ମୀତା ସରିତା ଦୁହେଁ ଭାରି ସାଙ୍ଗ । ଦୁହେଁ ଦୁହିଁଙ୍କୁ ଚିହ୍ନିଛନ୍ତି ପ୍ରାୟ ପନ୍ଦର ବର୍ଷ ତଳୁ । ଘର ଖୋଜାରୁ ଚିହ୍ନା । ଅଭିଆଡ଼ି ଝିଅ ବାଡୁଅ ପୁଅଙ୍କ ପାଇଁ ଘରଭଡ଼ା ସତେ ମନା । ବିବାହିତ ହେଲେ ଚଳିବ । ପିଲାଛୁଆଙ୍କୁ ନେଇ ଚଳିଲେ ଭଲ । ବହୁତ ଦଉଡ଼ି ଦଉଡ଼ି ଘର ଖଣ୍ଡେ ମିଳିଛି । ଅନଉଁ ଅନଉଁ ୟା’ ଭିତରେ ପନ୍ଦର ବର୍ଷ ବିତିଗଲାଣି । ଆଜିପରି ଲାଗୁଛି । ବାଟରେ ଘାଟରେ ସଂପର୍କ ଯୋଡେ, ପଡେବି । କେହି କାହାର ବନ୍ଧୁ ନୁହନ୍ତି । ପାଖ ପଡ଼ିଶା ଜାଣନ୍ତି ଦୁହେଁ ମାଉସୀ ଝିଅ ଭଉଣୀ । କଥା ହେଲେ ରାତି ପାହିଯାଏ । ଧାଡ଼ିନାଡ଼ି ଥାଉ କି ନଥାଉ ଉଭୟ ଉଭୟଙ୍କ କଥା ଶୁଣନ୍ତି । ବୁଝନ୍ତି । ଏମିତି କେଉଁ କଥା ନାହିଁ ଯାହା ଉଭୟଙ୍କ ଅଗୋଚରରେ ରହେ ।
ମୀତା ଟିକେ ଲୋଭୀ । ସରିତାର ଲୋଭଅଛି । ସେ କିନ୍ତୁ ଅତି ଚାଲାଖି । ଛଳନାର ଘେରରେ ରହି ଚାଲୁଥିବା ନାରୀଟିଏ । କଥା କଥାରେ ଝାଡ଼ି ପକାଇବାର ଗୁଣ ବି ଅଛି । ମୀତାର ବଡ଼ଭାଇ ମିଟୁ ମଝିରେ ମଝିରେ ଆସନ୍ତି । ସମ୍ପର୍କର ସେତୁ ମୀତାର ଅଜାଣତରେ ସରିତା ସହିତ ଯୋଡ଼ି ହୋଇଗଲାଣି । ହାଟରେ ନ ପଡ଼ିଲେ ବି ଉଭୟ ଉଭୟଙ୍କୁ ଭଲ ଭାବରେ ଦେଖିନେଇଛନ୍ତି । ଦୁନିଆର ରଙ୍ଗମଞ୍ଚ ସବୁବେଳେ ଏକତରଫା । ଭଲକୁ ଆଦର କମ୍ । ପଦାରେ ପଡୁଥିବା ଲୋକ ସବୁବେଳେ ଆଗରେ । ମୀତା ଏବେ ଅନୁଭବ କରୁଛି ସରିତା ଟିକେ ଟିକେ ଛାଡ଼ିଛାଡ଼ି ଯାଉଛି । ତା’ର ହାବଭାବରୁ ଜଣାପଡୁଛି ପରିବର୍ତ୍ତନର ଛାପ । ଏମିତି ହୁଏ । ବୟସର ଛାପ ଲାଗିଲେ ଆନମନା ହେବା କିଛି ବଡ଼କଥା ନୁହେଁ ।
ସରିତା ସରକାରୀ କର୍ମସଂସ୍ଥାନ ଅଫିସ୍ର ଜଣେ କିରାଣି । ବଦଳି ଚାକିରି । ବହୁତଦିନ ରହିଗଲା ଭୁବନେଶ୍ୱରରେ । ଏବେ ସରିତାକୁ ଯିବାକୁ ହେବ ତା’ର ବଦଳି ଜାଗା ସୁଦୂର ଭବାନୀପାଟଣା । ମୀତା ବସି ଭାବୁଛି । ଏବେ ସେ ଏକୁଟିଆ ହୋଇଯିବ । ହଉ! ଏଇତ ଦୁନିଆର ନୀତି । ଦୁଃଖ ଲାଗିଲେ ବି କେତେ । ସୁଖରେ ବୁଡ଼ି ରହିଲେ ବି କେତେ । ସବୁକୁ ନେଇ ଏ ମଣିଷ ଚାଲିଛି କେଉଁ କାଳରୁ । ମୀତା ବି ଚାଲିବ । ବଞ୍ଚିବାକୁ ହେଲେ ତ କର୍ମ କରିବାକୁ ପଡ଼ିବ । ସରିତା ଚାଲିଯାଇଛି । ଛାଟିପିଟି ହେଉଛି ମୀତା । ହଁ ଏମିତି କେତେଦିନ ଲାଗିବ । ମନଘର ଧରିବାକୁ ସମୟ ଲାଗେ । ମନକୁ ବୁଝାଇ ଚାଲିବା ମଣିଷର ବଡ଼ କର୍ତ୍ତବ୍ୟ । ମୀତାର ଭାଇ ମଝିରେ ମଝିରେ ଆସନ୍ତି । ଦୁଇ ଚାରିଦିନ ରହି ଫେରିଯାଆନ୍ତି ଗାଁକୁ । ପାଣିପାଗ ବଦଳିଲା ପରି ମୀତା ମନକୁ ବଦଳାଇବାକୁ ଚେଷ୍ଟା ଜାରି ରଖିଛି ।
ସରିତା ଯେଉଁଠାକୁ ଗଲେ ବାନ୍ଧିବସେ ସଂପର୍କ । ଗାଁକୁ ଗଲେ ସାଧୁଆ ଦାଦିପୁଅ ଭଗିଆ ରଖେଇ ବସେଇ ଦିଏନି । ଓରଉଣ୍ଡି ପାଖେଇ ଆସେ ସରିତା ପାଖକୁ । ବଜାରକୁ ଗଲେ ଫଳ ଦୋକାନୀ ଶାମ କାହିଁକି କେଜାଣି ଦି’ପଦ କଥା ନହେଲେ ଫଳ ଦି’ଟା ସରିତାକୁ ନ ଦେଲେ ଲାଗେ ସେ କର୍ତ୍ତବ୍ୟରେ କିଛି ତ୍ରୁଟି କରିଦେଲା । ବେଳେବେଳେ ସେ ସୁଦୂର ଭବାନୀପାଟଣା ଯିବାକୁ ମଧ୍ୟ ପଛାଇନାହିଁ । ସରିତାର ବାରଣ ସତ୍ତ୍ୱେ ।
ଭବାନୀପାଟଣା ଏବେ ପଡୁଛି ଉଠୁଛି । ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜର ମହିଳା ଜଣଙ୍କ ଭଲ ନାଅାଁ କରିଗଲେଣି । ଜଣେ ଉଚ୍ଚପଦସ୍ତ କର୍ମଚାରୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇଗଲେଣି । ସରିତା ଓ ସ୍ୱରୂପ ରାୟ ଯୋଡ଼ିଙ୍କ ବିଷୟରେ ଭଲ ଚର୍ଚ୍ଚା । ପାର୍କଠୁ ସିନେମା ହଲ, ହୋଟେଲ ସବୁଠି ଦେଖିବାକୁ ମିଳେ । ଭବାନୀପାଟଣା ବାହାରକୁ ମଧ୍ୟ ଉଭୟେ ଯାଇ ରାତି ରାତି କଟେଇବା ଅଭ୍ୟାସରେ ପଡ଼ିଗଲାଣି । ସେଠି ସମସ୍ତେ ଜାଣନ୍ତି ଦୁଇଜଣ ସ୍ୱାମୀ ସ୍ତ୍ରୀ ବୋଲି ।
