ଦେବୀଦତ୍ତ ମରିଗଲା । ସେଦିନର ରେଡ଼ିଓ କିମ୍ବା ଦୂରଦର୍ଶନ କେହି ଏ ସମ୍ବାଦ ପରିବେଷଣ କଲେ ନାହିଁ, ତା’ ପର ଦିନ କୌଣସି ସମ୍ବାଦପତ୍ର ଏ ଖବର ଛାପିଲେ ନାହିଁ, ହେଲେ ଦେବୀଦତ୍ତ ମରିଗଲା ।
ଏପରି ଅଚାନକ ଭାବେ, ଛପି ଛପି ମୃତୁ୍ୟ ଆସେ! ତା ମୃତୁ୍ୟ ସମ୍ବାଦକୁ ଆମେ ସମସ୍ତେ ଅବିଶ୍ୱାସ କଲୁ । କେହି କେହି ଗୋଟେ ନକଲ ବା ଥଟା ମନେ କରି କଥାଟିକୁ ଫୁ’ କରି ଉଡ଼ାଇ ଦେବାର ଅପଚେଷ୍ଟା ମାନ କଲେ । ଅଥଚ ଦେବୀଦତ୍ତ ମରିଗଲା । ଚିରଦିନ ପାଇଁ ହଜିଗଲା ଆମମାନଙ୍କ ଗହଣରୁ ।
ଦେବୀଦତ୍ତର ଲାସ୍ ପଡ଼ିରହିଥିଲା ତା ଟାଇପ୍ ଥ୍ରୀ କ୍ୱାର୍ଟରରେ । ଲାସ୍ ନୁହେଁ ତ ପଚାସଢ଼ା ମାସଂ ଗଦାଏ । ଛ’ ଦିନ ପରେ ଯେତେବେଳେ ତା ଘରଭିତରୁ ଉକôଟ ଗନ୍ଧ ବାୟୁମଣ୍ଡଳକୁ ସଂକ୍ରମିତ ହୋଇ ଲୋକମାନଙ୍କ ନାକରେ ବାଜିଲା, ସେତେବେଳେ ପଡ଼ୋଶୀମାନେ ସଚେତନ ହେଲେ । କିଛି ସାହସୀ ପରୋପକାରୀ ମଣିଷ ପ୍ରଥମେ ତା’ କବାଟ ବାଡ଼େଇଲେ, ଠେଲିଲେ ଏବଂ ସବାଶେଷ କର୍ତ୍ତବ୍ୟ ସ୍ୱରୂପ ନିକଟସ୍ଥ ଥାନାକୁ ଟେଲିଫୋନଟାଏ କରିଦେଲେ ।
ତା’ ଲାସ୍ଟି ଏତେ କୁତ୍ସିତ କଦାକାର ତଥା ଭୟଙ୍କର ଦେଖାଯାଉଥିଲା ଯେ, ଆମେମାନେ କେହି ପ୍ରସ୍ତୁତ ନଥିଲୁ ମାନିବାକୁ ଯେ ଏଇଟା ଦେବୀଦତ୍ତର ଲାସ୍ ବୋଲି । ନା, ଏହା କେବେ ଦେବୀଦତ୍ତ ହୋଇନପାରେ । କୁଆଡ଼େ ଯାଇଥିବ ବିଚରା । ବୁଲୁଥିବ । ତା ଅନୁପସ୍ଥିତିର ସୁଯୋଗ ନେଇ କେହି କେହି ଦୁବୃର୍ତ୍ତ କାହାକୁ ଗୋଟେ ମାରି ତା ଘରେ ଆଣି ପକାଇ ଦେଇ ଯାଇଥିବ ନିଜକୁ ପୋଲିସ୍ ଆଖିରୁ ବଂଚାଇବାକୁ!!
ଏକଥା ଆମେମାନେ ଭାବୁଥିଲୁ । ଅଥଚ ଦେବୀଦତ୍ତ ମରିଯାଇଥିଲା ।
ତମାମ୍ ଜୀବନ ଏକା ଏକା ରହି, ଜୀବନକୁ ଏକୁଟିଆ ରାସ୍ତାରେ ଚଲାଇ ଚଲାଇ ଶେଷରେ ଚାଲିଗଲା ଚୁପ୍ଚାପ୍ ? ମୃତ୍ୟୁ ଅବଧାରିତ । ଅଥଚ ଅନ୍ୟମାନଙ୍କ ମୃତ୍ୟୁ ଏବଂ ଦେବୀଦତ୍ତର ମୃତ୍ୟୁ ଭିତରେ ଅନେକ ତଫାତ୍ । ଅନ୍ୟମାନଙ୍କ ମୃତ୍ୟୁରେ ଅନେକ ଲୋକ କାନ୍ଦନ୍ତି,ମୁଣ୍ଡ ପିଟନ୍ତି, ହାୟ ହାୟ କରି ତା ଗୁଣ ବାହୁନନ୍ତି । କିନ୍ତୁ ଦେବୀଦତ୍ତ ପାଇଁ କାନ୍ଦିବା ଲାଗି କେହିନଥିଲେ ।
କାନ୍ଦିବା ତ ଦୂରର କଥା, ଏପରିକି ତା’ ଲାସ୍ କିପରି ଉଠିବ ସେଥିପ୍ରତି କେହି ସଚେତନ କିମ୍ବା ଆଗ୍ରହୀ ନଥିଲା ପରି ମନେ ହେଉଥିଲା । ଅଫିସ୍ ବେଳ ହୋଇଯାଉଛି ବୋଲି କହି ଭିଡ଼ ଆସ୍ତେ ଆସ୍ତେ ପତଳା ହେଉଥିଲା । କିଏ ପଳାଉଥିଲା ତାର ମେଡ଼ିକାଲ ଯିବାର ଅଛି ବୋଲି, କିଏ ପଳାଉଥିଲା ପୁଅର ସ୍କୁଲ ଯିବାର ବେଳ ହୋଇଗଲାଣି ବୋଲି । କାହାର ଛୁଆ ଦେହ ଖରାପ, କାହା ସ୍ତ୍ରୀ ପ୍ରସୂତି ଯନ୍ତ୍ରଣା ଭୋଗୁଛି । ଆଉ କାହାର କିଛି ନଥାଇବି ଅନେକ ଜରୁରୀ କାମର ବାହାନା ଦେଖାଇ ଧିରେ ଧିରେ ଲୋକମାନେ ଛାଡ଼ି ପଳାଉଥିଲେ ସେ ସ୍ଥାନ ।
ଦେବୀଦତ୍ତର ସଢ଼ିଯାଇଥିବା ଲାସ୍କୁ ସିନା କେହି ଅପେକ୍ଷା କଲେନି । ସେ କିନ୍ତୁ ତମାମ୍ ପରମାୟୁ ବିତାଇ ଦେଲା ପରକଥା ଚିନ୍ତା କରି କରି । ନଜ ଘର କଥା ଭାବିଲାନି । ଏପରିକି ସଂସାରରେ ଏକମାତ୍ର ନିଜର ମଣିଷ ତା ବୋଉ କଥା ମଧ୍ୟ । ଝୁରି ଝୁରି ବୁଢ଼ୀ ମଣିଷଟା ମରିଗଲା । କେତେ ଆଶା ସେ କରିନଥିଲା ଏକମାତ୍ର ପୁଅକୁ ନେଇ!
ପାଠପଢ଼ି ପୁଅ ମଣିଷ ହେବ, ଚାକିରୀ କରିବ, ବାହା ହେବ, ପିଲାଛୁଆର ସଂସାର ଭିତରେ ହସି ଉଠିବ ତା ସଂସାର!!
