ନବ ମଉସା! ତମ ପାଞ୍ଜି କ’ଣ କହୁଛି, ଏ ବର୍ଷା ଛାଡ଼ିବ ନା ନାହିଁ? ନଈବନ୍ଧ କଡ଼ ଘର ପିଣ୍ଢାରେ ଶାଢ଼ି ଶୁଖାଉ ଶୁଖାଉ ପଚାରିଲା କେତକୀ ।
ନଈବନ୍ଧ ଚିକିଟା କାଦୁଅରେ ପାଦ ଚିପିଚିପି ଯାଉଥିବା ନବ ନାହାକ ବର୍ଷା ଓ ପବନରେ ଉଡୁଥିବା ଛତାକୁ ସମ୍ଭାଳୁ ସମ୍ଭାଳୁ କହିଲେ- ଶନି ସାତ, ମଙ୍ଗଳ ତିନ୍ ଆଉ ସବୁ ବର୍ଷା ଦିନ୍ ଦିନ୍ । ଶନିବାର ସଂଜରୁ ଆରମ୍ଭ ହୋଇଥିଲା ଏ ବର୍ଷା- ଶନି ଏକ, ମଙ୍ଗଳ ଦୁଇ, ବୁଧ ତିନି, ଆଜି ଗୁରୁବାର ମାତ୍ର ଚାରିଦିନ ହୋଇଛି । ଏ ବର୍ଷାର ଆଦି କହୁଛି ଇଏ ପୂରା ସାତଦିନ ଟାଣିବ । ପାଞ୍ଜି ବି ତ ଲେଖିଥିଲା ଅତିବୃଷ୍ଟି ଅଛି ଏସନ । ମୁଁ ତ ଏଇ ଘନ ସାମଲ ଘରୁ ଆଉଛି, ଶୁଣିଲି ରେଡିଓ ବି କୁଆଡ଼େ କହୁଛି ଲଘୁଚାପ ସୃଷ୍ଟି ହୋଇଛି ସମୁଦ୍ରରେ, ସମୁଦ୍ର ମେଘ ହୋଇ ଉଠି ଆସୁଛି ସ୍ଥଳଭାଗକୁ । ଲାଗି ରହିବ ଏ ବର୍ଷା ଏଇନେ ।
ଆହୁରି ତିନିଦିନ ଲାଗିରହିବ! ମଣିଷ ମରିବ ନା ବଞ୍ଚିବ? ବର୍ଷା ଛାଟି ଛାଟି ତ କାନ୍ଥର ପଞ୍ଜରା ଦିଶିଲାଣି । ଘର ଭିତର ସନ୍ତସନ୍ତିଆ, କପଡ଼ା ଲତା, ବିଛଣା ପତ୍ର ସବୁ କାଲୁଆ, ସଙ୍ଗାରୁ କାଢ଼ି ଶୁଖିଲା ଜାଳକୁ ଚୂଲିରେ ପୂରାଇଲେ ବି ଧୂଅାଁ ଉଠୁଛି କେବଳ । ତମେ କହିଲଣି ଆହୁରି ତିନିଦିନ, ବଡ଼ ହୀନସ୍ତା ହେବ ମଣିଷ ତା’ହେଲେ ।
ହେଲେ ତମର ଏତେ ହୀନସ୍ତା କାହିଁକି ହେବ? ନା ତମର ଚାଷ ନା ବାସ, ନା ଗୋରୁ ନା ଗାଈ, ସେଥିକୁ ପିଲାଛୁଆଙ୍କ ଜଞ୍ଜାଳ ବି ନାହିଁ । ମାଡ଼ି ମାଡ଼ି ନଣନ୍ଦ ଭାଉଜ ଦି’ପ୍ରାଣୀ, ଓଳିଏ ରୋଷେଇ କଲେ ତିନି ଓଳି ଖାଇବ । ତମର ବର୍ଷାକୁ ଏତେ ପଛୁଆ କିଅାଁ?
ହଁ, ଏ ବର୍ଷାରେ ଦେହ ହାତ ଜାଡୁଆ ମାରୁଥିବା ବେଳେ ଥରେ ରୋଷେଇ କରି ତିନିଓଳି ଖାଇବୁନା । ମଣିଷ ଜନମ ପାଇଛୁ, ହାତଗୋଡ଼ ଦେଇଛନ୍ତି ଭଗବାନ । କିଛି ଝମେଲା ନଥିଲା ବେଳେ ଆମେ ଦି’ଜଣ ଓଳିଏ ରୋଷେଇ କରି ତିନିଓଳି କାହିଁକି ଖାଇବୁ ।
ହଁ, ତା’ ବି ସତ କଥା । ନା କୁଟା ଓ କଟା । ବଇଆ ତ କଲିକତାରୁ ସବୁ ସଜେଇକି ପଠାଉଛି- ଡାଲି, ତେଲ, ମସଲାମସଲି ସବୁ । ବର୍ଷକ ପାଇଁ ତ ଚାଉଳ କୁଟାଇ ଥୋଇ ଦେଇଯାଉଛି ଘରେ । କୋଉ ଚିଜ ପାଇଁ ତ ବାହାରକୁ ଯିବାକୁ ପଡୁନି । ହାତ ଅଳସରେ ନିଶ ବଙ୍କା ପରି ତମେ ବାସି କାହିଁକି ଖାଇବ । ରଜକୁ ପା’ ଆଇଥିଲା ବଇଆ? କାହିଁ ଦେଖା ତ ମିଳିଲା ନାହିଁ?
କ’ଣ କରିବେ ମଉସା, ପନ୍ଦର ଦିନ ପାଇଁ ଛୁଟି କରି ଆସିଥିଲେ ଯେ ସକାଳୁ ବାହାରି ଯିବେ ଯେ ଫେରୁ ଫେରୁ ରାତି ଘଡ଼ିଏ । ବରଘର ଖୋଜି ଖୋଜି ତାଙ୍କ ଚପଲ ଘୋରି ହୋଇଯାଇଛି ପରା ।
ହଁ, ହଁ, ଦାମ ମଧ୍ୟସ୍ଥି କହୁଥିଲା ଶୁଣିଛି । ବଇଆ କୁଆଡ଼େ ଭାରି ବାଛବିଚାର କରୁଛି । ପାଠ ପଢ଼ିଥିବ, ଚାକିରି କରିଥିବ, ଜମିବାଡ଼ି ଥିବ, ଘରଦ୍ୱାର ଥିବ । ସବୁ କ’ଣ ଗୋଟିଏ ଜାଗାରେ ମିଳିବ?
କ’ଣ କରିବା ମଉସା- ତାଙ୍କର ସୁନାନାକି ଭଉଣୀ ଇଏ, ତା’ ଆଖିରୁ ଲୁହ ଝରିଲେ ୟାଙ୍କ ଆଖିରୁ ରକ୍ତ ଝରିବ । ମୁଁ ସିନା ଏବେ ଏବେ ଆସିଛି, ଆମ ଶ୍ୱଶୁର ତ ଗଲେଣି କେବେଠାରୁ । ଭଉଣୀକୁ କେବଳ ଭାଇର ସ୍ନେହ ଦେଉନଥିଲେ, ବାପାର ଆଦର ବି । ଯୋଗ ଦେଖୁନ ତାକୁ ଦି’ହାତରୁ ଚାରିହାତ କରିବାକୁ ସବୁବେଳେ ହାଇଁପାଇଁ ହେଉଥିବା ମୋ ଶାଶୂ ବି ଗଲାସନ ଆଖି ବୁଜିଦେଲେ । ଗଲାସନ ତ ସବୁ ଠିକ୍ଠାକ୍ ସରିଥିଲା, ହେଲେ କିଏ ଜାଣିଥିଲା ଯେ ବୋଉ ଏପରି ଚାଲିଯିବେ ବୋଲି । ବର୍ଷିକିଆ ଯିବାରୁ ସିନା ଏଥର ରଜକୁ ଆସି ପୁଣି ଦଉଡ଼ା ଧାଁ କଲେ । ମଧ୍ୟସ୍ଥି ମାଧ୍ୟମରେ ଆଖି ପକା ଚାଲିଛି । ପ୍ରସ୍ତାବ କେଉଁଠି ମନକୁ ଗଲେ ସେ ପୁଣି ଆସିବେ, ହେଲେ ଏ ପାଣି କାଦୁଅରେ ବାହାଘର ନକରି ମାଘ ଫଗୁଣକୁ କରିବେ ।
ହଁ, ତୋ’ ଶାଶୂ ତ ବଞ୍ଚି ଥାଉ ଥାଉ ସଜେଇ କି ସବୁ ସୁନାରୁପା ଗଢ଼େଇ ଦେଇଥିଲା । ଶ୍ୱଶୁର ତ ଢେର ସମ୍ପତ୍ତି କମାଇ ଦେଇଯାଇଛି, ଆଉ ତୋ ଗେରସ୍ତ କେଉଁ ନିପାରିଲା କି? ଗୋଟିଏ ବୋଲି ଭଉଣୀ, ଝିଅ ଭଳି ଆଦର କରିଛି ତାକୁ ।
ମନ ଜାଣି ଦବ ଯେତେବେଳେ ମନକୁ ପାଇଲା ଭଳି ପ୍ରସ୍ତାବ ତ ଖୋଜିବ ନିଶ୍ଚୟ ।
ଆମର ତ ଯୋଗାଯୋଗ ଚାଲିଛି, ଦେଖାଯାଉ ତା’ ଭାଗ୍ୟରେ କ’ଣ ଲେଖାଅଛି ।
ହଉଲୋ ମାଆ, ମୁଁ ଯାଏ, ଏ ବର୍ଷା ପବନକୁ ଛତା ସମ୍ଭଳା ପଡୁନି, ସେଥିକୁ ସନାଘର ପାଖ ଗୋହିରୀରେ ଆଣ୍ଠୁଏ ଆଣ୍ଠୁଏ ପାଣି ।
ତୁହାକୁ ତୁହା ବର୍ଷୁଥିଲା ବର୍ଷା । ମେଘ ଖଣ୍ଡ ସବୁ ଲାଗୁଥିଲେ ଯେମିତି ଲାଗିଯିବେ ବାଡ଼ି ତାଳଗଛରେ । ବେଳ କେତେ ହେଲାଣି ଜଣାପଡୁନଥିଲେ ମଧ୍ୟ ଆନ୍ଦାଜ କରି ହେଉଥିଲା ସଂଜ ହବା ହବା ବେଳ । କେତକୀ ଡାକିଲେ- ଉଷା, ଉଷା, ମୋ ସୁନାଭଉଣୀଟା ପରା ସଂଜବତୀ ଟିକେ ଦେଇଦିଅ । ଏ ମେଘ ବରଷାରେ ତ ଚଉରା ମୂଳରେ ସଂଜବତୀ ଦେଇହେବନି, ପିଣ୍ଢା କଣରେ ଥୋଇ ଦିଅ ।
ସଂଜ ନଉଁ ନଉଁ ଲଣ୍ଠନ ଜଳାଇ କବାଟକଣ୍ଟା କିଳି ଦେଲେ ନଣନ୍ଦ ଭାଉଜ ଦି’ଜଣ । ଉଷା ପଚାରିଲା ନୂଆଉ’ ଏ ବର୍ଷା ପବନରେ କ’ଣ ଜଗାସାଆନ୍ତ ଆସିବେ ମେଲାଘରେ ଶୋଇବାକୁ?
