ପଣସକଠା ଡାଲମା
ପଣସକଠା ଏବେବି ବଜାରରେ ମିଳୁଛି । ଡେରି କଲେ ପୁଣି ୮-୯ମାସ ଅପେକ୍ଷା କରିବାକୁ ପଡ଼ିବ । ଏହି କଞ୍ଚା ପଣସ ବା କଠାକୁ ବ୍ୟବହାର କରି ସୁନ୍ଦର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ।
ସାମଗ୍ରୀ : ଭଜା ମୁଗ ଡାଲି ଦେଢ଼କପ୍, ଛୋଟ ଖଣ୍ଡ କରି କଟାଯାଇଥିବା ପଣସ କଠା, ଗୋଟିଏ କପ୍ ଛୋଟ ଛୋଟ ଗୋଲ ଆଳୁକୁ ଦୁଇଖଣ୍ଡ କରି ପ୍ରାୟ ୧୬-୨୦ ଖଣ୍ଡ, ପାଚିଲା କଖାରୁ ଖଣ୍ଡ ଅଧାକପ୍, ବାଇଗଣ ଖଣ୍ଡ ଅଧା କପ୍, କଞ୍ଚା କଦଳୀ କଟା ଅଧାକପ୍, ଗୋଟିଏ ଟମାଟୋ, ଏକ ଇଞ୍ଚର ଅଦା ଖଣ୍ଡ, ସାମାନ୍ୟ ଗୁଡ଼, ହଳଦୀ ଗୁଣ୍ଡ, ଲୁଣ ଓ ୨-୩କପ୍ ପାଣି ।
ଛୁଙ୍କ ପାଇଁ ସାମଗ୍ରୀ : ଦେଶୀ ଗୁଆଘିଅ ୨-୩ ଚାମଚ, ପଞ୍ଚ ଫୁଟଣ- ୨ ଚାମଚ, ତେଜପତ୍ର, ଶୁଖିଲା ଲଙ୍କା, ଚିମୁଟାଏ ହେଙ୍ଗୁ ।
ସଜେଇବା ପାଇଁ ସାମଗ୍ରୀ : କଟା ଧନିଆ ପତ୍ର ଓ ଭଜା ଯାଇଥିବା ଜୀରା-ଡାଳଚିନି- ଲଙ୍କା ଗୁଣ୍ଡର ଚାମଚ ।
ପ୍ରଣାଳୀ : ଗୋଟିଏ ଫର୍ଚ୍ଚା ପାତ୍ରରେ ୨ କପ୍ ପାଣି ଫୁଟାନ୍ତୁ । ଆଗରୁ ମୁଗଡାଲିକୁ ହାଲୁକା ବାଦାମୀ ରଙ୍ଗ ଆସିଲା ଯାଏଁ ଭାଜି, ଏହାକୁ ୧୫ ମିନିଟ୍ ପାଣିରେ ଭିଜାଇ ରଖିଥାଆନ୍ତି । ଏବେ ଏହି ବତୁରା ଡାଲିକୁ ଭଲ ଭାବେ ଧୋଇ ହାଣ୍ଡିରେ ଫୁଟୁଥିବା ଗରମ ପାଣିରେ ପକାଇ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ପକାନ୍ତୁ । ପାଣି ଫୁଟିବାକୁ ଆରମ୍ଭ କରିବା ମାତ୍ରେ, ଟମାଟୋ ବ୍ୟତୀତ ଅନ୍ୟ ସବୁ କଟା ପରିବା ହାଣ୍ଡି ଭିତରେ ପକାଇ ପ୍ରାୟ ୧୫ ମିନିଟ୍ ଫୁଟିବାକୁ ଛାଡ଼ିଦିଅନ୍ତୁ । ପରିବାତକ ସିଝି ଆସିଲେ କଟା ଟମାଟୋ ଓ ଗୁଡ଼ ପକାଇ ଆଉ ୫ ମିନିଟ୍ ଫୁଟାନ୍ତୁ । ଦେଖିବେ ପରିବା ଯେପରି ଫିଟିନଯାଏ । ଏବେ ଛୁଙ୍କ ଦେବାର କଥା । ଗୋଟିଏ ପାତ୍ରରେ ଗୁଆଘିଅ ଗରମ କରି ସେଥିରେ ଶୁଖିଲା ଲଙ୍କା, ପଞ୍ଚଫୁଟଣ, ହେଙ୍ଗୁ ଓ ତେଜପତ୍ର ପକାନ୍ତୁ । ଫୁଟଣ ଫୁଟିବ ଓ ବାସ୍ନା ଚହଟିବ । ଏବେ ଛୁଙ୍କ ଡାଲମା ସହ ମିଶାଇ ତୁରନ୍ତ ଘୋଡଣୀରେ ଢାଙ୍କି ଦିଅନ୍ତୁ । ପଣସ କଠା ଡାଲମାରେ କଟା ଧନିଆପତ୍ର ଓ ଜୀରା ଲଙ୍କା ଡାଳଚିନି ଗୁଣ୍ଡ ପକାଇ ଭାତ କିମ୍ବା ରୁଟି ସହ ଖାଇବାକୁ ପରଷି ଦିଅନ୍ତୁ ।
ଶାଗ ମହୁର
ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ପ୍ରସାଦ ମଧ୍ୟରେ ମହୁର ନିଜସ୍ୱ ପ୍ରସିଦ୍ଧି ବଜାୟ ରଖିଆସିଛି । ଏହି ମହୁରର ସ୍ୱାଦ ସହିତ ଶାଗ ଓ ବିଭିନ୍ନ ପନିପରିବା ମଧ୍ୟ ଓଡ଼ିଆ ରାନ୍ଧଣାର ବୈଶିଷ୍ଟ୍ୟ । ଆସନ୍ତୁ ଜାଣିବା ଶାଗ ମହୁର ପ୍ରସ୍ତୁତି ପ୍ରଣାଳୀ ।
ସାମଗ୍ରୀ : ଗୋଟିଏ କଞ୍ଚା କଦଳୀ, କଷି କଖାରୁ ଅଧାକପ୍, ଗୋଟିଏ ବାଇଗଣ, ତିନିପୁଆ ସାରୁ, ଦେଶୀ ଆଳୁ ଚଉଠ କପ୍, ଗୋଟିଏ କନ୍ଦମୂଳ, ଅଧାବିଡ଼ା କୋଶଳା ଶାଗ, ନଡ଼ିଆ କୋରା ତିନି ଚାରି ଚାମଚ
ମସଲା : ଗୋଟିଏ ଚା’ ଚାମଚ ସୋରିଷ, ଅଧା ଚାମଚ ପାନମଧୁରି ଓ ଲାଲଲଙ୍କା ଏକତ୍ର କରି ଚିକ୍କଣ ଭାବେ ବାଟି ନିଅନ୍ତୁ । ଅଦାକୁ ଛେଚି ରଖନ୍ତୁ । ଗୋଟିଏ ଚାମଚ ଭଜା ମେଥି ଓ ଜୀରା ଗୁଣ୍ଡ, ହଳଦୀ ଗୁଣ୍ଡ ଅଧା ଚା’ଚାମଚ, ସ୍ୱାଦ ଅନୁସାରେ ଲୁଣ ପ୍ରସ୍ତୁତ ରଖନ୍ତୁ ।
ଛୁଙ୍କ : ଓଡ଼ିଆ ରୋଷେଇରେ ଛୁଙ୍କର ମହତ୍ତ୍ୱ କିଛି କମ୍ ନୁହେଁ । ଏଣୁ ଏହି ଶାଗ ମହୁରର ଖାଣ୍ଟି ସ୍ୱାଦ ଓ ସୁଗନ୍ଧ ପାଇଁ ଦୁଇ ଚା’ ଚାମଚ ଗୁଆଘିଅ, ଗୋଟିଏ ଚାମଚ ଫଞ୍ଚ ଫୁଟଣ, ଦୁଇଟି ଲାଲ ଲଙ୍କା (ଗୋଟା) ଚିମୁଟାଏ ହେଙ୍ଗୁ ବ୍ୟବହାର କରିବେ ।
ପ୍ରଣାଳୀ : ପରିବା ସବୁକୁ ଛୋଟ ଛୋଟ ଖଣ୍ଡ କରି କାଟି ନେବେ । ଅଧାକପ୍ ପାଣିରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଏହି ପରିବା ତକକୁ ସିଝାଇ ଦିଅନ୍ତୁ । ପରିବାତକ ଅଧା ସିଝି ଆସିଲା ବେଳକୁ ସେଥିରେ ଚିକ୍କଣ ବଟା ସୋରିଷ-ପାନ ମଧୁରି ଓ ଲଙ୍କା ମିଶ୍ରଣ, ଛେଚା ଅଦା, ଚୂନା ହୋଇ କଟାଯାଇଥିବା କୋଶଳା ଶାଗ ଓ ସାମାନ୍ୟ ଚିନି ପକାନ୍ତୁ । ଏବେ ଛୁଙ୍କ ଦିଅନ୍ତୁ ଓ ତୁରନ୍ତ ଘୋଡାଇ କିଛି ସମୟ ରଖନ୍ତୁ । ପରଷିଲା ପୂର୍ବରୁ ନିଡ଼ିଆ କୋରା ସଜାଇବାକୁ ବ୍ୟବସ୍ଥା କରନ୍ତୁ । ଦେଖିବେ ସୁନ୍ଦର ଦେଖାଯିବ ଓ ସ୍ୱାଦ ଖାଇଲେ ହିଁ ଜାଣିବେ । ହଁ, ମନେରଖନ୍ତୁ ଆମର ଦେଶୀ କଳା ସୋରିଷ ସାମାନ୍ୟ ରାଗୁଆ ଲାଗେ । ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ସ୍ୱଚ୍ଛ ଭିନେଗାରରେ ସୋରିଷକୁ ପ୍ରାୟ ଅଧାଘଣ୍ଟା ଭିଜାଇ ନେଲେ ଭଲ, ରାଗୁଆ ଲାଗିବନି ।