ଶ୍ରୀଜୀବ ମଧ୍ୟ ଦେଖିଲେ ପ୍ରକୃତରେ ବ୍ରଜରାଜର ଚିହ୍ନ କୃଷ୍ଣ ଦାସଙ୍କ କପାଳରେ ଲାଗି ରହିଛି ବିନ୍ଦୁ ବିନ୍ଦୁ ଆଙ୍କି ଦେଲା ପରି । ଶ୍ରୀଜୀବଙ୍କର ପୁଲକର ସୀମା ରହିଲା ନାହିଁ । ସେ କୃଷ୍ଣ ଦାସଙ୍କୁ କୁଣ୍ଢାଇ ଧରି ଆନନ୍ଦରେ ଅଧିର ହୋଇପଡିଲେ । କହିଲେ, “ତୁମେ ଏବେ ତ ଦୁଃଖ ସାଗର ପାରି ହୋଇ ଗଲ କୃଷ୍ଣ ଦାସ । ଆଉ ତୁମେ ଦାସ ହୋଇ ରହିଲ ନାହିଁ । ଶ୍ୟାମ ପ୍ରେମ ଆନନ୍ଦରେ ପ୍ଲାବିତ ହୋଇସାରିଛି । ଏଣୁ ତୁମର ନାମ ଆଜିଠାରୁ ହେଉ ଗୋସ୍ୱାମୀ ଶ୍ୟାମାନନ୍ଦ ।”
ସାରା ଭାରତରେ ଯେତେବେଳେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପ୍ରେମରସ ପ୍ଲାବିତ କରୁଥାଏ ଭକ୍ତି ଚେତନାକୁ ସେତେବେଳେ ଓଡ଼ିଶାର ଧାରେନ୍ଧା-ବାହାଦୂର ପୁରରେ ଜନ୍ମ ନେଲେ ରାଗାନୁଗା ଭକ୍ତିର ଜଣେ ମହା ପ୍ରବର୍ତ୍ତକ । ପରବର୍ତ୍ତୀ କାଳରେ ଯିଏ ଗୋସ୍ୱାମୀ ଶ୍ୟାମାନନ୍ଦ ନାମରେ ଖ୍ୟାତ ହୋଇଥିଲେ ।
ଦୁଃଖିରାମଙ୍କର ବାଲ୍ୟକାଳ ଉତ୍ତାରେ ତାଙ୍କୁ ପାଠଶାଳାରେ ଭର୍ତ୍ତି କରାଯାଏ । ଶିଶୁ ସୁଲଭ ଚପଳତାଠାରୁ ବହୁ ଊଦ୍ଧ୍ୱର୍ରେ ଅଦ୍ଭୁତ ମେଧାଶକ୍ତି, ବିଚାର ବୋଧ ଓ ଅସାମାନ୍ୟ ପ୍ରତିଭାର ପରାକାଷ୍ଠା ଦେଖାଇ ଦୁଃଖିରାମ ଗୁରୁମାନଙ୍କୁ ହତଭମ୍ବ କରିଦିଅନ୍ତି । ବିଦ୍ୟା ପଠନକୁ ଆୟତ୍ତ କରି ସାରି ଶିଶୁଟି ଜଟିଳ ଧର୍ମଶାସ୍ତ୍ର ମଧ୍ୟରେ ଅକ୍ଲେଶରେ ଆତ୍ମସ୍ଥ ହେବାରେ ସମର୍ଥ ହେଉଥିଲେ । କ୍ରମେ ସେ ଯୌବନରେ ପଦାର୍ପଣ କଲେ ଓ ମନରେ ତାଙ୍କର ଉଦ୍ରେକ ହେଲା ପ୍ରଚଣ୍ଡ ବୈରାଗ୍ୟ । ଜାଗତିକ ସଂସାରର ଲୋଭ, ମୋହ, ଆସକ୍ତିଠାରୁ ବହୁ ଊଦ୍ଧ୍ୱର୍ରେ ରହି ସେହି ବୟସରେ ମଧ୍ୟ ସେ କାଟିବାକୁ ଲାଗିଲେ ଏକ ନିର୍ଲିପ୍ତ ସନ୍ୟାସୀର ଜୀବନ । ପିତାମାତାଙ୍କର ଚିନ୍ତାର ସୀମା ନାହିଁ । ପୁତ୍ର ତାଙ୍କର କୁଳର ଏକମାତ୍ର ପ୍ରଦୀପ । ସେ କ’ଣ ବଂଶ ରକ୍ଷା କରିବ ନାହିଁ? ଅନ୍ୟମାନଙ୍କ ପରି ନିଜର ସଂସାର ଗଢ଼ିବ ନାହିଁ? ତାଙ୍କର ସ୍ୱପ୍ନ ସାର୍ଥକ କରିବ ନାହିଁ?
ଏ ପ୍ରଶ୍ନ ସବୁର ଉତ୍ତର ଆପେ ଆପେ ମିଳିଗଲା ଯେଉଁଦିନ ଦୁଃଖିରାମ ନିଜ ପିତା-ମାତାଙ୍କୁ ନିଜ ବୈରାଗ୍ୟ ଜଣାଇ କହିଲେ- “ମୋର ମନ ଏ ସଂସାରରେ ଲାଗୁନାହିଁ । ଭଗବତ୍ ପ୍ରାପ୍ତିବିନା ମୋ ଜୀବନ ମତେ ବିଷପରି ବୋଧ ହେଉଛି । ଆଜି ମତେ ଏ ସଂସାର ଛାଡ଼ି ଯିବାକୁ ଅନୁମତି ଦିଅ । ପିତାମାତାଙ୍କ ଉପରେ ଯେପରି ବଜ୍ର ଭାଙ୍ଗିପଡିଲା! କୁମାର ବାଳକଟି ମୁହଁରେ ଏ ଅଲକ୍ଷଣା କଥା! କିଏ ଶିଖାଇଲା? ସଂସାର ତ୍ୟାଗୀ ହେବ? ପିତା-ମାତା ଅନେକ କାନ୍ଦିଲେ । ପୁତ୍ରକୁ ବୁଝାଇ ମନ ପରିବର୍ତ୍ତନ ପାଇଁ ଆକୁଳ ପ୍ରୟାସ କଲେ । ମାତ୍ର ବୃଥା! ଯିଏ ଭକ୍ତି ଓ ପ୍ରେମର ମହାସିନ୍ଧୁ ହୋଇ ପ୍ରବାହିତ ହୋଇଯିବାକୁ ଆସିଛି ତାକୁ କିଏ ସଂସାରିକ ବନ୍ଧ ବାନ୍ଧି ଆବଦ୍ଧି ପାରିବ?