ନାଇଁ ମ’, ସେ ବୁଢ଼ା ଲୋକ ଶୁଖିଲା ରାସ୍ତାରେ ଠୁକୁର ଠୁକୁର ଚାଲନ୍ତି, ଏ ବର୍ଷା କାଦୁଅରେ କ’ଣ ଗାଁ ସେମୁଣ୍ଡରୁ ଚାଲି କରି ଆସିପାରିବେ । ସିଏ ତ କେବଳ ବାଆକୁ ବତା, ଆସିଲା କ୍ଷଣି ଶୋଇପଡ଼ିବେ ଯେ ଉଠିବେ ଯାଇ ସକାଳକୁ । ଖାଲି ମନ ବୁଝିବାକୁ ସିନା ମରଦ ଲୋକଟିଏ ଘରେ ଅଛି । ରାତିଅଧିଆ କୌଣସି ବିପଦଆପଦକୁ ତାଙ୍କୁ ବା କ’ଣ ଭରସା କରାଯାଇପାରେ । ସେ ଆସିଲେ ଆସନ୍ତୁ ବା ନାହିଁ, ଆମେ ଦୁଇଜଣ ଶୋଇପଡ଼ିବା ।
ନୂଆଉ’ ତମେ ଭାଇଙ୍କୁ ଖବର ଦିଅ ତ ଗୋଟିଏ ରେଡିଓ କିଣିକି ପଠାଇବେ । ଗୀତ, ନାଟକ ଶୁଣିବା ସହ ରେଡିଓରୁ ଖବର ବି ଜାଣିହୁଅନ୍ତା ।
ତମେ କ’ଣ ଭାବୁଛ ତମ ଭାଇଙ୍କୁ ମୁଁ କହି ନାହିଁ ବୋଲି । ତାଙ୍କର ତ ଖାଲି ଗୋଟିଏ କଥା ତମେ କ’ଣ ସବୁ ନବ, ନେଇ କରି ବିଦାହୁଅ, ତା’ପରେ ଯାଇ ଅନ୍ୟ କଥା ।
ରାତି ଭରି ବର୍ଷୁଥିଲା ବର୍ଷା । ମହୁଫେଣାରେ ଟେକାମାରିଲେ ଯେମିତି ସମବେତ ମହୁମାଛିଙ୍କ ସ୍ୱର ଶୁଭେ ଠିକ୍ ସେପରି ଶୁଭୁଥିଲା ବର୍ଷାର ସ୍ୱର । ଥିବ ଥିବ କମିଯିବ, ଥିବ ଥିବ କୁଟି ହୋଇ ବର୍ଷିଯିବ ।
କେତକୀ କହିବେ ନଈ ତ ପୂରିଲା ପେଟ ଥିଲା, ଇଏ ଯେତେ ବର୍ଷିଲାଣି ପାଟ ଏଇନେ ଛଇଳା ହୋଇଯାଇଥିବ ପାଣିରେ । ଏ ବର୍ଷା ପରେ ପରେ ଦେଖ ବନ୍ୟା କେମିତି ଦାଉ ସାଧିବ ।
ପାହାନ୍ତା ପହରକୁ ଉଠିଲେ ନଣନ୍ଦ ଭାଉଜ ବାଡ଼ିକୁ ଯିବାକୁ । ସେତେବେଳକୁ କମି ଯାଇଥିଲା ବର୍ଷାର ପ୍ରକୋପ । ମେଘ ବି ପତଳା ହୋଇସାରିଥିଲା । ଗୋଠ ଛାଡ଼ି ପଛରେ ପଡ଼ିଯାଇଥିବା ବାଛୁରୀ ପରି ଅଳ୍ପ କେତେଖଣ୍ଡ ମେଘ ଉଡି ଯାଉଥିଲେ ଖୁବ୍ ଜୋର୍ରେ । ଚତୁର୍ଦ୍ଦଶୀର ଜହ୍ନ ମେଘର ଝୀନ ଓଢ଼ଣା ତଳୁ ମୁହଁ ଦେଖାଉଥିଲେ । ଝାପ୍ସା ଝାପ୍ସା ଦିଶୁଥିଲେ କେତୋଟି ତାରା, ଲାଗୁଥିଲେ ଯେମିତି କ୍ଲାନ୍ତ ହୋଇପଡ଼ିଛନ୍ତି ବର୍ଷା ପବନ ଖାଇ ଖାଇ । ଆକାଶ ଆଡେ ଚାହିଁ କେତକୀ କହିଲେ ବୁଝିଲ ଉଷା, ଆମର ଏ ନବ ମଉସା ଗୋଟେ ପରମ ଗାଲୁଆ । କହିଲେ କ’ଣ ନା ଶନିବାର ବର୍ଷା ଆରମ୍ଭ ହୋଇଛି ମାନେ ସାତଦିନ ଲାଗି ରହିବ । ଆକାଶକୁ ଦେଖ, କେମିତି ଫାଙ୍କା ହୋଇଆସିଲାଣି । କାଲିକୁ ଦେଖିବ କେମିତି ଟାଣ ଭୋଦୁଅ ଖରା ପଡ଼ିବ ।
ସତକୁ ସତ ସକାଳ ଆସିଥିଲା ସୁନାରଙ୍ଗର ଆଉଟା ଖରାରେ । ଚାରିଦିନ ହେଲାଣି ଓଦା ଓଦା ଲାଗୁଥିବା ଲୁଗାପଟା, ହେଁସ, ମଶିଣାକୁ ଆଗ ଖରାରେ ପକାଇଲେ ନଣନ୍ଦ ଭାଉଜ । ବଡ଼ିହାଣ୍ଡି, ଆଚାର ଆଟିକା, ଟୋକେଇ, ନାଳିଆ ଯାଏ ସବୁ ଜିନିଷକୁ ଶୁଖାଇଲେ ଖରାରେ । ଯୋଗକୁ ଏମାନେ ସବୁ ଜିନିଷକୁ ଖରା ଦେଉଥିବା ସମୟରେ ନବ ମଉସା ସେହି ବାଟେ ଯାଉଥିଲେ । କେତକୀ କହିଲା- ମଉସା, କହୁଥିଲ ପରା ଶନି ସାତଦିନ ବୋଲି, ଚାରିଦିନ ପରେ କେମିତିକା ଟାଇଁଟାଇଁଆ ଖରା ହେଲା ଦେଖୁଛ ତ?
ଦେଖୁ ନାହିଁ କାହିଁକି ଦେଖୁଛି, ହେଲେ ଏ ଖରାର ରହସ୍ୟ ତମେ ସବୁ ଜାଣିଛ ତ?
ଖରାର ରହସ୍ୟ!
ଧିଅମୁଣ୍ଡକୁ ପୋଡ଼ି ପକାଇଲା ପରି ଲାଗୁନି ଏ ଖରା?
ହଁ, ଝଡ଼ି ପରର ଖରା ତ କାଟିବ ।
ଏ ଖରା କେବଳ କାଟିବ ନାହିଁ ଉଜାଡିବ । ତମେ ସବୁ ବୋଧେ ଶୁଣିନା ଉପରମୁଣ୍ଡରେ ଏତେ ବର୍ଷା ହୋଇଛି ଯେ ହୀରାକୁଦ ବନ୍ଧ ଏବେ ସମ୍ଭଳା ପଡୁନି । ଏକଥା ମୁଁ ଜ୍ୟୋତିଷବିଦ୍ୟାରେ କହୁନି ଲୋ, ଯାହା ରେଡିଓ କହୁଛି ବୋଲି ଶୁଣିଲି । ପାଣିର ଗେଟ୍ ସବୁ ଖୋଲି ଦେଲେଣି । ନଈର ପେଟ ତ ପୂରିକରି ଥିଲା, ପାଟଘାଟ ତ ପାଣିରେ ଛଇଳା ଥିଲା, ତା’ ଉପରକୁ ଉପରମୁଣ୍ଡର ପାଣି ପହଞ୍ଚିଲେ କ’ଣ ହେଉଛି ଦେଖ ।
ମାନେ ବନ୍ୟା ଆସୁଛି?
