ଆମର୍ ଏକ ବଡ ହମ୍ଲା ହେବାକୁ ଯାଉଛି । ଛଅଟା ପବ୍ଲିକ୍ ପ୍ଲେସ୍ରେ ମାଓବାଦୀମାନେ ପ୍ରଥମ କରି ମାନବ ବୋମା ଖଞ୍ଜିବାକୁ ଯାଉଛନ୍ତି । ସେଥିପାଇଁ ଆମେ ନୁକ ଖୋଜୁଛି । ତମେମାନେ ସେ କାମ କରିବାକୁ ରେଡ୍ଡି ହୋଇଯାଅ । ପ୍ରକାଶ କହିଲା- ମାନବ ବୋମା ? ପୁଣି ଆମେ? କିନ୍ତୁ ଏ କାମ ତ ଆତଙ୍କବାଦୀ କରନ୍ତି… ମାଓବାଦୀ ବି ଏହା କରିବେ ?
||୧ ||
ସେମାନେ ଥିଲେ ଛଅ ଜଣ । ପ୍ରକାଶ, ସରୋଜ, ଆଶିଷ, ଜ୍ଞାନୀ, ନେତା ଓ ଅମରେଶ । ସମସ୍ତେ ଥିଲେ ଭିନ୍ନ ଭିନ୍ନ ବୟସ ବର୍ଗର । ଏଇ ଧରନ୍ତୁ ପଇଁତିରିଶରୁ ପଚାଶ ଭିତରେ । ସମସ୍ତେ ଥିଲେ ଅଲଗା ଅଲଗା ବୃତ୍ତିର । ବୃତ୍ତି ଦାୟରେ ସମସ୍ତେ ମଧ୍ୟ ଅଲଗା ଅଲଗା ଜାଗାରେ ରହୁଥିଲେ । କିନ୍ତୁ କୌଣସି ଏକ ସୂତ୍ରରୁ, ଏମାନେ ସମସ୍ତେ ବହୁ ପୂର୍ବରୁ ପରସ୍ପରର ପରିଚିତ ଥିଲେ ଓ ବେଶି ନହେଲେ ବି ମଝିରେ ମଝିରେ ନିଜ ନିଜ ଭିତରେ ଯୋଗସୂତ୍ର ସ୍ଥାପନ କରୁଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଲୋଭନୀୟ ଯୋଜନା ମାନ ପ୍ରସ୍ତୁତ କରିବା ସତ୍ତ୍ୱେ, କଦବା କ୍ୱଚିତ ସେ ସବୁ ବାସ୍ତବ ରୂପ ନେବାରେ ସଫଳ ହେଉଥିଲେ । ତେବେ ଏମାନଙ୍କର ଏକ ବୃହତ ଓ ଭୟାନକ ଯୋଜନା ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଚିତ୍ରପଟ୍ଟର ଚରିତ୍ରମାନଙ୍କ ବିଷୟରେ ଧାଡିଏ ଧାଡିଏ ଜାଣିବା ହୁଅନ୍ତୁ ।
ପ୍ରକାଶ: ଆହାଃ !! ଏ ବ୍ୟକ୍ତି ଜଣକ ଖିଆଲୀ ଚିତ୍ରକର ପର୍ଯ୍ୟାୟର । ପର୍ଯ୍ୟାୟର ଅର୍ଥ, ମହାଶୟ ଛବି କରନ୍ତି, ଫଟୋ ଉଠାନ୍ତି, ଡିଜାଇନ ୍ କରନ୍ତି, ଭାସ୍କର୍ଯ୍ୟରେ ବି ମନ, ସାହିତ୍ୟରେ ଚତୁର । ସର୍ବ କୁଶଳୀ କାରିଗରଟିଏ । ବୟସ ପଚାଶ, ତେଣୁ ଏ ସମସ୍ତଙ୍କ ଭିତରେ ମହାଶୟ ଥିଲେ ସର୍ବ ବରିଷ୍ଠ । କିନ୍ତୁ ମହାଶୟଙ୍କ ବୟସ ସହ ଦୟାକରି ତାଙ୍କ ଗୁଣକୁ ତୁଳନା କରିବେ ନାହିଁ । ପଚାଶ ବର୍ଷୀୟ ଇଏ ଜଣେ ଖଚଡ କିଶୋର ।
ସରୋଜ: ଏ ମହାଶୟ ଜଣେ ହଟ୍ଟଚମଟ ଗାୟକ । ଗାୟନ ବାଦନରେ ଖୁବ୍ ନିପୁଣ । ମହାଶୟଙ୍କର ଅନେକ ଗୀତ ଲୋକମାନେ କଳଗାଉଣାରେ ଶୁଣି ଶୁଣି ଭୂରିୟସୀ ପ୍ରଶଂସା କରନ୍ତି । ତେବେ ୟାଙ୍କର ଅଧିକାଂଶ ଗୀତ ବରଯାତ୍ରୀ ପର୍ଯ୍ୟାୟର । ଅର୍ଥାତ, ଏମିତି ଦ୍ୱିଅର୍ଥ ବୋଧକ ଓ ଧୁମ୍ ଧଡାସ୍ ଗୀତ ନିଜେ ଲେଖି ନିଜେ ସ୍ୱର କରି ଗାଆନ୍ତି ଯେ, ବାଟରେ ଗଲା ଲୋକର ଗୋଡ ଉଠିବା ନିଶ୍ଚିତ । ତେଣୁ ରାଜ୍ୟର ଯେକୌଣସି କୋଣରେ ଯେକୌଣସି ବ୍ୟକ୍ତିର ବାହାଘର ହେଲେ ବି, ବରଯାତ୍ରୀ ଦଳ ୟାଙ୍କରି ଗୀତରେ ହିଁ ମଦ୍ୟପାନ କରି ନୃତ୍ୟ ପ୍ରଦର୍ଶନ କରନ୍ତି । ଲୋକେ ୟାଙ୍କୁ ସବୁବେଳେ ଟୋପିପିନ୍ଧା ଅବସ୍ଥାରେ ଦେଖୁଥିବାରୁ ଅଧିକାଂଶ ୟାଙ୍କ ନାଁ ଦେଇଛନ୍ତି ଟୋପିପିନ୍ଧା ସରୋଜ ।
ଆଶିଷ: ମହାଶୟଙ୍କ ପିତା ଜଣେ ବିଖ୍ୟାତ କପଡା ବ୍ୟବସାୟୀ । ପିତୃଦେବ ବୃଦ୍ଧାବସ୍ଥାରେ ପାଦ ଦେଇଥିବାରୁ ଏ ମହାଶୟ କୁଳ ବେଉସାକୁ ଆଦରି ନେଇଛନ୍ତି । ତେବେ ପ୍ରାଚୁର୍ଯ୍ୟ ଭିତରେ ତାଙ୍କ ପାଇଁ ସବୁଠାରୁ ବଡ ଅୟସ ହେଲା, ମହାଶୟ ପ୍ରଚୁର ପୁସ୍ତକ ପାଠ କରନ୍ତି । ଯଦିଓ ସେ ଜାଣନ୍ତି ଯେ, ତାଙ୍କର ଏ ପୋଥିଗତ ବିଦ୍ୟା କେବେବି ତାଙ୍କ କୁଳ ବେଉସାକୁ ପରିପୁଷ୍ଟ କରିପାରିବ ନାହିଁ କିମ୍ବା କରିବାର ସମ୍ଭାବନା ବି ନାହିଁ, ତଥାପି ସେ ପଠନ କ୍ରିୟାରୁ କ୍ଷାନ୍ତ ହୁଅନ୍ତି ନାହିଁ । ବରଂ ସେ ତାଙ୍କର ଅନେକ ପ୍ରିୟ ଲେଖକଙ୍କୁ ବହୁ ଦାମୀ ପୋଷାକ ଉପହାର ଆକାରରେ ପ୍ରଦାନ ପୂର୍ବକ ଖୁସି ପାଳନ କରିଛନ୍ତି ।
