କାଶ୍ମୀରର ମନୋରମ ପାର୍ବତ୍ୟ ଘାଟୀରେ ଜଣେ ଖୁବ୍ ସମ୍ପନ୍ନ ବେପାରୀ ରହୁଥିଲେ । ତାଙ୍କର ଏକ ମହାମୂର୍ଖ ଜିଦ୍ଖୋର ପୁତ୍ର ଥିଲା । ତା’ ପିତା ତା’ ପାଇଁ ଅତି ଉତ୍ତମ ଏବଂ ଯୋଗ୍ୟ ଶିକ୍ଷକ ନିଯୁକ୍ତ କରିଥିଲେ; କିନ୍ତୁ ସେ ଗୋଟେ ହେଲେ ଅକ୍ଷର ବି ଶିଖିଲା ନାହିଁ । ସେ ମୂର୍ଖ ଥିଲା, ମୂର୍ଖ ରହିଲା, କେହି ହେଲେ କିଛି ତା’ ମଙ୍ଗଳ ପାଇଁ କହୁଥିଲା, ତା’ ଅନୁସାରେ ଚାଲିବା ତ ଦୂରର କଥା, ସେ କିଛି ଶୁଣୁ ନଥିଲା
ସେ ଚିକ୍କଣ ଘଡ଼ିଟିଏ ପରି ହୋଇଯାଇଥିଲା । କାନରେ ତେଲ ପକେଇ ବସିଥିଲା । ବୁଦ୍ଧି ଥିଲା ବିଲ୍କୁଲ୍ ଶୂନ୍ । ତେଣୁ ଦିନ ରାତି ଅଳସୁଆ ହୋଇ ପଡ଼ି ପଡ଼ି ସମୟ ବରବାଦ୍ କରୁଥିଲା । ସବୁ କଥାରେ ବେପରବାୟ ।
ତେଣୁ ତା’ ପିତା ଧୀରେ ଧୀରେ ତାକୁ ଘୃଣା ଏବଂ ଉପେକ୍ଷା କରିବାରେ ଲାଗିଲେ । କିନ୍ତୁ ତା’ ମାତା, ଯେମିତିକି ସ୍ୱାଭାବିକ ଥିଲେ, ସର୍ବଦା ଏ କଥା କହନ୍ତି- ଛାଡ, କିଛି କଥା ନାହିଁ । ସବୁ ଶିଖିଯିବ ପୁଅ ମୋର ସବୁ ଠିକ୍ ହୋଇଯିବ । ଆଉ ସବୁବେଳେ ତା’ ସପକ୍ଷରେ ଥାଆନ୍ତି ।
ପୁଅ ଯେତେବେଳେ ବିବାହଯୋଗ୍ୟ ହେଲା, ମାତା, ପତିଙ୍କୁ କହିଲେ : ୟା ପାଇଁ କୋଉଠୁ ସୁନ୍ଦର ବୋହୂଟିଏ ଖୋଜି ଆଣ ।
କିନ୍ତୁ ବେପାରୀଙ୍କୁ ନିଜ ପୁଅର ନାଁ ଶୁଣିବା ମାତ୍ରେ ଲଜ୍ଜା ଲାଗୁଥିଲା ଏବଂ ଖୁବ୍ ଦୁଃଖିତ ହେଉଥିଲେ । ତେଣୁ ତା’ ପାଇଁ କିଛି ହେଲେ କହିବାକୁ ଚାହୁଁନଥିଲେ କି ତା’ ବିଷୟ କିଛି ଶୁଣିବାକୁ ଚାହୁଁନଥିଲେ କିନ୍ତୁ ମା’ ତ ଅନେକ ଦିନୁ ପୁଅର ବୋହୂ ଦେଖିବା ଆଶାରେ ବସି ରହିଥିଲେ, ସେ ଭଲା କେମିତି ଚୁପ୍ ରହିବେ ?
ତା’ପରେ, ପୁଅ ଜୀବନ ସାରା କୁଅାଁରା ରହିବା ବି କୁଳ ପାଇଁ ଅପମାନଜନକ ଏବଂ କଳଙ୍କର କଥା ଥିଲା । ତେଣୁ ମା’ ନାନାପ୍ରକାରର ବାହାନା ଦେଖାଇ ପୁଅର ବିବାହ ପାଇଁ ପତିଙ୍କୁ ରାଜି କରାଇବାରେ ଲାଗିଲେ । କହିଲେ : ମୁଁ ତ ଦେଖୁଛି- ପୁଅ ବେଳେବେଳେ ବଡ଼ ଚାଲାକ ପରି ବୁଦ୍ଧି-କୌଶଳର କଥା କହୁଛି । ଆଉ ତୁମେ ଏମିତି ବିଲ୍କୁଲ୍ ବେବକୁଫ୍ ବୋଲି କାହିଁକି ତାକୁ କହୁଛ?
