ସକାଳେ ନିଦରୁ ଉଠି ମୁଁ ଜାଣିପାରିଲିନି କେଉଁଠି ଅଛି ।
ଝର୍କା ଖୋଲା ଥିଲା ।
ଆକାଶର ଚେହେରା ବୟସ୍କ ଲୋକର ପେଜୁଆ ଆଖିର ଝାପ୍ସା ଦୃଷ୍ଟି ।
ଆରେ; ମୁଁ କ’ଣ ଏଇନେ ମୁମ୍ବାଇର ଓଡ଼ିଶା ଭବନ ପାଖାପାଖି କୌଣସି ଏକ ଅତିଥି ଭବନରେ!!
ନା; ମୋଟେ ନୁହେଁ ।
ରାତିରେ ତ ଘରେ ଥିଲି ।
ରାତି ଗୋଟାଏ ଯାଏ ଟି.ଭି. ଦେଖୁଥିଲି ।
ରବିବାରର ରୋଚକ ଦୃଶ୍ୟ-ଶ୍ରାବ୍ୟ ଘଟଣା, ଯାତ୍ରା, ସିନେମା ଓ ଆଉ ଆଉ କେତେ କ’ଣ ।
ହଁ; କିଛି ସମୟ ପରେ ଭ୍ରମ ତୁଟିଲା ।
ମୁଁ ଏଇନେ ମୋ ଘରେ ।
କିନ୍ତୁ ପାଗ ହଠାତ୍ ବଦଳିଗଲା କେମିତି!
ହଁ; ହଁ ଅସମ୍ଭବ କିଛି ନୁହେଁ ଏ ଦୁନିଆରେ ।
ନିଦ ଓ ଆଳସ୍ୟ ମୋତେ କାବୁ କରିବାକୁ ପ୍ରସ୍ତୁତ ।
ପାଗ ପ୍ରତିକୂଳ ଯୋଗୁଁ ଦେହ ଆଉ ମନ ସତେଜ ଲାଗିଲା ନାହିଁ ।
ମୁଁ ବିଛଣା ଉପରେ ଘାଲେଇ ପଡ଼ିଲି ।
କିଛି ସମୟ ପରେ କଲିଂବେଲ୍ର ମଧୁର ସଙ୍ଗୀତ ।
ରୋଷେଇ ଘରେ ଜ୍ୟୋତ୍ସ୍ନା ।
ସେ କେତେବେଳେ ବିଛଣା ଧରନ୍ତି ଓ କେତେବେଳେ ବିଛଣା ଛାଡନ୍ତି; ମୋତେ ଜଣାଯାଏ ନାହିଁ ।
ଅଇଁଠା ବାସନକୁସନ ଧୋଇବାର ଖଡ୍ଖାଡ୍ ଶବ୍ଦ କାନରେ ଲାଗୁଥାଏ । ଜଣାଯାଉଥାଏ; ସତେ ଅବା ଖୋଲାପଡ଼ିଆର ଆରପାଖରେ କୌଣସି ଏକ ଡେଙ୍ଗାଗଛର ଦେହରେ କାଠହଣା ଚଢ଼େଇଟେ ଥଣ୍ଟର ନିହାଣମୂନରେ ନିରାପଦ ଘରଟାଏ ତିଆରୁଛି!
ପୁଣିଥରେ କଲିଂବେଲ୍ରୁ ସଙ୍ଗୀତର ସ୍ୱର ।
ଏଥର ସତେ ଯେମିତି ନିଜେ ଆଗନ୍ତୁକ ଜଣକ ତାଙ୍କ ପ୍ରତିକ୍ରୀୟା ଜଣାଉଛନ୍ତି!
କବାଟ ଖୋଲି ଆଗନ୍ତୁକଙ୍କୁ ସସମ୍ମାନେ ଭିତରକୁ ନେଇଆସିବା ପରେ ଜ୍ୟୋତ୍ସ୍ନା ପଚାରିବାର ଶୁଭୁଥାଏ; ଅଜୟ ମାମୁ । ତମେ ଅଚାନକ । ଏତେ ସକାଳୁ ସକାଳୁ ।
ଭଦ୍ର ଓ ଧୀର କଣ୍ଠରେ ସେ ଉତ୍ତର ଦେଲେ; ସକାଳୁ!
