ମୂଳହିନ୍ଦି: ଡା.ଶୀତାଂଶୁ ଭରଦ୍ୱାଜ
ପାର୍କରେ ବୁଲାବୁଲି ସାରି ଶ୍ୟାମବାବୁ ନିଜ ରୁମ୍ରେ ପହଂଚିଲେ । ଗୋଟିଏ କୋଣରେ ରଖିଦେଲେ ନିଜ ଆଶରା ବାଡି । ରେଡିଓର ସୁଇଚ୍ ଅନ୍ କରିଦେବା ମାତ୍ରେ କୌଣସି ଏକ ଆକାଶବାଣୀ କେନ୍ଦ୍ରରୁ ଭଜନର ସ୍ୱର ଭାସି ଆସିଲା । ଦୀର୍ଘ ନିଃଶ୍ୱାସ ଛାଡି ସେ ନିଜର ଅତି ପରିଚିତ ପୁରୁଣା ଆରାମ ଚେୟାରରେ ବସିଗଲେ ।
‘ଅଜା, ଚା’…’ ନିତୁ ତାଙ୍କ ପାଇଁ ଚା’ ଆଣିଛି । ସେ ସେହି କିଶୋରୀର ଚେହେରାରେ ନିଜର ପୁଅ, ଝିଅ, ନାତି-ନାତୁଣୀଙ୍କୁ ଖୋଜିବାରେ ଲାଗିଲେ ।
‘ଚା’ ନିଅନ୍ତୁ ନା, ଅଜା…’ ନିତୁ ତାଙ୍କ ଭାବନାରେ ବାଧା ସୃଷ୍ଟି କଲା । ଏଥର ହସି ହସି ସେ ନିତୁ ହାତରୁ ଚା’ କପ୍ ନେଲେ । ଚା’ ପିଉ ପିଉ ତାଙ୍କର ନିଜ ପତ୍ନୀ କଥା ମନେ ପଡିଲା । ସକାଳ ଓ ସନ୍ଧ୍ୟାରେ ସେ ତାଙ୍କ ପାଇଁ ତୁଳସୀ ପତ୍ର ଓ କଳା ମରିଚ ପକାଇ ଚା’ କରୁଥିଲେ । ସେହି ଚା’ରୁ ଢୋକେ ପିଇ ସେ ସତେଜ ହୋଇ ଉଠୁଥିଲେ ।
ପର ଲୋକମାନଙ୍କ ଭିତରେ ଚଳୁଥିବା ମଣିଷଟିର ନିଜ ଲୋକମାନଙ୍କ କଥା ମନେ ପଡିବା ସ୍ୱାଭାବିକ । ସେ ବି ପର ଲୋକମାନଙ୍କ ଚେହେରା ଭିତରେ ନିଜ ଲୋକମାନଙ୍କ ଚେହେରା ଖୋଜୁଥିଲେ । ଦିନେ ତାଙ୍କର ବି ଗୋଟିଏ ଭରପୂର ପରିବାର ଥିଲା । କିନ୍ତୁ ସେ ଚାକିରିରୁ ଅବସର ନେବା ପୂର୍ବରୁ ହିଁ ତାଙ୍କ ପରିବାରର ପ୍ରତ୍ୟେକ ଉଡନ୍ତା ଚଢେଇ ଉଡିଯାଇଥିଲେ । ବଡ ପୁଅ କାନପୁରର ଏକ କାରଖାନାରେ ବଡ ଇଞ୍ଜିନିୟର୍ ଓ ସାନ ପୁଅ ଅହମ୍ମଦାବାଦ୍ର ଏକ କପଡା ମିଲ୍ରେ ଚାକିରି କରିଛି । ପତ୍ନୀର ସବୁ ମାୟା ମମତା ସାନ ପୁଅ ପାଖରେ ହିଁ ଥିଲା । ସେଇଥିପାଇଁ ଗତ ପାଂଚ ବର୍ଷ ଧରି ସେ ତାରି ପାଖରେ ରହୁଥିଲା ।
ପତ୍ନୀକୁ ସେ ଖୁବ୍ ବୁଝାଇଥିଲେ, “ଭଲ ଭାବରେ ଚିନ୍ତା କର, କେଉଁଠି ରହିବ? ସ୍ଥାନ, କାଳ ପାତ୍ର ସର୍ବଦା ପରିବର୍ତ୍ତନଶୀଳ! ମୁଁ ଭାବୁଛି, ପୁଅ ବୋହୂ ତୁମକୁ ସୁଖରେ ରଖିପାରିବେ ନାହିଁ!…” ହେଲେ ପତ୍ନୀ ତାଙ୍କର ସବୁ କଥା କାଟିଦେଇଥିଲା ଓ ସାନର ଖୁବ୍ ପ୍ରଶଂସା କରିଥିଲା, “ସେ ଅଳ୍ପ ରୋଜଗାରୀ ହେଲେ ବି ପିଲାଟିଦିନୁ ମୋ ମନରେ ଦୁଃଖ ଦେଖିନି….ମୁଁ ତାରି ପାଖରେ ହିଁ ରହିବି!…”
