ଆମେ ସଂପ୍ରତି ଯେଉଁ ପ୍ରକାର ବିଭିଷିକାପୂର୍ଣ୍ଣ, ସଠତା, ପ୍ରତାରଣା ଓ ପ୍ରତିଯୋଗିତାର ଭୟାନକ ସଂଘର୍ଷ ଭିତରେ ଆକ୍ତାମାକ୍ତା ପୃଥିବୀକୁ ନେଇ ବଞ୍ଚିଆସୁଛୁ, ସେ ସ୍ଥଳରେ ଲାଗୁଛି ଆଧ୍ୟାତ୍ମିକତାର ସବୁଜ ସ୍ନିଗ୍ଧ ସ୍ୱପ୍ନମୟ ପୃଥିବୀ ବହୁଦୂର ଓ ଅପହଞ୍ଚ । ମାତ୍ର ତଳେଇକରି ଦେଖିଲେ ସମସ୍ତ ବିଦ୍ୱେଶ ଓ ତିକ୍ତତା ଭିତରେ ଆମର ଏ ପୃଥିବୀ ତା’ର ଅଭିଳଷିତ ସ୍ୱପ୍ନମୟ ପ୍ରତ୍ୟାଶାମୟ ପଥ ଆଡକୁ ତୀବ୍ର ବେଗରେ ମୁହାଁଇ ଚାଲିଛି । ଆମେ ସେହି ଅବଶ୍ୟମ୍ଭାବୀ ଭବିତବ୍ୟକୁ ଖୁବ୍ଶୀଘ୍ର ହାତରେ ପରଖି ପାରିବା । ସେ ମୁହୂର୍ତ୍ତ ଆଉ ଅଧିକ ବିଳମ୍ବ ନୁହେଁ କିମ୍ବା ବିଡମ୍ବିତ ବି ନୁହେଁ । ପୁରୁଣା ରାତି ପାହି ଆସୁଛି, ନୂଆ ସ୍ୱପ୍ନନୀଳ ସ୍ନିଗ୍ଧ ପ୍ରତ୍ୟାଶାମୟ ସକାଳ ପ୍ରାୟ ହାତ ପାହାନ୍ତାକୁ ଆସିଗଲାଣି । ଆମେ ଏବେ ସେହି ନୂତନ ସକାଳର ସ୍ୱାଦ ସମସ୍ତେ ଚାଖିପାରିବା ।
ଆଧ୍ୟାତ୍ମିକତା ଶବ୍ଦ ଯେତେ ଗହନ, ଗୁରୁଗମ୍ଭୀର ବୋଧ ହେଉଛି; ବାସ୍ତବରେ ଏହା ତାହା ନୁହେଁ । ଆଧ୍ୟାତ୍ମିକତା ହେଉଛି ଏକ ପରିପୂର୍ଣ୍ଣ, ପ୍ରଚୋଦନାମୟ ଜୀବନଚର୍ଯ୍ୟା । ଏହାର ଧାରା ଅତ୍ୟନ୍ତ ସହଜ, ସାବଲୀଳ, ଶ୍ରଦ୍ଧାମୟ, ସହାବସ୍ଥାନମୟ । ଯଦିଓ ସେପରି ଜୀବନଟିଏ ସହଜ ଲଭ୍ୟ ନୁହେଁ । ଅତ୍ୟନ୍ତ ନାସ୍ତିକ ବୋଧ ହେଉଥିବା ମଣିଷଟିଏ ଆଧ୍ୟାତ୍ମିକତାର ପରିଭାଷାରେ ଖୁବ୍ ମହତ୍ତର, ଅପହଞ୍ଚ ବ୍ୟକ୍ତିତ୍ୱ ଓ ଚେତନାର ସର୍ବୋଚ୍ଚ ଶିଖରୀୟ ରାସ୍ତା ହୋଇପାରନ୍ତି । ପାରମ୍ପରିକ ଧର୍ମ ଧାରଣା ସହିତ, ତଥାକଥିତ ଧାର୍ମିକ ଆଚରଣ ବିଧି ଯୋଡ଼ି କରି ଆମେ ଆଧ୍ୟାତ୍ମିକତାକୁ ଦେଖୁଥିବାରୁ ଏଭଳି ପ୍ରମାଦ, ସଂଶୟ ଓ ପ୍ରହେଳିକାର ସୂତ୍ରପାତ ଘଟୁଛି । ଅଗମ୍ୟ ଅରଣ୍ୟରେ ନିଭୃତରେ ରହି ନିଷ୍କପଟ, ନିରଳସ ଜୀବନ ବିତାଉଥିବା ଆଦିବାସୀ ମଣିଷଟିଏ କିମ୍ବା ନିପଟ ମଫସଲରେ ନିରବରେ, ନିର୍ବିକାରରେ ନିଜର କର୍ମ ସମ୍ପାଦନ କରୁଥିବା ନିରକ୍ଷର ଚାଷୀଟିଏ ଆଧ୍ୟାତ୍ମିକତାର ଆଚାର- ସଂହିତାରେ ସନ୍ଥ ରୂପେ ବିବେଚିତ ହୋଇପାରେ, କିନ୍ତୁ ନୀତିପ୍ରତି ବେଜାଏ ବେଦମନ୍ତ୍ର ପଢ଼ି, ଯଜ୍ଞାହୁତି ଦେଇ, ନିରାମିଷ ଭୋଜନ ସହ ରୁଦ୍ରାକ୍ଷ ଓ ଗୈରିକ ଧାରଣ କରୁଥିବା ତଥାକଥିତ ସାଧୁ ଲୋକଟି ଆଦୌ ଆଧ୍ୟାତ୍ମିକ ହୋଇ ନପାରେ, ବରଂ ପାଷାଣ୍ଡ ହୋଇଥାଇପାରେ । ସୁତରାଂ ଆଧ୍ୟାତ୍ମିକତା ଏକ କାୟିକ ବା ଶୁଦ୍ଧ ଶୌଚଗତ ଦୈହିକ କିମ୍ବା ବାଚିକ ବା ପବିତ୍ର ମନ୍ତ୍ର ଉଚ୍ଚାରଣ ସର୍ବସ୍ୱ ବ୍ରତ, ଉପବାସ, ଉପାସନାମୟ ଜୀବନକୁ ବୁଝାଏ ନାହିଁ, ଏହା ହେଉଛି ଚେତନାର ଶିଖରତମ ଉତ୍ତରଣ । ନିଶ୍ଚେତନତାର, ଅମାନବୀୟ ପ୍ରବୃତ୍ତିର ଅନ୍ଧାରି ସୁଡଙ୍ଗକୁ ଅତିକ୍ରମ କରି ଏକ ଦିବ୍ୟ, ଦେଦୀପ୍ୟମାନ ଆଲୋକିତ ପୃଥିବୀରେ ପଦାର୍ପଣ- ଯେଉଁ ସମୟ ଭିତରେ ମଣିଷର ସାଧାରଣ ଚେତନାରେ ଘଟିସାରିଥିବ ଯୁଗାନ୍ତକାରୀ ବିବର୍ତ୍ତନ । ସେ ପାଲଟି ଯାଇଥିବା ପ୍ରଜ୍ଞାମୟ ପୁରୁଷ, ମନୀଷୀ ବା ସିଦ୍ଧ । ଏଥିପାଇଁ ସାର୍ଟିଫିକେଟଧାରୀ ପାଠର, ଉଚ୍ଚ ପଦବୀ, ବିତ୍ତଶାଳୀ, ସମ୍ଭ୍ରାନ୍ତ ପରିବାରରେ ସମ୍ଭୂତ ହେବାର କୌଣସି ପ୍ରୟୋଜନୀୟତା ନାହିଁ । ସରଳ ଭାବରେ କହିଲେ: ପ୍ରତ୍ୟେକ ମଣିଷ ହିଁ ଦିବ୍ୟ, ଅଧିକନ୍ତୁ ପ୍ରତ୍ୟେକ ଜୀବନ ସତ୍ତାରେ ବ୍ରହ୍ମର ଘଟିଛି ଅପୂର୍ବ ପରିପ୍ରକାଶ, ସର୍ବଂ ଖଲିଦ୍ୱଂ ବ୍ରହ୍ମର ଉପଲବ୍ଧି ଆସିପାରିଲେ ଜଣେ ଆଧ୍ୟାତ୍ମିକ ପୁରୁଷ ପାଲଟିଯାଏ । ଏହି ଅବବୋଧ ବା ମାନସିକତାରେ ପହଞ୍ଚିବା ପାଇଁ ଜଣେ ଅଫୁରନ୍ତ ଶ୍ରଦ୍ଧା, ତ୍ୟାଗ, ସଦ୍ଭାବନାରାଜିର ନିୟମିତ ଅଭ୍ୟାସ କରିବା ଓ ନିଜ ଆଚରଣରେ ସେସବୁର ସ୍ୱତଃସ୍ଫୂର୍ତ୍ତ ପରିପ୍ରକାଶ ଘଟାଇବା ଏକାନ୍ତ ପ୍ରୟୋଜନ । ସମସ୍ତ ବିଶ୍ୱ ହିଁ ମୋର କୁଟୁମ୍ବର ଅଂଶବିଶେଷ, ସମସ୍ତଙ୍କ ସହ ଏକତ୍ର ସହାବସ୍ଥାନ ହିଁ ମୋ ଜୀବନର ପରମ ପରିତୃପ୍ତି, ସମସ୍ତଙ୍କର କଲ୍ୟାଣରେ ହିଁ ମୋର ଅଶେଷ ଆନନ୍ଦ; ସମସ୍ତଙ୍କୁ ସହଯାତ୍ରୀ କରି ମୁଁ ଏ ପୃଥିବୀରେ ଚଳପ୍ରଚଳ କରିବି, ପାହାଚ ଚଢ଼ିବି, ଜୀବନକୁ ଧନ୍ୟ, ବିଭାସିତ, ବିଭାଯୁକ୍ତ କରିବି- ଏହାରି ନାମ ହିଁ ଆଧ୍ୟାତ୍ମିକ ସାଧନା । ମୋ ନିଜ ପରି ଆଉ ସମସ୍ତେ ବ୍ରହ୍ମ ଏବଂ ପରିଶେଷରେ ଅଛନ୍ତି ପରଂବ୍ରହ୍ମ- ସର୍ବଶେଷରେ ମୋତେ ସେହି ପରମ ପୁରୁଷଙ୍କ ପାଖରେ ପହଞ୍ଚିବାକୁ ହେବ, କାରଣ ତାହାହିଁ ମୋର ମୂଳ ଉତ୍ସ ଏବଂ ଶେଷତମ ଜିଜ୍ଞାସା- ଏପରି ଏକ ଚିରନ୍ତନୀ ଚିନ୍ତାକଳ୍ପରେ ପହଞ୍ଚିଗଲେ ଜଣେ ପାଲଟିଯାଏ ସିଦ୍ଧ । ସେଇ ଧାରାରେ ଦାସିଆ ବାଉରି କି ଭୀମ ଭୋଇ ଜଣେ ଜଣେ ମହିମାନ୍ୱିତ ସିଦ୍ଧ ଏବଂ ଏକଦା ବିଶ୍ୱକୁ ହୁଲସ୍ତୁଲ କରି ପକାଉଥିବା ରାବଣ କି ଷ୍ଟାଲିନ୍ କି ହିଟ୍ଲର୍ ଜଣେ ଜଣେ ଭୟଙ୍କର ଅସୁର, ଦାବାନଳୀ ଦାନବ । ଆଉ ଆମେ ସବୁ ହେଲୁ ମାନବ- କିଏ ମାନବ ଚେହେରାରେ ଥାଇ ବି ମାନବୀୟ ପ୍ରକୃତି ବିବର୍ଜିତ ହୋଇ ପାଲଟିଛି ରାକ୍ଷସ; ଅନ୍ୟ କେହି ମାନବ ଦେହରେ ରହି ଅତିମାନବୀୟ ପ୍ରକୃତି ପ୍ରଦର୍ଶନ କରି ପାଲଟୁଛି ଦେବତା । ରାକ୍ଷସ ପ୍ରାୟ ମଣିଷଟିର ମୁଣ୍ଡରେ ଯେପରି ଶିଙ୍ଗ କି ବଡ଼ ବଡ଼ ଦାନ୍ତ ନାହିଁ, ସେହିପରି ଦେବତା ପ୍ରାୟ ମଣିଷଟିର ମୁଣ୍ଡରେ ଇନ୍ଦ୍ରର ମୁକୁଟ ନାହିଁ । କେବଳ ଦୃଶ୍ୟମାନ ଜଗତର ମାପକାଠିରେ ସେ ଦୁଇ ଗୋଷ୍ଠୀର ଜୀବ ସତ୍ତାଙ୍କ ଚକ୍ଷୁକୁ ଦେଖିଲେ ଅଚିରେ ବୁଝିହେବ ସେମାନଙ୍କ ପ୍ରବୃତ୍ତି । ସୂକ୍ଷ୍ମତର ମାପକାଠିରେ ଅବଶ୍ୟ ଆଜିର ବିଜ୍ଞାନ ଉଠାଇ ପାରୁଛି ମହତ୍ତର ଚେତନା ସର୍ବସ୍ୱ ମଣିଷର ଦେହ ଚତୁଃପାଶ୍ୱର୍କୁ ବେଢ଼ି ଥିବା ଜ୍ୟୋତିଃ- ମଣ୍ଡଳ ବା ଅରାର ଫଟୋଚିତ୍ର । ତେବେ ମହାତ୍ମା ଗାନ୍ଧିଙ୍କ ଚକ୍ଷୁଦ୍ୱୟକୁ ଦେଖି ବହୁଲୋକ ବିହ୍ୱଳିତ ହୋଇଛନ୍ତି- ରମାଦେବୀ ତାଙ୍କ ଆତ୍ମଜୀବନୀ ‘ଜୀବନ ପଥେ’ରେ ଦର୍ଶାଇଛନ୍ତି ସେ କିପରି ଭୁଲିପାରୁନାହାନ୍ତି ଗାନ୍ଧିଜୀଙ୍କ ଚକ୍ଷୁଦ୍ୱୟର ଚୁମ୍ବକୀୟ ଆକର୍ଷଣ । ସମାନ ଭାବେ ଏକଥା କହିଛନ୍ତି ବିଶିଷ୍ଟ ସାହିତି୍ୟକ ଉମାଶଙ୍କର ଯୋଶୀ, ଗାନ୍ଧିଜୀଙ୍କ ଜନପ୍ରିୟ ଜୀବନୀ ଲେଖକ ଲୁଇ ଫିସର୍ ଏବଂ ଗାନ୍ଧିଜୀଙ୍କ ସହକର୍ମିଣୀ ମୀରା ବେନ୍ ।