ସରିତାର ମା’ର ଦେହ ଖରାପ । ଲମ୍ବା ଧାଡ଼ିରେ ଥିବା କାହାକୁ ଗାଁ ପାଖର ଭାଇ ତ କାହାକୁ ମାମୁ ପୁଅ ତ କାହାକୁ ମଉସା ପୁଅ ସମସ୍ତେ ସହଯୋଗର ହାତ ବଢ଼ାଇ ଦେଇଛନ୍ତି । ଦରକାର ପଡ଼ିଲା ରକ୍ତ । ଯିଏ ରକ୍ତ ଦେଲେ ସେମାନେ ବି ନିଜର ହୋଇଗଲେ । ସରିତାକୁ ଆପଣେଇବାର କଳା ଜଣା । କାମ ସରିଗଲେ ସରିଲା ।
ଶାଢ଼ି ଗହଣାକୁ ଭାରି ଲୋଭ ସରିତାର । ଖାଇବାକୁ ବି । ଆହୁରି ବେଶି ଲୋଭ ଲମ୍ବା ଚଉଡ଼ା ଛାତି ଥିବା ମଣିଷକୁ । ଡେଙ୍ଗା ଗୋରା ତକ୍ତକ୍ ମରଦଙ୍କୁ । ସାଧାରଣତଃ ସୁନ୍ଦର ବଳିଷ୍ଠ ଡେଙ୍ଗା ଯୁବକମାନଙ୍କୁ ଯେ କୌଣସି ଯୁବତୀ ଭ୍ରମରେ ପଡ଼ିବା କିଛି ନୂଆ କଥା ନୁହେଁ । ଯିଏ ଥରେ ମିଶିଲା ସେ ଲମ୍ବା ଧାଡ଼ିରେ ରହିଲା । କାମ ସରିଗଲେ ସ୍ୱାର୍ଥ ହାସଲ କରିନେଲେ କାଶିଆ କିଏ ନାଁ କପିଳା କିଏ ନୀତିରେ ସରିତା । ସେ ଯାହା ସଙ୍ଗେ ମିଶେ ସେ ସମୟତକ ତା’ର ଗୋଟାପଣେ ହୋଇଯାଏ । ବଡ଼ ଦୁର୍ବଳତା ତା’ର କିଛି ସ୍ୱାର୍ଥ ହାସଲ କରିବା ।
ବାହାଘର ପାଇଁ ପ୍ରସ୍ତାବ ଆସିଲେ ସେ ଟିକେ ପଛଘୁଞ୍ଚା ଦିଏ । ନାକଟେକେ । ମନ ପସନ୍ଦ ନୁହେଁ ବୋଲି କୁହେ । ଲାଗେ ସତେ ଯେମିତି ସେ ଗୋଟିଏ ଜାଗାରେ ବନ୍ଧା ପଡ଼ିବାକୁ ଚାହେଁନାହିଁ । ଏଡେ ବଡ଼ ଦୁନିଆ । ସଂସାରରେ ହାଉଜାଉ ଲୋକ । ସେ କ’ଣ ପାଇଁ ନବୁଲି ଗୋଟେ ଜାଗାରେ ରହିବ ।
