ମୋ ମାଆ କାହିଁକି କାନ୍ଦୁଛି?
ତୁ ଶୁଣିପାରୁଛୁ?
ମୁଁ ତତେ ପଚାରୁଛି, ନା ତୁ ତ ଶୁଣି ପାରୁନା କିଛି ବି ଶୁଣିପାରୁନା, ତୁ ଟା ତ ପଥର ତୁ କ’ଣ ଶୁଣିବୁ!
ତୁ କହ ତ ! ତୁ ତ ପତ୍ର ସଫ୍ଟି, ନରମି ତୁ ଜାଣିଛୁ ମୋ ମାଆ କାହିଁକି ସବୁବେଳେ ଗୁମ୍ସୁମ୍ ରହେ?
ଠିକ୍ ଏଇ ପଥର କଇଁଛ ଭଳିଆ, ମୁଁ ତାକୁ ଯେତେ ହଲେଇଲେ ବି ହଲେନି । ବେଳେ ବେଳେ ମୁଁ କ୍ଷୀର ମାଗୁଥାଏ ତଥାପି ସେ ଚୁପ ଥାଏ । ତାପରେ ମୁଁ ଯେମିତି ତା କାନରେ ଗୁଦ୍ଗୁଦି କରିଦିଏ ସେ ଚମକି ଉଠିପଡ଼େ, ତତେ ଭୋକ ଲାଗିଲାଣି କି କହି ବ୍ୟସ୍ତ ହେଇପଡ଼େ । ତାପରେ ଜଣାନାହିଁ କୋଉଠୁ ଏତେ ଶୀଘ୍ର କେତେ ଜିନିଷ ଆଣି ମୋ ପାଖରେ ଥୋଇଦିଏ, ସେତେବେଳେ ମତେ ଲାଗେ ସତେ ଯେମିତି ସେ ମଣିଷ ନୁହେଁ ବରଂ ଗୋଟେ କ୍ରିମ୍ ଝରୁଥିବା ମେସିନ୍ । ନହଲେ ଏତେ ଶୀଘ୍ର କୋଉଠୁ ଏତେ ଚକ୍ଲେଟ୍, କ୍ଷୀର, କ୍ରିମ୍ ବିସ୍କୁଟ୍ ସବୁ ଆଣି ଗଦେଇ ଦେଇପାରନ୍ତା!
ତେବେ ସେ କାନ୍ଦେ କାହିଁକି?ଏମିତିଆ କ୍ରିମ୍ ଝରଉଥିବା ମେସିନ୍ କୁ କ’ଣ ଲୁହ ଶୋଭା ପାଏ! ଏ ଦୋଳି! ତୁ କହତ! ଶୀଘ୍ର କହ ନହଲେ ମୁଁ ତୋ ଉପରେ ବସି ଝୁଲିବିନି, ଜମା ଝୁଲିବିନି । ତୁ ଏମିତି ଖାଲିଟାରେ ଝୁଲୁଥିବୁ ପବନରେ । ତୋର କେହି କୁନୁମୁନୁ ସାଙ୍ଗ ନଥିବେ । ତୁ ଯଦି ଜାଣିଛୁ କହ ମୋ ମାଆ କାହିଁକି ସମସ୍ତଙ୍କ ସହିତ ଠିକ୍ ଭାବେ ମିଶେନାହିଁ? କାହା ସାଙ୍ଗେ ଟିକେ ସମୟ କଥା ହେଇଗଲେ ଉଦାସ ହେଇ ଚାଲିଆସେ । ଦୋସ୍ତ୍ ମାନଙ୍କ ସହିତ କେବେ ଖୁସିରେ ହସିବାର ମୁଁ ତାକୁ ଦେଖିନି ।
ତାକୁ ଲାଗେ ସମସ୍ତେ ଯେମିତି ତା ଉପରେ ହସୁଛନ୍ତି । ତା ମୁଣ୍ଡର ଖଣ୍ଡିଆ କି ହାତର ଆମ୍ପୁଡ଼ା ଦାଗ ଦେଖି ସମସ୍ତେ ପଚାରୁଛନ୍ତି ଏଇଟା କେମିତି ହେଲା? କିଏ କଲା? ମାଆ ସେମାନଙ୍କୁ ମିଛ କହେ । ଆଉ ସେଇଥିପାଇଁ ମୁହଁ ଲୁଚେଇ ପଳେଇ ଆସେ । କିନ୍ତୁ ପ୍ରକୃତରେ ତା’ ଦେହରେ ଖଣ୍ଡିଆ କିଏ କରିଥାଏ? ଆମ କୁନୁ ବିଲେଇ ତ କେବେ ନୁହେଁ, କାରଣ ସେ ମାଆକୁ ଭାରି ଭଲପାଏ । ତେବେ କ’ଣ ଟମି! ନା, ସେ କେମିତି କରିବ? ସେ ତ ସବୁବେଳେ ଘର ଗେଟ୍ ବାହାରେ ଥାଏ । ରୁଟି ଖଣ୍ଡେ ପକେଇଲେ ଖାଇଦେଇ ପଳେଇଯାଏ ।
ତେବେ କ’ଣ କୋଉ ମନଷ୍ଟର୍!