ଆଉ ରହିଲା ଜ୍ୟୋତି-ମଣ୍ଡଳ କଥା । ହିନ୍ଦୁ ଦେବଦେବୀଙ୍କ ଚିତ୍ରଠାରୁ ବୁଦ୍ଧ ଓ ଯିଶୁଖ୍ରୀଷ୍ଟଙ୍କ ଚିତ୍ରଯାଏ ଆମେ ଦେଖୁ ସେମାନଙ୍କ ମସ୍ତକ ଚତୁର୍ପାଶ୍ୱର୍ରେ ରହିଛି ଏକ ଆଲୋକିତ ବଳୟ । ପ୍ରଥମେ ହେତୁବାଦୀମାନେ ଭାବୁଥିଲେ ଏହା ହେଉଛି ଶିଳ୍ପୀର କଳ୍ପନା ବିଳାସର ଏକ ପରିସ୍ଫୁଟନ ବା ରୂପାୟନ । ମାତ୍ର ଆଧୁନିକ ବିଜ୍ଞାନ ପ୍ରମାଣ କଲା ଏପରି ଏକ ଜ୍ୟୋତିର୍ମୟ ବଳୟ ବା ମଣ୍ଡଳ ରହିଛି ଏବଂ ପ୍ରତ୍ୟେକ ଜୀବନ୍ତ ବସ୍ତୁରେ ଏହା ତରଙ୍ଗାୟିତ ହେଉଛି; ଏପରିକି ଉଦ୍ଭିଦ ଜଗତରେ ମଧ୍ୟ ଏହା ବିଦ୍ୟମାନ । ବିଂଶ ଶତାବ୍ଦୀର ଷାଠିଏ ଦଶକରେ ରୁଷ୍ ଦେଶର ଏକ ଦମ୍ପତି ସେମ୍ୟାନ୍ ଡାଭିଦୋଭିକ୍ କିର୍ଲିଆନ୍ ଓ ତାଙ୍କର ପତ୍ନୀ ଭାଲେଣଟିନା ଆକସ୍ମିକ ଭାବେ ଆବିଷ୍କାର କଲେ କୌଣସି କ୍ୟାମେରା କିମ୍ବା ଲେନ୍ସ ନଥାଇ ସେମାନେ ସ୍ୱତନ୍ତ୍ର ଏକ ବୈଦୁ୍ୟତିକ ଯନ୍ତ୍ର ସାହାଯ୍ୟରେ ପ୍ରତ୍ୟେକ ବସ୍ତୁରୁ ନିର୍ଗତ ହେଉଥିବା ଏକ ଆଲୋକିତ ବଳୟର ଚିତ୍ର ଉତ୍ତୋଳନ କରିପାରିବେ ଏବଂ ତାହାକୁ ଫଟୋଚିତ୍ର ଭଳି ଉପସ୍ତାପିତ କରିପାରିବେ । ଏହି ଉଦ୍ଗତ ତେଜୋମୟତା ମଣିଷର ଖାଲି ଆଖିକୁ ଦୃଶ୍ୟମାନ ନୁହେଁ । ସେହିଦିନ ଠାରୁ ଏହି ଚମକପ୍ରଦ “ଅରା’ର ଫଟୋ ନେବା ସମ୍ଭବ ହେଉଛି ଏବଂ ସଂପ୍ରତି ଏଥିପାଇଁ ବ୍ୟବହୃତ କ୍ୟାମେରାର ନାମ ଆଦି ଉଦ୍ଭାବକଙ୍କ ନାମାନୁସାରେ ରଖାଯାଇଛି ‘କିର୍ଲିଆନ୍ କ୍ୟାମେରା’ । ପ୍ରସଙ୍ଗ କ୍ରମେ ଏତିକି କୁହାଯାଇପାରେ ଯେ ଆଧୁନିକ ବିଜ୍ଞାନ ସ୍ୱୀକାର କଲା ପ୍ରତି ବସ୍ତୁର କଠିନ, ତରଳ ଓ ବାଷ୍ପୀୟ ସ୍ତର ବାହାରେ ରହିଛି ଏକ ଚତୁର୍ଥ ସ୍ତର ଏବଂ ଏହାକୁ ପଦାର୍ଥ ବିଜ୍ଞାନରେ କୁହାଯାଏ ପ୍ଲାଜମା ଯାହା ବିଦୁ୍ୟତ୍ ପ୍ରବାହରେ ନିଷ୍କ୍ରିୟ; ଆୟନ ଇଲେକ୍ଟ୍ରୋନ୍ ତଥା ଅନ୍ୟ କିଛି ନିଷ୍କ୍ରିୟ ଉପାଦାନକୁ ନେଇ ଗଠିତ । ପ୍ରତ୍ୟେକ ଉଦ୍ଭିଦ, ପଶୁପକ୍ଷୀ ଏବଂ ମଣିଷର ରହିଛି ଅତି ସୂକ୍ଷ୍ମ ଉପ-ଅଣୁ (Sub-atomic ବା Protoplasmic) ଶକ୍ତିର ଅନେକ ସ୍ତର ଯେଉଁଠୁ ନିସୃତ ହୁଏ ଆମର ଦୃଶ୍ୟମାନ ଶରୀର ପାଇଁ ଜୀବକୋଷ ଓ ଅଣୁ । ଏକଦା ଯାହା ମୁନି,ଋଷି, ଦାର୍ଶନିକଗଣ ସଦର୍ପେ ଘୋଷଣା କରୁଥିଲେ, ଅବଶେଷରେ ଆଧୁନିକ ବିଜ୍ଞାନ ଆସି ସେଠାରେ ପହଞ୍ଚିଲା । ଆମେ ଭୁଲିଯିବା ନାହିଁ ଯେ ଉପନିଷଦର ଅନେକତ୍ର ବର୍ଣ୍ଣିତ ହୋଇଛି ‘ଅଣୁ’ର ସ୍ଥିତି : ‘ଅଣୋର୍ ଅଣୀୟାନ୍, ମହତୋ ମହୀୟାନ୍ । ଆତ୍ମାସ୍ୟ ଜନ୍ତୋ ର୍ନିହିତ ଗୁହାୟାମ୍’ (କଠ-୧/୨/୨୦) – ଅର୍ଥାତ୍ ପ୍ରତି ଜୀବ ସତ୍ତାର ଆତ୍ମା ତା’ର ହୃଦୟ ରୂପକ ଗୁହା ଭିତରେ ବିଦ୍ୟମାନ ଏବଂ ସିଏ ଆକୃତିରେ ହୋଇପାରେ ଅଣୁଠାରୁ ଆହୁରି କ୍ଷୁଦ୍ର ଏବଂ ହୋଇପାରେ ସର୍ବାଧିକ ବିଶାଳତମ ହିମାଳୟ ଠାରୁ ଆହୁରି ବିଶାଳ, ପରିବ୍ୟାପ୍ତ । କଠ ଉପନିଷଦର ଅନ୍ୟତ୍ର ମଧ୍ୟ ରହିଛି- ‘ଅଣିୟାନ୍ ଅତର୍କମ୍ ଅଣୁପ୍ରମାଣାତ୍ ।’ ଅର୍ଥାତ୍ ଏହା ଅଣୁଠାରୁ ଆହୁରି ସୂକ୍ଷ୍ମ । ପୁନଶ୍ଚ ସେଥିରେ ବର୍ଣ୍ଣିତ ଅଛି ଅଣୁର ସ୍ୱରୂପ : କେଶାଗ୍ରକୁ ଶହେ ଭାଗରେ ବିଭକ୍ତ କରାଯାଉ ଏବଂ ସେଇ ବିଭାଜିତ ଏକଶତାଂଶକୁ ନେଇ ପୁନର୍ବାର ଶହେ ଭାଗରେ ବିଭାଜିତ କର । ଅଣୁ ହେଉଛି ଏହାଠାରୁ ଆହୁରି କ୍ଷୁଦ୍ର । ସୁତରାଂ ଭାରତୀୟ ଋଷି ପରମ୍ପରାରେ ଯେଉଁସବୁ ଅଲୌକିକ, ଅଚିନ୍ତନୀୟ ସଂଦର୍ଶନ ହୋଇଥିଲା, ଆଜିର ଆଧୁନିକ ବିଜ୍ଞାନ ଧୀରେ ଧୀରେ ସେସବୁକୁ ଉନ୍ମୋଚିତ କରିଚାଲିଛି । ଆହୁରି ଅନେକ ସୂକ୍ଷ୍ମ ଅନୁଭୂତିର, ଇନ୍ଦ୍ରିୟାତୀତ ଉପଲବ୍ଧିର ଅନାବିଷ୍କୃତ ସ୍ତର ରହିଛି ଯାହା ପାଖରେ ବିଜ୍ଞାନ ଏଯାଏ ପହଞ୍ଚିପାରିନାହିଁ ।
ପ୍ରଥମେ ନିଆଯାଉ ଏ ଯୁଗର ସର୍ବଶ୍ରେଷ୍ଠ ଦୁଇ ବୈଜ୍ଞାନିକ- ଆଲବର୍ଟ ଆଇନ୍ଷ୍ଟାଇନ୍ ଏବଂ ୱିଲିୟମ୍ ହାଇଜେନବର୍ଗଙ୍କ ଈଶ୍ୱରଙ୍କ ଉପସ୍ଥିତି ସଂପର୍କରେ ଅବିଚଳିତ ବିଶ୍ୱାସ ସ୍ଥାପନାର କଥା । ସେ ଦୁହେଁ ଯେତେବେଳେ ଭଗବତ୍ ଉପସ୍ଥିତି କଥା କହିଲେ, ଅନ୍ୟ ବୈଜ୍ଞାନିକମାନେ ସେ ଦୁହିଁଙ୍କୁ ‘ଦାର୍ଶନିକ- ବିଜ୍ଞାନୀ’ର ଆଖ୍ୟା ଦେଇ ଏଡେଇ ଗଲେ; ପ୍ରାୟତଃ ତାତ୍ସଲ୍ୟ କଲେ । ମାତ୍ର ସେ ଦୁହିଁଙ୍କ ସର୍ବୋତ୍ତମ ଗବେଷଣା ଏବଂ ଉଦ୍ଭାବନର ସମକକ୍ଷ ହେବା ଯୋଗ୍ୟତା ଆଜି ଯାଏ କୌଣସି ବୈଜ୍ଞାନିକ ଲାଭ କରିନାହାନ୍ତି । ସେ ଦୁହେଁ ଚେତନାର ଯେଉଁ ଶିଖରରେ ପହଞ୍ଚିଥିଲେ ଅନ୍ୟମାନେ ତା’ର ସୀମା ସରହଦ ମଧ୍ୟ ମାଡ଼ି ନାହାନ୍ତି । ଏପରିକି ତିନିଶହ ବର୍ଷ ତଳେ ଅନ୍ୟତମ ବିଶିଷ୍ଟ ବୈଜ୍ଞାନିକ ଆଇଜାକ୍ ନିଉଟନ୍ ପ୍ରଥମେ କହିଥିଲେ- ପୃଥିବୀର ସମସ୍ତ ବସ୍ତୁ ଗତିଶୀଳ; ମାତ୍ର ସେ ବିସ୍ମିତ୍ ହତବାକ୍ ହୋଇଥିଲେ ପ୍ରତି ବସ୍ତୁରେ ଅତ୍ୟନ୍ତ ତୀବ୍ର ନିରବଚ୍ଛିନ୍ନ ବେଗ ଦେଖି ସେ ଏହାର କୌଣସି ସମାଧାନ କରିପାରିଲେ ନାହିଁ, ସେହିପରି ବିସ୍ମୟାଭିଭୂତ ସ୍ୱରରେ କହିଲେ : ‘ବୋଧହୁଏ ଈଶ୍ୱର ହିଁ ସୃଷ୍ଟି କାଳରେ ଏଥିରେ ଭରି ଦେଇଛନ୍ତି ପ୍ରଚଣ୍ଡ ବେଗ ।’
ଆଧ୍ୟାତ୍ମିକତା ହେଉଛି ଏକ ପରିପୂର୍ଣ୍ଣ, ପ୍ରଚୋଦନାମୟ ଜୀବନଚର୍ଯ୍ୟା । ଏହାର ଧାରା ଅତ୍ୟନ୍ତ ସହଜ, ସାବଲୀଳ, ଶ୍ରଦ୍ଧାମୟ, ସହାବସ୍ଥାନମୟ । ଯଦିଓ ସେପରି ଜୀବନଟିଏ ସହଜ ଲଭ୍ୟ ନୁହେଁ । ଅତ୍ୟନ୍ତ ନାସ୍ତିକ ବୋଧ ହେଉଥିବା ମଣିଷଟିଏ ଆଧ୍ୟାତ୍ମିକତାର ପରିଭାଷାରେ ଖୁବ୍ ମହତ୍ତର, ଅପହଞ୍ଚ ବ୍ୟକ୍ତିତ୍ୱ ଓ ଚେତନାର ସର୍ବୋଚ୍ଚ ଶିଖରୀୟ ରାସ୍ତା ହୋଇପାରନ୍ତି । ପାରମ୍ପରିକ ଧର୍ମ ଧାରଣା ସହିତ, ତଥାକଥିତ ଧାର୍ମିକ ଆଚରଣ ବିଧି ଯୋଡ଼ି କରି ଆମେ ଆଧ୍ୟାତ୍ମିକତାକୁ ଦେଖୁଥିବାରୁ ଏଭଳି ପ୍ରମାଦ, ସଂଶୟ ଓ ପ୍ରହେଳିକାର ସୂତ୍ରପାତ ଘଟୁଛି ।
ତଦ୍ରୁପ ଭାବେ ୧୯୪୫ ଜୁଲାଇ ୧୬ ତାରିଖର ଉଷାକାଳରେ ଆମେରିକାର ନିଉ ମେକ୍ସିକୋ ମରୁଭୂମିରେ ପରୀକ୍ଷିତ ହୋଇଥିବା ପୃଥିବୀର ପ୍ରଥମ ପରମାଣୁ ବୋମାର ଜନକ ବିଶିଷ୍ଟ ବୈଜ୍ଞାନିକ ରବର୍ଟ ଓପେନ୍ହୈମର ନିଜ ହାତ ତିଆରି ବୋମାରୁ ନିର୍ଗତ ପ୍ରଚଣ୍ଡ ତେଜରେ ଅଭିଭୂତ, ହତବାକ୍ ହୋଇ ଆବୃତ୍ତି କରିଥିଲେ ଭଗବତ୍ ଗୀତାର ଏକ ଶ୍ଲୋକ : ‘କାଳୋଽସ୍ମି ଲୋକ କ୍ଷୟକୃତପ୍ରବୃଦେ୍ଧା ଲୋକାନ୍ ସମାହର୍ତୁମିହ ପ୍ରବୃତ୍ତ’ (ବିଶ୍ୱରୂପ ଦର୍ଶନ ଯୋଗ-୩୨)- ‘ମୁଁ କାଳ, ମୁଁ ଜଗତମାନଙ୍କର କ୍ଷୟକାରୀ, ମୁଁ ସମସ୍ତ ପ୍ରାଣୀଙ୍କର ସଂହାରକ ।’ ଏଥିରୁ ସ୍ପଷ୍ଟ ଯେ ଓପେନ୍ହୈମରଙ୍କୁ ସୁବିଦିତ ଥିଲା ପ୍ରାଚ୍ୟର ପ୍ରଜ୍ଞା ଏବଂ ସେ ଏହାକୁ ନିବିଡ ଭାବେ ଅଧ୍ୟୟନ କରି ଅନେକ ପଂକ୍ତି ସ୍ମରଣ ରଖିଥିଲେ ।
