ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କୃତୀ ଛାତ୍ରୀ ଅନିମା ପଟ୍ଟନାୟକ ଅନେକ ଭାବି ଚିନ୍ତି ସ୍ଥିର କଲେ ସେ ଚାକିରୀ କରିବେ ନାହିଁ । ଘର ସଂସାର କରିବେ । ସନ୍ତାନମାନଙ୍କୁ ଉପଯୁକ୍ତ ଧ୍ୟାନ ଦେଇ ମଣିଷ ପରି ମଣିଷ କରି ଗଢ଼ିବେ ଯେପରି ସେମାନେ ହେଲେ ଆଗାମୀ ସମାଜର ଆଲୋକ ବର୍ତ୍ତିକା । ବରଂ ଏହା ଦ୍ୱାରା ସମାଜର ବିଶେଷ ଉପକାର ସାଧିତ ହେବ । ଏହି ପ୍ରକଳ୍ପର କାର୍ଯ୍ୟକାରିତା ନିମନ୍ତେ ପ୍ରଥମ ଆବଶ୍ୟକତା ସ୍ୱରୂପ ମନ ମୁତାବକ ସ୍ୱାମୀଟିଏ ଯୋଗାଡ଼ କରିବା ସକାଶେ ସେ ମା’ଙ୍କୁ ଜଣାଇ ଦେଲେ । ମନ ମୁତାବକର ଅର୍ଥ-ସ୍ୱାମୀ ସୁନ୍ଦର, ସ୍ୱାସ୍ଥ୍ୟବାନ, ମେଧାବୀ, ବୁଦ୍ଧିମାନ, ଉଚ୍ଚପଦବୀରେ ଅଧିଷ୍ଠିତ, ଉଚ୍ଚ ପରିବାର ସମ୍ଭୂତ ଓ ସ୍ତ୍ରୀ ସ୍ୱାଧୀନତାର ପକ୍ଷପାତୀ ହୋଇଥିବେ ।
ଏ ଇଚ୍ଛା ତାଙ୍କର ଅକ୍ଲେଶରେ ପୂରଣ ହୋଇଗଲା ।
ଅନିମା ସ୍ୱାମୀ ଗୃହରେ ପହଞ୍ଚିଲେ । ପ୍ରକଳ୍ପର ପରବର୍ତ୍ତୀ ସୋପାନର ଆବଶ୍ୟକତା ସେ ସ୍ୱାମୀଙ୍କୁ ଜଣାଇଦେଲେ । ରୋଷେଇ ବାସ, ପରିଷ୍କାର ପରିଚ୍ଛନ୍ନତା, ସଜାସଜି, ବଜାର ସଉଦା, ବଗିଚା କାମ ଇତ୍ୟାଦି ସକାଶେ ନିହାତି କମ୍ରେ ତିନୋଟି ଚାକର ଆବଶ୍ୟକ । ସ୍ୱାମୀ ଉଚ୍ଚ ପଦସ୍ଥ କର୍ମଚାରୀ । ସରକାରୀ ଓ ବେସରକାରୀ ଉପାୟରେ ସ୍ତ୍ରୀଙ୍କର ଏଇ ସାମାନ୍ୟ ଆବଶ୍ୟକତା ପୂରଣ କରିବାକୁ ବେଶୀ ବେଳ ଲାଗିଲା ନାହିଁ ।
ଅବିନାଶ ଅନୁଗତ ସ୍ୱାମୀ । ନିରୁଦ୍ବିଗ୍ନ, ନିର୍ଲିପ୍ତ ବ୍ୟକ୍ତିତ୍ୱ । ଅନିମାଙ୍କ ନିର୍ଦ୍ଦେଶରେ ସେ ଖାଆନ୍ତି । ପୋଷାକ ପିନ୍ଧନ୍ତି । କୌଣସି କଥାରେ ଆପତ୍ତି ଅଭିଯୋଗ ନାହିଁ । ନିଜ ତରଫରୁ କେବେ କିଛି ବରାଦ କରିନାହାନ୍ତି । ବିବାହ ପରେ ଅନିମା ଚାହୁଁଥିଲେ ଶାଶୁ ଶ୍ୱଶୁରଙ୍କ ସହିତ ନ ରହି ସ୍ୱତନ୍ତ୍ର ଏକ ଘର ନେଇ ତାଙ୍କର ସ୍ୱାଧୀନ ସଂସାର ଆରମ୍ଭ କରିବେ ।