ଦେବୀଦତ୍ତ କିନ୍ତୁ ତା ଜିଦ୍ରେ ଅଟଳ ଥିଲା ଯେ ସେ ବାହାହେବ ନାହିଁ କେବେ ବି ।
ଦେବୀଦତ୍ତ ମୋ ସାଙ୍ଗ । ଗୋଟିଏ ସ୍କୁଲ୍ରେ ଆମେ ପଢ଼ୁଥିଲୁ ସାଙ୍ଗ ହୋଇ, ଗୋଟିଏ ଶ୍ରେଣୀରେ । କୈଶୋର ଆଉ ପ୍ରାକ୍ ଯୌବନକୁ ଆମେ ଖର୍ଚ୍ଚ କରିଛୁ ପ୍ରଚୁର ଆହ୍ଲାଦପୂର୍ଣ୍ଣ ଭାବରେ । ନଈ ପହଁରିଛୁ ପ୍ରତିଯୋଗିତା ମନୋଭାବ ନେଇ । ବାଗୁଡ଼ି କବାଡ଼ି ଖେଳିଛୁ ଗୋଡ଼ହାତ ଭାଙ୍ଗିବା ଯାଏ, ଲହୁଲୁହାଣ ହେବା ଯାଏ । ନରିଆ କକେଇଙ୍କ ବାଡ଼ିରେ ପଶି କାକୁଡ଼ି ଚୋରୀ କରିଛୁ, ପ୍ୟାଣ୍ଟ ପକେଟରେ ଖଣ୍ଡେ କାଗଜ ଗୁଡ଼ା ହୋଇଥିବା ଲୁଣ ଲଗାଇ ସେ କାକୁଡ଼ି ଚୋବାଇ ଚୋବାଇ ଖାଇଛୁ ରାଇସକୁଳ ଦଣ୍ଡାରେ । ଶଙ୍କରା ବୁଢ଼ା ବାଡ଼ିରୁ ନଡ଼ିଆ ଗଛ ବାହୁଙ୍ଗା ଉପରେଲୁଚି ବସି ପଇଡ଼ ପିଇଛୁ ମନଭରି । ମୁରଲୀ ନାୟକ ଝିଅ ବାସନ୍ତୀ ପ୍ରତି ଏକା ସାଙ୍ଗରେ ଦୁହେଁ ଆକୃଷ୍ଟ ହୋଇଛୁ ।
ଯଦିଓ ଆମ ଦୁହିଁଙ୍କ ଭିତରୁ କାହାରି ଜଣକ ପ୍ରତି ବାସନ୍ତୀର ଏତେ ଟିକିଏ ଦୁର୍ବଳତା ନଥିଲା, ତଥାପି ଅନେକ ନିଃସଙ୍ଗ ଖରାବେଳ, ନିଛାଟିଆ ସନ୍ଧ୍ୟାବେଳେ ଆମେ ବିତାଇ ଦେଇଛୁ ତା କଥା ଭାବି ଭାବି । ତାକୁ କେଉଁଠି ଏକୁଟିଆ ପାଇଲେ କଣ ନାଇଁ କଣ କରିପକାନ୍ତୁ, ସେଇ କଥା ଚିନ୍ତା କରି କରି ।
ଗୋଟିଏ ସ୍କୁଲରୁ, ଗୋଟିଏ କଲେଜରୁ ପାଠ ସାରି ଆମେ ଗୋଟିଏ ସହରରେ ସରକାରୀ ଚାକିରୀରେ ଅବସ୍ଥାପିତ ହେଲୁ ଭିନ୍ନ ଭିନ୍ନ ବିଭାଗରେ । ସପ୍ତାହକୁ ତାର ମୋର ଅନ୍ତତଃ ଚାରିଥର ଦେଖା ହେଉଥିଲା । ରବିବାର ତ ନିଶ୍ଚିତ । ତା କ୍ୱାର୍ଟର ଠାରୁ ମୋ କ୍ୱାର୍ଟରର ଦୂରତା ପାଞ୍ଚ କିଲୋମିଟର । ମୁଁ ବେଶୀ ଯାଇପାରେନା, ସେ କିନ୍ତୁ କହିବାନୁଯାୟୀ ଠିକ୍ ସମୟରେ ହାଜର ହୋଇଯାଏ ମୋ ପାଖରେ । ଛୁଟି ଦିନକୁ ଆମେ ଦୁହେଁ ମନଭରି ଉପଭୋଗ କରୁ ସିନେମା ଦେଖି ଦେଖି, ନଈକୂଳ ପାର୍କରେ ବୁଲି ବୁଲି ।
ମୋ ବାହାଘର ହୋଇଯିବା ପରେ ଦେବୀଦତ୍ତର ବୋଉ ଆଉ ଥୟ ଧରି ରହିପାରିଲାନି । ତା ବାପା ଅନେକ ଦିନ ତଳୁ ମରିଯାଇଥିଲେ । ମାମୁଁ ମଧ୍ୟ । ମାମୁଁ ପୁଅ ଭାଇ ଅନେକ ବୁଝାବୁଝି କଲା । ବୋଉ ଢ଼ୋ ଢ଼ୋ ମୁଣ୍ଡ ପିଟିଲା । ଅଥଚ ଦେବୀଦତ୍ତ ଟିକେ ଚଙ୍କିଲାନି ।
ଏକା ଜିଦ୍, ସେ ବାହା ହେବ ନାହିଁ
“ ତୋ ପରି ଜଣେ ସୁନ୍ଦର ସକ୍ଷମ ରୋମିଓ ବାହା ନହେବାର ମାନେ କ’ଣ?” ଦିନେ ମୁଁ ସିଧା ପଚାରିଲି ତାକୁ ।
ଫାଲ୍ତୁ ପ୍ରଶ୍ନ । ସେ କହିଲା- “ମୋର ଏକାନ୍ତ ବ୍ୟକ୍ତିଗତ ନିଷ୍ପତ୍ତିରେ କାହାର ଅଯଥା ହସ୍ତକ୍ଷେପ ମୁଁ ବରଦାସ୍ତ କରେନା । ଅନୁରୋଧ, ଏପରି ମାମୁଲି ପ୍ରଶ୍ନ ପଚାରିବୁନି କେବେ, ଅନ୍ତତଃ ବନ୍ଧୁତ୍ୱ ଖାତିରିରେ ।” ଚାପୁଡ଼ାଏ ଖାଇଲା ପରି ଲାଗିଲା ମତେ । ଚୁପ୍ ହୋଇଗଲି ।
ସେଥର ସ୍ତ୍ରୀ ଅଳକାକୁ ନେଇ ମୁଁ ଯାଇଥାଏ ଗାଁ’କୁ ରଜରେ । କାହାଠୁ ମୋ ଆସିବା ଖବର ଶୁଣି ଦେବୀଦତ୍ତର ବୋଉ ନଇଁ ନଇଁ ଆସି ପହଞ୍ଚିଲା ଆମ ଘରେ । ଅଳକା ଠାରୁ ଭୂଇଁ ଛୁଆଁ ପ୍ରଣାମଟିଏ ପାଇ ସାରିବା କ୍ଷଣି ଭୋ ଭୋ କାନ୍ଦିଲା ସତୁରୀ ବର୍ଷର ବୁଢ଼ୀ ମଣିଷଟା । କାନ୍ଦି କାନ୍ଦି ମୋ ଆଗରେ ଫେରାଦ ହେଲା ପରି କହିଲା- “ ବାପରେ, ଦେବାଟାକୁ ଟିକେ ବୁଝେଇ ଦେ’ରେ … । ସେଇଟା ଆଡ଼ପାଗଳା, ଏକଜିଦିଆଟା । ଏକା ସାଙ୍ଗରେ ପଢ଼ୁଥିଲ, ଏକା ସାଙ୍ଗରେ ଚାକିରୀ ବାକିରୀ କଲ । ତୁ ଘର ସଂସାର କଲୁଟି! ତା ଅକଲ ଦେଖୁଛୁ! ଅଭିଲା କଥା କହୁଛି କଣ ନା ବାହା ହେବିନି । ଏଡ଼ିକି ବକଟେନାକୁ ହୋଇଥିଲା, ଆମ ମା’ ପୁଅ ଦୁହିଁଙ୍କି ଚିତା କାଟିଦେଇ ତା ବାପ ପଳେଇଲା ଆରପାରିକି । ଛାତିକି ପଥର କରି, ଆଖି ଲୁହ ପାଟିରେ ମାରି ଘୂଅମୂତ କରିଥେଲି ବୁଢ଼ୀକାଳେ କ’ଣ ଏଇଆ ଦେଖିବାକୁ? ବାରଘରେ ତେର ପାଇଟି କରି, ମୁଣ୍ଡ ଝାଳ ତୁଣ୍ଡରେ ମାରି ଦି ଅକ୍ଷର ପଢ଼େଇଥେଲି କ’ଣ ଏଇ ହୀନସ୍ତା ଭୋଗିବା ପେଇଁ?
ମୋ ଭିତରେ ଦୁଃଖଟିଏ ସଂଚରୀ ଯାଉଥିବା ବେଳେ ମୁଁ କହିଲି: ମାଉସୀ, ଥୟ ଧର । ମୁଁ ତାକୁ ଆଉ ଥରେ ପଚାରିବି… ।
ମୋ ପାଟିରୁ କଥା ଛଡ଼େଇ ନେଇ ମାଉସୀ କହିଲା, ଇରେ ବାପ ପଚାରିବୁ କ’ଣ ବା? ତାର କ’ଣ ବୁଦ୍ଧି ଶୁଦ୍ଧି ନାଇଁ? ତାଆରି ସାଙ୍ଗର ପରା ତୁ! ତୁ କଣ ପାଠ ପଢ଼ିନୁ ନା ଚାକିରୀ କରିନୁ ବା!! ନା ତୋ ଠାରୁ ସେ ନାଟସାହାବ ଘରର ପୁଅ! ହେଇଟି ବାପ, ତାକୁ କହିଦବୁ, ଯଦି ବୋଉ ମୁହଁ ଦେଖିବାର ଅଛି ସେ ଅବଲ୍ୟ ଛାଡ୍ । ମୁଁ ଚମ ଧୁଡ଼ୁ ଧୁଡ଼ୁ ଶୁଖିଲା ଡାଙ୍ଗ ଖଣ୍ଡେ । ହେଇ ଅଛି, ହେଇ ନାହିଁ । ବିଧାତା ମୋ କପାଳରେ କ’ଣ ବୋହୁ , ନାତି, ନାତୁଣୀ ଲେଖିନି?
ମାଉସୀର କାନ୍ଦ ଅସମ୍ଭାଳ ହେଲା । କୌଣସି ପ୍ରକାରେ ବୁଝାଇ ଶୁଝାଇ ମୁଁ ତାକୁ ଘରକୁ ପଠାଇ ଦେଲି ।
ଦେବୀଦତ୍ତର ଭର୍ତ୍ସର୍ନା ସତ୍ତ୍ୱେ ଦ୍ୱିତୀୟଥର ପାଇଁ ତା କ୍ୱାର୍ଟରରେ ପହଞ୍ଚିଲି ମୁଁ ଏବିଷୟରେ କଥାବାର୍ତ୍ତା ହେବା ପାଇଁ । ମତେ ଦେଖି ସେ ଖୁସି ହୋଇଗଲା । ପଚାରିଲା କ’ଣ ଆଣିବା? ମଟନ୍ ନା ଚିକେନ୍?
କିିଛି ନାଇଁ ।-ମୁଁ ଗମ୍ଭୀର ହୋଇ କହିଲି- ତୋ ସାଙ୍ଗରେ ଦିପଦ କଥା ଅଛି, ବସ୍ ।
ଦେବୀଦତ୍ତ ଗମ୍ଭୀର ହେଲା । କିଚେନ୍ ଭିତରକୁ ଅନାଇ ବୁଢ଼ା ଚାକରଟିକୁ ବରାଦ କଲା ଦୁଇକପ୍ ଚା ଆଣିବା ପାଇଁ ।
ଗାଁକୁ ଯାଇଥିଲି, ମୁଁ ଆରମ୍ଭ କଲି- ତୋ ବୋଉ ଦେଖା ହୋଇଥିଲା, ଖିନଭିନ୍ ହୋଇ କାନ୍ଦିଲା । ହଇରେ ବୁଢ଼ୀଟାକୁ କନ୍ଦାଇ ତୁ କି ସୁଖ ପାଉଛୁ? ଦଶମାସ ଗର୍ଭରେ ଧରିଥିଲା କଣ ଏଇ ହିନୀମାନୀହେବା ପାଇଁ? ସଫାସଫା କହ ତୋ ମନରେ କ’ଣ ଅଛି? ବାହା ହବୁ ନା ନାଇଁ? ତାକୁ ଛାଡ଼ି ତୋର ନିଜର ବୋଲି ଆଉ କିଏ ଅଛି ଏ ସଂସାରରେ?
ଚା କପ୍ରେ ଶେଷ ସ୍ପର୍ଶ ଦେଇ ଦେବୀଦତ୍ତ କପ୍ଟିକୁ ଟିପଏ ଉପରେ ରଖୁ ରଖୁ କହିଲା, “ହଜାରେ ଥର କହିଲିଣି ପଳେଇଆ ମୋ ପାଖକୁ । ଦି ବଖରା ଚାଳ ଘର, ଛ’ଟି ନଡ଼ିଆଗଛ, ଦୁଇମାଣେ ଜମିକୁ ଆବୋରି କାହିଁକି ସେଠି ପଡ଼ି ରହିଛୁ । କ’ଣ ମିଳୁଛି ସେଠୁ ତୋତେ? ଚାଲିଆ ମୋ ପାଖକୁ । ବସ୍ ଏଠି । ତତେ ରାନ୍ଧି ବାଢ଼ି ଖୁଆଇବି । ସକାଳେ ସଞ୍ଜେ ତୋ ଦେହମୁଣ୍ଡ ଘସିଦେବି । ଆସ୍ତେ ଆସ୍ତେ ପରଳ ମାଡ଼ିଯାଉଥିବା ତୋ ଆଖିକୁ ହାକ୍ତର ଦେଖାଇବି । ଆ, ପଳେଇଆ । ସେ କ’ଣ ଶୁଣୁଛି ମୋ କଥା! ଖାଲି ବାହା ହ… ବାହା ହ… ।
ଦେବୀଦତ୍ତ ଏକା ନିଶ୍ୱାସକେ କହିପକାଇ ଚୁପ୍ ହୋଇଗଲା ଏବଂ କିଛି କ୍ଷଣର ନୀରବତା ପରେ କହିଲା- “ଗୁଣ୍ଡିଚା ପରେ ତାକୁ ନେଇ ଆସିବି ଏଠିକି, ଜବରଦସ୍ତ । ନ ଆସିଲେ ତା କଥା ତାର, ମୋ କଥା ମୋର ।”
ଦେବୀଦତ୍ତର ଠୋ ଠୋ କଥା ମତେ ଜମା ଭଲ ଲାଗୁନଥିଲା । ତଥାପି କହିଲି “ତୁ କାହିଁକି ରାଜି ହେଉନୁ ବାହା ହେବାକୁ? ତୋର ସମସ୍ୟା କ’ଣ । ସବୁ ବାପା, ମା’ଙ୍କର ଜୀବନର ବଡ଼ ସ୍ୱପ୍ନ ହେଉଛି ନିଜ ସନ୍ତାନର ସୁଖ ସଂସାର ଦେଖିବା । ପୁଅ, ବୋହୁ, ନାତି, ନାତୁଣୀଙ୍କ ଗହଣରେ ନିଜକୁ ହଜାଇ ଦେବା । ସେଇଥିରେ ସେମାନଙ୍କର ଶାନ୍ତି, ମୁକ୍ତି । ଏଡ଼େ ଏଡ଼େ ବହିଟିମାନ ପଢ଼ୁଛୁ ପରା! ଏତିକି କଥା ଜାଣି ପାରୁନୁ?”