ଦୁଃଖିରାମ ସଂସାର ତ୍ୟାଗୀ ହେଲେ । ଓଡ଼ିଶାର ସେଇ ସୁଦୂର ପଲ୍ଲୀରୁ ସହସ୍ର ଯୋଜନ ଅତିକ୍ରମ କରି ଆସି ପହଞ୍ଚିଲେ ବଙ୍ଗ ଦେଶର ବର୍ଦ୍ଧମାନ ଜିଲ୍ଲାରେ । ସେଠାକାର ଅମ୍ବିକା-କାଲନଠାରେ ମହା ବୈଷ୍ଣବୀ ଗୌରୀ ଦାସଙ୍କ ମଠରେ ଭକ୍ତ ଶିରୋମଣୀ ହୃଦୟ ଚୈତନ୍ୟ ନିତ୍ୟ କୀର୍ତ୍ତନ କରି ଅଗଣିତ ଭକ୍ତ ପିପାସୁ ପ୍ରାଣର ତୃଷ୍ଣା ମେଣ୍ଟାଉଥାନ୍ତି । ଦୁଃଖିରାମ ଅନ୍ତରର ନିଦେ୍ର୍ଦଶକ୍ରମେ ସେହି ମଠରେ ଆସି ପହଞ୍ଚିଲେ । ପ୍ରେମରସରେ ରସାଣିତ ଆଶ୍ରମ ଭକ୍ତମାନେ ଆନନ୍ଦ ଅଧିର ଚିତ୍ତରେ ନାମ ସଂକୀର୍ତ୍ତନରେ ଆତ୍ମ ବିଭୋର । ଦୁଃଖିରାମଙ୍କ ହୃଦୟରୁ ପ୍ରେମ ବାରି ଝରି ତାଙ୍କର ଦୁଇ ନୟନକୁ ସିକ୍ତ କରି ଝରି ଚାଲିଛି ଅବାରିତ । ହୃଦୟ ଚୈତନ୍ୟଙ୍କ ଦୃଷ୍ଟି ପଡ଼ନ୍ତେ ବାଳକଟି କିଏ ବୋଲି ସେ ଦୁଃଖିରାମଙ୍କୁ ପାଖକୁ ଡକାଇ ସବୁକଥା ପଚାରି ବୁଝିଲେ । ଦୁଃଖିରାମ ଆକୁଳ ହୃଦୟରେ କହିଗଲେ ସବୁକଥା । ସେ ଯେ ମନେ ମନେ ହୃଦୟ ଚୈତନ୍ୟଙ୍କୁ ନିଜର ଦୀକ୍ଷାଗୁରୁ କରି ସାରିଛନ୍ତି ସେ କଥା ମଧ୍ୟ ପ୍ରକାଶ କଲେ । ଚୈତନ୍ୟ କିଶୋର ବାଳକଟିର ଭକ୍ତି ନିଷ୍ଠା ପ୍ରେମ ଦେଖି ଚମତ୍କୃତ ହେଲେ ଓ ବିନା ଆପତ୍ତିରେ ସେହି ମୁହୂର୍ତ୍ତରେ ତାଙ୍କୁ ଶିଷ୍ୟତ୍ୱ ପ୍ରଦାନ କରି ଆଶ୍ରମରେ ରହିବା ନିମନ୍ତେ ଅନୁମତି ଦେଲେ । ସେହିଦିନଠାରୁ ସେ ଦୁଃଖିରାମଙ୍କ ନାମକରଣ କଲେ ‘ଦୁଃଖିକୃଷ୍ଣ ଦାସ ।’ କାରଣ ସେ ଯେ କୃଷ୍ଣ ପ୍ରେମରେ ଦୁଃଖି, କୃଷ୍ଣ ଅପ୍ରାପ୍ତିରେ ଦୁଃଖି, କୃଷ୍ଣ ବିରହରେ ଦୁଃଖି! କାହିଁ କେଉଁ ଜନ୍ମରୁ ସମର୍ପିତ ପ୍ରାଣ ତାଙ୍କର ଦାସ୍ୟ ପଣରେ, ପ୍ରେମୀ ପଣରେ ଖୋଜୁଛି ତା’ର ପ୍ରେମୀକ ପ୍ରଭୁଙ୍କୁ!!