ପ୍ରତିକ୍ରିୟାଶୂନ୍ୟ ସମ୍ମତି ଜଣାଇ ଅନିମାଙ୍କୁ ଅବାକ୍ କରିଦେଇଥିଲେ ଅବିନାଶ ।
ଅନିମା ଚାହିଁଥିଲେ ସଂପୂର୍ଣ୍ଣ ସ୍ୱାଧୀନତା, ସ୍ୱାମୀଙ୍କ ଉପରେ ପୂର୍ଣ୍ଣ କର୍ତ୍ତୃତ୍ୱ ଓ ଅଧିକାର । ତା’ ସେ ପାଇଛନ୍ତି । ଅନିମା ସଫଳ ଗୃହିଣୀ । ଧୀର, ସ୍ଥିର, ଶାନ୍ତ, ଅଚଳ ଟୁବି ଗାଡ଼ିଆର ପାଣି ପରି ତାଙ୍କର ଦାମ୍ପତ୍ୟ ଜୀବନ । ସେ ଜୀବନ ପରିଧି ବାହାରେ କିମ୍ବା ଭିତରେ କେବେ ସେମିତି କିଛି ହଟ ଚମଟ ଘଟି ନାହିଁ ।
ମିତା ଓ ମାନୁ ଅନିମାଙ୍କ ସଫଳତାର ଅନ୍ୟ ଦୁଇଟି ସ୍ୱାକ୍ଷର । ବାପାଙ୍କ ପରି ସେମାନେ ମଧ୍ୟ କେଉଁ କଥାରେ ପ୍ରତିବାଦ କରନ୍ତି ନାହିଁ । ଅବାଧ୍ୟ ହୁଅନ୍ତି ନାହିଁ । ମା’ଙ୍କ ପାଖରେ ଥରଟିଏ ବି ଅଳି କରିବାର କେହି ତାଙ୍କୁ ଦେଖି ନାହିଁ । ଝିଅ ପୁଅଙ୍କର କୌଣସି କଥା ହେଳା କରି ନାହାନ୍ତି ଅନିମା । ଝିଅ ପୁଅ କଣ ଖାଇବେ, କେଉଁ ପୋଷାକ ପିନ୍ଧିବେ । କଣ ପାଠ ପଢ଼ିବେ, କଣ କରିବେ ବା ନକରିବେ ଏସବୁ ଅନିମା ହିଁ ସେମାନଙ୍କ ପାଇଁ ଠିକ୍ କରି ଦିଅନ୍ତି । ମିତା ଓ ମାନୁ ଉଭୟ ଖୁବ୍ ଭଲ ପାଠ ପଢ଼ନ୍ତି । ଗୃହ ଶିକ୍ଷକ ନରଖି ସେ ନିଜେ ସେମାନଙ୍କୁ ପଢ଼ାନ୍ତି । ତା’ ବ୍ୟତୀତ ଶିଷ୍ଟାଚାର ଓ ସମ୍ଭ୍ରାନ୍ତ ଚଳଣିର ସମସ୍ତ ଆଦବ କାଇଦା ସେ ପିଲା ଦୁଇଟିକୁ ଶିକ୍ଷା ଦେଇଛନ୍ତି । ନିର୍ବିଚାରରେ ମା’ଙ୍କର ପ୍ରତ୍ୟେକ କଥାକୁ ଗ୍ରହଣ କରି ନେଉଥିବା ପୁଅ ଝିଅ ଆଜି କାଲି ଦୁଲର୍ଭ ହେତୁ ଏପରି ସନ୍ତାନର ଜନନୀ ହିସାବରେ ସାଙ୍ଗସାଥୀ ମହଲରେ ଅନିମା ଅଜସ୍ର ପ୍ରଶଂସାର ଅଧିକାରିଣୀ ହୋଇଛନ୍ତି । ପ୍ରକାଶ ଥାଉକି ଏଥିପାଇଁ ସେ କମ୍ ଗର୍ବ ଓ ଗୌରବ ଅନୁଭବ କିରନାହାନ୍ତି ।