‘ଶସ୍ତା ସେଣ୍ଟିମେଣ୍ଟ! ଭେରି ଚିଫ୍-ଦେବୀଦତ୍ତ ମୋ କଥାକୁ ଥଟ୍ଟାରେ ଉଡ଼ାଇ ଦେବା ପରି କହିଲା ଅପୂର୍ଣ୍ଣତା ଓ ଆକର୍ଷଣ ନଥିଲେ ଇଚ୍ଛା ଉତ୍ପନ୍ନ ହୁଏନା ମହେନ୍ଦ୍ର । ବାହାଘର ପ୍ରତି ନା ଅଛି ମୋର ଆକର୍ଷଣ, ନା ମୁଁ ଅନୁଭବ କରୁଛି ତାର ଆବଶ୍ୟକତା । ଜୀବନକୁ ପରିପୂର୍ଣ୍ଣ ଭାବରେ ମୁଁ ଅନଭୁବ କରିବାକୁ ଚାହେଁ । ବାହା ହୋଇ ସାରି ନିଜ ରୁଚି ମୁତାବକ ଜୀବନଟିଏ କିଏ ବଞ୍ଚô ପାରିଛି କହ! ତମର ସବୁଯାକ ସ୍ୱାଧୀନତା ଲଗାମ୍ ଯୁକ୍ତ ହୋଇଯିବ । ଆଉ ସେ ଲଗାମ୍ ରହିବ ପତ୍ନୀ, ଅର୍ଦ୍ଧାଙ୍ଗିନୀ ବୋଲାଉଥିବା ଜଣେ ସନେ୍ଦହୀ, ପରଶ୍ରୀକାତରା, କ୍ରୋଧୀ, ଏକଜିଦିଆ ମଣିଷ ହାତରେ! ନିଜ ଇଚ୍ଛା ଅନୁସାରେ ସେ ତୁମକୁ ଉଠ୍ ବସ କରାଉଥିବ, ନଚାଉଥିବ ମାଙ୍କଡ଼ ନାଚ । ପିଲାଛୁଆ ଗୁଡ଼ା ଅହୋରାତ୍ର ଝୁଣୁଥିବେ । କିଚିରିମିଚିରି ହଉଥିବେ ଘରସାରା । ଘୋ ଘୋ ହାଟ ବସିଥିବ ଘରେ, ସବୁବେଳେ । ଏମିତିଆ ଜୀବନଟିଏ ବଞ୍ଚି କି ଲାଭ ?
କିଆରୀର ସବୁଧାନ ଅଗାଡ଼ି ନୁହେଁ କି ସବୁ ସ୍ତ୍ରୀ ଏକାପରି ନୁହଁନ୍ତି । ବୁଝିଲୁ ଦେବୀଦତ୍ତ, ଆମ ସମାଜରେ ସ୍ତ୍ରୀ, ସ୍ୱାମୀର ବିଧା ଗୋଇଠା ଖାଇ ଜୀବନ ବଞ୍ଚେ, ସ୍ୱାମୀ ନୁହେଁ । ତେଣୁ ବନ୍ଧୁ, ମୋ ସାନକୁହା ମାନ୍, ବାହା ହୋଇପଡ଼ ଭଲ ଝିଅଟେ ଦେଖି ।, ବୋଉକୁ ନେଇଆ ପାଖକୁ, ମୁଁ କହିଲି ।
ଜାଣି ଜାଣି ଶୃଙ୍ଖଳ ବଦ୍ଧ ହେବାକୁ ମୁଁ ଚାହେଁନା-ଦେବୀଦତ୍ତ କହିଲା । “ତାକୁ ତୁ ଶୃଙ୍ଖଳ କହିପାରୁ, ବେଡି କହିପାରୁ । ହେଲେ ସେଇ ଶୃଙ୍ଖଳରେ ଛନ୍ଦି ହୋଇ ଜୀବନ ବଞ୍ଚିବାରେ ଗୋଟେ ଭିନ୍ନ ସ୍ୱାଦଥାଏ ଦେବୀଦତ୍ତ”-ମୁଁ ଉତ୍ତର ଦେଲି ।
ସେ ସ୍ୱାଦ ଭାରି ତିକ୍ତ-ଦେବୀଦତ୍ତ କହିଲା ।
ତିକ୍ତତା ବ୍ୟତିରେକ ମଧୁରତାର ସ୍ଥିତି ନାଇଁ ଦେବୀଦତ୍ତ ।-ମୁଁ ଉତ୍ତର ଫେରାଇଲି । ଯୁକ୍ତିର ଖିଅ ହରାଇବସିଲା କି କ’ଣ ହଠାତ୍ ଦେବୀଦତ୍ତର ମୁହଁ ଲାଲ ପଡ଼ିଗଲା । ମତେ ଏମିତି ଏକ ଚାହାଣୀରେ ଚାହିଁଲା ଯେ, ଲାଗିଲା ଆଖିରେ ଆଖିରେ ସେ ମତେ ନିଦେ୍ର୍ଦଶ ଦେଉଛି ଏଇ ସାଙ୍ଗେ ସାଙ୍ଗେ ତା ଘରୁ ବାହାରିଯିବାକୁ । ମତେ ଭାରି ଅପମାନିତ ଲାଗିଲା । ତା ବାହାଘର ହେଲେ କେତେ, ନହେଲେ କେତେ? ମୋର କ’ଣ ଯାଏ ଆସେ?
ରାମକୃଷ୍ଣ କିଛି ନକହି ସେଦିନ ମୁଁ ଚୁପ୍ଚାପ୍ ଚାଲିଆସିଲି ।
ସେଇ ଘଟଣା ପରଠାରୁ ଦେବୀଦତ୍ତ ସହିତ ଦେଖା କରିବାର ଆଗ୍ରହ ମୋର ମଉଳିଗଲା । ଏତେ ଦିନର ଆମ ନିବିଡ଼ ସଂପର୍କରେ ଭଟ୍ଟା ପଡ଼ିଯିବା ପରି ଲାଗୁଥିଲା । ଏବଂ ଲାଗୁଥିଲା ଖୁବ୍ ଗୁଡ଼ାଏ ବହି ପଢ଼ାପଢ଼ି କରି ସେ କେମିତି ଅସ୍ୱାଭାବିକ ଲାଗୁଛି । ମୋ ପତ୍ନୀ ମଧ୍ୟ ଏ ଘଟଣାରେ ମୋ ଉପରେ ଅନେକ ବିରକ୍ତି ପ୍ରକାଶ କଲେ-ତାଙ୍କର ସିଏ ବାହା ହୁଅନ୍ତୁ କି ନହୁଅନ୍ତୁ, ତମ ମୁଣ୍ଡ କାଇଁକି ଏତେ ବଥାଉଚି? ବନ୍ଧୁ ହିସାବରେ ତମେ ଥରକୁ ଦିଥର କହିଲ, ବୁଝାଇଲ । ତେଣିକି ତାଙ୍କ ଇଚ୍ଛା! ତମେ ଚୁପ୍ଚାପ୍ ବସ୍ ।”
ମୁଁ ମନେ ମନେ ପ୍ରତିଜ୍ଞା କଲି ଦେବୀଦତ୍ତକୁ ଆଉ କେବେ ବି ତା’ ବାହାଘର ବିଷୟରେ କିଛି କହିବି ନାଇଁ ।
ସଂସାର ବୋଝ ବଢ଼ିଯାଇଥିଲା । ବଡ଼ ପୁଅ ପରେ ଝିଅଟିଏ ଏବଂ ତାର ଦୁଇ ବର୍ଷ ପରେ ଆଉ ଗୋଟେ ଝିଅ, ସ୍ତ୍ରୀ, ବୋଉକୁ ନେଇ ରାଜଧାନୀ ଭୁବନେଶ୍ୱରରେ ମୋର ସବୁବେଳେ ଗୋଟେ ଅଭାବୀ ସଂସାର । ରାଜ୍ୟ ସରକାରଙ୍କ ତୃତୀୟ ଶ୍ରେଣୀର କର୍ମଚାରୀ । ଭୁବନେଶ୍ୱର ମହଙ୍ଗା ବଜାରରେ ଏତେ ବଡ଼ ପରିବାର ପୋଷଣ କରିବା କି କାଠିକର ପାଠ, ସେ କଥା ଅନୁଭବି ହିଁ ଜାଣିବ ।
