ଦି’ ଦିନ ହେଲା ବଡ଼ ଛଟପଟ ଲାଗୁଥିଲାରେ ବାପା । ଆଜି ସକାଳ ପହରୁ ଲାଗୁଥିଲା ଯେମିତି ତୁ ଆସୁଛୁ । ଆଉ ନିଦ କ’ଣ ହେବ? ସଡ଼କ ଆଡ଼େ ଅନେଇ ମୁଁ ବସିଥିଲି । କଥା କହୁଥାଏ । ମା’ ଆଖିରୁ ଗଳଗଳ ହୋଇ ଲୁହ ବହିଯାଉଥାଏ- ଶ୍ରାବଣର ଶେଷହୀନ ବର୍ଷାଧାର ପରି ଲୁହ । ଟଳଟଳ ବନ୍ଧ ଅଟକେଇ ଭିତରର କାନ୍ଦଣାକୁ ରୋକିବାକୁ ଚେଷ୍ଟା କରୁଥାଏ ଦେବୁ । ଗୁଣୁଗୁଣୁ ହେଉଥାଏ ମନକୁ ମନ । କେତେ ଦିନ ହେଲାଣି ମୁଁ ତତେ ଦେଖି ନଥିଲି ଲୋ ମା’ । ଏବେ ଆଉ ଅସହାୟ କ୍ଲାନ୍ତି ନାହିଁ, ନାହିଁ ବି ଅର୍ଥହୀନ ବିରକ୍ତି, ଚାରିପଟର ମାଟିପାଣି, ଆକାଶ ବତାସ, ଆଲୁଅ ଅନ୍ଧାର, ଗଛବୃଛ ସବୁକିଛି ଲାଗୁଛି ସହଜ ଓ ସୁନ୍ଦର ।
କଥାଟା ଏମିତି ନୁହେଁ ଯେ, ରାତିର ଏଇ ମଝି ସମୟଟାରେ ମହାନଗରୀର ରାସ୍ତା ଶୂନ୍ଶାନ୍ ଥିବ ବୋଲି ସେ ଭାବିଥିଲା । କିନ୍ତୁ ତଥାପି ଗହଳିର ସାନ୍ଦ୍ରତା ଦେଖି ସେ ବିବ୍ରତ ଓ ଚକିତ ହେଲା । ମହାନଗରୀ ତ ମହାନଗରୀ, ଆଜିକାଲି ଛୋଟ ଛୋଟ ସହରରେ ବି ଚାହା ପାନର ଦୋକାନ ଖୋଲା ରହୁଛି ରାତିସାରା । ଠିକ୍ କଥା… ଯେ… ତା’ ବୋଲି ଏତେ ବେଶି ଲୋକ, ଏମିତି ଧାଁ ଦଉଡ଼ ଯେ ଟ୍ରାଫିକ୍ ବି ନାକେଦମ୍ ହେଉଥିବ ଷ୍ଟେସନ ପାଖ ରାସ୍ତାରେ… ଏକଥା ତା’ କଳ୍ପନାର ବାହାରେ ଥିଲା । କିଏ ଜଣେ ନେତା ଫେରୁଛନ୍ତି ପରା… । ତାଙ୍କର ଉନ୍ମାଦ ଓ ଉଦ୍ଧତ ସମର୍ଥକମାନଙ୍କର ଶକ୍ତିଶାଳୀ ଭିଡ଼ରେ ଭୟଙ୍କର ପରିସ୍ଥିତି ।
ଷ୍ଟେସନ ପାଖ ମୁଖ୍ୟ ରାସ୍ତାରୁ ବାମପଟକୁ କାଟି ଗୋଟାଏ ଗଳି ଭିତରେ ଗାଡ଼ି ପୂରେଇ ଦେଇ ସେ ଥକ୍କା ହୋଇ ବସିଗଲା । ଝରକା କାଚ ତଳକୁ ଖସେଇ ଦେବାରୁ ଥଣ୍ଡା ପବନ ବାଜି ଆରାମ ଲାଗିଲା ସତ, କିନ୍ତୁ ମୁଣ୍ଡ ଭିତରର ରୁଗୁରୁଗୁ ଯେ କମିବାର ନାଁ ଧରୁନି । କ’ଣ କରିବ ସେ, କୁଆଡ଼େ ଯିବ… କି ଉପାୟ କଲେ ଟିକିଏ ଶାନ୍ତି ଲାଗିବ, ବୁଝାପଡୁନି । ବୁଝା ପଡୁନି ବୋଲି ଛଟପଟ ଲାଗୁଛି ।
ସୁଗାର ନର୍ମାଲ ଅଛି, ବ୍ଲଡ୍ ପ୍ରେସର ସାମାନ୍ୟ ନୀଚାରେ ଅଛି- ଭଲ ଲକ୍ଷଣ । ଚିନି ଲୁଣ ପାଣି ପିଇ ଚାଲିଲେ ନିୟମିତ, ସେଇଟା ଆସି ଠିକ୍ ଜାଗାରେ ପହଞ୍ଚିଯିବ ।
