ସାଂପ୍ରତିକ କାଳରେ ପୁଅ ଏବଂ ଝିଅମାନଙ୍କର ବିବାହ ସମ୍ପର୍କରେ ପିତାମାତାଙ୍କର ଜ୍ୟୋତିଷ ଶାସ୍ତ୍ରାନୁସାରେ ବିବାହ ମେଳକ ପ୍ରତି ଆଗ୍ରହ ବୃଦ୍ଧି ପାଉଛି । ବିଭିନ୍ନ ପଞ୍ଜିକାରେ ବିବାହ ଦଶମେଳକ ସମ୍ବନ୍ଧରେ ସୂଚନା ଦିଆଯାଉଛି ଏବଂ ବିବାହ ମେଳକ ସମ୍ବନ୍ଧୀୟ ପୁସ୍ତକ ମଧ୍ୟ ଉପଲବ୍ଧ । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଦେଖାଯାଏ ଯେ ରାଜଯୋଟକ ମେଳକ ଥିଲେ ମଧ୍ୟ ବିବାହ ବିଚ୍ଛେଦ ଘଟୁଛି । ଆଦୌ ମେଳକ ନକରି ସର୍ବମଙ୍ଗଳ ଜଗନ୍ନାଥ କହି ବିବାହ କରୁଥିବ ଦମ୍ପତିମାନଙ୍କର ଦାମ୍ପତ୍ୟ ଜୀବନ ସୁଖରେ କଟୁଛି । ଏହି ଘଟଣାମାନ ସର୍ବସାଧାରଣରେ ଦ୍ୱନ୍ଦ୍ୱ ଓ ଜ୍ୟୋତିଷ ବିଦ୍ୟା ପ୍ରତି ଅନାସ୍ଥାଭାବ ସୃଷ୍ଟି କରୁଛି । ଏହାର କାରଣ ଓ ନିରାକରଣ ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ । ବର୍ତ୍ତମାନ ସାଧାରଣ ମନୁଷ୍ୟ ଜ୍ୟୋତିଷ ପାଖକୁ ନଯାଇ ନିଜେ ନିଜେ କିପରି ବିବାହ ଲଗ୍ନ ନିରୁପଣ କରିପାରିବ ତାହାର ସୂଚନା ଦିଆଯାଉଛି । ପ୍ରକାଶ ଥାଉକି ଉତ୍ତମ ଲଗ୍ନ ନିରୂପଣ ଓ ବିବାହ ପାଇଁ ଉଦ୍ଦିଷ୍ଟ ନକ୍ଷତ୍ରର ଭୋଗକାଳ ମଧ୍ୟରେ ହସ୍ତଗଣ୍ଠି ପଡ଼ିଲେ ମେଳକ ସମ୍ବନ୍ଧୀୟ ତୋଷ ଦୂର ହୋଇଥାଏ । ବିବାହ ବହୁ ଆଡମ୍ବର ଓ ବହୁ ବ୍ୟୟରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ସାଧାରଣ କଥା ପ୍ରତି କେହି ଦୃଷ୍ଟି ଦେଇପାରୁନାହାନ୍ତି ।
ବର-କନ୍ୟାଙ୍କର କୋଷ୍ଠୀ ମେଳକ ପରେ ଉଭୟଙ୍କର ବର୍ଷ ଶୁଦ୍ଧି ପାଇଁ ଗୁରୁଶୁଦ୍ଧି, ମାସ ପାଇଁ ରବି ଶୁଦ୍ଧି, ଦିନ ପାଇଁ ଚନ୍ଦ୍ର ଶୁଦ୍ଧି ସର୍ବୋପରି ତାରା ଶୁଦ୍ଧି ଦେଖି ଦିନ ସ୍ଥିର କରାଯାଏ । ବିଶେଷକରି କନ୍ୟାର ଗୁରୁଶୁଦ୍ଧି ବରର ରବିଶୁଦ୍ଧି ଓ ଉଭୟଙ୍କର ଚନ୍ଦ୍ରଶୁଦ୍ଧି ଆବଶ୍ୟକ । ଦିନଟି ଯେପରି ବରକନ୍ୟାଙ୍କର ଘାତଚନ୍ଦ୍ର, ଘାତବାର, ଘାତ ତିଥି ଓ ଘାତ ନକ୍ଷତ୍ରର ଦିନ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଏ । ଏପରିକି କେହି କେହି କନ୍ୟା ପିତାଙ୍କର ଘାତଚନ୍ଦ୍ରକୁ ପରିହାର କରିଥାନ୍ତି, କାରଣ ବିବାହରେ କନ୍ୟା ପକ୍ଷରେ ବହୁ ଦାୟିତ୍ୱ ଓ ଝଞ୍ଜଟ କନ୍ୟା ପିତାଙ୍କ ଉପରେ ପଡ଼ିଥାଏ । ଏହା ବ୍ୟତୀତ ଶୁଭ ଯୋଗ, କରଣ ଓ ମୁହୂର୍ତ୍ତ ନିର୍ଣ୍ଣୟର ଆବଶ୍ୟକତା ରହିଛି । ଏତେଗୁଡିଏ କଥା ବିଚାର କରି ଦିନ ନିର୍ଣ୍ଣୟ ଏକପ୍ରକାର ଅସାଧ୍ୟ/ବହୁସାଧ୍ୟ ଅନୁଭୂତ ହୁଏ । ତେଣୁ ଯୋଗ, କରଣ ଓ ମୁହୂର୍ତ୍ତ କ୍ଷେତ୍ରରେ ଅଶୁଭ ଥିଲେ ସେମାନଙ୍କର ଅଧିପତି ଦେବତାଙ୍କୁ ପୂଜା କଲେ ଅଶୁଭତ୍ୱ ନାଶଯାଏ । ସର୍ବୋପରି ଏଥିପାଇଁ ବିବାହ ଦିନ ପ୍ରଭାତରେ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କଲେ ଏ ସମସ୍ତ ଦୋଷ କଟିଥାଏ ।
ବିବାହ ପାଇଁ ଶୁଭ ମାସ
ମାଘ, ଫାଲ୍ଗୁନ, ବୈଶାଖ, ଜ୍ୟେଷ୍ଠ ଓ ଆଷାଢ଼ ଉତ୍ତମ । ଜ୍ୟେଷ୍ଠକନ୍ୟା ଓ ଜ୍ୟେଷ୍ଠ ପୁତ୍ରଙ୍କର ବିବାହ ଜ୍ୟେଷ୍ଠ ମାସରେ ନିଷେଧ । କାର୍ତ୍ତିକ ଓ ମାର୍ଗଶିର ମାସ ମଧ୍ୟମ ଓ ଅନ୍ୟାନ୍ୟ ମାସ ଅନୁପଯୁକ୍ତ, ଅଶୁଭ ।
ତିଥି– ଶୁକ୍ଳପକ୍ଷ ୨ୟା, ୩ୟା, ୫ମୀ, ୭ମୀ, ୧୦ମୀ, ୧୧ଶୀ, ୧୩ଶୀ ଶୁଭ
କୃଷ୍ଣପକ୍ଷ-୧୧ଶୀଠାରୁ ପ୍ରତିପଦ, ରିକ୍ତାତିଥି ଯଥା ୪ର୍ଥୀ, ୯ମୀ, ୧୪ଶୀ ଏବଂ ୬ଷ୍ଠୀ, ୮ମୀ ଓ ୧୨ଶୀ ଅଶୁଭ ।
ବାର – ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଉତ୍ତମ, ରବିବାର ଶନିବାର ମଧ୍ୟମ, ମଙ୍ଗଳବାର ଆଦୌ କରଣୀୟ ନୁହେଁ । ଏକାନ୍ତ ବର୍ଜନୀୟ ।
ନକ୍ଷତ୍ର – ଉତ୍ତରାଷାଢ଼ା, ଉତ୍ତରା ଫାଲଗୁନୀ, ଉତ୍ତର ଭାଦ୍ର, ମୂଳା, ସ୍ୱାତୀ, ରେବତୀ, ମୃଗଶିରା, ମଘା, ଅନୁରାଧା ନକ୍ଷତ୍ର ଉତ୍ତମ । ରୋହିଣୀ, ହସ୍ତା ମଧ୍ୟମ ମଘା ଓ ମୂଳା କ୍ଷେତ୍ରର ୧ମ ପାଦ ଓ ରେବତୀର ଶେଷପାଦ ଅଶୁଭ ତେଣୁ ବର୍ଜନୀୟ, ଅନ୍ୟସବୁ ଅଶୁଭ । ପ୍ରତ୍ୟେକ ନକ୍ଷତ୍ର ଚାରି ପାଦ ବିଶିଷ୍ଟ ।
ଲଗ୍ନ- ତୁଳା, ମିଥୁନ, କନ୍ୟା, ଧନୁ ଲଗ୍ନ ଉତ୍ତମ । ବୃଷ, କର୍କଟ, ସିଂହ, ମୀନ- ସାଧାରଣ ଶୁଭ । ମେଷ, ବିଛା, ମକର, କୁମ୍ଭ ଅଶୁଭ ।
ଯଦି ବିବାହ ସମୟକୁ କନ୍ୟା, ତୁଳା, ମିଥୁନ ଲଗ୍ନ ପରି ଶୁଭଲଗ୍ନ ପଡ଼ିବ ନାହିଁ ତାହାହେଲେ ଉଦ୍ଦିଷ୍ଟ ଲଗ୍ନକୁ ନଅଭାଗ କରି ନବାଂଶ ଚକ୍ର ପ୍ରସ୍ତୁତ କରି ଉପରୋକ୍ତ ଲଗ୍ନ ନିର୍ଦ୍ଧାରଣ କଲେ ସମସ୍ତ ପ୍ରକାର ଶୁଭଫଳ ମିଳିପାରିବ ।
