ମଧ୍ୟରାତି୍ରର ନିଶୂନ ପ୍ରହର ଘାଲେଇ ପଡ଼ିଥିବା ଗାଁକୁ ଚମକାଇ, ଆକାଶର ଓସାରିଆ ଛାତିକୁ ଦୁଲୁକାଇ ଗାଁମୁଣ୍ଡରେ ଗୋଟିଏ ପରେ ଗୋଟିଏ ନଡ଼ିଆବାଣ ଫୁଟିଲା-ଢ଼ୋଓ ଢ଼ୋଓ.. । ଗାଁ ମଝିରେ ବାହାଘର ଭୋଜିର ଖଲିପତ୍ର ଚାଟୁଥିବା କୁକୁର ପଞ୍ଝାକ ସମସ୍ୱରେ ଏହାର ଜବାବ ଦେଲେ ଭୋଓ… ଭୋଓଓ… ।
ଖଟରେ, ପଲଙ୍କରେ, ମଣ୍ଡପରେ, ବାରଣ୍ଡାରେ ଢ଼ୋଳେଇ ପଡ଼ିଥିବା ଯଦୁମଣିଙ୍କ କୁଟୁମ୍ବ ଲୋକ ଧପପଡ଼ ହୋଇ ଉଠିଲେ- ଉଠରେ, ମାଳତୀର ବର ଆଇଲା…
ମାଳତୀ ଚେଇଁଥିଲା । ପଲଙ୍କ ଉପରେ ବେଶବାସ ହୋଇ ଘାଲେଇ କରି ପଡ଼ିଥିଲା ସେ । ତାକୁ ଘେରି ଅନେକ ସମୟ ବକର ବକର ହୋଇ ଢ଼ୋଳେଇ ପଡ଼ିଥିବା ତାର ବଉଳ, ସଙ୍ଗାତ, ଦାଦି ଝିଅ, ବଡ଼ବାପା ଝିଅ ତାକୁ ହଲେଇ କରି କହିଉଠିଲେ-ଉଠୁ ମାଳ, ତୋର ବର ଆଇଲା ଲୋ । ଆଶଙ୍କା, ଅନିଶ୍ଚିତତା, ଅନିଦ୍ରା, ଉପବାସରେ ନହକି ଯାଉଥିଲା ମାଳତୀ, ଝକମାରୀ ଉଠିବସିଲା ।
ମାଳତୀର ବାହାଘର । ବରଯାତ୍ରୀ ଆସିବାରେ ଅନେକ ଡେରି ହୋଇଯାଇଥିଲା । ଗାଁ ଲୋକ, ସାହିଭାଇ ଖାଇସାରି କଡ଼େ ନିଦ ଶୋଇ ଯାଇଥିଲେ । ଏବେ ସମସ୍ତେ ଉଠି ଡକାଡକି ହୋଇ ଚାଲିଲେ ଗାଁ ମୁଣ୍ଡକୁ ବାଣ ଫୁଟା ଦେଖିବାକୁ । ସେତେବେଳକୁ ଗଛ ବାଣରେ ନିଆଁ ଧରା ହେଲାଣି । ଫୁଟିବା ପୂର୍ବରୁ ଗଛ ବାଣଟି ଦିଶୁଥିଲା ଏକ ବିରାଟକାୟ ଗେଣ୍ଡୁଫୁଲ ପରି । ଏହାପରେ ପୋଖରୀ ହୁଡ଼ାରେ ଠିଆହୋଇ ହାବେଳି ବାଣରେ ନିଆଁ ଧରାଉଥିଲେ କୁଶଳୀ ବାଣୁଆ ଜଣକ । ଆକାଶର ଛାତି ଚିରି ବାଣଗୁଡ଼ିକ ଗୋଟିକ ପରେ ଗୋଟିଏ ଉଠୁଥିଲେ ସରସର ହୋଇ ।
ଯଦୁମଣିଙ୍କ ଘର ଗାଁ ମଝିରେ । ଗାଁ ଦାଣ୍ଡରେ ଗଜା ଶାଳଖୁଣ୍ଟ ଉପରେ ଆତେଣ୍ଡି, ଜାମ୍ମୁ, କୟାଁ ପ୍ରଭୃତି ଡ଼ାଳ ପକାଇ ଛାମୁଣ୍ଡିଆ ତିଆରି ହୋଇଥିଲା । ସେହି ଦାଣ୍ଡରେ ଦଉଡ଼ିଆ ଖଟିଆଟିଏ ପକାଇ ବସିଥିଲେ କନ୍ୟାପିତା ଯଦୁମଣି ବେହେରା । କାମ କରି କରି ଘାଗରା ହୋଇ ଯାଇଥିବା କଣ୍ଠରେ ସେ ଚିଲ୍ଲାଇଲେ ଆରେ ଫଗୁଆ, ଆରେ ଜଗୁଆ ଖାଇବା ଜିନିଷ ଗରମକର ରେ… ।