ଦିନ ଆସି ନଅଟା ହେବା ଅପେକ୍ଷାରେ ।
ତମ ମାଈଁକୁ ଧରି ମୁଁ ତ ଦଶକିଲୋମିଟର ଦୂରରୁ ଆସି ଏ ସହରରେ ପହଞ୍ଚି ତିନି ଚାରିଟା କାମ ଶେଷ କରିସାରିଲିଣି ।
ତମେ ସମୟ ଜାଣିପାରୁନ ଯେ!
ନିଜଆଡୁ ସଫେଇ ଦେବାକୁ ଯାଇ ଜ୍ୟୋତ୍ସ୍ନା କହୁଥାଏ; ଜାଣିଚ ନା ମାମୁ ଇଏ ତାଙ୍କର ରାତିଚର । ଦିନସାରା ବୁଲାକୁକୁର ଭଳି ଏଠି ସେଠି । ସଂଜରେ ଏଣୁତେଣୁ ଗପସପ ।
ରାତିରେ ଲେଖାଲେଖି ଓ ପଢ଼ାପଢ଼ି ।
ହେଇ ଦେଖୁନ; ଟେବୁଲ୍ଟା ଖବରକାଗଜ, ପତ୍ରପତ୍ରିକାରେ କେମିତି ଓଜନିଆ ହେଇଯାଇଚି ।
ତା’ଛଡ଼ା ସୂର୍ଯ୍ୟକିରଣ ନାହିଁ ।
ମେଘୁଆ ପାଗ ।
ଏମିତିରେ ତ ଶୀତ ସ୍ପର୍ଶ କରିଗଲାଣି ପବନକୁ ।
ବାତ୍ୟା ହେବ ବୋଲି ଟି.ଭି. କହୁଥିଲା ।
ଲଘୁଚାପଜନିତ ବର୍ଷାର ବି ସମ୍ଭାବନା ଅଛି ।
ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବଙ୍ଗୋପସାଗରରେ ।
ଉପକୂଳବର୍ତ୍ତୀ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ପ୍ରବଳତ୍ତର ବର୍ଷାର ସମ୍ଭାବନା ଅଛି ।
ସମୁଦ୍ର ପାଖ ଆମର ।
କେଜାଣି; କି ପରିସ୍ଥିତି ହେବ!
ଚାନ୍ଦିପୁର ପରା ମାତ୍ର ବାର କିଲୋମିଟର ଦୂର ଆମଠୁ ।
ମାମୁ କହିଲେ; ହଉ ତାଙ୍କୁ ଉଠାଅ ।
କେଇପଦ କଥା ଅଛି ।
କଥା ଶେଷ କରି କାମରେ ଯିବି ।
ଜ୍ୟୋତ୍ସ୍ନାଙ୍କର ସେଇ ଏକା କଥା ।
ସକାଳୁ ସେ ନିଜେ ଉଠିବେ ।
ମୁଁ ଅବା ଆଉ କେହି ଉଠାଇଲେ ସେ ଅସୁସ୍ଥ ଅନୁଭବ କରିବେ । ବରଂ ଭଲ ହେବ; ତମେ କାମ ସାରି ଆସ ।
ନଚେତ୍ ଫୋନ୍ କର ।
ଭଲ ହେବ; ସନ୍ଧ୍ୟାରେ କି ରାତିରେ ଆସ ।
ମାମୁଙ୍କୁ ବୋଧେ ଏ ପ୍ରସ୍ତାବ ପସନ୍ଦ ହେଲା ନାହିଁ ।
ତଥାପି ମନଊଣା ନକରି କହିଲେ; ହଁ ଠିକ୍ କଥା ।
ମୋର ଫୋନ୍ କରି ଆସିବାର ଥିଲା ।
ହଉ; ଘରର ଭଲମନ୍ଦ ସବୁ ଠିକ୍ଠାକ୍ ତ?