କଣ୍ଠଟି ସରିତାର କୋଇଲି ପରି । ଥରେ ଯାହାସଙ୍ଗେ କଥା ହେଲା କଥା ସରିଲା । ସେ ବନ୍ଧା ପଡ଼ିଲା ସରିତା ପାଖରେ । ଦିନକର କଥା, ସ୍କୁଟିରେ ଅଫିସ୍ ଯାଉଥିଲା ସରିତା । ଅନ୍ୟମନସ୍କରେ ପିଟି ହୋଇଗଲା ଆଉଜଣଙ୍କର ବାଇକ୍ ସହିତ । ଭଦ୍ରଲୋକଟି ଭଲ ବୋଲି ତଳେ ପଡ଼ିଥିବା ସରିତା ଓ ସ୍କୁଟିକୁ ଉଠାଇ ଆକଟପଣରେ କିଛି କହିଗଲେ । ସବୁକୁ ଶୁଣୁଥିଲା ସରିତା ବାଧ୍ୟ ଛାତ୍ରୀ ଭଳି । ମନକୁ ପାଇଗଲା ସରିତାର । ହୃଦୟକୁ ବି ଛୁଉଁଗଲା । କେମିତି କେଜାଣି ଏହିଭଳି ଲୋକ ଜଣେ ଜଣେ ଦୈବାତ୍ ହାବୁଡ଼ନ୍ତି ସରିତାକୁ । ନିଜର ବି ହୋଇଯାଆନ୍ତି । ସାତଜନମକୁ ବନ୍ଧୁ ବାନ୍ଧିଲା ଭଳି କେବଳ ଦେଇଚାଲନ୍ତି । ପାଆନ୍ତି କ’ଣ ତାଙ୍କୁ ହିଁ ଜଣା । କଥା ମନ ମନର, ଦେହ ଦେହଳୀର, ହୃଦୟ ହୃଦୟର । ସୀତାକାନ୍ତ ବାବୁ ଜଣେ ଓଏଏସ୍ ଅଫିସର । କଥାବାର୍ତ୍ତାରୁ ବୁଝି ନେଲା ସରିତା । ଫୋନ୍ ନମ୍ବର ବି ମାଗିନେଲା । ପଡ଼ିଖଣ୍ଡିଆ ଖାବରା ହୋଇଯାଇଥିବା ଦେଖି ସୀତାକାନ୍ତ ବାବୁ କହିଲେ ଚାଲ ପାଖ ମେଡିସିନ ଦୋକାନକୁ ଯିବା । ଟିଟାନାସ୍ ଇଞ୍ଜେକସନ୍ ନେବା ନିହାତି ଦରକାର । ସରିତା କହିଲା ନାଇଁ ଆଜ୍ଞା, ମୋର ଯିବା ଦରକାର ନାହିଁ । ଇଞ୍ଜେକସନ୍କୁ ମୋର ଭାରିଡର । ସୀତାକାନ୍ତ ବାବୁ ବିରକ୍ତ ହେବାରୁ ବାଧ୍ୟବାଧକତାରେ ଗୋଡ଼ ବଢ଼େଇଲା ସରିତା । ପାଖରେ ମେଡିସିନ୍ ଷ୍ଟୋର । ନିଜେ ମାଲିକ ଜଣେ ଫାର୍ମାସିଷ୍ଟ । ଇଞ୍ଜେକ୍ସନ ଦେଖି ପୁଣି ସେଇ ଭାବ ପ୍ରକାଶ କଲା ସରିତା । ମୋତେ ଡର ଲାଗୁଛି । ମୁଁ ଆଜ୍ଞା ଇଞ୍ଜେକ୍ସନ୍ ନେବିନି । କ’ଣ ସେମିତି ଛୋଟପିଲାଙ୍କ ଭଳି ହେଉଛ । ଖଣ୍ଡିଆ ହୋଇଛି ମାନେ ଟିଟାନାସ ଇଞ୍ଜେକ୍ସନ ନେବା ନିହାତି ଦରକାର, କହିଲେ ସୀତାକାନ୍ତ ବାବୁ । ଇଞ୍ଜେକ୍ସନ ଦେବାକୁ ଆସିବାରୁ ଚିଲେଇଲା ସରିତା ଆଜ୍ଞା ମୋ ହାତକୁ ଟିକେ ଧରନ୍ତୁ । ମୋତେ ଭାରି ଡର ଲାଗୁଛି । ସୀତାକାନ୍ତ ବାବୁ ହାତକୁ ଧରିଲେ । ସରିତା ଅନୁଭବ କରୁଥିଲା ଆଉ ଏକ ନୂଆ ଶିହରଣ ।
