ପୂଜା ଏବଂ ଭୋଗ ପରେ ଭକ୍ତଗଣ ପ୍ରସାଦ ଖାଇଲେ ଏବଂ ପାହାଡ ତଳକୁ ଚାଲିଆସିଲେ । ସେତେବେଳକୁ ରାତ୍ରି ଆସନ୍ନ । ବ୍ରାହ୍ମଣ କିନ୍ତୁ ପୂଜା ଢାଳଟି ଉପରେ ଛାଡ଼ି ଆସିଥିବାରୁ ଅଧାବାଟରୁ ଫେରି ଉପରକୁ ଗଲା, ଯାଇ ଦେଖିଲା- ଠାକୁରାଣୀ ନିଜ ପରିବାର ସହ ଭୋଜନରେ ବସିଛନ୍ତି । ପୂଜାରୀ ଉପରେ ନଜର ପଡ଼ିବାରୁ ଦେବୀ ବିରକ୍ତ ପ୍ରକାଶ କରି ଢାଳଟିକୁ ଫିଙ୍ଗିଦେଲେ । କହିଲେ- ଆଉ ଏ ସ୍ଥଳୀକୁ ଆସିବୁ ନାହିଁ । ଏ ଢାଳ ଗଡ଼ି ଗଡ଼ି ଯାଇ ଯେଉଁଠି ପଡ଼ିବ, ସେଠି ଖଣ୍ଡେ ପଥର ଥୋଇ ମୋ’ ନାମରେ ପୂଜା କରିବୁ ।
ଧରାକୋଟ ନିକଟସ୍ତ ପାହାଡର ପାଦଦେଶରେ ବନଦେବୀଙ୍କ ଆସ୍ଥାନ । ତାଙ୍କୁ ନିତି ସୁମରଣା କରି ଲୋକେ ଜଙ୍ଗଲ ଭିତରକୁ କାଠ, ଫୁଲ, ଫଳ ଏବଂ ପତ୍ର ଆଦି ସଂଗ୍ରହ କରିବାକୁ ଯାଆନ୍ତି । ସେମାନେ ଯେଝା କାମରେ ସଫଳ ହୋଇ ଫେରନ୍ତି ।
ଦିନକର କଥା, ଜଣେ କାଠୁରିଆ, କାଠ କାଟିବାକୁ ବଣକୁ ଗଲା । ତା’ ଯିବା ବାଟରେ ପଡ଼ିଲା ପାତାଳେଶ୍ୱରୀ ଦେବୀଙ୍କ ମନ୍ଦିର । କିନ୍ତୁ କାଠୁରିଆ ଦେବୀଙ୍କୁ ପ୍ରଣାମ କି ସମ୍ମାନ ନଜଣାଇ ବନ ଭିତରକୁ ଗଲା । ବଣରେ ସେ ଏକ ଶୁଖିଲା ଗଛକୁ କାଟୁଥାଏ, ହଠାତ୍ ଏକ ବିଷାକ୍ତ ସର୍ପ ତାକୁ କାମୁଡ଼ି ଦେଲା । ତତ୍କ୍ଷଣାତ୍ ସେ ମୂର୍ଚ୍ଛାହତ ହୋଇ ତଳେ ପଡ଼ିଗଲା । ବଣକୁ ଯାଇଥିବା ଅନ୍ୟ କେତେକ ଲୋକ ତାକୁ ଉପର ପାହାଡରୁ ତଳକୁ ଟେକି ନେଇଆସିଲେ । ପାତାଳେଶ୍ୱରୀଙ୍କ ଚରନ୍ଦକ (ଚରଣ ଉଦକ) ଏବଂ ବେଲପତ୍ର ତାକୁ ଖୁଆଇ ଦେଲେ । କିଛିକ୍ଷଣ ପରେ ସେ ଲୋକଟି ଉଠିବସିଲା । ନିଜର ଭୁଲ୍ ବୁଝିପାରିଲା । ପାତାଳେଶ୍ୱରୀଙ୍କୁ ସୁମରଣା କଲା । ତାଙ୍କ ନିକଟରେ ସେ ପରେ ମୁଅାଁଭୋଗ କରି କଳାଶାଢ଼ି ମଧ୍ୟ ଦେଲା । ଦେବୀଙ୍କର ସେ ଜଣେ ବଡ଼ ଭକ୍ତ ପାଲଟିଗଲା ।