ଫେଣ୍ଟି ହୋଇଯାଉଥିଲି ସଂସାର ଭିତରେ । ସକାଳୁ କ୍ଷୀର ବାଲାଠୁ ପିଲାଙ୍କ ସ୍କୁଲ, ପରିବା ମାର୍କେଟ୍ରୁ ମେଡ଼ିସିନ୍ ଷ୍ଟୋର, ଅଫିସ୍ରୁ ରେସନ୍ ଦୋକାନ ଭିତରେ ଘୂରି ଘୂରି ସରିଆସୁଥିଲା ପରମାୟୁ । ପୋଷାକ ଇସ୍ତ୍ରୀ ହୋଇନାହିଁ । ଚାରିଦିନ ହେଲା ଦାଢ଼ି କଟା ହୋଇନାହିଁ । ଚଳିବ । ଗାଡ଼ିରେ ତେଲ ନାଇଁ । ସାଇକେଲରେ ପଳାଇଲେ କ୍ଷତି କଣ? ରଜ, ଦଶହରାରେ ନୂଆ ପୋଷାକ! ହାଃ… ଏବେ କଣ ଆଉ ସେ ବୟସ ଅଛି? ପିଲାଏ ପିନ୍ଧିବେନା!!-ଏହିପରି ମାନସିକତାଟିଏ ମାଡ଼ି ବସୁଥିଲା ଧୀରେ ଧୀରେ ।
ମନେ ପଡ଼େ । ଅଭାବୀ ପରିବାର ରେ ଆମେ ତିନିଭାଇ, ତିନି ଭଉଣୀ । ଘରର ଯାବତୀୟ ଖର୍ଚ୍ଚ ନିର୍ଭର କରୁଥିଲା ଚାରି ପାଞ୍ଚ ମାଣ ଚାଷ ଜମି-ଉପରେ । ବଡ଼ ଭାଇ, ମଝିଆ ଭାଇ ସେତେବେଳକୁ ଠେକ ହୋଇଯାଇଥା’ନ୍ତି । ରଜ ଦଶରା ଆଦି ପର୍ବପର୍ବାଣୀ ମାନଙ୍କରେ ବାପା ଧାର ଉଧାର କରି ଭଉଣୀମାନଙ୍କ ପାଇଁ ବକଟେ ବକଟେ ନୂଆ ଫ୍ରକ୍ ଆଣନ୍ତି । ସେମାନଙ୍କ ନୂଆ ଜାମା ଦେଖି ଲୁହ ଓ କୋହରେ ଫାଟି ପଡ଼ୁଥିଲି ମୁଁ । କାନ୍ଦି କାନ୍ଦି ବ୍ରହ୍ମାଣ୍ଡ ପ୍ରକମ୍ପିତ କରି ପକାଉଥିଲି । ବୋଉ ମତେ ବୋଧ କରିବାକୁ କାଖେଇ ବାରି ଆଡ଼କୁ ନେଇ ଯାଇ କୁହେ, “କେଡ଼େ ଅଇନିଆଟା କିରେ ତୁ? ସେମାନେ ଝିଅ ପିଲା, ରଜ ତାଙ୍କର ନା ତୋର? ସେମାନେ ଆଜି ଅଛନ୍ତି, କାଲି ପରଘରକୁ ଯିବେ । ଇରେ ତୋ ପିନ୍ଧିବା ବେଳ କ’ଣ ଗଡ଼ିଯାଉଛି? ମୋ ଧନଟା ପରା, ତୁନି ହ’ । ଆରସନ ରଜକୁ ତୋ ବାପାଙ୍କୁ କହି ବଢ଼ିଆ ପେଣ୍ଟ ସାର୍ଟ କରିଦେବି । ହେଲା!”
ଏବେ ସେ ସବୁକଥା ମନେ ପଡ଼ିଲେ ହସ ଲାଗେ, ଦୁଃଖ ଲାଗେ । କୁଆଡ଼େ ଗଲା ସେଇ ସମୟ, ଯେତେବେଳେ ଚିତ୍ରବିଚିତ୍ର ରେଡିମେଡ଼୍ ସାର୍ଟ ଖଣ୍ଡିଏ ପିନ୍ଧିଥିଲେ ସ୍ୱର୍ଗରେ ଉଡ଼ିବା ପରି ଲାଗୁଥିଲା । ପକେଟ୍ରେ ଆଠେଣୀ କି ଟଙ୍କାଟେ ଥିଲେ ପୃଥିବୀ କିଣି ପକାଇବାକୁ ମନ ହଉଥିଲା । ଅଥଚ ଏବେ? ପକେଟ୍ରେ ଦଶ କୋଡିÿଏ ହଜାର ଥିଲେ ବି ନିଜକୁ ଭିକାରୀ ଭିକାରୀ ଲାଗେ । ଭାରି ଅସହାୟ ମନେ ହୁଏ । କେତେ ବଦଳି ଗଲା ସତରେ ଏ ଦୁନିଆ, ଏ ସମୟ!
ପତ୍ନୀଙ୍କର ହଜାର ଅଭିଯୋଗ ପରେ ସେଥର ଶୀତ ସରି ଆସୁଥିବା ବେଳେ ଏଲ୍.ଟି.ସି ନେଇ ମୁଁ ସପରିବାର ବୁଲିଯାଇଥିଲି ଓଡ଼ିଶା ବାହାରକୁ । ପନ୍ଦରଦିନ ରହଣୀ ପରେ ଫେରି ଆସି ଶୁଣିଲି ଦେବୀଦତ୍ତର ବୋଉ ମରିଗଲା । ଦୁଇବର୍ଷ ପୂର୍ବେ ଦେବୀଦତ୍ତ ତା ବୋଉକୁ ଆଣି ରଖିଥିଲା ପାଖରେ । ତା କ୍ୱାର୍ଟରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇ ସାରିଥିଲା । ବୋଉର ଦଶସୁଦ୍ଧି କାମକାର୍ଯ୍ୟ ସରିଯାଇଥିଲା ସେତେବେଳକୁ ।
ଚା’ ପିଉପିଉ ସେ ଆରମ୍ଭ କଲା, “ମରିଗଲା ମୋ ବୋଉ । ଗୋଟାଏ ଅବଶୋଷ ବୋହୂ ବୋହୂ ହୋଇ ସେ ମରିଗଲା? କୋଉ ବୋହୂମାନେ ଆଜିକାଲି ଶାଶୁ ଶ୍ୱଶୁରଙ୍କ ସେବା କରୁଛନ୍ତି? କେଉଁଥିରେ ତାକୁ ମୁଁ ଊଣା କରିଥିଲି? କ’ଣ ଟା ଆଉ ଅଧିକ ପାଇଥାନ୍ତା ବୋହୂଠାରୁ? ଅଥଚ ସେଇ ଗୋଟିଏ ଅବଶୋଷ ନେଇ ମତେ ଏକା ଛାଡ଼ି ଦେଇ ପଳେଇଲା ଆରପାରିକି! ହଉ, ତା ଇଚ୍ଛା!” ଦେବୀଦତ୍ତର କଣ୍ଠସ୍ୱର ଓଦା ଓଦା ଲାଗୁଥିଲା ।
ନିଜ ସୁଖ ଶାନ୍ତି ପାଇଁ ବାପା ମା ମାନେ ବୋହୂଟିର ଆବଶ୍ୟକତା କରନ୍ତି ନାଇଁରେ ବୁଦ୍ଦୁ, ନିଜ ପିଲାମାନଙ୍କ ସୁଖ ସଂସାର ଦେଖିବା ପାଇଁ ସେମାନେ ସଦା ବ୍ୟାକୁଳ ଥା’ନ୍ତି! ସେଇ ତୃପ୍ତି ଟିକକ ସେମାନଙ୍କୁ ଶାନ୍ତିରେ ମରିବାକୁ ଦିଏ ।”-ଏଇ କଥା ଦିପଦ ଇଛାଥିଲେ ମଧ୍ୟ ଦେବୀଦତ୍ତକୁ ମୁଁ କହିପାରିଲି ନାହିଁ କିମ୍ବା ତା ବାହାଘର ବିଷୟ ଆଦୌ ଉଠାଇଲି ନାହିଁ । ଘଣ୍ଟାଏ ଖଣ୍ଡେ ନୀରବତାରେ ବସିବା ପରେ ମୁଁ ଉଠି ଠିଆ ହେଲି ଏବଂ ଦେବୀଦତ୍ତକୁ କହିଲି,-ଯାଉଛି!