ଏପ୍ରକାର କଥା ଶୁଣି ବେପାରୀଙ୍କ ବିବ୍ରତ ଭାବ ବଢ଼ି ଯାଉଥିଲା । ସେ କହନ୍ତି : ଦେଖ, ମୁଁ ଏମିତି କଥା ବାରମ୍ବାର ଶୁଣିଆସିଛି । କିନ୍ତୁ ଥରେ ହେଲେ ତା’ ସଚ୍ଚୋଟତାର ପ୍ରମାଣ ପାଇଲି ନାହିଁ । ଖାଲି ଗଧ, ଅଳସୁଆ ହୋଇ ବସିରହିଛି । ତା’ ପାଖେ ଟିକିଏ ହେଲେ ବି କିଛି ସତ ରହିଛି, ତାହା ମୁଁ ମାନିପାରିବି ନାହିଁ । ମା’ମାନେ ତ ଅନ୍ଧ । ଛାଡ଼, ତୁମେ କେବେ ଆଉ ଆପତ୍ତି କି ଅଭିଯୋଗ କରିବ ନାହିଁ; ତେଣୁ ତୁମ ପାରିବାର ପୁଅକୁ ନିଜର ବୁଦ୍ଧି, ସାମର୍ଥ୍ୟ ଦେଖେଇବାକୁ ଆଉ ଗୋଟେ ମଉକା ଦେବି । ଯାଅ, ତାକୁ ଏବେ ଡାକ । ତିନି ପଇସା ଦେଇ କୁହ- ଗୋଟିଏ ପଇସାରେ କୌଣସି ଚିଜ ନିଜ ପାଇଁ କିଣୁ, ଦ୍ୱିତୀୟ ପଇସାକୁ ନଦୀରେ ଫିଙ୍ଗ ଦେଉ, ଆଉ ତୃତୀୟ ପଇସାରେ ଚାରିଟି ଚିଜ ଆଣୁ- କୌଣସି ଖାଇବା ଚିଜ, କୌଣସି ପିଇବା ଚିଜ, ଗାଈ ଖାଇବାର କୌଣସି ଚିଜ ଏବଂ ବଗିଚାରେ ବୁଣିବା ପାଇଁ କୌଣସି ଚିଜ…
ମା’ ସେଇଆ କଲେ । ତାଙ୍କ ପୁଅ ତିନି ପଇସା ନେଇ ବଜାରରେ ପହଞ୍ଚିଲା । ପ୍ରଥମେ ସେ ଏକ ପଇସାରେ ଖାଇବା ଚିଜ ନିଜ ପାଇଁ କିଣି ଖାଇଲା । ତା’ପରେ ନଈକୂଳକୁ ଆସି ଦ୍ୱିତୀୟ ପଇସା ଫିଙ୍ଗିବାକୁ ଗଲାବେଳେ ଭାବିଲା- ଏଥିରେ ଫାଇଦା କ’ଣ? ଯଦି ଏ ପଇସା ନଦୀରେ ଫିଙ୍ଗିଦେବି, ତେବେ ମୋ’ ପାଖେ ଆଉ ଗୋଟିଏ ମାତ୍ର ପଇସା ରହିବ । ଗୋଟେ ପଇସାରେ ଚାରିଟା ଚିଜ କେମିତି ଖରିଦ କରିବି! ପୁନଶ୍ଚ ଯଦି ଏ ପଇସା ନ ଫିଙ୍ଗିବି ତେବେ ମା’ କହିବ, ମୋ’ ଆଦେଶ ମାନିଲୁ ନାହିଁ ।
ଏମିତି ଅସମଞ୍ଜସ୍ୟରେ ନଈକୂଳରେ ଠିଆ ହୋଇଥାଏ, ସେତିକି ବେଳେ କମାର ଘରର ଝିଅଟିଏ ବାହାରିଲା । ଯୁବକକୁ ବିବ୍ରତ ବିଚଳିତ ଅବସ୍ଥାରେ ଦେଖି ପଚାରିଲା : କ’ଣ ହୋଇଛି ?
ଯୁବକ ସବୁ କଥା ଆମୂଳଚୂଳ କହିସାରି ପୁଣି କହିଲା- ମା’ର ଏପ୍ରକାର କଥା ମାନିବା ବିଲ୍କୁଲ ମୂର୍ଖାମୀ । କାରଣ ଯଦି ନଦୀରେ ପଇସା ଫିଙ୍ଗି ଦିଆଯାଏ ତେବେ ଲାଭ କ’ଣ ହେବ? ହେଲେ କ’ଣ ଅବା କରିବି? ମା’ର ଆଦେଶ ବି ତ ପାଳନ କରିବା ଉଚିତ୍ । ଏଇ ହଇରାଣରେ ପଡ଼ିଛି ମୁଁ ।
ଏ କଥା ଶୁଣି କମାରଘର ଝିଅଟି କହିଲା : ମୁଁ ତୁମକୁ ପରାମର୍ଶ ଦେଉଛି- ଗୋଟେ ପଇସାରେ ଗୋଟେ ତରଭୁଜ କିଣି ନେଇ ଆସ । ଅନ୍ୟ ପଇସାକୁ ଚୁପ୍ଚାପ ନିଜ ପକେଟରେ ରଖିଦିଅ, ନଦୀ ଭିତରକୁ ଫିଙ୍ଗନାହିଁ । ତରଭୁଜରେ ଚାରିଟି ଚିଜ ମହଜୁଦ ଅଛି- ଖାଇବାକୁ ଖଣ୍ଡ ତରଭୁଜ, ପିଇବାକୁ ପାଣି, ଗାଈର ଖାଇବା ପାଇଁ ଚୋପା ଏବଂ ବୁଣିବା ପାଇଁ ବୀଜ… ବାସ୍ ଗୋଟେ ତରଭୁଜ ନେଇ ନିଜ ମା’ଙ୍କୁ ଦେଇଦିଅ । ସେ ନିଶ୍ଚୟ ବହୁତ ଖୁସିହେବେ ।
କମାରଘର ଝିଅ ଯେମିତି ପରାମର୍ଶ ଦେଲା, ସେହି ଅନୁସାରେ ସେ କାମ କଲା ।
ବେପାରୀଙ୍କ ପତ୍ନୀଙ୍କର ନିଜ ପୁଅ ଚତୁରତା ଦେଖି ଖୁସିର ଠିକଣା ରହିଲା ନାହିଁ । ସେ ଭାବିଲେ, ସତରେ ମୋ’ ପୁଅ ବଡ଼ ବୁଦ୍ଧିମାନ । ସେ ଦ୍ରୁତ ପଦରେ ପତିଙ୍କ ନିକଟରେ ପହଞ୍ଚି ଖୁସିରେ ଉତ୍ଫୁଲିତ ହୋଇ କହିଲେ : ଦେଖ ଏବେ- ନିଜ ପୁଅର କରାମତି ।
ତରଭୁଜକୁ ଦେଖି ବେପାରୀଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, କିନ୍ତୁ ସେ କହିଲେ : ମୁଁ ଏକଥା କେବେ ହେଲେ ମାନି ପାରିବି ନାହିଁ ଯେ, ଏ କାମ, ସେ ଆପଣାଛାଏଁ କରିଛି । ନିଶ୍ଚୟ ତାକୁ କେହି ବାଟ ଦେଖେଇଛି । କହିସାରି ସେ ପୁଅ ତରଫକୁ ବୁଲି ଚାହିଁଲେ ଏବଂ ପଚାରିଲେ : ତୋତେ ତରଭୁଜ ଖରିଦ କରିବାକୁ କିଏ କହିଲା?
ପୁଅ ଉତ୍ତର ଦେଲା : କମାର ଘରର ଗୋଟେ ଝିଅ ।
ଦେଖିଲ ତ, ବେପାରୀ ପୁଅର ମା’କୁ କହିଲେ : ଏବେ ମୁଁ କହିଥିଲି ନା, ଏ କାମ ୟା’ର ହୋଇନପାରେ । ଛାଡ଼ ଯାହାବି ହେଉ- ଆଉ ଯଦି ତୁମେ ରାଜି ହୁଅ ଏବଂ ଇଏ ବି ପସନ୍ଦ କରିବ, ତେବେ ସେଇ କମାର ଘର ଝିଅ ସହିତ, ଯିଏ କି ୟାକୁ ଏତେ ସାହାଯ୍ୟ କଲା ଏବଂ ଯେ ଏତେ ବୁଦ୍ଧିମତୀ ।
ହଁ, ହଁ, ମା’ ସ୍ୱୀକୃତି ପ୍ରଦାନ କରି କହିଲେ : ବାସ୍, ଏଇଆ ସବୁଠୁ ଭଲ ହେବ ।
କିଛି ଦିନ ପରେ ବେପାରୀ, କମାର ଘରକୁ ଗଲେ । ସେଠି ତା’ଘରେ, ବାହାରେ ହିଁ ସେ ଝିଅଟି ତାଙ୍କୁ ମିଳିଗଲା । ସେ ତାକୁ ପଚାରିଲେ : କ’ଣ ତୁମେ ଘରେ ଏକାକୀ ଅଛ?