ଆରେ ଏଇ ଦୋଳିଟା କ’ଣ ଟିକେ ଜୋର୍ରେ ହଲିଲା ତ! ତା ମାନେ ଏ କଥା କ’ଣ ସତ!
ମନଷ୍ଟର୍ କୋଉଠୁ ଆସିବ କହତ! ଆମର ତ ଦୁଇ ବେଡ୍ରୁମ୍ ଘର । ବାହାରକୁ ଗୋଟିଏ ବାଟ, କବାଟଟା ଏତେ ଛୋଟ ସେଠି ମନଷ୍ଟର୍ କେମିତି ପଶିବ? ମନଷ୍ଟର୍ ର ତ ବହୁତ ବଡ଼ ବଡ଼ ହାତ, ଲମ୍ବା ଲମ୍ବା, ମୋଟା ମୋଟା, ବିରାଟ ବିରାଟ ଦାନ୍ତ, ମୂନିଆଁ ନଖ, ତେବେ ଏମିତିଆ ଅସୁର ଆମର ଏତେ ସୁନ୍ଦର ଘରେ କେମିତି ପଶିବ!
ମାଆ ଆମ ଘରକୁ କେତେ ସୁନ୍ଦର କରି ସଜେଇଥାଏ । ମୋ ରୁମ୍ରେ ଟେଡି ବେୟାର୍, ଜୋକର୍, ସୁନ୍ଦର ଚିତ୍ର ଆଉ ଡ୍ରଇଂରୁମ୍ରେ ଫୁଲଦାନୀରେ ସତେଜ ଫୁଲ । ଅନେକ ଜିନିଷ ମାଆ ନିଜେ କରେ, ଚିତ୍ର ଆଙ୍କେ, ଚିତା ମୂରୁଜ ଦିଏ, ଛୁଞ୍ଚିସୂତାରେ ଫୋଡ଼ି କେତେ ସୁନ୍ଦର ଫୁଲ କରେ, ଶୁଆ ଚିତ୍ର କରି ଟେବୁଲ୍ କ୍ଲଥ୍ କୁ ସଜାଏ । ଏମିତି କି କାଚଖଣ୍ଡମାନଙ୍କୁ ଯୋଡ଼ି ଯୋଡ଼ି ସେ ତାଜ୍ ମହଲ ବନେଇପାରେ । ଏମିତି ଲୋକକୁ ମନଷ୍ଟର୍ ବି ଭଲପାଏ ବୋଲି ନିଜେ ମାଆ କହେ । ତେବେ ତାକୁ ତ ସମସ୍ତେ ଭଲପାଇବା କଥା ।
ହଁ କି ନାଇଁ କହତ! ତେବେ ବାପା ତାକୁ କାହିଁକି ଭଲପାଆନ୍ତିନି? ସେ ବି କ’ଣ ମନଷ୍ଟର୍ ବନିଯାଆନ୍ତି କି!