ବାଡିପଟେ ଖଳା । ଖଳାରେ ଛାମୁଡିଆ ବନ୍ଧା ହୋଇଥିଲା । ଚାରିପଟେ ଘେରା ହୋଇଥିଲା ଡାଳପତ୍ରରେ । ସେଠି ବରଯାତ୍ରୀମାନଙ୍କର ଖାଇବାର ବ୍ୟବସ୍ଥା ହୋଇଥିଲା ।
ଖଳାର ଗୋଟିଏ କୋଣରେ ଗୁହାଳ । ଲିପାପୋଚ୍ଛା କରି ସେଇଠି ରୋଷେଇ ପାଇଁ ଖନ୍ଦାଶାଳ ତିଆରି ହୋଇଥିଲା । ରୋଷେଇ ସାରି ନନା କେବେଠୁ ଶୋଇଯାଇଥିଲା । ହାତରେ ପାଞ୍ଚହାତିଆ ଠେଙ୍ଗାଧରି ଖାଇବା ଜିନିଷକୁ ଜଗିଥିଲା ଫଗୁଆ ।
ରୋଷେଇ ସରଞ୍ଜାମ ଆରମ୍ଭ ହୋଇଥିଲା ଓଳିକ ବେଳୁ । ବେହେରା ଖଞ୍ଜାର ବୋହୂ ଏବଂ ଗାଁର ସୁରୁଯା ବନ୍ଧୁବାନ୍ଧବ ସ୍ତ୍ରୀ ଲୋକମାନେ ଦୁଆର ଅଗଣାରେ ବସି କାଟିଚାଲିଥିଲେ ପଣସକଠା, କଖାରୁ, ଆଳୁ, ସାରୁ , ବାଇଗଣ ପ୍ରଭୃତି । ଗୁଲିଖଟି ଗପର ପସରା ମେଲି ଦେଇଥିଲେ ସେମାନେ । ଖିଲିଖିଲି ହସରେ ମୁଖରିତ ହେଉଥିଲା ଖଞ୍ଜାର ଗଗନ-ପବନ ।
ଆଦିପୁରିଆ ନନା ତର୍କାରୀମାନଙ୍କରେ ଅଧିକମାତ୍ରାରେ ଲଙ୍କାମରିଚ ଛାଡ଼ିଦେବାର ବଦଭ୍ୟାସ ଥିଲେ ବି ତାକୁ ଡ଼କା ହୋଇଥିଲା ରୋଷେଇୟା ଭାବେ । ବେହେରାଙ୍କ ଘରେ ନନା ରୋଷେଇ ନକଲେ ଗାଁ ଲୋକେ ଖାଆନ୍ତି ନାହିଁ ।
ଦୁଇପ୍ରକାର ରୋଷେଇ । କାନିକା, ମାଂସ ତରକାରୀ, ପୋଟଳ ରସା, ଆମ୍ବଖଟା ଓ ଖିରୀ ବରଯାତ୍ରୀଙ୍କ ପାଇଁ । ଭାତ, ଡାଲି ଘାଣ୍ଟ ତିଅଣ, ଖଟା ଓ ଖିରୀ ଗାଁ ଲୋକ ଓ କୁଟୁମ୍ବଙ୍କ ପାଇଁ । ରୋଷେଇ ଠିକ୍ ସମୟରେ ସରିଥିଲା । ବର ଓ ବରଯାତ୍ରୀ ଠିକ୍ ସମୟରେ ଆସି ନଥିଲେ ।
ଯଦୁମଣିଙ୍କ ଡାକରା ଏବଂ ବାଣ ଶବ୍ଦ ଶୁଣି ହାଉଳିଆଖାଇ ଉଠିଲା ଫଗୁଆ, ତାପରେ ଥରଥର ଗଳାରେ କହିଲା-ଦାଦି, ଶୁଣିଲ ଟିକିଏ ।
ଯଦୁମଣି ଦାଣ୍ଡରୁ ଖଞ୍ଜା ବାଟଦେଇ ବାଡିପଟକୁ ଗଲାବେଳେ ସ୍ତ୍ରୀ ଲୋକଙ୍କୁ ଶୁଣାଇ ଶୁଣାଇ କହିଲେ-ବରଯାତ୍ରୀ ଗାଁ ମୁଣ୍ଡରେ ପହଞ୍ଚôଲେଣି । ବନ୍ଦାଣ ଜିନିଷ ସଜାଡ଼ । କୁଆଡ଼େ ଗଲେ ନନା? କୁଆଡ଼େ ଗଲେ ବାରିକ ବାରିକିଆଣୀ ଉଠା ସମସ୍ତଙ୍କୁ ।
-ହେଲା କଣ? ଫଗୁଆକୁ ଲକ୍ଷ୍ୟ କରି ପଚାରିଲେ ।
-ବଡ଼ ଅନର୍ଥ ହୋଇଯାଇଛି ଦାଦି ।
-ଆରେ, ଖୋଲିକି କହନା-କଣ କୁକୁର ମାରା କରିଦେଲା ନା କ’ଣ?