ଆଶ୍ରମରେ ମହାନନ୍ଦରେ ରହିଲେ ଦୁଃଖି କୃଷ୍ଣଦାସ । ନୈମିତ୍ତିକ କାମ ହେଲା ହୃଦୟ ଚୈତନ୍ୟଙ୍କ ଆରାଧ୍ୟ ଗୌରାଙ୍ଗ ବିଗ୍ରହଙ୍କର ପୂଜା । ପ୍ରାଣର ସମସ୍ତ ନିଷ୍ଠାପର ଭକ୍ତିକୁ ପୂଜାର ଉପଚାର କରି ସେ ନିବେଦନ କରିଦିଅନ୍ତି ଗୌରାଙ୍ଗର ଚରଣରେ । ଗୁରୁଦତ୍ତ ଏହି ସୌଭାଗ୍ୟ ଲାଗି ନିଜକୁ ଭାଗ୍ୟବାନ ମଣନ୍ତି । ବିଗ୍ରହଙ୍କର ସ୍ନାନ ନିମନ୍ତେ ପ୍ରତ୍ୟହ ଗଙ୍ଗାନଦୀରୁ ଏକ ବୃହଦାକାର ଘଟରେ ଗଙ୍ଗାଜଳ ଆଣିବାକୁ ହୁଏ କୃଷ୍ଣ ଦାସଙ୍କୁ । ଏହିପରି ମୁଣ୍ଡରେ ପ୍ରତ୍ୟହ ଭାର ବୋହିବା ହେତୁ କୃଷ୍ଣଦାସଙ୍କ ମୁଣ୍ଡରେ ଏକ ଦୁରାରୋଗ୍ୟ ଘା’ ହେଲା । ମାତ୍ର ସେ ଏ ବିଷୟରେ ନିଜେ ଧ୍ୟାନ ଦେଉନଥାନ୍ତି କି ଗୁରୁଙ୍କୁ ମଧ୍ୟ ଜଣାଇ ନଥାନ୍ତି । ଦିନେ ହୃଦୟ ଚୈତନ୍ୟ ସ୍ନାନ ସାରି ଆସି କୃଷ୍ଣଦାସଙ୍କର ଭୂମିଷ୍ଠ ପ୍ରଣାମର ପ୍ରତୁ୍ୟତ୍ତରରେ ତାଙ୍କ ମସ୍ତକ ଉପରେ ହାତ ରଖି ଆଶୀର୍ବାଦ କରିବାକୁ ଯାଇ ଘା’ଟି ଦେଖି ଭୟଭୀତ ହୋଇଗଲେ । ସେଦିନ ସେ କୃଷ୍ଣଦାସଙ୍କର ଭକ୍ତି ନିଷ୍ଠାର ଗଭୀରତା ମନେ ମନେ ମାପିନେଲେ । ଭାବ ଗଦ୍ଗଦ୍ ଗୁରୁ କୃଷ୍ଣ ଦାସଙ୍କୁ ଛାତିରେ ଜଡ଼ାଇ ଧରି କହିଲେ “ତୁମେ ବୃନ୍ଦାବନ ଚାଲିଯାଅ, ସେଠାରେ ପ୍ରଭୁଙ୍କର ଅପାର ପ୍ରେମସୁଧା ତୁମକୁ ପ୍ରାପ୍ତି ହେବ । ତୁମ ଲାଗି ପ୍ରେମ ଯୋଗ ସାଧନର ମଧୁମୟ ପଥ ଉନ୍ମୁକ୍ତ ହୋଇ ରହିଛି ।” କୃଷ୍ଣଦାସ ଅପ୍ରତ୍ୟାଶିତ ଭାବେ ଏ ପ୍ରକାର ଆଦେଶରେ ବିଚଳିତ ହୋଇ ଉଠିଲେ । ସେ ହୃଦୟ ଚୈତନ୍ୟଙ୍କ ସାନ୍ନିଧ୍ୟ ଓ ସ୍ନେହରୁ ନିଜକୁ ବଞ୍ଚିତ କରିବାକୁ ଚାହୁଁନଥିଲେ । ଏଣୁ ଆକୁଳ ହୋଇ ଗୁରୁଙ୍କୁ ଏପରି ଆଦେଶ ନଦେବାକୁ ପ୍ରାର୍ଥନା କଲେ । ମାତ୍ର ଗୁଣି ଯେ ଥରେ ଗୁଣିଆ ଚିହ୍ନି ସାରିଚି- ସେ କି ସାଧନା ବିଦ୍ୟା ପ୍ରୟୋଗ ନକରି ଛାଡ଼େ ।
ଶେଷରେ ଦୁଃଖି କୃଷ୍ଣଦାସ ଗୁରୁଙ୍କ ଆଜ୍ଞାନୁସାରେ ଅମ୍ବିକା-କାଲନ ତ୍ୟାଗ କରି ବୃନ୍ଦାବନ ଉଦେ୍ଦଶ୍ୟରେ ଯାତ୍ରା ଆରମ୍ଭ କଲେ । ସେଠାରେ ପହଞ୍ଚି ଗୁରୁଙ୍କ ଆଦେଶ ମତେ ବ୍ରଜମଣ୍ଡଳର ଅଧିକାରୀ ଶ୍ରୀ ଜୀବଗୋସ୍ୱାମୀଙ୍କ ଆଶ୍ରମକୁ ଗଲେ । ଶ୍ରୀ ଜୀବଗୋସ୍ୱାମୀ ସେତେବେଳେ ଗୌଡ଼ୀୟ ବୈଷ୍ଣବ ଧର୍ମର ଜଣେ ମୁଖ୍ୟ ପ୍ରବର୍ତ୍ତକ ହୋଇଗଲେଣି । ବୃନ୍ଦାବନ ଧାମ ତାଙ୍କରି ଭଜନ କୀର୍ତ୍ତନ ପ୍ରେମ ସୁଧାରେ ପୁଲକିତ ହେଉଥାଏ । ତାଙ୍କରି ଆଶ୍ରମକୁ ପ୍ରାଣବିନ୍ଦୁ କରି ଚତୁର୍ଦ୍ଦିଗରେ ପ୍ରତିଷ୍ଠିତ ହେଉଥାଏ ଅସଂଖ୍ୟ ବୈଷ୍ଣବ ମଠ । ଦୁଃଖି କୃଷ୍ଣଦାସ ସଙ୍ଗରେ ନେଇଥାଆନ୍ତି ଗୁରୁଙ୍କର ଏକ ଆଜ୍ଞାପତ୍ର । ତହିଁରେ ହୃଦୟ ଚୈତନ୍ୟ ଅନୁରୋଧ କରିଥାଆନ୍ତି ଶ୍ରୀ ଜୀବ ଗୋସ୍ୱାମୀ ମହାତ୍ମାଙ୍କୁ ଗୌଡ଼ୀୟ ବୈଷ୍ଣବ ଶାସ୍ତ୍ର ଜ୍ଞାନ ପ୍ରଦାନ କରିବା ପାଇଁ । ଏ ପତ୍ର ପାଠ କରିବା ପୂର୍ବରୁ ହିଁ କୃଷ୍ଣଦାସଙ୍କ ମୁଖମଣ୍ଡଳକୁ ଚାହିଁଦେଇ ସମ୍ମୋହିତ ହୋଇଗଲେ ଶ୍ରୀ ଜୀବଗୋସ୍ୱାମୀ । କୃଷ୍ଣ ଦାସଙ୍କ ମୁଖମଣ୍ଡଳରୁ ଉତ୍ତୁରି ପଡୁଥିବା ରାଗାନୂଗା ପ୍ରେମଭକ୍ତିର ଭାବକୁ ସେ ବେଶ୍ ଦେଖି ଅନୁଭବି ପାରିଥିଲେ । ତା’ ଉପରେ ପୁଣି ସେହି ପତ୍ରଟି ପଢ଼ି ଶ୍ରୀ ଜୀବଗୋସ୍ୱାମୀ ସ୍ୱୟଂ ହିଁ କୃଷ୍ଣ ଦାସଙ୍କୁ ଶିଷ୍ୟତ୍ୱ ପ୍ରଦାନ କଲେ ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷା ଦେଲେ ବୈଷ୍ଣବ ଶାସ୍ତ୍ର । ପ୍ରେମ, ନିଷ୍ଠା ଓ ଐକାନ୍ତିକ ଆତ୍ମସମର୍ପଣ ଭାବରେ କୃଷ୍ଣ ଦାସ ଶିକ୍ଷା ଗ୍ରହଣ କରି ନିଜର ପ୍ରତିଭାର ଦୀପ୍ତିରେ ଉଦ୍ଭାସିତ କରି ଦେଲେ ସମଗ୍ର ବୈଷ୍ଣବ ସମ୍ପ୍ରଦାୟ ଓ ବିଶେଷ ଭାବେ ବ୍ରଜମଣ୍ଡଳ ।
ଜ୍ଞାନ ଓ ଭକ୍ତି ପ୍ରସୂତ ନିଜର ଭାବକୁ କୃଷ୍ଣଦାସ ଗୁରୁଙ୍କ ଅନୁମତି କ୍ରମେ ଲିପିବଦ୍ଧ କଲେ । ସେହି ପାଣ୍ଡୁଲିପି “ଚୈତନ୍ୟ ଚରିତାମୃତ” ନାମରେ ଖ୍ୟାତ ହେଲା । ବଙ୍ଗଦେଶ ଓ ଓଡ଼ିଶାର ବୈଷ୍ଣବ ସମ୍ପ୍ରଦାୟ ମଧ୍ୟରେ ଏହି ପୁସ୍ତକଟି ଏକ ପ୍ରଧାନ ଧର୍ମଗ୍ରନ୍ଥ ଭାବେ ଗୃହୀତ ହୋଇଗଲା ।
ଶ୍ରୀଜୀବଙ୍କ ଆଶ୍ରମରେ ସାଧନାରତ ଥିଲା ବେଳେ କୃଷ୍ଣଦାସଙ୍କ ଜୀବନରେ ଆସିଥିଲା ଏକ ମହାର୍ଘ ମୁହୂର୍ତ୍ତ-ଯାହା ପାଇଁ ସେ ଜୀବନ ସାରା ହିଁ ଆକୁଳ ପ୍ରତୀକ୍ଷା କରିଆସିଥିଲେ । ପୁସ୍ତକ ରଚନା, ଶାସ୍ତ୍ର ପଠନ, କୀର୍ତ୍ତନ ଓ ଭକ୍ତ ମଣ୍ଡଳୀର ଆଲୋଚନା ପରେ କୃଷ୍ଣ ଦାସ ବୃନ୍ଦାବନର ନିକୁଞ୍ଜ ମନ୍ଦିରରେ ପ୍ରତ୍ୟହ ସେବା କରିବାରେ ହେଳା କରୁନଥିଲେ । ପ୍ରତୁ୍ୟଷରୁ ମନ୍ଦିର ପ୍ରାଙ୍ଗଣରେ ଝାଡ଼ୁ କରିବା ଥିଲା ତାଙ୍କର ନୈମିତ୍ତିକ କାର୍ଯ୍ୟ । ମନ ମଧ୍ୟରେ ଥାଏ ଗୋଟିଏ ଅଭିଳାଷ-କୃଷ୍ଣପ୍ରାଣ ବଲ୍ଲରୀ ରାଧାରାଣୀଙ୍କର ଥରେ ମାତ୍ର ଦର୍ଶନ କରି ଜୀବନ ଧନ୍ୟ କରିବେ । ପ୍ରତ୍ୟେକ ମୁହୂର୍ତ୍ତରେ ଆଶାର କ୍ଷୀଣ ଦୀପାଳିଟିଏ ହୃଦୟରେ ଜଳି ଉଠୁଥାଏ । ଦିନ, ମାସ, ବର୍ଷ ଗଡି ଚାଲିଥାଏ । ସେ ଦୀପାଳି ସେହିପରି ଅଖଣ୍ଡ ଜଳୁଥାଏ ହୃଦୟରେ । କୌଣସି ନାଁ କୌଣସି ଦିନ ସେ ଇପ୍ସିତ ଚିରବାଞ୍ଛିତ ମୁହୂର୍ତ୍ତଟି ଆସିଯିବ ପରା! କୃଷ୍ଣ ଦାସଙ୍କ ମାନଶ୍ଚକ୍ଷୁରେ ଉଦ୍ଭାସିତ ହୋଇ ଉଠେ ସେ ଅଖଣ୍ଡ ମାଧୁର୍ଯ୍ୟ ରୂପ, ଅପ୍ରାକୃତ ପ୍ରେମମୂର୍ତ୍ତି ଦିଶିଯାଏ । ଶ୍ରୀରାଧାଙ୍କର ଅପଲକ ରଞ୍ଜିତ ଦୁଇ ନୂପୁର ଶୋଭିତ ପାଦ କୃଷ୍ଣଦାସ ଦୁଇ ହାତରେ ଚାପି ଧରନ୍ତି ନିଜ ବକ୍ଷଦେଶରେ । ଯେପରି ସେଠାରେ, ଥାପି ଦେଇଥିଲେ ପ୍ରେମମୟୀ ଭକ୍ତର ମନବୁଝି! ପର ମୁହୂର୍ତ୍ତରେ ଶୂନ୍ୟ ମୁଠା ଫିଟାଇ ଦେଖନ୍ତି କିଛି ନାହିଁ । ଆକୁଳ ଶୋକାଚ୍ଛ୍ୱାସରେ ଫାଟି ପଡ଼ନ୍ତି ।
ସେଦିନ ରାତ୍ରିର ଶେଷ ପ୍ରହରକୁ ନିଦ୍ରାଛାଡ଼ି ଉଠିଲେ କୃଷ୍ଣଦାସ । ଶୁକ୍ଲପକ୍ଷ ଜ୍ୟୋତ୍ସ୍ନାର ଆଲୋକରେ ମନ୍ଦିର ପ୍ରାଙ୍ଗଣ ଉଜ୍ଜଳି ଉଠୁଛି । ବକୁଳ, କଦମ୍ବ, ମଧୁମାଳତୀ ଫୁଲର ଗନ୍ଧରେ ମହକି ଉଠୁଛି ପବନ । କୃଷ୍ଣ ଦାସ ହାତରେ ଖଡିକା ଝାଡୁଟି ନେଇ ପ୍ରାଙ୍ଗଣ ଭିତରକୁ ଆଗେଇ ଯାଉଛନ୍ତି, ହଠାତ୍ ତାଙ୍କର ନଜର ପଡିଲା ପ୍ରାଙ୍ଗଣର ଗୋଟିଏ କୋଣରେ କିଛି ଗୋଟିଏ ପଦାର୍ଥ ଖୁବ୍ ଚିକ୍ଚିକ୍ ଦେଖାଯାଉଛି । କୌତୁହଳରେ ସେ ପାଖକୁ ଗଲେ । ଆଶ୍ଚର୍ଯ୍ୟ ହୋଇଗଲେ କୃଷ୍ଣଦାସ । ସୁବର୍ଣ୍ଣର ନୂପୁରଟିଏ! ଅଦ୍ଭୂତ ମୁଗ୍ଧକର ଶୈଳୀରେ ନିର୍ମିତ ନୂପୁରଟିକୁ ଯେତେ ଯେତେ ଦେଖୁଥାନ୍ତି ତାଙ୍କ ଶରୀରରେ ସୃଷ୍ଟି ହେଉଥାଏ ବେପଥୁ । ଏ କାହାର ନୂପୁର? ଭାବି ଦେବା କ୍ଷଣି ମନରେ ଭରି ଯାଉଥାଏ ଅଭାବିତ ପୁଲକ । କିଛିକ୍ଷଣ ଏପରି ବିହ୍ୱଳ ହୋଇ ନୂପୁରଟିକୁ ଦେଖିବା ପରେ କୃଷ୍ଣ ଦାସଙ୍କ ଦେହ ମନରେ ଜାତ ହେଲା ଅଶ୍ରୁ, କମ୍ପନ, ପୁଲକ, ପ୍ରେମ ଆବେଗର ମହାକମ୍ପନ । ଆଉ ନିଜକୁ ସମ୍ଭାଳି ରଖି ପାରିଲେ ନାହିଁ ସେ । ମନ୍ଦିର ପ୍ରାଙ୍ଗଣରେ ଉନ୍ମାଦପରି ସେ ଗଡ଼ÿିବାକୁ ଲାଗିଲେ । ମୁଖରୁ କେବଳ ନିସୃତ ହେଉଥାଏ ଶ୍ରୀରାଧା ଶ୍ରୀରାଧା ରସ ରାସେଶ୍ୱରୀ । ଶ୍ରୀ ରାଧା ଶ୍ରୀ ରାଧା କୃଷ୍ଣ ପ୍ରାଣେଶ୍ୱରୀ । ଏପରି କିଛି ସମୟ ଗତେ ତାଙ୍କର ବାହ୍ୟଚେତନା ଫେରିବାରୁ ନୂପୁରଟିକୁ ଦୁଇ ଅଞ୍ଜଳୀରେ ସଯନେô ଉଠାଇ କୃଷ୍ଣଦାସ ତାକୁ ବକ୍ଷରେ ଓ କପାଳରେ ବାର ବାର ଲଗାଇ କେବଳ ଅଶ୍ରୁପାତ କରିବାରେ ଲାଗିଲେ ।
