ପ୍ରାଚୀନ କାଳରେ ଯାହାକିଛି ମାନବଠାରୁ ଅତି ଦୁଃସାଧ୍ୟ ଓ ଶକ୍ତିଶାଳୀ ରୂପେ ବିବେଚିତ ହେଉଥିଲା ଓ ମାନବର ଆୟତ୍ତାଧୀନ ନ ଥିଲା ସେ ସବୁକୁ ଲୋକେ ସମ୍ମାନର ସହ ପୂଜା କରୁଥିଲେ । ସର୍ପ ପୂଜା ଏହାର ସତ୍ୟତା ପୂର୍ଣ୍ଣମାତ୍ରାରେ ପ୍ରତିପାଦନ କରେ । ଲୋଭନୀୟ ସୌନ୍ଦର୍ଯ୍ୟ ମନ ଭୁଲାଣିଆ ଚଞ୍ଚଳତା, ଗତିର ଚମକ୍ରାରିତା, ପାଦ ଓ ଡେଣାର ବିନା ସାହାଯ୍ୟରେ ରହସ୍ୟଜନକ ବଙ୍କିମ ଗତି, ଆକସ୍ମିକ ଆବିର୍ଭାବ ଓ ହଠାତ୍ ଅପସାରଣ, ଚକ୍ଷୁର କମନୀୟତା ଏବଂ ସର୍ବୋପରି ଏହାର ଫଣାର ଭୟାବହ ପରିଣାମ ସାପକୁ ଆକର୍ଷଣ, ଭୟ ଓ ଭକ୍ତିର ଆସନରେ ପୃଥିବୀବାସୀ ଇତିହାସ ଯୁଗରୁ ପ୍ରତିଷ୍ଠିତ କରିଆସୁଛନ୍ତି ।
ଖ୍ରୀଷ୍ଟଯୁଗ ପୂର୍ବରୁ ସର୍ପ ପୂଜା ସାର୍ବଜନୀନ ଥିଲା । ଆଶ୍ଚର୍ଯ୍ୟର କଥା ସୂର୍ଯ୍ୟ ପୂଜା ସହିତ ଏହା ମିଶ୍ରିତ ଭାବରେ ହୋଇ ଆସୁଥିଲା । ସର୍ପ ଧନ, ପ୍ରାଚୁର୍ଯ୍ୟ, ବର୍ଷା ଓ ଆୟୁଷର ପ୍ରତୀକ । ସାପ ତା’ର ପୁରୁଣା କାତି ପରିତ୍ୟାଗ କରି ନୂଆ କାତି ଗ୍ରହଣକୁ କେନ୍ଦ୍ର କରି ନାନା ପ୍ରକାର ଗପ ପୃଥିବୀର ବିଭିନ୍ନ ଅଂଶରେ ଶୁଣାଯାଏ ।
ଭାରତୀୟ ‘ପୁରାଣ’ ସର୍ପକୁ କେନ୍ଦ୍ର କରି ନାନାପ୍ରକାର କାହାଣୀରେ ପୂର୍ଣ୍ଣ ଓ ଏହି କାହାଣୀଗୁଡ଼ିକରେ ସର୍ପର ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ପରିଲକ୍ଷିତ ହୁଏ । ଯଦିଓ ସର୍ପ ବିଷାକ୍ତଜନକ ଓ ମାରାତ୍ମକ ରୂପେ ବିବେଚିତ ତଥାପି ପୌରାଣିକ ସମସ୍ତ କିମ୍ବଦନ୍ତୀ ବା କାହାଣୀଗୁଡ଼ିକରେ ସର୍ପର ଉପକାରିତା ଦେଖାଯାଏ । ସାପମାନଙ୍କଠାରେ ଜ୍ଞାନ, ଗୁପ୍ତତଥ୍ୟ, କୁହୁକବିଦ୍ୟା, ଆରୋଗ୍ୟ ଶକ୍ତି ଇତ୍ୟାଦି ବହୁ ଗୁଣ ଆରୋପ କରାଯାଏ ।