-ନାଇଁ ଦାଦି, ହଣ୍ଡାରୁ ତିନିପା ମାଂସ ନାହିଁ । ମାଂସ ନାଁକୁ ମାତ୍ର, ଖାଲି ଝୋଳ ଅଛି ।
-କଣ କହୁଛୁ…?
ଯଦୁମଣିଙ୍କ ହାଲୁକା ଶୁଖିଗଲା ।
-ମାଂସ ଗଲା କୁଆଡ଼େ? ଖାଇଲା କିଏ? କୁକୁର?
-ମୁଁତ ଖନ୍ଦାଶାଳ ଆଗପଟେ ମସିଣାରେ ଗଡ଼ପଡ଼ ହେଉଛି । ଏ ବାଟେ ତ କେହି ଆସିନାହାନ୍ତି । ତାଟିର କଣାବାଟେ.. । ଯଦୁମଣି ନିଜକୁ ସଜାଡ଼ିବାକୁ ଚେଷ୍ଟା କରୁଥିଲେ ।
-ଆଉ ଦେଖିଲୁ, କ’ଣ ଅଛି, କ’ଣ ନାହିଁ?
-କାନିକାରୁ ଅଧା ନାହିଁ ।
ଯଦୁମଣିଙ୍କ ମୁହଁ ଶୁଖିଗଲା । କିଏ ଏଭଳି କାଣ୍ଡକଲା? ବାଡି ସେପଟେ ଛୋଟ ଗାଡ଼ିଆ । ସେହି ରାସ୍ତାରେ ଠାଏ ଠାଏ କାନିକା ପଡ଼ିଥିଲା । ଏହି ରାସ୍ତାରେ କେହି ବାଟମାରଣା କରିଛି । କିନ୍ତୁ କିଏ ଏଭଳି କଲା? କାହିଁକି କଲା? ଭାବି ଭାବି ସେ ୟାର ଥଳକୂଳ ପାଉନଥିଲେ ।
-ଏବେ କ’ଣ କରାଯାଏ ଫଗୁଆ?
-ମୋର ମୁଣ୍ଡକୁ କିଛି ଢ଼ୁକୁନି ଦାଦି ।
-ଭଲ କରି ଦେଖିଦେ, ଆଉ କ’ଣ କ’ଣ ଜିନିଷ ଅଛି ।
-ପୋଟଳ ରସା ଅଛି । ଘାଣ୍ଟ ତରକାରୀ ବଳିଛି । ନନାକୁ କହିଥିଲି ଟିକିଏ ଅଧିକ ଲଙ୍କା ମରିଚ ଛାଡ଼ିଦେବାକୁ । ନହେଲେ ଯୋଗାଇ ହୋଇନଥାନ୍ତା ।
-ଖିରୀ? ଡାଲି?
-ଖିରୀ ଅଧହାଣ୍ଡି ବଳିଛି । ଡାଲି ହୋଇଯିବ ।
-ନନା ଗଲେ କୁଆଡ଼େ?
-ନନାକୁ ଡାକୁଚି ।
-ସର ଘରେ ଆଉ କଣ ପରିବା ଅଛି?