ଜ୍ଞାନୀ: ଏ ମହାଶୟ ଜଣେ ଜୁନିୟର ପ୍ରଫେସର । ସାଇକୋଲୋଜି ବା ମନୋବିଜ୍ଞାନରେ ୟାଙ୍କର ଯଥେଷ୍ଟ ଜ୍ଞାନ ରହିଛି ବୋଲି ତାଙ୍କ ପ୍ରିୟ ଛାତ୍ରଛାତ୍ରୀମାନେ କହନ୍ତି । ବିଶେଷ କରି ଇଏ କାଳେ ନିଜ ଛାତ୍ରୀମାନଙ୍କ ମନରେ କ’ଣ ସବୁ ଚାଲିଛି ତାହା ସେମାନଙ୍କୁ କିଛି ସମୟ ଏକ ଲୟରେ ଚାହିଁ ରହିଲା ପରେ ଆରାମରେ କହିପାରନ୍ତି । ତେବେ ୟାଙ୍କ ବିଷୟରେ ଶେଷ ଖବରଟି ହେଲା, ଇଏ କାଳେ ଏବେ ହାତୀଙ୍କ ମନ ସଂପର୍କରେ ଦିନରାତି ଗବେଷଣାରତ । ୟାଙ୍କ କହିବା କଥା, ହାତୀ ଓ ପ୍ରେମ କରୁଥିବା ଝିଅଙ୍କ ମନର ସ୍ଥିତି ସମାନ । ଏହି ଉଦ୍ଭଟ ଗବେଷଣା ପାଇଁ ତାଙ୍କୁ ଅନେକ ବରିଷ୍ଠ ମନୋବିଜ୍ଞାନୀ ତାତ୍ସଲ୍ୟ କରିଛନ୍ତି ।
ନେତା: ମହାଶୟଙ୍କ ନାଁରୁ ହିଁ ଆପଣ ଜାଣି ପାରୁଥିବେ ଇଏ କିଏ । ଛାତ୍ର ଜୀବନରୁ ଆରମ୍ଭ କରିଥିବା ରାଜନୈତିକ ଜୀବନ ଏବେ ସାମାଜିକ ଜୀବନରେ ବି ତାଙ୍କୁ ବେଶ୍ ସହାୟକ ହୋଇଛି । ଏବେ ସେ ନିଜ ଏରିଆର ଜଣେ ବିଶିଷ୍ଟ ଯୁବ ନେତା । ଶାସକ ଦଳର ଏମ୍ଏଲ୍ଏ ପ୍ରାର୍ଥୀ ।
ଅମରେଶ: ଏ ମହାଶୟ ଜଣେ ମାଟି ବେପାରୀ । ଅର୍ଥାତ ଜମି ବେପାରୀ । ଅର୍ଥାତ ରିଅଲ ଇଷ୍ଟେଟ୍ ବ୍ୟବସାୟୀ । ମୁଖ୍ୟ କାମ, ଲୋକଙ୍କଠୁ ଜମି କିଣିବା ଆଗରୁ, ସେ ସବୁ ଜମିକୁ କ୍ରେତାଙ୍କୁ ନିଜ ଜମି ବୋଲି ଦେଖାଇ, ସେମାନଙ୍କଠୁ ଟଙ୍କା ଆଦାୟ କରନ୍ତି ଓ ସେହି ଟଙ୍କାରେ ଲୋକଙ୍କଠୁ ଜମି କିଣି ପୁଣି ନୂଆ କ୍ରେତାଙ୍କୁ ଠିକଣା କରନ୍ତି । ତେବେ ସୋସାଇଟିରେ ଏ ବୃତ୍ତି ଅଧିକ ବଦନାମ ହୋଇଯିବାରୁ ଏବଂ ତାଙ୍କ ନିଜ ନାଁରେ ଏକାଧିକ ମାମଲା କ୍ରାଇମ୍ବ୍ରାଞ୍ଚରେ ଦରଜ ହେବାରୁ ସେ ଏକ ନୂଆ ଉପାୟ ଅବଲମ୍ବନ ପୂର୍ବକ କିଛି ସୁନାମ ଅର୍ଜିବାରେ ସଫଳ ହୋଇଛନ୍ତି । ରାଜ୍ୟର ଯେତେ ହିଂଜଡା ଅଛନ୍ତି, ସେମାନଙ୍କ ଅଧିକାର ପାଇଁ ଏ ମହାଶୟ ଏବେ ଏକ ଶକ୍ତିଶାଳୀ ସଂଘ ଗଠନ କରିଛନ୍ତି ଓ ଥରେ ଅଧେ ହିଂଜଡାଙ୍କୁ ନେଇ ବିଧାନସଭା ଘେରାଉ ମଧ୍ୟ କରିଛନ୍ତି । ଜମି ବ୍ୟବସାୟ ସହିତ ହିଂଜଡାଙ୍କ ଅଧିକାରର କି ସମ୍ପର୍କ ଅଛି ତାହା ଏବେସୁଦ୍ଧା କେହି ଆବିଷ୍କାର କରିପାରି ନାହାନ୍ତି ।
|| ୨ ||
ଯୋଜନା ଥିଲା, ଭିନ୍ନ ଭିନ୍ନ ସହରରେ ରହୁଥିବା, ଭିନ୍ନ ବୃତ୍ତିର ଓ ଭିନ୍ନ ବୟସ ବର୍ଗର ଏ ଛଅ ଜଣ, ଅନ୍ତତଃପକ୍ଷେ ପ୍ରତି ତିନିବର୍ଷରେ ଥରେ କୌଣସି ଏକ ସ୍ଥାନରେ ଏକାଠି ହେବେ ଓ ସେଠାରେ ପରସ୍ପରର ବ୍ୟକ୍ତିଗତ ଓ ବୃତ୍ତିଗତ ସମସ୍ୟାକୁ ଭୁଲି ଦେଶର ବିକାଶ ପାଇଁ କିଛି ବିଶେଷ ଯୋଜନା ପ୍ରସ୍ତୁତ କରିବେ । କିନ୍ତୁ କହିବା ବାହୁଲ୍ୟ, ଗତ ଦଶବର୍ଷ ଭିତରେ ଏମାନେ କେବେସୁଦ୍ଧା ନିଜର ଏହି ଯୋଜନାରେ ସଫଳ ହୋଇପାରି ନାହାନ୍ତି ।
