ଜୀବନ ଜ୍ୟାମିତି : ଯାହାକୁ ଯେମିତି
ରାଜଧାନୀ ଭୁବନେଶ୍ୱରରେ ଫାଷ୍ଟପୋଷ୍ଟିଂ ଅର୍ଡର ପାଇ ଗୌତମ ହୋଇ ଉଠିବ ଆନନ୍ଦରେ ଆତ୍ମହରା । ଯା’ ହେଲେ ବି ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଠାଣି-ବାଣୀ-ଚାହାଣୀ ଅଲ୍ଗା/ନିଆରା ନା! ଚିକ୍ମିକ୍ ବିପଣୀ, ସୋଡିୟମ୍ ଭେପର ଧୂଆ ସଫାସୁତୁରା ପ୍ରଶସ୍ତ ରାଜପଥ, ହାଉଯାଉ ଲୋକବାକ, ମାର୍କେଟ ବିଲ୍ଡିଂ, ଏରୋଡ୍ରମ୍, ଫରେଷ୍ଟପାର୍କ, ପୁରୁଣା ବସ୍ଷ୍ଟାଣ୍ଡର ବାବୁଲି ମ୍ୟାଗାଜିନ୍ ଷ୍ଟଲ, ସୂଚନା ଭବନ, ରବୀନ୍ଦ୍ର ମଣ୍ଡପ, ଶହୀଦନଗର, ଏକ ନମ୍ବର ହାଟ, ରୂପାଲି ଛକ, ବାଣୀବିହାର କ୍ୟାମ୍ପସ୍, ଏଜି, ରାଜଭବନ, କଳ୍ପନା, ନନ୍ଦନକାନନ ଏମିତି କେତେ ଆକର୍ଷଣୀୟ ସ୍ଥାନ ।
ଦିନେ / ଦୁଇଦିନ / ସପ୍ତାହେ ଲାଗି ଟ୍ରେନିଂ / ପ୍ରମୋଶନ୍ ଟେଷ୍ଟ / ନାଟକ ଉତ୍ସବ/ କବିତା ପାଠୋତ୍ସବ/ ପୁସ୍ତକ ମେଳା / ସାହିତ୍ୟ ସମାରୋହ/ ସେମିନାର ପାଇଁ ଭୁବନେଶ୍ୱର ଯିବାର ସୁଯୋଗ ମିଳୁଥିବ ଗୌତମକୁ ।
ସେଇ କିଛିଦିନ ସ୍ୱର୍ଗସୁଖ ଅନୁଭବ କରିଥିବ ଗୌତମ । ଧୂମ୍ ଘୂରି ବୁଲୁଥିବ । ବନ୍ଧୁମାନଙ୍କ ଗହଣରେ ଗୁଲିଖଟି ମାରି ଚା’ ପାନ ଖାଇ ବେଶ୍ ଉପଭୋଗ କରିଥିବ ସେଇ ମୁହୂର୍ତ୍ତ ସବୁ । ବିଶେଷ କରି ସନାତନ ଭାଇନାଙ୍କ ସାହଚର୍ଯ୍ୟ, ସମ୍ପର୍କୀୟ ସାନଭାଇ ଗଣେଶ୍ୱର, ସନ୍ତୋଷ, ଭରତ, ଅଭିଷେକ, କମଳ, ବିମଳ, କେଦାର, ସୁନୀଲ ଏମିତି କେତେ ଚିହ୍ନା ଅଚିହ୍ନା ମୁହଁର ମାନଚିତ୍ର ଭିତରେ ମାତାଲ ହେଉଥିବ ବିନା ମଦିରାରେ ଗୌତମ । ହଜି ଯାଉଥିବ ନିଜେ । ପୁଣି ଖୋଜୁଥିବ ନିଜକୁ । ସତରେ ବିଚିତ୍ର ଏ ନିଜ ସହ ଲୁଚକାଳି ଖେଳ! ତା’ର ସେଇ ସ୍ୱଳ୍ପ ରହଣୀ । ସ୍ମୃତିକୋଷରେ ସାଇତା ଅନେକ… ଅନେକ… ଅନେକ.. ମିଠା ମିଠା ସ୍ମୃତିର ଫସିଲ୍ ।