-ନନାକୁ ଡାକ-ଜଗୁଆକୁ ଡାକ, ଅରୁଆ ଚାଉଳ ବାହାର କର । ମୁଁ ମାଇପେଙ୍କୁ କହି ପରିବା କଟୋଉଛି ।
-ହେଲେ ଦାଦି… ଏସବୁ କାହାର କାଣ୍ଡ? ମୋତେ ତ ଲାଗୁଛି ତମର ହିଂସିକା ଭାଇଆଳିଆ ଲୋକ କେହି ହୋଇଥିବ । ସେମାନେ ତ ଏ ବାହାଘର ପ୍ରସ୍ତାବ ଭାଙ୍ଗିଦେବାକୁ ଲାଗିଥିଲେ । ଏକାଣ୍ଡ ବାହାର ଲୋକର କାହାର ନୁହେଁ ।
-ଏଇନେ ଏସବୁ ବିଷୟ ପାଞ୍ଚô ଲାଭ ନାହିଁ । ଫଗୁଆ ଚାଲ କାମରେ ଲାଗିଯିବା । ଫୂର୍ତ୍ତି ।
ଗାଁ ମୁଣ୍ଡ ପୋଖରୀ ପାଖରୁ ଯଦୁମଣିଙ୍କ ଘର ଆଡ଼କୁ ରୋଷଣି ଚାଲିଲା । ଆଗରେ ଲାଇଟବାଲା । ତାଙ୍କ ପଛେ ରଙ୍ଗବେରଙ୍ଗର ଝାଡ଼ । ତାପରେ ବାଜାବାଲା ଇଂରେଜ ସୈନିକମାନଙ୍କ ପରି ବେଶ ପିନ୍ଧି ବୀରଦର୍ପରେ ଚାଲିଥାନ୍ତି । ତାଙ୍କ ପଛେ ପଛେ ରଙ୍ଗବତୀ ଏବଂ ଏ ପାନବାଲା ଗୀତର ତାଳେ ତାଳେ ନାଚିଆସୁଥାନ୍ତି ନାଚବାଲା ଓ ନାଚବାଲୀ । ସବା ପଛରେ ଭାଡ଼ ଭାଡୁଆଣୀ । ତା’ ପରେ ବର ।
ଗାଁ ଲୋକେ କଡ଼େ ନିଦ ଶୋଇ ଉଠିଆସି ଯେଝା ଯେଝା ବାରଣ୍ଡାରେ ଠିଆ ହୋଇ ରୋଷଣୀ ଦେଖି ମନ୍ତବ୍ୟ ଦେବାରେ ଲାଗିଥାନ୍ତି ।
-ଦେଖମ, ମାର୍କଣ୍ଡିଟା, ଢ଼ୋଳେଇଲାଣି
-ଏ ଭାଡ଼ ଭାଡ଼ୁଆଣୀ ବଡ଼ ବେଲୀ କରୁଛନ୍ତି ।
-ନାଚବାଲା ବି କିଛି କମ୍ ନୁହେଁ । ହସି ହସି ଗଡ଼ିଯିବ ଲୋ ମା’ ।
-ଦେଖମ! ତା’ ସହ ଦି’ଟା ଟୋକା ବି ନାଚୁଛନ୍ତି । ଏମାନେ ମଦ ପିଇଛନ୍ତି ନା କ’ଣ ବା?
ଖଞ୍ଜା ଦୁଲୁକାଇ ଏବେ ଶୁଭିଲା ମାଳ ଓ ତା’ର ମା’ର କାନ୍ଦଣା । ମା’ ଓ ଝିଅର ସମ୍ପର୍କର ନାଡ଼ ସତେ ଯେପରି ଆଉ କିଛି ଘଣ୍ଟା ବ୍ୟବଧାନରେ କଟିଯିବ । କୁଆଁରୀ ଜୀବନରେ ସବୁ ସୁଖସ୍ୱପ୍ନ ସତେ ଯେପରି ରାତି ପାହିଲେ କୁହୁଡ଼ି ପରି ମିଳେଇ ଯିବ ।
ଯଦୁମଣି ଖଞ୍ଜା ଭିତରକୁ ଯାଇ ଗାଳିବର୍ଷା କଲେ ।
-ଏଠି କି ସୁଆଙ୍ଗ ଲାଗିଛି? ଯେଉଁ କାମ ବରାଦ କରିଛି, ଟିକିଏ ସିଆଡ଼େ ନିଘା କର ।
ବରବନ୍ଦାଣ ପାଇଁ ଆସିଯାଇଥିଲେ ବ୍ରାହ୍ମଣ, ବାରିକ, ବାରିକିଆଣୀ ସହ ଯଦୁମଣୀ । ଭିତରୁ ହୁଳହୁଳି ଶୁଭିଲା । ପାଲିଙ୍କିରୁ ବର ଓହ୍ଲାଇଲା । ପିଢ଼ା ଉପରେ ଠିଆ ହେଲା ପରେ ତାର ପାଦ ଧୋଇଲେ ଯଦୁମଣି । ତା’ପରେ ତାକୁ କଢ଼ାଇ ନିଆଗଲା ରାଜସଭାକୁ । ମଝିରେ ବର । ତାକୁ ଘେରି ତା ସହରିଆ ସାଙ୍ଗ, ବାପା, ଭାଇ । ତଳେ ଦରିରେ ବସିଲେ ଅନ୍ୟ ବରଯାତ୍ରୀମାନେ ।
ରାଜସଭାରେ ବସିଲା ପରେ ସରବତ ପରଷାଗଲା । ତାପରେ କନ୍ୟାପକ୍ଷର ବ୍ରାହ୍ମଣ ମଙ୍ଗଳଶ୍ଲୋକ ପଢ଼ିଲେ । ତାଙ୍କ ପଛେ ପଛେ ମଙ୍ଗଳ ଶ୍ଲୋକ ପଢ଼ିଲେ ବରପକ୍ଷର ବ୍ରାହ୍ମଣ ।
-ଯଜମାନ, ଲୁଗାଟିଏ ଏବଂ ଦଶ ଟଙ୍କା ଏଇଠି ରଖନ୍ତୁ, କହିଲେ ବରପକ୍ଷର ବ୍ରାହ୍ମଣ ।
-ଯଜମାନ, ବରଘର ଗୋସେଇଁ ନେବେ ଯେତିକି, ମୋର ସେତିକି ।
ଯଦୁମଣି ମୁଣିରୁ ଟଙ୍କା ବାହାର କରି ଦେଉଥିଲେ । ତାଙ୍କ ମନଟା ବୁଲୁଥିଲା ଅନ୍ୟ ଆଡ଼େ । ଶ୍ଲୋକ ପୁନରାବୃତ୍ତି ହେଲା । ସରବତ ଆଉ ଥରେ ବୁଲିଲା ପରେ ମୃଦୁ ଗୁଞ୍ଜରଣ ଶୁଭିଲା-କଣ ଖାଲି ସରବତ ପିଉଥିବା କି?
