ଧନରେ! ତୋତେ ରାମ ବୋଲିବି ।’
“କାହିଁକି ମୋ ନାମ ତ ରାମ- ରାମଚନ୍ଦ୍ର । ଆଉ ରାମ ଡାକିବ କ’ଣ? ମୋତେ ରାମ ଡାକନ୍ତି ସମସ୍ତେ । କିନ୍ତୁ ମୋ ନାମ ଶ୍ୟାମ ହୋଇଥାନ୍ତା କି? ଭଲ ହୋଇଥାନ୍ତା ।”
ଗୋଟାଏ ଫାଶୁକ ରାତି ଷ୍ଟେସନ ତଳି ମାଳିସାହିର ପଣ୍ୟବଜାର ଉପରେ କର୍ମମୁଖର ଓ ବ୍ୟସ୍ତଦିନ ପରି ତା’ର ପ୍ରଚଣ୍ଡ ତେଜ ବିସ୍ତାର କରି ରହିଥିଲା । ସେମାନଙ୍କ ଭାଷାରେ ଦିନ ବାରଟା ଅବା କଅଁଳ ଗାଧୁଆବେଳ ସେଇଟା ।
ଆଉରି କେତେ ଲମ୍ବା ଦିନ ମାନ ଅଛି, କେତେ ଗରାଖ ଆସିବେ, କେତେ ବଣିଜ ହବ । ଦ୍ରବ୍ୟ ଗୋଟାଏ, ଦୋକାନ ଅନେକ, ଦୋକାନ ସାଜ ଅନେକ, ଗରାଖ ଅନେକ । ଦର ଗରାଖ ନେଇ, ଦୋକାନ ନେଇ ନୁହଁ ।
ରାମ ତା’ର ହାତ ଘଣ୍ଟା ଦେଖିଲା । ରାତି ବାରାଟା ପନ୍ଦର । ସନ୍ଧ୍ୟା ଆଠଟା ତିରିଶରେ ତା’ର ଟ୍ରେନ ଥିଲା । ସେ ତରତରରେ ଆସିଥିଲା । ଏଠି, ଷ୍ଟେସନରେ ପହଞ୍ଚô ସେ ଜାଣିଲା, ଟ୍ରେନ ବିଳମ୍ବ ଅଛି ଆଠଘଣ୍ଟା । ତାକୁ ହତାଶ ଲାଗିଲା । ଏଇ ଉଦ୍ବୃତ୍ତ ଓ ବଳପୂର୍ବକ ଲଦି ଦିଆଯାଇଥିବାରୁ ଉତ୍ପୀଡ଼କ ଆଠଘଣ୍ଟାକୁ ନେଇ କ’ଣ କରାଯାଇପାରେ? ସେ କ୍ଲକ୍ରୁମରେ ତା’ର ଆଟାଚିଟିକୁ ଜମା କରିଦେଇ ଲଗେଜ୍ ବଂଧନରୁ ମୁକ୍ତ ହୋଇଯାଇଥିଲା । ସେତେବେଳ ଠାରୁ ଚାରିଘଣ୍ଟା ବିତି ସାରିଥିଲା ।
ଏ ଚାରିଘଣ୍ଟାରେ ସେ କରିଥିଲା କ’ଣ?
