ବାବା ଘର ଭିତରକୁ ଆସିଲେ । ଏବଂ ଜାରି କରିଦେଲେ ଘୋଷଣା ନାମାଟି । ପିଲାମାନଙ୍କର ବାହାରକୁ ଯିବା ବନ୍ଦ । ଖରାବେଳେ ସମସ୍ତେ ଘରଭିତରେ ହିଁ ରହିବେ ।
ବୋଉ ପଚାରିଲା; କାହିଁକି? କଣ ହେଲା?
ଆମେ ଦି ଭାଇ ଠିଆ ହୋଇଥାଉ ଟିକେ ଦୂରରେ । ଅନ୍ତତଃ ଯେଉଁ ଦୁଇଜଣଙ୍କର ସ୍ୱାଧୀନତାକୁ କ୍ଷୁର୍ଣ୍ଣକରି ଏ ଆଦେଶ ନାମା ଜାରି ହୋଇଥିଲା ।
ବାବା ବୁଝେଇଲେ; ଯୋଉ ଭିକାରୁଣୀଟା ଆମ ସ୍କୁଲ ପଛପଟେ ରହୁଥିଲା, ସିଏ ମରିଗଲା ।
ବୋଉ ଚମକି ପଡ଼ିଲା ସତେ?
ବୋଉର ପାଟି ମେଲା ରହିଗଲା । ସେ ଆତଙ୍କିତ ଦିଶିଲା । ଡରି ଗଲା କିଛି ପରିମାଣରେ, ଦୁଃଖିତ ହେଲା ବି ତତୋଽଧିକ । କାରଣ ସେଇ ଭିକାରୁଣୀ ଆମ ସମସ୍ତଙ୍କ ପାଇଁ ଖୁବ୍ ଚିହ୍ନା ଚରିତ୍ରଟିଏ ଥିଲା । ସ୍କୁଲ ପଛପଟେ ଶୁଏ । ଆଖପାଖ ଅଞ୍ଚଳରେ ଭିକମାଗୁଥାଏ । ବୋଉ ସେ ଭିକାରୁଣୀକୁ ଅଯାଚିତ ଭାବରେ ଅନେକ କିଛି ଦାନ କରିଥିଲା । ଭାତ ତରକାରୀ ଠୁ ଆରମ୍ଭ କରି ପୁରୁଣା ସାଢ଼ୀ ଚାଦର ପର୍ଯ୍ୟନ୍ତ । ଅବଶ୍ୟ ବାବା ଏ ସବୁର ଟେର ପାଉ ନଥିଲେ । କାରଣ ଏସବୁ ଘଟୁଥିଲା ଦ୍ୱିପ୍ରହରରେ । ବାବା ଯେତେବେଳେ ସ୍କୁଲରେ ଥାଆନ୍ତି । ଭିକାରୁଣୀ ବାରିପଟେ ଦୁଆରେ ଡାକେ । ବୋଉତାକୁ ସକାଳବେଳାର ବଳକା ଭାତରୁ କିଛି ଦେଇ ଦିଏ । ଭିକାରୁଣୀ ଖାଏ । ଆଶୀର୍ବାଦ କରେ ।
ବୋଉ ଦୋହରାଇଥିଲା ତାର ଶୋକାର୍ତ୍ତା ଅଭିବ୍ୟକ୍ତିକୁ; ମରିଗଲା! ନାଇଁ! ବିଚାରୀ!
ବାବାଙ୍କ ସ୍ୱରରେ କାରୁଣ୍ୟ ନଥିଲା । ପରିସ୍ଥିତି ସଚେତନ ଦୃଢ଼ତା ଥିଲା । ସେ କହିଲେ ପିଲାମାନଙ୍କୁ ବାହାରକୁ ଛାଡ଼ିବନି । ସେମାନେ ଡରିଯିବେ ।
ଭିକାରୁଣୀଟି କୋଉଠୁ କେମିତି ଆସିଲା ତାର ହିସାବ କେହି ରଖିନାଇଁ । ସମସ୍ତଙ୍କ ଅଜାଣତରେ ସେ ଆସି କେତେବେଳେ ସ୍କୁଲପଛପଟରେ ଅପରିଷ୍କାର ସ୍ଥାନଟିକୁ ଆପଣାର ଘର ଭାବରେ ଗ୍ରହଣ କରିନେଇଛି କେହି ଲକ୍ଷ୍ୟ କରି ନାହିଁ । ତେବେ ତାକୁ ସେଠୁ ବେଦଖଲ କରିବା କଥା ବିଚାର ହୋଇନାହିଁ । ବାବା ଥିଲେ ସେଇ ସ୍କୁଲରେ ପ୍ରଧାନଶିକ୍ଷକ । ସ୍କୁଲ କ୍ୱାଟର୍ସ, ଯୋଉଠି ଆମେ ସବୁ ରହୁଥିଲୁ । ଭିକାରୁଣୀ ସ୍କୁଲ ପଛପଟରେ ଆପଣାର ଘର ବୋଲି ଘୋଷଣା କରିସାରିବା ପରେ କ୍ୱାଟର୍ସ ଗୁଡ଼ିକୁ ତାର ଭିକମଗା ଜାଗା ଭାବେ ଗ୍ରହଣ କରିନେଲା । ସେ ପ୍ରାୟ ପ୍ରତିଦିନ କ୍ୱାଟର୍ସ ଗୁଡ଼ିକୁ ପ୍ରଦକ୍ଷିଣ କରୁଥିଲା । ଆମେ ତାକୁ ସହ୍ୟ କରୁଥିଲୁ ।
ବୋଉ ପଚାରିଲା; ତେବେ କଣ କେମିତି ହେବ?