କିନ୍ତୁ ଏଥର ରାଜ ଯୋଟକ ପଡିଥିଲା କି କ’ଣ ରାଜ୍ୟର ଏକ ଆଦିବାସୀ ବହୁଳ ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲ ଭିତରେ ସମସ୍ତେ ଏକାଠି ହେବାର ସୁଯୋଗ ଜୁଟିଲା । ଯୋଜନା ଥିଲା, ସମସ୍ତେ ମିଶିକି ଏକ ଘଞ୍ଚ ଜଙ୍ଗଲ ଭିତରେ ରାତ୍ରିଯାପନ କରିବେ । ତେବେ ସମସ୍ତେ ସାଙ୍ଗରେ, ନିଜ ପିନ୍ଧିଥିବା ପୋଷାକ ବାଦ୍, ପୋଷାକ ବଦଳ ବେଳେ ଲଜ୍ଜା ନିବାରଣ ପାଇଁ କେବଳ ଗୋଟିଏ ଲେଖାଁ ଗାମୁଛା ଧରିକି ଆସିବେ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଯଥା- ମୋବାଇଲ୍ ଫୋନ୍, ଟୁଥ୍ବ୍ରସ୍, ପାନିଆ, ଦର୍ପଣ, ହାଫ୍ ପ୍ୟାଣ୍ଟ, କ୍ରିମ୍, ପାଉଡର, ସାବୁନ୍, କୌଣସି ଶୁଖିଲା ଖାଦ୍ୟ, ପାଣି, ଚପଲ, ବେଡ୍ସିଟ୍, କମ୍ବଳ, ଟର୍ଚ୍ଚ, ମଶାରି ଏବଂ ଆଉ ଆଉ ଜିନିଷ ସାଙ୍ଗରେ ଆଣିବାକୁ ମନା ଥିଲା । ଜଙ୍ଗଲ ଭିତରେ ଥିବା କୌଣସି ଜନବସତିରେ ଏମାନେ ରହିବେ ନାହିଁ କିମ୍ବା ରାତ୍ରିଯାପନ ପାଇଁ କୌଣସି ଘର ଆବଶ୍ୟକ କରିବେ ନାହିଁ । ଜଙ୍ଗଲ ଜନ୍ତୁଙ୍କ ପରି ସମସ୍ତେ ଘଞ୍ଚ ଜଙ୍ଗଲ ଭିତରେ ଗଛମୂଳେ କିମ୍ବା ଗଛ ଉପରେ ରହିବେ । ଝରଣା ପାଣି ପିଇବେ, ଜଙ୍ଗଲ ଭିତରେ ମିଳୁଥିବା ଫଳ ମୂଳ ଓ ଅନ୍ୟାନ୍ୟ ଖାଦ୍ୟ ଉପଯୋଗୀ ଜିନିଷ ଖାଇବେ । ତାହା ମଧ୍ୟ ସେମାନଙ୍କୁ ଖୋଜି ବାହାର କରିବାକୁ ପଡିବ । ଏସବୁ ତାଙ୍କୁ କେହି ଯୋଗାଇ ଦେବେନାହିଁ ।
ଏପରି ଏକ ଉଦ୍ଭଟ ଓ ବିପରୀତ ବୁଦ୍ଧି ପରିଯୋଜନା କିଏ କଲା ତାହା କେହି ସ୍ପଷ୍ଟ କରି କହିପାରୁ ନାହାନ୍ତି । କିଏ କହିଲା, ମୁଁ କେବଳ ଥଟ୍ଟାରେ ଏପରି କହିଥିଲି, ତ କିଏ କହିଲା ମୁଁ କେବଳ ଜଙ୍ଗଲରେ ରହିବା କଥା କହିଥିଲି, କିନ୍ତୁ ଏପରି ନିୟମ ବିଷୟ ମୋ ତୁଣ୍ଡରୁ ବାହାରି ନାହିଁ । ପୁଣି କିଏ କହିଲା, ମୁଁ ଜଙ୍ଗଲରେ ଭୋଜି କଥା କହିଥିଲି, ରାତ୍ରିଯାପନ ନୁହେଁ । ଆଉ କିଏ କହିଲା, ମୁଁ ଜଙ୍ଗଲ ଭିତରେ ଏକ ଘରର ଠିକଣା ଖୋଜିବାକୁ ଆଗ କହିଥିଲି, ଯେଉଁଠାରେ କୌଣସି ହିଲ୍ ଷ୍ଟେସନ୍ ପରି ସମୟ କାଟିବା ଦ୍ୱାରା ଆମେ ଦେଶ ଓ ସମାଜ ବିଷୟରେ ଅଧିକ କିଛି ଚିନ୍ତା କରିପାରିଥାନ୍ତେ ।
କିନ୍ତୁ ପୂରା ଯୋଜନାର ରିଂ ଲିଡର ସାଜିଥିବା ପ୍ରକାଶ, ଅପେକ୍ଷାକୃତ ଭଲ ମନ୍ତବ୍ୟଟିଏ ଦେଲା । ସେତେବେଳେ ସମସ୍ତେ ମୁଖ୍ୟ ରାସ୍ତାରୁ ଜଙ୍ଗଲ ଅଭିମୁଖେ ଯାଇଥିବା ଅଳ୍ପ ବ୍ୟବହୃତ ଗୋଡିମାଟି ରାସ୍ତାର କୌଣସି ଏକ ଅଜଣା ଛକରେ ଥିବା ଝୁମ୍ପୁଡ଼ି ହୋଟେଲ୍ରେ ଚା ପିଇବାକୁ ବସିଥିଲେ ।
ପ୍ରକାଶର ମନ୍ତବ୍ୟ ଥିଲା- ଜୀବନ ସାରା ଆମ ଜୀବନ ଯେମିତି ଚାହିଁଲା ଆମେ ସେମିତି ବଞ୍ଚି ଆସିଲେ । ଏବେ ନିଜ ଇଚ୍ଛାରେ ଜୀବନକୁ ବଞ୍ଚା ଯାଉ । ଅନ୍ତତଃପକ୍ଷେ ଏଇ ତିନିଦିନ ।
ସରୋଜ କହିଲା- ହଁ ମନ୍ଦ ନୁହେଁ, ଜଙ୍ଗଲର ବି ନିଜର ଗୋଟେ ସ୍ୱର ଅଛି, ତାଳ ଅଛି, ଗୀତ ଅଛି, ମ୍ୟୁଜିକ୍ ଅଛି । ଆହାଃ ! ତାକୁ ଶୁଣାଯାଉ ।
ଜ୍ଞାନୀ କହିଲା- ଜଗତର ବହୁତ ବଡ ବଡ ପଣ୍ଡିତ ଓ ହସ୍ତୀ ପ୍ରାୟତଃ ଜଙ୍ଗଲରୁ ପ୍ରେରଣା ପାଆନ୍ତି ଓ ବୁଦ୍ଧି ବଢି ଗଲେ ସେମାନେ ଜଙ୍ଗଲରେ ରହିବାକୁ ଭଲ ପାଆନ୍ତି ।
ଅମରେଶ କହିଲା- ଏ ଜଙ୍ଗଲ ଭିତରେ ଜମି ଏକର କେତେ, ଆପଣମାନେ କିଏ କହି ପାରିବେ କି ? ଏଠି ଗୋଟେ ସୁନ୍ଦର ବଙ୍ଗଳା ତିଆରି କରି ଇକୋ-ଟୁରିଜିମ୍ ପାଇଁ ପ୍ଲାନ୍ କରିହେବ ।
ଆଶିଷ ମନ୍ତବ୍ୟ ଦେଲା- ଜଙ୍ଗଲ ଭିତରେ ଥିବା ଆଦିବାସୀ ଲୋକଙ୍କ ପାଇଁ ସ୍ୱତନ୍ତ୍ର ପୋଷାକର ଆବଶ୍ୟକତା ରହିଛି । ସେମାନେ କାହିଁକି ଆମ ଡ୍ରେସ୍ ପିନ୍ଧିବାକୁ ବାଧ୍ୟ ହେବେ? ମୁଁ ତାଙ୍କ ପାଇଁ ସ୍ୱତନ୍ତ୍ର କପଡାର ବନେ୍ଦାବସ୍ତ କରିବି ।