ପକେଟ୍ରେ ଦୁଇଟି ସେଓ ଭରି ହାତରେ ଗୋଟିଏ ଧରିଥିଲା । ସେଇଟିକୁ କାମୁଡ଼ି କାମୁଡ଼ି ଚାଲୁଚାଲୁ ପ୍ଲାଟଫର୍ମ ଟପି କେତେ ବେଳେ ଧାରଣା ଉପରେ ଲେପ୍ଟରାଇଟ୍ ଆରମ୍ଭ କରିଦେଇଥିଲା । ପ୍ଲାଟ୍ଫର୍ମ ବାହାରେ ଶୀତୁଆ ଲାଗୁଥିଲା । ସେ କାଠ ପଟ୍ରି ଉପରେ ଲମ୍ବା ଲମ୍ବା ପାଦ ପକାଇ ଡବଲ୍ ମାର୍ଚ୍ଚ ଜାରି ରଖିଥିଲା ।
ଅକସ୍ମାତ ମହିଳା ଜଣେ ଟ୍ରେନ୍ଲାଇନକୁ କଡ଼ ଅନ୍ଧାର ଭିତରୁ ବାହାରି ଆସିଲେ ଓ ‘ଆସବାବୁ ଆସ” କହି ପାଖକୁ ଝପଟି ଆସୁଥିଲା ବେଳେ ହଠାତ୍ ଥମିଗଲେ । ଥମିଯାଇ ପଛ ଘୁଞ୍ଚାଦେଇ ଅନ୍ଧାର ଭିତରକୁ ଅପସରି ଗଲେ ।
ଘଟଣାଟି ସାଧାରଣ, ପାଗଳୀଟିଏ କି ଭିକାରୁଣୀଟାଏ ଭାବି ସେ ଯଦି ମହିଳାଟି ଉପରେ ଗୁରୁତ୍ୱ ଦେଇ ନଥାନ୍ତା, ତେବେ ହୁଏତ ଏବେ ପ୍ଲାଟଫର୍ମର କୋଉ ବେଞ୍ଚ ଉପରେ ଶୋଇ ଯାଇଥାନ୍ତା ।
ସେମିତି ହୋଇନଥିଲା ।
ମହିଳା ଜଣକ କ’ଣ ଚାହୁଁଥିଲେ? କ’ଣ କହୁଥିଲେ? କାହିଁକି ପଳାଇ ଗଲେ? ଭଳି ପ୍ରଶ୍ନ ଓ ଜିଜ୍ଞାସା ତାକୁ ଉଦ୍ବେଳିତ କରିଥିଲା । ସେ ଏକା ନହସରେ ମହିଳାଙ୍କ ପଛେ ପଛେ ଆସି ବଣ,ବୁଦା, ଖାଲ, ଖମା ଓ କେତେବେଳେ ଝୁପୁଡ଼ିଘର ଟପି ଠାଏ ଏକଣାରେ ଥିବା ଗୋଟିଏ ଗଛ ମୂଳରେ ଥିବା ଝୁପୁଡ଼ି ଭିତରକୁ ପଶିଗଲା । ନଇଁ ପଶିଗଲା ।
‘ଯୋତା’ ଝୁପୁଡ଼ି ଘର ଭିତରେ ଚିମିଣି ଆଲୁଅର ମହକ ପ୍ରକାଶ ଭିତରେ ସେ ମହିଳାଙ୍କୁ ଗୋଟିଏ ବିଛଣା ଉପରେ ଧଇଁ ସଇଁ ହେଉଥିବା ଅବସ୍ଥାରେ ତା’ ପାଦକୁ ଚାହିଁଥିବା ଦେଖି ସେ ପଛକୁ ହଟି ଆସିଥିଲା ଓ ଯୋତା ଓହ୍ଲାଇ ଦେଇଥିଲା ।
ଘର ଭିତର ତା ଆଖିକୁ ସୁହାଇଗଲା ପରେ ସେ ଦେଖିଲା ଯୋଉ ଧୂପକାଠିର ସୁବାସ ତାକୁ ଖୁବ୍ ମୃଦୁ-ମଧୁର ଓ ଉଚ୍ଚାଟକ ଲାଗୁଥିଲା ବସ୍ତି ଭିତରକୁ ପଶିଆସିଲା ବେଳଠାରୁ, ତା’ ସେହି ଘରଭିତରେ ହିଁ ଜଳୁଥିଲା ।