ଏଇତ! ଘାସବୁଦାରୁ ଗୁଣ୍ଡୁଚି ବାହାରି ମୋ କଥାରେ ହଁ ଭରିଲାଣି ଆଉ ତୁ ଝୁଲୁଥା ସେମିତି ଝୁଲୁଥା । ମୁଁ ଯାଉଛି ଫୁଲମାନଙ୍କ ପାଖକୁ ।
ସେମାନେ ଆଜି ଦୋଳି ପରି ଝୁଲୁଛନ୍ତି ପବନ ତାଙ୍କ ଦେହରେ ଲହଡ଼ି ପରି ବାଡ଼େଇ ହଉଛି । ଏ ଫୁଲମାନେ! ତମେ ଭାରି ଖୁସି ନା! ମୁଁ ପଚାରେ ମାଆ ତୁମେ ହାପି ନା ସ୍ୟାଡ୍ । ସେ ଚୁଇଙ୍ଗମ୍ ଭିଡ଼ିଲା ପରି ଜୋର୍ ଜବରଦସ୍ତ ହସି କହେ ମୁଁ ହାପିରେ ବାବା, ବହୁତ ହାପି, ତୁ ଖୁସ୍ ତ ମୁଁ ବି ଖୁସ୍ ।
ମୁଁ ଭାବେ ଲୋକମାନେ କେମିତି ଦୁଃଖୀ ହୁଅନ୍ତି ! ମୁଁ ତ ସବୁବେଳେ ଖୁସି ଥାଏ । ବାପା ମତେ ଉଚ୍ଚା କରି କାଖେଇ ଉପରକୁ ଟେକିଦିଅନ୍ତି ତ ମୁଁ ଭାରି ଖୁସି ହେଇଯାଏ । ହେଃ- ହେଃ ହେଇ ହସେ ବାପା ଆହୁରି ଉପରକୁ ଟେକିଦିଅନ୍ତି, ମତେ ଆକାଶ ଛୁଇଁଲା ପରି ଲାଗେ । ଭାବେ ମୋ ବାପାଠୁ ଭଲ ବାପା ଆଉ କାହାର ନାହିଁ । ହେଲେ ଆଜିକାଲି ବାପାଙ୍କ ସାଙ୍ଗେ ମୋର ଦେଖା ହଉନି । ପ୍ରାୟ ସମୟ ସେ ଘରେ ରହୁନାହାନ୍ତି, ରାତିରେ କେତେବେଳେ ଆସୁଛନ୍ତି ମୁଁ ଜାଣିପାରୁନି । ମୁଁ ଶୋଇଲା ଯାଏଁ ତ ସେ ଆସିନଥାନ୍ତି । ମୁଁ ବାପା ଆସିଲେ ବକ୍ସିଂ ପ୍ରାକ୍ଟିସ୍ କରି ଶୋଇବି ବୋଲି ଅପେକ୍ଷା କରିଥାଏ ମାଆ ମତେ ଜବରଦସ୍ତ ଶୁଆଇଦିଏ । କୋଳରେ ଜାକି ଗପ କହେ । ଗପ କହିଲାବେଳେ ବି ମୁଁ ତା’ ଆଖିରେ ଲୁହ ଦେଖିଛି । ମାଆ ଆଖିର ଲୁହ ମତେ ଭଲ ଲାଗେନି ନିଦ ନ ଲାଗୁଥିଲେ ବି ମୁଁ ଆଖି ବୁଜିଦିଏ ।
ଏବେ କୁହତ, ଏ ପପି ଫୁଲ, ଫ୍ଲାକ୍ସ ଫୁଲ, ମନ୍ଦାର ଫୁଲ, କୁହ ମୋ ମା’ କାହିଁକି ଏମିତି ଗପ କହୁ କହୁ କି ମତେ ଭାତ ଖୁଆଉ ଖୁଆଉ କାନ୍ଦି ପକାଏ?
ମାଆ ଆଖିରେ କାଜଲ୍ ଲଗାଏ, ଦେହରେ ପର୍ଫୁ୍ୟମ୍ ଲଗାଏ ବାଳ ଖୋଲି ବେଶଭୂଷା ହେଇ ବାହାରକୁ ଯାଏ । ବାପା ବି ମାଆ ପାାଇଁ ନୂଆ ଶାଢି ଆଣନ୍ତି, ବାହାରକୁ ଗଲାବେଳେ ବାପା ଆଉ ମା’ ଏମିତି ଯାଆନ୍ତି ଲାଗିବ ମୋ ମାଆ ଯେମିତି କେବେ କାନେ୍ଦ ନାହିଁ । ମତେ ବି ଖୁସିଲାଗେ ମୁଁ ଜାଣେ ମିଛ ହଉ ପଛେ ମୋ ବାପା ଆଉ ମାଆ ଏକାଠି ବସିଛନ୍ତି ତ! ମିଛି ମିଛିକା ହସ ହେଲେ ବି ହସୁଛନ୍ତି ତ!