ଶେଷରେ ଅଦା ଚା’ରେ ସୁଡକ ଦେଇ ନେତା ପଚାରିଲା- ଏଟା କୋଉ ଆସେମ୍ବଲି କନଷ୍ଟିଚୁଏନ୍ସୀରେ ଆସୁଛି ଆପଣମାନେ କିଏ କହିପାରିବେ କି ? ଏଠାକାର ଏମ୍ପି କିଏ ? ତାକୁ ଫୋନ୍ କରିବାକୁ ପଡିବ ।
ଚା’ ପିଆ ସରିଥିଲା । ସମସ୍ତେ ଗାଡିରେ ବସିଲେ । ଗାଡି ଚାଲିଲା ଘଞ୍ଚ ଜଙ୍ଗଲ ଅଭିମୁଖେ । ଜଙ୍ଗଲ ଭିତରେ ଧୀରେ ଧୀରେ ଅପରାହ୍ଣ ମାଡି ଆସୁଥିଲା ।
|| ୩ ||
ଗାଡି ଅଟକିଲା ଏକ ଝରଣା ପାଖରେ, ଯେଉଁଠି ଆଗକୁ ଆଉ ରାସ୍ତା ନଥିଲା । ଏମିତିରେ ବି ପ୍ରାୟ ଅଧଘଣ୍ଟା ତଳୁ ଗାଡିଟି ଜଙ୍ଗଲ ଭିତରର ସରୁ ପାଦଚଲା ରାସ୍ତା ଛାଡି ଅବାଟରେ ଚାଲିଥିଲା ଧୀରେ ଧୀରେ ହଲି ହଲି ବାଟ ଦେଖି ଦେଖି । ଏବେ ଆଉ ଜଙ୍ଗଲ ଭିତରେ ଆଗକୁ ଯିବା ସମ୍ଭବ ନୁହେଁ । ଗାଡି ଚାଳକ ମନାକଲା । କହିଲା- ସାର୍ ମୁକେ ରେଢାଖୋଲ ଫେର୍ବାର୍ ଅଛେଁ । ଆଉ ଆଗକୁ ଯିବିନି ।
ସମସ୍ତେ ଗାଡିରୁ ଓହ୍ଲାଇଲେ । ଆଗରେ ବହି ଯାଉଛି ସୁନ୍ଦର ଏକ ଝରଣା । ସମସ୍ତେ ମିଶି ଗାଡିକୁ ବିଦାୟ ଦେଲେ ଓ କହିଲେ- ଆଜି ହେଉଛି ସୋମବାର । ତୁ ଠିକ୍ ଗୁରୁବାର ସକାଳେ ଆସିକି ଏଇ ଜାଗାରେ ପହଞ୍ଚିବୁ । ସମୟ ଦିନ ଏଗାରଟା । ଡ୍ରାଇଭର ମୁଣ୍ଡ ହଲେଇଲା ଓ ଯୋଉ ବାଟେବାଟେ ଗାଡି ଧରି ଆସିଥିଲା, ସେଇ ବାଟେ ବାଟେ ହଲି ହଲି ଜଙ୍ଗଲରେ ମିଶିଗଲା ।
ସମସ୍ତେ ଝରଣା ପାଣିରେ ମୁହଁ ଧୋଇଲେ ଏବଂ ସେଇଠି ବସି ରାତିଟା କେମିତି କଟାଇବେ ସେ ବିଷୟରେ ବିଚାର ଆରମ୍ଭ କଲେ । କିଏ ଜଣେ ପ୍ରସ୍ତାବ ଦେଲେ, ନଈ ଦାଢରେ ଥିବା ଏଇ ବୃହତ ମୁଣ୍ଡିଆ ପଥର ଗୁଡିକ ଆମ ପାଇଁ ବିଛଣା ପରି କାମ ଦେଇପାରେ । ଏହା ଉପରେ ଆମେ ଆରାମରେ ରାତି କଟାଇ ପାରିବା । କିନ୍ତୁ ଦୁଇଜଣ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ସେମାନଙ୍କର ଯୁକ୍ତି ଥିଲା- ପଥରରେ ଶୋଇଲେ ସାପ ବେଙ୍ଗ ଓ ଅନ୍ୟ ଜଙ୍ଗଲୀ ଜୀବଙ୍କ ଭୟ ରହିଛି । ତେଣୁ ସମସ୍ତେ ଗୋଟେ ଗୋଟେ ଗଛ ବାଛି ନିଅନ୍ତୁ ଏବଂ ତାଆରି ଉପରେ ଆରାମରେ ରାତି କଟାନ୍ତୁ ।
ତେବେ ସମସ୍ତଙ୍କ ଅପେକ୍ଷା ବୟସ୍କ, ଚିତ୍ରକର ପ୍ରକାଶ କହିଲା ରାତିଟିଏ ପାଇଁ ଏତେ ଚିନ୍ତା କ’ଣ ? ଯାହାକୁ ଯୋଉଠି ନିଦ ହେବ ସେଇଠି ଶୋଇବ । ତେଣୁ ଶୋଇବା ବିଷୟରେ ଚିନ୍ତା କରି ଏତେ ସମୟ ନଷ୍ଟ ନ କରିବା ଭଲ । ତା’ପରେ ଆମେ ଜଙ୍ଗଲକୁ ଆସିଛନ୍ତି କ’ଣ ଶୋଇବାକୁ ?
ଆଶିଷ କହିଲା- ମୋ ମତରେ ଆମେ ଶୋଇବାଠାରୁ ଖାଇବା ଉପରେ ବେଶି ଗୁରୁତ୍ୱ ଦେବା କଥା । ସନ୍ଧ୍ୟା ଆଗତ ପ୍ରାୟ । ଏବେଠାରୁ ଖାଦ୍ୟ ନ ଖୋଜିଲେ ଆମେ ଉପାସ ରହିବା ନିଶ୍ଚିତ ।
ନେତା କହିଲା- ମୁଁ କିଛି ଖାଦ୍ୟ ମଗେଇବି କି ?
ଅମରେଶ କହିଲା- ଏହା ଆମ ଯୋଜନାର ନିୟମ ବାହାରେ । ଆମକୁ ଏଇ ଜଙ୍ଗଲ ଭିତରୁ ହିଁ ଖାଦ୍ୟ ଯୋଗାଡ କରିବାକୁ ପଡିବ ।
ଜ୍ଞାନୀ ଏକ ଗଛମୂଳେ ଠିଆ ହୋଇ ପରିଶ୍ରା କରିବା ବେଳେ ଚିକ୍ରାର କଲା- ଏ ଜଙ୍ଗଲରେ କୁକୁଡା ଅଛନ୍ତି । ବଣ କୁକୁଡ଼ା ମୁଁ ଗୋଟେ ଦେଖିଲି । ତାକୁ ମାରିକି ଖିଆଯାଇ ପାରେ ।
ପ୍ରକାଶ କହିଲା- କିନ୍ତୁ ତାକୁ ଧରିବାରେ ଓ ରାନ୍ଧିବାରେ ସମସ୍ୟା ଅଛି । ଅବଶ୍ୟ ପୋଡିକି ଖିଆଯାଇପାରେ । କିନ୍ତୁ ବିନା ଲୁଣ ବିନା ମରଚିରେ ।
ସରୋଜ କହିଲା- ହେସ୍ସ୍…ଶଳା ବଣ ମଣିଷ ପରି କିଏ ଖାଇବ… ବାନ୍ତି ଆସି ଯିବ..