ବାବା କହିଲେ; ତାର ଦାହ ସଂସ୍କାର ଆମମାନଙ୍କୁ କରିବାକୁ ପଡ଼ିବ । ମୁଁ ଆମ ଗୁରୁଜୀମାନେ, ଏବଂ ବଡ଼ବଡ଼ ପିଲାମାନେ କେତେଜଣ ଯାଇ ଏସବୁ କାମ କରିଦେଇ ଆସିବୁ । ବଡ଼ଭାଇ ଏପଟକୁ ସେପଟକୁ ଚାହୁଁଥିଲା । ଯେମିତି ସେ ଏଇ ମୂହୁର୍ତ୍ତରେ କୁଆଡ଼େ ଗୋଟେ ଖସି ପଳେଇବ । ମୁଁ ଅସହାୟ ଲାଗୁଥିଲି । କାରଣ ମୋ ହାତରେ ସେଦିନର ମଧ୍ୟାହ୍ନକୁ ରଙ୍ଗୀନ ଭାବରେ ବିତାଇବା ପାଇଁ ପ୍ରାୟ ଏକଡ଼ଜନ ସ୍ୱପ୍ନ ମହଜୁଦ ଥିଲା । ପ୍ରଥମେ ଥିଲା ଗୁଡ଼ି ଉଡ଼ାଣ । ଆହା; କୁଆଡ଼େ ଗଲା ମୋର ଗୁଡ଼ି । ଏବେ ସବୁ ସ୍ୱପ୍ନ ଭାଙ୍ଗିଯିବାର ପରିସ୍ଥିତି ସୃଷ୍ଟି ହୋଇ ଆସୁଥିଲା ।
ବାପା ଆମର ଦୁଇ ଭାଇଙ୍କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲେ ଏବଂ ଚାଲିଗଲେ ।
ଚାଲିଗଲା ବେଳେ ଦାଣ୍ଡପଟର ଦରଜା ଆଉଜାଇ ଦେଇଗଲେ ବାହାରପଟୁ ।
ଆମେ ଦି ଭାଇ ଠିଆ ହେଇଥାଉ ଅଗଣାରେ । କୁଆଡ଼େ ଯିବୁ କି? କେମିତି ଯିବୁ? ଆମର ଯିବା ଦରକାର । ଆମକୁ ମନା କାହିଁକି କରାଯାଉଛି ସେଠିକି ଯିବାକୁ? ମନବିଦ୍ରୋହ କରି ଉଠୁଥିଲା । ଗୋଟେ ଜିଦ୍ ବଳବତ୍ତର ହୋଇ ଆସୁଥିଲା । ଆମେ ଯିବୁ । ଆମେ ଯିବୁ । ନିଶ୍ଚୟ ଯିବୁ ।
ବୋଉ ଆମମାନଙ୍କୁ ଚାହିଁଲା । ବାବାଙ୍କ ଆଦେଶ ନପାଇ ଏକ ପରିମାର୍ଜିତ ତଥା ଦଣ୍ଡବିଧି ସଂପନ୍ନ ଘୋଷଣା ଫିଙ୍ଗିଦେଲା: ଖବରଦାର! ଯିଏ ବାହାରକୁ ଯିବ ପିଟିପିଟି ତାର ସାରା ବନେଇ ଦେବି ।
ଆମେ ଟିକେ ଡରିଗଲୁ । ଏମିତିରେ ବୋଉ ବେଶି ରାଗନୋ, କିନ୍ତୁ ଥରେ ରାଗିଲେ ମାଡ଼ ନଦେଇ ଶାନ୍ତ ହୁଏନା । ଆମକୁ କିଛି ପ୍ରତିକି୍ରୟା ପ୍ରକାଶର ସୁଯୋଗ ନଦେଇ ବୋଉ କହିଲା ଘର ଭିତରକୁ ଯାଅ । ମୁଁ ବାହାରୁ ଶିକୁଳି ଲଗେଇ ଦେଉଛି ।
ଆମେ ଦି ଭାଇ ସ୍ତବ୍ଧ । ଆମେ ବୁଝିପାରୁଥିଲୁ କିଛି ଗୋଟାଏ ଅଘଟଣ ଘଟିଯାଇଛି । ଯାହା ଭୟଙ୍କର ଏବଂ ଦୁଖ ଦାୟକ । ମୃତୁ୍ୟ ସଂପର୍କରେ ଆମର ଧାରଣା ସେତେ ସ୍ପଷ୍ଟ ନଥିଲା । କିଛି ଧୂଆଁଳିଆ ଅସ୍ପଷ୍ଟ ରେଖା ଥାଏ ମନ ଭିତରେ । ଜାଣିଥିଲୁ ମଣିଷ ମରିଯାଏ । ଏବଂ ମଲାପରେ ପୋଡ଼ାହୁଏ ମଶାଣୀରେ । କିନ୍ତୁ ଜମା ଦେଖିନଥିଲୁ ମଲାଲୋକ?
କେମିତି ଦିଶେ ମଲାଲୋକର ମୁହଁ? ଏମିତି ପ୍ରଶ୍ନଟେ ମୋ ଭିତରେ ଖେଳିବୁଲୁଥିଲା । ସ୍ୱଳ୍ପ ବୟସ ଓ ସୀମିତ ଅଭିଜ୍ଞତା ସତ୍ତ୍ୱେ ଆମେ ନିଜକୁ ମନେକରୁଥିଲୁ ଜ୍ଞାନୀ ଓ ବଡ଼ ଲୋକମାନଙ୍କର ସମକକ୍ଷ । ମଲାଲୋକର ମୁହଁ ଭଳି ଏକ ରହସ୍ୟମୟ ଦୃଶ୍ୟ ସହିତ ପରିଚିତ ହେବାର ଏ ଥିଲା ଯେମିତି ଗୋଟାଏ ଚମକôାର ସୁଯୋଗ । ଯାହାର ହାତଛଡ଼ା କରିବା ଉଚିତ ନଥିଲା । ବଡ଼ଭାଇ ଅନୁନୟ କଲା: ବୋଉ! ମୁଁ ଯିବି!