ଅତଏବ ପ୍ରକଳ୍ପର ପ୍ରତ୍ୟେକ ସ୍ତରରେ ସେ ସଫଳତାର ସହ ଆଗେଇ ଚାଲିଛନ୍ତି ।
ଦୁଇଦିନ ହେବ ମନ ଭଲ ନାହିଁ ଅନିମାଙ୍କର । ଅକାରଣ ଅଶ୍ୱସ୍ତିରେ ଛଟପଟ ଅନୁଭବ କରୁଛନ୍ତି । ଅଥଚ ଦୀର୍ଘ କୋଡ଼ିଏ ବର୍ଷର ସୁଖମୟ ପାରିବାରିକ ଜୀବନରେ ଦିନେ ହେଲେ ମେଘ ଖଣ୍ଡେ ଉଠି ନଥିଲା । ଉଚ୍ଚ ପଦସ୍ଥ ସରକାରୀ ଅଫିସରଙ୍କର ଉଚ୍ଚ ଶିକ୍ଷିତା, ସୁଶ୍ରୀ, ଆଧୁନିକା, ପ୍ରଗତିଶୀଳା ପତ୍ନୀ, ସର୍ବସୁଖ ଅଧିକାରିଣୀ, ସ୍ୱାମୀ ତଥା ପୁତ୍ର କନ୍ୟାଙ୍କର ସର୍ବ ମଙ୍ଗଳାକାଂକ୍ଷିଣୀ ଶ୍ରୀମତୀ ଅନିମା ଏଇପରି ଅତୀତ ଜୀବନର ପୃଷ୍ଠାଗୁଡ଼ିକୁ ବାରମ୍ବାର ଓଲଟାଇ ପଢ଼ୁଛନ୍ତି ।
ଅନିମା ବଗିଚାକୁ ଉଠିଗଲେ ।
ଏପି୍ରଲ୍ର୍ ସନ୍ଧ୍ୟା ଆସୁଛି । ବାହାରେ ବସନ୍ତ ପବନ । ରାସ୍ତା ଧାରର କୃଷ୍ଣଚଡ଼ା ଓ କାଠଚମ୍ପା ଶାଖାରେ ଅସୁମାରୀ ଫୁଲ । ବଗିଚା ଭିତରେ ନାନା କିସମର ଫୁଲର ବାସ୍ନା । ସହରୀ ଫୁଲ ସାଙ୍ଗକୁ ଗାଉଁଲୀ ଫୁଲର ଗଛ କେତୋଟି ନିଜ ହାତରେ ଲଗାଇଛନ୍ତି ଅବିନାଶ । ଟଗର, କନିଆର, ଚିନିଚମ୍ପା, ମଧୁମାଳତୀ ।
ଅନିମା ବୁଲୁବୁଲୁ କନିଅର ଗଛ ପାଖରେ ଅଟକି ଗଲେ । ଅଜସ୍ର ହଳଦିଆ ଫୁଲରେ ଭରି ଯାଇଛି ଗଛ । ଗଛ ତଳେ ଅନେକ ବାସି ଫୁଲ ଗୋଟି ଗୋଟି ହୋଇ ଝଡ଼ି ପଡ଼ିଛି । ଦିନେ କାଳେ ଆଡ଼ ଆଖିରେ ଚାହିଁ ନଥିବା ଗଛଟିକୁ ଆଜି ଖୁବ୍ ମନ ଧ୍ୟାନ ଦେଇ ଦେଖିବାକୁ ଲାଗିଲେ ଅନିମା ।