ଥାଇରୟଡ୍, ଅଗ୍ନିମାନ୍ଦ୍ୟ, କୋଷ୍ଠକାଠିନ୍ୟ, ରୁମାଟିଜିମ୍, ଅଧାକପାଳୀ କି ଶ୍ୱାସ ଭୋଗୁନି ସିଏ, ସୁସ୍ଥ ସମର୍ଥ, କର୍ମଠ ଓ ବଳିଷ୍ଠ ଶରୀର । ଆର୍ଥିକ ନିରାପତ୍ତା କି ସାମାଜିକ ମର୍ଯ୍ୟାଦା- କେଉଁଥିଲେ କିଛି ଅସୁବିଧା ନାହିଁ । ତିନିମାସ ତଳେ ଚତୁର୍ଥ ଥର ପାଇଁ ବିଦେଶ ଯାଇ ଫେରିଛି । ଏବେ, ଖୁବ୍ଶୀଘ୍ର ବହୁ ପ୍ରତୀକ୍ଷିତ ପ୍ରମୋଶନ ବି ମିଳିଯିବ ବୋଲି ଆଭାସ ଇଙ୍ଗିତରେ ଜଣେଇ ଦେଲେଣି ଅଥରିଟି… । ତଥାପି କ’ଣ କେଉଁଠି ଅସୁବିଧା ତା’ର, କାହିଁକି ଏ ଅସହନୀୟ କ୍ଲାନ୍ତି, ହଠାତ୍ କାହିଁକି ପତଳା ଲାଗୁଛି ଛାତି.. ଖାଦ୍ୟରୁ ହଜି ଯାଉଛି ସ୍ୱାଦ??
ଗାଡ଼ିର ଡ୍ୟାସବୋର୍ଡ ଉପରେ ସରସର ହୋଇ ଧାଇଁ ବୁଲୁଥିବା ଜିପିଏସ୍ର ନୀଳ ବିନ୍ଦୁଟିକୁ ଅନ୍ୟମନସ୍କ ହୋଇ ଦେଖୁ ଦେଖୁ ସେ ବୁଝିପାରିଲା ଯେ, ନିଜ ଗତିର ମନ୍ଥରତାକୁ ହିଁ ମୁଗ୍ଧ ହୋଇ ଦେଖୁଛି ସେ ଅନେକ ସମୟ ଧରି । ସତେ ତ… ସେ ନିଜେ ହିଁ ଗୋଟେ ନୀଳ ବିନ୍ଦୁ ହୋଇ ଦଉଡୁଛି ମହାନଗରୀର ରାସ୍ତାରେ ରାସ୍ତାରେ… । ନିଜ ଅଜାଣତରେ କେବେଠାରୁ ଏମିତି କେବେ ଗୋଟିଏ ନିଃସଙ୍ଗ ବିନ୍ଦୁ, କେବେ ନିର୍ଜନ ରେଖାଟିଏ କେବେ ଅନାତ୍ମୀୟ ଗୋଟିଏ ସଂଖ୍ୟାତ କେବେ ପୂର୍ଣ୍ଣ ଅପରିଚିତ ଇମୋଜିଟିଏ ହୋଇ ବଞ୍ଚୁଛି ସେ । ଠିକଣା ନାଁରେ କେତେଟା ଅକ୍ଷର ଓ ସଂଖ୍ୟାର ଗୋଟେ ଖୋପ ଭିତରକୁ କିଛି ସମୟ ପାଇଁ ଫେରିଆସୁଛି ସିନା ସାମୟିକ ବିସ୍ମୃତି ଓ ସୀମାବଦ୍ଧତା ପାଇଁ, ବାକି ସମୟତକ ତ ମାସ ମାସ ଧରି ସେ କେବଳ ବିସ୍ତାରିତ ହୋଇ ଚାଲିଛି, ନିଜର ବିକ୍ରୟ ମୂଲ୍ୟକୁ ବଢ଼େଇ ବଢ଼େଇ ଚାଲିଛି ଅଣନିଃଶ୍ୱାସୀ ହୋଇ ।
ଏବେ ଶୋଷ ଲାଗୁଛି । ଗାଡ଼ି ଭିତରେ ହାତପାଆନ୍ତାରେ ପାଣିବୋତଲ ରହିଥାଏ ସବୁବେଳେ । ଏଇନା ବି ଥିଲା । ସେ ବୋତଲ ଟେକି ପାଣି ପିିଇଲା, ମାତ୍ର ଦି’ ଢୋକ ।
ଆଜି ପାଣି ପିଇ ହେଲା । ସବୁଦିନ ପିଇ ହୁଏନା । ଗାଡ଼ିରେ ଅଫିସ୍ରେ, ଏୟାର୍ପୋର୍ଟରେ, କନଫରେନ୍ସ ହଲ୍ରେ, ଷ୍ଟଡ଼ିରୁମ୍ରେ- ସବୁଠି ପାଣି ଥାଏ । କିନ୍ତୁ ଶୋଷ ହୋଇ ଶୋଷ ମରିଯାଏ- ପାଣି ବି ପିଇ ହୁଏନା ସବୁବେଳେ ।