ନା କ’ଣ କହୁଛୁ ଜୋକର୍ ଷ୍ଟାଚ୍ୟୁ ? ତୋ ହାତରେ କିଏ ଡଷ୍ଟବିନ୍ ଧରେଇଲା କହତ! ତୁ ଜୋକର୍ ତୋ ହାତରେ ବେଲୁନ୍ ରହିବା କଥା । ମୋ ମାଆ ବି ସେମିତି ଆଜୁରୁ ବାଜୁରୁ ଜିନିଷ ଧରେ । ତୁ କହିପାରିବୁ ମୋ ମାଆ ସେଦିନ ନାଲି ନାଲି ହେଇ ହାତରେ କ’ଣ ଧରିଥିଲା? ମୁଁ କିଛି ନଜାଣି ତା କୋଳରେ ଚଢିଗଲି ତ ସେ ମୁହଁ ଧୋଇଦେଲା ଆଉ ମତେ ଧରି ବୁହାଟେ କାନ୍ଦିଲା । ପରେ ଜାଣିଲି ସେଇ ନାଲି ଜିନିଷଟା ସିନ୍ଦୂର ବୋଲି । ଭାବିଲି ମୋ ମାଆ ସିନ୍ଦୂରକୁ ପାଟିରେ ପୂରଉଥିଲା କାହିଁକି? ମୋ ମାଆ କ’ଣ ପାଗଳୀ ହେଇଗଲା କି? ଲୋକମାନେ ସେମିତି କିଛି କହିବାର ମୁଁ ଶୁଣିଲିଣି ।
ଜାଣିଛୁରେ ଚଢେଇ, ମାଆ ରାତିକୁ ବହୁତ ଡରେ । ଡରେ ମାନେ ତମେମାନେ ଯେମିତି ଡରରେ ଶୋଇପଡ଼ ସେମିତି ନୁହେଁ ସେ ଡରରେ ଶୋଇ ପାରେନି, ତକିଆ ଧରି ତାରାଭରା ଆକାଶକୁ ଚାହିଁରହିଥାଏ । ରାତି ହେଲେ ସବୁ ଗହଣା ଖୋଲିଦିଏ, ନାଇଟି ପିନେ୍ଧ, ବାଳ ଖୋଲିଦିଏ, ଆଉ କାନ୍ଦି କାନ୍ଦି ଆଖିକୁ ଲାଲ୍ ଲାଲ୍ କରିଦେଇଥାଏ । ମାଆର ଏଇ ରୂପ ଦେଖିଲେ ମତେ ଡର ଲାଗେ ।
ଥରେ ମୁଁ ତାକୁ ଖୋଜି ଖୋଜି ବାହାରକୁ ଆସି ତା କାନିକୁ ଭିଡ଼ି ତୁ କୋଉଠି ଥିଲୁ? ବାପା ତ ଘରେ ଏକୁଟିଆ ଶୋଇଥିଲେ! ଏତିକି ପଚାରିଦେଲି ଯେ ସେ ମତେ କ’ଣ କହିଲା ଜାଣୁ! ତୋ ବାପା ପାଖରେ ମୁଁ ନଥାଏରେ, ଆଉ ଜଣେ କିଏ ରାତିହେଲେ ତୋ ବାପା ପାଖକୁ ଚାଲିଆସେ ।
ଏମିତି ଅଦ୍ଭୁତ କଥା କହିଲେ କିଏ ତାକୁ ମିଛେଇ କହିବନି କହତ ରେ ଚଢେଇ ! କାହିଁକି ନା ମୁଁ ତ କେବେ ଦେଖିନି ଘରକୁ କିଏ ଆସିବାର ଆଉ ଖଟକୁ ଯିବ ବା କେମିତି!