ପୂର୍ବରୁ କୁହାଯାଇଛି କନ୍ୟାର ଗୁରୁଶୁଦ୍ଧି, ବରର ରବିଶୁଦ୍ଧି ଓ ଉଭୟଙ୍କର ଚନ୍ଦ୍ରଶୁଦ୍ଧି ଆବଶ୍ୟକ । ଗୋଚରରେ ବର ବା କନ୍ୟାର ରାଶିଠାରୁ ବିଚାର କରାଯାଏ ।
ଗୋଚର ରବି:
୩ୟ, ୬ଷ୍ଠ, ୧୦ମ, ୧୧ଶ – ଶୁଭ
୧ମ, ୨ୟ, ୫ମ, ୭ମ, ୯ମ – ସାମାନ୍ୟ ଅଶୁଭ
୪ର୍ଥ, ୮ମ, ୧୨ଶ – ଅତି ଅଶୁଭ
ଗୋଚର ବୃହସ୍ପତି :
୨୫, ୫ମ, ୭ମ, ୯ମ ଓ ୧୧ଶ ଶୁଭ
୧ମ, ୩ୟ, ୬ଷ୍ଠ, ୧୦ମ ସ୍ୱ ହେଲେ ସାମାନ୍ୟ ଅଶୁଭ
୪ର୍ଥ, ୮ମ, ୧୨ଶ- ଅଶୁଭପ୍ରଦ
ଗୋଚର ଚନ୍ଦ୍ର:
୧ମ, ୩ୟ, ଷଷ୍ଠ, ୭ମ, ୧୦ମ, ୧୧ଶ- ଶୁଭ
୨ୟ, ୫ମ, ୯ମ ଓ ୧୩ଶ ସାମାନ୍ୟ ଅଶୁଭ
୪ର୍ଥ, ୮ମ, ଅଶୁଭ, କୃଷ୍ଣପକ୍ଷରେ ୪ର୍ଥ, ୧୦ଶ ଶୁଭ
ଶୁକ୍ଳପକ୍ଷରେ ୨ୟ, ୫ମ, ୯ମ କଲ୍ୟାଣ ଚନ୍ଦ୍ର
ନବାଂଶ ଚକ୍ର | |||||||||
ରାଶି/ଲଗ୍ନ | ୧ | ୨ | ୩ | ୪ | ୫ | ୬ | ୭ | ୮ | ୯ |
୩°-୨୦‘ | ୬°-୪୦‘ | ୧୦° | ୧୩°-୨୦‘ | ୧୬°-୪୦‘ | ୨୦° | ୨୩°-୨୦‘ | ୨୬°-୪୦‘ | ୩୦° | |
ଧନୁ, ସିଂହ, ମେଷ | ମେଷ | ବୃଷ | ମିଥୁନ | କର୍କଟ | ସିଂହ | କନ୍ୟା | ତୁଳା | ବିଛା | ଧନୁ |
ମକର, କନ୍ୟା, ବୃଷ | ମକର | କୁମ୍ଭ | ମୀନ | ମେଷ | ବୃଷ | ମିଥୁନ | କର୍କଟ | ସିଂହ | କନ୍ୟା |
କୁମ୍ଭ, ତୁଳା, ମିଥୁନ | ତୁଳା | ବିଛା | ଧନୁ | ମକର | କୁମ୍ଭ | ମୀନ | ମେଷ | ବୃଷ | ମିଥୁନ |
ମୀନ, ବିଛା, କର୍କଟ | କର୍କଟ | ସିଂହ | କନ୍ୟା | ତୁଳା | ବିଛା | ଧନୁ | ମକର | କୁମ୍ଭ | ମୀନ |
ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ ସାଧାରଣ ଲୋକ ବୁଝି କାମରେ ଲଗାଇପାରିବା ଭଳି ଏକ ପାଞ୍ଜି- ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ, ଭୁବନେଶ୍ୱର ‘ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା’ ପ୍ରକାଶ କରିଛନ୍ତି । ଏଥିରେ ଦୈନିକ ୧୨ଟି ଲଗ୍ନର ଭୋଗକାଳ ଓ ଗ୍ରହସ୍ଥିତି ଏବଂ ରାଶିଚକ୍ର ପ୍ରଦତ୍ତ ହୋଇଅଛି । ସାଧାରଣ ଲୋକ ଏକ ମିନିଟ୍ରେ ନବଜାତକ ଶିଶୁର ଜାତକ ତଥା ପ୍ରଶ୍ନ ବିଚାର ପାଇଁ ତତ୍କାଳୀକ ଜାତକ ପ୍ରସ୍ତୁତ କରିପାରିବେ । ଚନ୍ଦ୍ର, ରବି, ବୃହସ୍ପତି ଶୁଭାଶୁଭ ତଥା ତିଥି, ବାର, ନକ୍ଷତ୍ର, ଯୋଗ, କରଣ ସଜ୍ଜିତ ହୋଇ ଲେଖାଯାଇଛି ଯାହା ସାଧାରଣ ବ୍ୟକ୍ତିଙ୍କର ବୋଧଗମ୍ୟ ।