ସେଠାକାର ବଡ଼ ଶୂଳିଆ ପାହାଡ଼ ଉପରେ ଘନ ଅରଣ୍ୟ, ସେଠି ବନଦୁର୍ଗା ବିଜେ କରିଛନ୍ତି । ପାତାଳେଶ୍ୱରୀଙ୍କ ସେ ଭଉଣୀ ଅଟନ୍ତି । ସେ ତାଙ୍କ ଭଉଣୀଙ୍କ ନିକଟକୁ ସବୁଦିନ ବୁଲିବାକୁ ଯାଆନ୍ତି । ଦୁହେଁ ଏକତ୍ର ବନ ମଧ୍ୟରେ ଭ୍ରମଣ କରି ନାନା ଫୁଲ, ଫୁଳ ତୋଳନ୍ତି ଏବଂ ଖାଆନ୍ତି ।
ଏକଦା ଜଣେ କନ୍ଧଲୋକ ମଧ୍ୟାହ୍ନ ବେଳକୁ କାଠ କାଟିବା ପାଇଁ ଯାଉଥିଲା । ଦେଖିଲା, ଅରଣ୍ୟ ମଧ୍ୟରେ ବୃକ୍ଷଛାଇ ତଳେ ଦୁଇ ଭଉଣୀ ବସି ଫୁଲହାର ଗୁନ୍ଥିବାରେ ଲାଗିଛନ୍ତି । କନ୍ଧ ଭୀତତ୍ରସ୍ତ ହୋଇ ଆଉ କାଠ ସଂଗ୍ରହ କରିବ କ’ଣ, ପାହାଡ଼ ତଳକୁ ଫେରିଆସିଲା, ମନ୍ଦିର ଭିତରକୁ ଯାଇ ଦେଖିଲା- ସତକୁ ସତ ଭିତରେ ପାତାଳେଶ୍ୱରୀ ନାହାନ୍ତି । ଆସନ ଶୂନ୍ୟ ପଡ଼ିଛି ।
ମନ୍ଦିରର ପୂଜକଙ୍କୁ ସେ ଯାଇ ଏ କଥା କହିଲା । ବ୍ରାହ୍ମଣ ମଧ୍ୟ ସଙ୍ଗେ ସଙ୍ଗେ ଆସି ଦେଖିଲା- ପାତାଳେଶ୍ୱରୀ ସେତେବେଳକୁ ଫେରିଆସିଛନ୍ତି… ତାଙ୍କ ମୁଣ୍ଡ ଏବଂ ଗଳାରେ ସୁବାସିତ ବନ୍ୟପୁଷ୍ପ ମାଳା ଶୋଭା ପାଉଛି । ଠାକୁରାଣୀଙ୍କର ଫୁଲ ପ୍ରତି ଏତେ ଶ୍ରଦ୍ଧା ଦେଖି ସେହିଦିନଠାରୁ ପୂଜକ ବିଭିନ୍ନ ଜାତିର ସୁନ୍ଦର ସୁବାସିତ ଫୁଲ ଆଣି ଦେବୀଙ୍କ ପୂଜାଆରାଧନା କରିବାରେ ଲାଗିଲା ।
ଶୁଣାଯାଏ- ଦେବୀଙ୍କ ନାରୀ ରୂପକୁ ବହୁଲୋକ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ।
ଦିନେ ପ୍ରଚଣ୍ଡ ଖରାବେଳେ ଚତୁର୍ଦ୍ଦିଗ ନିର୍ଜ୍ଜନ ଥାଏ । ସବୁଆଡ ନିସ୍ତବ୍ଧ । ଜଣେ ଲୋକ ସେତିକି ବେଳେ ବନ୍ୟ ଝରଣା ଆଡକୁ ଯାଉଥାଏ । ଦେଖିଲା, ଠାକୁରାଣୀ ପାତାଳେଶ୍ୱରୀ ଆଲୁଳାୟିତ କେଶା ହୋଇ ଅରଣ୍ୟ ଦିଗରେ ଗମନ କରୁଛନ୍ତି । ଉଦ୍ବେଗ ଓ ଭୟରେ ସେ ଆଖିବୁଜି ଦେଲା । ସେହିଦିନଠାରୁ ମଧ୍ୟାହ୍ନବେଳେ କେହି ଦେବୀଙ୍କ ଆସ୍ଥାନ ଆଡକୁ ଯାଆନ୍ତି ନାହିଁ । କାରଣ ସେତେବେଳେ ଠାକୁରାଣୀ ନାରୀ ରୂପ ଧାରଣ କରି ଚାଲବୁଲ କରିବା ସହ ଫୁଲଫଳ ତୋଳନ୍ତି । ବେଳେବେଳେ ଝରଣା ଜଳରେ ସ୍ନାନ କରିଥାନ୍ତି । ଆଉ କେବେ କେବେ ରାତ୍ରି ସମୟରେ ନିକଟସ୍ଥ ଲୋକେ, ମାତା ପାତାଳେଶ୍ୱରୀ ବନଦୁର୍ଗାଙ୍କ କଥାଭାଷା ଏବଂ ହସ ଶୁଣିଥିବା କଥା କହିଥାନ୍ତି । ଦୁଇ ଭଉଣୀ ନୃତ୍ୟ ମଧ୍ୟ କରନ୍ତି । ନୃତ୍ୟ ବେଳେ ଘୁଙ୍ଗୁରର ଶବ୍ଦ ମଧ୍ୟ ଶୁଭିଥାଏ ।