ଏବେ ପରମାନେଣ୍ଟ ବାସିନ୍ଦା ହୋଇଯିବ ହୋ! ୟା’ଠାରୁ ବଳି ଖୁସି ଖବର କ’ଣ ହୋଇପାରେ ଗୌତମ ପାଇଁ କୁହ ତ? ଗୌତମର ବନ୍ଧୁବାନ୍ଧବ, ଜ୍ଞାତି ପରିଜନ ବି ଖୁସ୍ । ହେଲେ ରାଜଧାନୀ ଭୁବନେଶ୍ୱର ପୋଷ୍ଟିଂ ଅନେକ ବନ୍ଧୁ ବାନ୍ଧବଙ୍କ ଈର୍ଷାର କାରଣ ହୋଇଯିବ । ପଛରେ କଥା ହେବେ ବେଟାର ଚେର ବଡ଼ ଗହୀର । ୟା’କୁ ପାରିହେବନି ଜମା ।
ତିଥି / ନକ୍ଷତ୍ର / ବେଳା ଗଣନା କରି ଗୌତମ ଜଏନ୍ କରିବ ଅଫିସ୍ରେ । ହେଲେ ରହିବ କେଉଁଠି? ଦିନେ ଦୁଇଦିନ ପାଇଁ ଆସିଲେ ସିନା ସନାତନ ଭାଇନାଙ୍କ ଘରେ କ୍ୟାମ୍ପ ପଡ଼ି ଯାଉଥିଲା, ଯେଉଁଠି ସେ ଘରର ମେମ୍ବର ଭଳି ସ୍ନେହ, ଆଦର, ଯତ୍ନ ପାଉଥିଲା । ଏବେ ତ ପରମାନେଣ୍ଟ ରହଣୀ । ହାଲ୍କୁ ଲଜିଂରେ ରହିବାକୁ ପଡ଼ିବ ତାକୁ । ରାଜମହଲ ଓ କଳ୍ପନା ଛକ ମଝିରେ ଓଭର୍ବ୍ରିଜ୍ ତଳେ ଥିବା ଶସ୍ତା ଲଜ୍ରେ ରହିବ । ପାଖରେ ଥିବା ଢାବାରେ ରାତିରେ ରୁଟି-ଡାଲ୍ମା ଖାଉଥିବ ତ ଦିନରେ ଲଞ୍ଚ ଖାଉଥିବ ଶହୀଦନଗର ହାଟ ଝୁମ୍ପୁଡ଼ି ହୋଟେଲ୍ରେ ।
ଏଥର ଘର ଖୋଜିବା ସମସ୍ୟା । ଚନ୍ଦ୍ରରେ ପାଣି ଖୋଜିବା ଭଳି ଭୁବନେଶ୍ୱରରେ ଭଡ଼ାଘର ଖୋଜିବା । ଆଜିକାଲି ଭଳି ତ ବିଲ୍ଡରସ୍ ସେତେବେଳେ ନ ଥିଲେ । ସେମାନେ ଏବେ ଗୋଟିଏ ମାସର ଭଡ଼ା କମିଶନ ନେଇ ତୁମ ପାଇଁ ତୁମ ମନ ମୁତାବକ ଘର ଖୋଜିଦେବେ । ଅନ୍ଲାଇନ୍ରେ ବି ଭଡ଼ାଘର ଉପଲବ୍ଧ ହେଲାଣି ବର୍ତ୍ତମାନ । ସେତେବେଳେ ଏଇ ବ୍ୟବସ୍ଥା ହୁଏତ ସପନ ଭଳି ଲାଗୁଥିବ । ନୁହେଁ…?
ସାଇକେଲ୍ଟିଏ କାହାଠୁଁ ମାଗି ନେଇ ରାଜଧାନୀର ଉଠାଣି-ଗଡ଼ାଣି ରାସ୍ତାରେ ପେଡେଲ୍ ମାରି ମାରି ବିଭିନ୍ନ ଇଲାକାରେ ବୁଲି ବୁଲି ଘର ଖୋଜି ଖୋଜି ନିରାଶ ହେବ ଗୌତମ । ଏଣେ ଘର ଖୋଜିବା ପାଇଁ ରବିବାର ହିଁ ସପ୍ତାହରେ ଗୋଟିଏ ଦିନ ଫୁରସତ୍ ମିଳୁଥିବ ତ ଗାଁକୁ ଯିବା ଆଉ ସମ୍ଭବ ହୋଇପାରୁ ନଥିବ । ଗୌତମର ଗାଁ ଚାରିଶହ କିଲୋମିଟର ଦୂର । ବସ୍ରେ ଗଲେ କମ୍ ସେ କମ୍ ଆଠଘଣ୍ଟା ଲାଗୁଥିବ । ଟ୍ରେନ୍ ତ ନଥିବ । ଟେକ୍ସିରେ ଯିବା ପାଇଁ ପର୍ସ ପରମିଟ୍ କରୁନଥିବ ।