ସ୍ୱୟଂ ବିଷ୍ଣୁଙ୍କୁ ଶେଷଶାୟୀ ଭଗବାନ ବୋଲି କୁହାଯାଏ । କାରଣ ମହାପ୍ରଭୁ ଶେଷନାଗର ମଳା ବା ମନ୍ଦା ଉପରେ ଶୟନ କରିଥାନ୍ତି । ଏହି ସର୍ପର ବିରାଟ ଫଣା ପ୍ରଭୁଙ୍କ ମୁଣ୍ଡରେ ଛତା ପରି ଥାଏ ଏବଂ ଏହି ଫଣା ପୃଥିବୀକୁ ବହନ କରିଥାଏ । ସ୍ୱୟଂ ଶିବଙ୍କ ଗଳା ଓ ବାହୁ ଦେଶରେ ସର୍ପମାନେ ଗୁଡେଇ ହୋଇଥାନ୍ତି । କିନ୍ତୁ ହିନ୍ଦୁ ଶାସ୍ତ୍ରରେ ସମୁଦ୍ରମନ୍ଥନ ଗୋଟିଏ ଆଖ୍ୟାୟିକା । ଏଥିରେ ମଧ୍ୟ ଏକା ପାଖରେ ଦେବତା ଓ ଅପର ପାଖରେ ଅସୁରମାନ ସମୁଦ୍ରକୁ ମନ୍ଥନ କରିବା ବେଳେ ବାସୁକି ନାଗକୁ ଗୋଟିଏ ଦଉଡ଼ି ରୂପେ ବ୍ୟବହାର କରିଥିଲେ । କୃଷ୍ଣ କାଳୀୟ ନାଗକୁ ଦଳନ କରି ତାଙ୍କର ଶକ୍ତି ଓ ସାମର୍ଥ୍ୟର ପରିଚୟ ଦେଇଅଛନ୍ତି । ପୁରାଣରୁ ଜଣାଯାଏ ଯେ ପାଣି କିମ୍ବା ପୃଥିବୀ ତଳେ ଗୋଟିଏ ସର୍ପବଂଶ ରହିଛି । ଏହାକୁ ନାଗଲୋକ ବୋଲି କୁହାଯାଏ । ଏହି ନାଗଲୋକର ଅଦ୍ଭୁତଶକ୍ତି ଅଛି । ଏହି ନାଗଲୋକ ବାସୀମାନେ ଇଚ୍ଛା କଲେ ମନୁଷ୍ୟ ରୂପ ଗ୍ରହଣ କରିପାରନ୍ତି । ବାସୁକି ସେମାନଙ୍କ ରାଜା । ତାଙ୍କର କନ୍ୟା ଉଲୁପି ମଧ୍ୟମ ପାଣ୍ଡବ ଅର୍ଜୁନଙ୍କର ସହଧର୍ମିଣୀ ଥିଲେ । ଏହି ଉଲୁପିଙ୍କ ଭଉଣୀ ମନସା କଥିତ ଅଛି ଯେ ଋଷି ‘ଜରତ୍କାର’ଙ୍କୁ ବିବାହ କରିଥିଲେ ଓ ଆସ୍ତିକଙ୍କର ଜନନୀ ଥିଲେ । ଏହି ଆସ୍ତିକ ପରବର୍ତ୍ତୀ କାଳରେ ଜନ୍ମେଜୟଙ୍କର ସର୍ପ ଯଜ୍ଞ ଉତ୍ସବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସର୍ପମାନଙ୍କୁ ବଂଶ ନାଶରୁ ରକ୍ଷା କରିଥିଲେ । ମଣିଷ ଓ ସର୍ପମାନଙ୍କ ମଧ୍ୟରେ ସଂଯୋଗ ବା ମିଳନ ସମ୍ପର୍କୀୟ ଗପସବୁ ହିନ୍ଦୁଶାସ୍ତ୍ରମାନଙ୍କ ଛଡ଼ା ଅନ୍ୟ ଶାସ୍ତ୍ରମାନଙ୍କରେ ଦେଖାଯାଏ । ‘ସର୍ପ କୁମାରୀ’ ବା ନାଗକନ୍ୟାମାନେ ଅସାମାନ୍ୟ ସୌନ୍ଦର୍ଯ୍ୟ ଓ ସମ୍ମୋହନ ବିଦ୍ୟାର ଅଧିକାରିଣୀ ରୂପେ ସର୍ବତ୍ର ବର୍ଣ୍ଣିତା ।