ମୁଁ ବଡ଼ଭାଇର ଆବେଦନ ସହିତ ନିଜର ଆଗ୍ରହ ବି ଯୋଡ଼ିଦେଲି!
କହିଲି; ବୋଉ! ଆମେ ଯିବୁ!
ବୋଉ ଧମକଦେଲା: ବାବା କଣ କହିକିଗଲେ ଶୁଣିଲଟି! ଛୋଟପିଲା ସେ ସବୁ ଜାଗାକୁ ଯାଆନ୍ତିନି! ଚୁପ୍ଚାପ୍ ଘରଭିତରକୁ ଯାଇ ଶୋଇପଡ଼ ।
ଆମେ ପରସ୍ପରର ମୁହଁକୁ ଅସହାୟ ଭାବରେ ଚାହିଁଲୁ ।
ବୋଉ କହିଲା: ମୁଁ ବାହାରୁ ଶିକୁଳୀ ଲଗେଇ ଦେଇଯାଉଛି । ଟିକେ ପଡ଼ିଶା ଘରୁ ଆସୁଛି । ତୁମେ ଚୁପ୍ଚାପ୍ ଶୋଇପଡ଼ ।
ବୋଉର କାର୍ଯ୍ୟକ୍ରମ ସଂପର୍କରେ ଆମେ ଅନୁମାନ କରିପାରିଲୁ । ବୋଉ ଏବେ ପଡ଼ିଶାଘରକୁ ଯିବ । ସେଠାରେ ସମ୍ବାଦଟି ପରିବେଷଣ କରିବ । କ୍ରମେ ମହିଳାମହଲରେ ସମ୍ବାଦଟି ସଂକ୍ରମିତ ହେବ । ଏବଂ ଏପରିବି ହୋଇପାରେ ମହିଳାମାନଙ୍କର ଏକ ସମ୍ମିଳିତ ଦଳ ଘଟଣାସ୍ଥଳକୁ ଯାଇପାରନ୍ତି । ତେବେ ଏ ଆଦେଶନାମା ସାନଭାଇ ପ୍ରତି ଲାଗୁହେଲାନାହିଁ । କାରଣ ସେ ବହୁ ଆଗରୁ ପଡ଼ିଶାଘରକୁ ଖେଳିବାକୁ ଚାଲି ଯାଇଥିଲା ।
ବୋଉ ଗଲା । ବାହାରପଟୁ ଶିକୁଳି ଲଗେଇ ଦେଇ । ଏବେ ଘର ଭିତରେ ଆମେ ଦୁଇଭାଇ । ତିନି ବଖରା ଲମ୍ବାଘର । ଗୋଟେ ବାରଣ୍ଡା । ବାରଣ୍ଡା ତଳକୁ ଛୋଟ ଅଗଣା । ଅଗଣା ମଝିରେ ଆମ ଦି ଭାଇ । ପୃଥିବୀର ସବୁ ରହସ୍ୟ ଭେଦ କରିଯିବାକୁ ମନରେ ଆଗ୍ରହ, ଅଥଚ ଆଗ୍ରହ ସାମ୍ନାରେ ଠିଆ ହୋଇଛି ଗୁରୁଜନମାନଙ୍କର ହସ୍ତକ୍ଷେପ । ହିମାଳୟ ଭଳି ।
ବଢ଼ଭାଇ ଓ ମୋ ଭିତରେ କିଛି ସମୟ ବିଚାର ଆଲୋଚନା ଚାଲିଲା । ବଡ଼ ଭାଇ ଜାଣିପାରୁଥିଲା ଯେ ସେ ସିନା ଯାଇପାରିଲା ନାହିଁ । ତାର ସାଙ୍ଗମାନେ ନିଶ୍ଚୟ ଯାଇଥିବେ । ଅନ୍ତତଃ ତାର ସାଙ୍ଗମାନଙ୍କର ବାପାମାନେ ଆମ ବାବଙ୍କ ଭଳି ଏତେ କଟକଣା ଜାରି କରିନଥିବେ । ତେଣୁ ତାକୁ ଯିବାକୁ ହେବ । ନୋହିଲେ କାଲି ସାଙ୍ଗମାନଙ୍କ ସହ ସ୍କୁଲରେ ଦେଖା ହେଲେ ସେ ଲାଜ ପାଇବ । କାରଣ ଅଭିଜ୍ଞତା ଓ ଅନୁଭୂତିର ଦୌଡ଼ରେ ସେ ପଛରେ ପଡ଼ିଯାଇଛି ।
ମୁଁ ପ୍ରସ୍ତାବ ଦେଲି: ଚାଲ ବାରିପଟ କବାଟ ଖୋଲି ପଳେଇଯିବା! ବୋଉ ଦାଣ୍ଡ କବାଟରେ ଶିକୁଳୀ ଲଗେଇଦେଇ ଯାଇଥିଲା । କିନ୍ତୁ ତାର ମାନେ ନୁହେଁ ଯେ ଖସିବାର ସବୁ ରାସ୍ତା ବନ୍ଦ ହୋଇଯାଇଛି । କିନ୍ତୁ ଆମର ବାରିପଟ କବାଟ କଥା ମନେ ନଥିଲା । ମୋ ମଥାରେ ଅଚାନକ ପ୍ରବେଶ କରିଗଲା ଚିନ୍ତାଟା ।
ବଡ଼ଭାଇ ଖୁସୀ ହୋଇଗଲା । କହିଲା : ମୁଁ ଯିବି । କିନ୍ତୁ ତୁ ଯିବୁନି!
