ତନ୍ତ୍ର ସାଧନାର ପ୍ରତ୍ୟକ୍ଷ ଦେବୀ ଲୋ
ମହାମାୟୀ ଉଗ୍ରତାରା,
ଭକ୍ତ ମନୋବାଞ୍ଛା ତ୍ୱରିତ ପୂରଣେ
ଢାଳୁ କୃପା ବାରିଧାରା ।
ଭୁବନେଶ୍ୱରରୁ ଷୋହଳ ନମ୍ବର ଜାତୀୟ ରାଜପଥରେ ଟାଙ୍ଗୀ ଅଭିମୁଖେ ୫୮ କିଲୋମିଟର ଅତିକ୍ରମ କଲେ ରାସ୍ତାରେ ପଡ଼େ ଉଗ୍ରତାରା ଛକ । ସେଠାରୁ ବାମ ପାଶ୍ୱର୍ରେ ଏକ ରାସ୍ତା ଲମ୍ବି ଯାଇଛି ମା’ ଉଗ୍ରତାରାଙ୍କ ପୀଠକୁ । ଏହି ତିନି କି.ମି. ଦୀର୍ଘ ରାସ୍ତାର ଉଭୟ ପାଶ୍ୱର୍ରେ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ବୃକ୍ଷଗୁଡିକର ଦୃଶ୍ୟ ମନୋମୁଗ୍ଧକର ଅଟେ । ମା’ ଉଗ୍ରତାରାଙ୍କୁ ସ୍ଥାନୀୟ ଲୋକେ ତାରାଦେଈ କହିଥା’ନ୍ତି । ମା’ଙ୍କ ପୀଠଟି ମୂଳଝର ଗଡ ଗ୍ରାମରେ ଅବସ୍ଥିତ । ମା’ଙ୍କ ମନ୍ଦିର ନିକଟରେ ଏକ ନିତ୍ୟ ପ୍ରବାହିତ ଝର ରହିଛି । ହାତିଆ ପାହାଡ଼ର ମୂଳରେ ଏହି ଝର ଥିବାରୁ ଗ୍ରାମର ନାମ ମୂଳଝର ଗଡ଼ ହୋଇଥିବା ‘ଖୁରଧା ଦର୍ପଣ’ରେ ଦିଗମ୍ବର ଶ୍ରୀଚନ୍ଦନ ଉଲ୍ଲେଖ କରିଛନ୍ତି । ମୂଳଝର ଗଡର ଯୁଦ୍ଧ ଦେବୀ ହେଉଛନ୍ତି ମା’ ଉଗ୍ରତାରା । ଗଡର ପାଇକ ଓ ଦଳପତି ମା’ ଉଗ୍ରତାରାଙ୍କୁ ପୂଜାର୍ଚ୍ଚନା କରି ଯୁଦ୍ଧକୁ ଯାଉଥିଲେ । ମା’ ତନ୍ତ୍ରଦେବୀ ରୂପେ ପୂଜିତା । ଓଡିଶାରେ ଥିବା ତନ୍ତ୍ରପୀଠମାନଙ୍କ ମଧ୍ୟରେ ଏହାର ବିଶେଷ ଖ୍ୟାତି ରହିଛି । ଏହାର ଆକର୍ଷଣ ହେଉଛି ମା’ ଉଗ୍ରତାରା ମନ୍ଦିରର ଗର୍ଭଗୃହରେ ଏକ କାରୁକାର୍ଯ୍ୟ ସମ୍ପନ୍ନ ସୁଶୋଭିତ ସିଂହାସନରେ ବିରାଜମାନ କରିଛନ୍ତି । ମା’ଙ୍କର ମୂର୍ତ୍ତି ଆଠଇଞ୍ଚ ଉଚ୍ଚତା ବିଶିଷ୍ଟ । ଏହି ମୂର୍ତ୍ତିର ବାମପାଦ ଶିବଙ୍କ ବକ୍ଷରେ ଏବଂ ଦକ୍ଷିଣ ପାଦ ଶିବଙ୍କ ଜଙ୍ଘରେ ରହିଛି । ଗଳାରେ ନରମୁଣ୍ଡମାଳ ଓ ହସ୍ତରେ ନାଗ ଶୋଭା ପାଉଛି । ଦେବୀଙ୍କର