ଗାଡ଼ିକୁ ଆମେ ଉଠିପଡ଼ିଲୁ-ମୁଁ ଆଉ ମୋ ସ୍ତ୍ରୀ । ଗାଡ଼ି ଭିଡ଼ ଥାଏ । ବେଶ୍ ଭିଡ଼ ଥାଏ । ସେ ଲୋକ ଜଣକ ଯାଗା କରିଦେଇ ନଥିଲେ ମୋ ସ୍ତ୍ରୀ ବି ବସିପାରି ନଥାନ୍ତେ । ମୁଁ ବସିବା ତ ଆହୁରି ଦୂରର କଥା । ତା’ର ନଜର ଯେମିତି ପଡ଼ିଛି ଆମ ଉପରେ ସେ ଥରେ ଆମ ଦୁହିଁଙ୍କୁ ଚାହିଁ ନେଇ ମୁହଁ ଫେରାଇ ନେଉଥିଲା ଝରକା ଆଡ଼କୁ । କିନ୍ତୁ କଣ ଭାବି ପୁଣି ଥରେ ମୁହଁ ଉଠାଇ ଚାହିଁଲା । ଆଗେ ମୋ ସ୍ତ୍ରୀଙ୍କୁ, ତା’ପରେ ମତେ । ତା’ପରେ ସେ କେମିତି ବ୍ୟସ୍ତ ହୋଇ ପଡ଼ିଲା । କିଛିି କ୍ଷଣ ନିଶ୍ଚଳ ହୋଇ ଚାହିଁଲା ଆମକୁ-ସେ ଯେପରି ଗୋଟାଏ ପୁରୁଣା ଫଟୋ ଦେଖୁଛି ଯେଉଁ ଫଟୋରେ ସେ ନିଜେ ବି ଅଛି । ତା’ପରେ ସେ ଫଟୋରୁ ସେ ମତେ ବାହାର କରିଦେଲା । ବର୍ତ୍ତମାନ ସେ ଏକା ଆଉ ମୋ ସ୍ତ୍ରୀ । ଖାଲି ଚାହିଁଛି ମୋ ସ୍ତ୍ରୀଙ୍କୁ-ତାଙ୍କର ଶାଢ଼ୀ-ପିନ୍ଧାକୁ, ହାତରେ ଧରିଥିବା ତାଙ୍କର ନୂଆ ଭ୍ୟାନିଟି-ବ୍ୟାଗକୁ, ତାଙ୍କର ସମୁଦାୟକୁ ।
ତା’ପରେ ସେ ହଠାତ୍ ଠିଆ ହୋଇ ପଡ଼ିଲା ତା’ ଯାଗା ଛାଡ଼ି । ତା’ ସାମ୍ନାରେ ବସିଥିବା ଲୋକ ଦୁଇଟାଙ୍କୁ ଟିକିଏ ଆଡ଼େଇ ଦେଇ କହିଲା- ‘ଟିକିଏ ଯାଗା କରିଦିଅନ୍ତୁ ନା ସେଠି । ଦେଖିପାରୁନାହାନ୍ତି ଭଦ୍ରମହିଳା ଠିଆ ହୋଇଛନ୍ତି!’ ତା’ ପରେ ସେ ନିଜ ପାଖରେ କୌଣସି କ୍ରମେ ଟିକିଏ ଯାଗା କରିନେଇ ଡାକିଲା ମତେ, ‘ବସାନ୍ତୁ ତାଙ୍କୁ ସେଠି । ଆପଣ ଆସନ୍ତୁ ମୋ ପାଖରେ ବସିବେ । ଏମିତି ଚାଲି ଯିବା, ଆଉ କଣ କରିବା’?