“ଠିକ୍ ଅଛି, ସାନକୁ ବି ପରଖି ନିଅ ।” ଖୁସିରେ ସେ ପତ୍ନୀ କଥାରେ ସହମତି ଜଣାଇଥିଲେ ।
ସମୟ କେମିତି ମଣିଷକୁ ପ୍ରଭାବିତ କରେ, ସେକଥା ସେ ଅବସର ପରେ ହିଁ ହୃଦୟଙ୍ଗମ କରିଥିଲେ । ଅବସରର ଆଦେଶ ଆସିବା ମାତ୍ରେ ହିଁ ଅଫିସର୍ ତାଙ୍କ କ୍ୱାର୍ଟର୍ସକୁ ଅନ୍ୟ କର୍ମଚାରୀଙ୍କ ନାଁରେ ଆଲଟ୍ କରିଦେଇଥିଲେ । ବର୍ଷବର୍ଷ ଧରି ତାଙ୍କୁ ମୋହିତ କରିଥିବା କ୍ୱାର୍ଟର୍ସଟି ମାତ୍ର ଦୁଇ ଦିନରେ ଅନ୍ୟ ଜଣଙ୍କର ହୋଇଯାଇଥିଲା । ସେଦିନ ଘରେ ବସି ସେ ନିଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ବିଭିନ୍ନ ଭାବନାରେ ମଜ୍ଜି ଯାଇଥିଲେ । ସେତିକିବେଳେ କଲିଂବେଲ୍ ବାଜି ଉଠିଥିଲା । ନିଜ ଭାବନାରୁ ଫେରିଆସି କବାଟ ଖୋଲିଥିଲେ । ସେ କିଛି ପଚାରିବା ପୂର୍ବରୁ ଆଗନ୍ତୁକ ହସି ହସି ନିଜର ପରିଚୟ ଦେଇଥିଲା ।
“ଆଜ୍ଞା, ମୁଁ ଧୀରଜ କୁମାର…ବାଣିଜ୍ୟ ମନ୍ତ୍ରଣାଳୟରେ ଚାକିରି…”
“ଆସନ୍ତୁ, ଭିତରକୁ ଆସନ୍ତୁ ନା…” ହସି ହସି ସେ ପଛକୁ ପଛକୁ ଘୁଞ୍ଚି ଚାଲୁଥିଲା ।
ଦୁହେଁ ବୈଠକ ଘରେ ବସି କିଛି ସମୟ ଧରି ବିଭିନ୍ନ ଆଲୋଚନାରେ ମଜ୍ଜିଗଲେ । କିନ୍ତୁ ଯେତେବେଳେ ଧୀରଜ କୁମାର କହିଲେ, “ଆପଣ ଜାଣିଥିବେ ଏ ଘର ମୋ ନାଁରେ ଆଲଟ୍ ହୋଇଛି! କେବେ ଖାଲି କରୁଛନ୍ତି ଘର?…” ସେତେବେଳେ ସେ ଗୁଳିବିଦ୍ଧ ହେବା ପରି ଅନୁଭବ କଲେ । କ୍ଷୀଣ ଆହତ ସ୍ୱରରେ କହିଲେ, “ବୋଧେ ମାସେ ଖଣ୍ଡ ଲାଗିଯିବ!” ସେ ଖୁବ୍ ହଡବଡେଇ ଯାଇଥିବା ତାଙ୍କ ମୁଖ ମଣ୍ଡଳରୁ ବାରି ହେଉଥିଲା । ଧୀରଜ ବି ଏହା ଅନୁଭବ କରୁଥିଲା ।
“ଆରେ ପୁଅ…” ତାଙ୍କ ଆଖି ଓ ସ୍ୱରରେ ଆତ୍ମୀୟତା ଭାସିଆସୁଥିଲା ।
“ଆରେ ପୁଅ, ଯଦିଓ…”
“ହଁ, ହଁ କୁହନ୍ତୁ କ’ଣ, ରୁକିଗଲେ କାହିଁକି?” ଧୀରଜ କହିଲା ଆଉରି ଆତ୍ମୀୟତା ଢଙ୍ଗରେ ।
“ମୁଁ କହୁଥିଲି କି, ମତେ ମାତ୍ର ଗୋଟିଏ ରୁମ୍ ଭଡା ସୂତ୍ରରେ ଦେଲେ ଚଳନ୍ତାନି…” ସେ ସେହି ଘର ପ୍ରତି ମୋହ ଛାଡି ପାରୁନଥିଲେ ।
“ଭଡାରେ!…ସରକାରୀ କ୍ୱାର୍ଟର୍ସକୁ କ’ଣ ଭଡାରେ ଦିଆଯାଇପାରେ?…” ଧୀରଜ ଆଶ୍ଚର୍ଯ୍ୟ ହେଉଥିଲା ।
“ଆପଣ ଚାହିଁଲେ, ଦେଇପାରିବେ, କ୍ଷତି କ’ଣ?…ଅବସର ପରେ ମୋର ଏଇ ଅବସ୍ଥା ହେବ ବୋଲି ମୁଁ ଆଦୌ ଭାବି ନଥିଲି!” ମଥା ତଳକୁ କରି ସେ ଚିନ୍ତାରେ ବୁଡିଯାଇଥିଲେ ।
“ଠିକ୍ ଅଛି, ମୋ ପରିବାର ମଧ୍ୟ ଖୁବ୍ ଛୋଟ! ତଥାପି ପତ୍ନୀଙ୍କୁ ପଚାରି ଆପଣଙ୍କୁ କହିବି!…” ଚାଲିଯାଇଥିଲା ଧୀରଜ ।
ସେ ଅବସର ନେବା ପରଦିନ ତାଙ୍କର ପତ୍ନୀ ଆସିଥିଲେ । ତାଙ୍କୁ ସାଙ୍ଗରେ ଅହମ୍ମଦାବାଦ୍ ନେଇଯିବାକୁ ଚାହିଁଥିଲେ । ହେଲେ ସେ ତାଙ୍କୁ ବହୁ କଷ୍ଟରେ ବୁଝାଇ ପାରିଥିଲେ, “ଆରେ ମୁଁ ଅବସର ନେଲେ ବି ବୁଢା ତ ହୋଇନି! ଆଜି ବି ମୋ ବାହୂରେ ଶକ୍ତି ଅଛି! ତମେ ମାନେ ମୋ କଥା ଆଦୌ ଚିନ୍ତା କରନି!…” ପତ୍ନୀ ଅଚିନ୍ତାରେ ଅହମ୍ମଦାବାଦ୍ ଚାଲିଯାଇଥିଲେ ।
ତାଙ୍କର ଆଶା ଓ ବିଶ୍ୱାସ ସଫଳ ହେଲା । ଦୁଇ ଦିନ ପରେ ଧୀରଜ ପହଂଚି କହିଲା, “ମଉସା, ଆପଣ ମନ ଖୁସିରେ ଯେତେଦିନ ପର୍ଯ୍ୟନ୍ତ ଏଠାରେ ରହିପାରିବେ! ଆଉ ଆମେ ଖୁବ୍ ଶୀଘ୍ର ଏଠିକୁ ଚାଲିଆସିବୁ ।” ଏଭଳି କଥା ପଦେ ଶୁଣିବାକୁ ସେ ଅପେକ୍ଷା କରୁଥିଲେ । ଏଥର ସେ ଧୀରଜ ଆଡେ ଚାହିଁ ତା’ ଭିତରେ କିଛି ଖୋଜୁଥିଲେ । ସେ ତାକୁ ଅସୁମାରୀ ଆଶୀର୍ବାଦରେ ପୋତି ପକେଇଲେ । ମନେ ମନେ ତା’ର ମଙ୍ଗଳ ମନାସିଲେ ।
ଧୀରଜ ପରିବାରରେ ଧୀରଜ ଛଡା ତା’ର ପତ୍ନୀ ଦିବ୍ୟା ଓ ଝିଅଟିଏ ଥିଲେ । ସେମାନେ ଦୁଇଟି ରୁମ୍ରେ ଆରାମରେ ରହିଯାଇ ପାରିଲେ । କ୍ରମେ ସେମାନେ ତାଙ୍କୁ ନିଜ ବାପା ଭଳି ସମ୍ମାନ ଦେବାକୁ ଲାଗିଲେ ।
ସେ ଘରଭଡା କଥା ଉଠାଇବା ମାତ୍ରେ ଧୀରଜ ବିରକ୍ତ ହେଉଥିଲା । ଧୀରଜର ଝିଅ ନୀତୁ ଅତି ସତର୍କତାର ସହ ତାଙ୍କର ଖିଆପିଆ ଦାୟୀତ୍ୱ ବୁଝୁଥିଲା ।
ଶ୍ୟାମବାବୁ ସକାଳେ ଚା’ ପିଇ ସାରିଥିଲେ । ଆଲମାରୀରୁ ପୁରୁଣା ଡାଏରୀ ଆଣି ଖେଳେଇବାକୁ ଲାଗିଲେ । ସେଥିରେ ତାଙ୍କର ଟୁକୁଡା ଟୁକୁଡା ଇତିହାସ ଲେଖାଥିଲା । ଡାଏରୀ ଲେଖିବା ତାଙ୍କର ପୁରୁଣା ଅଭ୍ୟାସ । ସେ ନୂଆ କରି ଚାକିରି କରୁଥିଲାବେଳେ ପ୍ରତିଦିନ ଶୋଇବା ପୂର୍ବରୁ ବିତା ଦିନର ଘଟଣାବଳୀ ଲେଖୁଥିଲେ । ସେଥିରେ ସେ ନିଜ ଜୀବନର ଅନୁଭୂତି ମଧ୍ୟ ଲେଖୁଥିଲେ । ଦିନେ ରାତିରେ ପତ୍ନୀ ତାଙ୍କୁ କୈଫିୟତ ମାଗିଥିଲେ, “ଏଗୁଡା ଲେଖିବାରେ ତମକୁ ମିଳୁଛି କ’ଣ?”