ଉଭୟ ପାଶ୍ୱର୍ରେ ଦୁଇଜଣ ଶ୍ରୁତିରତ ଓ ଉପରକୁ ଦୁଇଟି ସିଂହ ରହିଛନ୍ତି । ଦେବୀଙ୍କର ତିନୋଟି ରକ୍ତଲୋଭା ଚକ୍ଷୁ, ଚତୁର୍ବାହୁ ରହିଛି । ବ୍ୟାଘ୍ର ଚର୍ମ ପରିହିତା ଦେବୀ ବାମ ହସ୍ତ ଦ୍ୱୟରେ ଖଣ୍ଡା ଓ କଟାରୀ ଧାରଣ କରିଛନ୍ତି । ଦେବୀଙ୍କ ଶରୀର ଏକ ସର୍ପାବୃତ ଏବଂ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭା ବର୍ଦ୍ଧନ କରିଛନ୍ତି । ଦେବୀ ମନ୍ଦିରର ପ୍ରବେଶ ଦ୍ୱାର ଦକ୍ଷିଣ ପାଶ୍ୱର୍ରେ ଗଣେଶ ଏବଂ ସିଂହ ମୂର୍ତ୍ତି ରହିଛି । ଉଗ୍ରତାରା ମୂର୍ତ୍ତି ପ୍ରତିଷ୍ଠା ପାଇବା ସମୟରୁ ହିଁ ସେଠାରେ ଗଣେଶ ଏବଂ ସିଂହ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି ବୋଲି ଲୋକମାନେ କହିଥା’ନ୍ତି । ମନ୍ଦିରର ପାଶ୍ୱର୍ ଦେବତାମାନେ ହେଲେ ନୃସିଂହ, କାଳୀ, ତାରା ଓ ହନୁମାନ । ମୁଖଶାଳା ମଧ୍ୟରେ ବଗଳା, ଧୂମାବତୀ, ମାତଙ୍ଗୀ, ଭୁବନେଶ୍ୱରୀ, ଷୋଡଶୀ, ଲକ୍ଷ୍ମୀ, କାଳୀ, ସରସ୍ୱତୀ ଓ ଚ୍ଛିନ୍ନମସ୍ତା ଆଦି ଦେବୀମାନଙ୍କୁ ଦେଖିବାକୁ ମିଳେ ।
ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମା’ ଉଗ୍ରତାରାଙ୍କ ମନ୍ଦିରର ଉଚ୍ଚତା ପ୍ରାୟ ୩୦ ଫୁଟ ହେବ । ପୀଢ ଶୈଳୀରେ ନିର୍ମିତ ଓ ଗର୍ଭଗୃହ ସମନ୍ୱିତ ଏହି ମନ୍ଦିରର ଉପରି ଭାଗରେ ଦଧିନଉତି ଓ ଚାରିଦିଗରେ ଚାରିଗୋଟି ଉଡାସିଂହ ରହିଛି । ଗର୍ଭଗୃହର ଆୟତନ ଲମ୍ବରେ ଦଶଫୁଟ ଓ ପ୍ରସ୍ତରେ ଆଠ ଫୁଟ ହେବ । ପ୍ରଧାନ ମନ୍ଦିରକୁ ଲାଗି ରହିଛି ଜଗମୋହନ ବା ମୁଖଶାଳା । ଜଗମୋହନର ତିନିପଟେ ତିନୋଟି ପ୍ରଶସ୍ତ ଦ୍ୱାର ରହିଛି । ଦ୍ୱାର ତିନୋଟି ପୂର୍ବ, ଦକ୍ଷିଣ ଓ ପଶ୍ଚିମ ଦିଗକୁ ରହିଛି । ଦକ୍ଷିଣମୁହାଁ ହୋଇ ରହିଥିବାରୁ ଦକ୍ଷିଣପଟେ ଏକ ବାରଣ୍ଡା ରହିଛି ଏବଂ ତାହା ସହିତ ଦୁଇଟି ବଡ ସିଂହର ରଙ୍ଗ ରଞ୍ଜିତ ସିମେଣ୍ଟ ମୂର୍ତ୍ତି ରହିଛି । ମନ୍ଦିର ମୁଖଶାଳାର ପଶ୍ଚିମପଟ ଦ୍ୱାରରେ କିଛି ଦୂର ବ୍ୟବଧାନରେ ରହିଛି ରୋଷଶାଳା । ଏହି ରୋଷଶାଳାର ପଶ୍ଚିମପଟେ ଏକ ଝର ରହିଛି । ଏହି ଝରପାଣିକୁ ବ୍ୟବହାର କରିବା ପାଇଁ ଦୁଇଟି ସିମେଣ୍ଟ ବନ୍ଧ ରହିଛି । ସେଥିମଧ୍ୟରୁ ଗୋଟିଏ ବନ୍ଧର ଜଳ ରୋଷେଇ ପାଇଁ ଏବଂ ଅନ୍ୟଟିର ଜଳ ସ୍ନାନ ଏବଂ ହସ୍ତପାଦ ପ୍ରକ୍ଷାଳନ ପାଇଁ ବ୍ୟବହାର କରାଯାଇଥାଏ । ଏହି ଝରଣାର ଜଳ ସ୍ୱଚ୍ଛ ଏବଂ ପ୍ରବହମାନ । ଏହି ଦୁଇଟି ଝରଣା ଜଳ ପରିପୂର୍ଣ୍ଣ ପୁଷ୍କରିଣୀକୁ ଲାଗି ଯେଉଁ ମାଟି କୁଦ ଦେଖାଯାଏ ତାହା ପୂର୍ବେ ଏକ ଗଡ଼ ଥିଲା । ସେଠାରେ ଦଳପତି ସୈନ୍ୟସାମନ୍ତଙ୍କ ସହ ରହୁଥିଲେ । ଏହି ଗଡ ମୂଳଝର ଗଡ଼ ନାମରେ ଖ୍ୟାତ ଥିଲା । ଏହାର ଚାରିପଟରେ ଥିବା ଗଡଗୁଡିକ ହେଲା ଚମ୍ପାଗଡ, କନ୍ଧନୟାଗଡ଼, ଗଡ଼ ବଡ଼ପୋଖରିଆ, ଭଜାଗଡ଼, ଗଡ଼ ବଳଭଦ୍ରପୁର, ଗଡ଼ ଖାରଦ ।
ଇତିହାସ ତଥା ଜନଶ୍ରୁତିରୁ ମା’ ଉଗ୍ରତାରା ରଣପୁର ରାଜ୍ୟ ଅଧୀନରେ କନ୍ଧ ପୂଜକଙ୍କ ଦ୍ୱାରା ପୂଜା ପାଉଥିଲେ । ରଣପୁରର ମଣିନାଗ ଓ ଗଡ଼ମାଣତୀରର ରାମଚଣ୍ଡୀ ମଧ୍ୟ କନ୍ଧ ପୂଜିତା ଦେବୀ ଅଟନ୍ତି । ପରବର୍ତ୍ତୀ ସମୟରେ ଏହା ରଣପୁର ଅଧୀନରୁ ଖୋର୍ଦ୍ଧା ରାଜାଙ୍କ ଅଧୀନକୁ ଆସିଥିଲା । ଏଠାରେ ମନ୍ଦିର ନିର୍ମାଣ ହେବା ପୂର୍ବରୁ ଏକ ମସ୍ତବଡ ବଉଳ ଗଛ ମୂଳେ ଉଗ୍ରତାରାଙ୍କ ବିଗ୍ରହ ବହୁ ବର୍ଷ ଧରି ପୂଜା ପାଇଆସୁଥିଲେ । ଦେବୀ ଭକ୍ତମାନେ ମନ୍ଦିର ନିର୍ମାଣ କରିବା ପରେ ଉଗ୍ରତାରା ଏକ ସୁନିର୍ମିତ ପ୍ରଭାଯୁକ୍ତ ସିଂହାସନରେ ପୂଜା ପାଉଛନ୍ତି । ଅନେକ ଘଟଗାଁ ତାରିଣୀଙ୍କ ସହ ଉଗ୍ରତାରାଙ୍କର