ଶେଷରେ ସେଇ ଦୂର ସମ୍ପର୍କୀୟ ସନାତନ ଭାଇନା ଯିଏ ଜଣେ ବିଶିଷ୍ଟ ଜୀବନୀ ଲେଖକ/ ବଡ଼ ସାହିତି୍ୟକ/ ତାଙ୍କରି ଉଦ୍ୟମ ଯୋଗୁଁ ବରଗଡ଼ ବ୍ରିଟ୍ କଲୋନୀରେ ଦୁଇ ବଖୁରିଆ ଶସ୍ତା ଭଡ଼ାଘରଟିଏ ପାଇଯିବ ଗୌତମ । ଆଶ୍ୱସ୍ତି ହେବ । ଆଡଭାନ୍ସ ଦେଇ ରହିଯିବ । ଗାଁକୁ ଯାଇ ସାଇକେଲ୍, ଖଟ, ଟେବୁଲ୍, ଚେୟାର ଓ ଅନ୍ୟ ଆସବାବପତ୍ର ନେଇ ଆସିବ । ହେଲେ ଏଇ ଘରେ ପାଣି ସମସ୍ୟା ଥିବ । ଘରକୁ ପାଇପ୍ ଲାଇନ୍ ତ ଆସିଥିବ କିନ୍ତୁ ସେଥିରେ ଆସୁନଥିବ ପାଣି । ପାଣି ସପ୍ଲାଇ ହୋଇନଥିବ ।
ସନାତନ ଭାଇନା କହିଲେ- ବୁଝିଲୁ ଗୀତୁ! (ଗୌତମକୁ ସମସ୍ତେ ଗୀତୁ ବୋଳି ଡାକୁଥିବେ ତ!) ବରଗଡ଼ ବ୍ରିଟ୍ କଲୋନୀରେ ଏଥିପାଇଁ ଘରଭଡ଼ା ଖୁବ୍ ଶସ୍ତା ଓ ସୁଲଭ । ଟୁ୍ୟବ୍ୱେଲ୍ ଉପରେ ଭରସା ପୁଣି ଭରସା ଭୋଳା ।
ଗୌତମ କୌତୂହଳି ହୋଇ ପଚାରି ଦେବ-
– ଏ ଭୋଳା ପୁଣି କିଏ ଭାଇନା? କ’ଣ କରେ ସିଏ?
– ଭୋଳାନାଥ ଭଲ ନାଁ ତା’ର । ଲୋକଟି ହୃଷ୍ଟପୁଷ୍ଟ । ଗୋଟିଏ ଗୋଡ଼ ଗୋଦର । ଚାଳିଶି ବର୍ଷ ବୟସରେ ବି ଷାଠିଏ ବର୍ଷ ବୟସର ଛାପ । ଟୁ୍ୟବ୍ୱେଲ୍ର ହେଣ୍ଡଲ ମାରି ପାଣି ବାହାର କରି ବାହୁଙ୍ଗା/ଡବା ସାହାଯ୍ୟରେ କାନ୍ଧରେ ବୋହି ଘରେ ପହଞ୍ଚେଇ ଦିଏ । ଭାର ମାତ୍ର କୋଡ଼ିଏ ଟଙ୍କା । ଦିନକୁ ଗୋଟିଏ ଭାର ହେଲେ ତୁମକୁ ଯଥେଷ୍ଟ ହେବ । ଆମେ ତ ଏତେ ବଡ଼ ଫେମିଲି ଚାରୋଟି ଭାରରେ ଆଡଜଷ୍ଟ କରୁଛୁ । ଅବଶ୍ୟ କଷ୍ଟ ହେଉଛି ।
– ଠିକ୍ ଅଛି ଭାଇନା! ଯୋଉ ଦେଶ ଯାଇ, ସେଇ ଫଳ ଖାଇ । କ’ଣ କରିବା? ଆପଣ ଭୋଳା ସହ ମୋର ମୁଲାକାତ୍ କରାଇ ଦିଅନ୍ତୁ ଥରେ ।
– ସକାଳ ଛଅଟାରେ ଟ୍ୟୁବ୍ୱେଲ୍ ପାଖକୁ ଗଲେ ତା’ ସହ ତୁମର ମୁଲାକାତ୍ ହୋଇଯିବ ଗୀତୁ!