ଖୁବ୍ ପରିଚ୍ଛନ ଥିଲା ଘରର ଅଭ୍ୟନ୍ତର । ମାଟି ଚଟାଣ ଲିପାହୋଇ ମସୃଣ ଥିଲା । ଅଳନ୍ଧୁଟାଏ କେଉଁଠି ନଥିଲା । ପୂର୍ବପଟ ଖୁଣ୍ଟ (ବେକାଏ ମୋଟ ଗଛଡ଼ାଳ)ରୁ ଝୁଲୁଥିଲା ଶ୍ରୀରାମଙ୍କ ଅଭିଷେକ ଫଟୋଟିଏ-ମାତ୍ର ଚାଖଣ୍ଡେ ଲମ୍ବର । ତାହାରି ତଳେ ସେହି ଖୁଣ୍ଟରେ କୀଟଦ୍ରଂଷ୍ଟ ଫୋଡ଼ରେ ଥାଇ ସରିଆସୁଥିବା ଅବସ୍ଥାରେ ଜଳୁଥିଲା ଧୂପକାଠି । ଗୋଟାଏ କାଗଜ କାର୍ଟୁନ୍ରେ ଥିଲା ବାସନ କୁସନ, ଆଉ ଗୋଟାକରେ ରୋଷେଇ ସାମଗ୍ରୀ । ଷ୍ଟୋଭଟାଏ ରଙ୍ଗଛଡ଼ା ଓ ରଙ୍ଗବୋଳା ଲଣ୍ଠନଟିଏ ପାଖାପାଖି ରଖାଯାଇଥିଲା । ପ୍ଲାଷ୍ଟିକ୍ ବାଲ୍ତି ଓ ରସ ଢ଼ାଳଟିଏ ତାଟିକବାଟର କଡ଼କୁ ଥିଲା । ଘରର ଅର୍ଦ୍ଧାଧିକ ଅଂଶରେ ବିଛଣା ପଡ଼ିଥିଲା । ତଳେ କ’ଣ ସବୁ ଥିଲା କେଜାଣି ଉପରେ ନୂଆ ନୂଆ ଲାଗୁଥିବା ପ୍ଲାଷ୍ଟିକ୍ ସଉପ ବିଛାଯାଇଥିଲା । ମୁଣ୍ଡପଟ୍କୁ ଗୋଟାଏ ଗୋଲ ତକିଆ ଧଳା ଖୋଳ ପିନ୍ଧି ସମ୍ଭ୍ରାନ୍ତ ଦିଶୁଥିଲା ।
ସେ ଆଣ୍ଠୁ ଟେକି ରଖି ପାଦ ଆଙ୍ଗୁଠି ଉପରେ ଭରା ଦେଇ ବସି ହାମୁଡ଼େଇ ଏ ଦୃଶ୍ୟ ପର୍ଯ୍ୟବେକ୍ଷଣ କରୁଥିଲା । ଘର ଭିତରେ ଠିଆ ହେବା ଏକାବେଳକେ ଅସମ୍ଭବ ଥିଲା କାରଣ ଘରର ଉଚ୍ଚତା ମାତ୍ର ପାଞ୍ଚପୁଟ ଥିଲା ଏବଂ ବସିବା ତତୋଽଧିକ ଅସମ୍ଭବ ଥିଲା । କାରଣ ବିଛଣାଟି ହିଁ ଦିଶୁଥିବା ଏକମାତ୍ର ଆସନ ଥିଲା ଓ ତହିଁରେ ମହିଳାଟି ବସିଥିଲେ ।
ଇଏ କ’ଣ ତୁମ ଘର? ନିଜ ଘର? ଏଇଠି ଥାଅ? ଆଉ କିଏ ସବୁ ଥା’ନ୍ତି? ରାତି ଏତେ ହେଲାଣି କେହିତ ଦିଶୁନାହାନ୍ତି? ତୁମେ କାହାକୁ ଖୋଜୁଥିଲ ସେଠି?-ସେ ଅପ୍ରସ୍ତୁତ ଅନୁଭବ କରି ପ୍ରଶ୍ନତକ ପଚାରିଗଲା । ତା’ର ମନେ ହେଲା ସେ କୌଣସି ମାତା କି ସାଧିକାଙ୍କ କୁଟୀର ଭିତରକୁ ପଶିଆସିଛି । କିନ୍ତୁ କୁଟୀର ବାହାର ପରିବେଶ ଏତେ ଅରମା, ଅସନା ଓ ଅଯତ୍ନ ରକ୍ଷିତ କାହିଁକି? ଏଠି ଏତେ ଝୁପୁଡ଼ି ଘର କାହିଁକି? ମୂଲିଆ? ରୋଗୀ? ଭିକାରୀ? କିଏ ସବୁ ଏମାନେ, ଏଠି କାହିଁକି ରହିଛନ୍ତି?