ପୁଣି ଫେରି ଆସିବା ଆରମ୍ଭକୁ- ଆଧୁନିକ ବିଜ୍ଞାନ ଯେପରି ଜଡ଼ ପ୍ରାୟ ଦୃଶ୍ୟମାନ ଅଣୁ ଭିତରେ ଦେଖିଲା ଅଫୁରନ୍ତ ଆଲୋକ, ଉର୍ଜାର ମହାଜାଗତିକ ପ୍ଳାବନ; ସେହିପରି ଆବିଷ୍କାର କଲା ପ୍ରତିଟି ବସ୍ତୁର ମୌଳିକ ନିର୍ମାଣ ଉପାଦାନ ହେଉଛି ସେହି ଗୋଟିଏ ଅଦୃଶ୍ୟ ବସ୍ତୁ- ଅଣୁ । ପ୍ରତି ଅଣୁ ଭିତରେ ଚଳନ ଶକ୍ତି ଦେଖିଲା ବିଜ୍ଞାନୀ ଏବଂ ବିସ୍ମିତ ହେଲା : ତା’ ଭିତରେ ଏଡେ ତୀବ୍ର ବେଗ କିଏ ଦେଲା ! ପ୍ରତି ସେକେଣ୍ଡରେ ଛଅଶହ ମାଇଲ୍ ୯୬୦ କି.ମି. ! ମାତ୍ର ଆଧ୍ୟାତ୍ମବାଦୀ ଦେଖିଲା ଅଣୁ ଭିତରେ ଚେତନ ଶକ୍ତି- ଆତ୍ମସତ୍ତା; ପ୍ରତିଟି ବସ୍ତୁର ରହିଛି ମସ୍ତିଷ୍କ ଓ ଚୈତନ୍ୟ (matter and spirit) ଏ କଥାକୁ ଏକଦା ଅସ୍ୱୀକାର କରୁଥିଲା ବୈଜ୍ଞାନିକ; ମାତ୍ର ଅର୍ଦ୍ଧ ଶତାବ୍ଦୀର କ୍ରାନ୍ତିକାରୀ ଗବେଷଣାଗୁଡିକ ପରେ ଆଜି ଆଉ ସେ ଅବସ୍ଥା ନାହିଁ । ହାଇଜେନ୍ବର୍ଗ ତାଙ୍କର ଏକ ବିଖ୍ୟାତ ପୁସ୍ତକ ‘ଫିଜିକ୍ସ ଏଣ୍ଡ ଫିଲୋସଫି’ରେ ସବିଶେଷ ଭାବେ ଏ ତତ୍ତ୍ୱ ପରଷି ଥିଲେ ବି ତାଙ୍କୁ କେହି ପରତେ ଯାଉନଥିଲେ; ଯଦିଓ ତିରିଶ ଦଶକର ଶେଷ ଭାଗରେ ମାତ୍ର ୩୧ବର୍ଷ ବୟସରେ ଏହି ଜର୍ମାନୀ ବୈଜ୍ଞାନିକ ପାଇଥିଲେ ପଦାର୍ଥ ବିଜ୍ଞାନରେ ପରାକାଷ୍ଠା ପାଇଁ ନୋବେଲ୍ ପୁରସ୍କାର । ଆଣବିକ ବୋମା ନିର୍ମାଣ କୌଶଳ ଜାଣି ମଧ୍ୟ ସେ ହିଟ୍ଲରକୁ ଭୁଆଁ ବୁଲାଇ ଦେଇ କହିଥିଲେ : “ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହୋଇଯିବ ପଛେ କେହି ବୋମା ତିଆରି କରିପାରିବେ ନାହିଁ, ୟୁରାନିୟମ୍କୁ ଭାଙ୍ଗିବା କୌଶଳ କାହାରିକୁ ଜଣାନାହିଁ ।” କାରଣ ସେ ଜାଣିଥିଲେ ହିଟ୍ଲର ଗୋଟାଏ ଭୟଙ୍କର ଆସୁରିକ ଶକ୍ତି ସମ୍ପନ୍ନ ଅବିବେକୀ ମୂଢ଼; ତା’ ହାତରେ ବୋମା ପଡ଼ିବା ଅର୍ଥ ପୃଥିବୀର ଚେତନା ପୁଣି ଫେରିଯିବ ଶତାବ୍ଦୀ ଶତାବ୍ଦୀର ପଛକୁ । ବ୍ରିଟେନ୍ର ଯୁଦ୍ଧକାଳୀନ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ତାଙ୍କୁ ବନ୍ଦୀ କରି ଗୋପନରେ ଜାଣିବାକୁ ଚାହୁଁଥିଲା ବୋମା ନିର୍ମାଣର କୌଶଳ । ମାତ୍ର ଏହି ମାନବବାଦୀ, ଦରଦୀ ବୈଜ୍ଞାନିକ ଶତ୍ରୁ ପକ୍ଷ କି ମିତ୍ର ପକ୍ଷ କାହାରିକୁ ଦେଲେ ନାହିଁ ବୋମା ନିର୍ମାଣର ସାମାନ୍ୟତମ ସୁରାକ୍ । ସେ ଆଉ ଜର୍ମାନ୍ ପ୍ରତ୍ୟାବର୍ତ୍ତନ ନ କରି ସ୍ତାୟୀ ଭାବେ ଲଣ୍ଡନରେ ରହିଗଲେ । ସେତେବେଳେକୁ ତାଙ୍କର ଭଗବତ୍ ଉପଲବ୍ଧି ହୋଇସାରିଥାଏ । ସେ ଜାଣି ସାରିଥାନ୍ତି ଏ ପୃଥିବୀ କେଉଁ ଚେତନା ଆଡକୁ ଧାବମାନ ଏବଂ ଅବଷେରେ କ’ଣ ତା’ର ଅବଶ୍ୟମ୍ଭାବୀ ଭବିତବ୍ୟ ! ଭଗବତ୍ ଚେତନା ପ୍ରତି ଅବଜ୍ଞା ଓ ଅବିଶ୍ୱାସ ଥିବା ଅନ୍ୟ ବୈଜ୍ଞାନିକମାନଙ୍କ ପ୍ରତିକ୍ରିୟା ନେଇ ସେ ରହିଲେ ନିଶ୍ଚୁପ, ନିରବ । ସତୁରି ଦଶକର ଶେଷ ଭାଗରେ ଲଣ୍ଡନଠାରେ ତାଙ୍କୁ ଅନ୍ୟତମ ବିଶିଷ୍ଟ ଆଣବିକ ବିଜ୍ଞାନୀ ତଥା ଆଲୋଡ଼ନକାରୀ ପୁସ୍ତକ ‘ଟାଓ ଅଫ୍ ଫିଜିକ୍ସ’ର ରଚୟିତା ଫି୍ରଜୋ କାପ୍ରା ସାକ୍ଷାତ୍ କଲାବେଳେ ସେ ମନ ଖୋଲି ଅନେକ କଥା କହିଛନ୍ତି, ଯାହାର ସାରାଂଶ : ଭଗବତ୍ ସ୍ଥିତି ଓ ମୋର ଉପଲବ୍ଧିକୁ ନେଇ ଯେଉଁମାନେ ଅବିଶ୍ୱାସ କରୁଛନ୍ତି ସେମାନଙ୍କୁ ଆଉ ମୋର ବୁଝାଇବାର ସାମର୍ଥ୍ୟ ନାହିଁ । ଗଧିଆ, କୁକୁରମାନଙ୍କ ସହିତ ମୁଁ ଆଉ କେତେ ଭୁକି ହେବି? ସେମାନେ ତାଙ୍କ ବାଟରେ ଥା’ନ୍ତୁ ଏବଂ ମୁଁ ମୋ ବାଟରେ ରହେ । ‘ଅନ୍କମନ୍ ୱିଜ୍ଡମ୍’ ନାମକ ପୁସ୍ତକରେ କାପ୍ରା ଦେଇଛନ୍ତି ଏହି ମହାନ ବିଜ୍ଞାନୀଙ୍କ କଥାବାର୍ତ୍ତାର ସବିଶେଷ ବିବରଣୀ ଏବଂ ତାଙ୍କୁ ତୁଳନା କରିଛନ୍ତି ଭାରତର ବିଶିଷ୍ଟ ଦାର୍ଶନିକ ଜେ. କୃଷ୍ଣମୂର୍ତ୍ତୀଙ୍କ ସହ ।
ବିଜ୍ଞାନର ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିସରରେ ଆଧିଭୌତକ, ଅତୀନ୍ଦ୍ରିୟ ସାମ୍ରାଜ୍ୟର ସ୍ପର୍ଶ ପାଇଥିବା ଆଉ ଦୁଇ ବୈଜ୍ଞାନିକଙ୍କ ବିଷୟ କହି ଆମେ ଭାରତୀୟ ପ୍ରଜ୍ଞାର ସମୁଦ୍ରକୂଳକୁ ଫେରିଯିବା । ସେ ଦୁଇ ବୈଜ୍ଞାନିକ ନିଜ କର୍ମ ପରିସରରେ ଆଧ୍ୟାତ୍ମିକତାର ସନେ୍ଦଶ ପରିବେଷଣ କରୁଥିଲେ । ଜଣେ ହେଲେ ଜାପାନର ବିଶିଷ୍ଟ କୃଷି ବୈଜ୍ଞାନିକ ଏବଂ ଜୈବିକ କୃଷି କ୍ଷେତ୍ରରେ ସମଗ୍ର ବିଶ୍ୱରେ ଆଲୋଡନ, ଚମକ ସୃଷ୍ଟି କରିଥିବା ଡଃ ମାସାନୋବୋ ଫୁକୁଓକା । ଅନ୍ୟ ଜଣେ ହେଲେ ଆମେରିକାର ସ୍ଥାୟୀ ବାସିନ୍ଦା ମାତ୍ର ଭାରତୀୟ ବଂଶଜ, ଅଗ୍ରଣୀ ଚିକିତ୍ସକ ଡଃ ଦୀପକ ଚୋପ୍ରା ।
ପ୍ରାକୃତିକ ଓ ଜୈବିକ କୃଷି ଉପରେ ଅନେକ ପୁସ୍ତକର ପ୍ରଣେତା, ‘ୱାନ୍ ଷ୍ଟ୍ର ରିଭୋଲୁସନ୍’ ନାମକ ବିଶ୍ୱ ବିଶ୍ରୁତ ପୁସ୍ତକର ରଚୟିତା ଡଃ ଫୁକୁଓକା ଏକଦା ଭାରତ ଆସିଥିଲେ ରାଷ୍ଟ୍ରୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟକ ଭାବେ ଏବଂ ସେହି ସମୟରେ ବିଶ୍ୱଭାରତୀ, ଶାନ୍ତି ନିକେତନ ପକ୍ଷରୁ ତାଙ୍କୁ ‘ଦେଶୀକୋତ୍ତମ’ ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କର ପୁସ୍ତକ ‘ଦି ରୋଡ୍ ବ୍ୟାକ୍ ଟୁ ନେଚର’ ପୁସ୍ତକରେ ସେ ଏକ ଅପୂର୍ବ ଅଭିଜ୍ଞତାର ଉଲ୍ଲେଖ କରିଛନ୍ତି । ଅବିକଳ ତାଙ୍କ ବକ୍ତବ୍ୟରେ “ପଚାଶ ବର୍ଷ ତଳେ ଗୋଟିଏ ମୁହୂର୍ତ୍ତ ପାଇଁ ଈଶ୍ୱରଙ୍କ ଦିବ୍ୟ ଉପଲବ୍ଧି ଲାଭ କରିଥିବା ମଣିଷଟିଏ ମୁଁ- ମାତ୍ର ସେହି ରୂପ ସନ୍ଦର୍ଶନରେ ମୁଁ ଏପରି ଘାବରେଇ ଗଲି ଯେ ଯେଉଁ ପଥରେ ମୋର ଅଗ୍ରସର ହେବାର ଥିଲା ବା ସେହି ଦିବ୍ୟସତ୍ତା ମତେ ଯିବା ପାଇଁ ନିଦେ୍ର୍ଦଶ ଦେଇଥିଲେ, ବାସ୍ତବରେ ସେ ବାଟରେ ଯିବାରେ ମୁଁ ବିଫଳ ହେଲି । ମୁଁ ଏବେ ପ୍ରାକୃତିକ ଚାଷ କରୁଥିବା ଦାବି କଲେ ବି ପଚାଶ ବର୍ଷ ତଳେ ମୁଁ ଉପଲବ୍ଧି କରିଥିବା ଏକ ଦିବ୍ୟ ସ୍ୱରୂପ ଓ ସତ୍ତା ଦ୍ୱାରା ଯାହା ବିବିକ୍ତ ହୋଇଥିଲା ତାକୁ ଯାଇତାଇ, ଖଣ୍ଡିଆ ଖାବରା କରି ଅନୁସୃତ କରୁଛି । ସେ ଉପଲବ୍ଧି ବେଳେ ମୁଁ ବୟସରେ ଥିଲି ତରୁଣ, ମୋ ଭିତରେ ହେତୁବାଦ ଓ ଅବିଶ୍ୱାସ କାମ କରୁଥିଲା । ଦୀର୍ଘ ପଚାଶ ବର୍ଷ ଧରି ସେପରି ଏକ ମହତ୍ତର ଉପଲବ୍ଧିକୁ ମୁଁ ଛାତି ତଳେ ଲୁଚାଇ ରଖିଥିଲି ଏବଂ ଆଜି ‘ପ୍ରକୃତି ମୁହାଁ ଲେଉଟାଣି ପଥ’ ପୁସ୍ତକଟି ଲେଖି ମୋର ସେହି ସଂଗୋପିତ ଦିବ୍ୟ ଅନୁଭୂତିକୁ ବିଶ୍ୱମାନସ ଆଗରେ ପ୍ରକାଶ କରୁଛି ।”
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବୈପ୍ଳବିକ ବିବର୍ତ୍ତନ ଆଣିବା ଦିଗରେ ବା ଆଧ୍ୟାତ୍ମିକ-ଚିକିତ୍ସାର ସିଂହଦ୍ୱାର ଉନ୍ମୋଚନ କ୍ଷେତ୍ରରେ ଡଃ ଦୀପକ ଚୋପ୍ରାଙ୍କ ପ୍ରଚେଷ୍ଟା ନିଃସଙ୍ଗ, ଏକକ ନୁହେଁ । ଯଦିଓ ସେ ସଂପ୍ରତି ସର୍ବାଧିକ ଉଚ୍ଚାରିତ ଏକ ନାମ । ତାଙ୍କ ଭଳି ବର୍ତ୍ତମାନ ଜୀବିତ ଅଛନ୍ତି ଏ କ୍ଷେତ୍ରରେ ଅଗ୍ରଣୀ ଓ ଉତ୍ତୁଙ୍ଗ କିଛି ବ୍ୟକ୍ତିତ୍ୱ : ଡଃ ହରବର୍ଟ ବେନ୍ସନ୍, ଆନ୍ଡ୍ରିଭ୍ ୱେଲ, ଲାରି ଦୋସେ ପ୍ରମୁଖ । ଏ ସମସ୍ତଙ୍କର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରହିଛି ଅନୁଭୂତି ଅଭିଜ୍ଞତା ଏବଂ ଆଧ୍ୟାତ୍ମିକତାର ସ୍ପର୍ଶରେ ଘଟୁଥିବା ବିସ୍ମୟକର ଘଟଣାମାନଙ୍କର ଅନୁଭୂତିକୁ କେନ୍ଦ୍ର କରି ପୁସ୍ତକ ସମୂହ । କହିବା ବାହୁଲ୍ୟ ସେସବୁ ପୁସ୍ତକ ବର୍ତ୍ତମାନ ବିଶ୍ୱବ୍ୟାପୀ ‘ସର୍ବାଧିକ ବିକ୍ରିତ ଓ ଜନପ୍ରିୟ’ । ସର୍ବପ୍ରଥମେ ୧୯୭୫ରେ ହାବାର୍ଡ ମେଡିକାଲ ସ୍କୁଲର ପ୍ରଫେସର୍ ତଥା ବୋଷ୍ଟନ ସ୍ଥିତ ଦେହ-ମନ କୈନ୍ଦ୍ରିକ ମେଡ଼ିକାଲ ପ୍ରତିଷ୍ଠାନ ଡିକୋନେସ୍ ହାସ୍ପାତାଳର ଅଧ୍ୟକ୍ଷ ଡଃ ବେନ୍ସନ୍ ଲେଖିଲେ ‘The Relaxation Response’ ଏବଂ ଏଥିରେ ସେ ଦର୍ଶାଇଲେ ଗୋଟିଏ ସରଳ ପଦ୍ଧତିର ପ୍ରୟୋଗ ଧାରା-ଧ୍ୟାନ ଫଳରେ ଅନେକ ପ୍ରକାରର ବ୍ୟାଧି- ଯଥା : ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଶ୍ୱାସ, ଆଣ୍ଠୁଗଣ୍ଠି