ଗଛମୂଳେ ଛୋଟ ଛୋଟ ଚାରା ଗଛ । ଭୂଇଁରୁ ହାତେ ପର୍ଯ୍ୟନ୍ତ ଉଠି ଠିଆ ହୋଇଛନ୍ତି । ବେଶି ଉଧେଇ ପାରିନାହାନ୍ତି । ମା’ ଗଛର ଆଶ୍ରା ତଳେ ସତେ ଯେପରି ସେମାନେ ଚାପି ହୋଇଯାଇଛନ୍ତି । ଉପରକୁ ଉଠିବାର ଯୁ’ ନାହିଁ । ଦୁର୍ବଳ, ଅସହାୟ, ଶ୍ରୀହୀନ ଶିଶୁଗଛଗୁଡ଼ିକ । ଆହା ସେମାନଙ୍କର କଣ ଲୋଡ଼ା? ମା’ ଠାରୁ ନିରାପଦ ଦୂରତ୍ୱରୁ ମାଟି, ଖୋଲା ମେଲା ଆକାଶର ପବନ, ଆଲୁଅ, ଅମୃତର ଧାରା ।
ଆଉଟି ହୋଇଗଲା ଅନିମାନଙ୍କର ପଥର ହୃଦୟ । ତାଙ୍କର ମନେ ହେଲା ସତେ ଯେପରି ସେମାନେ ଶିଶୁ ଗଛ ନୁହଁନ୍ତି । ତାଙ୍କ ନାଲି ଆଖିର କଡ଼ା ଶାସନ ତଳେ କୁଙ୍କୁରି କାଙ୍କୁରି ଠିଆ ହୋଇଥିବା ମିତା ଓ ମାନୁ । ତାଙ୍କ କ୍ଷମତା ଆଉ ଅଧିକାରର ବେଡିରେ ବନ୍ଧା ପଡ଼ିଥିବା ଆତ୍ମାଯୋଡ଼ିକ ।
ମିତା ଦିନେ କହିଥିଲା- ‘ମା’! ଆମ କ୍ଲାସର ସମସ୍ତେ ପିକନିକ୍ ଯିବେ । ମୁଁ ଯିବି? ଖୁବ୍ ଚଢ଼ା ଗଳାରେ ସେ ମନା କରିଦେଇଥିଲେ ପିକ୍ନିକ୍ ଯାଇ ବାଜେ ପିଲାଙ୍କ ସହିତ ମିଶିବା ଦରକାର ନାହିଁ” । ଚୁପ୍ଚାପ୍ ଫେରି ଯାଇଥିଲା ମିତା । ସେଦିନୁ କେବେ କିଛି ସେ ମାଗି ନାହିଁ ।
ମାନୁ ଅନେକଟା ତା’ ବାପାଙ୍କ ପରି । ସେ ଆପେ ଆପେ ତାଙ୍କ ଇଚ୍ଛା ଅନିଚ୍ଛା ସହିତ ନିଜକୁ ଖାପ ଖୁଆଇ ନେଇଛି ।
ଅବିନାଶ ଗାଁକୁ ଭଲ ପାଆନ୍ତି । ରଜ, ଦଶହରା, ଛୁଟି ଗାଁରେ କଟାଇବା ଥିଲା ତାଙ୍କର ସଉକ୍ । ତା’ ଛଡ଼ା ମଝିରେ ମଝିରେ ଦିନେ ବା ଦୁଇଦିନ ଗାଁ ଆଡ଼େ ଯାଇ ବୁଲି ଆସନ୍ତି । କିନ୍ତୁ ଅନିମାଙ୍କ ତାଗିଦରେ ସେ ସବୁ ଅନେକଦିନୁ ବନ୍ଦ ହୋଇଯାଇଛି ।
ସେଥିପାଇଁ ଅବିନାଶଙ୍କୁ କଣ କଷ୍ଟ ହୋଇନଥିବ? ଅଥଚ ଦିନେ ହେଲେ ସେ ତୁଣ୍ଡ ଖୋଲି ନିଜ ବିଷୟରେ ଅନିମାଙ୍କୁ ଜାଣିବାକୁ ଦେଇନାହାନ୍ତି । ସ୍ତ୍ରୀ ହିସାବରେ ଅନିମା ବି କଣ ସ୍ୱାମୀଙ୍କର ଇଚ୍ଛା, ଅନିଚ୍ଛା, ରୁଚି, ଅରୁଚିକୁ ସମ୍ମାନ ଦେଇଛନ୍ତି?