ବନ୍ୟା ନୁହଁ ମହାବନ୍ୟା ଆସୁଛି ବୋଲି କହ । ଷାଠିଏ ମସିହା ବଢ଼ିକୁ ଆମେ ଦେଖୁଛୁ । ଅବଶ୍ୟ ସେତେବେଳେ ଆଜିକା ପରି ଏତେ ନଈବନ୍ଧ ନଥିଲା । ପାଣି ଯୁଆଡେ ପାରୁଥିଲା, ସବୁ ତ ଖୋଲା ମେଲା ମାଡ଼ି ଯାଉଥିଲା । ଏବେତ ନଈ କୂଳେ କୂଳେ ବନ୍ଧ । ବେଙ୍ଗମୂତା ବନ୍ୟାକୁ ସିନା ଏ ବନ୍ଧ ସମ୍ଭାଳୁ ଥିଲା, ହେଲେ ଯଦି ମହାବନ୍ୟା ହେଲା ତେବେ? ନଈ ମୋଡାଣୀର କଣ୍ଡିଆ ବନ୍ଧ ମୁହାଁଣ୍ଡିରେ ତମର ଘର । ରାତି ବିକାଳି କେତେବେଳେ କ’ଣ ହେବ କହି ହେବନି । ତମେ ନଣନ୍ଦ ଭାଉଜ ଦୁହେଁ ହୁସିଆରରେ ଥିବ ।
ଦିନ ଯହୁଁ ଯହୁଁ ବଢ଼ୁଥିଲା, ବଡ଼ ବଢ଼ି ଆସୁଛି ବଡ଼ ବଢ଼ି ଆସୁଛି ବୋଲି ତହୁଁ ତହୁଁ ହୁରି ପଡ଼ୁଥିଲା । ସତକୁ ସତ ଉପର ମୁଣ୍ଡର ପାଣି ଗାଧୁଆ ବେଳକୁ ପହଞ୍ଚି ସାରିଥିଲା ନଈରେ । ମଳାମଳା ପଟୁମିଶା ଫେଣ, ଜଙ୍ଗଲର ପୋଡ଼ା କାଠଗଣ୍ଠି ଭାସି ଆସୁଥିଲା ନଈ ସୁଅରେ । ଗୋଟିଏ ଭୟାନକ ସର୍ବନାଶି ସ୍ୱରରେ ନଈସୁଅ ମାଡ଼ି ଚାଲୁଥିଲା ତଳକୁ ତଳକୁ ଭଉଁରୀ କାଟି କାଟି । ନଈ ବନ୍ଧ ଉପରେ ଲାଗିଥିଲା ଗାଅାଁ ଲୋକଙ୍କର ଭିଡ଼ । ଅନଉ ଅନଉ ନଈର ଛାତି ଫୁଲି ପାଣି ଲାଗିଗଲା ନଈବନ୍ଧର ପେଟକୁ । ହୁଁ, ହୁଁ ହୋଇ ବଢ଼ୁଥିବା ପାଣିର ସ୍ତରକୁ ଆଉ ଚିହ୍ନ ଦେଇ ଜାଣିବା ଦରକାର ହେଉନଥିଲା । ପାଣି କେତେ ବଢ଼ୁଛି ଜାଣି ହେଉଥିଲା ସଙ୍ଗେ ସଙ୍ଗେ ।
ଲୋକେ କହୁଥିଲେ ଆଜି ପୂନେଇ ପକ୍ଷ, ଜୁଆରରେ ଭିଡ଼ିଥିବ ସମୁଦ୍ରର ଛାତି, ସେ ପାଣିତ ଠେସୁଥିବ ନଈକୁ । ଉପର ମୁଣ୍ଡରୁ ଆସୁଥିବା ପାଣି ତଳକୁ ଯିବ କେମିତି? ଏଇ ଆଉ ସମ୍ଭଳା ପଡ଼ିବନି ଏଥର ।
ସଂଜ ବେଳକୁ ନଈବନ୍ଧର ନାକରେ ପଶୁଥିଲା ପାଣି । ବନ୍ଧ ଉପରେ ଠିଆ ହେଲେ ଲାଗୁଥିଲା ବନ୍ଧ ଓ ପାଣି ସମାନ ସ୍ତରରେ । ଛାତିକୁ ଛାତି ଲଗାଇ ଯେପରି କଷୁଛନ୍ତି ବଳ । ଆସନ୍ନ ବିପଦରେ ପ୍ରମାଦ ଗଣୁଥିଲେ ଗାଁଲୋକ । ବନ୍ଧ ଉପରେ ଚାଲିଲା ନାମସଂକୀର୍ତ୍ତନ ଓ ଜଳ ବନ୍ଦାଣ । ଗାଅାଁର ଯୁବକମାନେ ନିଷ୍ପତ୍ତି ନେଲେ ରାତିଭରି କେହି ବନ୍ଧ ଛାଡ଼ି ଯିବାନି । ପେଟ୍ରୋମାକ୍ସ ଜାଳି ପହରା ଦେବା ଗାଅାଁ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଲମ୍ବିଥିବା ବନ୍ଧ ଉପରେ । ନଜର ପକାଇବା କେଉଁଠି ଘଳିଆ ହେଲେ, ବାଲିବସ୍ତା ପକାଇବା ପାଣି କେଉଁଠି ଉଛୁଳିଲେ ।
ରାତି ହେଲା । ସମସ୍ତଙ୍କୁ ଲାଗୁଥିଲା ଯେମିତି ଏକ କାଳ ରାତି ମାଡ଼ି ମାଡ଼ି ଆସୁଛି । ସଂଜ ପହରୁ ଯିଏ ଯାହା ଗଣ୍ଡେ ଖାଇ ଦେଇ ପ୍ରାର୍ଥନା କରୁଥିଲେ ବନ୍ୟାରୁ ସୁରକ୍ଷା ପାଇଁ । କେତକୀ ଛାତିରେ ଛାତିଏ ପାଣି । ବନ୍ଧ ତଳରେ ଘର । ତାଙ୍କ ଘରର ମଥାନଠାରୁ କାହିଁ କେତେ ଉଚ୍ଚାରେ ବନ୍ଧ । କଣ୍ଡିଆ ମୋତାଣୀ ବନ୍ଦର, ଆଗରୁ ଏଇଠି ଗୋଟେ ଘାଇ ଥିଲା ବୋଲି ସେ ଶୁଣିଛି । ଅବଶ୍ୟ ସେଇଟା ଶାଶୂ ଶ୍ୱଶୁର