ବେମାରି, ସ୍ପଣ୍ଡିଲାଇଟ୍ ଓ ଦେହମୁଣ୍ଡ ପୀଡା, କର୍କଟ ତଥା ଏଡ୍ସ ଭଳି ଅନାରୋଗ୍ୟ (chroinic illnesses) ବ୍ୟାଧିମାନଙ୍କରୁ ଉପଶମ ଏବଂ ପରିଶେଷରେ ସଂପୂର୍ଣ୍ଣ ନିରାମୟତା ମିଳୁଛି । ଏଭଳି ଫଳାଫଳ ଚିକିତ୍ସା ବିଜ୍ଞାନରେ ଚହଳ ଖେଳାଇ ଦେଲା । ମାତ୍ର ଚଉଠ ଶତାବ୍ଦୀ ତଳେ କୌଣସି ଶିକ୍ଷିତ, ସଚେତନ ମାର୍କିନ୍ ଡାକ୍ତର ଏହି ଧ୍ୟାନ ପ୍ରାର୍ଥନା ଦ୍ୱାରା ରୋଗ ଭଲ ହେଉଥିବା ବିଶ୍ୱାସ କରିବା ତ ଦୂରର କଥା ଏହାର ନାଁ ଧରିବାକୁ ଏକ ଦୁସ୍ୱପ୍ନ ମନେ କରୁଥିଲେ । ଆଜି ସମଗ୍ର ଆମେରିକା ଓ ୟୁରୋପରେ ଏ ଦିଗରେ ଯୁଗାନ୍ତକାରୀ ପ୍ରୟୋଗ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ଶହ ଶହ ରୋଗୀ ଏହି ଧ୍ୟାନ, ପ୍ରାର୍ଥନା ଦ୍ୱାରା ଅଭୂତପୂର୍ବ ନିରାମୟତା ଲାଭ କରୁଛନ୍ତି । ଆମେରିକାରୁ ପ୍ରକାଶିତ ‘ଟାଇମ୍ ମାଗାଜିନ୍’ର ଏକ ପ୍ରଚ୍ଛଦ କାହାଣୀ ‘ବିଶ୍ୱାସ ଓ ଆରୋଗ୍ୟ’ (Faith & Healing)ରେ ହିସାବ ଦିଆଯାଇଛି ଯେ ଏହି ବିକଳ୍ପ ଚିକିତ୍ସା କ୍ଷେତ୍ରରେ ବାର୍ଷିକ ପ୍ରାୟ ୩୦ ବିଲିୟନ ଡଲାର ବା ୧ଲକ୍ଷ ୫୦ହଜାର କୋଟି ଟଙ୍କା ଆୟ ହେଉଛି ଏବଂ ଏହା ବାହାରେ ରହିଛି ଦୀପକ ଚୋପ୍ରା, ଲାରି ଦୋଷେ ପ୍ରମୁଖଙ୍କ ନବୀନ ଚିକିତ୍ସା ପଦ୍ଧତିର ଜନପ୍ରିୟ ପୁସ୍ତକ, ବିକି୍ରରୁ ଉପଲବ୍ଧ ଆହୁରି କୋଟି କୋଟି ଡଲାର । ଏସବୁ ପୁସ୍ତକ, ରିସର୍ଚ୍ଚ ଓ ଧ୍ୟାନ ପ୍ରାର୍ଥନା ତତ୍ତ୍ୱ ଅବଶେଷରେ ଦେଲା କେଉଁ ସନେ୍ଦଶ? ଏବେ ଉଦ୍ଧାର କରିବା ଡଃ ବେନ୍ସନ୍ଙ୍କ ବକ୍ତବ୍ୟ ତାଙ୍କର ପୁସ୍ତକ ‘Timeless Healing’ ର ପୃଷ୍ଠାରୁ : “ମଣିଷର ଦେହ ତିଆରି ହୋଇଛି ଧାର୍ମିକ ବିଶ୍ୱାସ ବା ଆଧ୍ୟାତ୍ମିକ ଅନୁଭୂତି ପାଇଁ, ଏହାର ବ୍ୟତିକ୍ରମ ଘଟିଲେ ମଣିଷ ଦେହ ଓ ମନକୁ ଆକ୍ରାନ୍ତ କରେ ବିବିଧ ବ୍ୟାଧି ଏବଂ କିଛି ବ୍ୟାଧି ହୋଇ ଉଠେ ଭୟଙ୍କର, ଅଣାୟତ୍ତ ଓ ଅନାରୋଗ୍ୟ । ବିବର୍ତ୍ତନବାଦ ମଣିଷ ଦେହକୁ ଏପରି ସଜାଇଛି ବା ଗଢ଼ିଛି ଯେ ଆମେ ଅମୃତତ୍ତ୍ୱ ବା ଶାଶ୍ୱତ ସତ୍ତାକୁ ଭୁଲି ଯାଇ ନିଜକୁ ମରଣଶୀଳ ମନେକରୁ ଏବଂ ଏଥିପାଇଁ ମଣିଷ ସ୍ୱତଃସ୍ଫୂର୍ତ୍ତ ଭଗବତ୍ ଦିବ୍ୟତା ଆଡେ ମୁହାଁଇଥାଏ । “Our geneitic blue print has made believing in an infinite Absolute part of our nature” ଏବଂ ଡଃ ଦୀପକ ଚୋପ୍ରାଙ୍କ ସର୍ବାଧିକ ବିକ୍ରିତ, ଆଲୋଡନକାରୀ ପୁସ୍ତକ “The Ageless Body, Timeless mind”ର ଶୀର୍ଷକ ହିଁ କହେ ଏ ଦେହ ହେଉଛି ଶାଶ୍ୱତ ଏବଂ ମନ ହେଉଛି କାଳାତୀତ । ଏଥିପାଇଁ ଆବଶ୍ୟକ କେତେଗୁଡିଏ ସର୍ତ୍ତ ଏବଂ ସେ ସର୍ତ୍ତାବଳୀ ରହିଛି ଭାରତୀୟ ଶାସ୍ତ୍ରମାନଙ୍କରେ, ଉପନିଷଦରେ- ଆଧ୍ୟାତ୍ମିକ ଚେତନାରେ ନିଜ ମନକୁ ଅନୁରଣିତ, ଦେହକୁ ରଂଜିତ କରିବାର ପଥ ସୁସ୍ପଷ୍ଟ ଭାବେ ପ୍ରଦର୍ଶିତ ହୋଇଛି । ଆମ ଆଖି ଆଗରେ ଗତ ଶତାବ୍ଦୀରେ ଦୁଇଜଣ ବିଶିଷ୍ଟ ସାଧକ-ତୈଲଙ୍ଗ ସ୍ୱାମୀ ଓ ତୋତାପୁରୀ (ରାମକୃଷ୍ଣ ପରମହଂସଙ୍କ ବେଦାନ୍ତ ଗୁରୁ) ତିନିଶହ ବର୍ଷରୁ ଊଦ୍ଧ୍ୱର୍ ବୟସ ଯାଏ ଜୀବିତ ଥିବା ଆମେ ଦେଖିଲୁ । ସେ ଦୁହେଁ ପ୍ରାୟତଃ କିଛି ଆହାର କିମ୍ବା ଜଳ ଗ୍ରହଣ କରୁନଥିବା ସତ୍ତ୍ୱେ ତିନିଶହ ପାଉଣ୍ଡ ଓଜନର ଦେହ ଧାରଣ କରି ଅତ୍ୟନ୍ତ ସୁସ୍ଥ, ନିରାମୟ, ନିବିଡ, ଦୀର୍ଘାୟୁ ହୋଇ କିପରି ଜୀବନ ନିର୍ବାହ କରିପାରିଲେ? ସେମାନେ ତେବେ କେଉଁ ସ୍ତରରୁ ନିଜ ଜୀବନିକା ବା ପ୍ରାଣଶକ୍ତି ସଂଗ୍ରହ କରୁଥିଲେ? ସେଭଳି ସ୍ତରକୁ ସାଧାରଣ ମଣିଷଟିଏ ଯାଇପାରିବ କି?
ଏହାର ଉତ୍ତର ହେଉଛି ସବୁ ମଣିଷ ଅଚିରେ ସେହି ସ୍ତରରେ ପହଞ୍ଚି ପାରିବେ ଯଦି ଏକ ପରିପୂର୍ଣ୍ଣ ଆଧ୍ୟାତ୍ମିକ ଜୀବନ ବିତାଇବାର ସଂକଳ୍ପ ଓ ନିଷ୍ଠା ପ୍ରତିଟି ମଣିଷ ନିବିଷ୍ଟ ଭାବେ ପୋଷଣ କରିପାରିବେ । ଏହି ଆଧ୍ୟାତ୍ମିକ ଜୀବନଟି କ’ଣ? ‘ଈଶା ଉପନିଷଦ’ ଦିଏ ଏହାର ଉତ୍ତର ଏହାର ପ୍ରଥମ ଶ୍ଳୋକରେ : “ଈଶା ବାସ୍ୟମିଦଂ ସର୍ବଂ ଯତ୍କିଞ୍ଚତ୍ ଜଗତ୍ୟାଂ ଜଗତ ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟସ୍ଥିତ୍ ଧନମ୍”
ଅର୍ଥାତ୍ : “ଯାହା କିଛି ଏ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ସବୁକିଛିର ସ୍ରଷ୍ଟା ହେଉଛନ୍ତି ଈଶା । ତ୍ୟାଗ ମନୋଭାବରେ ବା ନିରାସକ୍ତ ରହି ଏସବୁ ଗ୍ରହଣ କର, ଉପଭୋଗ କର, ଅନ୍ୟର ସମ୍ପଦ ପ୍ରତି ଲୋଭାତୁର ହୁଅନାହିଁ ।” ‘ଈଶା’ର ଦ୍ୱିତୀୟ ଓ ତୃତୀୟ ଶ୍ଳୋକ କହିଥାନ୍ତି- ନିରାସକ୍ତ କାମ କରି ଜଣେ ଶହେ ବର୍ଷ ଯାଏ ନିରାମୟ ଜୀବନଯାପନ କରୁ । ମଣିଷଟିଏ ପାଇଁ ଏହାଠାରୁ ଭିନ୍ନ ପନ୍ଥା ନାହିଁ ଏବଂ ଏହା ଫଳରେ କର୍ମଫଳ ମଣିଷକୁ ସ୍ପର୍ଶ କରିବ ନାହିଁ । ଆସୁରିକ ଚେତନାରେ ଆଚ୍ଛନ୍ନ ଅନେକ ଜଗତ ରହିଛି ଯେଉଁଠାରେ ଭରପୂର ରହିଛି ଘନୀଭୂତ ଅନ୍ଧକାର । ନିଜ ଆତ୍ମାକୁ ହତ୍ୟା କରୁଥିବା ବ୍ୟକ୍ତିମାନେ ସେହି ଜଗତକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।” ଗଦା ଗଦା ଗ୍ରନ୍ଥ, ଅଜସ୍ର ଶ୍ଳୋକ ଓ ନୀତି ଉପଦେଶ, ଅନେକ ପୁରାଣ ଓ ଦୃଷ୍ଟାନ୍ତ ଏବଂ ସର୍ବୋପରି ବିଶ୍ୱର ସବୁ ପ୍ରାନ୍ତରେ ମହାମନୀଷୀ, ସନ୍ଥ ଓ ଅବତାରଙ୍କ ସବୁ ଯୁଗରେ ଆବିର୍ଭାବ ସତ୍ତ୍ୱେ ମଣିଷର ଚେତନା ସେହିପରି ରହିଛି ଜାନ୍ତବ, ଚାଲଚାଲୁଆ, ଜୈବିକ ଓ ଜଟିଳ । ବେଳେବେଳେ ସେ ଅନ୍ଧାରି ଅଭ୍ୟନ୍ତର ଭିତରୁ, ପଙ୍କିଳ ଗଭୀରତାରୁ ପଙ୍କଜ ଫୁଟିଛି, କରିଛି ଆଲୋକର ଆବାହନ, ବିଚ୍ଛୁରିତ କରିଛି ଅପୂର୍ବ ମହକ, ପାଲଟିଛି ମଧୁକ୍ଷରା, ସ୍ୱର୍ଗୀୟ କାନ୍ତିରେ ହୋଇଛି ବିଭାସିତ । କିନ୍ତୁ ସବୁ ପଙ୍କରେ ଫୁଟିନାହିଁ ପଦ୍ମ । ଅବତାରମାନଙ୍କ ପଦାର୍ପଣ ସତ୍ତ୍ୱେ ଏବଂ ସେମାନଙ୍କ ମହତ୍ତର ପ୍ରୟାସ, ଅଶେଷ କ୍ଳେଶ କଷଣ ବରଣ, ସେମାନଙ୍କ ଅନୁଗାମୀ ହୋଇ ଶତ ସହସ୍ର ଏଯାବତ୍ ସେମାନଙ୍କ ମହତବାଣୀର ପରିପ୍ରଚାର କରି ଚାଲିଥିବା ବେଳେ ଏ ପୃଥିବୀ ପୂର୍ବବତ୍ ଅନ୍ଧାରୁଆ, କର୍ଦ୍ଦମାକ୍ତ, ଯନ୍ତ୍ରଣାଜୀର୍ଣ୍ଣ ହୋଇ ରହିଛି କାହିଁକି? ଊନବିଂଶ ଓ ବିଂଶ ଶତାବ୍ଦୀ ଧରି ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାରେ ଏତେ ଏତେ ଯୁଗାନ୍ତକାରୀ ଉଦ୍ଭାବନ, ଏତେ ପରିପ୍ରେୟୋଗ ସତ୍ତ୍ୱେ ଏକବିଂଶର ସକାଳରେ ବି ଲକ୍ଷ ଲକ୍ଷ ମଣିଷ କ୍ଷୁଧା, ବ୍ୟାଧି, ହତାଶା, ଅନ୍ତର୍ଦାହ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କାହିଁକି? ପ୍ରତିଦିନ ତୃତୀୟ ବିଶ୍ୱରେ ଛୟାଳିଶ ହଜାର ଶିଶୁ ଭୋକ ଓ ତଦ୍ଜ୍ଜନିତ କାରଣରୁ ଟଳି ପଡୁଛନ୍ତି କାହିଁକି? ଅର୍ଥାତ୍ ଏ ବାକ୍ୟଟି ପଢ଼ିବା ଭିତରେ ତିନୋଟି ନିଷ୍ପାପ, ନିରୀହ ଶିଶୁ ଭୋକରେ ଛଟପଟ ହୋଇ ମରିଗଲେଣି !