ଜିଦ୍ଖୋର ଓ ବିରକ୍ତିକର କ୍ଲାନ୍ତିରୁ ମୁକ୍ତି ପାଇବାକୁ ମାସେ ହେଲା ସେ ସୁଇମିଂ କ୍ଲାସ୍ରେ ଜଏନ୍ କରିଛି । ଅଫିସ୍ ବାହାରିବା ପୂର୍ବରୁ କେଉଁଦିନ ଅଧଘଣ୍ଟାଏ ତ କେଉଁଦିନ କୋଡ଼ିଏ ମିନିଟ୍, ସୁବିଧା କରି ପହଁରି ପାରିଲେ ବଡ଼ ଆରାମ ଲାଗେ ଦିନଟା କିନ୍ତୁ ତା’ ଦ୍ୱାରା ସମସ୍ୟାର ସ୍ଥାୟୀ ସମାଧାନ ହୁଏନାହିଁ, ବରଂ କୁହାଯାଇପାରେ ଯେ, ତା’ ଯେମିତି ପେନ୍କିଲର ବଟିକାର ପ୍ରଭାବ- ସମସ୍ୟାର ମୂଳଟି ଉତ୍ପାଟିତ ହୋଇଯାଏ ନାହିଁ, ହୋଇପାରେ ନାହିଁ ।
ଏମିତି ହେଲାଣି ପାଖାପାଖି ଚାରିମାସ । ପ୍ରଥମେ ସୁନୟନା ହିଁ କହିଲା- ଏତେ ଶୁଖିଲା କାହିଁକି ଦିଶୁଛ ତମେ, କ’ଣ ଦେହ ଖରାପ ଲାଗୁଛି କି, ଡାକ୍ତରଙ୍କ ପାଖକୁ ଯାଅ ।
ଝିଅ ପଚାରିଲା- ତମକୁ ରାତିରେ ନିଦ ହେଉନି କି ବାବା, ତମେ ଦିନେ ଦିନେ ଏତେ ରାତିରେ କୁଆଡ଼େ ଯାଉଛ ବୁଲିବାକୁ?
ଅଫିସ୍ରେ ପିଏ ତା’ ଆଡୁ ଅନୁରୋଧ କଲା- ଆପଣ ଯଦି ଘରକୁ ଫେରିଯିବାକୁ ଚାହୁଁଛନ୍ତି ତ, ଯାଆନ୍ତୁ ସାର୍ । ବିଶ୍ରାମ ନେଇଯିବେ ଟିକେ । ମୁଁ ତ ଅଛି, ବାକି ଏପଟର କଥା ମୁଁ ସମ୍ଭାଳି ନେବି ।
ଏମିତିକି ଶେଷରେ ବସ୍ ବି ଆଶ୍ୱାସନା ଦେଲେ-
କିଛି ସମସ୍ୟା ଥିଲେ ଆପଣ ମୋ ସହ ଆଲୋଚନା କରିପାରନ୍ତି । ପ୍ରତିଥର ହସି ଦେଇ ସେ ଉତ୍ତର ଫେରେଇଛି ଯେ, ନା ସବୁକିଛି ଠିକ୍ଠାକ୍ ଅଛି । କିନ୍ତୁ ନିଜକୁ କ’ଣ କହି ସେ ଭୁଲେଇଦେବ ।
କାହିଁକି ଯେ ଏତେ ଉଦାସ ଉଦାସ ଲାଗୁଛି । ଚାରିପଟର ଦୁନିଆଟା ଯେମିତି ଦୂଷିତ ଓ ବିଷାକ୍ତ, ଅସହଜ ଓ ଅବାସ୍ତବ…
ବିଛଣାରେ ପଡ଼ିରହିଥିବ ଅଥଚ ନିଦ ଆସୁନଥିବ ଆଖିକୁ, ରାତିରେ ଗାଡ଼ି ଚଳଉ ଚଳଉ ହଠାତ୍ ଲାଗିବ ଯେମିତି କୋଉଠି କ’ଣ ଛାଡ଼ି ଦେଇ ଆସିଛି । କିନ୍ତୁ ସେଇ ଛାଡ଼ି ଦେଇଆସିଥିବା ଜିନିଷଟା କ’ଣ ସେକଥା ତା’ର ମନେପଡୁ ନଥିବ । ତାର ସେଲ୍ଫୋନ୍, କ୍ରେଡିଟ୍ କାର୍ଡ, ଲାପଟପ୍, ସନ୍ଗ୍ଲାସ୍ ସବୁ ଠିକ୍ଠାକ୍ ରହିଥିବ ତା’ ନିକଟରେ । ଏମିତି ବି ହେଲାଣି କେତେଥର ଯେ ଗତକାଲି କ୍ଲୋଜ୍ କରିସାରିଥିବା ଫାଇଲ୍ ଖୋଲି ସେ ପୁଣି ସନେ୍ଦହରେ ଦ୍ୱିତୀୟବାର ଦେଖିନେଉଛି ଯେ କାମଟା ସତରେ ସରିଲା ନା ସରିନାହିଁ ପୂରାକୁ ପୂରା ।
ଗାଡ଼ି ବୁଲେଇ ପୁଣି ଘରକୁ ଫେରିବା ବେଳକୁ ଘଣ୍ଟାରେ ଆଉ ଗୋଟିଏ ଦିନ ଆରମ୍ଭ ହୋଇ ସେଥିରୁ ଅତିକ୍ରାନ୍ତ ହୋଇଗଲାଣି ପାଖାପାଖି ଦୁଇଘଣ୍ଟା । ତାକୁ ଅବଶ୍ୟ ବେଶି ଅସୁବିଧା ଲାଗୁନଥିଲା ଏଇଥିପାଇଁ ଯେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅଞ୍ଚଳରେ ରହିଥିବା ତା’ର ଆପାର୍ଟମେଣ୍ଟ ପାଖରେ ସବୁବେଳେ ଗହଳଚହଳ ରହିଥାଏ ।
ଆପାର୍ଟମେଣ୍ଟର ଗେଟ୍ କିପର ଗେଟ୍ ଖୋଲି ଦେଉ ଦେଉ ମୁଣ୍ଡ ଝୁଙ୍କେଇ ଅଭିବାଦନ ଜଣେଇଲା । ଜୋରଜବରଦସ୍ତ ହସଟେ ଫେରେଇ ଦେଇ, ପାର୍କିଂ ପ୍ଲେସ୍ରେ ଗାଡ଼ି ପାର୍କିଙ୍ଗ କରି, ଚୁପ୍ଚାପ ଯାଇ ନିଜ ଫ୍ଲାଟର ମେନ୍ଡୋର ଖୋଲି ସେ ଡ୍ରଇଂରୁମ୍ର ସୋଫା ଉପରେ ହିଁ ଶୋଇ ପଡ଼ିଲା ।
ଆଶା କରାଯାଉଥିବା ପରି ତାକୁ ନିଦ ଘୋଟିଆସିଲା ଖୁବ୍ ଶୀଘ୍ର, କିନ୍ତୁ ସେ ଘଣ୍ଟାଏ ଖଣ୍ଡେ ଶୋଇଥିବ କି ନାହିଁ, ତାକୁ ବିରକ୍ତ ଓ ବିଷାଦଗ୍ରସ୍ତ କରିଦେଇ, ବିନା କାରଣରେ ନିଦଟା ପୁଣି ଭାଙ୍ଗିଗଲା । ନିଜର ହତାଶାକୁ ହୁ’ଦସ୍ତ ଉଡେଇ ଦେବା ପାଇଁ ଅଣଓସାରିଆ ସୋଫାଟା ଉପରେ ଭିଡ଼ିମୋଡ଼ି ହୋଇ କଡ଼ ଲେଉଟେଇବା ବେଳକୁ ସେ ଜାଣିପାରିଲା ଯେ, ଡାଇନିଂ ଟେବୁଲ୍ ପାଖରେ ତା’ ଆଡକୁ ମୁହଁ କରି ବସିଛି ସୁନୟନା ।
ରାତି ଦଶଟାରେ ଶୋଇବାକୁ ଯାଇଥିଲା ଆଜି ସେ । ସୁନୟନା ହସି ହସି କହିଥିଲା, ସତରେ କ’ଣ ଏତେଶୀଘ୍ର ଆଜି ଶୋଇପଡ଼ିବ ତମେ?
ମତେ ଜର ଜର ଲାଗୁଛି, ଦିନସାରା ବହୁତ ଦଉଡ଼ିଛି ଆଜି । କାଲି ପଅରଦିନ ଗୁଡାଏ କାମ । ରେଷ୍ଟ ଦରକାର ମୋର । ଆଲୁଅ ତ ଲିଭେଇ ଦିଅ । ସୁନୟନା ଆଲୁଅ ଲିଭେଇ ଦେଇ ଅନ୍ଧାରରେ ଗପ ଶୁଣେଇବାକୁ ଆରମ୍ଭ କରିଦେଇଥିଲା ଅଝଟ ହେଉଥିବା ଝିଅକୁ ଶୁଆଇ ପକାଇବା ପାଇଁ ।
ଡାଇନିଂ ଟେବୁଲ୍ ପାଖରୁ ତାକୁ ଆଶ୍ଚର୍ଯ୍ୟଚକିତ ହୋଇ ଦେଖୁଥିବା ସୁନୟନାର ଆଖି ସାମ୍ନାରେ, କ’ଣ ଗୋଟାଏ ଅତି ଜରୁରୀ କଥା ମନେ ପଡ଼ିଯିବା ପରି ଡିଆଁମାରି ସେ ଉଠିବସିଲା । ବେସିନ ପାଖକୁ ଯାଇ ତରତରରେ ମୁହଁ ଧୋଇ ଦେଇ ତା’ପରେ ସେ ସିଧା ଯାଇ କମ୍ପୁ୍ୟଟର ଟେବୁଲ୍ ସାମ୍ନାରେ । ସୁନୟନା ତାକୁ କିଛି ନ କହି ନିରବରେ ଗଲା ଚାହା ବସେଇବା ପାଇଁ ରୋଷେଇ ଘରକୁ । ମୁହଁହାତ ଧୋଇ ଚାହା ଓ ସ୍ନାକ୍ସ ଆଣି ସୁନୟନା ତା’ ପାଖରେ ପହଞ୍ଚିବା ଭିତରେ, ସେ ଫ୍ରେସ୍ ହୋଇ, ପୋଷାକ ପିନ୍ଧି ବ୍ୟାକ୍ ପ୍ୟାକ୍ରେ ତା’ର ପୋଷାକ ଓ ଔଷଧ ଇତ୍ୟାଦି ଭରି ଘରୁ ବାହାରିବା ପାଇଁ ପ୍ରସ୍ତୁତ ହେଇଗଲାଣି । ଚା’ ପିଉ ପିଉ ନିଜକୁ କହିଲା ପରି ସେ କହୁଥାଏ- ଭୁବନେଶ୍ୱର ଫ୍ଲାଇଟ୍ର ଡିପାର୍ଚର ଟାଇମ୍ ଡେରି ଅଛି ଯେ, କିନ୍ତୁ ଚେକ୍ ଇନ୍ ପାଇଁ ଯଥେଷ୍ଟ ଆଗରୁ ପହଞ୍ଚିଯିବା ଭଲ । ଯାହାହେଉ ଟିକେଟ୍ ମିଳିଗଲା ସାଙ୍ଗେ ସାଙ୍ଗେ । ଅପ୍ରତ୍ୟାଶିତ ଭାବେ ଅଚାନକ ଏମିତି ଭୁବନେଶ୍ୱର ଯାତ୍ରା ବିଷୟରେ ସୁନୟନା କିଛି ପଚରାଉଚରା ଆରମ୍ଭ କରିବା ବା ବିଦାୟ ଦେବାକୁ ଦାଣ୍ଡଦୁଆର ଯାଏଁ ଆସିପାରିବା ପୂର୍ବରୁ ଲିଫ୍ଟରେ ତଳକୁ ଓହ୍ଲେଇ ଯାଇଥିଲା ସେ । ତାକୁ ଅପେକ୍ଷା କରି ତଳେ ଟାକ୍ସି ଠିଆ ହୋଇଥିଲା । ସୁନୟନାର ଆଖି ସାମ୍ନାରେ ତା’ ଟାକ୍ସି ପଛର ନାଲି ଆଲୁଅଟା ଝାପ୍ସା ହୋଇ ହୋଇ ବଡ଼ ରାସ୍ତାର ଗହଳି ଭିତରେ ମିଶିଗଲା କୁଆଡ଼େ ।
ଓଃ, ଉଡ଼ାଜାହାଜଟା ଟାକ୍ସିଂ ପାଇଁ ଏତେ ସମୟ ନେଉଛି କାହିଁକି? ତା’ର ଇଚ୍ଛା ହେଉ ଥାଏ ଯେମିତି ଉଡିଯାଆନ୍ତା ସେ ଆହୁରି ତୀକ୍ଷ୍ଣ ଆହୁରି ତୀବ୍ର ଗତିରେ । ସେ ପ୍ରାର୍ଥନା କରୁଥାଏ ଯେ, ତା’ର ଦେହଟା ଯେମିତି କେଉଁ କୁହୁକରେ ଗୋଟେ ତରଳ ସ୍ରୋତରେ ପରିଣତ ହୋଇଯାଆନ୍ତା ତ, ସେ ବୋହି ଯାଆନ୍ତା ନିଜ ଇଚ୍ଛାମତେ, ନିଜ ଇଚ୍ଛାର ଦିଗରେ, ନିଜ ଭୂମି ଆଡ଼େ ।
ଦୁଇଘଣ୍ଟାର ଉଡାଣ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଜାଣିଲା ଯେ, ଟ୍ରେନ୍ ଆସୁଛି ବିଳମ୍ବରେ ବିଳମ୍ବରେ । ରିଜରଭେସନ ନ ମିଳିବା ସତ୍ତ୍ୱେ ସେ ଟିକେଟ୍ କାଟିସାରିଥିଲା । ଏବେ ଲମ୍ବା ପ୍ରତୀକ୍ଷା । ରାସ୍ତାରେ ଜାଗାଏ କେଉଁଠି ଦୁର୍ଘଟଣା ଘଟିଛି ଓ ଆଉ ଜାଗାଏ ରାସ୍ତା ଡାଇଭର୍ଟ କରିଦିଆଯାଇଛି ଟ୍ରେନ୍ ଲାଇନ୍ ଧସିଯାଇଥିବାରୁ । ଯାହା ହେଉ ଟ୍ରେନ୍ ଆସିଲା ଓ ଖଚାଖଚ୍ ଭିଡ଼ ସତ୍ତ୍ୱେ, ତିନିଘଣ୍ଟା ସମୟ କେତେବେଳେ କଟିଗଲା ସେ ଜାଣିପାରିଲାନି ।