ଏହି ସମୟରେ ସିନ୍ଦୂରା ଫାଟି ଆସିଲାଣି । ମନ୍ଦିରର ମୁଖ୍ୟ ପ୍ରାଙ୍ଗଣ ପ୍ରବେଶ ପଥରେ କୃଷ୍ଣ ଦାସ ଦେଖିଲେ ଛୋଟ ବାଳିକାଟିଏ ହସି ହସି ପ୍ରବେଶ କଲା । କୃଷ୍ଣ ଦାସଙ୍କ ସମୀପବର୍ତ୍ତୀ ହୋଇ ସେ କହିଲା, ଆପଣ ଗୋଟିଏ ସୁନାର ନୂପୁର ଏଠୁ ପାଇଛନ୍ତି କି? କୃଷ୍ଣ ଦାସ ପୁଲକପଖଳା କଣ୍ଠରେ କହିଲେ ପାଇଚି ଗୋ! ପାଇଚି ।’ ବାଳିକାଟି ବଖାଣି ବସିଲା, ‘ମୋର ସଙ୍ଗିନୀ ଗଲା ରାତିରେ ଏଠିକୁ ଆସିଥିଲା ବେଳେ ତା’ ପାଦର ନୂପୁରଟି ଏଇଠି ପକାଇ ଦେଇଛି । ସେ ରାଜକୁମାରୀତ, ଖୁବ୍ ଲଜ୍ଜାବତୀ । ଆଉ ଏତେ ସମାଗମ ଭିତରେ ମନ୍ଦିରକୁ ଆସି ନୂପୁର ଖୋଜିବାକୁ ତାଙ୍କୁ ସଙ୍କୋଚ ଲାଗୁଚି ବୋଲି ମତେ ଖୋଜିବାକୁ ପଠାଇଛି । ଦୟାକରି ସେଇଟି ଫେରାଇ ଦିଅନ୍ତୁ ।’
କୃଷ୍ଣ ଦାସ ତ ଭାବରେ ଗଦ ଗଦ । ସେ କ’ଣ ସହଜରେ ଏଡ଼େ ଅପ୍ରାପ୍ୟ ବସ୍ତୁ ହାତ ଛଡ଼ା କରିଦେବେ । ଓଲଟି କହିଲେ- ‘ହଁ ତୁମେ ଯାହା କହୁଛ ସତ ହୋଇଥିବ ଯେ, କିନ୍ତୁ ତା’ର କିଛି ପ୍ରମାଣ ଅଛି କି? ଯାହାର ଏ ନୂପୁର ତାଙ୍କୁ ମୋ ପାଖକୁ ନେଇ ଆସ । ମୁଁ ସେ ପାଦଚିହ୍ନି ଦେଇଦେବି । ତୁମକୁ ଦେବି ନାହିଁ ।’
ଏଥର ଅନନ୍ୟୋପାୟ ହୋଇ ଫେରିଗଲା ବାଳିକାଟି । କୃଷ୍ଣଦାସ ଅପେକ୍ଷା କରି ରହିଲେ, ଅଳ୍ପସମୟ ପରେ ସତକୁ ସତ ବାଳିକାଟି ଫେରିଲା ସଙ୍ଗରେ ରାଜକୁମାରୀଙ୍କୁ ଧରି । ଅଙ୍ଗରେ ତାଙ୍କର ରୂପମାଧୁର୍ଯ୍ୟର ଅପରୂପ ଛଟା । ସ୍ୱର୍ଗୀୟ ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟର ବିଭବରେ ତନୁଶ୍ରୀ ଯେପରି ଝଟକି ଉଠୁଛି । କୃଷ୍ଣ ଦାସ ବାହ୍ୟଜ୍ଞାନ ଶୂନ୍ୟ ହୋଇ ଅନାଇ ରହିଛନ୍ତି ।
ପ୍ରଥମେ ରାଜକୁମାରୀ ପ୍ରଶ୍ନ କଲେ “ମୋର ନୂପୁର?” ବୀଣାର ସୂକ୍ଷ୍ମତମ ତନ୍ତ୍ରୀରୁ ସ୍ୱରଟିଏ ଯେପରି ଝଂକୃତ ହୋଇଗଲା । ଏଥର କୃଷ୍ଣ ଦାସଙ୍କ ଉତ୍ତର ‘ନୂପୁର ତ ଅଛି-କିନ୍ତୁ ତୁମେ ନିର୍ଜ୍ଜନ ରାତି୍ରରେ ମନ୍ଦିର ପ୍ରାଙ୍ଗଣଙ୍କୁ କାହିଁକି ଆସିଥିଲ ପ୍ରଥମେ କହିବାକୁ ହେବ ।’ ପ୍ରେମଭକ୍ତ ମାଗୁଚି ତା’ର ଭଗବାନ, ତା’ର ବିଶ୍ୱାସକୁ ଉତ୍ତର । ପରଖୁଚି ଭକ୍ତିର ପରାକାଷ୍ଠା । ଏଥର ରାଜକୁମାରୀ ସାମାନ୍ୟ ହସି ଦେଲେ, ‘ଏ ଯେ ମୋର ନିକୁଞ୍ଜ ମନ୍ଦିର । ଏଠିକୁ ମୁଁ କାହିଁକି ଆସେ ତୁମେ ଜାଣନା ଯେ ପଚାରୁଛ? ଫେରାଇ ଦିଅ ମୋର ନୂପୁର । ମୁଁ ଯାଏଁ । ଏଇ ଯେ ସିନ୍ଦୁରା ଫାଟି ଆସୁଛି । ଆଉ ବିଳମ୍ବ କରନା ।’