“ଇୟେ ତ ମୋର ପୁରୁଣା ଅଭ୍ୟାସ!” ହସିଥିଲେ ପତ୍ନୀ ।
“ୟା’କୁ କ’ଣ ଲେଖିବ?…ପତ୍ନୀ ନିଜ ବାହୁ ବେଷ୍ଟନୀ ମଧ୍ୟରେ ତାଙ୍କୁ ଯାବୋଡି ଧରିଥିଲେ ।
“ଆମ ନିଜର ଜୀବନ ହିଁ ଏକପ୍ରକାର ଅନୁସନ୍ଧାନ ମୂଳକ ଡାଏରୀ! ଆପଣ ତ ତା’ଉପରେ ନିଜର ଛାପ ଛାଡୁଛନ୍ତି!’
ସତରେ ପତ୍ନୀ କେତେ ସଠିକ୍ କଥା କହିଥିଲେ ସେଦିନ! ବସ୍ତୁତଃ ଆମ ଜୀବନ ସତରେ ଗୋଟିଏ ଅନୁସନ୍ଧାନ ମୂଳକ ଡାଏରୀ ସହ ସମାନ! ସମୟ ତା’ଉପରେ ସ୍ୱାଭାବିକ ଭାବେ ଜୀବନର ଜଳଛବି ଛାଡିଦେଇଥାଏ!…
ପତ୍ନୀ ତାଙ୍କ ଠାରୁ ବହୁ ଦୂରରେ ଥିଲେ ମଧ୍ୟ ତାଙ୍କର ପ୍ରତିଟି ବାକ୍ୟ ଜୀବନର ଫର୍ଦ୍ଦ ଉପରେ ଅଙ୍କିତ ଥିଲା । ସାରା ଦିନର କର୍ମଚଞ୍ଚଳ ଜୀବନରେ ବି ସେ ସେତେବେଳେ ଡାଏରୀର ଫର୍ଦ୍ଦଗୁଡିକ ରଙ୍ଗଉଥିଲେ ।
ହଠାତ୍ ଡାଏରୀର ଗୋଟିଏ ଫର୍ଦ୍ଦ ଉପରେ ତାଙ୍କର ନଜର ଅଟକିଗଲା । ସେହି ଫର୍ଦ୍ଦଟି ସ୍କେଚ୍ ପେନ୍ରେ ଲେଖାଥିଲା, ‘ଭବିଷ୍ୟନିଧି ପାଣ୍ଠି ଆମର ତୃତୀୟ ସନ୍ତାନ ଅଟେ!’ ଏହା ଦିନେ ସେ ଅଫିସ୍ରେ ସହକର୍ମୀଙ୍କ ସହ ଆର୍ଥିକ ସଂକଟ ଓ ମହଙ୍ଗା ବିଷୟରେ ଚର୍ଚ୍ଚା କରୁଥିବା ଦିନର ଘଟଣାବଳୀ ଥିଲା । ସେ ନିଜର ସହକର୍ମୀ ଦୁର୍ଗା ଦାସ ସହିତ ଖାଉଥିଲେ । ଆର୍ଥିକ ଅନଟନକୁ ନେଇ ସେମାନେ ଭବିଷ୍ୟତ ଉପରେ କଥା ହେଉଥିଲେ ।
“ଶ୍ୟାମବାବୁ, ଜଣେ କର୍ମଚାରୀ ପାଇଁ ଭବିଷ୍ୟନିଧି ତା’ର ତୃତୀୟ ସନ୍ତାନ ଭଳି କାମରେ ଆସେ!”