ମୁଁ ଭାଙ୍ଗି ପଡ଼ିଲି । ଆରେ! ଏ କେତେବଡ଼ ଅନ୍ୟାୟ । ମୁଁ ଖସିବାର ବାଟ ବତେଇଲି । ଅଥଚ ଯାଇପାରିବି ନାହିଁ ।
ବଡ଼ଭାଇ ମୋ ଆଡ଼କୁ କଟକଟ କରି ଚାହିଁଲା । ତାର ବଡ଼ ଭାଇ ସୁଲଭ ଅଧିକାର ସାବ୍ୟସ୍ତ କଲା । କହିଲା: ତୁ ଘର ଜଗିକି ରହ । ଆମେ ଦିଜଣ ପଳେଇ ଗଲେ ଯଦି ଚୋର ପଶେ! କଣ ହେବ? ତୁ ବରଂ ଘର ଜଗିଥା’ । ମୁଁ ଯାଉଛି । ଯାହା ଦେଖିବି ତତେ ଆସି ଟିକିନିଖି କରି କହିବି ।
ମୁଁ ଭୂମିରେ ଗୋଡ଼ କଚାଡ଼ିଲି । ବଡ଼ ଭାଇର ଯୁକ୍ତି ଯଥାର୍ଥ ଥିôଲା ।
ଦାରୁଣ ବି ଥିଲା । ମୁଁ ମିଛକାନ୍ଦିବାର ବାହାନା କଲି ।
ବଡ଼ଭାଇ ବୁଝେଇଲା ବୋଉ ଯଦି ଏଇନେ ଫେରିଆସେ, ଆଉ ଆମ ଦିଜଣ ନାହେଁ ବୋଲି ଦେଖେ, କଣ ହେବ ବୁଝିପାରୁଚୁ ତ? ବରଂ ତୁ ଘର ଜଗିଥା । ବୋଉ ଆସିଲେ ମୁଁ ଯାଇଛି ବୋଲି କହିବୁ ନାହିଁଟି! କହିବୁ : ଝାଡ଼ା ଯାଇଛି ।
ମୁଁ ବଡ଼ଭାଇର ପ୍ରସ୍ତାବରେ ଏକମତ କି ନା କହିବା ପୂର୍ବରୁ ହିଁ ସେ ଆଗେଇ ଗଲା । ବାରିପଟ ଦୁଆର ଖିଡ଼ିକି ଖୋଲିଦେଲା । କହିଲା : ମୁଁ ଚାଲିଲି!
ମୂହୁର୍ତ୍ତକ ଭିତରେ ବଡ଼ଭାଇ କୋଉଆଡ଼େ ଅଦୃଶ୍ୟ ହୋଇଗଲା । ମୁଁ ବାରିକବାଟ ପାଖକୁ ଆସିଲି । ବାହାରକୁ ଚାହିଁଲି କେହି କୁଆଡ଼େ ନାହାନ୍ତି । ଖିଡ଼ିକି ଲଗେଇ ଦେଲି । ପୁଣି ଫେରି ଆସିଲି ଘର ଭିତରକୁ ।
ବାରଣ୍ଡାରେ ବସିଲି । ମୁଁ ଏକୁଟିଆ ହୋଇଗଲି । ଲମ୍ବା ଖଞ୍ଜାଟା । କେହି କୁଆଡ଼େ ନାହାନ୍ତି । ଅଗଣା ସାରା ବିଞ୍ଚି ହୋଇଥାଏ ପ୍ରଚଣ୍ଡ ଖରା । ଖରାର ଧାସ ବାଜୁଥାଏ ବାରଣ୍ଡାରେ । ମୁଁ ଏକା ଏବଂ ଅସହାୟ । ଦିନଟା ଆସ୍ତେ ଆସ୍ତେ ଦୀର୍ଘ ଲାଗିଲା । ମୁହୂର୍ତ୍ତମାନେ ଦୀର୍ଘତର । ବୋଉ ଫେରୁନାହିଁ । ବଡ଼ଭାଇ ବି ଫେରୁନାହିଁ । ମୁଁ ଏକା, ଭୟ ଲାଗୁଥାଏ । ଦ୍ରୁତଗତିରେ ମୋର କ୍ଷୁଦ୍ର ମସ୍ତିଷ୍କଟା କାମ କରିଯାଉଥାଏ । ମୁଁ ପ୍ରଚୁରୁ ଭାବି ଚାଲିଥାଏ ।
ମୋର ଯୋଜନା ଥିଲା ଅନେକ ସୁଖକର କାର୍ଯ୍ୟକ୍ରମ । ସେହିପ୍ରହର ପାଇଁ । ଏବେ ସବୁ ଅସାର ମନେ ହେଲା । ଆସ୍ତେ ଆସ୍ତେ ବିରକ୍ତିକର ମନେ ହେଉଥିଲା ସବୁକିଛି । ମୁଁ ନିଜ ଭିତରେ କ୍ରମେ କ୍ରମେ ଅଧୈର୍ଯ୍ୟ ହୋଇ ପଡ଼ୁଥିଲି । ଇଚ୍ଛା ହେଲା ଖୁବ୍ ଜୋର୍ରେ କାନ୍ଦିବି ।ଚିତ୍କାର କରି ଫଟେଇଦେବି ପୃଥିବୀ ସାରା । ମାତ୍ର ପାରିଲିନି । ମୋର ଅପେକ୍ଷା କ୍ରମେ କ୍ରମେ ଦାରୁଣ କଷ୍ଟପ୍ରଦ ହୋଇ ଆସିଲା ।