ବଞ୍ଚିଥିବା ସମୟର କଥା । ଷାଠିଏ ବଢ଼ିକୁ ଚିହ୍ନ ଦେଇ ଗାଅାଁର ସବୁଲୋକ ଢିଅ ବାନ୍ଧିଲେ, ଘରର ପିଣ୍ଢାକୁ ଉଚ୍ଚା କଲେ । ହେଲେ ସେ ଯାହା ଶୁଣିଛି ସେତେବେଳେ ସବୁଆଡେ ଖୋଲାମେଲା, ନଈରେ ପାଣି ବଢ଼ିବା କ୍ଷଣି ନୂଆ ନଈ, ତନ୍ତୀଘାଇ ଓ ଅନ୍ୟାନ୍ୟ ବହୁ ଛୋଟ ମୋଟ ଘାଇ ମୁହଁରେ ମାଡ଼ିଯାଏ ତଳକୁ ତଳକୁ । ବିଶେଷ କ୍ଷତି ହୁଏନା ଘରଦ୍ୱାରର । ଏବେ କିନ୍ତୁ ପରିସ୍ଥିତି ଭିନ୍ନ । ବଣର ବାଘକୁ ଯନ୍ତା ଭିତରେ ପୂରାଇ ରଖିବା ପରି ନଈ କଡେ କଡ଼େ ବନ୍ଧ । ଉପର ମୁଣ୍ଡରେ ଡ୍ୟାମ୍, ନଈରେ ଅଧିକ ପାଣି ଆସିବାର ସମ୍ଭାବନା ନଥିଲା । କିନ୍ତୁ ଏବେ ଯେତେବେଳେ ଡ୍ୟାମ୍ ସମ୍ଭଳା ପଡୁନି ପାଣି ଛାଡୁଛି, ଏ ନଈ କ’ଣ ସମ୍ଭଳା ପଡ଼ିବ? ଯଦି ଭାଙ୍ଗିଯାଏ ବନ୍ଧ, କ’ଣ କରିବେ ସେମାନେ? ଜଗନ୍ନାଥ ତୁହି ସାହାଭରସା କହି ଦୁଇ ହାତ ଉପରକୁ ଟେକିଲା କେତକୀ ।
ଭାଉଜ ପାଖକୁ ଲାଗିଆସି ଉଷା କହିଲା- ବୁଝିଲ ଭାଉଜ ମୋତେ ଏ ବଢ଼ିର କରାଳ ରୂପ ଦେଖି ଭାରି ଡର ଲାଗୁଛି । ଭାଇ ବି ଘରେ ନାହାନ୍ତି, କିଛି ବିପଦ ଆପଦ ପଡ଼ିଲେ ଆମେ ସ୍ତ୍ରୀଲୋକ ଦିଇଟା କ’ଣ କରିପାରିବା?
ଗାଅାଁ ପିଲାମାନେ ତ ବନ୍ଧ ଜଗିଛନ୍ତି, ଦେଖିବା କ’ଣ ହେଉଛି । ଆମେ କିନ୍ତୁ ଆଜି ରାତିସାରା ଶୋଇବାନି ।
ଏ ବନ୍ୟା ଯେମିତି ଭୟଙ୍କର ରୂପ ନେଇ ଆସୁଛି ସେଥିରେ କ’ଣ ନିଦ ହେବ ଯେ ଆମେ ଶୋଇବା ।
ମୁଁ ଗୋଟେ କଥା ଭାବୁଛି ଉଷା ।
କ’ଣ ଭାବୁଛ ନୂଆଉ’?
ମୁଁ କ’ଣ କହୁଥିଲି କି ତମ ଭାଇ ତମ ପାଇଁ ଯାହା ଯାହା ଗହଣାଗାଣ୍ଠି କରିଛନ୍ତି ତମେ ସେସବୁକୁ ପିନ୍ଧି ପକାଅ । ସବୁ ବାସନକୁସନକୁ ମୁଁ ଗୋଟାଏ ଅଖାରେ ବାନ୍ଧି ଆମ ପାଉଁଶ ଖାତ ଭିତରେ ପୋତି ତା’ ଉପରେ ମାଟି ଚଲାଇ ଦେଉଛି । ତମର ଯାହା ଯାହା ସବୁ ପାଟ ଓ ମଠା ଶାଢ଼ି ଅଛି ତାକୁ ବାନ୍ଧି ଆମ ବାଡ଼ି ଆମ୍ବଗଛର ଉପର ଡାହିରେ ମୁଁ ବାନ୍ଧି ଦେଉଛି । ଯଦି ବନ୍ଧ ଭାଙ୍ଗି ଘରେ ପାଣି ପଶିଗଲା ଅନ୍ତତଃ ଏଗୁଡାକ ରକ୍ଷା ପାଇଯିବ ।
ଉଷା ପିନ୍ଧି ପକାଇଲା ସବୁ ଗହଣା ଗାଣ୍ଠି । ଏପରିକି ବରଧରା ଓ ସ୍ୱୀକାର ପାଇଁ ଗଢ଼ା ଯାଇଥିବା ଚେନ୍, ମୁଦି ସବୁକୁ ମଧ୍ୟ ପିନ୍ଧି ପକାଇଲା । ସେସବୁ ଗହଣା ପିନ୍ଧି ସାରିବା ପରେ କେତକୀ ତାକୁ ଥଟ୍ଟା କରି କହିଲେ- ତମେ ତ ନୂଆବୋହୂ ନୂଆ ବୋହୂ ଲାଗୁନ, ଲାଗୁଛ ଦେବୀ ଦେବୀ ପରି । ଆରେ ତମର ଏତେ ଚହଟ ରୂପ ଥିଲା, ମୁଁ କାହିଁ କେବେତ ଜାଣିପାରୁନଥିଲି ।
ଉଷା ଥଟ୍ଟାର ଜବାବ୍ ଥଟ୍ଟାରେ ଦେଇ କହିଲା- ଆଗରୁ ତ କେବେ ଏମିତି ବଢ଼ି ଆସିନଥିଲା ନା ।
ଏ ମୁଣ୍ଡରୁ ସେମୁଣ୍ଡ ବନ୍ଧ ଉପରେ ଧାଡ଼ି ଲଗାଇଥିଲେ ଗାଅାଁ ଟୋକାଏ । ବନ୍ଧର ଦୁର୍ବଳ ସ୍ଥାନମାନଙ୍କରେ ପକାଉଥିଲେ ବାଲିବସ୍ତା । ପେଟ୍ରୋମାକ୍ସ ଲାଇଟ୍ରେ ଦେଖୁଥିଲେ କେଉଁଠି ଘଳିଆ ପଡୁଛି କି କ’ଣ?