“ମୁଁ ତ ଏକଥା ବୁଝିପାରୁନି!…” ଅବୁଝା ଢଙ୍ଗରେ ଶ୍ୟାମବାବୁ ତା’ ଆଡେ ଚାହିଁ ରହିଲେ ।
“ଆରେ ଭାଇ, ବୃଦ୍ଧାବସ୍ଥାରେ ଯଦିଓ ସନ୍ତାନ ନପଚାରନ୍ତି, ତେବେ ଏହି ଭବିଷ୍ୟନିଧି ଅନ୍ଧର ଲଉଡି ଭଳି କାମ କରେ!” ଦୁର୍ଗା ଦାସର ହାତ ଶ୍ୟାମବାବୁଙ୍କ କାନ୍ଧ ଉପରେ ଲାଗିଥିଲା ।
“କି ବେକାର କଥା କହୁଛ! ଆମେ ଯେଉଁମାନଙ୍କ ପାଇଁ ସବୁକିଛି କରୁଛେ, ସେମାନେ ଆମକୁ କିପରି ହତାଦର କରିବେ?” ଜୋର୍ ଦେଇ କହିଲେ ଶ୍ୟାମବାବୁ ।
“ମୋ କଥା ବେକାର! ଶୁଣ ଭାଇ, ଭାବବିହ୍ୱଳତା ଛାଡ! ସମୟ ହିଁ ଏହାର ଜବାବ ଦେବ!” ଦୁର୍ଗା ଦାସ ଗମ୍ଭୀର ଦେଖା ଯାଉଥିଲେ ।
“ଅବସରପ୍ରାପ୍ତ ମଣିଷଟି କେତେ ସମସ୍ୟା ଭିତରେ ଜୀବନ ବିତାଏ । ଏହା ଭୁକ୍ତଭୋଗୀ ହିଁ ଅନୁଭବ କରିପାରିବ! ‘ଜି’ ବ୍ଲକ୍ ର ଗୋବିନ୍ଦବାବୁଙ୍କ ସହିତ କ’ଣ ନହେଲା? ତାଙ୍କର ତିନି ତିନିଟା ପୁଅ! ପୁଅବୋହୂଙ୍କ ପାଇଁ ସେ କେତେ ଖୁସି ହେଉଥିଲେ! କିନ୍ତୁ ପରେ କ’ଣ ହେଲା?…କେତେ କଷ୍ଟ ଯନ୍ତ୍ରଣା ନ ଭୋଗିଛନ୍ତି ସିଏ! ସେ ତ ନିଜେ ପ୍ରତ୍ୟେକ୍ଷ ପ୍ରମାଣ! କ’ଣ ଭୁଲିଗଲେଣି ଏ କଥା? ନିଜ ରୋଜଗାରର ସବୁ ପଇସା ଖର୍ଚ୍ଚ କରି ପୁଅମାନଙ୍କୁ ମଣିଷ କରିଥିଲେ! ହେଲେ ପରେ ସ୍ୱାମୀ-ସ୍ତ୍ରୀ ପେଟ ପାଇଁ ମୁଠାଏ ଦାନା ବି ପାଇନଥିଲେ!” ଦୁର୍ଗା ଦାସ୍ ଉଦାହରଣ ଦେଇଥିଲେ ।
ସମୟ ବଡ ବଳବାନ୍ । ସେ ବି ଦୁଇ ପୁଅଙ୍କ ପାଇଁ ସବୁକିଛି କରିଥିଲେ । ବଡପୁଅ କମ୍ ମାର୍କ ରଖିଥିବାରୁ ଇଞ୍ଜିନିୟରିଂ କଲେଜରେ ଭର୍ତ୍ତି ହୋଇପାରୁନଥିଲା । କିନ୍ତୁ ତାକୁ ଇଞ୍ଜିନିୟରିଂ ପଢେଇବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ଅନ୍ୟ କଲେଜରେ ଅତ୍ୟଧିକ ଡୋନେସନ୍ ଦେବାକୁ ପଡୁଥିଲା । ସେଥିପାଇଁ ତା’ ମା’ନିଜର ସବୁ ଗହଣା ଓହ୍ଲେଇ ଦେଇ ତାଙ୍କ ହାତରେ ଧରାଇ ଦେଇଥିଲା । କିନ୍ତୁ ସେ କହିଲେ, “ଏସବୁ ବିକିବା ଦରକାର ନାହିଁ! ମୁଁ ମୋ ଭବିଷ୍ୟନିଧି ପାଣ୍ଠିରୁ କିଛି ଉଠାଇଆଣିବି!” ପରଦିନ ପୁଅକୁ ଇଞ୍ଜିନିୟର୍ କରେଇବା ପାଇଁ ସେ ତାଙ୍କର ଭବିଷ୍ୟନିଧି ପାଣ୍ଠିର ୭୫ ଭାଗ ଅର୍ଥ ଉଠାଇ ଆଣିଥିଲେ । ପୁଅମାନଙ୍କ ଭବିଷ୍ୟତକୁ ନଜରରେ ରଖିବା ସହ ନିଜ ବୃଦ୍ଧାବସ୍ଥାରେ ସାହାରା ଆଶାରେ ପେଟକୁ ମାରି ବଡପୁଅକୁ ଇଞ୍ଜିନିୟର୍ କରିଥିଲେ । ପଢା ଶେଷ ପରେ ପରେ ତାକୁ ଚାକିରି ମିଳିଯାଇଥିଲା । ଏହାର ଅଳ୍ପ ଦିନ ପରେ କାନପୁରର ଗୋଟିଏ ଝିଅକୁ ବିବାହ କରିବା ପାଇଁ ଠିକ୍ କରି ତାଙ୍କୁ ଜଣାଇଥିଲା । ଏଣେ ସେମାନେ ତା’ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଠିକ୍ କରି ସାରିଥିଲେ । ମାତ୍ର ସେମାନେ ବାଧ୍ୟ ଶିଶୁ ଭଳି ପୁଅ ପସନ୍ଦରେ ନିଜ ପସନ୍ଦର ମୋହର ଲଗାଇଥିଲେ । ସେତେବେଳେ ପୁଅ ତ ସେମାନଙ୍କର ଭବିଷ୍ୟନିଧି ଠାରୁ ଅଧିକ ବଡ ଥିଲା । ଅବସର ପରେ ନିଜର ଅବସ୍ଥା କଥା ଆଦୌ ଭାବିନଥିଲେ ।
“ହେଇ ଶୁଣିଲଣି, ପାଖ ଗାଁର ବିଶୋଇ ତା’ କୋଠା ବିକୁଛି!” ପତ୍ନୀଙ୍କୁ ଶ୍ୟାମବାବୁ ବୁଲି ଚାହିଁଲେ, “ମାନେ?”