ମାଆ ଏମିତି କାହିଁକି କହେ, କହତ, ଏ ଫୁଲ, ଏ ଚଢେଇ ଏ ଘାସ ଏ ଡଷ୍ଟବିନ୍ କିଏ ତ କିଛି କହ । ମାଆ କହେ କେହି ଦେଖାଯାଉନଥିଲେ ବି ଜଣେ କିଏ ଅଛି । ଏକଥା ଶୁଣି ଜେଜେମା’ ବି ତାକୁ ମିଛେଇ କହିଥିଲା । ପାଗଳୀ ବୋଲି କହିଲା, ଏମିତି କଥା ଶୁଣି ମାଆ ଆହୁରି କାନ୍ଦିଲା, ଛାଟିପିଟି ହେଲା । ସତରେ ରାତିରେ କିଏ ଥାଏ କି ! ଦେହ ନଥିଲେ ବି ବିନା ଦେହରେ ।
ଦିନେ ଦିନେ ରାତିରେ ବାପାଙ୍କ ଜୋର୍ ପାଟିରେ ମୋ ନିଦ ଭାଙ୍ଗିଯାଏ । ମାଆ କିଛି କହିଥାଏ କି କ’ଣ ବାପା ଖାଲି ରାଗୁଥାନ୍ତି, ରାଗରେ ତକିଆ, ବଟଲ୍, ଫୁଲଦାନୀ ଯାହା ହାତକୁ ଆସେ ଫିଙ୍ଗୁଥାନ୍ତି । ମାଆ ଖାଲି ଗୋଟିଏ କଥା କହୁଥାଏ କାହାକୁ ଫୋନ୍ କରୁଥିଲ କୁହ, କାହା ସାଙ୍ଗେ କଥା ହଉଥିଲ କୁହ । ମାଆର ଏଇ କଥା ବାରମ୍ବାର ରିପିଟ୍ ହଉଥାଏ, ଆଉ ବାପାଙ୍କର ରାଗ ବଢି ଚାଲିଥାଏ । ଲାଗେ ଯେମିତି ଏବେ ଏ ଘରେ ନିଆଁ ଲଗେଇଦେବେ । ମତେ ବି ଭାରି ଡରଲାଗେ । ମତେ ଲାଗେ ଘର ଭିତରେ ଘଡ଼ଘଡ଼ି, ବିଜୁଳି ସବୁ ପଶିଯାଇ ତାଣ୍ଡବ ରଚୁଛନ୍ତି । ମୁଁ ଡରରେ ଶେଯ ଓଦା କରିଦିଏ । ମାଆ ମୁଁ ଡରୁଛି ଦେଖିଲା ପରେ ମତେ ଜାକିଧରେ ଚୁପ୍ଚାପ୍ ମୁହଁ ଲୁଚେଇ ଶୁଆଇ ଦିଏ ।
ତୁ ଜାଣିଛୁରେ, ଏ ପାର୍କର ଗୋଟିଏ ବୋଲି ବରଗଛ! ବାତ୍ୟା ପରେ ତୁ ଯେମିତି ଦିଶୁନଥିଲୁ, ସକାଳକୁ ମୋ ମାଆ ସେମିତି ଦିଶେ । କୋଉ ପୁଅ ମାଆର ଏମିତି ରୂପ ଦେଖି ଖୁସିରେ ସ୍କୁଲ୍ ଯିବ କୁହ ତ! ମତେ ସ୍କୁଲ୍ରେ ବହୁତ ଖରାପ ଲାଗେ ମୁଁ ଖାଲି ମାଆ କଥା ଭାବୁଥାଏ । ମୁଁ ଭାବେ ମୁଁ ଶୀଘ୍ର ବଡ଼ ହେଇଯାଆନ୍ତି କି! ମାଆର ବାହାଘର କରିଦିଅନ୍ତି ଯେମିତି ସାନ ପିଇସୀର ବାହାଘର ହେଇଗଲା ସେ ଏବେ ମୁମ୍ବାଇରେ କେତେ ଖୁସିରେ ଅଛନ୍ତି, ମୋ ମାଆ ବି ସେମିତି ଖୁସି ହୁଅନ୍ତା ସୁନ୍ଦର ଦିଶନ୍ତା । କିନ୍ତୁ ନା ମୁଁ ତ ଏବେ କ୍ଲାସ୍ ୱାନ୍ରେ ଅଛି ବଡ଼ ହେବାକୁ ଆହୁରି ବହୁତ ଦିନ ବାକି ଅଛି ।
ଗଛ ତ ସବୁ ସ୍ଥିର ହେଇ ରହିଛନ୍ତି ସତେ ଯେମିତି ତାଙ୍କୁ ପବନ ଛୁଉଁନି, ମୋ ମାଆ ପରି ସେମାନେ ବି ଜଡ଼ । ଚଢେଇମାନେ ବି ଭାଗିଲେଣି, ପଥର ତ ପଥର ସେଥିରେ ଖାଲି ମୂର୍ତ୍ତି ବନେଇ ହେବ, ଦୁଃଖସୁଖର କଥା କହିହବନି ।
ତେବେ ତା’ କଥା କିଏ ଶୁଣୁଛି ନା ନାଇଁ ମ! ସେ ଏତେ ଭରସାରେ ଘରୁ ଦୌଡ଼ି ଦୌଡ଼ି ଏ ପାର୍କକୁ ଚାଲିଆସିଲା ଯେ, ଏମାନେ ସବୁ ତା ସାଙ୍ଗେ ସାଙ୍ଗ କି ନାହିଁ?
