କେତେଥର ଏମିତି ଘଟେ ମୋ ସହ । ଗଭୀର ରାତିରେ କେଜାଣି କେମିତି ନିଦ ଭାଙ୍ଗିଯାଏ । ମୁଁ ଶୋଇ ଶୋଇ ଦେଖେ ଘର ଭିତରେ କାହାର ପଦଚାରଣ । ଘରର କବାଟ ବନ୍ଦ, ଝରକା ଗ୍ରୀଲ୍ ଦେଇ ପବନ ଛଡ଼ା ଆଉ କିଛି ଆସିବା ହେଇପାରେନା, କିନ୍ତୁ ମୋ ସବୁ ବିଶ୍ୱାସ ଅବିଶ୍ୱାସର ଗଣିତ ଫେଲ୍ମାରେ ତା’ ପାଖରେ ।
ଅଶରୀରି ପରି ତା’ର ଛାୟା କେବଳ ଦିଶେ ମୋ ଶୋଇବା ଘରେ । ରିତ୍ୱିକ ଚାଲିଯିବା ପରେ ମୁଁ ପ୍ରାୟ ଏକା । ସାଥୀରେ ଯିଏ ଅଛି ମାତ୍ର ପାଞ୍ଚବର୍ଷର ଝିଅ । ତାଙ୍କର ଅକାଳ ଦେହାନ୍ତ ପରେ ମୋତେ ତାଙ୍କ କମ୍ପାନୀରେ ଅନୁକମ୍ପାମୂଳକ ଚାକିରିଟିଏ ମିଳିଚି । ଏମିତିରେ ମୋ ବ୍ୟକ୍ତିଗତ ଜୀବନରେ ଆଉ କାହାରି ଅନୁପ୍ରବେଶ ନାହିଁ । ବାପା ବୋଉଙ୍କଠୁ ଦୂରରେ ରହି ମୁଁ ସେମାନଙ୍କୁ ଏକପ୍ରକାର ଭୁଲିସାରିଚି । ରିତ୍ୱିକଙ୍କ ପରେ ଜୀବନ ଯୁଦ୍ଧରେ ଲଢ଼ିବାକୁ ମୁଁ ଏକା ଏକା ନିଷ୍ପତ୍ତି ନେଇସାରିଚି । ବୋଧହୁଏ ଏଇ ନିଷ୍ପତ୍ତି ମୋତେ ଅଧିକ ଦୃଢ଼ ଆଉ ସାହସୀ କରିଚି । ଅନେକ ସମୟରେ ମୋର ଏଇ ଏକଲାପଣକୁ ନେଇ ଭାବିଲେ ଲାଗେ ସତରେ ଏ ଦୁନିଆଟା ସାଥୀହୀନ । ମଣିଷକୁ ତା’ ନିଜ ବାଟରେ ନିଜକୁ ହିଁ ଚାଲିବାକୁ ହୁଏ ।
ସାଥୀହୀନ ସଂସାର!