“ତମେ ତାକୁ ଖର୍ଦ୍ଦି କର…ନା…” ପତ୍ନୀ ଖୁବ୍ ଆଗ୍ରହରେ କହିଲେ ।
“ଖୁବ୍ ଶସ୍ତାରେ ମିଳୁଛି! ଦଶ ହଜାର ଟଙ୍କା ମାତ୍ର!”
“ଏକଥା ଛାଡ । ଆରେ, ଯାହାର ପୁଅ ଇଞ୍ଜିନିୟର, ତା’ର କୋଠାରେ କ’ଣ ଅଭାବ ରହିବ!” ସେ ଗୁରୁତ୍ୱହୀନ ଭାବେ କହିଲେ ।
“ମୁଁ ଭାବୁଛି, ଆମ ବୃଦ୍ଧାବସ୍ଥାରେ…” ପତ୍ନୀ ବୁଝାଇବା ଢଙ୍ଗରେ କହିଲେ ।
“ଆରେ ଭବିଷ୍ୟତ କଥା କ’ଣ ଚିନ୍ତା କରୁଛ? ଦେଖିବ ରୁହ, ଆମେ ଆମର ବାର୍ଦ୍ଧକ୍ୟତା ଅତି ସୁଖରେ କଟାଇବା! ଆମର ପରା ଦୁଇ ଦୁଇଟା ରୋଜଗାରିଆ ପୁଅ! ହୃଦୟଟା ଏତେ ଛୋଟ କରିଦେଉଛ କାହିଁକି?” ସେ ସ୍ୱପ୍ନ ଦେଖିବାକୁ ଲାଗିଲେ ।
କିନ୍ତୁ ସମୟକ୍ରମେ ପୁଅମାନେ ତାଙ୍କୁ ଧୋକ୍କା ଦେଇଥିଲେ । ତାଙ୍କର ଅବସର ଗ୍ରହଣ କରିବାର ପାଂଚ ବର୍ଷ ପୂର୍ବରୁ ଇଞ୍ଜିନିୟର ପୁଅ ବାହା ହେବା ପରେ ପରେ କୁଆଡେ ଉଡିଯାଇଥିଲା ।
“ବାପା, ଆପଣ ତ କହନ୍ତି, ମଣିଷ କେବେ ଅନ୍ୟର ଦ୍ୱାରସ୍ଥ ହେବା ଉଚିତ ନୁହେଁ!” ଦିନେ ବଡପୁଅ କହିଥିଲା ।
“ସେ କଥା ମୁଁ ଏବେ ବି ତ କହୁଛି! ହେଲେ କାହିଁକି କ’ଣ ହେଲା କି?” ସେ ଛେପ ଢୋକି ପଚାରିଥିଲେ ।
“ବାପା, ମୁଁ ମୋର ବଦଳି କାନପୁରକୁ କରିବାକୁ ଚାହୁଁଛି! ସୁଧାକୁ ଏହି ପରିବେଶ ଭଲ ଲାଗୁନି!”
“ମାନେ ତୁ ଘରଜୋଇଁଆ ରହିବୁ?…” ସେ ଆଶ୍ଚର୍ଯ୍ୟମିଶା ଚଢା ଗଳାରେ ପଚାରିଲେ ।
“ଏକଥା ନୁହେଁ ବାପା, ସୁଧାର ଦେହ ଏଠାରେ ଭଲ ରହୁନି! ସେଇଥିପାଇଁ କହୁଛି ।” ସେ ନରମ ସ୍ୱରରେ ଯୁକ୍ତି ବାଢିଲା ।
ସେତେବେଳକୁ ବୋହୂ ହାତରେ ପୁଅ କାଠକଣ୍ଢେଇ ପାଲଟିଯାଇଥିଲା । ମା’ବହୁ ବୁଝାଇବା ସତ୍ତ୍ୱେ ସେ ବୁଝି ନଥିଲା । ସେ ନିଜ ପତ୍ନୀ ସହ କାନପୁର ଚାଲିଯାଇଥିଲା । କିଛିଦିନ ପର୍ଯ୍ୟନ୍ତ ଚିଠି ଦେଉଥିଲା । ଧୀରେ ଧୀରେ ଚିଠି ବି ବନ୍ଦ୍ କରିଦେଲା ।…
“କ’ଣ ଭାବୁଛ ମଉସା, ସବୁବେଳେ କାହିଁକି ଚିନ୍ତା କରୁଛ? ଏଠି କିଛି ଅସୁବିଧା ହେଉଛି କି?” ଦିନେ ଧୀରଜ ପଚାରିଥିଲା ।
“ଏକଥା ନୁହଁ! ବେଳେ ବେଳେ ପୁରୁଣା ଦିନ କଥା ମନେ ପଡୁଛି! ଆରେ ପୁଅ, କେହି ନିଜ ଅତୀତକୁ ଭୁଲିପାରେ?”