ଦେବୀଦତ୍ତ ନୀରବରେ ମତେ ସମ୍ମତି ଜଣାଇଲା ।
ଦିନ ଗଡ଼ି ଯାଉଥିଲା । ବଡ଼ ପୁଅ ସ୍କୁଲ ଛାଡ଼ି କଲେଜ ଯାଉଥିଲା । ମଝିଆ ଝିଅ ମ୍ୟାଟି୍ରକ ପରୀକ୍ଷା ପାଇଁ ପ୍ରସ୍ତୁତ ଚଳାଉଥିଲା । ସାନଟାର ଅଷ୍ଟମ ଶ୍ରେଣୀ । ତିନିତିନିଟା ପିଲାଙ୍କର ପାଠପଢ଼ା, ଦେହ ପା, ଭଲମନ୍ଦ, ଘରର ଯାବତୀୟ ଜଞ୍ଜାଳରେ ପେଶି ହୋଇ ଯାଇଥିଲି ମୁଁ । ଅଫିସ୍ରୁ ଗଳଦ୍ଘର୍ମ ହୋଇ ଫେରିବା ବେଳକୁ ଘରେ ଡ଼ାଲି, ଲୁଣ କି ପରିବା ନଥିବ । ସେତକ ଆଣି ଆସିବା ବେଳକୁ ପୁଅର ବହି କିମ୍ବା ଝିଅର ଖାତା ନଥିବ । ସେତକ ଆଣି ଆସିବା ବେଳକୁ ସାନଟା ପଡ଼ିଯାଇ ଖଣ୍ଡିଆ ଖାବରା ହୋଇଯାଇଥିବ ଯେ ତାକୁ ନେଇ ମେଡ଼ିକାଲ ଯିବାକୁ ହେବ । ବୋଉକୁ ସବୁବେଳେ ଶ୍ୱାସ ମାଡ଼ିବସୁଥିବ ତ ସ୍ତ୍ରୀର ଆଠକାଳି ବାରମାସ ଅଣ୍ଟା ବେମାରୀ ବାହାରୁଥିବ । ବାସନଟିଏ ମାଜିଦେଲେ ନାକ ସୁଁ ସୁଁ କରୁଥିବ ଥଣ୍ଡାରେ । ଘରର ଏତେ ଗୁଡ଼ାଏ ଜଞ୍ଜାଳ ସମ୍ଭାଳି ସମ୍ଭାଳି ସେ ଥକି ପଡ଼ିଲାଣି ବୋଲି ଅଭିଯୋଗ ବାଢ଼ୁଥିବ, ଗୋଡ଼ କଚାଡ଼ୁଥିବ, ଫଣଫଣ ମୁହଁ କରି ମୁହେଁ ମୁହେଁ ଠୋ ଠୋ କଥା ଶୁଣାଉଥିବ । ଆଜି ଏଇଟା, କାଲି ସେଇଟା, ନଆସିପାରିଲେ ଘରେ ସୃଷ୍ଟି ହେଉଥିବ ଅଶାନ୍ତି, ଯୁଦ୍ଧ ।
ଏଭଳି ବିରକ୍ତିକର ସମୟମାନଙ୍କରେ ଦେବୀଦତ୍ତ କଥା ମନେ ପଡ଼ିଯାଏ । ଏବେ କ’ଣ କରୁଥିବ ଦେବୀଦତ୍ତ? ବସିଥିବ ତା ପଢ଼ାଘରେ ହାତରେ ଗରମ କଫି ଏବଂ ବହି ଖଣ୍ଡିକ ଧରି! ରୋଷେଇ ବାସ ଏବଂ ଘରର ଅନ୍ୟାନ୍ୟ କାମ କରିବାକୁ ରହିଥିବା ଚାକର ବୁଢ଼ାଟି ହରଘଡ଼ି ତୟାର ଥିବ ତା ଆଦେଶ ପାଳନ କରିବାକୁ । ଆଜି କ’ଣ ରୋଷେଇ କରିବି ବାବୁ? ରାତି ଦଶଟା ବାଜିଲାଣି, ପଢ଼ାପଢ଼ି ବନ୍ଦ କରି ଖାଇବେ ଆସନ୍ତୁ, ଏତେ ରାତିଯାଏ ଅନିଦ୍ରା ରହୁଛନ୍ତି କାଇଁକି? ଦେହ ପା’ ପ୍ରତି ଟିକେ ନଜର ଦିଅନ୍ତୁ! ଏହିପରି ଚାକର ସୁଲଭ ମଧୁର ଅନୁଶାସନରେ ବାନ୍ଧିରଖିଥିବ ତାକୁ । ନିଜ ମର୍ଜି ଅନୁସାରେ ବିଛଣା ଛାଡ଼ୁଥିବ ସେ । ସକାଳ ନ’ଟା ଯାଏ ମଧ୍ୟ ଦାନ୍ତ ନ ଘସି ଚା ପିଉ ପିଉ ବାଲ୍କୋନୀରେ ବସି ଖବରକାଗଜ ପଢ଼ୁଥିବ । ଦିନେ ଦିନେ ଅଫିସ୍ ନଯାଇ ହିରୋହୁଣ୍ଡା ମୋଟର ସାଇକେଲ ଧରି ବାଦ୍ଶାଙ୍କ ପରି ବୁଲୁଥିବ ସହର ସାରା । ଇଛା ହେଉଥିବତ ପଶି ଯାଉଥିବ ଆଡ଼ଲ୍ଟ ସିନେମା ଖେଳୁଥିବା କେଉଁ ସିନେମା ହଲ୍ ଭତରକୁ । ବେଳେ ବେଳେ ସିଆଡ଼େ ରାତି ଖାଇବା ସାରି ଫେରୁଥିବ ଯଦିଓ ଘରେ ପାଂଚ ଆଠ ପ୍ରକାର ଆଇଟମ୍ ବନାଇ ଅପେକ୍ଷା କରି ରହିଥିବ ଆଜ୍ଞାଧିନ ଚାକରଟି ।
ରାତି ଅଧଯାଏ ଟି.ଭି ଦେଖୁଥିବ, ବହି ପଢ଼ୁଥିବ, ଷ୍ଟେରିଓ ଶୁଣିଶୁଣି ସିଗ୍ରେଟ୍ ଟାଣୁଥିବ ।
ରୁଚିମୁତାବକ ଜୀବନଟିଏ ଆଉ କାହାକୁ କହନ୍ତି?
ଦେବୀଦତ୍ତ ପ୍ରତି ମୋ ମନରେ ଥିବା ଶ୍ରଦ୍ଧାଭାବଟି ଧୀରେ ଧୀରେ ଲୋପ ପାଇ ଯାଇ ସେ ସ୍ଥାନଟି ଅକ୍ତିଆର କରୁଥିଲା ଇର୍ଷାଭାବଟିଏ । ନା ତାକୁ ନୁହେଁ, ତା ଜୀବନ ବଞ୍ଚିବାର ଶୈଳୀ ପ୍ରତି, ତା ଖିଆଲ୍ ମନୋଭାବ, ତା ସଂସାର ବିମୁଖତା ପ୍ରତି । କାଇଁକି କେଜାଣି ବେଳେବେଳେ ଇର୍ଷାଭାବଟିଏ ଘୋଟି ଆସୁଥିଲା ମୋ ମନରେ ।
ତା କ୍ୱାର୍ଟରକୁ ମୁଁ ଆଉ ଯାଏନା । ସେ ମଧ୍ୟ ଆସେନା ମୋ ଘର ଆଡ଼େ । ବର୍ଷେ ଛ’ମାସକେ ଥରେ କୋଉଠି କେମିତି ରାସ୍ତା ଘାଟରେ ଦେଖା ହୋଇଗଲେ ସେ ପ୍ରାଣଖୋଲା ହସ ହସେ । ହସିବାକୁ ଚାହିଁଲେ ବି ମୋ ଭିତରୁ ସ୍ୱତଃପ୍ରବୃତ୍ତ ହସଟିଏ ବାହାରେନା! ଦାନ୍ତ ଦେଖାଇଦିଏ । ଆମେ ଏଣୁ ତେଣୁ ପାଞ୍ଚଦଶମିନିଟ୍ ଗପକରୁ । ତା ଉପସ୍ଥିତି ମତେ ଅଶ୍ୱସ୍ତି ଲାଗେ । ତା ମୁଣ୍ଡରେ କଳା ମଚ୍ମଚ୍ ଗହବା କେଶ! ତା ପ୍ୟାଣ୍ଟ ସାର୍ଟ, ଜୋତା, ଗାଡ଼ି ସବୁ ଚିକ୍ ଚିକ୍ ପରିସ୍କାର । ସତୁରୀ ପ୍ରତିଶତ ଚନ୍ଦା ହୋଇ ଆସିଥିବା ମୋ ମୁଣ୍ଡର ଅଶୀଭାଗ ବାଳ ଧଳା ପଡ଼ି ଆସିଲାଣି । ପ୍ୟାଣ୍ଟ ସାର୍ଟ ଲୋଚାକୋଚା! ମୁହଁ ଘର୍ମାକ୍ତ, ଆଖିରେ କ୍ଲାନ୍ତିର ଜୁଆର ।
ତାହା ମୁଁ ସାମ୍ନା କରିପାରେନା । କ’ଣ ଗୋଟାଏ ମତେ ସଙ୍କୁଚିତ କରିପକାଏ ତା ଆଗରେ । ଦେବୀଦତ୍ତର ବୋଉ ବଞ୍ଚିଥିବା ବେଳେ କହୁଥିଲା । “ବାପରେ ୟେ ଟୋକା ଜମା ମଙ୍ଗୁନି ବାହା ହେବାକୁ । ଇୟେ କି ଅଲିଖିତ କଥା! ସଂସାର ଭିତରେ ଘର କରିବ ବାହାଚୁରା ନହେଲେ ସାଇ ପଡ଼ିଶା କ’ଣ କହିବେ? ସେଇଟା ନାର୍କୁଚିଆଟା, ସଂସାର ଥାପିବାକୁ ଡ଼ରୁଚି । ଇରେ ବାହା ସାହା ହୋଇ ପିଲାଛୁଆର ବାପା ମା’ବନି ସେମାନଙ୍କ ଗୁହ ସ୍ୱତରେ ଘାଣ୍ଟିହେଲେ ସିନା ଜୀବନର ଅସଲ ମହକ ମିଳିବ! ଦହିକୁ ମନ୍ଥିଲେ ଯାଇ ସିନା ଲହୁଣୀ ବାହାରିବ!! ଆଉ ୟେ କହୁଚି ନା କ’ଣ ମିଳିବ ସେ ବାହା ଫାହାରୁ?”
