ଟେବୁଲ ଉପରେ ରଖାଯାଇଥିବା ଦୁଇଟି ଚିଠିରୁ ଗୋଟିଏ ପୋଷ୍ଟକାର୍ଡ଼ ଅନ୍ୟଟି ଇନ୍ଲାଣ୍ଡ । ପରିଚିତ ପ୍ୟାଟର୍ଣ୍ଣରେ ଲେଖା ପୋଷ୍ଟକାର୍ଡ ଗୌରଠାରୁ, ବାଁ କଡ଼ ଉପରକୁ ଲେଖା ଅଛି । ରାଜକନିକା, କଟକ… ଓ ଟିକେ ତଳକୁ ସମ୍ବୋଧନ ଓ ସେଇ ଧାଡ଼ିର ବିଷୟବସ୍ତୁ, ଇନ୍ଲାଣ୍ଡଟି କାହାର, ହସ୍ତାକ୍ଷରରୁ ଠିକ୍ ଠଉରେଇ ପାରିଲା ନାହିଁ ଫାଲଗୁନୀ ।
ଗୌର ଲେଖିଛି-ତା’ର ବାହାଘର ହୋଇଯାଇଛି ଗଲା ଏପି୍ରଲ ୨୧ ତିଥିରେ ଓ ଏପରି ଅପ୍ରତ୍ୟାଶିତ ଭାବେ ହେଇଚି ଯେ ସେ କାହାକୁ ନିମନ୍ତ୍ରଣ କରିବା ଅବସର ପାଇନାହିଁ । ତେଣୁ ଷମା ଚାହିଁଚି ଓ ମନଦୁଃଖ ନକରିବାକୁ ଅନୁରୋଧ କରିଚି । ତା’ର ଗୁରୁତ୍ୱପୂର୍ଣ୍ଣ ବନ୍ଧୁମାନେ ଯଥା ହୃଷୀଭାଇ, ଶ୍ୟାମ, ପାଣ୍ଡବଭାଇ ଇତ୍ୟାଦିଙ୍କୁ ମଧ୍ୟ ଜଣାଇ ପାରିନାହିଁ ବୋଲି ଲେଖିଚି ଓ ଫାଲଗୁନୀକୁ ଯେ ସେ, କେବେ ଡିସ୍କି୍ରମିନେଟ୍ କରୁନାହିଁ, ଏ ନେଇ ତା’ର ଅବଚେତନ ମନରେ ଥିବା ସଂକ୍ଷିପ୍ତ ଅପରାଧି ଭାବଟିକୁ ଅତିକ୍ରମିବାକୁ ଚେଷ୍ଟା କରିଚି ।
ତା’ ପରେ ‘ସମାଜ’ରେ ବାହାରିଥିବା ଦୁଃଖଦ ତଥା ଚାଞ୍ଚଲ୍ୟକର ସମ୍ବାଦଟି ବିଷୟରେ ଜଣେଇଚି ତା’ର ଶୋକ । ଗାଳ୍ପିକ ଅଶୋକ ଚନ୍ଦନଙ୍କର ଦୁର୍ଘଟଣାରେ ଆକସ୍ମିକ ମୃତ୍ୟୁ ସମ୍ବାଦ । ବିଶ୍ୱାସ ହେଉନାହିଁ । କି ଚମତ୍କାର ସମ୍ପାଦନା କରୁଥିଲେ “ସମାସ” । ଓଡ଼ିଶାରେ ପତ୍ରପତ୍ରିକାଙ୍କର ଏପରି ବିପର୍ଯ୍ୟୟ କାହିଁକି? ହାତ ଗଣତିରେ କେବଳ ସ୍ୱଳ୍ପ ସଂଖ୍ୟକ ପତ୍ରପତି୍ରକା । ସେ ସବୁ ପୁଣି ଏମିତି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସମାବେଶ ନେଇ ଲେଖିଚି-ଜଗଦୀଶବାବୁଙ୍କ ପୁଅ ଆତ୍ମହତ୍ୟା କରିବା ଖବର ତ ରଖିଥିବ । ତାଙ୍କ ମାନସିକ ଅବସ୍ଥା ବର୍ତ୍ତମାନ ଯାହା ‘ସମାବେଶ’ କଥା ବର୍ତ୍ତମାନ କିଛି ଭାବି ହଉନାହିଁ । ତମେ କ’ଣ ସବୁ ଖବର ରଖିଚ ସେଠି? କେତେ ଭରସା ସମ୍ଭାଳି ଥାଏ ସତରେ ପତ୍ରିକାଟି! ଇତ୍ୟାଦି..