ଏକଦା ଗ୍ରୀଷ୍ମଋତୁରେ ପାତାଳେଶ୍ୱରୀଙ୍କ ମନ୍ଦିର ସନ୍ନିକଟରେ ବହିଯାଉଥିବା ଝରଣାଟି ଶୁଖିଯାଇଥିଲା । ବ୍ରାହ୍ମଣ ସ୍ୱଳ୍ପ ମାତ୍ରାରେ ପାଣି ନେଇ ଦେବୀଙ୍କୁ ସ୍ନାନ କଲା । ମଧ୍ୟାହ୍ନବେଳକୁ ଠାକୁରାଣୀଙ୍କୁ ଖୁବ୍ ଶୋଷ ଲାଗିଲା । ସ୍ୱୟଂ ଦେବୀ ଜଣେ ବୁଢ଼ୀ ବେଶରେ, କନ୍ଧବୁଢ଼ୀ ଘରଦୁଆର ମୁହଁରେ ଯାଇ ଡାକିଲେ । ସେ ଗୋଟିଏ ଢାଳରେ ପାଣି ନେଇ ଦାଣ୍ଡକୁ ଗଲା, ଠାକୁରାଣୀ କହିଲେ- ତୁ ପାଣି ଢାଳ ମୁଁ ଆଞ୍ଜୁଳା କରି ପାଣି ପିଇବି । କନ୍ଧୁଣୀବୁଢ଼ୀ ଠାକୁରାଣୀଙ୍କ ହାତ ଆଞ୍ଜୁଳାକୁ ପାଣି ଗଡେଇଲା, ଠାକୁରାଣୀ ତାହା ପିଇସାରି କହିଲେ- ବୁଢ଼ୀ! ତୁ ଏ ଢାଳକୁ ଏତେ ମଇଳା ଅସନା କରିଛୁ କାହିଁକି? ସଫା କରୁନୁ? ବୁଢ଼ୀ କହିଲା- ବେଳ ହେଉନାଇଁ, ପୁଅକୁ ମୋର ଜର ହୋଇଚି, ଆଜକୁ ଦଶଦିନ ହେଲା ଶେଯରେ ପଡ଼ିଚି ।
ଏହା ଶୁଣି ଠାକୁରାଣୀ ହସି ହସି କହିଲେ- ହଉ, ଜର ତୋ’ ପିଲାର ଭଲ ହୋଇଯିବ । ଦୁଇଟା ବେଲପତ୍ର ଆଣି ପାତାଳେଶ୍ୱରୀଙ୍କ ନାଁରେ ଖୁଆଇଦେବୁ । ଠାକୁରାଣୀ ପିଣ୍ଡା ଉପରେ ବସିଥାନ୍ତି, କନ୍ଧବୁଢ଼ୀ ଖାଲି ଢାଳକୁ ନେଇ ଘର ଭିତରକୁ ଗଲା । ଢାଳଟାକୁ ତଳେ ଥୋଇ ଦେଖିଲା- କେଡେ ପରିଷ୍କାର ହୋଇ ଚିକ୍ ଚିକ୍ କରୁଛି, ଭାବିଲା, ସେ ବୁଢ଼ୀ ଢାଳଟାକୁ ସଫା କରିଦେଲା ନା କ’ଣ? ପଚାରିବ ବୋଲି ବାହାରକୁ ଆସି ଦେଖେ ତ ବୁଢ଼ୀ ବେଶରେ ବସିଥିବା ଠାକୁରାଣୀ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି… ଆଖପାଖ କେଉଁଠି ହେଲେ ଦେଖାଯାଉନାହାନ୍ତି । ବଡ଼ ଉଦ୍ବେଗ ମାନସରେ କନ୍ଧବୁଢ଼ୀ ଧାଇଁଗଲା ପାତାଳେଶ୍ୱରୀଙ୍କ ମନ୍ଦିରକୁ । ସାଷ୍ଟାଙ୍ଗ ହୋଇ ପଡ଼ି କହିଲା- ମା’ , ତୁମେ ନିଜେ ଯାଇଥିଲ । ମୁଁ ବଡ଼ ପାପୀ । ଚିହ୍ନି ପାରିଲିନି । ମୋତେ କ୍ଷମା କର ମା’!