-ଖାଇବା ଲଗାଇବାରେ ଡେରି କାହିଁକି? ପୁରୁଖା ବରଯାତ୍ରୀ ଜଣେ ଅନୁଚ୍ଚ ସ୍ୱରରେ ବରପିତାଙ୍କୁ କହିଲେ ।
-ସମୁଦି, ଟିକିଏ ଶୁଣିଲ । ପିଲାଙ୍କୁ ଭୋକ ହେଲାଣି । ଖାଇବାର ଆୟୋଜନ କରନ୍ତୁ । ଏପଟେ ଏକା ସାଙ୍ଗରେ ବିବାହ କାର୍ଯ୍ୟ ବି ଚାଲିବ, କହିଲେ ବରପିତା ।
ଯଦୁମଣି ସମୁଦିଙ୍କୁ ଗୋଟିଏ ପାଖକୁ ଡାକିନେଇ କହିଲେ-କଣ କହିବି ସମୁଦି ମାଂସତରକାରୀ, କାନିକା ପ୍ରଭୃତି କୁକୁର ମୁହଁ ଲଗାଇଦେଲା । ଆଉ ଥରେ ରୋଷେଇ ଚାଲିଛି ।
-ସମୁଦି, ମୁଁ ତମକୁ ଜବାବ ଦିଆବେଳେ କାନେ କାନେ କହିଥିଲି, ମୋର କିଛି ଡିମାଣ୍ଡ ନାହିଁ, ଖାଲି ବରଯାତ୍ରୀଙ୍କୁ ଖାଇବାର ଭଲ ହେବା ଚାହେଁ ।
-ମୋତେ କ୍ଷମା କରିଦେବ ସମୁଦି । ଏତିକି କହୁ କହୁ କାନ୍ଦି ପକାଇଲେ ଯଦୁମଣି ।
-ଆପଣ ଚଳେଇ ନେବେ । ଭାତ ହୋଇଗଲାଣି । ପଣସ କଠା ତରକାରୀ ହେବା ଉପରେ, ଡାଲି, ଆମ୍ବ ଖଟା, ଖିରୀ ସବୁ ଅଛି ।
-ହଉ, ପତ୍ର ପକାଇ ଆୟୋଜନ କର ।
ଆମର ବି ଦୋଷ । ବସଚକା ଫାଟିବାରୁ ଆମେ ବି ଡେରିରେ ଆସିଲୁ । ଏଣେ ବେଦି କାମ ଆରମ୍ଭ କର । ଡେରି ହେଲାଣି ।
ପତ୍ର ପଡ଼ିଲା । ବରଯାତ୍ରୀମାନେ ବସିଗଲେ । ପରଷୁଣି ମାନେ ପରଷିଚାଲିଲେ । ପ୍ରଥମେ ଲୁଣ, ଲଙ୍କା । ଆଉ ଜଣେ ଅନ୍ନ ଅନ୍ନ କହି ଭାତ ପରିଷିଗଲା । ଆଉ ଜଣେ ଗୁଆ ଘିଅ, ଗୁଆ ଘିଅ ପଚାରି ପଚାରି ଭାତ ଉପରେ ଚାମୁଚେ ଚାମୁଚେ ଢ଼ାଳି ଚାଲିଥିଲା । ‘ଭାତ ମଝିରେ ମନ୍ଦାକର, ଡାଲି, ଡାଲି କହି କହି ଆଉ ଜଣେ ଡାଲି ଦେଇ ଚାଲିଲା । ଦନାରେ ପରଷାଗଲା ପଣସ ତରକାରୀ ।
-ଏଇଟା କ’ଣ ମାଂସ?