ବୋଉ ଫେରୁନାହିଁ । ବଡ଼ ଭାଇ ଫେରୁନାହିଁ । କେହି କୁଆଡ଼େ ଆସୁନାହିଁ । ମୁଁ ଏକା, ସାମ୍ନାରେ ଲମ୍ବା ଓ ବିରକ୍ତିକର ସମୟ । ବିତୁନାହିଁ ଜମା, ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ନିଃଶବ୍ଦରେ ଚିତ୍କାର କଲି । ମୋର ମୁକ୍ତି ଦରକାର । ମୋର ନିଜ ହାତରେ ତୋଳି ଧରିଲି ଆପଣାର ଶାସନ ଭାର । ନିଜକୁ ମୁକ୍ତି ଦେଲି । ନିଜକୁ ନିଜେ କହିଲି; ଯା’ ପଳେଇ ଯା । ମୁକ୍ତିନେଇ ଚାଲି ଯା’ ଏଇ ବିରକ୍ତିକର ଓ ଅଧୈର୍ଯ୍ୟ ସମୟରୁ । ପରେ ଯା’ ହେବ ଦେଖାଯିବ । ଯା’ ଚାଲିଯା ।
ମୁଁ ଧୀରେ ଧୀରେ ବାରିକବାଟ ପାଖୁ ଆସିଲି । କବାଟ ଖୋଲିଲି । ବାହାରକୁ ଗଲି । ଏବଂ ଦୌଡ଼ିବାକୁ ଲାଗିଲି । ବାହାରଟା ଜନଶୂନ୍ୟ । ଚାରିଆଡ଼େ ପ୍ରଚଣ୍ଡଖରା । ରାସ୍ତାରେ ତ କେହି କୁଆଡ଼େ ନାହାଁନ୍ତି । ସବୁଦିଗରେ ଯେମିତି ଗୋଟେ ଖାଁ ଖାଁ ନିଶୂନତା । ମୁଁ ପ୍ରଥମେ ଧାଇଁଲି ଆମ ସ୍କୁଲ ପାଖକୁ । ସ୍କୁଲର ପଛପଟେ ଥିଲା ଗୋଟେ ପରିତ୍ୟକ୍ତ ଓ ଭଙ୍ଗା ବାରଣ୍ଡା । ତାର ଗୋଟେ କୋଣରେ ନିଜର ଆସ୍ଥାନ ଜମାଇଥିଲା ଭିକାରୁଣୀଟି । ତାକୁ କଣ ଘର କୁହାଯାଏ? କୁହାଯାଏନା ।
ତେବେ ସେଇଟା ଥିଲା ତାର ଆଶ୍ରୟସ୍ଥଳ । ବେଳେ ବେଳେ ଆମେ ସ୍କୁଲପିଲାମାନେ ଖେଳଛୁଟିରେ ସେଠି ବୁଲୁଥିଲୁ । ଦୂରରୁ ଗୋଟେ ବୃତ୍ତାକାର ଗହଳିଟିଏ କରି ତାକୁ ଲକ୍ଷ୍ୟ କରୁଥିଲୁ । ଭିକାରୁଣୀଟା ବିଡ଼ବିଡ଼ ହୋଇ କଣ ସବୁ କହୁଥିଲା ଆମକୁ, ଆମେ ବୁଝୁନଥିଲୁ । କିନ୍ତୁ ତାଳି ମାରି ହସୁଥିଲୁ ।
ମୁଁ ଯାଇ ସେଇଠି ଠିଆ ହେଲି । ସେଠି କେହି ନଥିଲେ । ଏବଂ ଭିକାରୁଣୀର କୌଣସି ଆସବାବ ଯଥା ତାର ଛିଣ୍ଡା କନା ଓ ମଇଳା ଲୁଗା ଖଣ୍ଡ ଦିଖଣ୍ଡ ବି ନଥିଲା । ସେଠି କେବଳ ଥିଲା ତାର ଅନୁପସ୍ଥିତି । ଆଗରୁ ସେ ଭିକମାଗିବାକୁ ବି ଚାଲିଯାଏ । ସେ ଜାଗା ଶୂନ୍ୟ କରି । କିନ୍ତୁ ଆଜି ଏ ଶୂନ୍ୟତାଟା କେମିତି ଗୋଟେ ଅଲଗା ଦିଶୁଥିଲା । ଅଲଗା ଅନୁଭବଟେ ଆଣୁଥିଲା । ଟିକିଏ ଦୂରେ ପଡ଼ିଥିଲା ତାର ଭଙ୍ଗା ଆଲୁମିନିୟମ ବେଲାଟା । ବେଲା ଭିତରେ ଚାଉଳର ଦାନା କେଇଖଣ୍ଡ ।
ଚାଉଳ ମୁଠେ ଥାଇବି ସେଇ ବେଲା ଭିତରଟା ଭାରି ଶୂନ୍ୟ ଶୂନ୍ୟ ଦିଶୁଥିଲା । କ୍ରମେ ମନେ ହେଲା ସେ ବେଲାଟା ଥରି ଉଠୁଛି । ମୋ ଆଖି ସାମ୍ନାରେ, ସେ ସମଗ୍ର ଶୂନ୍ୟ ଦୃଶ୍ୟ ଥରି ଉଠୁଛି । ଭିକାରୁଣୀଟିର ଅନୁପସ୍ଥିିତିଟା ଗୋଟେ ମର୍ମାନ୍ତିକ ଅନୁଭବ ଭଳି ଚହଲି ଉଠୁଛି । ଏବେ ଯେମିତି ପୃଥିବୀରେ ଆସିଯାଇଛି ଭୂମିକମ୍ପ । ଥରି ଉଠୁଛି ଦିଗବିଦିଗ । ମନେ ହେଲା ସେଇ ଛୋଟ ବେଲା ଭିତରେ ଶୋଇପଡ଼ିଛି ଯେମିତି କେହି ଜଣେ ଶୂନ୍ୟ ଚେହେରାଟା ନେଇ ।