ଅଶ୍ୱସ୍ତି ପ୍ରବଳରୁ ପ୍ରବଳତର ହେଲା । କଣ ଗୋଟାଏ ମଡ଼ ମଡ଼ ଭାଙ୍ଗି ଯାଉଛି ଭିତରେ । ସୁ ସୁ ଗରମ ନିଶ୍ୱାସ ଛାତି ଫଟାଇ ବାହାରି ଆସୁଛି । ଆପଣା ହାତରେ ଘାଣ୍ଟି ଚକଟି ପାଉଁଶ ତଳୁ ସତ୍ୟର ରଡ଼ ନିଆଁ ଖଣ୍ଡକୁ ଖୋଜି ବାହାର କରି ଆଣୁଛନ୍ତି ଅନିମା । ସେ ନିଅାଁ ଧାସରେ ଜଳି ଯାଉଛି ତାଙ୍କର ମିଥ୍ୟା ଅହମିକା, ଖସି ପଡ଼ୁଛି ସଫଳ ପତ୍ନୀତ୍ୱ ଓ ଅସାମାନ୍ୟ ମାତୃତ୍ୱର ମୁଖାବରଣ । ତାଙ୍କର ମନେ ହେଲା-ଅବିନାଶ, ମିତା ଆଉ ମାନୁ ସମସ୍ତେ ତାଙ୍କୁ ଦୟା ଦେଖାଇଛନ୍ତି । ସେମାନଙ୍କୁ ହାତ ମୁଠାରେ ଜାବୁଡ଼ି ଧରିବାର ପିପାସା, ସେମାନଙ୍କ ଇଚ୍ଛାକୁ ଦଳି ମକଚି ଆପଣା ଇଚ୍ଛାକୁ ଜାହିର କରିବାର ପ୍ରବଣତାରେ ହିଁ ତାଙ୍କ ସଂସାର ଝଲମଲ କରିଛି । ବଳି ପଡ଼ିଛି ସ୍ୱାମୀଙ୍କର ପୌରୁଷ । , ସନ୍ତାନମାନଙ୍କର ସୁକୁମାର ମୌଳିକତା । ଇଚ୍ଛା ମତେ ମଣିଷ ଗଢ଼ିବାର ପ୍ରକି୍ରୟାରେ ସେ ସୃଷ୍ଟି କରିଛନ୍ତି ଦୁଇଟି ପରମୁଖାପେକ୍ଷୀ ଅଥର୍ବ ବ୍ୟକ୍ତିତ୍ୱ?