-ନାଇଁ ନାଇଁ, ପଣସ ତରକାରୀ ।
-ଏବେ ହାତ ଚାଲୁ । ଦୁଇ ହାତ ଭିତରେ ଠେଂଗାଟିକୁ ଧରି ଅନୁରୋଧ କଲା ଫଗୁଆ ।
-ହାତ ଚାଲୁ ବୋଲି ଖତେଇ ହୋଇ ଶବ୍ଦଟିଏ ଭାସିଆସିଲା ଗୋଟିଏ କୋଣରୁ ।
-ମଦ ନାହିଁ, ମାଂସ ନାହିଁ, ଏ କି ଭୋଜି? ଜଣେ ସହରିଆ ଟୋକାର ଟିପ୍ପଣୀ ।
-ଆମେ କଣ ଏଠିକି ଘାସ ଖାଇବାକୁ ଆସିଲୁ?
ମଦୁଆଙ୍କ ଭଳି ନାଚବାଲୀ ପଛେ ପଛେ ନାଚୁଥିବା ଅନ୍ୟ ସହରୀ ଟୋକାଟି ମନ୍ତବ୍ୟ ଦେଲା ।
ଏଭଳି ଗୁଞ୍ଜରଣ ଶୁଣି ବରପିତା ସେଠି ପହଞ୍ଚôଯାଇଥିଲେ । କହିଲେ-ପିଲାଏ! ଏମାନେ ନୈଷ୍ଠିକ ଲୋକ । ଏ ଘରେ ଆମିଷ ଚଳେନି । ତା’ପରେ ସହରୀ ପିଲାମାନଙ୍କ ପାଖକୁ ଯାଇ ଫୁସଫୁସ କରି କହିଲେ-ବାବୁମାନେ, କଟାଲ କରନି । କାଲି ଗଲାବେଳେ ଜୋରନ୍ଦା ଛକରେ ତମକୁ ମାଂସ ଭାତ ଖୋଇବି ।
ବେଦୀ ଉପରକୁ ବର ଓ କନ୍ୟା ଦୁଇଜଣ ଆସି ବସିସାରିଥିଲେ । ଓଢ଼ଣା ଭିତରୁ ମାଳତୀର ମୁହଁକୁ ଖୋଜୁଥିଲା ନରେନ୍ଦ୍ର । ବାହାରକୁ କେବଳ ଦିଶୁଥିଲା ତାର ହାତ ଓ ପାଦ ଦୁଇଟି । ଗଲାବର୍ଷ ଦୋଳମଣ୍ଡପରେ ସେ ଯାହା ଦେଖିôଥିଲା ମାଳତିକୁ । ପାନ ଦୋକାନ, ମିଠାଇ ଦୋକାନ, ଦୋଳବେଦୀ ପ୍ରଭୃତି ମେଲଣ ପଡ଼ିଆର ଯେଉଁ ଯେଉଁ କୋଣକୁ ମାଳତୀ ତା’ ବଉଳମାନଙ୍କ ସହ ବୁଲୁଥିଲା ସିଆଡ଼େ ଆଖି ଘୂରି ବୁଲୁଥିଲା ନରେନ୍ଦ୍ରର । ନରେନ୍ଦ୍ରର ବାପାଙ୍କ ଆଉ ଜମିଦାରୀ ନାହିଁ, କିନ୍ତୁ ତଥାପି ପ୍ରତାପ କିଛି କମିନାହିଁ । ନରେନ୍ଦ୍ର ଓକିଲାତି ପଢ଼ୁଥିଲା । ଗୋଟିକିଆ ପୁଅ ହୋଇଥିବାରୁ ଅଡ଼ିବସିଥିଲା-ବାହା ହବ ତ ମାଳତୀକୁ । ତାର ପିତାମାତଙ୍କ ଅରାଜି ହେବାକୁ ବାଟ ନଥିଲା ।
ଦୋଳ ଉସôବ ପରେ ମାଳତି ପାଖକୁ ଦୁଇ ଧାଡ଼ିରେ ଚିଠି ଆସିଥିଲା ନରେନ୍ଦ୍ରର-ତୁମେ କମଳ, ମୁଁ ଦିବାକର, ତୁମେ କୁମୁଦ, ମୁଁ ନିଶାକର । ଯେ ଯାବତ ସୂର୍ଯ୍ୟଚନ୍ଦ୍ର ପୃଥିବୀରେ ଆତଯାତ ହେଉଥିବେ, ଆମ ପ୍ରେମ ହେବ ଅମର । କାଳ କାଳ ପାଇଁ ତୁମେ ମୋର, ମୁଁ ତୁମର…
ବଢ଼ିଆଳ ଝିଅକୁ ଚିଠି ଆସିବା ମାତ୍ରେ ଯଦୁମଣିଙ୍କ ଛାତିରେ ଛନକା ପଶିଥିଲା । ନରେନ୍ଦ୍ର ପିତାଙ୍କର ପ୍ରସ୍ତାବ ଆସିଲାମାତ୍ରେ ସେ ହଁ ଭରିଥିଲେ ।
ଏହି ସମୟରେ ଖଣ୍ଡିଆଭୂତ ଭଳି ଚାରି ପାଞ୍ଚଜଣ ଟୋକାଙ୍କୁ ଧରି ବେଦୀ ପାଖରେ ପହଞ୍ଚôଗଲା ସେ ସହରୀ ଟୋକାଙ୍କ ନେତା ଡାକୁଆ, ଘୋଷଣା କଲା-ଏହି ବାହାଘର ଏଇଠି ବନ୍ଦ ।
-ଉଠୁ ନରେନ୍ଦ୍ର, ଆମର ବେଇଜ୍ଜତି ହୋଇଛି ।
-କ’ଣ ହେଲା କହ?