ଚିଠିର ଶେଷ ପାରାରେ ତା’ର “ବର୍ଷାପତ୍ର” ନେଇ ପଦେ ଓ ଉପସଂହାର । ଦ୍ୱିତୀୟ ଚିଠି ଖୋଲିଲା । ଯାହାର ଠିକଣାରୁ ହସ୍ତାକ୍ଷର ଦେଖି ସେ ଚିହ୍ନପାରୁନଥିଲା ପ୍ରେରକଙ୍କୁ । ସେ ଗତ ତିଥିରେ ବାହାହୋଇଥିବା ତା’ର ଦାଦାପୁଅ ଭାଇ ଅଖିଳ । ଯିଏ ପ୍ରାୟତଃ ଚିଠି ପତ୍ର ଲେଖେନା ଓ ବାହାରେ ରହୁଥିବା ହେତୁ ତା’ ସୁଖଦୁଃଖ ପ୍ରାୟତଃ କମ୍ ଜଣାପଡ଼େ ଘରଭିତରେ । ବୟସର କମ୍ ପାର୍ଥକ୍ୟ ହେତୁ ସେମାନେ କେହି କାହାକୁ ଭାଇ ବୋଲି ଡାକନ୍ତି ନାହିଁ ଯଦିଓ ଫାଲଗୁନୀ ଅଖିଳଠାରୁ ଦୁଇମାସ ଖଣ୍ଡେ ବଡ଼ । ଅଖିଳର ଚିଠିରେ ତାରିଖ ବା ସ୍ଥାନ କିଛି ନାହିଁ । ଚିଠିର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ହେଲା ବାହାଘରରେ ସନ୍ତୁଷ୍ଟ ନୁହେଁ ଅଖିଳ । ଯେଉଁ ଝିଅକୁ ସେ ଥରେ ନୁହେଁ-ଜଣେ ନୁହେଁ, ପ·ଶ ଥର ପ·ଶଜଣଙ୍କ ଆଖିରେ ଦେଖିଚି-ଦେଖେଇଚି, ଦିନଦିନ ଧରି ଯା’ ବିଷୟରେ ସମ୍ବାଦ ସଂଗ୍ରହ କରିଚି-କଲେଜରୁ, କଲୋନୀରୁ, ସାଇପଡ଼ିଶାରୁ, ବନ୍ଧୁମାନଙ୍କ ପାଖରୁ । ଦିନଦିନ ଧରି ଯାହାକୁ, ନଜର ରଖିଛି ଓ ଯା’ର ହାବଭାବ, ଆଟିଚୁ୍ୟଡ଼, ମେଣ୍ଟାଲିଟି ଜାଣିବାକୁ ଚେଷ୍ଟା କରିଚି, ଘରେ ମାସମାସ ଅପେକ୍ଷା କରିବାକୁ କହି ଯାହା ନେଇ ନିଜର ନିଷ୍ପତ୍ତିକୁ ଟିକିନିଖି ପରୀକ୍ଷା କରିଚି, ସବୁ ପରିସ୍ଥିତି, ସବୁ ପରୀପ୍ରେକ୍ଷୀ, ସବୁ ପରିବେଶରେ ତାକୁ ହିଁ ନେଇ ସେ କରିପକେଇଚି ପ୍ରଚଣ୍ଡ ଏକ ଅପରାଧ, ଯେଉଁ ଅପରାଧ ସହ ସେ ବୁଝାମଣା କରିପାରୁ ନାହିଁ କି ତା’ ଠାରୁ ମୁକ୍ତି ପାଇବାର ଉପାୟ ବି ପାଉନାହିଁ ।
ଏତେ ସାବଧାନତା ସତ୍ତ୍ୱେ ବି ଦୁର୍ଭାଗ୍ୟ, ତକ୍ଷକ ପରି କେଉଁ ଫଳ ଭିତରେ ଗୋପନରେ ଆସି ତା’ ପରୀକ୍ଷିତର ଜୀବନକୁ ଦଂଶିଦେଲା ଜାଣି ପାରିଲା ନାହିଁ ଅଖିଳ । ବାହାଘରର ଯୌତୁକ ଦାବୀ କରିବାକୁ ସେ ଘରେ ନାହିଁ କରିଥିଲା । ଅଥଚ ତା’ ଷ୍ଟାଟସର ପୁଅ ଆଜିକାଲି ବାହାହେଲେ ବେଶ୍ ଲକ୍ଷେ ଟଙ୍କାରୁ କେବେ ହେଲେ କମିଯିବାର କଥା ନୁହେଁ । ସେ କେବଳ ତା’ ପସନ୍ଦ ସହ ଦର୍ କଷିବ ନାହିଁ, କମ୍ପ୍ରୋମାଇଜ କରିବ ନାହିଁ ବୋଲି ପଦ୍ମଜାକୁ ବାହା ହେଲା ଆଡ଼ମ୍ବରହୀନ ଭାବେ । ଏବେ ସେ କହିବ କାହାକୁ? ଅଖିଳ ନିଜର ମୃଣୟ ମନଟିକୁ ଏବେ କାହା ହାତରେ ଦେବ ବୋଲି କାନ୍ଦ କାନ୍ଦ ହୋଇ ଲେଖିଚି । ପଦ୍ମଜା ତା’ ରୁଚିର ଝିଅ ନୁହେ । ତା’ର ସ୍ୱପ୍ନ, ଆବେଗ ସ୍ନାୟବିକ ଦୁର୍ବଳତା ପ୍ରତି ପଦ୍ମଜାର କୌଣସି ସହାନୁଭୂତି ନାହିଁ । ସେମାନେ ଦୁହେଁ ଦୁଇଟି ଭିନ୍ନ ଇଚ୍ଛାର ପୃଥକ୍ ଜ୍ୟାମିତିକ କ୍ଷେତ୍ରଫଳ ପରି ଗୋଟିଏ ଫର୍ଦ୍ଦ କାଗଜ ଉପରେ ଯାହା ବୁଝାମଣା କରି ରହିଯାଉଛନ୍ତି । ସଂଯୋଗକାରୀ କିଛି ଗୋଟାଏ ରେଖା ଅଖିଳ ଖୋଜି ଚାଲିଛି ଅନ୍ଧପରି । କବି ଅଖିଳ, ଦାର୍ଶନିକ ଅଖିଳ, ପ୍ରେମିକ ଅଖିଳ, ଭାବପ୍ରବଣ ଅଖିଳ, ଏ ବିଷାଦଗ୍ରସ୍ତ ଅଖିଳ ଠାରୁ ମୁକ୍ତି ମାଗୁଛି । ଫାଲଗୁନୀକୁ ଲେଖିଚି-ମୋର ଏ ଜୀବନ କି ସୁନ୍ଦର ସ୍ୱପ୍ନରେ ସଜେଇଥିଲି! ପଦ୍ମଜାକୁ ମୁଁ ‘ପ୍ରେମର’ର ବନାନ ଶିଖେଇ ଥାଆନ୍ତି, ଓଠରେ ଆଙ୍ଗୁଠି ଛୁଆଁଇ ତାକୁ ‘ପ୍ରେମ’ର ଉଚ୍ଚାରଣ ଶିଖେଇ ଥାଆନ୍ତି-ହେଲେ ସେ ସ୍ୱପ୍ନ ମୋର ସକାଳ ଦେଖିଲା ନାହିଁ । ସେ ଆବେଗର ଢ଼େଉ ଛୁଇଁଲା ନାହିଁ କୂଳ ।
ଫାଲଗୁନୀ ଚିଠି ଦୁଇଟି ରଖିଦେଲା ତା’ ଡାଏରୀ ଭିତରେ । ସେଇ ଦିନର ସମାଜ ଆଣିବାକୁ କହିଲା ପିଅନକୁ ଓ ଘରୁ ପଢ଼ି ଆସିଥିବା ଅଶୋକ ଚନ୍ଦନଙ୍କର ମୃତୁ୍ୟ ସମ୍ବାଦଟି ପୁଣିଥିରେ ମୂଳରୁ ଶେଷଯାଏ ପଢ଼ିଲା । ଟେବୁଲ ଉପରକୁ ଗଲାଦିନର ବାକିଆ କାମର ଫାଇଲା ଆଣି ରଖିବାକୁ ପିଅନକୁ କହିବ କି ନାହିଁ ଭାବୁ ଭାବୁ ପାଣି ଗ୍ଲାସ ଉଠାଇ ପିଇଲା । ପାଖରେ ବସିଥିବା କ୍ଲର୍କକୁ ଅନାହୁତ ଭାବେ ପ·ରିଦେଲା କ’ଣ କାଲି ସାବିତ୍ରୀ କରିବାକୁ ଛୁଟି ନେଲେ? କ୍ଲର୍କଟି ହସିଲା, ଇତସ୍ତତ ହୋଇ କହିଲା-“ନାଇଁ ସାର୍ ଏମିତି” ଓ ହସିଦେଲା । ଫାଲଗୁନୀ ନିଜେ ଉଠିଯାଇ ର୍ୟାକ୍ ପାଖରେ ଠିଆ ହେଲା । ଗୋଟିଏ ଫାଇଲ ଖେଳେଇଲା, କିଛି ନକହି ସେଇଟି ନେଇ ଆସିଲା ନିଜ ଟେବୁଲ ଉପରକୁ । କିନ୍ତୁ ସେଇଟି ନେଇ କରିବ କ’ଣ ଭାବି ନପାରି ଷ୍ଟାଣ୍ଡରୁ କାଢ଼ିଥିବା ପେନଟି ଯଥା ସ୍ଥାନରେ ରଖିଦେଇ ଚେୟାରରେ ପଛକୁ ଆଉଜି ପୁଣି ବସିଗଲା । ଚଷମା ଖୋଲି ରୁମାଲରେ ପୋଛିଲା ନାକ ଉପର, ଆଖିପତା ଓ ସେତିକି ବେଳେ କାଇଁକି ତାର ମନକୁ ଆସିଲା ଆଜି ସି.ଏଲ୍. ନେଇ ଯିବିକି? ଏଗାରଟା ହେଇଚି, ବୃନ୍ଦାବନରେ ନୁନ୍ ସୋ ଦେଖି କି ପଳେଇବ । ଏଇନେ ଭୁବନେଶ୍ୱର ଫେରିଲେ ବା କରିବ କ’ଣ? ତଥାପି କାଇଁକି ଛୁଟିନେଇ ଚାଲିଯିବାକୁ ଇଚ୍ଛା ହଉଚି । ଫାଲଗୁନୀର ଖିଆଲ ଏମିତି । ଛୁଟି ନେବାର ଆକର୍ଷଣଟା ତା’ ଲାଗି ଏମିତି ଦୁନିର୍ବାର ଯେ ଥରେ ମନକୁ ସେ କଥା ଚାଲି ଆସିଚି ଯଦି, ଆଉ ଏଡ଼େଇଦବା ସମ୍ଭବ ହୁଏ ନାହିଁ ।
ଫାଲଗୁନୀ ପ୍ୟାଡରୁ କାଗଜ ଚିରି ସି.ଏଲ ଆପ୍ଲିକେସନ୍ ଲେଖିଲା । ଅଥଚ ସେ ଘରୁ ଆସିଲା ବେଳେ ତାର ଅଲଗା କାର୍ଯ୍ୟକ୍ରମ ଥିଲା । ସେ ଆଜି ଅଫିସରୁ ଫେରି ତମସାକୁ ଭେଟି ଥାଆନ୍ତ ଓ ସେ ଦୁହେଁ ସଂଧ୍ୟାଠୁ ଟିକେ ଡ଼େରୀ ଯାଏ ବୁଲାବୁଲି କରି ଘରକୁ ଫେରିଥାନ୍ତେ । ତମସା ତାକୁ ଠିକ୍ ଛଅଟା ବେଳେ ପିଏମ୍.