ଏଇ କଥା ମନକୁ ଆସିଲେ ବଡ଼ ଅଜବ ଲାଗେ । ସଂସାରଟା ସାରା ମଣିଷରେ ଭର୍ତ୍ତି । ସଂପର୍କରେ ବନ୍ଧା ଅଥଚ ମଣିଷ ନିଃସଙ୍ଗ ।
ରିତ୍ୱିକ ଆଉ ମୁଁ ଦିନେ ସନ୍ଧ୍ୟା ଭ୍ରମଣରେ ବାହାରିଚୁ । କଉ ଗୋଟେ ଆଶ୍ରମ ପାଖ ଦେଇ ଆମେ ଚାଲୁଚୁ । ଆଶ୍ରମରୁ ଭାସିଆସୁଚି ଗୋଟେ ସମ୍ମିଳିତ ଗୀତର ସ୍ୱର । କେଜାଣି ଆଜିକାଲିର ଗୀତଗୁଡ଼ା ଶୁଣିବା ଅଭ୍ୟସ୍ତ ଆମ ମନ ଆଉ କାନକୁ କିଏ ଯେମିତି ବାଧ୍ୟ କରି ଟାଣି ନେଇଗଲା ସେଇ ସମ୍ମିଳିତ ସ୍ୱର ଆଡେ, କେବଳ ଆମ ପାଦ ନୁହଁ ଚିନ୍ତା ଚେତନା ମଧ୍ୟ ନିମିଷକ ପାଇଁ ସେଇଠି ଅଟକି ଗଲା । ଖଞ୍ଜଣି, ଗିନିର ଉଦଣ୍ଡ ଲୟରେ ସେଇ ଗୀତ “ଭାଇ ବନ୍ଧୁ ସହୋଦର କେହି ନୁହଁ ତୋର, ଏକା ଏକା ମନ ତୁରେ ପର ଏ ସଂସାର” । କଉ ଗୋଟେ ପାରମ୍ପରିକ ରଚନାର ଭଜନ । ଗୀତଟିକୁ ଆମେ ଦୁହେଁ ଖୁବ୍ ମନ ଦେଇ ଶୁଣୁଥିଲୁ । ପରସ୍ପରକୁ ଭାଷାହୀନ ଚାହାଣୀରେ ଚାହିଁ ହେଲୁ କେବଳ ।
ଆମ ବାହାଘର ଚାରିବର୍ଷ ପରେ ସେଇ ଘଟଣା । ନା ରିତ୍ୱିକ କି ମୁଁ କେହି କେହି କାହାକୁ ପଚାରିନାହୁଁ ଆମ ପାଦ କେମିତି ଆଉ କାହିଁକି ଏକ ସମୟରେ, ଏକାସ୍ଥାନରେ ଅଟକିଗଲା । କେବେବି ତର୍ଜମା କରିନାହୁଁ ଶୁଣିଥିବା ସେଇ ଗୀତର ଅର୍ଥ ବିଷୟରେ । ଅବଶ୍ୟ ଗୀତର ଭାବାର୍ଥ କାହାକୁ ଅଜଣା ନଥିଲା । ତଥାପି ଆଗେଇଚୁ ସଂସାର ପଥରେ ସାଥୀ ହେଇ, ସ୍ୱାମୀ ସ୍ତ୍ରୀ ହେଇ ।
ସଂସାର, ସଂପର୍କ, ଆଃ…
ମିଛ ପ୍ରତିଶ୍ରୁତିର ଗୋଟେ ଲୋଭନୀୟ ଆଶ୍ରୟ ।