ଏବେ ରାତିଦିନ ଚବିଶ ଘଣ୍ଟା ସୀତାକାନ୍ତ ବାବୁଙ୍କ ସହ କଥା । ଫୋନ୍ କାନରୁ ଓହ୍ଲାଉନାହିଁ । ଘରେ, ବଗିଚାରେ ମର୍ଣ୍ଣିଂୱାକ୍ରେ ଓ ଅଫିସ୍ରେ ସବୁଠି ସୀତାକାନ୍ତ ବାବୁଙ୍କ ସହ ଫୋନ୍ରେ ଆଳାପ । ସୀତାକାନ୍ତ ବାବୁ ଜଣେ ବିବାହିତ ପୁରୁଷ । ଦୁଇପୁଅ ଗୋଟିଏ ଝିଅ । ଘରେ ସୁନ୍ଦରୀ ସହଧର୍ମିଣୀ । କୋଠାବାଡ଼ି ରାଜଧାନୀରେ ଅଛି । ପିଲାଛୁଆ ସବୁ ଭବାନୀପାଟଣାରେ । ଭଲ ଦି’ ପଇସା ରୋଜଗାର । ହାତ ଉପୁରି ଅଛି । ସମସ୍ତିଙ୍କି ସନ୍ତୁଷ୍ଟିକରଣରେ ସିଦ୍ଧହସ୍ତ ସୀତାକାନ୍ତ ବାବୁ । ସେ ଏବେ ସରିତାର ହାତମୁଠାରେ । ନାରୀ ମାୟାରେ ପଡ଼ିଗଲେ ହୁଗୁଳିବା କଷ୍ଟ । ପୁରୁଷ ହାର ମାନେ ନାରୀ ପାଖରେ ସଦା କାଳେ କାଳେ । ବିଭିନ୍ନ ଆଳ ଦେଖାଇ ଗୋଟିଏ ସହର ହେଲେବି ସରିତା ପାଖକୁ ଆସନ୍ତି । ରାତି ରାତି ବି ବିତିଯାଏ କଥାବାର୍ତ୍ତାରେ । ଯୋଡ଼ି ହୋଇଯାଏ ମନ । ଯୋଡ଼ି ହୋଇଯାଏ ଦେହ । ଦେହ ଓ ମନର ପିପାସା ମେଣ୍ଟେ । ଘରେ କୁହନ୍ତି ମୁଁ ଟୁର୍ରେ ଯାଉଛି । ସରିତା ସେ ପର୍ଯ୍ୟନ୍ତ ସମ୍ପର୍କ ରଖେ ଯେ ପର୍ଯ୍ୟନ୍ତ ତା’ର ସ୍ୱାର୍ଥ ହାସଲ ନ ହୋଇଛି । ସ୍ୱାର୍ଥ ହାସଲ ପରେ ସେ ଚତୁରତାର ସହ ଖସିଯାଏ । ସରିତାକୁ ବୁଝିବା ଭାରି କଷ୍ଟ । ଚିକ୍କଣ କଥା କହି ମନକୁ ନେଇ ସେ ଲୁଟିଚାଲେ ସର୍ବସ୍ୱ । ବୁଝିବାର ଯୁ ନଥାଏ ସୀତକାନ୍ତ ବାବୁଙ୍କର । ପୁରୁଷଟେ ସଦାବେଳେ ନାରୀ ମାୟାରେ ବନ୍ଧା । ବୟସର ନଥାଏ ବାଧକ । ଭଲ ମିଛ କଥା କହେ ସରିତା । ମିଛେଇ ବୋଲି ସମସ୍ତେ ଜାଣନ୍ତି, ସତେ ଯେମିତି ସେଥିରେ ସେ ପିଏଚ୍ଡି କରିଛି । ଜାଣି ହେବନି ପ୍ରଥମେ । ପରେ ଜଣାପଡେ ସେ ମିଛକଥା କହିଛି ।