ଜି ଛକରେ ଅପେକ୍ଷା କରିବାର କଥା । ଫାଲଗୁନୀ ଆପ୍ଲିକେସନ ବଢ଼େଇ ଦେଲା ପିଅନ ହାତକୁ ଓ ଠିଆ ହୋଇପଡ଼ି କହିଲା “ସାର୍ ଆସିଲେ ଦେଇଦେବ । କହିବ ଅରଜେଣ୍ଟ କାମ ଅଛି, ଚାଲିଗଲେ” । ଷ୍ଟେଆରକେସ୍ ପାଖେ ଏକାଉଣ୍ଟସ ମ୍ୟାନେଜର ସଂଗ୍ରାମ ମହାନ୍ତିଙ୍କୁ ଦେଖି ନମସ୍କାର ହେଲା ବେଳେ ସେ ଛୁଟିରେ ଯାଉଛି ବୋଲି କିଛି କହିଲା ନାହିଁ ଯଦିଓ ତାଙ୍କ ସଙ୍ଗେ ସେ ଖୁବ୍ ଫ୍ରେଣ୍ଢଲି । ବାହାରିଗଲା ବେଳେ ଯେତେଜଣଙ୍କ ସଙ୍ଗେ ଭେଟ ହେଲା ସମସ୍ତେ ଧାରଣା କରିଥିବେ ସେ ହୁଏତ କିଛି କାମରେ ତଳେ ବୁଲୁଚି । ଫାଲଗୁନୀ ସିଧା ଆସିଲା ରାସ୍ତା ଉପରକୁ ଓ ଚାଲି ଚାଲି ଯାଇ ପହଞ୍ଚôଲା ବଜ୍ରକବାଟି ଛକ ଉପରେ । ସେଠୁ ଆଗକୁ ବାଦାମବାଡ଼ି ଆଡ଼କୁ ।
ବୃନ୍ଦାବନକୁ ଯିବାର ଆଦୌ ସମ୍ଭାବନା ନଥିଲେ ବି ସେ ଚାହିଁଲା ରାସ୍ତା ଉପରକୁ ସାମ୍ନା କରି ରହିଥିବା “ୟେ ୱାଦା ରହା” ର ପୋଷ୍ଟରକୁ ଓ ଚାଲିଲା ଆଗକୁ । ଚାଲୁ ଚାଲୁ ସେ କେଦାରସନ୍ ପାଖେ ପହଞ୍ଚି ଯାଇଥିବା କଥା ମନେ ପଡ଼ିଲା ଯେତେବେଳେ ତା କାନରେ ବାଜିଲା ପୁରୁଣା ହିନ୍ଦୀ ଗଜଲଟିଏ ଷ୍ଟେରିଓରେ ଓ ସେ ସାବଧାନରେ ଟ୍ରାଫିକ୍ ଟପିଗଲା । ବାଦାମବାଡ଼ିରେ ପହଞ୍ଚିବା ଆଗରୁ ପୁଣି ଥରେ ବେଶ୍ କିଛି ସମୟ ପାଇଁ ଅନ୍ୟ ମନସ୍କ ହୋଇଗଲା ଓ ଆଗକୁ ଚାଲି ଚାଲି ନୂଆ ବସଷ୍ଟାଣ୍ଡ ଆଡ଼କୁ ଯିବା ଆଗରୁ କ୍ୟାପିଟାଲ କ୍ୟାପିଟାଲ କ୍ୟାପିଟାଲ ଡାକୁଥିବା ବସ୍ଟିଏ ଆଗରେ ଅଟକିଗଲା । ନିଶ୍ଚିତ ଭାବେ ସେଇଟି ଭୁବନେଶ୍ୱର ଛାଡ଼ୁଛି ଜାଣି ମଧ୍ୟ କାହିଁକି କେଜାଣି ସେ ଡ୍ରାଇଭରକୁ ଚାହିଁ ପଚାରିଦେଲା ଭୁବନେଶ୍ୱର? ଡ୍ରାଇଭର ମୁଣ୍ଡ ହଲେଇ ହଁ କଲା । ଫାଲଗୁନୀ ଉଠିଆସି ବସରେ ବସିଲା ।
ବାଣୀବିହାର ଛକରେ ଓହ୍ଲେଇପଡ଼ି ଫାଲଗୁନୀ ଭାବିଲା ହେଃ ବସଷ୍ଟାଣ୍ଡ ଯାଏ ଯାଇଥିଲେ ହୋଇଥାଆନ୍ତା । ପଞ୍ଚଶୀଳରେ ଟିକେ ବହିପତ୍ର ଦେଖିଥାନ୍ତା । ଏଇନେ ତ ବାରଟା ହଉଚି-ଏତେସମୟ କରିବ କ’ଣ? ଚାକିରୀ କରିବା ଦିନଠାରୁ ସାଙ୍ଗମାନଙ୍କ ସଂଖ୍ୟା କେମିତି କମି କମି ଗଲାଣି । କେହି ଗୋଟାଏ କ’ଣ ଦେଖା ବି ହେବ? ଭାବୁ ଭାବୁ ରମା ଦେବୀ ଟପି ରୁପାଲୀ ଛକ ପାଖରେ ପହଞ୍ଚିଗଲାଣି । ସଂଧ୍ୟା ତ୍ରିପାଠୀ ପରି ଝିଅଟିଏ ଦେଖାଗଲା ପଛପଟୁ । ଆଖିକି ଫିକ୍ସ କରି କରି ଆଗକୁ ଚାଲିଲା ଫାଲଗୁନୀ ଓ ଅଳ୍ପ ଦୂରରୁ ଆଶ୍ୱସ୍ତ ହେଲା ଯେ ତାକୁ ସାଙ୍ଗଟିଏ ମିଳିଚି ।
ଚିହ୍ନ ପାରୁଚ? ସାମ୍ନାକୁ ଚାଲିଯାଇ ପଚାରି ଦେଲା ସେ । ସଂଧ୍ୟା ତ୍ରିପାଠୀ ଅଳ୍ପ ହସିଦେଲା । ହଁ ଚିହ୍ନିବି ନାଇଁ କାହିଁକି? କଥାବାର୍ତ୍ତା ଆଗେଇ ନେଲେ ଦୁହେଁ ଦୁହିଁଙ୍କ ସଂକ୍ଷିପ୍ତ ସମ୍ବାଦ ଦିଆନିଆ ହୋଇ । ଫାଲଗୁନୀ କହିଲା ଲେକ୍ଚର୍ସିପ ଭଲ । ଧୁମ୍ ଛୁଟି, ଖାଇପିଇ ଧରେ ସୁସ୍ଥେ ଯାଅ । ଇ୍ଛା ହେଲେ କ୍ଲାସ କର, ନହେଲେ କହିବାକୁ କେହି ନାଇଁ । କ୍ଲାସକୁ ଯିବ, ଆଟେଣ୍ଡାନ୍ସ ନେଇଯାଇ କହିଦେବ ପିଲାଏ ଆଜି ଟିକେ କାମ ଅଛି, ଏ କ୍ଲାସଟା ନେଇ ପାରିବିନି-ଯାଅ, ଗଲା । ସେ ପୁଣି ଆଡିସନାଲ ଛୁଟି । କ’ଣ ସତ ନୁହେଁ?
ସଂଧ୍ୟା ତ୍ରିପାଠୀ ମୁହଁ ଶୁଖେଇ କହିଲା, ହଁ ମ, ପ୍ରାଇଭେଟ୍ କଲେଜ୍ ଚାକିରୀ ତାଳ ଗଛ ଛାଇ । ଗଭର୍ଣ୍ଣିଂ ବଡ଼ିର ମର୍ଜ୍ଜି । ଆଜି ଅଛି କାଲିକି ଛଟେଇ । ଯିବା ଆସିବାରେ ତ ସବୁ ପଇସା ସରୁଚି । ଖାଲିଟାରେ ଘରେ ବସିବାକୁ ଭଲ ଲାଗୁନି ବୋଲି ଗୋଟେ ଚାକିରି କରିବା କଥା । ବେକାର ଏନ୍ଗେଜ୍ ମେଣ୍ଟ ଗୋଟେ ।
ସଂଧ୍ୟା ତ୍ରିପାଠୀ ହଠାତ ପଚାରିଲା, “ଆଇ ଏ.ଏସ୍ ଦଉଚ?” ଫାଲଗୁନୀ ଟିକେ ହସି ଦେଲା “ଆଇ.ଏ.ଏସ୍?” ସଂଧ୍ୟା ତ୍ରିପାଠୀର ସ୍କଲାର ବୁଦ୍ଧି ସେ ହସର ଅଲଗା ଅର୍ଥ ବୁଝିଲା ପରି ସଂଶୋଧନ କରି କହିଲା “ହଁ ମ ସେଇ ସିଭିଲ ସର୍ଭିସେସ୍, ଦଉଚ?” ଦେଇନି- ଦଉନି, କି ଦେବାର ନାହିଁ ମଧ୍ୟ । ଏଇ ଗ୍ରାମ୍ୟ ବ୍ୟାଙ୍କ ଚାକିରୀ ଖଣ୍ଡେ ପାଇ ତ କୃତ୍ୟ କୃତ୍ୟ”-କହିଲା ଫାଲ୍ଗୁନୀ । “ତୁମ୍ଭେ ଦଉଚ ବୋଧେ?” ନାଁ ମ-ମୁଁ ଦଉଚି!” ସଂଧ୍ୟା ତି୍ରପାଠୀ ମୁହଁକୁ ନେଫେଡ଼ି କହିଲା ।
ଫାଲଗୁନୀ ପଚାରିଲା ଏଥର ତମର ଚିହ୍ନା ପିଲା କିଏ ପାଇଛନ୍ତି କି? ସନ୍ଧ୍ୟା ତି୍ରପାଠୀ ତାକୁ ଆଶ୍ଚର୍ଯ୍ୟ କରିଦେଇ କହିଲା “ରଞ୍ଜୁ ବେହେରା ଆଲାଏଡ଼ ପାଇଛି । ବେଶ୍ ଭଲ ପୋଜିସନ୍ ଅଛି । ଓଡ଼ିଆ ପେପରରେ ତ ଠିକ୍ ପୋଜିସନ୍ ଦେଇନି, କିଏ କହୁଥିଲା ଇଂଲିଶ୍ ପେପରରେ ତା’କୁ ଭଲ ସରିଆଲ୍ରେ ଦେଇଛି । ଆଇ.ଏ.ଏସ୍ ପାଇଯିବ । ତାଙ୍କର ତ କୋଟା ଅଛି । ପୁଣି ଲେଡି କ୍ୟାଣ୍ଡିଡେଟ୍” ।
ଫାଲଗୁନୀ ହାଁ ହୋଇ ପଚାରିଲା-ରଞ୍ଜୁ ବେହେରା ଆଲାଏଡ୍ ପାଇଛି? ସେ କ’ଣ ଏସ୍.ସି? ସଂଧ୍ୟା ତ୍ରିପାଠୀ କହିଲା “କେଉଟ ମ । ଏକ୍ଦମ୍ ଆଭରେଜ୍ ଝିଅ! କେମିତି ପାଇଗଲା ଭଗବାନ ଜାଣନ୍ତି । ଲକ୍ ବଡ଼ କଥା, ଆଉ କିଛି ନୁହେଁ-ଯାହା ମୁଁ ଦେଖୁଚି” । ଫାଲଗୁନୀ ହସି ଦେଇ କହିଲା” । “ଚାଲ ତାହେଲେ ଆମେ ବି ବସିଯିବା ଥରେ ଲେଖେଁ, ବାଜୁ ବାଜୁ ଯଦି ବାଜିଯିବ । ହଠାତ୍ ସଂଧ୍ୟା ଚଳନ୍ତି କଥାର ସୁଅରୁ ଛିଟ୍କି ପଡ଼ିବା ପରି କହିଲା “ତମେ ଜାଣିଛ, ପ୍ରଦୀପ ଷଡ଼ଙ୍ଗୀ ସୁଇସାଇଡ୍ କରିଦେଲା?”
“କ’ଣ?” ଫାଲଗୁନୀର କାନମୂଳରେ ଗୋଟାଏ ବୋମା ଫୁଟିଲା । “ନିବେଦିତା ତାକୁ ବାହା ହବାକୁ ନାହିଁ କରିଦେଲା” । “ଖାଲି ସେଥିପାଇଁ ଷଡ଼ଙ୍ଗୀ… ଇଏ କି ବେକାର କଥା”? “ବାର ଚଉଦ ଦିନ ହବ ତ ।”
“ସେ ଗଲାବର୍ଷ ଆଲାଏଡ଼ ପାଇଥିଲା, ଏ ବର୍ଷ ବି ଆଇ.ଏ.ଏସ୍ ପାଇଁ ଆପିଅର କରି ଥିଲା, ପାଇନି ବୋଧେ ।”
“ନିବେଦିତା ଅପାଙ୍କ ଘରେ ଇଣ୍ଟରକାଷ୍ଟ ମନାକଲେ?”
ନାଁ ତ! ଇଣ୍ଟରକାଷ୍ଟ ପାଇଁ ତାଙ୍କ ଘରେ ମନା କରିବେ ନାହିଁ ବୋଲି ସେ କହିଛି । ଷଡ଼ଙ୍ଗୀ ମୋତେ ନିଜେ କହିଛି । ବୋଧେ ଏଜ୍ ନେଇ କିଛି ଅସୁବିଧା…”
ସଂଧ୍ୟା ତି୍ରପାଠୀ ଚିଡ଼ିଲା ପରି କହିଲା “ପ୍ରଦୀପ ଷଡ଼ଙ୍ଗୀକୁ ବି ଝିଅ ନମିଳିଲା ପରି ସେ ଗୋଟେ ସିନିଅର କ୍ଲାସ ଝିଅକୁ କାଇଁକି ଲଭ୍ କରୁଥିଲା କେଜାଣି!”
“ମୁଁ ଶୁଣୁଥିଲି ସେତେବେଳେ ସେ ଝିଅ କୁଆଡ଼େ କାହା ଆଗରେ ସବୁ କହୁଚି ଷଡ଼ଙ୍ଗୀ ଆଇ.ଏ.ଏସ୍ ନପାଇଲେ ତାକୁ ବାହା ହବ ନାହିଁ ।”
“ହଁ ହେଇଥିବ । ନିବେଦିତା ଅପା ତ ମହା ଇଗୋଇଷ୍ଟିକ୍ ଝିଅ । ସେ ଖୁବ୍ ହୁସିଆର ହିସାବ କିତାବ କରି ଡିସିସନ୍ ନେଇଥିବେ” ଧକ୍କାଟାକୁ ସମ୍ଭାଳି ନେବାକୁ ବେଶ୍ କିଛି ସମୟ ଗୁମ୍ ହୋଇ ରହିବା ପରେ ଫାଲଗୁନୀ କହିଲା-
ମତେ ଥରେ ସେ କହିଥିଲା, “ମୁଁ ତୋ ସାଙ୍ଗ କି କ୍ଲାସମେଟ୍ ନୁହେଁରେ, ମୁଁ ତୋ ବଡ଼ଭାଇ । ନିତାକୁ ତୁ ନୂଆବୋଉ ଡାକିବୁ । ମୁଁ ଗୋଟେ ଭଲ ଚାକିରୀ ପାଇଯାଏ-ତୁ ମୋ ପାଖରେ ରହିବୁ । ଚାକିରୀ ପ୍ରତି ତୋର ଏତେ ବିତୃଷ୍ଣା, ତୁ ଚାକିରୀ କରିବୁ ନାଇଁ । ଖାଲି ଗପ ଲେଖିବୁ ବହି ଛାପିବା ଦାୟିତ୍ୱ ମୋର । ତୋ ବହିର କମିଶନ୍ ତ ମୋ ଦରମାକୁ ବି ଦିନେ ଟପିଯିବ । ଫାଲଗୁନୀର ସ୍ୱର ଥରି ଥରି ଯାଉଥିଲା । ରୁମାଲ କାଢ଼ି ଆଖି ପୋଛିଲା ସେ । କାନ୍ଦୁଛି ବୋଲି ଲୁଚେଇବାକୁ ଆଦୌ ଚେଷ୍ଟା କଲାନାହିଁ । କହିଲା “ମୁଁ ଟିକେ ଜାଣିବି ପାରିଲି ନାହିଁ, ଏଇଠି ଅଛି । ମୋତେ କେହି ଟିକେ କହିଲେ ବି ନାହିଁ ସନ୍ଧ୍ୟା” ।
“ସେତ କଲିକତାରେ ସୁଇସାଇଡ଼ କଲା, ପେପର ଫ୍ଲାସ୍ ବି ହୋଇନି ।” ସଂଧ୍ୟା କହିଲା ସମ୍ବେଦନାରେ । “ତାଙ୍କ ବାପା ଯାଇ ନେଇ ଆସିଲେ ଡେଡ୍ବଡ଼ି ପୋଷ୍ଟମର୍ଟମ ପରେ । ସ୍ୱର୍ଗଦ୍ୱାରରେ ପୋଡ଼ିଲେ ।
ଫାଲ୍ଗୁନୀ ବାଁ ପାଖରେ ଠିଆ ହୋଇ ଥିବା ରିକ୍ସାଟାକୁ ଧରି ନେଇ ଅବସାଦରେ ଝୁଙ୍କି ପଡ଼ିଲା ତଳକୁ । ଆଖିବନ୍ଦ କରିଦେଲା । ଷଡ଼ଙ୍ଗୀର ଚେହେରାଟା ଆଖିରେ ଠିଆ ହୋଇଗଲା ସମ୍ପୂର୍ଣ୍ଣ । ବନ୍ଧୁତାର କେଡ଼େ ଦୃଢ଼ ଅବଲମ୍ବନଟିଏ ତା’ର ହଜିଗଲା ଜୀବନରୁ । ଫାଲଗୁନୀ ରୁମାଲ ଚାପି ଦେଲା ଆଖିରେ ।
ସବୁ କାର୍ଯ୍ୟକ୍ରମ ବାତିଲ କରିଦେଇ ଫାଲଗୁନୀ ଫେରି ଆସିଲା ଘରକୁ । ବାଟସାରା ଧୂସର ଧୂଳି । ଏତେ ବର୍ଷା ସତ୍ତ୍ୱେ ଠାଏ ଠାଏ ଭିଜେନାଇଁ, ବେଳେ ବେଳେ ମାଟିର ପୃଥିବୀ । ଏତେ ଟିକେ ବି ଭିଜେ ନାଇଁ, ଯେମିତି ଏତେ ସଫଳତା ସତ୍ତ୍ୱେ ବେଳେ ବେଳେ ଗୋଟାଏ ଗୋଟାଏ ଜୀବନ ପରିପୂର୍ଣ୍ଣ ହୁଏ ନାହିଁ ଆଦୌ!