-ଆମକୁ ଡାକି ଆଣିଥିଲୁ ଏଭଳି ସକôାର ପାଇଁ?
ପୁରୋହିତଙ୍କ ଶ୍ଲୋକପଢ଼ା ବନ୍ଦ ହୋଇ ଯାଇଥିଲା । ଖନ୍ଦା ଭିତରୁ ଭୋ ଭୋ କରି କାନ୍ଦଣାର ଲହରୀ ଉଠିଲା । ମାଳର ବାହାଘର ଭାଙ୍ଗିଗଲା ବୋଲି ହୈ ଚୈ ସୃଷ୍ଟି ହୋଇଗଲା । ସାହିର ହିଂସିକା ମାଇପିମାନେ ଯେଉଁମାନେ ଶୋଇପଡ଼ିବାର ଅଭିନୟ କରୁଥିଲେ, ସେମାନେ ପାଣିଭିତରେ କଇଁଚ ମୁଣ୍ଡ ଟେକିଲା ଭଳି ନିଜେ ନିଜ ଦାଣ୍ଡଘର ମେଲାକରି ଟାକିଥିଲେ । ସତେ ଅବା ଏଇନା ଯଦୁ ବେହେରାଙ୍କ ଘରେ ଚଡ଼କ ପଡ଼ିବ ।
ହାତଗଣ୍ଠି ଫିଟାଇବା ପାଇଁ ଅପେକ୍ଷା କରି ଥିଲା ମାଳତୀର ସାନଭଉଣୀ କେତକୀ । ତାକୁ ପ୍ରତିବଦଳରେ ଚେନ ମିଳିଥାନ୍ତା । ଏବେ ତାର ନାକ ସୁଁ ସୁଁ ଆରମ୍ଭ ହେଲା । କୋଳାହଳ ଭିତରେ ଏବେ ଢ଼ୋଳେଇଥିବା ମଧୁର ନିଦ ଭାଙ୍ଗିଗଲା । ସେ ପଚାରିଲା-ବାପା, ଶଳା ବିଧା କେତେ ଡେରି କି ଆଉ?
ଯଦୁମଣି ବିରକ୍ତିରେ କହିଲେ-ଚୁପ୍ ହେଉଚୁ ନା ତୋତେ ଦି ବିଧା ଦେବୀ ।
ମାଳତୀର ଦେହ କମ୍ପି ଉଠିଲା ଝଡ଼ରେ ବାଉଁଶ ଗଛ ପରି । ମୁଣ୍ଡରୁ ଓଢ଼ଣା ଖସିଗଲା । ସେ ନରେନ୍ଦ୍ର ଆଡ଼େ କଣେଇ କରି ଚାହିଁଲା । ଦ୍ୱିତୀୟ ଥର ପାଇଁ ଚାରିଚକ୍ଷୁର ମିଳନ ହେଲା । ସତେ ଯେପରି ତାର ଆଖି ମନେ ପକେଇ ଦେଉଥିଲା-ତୁମେ ମୋର, ମୁଁ ତୁମର । ତୁମେ ଲେଖିଥିଲ ସତରେ ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ଓ ଅନ୍ୟାନ୍ୟ ଇତରଜନ କେହି ତୁମ ପାଖରେ ନଥିବେ । ସବୁ ସୁଖର ସାଥୀ । ଜୀବନର ଧୂ ଧୂ ନଈ ବାଲିରେ କେହି ନଥିବେ ପାଖରେ । ସୁଖରେ , ଦୁଃଖରେ, ଭଲରେ ମନ୍ଦରେ ମୁଁ ତୁମର ଆଙ୍ଗୁଠି ଧରି ଧରି ଚାଲିବି । ନାକ ପୁଡ଼ାରେ ଶେଷ ନିଶ୍ୱାସ ଚାଲୁଥିବା ଯାଏ । ମୁଁ ହିଁ କାୟମନୋବାକ୍ୟରେ ତୁମର ଅନୁଗତ ହୋଇ ରହିବ ।
ତାପରେ ସେ ମଥାନତ କଲା ।