‘ହଁ ନିଜେ ନିଜ ହାତରେ ତିଆରି କରି କୋଡ଼ିଏ ବର୍ଷ ହେଲା ଏଇଠି ରହୁଥିବା ଏ ଘର ମୋରି ନିଜ ଘର । ମୋର କେହି ନାହାନ୍ତି । ମୁଁ କାହାକୁ ଖୋଜେ କେଜାଣି, ପ୍ରତିଦିନ ଚାରିପାଞ୍ଚଜଣ ଜୁଟିଯାନ୍ତି । ଖାଇବା ପିଇବାରେ ଅଭାବ ହୁଏ ନାହିଁ । କିନ୍ତୁ ଦିନର ଆଲୁଅ ଆଉ ରାତିର ବିଶ୍ରାମ ପାଏ ନାହିଁ । ତୁମେ ବାବୁ ବସିପଡ଼ନ୍ତ ନାହିଁ ଏ ବିଛଣାରେ? ଆଉ କିଛି ନାଇଁ ଏଘରେ । ଏ ଘରକୁ ତ ଆଜି ଯାଏ ବସିବାକୁ କେହି ଜଣେ ଆସିନାହିଁ । ଯିଏ ଆସିଛି ତାକୁ ଆସୁ ଆସୁ ଶୋଇପଡ଼ିବାକୁ ଫୁରସତ ମିଳିନାହିଁ । ଆସ ବାବୁ ଏଇଠି ବସ ।’ ମହିଳା ଏକା ରାହାରେ କହିଗଲେ ।
ମହିଳାଙ୍କ କଥା ତାକୁ ରହସ୍ୟମୟ ଶୁଭୁଥିଲା । ତା’ ଅନୁଭୂତିରେ ମା, ମାଇଁ ଓ ଆଈବୁଢ଼ୀଙ୍କୁ ବାଦ ଦେଇ କୌଣସି ମହିଳାଙ୍କ ଏତେ ପାଖକୁ ଆସିବାର ଉଦାହରଣ ଆଉ ନଥିଲା । ତା’ ସହିତ ସ୍ଥାନ ଅପରିଚିତ ଥିଲା, ପରିବେଶ ଅଜ୍ଞାତ ଥିଲା ।
ଦୌଡ଼ି ପଳାଇ ଆସିଲେ କାହିଁ? ସେ ପଚାରିଲା
ତୁମ ପୋଷାକ ଦେଖି ପୁଲିସ ଭାବିଲି-ମହିଳା କହିଲେ ।
ଏତେବେଳକେ ସେ ନିଜକୁ ଚାହିଁ ଦେଖିଲା ଯେ, ସେ ଏନ୍.ସି.ସି. ପୋଷାକ ପିନ୍ଧିଛି । ଏ ପୋଷାକ ପୁଲିସ ପୋଷାକ ପରି ସାଧାରଣ ଲୋକଙ୍କୁ ମନେ ହୋଇଥାଏ । ତାକୁ ଏବେ ହସମାଡ଼ିଲା ଓ ସେ ପରିସ୍ଥିତି ଉପରେ ନହସି ରହିପାରିଲା ନାହିଁ । ସେ ଗମ୍ଭୀର ହୋଇ ପଚାରିଲା-ପୁଲିସ୍ ଡର କ’ଣ? ତମେ କ’ଣ ଚୋରୀ କରୁଛ? ମଣିଷ ମାରୁଛ? ପଚାରି ସେ ଉତ୍ତର ପାଇଁ ତାଙ୍କୁ ଚାହିଁଲା ।
ମହିଳା ନିଶ୍ଚୟ ସୁନ୍ଦରୀ ଥିଲେ ତାଙ୍କ ଯୌବନରେ, ପୌଢ଼ତା ସତ୍ତ୍ୱେ ତାଙ୍କ ରୂପ କହୁଥିଲା । କିନ୍ତୁ ପ୍ରଶ୍ନଟି ଶୁଣି ତାଙ୍କ ବୟସ ଆହୁରି ଦଶବର୍ଷ ବଢ଼ିଗଲା ପରି ବଢ଼ିଯିବାରୁ ସେ ତା’ର ମାଇଁଙ୍କ ପରି ଦିଶିଲେ । ସେତେବେଳକୁ ତାର’ ଗୋଡ଼ ଆଙ୍ଗୁଠି କଟ୍ କଟ୍ କରିବାରେ ଲାଗିଲାଣି ଏଣୁ ସେ ବିଛଣା ପର୍ଯ୍ୟନ୍ତ ଦୁଇ ପାହୁଣ୍ଡ ବସି ବସି ଗଲା ଓ ବସିପଡ଼ିଲା ।