କଳ କଳ, ଚବ୍ ଚବ୍ କରି ସୁଅ କାଟୁଥିଲା ନଈର ପାଣି । ପୂର୍ଣ୍ଣିମାର ଜହ୍ନ ଆଲୁଅରେ ବେଶ୍ ଭଲ କରି ଦେଖି ହେଉଥିଲା ନଈର ଭୀମ ରୂପକୁ । ରାତି ଯହୁଁ ଯହୁଁ ବଢ଼ୁଥିଲା, ପବନରେ ଚହକି ପଡୁଥିଲା ନଈର ପାଣି ବନ୍ଧ ଉପରକୁ । ଟୋକାଏ ଦଉଡ଼ାଧାପଡ଼ କରୁଥିଲେ ସେ ଜାଗାକୁ ।
କିଏ ଗୋଟାଏ ଏହି ସମୟରେ ଚିଲ୍ଲାଇଲା- ଆରେ ହେ, ବନ୍ଧରେ ଘୋଳ ପଡ଼ିଛିରେ ଧାଇଁ ଆସ । ଟୋକାଏ ବାଲିବସ୍ତା ଧରି ଧାଇଁଲେ ସେ ସ୍ଥାନକୁ । ଘଳିଆ ମୁହଁରେ ଯେତେ ବାଲିବସ୍ତା ପକାଇଲେ ସିଏ ବା କାହୁଁ ସମ୍ଭଳା ପଡନ୍ତା । ଜଣେ କିଏ କହିଲା- ବନ୍ଧର ଯେଉଁପଟେ ପାଣି ଅଛି ସେପଟେ ସିନା ଘଳିଆ ବନ୍ଧ କରି ହେବ, ଘଳିଆର ତଳ ମୁହଁରେ ବାଲିବସ୍ତା ଦେଇ କ’ଣ ଘଳିଆ ମାରିପାରିବ । ଏଠି ବୃଥା ଚେଷ୍ଟା ନକରି ପାରୁଛ ଯଦି ପାଣିରେ ପଶି ଘଳିଆ ମୁହଁ ଖୋଜ ।
ସତ କଥା କହି ସମସ୍ତେ ଉପରକୁ ଉଠି ଆସିଲା ବେଳକୁ ଘଳିଆ ପରିଣତ ହୋଇସାରିଥିଲା ଘାଈରେ । ହଠାତ୍ ତାଳଗଛ ଉଚ୍ଚାର ପାଣି ଓଜାଡି ହୋଇ ପଡ଼ିଲା ଗାଅାଁ ଉପରେ ।
ଏହି ସମୟରେ କେତକୀ ଆମ୍ବଗଛ ଉପର ଡାଳରେ ବାନ୍ଧୁଥିଲେ ଘରର ଦାମୀ ଦାମୀ ଶାଢ଼ି, ଉଷାର ପାଟ ଓ ମଠା ଶାଢ଼ି ସହ ହୁମ ପାଲଟା ଶାଢ଼ିକୁ । ସମୁଦ୍ରର ଲହଡି ପରି ମାଡ଼ି ଆସୁଥିବା ପାଣିକୁ ଦେଖି ସେ ଭୟରେ ଡାକ ଛାଡ଼ିଲେ ଉଷା, ଉଷା, ତମେ ଏ ଗଛ ଉପରକୁ ଚାଲିଆସ । ହେଲେ ସେ ଡାକ ତା’ ପାଖରେ ପହଞ୍ଚିବା ପୂର୍ବରୁ ପାଣିର ଲହଡ଼ି ପହଞ୍ଚି ସାରିଥିଲା ଘରର ମଥାନ ଉପରେ । ନଈ ବନ୍ଧରେ ଠିଆ ହୋଇଥିବା ଗାଅାଁ ଟୋକାମାନେ କେବଳ ଚିଲ୍ଲାଉଥିଲେ- ଧର, ଧର, ଭାସିଗଲାରେ, ଧର, ଧର ।
ବାସ୍ ଯିଏ ଯେଉଁଠି ଥିଲେ ସେହି ସ୍ଥିତାବସ୍ଥାରେ ହିଁ ଠିଆ ହୋଇରହିଥିଲେ । ଗାଅାଁ ଭିତରେ ଭଉଁରୀ ଖେଳୁଥିଲା ତାଳଗଛ ଉଚ୍ଚର ଲହଡି ଜହ୍ନ ଆଲୁଅରେ କେବଳ ଦିଶୁଥିଲା ଭାସିଯାଉଥିବା ଘରର ଛପରଟିମାନ । ଆମ୍ବଗଛ ଉପରୁ କେତକୀର କାନ୍ଦଣା ମିଶା ଡାକ- ଉଷା! ଉଷା! କାହାରି କାନରେ ବାଜିବା ପୂର୍ବରୁ ଘାଇର ଗର୍ଜନରେ ଭାସି ଯାଉଥିଲା ତଳକୁ ତଳକୁ ତଳକୁ ।
ରାତି ପାହି ସକାଳ ହେଲା ବେଳକୁ ଆଉ ବାରି ହେଉନଥିଲା ନଈ କେଉଁଟା ଓ ଗାଅାଁ କେଉଁଟା । ଗାଅାଁର ଉପର ମୁଣ୍ଡକୁ ପାଣି ପସୁ ପସୁ ଯେଉଁମାନେ ଘରଦ୍ୱାର ଓ ଜିନିଷପତ୍ରର ମୋହ ତୁଟାଇ ପଳାଇ ଆସିଥିଲେ ନଦୀବନ୍ଧ ଉପରକୁ ସେମାନେ ଭାଗ୍ୟକୁ ପ୍ରଶଂସା କରୁଥିଲେ ଯେ ବଞ୍ଚି ଯାଇଛନ୍ତି ବୋଲି । ଦିନ ହେବାରୁ ଗୋଟିଏ ହୁଲି ଡଙ୍ଗାରେ ଦଉଡ଼ି ବାନ୍ଧି କେତକୀଙ୍କୁ ଆମ୍ବଗଛରୁ ଉଦ୍ଧାର କରାଗଲା ସୁରକ୍ଷିତ ଭାବେ । ହେଲେ କେତକୀ ଅଥୟ ହେଉଥିଲେ ନଣନ୍ଦ ଉଷା ପାଇଁ । ଘାଇର ସ୍ରୋତର ଅନୁକୂଳରେ ଗୋଟିଏ ହୁଲି ଡଙ୍ଗା ଧରି କିଛି ସାହସୀ ଯୁବକ ବାହାରି ଯାଇଥିଲେ ଉଷାର ସନ୍ଧାନରେ । ବହୁବାଟ ଯିବା ପରେ ମଧ୍ୟ ସେମାନେ ପାଇନଥିଲେ କୌଣସି ସନ୍ଧାନ ଏବଂ ଫେରିଥିଲେ ନିରାଶ ହୋଇ ।
ଜିଇଁମରା ପାଟରେ ପାଣିର ସମୁଦ୍ର । ଜଟିଆ ବେହେରାର ହାତ ପାଞ୍ଚ ସାତ ଦିନ ହେଲାଣି ବନ୍ଦ । ନିଛାଟିଆ ପାଟରେ ଏକୁଟିଆ ଯାତ୍ରୀଙ୍କୁ ଲୁଟିବା ତା’ର କାମ । ନିଜ ଇଲାକା ଆଡେ ବୁଲି ଆସିବାକୁ ଭୋଳାକୁ କହିଲା ଦବୁ କି ତୋ ପଟେଇକୁ ଟିକେ ।
ପଟେଇ! ପଟେଇରେ ତୋ’ର କି କାମ?