ଆଉ ଅଧିକ ସମୟ ସେଠି ରହିପାରିଲିନି । ନିଜ ଭିତରେ ରୁନ୍ଧି ହୋଇ ଆସୁଥିଲା ସେଇ ଅଧୈର୍ଯ୍ୟ ପଣ, ସେଇ ଅସହାୟତା । ମୁଁ ସେଠୁ ଧାଇଁଲି, କୁଆଡ଼େ ଧାଇଁଲି? କାହିଁକି ଧାଇଁଲି? ଜାଣି ପାରିଲିନି । ଗୋଟେ ନିରୁଦେଶ୍ୟ ଲକ୍ଷ୍ୟ ପଥରେ ଧାଇଁବାରେ ଲାଗିଲି । ନିର୍ଜନ ଜନଶୂନ୍ୟ ରାସ୍ତା । ପ୍ରଚଣ୍ଡଖରାରେ ପୃଥିବୀ ସିଝିବାରେ ଲାଗିଛି । ମୁଁ ଦିଗଭ୍ରଷ୍ଟ । ମୋର ମନେ ହେଉଥାଏ ଏଇଠି କୋଉଠି ଯେମିତି ମୋର ଚିହ୍ନା ଲୋକମାନେ ଅଛନ୍ତି । ମୁଁ ଖୋଜୁଥାଏ ଦୃଶ୍ୟସବୁ ଅଛି । କୋଳାହଳ ଅଛି । ଛାଇ ଅଛି । ଆଶ୍ରୟ ଅଛି । ଅଥଚ ମିଳୁନଥାଏ ।
ମୁଁ ସେମିତି ଧାଉଁଥାଏ ।
ରାସ୍ତା ଓ ପଡ଼ିଆମାନେ ତଥାପି ଥିଲେ ଦୀର୍ଘ । ମୋର ମନେ ହେଲା ସେସବୁ ରୁଦ୍ଧ ହୋଇ ଆସୁଛି । ଅଦୃଶ୍ୟ ବାଟଟେ ପଡ଼ିଆସୁଛି ମୋର ଆଗରେ । ଆଉ ଆଗକୁ ଦୌଡ଼ିବା ସମ୍ଭବ ନୁହେଁ । ପାରିଲିନି ବି । କ୍ଲାନ୍ତ ହୋଇ ବସିପଡ଼ିଲି । ଗୋଟେ ଗଛମୂଳେ । ଏମିତି କେତେ ସମୟ ବିତିଚି ମନେ ନାହିଁ । ଅନୁଭବ କଲି ମୁଁ କାନ୍ଦୁଚି । ପୁଣି ଠିଆ ହେଲି । ପାଦରେ ଶକ୍ତି ନଥାଏ । ଭାରି ଦୁର୍ବଳ ଲାଗୁଥାଏ । ଧୀରେ ଧୀରେ ଚାଲି ଚାଲି ଆସିଲି । ଫେରି ଆସିଲି ଘରକୁ ।
ବାରିପଟର ଦର୍ଜା ଖୋଲିଲି ନିଃଶବ୍ଦରେ । ଅଗଣାରେ ପଶିଲି । ସବୁ ଠିକ ଅଛି । କୌଣସି ଚୋର ପଶିନାହିଁ । ବଡ଼ଭାଇ ଫେରିନାହିଁ । । ସାନ ଭାଇ ଆସିନାହିଁ ।
ମୁଁ ବାରଣ୍ଡାରେ ବସିଗଲି ଥକ୍କା ହୋଇ ।
ଏମିତି କେତେ ସମୟ ବିତିଚି ଜାଣେନା । କେତେ ସମୟ ପରେ ଆବେଗ କଟିଗଲା ପରେ ଦେଖିଲି ବଡ଼ଭାଇ ପଛ ପଟୁ ଦର୍ଜା ଠେଲି ଭିତରକୁ ପଶୁଛି ।
ଅନୁଚ୍ଚ ସ୍ୱରରେ ମତେ କହିଲା! କିଛି ଅସବୁିଧା ହେଇନି ତ ।
ମୁଁ କହିଲି ନା! କେହି ଆସିନାହାନ୍ତି!
ବଡ଼ଭାଇ ଆସି ବସିଗଲା ବାରଣ୍ଡାରେ ଥକ୍କା ହୋଇ ।
ମୋ ମନ ଭିତରେ ଲହଡ଼ୀ ଖେଳୁଥାଏ ଆଗ୍ରହ । ଜାଣିବା ପାଇଁ କଣ କେମିତି ହେଲା । କେମିତି ଦିଶେ ମଲାଲୋକର ମୁହଁ? କେମିତି ମୁଣ୍ଡ ଓ ଶ୍ମଶାନ ଏକ ହୁଅନ୍ତି ନିଆଁର ପିଠିରେ? ମଣିଷ ମରିକି କେମିତି ହଜିଯାଏ? ମୁଁ ପଚାରିଲି: କଣ କେମିତି ହେଲା କହୁନୁ?