ଅବିଶ୍ୱାସନୀୟ ସତ : ଜମା ମିଛ ନୁହେଁ ମିତ
ତା’ପରଦିନଠୁଁ ଭୋଳା ଗୌତମ ଘରକୁ ପାଣି ଆଣି ଦେବା ଆରମ୍ଭ କରିଦେବ । ଗୌତମ ଏକ୍ଲା ମଣିଷ । ସୁନ୍ଦରୀ, ଶିକ୍ଷିତା ପତ୍ନୀ ଏ ଘର, ପରିବେଶ, ଜଳକଷ୍ଟ ଦେଖି ମୁହଁ ମୋଡ଼ି ଚାଲିଯିବେ । ସେ ତାଙ୍କରି ବାପଘରେ ରହିବାକୁ ବେଶୀ ପସନ୍ଦ କରିବେ । ଯେହେତୁ ତାଙ୍କରି ବାପା ଏକ୍ସ ଡେପୁଟୀ କଲେକ୍ଟର ଅଭାବ ଅସୁବିଧା କିଛି ନଥିବ ।
ଭୋଳାନାଥ ଓରଫ ଭୋଳା ସହ ଗୌତମର ଦୋସ୍ତି ବଢ଼ିଯିବ । ଭୋଳା ରହୁଥିବ ଜଣକ ଘରର ବାରଣ୍ଡାରେ ତ କୁକୁର. ବିରାଡି, କାଉ, ପିମ୍ପୁଡି, ଘରଚଟିଆ, ପାରା, ମୂଷା, ମଶା, ମାଛି ସମସ୍ତେ ସଦଳବଳେ ବିଚାରାକୁ ଟିକିଏ ଶାନ୍ତିରେ ଶୁଆଇ ଦେଉନଥିବେ । ଗୌତମର ଗୋଟିଏ ରୁମ୍ ଖାଲି ପଡ଼ିଥିବ । ବାହାରକୁ ଯିବା ପାଇଁ ଅଲଗା ରାସ୍ତା ଥିବ ତ ଭୋଳାକୁ ଛାଡ଼ିଦେବ ଗୋଟିଏ ରୁମ୍ ।
ଭୋଳା ସହ କଥା ହେବା ବେଳେ ସେ ବହୁତ କାନ୍ଦିବ । ଜଗନ୍ନାଥଙ୍କୁ ଗାଳି କରେ । ଏ ହୀନିମାନିଆ ଜୀବନ ପାଇଁ ସେ ଜଗାକୁ ହିଁ ଦାୟୀ କରେ । ସେ ହୋଇଥିବ ଅତି ନିରୀହ, ସରଳ ବିଶ୍ୱାସୀ, ମେହନତି ମଣିଷ । କାହାକୁ ରାଗି କରି କହିବା କି ଗାଳି ଗୁଲଜ କରିବା ସେ ଶିଖିନଥିବ ।
ଗାଁରେ ତା’ର ପାଞ୍ଚପ୍ରାଣୀ କୁଟୁମ୍ବ । ସ୍ତ୍ରୀ, ଦୁଇଝିଅ, ଦୁଇ ପୁଅ । ପୁଅ ଦି’ଟା କଞ୍ଚାବାଳୁଙ୍ଗା । ପାଠଶାଠ ନ ପଢ଼ି ଚଗଲା ହୋଇଯାଇଥିବେ । ଝିଅ ଦି’ଟା ବିବାହଯୋଗ୍ୟ ହେବେଣି । ସେ ପାଞ୍ଚବର୍ଷ ହେଲା ଏଇ ବରଗଡ଼ ବ୍ରିଟ୍ କଲୋନୀକୁ ଆସିବଣି । ଦିନକୁ ତିରିଶ/ଚାଳିଶ ଭାର ପାଣି ସେ ଯୋଗାଉଥିବ । ମାସକୁ ପ୍ରାୟ କୋଡିଏ ହଜାର ଟଙ୍କା କମାଉଥିବ ସିଏ । ଗାଁକୁ ସତରହଜାର ଟଙ୍କା ଆଖିବୁଜି ମନିଅର୍ଡର କରିଦେଇ ବଳକା ତିନି ହଜାରରେ ବଡ଼ କଷ୍ଟରେ ଚଳୁଥିବ । ଚୂଡା, ମୁଢ଼ି, ପଖାଳ, ପିଆଜରେ କାମ ଚଳାଇନେଉଥିବ । ଅଫିମ ଟେଳା, ରାବିଡି, ସିଝା ଅଣ୍ଡା ବି ପ୍ରତିଦିନ ଖାଇବାକୁ ପଡୁଥିବ ନ ହେଲେ ଏ ଗୋଦର ଗୋଡ଼ରେ କେମିତି ଏତେ ପାଣି ହେଣ୍ଡେଲରେ ମାରି କାନ୍ଧରେ ବୋହି ନେଇପାରିବ? କରଞ୍ଜ ତେଲ ବି ରାତିରେ ନିଜେ ନିଜେ ମାଲିସ୍ କରୁଥିବ ବ୍ୟଥା ଉପଶମ ପାଇଁ ।
ଦିନେ ଗୌତମ ପଚାରିଦେବ- ଭୋଳା, ଯଦି ସତରେ ପାଇପ୍ରେ ପାଣି ଆସିବ ଏଇ ବରଗଡ଼ ବ୍ରିଟ୍ କଲୋନୀକୁ । ତମେ କ’ଣ କରିବ?