ଆଶିଷ ଗୋଟେ ଗଛରେ ଚଢିବା ଆରମ୍ଭ କରିଥିଲା । ସେଥିରେ ଥିବା ଦୁଇଟା କେନାରେ ଗୋଡ ଲଗେଇ ସେ ଉପରକୁ ଉଠିଗଲା ଓ ସେଇଠୁ ଚିକ୍ରାର କଲା.. ଏଇଟା ବଣ ବଇଁଚ କୋଳି… ମୁଁ ପିଲାଦିନେ ଖାଇଚି.. ଖୁବ୍ ମିଠା… ଆଜି ରାତିକ ପାଇଁ ଏହା କାଫି… ବହୁତ ଫଳିଛି…
ଝରଣା କୂଳରେ ବସି ସରୋଜ ଗୋଟେ ସୁର ଲମ୍ବେଇଥିଲା… ଏ ଝରଣା… ଏ ପାହାଡ…
ଅମରେଶ ବୁଲି ବୁଲି ଜଙ୍ଗଲୀ ଜମି ଦେଖୁଥିଲା ଓ ପରଖୁଥିଲା ଯେ, ଏଠି ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କଲେ ଚାଲିବ ନା ନାହିଁ…
ଧୀରେ ଧୀରେ ସନ୍ଧ୍ୟା ଆସି ଯାଉଥିଲା । ଜଙ୍ଗଲ ଭିତରେ ପରିବେଶ ଅଧିକ ଅନ୍ଧାର ହେବାରେ ଲାଗିଥିଲା । ପ୍ରକାଶ ସମସ୍ତଙ୍କୁ ଡାକି ଗୋଟିଏ ଜାଗାରେ ଏକାଠି କରୁଥିଲା । ଆଶିଷ ଗଛରୁ ତୋଳି ଆଣିଥିବା ବଣ ବଇଁଚ କୋଳିକୁ ସମସ୍ତେ ମିଳିମିଶି ଖାଉଥିଲେ ଓ ଝରଣା ପାଣି ପିଉଥିଲେ । ଜ୍ଞାନୀ ଭାବୁଥିଲା- କାଲି ଦିନରେ ସେ ଶଳା ବଣ କୁକୁଡାକୁ ଧରିକି ପୋଡିବାକୁ ପଡ଼ିବ । ପାଖ ଆଦିବାସୀ ପଡାକୁ ଯାଇ ଟିକେ ଲଙ୍କା ମରିଚ ଆଣିକି ଖାଇବାକୁ ପଡିବ । ଜୀବନକୁ ମସଲାଦାର୍ କରିବାକୁ ପଡିବ… ଜଙ୍ଗଲରେ ବି..
|| ୪ ||
କଥା ଛିଣ୍ଡିଲା, ଦୁଇଜଣ ଦୁଇଜଣ କରି ରାତିରେ ଚେଇଁବେ । ଅନ୍ୟମାନେ ଶୋଇବେ, ଦୁଇ ଘଣ୍ଟା ପରେ ପୁଣି ଦୁଇଜଣ ଉଠିବେ । ଏମିତି ଏମିତି ରାତି ସାରା ଚାଲିବ ।
ନେତାକୁ ଖୁବ୍ ଡର ଲାଗୁଥିଲା । ଜଙ୍ଗଲ ଭିତରେ ବେଳେବେଳେ ଅଜବ ସାଉଣ୍ଡ ସବୁ ଆସୁଥିଲା । ସେମାନେ ସମସ୍ତେ ଗୋଟେ ମୁଣ୍ଡିଆ ପଥର ଉପରେ ଶୋଇଥିଲେ । କେବଳ ଆଶିଷକୁ ଛାଡିଦେଲେ ପ୍ରାୟ ସମସ୍ତେ ନିଜ ପ୍ୟାଣ୍ଟ ସାର୍ଟ ଖୋଲି ଦେଇ ଚଡି ଗଂଜି ପିନ୍ଧି ଶୋଇଥିଲେ । ଆଶିଷକୁ ଖୁବ୍ ଶୀତ ଲାଗୁଥିଲା । ସରୋଜ ଗୋଟେ ଗୀତ ଗାଉଥିଲା । ପ୍ରକାଶ କାଫ୍କାଙ୍କର ଗୋଟେ ରିଅଲ୍ ଫିଲୋସୋଫିକାଲ୍ କାହାଣୀ କହୁଥିଲା ।
ଏଇ ସମୟରେ ଗୋଟେ ଅଘଟଣ ଘଟିଲା । ଖସ୍ଖାସ୍ ଧଡ୍ ଧାଡ୍କରି କିଛି ଲୋକ ମାଡି ଆସିଲେ ଏମାନଙ୍କ ପାଖକୁ । ସେମାନେ ମାଓବାଦୀଙ୍କ ପରି ପୋଷାକ ପିନ୍ଧିଥିଲେ ବୋଧେ । ବନ୍ଧୁକ ଧରି ସମସ୍ତଙ୍କୁ ଘେରି ଗଲେ, ଯେମିତି ହୁଏ ସିନେମାରେ । ସେମାନେ ସମସ୍ତେ ହାତରେ ଗୋଟା ଲେଖାଁ ଟର୍ଚ୍ଚ ଧରିଥିଲେ ଓ ଏ ଛଅଜଣଙ୍କ ମୁହଁକୁ ପକୋଉଥିଲେ । ସମସ୍ତେ ହାତ ଟେକି ଆତ୍ମସମର୍ପଣ ମୁଦ୍ରାରେ ବସିଥିଲେ ମୁଣ୍ଡିଆ ପଥର ଉପରେ ।
ମାଓବାଦୀ ବୋଲି ଚିନ୍ତା କରାଯାଉଥିବା ସେ ଲୋକଙ୍କ ଭିତରୁ ଜଣେ ବାହାରିକି କହିଲା- ସମସ୍ତେ ଧାଡି ହୋଇ ଠିଆ ହୁଅ ଓ ଆମକୁ ଫଲୋ କର ।
ସମସ୍ତେ ବରଡା ପତ୍ର ପରି ଥରୁଥିବା ବେଳେ କେବଳ ପ୍ରକାଶ ଓ ଆଶିଷ ଟିକେ ସାହସୀ ଥିବା ପରି ମନେ ହେଉଥାନ୍ତି । ସେମାନଙ୍କ ଏ ଆଚରଣକୁ ସାହସ ବୋଲି ତ କହିହେବନି, ବେପରବାୟ ବୋଲି ହିଁ କହିଲେ ଠିକ୍ ହେବ ।
ପ୍ରକାଶ ପଚାରିଲା- ଆପଣମାନେ କ’ଣ ମାଓବାଦୀ ପର୍ଯ୍ୟାୟର ? ଯଦି ହଁ, ତେବେ ଆପଣମାନଙ୍କୁ ଭେଟି ମୁଁ ଅତ୍ୟନ୍ତ ପ୍ରୀତ । ମୋ ବାପା କମୁ୍ୟନିଷ୍ଟ ଥିଲେ ଓ ଲାଲ୍ କାର୍ଯ୍ୟକଳାପକୁ ସମର୍ଥନ ଦେଉଥିଲେ । ଲାଲ୍ ସଲାମ ।
ଆଶିଷ କହିଲା- ଆପଣମାନଙ୍କ ଭିତରୁ କିଏ ରମ୍ମା ରେଡ୍ଡିକୁ ଚିହ୍ନିଛ କି? ତା ମାଧ୍ୟମରେ ମୁଁ ନିୟମିତ ଭାବେ ମାଓବାଦୀଙ୍କୁ ମୋଟା ଅଙ୍କର ଚାନ୍ଦା ଦିଏ । ମାଓବାଦୀଙ୍କର ଅଧିକାଂଶ ପୋଷାକ ମୋ ମିଲ୍ କପଡାରେ ତିଆରି । ମାଓବାଦୀଙ୍କ ଡ୍ରେସ୍ ପାଇଁ ମୋର ଗୋଟେ ସେପାରେଟ୍ ୱିଂ ଅଛି ।
ଜ୍ଞାନୀ, ଅମରେଶ ଓ ସରୋଜ ତତ୍କ୍ଷଣାତ ଗଛରେ ଟାଙ୍ଗିଥିବା ସେମାନଙ୍କ ପ୍ୟାଣ୍ଟ ପିନ୍ଧୁଥିଲେ । ନେତା ମଧ୍ୟ ପ୍ରକାଶ ଓ ଆଶିଷଙ୍କ ସହ ତାଳ ମିଳେଇ ଦୁଇପଦ କହିଲା- ଛାତ୍ର ଜୀବନରେ ମୁଁ କମୁ୍ୟନିଷ୍ଟ ଥିଲି । ଆଇ ଲାଇକ୍ ଦ୍ୟାଟ୍ କମୁ୍ୟନିଟି । ଲାଲ୍ ସଲାମ୍ କମ୍ରେଡ୍ ।