ବଡ଼ ଭାଇ ଦିର୍ଘ ଶ୍ୱାସଟେ ପକାଇଲା, କହିଲା: ଏସବୁ ବଡ଼ ଗୁମର କଥା ।
ସାନ ମାନେ ଜାଣିବା ଜମା ଉଚିତ ନୁହେଁ ।
ୟା ଭିତରେ ବଡ଼ ଭାଇ ବୋଧ ହୁଏ ନିଜକୁ ଖୁବ୍ ବଡ଼ ବୋଲି ଭାବିବାକୁ ଆରମ୍ଭ କରିଥିଲା । ଏବଂ ମୁଁ ଯୋଉ ଛୋଟକୁ ସେଇ ଛୋଟରେ ରହିଯାଇଥିଲି । ଯଦିଓ ଆମ ଭିତରେ ବୟସର ବ୍ୟବଧାନ ଥିଲା ଜମା ଦୁଇବର୍ଷ । ବଡ଼ଭାଇ ତୃତୀୟ ଶ୍ରେଣୀରେ ପଢୁଥିଲା ଓ ମୁଁ ପଢ଼ୁଥିଲି ପ୍ରଥମ ଶ୍ରେଣୀରେ । ସାନଭାଇ ସ୍କୁଲ ଯିବାକୁ ସମର୍ଥ ହୋଇନଥିଲା । ବଡ଼ଭାଇ ହାଫ୍ ପ୍ୟାଣ୍ଟ ପିନ୍ଧୁଥିଲା । ମୁଁ ଫିତାଲଗା ହାପ୍ ପ୍ୟାଣ୍ଟ ପିନ୍ଧୁଥିଲି । ଓ ସାନଭାଇ ଅଧିକାଂଶ ସମୟ ଥିଲା ଦିଗମ୍ବର । ତେବେ ବଡ଼ଭାଇ ହଠାତ୍ ବୟସ୍କ ଦାୟିତ୍ୱବାନ ହୋଇଗଲା କେତେବେଳେ ।
ମୁଁ କହିଲି: କିନ୍ତୁ ତୁତ କହିକିଯାଇଥିଲୁ ମତେ ସବୁକଥା ଟିକିନିକ୍ କହିବୁ । ତୋରି କଥାରେ ମୁଁ ଘର ଜଗି ପଡ଼ିରହିଲି । ଆଉ ଏତେ ବେଳକୁ କୁହଛୁ କଣ ନା ସାନମାନେ ସେ କଥା ଜାଣିବେ ନି!
ବଡ଼ଭାଇ ମୋ ଯୁକ୍ତିରେ ପ୍ରଭାବିତ ହେଲା । ତାର ମନ ବଦଳିଗଲା । କହିଲା: ଠିକ୍ ଅଛି । ମୁଁ ତତେ ସବୁ କଥା କହିବି । କିନ୍ତୁ ସାବଧାନ ଏସବୁ ଯେମିତି ପ୍ରଘଟ ନହୁଏ ।
ମୁଁ ବିଶ୍ୱାସନୀୟତାର ଶପଥ ନେଲି ।
କହିଲି: ମୁଁ କେବେ ତୋ କଥା କାହାକୁ କହିଚି । ତୁ ବାବାଙ୍କ ପକଟେରୁ ପଇସା ଚୋରି କରି ଚକୋଲେଟ୍ ଖାଇଚୁ । ମତେ ଅନେକ ଥର ଭାଗ ଦେଇନୁ । ମୁଁ ସେଇ କଥା କାହାକୁ କହିଚି ।
ବଡ଼ଭାଇ ମୋ କଥାରେ ପ୍ରଭାବିତ ହୋଇ ଆସୁଥିଲା । ତାର ଗୁମର କଥାକୁ ନେଇ ମୁଁ ବିଶ୍ୱାସଭାଜନ ହେବାର ଉଦ୍ୟମ ଜାରି ରଖିଥିଲି ।
କହିଲା, “ଠିକ୍ ଅଛି, ତେବେ ଶୁଣୁ!
ସେମାନେ ବୁଢ଼ୀକୁ ନେଇ ମଶାଣୀକୁ ଚାଲିଗଲେ । ମଶାଣୀରେ କାଠ ସଜା ହୋଇ ନିଆଁ ଲାଗିଲା । ତା ଉପରେ ଶୁଆଇ ଦେଲେ ବୁଢ଼ୀକୁ । ଠିକ୍ ଏତିକିବେଳେ ଆକାଶରୁ ଆସିଲେ ଯମଦୂତ ମାନେ ।
ମୋ ଆଖି ବଡ଼ବଡ଼ ହୋଇଗଲା, “ଯମଦ୍ୱତ!”
ବଡ଼ଭାଇ ବର୍ଣ୍ଣନା କରିଚାଲିଥାଏ, କଳାଭୁଷୁଣ୍ଡା ଲୋକ ଗୁଡ଼ାକ । ହାତରେ ତାଙ୍କର ବଡ଼ବଡ଼ ଗଦା । ବେକରେ ମାଳି ମେଞ୍ଚାଏ ପଡ଼ିଛି । ବଡ଼ ବଡ଼ ବାଳ । ବଡ଼ ବଡ଼ ନିଶ ଆଖିଗୁଡ଼ାକ ଲାଲ । ସେମାନେ ତ ଆସିଲେ ବୁଢ଼ୀ କି ନେବାକୁ ।
ମୁଁ ପଚାରିଲି , “ସେଉଠୁ”?