ଏପରି କାହିଁକି ହେଉଛି? ଉତ୍ପାଦନର ଅଭାବ ନାହିଁ- କୃଷି, ଶିଳ୍ପ, ଖଣିଜ ଦ୍ରବ୍ୟ, ଯନ୍ତ୍ରପାତି ଠାରୁ ଔଷଧପତ୍ର ଓ ଲୁଗାପଟା ଯାଏ ଉତ୍ପାଦନ ଏପରି ଚରମସୀମାରେ ପହଞ୍ଚିଛି ଯେ ସେସବୁ ରଖିବାକୁ ସ୍ଥାନ ମଧ୍ୟ ନାହିଁ । ପୁଞ୍ଜିପତିଙ୍କ ସଂଖ୍ୟା ଯେମିତି ବଢ଼ିଛି, ପୁଞ୍ଜି ଓ ସମ୍ପଦର ତଦ୍ରୁପ ଘଟିଛି ପ୍ଳାବନ, ଅଥଚ ପୁଞ୍ଜି ଅଭାବରୁ ବିଶ୍ୱର ଅର୍ଦ୍ଧାଧିକ ମଣିଷ ଭୋକିଲା, ଉଦ୍ବାସ୍ତୁ ଓ ସର୍ବହରା ପାଲଟୁଛନ୍ତି ଏବଂ ସେମାନଙ୍କ ପଟୁଆର ଦିନକୁ ଦିନ ବଢ଼ି ଚାଲିଛି । ଚାଟଶାଳୀରୁ ବିଶ୍ୱିଦ୍ୟାଳୟ ଯାଏ ମାଳ ମାଳ ଶିକ୍ଷାୟତନ, ଗଦାଗଦା ସାର୍ଟିଫିକେଟ୍, ଅଜସ୍ର ବହିଠାରୁ କମ୍ପୁ୍ୟଟର ଯାଏ କେତେ କେତେ ଭେଳିକି, ତଥାପି ଅଗଣିତ ରହିଯାଉଛନ୍ତି ଅପାଠୁଆ, ନିରକ୍ଷର, ନିରିମାଖି । ପାଠୁଆଙ୍କ ଭିତରେ ଅତୃପ୍ତି, ହତାଶା, ଅବସୋସ ମଧ୍ୟ କିଛି କମ୍ ନୁହେଁ । ଏତେ ପ୍ରଗତି, ସମୃଦ୍ଧି ଦାବି କରୁଥିବା ମଣିଷ ଜାତି ଦେଖିଲା ବିଂଶ ଶତାବ୍ଦୀରେ ଦୁଇଟି କରାଳତମ ବିଶ୍ୱଯୁଦ୍ଧ- କେତେ ଧନଜୀବନ, ସ୍ୱପ୍ନ ଓ ସମ୍ଭାବନାର ଧ୍ୱଂସ, ସେ ଧ୍ୱଂସ ସ୍ତୂପ ଭିତରୁ ଏଯାଏ ମୁଣ୍ଡ ଟେକି ସୁସ୍ଥ ଏକ ସମାଜ ଛିଡ଼ା ହୋଇପାରିନାହିଁ, ସେହିପରି ବିଶ୍ୱରେ ଯୁଦ୍ଧ ଓ ଅଶାନ୍ତିରେ କେବେ ବି ପରିସମାପ୍ତି ଆସି ନାହିଁ, ଭୟଙ୍କର ପରମାଣୁ ବୋମା ନିର୍ମାଣରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ ।
କାହିଁକି ଏମିତି ହେଉଛି ବୋଲି ଏକଦା ରମଣ ମହର୍ଷିଙ୍କୁ ପ୍ରଶ୍ନ କରିଥିଲେ ୟୁରୋପର ବିଶିଷ୍ଟ ବୈଜ୍ଞାନିକ ପଲ୍ ବ୍ରଣ୍ଟନ୍ । ପ୍ରଥମ ବିଶ୍ୱଯୁଦ୍ଧର ଘନଘଟା, ରକ୍ତପାତ, ହିଂସା, ମୃତୁ୍ୟର କରାଳତାରେ ବିବଶ, ଅବସନ୍ନ ହୋଇ ସେ ଇଂଲଣ୍ଡରୁ ପଳାଇ ଆସିଥିଲେ ଭାରତ । ବିକ୍ଷୁବ୍ଧ, ପରିଶ୍ରାନ୍ତ ପ୍ରାଣଟିଏ ପ୍ରଶାନ୍ତିର ଅନ୍ୱେଷଣରେ ଭାରତ ଭୂମିର ବହୁ ପବିତ୍ର ପ୍ରାର୍ଥନା ସ୍ଥଳୀ, ଆଶ୍ରମ, ସନ୍ଥ ଓ ମନୀଷୀଙ୍କ ନିକଟରେ ପହଞ୍ଚି ବାଢ଼ୁଥିଲେ ପ୍ରଶ୍ନ । ଏସବୁ ଚିତ୍ତାକର୍ଷକ ମର୍ମଭେଦୀ ଦାର୍ଶନିକ ଅନ୍ୱେଷଣର ଅନ୍ତରଙ୍ଗ କାହାଣୀ ଲିପିବଦ୍ଧ ହୋଇଛି ଡଃ ବ୍ରଷ୍ଟନ୍ଙ୍କ ଆଲୋଡନକାରୀ ପୁସ୍ତକ ‘A search in secret India’ ର ପ୍ରତିଟି ପୃଷ୍ଠାରେ ଏବଂ ସେ ସାକ୍ଷାତ କରିଥିବା ଶତ ଶତ ସାଧୁ, ସନ୍ଥ, ମନୀଷୀ, ଯୋଗୀ ଓ ସାଧକଙ୍କ ମଧ୍ୟରେ ସର୍ବୋତ୍ତମ ହୋଇ ଅବତୀର୍ଣ୍ଣ ହୋଇଛନ୍ତି ମହର୍ଷି ରମଣ ।
ଅତ୍ୟନ୍ତ ଶାନ୍ତ ସମାହିତ ଚିତ୍ତରେ ପଲ୍ ବ୍ରଣ୍ଟନ୍ଙ୍କ ଅନ୍ୱେଷା ଓ ଆହ୍ୱାନର ଭାଷା ଶୁଣି ମହର୍ଷି ରମଣ କହିଥିଲେ : “ପୃଥିବୀର ଏ ଅବକ୍ଷୟ ହିଂସାର ପ୍ରାବଲ୍ୟ, ମଣିଷର ନୈତିକ ଅଧଃପତନ ନେଇ ତୁମେ କାହିଁକି ଏତେ ବ୍ୟଥିତ? ତୁମେ ସେ ଆଡକୁ କାହିଁକି ଚାହୁଁଛ, ନିଜ ଆଡକୁ ନିରେଖିଲଣି କି? ତୁମେ ନିଜେ ସଦ୍ଗୁଣରେ ପରିପୂର୍ଣ୍ଣ କି? ସମାଜକୁ ବଦଳାଇବାକୁ, ସମାଜ ଆଡକୁ ଆଙ୍ଗୁଠି ଦେଖେଇବାକୁ ତୁମକୁ କିଏ ଅଧିକାର ଦେଲା? ତୁମେ ନିଜକୁ ଆଗେ ବଦଳାଅ, ସଦ୍ଗୁଣରେ ପରିପୂର୍ଣ୍ଣ କର, ତା’ପରେ ଦେଖିବ ସମାଜ ଧୀରେ ଧୀରେ ବଦଳୁଛି । ତୁମ ଭିତରର ନିରାଶ ହେଉଛି ସମାଜର ଅବକ୍ଷୟର ପ୍ରତିବିମ୍ବ । ଆମେ ସମସ୍ତେ ନିଜକୁ ପରିପୂର୍ଣ୍ଣ ଓ ନିଷ୍ପଳଙ୍କ ଏବଂ ସମାଜକୁ ଖଣ୍ଡିଆ ଥିବା ମନେକରୁ । ବାସ୍ତବରେ ତାହା ହେଉଛି ନିଜ ଭିତରର ଖଣ୍ଡିଆପଣ, ଅପୂର୍ଣ୍ଣତା, ଅସାରତା । ପ୍ରଥମେ ନିଜକୁ ବଦଳାଇଲେ ସମାଜ ବଦଳିବ, କାରଣ ଆମେ ଏକ ହିଁ ସମାଜର ଅଂଶ ବିଶେଷ ।” ରମଣ ମହର୍ଷିଙ୍କ ଭାଷାରେ ନିଜକୁ ପ୍ରଶ୍ନ କରିବାର, ଅନ୍ତର୍ମୁଖୀ ହେବାର ନାମ ଆଧ୍ୟାତ୍ମିକତା ।
କଥାଟିକୁ ଅଧିକ ସ୍ପଷ୍ଟ, ମାର୍ମକ କରିବାକୁ ପଣ୍ଡିଚେରୀ ଆଶ୍ରମର ଶ୍ରୀମା’ଙ୍କ କଥିତ ଏକ କାହାଣୀ ଏଠାରେ ବିବିକ୍ତ ହେଉ : ଭଗବାନ ଏ ସୃଷ୍ଟି ରଚନା ପାଇଁ ଅଭୀପ୍ସା ପୋଷଣ କରି ପୃଥିବୀକୁ ପ୍ରେରଣ କଲେ ଚାରି ମହାଶକ୍ତି- ଦିବ୍ୟ ଆଲୋକ, ଦିବ୍ୟ ପ୍ରେମ, ଦିବ୍ୟ ସତ୍ୟ ଓ ଦିବ୍ୟ ଜୀବନ । ଏହି ଶକ୍ତିମାନଙ୍କ ସର୍ଜନା ପାଇଁ ପ୍ରଦତ୍ତ ହେଲା ନିରଙ୍କୁଶ ସ୍ୱାଧୀନତା ଏବଂ ପରମ କାରୁଣିକ ଭଗବାନ ସେମାନଙ୍କୁ ନିଦେ୍ର୍ଦଶ କଲେ- “ଏବେ ପୃଥିବୀ ପୃଷ୍ଠରେ ଅବତରଣ କରି ସର୍ଜନା ଆରମ୍ଭ କର” । ଚାରି ଦିବ୍ୟଶକ୍ତି ଅବତରି ଦେଖିଲେ ପୃଥିବୀ ଭୟଙ୍କର ଅନ୍ଧକାରାଚ୍ଛନ୍ନ ଏବଂ ସେମାନଙ୍କ ଉପସ୍ଥିତିରେ ହିଁ ଚତୁର୍ଦିଗରେ ଖେଳିଯାଉଛି ଆଲୋକର ପ୍ଳାବନ, ଜୀବସତ୍ତା ହେଉଛି ଅଙ୍କୁରିତ, ସବୁ କିଛି ସ୍ୱଚ୍ଛ, ଶ୍ରଦ୍ଧାମୟ ହୋଇ ପ୍ରକଟିତ ହେଉଛି । ସେମାନେ ନିଜ ନିଜ ସୃଷ୍ଟିରେ ହେଲେ ଉଲ୍ଲସିତ ଏବଂ ନିଜକୁ ସେସବୁର ଅଧୀଶ୍ୱର ମଣିଲେ । କ୍ରମେ ସଞ୍ଚାରିତ ହେଲା ସେମାନଙ୍କ ଠାରେ ଅହଂକାର ଏବଂ ତାହା ସେମାନଙ୍କୁ ବିଚ୍ଛିନ୍ନ କରିଦେଲା ମୂଳ ଉତ୍ସ ଭଗବତ୍ ସତ୍ତାରୁ । ପ୍ରଚଣ୍ଡ ସ୍ୱାଧୀନତା ପାଇଥିବାରୁ ସେମାନେ ନିଜ ନିଜ ସତ୍ତାର ବିପରୀତାମୁଖୀ ଆଚରଣ ପାଇଁ ଅଭିଳାଷ ରଖିଲେ- ଦିବ୍ୟ ସତ୍ୟ କ୍ରମେ ଅସତ୍ୟରେ : ଆଲୋକ ଅବଲୀଳାକ୍ରମେ ଅନ୍ଧାରରେ; ଜୀବନ ସ୍ୱରୂପ ଅପ୍ରେମରେ ପରିଣତ ହେଲା ।
ପୃଥିବୀ ତା’ର ଆବିର୍ଭାବରୁ ସ୍ୱର୍ଗ ପାଲଟିଲା ନାହିଁ, ମାତ୍ର ସ୍ୱର୍ଗ ପାଲଟିବାର ସମ୍ଭାବନାକୁ ହରାଇ ନାହିଁ । ଏହି ସମ୍ଭାବନାର ଅଙ୍କୁର ତା’ ମାଟିରେ ସଂଗୋପିତ ହୋଇଅଛି ଓ ଅଙ୍କୁରିତ ହେବାର ମୁହୂର୍ତ୍ତକୁ ପ୍ରତୀକ୍ଷା କରୁଛି । ମଣିଷ ସେହିପରି ମୂଳରୁ ଦେବତା ପାଲଟିଲା ନାହିଁ ମାତ୍ର ଦେବତ୍ୱର ସମ୍ଭାବନା ତା’ ଭିତରେ ଲୁଚି କରି ରହିଛି ଓ ପ୍ରକଟିତ ହେବାର ପଥ ଖୋଜୁଛି ।