“ଆପଣଙ୍କୁ କେତେ ପେନ୍ସନ୍ ମିଳୁଛି ମଉସା?” ପାଖରେ ପଇସାପତ୍ର ନଥିବ ଭାବି ପଚାରିଦେଲା ଧୀରଜ ।
“ବେଶୀ କିଛି ନୁହେଁ, ଏଇ ପାଞ୍ଚଶହ ଟଙ୍କା ମିଳୁଛି! ଅଧା ପେନ୍ସନ୍ ତ ମୁଁ ପୂର୍ବରୁ ଉଠାଇ ଦେଇଥିଲି!”
“ଆଁ…ଆପଣଙ୍କୁ ପେନ୍ସନ୍ ପଇସାରେ ହାତ ଲଗେଇବାର ଉଚିତ ନଥିଲା ।” ଧୀରଜର କଥା ତାଙ୍କୁ ଗୁଳିବିଦ୍ଧ ଭଳି ଲାଗିଲା ।
ସେ ‘ଉଚିତ’ ଶବ୍ଦକୁ ବ୍ୟାଖ୍ୟା କରିବାରେ ଲାଗିଲେ । ସେ ତ ବାପ ହିସାବରେ ପିଲାମାନଙ୍କୁ ନିୟନ୍ତ୍ରଣ କରିବାର ଉଚିତ ଥିଲା । ହେଲେ ତାହା ସେ କରିପାରି ନାହାଁନ୍ତି । ନିଜ ରାସ୍ତାରେ ନିଜେ ନିଜେ ଚାଲିଗଲେ । ସେ କେବେ ବି ତ ସେମାନଙ୍କ ଆଶା-ଆକାଂକ୍ଷାରେ ବାଧା ଦେଇନାହାଁନ୍ତି ।…
“ଆରେ ପୁଅ, ମୁଁ ସେମାନଙ୍କର ଅମଙ୍ଗଳ ଚାହୁଁନି! ସବୁଦିନ ଭଗବାନଙ୍କୁ ପ୍ରାର୍ଥନା କରୁଛି, ସେମାନେ ସୁଖରେ ରହନ୍ତୁ ।” କହି ସେ ଧୀରଜକୁ ଘରଭଡା ବାବଦକୁ କିଛି ଟଙ୍କା ଯାଚିଲେ ।
“ଏ କ’ଣ କରୁଛନ୍ତି ମଉସା, ଆପଣ ତ ଆମର ବାପ ସମାନ! ଆପଣଙ୍କ ଠାରୁ ଘରଭଡା ନେବି?… ମୁଁ ପେନ୍ସନ୍ କଥା ପଚାରିଦେଲି ବୋଲି ଖରାପ ଭାବିଲ କି?…”
“ସେକଥା ନୁହଁ, ମାଗଣାରେ ମୁଁ ଆଉ ଏଠି ରହିପାରିବିନି! ଆଖପାଖରେ ଘରଟିଏ ବୁଝି ପଳେଇବି!” ସେ ଅଭିମାନରେ କହିଲେ ।
“ଆମକୁ ଛାଡି କୁଆଡେ ଯାଇପାରିବେ ନାହିଁ ମଉସା! ଆମର ଆପଣଙ୍କ ଉପସ୍ଥିତି ଦରକାର!” ଧୀରଜଙ୍କ କଣ୍ଠ ସ୍ୱରରେ ଖୁବ୍ ଆତ୍ମୀୟତା ଭରି ରହିଥିଲା । ନିଜ ଲୋକ ଅପେକ୍ଷା ପରଲୋକ ତାଙ୍କ ଉପସ୍ଥିତି କାମନା କରୁଛନ୍ତି! ସେ ଆଶ୍ଚର୍ଯ୍ୟ ହୋଇଗଲେ ।
“ଆରେ ପୁଅ, ଏମିତି କହୁଛୁ ଯେ, ସାପ ମରିବନି କି ବାଡି ଭାଙ୍ଗିବନି! ଠିକ୍ ଅଛି, ଗୋଟିଏ କାମ କର, ମତେ ପେଇଁଙ୍ଗ ଗେଷ୍ଟ୍ ଭାବରେ ରଖିନିଏ!” ବୁଝାମଣା ଢଙ୍ଗରେ ସେ ପ୍ରସ୍ତାବ ଦେଲେ ।
“ଠିକ୍ ଅଛି, ଆପଣ କୌଣସି ପ୍ରକାରେ ସଂକୋଚ କରିବେ ନାହିଁ ।” ଧୀରଜ କହିଲା । ସେ ମଧ୍ୟ ପ୍ରତିଶ୍ରୁତି ଦେଲେ ।
ସେଦିନ ଠାରୁ ଏହି ଘରେ ସେ ଆରାମରେ ରହିବାକୁ ଲାଗିଲେ । ଏଠାରେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ ପତ୍ନୀ ପାଖକୁ ଚିଠି ଲେଖି ଜଣାଇ ଦେଲେ ।
“ଆପଣଙ୍କୁ ଯାହା ପେନ୍ସନ୍ ଟଙ୍କା ମିଳୁଛି, ସବୁ ତ ଆମକୁ ଦେଉଛନ୍ତି, ହାତଖର୍ଚ୍ଚ କିପରି କରୁଛନ୍ତି?” ଦିନେ ଦିବ୍ୟା ତାଙ୍କୁ ପଚାରିଲା ।
“ଆରେ ଝିଅ, ବୁଢାଦିନେ ହାତଖର୍ଚ୍ଚର ଦରକାର ପଡେନି!”