ନେତାର କଥା ଶୁଣି ସରୋଜକୁ ହସ ମାଡୁଥିଲା । ଶଳା ନୋଚଡ ସରକାରୀ ଦଳର ଡ୍ୟାସ୍ ଚାଟି ଚାଟି ଏମେଲେ ଟିକଟ ହାତେଇବାକୁ ଲାଗିଛି, ଏଠି ମାଓବାଦୀଙ୍କୁ କହୁଛି କମ୍ରେଡ୍ !! ଅମରେଶ ପାଟିରୁ କଥା ବାହାରୁ ନଥିଲା । ଭୟରେ ତା’ର ପିଳେହି ପାଣି । ସେତେବେଳୁ ସେ ଆଉ ହାତ ପକାଉ ନାହିଁ, ସେମିତି ଆତ୍ମସମର୍ପଣ ମୁଦ୍ରାରେ ରହିଛି ।
ପୁଣି ସେଇ ବରିଷ୍ଠ ମାଓବାଦୀ ପରି ଲାଗୁଥିବା ଲୋକଟି ପାଟି କଲା- ଆପଣମାନେ ଅଧିକ କଥା କହୁଛନ୍ତି । ନିଦେ୍ର୍ଦଶ ମତେ କାମ କରି ଚାଲନ୍ତୁ । ନହେଲେ ପରିମାଣ ଜାଣନ୍ତି ।
ସମସ୍ତେ ହାତ ଟେକି ଟେକି ଧାଡି ବାନ୍ଧିଲେ ଓ ଆଗରେ ବାଟ କଢେଇ ନେଉଥିବା ମାଓବାଦୀ ଦୁଇଜଣଙ୍କୁ ଚୁପ୍ଚାପ୍ ଫଲୋ କଲେ । ସେମାନଙ୍କ ପଛରେ ଆଉ କିଛି ମାଓବାଦୀ ଟର୍ଚ୍ଚ ଜଳେଇ ଜଳେଇ ଚାଲିଲେ । ରାତିର ଘନ ଅନ୍ଧାରରେ ଜଙ୍ଗଲ ଭିତରେ ସେମାନେ କୁଆଡେ ଯାଉଛନ୍ତି କାହାକୁ ଜଣା ନଥିଲା । ମାଓବାଦୀଙ୍କ ଭିତରୁ ଜଣେ କିଏ ବିଡି ଟାଣିଲା କି କ’ଣ ଭୀଷଣ ଗନ୍ଧ ହେଉଥିଲା । ଗାୟକ ସରୋଜର କାଶ ହେଲା । ଜ୍ଞାନୀ ସୁଁ ସୁ ହୋଇ କାନ୍ଦୁଥିଲା । ଅମରେଶ ତା’ ପିଲା ପରିବାର ଓ ବ୍ୟବସାୟ କଥା ଭାବି ବିବ୍ରତ ହେଉଥିଲା । ପ୍ରକାଶ ଭାବୁଥିଲା, ଇଏ ବି ଏକ ନୂଆ ଜୀବନ । ଖୁବ୍ ମଜ୍ଜାଦାର୍ । ଲେଟ୍ ଇଟ୍ ହାପେନ୍ ।
|| ୫ ||
ସମସ୍ତେ ଏବେ ଅପହୃତ । ମାଓବାଦୀଙ୍କ ଦ୍ୱାରା ଛଅ ଯୁବ ବୁଦ୍ଧିଜୀବୀ ଅପହରଣର ଖବର ଆସନ୍ତାକାଲି ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିବ । ନାନା କଥା ଉଠିବ । ସେମାନେ କିଏ, କାହିଁକି ବଣକୁ ଯାଇଥିଲେ, ମଉଜ କରିବାର ଥିଲା ତ ଏଇଠି ଚନ୍ଦକା ଜଙ୍ଗଲରେ କାହିଁକି କଲେନି, ଯଦି ଗଲେ ତେବେ ସାଥିରେ ବନ୍ଧୁକ କାହିଁକି ନେଲେନି, ଏମିତି ଅନେକ କଥା ଉଠିବ ଓ ସାରା ରାଜ୍ୟରେ ଆରମ୍ଭ ହେବ ବିଚିତ୍ର ରାଜନୀତି ।
ପ୍ରାୟ ଦୁଇଘଣ୍ଟା କାଳ ଜଙ୍ଗଲ ଭିତରେ ଚାଲିବା ପରେ ସେମାନେ ସମସ୍ତେ ଯେଉଁଠି ପହଞ୍ଚିଲେ ସେଠି ଗୋଟେ କ୍ୟାମ୍ପ ଥିଲା ପରି ଲାଗୁଥିଲା । ଗୋଟେ ଗଡିଆ ପରି ଜାଗାର ଆଡିରେ ବସିଥିଲା ମାଓବାଦୀଙ୍କ ଆବାସ । ଅନ୍ଧାରରେ ବେଶି କିଛି ଠଉରେଇ ହେଉ ନଥିଲା । ଏମାନେ ମାଓକ୍ୟାମ୍ପରେ ପହଞ୍ଚିବା ପରେ ସେଠି ଥିବା ଅନ୍ୟମାନେ ସେମାନଙ୍କୁ ଆସି ଘେରି ଗଲେ । କାହାର ଗୋଟେ ଇଙ୍ଗିତରେ ସେମାନେ ଅତିଥିମାନଙ୍କ ଖାତିର୍ଦାରି କଲେ ।
ମାଓ ପୋଷାକ ପିନ୍ଧିଥିବା ଜଣେ ମହିଳା ସେମାନଙ୍କୁ ପାଣି ବାଣ୍ଟିଲା । ଅମରେଶ ସେ ପାଣି ଢୋକେ ବି ପିଇ ପାରିଲା ନାହିଁ । ସେଗୁଡା ସିଧା ଝରଣା ପାଣି ପରି ଲାଗୁଥିଲା । ସମସ୍ତେ ସେଠି ଥିବା ଏକ ପଥର ଉପରେ ବସିଲେ । ସେମାନଙ୍କୁ ଚା ଆଣିକି ଦିଆଗଲା । ଖୁବ୍ ଆନନ୍ଦ ଲାଗିଲା । ନେତାକୁ । ରାତି ପାହି ପାହି ଆସୁଥିଲା । ଏତେ ସମୟର ପଥକ୍ଲାନ୍ତି ପରେ ଚା’ ଟିକିଏ ଜରୁରୀ ଥିଲା । ଜ୍ଞାନୀ ଚା’ଟାକୁ ସୁଡୁକ ସୁଡୁକ କରି ସଶବ୍ଦରେ ପିଇଲା । ସାଉଣ୍ଡ ହେଲାରୁ ମାଓବାଦୀଙ୍କ ନେତା ବୋଲି ମନେ କରାଯାଉଥିବା ଲୋକଟା ବନ୍ଧୁକ ସଜାଡୁ ସଜାଡୁ ଜ୍ଞାନୀକୁ ଗାରେଡେଇକି ଅନେଇଲା । ଅମରେଶକୁ ହସ ମାଡିଲା । ସେ ବି ସାଉଣ୍ଡ କରିକି ଚା ପିଇବ ବୋଲି ଯୋଉ ଭାବୁଥିଲା, ଆଉ ପିଇଲାନି । ଆଶିଷ ତଳକୁ ଅନେଇ କ’ଣ ଗୋଟେ ହିସାବ କରୁଥିଲା । ସରୋଜ ଗୁଣୁ ଗୁଣୁ ହୋଇ ଗୀତ ସ୍ୱର କରୁଥିଲା । ପ୍ରକାଶ ମାଓକ୍ୟାମ୍ପର ହାବଭାବ ଲକ୍ଷ୍ୟ କରୁଥିଲା । ନେତାର ଇଚ୍ଛା ହେଉଥିଲା ଚା ସାଙ୍ଗରେ ଗୋଟେ ସିଗାରେଟ୍ ଟାଣନ୍ତା, କିନ୍ତୁ ଏ ପରିବେଶରେ ତାହା ଅସମ୍ଭବ ଥିଲା ।
ପ୍ରକାଶ ମତ ଦେଲା- ‘ଏମିତି ଲୁଣ ଚା ମୋ ବୁଢା ବାପା ମୁଢି ପକେଇ ପିଉଥିଲା । ଦୁଇ ପୁରୁଷ ପରେ ମଣିଷ ପୁଣି ଲୁଣ ଚା ପିଇଲା । ୱାର୍ଲଡ ଇଜ୍ ମୁଭିଂ ।’