ପରମ ପୁରୁଷ ନିଜର ପ୍ରତିଶ୍ରୁତି ରକ୍ଷା କଲେ- ପ୍ରଦତ୍ତ ନିରଂକୁଶ ସ୍ୱାଧୀନତାକୁ ପ୍ରତ୍ୟାହାର କଲେ ନାହିଁ । ମାତ୍ର ଚାରି ମହାଶକ୍ତି ନିଜ ନିଜର ସର୍ତ୍ତ ଓ ସଂକଳ୍ପରୁ ହେଲେ ଲକ୍ଷଚୁ୍ୟତ ଓ ସେମାନଙ୍କ ମୁକ୍ତ, ଅବାଧ ବିଚରଣ ରହିଲା ଅବ୍ୟାହତ । ସୁତରାଂ ସ୍ୱର୍ଗର ପ୍ରତ୍ୟାଶା ରଖି ନିର୍ମିତ ପୃଥିବୀଟି ଅବଶେଷରେ ପାଲଟିଲା ସତ୍ୟ-ଅସତ୍ୟ, ପ୍ରେମ-ଅପ୍ରେମ, ଆଲୋକ-ଅନାଲୋକ ଏବଂ ଜୀବନ-ମୃତୁ୍ୟର ମିଶ୍ରିତ ଧାମ । ଏଯାଏ ଜୀବଜଗତର ସର୍ବଶ୍ରେଷ୍ଠ ନିରୀକ୍ଷା ଓ ନିର୍ଯାସ ରୂପେ ଗଣ୍ୟ ମଣିଷ ନାମକ ଜୀବ ସତ୍ତା ଭିତରେ ଏହି ଚାରୋଟି ସତ୍ତାର ସକାରାତ୍ମକ ଓ ନକାରାତ୍ମକ ପ୍ରତିଫଳନ ପରିଦୃଷ୍ଟ ହୋଇଥାଏ । କିନ୍ତୁ ବାରମ୍ବାର ଅବତାର ଗ୍ରହଣ ଭିତରେ ଭଗବତ ଶକ୍ତି ଏହି ନିଖୋଜ ଅମୃତମୟତାର ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରଖିଥାନ୍ତି । ସେହି ଧାରାରେ ପୃଥିବୀରେ ସୃଷ୍ଟି ହୋଇଛି ଯେପରି ବେଦ ଠାରୁ ବାଇବେଲ୍ ଯାଏ ଗଦାଗଦା ପବିତ୍ର ଗ୍ରନ୍ଥ, ଆଲୋକମୟ ଦର୍ଶନ ଓ ଧୀଷଣା; ତଦ୍ରୁପ ଭାବେ ଆସୁରିକ, ଅପାଂକ୍ତେୟ ଦର୍ଶନର ମଧ୍ୟ ଅଭାବ ନାହିଁ । ସୁତରାଂ ପୃଥିବୀ ତା’ର ଆବିର୍ଭାବରୁ ସ୍ୱର୍ଗ ପାଲଟିଲା ନାହିଁ, ମାତ୍ର ସ୍ୱର୍ଗ ପାଲଟିବାର ସମ୍ଭାବନାକୁ ହରାଇ ନାହିଁ । ଏହି ସମ୍ଭାବନାର ଅଙ୍କୁର ତା’ ମାଟିରେ ସଂଗୋପିତ ହୋଇଅଛି ଓ ଅଙ୍କୁରିତ ହେବାର ମୁହୂର୍ତ୍ତକୁ ପ୍ରତୀକ୍ଷା କରୁଛି । ମଣିଷ ସେହିପରି ମୂଳରୁ ଦେବତା ପାଲଟିଲା ନାହିଁ ମାତ୍ର ଦେବତ୍ୱର ସମ୍ଭାବନା ତା’ ଭିତରେ ଲୁଚି କରି ରହିଛି ଓ ପ୍ରକଟିତ ହେବାର ପଥ ଖୋଜୁଛି । ବିବର୍ତ୍ତନବାଦ ଅନୁଯାୟୀ ମଣିଷ ତଳକୁ ଥାକ ଥାକ ହୋଇ ଯେଉଁ ଜୀବସତ୍ତା-ଭୂତାଣୁ ଠାରୁ ସିମ୍ପାଜୀ ଯାଏ ବିଚିତ୍ର ରୂପ ଓ ଚରିତ୍ରର ସ୍ପନ୍ଦିତ ଜଗତ- ତା’ ଭିତରେ ଅଳ୍ପ ବହୁତ ହୋଇ ଏହି ଦୁଇ ସକାର ଓ ନକାର ଭାବଚେତନାର ଉଦ୍ବେଳନ ଦୃଶ୍ୟମାନ ।
ଜୀବନ ଯେତେବେଳେ ଶାଶ୍ୱତର ବିନ୍ଦୁରୁ ଅମୃତତ୍ୱର ଯାତ୍ରା ଆରମ୍ଭ କରି ଊଦ୍ଧ୍ୱର୍ମୁଖୀ ହୋଇଥାନ୍ତା, ପୃଥିବୀର ଜାଗତିକ ସତ୍ତା କିପରି ସ୍ପନ୍ଦିତ ହେଉଥାନ୍ତା ଏବେ ତାହା କଳ୍ପନା କରିବା ଅତ୍ୟନ୍ତ ଦୁଃସାଧ୍ୟ । ମହାଯୋଗୀ ଶ୍ରୀଅରବିନ୍ଦ ଯେଉଁ ଅତି ମାନସର ଅବତରଣ (Descent of the Supramental) କଥା କହିଛନ୍ତି, ତାହା ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଷ୍ଟିମେୟ ମଣିଷଙ୍କ ଚେତନାକୁ ବିବର୍ତ୍ତିତ କଲେ ବି ପୃଥିବୀରେ ଏକ ମହାଜାଗତିକ ଚୈତନ୍ୟର ଘଟିବ ମହାପ୍ଲାବନ ।
ସୁତରାଂ ବିଶ୍ୱଚେତନା ପାଇଁ ଓ ଏଠାରେ ଜନ୍ମ ନେଇଥିବା ଆତ୍ମାମାନଙ୍କ ପାଇଁ ଅତିମାନସର ଅବତରଣ ଘଟିଛି । ଏହାର ସର୍ତ୍ତାବଳୀରେ ରହିଛି ପ୍ରାରମ୍ଭିକ ଭାବେ ଭଗବତ୍ ଇଚ୍ଛାଶକ୍ତି ପାଇଁ ଅଭୀପ୍ସା ପୋଷଣ, ନିଜ ଆତ୍ମାର ସମର୍ପଣ ଏବଂ ଆଧ୍ୟାତ୍ମିକ ଉପଲବ୍ଧି । ଏହି ଉପଲବ୍ଧି ଭକ୍ତି, ଜ୍ଞାନ, କର୍ମ, ଆତ୍ମ-ଶୁଦ୍ଧତା ବଳରେ ଆହରଣ କରାଯାଇପାରେ । ଏବଂ ଏହା ହିଁ ପ୍ରଥମ ସର୍ତ୍ତ । ତେଣୁ ବିଶ୍ୱର ଅନ୍ୟାନ୍ୟ ଯୋଗସାଧନାରେ ଯେଉଁଠି ଆତ୍ମୋପଲବ୍ଧି ଥିଲା ସାଧନାର ଚୂଡାନ୍ତ ସଫଳତା, ଶ୍ରୀଅରବିନ୍ଦଙ୍କ ଯୋଗରେ ତାହା ଆରମ୍ଭସ୍ଥଳୀ ମାତ୍ର । ମଣିଷର ଅହରହ ଅଜ୍ଞତା, ମିଥ୍ୟାଚାର, ଯନ୍ତ୍ରଣା ଓ କ୍ଳେଶ ସହ ସଂଘର୍ଷ ହେବ ବିଦୂରିତ ଏବଂ ଏକ ମହତ୍ତର ଜୀବନର ଘଟିବ ଉନ୍ମେଷ । ଅଧା ଅନ୍ଧାର, ଅଧା ଆଲୁଅର ପୃଥିବୀରେ ଚିରନ୍ତନ ବାସ କରିବାର ଅନୁଭବରୁ ମଣିଷ ପାଇବ ମୁକ୍ତି । ଏବଂ ପୃଥିବୀ ପୃଷ୍ଠରେ ଭଗବତ୍ ଚେତନାର ଚିରନ୍ତନୀ ପ୍ରତିଷ୍ଠା ଘଟିବ, ଯାହା ହେବ ବିଶ୍ୱ-ବିବର୍ତ୍ତନର ଚୂଡାନ୍ତ ଅନୁଭବ ।
ସାଂପ୍ରତିକ ଜୀବନ ଯେଉଁ ମୃତୁ୍ୟ ଆଡକୁ ପ୍ରଧାବିତ, ସେଥିରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଜୀବନ ଏହି ମୃତୁ୍ୟ ଅବଗାହୀ ହେବାରୁ ଆବଶ୍ୟକ ପଡ଼ିଲା ଆହାର-ଜୀବକୋଷମାନଙ୍କୁ ଉଦ୍ଜୀବିତ ରଖିବା ପାଇଁ ଜୀବନିକା ଶକ୍ତିର ପ୍ରୟୋଜନୀୟତା; ସେହିପରି ପ୍ରେମ ଯେତେବେଳେ ଅପ୍ରେମରେ ପରିଣତ ହେଲା, ଆତ୍ମା-ଅବଗାହୀ ଶ୍ରଦ୍ଧା ହେଲା ଦେହ ସର୍ବସ୍ୱ ଏବଂ ସୃଷ୍ଟି ହେଲା ମୈଥୁନ । ପୃଥିବୀରେ ବିବିଧ ଜୀବମାନଙ୍କର ସର୍ଜନା ପାଇଁ ପ୍ରଜନନ ହେଲା ଏକ ସ୍ଥୂଳ ମାଧ୍ୟମ । ଦିବ୍ୟ ପ୍ରେମ ଯଦି ମୂଳରୁ ମହତ୍ତର ପର୍ଯ୍ୟାୟ ଆଡକୁ ପ୍ରଧାବିତ ହୋଇଥାନ୍ତା ପୃଥିବୀର ସ୍ୱରୂପ ଓ ସତ୍ତା ହୋଇଥାନ୍ତା ଭିନ୍ନ, ସ୍ୱତନ୍ତ୍ର, ମହତ୍ତର- ଯାହାକୁ ସାଧାରଣ ମଣିଷର ମସ୍ତିଷ୍କରେ କଳ୍ପନା ମଧ୍ୟ କରି ହେବ ନାହିଁ ବୋଲି ଶ୍ରୀଅରବିନ୍ଦ କହିଛନ୍ତି । ତଦ୍ରୁପ ଭାବେ ପଥଭ୍ରଷ୍ଟ ହୋଇ ସତ୍ୟ ପରିଣତ ହେଲା ଭୟରେ, ନଚେତ୍ ନିର୍ଭୀକତାରୁ ଅୟମାରମ୍ଭ ହୋଇଥାନ୍ତା ସୃଷ୍ଟି ପ୍ରକ୍ରିୟା ଏବଂ ଆଲୋକର ବିପରୀତମୁଖୀ ସ୍ଥିତିରୁ ଅନ୍ଧାର ହେଲା ବିରାଜିତ ଓ ସେଥିରୁ ଜନ୍ମ ନେଲା ନିଦ୍ରା, ତନ୍ଦ୍ରା, ଆଳସ୍ୟ, କ୍ଲାନ୍ତି । ଏହି ଧାରାରେ ଚାରିଟି ମହତ୍ ଶକ୍ତି ବିପରୀତମୁଖୀ ହୋଇ ବିଶ୍ୱପୃଷ୍ଠକୁ ବହି ଆଣିଲେ- ଆହାର, ନିଦ୍ରା, ଭୟ, ମୈଥୁନ, ଯାହା ପଶୁଜଗତ ଓ ମାନବ ଜଗତ ଉଭୟ ପାଇଁ ସମାନ ଏକ ଧାରା ଓ ପ୍ରବଣତା ।
ପୃଥିବୀର ଏସବୁ ନିହାତି ଗୌଣ, ସ୍ଥୂଳ, ଜୈବିକ ଧାରାରେ ପଶୁଟିଏ ପରି ମଣିଷ ଘୋଷାରି ହୋଇ, ଦେହର ଦେହଳୀ ଭିତରେ ଅବରୁଦ୍ଧ ରହି ଭାରାକ୍ରାନ୍ତ, ରୁଦ୍ଧଶ୍ୱାସ ଜୀବନଟିଏ ବିତାଇଲା ବେଳେ ତା’ ଭିତରେ ଅହରହ ଘନୀଭୂତ ହେଲା ଅଶ୍ୱସ୍ତି, ଅତୃପ୍ତି, ନିରାନନ୍ଦ ନୈରାଶ୍ୟ । ଏଥିପାଇଁ ସେ ସାମୟିକ ମୁକ୍ତିର ମାର୍ଗ ରୂପେ ଦେବ ଆରାଧନା ଓ ମନ୍ଦିର ନିର୍ମାଣର ପ୍ରୟୋଜନୀୟତା ଅନୁଭବ କଲା ଉତ୍ସବ, ପର୍ବାଣି ପାଳନ ଭିତରେ ଏକାତ୍ମ ଭାବନାର, ବନ୍ଧୁତ୍ୱ ଓ ସହାବସ୍ଥାନର ସନେ୍ଦଶ ରଖିଲା । ନଚେତ୍ ବୈଦିକ ଯୁଗରେ ମନ୍ଦିର ପ୍ରତିଷ୍ଠା ପରମ୍ପରା ନଥିଲା । ମଣିଷ ମହତ୍ତର ଶକ୍ତିମାନଙ୍କର ଆରାଧନା କରୁଥିଲା, ବନ୍ଦନା ଗାଉଥିଲା- ତାକୁ ପରିପୁଷ୍ଟ କରୁଥିବା ଶକ୍ତିମାନଙ୍କୁ (ସୂର୍ଯ୍ୟ, ବାୟୁ, ଜଳ, ମେଘ, ଅଗ୍ନି, ମାଟି, ବନସ୍ପତି ପ୍ରଭୃତି) ସମ୍ମାନ ଦେବା ଓ ସେମାନଙ୍କ ପ୍ରତି ସମର୍ପିତ ରହି ପ୍ରାର୍ଥନା ଜଣାଉଥିଲା । ବେଦରେ ଆମେ ସେହିସବୁ ସ୍ତ୍ରୋତ୍ରଗୁଡିକୁ ଦେଖୁ । ଏପରିକି ବୈଦିକ ଯୁଗରେ ନାରୀ, ପୁରୁଷ ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା । ସେଥିପାଇଁ ପ୍ରକୃତି ଓ ପୁରୁଷ ଦୁଇଟି ରୂପରେ ଭଗବାନଙ୍କୁ ସନ୍ଦର୍ଶନ କରାଯାଏ ଏବଂ ପ୍ରକୃତି ତା’ର ମାୟାର ପରଦା ହଟାଇ ନେଲେ ଯାଇ ପରମପୁରୁଷଙ୍କ ଦର୍ଶନ ମିଳିଥାଏ । ଏହା ଭାରତୀୟ ଆଧ୍ୟାତ୍ମିକ ସାହିତ୍ୟର ନିର୍ଯାସ । ସେଥିପାଇଁ ସର୍ବଶକ୍ତିମାନ ଶିବ ଛାତି ପତାଇ ଦେଇଥାନ୍ତି ମହାପ୍ରକୃତିର ସୃଷ୍ଟି, ସ୍ଥିତି, ସଂହାରର ଅଲୌକିକ ନୃତ୍ୟ ପାଇଁ । ବୈଦିକ ଯୁଗରେ ମୈତ୍ରେୟୀ, ବିଶ୍ୱବାରା, ମମତା, ଲୋପାମୁଦ୍ରା ଭଳି ବହୁ ନାରୀ ବେଦର ସ୍ତ୍ରୋତ୍ର ରଚନା କରି ଋଷି ପର୍ଯ୍ୟାୟରେ ପରିଗଣିତା । ଏପରିକି ଲୋମଶା ନାମ୍ନୀ ପତି ପରିତ୍ୟକ୍ତା ଜଣେ ନାରୀ ଆଧ୍ୟାତ୍ମିକ ସାଧନାରେ ଋଷି ପର୍ଯ୍ୟାୟରେ ଗଣା ହୋଇଥିଲେ । ତେବେ କଥା ହେଉଛି ମଣିଷକୁ ତିଆରି କରିଛନ୍ତି ସ୍ୱୟଂ ଈଶ୍ୱର ଏବଂ ତା’ ଦେହରେ ବିଦ୍ୟମାନ । ମାତ୍ର ମଣିଷମାନେ ଗଢ଼ିଛନ୍ତି ମନ୍ଦିର । ଏହି ମନ୍ଦିରମୟତା ଓ ମୂର୍ତ୍ତିପୂଜା ରୂପକ ଉପାସନା ପଦ୍ଧତି ଏବେ ବଳବତ୍ତର ଏବଂ ତାକୁ ନେଇ ବହୁ ବିକୃତି, ବିବାଦ, ବିଦ୍ୱେଷ, ବିତ୍ପାତ ସବୁ କାଳରେ ସବୁ ଦେଶରେ ଅଳ୍ପ ବହୁତେ ଲାଗି ରହିଛି । ନିକଟ ଅତୀତରେ ଧର୍ମ ନାମରେ ଯେଉଁ କଳଙ୍କିତ ନାଟକ ଅଯୋଧ୍ୟା ତଥା ଗୁଜୁରାଟରେ ଅଭିନୀତ ହୋଇଗଲା, ତାହା ସୂଚାଇ ଦେଉଛି ଆମର ଧାର୍ମିକ ବିଚାର କିପରି ମୂଢ଼, ନାରକୀୟ ସ୍ତରରେ ରହିଛି ଓ ଧର୍ମକୁ ନେଇ ମଣିଷ ଚେତନା ଓ ଚିନ୍ତନରେ ପଶୁ ସ୍ତର ଠାରୁ ମଧ୍ୟ ଆହୁରି ନିମ୍ନରେ ରହିଛି ।
ସମଗ୍ର ବିଶ୍ୱରେ ଧର୍ମର ଆୟୁଷ ହେଉଛି ମାତ୍ର ଅଢ଼େଇ ହଜାର ବର୍ଷ । ଆଧୁନିକ ମଣିଷ ଏ ପୃଥିବୀରେ ବିଚରଣ କଲାଣି ୨୦ ଲକ୍ଷ ବର୍ଷ ହେଲା- ଏ କଥା ବିଜ୍ଞାନ ଓ ବିବର୍ତ୍ତନବାଦ ଉଭୟ କହନ୍ତି । ଭାରତରେ କୃଷି ସଭ୍ୟତା ଆରମ୍ଭ ହୋଇଛି ବା ଯାଯାବରୀ ଜୀବନକୁ ଛାଡି ମଣିଷ ସ୍ଥାୟୀ ଭାବେ ବାସ କରି ଏକ ସମାଜ ପ୍ରତିଷ୍ଠା କରିଛି ମାତ୍ର ଦଶହଜାର ବର୍ଷ ତଳେ । ଅର୍ଥାତ୍ ଅବଶିଷ୍ଟ ୧୯ଲକ୍ଷ ୯୦ହଜାର ବର୍ଷ ଧରି ଚେତନଶୀଳ ଆଧୁନିକ ମଣିଷ (ନିଅଣ୍ଡ୍ରାଥାଲ୍ ପର୍ଯ୍ୟାୟର ଢେର୍ ଊଦ୍ଧ୍ୱର୍ରେ) ଚାରଣ ସଭ୍ୟତାକୁ ନେଇ ବିଭିନ୍ନ ନଦୀ କୂଳରେ, ଉପତ୍ୟକାରେ ଓ ମୁଖ୍ୟତଃ ଅରଣ୍ୟର ଫଳମୂଳ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ରହିଛି । ବୌଦ୍ଧଧର୍ମ ପୃଥିବୀର ସବୁଠାରୁ ପ୍ରାଚୀନତମ ଧର୍ମ । ବୁଦ୍ଧ ଓ ମହାବୀର ଜୀଙ୍କ ମଧ୍ୟରେ ସମୟର ବ୍ୟବଧାନ ମାତ୍ର ୩୫ବର୍ଷ । ଦୁଇ ହଜାର ବର୍ଷ ତଳେ ଯିଶୁଖ୍ରୀଷ୍ଟ ଏବଂ ତାଙ୍କ ପ୍ରଚାରିତ ଧର୍ମରୁ ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ଜନ୍ମ । ସପ୍ତମ ଶତାବ୍ଦୀରେ ମହମ୍ମଦଙ୍କ ଦ୍ୱାରା ପ୍ରତିଷ୍ଠିତ ଇସ୍ଲାମ୍ ଧର୍ମର ଆୟୁଷ ମାତ୍ର ୧୩୦୦ ବର୍ଷ ଏବଂ ହିନ୍ଦୁ ଧର୍ମ ଆସିଛି ଏକାଦଶ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରି । ସୁତରାଂ ହିନ୍ଦୁଧର୍ମର ଆୟୁଷ ମାତ୍ର ଏକହଜାର ବର୍ଷ । ଏହାପରେ ପ୍ରତିଷ୍ଠା ହୋଇଛି ବିଶ୍ୱର କନିଷ୍ଠତମ ଶିଖ୍ ଧର୍ମ ଚତୁର୍ଦ୍ଦଶ ଶତାବ୍ଦୀରେ ଏବଂ ଏହାପରେ ଯାହା ଆସିଛି ସେସବୁ ଧର୍ମ ନୁହେଁ ସଂପ୍ରଦାୟ- ବିଭିନ୍ନ ଧର୍ମରୁ ଉପଗତ ଶାଖା ପ୍ରଶାଖା, ଧାରା ଉପଧାରା । ଯେମିତି ବୈଷ୍ଣବ ସଂପ୍ରଦାୟ, ମହିମା ଧର୍ମ ସଂପ୍ରଦାୟ ହେଉଛି ମୂଳତଃ ସନାତନ ବୈଦିକ ଚେତନାର ଅଂଶବିଶେଷ । ସନାତନ ବୈଦିକ ଚେତନାରୁ ମଧ୍ୟ ଉତ୍ପନ୍ନ ହୋଇଛି ବୌଦ୍ଧଧର୍ମ, ଜୈନ ଧର୍ମ । ଯେଉଁମାନେ ବୌଦ୍ଧଧର୍ମର ଶାସ୍ତ୍ର ତ୍ରିପିଟକର ନିର୍ଯାସ ‘ଧମ୍ମପଦ’ ପାଠ କରିଥିବେ ସେମାନେ ଅକ୍ଳେଶରେ ଲକ୍ଷ୍ୟ କରିଥିବେ ଯେ ଭଗବତ୍ ଗୀତା ଓ ଉପନିଷଦ ସହିତ ଏହାର ନୀତିବାଣୀର କିପରି ଅନ୍ତରଙ୍ଗ ସାଦୃଶ୍ୟ ରହିଛି ।
ଧର୍ମ ସୃଷ୍ଟି ହୋଇଥିଲା ମଣିଷମାନଙ୍କୁ ଏକତ୍ର ବାନ୍ଧି ରଖିବାକୁ- ପ୍ରେମ, ମୈତ୍ରୀ, ସହୃଦୟତା, ସେବା ଓ ତ୍ୟାଗର ଡୋରରେ ।
ଆଜି କିନ୍ତୁ ଗୋଟିଏ ସମାଜ ବହୁଧା ବିଦୀର୍ଣ୍ଣ । ଅଢ଼େଇ ହଜାର ବର୍ଷ ମଧ୍ୟରେ ଧର୍ମକୁ କେନ୍ଦ୍ର କରି ଯେତେ ହିଂସା, ରକ୍ତପାତ, ନାରକୀୟତା ସଂଘଟିତ ହୋଇଛି ଏଯାଏ ପୃଥିବୀରେ ଅନୁଷ୍ଠିତ ଯୁଦ୍ଧଗୁଡ଼ିକ ସେତିକି ବର୍ବରତା କରିବାକୁ ସମର୍ଥ ହୋଇନାହାନ୍ତି ।
ମଣିଷ ଭିତରେ ଶୁଦ୍ଧତା, ସମ୍ବେଦନ, ଉତ୍ତରଣ, ସେବା, ସଂକଳ୍ପ ଓ ସାଧୁତାର ପରିସ୍ଫୁଟନ ପାଇଁ ସେହି ମଣିଷଙ୍କ ମଧ୍ୟରୁ କିଛି ବିବେକୀ ପ୍ରଜ୍ଞାବାନ ସୃଷ୍ଟି କରିଥିଲେ ଧର୍ମ । କାରଣ ସାଧାରଣ ମଣିଷଟିଏ ଭିତରେ ଆଧ୍ୟାତ୍ମିକ ଅଭୁ୍ୟଦୟ ଘଟିବା; ଚେତନାର ସୋପାନରେ ନିରବଚ୍ଛିନ୍ନ ଆରୋହଣ ପାଇଁ ସିଏ ସମର୍ଥ ନ ହେବାରୁ ଧାର୍ମିକ ନିୟମ ଓ ଅଭ୍ୟାସ ବଳରେ ଧୀରେ ଧୀରେ ତା’ ଭିତରେ ମହତ୍ତର ଭାବନାରାଜିକୁ ବଳବତ୍ତର, ଜାଗରିତ ରଖିବା ପାଇଁ ଧାର୍ମିକ ଧାରାର ସ୍ଫୁରଣ ଘଟିଲା । ପରବର୍ତ୍ତୀ ସମୟରେ ଦେଖାଗଲା ସବୁ ଧର୍ମ ପୁଣି ଖଣ୍ଡ ଖଣ୍ଡ ହୋଇଯାଉଛି- ଖ୍ରୀଷ୍ଟିୟାନ୍ମାନେ କାଥଲିକ୍, ପ୍ରୋଟେଷ୍ଟାଣ୍ଟ- ସେଥିରୁ ପୁଣି ଆହୁରି ବିଖଣ୍ଡିତ ଧାରା; ଇସ୍ଲାମ୍ ଭିତରେ ସିହା, ସୁନ୍ନି ସଂପ୍ରଦାୟ ପରେ ଅହମ୍ମଦିଆ, ମହମ୍ମଦିଆ ଧାରା ସୃଷ୍ଟି ହେଲା ଏବଂ ଧାର୍ମିକ ଆଚରଣ ଭିତରୁ ପୁନଶ୍ଚ ଜନ୍ମ ନେଲା ଏକ ମହତ୍ତର ହେତୁବାଦୀ, ରହସ୍ୟମୟ ଧାରା-ସୁଫିବାଦ । ବୌଦ୍ଧଧର୍ମ ହେଲା ମହାଯାନ, ହୀନଯାନରେ ବିଭକ୍ତ ଓ ଜୈନଧର୍ମ ଶ୍ୱେତାମ୍ବର, ଦିଗମ୍ବରରେ ବିଭାଜିତ । ଆଚରଣ ବିଧିରେ ଭିନ୍ନତା, ମୌଳିକ ଦର୍ଶନକୁ ବୁଝିବାରେ ଅକ୍ଷମତାରୁ ବିଭିନ୍ନ ସମୟରେ ସବୁ ଧର୍ମ ବହୁଧା ବିଭାଜିତ ହୋଇଛି । କିନ୍ତୁ ଦୁର୍ଭାଗ୍ୟ ଯେ, ଧର୍ମର ସୂକ୍ଷ୍ମତର ଅବବୋଧ, ଅନ୍ତରର ଆହ୍ୱାନ ଓ ଅନ୍ୱେଷାକୁ ଭୁଲିଯାଇ ବାହି୍ୟକ ଆଚରଣ ଓ କି୍ରୟା, ଉପାସନାର ଗଣ୍ଡି ଭିତରେ ଧର୍ମକୁ ସଂଗୋପିତ, ସଂକ୍ଷିପ୍ତ କରି ରଖାଯାଇଛି । ଆହୁରି ଭୟଙ୍କର ଅପରାଧ ମଣିଷ କରିଛି- ନିଜ ଧର୍ମ ବା ଆଚରିତ ବିଶ୍ୱାସକୁ ଶ୍ରେଷ୍ଠ ମନେ କରି ଯେତେବେଳେ ସେ ତାକୁ ଅନ୍ୟ ଉପରେ ଲଦି ଦେବାର ପ୍ରୟାସ କରିଛି । ସେଇଠାରେ ସୂତ୍ରପାତ ହୋଇଛି ବିଦ୍ୱେଷ; ଘୃଣା ଓ ଅବିଶ୍ୱାସର ବିଷ ସଂକ୍ରମିତ ହୋଇଛି, ଅବଶେଷରେ ହୋଇଛି ଧର୍ମ ଯୁଦ୍ଧ ଯାହାର ଅବଶ୍ୟମ୍ଭାବୀ ପରିଣତି ହିଂସା, ରକ୍ତପାତ ଓ ବିଭତ୍ସତା, ବ୍ୟଭିଚାର ।