ମୁଁ ସ୍ତ୍ରୀଙ୍କୁ ବାଟ କଢ଼ାଇ ନେଇ ବସାଇଲି ଲୋକଟା କରିଦେଇଥିବା ଯାଗାରେ ଆଉ ତାଙ୍କ ସାମ୍ନାକୁ ବସିଲି ନିଜେ, ଲୋକଟାର କଡ଼ରେ । ଆମେ ତିନିହେଁ ବସିରହିଲୁ ଗୋଟାଏ ଅତଏବ ଚିହ୍ନ ପରି । ମୋର ସ୍ତ୍ରୀ ଝରକା ବାଟେ ବାହାରକୁ ଚାହିଁଥାନ୍ତି ଆଉ ଝୁଲୁଥାନ୍ତି ଚଳନ୍ତା ଗାଡ଼ିରେ । ଲୋକଟା ତାଙ୍କୁ ଚାହିଁଥାଏ ।
ଲୋକଟା ବୋଧହୁଏ ୟା’ ଭିତରେ ମନେ ମନେ ଗଣି ସାରିଲାଣି ସେ କେତେ ପଟ କରି ଚୁଡ଼ୀ ପିନ୍ଧିଛନ୍ତି ଦୁଇ ହାତରେ । ମୁଁ ଜାଣିନଥିଲି ସୁସ୍ମିତା କେତେ ପଟ କରି ଚୂଡ଼ୀ ପିନ୍ଧିଛନ୍ତି । ମୁଁ ବ୍ୟସ୍ତ ହୋଇ ଗଣିବାକୁ ଲାଗିଲି ସୁସ୍ମିତାଙ୍କର ଚୂଡ଼ୀ । ମୁଁ କେବେ ଏତେ ନିକଟରୁ ଏତେ ନିବିଷ୍ଟ ଭାବେ ଚାହିଁ ନଥିଲି ସୁସ୍ମିତାଙ୍କୁ । ମୁଁ ଆଜି ପ୍ରଥମେ ଦେଖୁଚି ସୁସ୍ମିତାଙ୍କ ଚୂଡ଼ୀ । ସୁସ୍ମିତା ଝରକା ଆଡ଼କୁ ମୁହଁ କରି ବସିଛନ୍ତି ଆଉ ଝୁଲୁଛନ୍ତି ଚଳନ୍ତାଗାଡ଼ି ସାଙ୍ଗରେ । ସେ ପିନ୍ଧିଛନ୍ତି ସରୁ ସରୁ ଚାରି ଚାରି ପଟ କାଚର କି ସୁନ୍ଦର ଏକ ଆକାଶୀ ରଙ୍ଗର ଚୁଡ଼ୀ । ଏତେ ମିହିମିହି ପାତଳ ସେ କାଚ ଯେ, କେହି ଯଦି ଧରିପକାଏ ତାଙ୍କୁ ହାତରୁ ମୁଡ଼ୁମୁଡ଼ୁ ହୋଇ ଭାଙ୍ଗିଯିବ ସେ କାଚ । ମୁଁ ଲୋକଟାକୁ ଚାହିଁଲି । ସେ ବି ଚାହିଁଲା ମତେ । ସେ ଯେପିର ମନେ ମନେ ମତେ କହୁଛି- ‘ ଓଃ, ଏତେ ପାତଳା! ଏତେ ପାତଳା କାଚ କି ପିନ୍ଧାଯାଏ?’ ମୁଁ ଚକିତ ହୋଇଗଲି । ମୋ ସ୍ତ୍ରୀ ଗୋଟିଏ ବିଚିତ୍ର ମୁଦି ପିନ୍ଧିଛନ୍ତି ଆଙ୍ଗୁଠିରେ । ଲୋକଟାକୁ ଲୁ·ଇ ଦେଇ ସୁସ୍ମିତାଙ୍କ ମୁଦିରେ ବସିଥିବା ପଥରଗୁଡ଼ିକର ରଙ୍ଗ ସବୁ ଚିହ୍ନିଲି । ମଝିରେ ବସିଛି ଯେଉଁ ଲାଲ ମାଣିକ୍ୟ ପଥରଟି ତା’କୁ ଘେରିଛି ଛୋଟ ଛୋଟ ନୀଳକୁ । ଲୋକଟା ନଥିଲେ ଏଠି ମୁଁ ହୁଏତ ସୁସ୍ମିତାଙ୍କ ହାତ ସୁଦ୍ଧା ଉଠାଇ ଗଣିଥାନ୍ତି ମୁଦିଟାରେ କେତେ ଖଣ୍ଡ ବସିଛି ନୀଳକୁ । ମୁଁ ଆଶ୍ଚର୍ଯ୍ୟ ହେଲି । ଏତେଦିନ ମୁଁ କାହିଁକି ଗଣିନଥିଲି ଏତିକି । ମନଟା ମୋର ଭାରି ଖୁଜବୁଜ ହେଲା । ଲୋକଟା ଏଥର ତଳକୁ ଚାହିଁଛି । ବୋଧହୁଏ ଚାହିଁଛି ସୁସ୍ମିତାଙ୍କ ପାଦ ଆଙ୍ଗୁଠିର ଝୁଣ୍ଟିଆକୁ ବା ତାଙ୍କର ଜରିଫୁଲ ପଡ଼ିଥିବା ସରୁ ଚମଡ଼ାର କୋହ୍ଲାପୁରୀ ଚପଲକୁ । ସୁସ୍ମିତା ପାଦ ନଖରେ ନେଲପଲିଶ ବି ଲଗାଇଛନ୍ତି । କି ସୁନ୍ଦର ସେଇ ରଙ୍ଗ, କିନ୍ତୁ ମୁଁ ଚିହ୍ନି ପାରୁନାହିଁ ସେ ରଙ୍ଗ ଏତେ ଉପରୁ । ଲୋକଟା କିଛି କରିବା ପୂର୍ବରୁ ମୁଁ ଜୋତା ସଜାଡ଼ିବାର ବାହାନାରେ ନଇଁ ପଡ଼ି ତଳକୁ, ଚିହ୍ନିଲି ସୁସ୍ମିତାଙ୍କ ପାଦ ଆଙ୍ଗୁଠିର ସେଇ ରଙ୍ଗ । ମୁଁ ଭୁଲ କରିଥାନ୍ତି ମୁଁ ଯଦି ଧରିନେଇଥାନ୍ତି ସେ ରଙ୍ଗକୁ ଲାଲ ବୋଲି । ସୁସ୍ମିତା ଲାଲ୍ ନେଲପଲିଶ ଲଗାଇନାହାନ୍ତି । ସାଧାରଣ ଲୋକ ରଙ୍ଗଟାକୁ ଲାଲବୋଲି ଧରିନେଇ ପାରେ । କିନ୍ତୁ ମୋ ସ୍ତ୍ରୀଙ୍କ ନେଲ୍ପଲିଶର ରଙ୍ଗ ଲାଲ୍ ନୁହେଁ । ମୋର ଆବିଷ୍କାରର ଏହି ବିଜୟୋଲ୍ଲାସରେ ମୁଁ ମୁହଁ ଉଠାଇ ଚାହିଁଲି ଲୋକଟାକୁ । ସେ ବି ମତେ ମୁହଁ ଉଠାଇ ଚାହିଁଲା ଲୋକଟାକୁ । ସେ ବି ମତେ ମୁହଁ ଉଠାଇ ଚାହିଁଲା । ତା’ ଆଖିରେ ଫୁଟି ଉଠିଛି ସେଇ ଏକ ବିଜୟୋଲ୍ଲାସ । ସେ ଯେପରି କହୁଛି ମତେ- ‘ଜାଣିଛନ୍ତି? ରଙ୍ଗଟା ଲାଲ ନୁହେଁ-ଲିଲାକ୍ । ଭାରି ମିଠା ରଙ୍ଗ!’ ସେ ଆଉ ମୋ ସ୍ତ୍ରୀଙ୍କ ପାଦକୁ ଚାହିଁନାହିଁ । ସେ ବୋଧହୁଏ ଚାହିଁଛି ଗାଡ଼ିର ଝୁଲାରେ ପଡ଼ି ମାୟା ଝୁଲଣର ଇନ୍ଦ୍ରଧନୁ ରଚିଥିବା ସୁସ୍ମିତାଙ୍କର କାନର ସୁନା-ଝରା ଦୁଇଟିକୁ-ସରୁ ସୁନା-ତାରର ଗୋଟିଏ ବୃତ୍ତ ଭିତରେ ଆଉ ଗୋଟିଏ ବୃତ୍ତ । ଏମିତି ତିନୋଟି ବୃତ୍ତରଗୋଟାଏ ଗହଣା ସୁସ୍ମିତାଙ୍କ ପଲାଶ ଫୁଲର କାନ ପାଇଁ । କି ବିଚିତ୍ର ମାୟା ଏ ସତେ! ଲୋକଟା କି ସୁସ୍ମିତାଙ୍କର ଏ ପ୍ରବଳ ମାୟାରେ ପଡ଼ିଯାଇଛି? ମୋର ପ୍ରବଳ ଇଚ୍ଛା ହେଉଛି ଲୋକଟା ସାଙ୍ଗରେ ଆଲୋଚନା କରିବା ପାଇଁ । ମୁଁ ଗଦ ଗଦ ହୋଇ ଚାହିଁଲି ଲୋକଟାକୁ । ସେ ବି ମତେ ଚାହିଲା କିଛିକ୍ଷଣ । ଶେଷକୁ ସେ ମତେ ପଚାରିଲା ସମ୍ବ୍ରମତାର ସ୍ୱରରେ- ‘ସୁସ୍ମିତା ପରିଜା ନା ଏ?’ ‘ନା’!, ମୁଁ କହିଲି ଆଡ଼ମ୍ବର କରି- ‘ସୁସ୍ମିତା ପରିଜା ନୁହଁନ୍ତି,’ ସୁସ୍ମିତା ପ୍ରଧାନ । ମୁଁ ହରିଶଙ୍କର ପ୍ରଧାନ ।
‘ଓଃ କ୍ଷମା କରିବେ ।’- କହି ଲୋକଟା ଏଥର ଆଖି ବୁଲାଇ ନେଇ ବସିଲା ଝରକା ବାଟେ ପଦାକୁ ମୁହଁ କରି । ଗାଡ଼ି ଚାଲିଥାଏ ଆଉ ମୋ ସ୍ତ୍ରୀ ଝୁଲୁଥାନ୍ତି ଚଳନ୍ତାଗାଡ଼ିର ଝୁଲଣ ଦୋଳାରେ ।