ଅନ୍ତତଃ ଏଇ କଥା ରିତ୍ୱିକ ଥିବାବେଳେ କ’ଣ ମୁଁ କେବେ ଭାବିନାହିଁ! ରିତ୍ୱିକ ବି ଏମିତି କିଛି ଭାବି ନଥିବେ! କିନ୍ତୁ କେହି କାହାକୁ ଜଣେଇ ପାରିନାହୁଁ । କାହିଁକି? ବୋଧହୁଏ ଏଇ କାହିଁକିର ଉତ୍ତରଟା ସଂସାର । ଏଇ ଉତ୍ତରଟା ଯଦି କେବେ ଆମ ସଂପର୍କ ଭିତରେ କୁହାଯାଇପାରିଥାନ୍ତା ତା’ହେଲେ ଆମେ ସ୍ୱପ୍ନ ବିଭୋର ସ୍ୱାମୀ ସ୍ତ୍ରୀ ଗୋଟେ ସୁନ୍ଦର ଘର ସଂସାର କଥା ହୁଏତ ଚିନ୍ତା କରିନଥାନ୍ତୁ ।
ରିତ୍ୱିକ କହନ୍ତି- ଦେଖ ତବୁ ଆମର ଏଆରପୋର୍ଟ ଜାଗାଟା ନା ବହୁତ ବଢ଼ିଆ ଲୋକେସନ୍ । ଏବେ ତ ସେଇ ପାଖରେ କୋଣାର୍କ ନଲେଜ ପାର୍କ ହବ । ଆହୁରି କେତେ କ’ଣ ହବା କଥା ଶୁଣାଯାଉଚି । ଆମେ ସେଇଠି ଘର କରିବା । କିଛି ନହେଲା ନାଇଁ ରାତିରେ ଛାତ ଉପରେ ବସି ପ୍ଲେନ୍ ଲ୍ୟାଣ୍ଡିଂ ଦେଖୁଥିବା । ଖୋଲାପବନ ଖାଉଥିବା, ବୁଝିଲନା, ସେପଟେ କେତେ ମାଇଲ ଯାଏ ଆପାର୍ଟମେଣ୍ଟ ହବାର ନାଇଁ । ତେଣୁ ସବୁବେଳେ ପବନ ହିଁ ପବନ ।
ରିତ୍ୱିକଙ୍କର ସ୍ୱପ୍ନରେ ବୁଡୁବୁଡୁ ଆଖିକୁ ଚାହିଁଦେଲେ କେତେ ଅଳୀକ ଲାଗେ ସାଥୀହୀନ ଦୁନିଆର ଭାବନା । ମୁଁ ତାଙ୍କୁ ନିରାଶ କରେ ନାହିଁ, ବରଂ ତାଙ୍କ ସ୍ୱପ୍ନ ସହ ଯୋଡ଼ି ହେଇ କହେ- ଆମେ ଆମ ଘର ଛାତ ଉପରେ ଅନ୍ଧାରରେ ପାଖାପାଖି ବସିଥିବା, ସଂଜ ପବନ ଆମ ମଝିଦେଇ ଯିବାକୁ ବାଟ ଖୋଜି ପାଉନଥିବ । ଏମିତି ଗପ କରୁ କରୁ କ୍ଲାନ୍ତ ହେଇ ସେଇଠି ବେଳେବେଳେ ଶୋଇଯାଉଥିବା ତ ରାତି ଖାଇବା ସକାଳକୁ ଫୋପଡ଼ା ହବ ।
ପ୍ରକୃତରେ ଜୀବନଙ୍କୁ ନେଇ ବଞ୍ଚିବା କେତେ କି? ସ୍ୱପ୍ନରେ ତ ଅଧିକ ଜିଇବାର ପ୍ରବୋଧନା ।
ରିତ୍ୱିକ ରାସ୍ତା ଦୁର୍ଘଟଣାରେ ଚାଲିଯିବା ପରେ ମୁଁ ଏକା । ତାଙ୍କ ଚାକିରିର ପଇସା, ବୀମା ଅର୍ଥରାଶି ହାତକୁ ଆସିବା ପରେ ମୋର ସବୁ ଆବଶ୍ୟକତାକୁ ପୂର୍ଣ୍ଣ କଲା ପରି ପ୍ରାଚୁର୍ଯ୍ୟ ରହିଚି ମୋ ପାଖରେ, ରହିଲେନି କେବଳ ରିତ୍ୱିକ । ମୋତେ ନିଃସ୍ୱ, ନିସଙ୍ଗ କରିବେନି ବୋଲି କେବଳ ଯେ ଅର୍ଥ ବ୍ୟବସ୍ଥା କରିଛନ୍ତି ତା’ ନୁହଁ ତାଙ୍କ ସ୍ମୃତିର ସନ୍ତକ ଛାଡ଼ି ଯାଇଛନ୍ତି ମୋ ପାଖରେ । ଯେବେଠୁ ଆମ ପ୍ରୀତିର ସନ୍ତକ ମୋ ପେଟରେ ତା’ ସ୍ଥିତି ଜାହିର କରିଚି ସେବେଠୁ ଆମର ଆରମ୍ଭ ହେଇଥିଲା କାଉଣ୍ଟ ଡାଉନ୍ । ଡାକ୍ତରଙ୍କ ଦେଇଥିବା ତାରିଖ ଯାଏ ଲାଗି ରହିଥାନ୍ତା ସେ ଅବଗଣନା, କିନ୍ତୁ… । ହଁ ଖାଲି ଯେ ଦିନ ଗଣିବା ନଥିଲା, ପୁଅ ହବ ନା ଝିଅ । ବାପା ପରି ହବ ନା ମାଆ ପରି, ମିଶାମିଶି ହବତ ମାଆର ରୂପ ବାପାର ଗୁଣ ନେଇ ହବ । ଏମିତି ଏମିତି କେତେ କଥା । ତେବେ ଝିଅ ଜନ୍ମ ହେବା ବେଳକୁ ସିଏ ନଥିଲେ । ତାଙ୍କ ଈପ୍ସିତ ନାଅାଁଟି କିନ୍ତୁ ରହିଗଲା ଝିଅ ସହ ଯୋଡ଼ି ହେଇ । ତିତ୍ଲି । ସତକୁ ସତ ଖାଲି ବାପାର ନାଁ ନୁହଁ ତାଙ୍କ ସ୍ୱଭାବ ପରି ଶାନ୍ତ, ଆଉ ଡରକୁଳୀ ହେଇ ଆସିଲା ଝିଅ ।
ମୋ ଜୀବନ ତିତଲି ପାଇଁ ବେଶି ଶଙ୍କାକୁଳ । ଏଡେ ଟିକେ ଝିଅ କେମିତି ତାକୁ ମୁଁ ଚଳେଇବି । ତା’ ଯତ୍ନରେ ଅବହେଳା ହବ ନାଇଁ ତ! ମୁଁ ଏକା ଏକା ତାକୁ ବାପା ମାଆର ସ୍ନେହ ଆଦର ଦେଇ ପାରିବି ତ! ଜାଣେ ଏ ଆଶଙ୍କା ମୋ ନିଜର ଅକ୍ଷମତା ପାଇଁ ଯେତିକି ନୁହଁ ତା’ଠୁ ଅଧିକ ରିତ୍ୱିକଙ୍କ ପାଇଁ । ଆଜି ବି ଅନୁଭବ କରେ ସିଏ ମୋଠୁ ଦୂରେଇ ଯାଇ ତାଙ୍କ ସତ୍ତାକୁ ସିଏ ଏକ୍ବାର ହଜେଇ ଦେଇନାହାନ୍ତି, ଏବେବି ପାଖେ ପାଖେ ଅଛନ୍ତି । କିଛି କାମରେ ଅଧିକ ସମୟ ରହିଗଲେ କେହି ମତେ ଚିଅାଁଇ ଦେଲା ପରି କହେ- ତିତଲି ସେପଟେ ଏକା ଖଟରେ ଶୋଇଚି ଯେ, ନିଦ ବାଉଳାରେ ତଳକୁ ଖସିପଡ଼ିବନି! କୌଣସି କାରଣରୁ ଝିଅ କାନ୍ଦି ପକାଇଲେ କେହି ମତେ ତାଗିଦ୍ କରେ- ପିଲାଟାକୁ ଭୋକ ହଉଚି ଏତିକି ଜାଣିପାରୁନ, ଜଲ୍ଦି ଖୁଆ, ରାତିରେ ବିଛଣାରେ ଶୋଇ ଏକ କରି ଦେଇଚି ତ କେହି ମତେ ନିଦରୁ ଉଠାଇ ଦିଏ ବିଛଣା ବଦଳେଇ ଦେବା ପାଇଁ ।