ଧର୍ମ ସୃଷ୍ଟି ହୋଇଥିଲା ମଣିଷମାନଙ୍କୁ ଏକତ୍ର ବାନ୍ଧି ରଖିବାକୁ- ପ୍ରେମ, ମୈତ୍ରୀ, ସହୃଦୟତା, ସେବା ଓ ତ୍ୟାଗର ଡୋରରେ । ସେଥିପାଇଁ ସନାତନ ବୈଦିକ ଧର୍ମର ବାଣୀ ଥିଲା : ‘ବସୁଧୈବ କୁଟୁମ୍ବକମ୍’- ସମଗ୍ର ବସୁଧା ହେଉଛି ମୋର କୁଟୁମ୍ବ, ମୋର ପରିବାର, ପ୍ରିୟଜନ । ଆଜି କିନ୍ତୁ ଗୋଟିଏ ସମାଜ ବହୁଧା ବିଦୀର୍ଣ୍ଣ । ଅଢ଼େଇ ହଜାର ବର୍ଷ ମଧ୍ୟରେ ଧର୍ମକୁ କେନ୍ଦ୍ର କରି ଯେତେ ହିଂସା, ରକ୍ତପାତ, ନାରକୀୟତା ସଂଘଟିତ ହୋଇଛି ଏଯାଏ ପୃଥିବୀରେ ଅନୁଷ୍ଠିତ ଯୁଦ୍ଧଗୁଡ଼ିକ (ଦୁଇଟି ବିଶ୍ୱଯୁଦ୍ଧକୁ ମିଶାଇ) ସେତିକି ବର୍ବରତା କରିବାକୁ ସମର୍ଥ ହୋଇନାହାନ୍ତି । ସବୁଧର୍ମର ମୂଳ ଲକ୍ଷ୍ୟ ସହନଶୀଳତା; ମାତ୍ର ଆଚରଣରେ ଆଜି ସବୁଧର୍ମ ପାଲଟି ଯାଇଛି ସାଂପ୍ରଦାୟିକ, ଆସୁରିକ ଓ ହଳାହଳର ମହା ସମୁଦ୍ର ।
ପୃଥିବୀର କୌଣସି ଅବତାର ପୁରୋହିତ ବା ପ୍ରିଷ୍ଟ ଜାତିରେ ଜନ୍ମ ହୋଇ ନାହାନ୍ତି- ବୁଦ୍ଧ, ରାମ, କୃଷ୍ଣ, ନାନକଙ୍କଠାରୁ ଏ ଯୁଗର ବିବେକାନନ୍ଦ, ଶ୍ରୀଅରବିନ୍ଦ, ଯୋଗାନନ୍ଦଙ୍କ ଯାଏ ସମସ୍ତେ କ୍ଷତ୍ରିୟ, ଅଣବ୍ରାହ୍ମଣ । ଯିଶୁଖ୍ରୀଷ୍ଟ କମାର ଜାତିରେ ଓ ମହମ୍ମଦ ବୈଶ୍ୟ ଜାତିରେ ଜନ୍ମିତ । ସ୍ୱୟଂ ରାମକୃଷ୍ଣ ପରମହଂସ ଦେଖାଇ ଦେଇଛନ୍ତି ସବୁ ଧର୍ମର ମହତ୍ତ୍ୱ- ନିଜେ ଉପଲବ୍ଧି କରିଛନ୍ତି ଯିଶୁ, ମହମ୍ମଦ, ରାମ, କୃଷ୍ଣ, କାଳୀ ଓ ହନୁମାନଙ୍କୁ । କହିଛନ୍ତି- ‘ଯତେ ମତ ତତେ ପଥ’- ଯେତେ ଧର୍ମ ସବୁର ପଥ ଭିନ୍ନ ଭିନ୍ନ, ମାତ୍ର ସମସ୍ତେ ଏକତ୍ର ମିଳିତ ହେଉଛନ୍ତି ଗୋଟିଏ ସତ୍ୟ ପାଖରେ- ସେ ଭଗବାନ । ରାମକୃଷ୍ଣ ହେଉଛନ୍ତି ଧର୍ମର ମାନସରୋବରରେ ଏକମାତ୍ର ରାଜହଂସ । ଆଧ୍ୟାତ୍ମିକତାର ପଦ୍ମବନରେ ସେ ହିଁ ଏକମାତ୍ର ଦେଦ୍ଦୀପ୍ୟମାନ ସୂର୍ଯ୍ୟ । ଧର୍ମକୁ ନେଇ ବିଭାଜନ ଓ ବିଦ୍ୱେଷରେ ମାତିଥିବା ଆଉ ସବୁ ସଂପ୍ରଦାୟ ହେଉଛନ୍ତି ଜୁଳୁଜୁଳିଆ ପୋକ ଓ ଗେଣ୍ଡାଖିଆ ଅନ୍ଧାରି ବଗ । ଦିନର ଆଲୁଅରେ ସେମାନଙ୍କୁ ଅନ୍ଧାରକଣା ରୋଗ ଧରିଛି, ସୁତରାଂ ବାଟହୁଡ଼ି ସେମାନେ ଏପରି ବିଭତ୍ସ ଭାବେ ଡେଣା ପିଟୁଛନ୍ତି । ସବୁ ଧର୍ମର ଲକ୍ଷ୍ୟ ଯେ ଭଗବତ୍ ପ୍ରାପ୍ତି ଏହି ସତ୍ୟ ଅବଲୋକନ କରିପାରୁଥିବା ମଣିଷଟିଏ ପାଇଁ ସାଂପ୍ରଦାୟିକତା ବୋଲି କିଛି ନଥାଏ । ଶିଖ୍ ଧର୍ମରେ ବିଶ୍ୱାସୀ ପଞ୍ଜାବର ଚର୍ଚ୍ଚିତ ରାଜା ରଣଜିତ୍ ସିଂହଙ୍କର ଥିଲା ଗୋଟିଏ ଆଖି । ସେ କହୁଥିଲେ: “ସବୁ ଧର୍ମକୁ ଗୋଟିଏ ଆଖିରେ ଦେଖିବା ପାଇଁ ଭଗବାନ ମୋତେ ଗୋଟିଏ ଆଖି ଦେଇଛନ୍ତି ।”
ସବୁ ନଦୀ ସମୁଦ୍ରରେ ମିଶିଲା ଭଳି ସବୁ ଜୀବନ ଧାରାର ଅବଶେଷ ଓ ଅନ୍ତିମ ଲକ୍ଷ୍ୟସ୍ଥଳୀ ହେଉଛି ପରମାତ୍ମା- ପାରାବାର । କିଏ ବିନ୍ଦୁ ବିନ୍ଦୁ ହୋଇ, କିଏ ବା କ୍ଷୀଣ ଜଳଧାରାରେ, କିଏ ଝରଣାର ସ୍ରୋତରେ କିଏ ବେଗମତୀ, କୂଳ ଲଙ୍ଘନୀ ନଦୀ ହୋଇ ବା କିଏ ଶାନ୍ତ ସଲୀଳା, ସୁନୀଳ କଳ କଳ ନାଦିନୀ ହୋଇ ପ୍ରବାହିତା । ସମସ୍ତେ କିନ୍ତୁ ମିଶିବେ ମହାସମୁଦ୍ରରେ, ହଜାଇ ଦେବେ ନିଜର ସତ୍ତା । ପୁଣି ସମୁଦ୍ରରୁ ବାଷ୍ପାୟିତ ହୋଇ ଜଳଧାର ସାଜେ ମେଘ, ଅବତରି ଆସେ ଆକାଶରୁ ମାଟିର ଅଙ୍ଗନ । ଚଲାପଥରେ ସେ ଜଳଧାରା ଶ୍ୟାମଳିତ, ପୁଷ୍ପିତ, ସୁରଭିତ କରେ ବସୁନ୍ଧରା । ସବୁ ଧର୍ମର ଲକ୍ଷ୍ୟ ହିଁ ତାହା । ଏପରିକି ବୈଦିକ ଯୁଗରେ କର୍ମକାଣ୍ଡ, ଯଜ୍ଞ ଅନୁସାରେ ଅତୃପ୍ତ ବିରକ୍ତ ହୋଇ ଗୋଟିଏ ଗୋଷ୍ଠୀ ଅନ୍ୱେଷା କଲେ ମହତ୍ତର ସତ୍ତା, ପାଇଲେ ଭିନ୍ନ ଭିନ୍ନ ଉପଲବ୍ଧି । ଋକ୍ ବେଦର ନାସଦୀୟ ସୂକ୍ତର ପ୍ରାରମ୍ଭିକ ସ୍ତ୍ରୋତ୍ର ମାନଙ୍କରେ ଉପନିଷଦୀୟ ପ୍ରଜ୍ଞାର ମିଳେ ଝଲକ । ସେହିଠାରୁ ସୃଷ୍ଟି ହେଲା ଜ୍ଞାନ କାଣ୍ଡ ବା ବେଦାନ୍ତ; ଯାହା ଦିଏ ମଣିଷକୁ ମାର୍ଗ ଓ ମୁକ୍ତି, ଆଲୋକ ଓ ଅନ୍ୱେଷା । ବୁଦ୍ଧଙ୍କ ସମୟରେ ଭାରତବର୍ଷରେ ଏକ ବିଶାଳ ଧାର୍ମିକ ଓ ଦାର୍ଶନିକ ଆନେ୍ଦାଳନର ସ୍ଫୁରଣ ଘଟିଥିବା ‘ବ୍ରହ୍ମଜ୍ଜ୍ୱଳ ସୂତ୍ର’ରୁ ସୂଚନା ମିଳେ । ସେ ସମୟରେ ଭାରତରେ ବାଆଷଠି ପ୍ରକାର ଦର୍ଶନର ପ୍ରଚଳନ ଥିଲା । ବୌଦ୍ଧ ସାହିତ୍ୟରୁ ସୁସ୍ପଷ୍ଟ ହୋଇଥାଏ ଯେ ସେ ସମୟରେ ଆର୍ଯ୍ୟାବର୍ତ୍ତରେ ଥିଲେ ପୁରୁଣା କାଶ୍ୟପ, କାତ୍ୟାୟନ, ମାକାଳୀ ଗୋଶାଳୀ, ନିଗଣ୍ଠ ନାଥପୁତ୍ର (ଜୈନଧର୍ମର ପ୍ରତିଷ୍ଠାତା)ଙ୍କ ଭଳି ବହୁ ମହାନ ଦାର୍ଶନିକ ଓ ଦିବ୍ୟଦ୍ରଷ୍ଟା । ସବୁ କିଛି ଦର୍ଶନ, ତତ୍ତ୍ୱକୁ ପ୍ରଶ୍ନ କରାଯିବାର ଅଧିକାର ଥିଲା ପ୍ରତ୍ୟେକ ମଣିଷର; ହେତୁବାଦୀ ଥିଲା ପ୍ରଚ୍ଛନ୍ନ । ତାହାହିଁ ସବୁ ଧର୍ମର ବୈଜ୍ଞାନିକ ଦୃଷ୍ଟିକୋଣ । ସବୁ କାଳରେ ସବୁ ଧର୍ମର ଏକଚାଟିଆ, ଅହଙ୍କାର ପ୍ରମତ୍ତ କାରବାରକୁ ବିରୋଧ କରି ସୃଷ୍ଟି ହୋଇଛି ନୂତନ ଧର୍ମ । ଧର୍ମକୁ କାହାରି ଉପରେ ଲଦି ହେବ ନାହିଁ; ଏହା ବିଶ୍ୱାସ, ପ୍ରତ୍ୟୟ ଓ ଅନୁଭବର ସୂକ୍ଷ୍ମତର ଅବବୋଧ । ସବୁ ଧର୍ମର ଲକ୍ଷ୍ୟ ସମାନ- ଭଗବତ୍ ପ୍ରାପ୍ତି । ମଣିଷ ନିଜ ଭିତରେ ହିଁ ତାଙ୍କୁ ଅନ୍ୱେଷା କରୁ ଏବଂ ପ୍ରତ୍ୟେକ ମଣିଷ ସେହି ପରମ ସତ୍ୟର ସ୍ପନ୍ଦିତ, ଜାଗତିକ ପରିପ୍ରକାଶ ହୋଇଥିବାରୁ ପ୍ରତି ମଣିଷକୁ ସେ ସମ୍ମାନ ଦେବା ଶିଖୁ ।
ଆଧ୍ୟାତ୍ମିକତା ପ୍ରସଙ୍ଗରେ ଆମେ ପଚାରିଥିଲୁ ଭାରତବର୍ଷର ଆଧ୍ୟାତ୍ମିକ ସାଧକ ଶିବାନନ୍ଦ ଆଶ୍ରମର ସ୍ୱାମୀ ନିର୍ଲିପ୍ତାନନ୍ଦ, କ୍ରିୟାଯୋଗ ଆଶ୍ରମର ସ୍ୱାମୀ ପ୍ରଜ୍ଞାନାନନ୍ଦ, ଏ ଦୁଇ ସନ୍ଥ-ସାଧକସଦୟ ଉତ୍ତର ନିମ୍ନରେ ସ୍ଥାନିତ ହୋଇଛି ।