ହଁ, ସେ କହିଲା ।
ତୁମ ପିତା-ମାତା କେଉଁଠି ଅଛନ୍ତି?
ମୋ’ ପିତା ତ ଏକ କଉଡ଼ିର ଲାଲା କିଣିବାକୁ ଯାଇଛନ୍ତି, ଆଉ ମାତା, ନିଜ ବଚନ ବିକିବାକୁ ଯାଇଛନ୍ତି । ଝିଅଟି ଉତ୍ତର ଦେଲା ।
ଝିଅର ଏମିତି ଉତ୍ତର ଶୁଣି ସେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ, କାରଣ କଥାକୁ ସେ ବୁଝିପାରିଲେନି । ପୁଣି ସେ ପଚାରିଲେ : ହଁ, ଠିକ୍ ଅଛି । ତେବେ ତୁମେ କ’ଣ କହିଲ?
ମୁଁ କହିଲି- ପିତା ଗୋଟେ କଉଡ଼ିର ଲାଲା କିଣିବାକୁ ଯାଇଛନ୍ତି । ମତଲବ ହେଉଛି, ସେ ଦୀପ ପାଇଁ ତେଲ ଆଣିବାକୁ ଯାଇଛନ୍ତି । ଆଉ ମୁଁ କହିଲି- ମାତା ନିଜ ବଚନ ବିକିବାକୁ ଯାଇଛନ୍ତି । ୟା’ର ଅର୍ଥ ହେଉଛି- ସେ କାହାର ବିବାହ ଅଟକାଇବାକୁ ।
ଝିଅର ଚତୁରତା ଦେଖି, ବେପାରୀଙ୍କ ଉପରେ ବହୁତ ପ୍ରଭାବ ପଡ଼ିଲା । କିନ୍ତୁ ନିଜ ଭାବନାକୁ ସେ ପ୍ରକଟ କଲେ ନାହିଁ ।
ଏତିକିବେଳେ କମାର ଏବଂ ତା’ ପତ୍ନୀ ଦୁହେଁ ଲେଉଟି ଆସିଲେ । ଏଡେ ଧନି ବେପାରୀଙ୍କୁ ନିଜ ଏ ଗରିବ ଘରେ ଦେଖି ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ଖୁବ୍ ସମ୍ମାନ ପୂର୍ବକ ତାଙ୍କୁ ଅଭିବାଦନ ଜଣାଇ କହିଲେ : କହନ୍ତୁ, ଆପଣ ଏ ଗରିବ କୁଡ଼ିଆକୁ ପବିତ୍ର କରିବାର କଷ୍ଟ କାହିଁକି କଲେ?
ବେପାରୀ କହିଲେ : ମୁଁ ମୋ’ ପୁଅର ବିବାହ ଆପଣଙ୍କର ଏ ଚତୁର ଏବଂ ସୁଯୋଗ୍ୟ କନ୍ୟା ସହିତ କରିବାକୁ ଚାହୁଁଛି ।
ଝିଅର ପିତା-ମାତା, ଏ ପ୍ରସ୍ତାବ ଶୁଣି ଆନନ୍ଦରେ ଅଧିର ହୋଇପଡ଼ିଲେ । ସେମାନେ ତକ୍ରାଳ ନିଜର ସହର୍ଷ ସ୍ୱୀକାର ଜଣାଇ କହିଲେ : ଏହା ଆମର ସୌଭାଗ୍ୟ ଆଉ ଆପଣଙ୍କର କୃପା!
ବିବାହର ତିଥି ମଧ୍ୟ ସ୍ଥିର ହୋଇଗଲା । ଘରକୁ ଲେଉଟି ବେପାରୀ ନିଜ ପତ୍ନୀକୁ କହିଲେ : ସବୁ ଠିକ୍ ହୋଇଗଲା । ତା’ ମା’-ବାପା, ବାହାଘର ପାଇଁ ରାଜି ଆଉ ତିଥି ମଧ୍ୟ ଠିକ୍ ହୋଇଗଲା ।
ଏ ଖବର ଚାରିଆଡେ ବିଜୁଳି ସଦୃଶ ଖେଳିଗଲା । ଲୋକେ ପରସ୍ପର ଆଲୋଚନା କରିବାରେ ଲାଗିଲେ- ବେପାରୀ ବଡ଼ ଦୟାଳୁ ହୃଦୟର ଲୋକ । ନିଜ ପୁଅର ବାହାଘର ଗୋଟେ ଏମିତି ନୀଚ, ନିଃସ୍ୱ ଘରର ଝିଅ ସହିତ କରୁଛନ୍ତି । କିଛି ଚୁଗୁଲିବାଲା ବାହାରି ପଡ଼ିଲେ ପୁଅକୁ ଉସୁକେଇବାକୁ ।
ସେମାନେ ତାକୁ କହିଲେ- ତୁମେ ଝିଅର ବାପକୁ ଯାଇ କୁହ- ଯଦି ତୁମେ ଏମିତି ଅମେଳ ବିବାହ କରେଇବ, ତେବେ ମୁଁ ବାହାଘର ହୋଇଯିବା ପରେ, ରୋଜ୍ ତୁମ ଝିଅକୁ ସାତଥର ଜୋତାରେ ପିଟିବି ।
ଚୁଗୁଲିଆ ସବୁ ଭାବିଲେ, ଯେତେବେଳେ କମାର ଏ କଥା ଶୁଣିବ ତେବେ ଡରିଯିବ ଏବଂ ସମ୍ବନ୍ଧ ଭାଙ୍ଗିଦେବ । ଆଉ ନ ଭାଙ୍ଗିଲେ, ଯେତେବେଳେ ତୁମେ ନିଜ ସ୍ତ୍ରୀ ସାଥୀରେ ପ୍ରଥମେ ଏମିତି ଆଚରଣ କରିବ, ସେବେ ସେ ତୁମ କଥା ମାନିବ ଏବଂ ପରେ କେବେହେଲେ ହଇରାଣ କରିବ ନାହିଁ ।
ବେବ୍କୁଫ୍ ଯୁବକ ଭାବିଲା, ଏ ତ ଖୁବ୍ ଭଲ କଥା । ତା’ପରେ ନିଜ ଭାବୀ ପତ୍ନୀର ପିତାଙ୍କ ନିକଟକୁ ଯାଇ ଏସବୁ କିଛି କହିଦେଲା ।
ଏକଥା ଶୁଣି କମାର ଖୁବ୍ ଚିନ୍ତିତ ହେଲା । ନିଜ ଝିଅକୁ ସବୁ ହାଲ୍ କହିଲା । ଏପ୍ରକାର ଲୋକ ସହିତ ବିବାହ ନ କରିବା ହିଁ ଠିକ୍ ହେବ । ଏଭଳି ବିବାହ କରିବା ଅପେକ୍ଷା ଜୀବନ ସାରା କୁଅାଁରୀ ରହିବା ବରଂ ବେଶୀ ଭଲ ହେବ ।
