଆଙ୍କୁ ଖୋଜିବ । ପୁଅର କାନ୍ଦ କାନ୍ଦ ମୁହଁକୁ ଚାହିଁ ତାକୁ କ’ଣ କହି ବୋଧ ଦେବି ଭାଷା ପାଉ ନ ଥିଲି । ରୁକ୍ଷ ସ୍ୱରରେ ଭଦ୍ରମହିଳା କହିଲେ, ଏ ମଇଳାଗୁଡ଼ା ନେଇ ବାହାରେ ଫିଙ୍ଗି ଦିଅନ୍ତୁ ।
କାଲି ସକାଳେ କାମବାଲୀ ଆସିଲେ ସଫା କରିଦେବ । ଛୁଆ ତ ଆଉ ନାହାନ୍ତି ଆମେ ଆଉ ବସାଟା ନେଇ କ’ଣ କରିବୁ ? ଭାବିଥିଲୁ ସେଇଠି ନେଇ ରଖିଦେବୁ । ଆଉ କ’ଣ ଲାଭ, ନରମ ସ୍ୱରରେ ଏତିକି କହୁ କହୁ ତାଙ୍କ ସ୍ୱର ଆହୁରି ରୁକ୍ଷ ହେଲା । ନାଇଁ ନାଇଁ ଆପଣ ଉଠେଇ ନିଅନ୍ତୁ । ପୁଅର କାନ୍ଦ କାନ୍ଦ ମୁହଁ ବିଦ୍ରୋହୀ ମୁହଁର ରୂପ ନେଲା । ସେ ବି ତତୋଧିକ ରୁକ୍ଷ ଭାବରେ କହିଲା – ଆମ କାମବାଲୀ ଆପଣଙ୍କ କାମବାଲୀ ତ ଜଣେ । କାଲି ସକାଳେ ସେ ସଫା କରିଦେବ ।
ଆହୁରି ତୀକ୍ଷ୍ଣ ହେଲା ତାଙ୍କ ସ୍ୱର – ନାଇଁ, ଆପଣ ଉଠାନ୍ତୁ ।
ଚୁପ୍ଚାପ୍ ଯାଇ ବସାଟିକୁ ସାଉଁଟି ଉଠାଇଲି, ରାଗରେ ଦାନ୍ତ କଡ଼ମଡ଼ କଲା ପୁଅ । କହିଲା – ଚଢ଼େଇ ଛୁଆଙ୍କ ପାଇଁ ଦୟାରେ କହି ନାହିଁ ସେ । ତା ବାଲ୍କୋନି ସଫା କରିବାକୁ କବାଟ ଫିଟାଇଲା, ତମେ କ’ଣ ପାଇଁ ସଫା କଲ ? ଆଗରୁ କବାଟ ଫିଟାଇଥିଲେ ହୁଏତ ଛୁଆ ଦିଟାଙ୍କୁ ନେଇ ତାଙ୍କ ଜାଗାରେ ରଖି ଦେଇ ପାରିଥିଲେ ସେମାନେ ବଞ୍ଚି ଯାଇଥାଆନ୍ତେ ।
ପୁଅ ଭାବୁଛି ଓଡ଼ିଆରେ କହିଲେ ହୁଏତ ସେ ବୁଝି ପାରିବେ ନାହିଁ । ରାଗରେ ଦୁମ୍ଦୁମ୍ ହୋଇ ଚାଲି ଆସିଲା ସେ । ମୋ ଭିତର ବି ଦୁଃଖରେ ଭାଙ୍ଗି ପଡ଼ୁଥିଲା । ପାଦ ଗଣି ଗଣି ଫେରିଲି । ଏ.ସି. ମେକାନିକ୍ ବି ମୁହଁ ଶୁଖେଇ କହିଲା, ବସାଟା ଏ.ସି. କାଢ଼ିଲାବେଳେ କିଛି ଅସୁବିଧା ହୋଇ ନଥିଲା । ଏମିତି ଖସିପଡ଼ିବ ବୋଲି ମୁଁ ମୋଟେ ଭାବି ନ ଥିଲି ।