ସେଇ ମହିଳା ଜଣକ ଏଥର ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ନୁହଁ, କୋଉ ଅଜ୍ଞାତ ନ୍ୟାୟାଳୟରେ ସ୍ୱୀକାର କଲାପରି କହୁଥିଲେ- “ ବାବୁରେ! ଏଠି କେବଳ ଚୋରୀ ନୁହଁ ଡକାୟତି ନୁହଁ, ଚରିତ୍ର ଚୋରୀ, ଇଜ୍ଜତ ଡକାୟତି । ଧନ ଲୁଣ୍ଠନ କି ସାମଗ୍ରୀ ଅପହରଣ ତ ସାଧାରଣ କଥା । ଏଠି ମଣିଷ ମରାହୁଏ, ମଣିଷ ପଣିଆ ମରା ହୁଏ । ଅବଶ୍ୟ ଏଠି ମରିବାକୁ ମଣିଷ ଆପେ ଆସେ । ମରୁ ମରୁ ବଞ୍ଚôଗଲେ କାନ୍ଦିପକାଏ, ବଞ୍ଚôଥାଇ ମରିବାକୁ ଚାହେଁ ବୋଲି । ପୁଲିସ କିନ୍ତୁ ସେ ଲାଗି ଆସେନା । ପୁଲିସ୍ ଆସେ ହପ୍ତା ନବାକୁ, ଚୋରୀ କରିବାକୁ, ଡକାୟତି କରିବାକୁ ଓ ମରିବାକୁ । କିନ୍ତୁ ତା’ ହାତରେ ଲାଠିଥାଏ-ସେ ଗେବିଦିଏ ନହେଲେ ପାହାରେ କଷିଦିଏ । ତା’ ହାତରେ ଗାଡ଼ିଟିଏ ଥାଏ-ସେ ଘୋଷାରି ନିଏ । ସେଇଥିପାଇଁ ପୁଲିସ୍କୁ ଭୟ ।…”
ସେ ଅନୁମାନ କଲା, ତା’ ହେଲେ ଇଏ ଗୋଟାଏ ‘ବଦନାମ୍ ଗଳି,’’ନଷ୍ଟରାଜ୍ୟ’! ଏ ଶବ୍ଦ ଦୁଇଟି ସେ କୋଉ ଉପନ୍ୟାସରୁ ପଢ଼ÿିଥିଲା । କଲିକତା ନଗରୀର କୋଉ ଭାନୁବାଇ ଲେନ୍ କଥା ସେ ଉପନ୍ୟାସରେ ଲେଖାଥିଲା । କିନ୍ତୁ କାହିଁ ସେ ଚକ୍ ଚକ୍ ରୂପ, ଖିଲିଖିଲି ହସ, ସଙ୍ଗୀତର ଲହର, ଖାଦ୍ୟପେୟ? ଏ’ତ ଅଭାବର ବୈରାଗ୍ୟ ଓ ରିକ୍ତତାର ପୂଜାଘର । ଏ’ତ ମନ୍ଦିରର ଭିତରପୁର । ଶାନ୍ତିର ଆଳୟ ।
କେରଳର ତି୍ରଚିନାପଲ୍ଲୀଠାରେ ଗୋଟିଏ ଜାତୀୟ ସ୍ତରୀୟ ଏନ୍.ସି.ସି ଶବିରରେ ଯୋଗଦେବାକୁ ତା’ର ଜିଲ୍ଲାରୁ ମନୋନୀତ ଏକମାତ୍ର ପନ୍ଦରବର୍ଷର କିଶୋରଟିଏ ଗୋଟିଏ ଘଣ୍ଟା ବ୍ୟବଧାନରେ ହଠାତ୍ ବୟସ୍କ ହୋଇଯାଇଥିଲା ସତକୁ ସତ କ୍ୟାଡ଼େଟ୍ଟାଏ ପରି ସେ କହିଲା- “ହଲ୍ଟ । କମଦତାଲ ଚଲ୍ତରହେଗା- କଦମ୍ତାଲ୍” ଶୈଳୀରେ କୁହ ମା’ କୁହ । ତୁମ କହିବାର ଭଙ୍ଗୀ ଭଲ ଲାଗୁଛି । ତୁମେ ଯାହା କହୁଛ, ତାହା କରିବାକୁ ତୁମକୁ କିଏ ବାଧ୍ୟ କରିଛି? ତାର ଠିକଣା ଦିଅ, ମୁଁ ତାକୁ ସାବାଡ଼ କରିଦେବି ।