ସ୍ୱାମୀ ଓ ସନ୍ତାନମାନଙ୍କୁ ଆପଣା ଇଚ୍ଛାର କ୍ରୀଡ଼ନକ କରି ରଖିବା ବୋଧେ ପତ୍ନୀର ଚିରନ୍ତନ ପ୍ରବୃତ୍ତି । ଯେଉଁମାନେ ଏହା ପାରନ୍ତି ନାହିଁ ଅସଫଳ ସଂସାରର ମର୍ମ ବେଦନାରେ ଘାରି ହେଉଥାନ୍ତି । ଯେମିତି ଲୁହ ଢ଼ାଳୁଛନ୍ତି ସୁଲେଖା, ବନାନୀ ଓ ରଶ୍ମୀରେଖା ପରି ପତ୍ନୀମାନେ, ଲଗାମଛଡ଼ା ସ୍ୱାମୀମାନେ ଆଉ ଅମାନିଆ ପୁଅ ଝିଅଙ୍କର ଅବିଗୁଣ ଗାଇ ଗାଇ ।
କେଉଁ ରହସ୍ୟ ଏହା ପଛରେ ଲୁକ୍କାୟିତ ଅନିମା ବୁଝି ପାରିଲେ ନାହିଁ ।
ତେବେ ସେ ଏତିକି ବୁଝିଲେ-ଆଜି ପର୍ଯ୍ୟନ୍ତ ସେ ଭୁଲ ବାଟରେ ହିଁ ଚାଲି ଆସିଛନ୍ତି । ଗୋଟାଏ ଦୁର୍ବାର ଖିଆଲରେ ବିଚ୍ଛିନ୍ନ ଜୀବନଟାଏ ସେ ବଞ୍ଚିଛନ୍ତି ମାତ୍ର । ସେଥିରେ ଅବିନାଶଙ୍କର ଛାଇ ସୁଦ୍ଧା ମରିନାହିଁ । ମିତା ଓ ମାନୁଙ୍କର ମିଠା ମିଠା ମା’ ଡାକର ଗନ୍ଧ ସୁଦ୍ଧା ନାହିଁ ।
ଜହ୍ନ ପକ୍ଷ ରାତି୍ର । ଆକାଶରେ ଅର୍ଦ୍ଧଚନ୍ଦ୍ର ।
ଘର ଭିତରକୁ ପଶି ଆସିଲେ ଅନିମା । ଯନ୍ତ୍ରଣାର ସ୍ୱର ଶୁଭୁଛି ଭାନୁର । ଭାନୁକୁ ଜ୍ୱର ଦି’ ପହରୁ । କଣ ଗୁଡ଼ାଏ ବିଳି ବିଳଉଛି । ଚାକର ପିଲାଟି, ବେମାରରେ ବି ତାକୁ ଅନିମାଙ୍କ ନିଦେ୍ର୍ଦଶରେ ରହିବାକୁ-ରହିଚି ଚୁପ୍ ହୋଇ ।
ଅନିମା ଧାଇଁଗଲେ ଭାନୁର ବିଛଣା ନିକଟକୁ । ମୁହଁଟି ଥଣ୍ଡା କନାରେ ପୋଛି ଦେଇ କହିଲେ- ‘ଯିବୁରେ ଭାନୁ । ଯିବୁ ତୁ ତୋ’ ମା’କୁ ଦେଖି ଆସିବୁ ମୁଁ ତତେ ନିଜେ ନେଇ ତୋ ମା’ ପାଖରେ ଛାଡ଼ି ଦେଇ ଆସିବି । ଭାନୁ ଅନିମାଙ୍କୁ ଚାହିଁ ଜରୁଆ ଆଖିରେ ଅଳ୍ପ ହସିଦେଲା ।
ଖୁବ୍ ହାଲୁକା ଅନୁଭବ କଲେ ଅନିମା ।
ନାରୀ କଣ ଜୋର୍ କରି ଅଧିକାର ଜାହାରି କରିପାରେ? ଅନ୍ୟକୁ କବଳିତ କରିପାରେ? ସେ ସବୁ ତା’ ପାଇଁ କୃତି୍ରମତା ।
ସୃଷ୍ଟି ଯନ୍ତ୍ରଣାରେ ବି ଯେ ମଧୁକ୍ଷରା କଅଁଳ ଆଲିଙ୍ଗନରେ ଆଶୀଷ ବର୍ଷି ପାରେ, ସେ ନାରୀ । କେଉଁ ଦୂରନ୍ତ ସୂର୍ଯ୍ୟର ମହିମାରେ ମହିମାନିତ୍ୱ କରିପାରେ ଯେ ସମଗ୍ର ଜୀବନର ଉପତ୍ୟକାକୁ ସେ ନାରୀ ।