ରୁମ୍ରେ ପହଞ୍ଚି ସାର୍ଟ ପ୍ୟାଣ୍ଟ ପାଲଟି ଫାଲଗୁନୀ ଭାବିଲା ଚାହା ଟିକେ କରିବ । ମୁଣ୍ଡଟା ଧରିନେଇଥିଲା । ହଠାତ୍ ଏତେ ଓଜନିଆ ଲାଗୁଥିଲା ମନଟା ଯେ ଚାହା କପ ନ ହେଲେ ଗୋଟାଏ ମୁହୂର୍ତ୍ତ ବି ସେ ରହିପାରିବ ନାହିଁ, ଏମିତି ମନେହେଲା ତା’ର ।
ହିଟର୍ ଲଗେଇ ସସ୍ପେନ୍ ବସେଇଲା ଫାଲଗୁନୀ । ହଠାତ୍ ତା’ର ଖିଆଲ ପଡ଼ିଗଲା ସେମାନେ ଅନେକ ଦିନରୁ କରିଥିବା ଗୋଟିଏ ପ୍ଲାନ ସବୁଦିନେ ଅପୂର୍ଣ୍ଣ ରହିଗଲା । ଷଡ଼ଙ୍ଗୀ ଆଲାଏଡ଼ ପାଇବା ପରେ ତାକୁ ସାଙ୍ଗମାନେ ଯେତେବେଳେ ଖାଇବାକୁ ମାଗିଲେ ସେ ଦୁହେଁ ଠିକ୍ କରିଥିଲେ ଫାଲଗୁନୀର ଏଇ ଗୋଟିକିଆ ଭଡ଼ାଘରେ ସେମାନେ ଗୋଟେ ବଡ଼ ଫିଷ୍ଟ କରିବେ ନିଜ ହାତରେ । ସଂଧ୍ୟା ବେଳୁ ଯାଏ ସାରାରାତି ରନ୍ଧାବଢ଼ା ହେବ ଓ ଭୋର୍ ବେଳକୁ ସମସ୍ତେ ଖାଇପିଇ ଦିନସାରା ଶୋଇବେ । ସେଇଦିନ ପ୍ରଥମକରି ସେମାନେ ହୁସ୍କି ପିଇବେ ଜଣକା ଗୋଟିଏ ପେଗ କରି ।
ଷଡ଼ଙ୍ଗୀର ଫଟୋଟିଏ ନିଶ୍ଚୟ କୋଉଠୁ ଯୋଗାଡ଼ କରିବ ସେ । ପୁରୀ ଯାଇ ତାଙ୍କ ଘରୁ ମାଗି ଆଣିବ । ଫାଲଗୁନୀ ଭାବିଲା ଏ ଘଟଣା ପରେ ତାଙ୍କ ଘରକୁ ଯାଇ ନଥିବା ଯୋଗୁ ଷଡ଼ଙ୍ଗୀ ଘରେ ତାକୁ ଖରାପ ଭାବିଥିବେ । କେହି କ’ଣ ଜାଣି ଥିବେ ଯେ ଏ ଘଟଣା ଆଜି ଯାଏ ବି ଜାଣିନଥାନ୍ତା ଯଦି ଆକସ୍ମିକ ଭାବେ ଆଜି ସେ ଛୁଟି ନେଇ ଅଫିସରୁ ଚାଲି ଆସିନଥାନ୍ତା, ଯଦି ବାଣୀବିହାର ଛକରେ ନ ଓହ୍ଲେଇ ସେ ଷ୍ଟାଣ୍ଡରେ ଓହ୍ଲେଇ ଥାଆନ୍ତା ବା ଯଦି ବସ୍ରୁ ଓହ୍ଲେଇ ରୁପାଲୀଆଡ଼େ ନଆସି ବାଣୀବିହାର ଚାଲିଯାଇଥାଆନ୍ତା ।
ସସପେନ୍ ଓହ୍ଲେଇ ଦେଇ ଚାହା ଛାଣିଲା ଫାଲଗୁନୀ ଓ ଚାହା କପଟା ଧରି ହିଟର ଅଫ୍ କରି ଉଠି ଆସିଲା । ପ୍ରଥମ ଥର ଚାହାଟା ପାଟିକୁ ନେଇ ଜାଣିଲା ଯେ ସେ ଚା’ରେ ଚିନି
ପକେଇବାକୁ ଭୁଲି ଯାଇଛି । ସେ ଚିନି ଡବା ଖୋଲି ଚାମଚେ ଚିନି ଆଣି କପ୍ରେ ପକେଇ ଘାଣ୍ଟୁ ଘାଣ୍ଟୁ କବାଟରେ କିଏ ନକ କଲା ।
ଅସମୟରେ କିଏ-ହୁଏତ ପଡ଼ିଶା ଘର । ଏତେବେଳେ ତ ସେ ଅଫିସରେ ରହିବା କଥା । ଘର କିଏ ଖୋଲିଲା ବୋଲି ଡାକୁଥିବେ ଭାବି ଦୁଆର ଖୋଲିଲା ଫାଲଗୁନୀ ।
“ଟେଲିଗ୍ରାମ!” ଫାଲଗୁନୀ ଛାତି ଭିତରୁ କୋଉ ଅସତର୍କ ଥାନରୁ ଯେମିତି କାଚର ଗୋଟାଏ ଆସବାବ ଝମ୍ କରି ଖସିପଡ଼ିଲା । ପୋଷ୍ଟମ୍ୟାନ ତାକୁ “ହଁ ତମର” କହିବା ଭଙ୍ଗୀରେ ଫାଲଗୁନୀ ପଟ୍ଟନାୟକ, କ୍ୱାଟର ନଂ ଥି୍ରୀ-ଏ ପୋଷ୍ଟାଲ କଲୋନୀ…. କହୁ କହୁ ଫାଲଗୁନୀ ନର୍ଭସରେ କହି ପକେଇଲା “ହଁ ହଁ, ମୋର-ମୋର ।” ଦସ୍ତଖତ କରି ଟେଲିଗ୍ରାମ ରିସିଭ କଲାବେଳେ ପଡ଼ିଶା ଘର ବୁଢ଼ୀ ବାହାରି ଫାଲଗୁନୀକୁ ଅନେଇ ଥାଏ ଆତଙ୍କିତ ହୋଇ ।
ଫାଲଗୁନୀ ଟେଲିଗ୍ରାମ ଚିରିଲା । “ଫାଦର ସିରିଏସ୍ କମ୍ ଇମିଡିଏଟ୍ଲି” ପଢ଼ି ଦେଇ ତା ଦେହସାରା ଝିମ୍ଝିମ୍ ହୋଇ ଆସିଲା । ଘର ଭିତରକୁ ଚାଲି ଆସି ଖଟ ଉପରେ ବସିପଡ଼ିଲା ସେ । ସାରା ଦେହ ଝାଳ ହୋଇ ଆସୁଚି । ପଡ଼ିଶା ଘର ବୁଢ଼ୀ ଚାଲି ଆସିଲା ଭିତରକୁ । ପଚାରିଲା, “କି ଖବର ଅଛି କି?” ଫାଲଗୁନୀ ସେମିତି ଜଳଜଳ ଝରକା ଦେଇ ବାହାରକୁ ଚାହିଁଥାଏ । କହିଲା, “ବାପାଙ୍କ ଦେହ ଖରାପ, ଏଇନେ ଯିବାକୁ ହେବ ।’