ଆଜିକାଲି ଏହି ଗୋଖର ବା ନାଗସାପମାନଙ୍କୁ ଭାରତରେ ହିନ୍ଦୁ ଶ୍ରାବଣ ମାସରେ ଶୁକ୍ଳ ପକ୍ଷର ପଞ୍ଚମ ଦିନରେ ପୂଜା କରାଯାଉଅଛି । ଏହା ନାଗପଞ୍ଚମୀ ରୂପେ ପରିଚିତ । ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ପାଳନ ବିଧି ଓ ପୂଜା ପ୍ରଣାଳୀ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ଏହି ଦିନ ସାପୁଆକେଳାମାନେ ସାପପେଡ଼ିରେ ସାପମାନଙ୍କୁ ଆଣି ଦ୍ୱାର ଦ୍ୱାର ବୁଲି ଏହି ସର୍ପମାନଙ୍କୁ ଦେଖାନ୍ତି । ପୂଜକମାନେ ସର୍ପମାନଙ୍କୁ କ୍ଷୀର ଓ ଅନ୍ୟାନ୍ୟ ଜିନିଷ ଅର୍ପଣ କରି ସେହି ସାପୁଆକେଳାକୁ ତାଙ୍କର ପାରିଶ୍ରମିକ ମଧ୍ୟ ଦେଇଥାଆନ୍ତି । ସର୍ପ ପୂଜା ଛଢ଼ା ସର୍ପ ମନ୍ଦିର ଓ ସର୍ପ ବେଦୀ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଏ ଓ ବର୍ଷର ଯେ କୌଣସି ଦିନ ସର୍ପ ପୂଜା ମଧ୍ୟ କରାଯାଇପାରେ । ବିଭିନ୍ନ ଦେଶର ଲୋକ ବିଭିନ୍ନ ଉପାୟରେ, ବିଭିନ୍ନ ପାରମ୍ପରିକ ରୀତିରେ ଯେଉଁପରି ସର୍ପ ପାଳନ କରନ୍ତି ତାହା ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ।
ଦକ୍ଷିଣ ଭାରତରେ ଅନ୍ୟ ଯେକୌଣସି ସ୍ଥାନ ଅପେକ୍ଷା ସର୍ପପୂଜା ଏକ ସାଧାରଣ ଦୃଶ୍ୟ । ଏଠାରେ ହିନ୍ଦୁମାନେ ତାଙ୍କ ବଗିଚାର ଦକ୍ଷିଣ-ପୂର୍ବ କୋଣଟିକୁ ଯତ୍ନର ସହିତ ସର୍ପ ବେଦୀ ନିମନ୍ତେ ସଂରକ୍ଷଣ କରିରଖନ୍ତି । ଏହି ବଗିଚାର କେତେକ ଅଂଶ ପ୍ରକୃତି ପାଇଁ ଛଡ଼ାଯାଏ । ଏହାର ସାମାନ୍ୟ କୌଣସି କଅଁଳ ପତ୍ର ମଧ୍ୟ ଛିଣ୍ଡାଯାଏ ନାହିଁ । ଏଠାରେ କ୍ଷୀର, ଫୁଲ ସବୁ ସର୍ପମାନଙ୍କୁ ଅର୍ପଣ କରାଯାଏ ଓ ଏଠାକୁ ସାପ ମନଇଚ୍ଛା ଆସନ୍ତି ଓ ଯାଆନ୍ତି । ମଧ୍ୟପ୍ରଦେଶରେ ଗଣ୍ଡମାନେ ମୌସୁମୀ ପ୍ରବାହର ଆରମ୍ଭରେ ଗୋଟିଏ ନାଗକୁ ମାରନ୍ତି । ଏହାର ମୁଣ୍ଡ ଓ ଲାଞ୍ଜକୁ ସର୍ପ ଦେବତା ନାଗ ଦେବଙ୍କୁ ଅର୍ପଣ କରନ୍ତି ଓ ଅବଶିଷ୍ଟାଂଶ ରାନ୍ଧି ସମସ୍ତେ ଖାଆନ୍ତି । ଏମାନଙ୍କର ବିଶ୍ୱାସ ବର୍ଷସାରା କୌଣସି ବିଷାକ୍ତ ଖାଦ୍ୟ ଏହାଙ୍କ ଦେହର କୌଣସି କ୍ଷତି କରିବ ନାହିଁ ।
ଆସାମରେ ଏକ ଅସ୍ୱାଭାବିକ ଭାବେ ଏହି ପୂଜା କରାଯାଏ । ଏଠାରେ ଇଉଥେଲନ୍ ନାମକ ଏକ ବିରାଟକାୟ ସର୍ପକୁ ପ୍ରଥମେ ପ୍ରାର୍ଥନା କରାଯାଏ ଏବଂ ଗୋଟିଏ ମଣିଷକୁ ବଳି ଦିଆଯାଇ ସ୍ତୁତି କରାଯାଏ । କିମ୍ବଦନ୍ତୀରୁ ଜଣାଯାଏ ଯେ ଏହି ସର୍ପ ଚେରାପୁଞ୍ଜି ନିକଟରେ କୌଣସି ଏକ ଗୁମ୍ଫାରେ ଥିଲା ଏବଂ ଗୋଟିଏ ମଣିଷ ଦ୍ୱାରା ଏହାକୁ ଯଥେଷ୍ଟ ମାଂସ ଦିଆଯାଉଥିଲା । ସେହି ଲୋକଟି ସର୍ପଟିକୁ ମାରିଲା । ସେ ତା’ପରେ ତାକୁ ଟିକିଟିକି କରି କାଟିଲା ଓ ଦେଶର ଚାରିଆଡକୁ ଲୋକଙ୍କ ମଙ୍ଗଳ ନିମନ୍ତେ ବାଣ୍ଟିଦେଲା । ସାରା ଦେଶ ଥେଲେନସଙ୍କ ଦାଉରୁ ମୁକ୍ତି ପାଇଲା । ଏହା ଭିତରୁ ଖଣ୍ଡେ ଅଜ୍ଞାତସାରରେ ରହିଗଲା ଏବଂ ସେଥିରୁ ବହୁ ‘ଥେଲେନ୍’ ଜନ୍ମଗ୍ରହଣ କଲେ । ଏହି ଥେଲେନ୍ମାନେ ଘରର ସମ୍ପତ୍ତି, ସୁନା, ଅଳଙ୍କାର ସବୁ ଜଗି ରହନ୍ତି । ଯଦି ଏମାନଙ୍କୁ ମନୁଷ୍ୟ ରକ୍ତ ପିଇବାକୁ ଦିଆଯାଏ ସେମାନେ ଘର ଜଗନ୍ତି ଓ କୌଣସି କ୍ଷତି କରନ୍ତି ନାହିଁ ।
କେତେକ ଜାତିର ଲୋକ ସାପମାନଙ୍କୁ ମାରିବାକୁ ପାପ ବୋଲି ବିବେଚନା କରନ୍ତି । ବିଶ୍ୱାସ କରାଯାଏ ଯେ ସାପଟିଏ ମାରିଲେ ମାରିବା ଲୋକର ଦୁଃଖ ସମୟ ଆସି ପହଞ୍ଚେ । ଖରାପ ସ୍ୱାସ୍ଥ୍ୟ, ଦରିଦ୍ରତା ଏପରିକି ମୃତୁ୍ୟ ମଧ୍ୟ ସାପ ମାରିବା ଲୋକକୁ ଆକ୍ରମଣ କରେ ।