କୃଷ୍ଣଦାସଙ୍କ ସମ୍ମୁଖରେ ଯେପରି ଫିଟି ଯାଉଛି ମାୟାର ଆବରଣ । ସମ୍ମୁଖରେ ତାଙ୍କର ରାଧା-କୃଷ୍ଣ ଉଭା ଯୁଗଳମୂର୍ତ୍ତୀ । ସେହି ମନମୋହନିଆ ରାଧା ଦାମୋଦର । ରାଇ ବିନୋଦ ବେଶ । ଦିବ୍ୟ ଭୂଷଣରେ ଝଟକି ଉଠୁଛି ତନୁଶ୍ରୀ । କୃଷ୍ଣର କୁଞ୍ଜରେ ମହୋତ୍ସବ ପ୍ରଭୁଙ୍କ ମୁହଁରେ ସେହି ବଙ୍କିମ ହସରଠାଣି । ଅଧରେ ମୂରଲୀ, ପ୍ରେମମୟୀ, ରସମୟୀ କୃଷ୍ଣପ୍ରିୟା ପ୍ରଭୁଙ୍କ କଣ୍ଠଲଗା ହୋଇ ହସି ହସି ମାଗୁଛନ୍ତି ତାଙ୍କୁ । ‘ନୂପୁର ଦିଅ । ନୂପୁର ମୋର ଦିଅ ଗୋ କୃଷ୍ଣ ଦାସ । ‘ମୃଦୁ ମୃଦୁ ହସୁଛନ୍ତି ପୀତବାସ । ସେହିପରି ହାତ ବଢ଼େଇ ଠିଆ ହୋଇଛନ୍ତି ରାସେଶ୍ୱରୀ । କୁଞ୍ଜବନ ପୁଲକି ଉଠୁଛି ମୂର୍ହୁମୂର୍ହୁ । ପାଖରେ ଶ୍ରୀରାଧାଙ୍କର ପ୍ରିୟ ସଖୀ ଲଳିତା ।
ପ୍ରେମ ଅଶ୍ରୁରେ ପ୍ଲାବିତ କରୁଛନ୍ତି କୃଷ୍ଣଦାସ ସେହି କୁଞ୍ଜବନକୁ । ମନକୁ ମନ କହୁଛନ୍ତି ଏହି ମୋର ସେହି ଚିରବାଞ୍ଚିତ ମହାର୍ଘ୍ୟ ତୀର୍ଥ କୁଞ୍ଜବନ । ଏହି ମୋର ସେହି ଚିର ଈପ୍ସିତ ପ୍ରେମମୂର୍ତ୍ତି । ଏଇ ମୋ ଜୀବନର ଚରମ ପ୍ରାପ୍ତି! ଏଇ ମୋର ପୂର୍ଣ୍ଣତା!
ବାର ବାର ସେ ଭୂମିରେ ପଡୁଥାନ୍ତି । ଉଠୁଥାନ୍ତି ଓ ପ୍ରଣାମ କରୁଥାନ୍ତି ତାଙ୍କର ଆରାଧ୍ୟଙ୍କୁ । ତାହା ପରେ ସେ ଦୁଇ କୃତାଞ୍ଜଳି ପୁଟରେ ବଢ଼ାଇ ଦେଲେ ନୂପୁରଟି ରାସେଶ୍ୱରୀଙ୍କ ଉଦେ୍ଦଶ୍ୟରେ । ସେତିକି ବେଳେ କୃଷ୍ଣଦାସଙ୍କୁ ଶୁଣାଗଲା ପ୍ରଭୁ ପ୍ୟାରିଜୀଙ୍କ ଆଶୀଷବୋଳା କଣ୍ଠସ୍ୱର ‘କୃଷ୍ଣ ଦାସ, ତୁମର ଐକାନ୍ତିକ ପ୍ରେମ ଭକ୍ତିରେ ମୁଁ ତ ବନ୍ଧାପଡିଛି । ତାହାରି ପ୍ରତିଦାନ ସ୍ୱରୂପ ତୁମରି ପ୍ରିୟ ଶ୍ରୀରାଧାଙ୍କର ଏହି ନୂପୁର ଚିହ୍ନିତ ତିଳକ ତୁମକୁ ମୁଁ ପିନ୍ଧାଇ ଦେଉଛି । ଆଜିଠାରୁ ଏହା ହିଁ ହେବ ତୁମ ଲଲାଟ ତିଳକ ।
କୃଷ୍ଣଦାସଙ୍କ କପାଳରେ ସତକୁ ସତ
ପ୍ରଭୁ ନିଜ ହାତରେ ଆଙ୍କି ଦେଲେ ନୂପୁର ଲା‚ନ ଏବଂ ଅନ୍ତର୍ହିତ ହୋଇ ଗଲେ ନିମିଷକରେ ଦୃଶ୍ୟପଟରୁ ।
କୃଷ୍ଣ ଦାସ ଚେତାଶୂନ୍ୟ ହୋଇ ପଡି ରହିଲେ । କିଛି ସମୟ ପରେ ଗୁରୁ ଶ୍ରୀ ଜୀବ ସ୍ୱୟଂ ଆସି ତାଙ୍କୁ ପ୍ରାଙ୍ଗଣରେ ପଡିଥିବାର ଦେଖି ସାଷ୍ଟାମ କରି ଉଠାଇବାରେ ଚପଳମତି ଶିଶୁ ତାର ପ୍ରିୟ ସାଥିଟିକୁ ହରାଇଥିବା ପରି ଉଚ୍ଚାଟ ସ୍ୱରରେ କ୍ରନ୍ଦନ କରି କୃଷ୍ଣଦାସ ବିଗତ ଘଟଣା ଗୋଟି ଗୋଟି ବର୍ଣ୍ଣନା କଲେ । ଶ୍ରୀ ଜୀବ ମଧ୍ୟ ଦେଖିଲେ ପ୍ରକୃତରେ ବ୍ରଜରାଜର ଚିହ୍ନ କୃଷ୍ଣ ଦାସଙ୍କ କପାଳରେ ଲାଗି ରହିଛି ବିନ୍ଦୁ ବିନ୍ଦୁ ଆଙ୍କି ଦେଲା ପରି । ଶ୍ରୀଜୀବଙ୍କର ପୁଲକର ସୀମା ରହିଲା ନାହିଁ । ସେ କୃଷ୍ଣ ଦାସଙ୍କୁ କୁଣ୍ଢାଇ ଧରି ଆନନ୍ଦରେ ଅଧିର ହୋଇପଡିଲେ । କହିଲେ, “ତୁମେ ଏବେ ତ ଦୁଃଖ ସାଗର ପାରି ହୋଇ ଗଲ କୃଷ୍ଣ ଦାସ । ଏବେ ଆଉ ତୁମେ ଦାସ ହୋଇ ରହିଲ ନାହିଁ । ଶ୍ୟାମ ପ୍ରେମ ଆନନ୍ଦରେ ପ୍ଲାବିତ ହୋଇସାରିଛ । ଏଣୁ ତୁମର ନାମ ଆଜିଠାରୁ ହେଉ ଗୋସ୍ୱାମୀ ଶ୍ୟାମାନନ୍ଦ ।