ସରୋଜ ମତ ଦେଲା- ‘ଆପଣ ଦେଖିବେ, ଧୀରେ ଧୀରେ ଆଉ କୌଣସି ଗୀତ ବା ଲିରିକ୍ ରହିବ ନାହିଁ । କେବଳ କିଛି କିଛି ସାଉଣ୍ଡ ବା ଅଡିଓକୁ ମିକ୍ସ କରି ସ୍ୱର ତିଆରି କରାଯିବ । ଯେମିତି ଆମ ପୂର୍ବପୁରୁଷମାନେ ବଣ ଜଙ୍ଗଲରେ ରହିଲା ବେଳେ ଭାଷା ନଜାଣି କେବଳ ଶବ୍ଦରେ ନିଜକୁ ପ୍ରକାଶ କରୁଥିଲେ । ସେମିତି ।’
ଆଉ କେହି କିଛି କହିବା ଆଗରୁ, ସେଠି ଉପସ୍ଥିତ ଥିବା ସମସ୍ତ ମାଓବାଦୀ ହଠାତ୍ ନିଜ ନିଜ ବନ୍ଧୁକ ଧରି ସାବଧାନ ପୋଜିସନ୍କୁ ଚାଲି ଆସିଲେ । ଏମାନେ ଛଅ ଜଣ ବି ହଠାତ୍ ଡରି ଗଲେ ଓ ଭୟରେ ଠିଆ ହୋଇ ପଡିଲେ । ଏଇ ସମୟରେ ମାଓବାଦୀଙ୍କର ଜଣେ ସିନିୟର ଲିଡର ଆସିଲେ ବୋଧେ । ସେ ଆସି ସେଠି ମରା ଯାଇଥିବା ଏକମାତ୍ର ତମ୍ବୁ ଭିତରେ ପଶି କିଛି ସମୟ କାହା ସହ ମନ୍ତ୍ରଣା କଲେ ଓ ପରେ ବାହାରି ଆସି ଏ ଛଅ ଜଣଙ୍କ ଆଗରେ ବିଶ୍ରାମ ପୋଜିସନ୍ରେ ଠିଆ ହେଲେ ।
ବଡ ପାଟିରେ କହିଲେ- ‘ଲାଲ୍ ସଲାମ୍ କମ୍ରେଡ୍ସ.. ଦିସ୍ ଇଜ୍ କମ୍ରେଡ୍ ବାସୁ… ମେମ୍ବର.. କ୍ରାନ୍ତିକାରୀ ପ୍ରଜା ଡିଭିଜନାଲ କମିଟି.. ମେଁ ଶୁନିଲା… ଆପନମାନେ ଇଂଟେଲିଜେଂଟ୍ର ନୁକ ଅଚନ୍ତି.. ଜଙ୍ଗଲରେ କି କାମ ଥିଲା ? ଏ ଦେଶ ମାଓବାଦୀକର… ଏ ରାଜ୍ୟ.. ଜଙ୍ଗଲ.. ସବୁ..’
କମ୍ରେଡ୍ ବାସୁର ଏ ତୋଡମୋଡ ଦେଖି ସମସ୍ତଙ୍କ ପିଳେହି ପାଣି । ସମସ୍ତେ ଭୟରେ ଠିଆ ହୋଇପଡିଲେ । ଜ୍ଞାନୀ କାନ୍ଦ କାନ୍ଦ ହୋଇ କହିଲା- ଆମର କିଛି ଦୋଷ ନାହିଁ କମ୍ରେଡ୍.. ଆମେ ପୋଲିସ୍ ଇନ୍ଫର୍ମର୍ ନୋହୁଁ.. ପୋଲିସ୍ କିଏ ବି ଆମେ ଜାଣିନୁ.. ଆମେ ସବୁ ଚିନ୍ତକ.. ବଡ ବଡ କଥା ଚିନ୍ତା କରୁ… ଦେଶ ପାଇଁ ଦୁନିଅାଁ ପାଇଁ.. ଆମେ ଅଧ୍ୟାପକ, ବ୍ୟବସାୟୀ, ଚିତ୍ରକର, ଲେଖକ, ଗାୟକ, କମ୍ପୋଜର..ଏଟ୍ସେଟ୍ରା ଏଟ୍ସେଟ୍ରା…
କମ୍ରେଡ୍ ବାସୁକୁ ଭଲରେ ଓଡିଆ କହି ଆସୁନଥିଲା । ତା ସାଇଡ୍ରେ ଠିଆ ହୋଇଥିବା ଆସିଷ୍ଟାଣ୍ଟ ଲେଭେଲ୍ ମାଓବାଦୀଟି ଅପେକ୍ଷାକୃତ ଟୋକା ଲାଗୁଥିଲା । ଆଉ ଗୋଟେ କାଳି ଲେଡି ମାଓବାଦୀ ବି ଠିଆ ହୋଇଥିଲା ବିଶ୍ରାମ ପୋଜିସନ୍ରେ । ସେତେବେଳକୁ ପୂରା ସକାଳ ହୋଇଗଲାଣି । ଘଞ୍ଚ ଜଙ୍ଗଲ ଭିତରେ ଥିବା ଏ ମାଓକ୍ୟାମ୍ପର ସ୍ପଷ୍ଟ ଚିତ୍ର ଜାଣି ହେଲାଣି । ଜାଗାଟା ବୋଧେ କୌଣସି ପାହାଡ ଉପରେ । କିମ୍ବା ଅଧା ପାହାଡ ଉପରେ ଥିବା କୌଣସି ଏକ ଖୋଲା ଜାଗାରେ । ପରିବେଶ ଟିକେ ଶିତୁଆ ଶିତୁଆ ଲାଗୁଛି । ତିନି ଚାରିଟା ଟେଣ୍ଟ୍ ଦୂରରେ ଦୂରରେ ଲାଗିଛି, ଯେଉଁଥିରେ ପାଖାପାଖି ପଚାଶ ଷାଠିଏ ପୁଅ ଝିଅ ମାଓବାଦୀ ରହୁଛନ୍ତି ।
“ଆପଣମାନେ କାହିଁକି ଜଙ୍ଗଲକୁ ଆସିଥିଲେ? କମ୍ରେଡ୍ ବାସୁ ତାହା ଜାଣିବାକୁ ଚାହୁଁଛନ୍ତି । ସେ ଶୁଣିଛନ୍ତି ଆପଣମାନେ ୟା ଭିତରେ କିଛି କାରଖାନା କିମ୍ବା ଜମି ବ୍ୟବସାୟ କିମ୍ବା ସେଇ ଧରଣର କିଛି ବଡ ଯୋଜନା ବିଷୟରେ ଅଧିକ ସର୍ଭେ ପାଇଁ ଆସିଛନ୍ତି ? ଆପଣମାନଙ୍କ ଆସିବାର ପ୍ରକୃତ କାରଣ ସ୍ପଷ୍ଟ ନହେଲା ଯାଏଁ ଆପଣମାନେ ଏବେ ଆମ ପାଖରେ ପଣବନ୍ଦୀ ।’
‘ପଣବନ୍ଦୀ !!’ ଏକାଥରେ ଛଅ ଜଣ ଯାକ ବିଳିବିଳି ହେଲେ ।
ପ୍ରଥମେ ପ୍ରକାଶ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କଲା । ସେ ସେମାନଙ୍କୁ ଆଦୌ ଡରିଲା ନାହିଁ । ତାତ୍ସଲ୍ୟ କରି କହିଲା- ‘କମ୍ରେଡ୍ ବାସୁବାବୁ… ତମ ମାଓବାଦୀଙ୍କର ସମସ୍ୟା କ’ଣ ଜାଣିଛ ? ଯାହାକୁ ପାର ତାକୁ ଧରି ଆଣି ଜଙ୍ଗଲରେ ପଣବନ୍ଦୀ କରି ରଖିଦେବ । ତା’ପରେ ଡିମାଣ୍ଡ କରିବ, ଅମୁକ କାମ କର, ସମୁକ ଲୋକକୁ ଖଲାସ କର । ମତେ ସ୍ପଷ୍ଟ କରି କହିବ କି, ତମେମାନେ ଯେତେଥର ଅପହରଣ ନାଟକ କରିଛ, କେତେଥର ତମ ପ୍ରକୃତ ସମସ୍ୟାର ସମାଧାନ ହୋଇଛି ?’