ବର୍ଷ ବର୍ଷ ବିତିଗଲାଣି ବାହା ସାହା ହୋଇ ପିଲାଛୁଆର ବାପା ବନିବା । ଘର୍ମାକ୍ତ ହୋଇ ସଂସାର ସାଗର ମନ୍ଥନ କରିବାରେ ମୋର ବିତିଗଲାଣି ଦୁଇ ଦଶନ୍ଧି । ହେଲେ ଜୀବନର ମହକ କାଇଁ? କେଉଁ ପରି ତା ପରିପାଟୀ? ସୁଖ ଲହୁଣୀର ପତ୍ତା କାଇଁ??
ଅନ୍ୟମାନଙ୍କ ସହିତ ନିଜକୁ ସବୁବେଳେ ତୁଳନା କରି ଘରକୁ ହରଘଡ଼ି ଅଶାନ୍ତି ଡାକୁଥିବା ପତ୍ନୀର ଦୌରାତ୍ମ, ପିଲାମାନଙ୍କ ମନମୁଖୀ ବ୍ୟବହାର, ସଂସାର ଜଂଜାଳ ଭିତରେ ଅଣନିଶ୍ୱାସୀ ହୋଇଯାଉଥିବା ମୋର ଏବେ ଅନେକ ସମୟରେ ମନେ ହେଉଛି ସତରେ ବାହା ନହୋଇଥିଲେ ଭଲ ହୋଇଥାନ୍ତା । ଚଉରାଳିସ ବର୍ଷରେ ବୁଢ଼ାବୁଢ଼ା ଲାଗୁଛି । ସକାଳୁ ଏପଟ ସେପଟ ହୋଇ ଧଇଁ ସଇଁ ହୋଇ ଅଫିସ୍ରେ ପହଞ୍ଚôବା ପରେ ଗୋଟେ ପ୍ରଚଣ୍ଡ ପରିଶ୍ରମ କରି ଆସିବା ପରେ ହାଇ ପରେ ହାଇ ପେଲୁଛି । କାମ ଦାମରେ ମନ ଲାଗୁନାଇଁ ଜମା, ଉପରିସ୍ଥ ହାକିମଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ । ସତେକି କ୍ଲାନ୍ତ, ଆଘାତ ପ୍ରାପ୍ତ ସୈନିକ ଜଣେ ଯୁଦ୍ଧକ୍ଷେତ୍ରରୁ ସାମୟିକ ବିରତି ନେଇ ବିଶ୍ରାମ ଟିକେ ନେବାକୁ ବ୍ୟଗ୍ର ହୋଇ ପଡ଼ି ଏଣେ ତେଣେ ନିରାପଦ ଆଶ୍ରୟ ଟିକେ ଖୋଜୁଛି!!
ଅଥଚ ଆଶ୍ରୟ ଟିକକ କୋଉଠୁ ମିଳେ? ଘରୁ ନା ଅଫିସରୁ?
ସୁଖ କୋଉଠୁ ମିଳେ? ସଂସାରରୁ ନା ବୈରାଗ୍ୟରୁ?
ଶାନ୍ତି କୋଉଠୁ ଆସେ? ଘୋ ଘୋରୁ, କୋଳାହଳରୁ, ନା ନିର୍ଜନତାରୁ?
ବେଳେବେଳେ ପ୍ରଚଣ୍ଡ ଇଚ୍ଛା ହୁଏ ସବୁ କିଛି ଛାଡ଼ିଛୁଡ଼ି କୁଆଡ଼େ ନାଇଁ କୁଆଡ଼େ ପଳାଇଯିବାକୁ । ଘରଦ୍ୱାର, ଚାକିରୀ, ସ୍ତ୍ରୀପିଲା, ମା, ଧନ, ଦୌଲତ୍ ସବୁ ଲାଗେ ଭାରି ତୁଛ ତୁଛ । ମନ ବୈକୁଲ୍ୟ ହୁଏ । ଜୀବନ ପ୍ରତି ମମତା ବୋଧ ଲାଗେ ଗୋଟେ ପ୍ରହସନ ପରି । ସେଭଳି ମୁହୂର୍ତ୍ତମାନଙ୍କରେ ଜୀବନକୁ ଆବର୍ଜ୍ଜନା ଭର୍ତ୍ତି ପଲିଥିନ୍ ଜରିଟିଏ ଭଳି ଫିଙ୍ଗିଦେବାକୁ ଇଚ୍ଛାହୁଏ । ପୁଣି ଥରେ ଜନ୍ମ ହୋଇ ନୂଆକରି ଜୀବନକୁ ଗଢ଼ିବାକୁ ମନବଳେ, ବିଲ୍କୁଲ୍ ସଂସାରୀ ଜୀବନଟିଏ, ଯାହା ଏବେ ଦେବୀଦତ୍ତ ବଞ୍ଚୁଛି ।
ଦେବୀଦତ୍ତ ସୁଖୀଟିଏ । ସତରେ ସୁଖୀଟିଏ ।
ବେଳେବେଳେ ଭାରି ଲଜ୍ଜାଲାଗେ । ଯେଉଁ ଭଳି ଭାବରେ ଦେବୀଦତ୍ତକୁ ମୁଁ ବାହା ହେବାକୁ ପରାମର୍ଶ ଦେଉଥିଲି, ସେ କଥା ମନେପଡ଼ିଲେ ଲଜ୍ଜାଲାଗେ । ବାହା ହୋଇ ସଂସାର କରିବାରେ ଯାବତୀୟ ଭଲ ଦିଗଗୁଡ଼ିକ ବେଶ୍ ଚତୁରତାର ସହ ଜଣେ ବିଶେଷଜ୍ଞ ପରି ତା ଆଗରେ ମୁଁ ବଖାଣିଛି ଅନେକ ଥର । ସତେ କି ସେ ନିର୍ବୋଧଟିଏ, ମୁଁ ତାକୁ ନୀତିଶିକ୍ଷା ଦେଉଛି! ସତେ କି ସେ ମୂର୍ଖଟାଏ ମୁଁ ତାକୁ ଜ୍ଞାନ ଦାନ କରୁଛି!! ସତେକି ସେ ଶିଷ୍ୟଟିଏ, ମୁଁ ତାକୁ ହିତୋପଦେଶ ଦେଉଛି!!!