ନରେନ୍ଦ୍ର ଆଖିରେ ପଡ଼ିଲା ଏବେ ମାଳତୀର ଚମ୍ପା କଢ଼ିର ଆଙ୍ଗୁଠି । ଆହୁରି ତଳକୁ ଦିଶୁଥିଲା ତାର ପଦ୍ମପାଦ । ସତେ ଯେପରି ତାର କାନରେ କୌଣସି ଶବ୍ଦ ପ୍ରତିଧ୍ୱନିତ ହେଉନଥିଲା । ଆଖି ଆଗରେ ସର୍ବସ୍ୱ ସମର୍ପଣ ମୁଦ୍ରାରେ ବସିଛି ଏ ଯେଉଁ କିଶୋରୀ-ସେହି ତାର ସବୁକିଛି
ନରେନ୍ଦ୍ର ନୀରବ ରହିଥିଲା । ଏଥର ତାକୁ ହଲାଇ ଦେଇ ଡାକୁଆ କହିଲା-ଆଜିଠୁ ସଙ୍ଗାତ କଟିଲା । ଆମେ ଚାଲିଲୁ ।
ଫଗୁଆ ତା ଦେଇର ମୁହଁକୁ ଚାହିଁଥିଲା ବାଷ୍ପାକୁଳ ନୟନରେ । ଏବେ ସେ ଜୋଇଁପୁଅର ମୁହଁକୁ ଅନାଇଲା । ଆଖିରେ କଥାକୁ ସତେ ଯେପରି ସେ ବୁଝିଲା, ଦେଖିଲା, ସେଠି କୌଣସି ରାଗ ନାହିଁ । ତା’ର ନୀରବତା ତାର ମନତଳର ସବୁକଥା ପ୍ରକାଶ୍ୟରେ କହିଯାଉଥିଲା ।
ଫଗୁଆ ଏବେ ଦାନ୍ତ କଡ଼ମଡ଼ କଲା । ଦାଣ୍ଡ ଦୁଆରେ ସ୍ୱାଗତମ ଲେଖାଥିବା ସ୍ଥାନରେ କୁକୁର ଘଉଡ଼ାଇବା ଠେଙ୍ଗାଟିକୁ ଧରି ଡାକୁଆକୁ କହିଲା- ଶୁଣ ସହରୀ ବାବୁ, ତୁ ସହରୀ ବାଘ ହେଲେବି ମୁଁ ମଫସଲୀ ଫାଗ । ଏଇ ଗାର ଡେଇଁଲେ ଗୋଡ଼କୁ ଛୋଟା କରିଦେବି । ଭଲ ଦଶା ଅଛି ତ’ ଖାଇବା ଜାଗାରେ ଯାଇ ବସ ।
ନରେନ୍ଦ୍ର ଏବେ ମୁହଁ ଖୋଲିଲା-ପୁରୋହିତ, ଜଲଦି କାମ ବଢ଼ାଅ । ସମସ୍ୱରରେ ଦୁଇ ପୁରୋହିତଙ୍କ କଣ୍ଠ ଖୋଲିଲା-ଯଥା ରାବଣସ୍ୟ ମନେ୍ଦାଦରୀ, ଯଥା ଧୃତରାଷ୍ଟ୍ରସ୍ୟ ଗାନ୍ଧାରୀ, ତଥା ନରେନ୍ଦ୍ରସ୍ୟ ମାଳତୀ । ଖଞ୍ଜା ଲଳନାଙ୍କ ହୁଳହୁଳି ଧ୍ୱନିରେ ଫାଟି ଯାଇଥିଲା ଦିଗ୍ବିଦିଗ । ଯେଉଁ ବେଗରେ ହାତଗଣ୍ଠି ପଡ଼ିଲା, ହାତଗଣ୍ଠି ଖୋଲିଲା, ଶଳାବିଧା ପଡ଼ିଲା, ଫୁଲମାଳ ଅଦଳବଦଳ ହେଲା, ତାହା ତଡ଼ିତ୍ ବେଗରେ ଧାବମାନ ସିନେମା ରିଲ ପରି ପ୍ରତୀତ ହେଉଥିଲା । ବେଦୀ ପାଖରେ ଦୁଇ ସମୁଦି ଠିଆ ହୋଇ କୋଳାକୋଳି ହେଉଥିଲେ । ନେପଥ୍ୟରେ କୋଳାକୋଳି କରିବା ପାଇଁ ଫଗୁଆ ଖୋଜୁଥିଲା ଡାକୁଆକୁ ।