କିନ୍ତୁ ତା’ ଚତୁର କନ୍ୟା କହିଲା : ନାଇଁ, କିଛି ଚିନ୍ତା କରନାହିଁ । ତାକୁ କେହି ଉସୁକେଇ ଦେଇଛି ନିଶ୍ଚୟ । ନହେଲେ ସେ କେବେହେଲେ ଏମିତି କହିପାରିବ ନାହିଁ । ଦୁନିଆରେ ଅନ୍ୟର ଖୁସିକୁ ଖୁବ୍ କମ୍ ଲୋକ ଦେଖିପାରନ୍ତି, ବେଶୀ ପରଶ୍ରୀକାତର ହୋଇ ଜଳି ଉଠନ୍ତି । ମୋ ପାଇଁ ଡରିବାର କି ଚିନ୍ତିତ ହେବାର କିଛି ନାହିଁ ।
ନିର୍ଦ୍ଦିଷ୍ଟ ତିଥିରେ ବାହାଘର ହୋଇଗଲା । ଅଧରାତି ହେଲା । ଯୁବକ ଉଠିଲା । ଦେଖିଲା- ପତ୍ନୀ ଗଭୀର ନିଦରେ ଶୋଇଥିବ ନିଶ୍ଚୟ । ସେ ପିଟିବାକୁ ଜୋତା ଉଠେଇଲା ବେଳକୁ ପତ୍ନୀ ଆଖି ଖୋଲି ଚାହିଁଦେଲା… ।
ଏମିତି କରନାଇଁ । ସେ କହିଲା : ପହିଲି ରାତିରେ ଲଢ଼େଇ କରିବା ଅଶୁଭ ମନେ କରାଯାଏ । କାଲିକି, ତୁମମନ ଯଦି ଚାହିଁବ, ତେବେ ପିଟିପାରିବ ।
ପରଦିନ ରାତିରେ ପୁଣି ସେ ମାରିବା ପାଇଁ ଜୋତା ଉଠେଇଲା, କିନ୍ତୁ ପତ୍ନୀ ତାକୁ ପୁଣି ରୋକି କହିଲା : ଯଦି ପତି-ପତ୍ନୀ ନିଜ ବିବାହର ପ୍ରଥମ ସପ୍ତାହରେ ଲଢ଼େଇ-ଝଗଡ଼ା କରନ୍ତି, ତେବେ ବଡ଼ ଅଲକ୍ଷଣ-ଅଶୁଭ ହୋଇଯାଏ । ମୁଁ ତୁମକୁ ବହୁତ ବୁଦ୍ଧିହୀନ ମଣିଷ ରୂପେ ଜାଣିଛି । ତେଣୁ ତୁମେ ମୋ’ କଥା ମାନିନିଅ । ଅଷ୍ଟମ ଦିନ ପୁଣି ତୁମର ମନ ଯେତେ ଚାହିଁବି, ସେତେ ପିଟିନେବ ।
ସେ ଏ କଥାରେ ରାଜି ହୋଇଗଲା ଏବଂ ଜୋତା ଗୋଟେ ତରଫକୁ ଫିଙ୍ଗିଦେଲା । ହେଲେ ସପ୍ତମ ଦିନ ସନ୍ଧ୍ୟାବେଳକୁ ବୋହୂ ତା’ ବାପଘରକୁ ବିଦା ହୋଇଗଲା ।
ଯୁବକର ସାଙ୍ଗମାନେ ଏ କଥା ଶୁଣି ପରିହାସ କଲେ- ବାଃରେ ମାଇକିନା ବୋଲକରା । କେଡ଼େ ବେବ୍କୁଫ୍ ତୁମେ? ଆମେ ତ ପ୍ରଥମରୁ ହିଁ ଭାବିଥିଲୁ ଏଇଆ ଘଟିବ ।
ଏଣେ ତା’ ମାତା, ତା’ ଭବିଷ୍ୟତର ଲକ୍ଷ୍ୟ ଗଢ଼ୁଥାନ୍ତି, ସେ ଭାବିଲେ- ଏବେ ତ ପୁଅ ନିଜର ଅଲଗା ଘର ତିଆରି କରି ସ୍ୱାଧୀନ ହୋଇ ରହିବା ଉଚିତ୍ । ତେଣୁ ପତିକୁ କହିଲେ : ତାକୁ କିଛି ସାମାନ୍ ଦେଇ ଦିଅ ଏବଂ ବେପାର କରିବାକୁ ବାହାରକୁ ପଠେଇ ଦିଅ ।
କେବେ ନୁହେଁ, ବେପାରୀ କହିଲେ : ୟା’କୁ କିଛି ହେଲେ ଦେଲେ ବି ଟଙ୍କା ପାଣିରେ ଭସେଇବା ପରି ହେବ । ଏଇ ସବୁ ବରବାଦ୍ କରିଦେବ ।
ହେଲେ ଥରେ ସେଥିରେ ମୁଣ୍ଡ ପୂରେଇ କିଛି ଅକଲ ତ ଶିଖିଯିବ- ପତ୍ନୀ କହିଲେ : ତାକୁ କିଛି ଧନ ଦେଇଦିଅ ଏବଂ ବିଦେଶକୁ ପଠେଇ ଦିଅ । ଯଦି ସେ କିଛି ଧନ କମେଇ ଆଣିବ, ତେବେ ସମଝିବା ଯେ, ପୁଅ କିଛିଟା ପାରିବାର ହୋଇଯାଇଛି । କିନ୍ତୁ ହଜେଇ ବସିବ, ଆଉ ଭିକାରୀ ପାଲଟିବ, ତେବେ ବି କିଛି ପାଠ ଶିଖିଯିବ । ପୁଣି ପାଇବା ପରେ ସମ୍ଭାଳି ରଖିବ । ସବୁପ୍ରକାରେ କିଛି ନା କିଛି ଫାଇଦାର କଥା ହିଁ ଶିଖିବ । ଯଦି ଏଥିମଧ୍ୟରୁ ଗୋଟିଏ ହେଲେ ଅନୁଭୂତି ଭଲ କି ମନ୍ଦ ତା’ର ନହୁଏ ତେବେ ସେ ଜୀବନତମାମ୍ ଏହିପରି ବେବ୍କୁଫ୍ ସାଜି ରହିବ ।
ଛାଡ ବେପାରୀ, କୌଣସିମତେ ସହମତ ହୋଇଗଲେ । ପୁଅକୁ ଡକାଇ ତାକୁ କିଛି ଟଙ୍କା, ସାମାନ ଏବଂ ନଉକର ଦେଇ ସାବଧାନରେ ରହିବାକୁ ସତର୍କ କରି ବିଦା କରିଦେଲେ । ଯୁବକ ନୌକର ଚାକରଙ୍କୁ ନେଇ ଯାତ୍ରା ଆରମ୍ଭ କଲା । କିଛି ଦୂର ଯିବା ପରେ ସେ ଏକ ଉପବନ ସମୀପରେ ପହଞ୍ଚିଲା । ତା’ ଚାରିପାଖେ ଉଚ୍ଚ ପ୍ରାଚୀର ରହିଥିଲା । ଏହା ଦେଖି ଯୁବ-ବେପାରୀ ନିଜ ନୌକରଙ୍କୁ ପଚାରିଲା : ଏ କ’ଣ? ଭିତରକୁ ଯାଇ ଦେଖ ।
ସେମାନେ ଭିତରକୁ ଯାଇ ଲେଉଟି ଆସି ମାଲିକଙ୍କୁ କହିଲେ- ବଗିଚା ମଝିରେ ଏକ ବିଶାଳ ଭବନ ରହିଛି ।
ଏହା ଶୁଣି ନିଜେ ସ୍ୱୟଂ ଭିତରକୁ ଗଲା । ଭବନରେ ଜଣେ ସୁନ୍ଦରୀ ଯୁବତୀକୁ ଦେଖିଲା… । ସୁନ୍ଦରୀ ତାକୁ ଇଙ୍ଗିତ କରି ନିଜ ପାଖକୁ ଡକାଇଲା ଏବଂ ଶତରଂଜ୍ ଖେଳିବାକୁ କହିଲା ।
ଯୁବତୀଟି ପକ୍କା ଜୁଆ ଖେଳାଳି ଥିଲା । ଜିତିବାର ସବୁ ଚାଲାକୀ ଜାଣିଥିଲା । ତା’ର ଗୋଟେ ଖାସ୍ ଚାଲାକୀ ଥିଲା- ସେ ରାତି ବେଳେ ଦୀପ ପାଖରେ ରଖି ଖେଳିବାକୁ ବସୁଥିଲା । ଏଥିସହ ଗୋଟେ ବିଲେଇକୁ ପାଖରେ ବସେଇ ଦେଉଥିଲା । ଯେତେବେଳେ ବି ହାରିଯିବାକୁ ଥିବ, ସେତେବେଳେ ସେ ବିଲେଇକୁ ଇସାରା ଦେବା ମାତ୍ରେ, ସେ ଡେଇଁପଡ଼ି ଦୀପକୁ ଲିଭେଇ ଦିଏ । ସେଠି ଅନ୍ଧାର ଖେଳିଯାଏ । ଅନ୍ଧାରରେ ସେ ନିଜ ବିପକ୍ଷର ମୋହର ବଦଳ କରି ଦିଏ । ଏପ୍ରକାର ସେ ସବୁବେଳେ ଜିତି ଚାଲିଥାଏ । ଆଜି ପର୍ଯ୍ୟନ୍ତ ତାକୁ କେହି ହରାଇ ପାରି ନଥିଲେ । ତେଣୁ ସେ ଅତୁଳ ସମ୍ପତ୍ତି ସଂଗ୍ରହ କରିନେଇଥିଲା ।
ଏ ନବଯୁବକ ବେପାରୀ ସାଥିରେ ମଧ୍ୟ ସେଇ ବିଲେଇବାଲା ଚାଲ୍ ଖେଳି ତା’ର ସମସ୍ତ ଧନ, ମାଲ୍, ନଉକର ଆଉ ସ୍ୱୟଂ ତାକୁ ମଧ୍ୟ ଜିତିଗଲା… ତା’ପରେ ତା’ ସହ ଅତ୍ୟନ୍ତ ଦୁର୍ବ୍ୟବହାର କଲା । ବନ୍ଦୀ କରିଦେଲା ତାକୁ ।
ବନ୍ଦୀ ଗୃହରେ ତାକୁ ବହୁ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଲା । ପ୍ରତିମୁହୂର୍ତ୍ତରେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥାଏ- ହେ ପରମେଶ୍ୱର! ମୋତେ ଚଞ୍ଚଳ ଏ ଦୁଃଖଶୋକ ପୂର୍ଣ୍ଣ ସଂସାରରୁ ନେଇଯାଆନ୍ତୁ…
ଦିନେ ବନ୍ଦୀଗୃହର ତୋରଣ ସମ୍ମୁଖରେ ସେ ଜଣେ ବ୍ୟକ୍ତିକୁ ଯାଉଥିବାର ଦେଖିଲା । ତୁରନ୍ତ ତାକୁ ଡାକି ପଚାରିଲା : ଆପଣ କେଉଁଠୁ ଆସୁଛନ୍ତି ଆଉ କୁଆଡେ ଯାଉଛନ୍ତି?
ସେ ବ୍ୟକ୍ତି କହିଲେ : ମୁଁ ରାଜପୁରରୁ ଆସୁଛି ଏବଂ ଏବେ ସେଠିକି ଲେଉଟୁଛି, ଏଥିରୁ ଯୁବ ବେପାରୀ ଜାଣିପାରିଲା ଯେ, ସେ ମୋ’ ଜାଗାର ହିଁ ମଣିଷ । ତେଣୁ କହିଲା : ମୁଁ ଜାଣି ଖୁସିହେଲି, ମୁଁ ବି ଆପଣଙ୍କ ସ୍ଥାନର ଅଧିବାସୀ । ଏଠି ଆସି ଏ ବିପତ୍ତିରେ ଫସି ଯାଇଛି । ଆପଣଙ୍କୁ ଦୁଇଟି ଚିଠି ଦେବି, କୃପା କରି ତାକୁ ମୋ’ ପିତା ଏବଂ ପତ୍ନୀଙ୍କୁ ଦେଇଦେବ, ମୋ’ ଉପରେ ଏତିକି କୃପା କଲେ ମୁଁ ଜୀବନସାରା ଆପଣଠାରେ କୃତଜ୍ଞ ରହିବି ।
ପରଦେଶୀ ସହମତ ହେଲେ । ତା’ଠାରୁ ଦୁଇଟି ଚିଠି ନେଇ ଚାଲିଗଲେ । କିନ୍ତୁ ସେ ଥିଲେ ଅଶିକ୍ଷିତ । ତେଣୁ ପିତାଙ୍କର ଚିଠିଟିକୁ ପତ୍ନୀକୁ ଏବଂ ପତ୍ନୀର ଚିଠିକୁ ପିତାଙ୍କୁ ଦେଇଦେଲେ ।
ଚିଠି ପଢ଼ି ଯେଉଁ ପିତା ଯେଉଁ ସମାଚାର ପାଇଲେ, ସେଥିରେ ସେ ଖୁବ୍ ପ୍ରସନ୍ନ ହେଲେ… କିନ୍ତୁ ସେ ବୁଝିପାରିଲେନି ଯେ, ଏ ଚିଠି ସେ ମୋତେ ନଲେଖି, ନିଜ ପତ୍ନୀକୁ କାହିଁକି ଲେଖିଛି । ପୁଣି ଏ କଥା କାହିଁକି ଲେଖିଛି ଯେ, ଜେଲ୍ରୁ ମୁକ୍ତ ହେବା ପରେ ତୋତେ ଜୋତାରେ ଖୁବ୍ ପିଟିବି!