ଇଃସ୍! ପାଦରେ ଏଇଟା କିଏ ଚାଲିଗଲାରେ? ଝିଣ୍ଟିକା! ଏଇ ଝିଣ୍ଟିକା ରହରହ ପଳାନା ମୁଁ ତୋ ପଛେ ପଛେ ଗୋଡ଼େଇଛି ଆଉ ତୁ ପଳଉଚୁ? ଏ ଝିଣ୍ଟିକା ତୁ ତ କେବେ କେବେ ବର୍ଷାରାତିରେ ମୋ ମା’ ପାଖକୁ ଯାଉ, ଆଉ ମୋ ମାଆ ରୁମାଲ୍ରେ କି ଗାମୁଛାଟେ ହଲେଇ ହଲେଇ ତତେ ଭଗଉଥାଏ, ତୁ ଯାଉ ନଥିବୁ , କାନ୍ଥରେ ବସିଯାଉଥିବୁ ତ, ଝରକା ପରଦାରେ, ଖଟ ଦାଢରେ ତ କାନ୍ଥ ଫଟରେ ମାଆ ତତେ ଭଗେଇବା ପାଇଁ ଏପଟ ସେପଟ ଦୌଡ଼ି ଦୌଡ଼ି ହାଲିଆ ହେଇଯାଏ, ତା ଦେହରୁ ଗମ୍ ଗମ୍ ଝାଳ ବୋହିଯାଏ ପଛେ ସେ ତତେ ହଟେଇବା ବନ୍ଦ କରେନି, ତୁ ବାହାରିଲେ ଯାଇଁ ଝରକା କବାଟ ବନ୍ଦ କରି ଶାନ୍ତିରେ ବସେ ।
ତୁ କ’ଣ ରାଗିଲୁ କି! ସେଥିପାଇଁ ଅଭିଶାପ ଦେଲୁକି! ନହଲେ କହତ ମୋ ମାଆ କାହିଁକି ଏମିତି ଚୁପ୍ ହେଇଗଲା! କାଠ ମୂର୍ତ୍ତି ପରି ଚୁପ୍ ହେଇ ବସିଲା ଯେ ବସିରହିଲା । ଏବେ ତୁ ଯେତେ ଆସି ଗୁଁ ଗୁଁ ହେଲେ ବି ସେ ତତେ ଭଗେଇବା ପାଇଁ ଦୌଡ଼ିବନି । ସେମିତି ଚୁପ୍ ହେଇ ବସିଥିବ ଗୋଟେ କୋଣରେ । ବାପା ଏସବୁ ଦେଖିପାରନ୍ତି କି ନାହିଁ କେଜାଣି ! କିଛି ତ କାଇଁ କହନ୍ତିନି । ଜେଜେମା, ଅଜା ଆଈ, ପିଇସୀ, ମାମୁ ସମସ୍ତେ କେତେ ବୁଝେଇଲେଣି । ସମସ୍ତେ ଖାଲି ଗୋଟିଏ କଥା କୁହନ୍ତି, ଏମିତି ସହିବାକୁ ପଡ଼େ, ସହିଯା, ପୁଅ ମୁହଁକୁ ଚାହି ସବୁ ଅପମାନ ସହିଯା ।
କ’ଣ ସହିବ ମୋ ମା’! ଥରେ ସେ କହୁଥିଲା,