ଟ୍ରେନ୍ରୁ ଓହ୍ଲେଇ ଟାକ୍ସି କରିବାକୁ ପଡ଼ିଲା । ପୂରା ରାସ୍ତା ଟାକ୍ସିରେ ପାର ହେବା ସମ୍ଭବ ନଥିଲା । ହୀରାକୁଦ ବନ୍ଧର ତିରିଶଟା ଗେଟ୍ ଖୋଲା ଅଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି । ଏପଟେ ଅବଶ୍ୟ ଏତେ ଭୀଷଣ ବର୍ଷା ନାହିଁ, ତଥାପି ଶ୍ରାବଣ ସନ୍ଧ୍ୟାର ମେଘୁଆ ଅନ୍ଧାର ଢାଙ୍କି ରଖିଛି ପଶ୍ଚିମ ଆକାଶର ନିରବ ଆତସବାଜି ।
ଟାକ୍ସିବାଲା କହିଲା, ଦେଖନ୍ତୁ ସାର୍, ଯେତିକି ବାଟ ସମ୍ଭବ ସେତିକି ବାଟ ଯିବି ମୁଁ । କିନ୍ତୁ ପାଣି କଥା ତ ଶୁଣୁଛନ୍ତି, ବନ୍ୟା ପରିସ୍ଥିତି ଭଲ ନାହିଁ । ସତକଥା କହିଲେ ଏ ସମୟରେ ଏପଟକୁ ଆସିବା କଥା ନୁହେଁ ମୋର, ଆପଣ ଖାଲି, ଅଧିକା ଟଙ୍କା ଦେବେ ବୋଲି କହିବାରୁ ମୁଁ ଚାଲିଆସିଲି, କିନ୍ତୁ ଯୋଉଠୁ ରାସ୍ତା ଖରାପ ପଡ଼ିବ ସେଇଠୁ ସିଧା ଫେରିବି ମୁଁ । ତେଣିକି ଆପଣଙ୍କ ବ୍ୟବସ୍ଥା ଆପଣ କରିବେ । ରାସ୍ତା ମଝିରେ ଛାଡ଼ିଦେଇ ଚାଲିଆସିଲି ବୋଲି ମତେ ଆଉ ଦୋଷ ଦେବେନାହିଁ ଆପଣ ।
ପବନରେ ପ୍ରଚୁର ଅମ୍ଳଜାନ, ରାସ୍ତା ଦୁଇକଡ଼େ ନିବିଡ଼ ଶ୍ୟାମଳିମା, ମାଟିର ଅତୁଟ କୋମଳ ବାସ୍ନା ଓ ଆକାଶର ଉଦାର ଦୟାର୍ଦ୍ର ମେଘମାଳା.. ଚାରିଆଡୁ ଥରେ ଆଖି ପହଁରେଇ ଆଣି ସେ ଉତ୍ତର ଦେଲା ।
ଠିକ୍ ଅଛି ବାବୁ, ଯେଉଁଯାଏ ପାରୁଛ ଚାଲ । ତିନିବର୍ଷ ପରେ ଆସୁଛି ସତ, କିନ୍ତୁ ଏ ଅଞ୍ଚଳ ମୋର ଏମିତି ଅପରିଚିତ ବି ନୁହେଁ ଯେ, ବାଟରେ ମୁଁ ହଇରାଣ ହୋଇଯିବି । ମୋ କଥା ବୁଝିବାକୁ ବହୁତ ଲୋକ ଅଛନ୍ତି, ତୁମେ କିଛି ବି ବ୍ୟସ୍ତ ନ ହୋଇ ଆରାମରେ ଗାଡ଼ି ଚଳାଅ ।
ଟାକ୍ସିବାଲା ଯୋଉଠି ଛାଡ଼ିଦେଇଗଲା, ତା’ପରଠାରୁ ସତରେ ରାସ୍ତା ଦୁର୍ଗମ । ଠାଆକୁ ଠାଆ ଗାଁଗୁଡ଼ିକରେ ଅନ୍ଧାର ଭିତରେ ଅଶରୀରୀ ପରି ଲୋକମାନେ ମେଳା ମେଳା ହେଉଛନ୍ତି । ବନ୍ଧ ଭାଙ୍ଗିଯିବ କି, ଘାଇ ଫିଟିଯିବ କି,ଜଳବନ୍ଦୀ ହୋଇ ନାରଖାର ହେବାକୁ ପଡ଼ିବ କି କିଛି ସପ୍ତାହ, କଅଁଳ ଧାନଗଛ ସବୁ ତ ଅଣ୍ଟାମୋଡ଼ି ହୋଇ ଶୋଇଗଲେଣି ବିଲରେ- ଲୋକମାନଙ୍କର ଦୁଃଶ୍ଚିନ୍ତାର ଅନ୍ତ ନାହିଁ । କିନ୍ତୁ ଏଇ ଯାବତୀୟ ଆଶଙ୍କାର ଅନ୍ତରାଳରୁ ଚିକିମିକି ହୋଇ ଚମକି ଉଠୁଛି କେମିତି ଗୋଟାଏ ଅଦ୍ଭୁତ ରକମର ଉତ୍ତେଜନା । ସେ ଉତ୍ତେଜନାରେ ଅଛି ବିହ୍ୱଳପଣ, ବୀରତ୍ୱ ଓ ଗୌରବବୋଧ ।