“ମୋ ସ୍ୱାମୀ । ମୋ ଦେବତା । ମୋ ଇହକାଳ ପରକାଳର ପ୍ରଭୂ ।” ମହିଳା ଆକ୍ଷେପ କରୁନଥିଲେ କି ଅଭିଯୋଗ କରୁନଥିଲେ । ଶାନ୍ତ ଭାବରେ କହୁଥିଲେ ।
“ମୋ ଗାଁର ଏକଣା ଘରେ ମୋତେ ଏକଲା କରି ରୋଜଗାର କରିବାକୁ ସିଏ ଚାଲିଯା’ନ୍ତି । ମୁଁ ରାନେ୍ଧ ବାଢ଼େ, ଗୁହାଳ ଗୋବର କରେ, ବାଡ଼ି ବଗିଚା ତଦାରଖ କରେ । ସିଏ ସଞ୍ଜକୁ ଫେରନ୍ତି । ଖାଇପିଇ ଆମେ ସହଳ ଶୋଉ । ସକାଳୁ ସିଏ ତାଙ୍କ କାମରେ ଯା’ନ୍ତି । ଥରେ ସେ ଲାଗଲାଗ ଚାରିଦିନ କାମ ପାଖରେ ରହିଗଲେ ତା’ ଭିତରେ ଓର ଉଣ୍ଡି ଗୋଟାଏ ଭେଣ୍ଡା ଦିନେ ତାଙ୍କରି ପରି ପୋଷାକ ପିନ୍ଧି ରାତିରେ ଆସି ମୋ ସାଙ୍ଗରେ ମିଶିଲେ । ନିଦ ବିକାଳି ମୁଁ ଜାଣି ପାରିଲି ନାହିଁ, ଯେବେ ଜାଣିଗଲି-ମୋ ନିଦ,ମୋ ସୁଖ କୁଆଡ଼େ ଗଲା! ଯେତେ କାନ୍ଦିଲି, ଯେତେ ନିଉନ ହେଲି, ସେ ନୃଶଂସ ଶୁଣିଲା ନାହିଁ । ସେଇଥିରେ ପେଟଭାରି ହେଲା । ଆ’ଙ୍କୁ ଡରରେ କିଛି କହିପାରିଲି ନାହିଁ । ପିଲା ଦୋ’ଟି ହେଲେ । ଭଲରେ ଚାଲିଥିଲା । କିଏ କୋଉଠି କାନ ଫୋଡିଦେଲା, ଇଏ ଦିନେ ଆସି ମା-ପୁଅ ତିନିଙ୍କୁ ପିଟିଲେ । ପିଲା ଦି’ଟା ଚାଲିଗଲେ । ମୋତେ ଘରୁ ନିକାଲି ଦେଲେ- କହିଲେ ଯାଆ… ତୋତେ ଛି କରିଦେଲି । ଯୋଉ ଦିନ ତା ନାଁ କହିବୁ ତୋତେ ସେ ଦିନ ଛୁଇଁବି । କେମିତି ଏଠି ଆସି ପହଞ୍ଚôଲି, କ’ଣ କଲି, କେମିତି କୋଡ଼ିଏ ବରଷ ଗଲା ସେସବୁ ଗୋଟା ନେଖା ପୋଥି ହେବ । କିନ୍ତୁ ଆଜିଯାଏ ମୁଁ ସ୍ୱପ୍ନରେ ବି ସେ ପାଷାଣ୍ଡର ନାଁ ଜାଣି ପାରିଲି ନାହିଁ । ଏ ଜନମଟା ଚାଲିଗଲା । ଦେଖେ ଆରଜନମରେ ଯଦି ସ୍ୱାମୀ ସୁଖ ପାଏ!”