ତାକୁ କିଛି ଉତ୍ତର ନ ଦେଇ ତା ପ୍ରାପ୍ୟ ଦେଇ ତାକୁ ବିଦା କଲି । ରାତିରେ ଭଲରେ ନିଦ ହେଲାନି । ସକାଳ ନ ହେଉଣୁ ଯାଇ ବାଲ୍କୋନିରେ ଠଆ ହେଲି । କାହିଁକି କୁନି ଚଢ଼େଇ ତ ଆସିଲାନି ? ଏତିକିବେଳେ ସେ ଆସି ଏ.ସି. ଉପରେ ବସି ତା ଛୁଆଙ୍କ ପାଇଁ ଗୀତ ଗାଏ । ଛୁଆ ବି ଖସ୍ ଖସ୍ ହୋଇ ଚିଁ ଚିଁ ହୁଅନ୍ତି । ସେ କ’ଣ ରାତିରେ ଆସି ତାର ଉଜୁଡ଼ା ଘର ଦେଖି ଦେଇଛି ? ତା ଛୁଆଙ୍କ ପାଇଁ କାନ୍ଦି କାନ୍ଦି ଫେରି ଯାଇଛି ? ଏତେ ଭାବପ୍ରବଣତା କ’ଣ ଚଢ଼େଇ ପାଖରେ ଥାଏ ? ଏମିତି ଅନେକ ଅନୁତ୍ତରିତ ପ୍ରଶ୍ନରେ ମନ ଭରିଯାଉଥିଲା । ଦୁଇ ଚାରି ଦିନ ଚଢ଼େଇ ପରିବାର ପାଇଁ ମନ ବିକଳ ହେଲା । ଚଢ଼େଇ ବସା ଥିବାବେଳେ ଏ.ସି. ଟା ଖରାପ ହେବାର ଥିଲା ? ଚଢ଼େଇଟା ବି କାହିଁକି ଏମିତି ଜାଗାରେ ବସା କରି ଛୁଆ କଲା ? ଆଉ ଭଲଜାଗା ତାକୁ ମିଳିଲା ନାହିଁ ?
ଏତେ ଗରମ ଏତେ ଖରା ଏ.ସି. ତଳେ ଥଣ୍ଡା, ଅନ୍ଧାରୁଆ ଜାଗାରେ ବିଚାରୀ ତାର ଛୋଟିଆ ବସାଟି କରି ଛୁଆ ପାଳୁଥିଲା । ବାହାରେ ଜାଗା ପାଇ ନ ଥିଲା ବୋଧେ । ଗରମରେ ବି ସିଝି ଯାଇ ଥାଆନ୍ତା । ଏଠି କୋଉ ରହି ପାରିଲା ? ତା’ ଛୁଆଙ୍କୁ ଉଡ଼ାଇ ପାରିଲା ? ମନ ଯେତିକି ଦୁଃଖ ହେଉଥିଲା ତାଠୁ ବେଶି ଭାରାକ୍ରାନ୍ତ ହେଉଥିଲା ଭଗବାନ ଏ ଅନିଚ୍ଛାକୃତ ଭୁଲ ପାଇଁ କ୍ଷମା କରନ୍ତୁ ।
ଦିନ ବିତିବା ସହ ଆସ୍ତେ ଆସ୍ତେ ଚଢ଼େଇ ଛୁଆକୁ ଭୁଲି ଯାଉଥିଲୁ । ହଠାତ୍ ଦିନେ ସକାଳୁ ପୁଣି ସେଇ କିଚିରି ମିଚିରି ସ୍ୱର । ଚଢ଼େଇ ମା’ କ’ଣ ଆସି କାନ୍ଦୁଛି ? ବିକଳ ହୋଇ ବାଲ୍କୋନିକୁ ଧାଇଁଗଲି । ଠିକ୍ ସେମିତି କୁନି ଚଢ଼େଇଟିଏ ଏ.ସି. ଉପରୁ ଉଡ଼ିଗଲା । ସେମାନଙ୍କ ମୁହଁରେ କ’ଣ ହସକାନ୍ଦ ପ୍ରତିଫଳିତ ହୁଏ ! ଏଇଟା କ’ଣ ସେଇ ଚଢ଼େଇ ? ପୁଣି ଚଢ଼େଇ ପୁଣି ଚଢ଼େଇ ଛୁଆ – ସେଇ ଚଢ଼େଇର ଜୀବନଚକ୍ର ମୋର ଅଜଣା – କେତେ ଦିନରେ ସେମାନେ ପୁଣି ଅଣ୍ଡା ଦିଅନ୍ତି ଛୁଆ କରନ୍ତି କିଛି ମତେ ଜଣା ନାହିଁ । ଦୁଇ ଦିନ ଯାଇଛି କି ନାହିଁ ପୁଣି ସେଇ ଚିଁ ଚିଁ ଶବ୍ଦ । ଏ.