ମୀତା ଓ ସରିତା ଦୁହେଁ ଦୁହିଁଙ୍କୁ ହାବୁଡ଼ିଗଲେ ଭୁବନେଶ୍ୱରର ମାର୍କେଟ ବିର୍ଲ୍ଡିଂରେ । ସରିତାର ସାଙ୍ଗରେ ଥିଲେ ଜଣେ ଭଦ୍ରଲୋକ । ଆରେ ତୁ ଭବାନୀପାଟଣାରୁ ଆସିଛୁ ଅର୍ଥାତ୍ ମୋତେ ଟିକେ ଖବର ବି ଦେଲୁନି କହିଲା ମୀତା । ନାଇଁରେ ଏମିତି ହଠାତ୍ ଅଫିସ୍ କାମରେ ଆସିବାକୁ ପଡ଼ିଲା । ମୀତା କାନ ପାଖରେ ସରିତାକୁ ପଚାରିଲା ଏ ଭଦ୍ରବ୍ୟକ୍ତି ଜଣକ କିଏ? କ’ଣ ତୁ ୟା’ ଭିତରେ ହାତରୁ ଦି’ ହାତ ହୋଇଗଲୁଣି ନା କ’ଣ? ତୁ ଏମିତି କ’ଣ କହୁଛୁ । ଏ ପରା ମୋ ମାମୁପୁଅ ଭାଇ ସିମନ । ମୀତାର ମନ କିନ୍ତୁ ମାନୁନଥିଲା ତଥାପି କହିଲା ହଉ ତୁ ଏବଂ ତୋର ଭାଇ ଚାଲ ଆମ ଘରକୁ ଯିବା । ନା’ମ ଏବେ ସମୟ ନାହିଁ । ଆମ ମୁଖ୍ୟ କାର୍ଯ୍ୟାଳୟରେ କାମ ଅଛି । ସରିତା ଚିହ୍ନେଇ ଦେଲା ସିମନ ଭାଇକୁ ତା’ର ଏ ହେଲା ମୀତା । ଆମେ ଦୁହେଁ ଗୋଟିଏ ଘରେ ପ୍ରାୟ ପନ୍ଦର ବର୍ଷରୁ ଊଦ୍ଧ୍ୱର୍ ମିଶି କରିଥିଲୁ । ମୀତା ମୁଁ ଆଉ ଥରେ ଆସିଲେ ତୋ ଘରକୁ ଯିବି । ତୁ ଯେଉଁଠିଥିଲୁ ସେଇଠି ଅଛୁନା ଘର ବଦଳେଇ ଦେଇଛୁ । ମୀତା କହିଲା ମୁଁ ୟା’ ଭିତରେ ତିନୋଟି ଘର ବଦଳାଇ ଦେଲିଣି । ସରିତା ବାନ୍ଧବୀ ସୁଲଭ ଗୁଣରେ କହିଲା- ଖାଲି ଘର ନା ବର । ହଁ ସରିତା ତୁ ଯାହା ବୁଝିଚୁ ତା’ ଠିକ୍ । ତୋର ତ ଲୁଗା ବଦଳାଇବା ଭଳି କଥା । କେତେବେଳେ ମୁଁ ତୋତେ କାହା ସାଙ୍ଗରେ ଦେଖୁଛି ମୁଁ ବି ବୁଝି ପାରୁନାହିଁ । ମନେ ମନେ ରାଗୁଥିଲା ସରିତା । ଏ ମୋତେ କ’ଣ ଭାବୁଛି ମ । ଦିନଥିଲା ଭୁବନେଶ୍ୱରରେ ଚାଲି ଚାଲି ଯିବାକୁ ପଡୁଥିଲା । ଦୁଇଚକିଆ ଗାଡ଼ିବାଲା