ତୋର ତ ଏଇନେ ଘାଟ ବନ୍ଦ, ଦଉନୁ ମୁଁ ଘଡିଏ ବୁଲିଆସେ ପାଟ ଆଡେ, କହିବୁ ଯଦି ଫେରିବା ବେଳକୁ ତୋ’ ଗାଈ ଛେଳିଙ୍କ ପାଇଁ କିଛି ଡାଳପତ୍ର ବି ପଟେଇରେ ଲଦି କରି ଆଣିଦେବି ।
ଭୋଳାଠାରୁ ପଟେଇ ଧରି ପାଟ ଆଡେ ଚାଲିଲା ଜଟିଆ । ଏତେ ବଡ଼ ବଢ଼ିରେ ତ ନିଶ୍ଚୟ ଜଙ୍ଗଲର କାଠ କିମ୍ବା ଭାସି ଯାଇଥିବା ଘର କାଠଫାଠ ନିଶ୍ଚୟ ଲାଗିଥିବ ପାଟ ଭିତରେ ଥିବା ଗଛ କିମ୍ବା ବୁଦାମାନଙ୍କରେ । ତାକୁ ସଂଗ୍ରହ କରି ଆଣି ବିକ୍ରି କରି ହେବ ।
ପାଟ ଭିତରେ ପଟେଇ ବୁଲଉ ବୁଲଉ ଗୋଟିଏ କ୍ଷୀଣ ଡାକଟିଏ ବାଜିଲା ଜଟିଆ କାନରେ- ହେ ଭାଇ, ରକ୍ଷା କର ।
କାନ ପାରିଲା ଜଟିଆ, ଟିକି ବରଗଛ ପାଖରୁ ଆସୁଛି ସେ ସ୍ୱର । ବେଗି ବେଗି ପଟେଇରେ କାତ ମାରିଲା ଜଟିଆ । ଗଛମୂଳରେ ପହଞ୍ଚିି ଚାହିଁଲା ଏପଟ ସେପଟ । ପୁନଶ୍ଚ ଆହୁରି କ୍ଷୀଣ ସ୍ୱରରେ ଶୁଭିଲା ସେ ଡାକ । ଚାହିଁଲା ଗଛ ଉପରକୁ, ଡାଳ ସନ୍ଧିରେ ବସିଛି ଜଣେ ଦିବ୍ୟ ସୁନ୍ଦରୀ ନାରୀ । ଆଶ୍ଚର୍ଯ୍ୟ ହୋଇ ଜଟିଆ ପଚାରିଲା- ତମେ ଦେବୀ ନା ମାନବୀ ।
ନାରୀ ଜଣକ ଏତେ କ୍ଲାନ୍ତ, ଅବସନ୍ନ ଥିଲେ ଯେ କୌଣସି ପ୍ରଶ୍ନର ଉତ୍ତର ଦେବା ତାଙ୍କ ପାଖରେ ଥିଲା ଅସମ୍ଭବ । ପ୍ରାୟତଃ ଚେତାଶୂନ୍ୟ ଅବସ୍ଥାରେ ଥାଇ ସେ କ୍ଷୀଣ କଣ୍ଠରେ ଉଚ୍ଚାରଣ କରୁଥିଲେ- ରକ୍ଷା କର ।
ଜଟିଆ ପଟେଇଟିକୁ ଗଛରେ ବାନ୍ଧି ନାରୀ ଜଣଙ୍କୁ ତଳକୁ ଆଣି ପଟେଇ ଭିତରେ ଶୁଆଇ ନେଲା । ଏତେଗୁଡିଏ ସୁନାଗହଣା ପିନ୍ଧିଥିବା ଜଣେ ନାରୀଙ୍କୁ ଦେଖି ତା’ର ଭ୍ରମ ହେଉଥିଲା ଦେବୀ ଦେବୀ ବୋଲି । ସେ ମନକୁ ମନ ପ୍ରଶ୍ନ କରୁଥିଲା- କୌଣସି ଦେବୀ ମୋର ପରୀକ୍ଷା ନେଉନାହାନ୍ତି ତ? ଯଦି ବି ବନ୍ୟାରେ ଭାସି ଆସିଥାଇ ପାରନ୍ତି ଏ ନାରୀ, ତେବେ ଏତେ ଅଳଙ୍କାର ପିନ୍ଧିଛନ୍ତି କାହିଁକି? ଏଇଟା ମୋର ଲୁଟ୍ପାଟର ଇଲାକା ଜାଣି ମୋର ପରୀକ୍ଷା ନେଉନାହାନ୍ତି ତ?
ପଟେଇ ଭିତରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିରହିଥିଲେ ନାରୀ ଜଣକ । ଜଟିଆ ଭାବୁଥିଲା ସାରା ଜୀବନ ଲୁଟ୍ପାଟ୍ରେ ଯେତିକି କମାଇ ନାହିଁ, ଆଜି ଏକାଥରକରେ ତା’ଠାରୁ କାହିଁ କେତେଗୁଣା ଅଧିକ ମିଳିଯିବ । ହେଲେ ଯଦି ସେ କୌଣସି ଦୈବୀ ଶକ୍ତି ହୋଇଥାଆନ୍ତି?