ମହିଳା ନୀରବ ହେଉଥିଲେ । ଶୋକରେ ବତୁରିଗଲା ପରି ନରମି ଗଲେ ।
ସେ ମହିଳାଙ୍କ କାହାଣୀ ଶୁଣୁଶୁଣୁ ଆଉ ଏକ ଶୁଣାକଥା ତା’ର ମନେ ପଡ଼ିଗଲା । ଗାଁର ସୂରୂଯା ଜେଜଙ୍କୁ ପରିହାସରେ ଲୋକେ ‘ଘରଗଳା’ କହନ୍ତି । କହନ୍ତି, ତାଙ୍କ ଦୁଷ୍ଟାମୀ ଯୋଗୁଁ ଗାଁର ଭଲଲୋକ ଜଣଙ୍କ ଘର ଉଜୁଡ଼ିଗଲା । ସୁରୂଜା ଜେଜ କୋଉ ଭୂଆଷୁଣୀଙ୍କୁ ପାପଗର୍ଭ କରେଇ ଦବାରୁ ତା’ ସ୍ୱାମୀ ତାକୁ ଘରୁ ତଡ଼ିଦେଲା ଓ ନିଜେ ବାୟା ହେଇ କୁଆଡ଼େ ପଳାଇଗଲା ।
ଜେଜଙ୍କ ଅସଂଯମର ବିଷମୟ ପରିଣତି ସେ ଏଇଠି ପ୍ରତ୍ୟକ୍ଷ ଦେଖୁଥିଲା । କିନ୍ତୁ ମହିଳାଙ୍କ ଏବର ରୂପ, କି୍ରୟା ଓ ଭାବ ତ ଜଣେ ତପଚାରୀ ପରି! ସେ ଅନୁଭବ କରୁଥିଲା, ମହିଳା ନଜାଣନ୍ତୁ ତାଙ୍କ ପ୍ରତି ଅଛି ପ୍ରଚଣ୍ଡ ଦାୟିତ୍ୱ ଓ କର୍ତ୍ତବ୍ୟ । ସେ ତାହା ପୂରଣ କରିବା ଉଚିତ । ସେ ଜଣେ ଏନ୍.ସି.ସି କ୍ୟାଡେଟ ଭାବେ ଅନ୍ତତଃ ।
ତେଣୁ କହିଲା-ମା’ ମୁଁ କ୍ୟାମ୍ପରୁ ଫେରେ, ଏଘଟଣାର ସମାଧାନ କରିଦେବି । ତୁମେ ଧରିନିଅ ତୁମ ତପସ୍ୟାର ଫଳ ଫଳିଛି । ତୁମେ ଆଉ ପାଷାଣୀ ନୁହଁ, ତୁମର ନୂଆ ଜୀବନର ସକାଳ ବେଶୀ ଦୂର ନାହିଁ । ଦେଖିବ ତୁମ ସ୍ୱାମୀ ଆସି ତୁମକୁ ପୁଣି ଗ୍ରହଣ କରୁଛନ୍ତି ।
ମହିଳାଙ୍କ ଆଖି ଛଳଛଳ ହୋଇ ଯାଇଥିଲା ।
ସତେ ରାମଚନ୍ଦ୍ର ଆବିର୍ଭାବ ହେବେ ତାଙ୍କ ଜୀବନ ପଥରେ! ସତେ ପାଷାଣୀ ଅହଲ୍ୟାପରି ତାଙ୍କର ହେବ ଶାପମୋଚନ! ସିଏ ଆଉ ଫେରିପାଇବ ନିଜ ରୂପ-ନିଜ ଧର୍ମ-ନିଜ ସ୍ୱାମୀ!
ଏଭାବନା ତାଙ୍କୁ ତାଙ୍କ ଜୀବନର ସବୁଠୁ କରୁଣ ମୁହୂର୍ତ୍ତ ପରି ମନେହେଲା । ତାଙ୍କୁ ଲାଗିଲା ଏଇ ପିଲା ମଣିଷଟି ତାଙ୍କ ପାଇଁ ଆଶା ଓ ଉଦ୍ଧାରର ଶ୍ରୀରାମଚନ୍ଦ୍ର ହେବ ପରା! ଦୁଃଖର ପଥର ତରଳିଯିବ ଅବା!
ସେଇଆ ଭାବି ସେ ବଡ଼ ଆଦର ଓ ସରାଗରେ କହିଥିଲେ- “ଧନରେ ! ତୋତେ ରାମ ବୋଲନ୍ତି!”
ଓ ପିଲାଟି କହିଥିଲା- “ମୋ ନାମ ତ ରାମ!” ଯଦିଓ ସେ ରାମାୟଣର ଅହଲ୍ୟା ତାରଣ ପ୍ରସଙ୍ଗ ବୁଝି ନଥିଲା ।