କେତେ କେତେ ସ୍ମୃତିରେ ବିଛାଏ ମୋ ରାତି ବିଛଣା, ପାଖରେ ଷ୍ଟାଣ୍ଡାର୍ଡ ଥ୍ରୀରେ ପଢ଼ୁଥିବା ଝିଅ । ତଥାପି ଲାଗେ ମୁଁ ଏକଲା । ସମସ୍ତେ ମୋ ଭିତରେ ଅଛନ୍ତି ହେଲେ ମୁଁ କାହା ଭିତରେ ନାଇଁ । ଏମିତି ସମୟରେ ମୁଁ ରିତ୍ୱିକଙ୍କୁ ମନେ ପକାଏ । ତାଙ୍କ କଥା, ଆଦର, ସ୍ନେହକୁ ଝୁରିହୁଏ । ହାଏ! ଜୀବନର ଗୋଟେ ଅଂଶ ତାଙ୍କ ସହ ଯୋଡ଼ି ହୋଇ ରହିବାର ଥିଲା । ନିଜର ସବୁ କିଛିକୁ କିଛିଦିନ ପାଇଁ କାହା ସହ ଏକାତ୍ମ କରିଦେବାର ଥିଲା । କାହା ସହ ଜୀବନ ରାସ୍ତାର କିଛି ବାଟ ସାଥୀ ହେଇ ଚାଲିବାର ଥିଲା । ବେଳେ ବେଳେ ଏଇ ସୀମାହୀନ ଭାବନା ରାତିର ନିଦକୁ ଚୋରେଇ ନିଏ । ରାତି ପାହେ । ବାହାର ଗ୍ରୀଲ୍ ଗେଟ୍ରେ ଶୁଭେ ଢଂ ଢଂ । କ୍ଷୀରବାଲା ।
ଗେଟ୍ ପାଖକୁ ଯାଇ କ୍ଷୀର ଆଣିବାକୁ ଜାର ବଢ଼େଇ ଦିଏ । କ୍ଷୀରବାଲା ମୋ ଅନିଦ୍ରା ମୁହଁକୁ ଚାହିଁ କିଛି କହିପାରେ ନାହିଁ ସିନା କ’ଣ ଗୋଟେ ନ କହି ଚାଲିଯାଉଚି ଏକଥା ମୁଁ ଜାଣିପାରେ ।
ତିତଲିର ରିତ୍ୱିକଙ୍କ ପରି ଖୁବ୍ ସ୍ମରଣଶକ୍ତି । ପାଠ ଭଲ ପଢ଼େ । ଚିତ୍ର ଆଙ୍କେ । ଅବଶ୍ୟ ତା ଅନଭିଜ୍ଞ ହାତରେ ସିଏ ଯାହାବି ଆଙ୍କେ କିଛି ତାକୁ ଘଣ୍ଟା ଘଣ୍ଟା ଧରି ଏକ ଧ୍ୟାନରେ ବସିବା ଦେଖିଲେ ମୋତେ ଖୁସିଲାଗେ । ଅନ୍ତତଃ ଯେଉଁ ବୟସରେ ଦୁଷ୍ଟାମି କରିବା, ଖେଳିବା କଥା ସେଇ ସମୟରେ ସିଏ ଧୀର ସ୍ଥିର । ତା’ର ଟିଉସନ୍ ସାର କିନ୍ତୁ ଭାରି ପ୍ରଶଂସା କରନ୍ତି ଚିତ୍ର ପାଇଁ । ମୁଁ ବି ରଙ୍ଗ ତୂଳୀ, କାର୍ଡ ବୋର୍ଡ କିଣି ଦେଇଛି । ଏମିତିକି ତା’ର ହାତ ଅଙ୍କା ଚିତ୍ରଗୁଡାକୁ ସାଇତି ରଖିବା ପାଇଁ ଘରେ ସ୍ୱତନ୍ତ୍ର ଥାକ କରିଛି । ତିତଲି ଯେଉଁଥିରେ ଖୁସି ହବ ମୋତେ ସବୁ କିଛି କରିବାକୁ ପଡ଼ିବ । ତା’ ଅନାବନା ଚିତ୍ର ମଧ୍ୟରୁ ଟିଉସନ ସାର କିନ୍ତୁ ଅନେକ କିଛି ଦେଖିପାରନ୍ତି, ଆହୁରି ଉତ୍ସାହିତ କରିବାକୁ ବେଳେବେଳେ ମୋତେ ପରାମର୍ଶ ଦିଅନ୍ତି ।
ରିତ୍ୱିକ ଚାଲିଯିବା ପରଠାରୁ ମୁଁ ଅଧିକ ଭାବରେ କାହାସହ ମୋ ଭାବନାକୁ ଭାଗ କରିପାରେନା । ବେଳେବେଳେ କ୍ଷୀର ଆଣୁଥିବା ଲୋକଟା କିଛି କଥା ମୋ ମୁହଁକୁ ଦେଖି ବୁଝିପାରେ । ମୋ ନିଃସଙ୍ଗତାକୁ ନେଇ ଟିକେ ଟିକେ ସମବେଦନା ପ୍ରକାଶ କରେ । ଝିଅକୁ ନେଇ ମୋ ଅବଶିଷ୍ଟ ଜୀବନ ବିତିବା କଥା ଭାବି ସମଦୁଃଖୀ ହେଇପଡ଼େ ।
ସତରେ ତିତଲିକୁ ନେଇ ହିଁ ମୋ ଜୀବନ । ମୋର ସବୁ କିଛି ଯୋଡ଼ି ହେଇଯାଇଚି ତା ସହ । ତା’ ଭବିଷ୍ୟତ ସୁନ୍ଦର, ସୁଖମୟ ହେଲେଇ ମୁଁ ଖୁସିରେ ରହିପାରିବି । ସିଏ କୌଣସି ବି କାରଣରୁ ମନ ମାରି ଦେଲେ ମୋ ସମୟଟା ଅଟକି ଯିବା ପରି ଲାଗେ । ଘର ପରିବେଶଟା ବି କାନ୍ଦୁରା କାନ୍ଦୁରା ହେଇଯାଏ । ପିଲାଟାକୁ ନେଇ ମୁଁ ଯେତିକି ଯେତିକି ବ୍ୟସ୍ତ ହେଇପଡ଼େ ସମାନ୍ତରାଳ ଭାବରେ ଆଉ ଗୋଟେ ଘଟଣା ଘଟି ଚାଲୁଥାଏ ।
ମୁଁ ଗଭୀର ନିଦରେ ସ୍ୱପ୍ନ ଦେଖେ ତିତଲିକୁ ନେଇ । ସମାଜରେ ତା’ ସ୍ୱୀକୃତିକୁ ନେଇ । କିନ୍ତୁ ବେଳେବେଳେ ସ୍ୱପ୍ନ ଅଧା ରହିଯାଏ । ନିଦ ଭାଙ୍ଗିଯାଏ । ଶୋଇ ଶୋଇ ଅନୁଭବ କରେ ପୂର୍ବର ସେଇ ଘଟଣା । କେହି ଜଣେ ଛାୟା ପୁରୁଷ ଘୁରି ବୁଲୁଚି ମୋ ଶୋଇବା ଘରେ । ଝିଅକୁ ନେଇ ଶୋଇଥିବା ମୋ ବିଛଣାଠୁ ଟିକେ ଦୂରରେ ସ୍ଥିର ହେଇ କ’ଣ ଦେଖୁଚି । ପୁଣି ପଦଚାରଣ କରି ଧୀରେ ଧୀରେ ଛୁଉଁଚି ତିତଲିର ଚିତ୍ରଗୁଡ଼ା ଥୁଆ ହୋଇଥିବା ଥାକକୁ ।