ବୁଢ଼ୀ ଅନୁଭବ କଲା- କେହି ଯେମିତି ତାକୁ କହୁଛି- ଉଠ୍, ଉଠ୍, ତା’ ସାମ୍ନାରେ ଦୁଇଟି ସିନ୍ଦୂର ଲଗା ବେଲପତ୍ର ଥୁଆ ହୋଇଛି, ବୁଢ଼ୀ ଖୁବ୍ ଆନନ୍ଦରେ ବେଲପତ୍ରକୁ ଆଣି ପୁଅକୁ ଖୁଆଇ ଦେବାରୁ ତା’ ଜ୍ୱର ଛାଡ଼ିଗଲା ।
ପୂର୍ବରୁ ପାତାଳେଶ୍ୱରୀ ଠାକୁରାଣୀ ବଡ଼ ଶୂଳିଆ ପର୍ବତ ଉପରେ ରହୁଥିଲେ । ସତୁରି ଅଶୀ ବର୍ଷ ପୂର୍ବେ ରାଜାଙ୍କ ତରଫରୁ ଦେବୀଙ୍କ ମଣ୍ଡପରେ ପୂଜା ଏବଂ ଭୋଜି ହୋଇଥିଲା । ପୂଜା ଏବଂ ଭୋଗ ପରେ ଭକ୍ତଗଣ ପ୍ରସାଦ ଖାଇଲେ ଏବଂ ପାହାଡ ତଳକୁ ଚାଲିଆସିଲେ । ସେତେବେଳକୁ ରାତ୍ରି ଆସନ୍ନ । ବ୍ରାହ୍ମଣ କିନ୍ତୁ ପୂଜା ଢାଳଟି ଉପରେ ଛାଡ଼ି ଆସିଥିବାରୁ ଅଧାବାଟରୁ ଫେରି ଉପରକୁ ଗଲା, ଯାଇ ଦେଖିଲା- ଠାକୁରାଣୀ ନିଜ ପରିବାର ସହ ଭୋଜନରେ ବସିଛନ୍ତି । ପୂଜାରୀ ଉପରେ ନଜର ପଡ଼ିବାରୁ ଦେବୀ ବିରକ୍ତ ପ୍ରକାଶ କରି ଢାଳଟିକୁ ଫିଙ୍ଗିଦେଲେ । କହିଲେ- ଆଉ ଏ ସ୍ଥଳୀକୁ ଆସିବୁ ନାହିଁ । ଏ ଢାଳ ଗଡ଼ି ଗଡ଼ି ଯାଇ ଯେଉଁଠି ପଡ଼ିବ, ସେଠି ଖଣ୍ଡେ ପଥର ଥୋଇ ମୋ’ ନାମରେ ପୂଜା କରିବୁ ।
ସେହି ଢାଳଟି ଗଡ଼ି ଗଡ଼ି ଯାଇ ସାନ ଶୂଳିଆ ପାହାଡ଼ର ପାଦଦେଶରେ ପଡ଼ିଲା । ସେହିଦିନୁ ସେଠାରେ ପଥର ଖଣ୍ଡିଏ ରଖି ପୂଜା ଆରାଧନା ହେଲା । ସେଠାରେ ଝରଣାଟିଏ ବହିଯାଉଛି, ପାତାଳେଶ୍ୱରୀଙ୍କ ଆସ୍ଥାନ ବୋଲି ଭକ୍ତମାନେ ବିଶ୍ୱାସ ରଖି ସେଠାକୁ ଯାତାୟାତ କରୁଛନ୍ତି ।