ଭୋଳା ହସିବ । ତା’ ହସ ଶୁଭୁଥିବ କାନ୍ଦିବା ଭଳି । କହିବ- ହ ମ ବାବୁ! ମୁଁ ତ ପାଞ୍ଚବର୍ଷ ହେଲା ଏମିତି ଶୁଣିଆସୁଛି । ପାଣି ଆସିବ । ଏଇ କାଲି ଆସିବ । ଏଇ ସପ୍ତାହରେ, ଏଇ ମାସରେ ଆସିବ । କାଇଁ ଆସୁନାହିଁ ତ? ସରକାରୀ କଳ କଥା ବାବୁ, କ’ଣ ଏତେ ସହଜରେ ସବୁ ହୁଏ? ମୋ ଜମାନାରେ ଆସିବନି ଜମା । ଦେଖିବେନି କି?
ଗୌତମ ରାନ୍ଧିଥିବା ଭାତ / ରୁଟି / ଡାଲମା / ଭଜା/ ବେଳେ ବେଳେ ଭୋଳାକୁ ଦେଇଦେଉଥିବ । ନିଜେ ବାହାରେ ଖାଇ ଆସୁଥିବ । ଭୋଳା ପଚାରିଲେ ପେଟ ଭଲନାହିଁ ବୋଲି ମିଛ କହି ଦେଉଥିବ ।
ଭୋଳାର ବୟସ ଚାଳିଶ ହେଲେ ବି ଦିଶୁଥିବ ଷାଠିଏ ବର୍ଷର ବୃଦ୍ଧ ଭଳି । ନୁଖୁରା ଧଳା ବାଳ । ଧଳା ଦାଢ଼ି । ପିନ୍ଧୁଥିବ ଧୋତି ପାଇକଚ୍ଛା ମାରି । ଧଳା ଫୁଲ୍ ଗଞ୍ଜି ବି ପିନ୍ଧୁଥିବ । ଦୁଇ ଯୋଡ଼ା ମାତ୍ର । ହେଲେ ଦଶହରା / କୁମାର ପୂର୍ଣ୍ଣିମାକୁ ନୂଆ ଧୋତି ଆଉ ଗଞ୍ଜି ହଳେ କିଣି ଆଣି ଦେଇଥିବ । ମନା କରୁଥିବ ନେବା ପାଇଁ । ଜବରଦସ୍ତ କରି ଦେବ ଗୌତମ ।
ଗୌତମ ଭାବୁଥିବ- ଏ ଭୋଳା ଭଳି ମଣିଷକୁ ବି ଏଇ ବରଗଡ଼ ବ୍ରିଟ୍ କଲୋନୀର ଲୋକେ ଠକୁଥିବେ । ବିଶେଷ କରି ସ୍ତ୍ରୀଲୋକମାନେ ବେଶୀ ଠକୁଥିବେ । ଭାର ଗଣତିରେ କମ୍ କରି ଦେଇ ବେଶୀ ପାଣି ରଖିନେଉଥିବେ । ମାସକୁ ମାସ ଟଙ୍କା ନଦେଇ କିଛି ବାକି ରଖିଦେଇ ଆର ମାସକୁ ଦେବି ବୋଲି କହି ଠକି ଦେଉଥିବେ । ବିଚରା ଭୋଳା କାହାକୁ କିଛି କହୁନଥିବ । ନା ପ୍ରତିବାଦ ନା ପ୍ରତିରୋଧ । ମୁଣ୍ଡପୋତି ଚାଲିଆସୁଥିବ । ଓଃ ହୋ ଏତେ ଭଲଲୋକ ପୁଣି ଏ ସଂସାରରେ ରହୁଛନ୍ତି ଏ କଳିଯୁଗରେ । ବିଶ୍ୱାସ କରିହେଉ ନଥିବ ହେଲେ ଗୌତମ ତ ଆଖି ଆଗରେ ଏ ଅନ୍ୟାୟ ଦେଖି ସହିପାରୁ ନଥିବ ତ କିଛି କହି ବି ପାରୁନଥିବ ସେଇ ମୁଖରା / ସ୍ୱାର୍ଥପର / ଲୋଭୀ ସ୍ତ୍ରୀ ଲୋକମାନଙ୍କୁ ।
ବିଶ୍ୱାସର ବାତାୟନ : ଆଶ୍ୱାସନାର ତପୋବନ
ଦିନେ ହଠାତ୍ ଶୁଣାଯିବ ବରଗଡ଼ ବି୍ରଟ୍ କଲୋନୀକୁ ପାଇପ୍ରେ ପାଣି ଆସିଯିବ । ଭୋଳା ଜମା ବିଶ୍ୱାସ କରୁନଥିବ ।