“ତଥାପି ଆପଣ ନିଷ୍କ୍ରିୟ ତ ହୋଇନାହାଁନ୍ତି!”
“ସତକଥା, ଏବେ ବି ମୁଁ ବହୁ କିଛି କରିପାରିବି! ଅବସର ପରେ କାମ ଖୋଜିଥିଲି, ମିଳିଲାନି!”
“ଆପଣଙ୍କ ପାଇଁ ଭଲ କାମଟିଏ ଅଛି, କରିବେ?”
“ନିଶ୍ଚୟ କରିବି ମାଆ, ଦେଖୁନୁ ବସି ବସି ଏଣୁତେଣୁ ଭାବିବାକୁ ପଡୁଛି! କିଛି ଗୋଟିଏ କାମରେ ରହିଲେ, ଦେହ, ମନ ଭଲରେ ରହିବ!” ଖୁସି ହୋଇ ସେ କହିଲେ ।
“ଆପଣ ଆମର ଏହି କଲୋନୀର ବିଜୁଳି ବିଲ୍ ଜମା କରିବାର ଦାୟୀତ୍ୱରେ ରୁହନ୍ତୁ!”
“ଠିକ୍ ଅଛି, ତମେ କଥାବାର୍ତ୍ତା କର ।” ସେ ଆନନ୍ଦରେ ରାଜି ହୋଇଗଲେ ।
ପରବର୍ତ୍ତୀ ମାସ ଠାରୁ ସେ କଲୋନୀର ସମସ୍ତ ବିଲ୍ ଜମା କରି ଚାଲିଲେ ।
“ଅଜା, କ’ଣ କରୁଛ?…” ହଠାତ୍ ନିତୁର କଣ୍ଠସ୍ୱରରେ ସେ ବର୍ତ୍ତମାନକୁ ଫେରିଆସିଲେ ।
“ପୁରୁଣା ଡାଏରୀ ଦେଖୁଛି!”
“ଆଚ୍ଛା ଅଜା, ଡାଏରୀ ଲେଖିବାରେ ଲାଭ କ’ଣ?”
“ଏଥିରେ ବହୁତ ଲାଭ ଅଛି! ଆମର ଇତିହାସ ସୁରକ୍ଷିତ ରହେ!”
“ତାହେଲେ ତ ମୁଁ ସବୁଦିନେ ଡାଏରୀ ଲେଖିବି!”
“ନିଶ୍ଚୟ ଲେଖିବା ଉଚିତ! ଅତୀତ ସହିତ ବର୍ତ୍ତମାନ ତ ଏକଦମ୍ ଯୋଡି ହୋଇଯାଏ!”…
ନିତୁର ଏଭଳି ଅନେକ କଥାର ଉତ୍ତର ସେ ସରଳ ଭାବରେ ବୁଝାଇଦେଲେ । ତାଙ୍କ କଥାଗୁଡା ନିତୁକୁ ଖୁବ୍ ଭଲ ଲାଗିଲା । ନିତୁ ଚାଲିଯିବା ପରେ ପୁଣି ସେ ଏକ୍ଲା ହୋଇଗଲେ । କିଛି ସମୟ ପରେ ନିତୁ ତାଙ୍କ ପାଇଁ ଖାଇବାକୁ ନେଇଆସିଲା ।
ଏମିତି ଦିନ ବିତିବ, ରାତି ଆସିବ ଓ ପୁଣି ଦିନ ହେବ! ସମୟ ଟୁକୁରା ଟୁକୁରା ହୋଇ ଇତିହାସ ହୋଇଯିବ! ସେ ବି ସେହି ଇତିହାସର ଏକ ଟୁକୁରା ହୋଇ ରହିଯିବେ! ପରଲୋକଙ୍କ ମଧ୍ୟରେ ମିଳୁଥିବା ସୁଖ ସେହି ଇତିହାସର ସୁଗନ୍ଧକୁ ମହକେଇବ! ସମୟ ଏମିତି ବିତି ଚାଲିବ!….