ଆଃ, ଅନେକ ଦିନରୁ ଶୁଖିଲା ବାଲିରେ ମଲା ମୁରକୁଟିଆ ହୋଇ ଗଡୁଥିବା ନଈ ଯେ, କେତେବର୍ଷର ବ୍ୟବଧାନ ପରେ ଦି’କୂଳ ଖାଇ ଉଛୁଳି ଉଠୁଛି । ନଈ ଦିଶୁଛି ନଈ ପରି, ଉଜ୍ଜ୍ୱଳ, ଗାଁ ସବୁ ଲାଗୁଛନ୍ତି ଗାଁ ପରି ପ୍ରାଣୋଚ୍ଛଳ ।
ତରତର ପାଦରେ ଚାଲୁଚାଲୁ ତା’ର ଅନୁଭବ ହେଲା ଯେ ଅନ୍ଧାର ସତ୍ତ୍ୱେ ପରିଷ୍କାର ଦେଖାଯାଉଛି ସବୁ ବାଟଘାଟ । କମି ଆସୁଛି ଛାତି ଭିତରର ରୁଗୁରୁଗୁ । ହାଡ଼ର ଗଣ୍ଠି ସବୁ ଫିଟିଯାଇ ଉଲୁସି ଉଠୁଛି ଦେହହାତ ।
ଆଠ କିଲୋମିଟର ରାସ୍ତା । ଅନେକ ଦିନ ଧରି ସବୁବେଳେ ଗାଡ଼ିରେ ଯିବା ଆସିବା କରିବା ଯୋଗୁଁ ଚାଲିବାକୁ କଷ୍ଟ ଲାଗୁଛି ଅବଶ୍ୟ, କିନ୍ତୁ କ୍ଲାନ୍ତି ବା ବିରକ୍ତି ସବୁ ଉତ୍ତାଳ ପବନରେ ଶିମିଳି ତୁଳା ଉଡ଼ିଗଲା ପ୍ରାୟେ ଉଡିଗଲାଣି ତା’ ଦେହରୁ । ଲମ୍ବା ଲମ୍ବା ପାହୁଣ୍ଡ ପକେଇ ସାନ ସାନ ଗାଁ ପାରି ହୋଇ ଚାଲିଥାଏ ସେ ବନ୍ଧେ ବନ୍ଧେ ।
ବର୍ଷାଦିନ । ବନ୍ୟା ସମୟ । ନୂଆ ପାଣିର ସୁଅରେ କାହିଁ କୁଆଡ଼ର ସାପ ସବୁ ଭାସି ଆସି ଗାଁ ଗାଁରେ ପଶିଛନ୍ତି । ବିଷାକ୍ତ ସାପର ଆତଙ୍କ ଯୋଗୁଁ ସନ୍ଧ୍ୟାବେଳୁ ଗାଁରେ ତାଟି କବାଟ ପଡ଼ିଯାଇଛି । ରାତି ହେଲାଣି ଏଗାରଟା ପାଖାପାଖି । ଘର ଭିତରେ ଟିଭି ଚାଲିଛି, ରେଡିଓ ବାଜୁଛି, ଲୋକମାନଙ୍କର କଥାଭାଷା, କଅଁଳା ଛୁଆଙ୍କର ଚିର୍ଚିରା କାନ୍ଦ- ସବୁ ଶବ୍ଦ ଖେଳେଇ ହୋଇଯାଉଛି ଚାରିଆଡ଼େ ବଢ଼ି ପବନର ସୌଜନ୍ୟରୁ । କିନ୍ତୁ ଗୋଟିଏ ବୋଲି ମଣିଷ କାହିଁ କେଉଁଠି ଦେଖାଯାଉନାହାନ୍ତି । ଏମିତିକି ବୁଲା କୁକୁରତକ ଗାଁ ଛାଡ଼ି ଯାଇ ଉଠିଛନ୍ତି ବନ୍ଧ ଉପରେ ।
ଝାଳରେ ଗୋଟା ସୁଦ୍ଧା ଆପାଦମସ୍ତକ ବତୁରି ଯାଇଥିବା ଅବସ୍ଥାରେ ସେ ଠିଆ ହୋଇଗଲା ଥିର ହୋଇ । ଦର ଆଉଜା ଝରକା ଦେଇ ଆଞ୍ଜୁଳାଏ ଆଲୁଅ ବିଛେଇ ହୋଇପଡ଼ିଛି ଦାଣ୍ଡଦୁଆରେ । କାମିନୀ ଗଛ ନଇଁ ପଡୁଛି ଫୁଲଭାରରେ । ପାହାଚ ତଳଯାକ ଘାସଭର୍ତ୍ତି । ମଧୁମାଳତୀ ଲଟାର ସାଗୁଆ ପତ୍ରଯାକ ବଡ଼ ବଡ଼ ଆଖି ମେଲେଇ ଚାହିଁ ରହିଥିଲେ ତାକୁ । ଭିତରୁ ବୋଧେ ବନ୍ଦ ହୋଇନଥିଲା କବାଟରେ ଟିପ ମାରୁମାରୁ ଖୋଲିଗଲା ଦୁଆର ।
କିଏ, ଦେବୁକିରେ! ଆରେ ଧନ ତୁ ଏଡେ ଝଡ଼ବରଷାର ରାତିରେ କିଛି ଖବର ନଦେଇ ଏମିତି ଚାଲିଆସିଲୁ?