ମୁଁ ଜାଣେ ରାତିଅଧରେ ପାଟି କରିବାରେ ସେମିତି କିଛି ଲାଭ ନାହିଁ । ପଡ଼ିଶାଙ୍କଠୁଁ ଆଜିକାଲି ସମୟର ସାହାଯ୍ୟ କି ସମବେଦନା ନାହିଁ ନଥିବା ପରି । ନିଜ ନିଜ ସୁଖ ଦୁଃଖକୁ ନେଇ ନିଜ ଘର ଭିତରେ ବନ୍ଦୀ । ପାଟିକଲେ କେବଳ ପାଖରେ ଶୋଇଥିବା ଝିଅଟା ହିଁ ନିଦରୁ ଉଠିବ । ହୁଏତ ଭୟ ପାଇ କାନ୍ଦିବ । ସେତେବେଳେ ମୁଁ ବା ତାକୁ କି ସାହସ ଦେଇପାରିବି? ଏମିତିରେ ଛାୟାପୁରୁଷଟା ମୋର କିଛି ବି କ୍ଷତି କଲା ପରି ମନେହୁଏନା । କିନ୍ତୁ ସେ ପବନରେ ମିଶିଆସେ କି କ’ଣ ତା’ ଆସିବା ଆଉ ଫେରିଯିବାରେ କୌଣସି ଶବ୍ଦ ହିଁ ନଥାଏ । ମୁଁ ସକାଳ ହେଲେ ପୂର୍ବରାତିର ଘଟଣାଗୁଡ଼ିକୁ ମନେପକାଏ, ଅଶରୀରୀ ବିଷୟରେ ଅନେକ ଭାବେ । ତା’ ଗତିବିଧି ମୋତେ ଲାଗେ କୌଣସି ଏକ ଦ୍ୱନ୍ଦ୍ୱ, ସମସ୍ୟାରେ ପଡ଼ିଥିବା ମଣିଷ ପରି । ମନକୁ ଆସେ ରିତ୍ୱିକଙ୍କର ଅତୃପ୍ତ ଆତ୍ମା ନୁହଁ ତ! କିନ୍ତୁ ଖୁବ୍ ଗଭୀର ଭାବରେ ଚିନ୍ତା କଲେ ତାଙ୍କ ଚାଲି, ଫେରିଚାହିଁବା ଢଙ୍ଗ ସେମିତି ନୁହଁ ।
ଶେଷରେ ମୁଁ କେତେଜଣ ଜଣାଶୁଣା ଲୋକଙ୍କ ସହିତ ଏ ବିଷୟରେ କଥା ହେଇଚି । ସମସ୍ତେ ମୋତେ ପରାମର୍ଶ ଦେଇଛନ୍ତି କୌଣସି ତନ୍ତ୍ରମନ୍ତ୍ର ଅନୁଷ୍ଠାନ ବିଷୟରେ । ସେମିତି କେହି କେଉଁଠି ଅଛନ୍ତି ସେ କଥା ବି ମୋତେ ଜଣାନାହିଁ ।
ଏମିତି ଦିନେ ଟିଉସନ୍ ସାର ମୋତେ ସହରଠୁ କିଛି ଦୂରର ଜଣେ ତାନ୍ତ୍ରିକ ବାବାଙ୍କର ଠିକଣା ଦେଇଛନ୍ତି । ତାଙ୍କ ପାଖକୁ କେମିତି ଯିବି । ଏକା ଯିବା କି କାହାକୁ ସାଙ୍ଗରେ ନେଇଯିବି, ସ୍ଥିର କରିପାରିନି । କିନ୍ତୁ ଯାହାବି ହଉ ମୋତେ ଯିବାକୁ ହଁ ପଡ଼ିବ । ଏମିତି ଘଟଣା ଯଦି ମୋ ସହ ଲାଗି ରହେ ଭବିଷ୍ୟତରେ ଝିଅଟା ଉପରେ ପ୍ରଭାବ ପଡ଼ିପାରେ ।