ଇସ୍ଲାମ୍ : ଇସ୍ଲାମ ଧର୍ମାବଲମ୍ବୀମାନେ ମଧ୍ୟ ସର୍ପ ପୂଜାରେ ଆଗ୍ରହ ପ୍ରକାଶ କରନ୍ତି । ନୀଳଗିରି ପାହାଡ଼ର ପାଦଦେଶରେ ଅବସ୍ଥିତ ମନାର ଘାଟ୍ରେ ଥିବା ସର୍ପ ମସଜିଦ୍ ଏହାର ପ୍ରକୃଷ୍ଟ ପ୍ରମାଣ । ଏଠାରେ ଗୋଟିଏ ପଶୁ ଉତ୍ସବ ପାଳିତ ହୁଏ ଏବଂ ମସଜିଦ୍ ନିମନ୍ତେ ଭିକ୍ଷା ସବୁ ସଂଗ୍ରହ କରାଯାଏ ।
ବୌଦ୍ଧଧର୍ମ : ବୌଦ୍ଧଶାସ୍ତ୍ରରେ ମଧ୍ୟ ଏହି ନାଗଗୋତ୍ରୀ ଥିବାର ଜଣାଯାଏ । ବୌଦ୍ଧଧର୍ମାବଲମ୍ବୀମାନେ ସର୍ପମାନଙ୍କୁ ବୃକ୍ଷ ଓ ବସନ୍ତଋତୁରେ ଅଭିଭାବକ ରୂପେ ମାନନ୍ତି । ବୁଦ୍ଧ ଜନ୍ମ ହେଲା ବେଳେ ମଧ୍ୟ ଗୋଟିଏ ସାପର ଫଣା ତାଙ୍କୁ ଛାଇ କରିଥିବାର ଦେଖାଯାଏ ।
ଜୈନଧର୍ମ : ଜୈନମାନେ ବିଶ୍ୱାସ କରନ୍ତି ଯେ ସର୍ପ ତୀର୍ଥଙ୍କର ପାଶ୍ୱର୍ନାଥଙ୍କର ପ୍ରତୀକ । ଗୋମତେଶ୍ୱରଙ୍କ ମୂର୍ତ୍ତି ସର୍ପ ଦ୍ୱାରା ପରିବେଷ୍ଟିତ ଏବଂ ଏହିଠାରୁ ହିଁ ସର୍ପମାନେ ବାହାରନ୍ତି ।
ଶିଖ୍ ଧର୍ମ : ଏମାନଙ୍କର ମଧ୍ୟ ସର୍ପ ସହ ସମ୍ପର୍କ ଅଛି । ଗୁରୁ ହର ଗୋବିନ୍ଦ ସିଂହ ତାଙ୍କ ବାଳୁତ ଅବସ୍ଥାରେ ଗୋଟିଏ ସର୍ପକୁ ମାରିଥିଲେ । ସାପ ତାଙ୍କୁ ଆକ୍ରମଣ କରିବା ପାଇଁ ଶତ୍ରୁ ପଠାଇଥିଲା । ଗୁରୁ ହରହାୟ ଗୋଟିଏ ଅଜଗର ସାପକୁ ମାରି ଦେଇଥିଲେ କାରଣ ଏହି ସାପ ପୂର୍ବଜନ୍ମରେ ବେଦଶାସ୍ତ୍ର ଉପରେ ମିଛରେ ପଣ୍ଡିତ ବୋଲାଇ ଗର୍ବ କରୁଥିଲା ।
ସର୍ପପୂଜା କେବଳ ଭାରତରେ ସୀମାବଦ୍ଧ ନୁହେଁ । ଏହା ଅଷ୍ଟ୍ରେଲିଆର ଉତ୍ତର କେନ୍ଦ୍ରାଞ୍ଚଳ ‘ୱାରାମୂଙ୍ଗା’ ନାମକ ଏକ ଜାତି ଦ୍ୱାରା ପୂଜିତ । ଏମାନେ ‘ଉଲୁଙ୍କା’ ନାମକ ଏକ ସର୍ପକୁ (ଯିଏ କି ସବୁ ସାପଙ୍କର ଜନକ) ପୂଜା