ବି ଆପଣାର ହେଲେ । ଏବେ ଚାରିଚକିଆରେ ଯାଉଛି । ଦରକାର ହେଲେ ଆହୁରି ବି ଚକ ବଢ଼ିପାରେ । ହଁ ମୁଁ ଯାଉଛି କହିଲା ସରିତା । ସିମନ ଭାଇ ମୋତେ ମୁଖ୍ୟ କାର୍ଯ୍ୟାଳୟରେ ଛାଡ଼ିକରି ଯିବେ । ଗାଡ଼ିରେ ବସିଗଲା ସରିତା । ହାତ ହଲାଇ ବାଏ ବାଏ କଲା ମୀତା । ଭାବୁଥିଲା ଅତୀତର କଥା ।
ମୋବାଇଲ୍ ବାଜିବାରୁ ଗାଧୁଆ ଘରୁ ଦଉଡ଼ି ଆସିଲା ସରିତା । ଭାବିଥିଲା ଭୁବନେଶ୍ୱରରୁ ସିମନ ଭାଇଙ୍କ ଫୋନ୍ ବୋଲି । ସେପଟରୁ ଭାସିଆସିଲା । ସରିତା ମୁଁ ରାମେନ୍ଦ୍ର ଭାଇ କହୁଛି । ତୁ ପଠାଇଥିବା ତୋର ଭବାନୀପାଟଣା ଖବର ମୁଁ ପେପରରେ ବସାଇ ଦେଇଛି । ପଠାଇଥିବା କବିତା ବିି ସାହିତ୍ୟାୟନରେ ଫଟ ସହ ବସାଯାଇଛି । ଭାଇନା, ବହୁ ତ ଖୁସିଲାଗିଲା । ତମେ ମୋର ନିଜର ବୋଲି ସିନା ଏତକ କରିଦେଖାଇଲ । ଏମିତି ସବୁଦିନ ଭଲ ପାଉଥିବ । ରାଖୀ ପଠାଇଥିଲି ପାଇଥିଲ କି ନା । ହଁ ମୁଁ ପାଇଥିଲି କହୁଥିଲେ ରାମେନ୍ଦ୍ର ଭାଇ । ଆଉ ମୋର ପ୍ରାପ୍ୟ । ଦେଖାହେଲେ ମିଳିବ ।
ଥରେ ଭବାନୀପାଟଣାରେ କେନ୍ଦ୍ର ସାହିତ୍ୟ ଏକାଦମି ତରଫରୁ ବର୍ଷାକାଳୀନ କବିତା ଆସର ହୋଇଥାଏ । ଅଫିସର ଜଣେ ମହିଳା ବାନ୍ଧବୀ ଦି’ ଧାଡ଼ି ଲେଖନ୍ତି । ତେଣୁ ତାଙ୍କ ସହିତ ସେ ସେଠାକୁ ଯାଇଥିଲା । ପାଖରେ ବସିଥିବା ଭୁବନେଶ୍ୱରର ଜଣେ ନାମିଦାମୀ କବି ପଚାରି ବସିଲେ ଆପଣ କ’ଣ ଲେଖାଲେଖି କରନ୍ତି । ନାହିଁ ଆଜ୍ଞା ଶୁଣିବାକୁ ଆସିଛି । ସେମିତି କହିଲେ ହେବ, କହିଲେ କବି ଜଣଙ୍କ । ଆପଣ ଭଲ ଲେଖିବେ । ଆପଣଙ୍କ କଥା ବି ବହୁତ ଭଲ ଲାଗୁଛି । କଣ୍ଠ ବି । ହସି ଦେଲା ସରିତା । ମନକୁ ପାଇଗଲା କେଇପଦ କଥା । ସେ ଲେଖିବ, ପୁଣି କବିତା । ଫୋନ୍ ନମ୍ବର ମାଗିନେଲେ ଭୁବନେଶ୍ୱରରୁ ଆସିଥିବା କବି ମୀନକେତନ । ପହଞ୍ଚି ଫୋନ୍ ବୁଲାଇଲେ । ନିଜର କରିନେଲା ସରିତା ଫୋନ୍ ପାଇଲା ପରେ । କେତେବେଳେ ବି ମଉକା ଛାଡ଼ିନି ସରିତା । ସମୟର ସଦୁପଯୋଗ କରିଛି । ଯାହା ପ୍ରାପ୍ୟ ତାହା ନନେବା ଯାଏ ସେ କାହାରିକୁ ଛାଡ଼ିନି । ଏବେ କବିତାର ଲମ୍ବା ଧାଡ଼ି । ବଡ଼ ବଡ଼ ମାଗାଜିନ୍ରେ ବିଛେଇ ହେଇଗଲାଣି । ସମସ୍ତେ ଜାଣିଲେଣି, ମୀନକେତନ ବାବୁ ଘନ ଘନ ଡାକି ନେଇ ଭୁବନେଶ୍ୱର, କଟକ ଭଳି ସହରରେ ପୁରସ୍କାର ଦିଆ କରିସାରିଲେଣି । ଓଡ଼ିଶାର ଯେ କୌଣସି ଜାଗାରେ କବିତା ପଢ଼ିବା ପାଇଁ ମୀନକେତନ ବାବୁଙ୍କ ସହ ଯୋଡ଼ି ଯାଉଁଳି ହୋଇ ବୁଲିବା ସମସ୍ତଙ୍କ ନଜରକୁ ଆସିସାରିଲାଣି । ଫେସ୍ବୁକ୍ରେ ଫଟଛାଡ଼ି ଚର୍ଚ୍ଚାରେ ବି ରହିଛନ୍ତି । ମୀନକେତନ ଜଣେ ବଦରାଗୀ । ସରିତା ଅନ୍ୟକାହା ସଙ୍ଗରେ କଥା ହେଲେ ସେ ରାଗିଯାଆନ୍ତି ।
ଥରେ ସରିତାର ଦେହ ଖରାପ ହେଲା । ମୀନକେତନ ବାବୁ ତାକୁ କଟକ ଡାକ୍ତରଖାନା ନେଲେ । ଭଲ ଡାକ୍ତରକୁ ଦେଖାଇଲେ । କିଛିଦିନ ରହିବାକୁ ପଡ଼ିଲା । ଦିନକର କଥା ବିସ୍ମୟ କରିଦେଲା ମୀନକେତନ ବାବୁଙ୍କୁ ଖୁବ୍ ଜ୍ୱର ହୋଇଥାଏ ସରିତାକୁ । ଡାକ୍ତରଙ୍କୁ ଡାକି ମେଡ଼ିସିନ ଦେଲେ । ମୁଣ୍ଡରେ ଓଦା କପଡ଼ା ପକାଉଥାନ୍ତି । ଗପିଚାଲିଥାଏ ସରିତା । ଗାଁର ସାଧୁଆ ଦାଦି ପୁଅ ଭଗିଆ ଠାରୁ ଆରମ୍ଭ କରି ଫଳଦୋକାନୀ ଶାମ । ମୀତାର ଭାଇ ମିଟୁ ନେଇ ସ୍ୱରୂପ ରାୟ ସିମନ ଭାଇଠାରୁ ରାମେନ୍ଦ୍ର ଭାଇ ମଧ୍ୟ ସାମ୍ନାକୁ ଆସିଗଲେ ଶେଷରେ । ସୀତାକାନ୍ତ ବାବୁଙ୍କଠାରୁ ମୀନକେତନ ପର୍ଯ୍ୟନ୍ତ । ସରିତା ଗପିଚାଲିଥାଏ । ମୀନକେତନ ବାବୁ ଶୁଣୁଥାନ୍ତି ମନେ ମନେ ଭାବୁଥାନ୍ତି ମୋର ନମ୍ବର କେତେ?