ପାଣି.. ପାଣି…, କ୍ଷୀଣ ସ୍ୱରର ଆବାଜଟିଏ ଶୁଭିଲା । ବଢ଼ିର ମାଟିପାଣିରୁ ଆଞ୍ଜୁଳା ଆଞ୍ଜୁଳା କରି ତାଙ୍କ ପାଟିରେ ଦେଲା ଜଟିଆ । ପାଣି ପିଇସାରି ସାଷ୍ଟାମ ହେବା ପରେ ନାରୀଜଣଙ୍କ କହିଲେ- ମୁଁ ଉଷା, ସୁବଳପୁରରେ ଘର । ବାସ୍ ତା’ପରେ ପୁନଶ୍ଚ ଚେତାଶୂନ୍ୟତା ଭିତରକୁ ଚାଲିଗଲେ ।
ଜଟିଆ ନିଶ୍ଚିତ ହୋଇଗଲା ଏ ଦେବୀ ନୁହଁ ମାନବୀ । ଭାବିଲା ଏବେ କ’ଣ କରିବ? ଜୀବନ ଯଦିବା ଆସିବା ଗଲାଭଳି ଅବସ୍ଥାରେ ଥିବାବେଳେ ସବୁ ଗହଣାଗାଣ୍ଠି କାଢ଼ି ପାଣିକୁ ଛାଡ଼ିଦେଲେ କାମ ଫତେ । ବହୁତ ଦିନ ଯାଏ ଆଉ ଏ ଧନ୍ଦା ନକରି ମଧ୍ୟ ଆରାମରେ ଚଳିଯାଇହେବ । ପୁନଶ୍ଚ ଭାବିଲା ଲୁଣ୍ଠନ କରିବାରେ ଯେଉଁ ଆନନ୍ଦ ମିଳେ ଏଥିରୁ କ’ଣ ତାହା ମିଳିବ? ଯେତେ ଲୁଣ୍ଠନ କରିଥିଲେ ମଧ୍ୟ ନରହତ୍ୟାର ଦୋଷ ତା’ ମୁଣ୍ଡରେ ଲାଗିନି ଆଜିଯାଏ ।
ଏହାଠାରୁ ଅଳଙ୍କାର ଲୁଣ୍ଠନ କରି ସାରି ଏଇଠି ଛାଡ଼ି ଦେଇଗଲେ ମାରିଦେବା ସହ ସମାନ ହେବ ନାହିଁ କି? ୟାକୁ ଗାଅାଁକୁ ନେଇ ବଞ୍ଚାଇ ସାରିବା ପରେ କ’ଣ ଲୁଣ୍ଠନ କରିହେବ ଅଳଙ୍କାର ତକ? ଏପଟେ ଜଣଙ୍କର ଜୀବନ ସେପଟେ ଅଳଙ୍କାରର ଲୋଭ- ମଝିରେ ଠିଆ ହୋଇଥିଲା ଜଟିଆ । କ’ଣ କରିବ, କ’ଣ କରିବ ଚିନ୍ତା କରୁଥିଲା । ଭାବିଲା ଜୀବନ ସାରା ନିରୀହ ଲୋକଙ୍କୁ ଛୁରୀ, ଭୁଜାଲି ଦେଖାଇ ଲୁଟି ଲୁଟି ତ ଏଯାଏଁ ପୂରିଲାନି ପେଟ । ଯେଉଁ ଅବସ୍ଥାକୁ ସେଇ ଅବସ୍ଥା । ଗାଅାଁ ସାରା ଲୋକେ ତା’ର ପ୍ରକୃତି ଜାଣି ତା’ଠାରୁ ଦୂରେଇ ରହୁଛନ୍ତି । କେହି କ’ଣ ଭଲରେ ମିଶୁଛନ୍ତି, ଯିଏ ବା ମିଶିଛି ସିଏ ଭଲ ପାଇବା ନେଇ ନୁହେଁ ଭୟରେ । ଭୋଳା ଘାଟିଆ କ’ଣ ଆଜି ତା’ ପଟେଇକୁ ଦେଇଥାଆନ୍ତା, ସେ କେବଳ ଭୟରେ ଦେଇଛି, ମୁଁ ଯେପରି ତା’ର କିଛି କ୍ଷତି ନକରେ ।
ପେଟ ଚାଖଣ୍ଡକୁ ପୂରାଇବା ପାଇଁ ଏତେ ବାଟ ଥାଉଁ ଥାଉଁ ଏ ବାଟରେ କାହିଁକି ମୋ ମନ ବଳିଲା? ମୁଁ କ’ଣ ଦସୁ୍ୟ ରତ୍ନାକର ହୋଇ ଜନ୍ମ ହୋଇଥିଲି ଏବଂ ସେହି ରତ୍ନାକର ହୋଇ ମରିବି? ମୋର କ’ଣ ବାଲ୍ମିକୀ ହେବାର ଯୋଗନାହିଁ?
ନା, ମୁଁ ଏ ଅଳଙ୍କାର ଲୁଣ୍ଠନ କରି ଏ ଝିଅଟିକୁ ଏମିତି ମରିଯିବାକୁ ଦେଇପାରିବି ନାହିଁ । ୟାକୁ ବଞ୍ଚାଇବାକୁ ହେବ । ସେ ଭଲ ହେବା ପରେ, ବନ୍ୟା ଛାଡ଼ିଲେ ତା’ ଘରେ ନେଇ ପହଞ୍ଚାଇ ଦେବାକୁ ହେବ ।
ପୁଣିଥରେ କ୍ଷୀଣ ସ୍ୱରରେ ଶୁଭିଲା- ମୋତେ ବଞ୍ଚାଅ? ଗଛରୁ ପଟେଇର ଦଉଡ଼ି ଖୋଲୁ ଖୋଲୁ ଜଟିଆ କହିଲା- ତମେ ନିଶ୍ଚୟ ବଞ୍ଚିବ ଭଉଣୀ, ତମର ଏ ଭାଇ ତମ ସହିତ ଅଛି । ଖୁବ୍ ଜୋର୍ ଜୋର୍ରେ କାତ ମାରୁ ମାରୁ ଜଟିଆ ଅନୁଭବ କରୁଥିଲା ତା’ ଭିତରେ ଏକ ଅନିର୍ବଚନୀୟ ଆନନ୍ଦ । ଭାବୁଥିଲା କାହିଁ ଏପରି ଆନନ୍ଦ ତ ସେ କେବେ ଲୁଣ୍ଠନ ପରେ ପାଇନଥିଲା । ଏଇଟା କ’ଣ ଦିବ୍ୟ ଆନନ୍ଦ । ଯଦି ଏଇଟା ଦିବ୍ୟ ଆନନ୍ଦ, ତେବେ ଏବେ, ଏଇଠୁ, ଏ ବନ୍ୟାରେ ମୁଁ ଭସାଇ ଦେଉଛି ମୋର ଅତୀତ, ଆଜିଠୁଁ ହିଁ ଆରମ୍ଭ ହେବ ନୂଆ ଦିନ ।