ତେଣେ ଯେତେବେଳେ ତା’ ପତ୍ନୀ ଚିଠି ପଢ଼ିଲା, ନିଜ ପତିର ବିପତ୍ତି ଜାଣି ଅତ୍ୟନ୍ତ ଦୁଃଖିତ ହେଲା । କିନ୍ତୁ ସେ ବୁଝିପାରିଲା ନାହିଁ ଯେ, ସେ ଏ ଚିଠି ନିଜ ପିତାଙ୍କ ନାମରେ ଲେଖି, ମୋ ପାଖକୁ କାହିଁକି ପଠାଇଦେଲେ! ବିଚଳିତ ମନରେ ସେ ନିଜ ଶ୍ୱଶୁରଙ୍କ ପାଖେ ପହଞ୍ଚି ସବୁ ହାଲ୍ କହିଲା । ଏବେ ପିତା ଏବଂ ପତ୍ନୀକୁ ଏ ପରିସ୍ଥିତିରେ କେତେ ଆଶ୍ଚର୍ଯ୍ୟ-ଚିନ୍ତିତ ହେବାକୁ ପଡ଼ିଥିବ ତାହା ଚିନ୍ତା କରାଯାଇପାରେ । ଏହା କି ପ୍ରକାର ରହସ୍ୟ?
କିଛି ସମୟ ପର୍ଯ୍ୟନ୍ତ ନିଜ ଶ୍ୱଶୁରଙ୍କ ସହ ପରାମର୍ଶ କରିବା ପରେ ପୁତ୍ରବଧୂ, ଯେ କି ବୁଦ୍ଧିମତୀ ଥିଲା, ନିଜ ପତିଙ୍କ ସହ ସାକ୍ଷାତ କରିବାକୁ ଯିବା ପାଇଁ ସଂକଳ୍ପ କଲା । ସମ୍ଭବ ହେଲେ ତାକୁ ବନ୍ଧନମୁକ୍ତ ମଧ୍ୟ କରିବ ।
ବୃଦ୍ଧ ବେପାରୀ ଏଥିପାଇଁ ସ୍ୱୀକୃତି ଦେଇ ତାକୁ ରାସ୍ତାଖର୍ଚ୍ଚ ମଧ୍ୟ ଦେଲେ ।
ବେଶଭୂଷା ବଦଳାଇ ସେହି ସାହସୀ ଯୁବତୀ ଗମନ କଲା ଏବଂ ସେଇ ଜୁଆଡୀ ସୁନ୍ଦରୀ ପାଖରେ ପହଞ୍ଚିଲା । ଜୁଆଡୀ ସୁନ୍ଦରୀକୁ ସୂଚନା ଦେଲା ଯେ, ମୁଁ ଜଣେ ଧନିକ ବେପାରୀର ପୁତ୍ର ଏବଂ ଶତରଞ୍ଜ ଖେଳାଳି ମଧ୍ୟ । ମୁଁ ତୁମ ସାଥିରେ ବି ନିଜ ଭାଗ୍ୟର ପରୀକ୍ଷା କରିବାକୁ ଚାହୁଁଛି… ।
ସୁନ୍ଦରୀ ତୁରନ୍ତ ସହମତ ହୋଇଗଲା । ରାତିରେ ହେବାର ଥିଲା ଖେଳ । ତେଣୁ ଏ ମଧ୍ୟରେ ଧନିକ ବେପାରୀର ପୁତ୍ର, ଜୁଆଡୀ ସୁନ୍ଦରୀର ଚାକରାଣୀଙ୍କୁ ପଚାରିଲା ଯେ, ହେଲେ ଏ କେମିତିକା ଯୁକ୍ତି ଯଦ୍ଦ୍ୱାରା ତୁମ ମାଲିକାଣୀ ସବୁବେଳେ ଜିତି ପାରୁଛନ୍ତି । କେବେହେଲେ ହାରୁନାହାନ୍ତି?