ଏହାର କିଛିଦିନ ପରେ ଗୁରୁହୃଦୟ ଚୈତନ୍ୟ ଖବର ପାଇଲେ ଯେ ଦୁଃଖି କୃଷ୍ଣ ଦାସ ତାଙ୍କର ଶିଷ୍ୟତ୍ୱ ଛାଡ଼ି ଅନ୍ୟ ଗୁରୁ ବରଣ କରିଛି । ସେ ଦେଇଥିବା ନାମ ଓ ଗୁରୁ ତିଳକ ପର୍ଯ୍ୟନ୍ତ ମଧ୍ୟ ବଦଳାଇ ଦେଇଛି । କ୍ରୁଧ ହୋଇ ସେ ତତ୍କ୍ଷଣାତ୍ କୃଷ୍ଣ ଦାସଙ୍କୁ ଆସିବା ପାଇଁ ଖବର ପଠାଇଲେ । ଗୁରୁଙ୍କ ଆଦେଶ ପାଇ କୃଷ୍ଣ ଆସିବାରୁ ହୃଦୟ ଚୈତନ ତାଙ୍କୁ ଅବାଧ୍ୟତା ଓ ମତ୍ତଗର୍ବ ଓ ଅହଙ୍କାରୀ ହୋଇପଡିଥିବା ଅପରାଧରେ ଲା‚ନା ତଥା ଭର୍ତ୍ସନା କଲେ ଓ ଶୀଘ୍ର ତାଙ୍କର କପାଳ ତିଳକ ପୋଛି ପୂର୍ବ ବୈଷ୍ଣବ ତିଳକ ଧାରଣ କରିବାକୁ ଆଦେଶ ଦେଲେ ।
ଉତ୍ତରରେ ଶ୍ୟାମାନନ୍ଦ ଯେତେ ଯାହା ଗୁରୁଙ୍କୁ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ନିରର୍ଥକ ହେଲା । ଶେଷରେ ଅନନ୍ୟୋପାୟ ହୋଇ ସେ ଗୁରୁଙ୍କୁ ନିବେଦନ କଲେ ‘ଗୁରୁଦେବ, ଯେବେ ଏ ତିଳକ ପୋଛିବାକୁ ଆଦେଶ ଦେଉଛନ୍ତି ତେବେ ଆପଣ କୃପା କରି ନିଜ ହସ୍ତରେ ତାହା ପୋଛି ମୋ କପାଳରେ ନୂତନ ତିଳକ ଆଙ୍କି ଦଅନ୍ତୁ ।’
ହୃଦୟ ଚୈତନ ରାଗ ଜର୍ଜରିତ ହୋଇ ଆପଣାର ପିନ୍ଧା ବସନରେ ଶ୍ୟାମାନନ୍ଦଙ୍କ କପାଳର ତିଳକକୁ ଘଷି ଛଡ଼ାଇବାକୁ ଲାଗିଲେ । ମାତ୍ର ବିଚିତ୍ର କଥା! କପାଳରେ ଦାଗ ପଡିଲା ସିନା, ସେ ନୂପୁର ଲାଞ୍ଛିତ ତିଳକ ବିନ୍ଦୁଏ ମାତ୍ର ଲିଭିଲା ନାହିଁ । ଗୁରୁଦେବଙ୍କର ହାତ ଅବଶ ହୋଇଗଲା । ଏଥର ସେ ବୁଝିପାରିଲେ ନିଜର ଭ୍ରମ । ଅଶ୍ରୁ ଗଦ୍ଗଦ୍ ସ୍ୱରରେ ନିଜର ଶିଷ୍ୟଠାରେ ନିଜର ନୂ୍ୟନତା ମୁକ୍ତକଣ୍ଠରେ ସ୍ୱୀକାର କରି ସେ ଅନୁତାପ କଲେ ଏବଂ ତାହା ପରେ ଶ୍ୟାମାନନ୍ଦଙ୍କୁ କୃଷ୍ଣବନରୁ ଆଣି ଥିବା ରାଧାଗୋବିନ୍ଦଙ୍କର ପୂଜାରେ ନିୟୋଜିତ କଲେ । (ଏହି ବିଗ୍ରହ ବର୍ତ୍ତମାନ ଓଡ଼ିଶାର ଗୋପୀ-ବଲ୍ଲଭପୁର) ମଠରେ ଅବସ୍ଥାପିତ ଓ ପୂଜିତ ।)
ଏହା ପରେ ଗୁରୁଦେବଙ୍କ ନିଦେ୍ର୍ଦଶ କ୍ରମେ ଶ୍ୟାମାନନ୍ଦ ସଂସାର ଧର୍ମ ଆଚରଣ ନିମନ୍ତେ ବିବାହ କରିଥିଲେ ଓ ଆରମ୍ଭ କରିଥିଲେ ତାଙ୍କର ଆଚାର୍ଯ୍ୟ ଜୀବନ ।
ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରଚାର, ପ୍ରସାର ଓ ପୃଷ୍ଠପୋଷକତା ପାଇଁ ଆଚାର୍ଯ୍ୟ ଶ୍ୟାମାନନ୍ଦ ତାଙ୍କର ସମଗ୍ର ଜୀବନ ନିୟୋଜିତ କରିଥିଲେ ।