କହୁଥିବ- ହଃ ମିଛ କଥା ହୋ! ସରକାରୀ କଳ କଥା । କେତେ ଶେଣାରେ ପାଣି ଛଣା ହୋଇ ନିଷ୍ପତ୍ତି ନିଆଯିବ । କ’ଣ ଏତେ ସହଜ ହୋଇଛି ଏ କାମ । ପାଞ୍ଚବର୍ଷ ହେଲା ପା’ ମୁଁ ଶୁଣି ଆସୁଛି ଏମିତି! କିଏ ଗୋଟାଏ ହାୱା ମାରି ଦେଇଛି । ମୋ ବେଉସା କ’ଣ ଜଗାକାଳିଆ ଏମିତି ଡୁବାଇ ଦେବେ? ମୁଁ ବଞ୍ଚିବି କେମିତି? ଖାଇବି କ’ଣ? ପାଞ୍ଚପ୍ରାଣୀ କୁଟୁମ୍ବ ମୋର ଭାସିଯିବେ ବୃତ୍ତି ଏ ପୋଷେ କୁଟୁମ୍ବ ଜଗା କ’ଣ ବନ୍ଦ କରିଦେବ । ସେ ଭାବଗ୍ରାହୀ- ନା କଦାଚିତ ଏଇ ଇଲାକାକୁ ପାଇପ୍ରେ ପାଣି ଆସିବନି ହୋ ! ମୁଁ ହଲପ୍ ଦେଇ କହୁଛି । ଦେଖିବନି କି?
ଗୌତମ ଭୋଳାକୁ ଡାକିବ । କହିବ- ଭୋଳା! ତୁମରି ଦୃଢ଼ ଆତ୍ମବିଶ୍ୱାସର ଝର୍କା ତ ବହୁତ ବଡ଼ । ତୁମେ ନିଜକୁ ନିଜେ ଆଶ୍ୱାସନା ଦେଇ ଚାଲିଛ । ସତରେ ଆସନ୍ତା ଅଗଷ୍ଟ ପନ୍ଦର ତାରିଖଠାରୁ ବରଗଡ଼ ବ୍ରିଟ୍ କଲୋନୀକୁ ପାଇପ୍ରେ ପାଣି ଆସୁଛି ।
ଭୋଳା ତଥାପି ବିଶ୍ୱାସ କରୁନଥିବ । କହୁଥିବ- ତମେ କେଉଁଠୁ ଭୁଲ୍ ଶୁଣି ଆସିଛ । ନାଇଁ ବାବୁ ନାଇଁ ଭଗବାନ ଏତେ ବଡ଼ ଅନ୍ୟାୟ କରିପାରିବେନି । ମତେ କ’ଣ ଆତ୍ମା ହତିଆ (ଆତ୍ମହତ୍ୟା ବୋଲି କହିପାରୁନଥିବ ସିଏ) କରିବାକୁ ବାଧ୍ୟ କରିବେ । ହେ ପ୍ରଭୁ ଏ ପାଇପ୍ରେ ପାଣି ଆସିବା ଖବର ମିଛ ହୋଇଥାଉ । ଏ ବରଗଡ଼ ବ୍ରିଟ୍ କଲୋନୀକୁ ଏମିତି ଢେଙ୍କି କଳ (ଟୁ୍ୟବ୍ୱେଲ୍ କହିପାରେନି ସିଏ) ହିଁ ଲୋକଙ୍କୁ ପାଣି ଯୋଗାଉଥାଉ । ଭଗବାନ କେମିତି ଏ ଭୋଳାକୁ ଜାଣି ଜାଣି ମାରିଦେବେ ଯେ? ନା, କେବେ ନୁହେଁ ।
ସତରେ ବଡ଼ ବିଶ୍ୱାସର ବିଶ୍ୱ ଭୋଳାର । ଏମିତି ସରଳ ପ୍ରାଣ ମଣିଷ ଏ ଗରଳ ଦୁନିଆରେ ମିଳିବା ଯେମିତି କଷ୍ଟ- ତା’ଠୁ କଷ୍ଟଦାୟକ ସେମାନଙ୍କ ଜୀଇଁବାର ଜିଗୀଷା- ବଞ୍ଚିବାର ବାଟ-ଜଞ୍ଜାଳର ଜଞ୍ଜିର ।
ଆଚମ୍ବିତ ଶେଷଗାନ : ଅଫେରାପୁରୀର ସମନ
ସତକୁ ସତ ଅଗଷ୍ଟ ପନ୍ଦରରେ ବରଗଡ଼ ବ୍ରିଟ୍ କଲୋନୀକୁ ପାଇପ୍ରେ ପାଣି ଆସିଯିବ । ସମସ୍ତେ ଖୁସିରେ ବାଣ ଫୁଟାଇବେ । ଭୋଜି କରିବେ । ତ୍ରିନାଥ ମେଳା, ସନ୍ତୋଷୀ ମାତା, ଶିରିଡ଼ି ସାଇ ବାବାଙ୍କ ପୂଜା କରି ଭୋଗ ବାଣ୍ଟି ଖାଇ ଖୁସି ମନାଇବେ । ସେମାନଙ୍କର ବହୁତ ଦିନର ସ୍ୱପ୍ନ ଆଜି ପୂର୍ଣ୍ଣ ହୋଇଛି ନା!