ପ୍ରଥମେ ତ ଚାକରାଣୀମାନେ କହିଲେ, ଆମକୁ ମାଲୁମ୍ ନାହିଁ । କିନ୍ତୁ ପରେ ଯେତେବେଳେ ସେ ତାଙ୍କୁ ମୁଦ୍ରା ଦେବା ପାଇଁ ଲୋଭ ଦେଖାଇଲା, ସେମାନେ ସବୁ କଥା କହିଦେଲେ । ଏ କଥା ବି କହିଲେ ଯେ, ବୋଧହୁଏ ଆଜି ପୁଣି ତୁମ ସହିତ ମଧ୍ୟ ସେ, ବିଲେଇ ବାଲା କଉଶଳ କରିବ । ଏସବୁ ସୂଚନା ପ୍ରାପ୍ତ ହୋଇ ବେପାରୀ ପୁତ୍ର ନିଜ କୋଠରିକୁ ଲେଉଟି ଆସିଲା ।
ରାତିରେ ଯେତେବେଳେ ଖେଳର ନିର୍ଦ୍ଦିଷ୍ଟ ସମୟ ଆସି ଉପସ୍ଥିତ ହେଲା, ଜୁଆଡୀ ସୁନ୍ଦରୀ ବେପାରୀ ପୁତ୍ର ନିକଟକୁ ଅଭିନନ୍ଦନ ପଠାଇ ଡକାଇଲା । ବେପାରୀ ପୁତ୍ର, ନିଜ କୋଳରେ ଗୋଟେ ମୂଷାକୁ ଲୁଚେଇ ରଖିନେଲା ଏବଂ ଖେଳିବାକୁ ବାହାରିଲା… ।
ଖେଳ ଆରମ୍ଭ ହେଲା ବେପାରୀ ପୁତ୍ର, ଶତରଞ୍ଜ ଖେଳିବାରେ ଧୂରନ୍ଧର ଥିଲା । ଖୁବ୍ ଚଞ୍ଚଳ ସେ ଜିତିବାର ସମ୍ଭାବନା ଦେଖାଦେଲା । ତାହା ଦେଖି, ସୁନ୍ଦରୀ ନିଜ ବିଲେଇକୁ ଦୀପ ଲିଭେଇବା ପାଇଁ ଇସାରା ଦେଲା… ।
କିନ୍ତୁ ବିଲେଇ ଦୀପ ଆଡକୁ ଧାଇଁଯିବା ମାତ୍ରେ ବେପାରୀ ପୁତ୍ର, ମୂଷାକୁ ଛାଡ଼ିଦେଲା…, ବିଲେଇ ଦୀପ ଆଡକୁ ନଯାଇ ଲେଉଟି ପଡ଼ି ମୂଷା ଉପରକୁ ଝାମ୍ପ ମାରିଲା… ।
ତାକୁ ଧରିବାକୁ କୋଠରି ଭିତରେ ଏପାଖରୁ ସେପାଖ ଗୋଡେଇବାରେ ଲାଗିଲା… ।
ଏବେ ତ ଅଜବ କଥା ହେଲା । ବେପାରୀ ପୁତ୍ର କହିଲା ଏବେ ସୁନ୍ଦରୀ ପାଖେ ଧୋକା ଦେବାକୁ ଅନ୍ୟ କୌଣସି ଚାଲ୍ ନଥିଲା । ତେଣୁ ଶେଷରେ ସେ ହାରିଗଲା… । ଏହାର ଦ୍ୱିତୀୟ ବାଜି ହେଲା, ତୃତୀୟ ହେଲା, ଚତୁର୍ଥ ହେଲା ଏବଂ ହେବାରେ ଲାଗିଲା । ସବୁ ବାଜିରେ ଜୁଆଡୀ ସୁନ୍ଦରୀ ମାତ୍ ଖାଇଲା । ଧୀରେ ଧୀରେ ବେପାରୀ ପୁତ୍ର ତା’ର ସବୁ ସମ୍ପତ୍ତି, ଗୃହ ଏବଂ ସ୍ୱୟଂ ତାକୁ ମଧ୍ୟ ଜିତିଗଲା… ।
ଜିତିବା ମାତ୍ରେ ସୁନ୍ଦରୀର ସମସ୍ତ ସମ୍ପତ୍ତି ଉପରେ ନିଜର ଅଧିକାର ସାବ୍ୟସ୍ତ କଲା ସବୁ ମାଲ୍- ଗହଣାଗାଣ୍ଠିକୁ ବଡ଼ ବଡ଼ ସିନ୍ଦୂକମାନଙ୍କରେ ଭର୍ତ୍ତି କରି ତାଲା ପକେଇ ଦେଲା । ତା’ପରେ ସେ ବନ୍ଦୀଗୃହକୁ ଯାଇ ତା’ ଧୋକାର ଶିକାର ହୋଇଥିବା ସବୁ ଲୋକଙ୍କୁ ମୁକ୍ତ କରିଦେଲା । ଏହି ପ୍ରକାର ସମସ୍ତଙ୍କ ସହିତ ତା’ ପତି ମଧ୍ୟ ମୁକ୍ତ ହୋଇଗଲା… । କିନ୍ତୁ ସେ, ବେପାରୀ ପୁତ୍ର ବେଶଭୂଷାରେ ଥିବା ନିଜ ପତ୍ନୀକୁ ଚିହ୍ନି ପାରିଲା ନାହିଁ ।
ତେବେ ସେ ବିଶେଷ ରୂପେ ନିଜ ପିତିଙ୍କ ସହିତ ହିଁ ବନ୍ଧୁତା ଯୋଡ଼ିଲା । ତାଙ୍କର ଚିରାଫଟା ଏବଂ ଅପରିଷ୍କାର ପୋଷାକ ବଦଳାଇ ତାଙ୍କୁ ଉତ୍ତମ ପୋଷାକ ପିନ୍ଧାଇଲା ଆଉ ତାଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କଲା । କେବଳ ସେତିକି ନୁହେଁ, ଘର ପର୍ଯ୍ୟନ୍ତ ପହଞ୍ଚାଇବା ବାହାନାରେ ସେ ମଧ୍ୟ ତା’ ସଙ୍ଗେ ସଙ୍ଗେ ଗଲା ।
ସେମାନେ ଯେତେବେଳେ ନିଜ ନଗର ସମୀପରେ ପହଞ୍ଚିଲେ ସେତେବେଳେ ବେପାରୀ ପୁତ୍ର ନିଜ ପତିକୁ କହିଲା : ମୋର ଅନ୍ୟ ଜଣେ ବନ୍ଧୁଙ୍କ ନିକଟରେ କିଛି ଜରୁରୀ କାମ ଅଛି । ତେଣୁ ଯାଉଛି । କିନ୍ତୁ ତୁମେ ମୋ’ ଚିନ୍ତା କରିବ ନାହିଁ । ଏ ସବୁ ସିନ୍ଦୂକ ସବୁର ଚାବି ନିଅ ଆଉ ତାକୁ ନିଜ ଘରେ ହୁସିଆରୀରେ ରଖିବ ମୁଁ ଲେଉଟି ଆସିବା ପର୍ଯ୍ୟନ୍ତ । ଯଦି ମୁଁ କୋଡିଏ ଦିନ ଭିତରେ ନ ଫେରିଲି ତେବେ ଏସବୁ ସାମାନ୍ ତୁମେ ନିଜର ମନେ କରିବ… ହଁ, ଏ ଜୁଆଡୀ ସ୍ତ୍ରୀକୁ ବି ନିଜ ସାଥୀରେ ଖୁବ୍ ସାବଧାନତାର ସହ ନଜର ରଖିବ ।
ଏହା କହି ବେପାରୀ ପୁଅ ନିଜ ଘରର ଅନ୍ୟ ଏକ ବୁଲାଣି ରାସ୍ତାରେ ପହଞ୍ଚି ବେଶଭୂଷା ଉତ୍ତାରି ସେ ପୁଣି ବଧୂ ବନିଗଲା… ।
ଯୁବକ ବେପାରୀ ଚାକର-ନଉକର ତଥା ଜୁଆଡୀ ସ୍ତ୍ରୀ ସହିତ ନିଜ ଘରେ ପହଞ୍ଚିଲା । ତା’ ମାତା, ଘରକୁ ପୁଅ ଲେଉଟି ଆସିବା ଦେଖି ଆନନ୍ଦରେ ଅଧୀର ହୋଇଗଲା ।
କିଛିଦିନ ପରେ ତା’ ପତ୍ନୀ, ନିଜ ଶ୍ୱଶୁର ଗୃହକୁ ଆସିଲା । ତାକୁ ଦେଖିବା ମାତ୍ରେ ପତି କ୍ରୋଧରେ କହିଲା : ତୁ ଜାଣିଚୁ, ତୋତେ କେତେ ଜୋତା ମାଡ଼ ଖାଇବାର ଅଛି? ଏକିତି କହି ସେ ନିଜ ପାଦରୁ ଜୋତା ବାହାର କଲା ।
ହାୟ! ହାୟ! ତା’ ପିତା-ମାତା ଉଚ୍ଚସ୍ୱରରେ ପାଟିକଲେ- କ’ଣ ଘରକୁ ଲେଉଟିବାର ଖୁସିରେ ତୁ ଏମିତି ହୀନ କର୍ମ କରିବୁ?