-ମୁଁ ଏ ଘରେ ନାହିଁରେ ପୁପୁନ୍ । ମୁଁ ବାହାର କବାଟ କୋଣର ଗୋଟେ ପ୍ଲାଷ୍ଟିକ୍ ଫୁଲ, ଯିଏ ଖାଲି ବାହାରର ଶୋଭା ପାଇଁ ଅଛି, ହେଲେ ମୁଁ ଏ ଚଟାଣ, ଏ କୋଠରି, ଏ ଶେଯ, ଫୁଲପକା ଚଦର କୋଉଠି ବି ନାହିଁ । ଅତର ଥାଇ ବି ମୁଁ ଖାଲି ବୋତଲଟେରେ ବାପା, ତୋ ବାପାଙ୍କ ଦେହରେ ଆଉ କାହା ଅତର ବୋଳି ହେଇଥାଏ ।
ତୁମେ କୁହ ତ ଘାସବୁଦାମାନେ ଏମିତି କଥା କିଏ ବୁଝିପାରିବ! ଟିଚର୍ଙ୍କର ଜି.କେ ପାଠ ଠୁ ବି ଏ ଆହୁରି କଷ୍ଟ କଥା । ମୁଁ ଛୋଟପିଲା କାହିଁକି ହେଲି ଯେ ! ସମସ୍ତେ ତାକୁ ମିଛେଇ, ଶକି କହି ବାପାଙ୍କ ଭୁଲ୍କୁ ଆଡ଼େଇ ଦେଉଥିଲାବେଳେ ମୁଁ ତ କିଛି ବି କରିପାରିଥାନ୍ତି! ମାଆ ଯେତେବେଳେ ବାପାଙ୍କ ସମ୍ପର୍କର କିଛି ପ୍ରମାଣ ଦେଇନପାରି ଖାଲି ଏତିକି କହେ ଯେ
-ମୁଁ ତାଙ୍କ ପତ୍ନୀ, ମୁଁ ଜାଣେ ମୋ ସ୍ୱାମୀ ମୋ ପାଖେ ଅଛନ୍ତି କି ନାହିଁ ।
ଏକଥା ମୋ କାନରେ ପଡ଼ିଲା । ମୁଁ ସିନା କିଛି ବୁଝିପାରିଲିନି, ହେଲେ ଅଜା, ଆଈ, ଜେଜେମା’ ଏମାନେ ବି କ’ଣ ବୁଝିପାରିଲେନି? ସେମାନଙ୍କୁ ତ ମା’ ଭରସା କରି ଡକେଇଥିଲା ସମସ୍ୟାର ସମାଧାନ କରିବାକୁ । ସେମାନେ କହିଲେ, ସେଇ ଏକା କଥା ସହିଯା, ପୁଅ ମୁହଁକୁ ଚାହିଁ ସବୁ ସହିଯା ।
ମୋ ମୁଣ୍ଡକୁ ତୋ କଣ୍ଟା ନେଇ ଫୋଡ଼ିଦେବାକୁ ଇଚ୍ଛା ହଉଛିରେ ଗୋଲାପ ବୁଦା, ମୋ ମାଆ ମୋ ମୁହଁକୁ ଚାହିଁ ସିନା ବଞ୍ଚିଯିବ ମୁଁ କେମିତି ତା ଶୁଖିଲା, କାନ୍ଦୁରା ମୁହଁକୁ ଚାହିଁ ବଞ୍ଚିବି?
ଏ ଗଛ,ଏ ପତ୍ର, ଫୁଲ,ଗୁଣ୍ଡିଚି ମୂଷା ,ଝିଣ୍ଟିକା, ପ୍ରଜାପତି, ଆଲୁଚିପ୍ସ୍ ରାପର୍, ଚକ୍ଲେଟ୍ ଜରି, ତମେ ସବୁ କିଏ ଶୁଣୁଛ ନା ନାହିଁ । ଯାଃ, ତମେ କ’ଣ ଶୁଣିବ! ତମର୍ ତ ଜାନ୍ ନାହିଁ ।
ମୋ ମାଆର ଜାନ୍ ଅଛି କି ନାହିଁ? ଜାନ୍ ଅଛି?