ଦେବୁ ଦି’ ହାତ ବଢ଼େଇ ଯାବୁଡ଼ି ଧରିଲା ତା’ ମା’କୁ ।
ତୁ ଏପର୍ଯ୍ୟନ୍ତ ଶୋଇ ନଥିଲୁ କି ମା’?
ଦି’ ଦିନ ହେଲା ବଡ଼ ଛଟପଟ ଲାଗୁଥିଲାରେ ବାପା । ଆଜି ସକାଳ ପହରୁ ଲାଗୁଥିଲା ଯେମିତି ତୁ ଆସୁଛୁ । ଆଉ ନିଦ କ’ଣ ହେବ? ସଡ଼କ ଆଡ଼େ ଅନେଇ ମୁଁ ବସିଥିଲି ।
କଥା କହୁଥାଏ । ମା’ ଆଖିରୁ ଗଳଗଳ ହୋଇ ଲୁହ ବହିଯାଉଥାଏ- ଶ୍ରାବଣର ଶେଷହୀନ ବର୍ଷାଧାର ପରି ଲୁହ ।
ଟଳଟଳ ବନ୍ଧ ଅଟକେଇ ଭିତରର କାନ୍ଦଣାକୁ ରୋକିବାକୁ ଚେଷ୍ଟା କରୁଥାଏ ଦେବୁ । ଗୁଣୁଗୁଣୁ ହେଉଥାଏ ମନକୁ ମନ । କେତେ ଦିନ ହେଲାଣି ମୁଁ ତତେ ଦେଖି ନଥିଲି ଲୋ ମା’ ।
ଏବେ ଆଉ ଅସହାୟ କ୍ଲାନ୍ତି ନାହିଁ, ନାହିଁ ବି ଅର୍ଥହୀନ ବିରକ୍ତି, ଚାରିପଟର ମାଟିପାଣି ଆକାଶ ବତାସ ଆଲୁଅ ଅନ୍ଧାର, ଗଛବୃଛ ସବୁକିଛି ଲାଗୁଛି ସହଜ ଓ ସୁନ୍ଦର ।
ମା’ କହିଲେ, ଖାଇବାକୁ ବାଢ଼ୁଛି ତା’ହେଲେ । ତୁ ହାତଗୋଡ଼ ଧୋଇଧାଇ ହୋଇ ଆ ।
ଦେବୁ କହିଲା, ବିଛଣାଟା ତୋ ବଖରାରେ ସଜାଡ଼ି ଦେଇଥା ମୋ ପାଇଁ ।
ପୁଣିଥରେ ହସିଲେ ମା’ । ଏବେବି ସେମିତି ନିଦ ଆତୁରିଆ ହୋଇଅଛୁ! ତୁ ଆଗ ଖାଇସାରୁନୁ ।
ଆଶା କରୁଥିଲା ପରି ଦେବୁକୁ ନିଦ ଆସିଗଲା ସଙ୍ଗେ ସଙ୍ଗେ । ତନ୍ଦ୍ରାଚ୍ଛନ୍ନ, ଶାନ୍ତ, ନିରୁପଦ୍ରବ ଓ ଆନନ୍ଦଦାୟକ ଗଭୀର ନିଦ୍ରା । ଓ ଦେବୁ ଦେହର ପ୍ରତିଟି ଅବୟବ, ପ୍ରତିଟି ମାଂସପେଶୀ, ସାନବଡ଼ ସମସ୍ତ ଗ୍ରନ୍ଥି, ଗୋଟି ଗୋଟି କରି ସବୁ ଲୋମକୂପ- ସବୁଠି ଯେମିତି ଲାଗିଯାଇଚି ଆଶ୍ୱସ୍ତିର ଅମୃତଛୁଆଁ ।
ପରଦିନ ଦେବୁର ନିଦ ଭାଙ୍ଗିଲା ତା’ ପାଞ୍ଚବର୍ଷର ଝିଅ ଫୋନ୍ କଲାରୁ । ଫୋନ୍ରେ ଗୁଲୁରୁ ଗୁଲୁରୁ ହୋଇ ଝିଅ କହିଲା- “ବାପା ମୁଁ ଜାଣିଛି , ତମେ ଜେଜେମା’ ପାଖରେ ଅଛଟି?”