କରନ୍ତି । ଏହି ସର୍ପ ପାଣି ଗାତ ମଧ୍ୟରେ ବାସକରେ ଏବଂ ମନୁଷ୍ୟକୁ ମାରିଦେଇପାରେ । ଏଣୁ ଏହାର ଉଦେ୍ଦଶ୍ୟରେ ପ୍ରାର୍ଥନା ହୁଏ ଓ ଏହାକୁ ସନ୍ତୁଷ୍ଟ କରାଯାଏ । ଉତ୍ତର, କେନ୍ଦ୍ର ଓ ଦକ୍ଷିଣ ଆମେରିକାରେ ବାସ କରୁଥିବା ଆମେରିକୀୟ ଓ ଭାରତୀୟ ଲୋକମାନେ ଖ୍ରୀଷ୍ଟିଆନ୍ ଧର୍ମ ସେଠାରେ ପ୍ରସାରିତ ହେବା ପୂର୍ବରୁ ସ୍ଥାନୀୟ ସର୍ପମାନଙ୍କୁ ପୂଜା କରୁଥିଲେ । ଏପରିକି ସର୍ପ ଦେବୀ ଓ ମନ୍ଦିରମାନଙ୍କରେ ଜୀଅନ୍ତା ସାପମାନଙ୍କୁ ରଖାଯାଇ ତାଙ୍କୁ ମଣିଷ ମାଂସ ଖାଇବାକୁ ଦିଆଯାଉଥିଲା । ମେଲାନ୍ ସିଆର୍ ଡାୱାକ୍ ମାନେ ବେଳେବେଳେ ସର୍ପମାନଙ୍କୁ ଭୂତ ବା ପ୍ରେତର ପ୍ରତୀକ ଭାବି ପୂଜା କରନ୍ତି । ଚୀନ୍ ଧର୍ମରେ ଅନ୍ୟ ଜନ୍ତୁମାନଙ୍କ ପରି ସାପମାନଙ୍କ ଉଦେ୍ଦଶ୍ୟରେ ମନ୍ଦିର ସବୁ ନିର୍ମିତ ହୋଇଥିଲା । ପ୍ରାଚୀନ ଶାସ୍ତ୍ରରେ ଡେଣାଯୁକ୍ତ ଅଗ୍ନିପରି ଉତ୍ତପ୍ତ ନିଃଶ୍ୱାସ ଛାଡୁଥିବା ଜନ୍ତୁ ଡ୍ରାଗନକୁ କେନ୍ଦ୍ର କରି ବହୁ ଗପ ଶୁଣାଯାଏ । କୌତୂହଳର କଥା ଯେ ଚୀନ୍ ପରିବ୍ରାଜକ ହୁଏନସାଂ ଲେଖିଛନ୍ତି କାଶ୍ମୀର ଗୋଟିଏ ଡ୍ରାଗନ୍ ଦ୍ୱାରା ସୁରକ୍ଷିତ ଥିଲା । ମିଶର ଦେଶରେ ଏହି ସର୍ପ ପୂଜା ଅତି ପ୍ରାଚୀନ କାଳରୁ ଚଳିଆସୁଅଛି । ଏହା ସବୁ ପୂଜା ଭିତରେ ଶୀର୍ଷସ୍ଥାନ ଅଧିକାର କରିଛି । ସାପର ମୂର୍ତ୍ତି ଇଜିପ୍ଟ ଇତିହାସରେ ସଂସ୍କୃତିର ପ୍ରତୀକ । ମିଶର ଓ ଗ୍ରୀସ୍ରେ ଜୀଅନ୍ତା ସର୍ପମାନଙ୍କୁ ବେଦୀରେ ରଖି ରୀତିମତ ପୂଜା କରାଯାଏ ଓ ସେମାନଙ୍କୁ ଫଳ, କ୍ଷୀର ଓ ମହୁ ଦିଆଯାଏ । ଏପରିକି ଆଜିକାଳି ‘କାଏରୋ’ରେ ମଧ୍ୟ ପ୍ରତ୍ୟେକ ଲୋକ ବିଶ୍ୱାସ କରନ୍ତି ଯେ ତାଙ୍କର ପ୍ରତ୍ୟେକଙ୍କ ଘରକୁ ଏହି ସାପରୂପରେ ଥିବା