ଫାଲଗୁନୀ ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରି ମୁହଁ ଧୋଇଲା । ଠାକୁରଙ୍କ ଫଟୋ ଆଗରେ ଠିଆ ହେଲା-କ’ଣ କହିବ ଭାବି ନପାରି ଦଣ୍ଡବତ ହେଲା ଥରେ, ଦୁଇଥର, ତିନିଥର, ଚାରିଥର, ପୁରାପୁରି ନର୍ଭସନେସ୍ରୁ । ଘଣ୍ଟା ଦେଖିଲା ଚାରିଟା ବାଜିବାକୁ ଯାଉଚି, ସେ ତରବରରେ ସାର୍ଟପ୍ୟାଣ୍ଟ ପିନ୍ଧିଲା ଓ ପାଖରେ ଥିବା ସବୁ ଟଙ୍କା କାଢ଼ି ନେଇ ପର୍ସରେ ରଖିଲା । ଆଟାଚିରେ ଖଣ୍ଡେ ଦୁଇଖଣ୍ଡ ଲୁଗା ତରବରରେ ଭର୍ତ୍ତି କରିଦେଇ ସେ ପୁଣି ଠିଆ ହେଲା । ଝର୍କା ସବୁ ଦିଆ ହେଇଚି କି ନାହିଁ ଦେଖିଲା ଓ ତଣ୍ଟି ଅଠା ଅଠା ହୋଇ ଯାଉଥିବାରୁ ପାଣିଗ୍ଲାସେ ପିଇଲା । ଟେଲିଗ୍ରାମଟି ଭାଙ୍ଗି ପକେଟରେ ରଖିଲା ଓ ପୁଣି ଠାକୁରଙ୍କ ଫଟୋ ଆଗରେ ଠିଆ ହେବା ବେଳକୁ ତା’ ଆଖିରେ ଲୁହ ଚାଲି ଆସିଲା । ତଣ୍ଟି ପାଖ ଫୋଡ଼ି ପକେଇଲା ପରି ଲାଗିଲା । ଫାଲଗୁନୀ ହାତ ବଢ଼େଇ ଠାକୁରଙ୍କ ଫଟୋକୁ ଛୁଇଁଲା ଓ ହଠାତ୍ ଅନୁଭବ କଲା ସେ ସାମାନ୍ୟ ଆଶ୍ୱସ୍ତ ହଉଚି । ତାପରେ ଦଣ୍ଡବତ ହୋଇ ସେ ତାଲା କଞ୍ଚô ଆଣିଲା ଓ ବାହାରକୁ ଆସି କବାଟ ବନ୍ଦ୍ କରୁ କରୁ ପଡ଼ିଶା ଘର ବୁଢ଼ୀ କହିଲା, “ଅଧଇର୍ଯ୍ୟ ହବ ନାହିଁ-ଭଗବାନ ଅଛନ୍ତି । ଭଲରେ ଭଲରେ ଯାଇ ଭଲରେ ଆ’ ବାପ, କିଛି ଅସୁବିଧା ହବ ନାହିଁ ଯାଆ, ଭଗବାନ ଅଛନ୍ତି ।
ଫାଲଗୁନୀ ତାଲା ଦେଇସାରି କଞ୍ଚି ପକେଟରେ ରଖିଲା ବେଳକୁ ତାର କାଇଁକି ଇଚ୍ଛା ହେଲା । ସେ ବୁଢ଼ୀକୁ ନମସ୍କାରଟିଏ କରି ଯାଆନ୍ତା । ଭାବୁ ଭାବୁ ସେ ଆଟାଚିଟି ଧରି ଚାଲି ଆସିଲା-ବୁଢ଼ୀ ଠିଆ ହୋଇଥାଏ ସେମିତି, ଫାଲଗୁନୀ କିଛି ତାକୁ କହି ପାରିଲା ନାହିଁ ।
ଷ୍ଟାଣ୍ଡରେ ପୁରୀ ବସ୍ ମିଳିଗଲା ସାଙ୍ଗେ ସାଙ୍ଗେ । ବସ୍ରେ ବସିବାମାତ୍ରେ ଫାଲଗୁନୀକୁ ଦେଖାଗଲା ବାପାଙ୍କ ମୁହଁ । ବାପାଙ୍କ ଚେହେରା ସହ ଟେଲିଗ୍ରାମର ଅକ୍ଷର ଓ ସାରାଦିନର ଘଟଣା । ଗୋଟିଏ ଖାଲିସିଟ ଦେଖି ବସି ପଡ଼ି ସିଟ୍ ଉପରକୁ ଝୁଙ୍କି ପଡ଼ି ମୁଣ୍ଡ ଥୋଇଦେଲା ଫାଲଗୁନୀ ଓ ଆଖି ବୁଜିଦେଲା । ଷ୍ଟାଣ୍ଡ ଭିତରୁ ବାହାରି କିଛି ବାଟ ଯାଇଚି, ହଠାତ୍ ଗୋଟିଏ ପ୍ରଚଣ୍ଡ ଅସ୍ୱାଭାବିକ ଶବ୍ଦ ଓ କମ୍ପନ ସୃଷ୍ଟି କରି ଠିଆ ହୋଇଗଲା ବସ୍ଟା । ଲୋକମାନେ ହଇଚଇ ହେଲେ ।
ଫାଲଗୁନୀ ଆଖି ଫିଟେଇଲା ନାହିଁ ସାମାନ୍ୟ ସେ ଅସ୍ୱାଭାବିକତାକୁ ବେଖାତିର କରି । ସେତେବେଳକୁ ତା ଆଖିରେ ଅଶୋକ ଚନ୍ଦନ ମାନେ, ଗୌର ମାନେ, ଅଖିଳମାନେ, ରଂଜୁ ବେହେରା ଓ ଷଡ଼ଙ୍ଗୀମାନେ ଧାଡ଼ିବାନ୍ଧି ଠିଆ ହୋଇଥିଲେ ପାଖକୁ ପାଖ । ତା’ ବାପା ସେ ନିଜେ ଏବଂ ପୃଥିବୀର ଲୋକମାନେ ଲମ୍ବିଥିଲେ ଆକସ୍ମିକତାର ଶେଷହୀନ ଧାଡ଼ିରେ ଅସୀମ ବିନ୍ଦୁ ଯାଏ ।