ସଂପର୍କର ବୟାନ ମଧ୍ୟ ଦିଅନ୍ତି । ପୁରାତନ କେନ୍ଦୁଝରର ରାଜାମାନେ ଉଗ୍ରତାରାଙ୍କ ଭକ୍ତ ଥିବା ମଧ୍ୟ ଶୁଣାଯାଏ । ସେହି ରାଜବଂଶର ରାଜା ଗୋବିନ୍ଦ ଭଞ୍ଜଦେଓ ଉଗ୍ରତାରା ପୀଠରୁ ଅଭିମନ୍ତ୍ରିତ ଜଳର ଘଟ ନେଇ ତାଙ୍କ ରାଜଧାନୀରେ ଦେବୀ ପୀଠ ସ୍ଥାପନ କରିବାକୁ ଚାହୁଁଥିଲେ, କିନ୍ତୁ ଘଟ ନେଇଯିବା ବେଳେ ଅରଣ୍ୟ ମଧ୍ୟରେ ଦେବୀଙ୍କ ନିଦେ୍ର୍ଦଶରେ ସେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେବୀଙ୍କ ପୂଜାପୀଠ ତିଆରି କଲେ । ସେତେବେଳେ ଓଡ଼ିଶା ବା ଖୋର୍ଦ୍ଧାର ରାଜାଥିଲେ ଦ୍ୱିତୀୟ ପୁରୁଷୋତ୍ତମ ଦେବ(ଖ୍ରୀ ୧୬୦୦ -୧୬୨୨) । ସେହିଠାରେ ଘଟ ସ୍ଥାପନ କରାଯାଇଥିବାରୁ ସେହି ସ୍ଥାନ ଏବେ ଘଟଗାଁ ରୂପେ ପରିଚିତ । ଘଟଗାଁର ତାରିଣୀ ଏଣୁ ଉଗ୍ରତାରା ସମ୍ଭୁତା ବୋଲି ଲୋକମାନେ କହିଥା’ନ୍ତି । କେନ୍ଦୁଝର ରାଜପରିବାର ସହ ଉଗ୍ରତାରା ପୀଠର ସଂପର୍କରେ ଏକ ପ୍ରମାଣ ମଧ୍ୟ ମୁଖଶାଳାର ମାର୍ବଲ ଫଳକ ଉପରେ ବିଦ୍ୟମାନ । ଗଜପତି ମହାରାଜା ରାମଚନ୍ଦ୍ର ଦେବ ୧୯୪୬ ମସିହାରେ ବର୍ତ୍ତମାନର ମନ୍ଦିର ପ୍ରତିଷ୍ଠା କରିବାବେଳେ କେନ୍ଦୁଝର ରାଜା ବଳଭଦ୍ର ଭଞ୍ଜଦେଓ ସପରିବାର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ମା’ ଉଗ୍ରତାରା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ମା’ଙ୍କ ଆଶୀର୍ବାଦ ଲାଭ ପାଇଁ ହଜାର ହଜାର ଭକ୍ତ ଏଠାରେ ଏକତ୍ରିତ ହୁଅନ୍ତି । ଏବେ ମଧ୍ୟ ଲୋକମାନଙ୍କର ଅଗାଧ ବିଶ୍ୱାସ ରହିଛି ଯେ ମନସ୍କାମନା ପୂରଣ ନେଇ ମା’ଙ୍କ ପାଖରେ ଉପସ୍ଥିତ ହୋଇ ପୂଜକ ଠାରୁ କିଛି ଫୁଲ ଆଣି ମା’ଙ୍କ ମସ୍ତକରେ ଉକ୍ତ ଫୁଲକୁ ଚଢାଯାଏ ଏବଂ ତାହା ଯଦି ଖସିପଡ଼େ ତେବେ ଭକ୍ତର ଅଭୀଷ୍ଟ ପୂରଣ ହେବ ବୋଲି ବିଶ୍ୱାସ ରହିଛି । ଦେବୀଙ୍କ ପୀଠରେ ନିତିଦିନିଆ ପୂଜା ବ୍ୟତୀତ ମୁଖ୍ୟ ପୂଜାପାର୍ବଣ ମଧ୍ୟରେ ଦଶହରା ସମୟର ଷୋଡଶ ଉପଚାର ପୂଜା ଏବଂ ଜ୍ୟେଷ୍ଠ ମାସରେ ରଜପର୍ବ ସମାରୋହରେ ପାଳନ କରାଯାଏ । ଦଶହରା ସମୟରେ ଏଠାରେ ନରବଳି ପ୍ରଥା ପ୍ରଚଳନ ଥିବା କିମ୍ବଦନ୍ତୀ ରହିଛି । ରଣପୁର ରାଜାଙ୍କ ଶାସନ କାଳରେ କନ୍ଧମାନେ ଏହି ବଳି କାର୍ଯ୍ୟରେ ନିୟୋଜିତ ଥିଲେ । ଏବେ କିନ୍ତୁ ନରବଳି ପ୍ରଥା ନାହିଁ । ଆଶ୍ୱିନ ମାସର ମହାଷ୍ଟମୀ, ନବମୀ ଓ ଦଶମୀ ତିଥିରେ ସେବାକାର୍ଯ୍ୟରେ ନିଯୁକ୍ତ ଥିବା ଷାଠିଏ ଘର ପାଇକ, ଏକ ଘର ବ୍ରାହ୍ମଣ ଓ ଏକ ଘର ମାଳୀ ପରିବାରଙ୍କ ପକ୍ଷରୁ ତିନୋଟି ଛାଗବଳି ଲୋକମାନଙ୍କ ଅଗୋଚରରେ ଦିଆଯାଉଥିବା ଶୁଣିବାକୁ ମିଳେ । ଦଶହରା ଦିନ ଉଗ୍ରତାରାଙ୍କ ଘଟ ସନ୍ଧ୍ୟା ହେବା ପୂର୍ବରୁ ଅଣାଯିବାବେଳେ କୁସୁମୀ ରାଉତପଡ଼ାରୁ ମୁସଲମାନ୍ ଦଳବେହେରା ସଶସ୍ତ୍ର ଘୋଡ଼ାରେ ବସି ସେଠାକୁ ଯାଆନ୍ତି । ମୁସଲମାନ ଯୁବକମାନେ ପାଇକଖେଳ ପ୍ରଦର୍ଶନ କରନ୍ତି । ଘଟକୁ ପୂଜାର୍ଚ୍ଚନା କରିବା ପରେ ଦଳବେହେରା ଶର ନିକ୍ଷେପ କରନ୍ତି ଏବଂ ଶେଷରେ ଘରକୁ ଫେରନ୍ତି । ଏ ବିଷୟ ମାଦଳା ପାଞ୍ଜିରେ ମଧ୍ୟ ଉଲ୍ଲେଖ ଅଛି । ମା’ଙ୍କ ମହିମା ଅଶେଷ । ଖୋର୍ଦ୍ଧାର ପାଇକବୀର ବକ୍ସି ଜଗବନ୍ଧୁ ମା’ ଉଗ୍ରତାରା ପୀଠରେ ରହୁଥିବା ବେଳେ ଫିରିଙ୍ଗି ସେନା ତାଙ୍କୁ ବନ୍ଦୀ କରିବା ପାଇଁ ସାହସ କରୁନଥିଲେ । ଏହା ଡବ୍ଲୁ ଡବ୍ଲୁ ହଣ୍ଟରଙ୍କ ‘ହିଷ୍ଟ୍ରି ଅଫ୍ ଓଡିଶା’ ପୁସ୍ତକରେ ଉଲ୍ଲେଖ ଅଛି । ରଣରଙ୍କ ପାଇକମାନଙ୍କୁ ଅଭୟ ପ୍ରଦାନ କରୁଥିବା ତଥା ବକ୍ସି ଜଗବନ୍ଧୁଙ୍କ ଆଶ୍ରୟସ୍ଥଳୀ ଥିବା ମା’ ଉଗ୍ରତାରା ପୀଠର ସେଭଳି ବିକାଶ ହୋଇପାରି ନାହିଁ ।