ମୋର ବର୍ତ୍ତମାନର ଏ ବିକଳ ସ୍ଥିତି ଦେବୀଦତ୍ତ ଜାଣି ପାରୁଥିବ କି? ଯଦି ଜାଣି ପାରୁଥାଏ, ସେ କଣ ହସୁଥିବ! ମନ ଦୁଃଖ କରୁଥିବ ନା ମୋ ପାଇଁ ଦରଦୀ ହୋଇ ପଡ଼ି ଆହା ଚୁ ଚୁ କିମ୍ବା ହାୟ ହାୟ କରୁଥିବ! ଖାସ୍ ଏଇଥିପାଇଁ ତାକୁ ସାମ୍ନା କରିବାର ମାନସିକତା ଟିକକ ମୁଁ ସଞ୍ଚୟ କରିପାରୁନଥିଲି, ଯଦିଓ ତାକୁ ଦେଖା କରିବାକୁ ମୋର ପ୍ରଚୁର ଇଚ୍ଛାଥିଲା । ତା ଜୀବନ ବଞ୍ଚିବାର ଶୈଳୀ ପ୍ରତି ମୋର ଦୁନିର୍ବାର ଆକର୍ଷଣ ଆସିଯାଇଥିଲା ।
ଅଥଚ ଆଜି ଦିନ ସାଢ଼େ ଦଶଟା ସୁଦ୍ଧା ଅଫିସ୍ରେ ପହଞ୍ଚୁ ପହଞ୍ଚୁ ମୋ ପାଇଁ ଦୁଃଖଦ ଟେଲିଫୋନ ସମ୍ବାଦ ଟିଏ ଅପେକ୍ଷା କରି ରହିଥିଲା । ଦେବୀଦତ୍ତ ରହୁଥିବା କଲୋନୀରୁ ପୋଲିସ୍ ମତେ ଫୋନରେ ଦେବୀଦତ୍ତର ମୃତୁ୍ୟ ଖବର ଶୁଣାଇବା ସଙ୍ଗେ ସଙ୍ଗେ ଶୀଘ୍ର ଆସିବାକୁ ଅନୁରୋଧ କଲେ ।
ପ୍ରଚଣ୍ଡ ଧକ୍କାଟିଏ ସମ୍ଭାଳିବାକୁ ଚେଷ୍ଟା କରି ଘଣ୍ଟାଏ ଭିତରେ ଦେବୀଦତ୍ତର କ୍ୱାର୍ଟରରେ ପହଁଚିଲି, ଜଣେ ସହକର୍ମୀଙ୍କୁ ସାଙ୍ଗରେ ଧରି । ଉତ୍କଟ ଏକ ଗନ୍ଧରେ ଫାଟିପଡୁଥିଲା ନାକ । ଦେବୀଦତ୍ତର ଶରୀର ସଢ଼ିଯାଇ ବୋହିଯିବାକୁ ବସିଲାଣି ।
ମୁଁ ଅନାଇ ପାରିଲି ନାହିଁ ତା’ ଆଡ଼େ
‘ନିଶ୍ଚିତ ଭାବରେ ଏହା ଏକ ଆତ୍ମହତ୍ୟା କେଶ୍ ।’ ପାଖରେ ପଡ଼ିଥିବା ଏକ ଉକôଟ ନିଃଶେଷ ବିଷ ବୋତଲ ଆଡ଼କୁ ହାତ ବଢ଼ାଇ କହୁଥିଲେ ପୋଲିସ ଇନିସ୍ପେକ୍ଟର । ମୋ ଉପରେ ଆଖିପଡ଼ିବା ମାତ୍ରେ ଜିଜ୍ଞାସା କଲେ- “ଆପଣ?”
‘ମହେନ୍ଦ୍ର ବିଶ୍ୱାଳ” ।- ମୁଁ ଜବାବ୍ ଦେଲି
ଓଃ… ଅଫିସର ହାତରେ ଧରିଥିବା ଡାଏରୀଟିକୁ ବଢ଼ାଇ ଦେଲେ ମୋ ଆଡ଼କୁ ।
ଥର ଥର ହାତରେ ମୁଁ ଡାଏରୀର ପ୍ରଥମ ପୃଷ୍ଠା ଖୋଲିଲି- “ପ୍ରିୟ ବନ୍ଧୁ ମହେନ୍ଦ୍ର, ତୋତେ ଛାଡ଼ି ଦେଲ ମୋର ନିଜର ବୋଲି ଏ ପୃଥିବୀରେ କେହି ନାହିଁ । ଅତଏବ, ମୋ ଲାସ୍ ଉପରେ ଅଧିକାର କେବଳ ତୋର” ।
ମୋ ଆଖିରେ ଲୁହ ଟଳମଳ ହୋଇ ଅକ୍ଷର ଗୁଡ଼ାକ ଅସ୍ପଷ୍ଟ ଦେଖାଯାଉଥିଲା ।
ଦ୍ୱିତୀୟ ପୃଷ୍ଠା ଖୋଲିଲି । “ ଏତେ ବିଶାଳ ଏ ପୃଥିବୀରେ ଏକା ଏକା ବଞ୍ଚି ହେଲାନିରେ ମହେନ୍ଦ୍ର । କୋଳାହଳମୟ ଏ ସଂସାର ଭିତରେ ନିର୍ଜ୍ଜନତାର ଚାଦର ଘୋଡ଼ି ହୋଇ ବଞ୍ଚିବା ଏଡ଼େ କଷ୍ଟ, ଜାଣି ନଥିଲି । ନୀରବତାର ବିକଟ ଶବ୍ଦ, ଉତ୍କଟ ଯନ୍ତ୍ରଣା ସହି ହେଲା ନାହିଁ ବୋଲି ଯାଉଛି । ଅତୀତରେ ତୋ ମନରେ ଅନେକ କଷ୍ଟ ଦେଇଛି । ପାରୁ ଯଦି ଭୁଲି ଯିବାକୁ ଚେଷ୍ଟା କରିବୁ… ।
ମୋ ଆଖି ସମ୍ପୂର୍ଣ୍ଣ କବଳିତ ହୋଇ ସାରିଥିଲା ଲୁହ ଦ୍ୱାରା । ଦେବୀଦତ୍ତ ତା ଚାକର ବୁଢ଼ାକୁ ଦୁଇମାସ ପୂର୍ବରୁ ଛୁଟି ଦେଇଥିଲା । କେଜାଣି ବୁଢ଼ାଟା ଥିଲେ ଅନ୍ତତଃ ଏପରି ଅଘଟଣା ହୁଏତ ଘଟିନଥାନ୍ତା!
ଲାସ ପୋଷ୍ଟମର୍ଟମ୍ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଲାସ୍କୁ ପୋଲିସ ମତେ ହସ୍ତାନ୍ତର କଲା ।
ସ୍ୱର୍ଗଦ୍ୱାରରେ ଦେବୀଦତ୍ତ ଶେଷକୃତ୍ୟ ସମାପନ କରି ଘରକୁ ଫେରୁ ଫେରୁ ଅନେକ ରାତି ହୋଇଯାଇଥିଲା । ଘରକୁ ଟେଲିଫୋନ କରି ଆଗରୁ ଏ ବିଷୟ ଜଣାଇ ଦେଇଥିଲି । ଗୋଟେ ଗୁମ୍ସୁମ୍ ସନ୍ନାଟା ଛାଇ ଯାଇଥିଲା ଆମ ଘରେ । ରୋଷେଇ ବାସ ହୋଇନଥିଲା । ପିଲାମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ମୋ ବାଟକୁ ଅନାଇ ବସିଥିଲେ ।ମତେ ଦେଖି ସେମାନଙ୍କ ଦେହରେ ଜୀବନ ପଶିଲା ।
ଦୁଃଖ ସହିତ ପ୍ରଚଣ୍ଡ କ୍ଲାନ୍ତି ଯୋଗୁଁ ଦେହ ପ୍ରବଳ ଅବଶ ଲାଗୁଥିଲା । ବୋଉ, ଅଳକା ଓ ପିଲାମାନେ ଗୋଟିଏ ଘରେ ତଳେ ଶୋଇଗଲେ । ଖଟ ଉପରେ ମୁଁ ଛଟପଟ ହେଉଥିଲି । ମୂର୍ଚ୍ଛାଳିଆ ଭାବଟେ ମତେ କଲବଲ କରୁଥିଲା ।
ତଳେ ଶୋଇଥିବା ମୋ ସଂସାରକୁ ଚାହିଁଲି । ତତ୍କ୍ଷଣାତ୍ ଗୋଟେ ସ୍ନେହ ପ୍ରବଣ ଆବେଗରେ ସେମାନଙ୍କୁ କୁଣ୍ଢେଇ ପକାଇବାକୁ ମୋର ଇଚ୍ଛା ହେଉଥିଲା ।