କୁହ କୁହ ଏ ଆକାଶ ତୁ ନହେଲେ କହ । ଏବେ ମୁଁ ଆଉ ସମ୍ଭାଳି ପାରିବିନି, ମୁଁ ନ କାନ୍ଦି ରହିପାରିବିନି । ମୁଁ ଏବେ ଜାଣିଗଲିଣି ଦୁଃଖଟା କେମିତି ଜିନିଷ । ଗୋଡ଼ ଚଲେଇ ଦଉନି, ହାତକୁ ହଲେଇ ଦଉନି, କାହା ଆଗେ କ’ଣ କହି ସବୁ ଓଟାରି ଆଣିବାକୁ ଇଚ୍ଛା ହଉଛି । କିଏ ତ ଶୁଣ, ମାଆର ଜାନ୍ ଅଛି?
ଆଜି ସକାଳେ ମୁଁ କ’ଣ ଦେଖିଲି ସେଇଟା? ମା’ ଦୋଳି ଝୁଲୁଥିଲା, ନା ହାଙ୍ଗ୍ କରିଥିଲା, ତା ବେକରେ ରସି କହିଁକି ଲାଗିଥିଲା? ତା’ ପାଉଁଜି ତଳେ ଖସି ପଡ଼ିଥିଲା, ମୁଁ ଝୁଣ୍ଟିପଡ଼ିଲି ତ ଝଣ ଝଣ ହେଇଗଲା, ମୁଁ ଆଉ ଉପରକୁ ଚାହିଁପାରିଲିନି, ସେଇଠୁ ଦୌଡ଼ି ଦୌଡ଼ି ତମମାନଙ୍କ ପାଖକୁ ଚାଲିଆସିଛି । ମୋ ମାଆ ଏଇ ପାର୍କକୁ ଆଣି ମତେ ଚାଲିବା ଶିଖେଇଥିଲା ନା!
ତେବେ ତମେ କୁହ ମୋ ମାଆ’ର ଜାନ୍ ଅଛି କି ନାହିଁ? ମୁଁ ଆଉ ସମ୍ଭାଳି ପାରିବିନି । ଏ ମାଟି ! ମୁଁ ତତେ ଏତେ ଆମ୍ପୁଡ଼ିଲିଣି ତୁ ତ ହେଲେ କିଛି ଆଭାସ ଦେ । ମୁଁ ଆଉ ରୋକିପାରିବିନି, ମାଆ କହୁଥିଲା ବ୍ରେଭ୍ ବୟ ମାନେ କାନ୍ଦନ୍ତିନି । ମୁଁ କେମିତି ବ୍ରେଭ୍ ବୟ ହେବି ! ମତେ ତ କାନ୍ଦିବାକୁ ଅଛି ।
ମୁଁ ତୋର ଏତେ ପତ୍ର ଛିଣ୍ଡେଇଲିଣିରେ ଗଛ ତତେ କଷ୍ଟ ହଉନି? ଛାତି ବିଦାରି ହେଇଯାଉନି । କହ କହ ମୁଁ ଏବେ କାହାକୁ ଜାକି ଶୋଇବି? ଶୂନ୍ୟକୁ! କିଏ ମୋ ଦେହରୁ ଧୂଳି ଝାଡ଼ିବ? ମତେ ଟିଫିନ୍ ଦବ, ଆଉଁଶି ଦବ, କିଏ?
ମୁଁ ଏମିତି ଘିରିଘିରି କାହିଁକି ଘୁରୁଛି ଜାଣିଛ? କାହିଁକି ନା ମତେ କିଛି ଦେଖାଯାଉନି କାନକୁ କିଛି ଶୁଣାଯାଉନି । ମୁଁ କ’ଣ ସତରେ ଛୋଟପିଲା! ମୋ ଭିତରେ ସମୁଦ୍ର ଭଳିଆ କ’ଣ ଗୋଟାଏ ଉଠୁଛି ପଡ଼ୁଛି, ମୋ ଭିତରଟା ଥରୁଛି । ଭିତରେ ଏତେ ଲୁହ କୋହର ଲହରୀ ଆଉ ମୁଁ ଛୋଟପିଲା କ’ଣ?
ଏ ଦୋଳି ତୁ ଏମିତି ଝୁଲୁଥିବୁ କାଳ କାଳ ଧରି? ଶୁୁନା ଶୁନା, ଖାଲି ଖାଲି, ନା ମୋର କିଛି ଜବାବ୍ ଦବୁ?