ମୋର ଜଣେ ଆତ୍ମୀୟଙ୍କୁ ସାଙ୍ଗରେ ନେଇ ମୁଁ ଯେଉଁଦିନ ସେଇ ତନ୍ତ୍ର ସାଧକଙ୍କ ପାଖକୁ ଯିବାକୁ ସ୍ଥିର କରେ ଆହୁରି ଗୋଟେ ଅଭାବନୀୟ ଘଟଣା ଯେମିତି ଅପେକ୍ଷା କରିଛି ।
ଝିଅଟାକୁ ଖୁଆଇଦବାକୁ ଯାଇ ଦେଖେ କ୍ଷୀର ନାହିଁ । କ୍ଷୀରବାଲାର ବି ଦେଖାନାହିଁ । ସକାଳୁ ସକାଳୁ ତା’ ବାଟକୁ ଚାହିଁ ରହିଚି ଯେ ରହିଚି । ପିଲାଟା ଯେ ବିନା କ୍ଷୀରରେ କ’ଣ ଖାଇବ ଚିନ୍ତା କରିପାରୁନି । ଆଶ୍ଚର୍ଯ୍ୟ ହଉଚି କେବେ ବି ଏମିତି ଡେରି ହୁଏନା । ଝିଅ ବି ପଚାରୁଚି- ମା- ମା’ ଆଜି କ୍ଷୀର ଆସିନି କି?
ବଡ଼ ଅପେକ୍ଷାରେ କଟିଚି ଦି’ଦିନ । ଗୁଣ୍ଡଦୁଗ୍ଧରେ ଝିଅକୁ ଖୁଆଉଚି, ଅଥଚ କୌଣସି ଖବର ନାହିଁ କ୍ଷୀରବାଲାର । ହୁଏତ ତା’ ଦେହ ଅସୁସ୍ଥ ଥିବ କି କ’ଣ? ଏମିତିରେ ତା’ ଟେଲିଫୋନ୍ ନମ୍ବରଟା… । ଅନେକ ଚିନ୍ତା କଲା ପରେ ମନେ ପଡ଼ିଲା ଥରେ ଏମିତି କ୍ଷୀରବାଲାଠୁ ଟେଲିଫୋନ୍ ନମ୍ବରଟା ରଖିଛି । ହେଲେ କଉଠି ରଖଚି ଠିକ୍ ଭାବରେ ମନେପଡୁନି । ବହୁ ଖୋଜାଖୋଜିରେ ବିତିଲାଣି ଦି’ଦିନ । ପାଖ ପଡ଼ିଶାଙ୍କଠୁ ବୁଝିଚି ସେ ଲୋକଟା କେବଳ ଆମରି ଘରକୁ ହିଁ ଆସେ । କୁଆଡୁ ଆସେ ତା’ ବି କେହି କିଛି ଜାଣିନାହାନ୍ତି ।
ଯେଉଁଦିନ କ୍ଷୀରବାଲାର ଟେଲିଫୋନ୍ ନମ୍ବରଟା ମିଳିଲା ମୁଁ ମନକୁ ମନ ଆଶ୍ୱସ୍ତ ହେଇଚି । ଝିଅର ଗୋଟେ ପୁରୁଣା ରଫ୍ଖାତାରେ ଲେଖାଅଛି ନମ୍ବର । ତାନ୍ତ୍ରିକ ବାବାଙ୍କ ପାଖକୁ ତରତର ହେଇ ବାହାରିବା ବେଳକୁ ଝିଅ ହିଁ ଏଇ ଖବରଟା ଦେଲା । ଥରେ, ଦି’ଥର, ତିନିଥର ସେଇ ନମ୍ବରକୁ ଚେଷ୍ଟା କଲା ପରେ ସମାନ ଗୋଟିଏ କଥା ଶୁଣିବାକୁ ମିଳିଲା- ଏହି ନମ୍ବରଟି କାହାକୁ ଦିଆଯାଇନାହିଁ ।