ଝିଅ ଦି’ଜଣ କ’ଣ କରୁଛନ୍ତି?
ଜ୍ୟୋତ୍ସ୍ନାର ଉତ୍ତର; ବଡ଼ଝିଅ ଭୁବନେଶ୍ୱରରେ ।
ସାନଝିଅ ଏବର୍ଷ ମେଟ୍ରିକ୍ ପରେ ଫକୀରମୋହନ କଲେଜରେ +୨ କଳା ପଢ଼ୁଛି । ଛଅମାସ ହେଲା ଯେଉଁ ଏକ ଘରୋଇ ସଂସ୍ଥାରେ କାମ କରୁଥିଲି ଆଉ ଯାଉନି ।
ୟା’ଙ୍କର ବି ଏଠୁ କୋଡ଼ିଏ କିଲୋମିଟର ଦୂରକୁ ବଦଳି ହୋଇଛି । ଆଉ ଚାରିବର୍ଷ ରହିଲା ଚାକିରି ।
ସୁଖଦୁଃଖରେ ବଞ୍ଚିଚେ ଯାହା ।
ଦେହ ମନ ଭଲ ରହୁନି ଆଜିକାଲି ।
ବୟସ ହେଲାଣି ।
ଖାଇବା ପିଇବାରେ କଟକଣା ।
ମାସକୁ ମାସ ଡାକ୍ତର ପରାମର୍ଶ ।
ମାମୁ; ରୁହ ।
ଚା’ କପେ କପେ ଆଣେ ।
ଇଏ ଉଠିବା ଉଠିବା ହେଲେଣି ।
ମାମୁ ପଚାରିଲେ; ତମେ କେମିତି ଜାଣିପାରିଲ?
ତମେ ତ ଏଇନେ ଏଠି ବସି ମୋ ସହିତ କଥା ହଉଚ । ଘର କଥା ଗପୁଚ ।
ଜ୍ୟୋତ୍ସ୍ନାର ପ୍ରଶ୍ନର ଉତ୍ତର ଶୁଣାଇବା ଆଗରୁ ମୁଁ ବିଛଣା ଛାଡ଼ି ଆସିଲି । ଅଜୟଙ୍କଠୁ ଗୁଡ୍ମର୍ଣ୍ଣିଂ ଅଭିନନ୍ଦନ ଶୁଣିଲି ।
ପାଖରେ ବସିଲି ।
କହିଲି; ଓଃ! ଆଜି କିଭଳି ପାଗ ହେଇଚି ଦେଖିପାରୁଚ ନା ନାହିଁ! ଜାଣିବି ପଚାରୁଚ, ଏତେ ଡେରିଯାଏ ବିଛଣା ଛାଡ଼ିନ କାହିଁକି?
ରବିବାର ଜାଣି ବି ଅଫିସ୍ ବାର ଭଳି କୈଫିୟତ ଲୋଡୁଚ?
ଆରେ; ମୁଁ ବିଛଣା ଛାଡ଼ିଲେ କ’ଣ ହେବ ।
ବିଛଣା ମୋତେ ଛାଡ଼ିଲେ ତ!?
ଅଜୟଙ୍କ ଓଠରେ ଫୁଲକଢ଼ିର ହସ ।
ଆଖିରେ ସ୍ମିତଲାଜ ।
କିଛି କଥା ନାହିଁ ।
ପଚାରିଲି; କ’ଣ ପଚାରୁଥିଲ?
ମୁଁ ଉଠିଲି ବୋଲି ଜ୍ୟୋତ୍ସ୍ନା କେମିତି ଜାଣିପାରିଲା?
ଆରେ; ତମେ ପୁରୁଷଟେ ହେଇ ଏଇ କଥାଟା ଜାଣିପାରୁନ କେମିତି? ସେ ପରା ମୋ ସ୍ତ୍ରୀ ।
ତମ ସ୍ତ୍ରୀ ବି ତମ ଅଜାଣତରେ ଏମିତି କେତେ କଥା ଜାଣିପାରୁଥିବେ ।