ଦେବତାମାନେ ରକ୍ଷା କରିଛନ୍ତି । ‘କାଲିକଟ’ଠାରେ ଥିବା ଗୋଟିଏ ସର୍ପ ମନ୍ଦିରରେ କେତେକ ଜୀଅନ୍ତା ନାଗସାପ ଅଛନ୍ତି ଯେଉଁମାନଙ୍କୁ ପୁରୋହିତ ଓ ପୂଜକମାନେ ଖାଇବାକୁ ଦିଅନ୍ତି । ମହୀଶୂର ଏବଂ ମାନ୍ଦ୍ରାଜ ନିକଟବର୍ତ୍ତୀ ଭାଇସନ୍ପାଡ଼ି ଠାରେ ପ୍ରତି ରବିବାର ଦିନ ସେହି ମନ୍ଦିର ହତାରେ ଥିବା ସାପମାନଙ୍କୁ ଦର୍ଶନ କରିବା ଆଶାରେ ବହୁ ଯାତ୍ରୀ ସମବେତ ହୁଅନ୍ତି । ମଧ୍ୟପ୍ରଦେଶର ଭାଣ୍ଡକ ମଣିପୁର ଏବଂ ରାଜମହେନ୍ଦ୍ରୀରେ ପ୍ରତି ସାଧାରଣ ଉତ୍ସବ ସମୟରେ ସର୍ପମାନେ ମନ୍ଦିରରେ ଦେଖାଯାନ୍ତି । ଅତି ପ୍ରାଚୀନ ମନ୍ଦିର ବିଳାସପୁରରେ ଥିବା ମୂର୍ତ୍ତି ହେଉଛି ଗୋଟିଏ ନାଗସର୍ପ ।
କୁଲୁମାନେ ଓ ମାଡାଗାସ୍କାରର ଲୋକମାନେ ବିଶ୍ୱାସ କରନ୍ତି ଯେ ସାପମାନେ ପୂର୍ବପୁରୁଷଙ୍କ ଗତାୟୁ ଆତ୍ମାର ବିଶ୍ରାମସ୍ଥଳୀ । ଏହି ଦୃଷ୍ଟିରୁ ଏମାନଙ୍କୁ ଏଠାରେ ନାନାପ୍ରକାର ବସ୍ତୁ ଅର୍ପଣ କରାଯାଏ । ମାଲଏସିଆରେ ଥିବା ସର୍ପମନ୍ଦିରରେ ଜୀଅନ୍ତା ବିଷଧର କଳା ଏବଂ ହଳଦିଆ ବର୍ଣ୍ଣ ଓ ଲାଲ ଜିହ୍ୱାଯୁକ୍ତ ବଡ଼ ବଡ଼ ସାପ ଗଛଡାଳମାନଙ୍କରେ ଥାଆନ୍ତି । ପ୍ରାର୍ଥନା ଟେବୁଲଠାରୁ ଆରମ୍ଭ କରି ଅଗଣା ଫାଟକ ପର୍ଯ୍ୟନ୍ତ ସର୍ବତ୍ର ଏମାନେ ଦେଖାଯାଆନ୍ତି । ଲୋକଙ୍କର ବିଶ୍ୱାସ ଯେ ଯେଉଁଠାରେ ଦେବତାଙ୍କୁ ଆହ୍ୱାନ କରାଯାଏ, ସେଠାରେ ସର୍ପମାନେ ଆପେ ଆପେ ବାହାରି ଆସି ସେହି ଦେବତାଙ୍କ ନିକଟରେ ପହଞ୍ଚନ୍ତି । ସେମାନଙ୍କୁ ପୂଜା କରାଯାଏ ନାହିଁ, କିନ୍ତୁ ସେମାନଙ୍କୁ ଭକ୍ତି ଓ ସମ୍ମାନ ଦେଖାଯାଏ । ରାତିରେ ସେମାନେ ବେଶି ଶକ୍ତିଶାଳୀ, ତେଣୁ ସେମାନଙ୍କୁ ରାତ୍ରିରେ କୁକୁଡ଼ା ଅଣ୍ଡା ଓ ଅନ୍ୟାନ୍ୟ ଭଲ ଜିନିଷ ପୂଜକମାନେ ଦେଇ ଆସନ୍ତି ।