ଭୋଳା ତଥାପି ଅବିଶ୍ୱାସ କରୁଥିବ । ମାସର ପନ୍ଦର ଦିନର ବାକି ପଇସା ବି କେହି ଦେବେ ନାହିଁ ତାକୁ । ଭୋଳାକୁ ଯେମିତି କେହି ଚିହ୍ନନ୍ତିନି । ‘ୟୁଜ୍ ଏଣ୍ଡ ଥ୍ରୋ’ର ଏଇ ଦୁନିଆ ଗୌତମ ହିଁ କିଛିଦିନ ଖାଇବାକୁ ଦେଉଥିବ ଭୋଳାକୁ ତ ସେ ଜମା ଖାଉ ନଥିବ । ଖାଲି କାନ୍ଦୁଥିବ । କାନ୍ଦୁଥିବ କାନ୍ଥରେ ମୁଣ୍ଡପିଟି ।
ଧୀରେ ଧୀରେ ସପ୍ତାହ ପରେ ଭୋଳା ରୋଗାକ୍ରାନ୍ତ ହୋଇପଡ଼ିଥିବ । ଅଫିମ ଟେଳା, ରାବିଡି, କରଞ୍ଜ ତେଲ, ମେଡିସିନ୍ ବିନା ଭୋଳା ଆହୁରି ବ୍ୟସ୍ତ, ବିବ୍ରତ, ହତାଶ ହୋଇଉଠିବ । ବଞ୍ଚିବାର ଆଶା ଛାଡ଼ିଦେବ ତ ଖାଲି କାନ୍ଦୁଥିବ ଦିନରାତି ।
ଭୋଳା ଭାବୁଥିବ- ଏ କଲୋନୀର ଲୋକଗୁଡାକ / ଏ ସରକାର କେଡେ ସ୍ୱାର୍ଥପର ସତରେ! ଏତେଦିନ ଧରି ପାଇପ୍ରେ ପାଣି ଆସୁନଥିଲା ତ ଭୋଳା ହିଁ ଥିଲା ଭରସା । କିଏ ଭୋଳା ମଉସା/ଭୋଳା ନନା/ ଆନ୍ନା / ଭାଇନା/ ଭୋଳାନାଥ କେଡେ ଆଦର ସୋହାଗରେ ଡାକି କାମ ହାସଲ କରୁଥିଲେ । ଏବେ ପାଇପ୍ରେ ପାଣି ଆସିଗଲା ତ ଭୋଳାକୁ ଆଉ କେହି ବି ବାସୀ ପାଣିରେ ପଚାରୁ ନାହାନ୍ତି । ସେ ଯେମିତି ଅଚିହ୍ନା/ଅଜଣା ମୁସାଫିର୍ ।
ଭୋଳାକୁ ଆହୁରି ଚଗଲା ଟୋକାଏ ଟିକଲ କରୁଥିବେ । “ଭୋଳାରେ ଭୋଳା- ତୋ’ର ବୁଡ଼ିଲା ଭେଳା- ସରକାର ମାରିଲା କୀଳା” । ଗୌତମର ଇଚ୍ଛା ହେଉଥିବ ଟୋକାମାନଙ୍କୁ ଦି’ ଚାପୁଡ଼ା ମାରି ଚୁପ୍ କରାଇଦେବାକୁ । କେବଳ ହାତ ମୁଠା ମୁଠା କରି ଚୁପ୍ ରହୁଥିବ ।
ଭୋଳାକୁ ଆଶ୍ୱାସନା ଦେଉଥିବ ଗୌତମ । ପାଣି ସପ୍ଲାଇ ବିଭାଗରେ କିଛି ଛୋଟମୋଟ କାମ ତା’ ପାଇଁ କରାଇଦେବାର ପ୍ରତିଶ୍ରୁତି ଦେଉଥିବ । ହେଲେ ଭୋଳା ଜମା ବିଶ୍ୱାସ କରୁନଥିବ । କାନ୍ଦୁଥିବ ।
ସେଦିନ ଥିବ ଗହ୍ମାପୂର୍ଣ୍ଣିମା/ରକ୍ଷା ବନ୍ଧନ । ଗୌତମର ଜନ୍ମଦିନ । ଭୋର୍ରୁ ଉଠି ଗାଧୋଇ ସାରି ଲିଙ୍ଗରାଜ ମନ୍ଦିର ଯାଇ ଲଡୁ ଭୋଗ କରି ନେଇଆସିଥିବ । ଭୋଳା ରୁମ୍କୁ ଯାଇ ଦେଖିବ ସେ ନିଘୋଡ଼ ନିଦରେ ଶୋଇଛି । ପାଖକୁ ଯାଇ ହଲାଇ ଦେଲାବେଳକୁ ତା’ ଦେହ ଖୁବ୍ ଥଣ୍ଡା ଲାଗୁଥିବ । ଯଶସ୍ୱୀ କଥାକାର ଗୋଦାବରୀଶ ମହାପାତ୍ରଙ୍କ “ମାଗୁଣିର ଶଗଡ଼” ଗଳ୍ପର ଶେଷ ଦୃଶ୍ୟ ଭଳି ଭୋଳା ଶୋଇପଡ଼ିଥିବ ସବୁଦିନ ପାଇଁ ଏ କଲୋନୀ ବାସିନ୍ଦାଙ୍କର ଅବିମୃଷ୍ୟକାରିତା ପ୍ରତି ପ୍ରଚଣ୍ଡ ଅଭିମାନ କରି । ତା’ ମୁଣ୍ଡ ପାଖରେ ଥିବ ବାହୁଙ୍ଗା ଓ ଡବା ଦୁଇଟିକୁ ସେ ଜାବୁଡ଼ି ଧରିଥିବ ଛୁଆ ଭଳି ଶେଷ ନିଃଶ୍ୱାସ ତ୍ୟାଗ କରିଥିବ । ସାମ୍ନା କାନ୍ଥରେ ଅତି କଦର୍ଯ୍ୟ ଅକ୍ଷରରେ ଭୋଳା ଅଙ୍ଗାରରେ ଲେଖିଦେଇଥିବ ମୋ ମୃତୁ୍ୟ ପାଇଁ ଦାୟୀ ମୁଁ… । ଗୌତମ ଅଙ୍ଗାରରେ ଲେଖିଦେବ ଆଧୁନିକ ବିଜ୍ଞାନ ‘ମୁଁ’ ପରେ । କେବେ ଭୋଳା/ ମାଗୁଣିମାନଙ୍କର କଟାମୁଣ୍ଡ ଗିଲୋଟିନ୍ରେ ବଳିପଡୁଛି ଏ ଯୁଗରେ ଯେଉଁଠି ମାନବିକତାକୁ ତଣ୍ଟିଚିପି ହତ୍ୟା କରାଯାଉଛି ଅହରହ । ଗୌତମ ବିଦାୟୀ ଆତ୍ମାକୁ ବିନମ୍ର ପ୍ରଣିପାତ କରିବ । ଆଖିରୁ ବହିଯାଉଥିବ ଅଶ୍ରୁଧାର । ତଥାପି ଗଜଲ ଭଳି ଶୁଭୁଥିବ : କ’ଣ ଭାବୁଛ ହୋ ଭୋଳାନାଥ / ଆଉ କି ଫେରିବ ଗଲା ଦିନ/ ସେ ତ ଅଣଲେଉଟା ସବୁବେଳେ ଧରିନିଅ ଥିଲା ତାହା ମଧୁର ସପନ… ।
ଖୁବ୍ ଭଲ ପ୍ରୟାସ। ଆନ୍ତରିକ କୃତଜ୍ଞତା ଜଣାଉଛି ମତେ ସ୍ଥାନିତ କରିଥିବାରୁ। ଅଶେଷ ଧନ୍ୟବାଦ ବିଧୂବାଵୁ