ସରୋଜ ଟିକେ ସାହସ କୁଳେଇଲା । କହିଲେ- ‘କମ୍ରେଡ୍ ବାସୁ.. ଆପଣ ଜୀବନରେ କେବେ ଗୀତ ଗାଇଛନ୍ତି? ମାଓବାଦୀଙ୍କର ବି ଜୀବନ ଅଛି । ସେମାନେ ବି ମଣିଷ । ତାଙ୍କୁ ଏକ ସଙ୍ଗୀତମୟ ଜୀବନ ଦେଲେ ସେମାନେ ଅଧିକ ଦକ୍ଷତାର ସହ ଆପଣଙ୍କ ପାଇଁ ଲଢିବେ ।
ଅମରେଶ ନିଜର ମତ ଦେଲା- ମୋର ମନେହୁଏ ଆମ ସଂପର୍କରେ ଆପଣ ଭୁଲ୍ ଖବର ପାଇଛନ୍ତି । ଆମେମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଯୁବବର୍ଗ । ଆମେ ଏମିତି ଏକାଠି ହୋଇ କିଛି ମଉଜ ମଜଲିସ୍ ପାଇଁ ଅଧିକାଂଶ ସମୟରେ ଜଙ୍ଗଲ ଭିତରେ ଆସି ରହୁ । କିନ୍ତୁ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଜଙ୍ଗଲ କିମ୍ବା ଜଙ୍ଗଲ ଜାତ କୌଣସି ପଦାର୍ଥ ଉପରେ ଆମର ତିଳେମାତ୍ର ଲୋଭ ନଥାଏ କିମ୍ବା ନାହିଁ । ମୁଁ ଜଣେ କ୍ଲାସ୍ ୱାନ୍ ବିଲ୍ଡର । ଆପଣମାନେ ଚାହିଁଲେ ମୁଁ ଏଇ ଜଙ୍ଗଲ ଭିତରେ ଆପଣମାନଙ୍କ ପାଇଁ ସୁନ୍ଦର ସୁନ୍ଦର ‘ମାଓ କଟେଜ୍’ ସବୁ ତିଆରି କରି ଦେଇ ପାରିବି । ଏମିତି ଜଙ୍ଗଲ ଭିତରେ ଟେଣ୍ଟ ମାରି ଆପଣମାନେ କେତେଦିନ ରହିପାରିବେ? ସରକାର ସହ ଲଢିବାକୁ ଟିକେ ଶାନ୍ତିରେ ଶୋଇବା ଦରକାର କି ନାଇଁ ?
ଆଶିଷ ସେମାନଙ୍କୁ ଭଲ ପରାମର୍ଶଟିଏ ଦେଲା । କହିଲା- କମ୍ରେଡ୍ ବାସୁ… ଆମେମାନେ ଏ ସମୟର ବୁଦ୍ଧିଜୀବୀରେ ଯାଉଛୁ । ଆପଣମାନେ ଆପଣଙ୍କ ସେଣ୍ଟ୍ରାଲ୍ କମିଟିରେ ଆମକୁ ମେମ୍ବର କରିଦିଅନ୍ତୁ । ସରକାର ବିରୋଧରେ କେମିତି ଲଢିଲେ ଆପଣମାନେ ଜିତିବେ ସେ ବାଟଟି ଆମେ ବତେଇ ଦେବୁ । ଆମକୁ ମାରିଲେ ମହାବିପଦ ।
ନେତା କହିଲା- ମୁଁ ଚଲ୍ତି ସମୟର ଜଣେ ଯୁବ ନେତା । ସରକାର କେମିତି ଚାଲେ ମତେ ଜଣା । ମତେ ଆପଣ ବିଶ୍ୱାସକୁ ନେଲେ, ମୁଁ ସରକାରର ସମସ୍ତ କୂଟକପଟ ଆପଣଙ୍କୁ ବତେଇ ଦେଇପାରିବି । ମୋର ମନେହୁଏ, ମାଓବାଦୀଙ୍କ ଲଢିବାର ଉପାୟ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ।
ଜ୍ଞାନୀ କହିଲା- ମାଓବାଦ ଏକ ପାଠ । ମାଓବାଦକୁ କୋର୍ସରେ ପ୍ରଚଳନ ପାଇଁ ମୁଁ ଅନେକ ଦିନ ଧରି ଉପାୟ ପାଞ୍ଚୁଛି ।
କମ୍ରେଡ୍ ବାସୁ ସମସ୍ତଙ୍କ କଥା ଧ୍ୟାନମଗ୍ନ ହୋଇ ଶୁଣୁଥିଲେ । ଜଣେ ମାଓବାଦୀ ସମସ୍ତଙ୍କ ପାଇଁ ଚା ବାଣ୍ଟୁଥିଲା । ସେଥିରୁ ସୁଡୁକେ ପିଇ କମ୍ରେଡ୍ ବାସୁ ଘୋଷଣା କଲେ- ଆମର୍ ଏକ ବଡ ହମ୍ଲା ହେବାକୁ ଯାଉଛି । ଛଅଟା ପବ୍ଲିକ୍ ପ୍ଲେସ୍ରେ ମାଓବାଦୀମାନେ ପ୍ରଥମ କରି ମାନବ ବୋମା ଖଞ୍ଜିବାକୁ ଯାଉଛନ୍ତି । ସେଥିପାଇଁ ଆମେ ନୁକ ଖୋଜୁଛି ।
ତମେମାନେ ସେ କାମ କରିବାକୁ ରେଡ୍ଡି ହୋଇଯାଅ ।
ପ୍ରକାଶ କହିଲା- ମାନବ ବୋମା ? ପୁଣି ଆମେ ? କିନ୍ତୁ ଏ କାମ ତ ଆତଙ୍କବାଦୀ କରନ୍ତି…ମାଓବାଦୀ ବି ଏହା କରିବେ ?
କମ୍ରେଡ୍ ବାସୁ କହିଲା- ୟେସ୍ ଫର୍ ଦି ଫାଷ୍ଟ ଟାଇମ୍…