ତା’ପରେ ତା’ ପତ୍ନୀ ମଧ୍ୟ ଅଲଗା ଏକୁଟିଆରେ କହିଲା :ଏବେ ମୁଁ ସମଝିଲି । ଭାବିଥିଲି ଏତେ ଦିନ ମଧ୍ୟରେ ତୁମେ କିଛି ଶିଖି ଯାଇଥିବ । କିନ୍ତୁ ତୁମେ ଏପର୍ଯ୍ୟନ୍ତ ଠିକ୍ ସେମିତି ବୋକା, ମୂର୍ଖ ଆଉ ବଦ୍ମାସ ହୋଇ ରହିଛ… । ସେ ସିନ୍ଦୂକ ଟେକି ମୋ’ ପାଖକୁ ଆଣ । ସେଥିରେ ତୁମର, ଜେଲ୍ର ଚିରାଫଟା ମଇଳା କୋଚଟ ପୋଷାକ ଅଛି ।
ପତ୍ନୀ ସେଦିିନ ସବୁ ସିନ୍ଦୂକର ଚାବିକୁ ତ ପତିକୁ ଦେଇ ଦେଇଥିଲା । ହେଲେ ଏ ଚିରାଫଟା ପୋଷାକ ଥିବା ସିନ୍ଦୂକର ଚାବିକୁ ନିଜ ପାଖେ ରଖିନେଇଥିଲା । ସେ ସିନ୍ଦୂକକୁ ପତି ଉଠେଇ ଆଣିଲା । ପତ୍ନୀ ତାଲା ଖୋଲିଲା ନିଜ ପାଖେ ଥିବା ଚାବିରେ । ସେଥିରୁ ଦୁର୍ଗନ୍ଧଯୁକ୍ତ ମଇଳା ପୋଷାକ ବାହାର କରି ପତିଦେବଙ୍କୁ ପଚାରିଲା- କୁହ, ମହାଶୟ ଏ କପଡ଼ା ତୁମେ ପିନ୍ଧୁଥିଲ ତ? ଏସବୁ ଦେଖି ଏବେ ଟିକିଏ ଜେଲ୍ କଥା ମନେ ପକାଅ, ଯେଉଁଠି ତୁମ ଉପରେ ଶକ୍ତ ପାହାର ପଡୁଥିଲା- ଖାଇବାକୁ ପଶୁଙ୍କ ଖାଦ୍ୟ ମିଳୁଥିଲା- ଆଉ ଉପରୁ ନାନା ଗାଳିମନ୍ଦ ଖାଉଥିଲ? ଭୁଲିଗଲ କ’ଣ ସେଦିନ?
ଆଚ୍ଛା, ଏବେ ତୁମେ ଥରିଉଠୁଛ! ହଁ ଏବେ କାହିଁକି କମ୍ପିବ ନାହିଁ ! ମୁଁ ହିଁ ସେହି ଧନିକ ବେପାରୀ ପୁତ୍ର.. ମୁଁ ହିଁ ତୁମକୁ ଜେଲ୍ରୁ ମୁକ୍ତ କରିଛି… ତୁମ ବିପତ୍ତିର ଖବର ପାଇବା ମାତ୍ରେ ମୁଁ ଏଠୁ ବେଶ ବଦଳାଇ ତୁରନ୍ତ ଚାଲିଯାଇଥିଲି । ତୁମକୁ ଫସେଇଥିବା ସୁନ୍ଦରୀ ଜୁଆଡୀ ପାଖେ ପହଞ୍ଚି, ସେ ଜିତିବାର କୁଟ- କୌଶଳକୁ ଜାଣି ମୁଁ ହରେଇ ଦେଲି ।
ତା’ର ସମୁଦାୟ ସମ୍ପତ୍ତି ଏବଂ ସ୍ୱୟଂ ତାକୁ ମଧ୍ୟ ଜିତିଗଲି… ବିଶ୍ୱାସ ହେଉନଥିଲେ, ସେ ଜୁଆଡୀ ତ ଏଠି ଅଛି, ତାକୁ ପଚାରି ନିଅ ଯେ ସେ ମୋତେ ଚିହ୍ନିପାରୁଛି କି ନାହିଁ ।
ମୂର୍ଖ ପତି-ଅବିଶ୍ୱାସ କଲା ଏବଂ ଯାଇ ସୁନ୍ଦରୀ ଜୁଆଡୀକୁ ପଚାରିଲା । ସେ ଉତ୍ତର ଦେଲା- ହଁ, ସେଇ କଥା । ତୁମ ପତ୍ନୀ ସବୁ ସତ କହୁଛନ୍ତି ।
ଏହା ଶୁଣି ସେ ଚୁପ୍ ହୋଇଗଲା । ତା’ ମାତା, ନିଜର ସୁଯୋଗ୍ୟ ଏବଂ ଚତୁର ପୁତ୍ରବଧୂକୁ ନିଜ ବକ୍ଷରେ ଲଗାଇ ଅଖଣ୍ଡ ସୌଭାଗ୍ୟର ଆଶୀର୍ବାଦ ଦେଲେ… ।
କିନ୍ତୁ ନିଜ ପୁଅର କାଣ୍ଡକାରଖାନା ଶୁଣି ପିତା କ୍ରୋଧରେ କିଛି କହିପାରିଲେ ନାହିଁ । ପତ୍ନୀଙ୍କୁ କହିଲେ- ଏବେ ଜାଣିଲ ତ? ତୁମ ପୁଅ ମୂର୍ଖ, ବେବ୍କୁଫ୍ । ଏସବୁ ମାଲମତା, ଗହଣାଗାଣ୍ଠି ବୋହୂ ପାଖେ ହିଁ ରହିବ ଏବଂ ତାହାରି ହେବ । ଏଭଳି ସୁଶୀଳା ଝିଅ ଭଲା ଏ ଗଧ, ମହାମୂର୍ଖ ଗଳାରେ ବାନ୍ଧିବା ଉଚିତ୍ ଥିଲା କି?