ସି. ତଳେ ଖୁଡ଼୍ଖୁଡ଼୍ ଶବ୍ଦ । ଚଢ଼େଇ ପୁଣି ଛୁଆ କରିଛି ବୋଧେ । ସକାଳେ ସନ୍ଧ୍ୟାରେ ମା’ର ସେଇ ପରିଚିତ କିଚିରି ମିଚିରି ସ୍ୱର । ବାଲ୍କୋନି କବାଟ ଖୋଲି ଲକ୍ଷ୍ୟ ରଖିଲି । ଏ.ସି. ତଳୁ ବାହାରି କୁନି ଚଢ଼େଇ ଉଡ଼ି ଯାଉଛି । ତା ଛୁଆ ଚିଁ ଚିଁ ହେଉଛନ୍ତି । ମନ ଭରିଗଲା । ଭଗବାନ କ୍ଷମା କରିଛନ୍ତି । ପୁଣି ଚଢ଼େଇ ଆସି ଆମ ଏ.ସି. ତଳେ ବସା କରିଛି । ଖୁସିରେ ଆତ୍ମହରା ହୋଇଗଲୁ ଆମେ । ସକାଳେ ସଞ୍ଜେ ଚଢ଼େଇ ମା’ ଛୁଆଙ୍କ ଆଳାପକୁ କାନ ପାତି ଶୁଣିଲୁ ।
କେତେଦିନ ? ଆଠଦିନ ଖଣ୍ଡେ ଆମକୁ ଅନେକ ଆନନ୍ଦ ଦେଇଛନ୍ତି କୁନି ଚଢ଼େଇ ଆଉ ତା ଛୁଆ, ଏ.ସି.ର କାଠ ଖୋଳକୁ ଆସି ବୋଧେ ସେମାନେ ଖୁମ୍ପନ୍ତି । ଠକ୍ଠକ୍ ଶବ୍ଦ ଶୁଭେ । ସେମାନେ ବୋଧେ ବଡ଼ ହେଲେଣି । ବାଟ ଖୋଜୁଛନ୍ତି ବାହାରକୁ ଯିବା ପାଇଁ । ଚଢ଼େଇଙ୍କ ସ୍ୱର ଶୁଣିଲେ ଆମେ ଏ.ସି. ଫ୍ୟାନ୍ ସବୁ ବନ୍ଦ କରି ଦେଉ । କାଳେ ସେମାନଙ୍କର କିଛି ଅସୁବିଧା ହେବ – ଏଇ ଭୟରେ ଯେତେଦୂର ସମ୍ଭବ ସତର୍କ ରହିଥିଲୁ ଆମେ । ସେମାନଙ୍କ ସ୍ୱର ଶୁଭିିଲେ ଆମେ କଥାବାର୍ତ୍ତା ବି କରୁ ନ ଥିଲୁ । ଆମ ସ୍ୱର ଶୁଣି କାଳେ ଡରିଯିବେ ? କାଳେ ତାଙ୍କ ସ୍ୱାଭାବିକତାରେ ଆଞ୍ଚ ଆସିବ ?
କିନ୍ତୁ ଆଉ କେଇଟା ଦିନ ପରେ ସେମାନଙ୍କ ଗୀତ ଶୁଭିଲା ନାହିଁ । କୁନି ଚଢ଼େଇ ବି ସକାଳେ ସଂଜେ ଆସିଲା ନାହିଁ । ଏତେ ଶୀଘ୍ର ସେମାନେ ଉଡ଼ା ଶିଖି ଉଡ଼ିଗଲେ ? ଆଉ କିଛି ଦିନ ରହି ନ ଥାନ୍ତେ ? ଆଉ ନୂଆ ଚଢ଼େଇ ଆସି ବସା କରନ୍ତେ ନାହିଁ ? କୁନି କୁନି ଛୁଆ ଚିଁ ଚିଁ କରନ୍ତେ ନାହିଁ ? ଆମେ ଅପେକ୍ଷା କରିଛୁ । ସେମାନଙ୍କ ଅବୁଝା ଆଳାପ ଶୁଣିବା ପାଇଁ ସତରେ ଅପେକ୍ଷା କରିଛୁ । ଆସନ୍ତୁ ସେମାନେ, ଅନ୍ତତଃ ଆମେ ଏଇଠି ଥିବା ଭିତରେ ଆଉ ଥରେ ଆସନ୍ତୁ ।
subhhchha
ଧନ୍ୟବାଦ