ବଡ଼ଭାଇ କହୁଥାଏ, “ସେମାନେ ଯେମିତି ବୁଢ଼ୀକୁ ନିଆଁ ଉପରୁ ଟାଣି ନେଇଛନ୍ତି ଆମ ଗୋବିନ୍ଦ ଗୁରୁଜୀ ଥିଲେ ଗୋଟେ ଲମ୍ବା ବାଉଁସରେ କୁଟି ଦେଲେ ପାହାରେ । ସେମାନେ ଯାଇ ଦୂରରେ ପଡ଼ିଲେ । ତା’ପରେ ତ ଆକାଶରେ ଗୋଟେ ଟଣାଓଟରା ଚାଲିଲା । ସେମାନେ ବୁଢ଼ୀର ହାତ ଧରି ଟାଣୁଥାନ୍ତି ଆକାଶରେ । ତାକୁ ନେଇଯିବାକୁ ଯମପୁର । ଇଆଡ଼େ ଆମ ଗୁରୁଜୀମାନେ ବାଉଁଶରେ ଗୋଟେ ଆଙ୍କୁଡ଼ାକରି ବୁଢ଼ୀକୁ ଟାଣୁଥାନ୍ତି ଯୂଇ ଉପରକୁ । ଚାଲିଲା ଟଣାଟଣି”
ମୁଁ ମୋ ମାନସ ଚକ୍ଷୁରେ ଦେଖିପାରୁଥାଏ ସେ ଦୃଶ୍ୟଟିକୁ । କୌଣସି ଯାତ୍ରାପାର୍ଟିର ଦୃଶ୍ୟଠୁ ଚମତ୍କାର, ଆମୋଦଦାୟକ ।
ମୁଁ ପଚାରିଲି, “ମଲା ପରେ ସବୁଲୋକଙ୍କୁ ପରା ଯମ ଧରି ନିଏ ତା ପୁରକୁ । ଏ ବୁଢ଼ୀକୁ ନେଲାବେଳେ ଆମ ଗୁରୁଜୀ ପଂଝାକ କାହିଁକି ଟଣା ଓଟରା କଲେ ।”
ବଡ଼ଭାଇ ବୁଝିପାରିଲା, “ମୁର୍ଖ ! ଏ ବଡ଼ ଗହନ କଥା । ସେମାନେ ମଲା ପରେ ଆତ୍ମାଟାକୁ ଧରିକି ନେବେ ଯମପୁରକୁ; କିନ୍ତୁ ଯଦି ଯୂଇ ଉପରୁ ଦେହଟାକୁ ନେଇ ଗଲେ ତ କଥା ସଇଲା । ସେମାନେ ଭାରି କଷ୍ଟ ଦେବେ ଦେହଟାକୁ । ତୁ ଚିତ୍ରରେ ଦେଖିନୁ । ତତଲା ତେଲ କଡ଼େଇରେ ପକେଇ ବରାଭଳିଆ ଛାଣିବେ । ମୁଣ୍ଡ ସିଧା କରତରେ ଦିଫାଳ କରି ଚିରି ଦେବେ । ଗୁହ କୁଣ୍ଡରେ ପକେଇବେ । ଶେଷକୁ କାମୁଡ଼ି କାମୁଡ଼ି ଖାଇବେ, ଦେଖିନୁ କେମିତି ଭୁଷୁଣ୍ଡା ଭୁଷୁଣ୍ଡା ଚେହେରା ରଖିଛନ୍ତି ।”
ଭୟରେ ମୋ ଦେହ ଥରି ଉଠିଲା । ପଚାରିଲି, “ସେଉଠୁ କଣ ହେଲା?”
ବଡ଼ ଭାଇ ଶୁଣାଇଲା, “ହବ ଆଉ କଣ? ଯମଦୂତ ଗୁଡ଼ାକ ହାରିଲେ । ଆମ ଗୁରୁଜୀମାନେ ବୁଢ଼ୀକୁ ପୋଡି ପାଉଁଶ କରିଦେଲେ । ଯମଦୂତ ଗୁଡ଼ାକ ଭକୁଆ ଭଳିଆ ଚାହିଁଥାନ୍ତି । ଶେଷକୁ ନିଜେ ଯମ ବି ଆସିଲେ । କିନ୍ତୁ କିଛି କରିପାରିଲେନି?”
ମୁଁ ପଚାରିଲି, “ତମେ ଯମକୁ ଦେଖିଲ!
ବଡ଼ଭାଇ ଜୋର୍ ଦେଇ କହିଲା “ହଁ ମଇଁଷି ପିଠିରେ ବସିଥାଏ । ମୁଣ୍ଡରେ ତାର ମୁକୁଟ । ଏଡ଼େ ଏଡ଼େ ନିଶ । ଆକାଶର ବହୁତ ଉଚ୍ଚରେ ଥାଇ ଚାହିଁ ରହିଥାଏ । କରିବ ବା କଣ? ଯେମିତି ବୁଢ଼ୀ ପୋଡିକି ପାଉଁଶ ହୋଇଗଲା, ଯମ ଗୋଟେ ଲମ୍ବ ପାଳ ଦଉଡ଼ି ଲମ୍ବାଇ ଦେଲା ଯୂଇ ଆଡ଼କୁ । ଆଉ ବୁଢ଼ୀର ଆତ୍ମାଟାକୁ ଧରିକି ନେଇଗଲା ।”
ମୁଁ ପଚାରିଲି, “ଆତ୍ମାଟାକୁ ତମେ ଦେଖିଲ?”
ବଡ଼ ଭାଇ ବୁଝାଇଲା, “ଆତ୍ମାଟାକୁ କଣ ଦେଖିହବ । ସେଟା ଅଦୃଶ୍ୟ । କିନ୍ତୁ ଦେଖିଲୁ ଗୋଟେ ଭଉଁରୀ ଭଳି ଚହଲି ଚହଲି ଗୋଟାଏ ଉପରକୁ ଉଠିଗଲା । ଯମର ପାଳ ଦଉଡ଼ି ମୁଣ୍ଡାରେ ଲାଗି”
ମୁଁ ପଚାରିଲି, “ ତାକୁ ରୋକିବା ପାଇଁ ଗୋବିନ୍ଦ ଗୁରୁଜୀ ହେରିକା କିଛି କଲେନି ।” ବଡ଼ଭାଇ କହିଲା, “ନା! ସମସ୍ତେ ଖାଲି ଦେଖୁଥାନ୍ତି । ଆତ୍ମାଟାକୁ ତ ରୋକି ହେବ ନାହିଁ । ରୋକିଲେ ବା ଲାଭ କ’ଣ । ସେଟା ଯେମିତି ହେଲେ ଉଡ଼ିଯିବ । ଯମ ସେଟାକୁ ନେବା କଥା ନେବ । କିନ୍ତୁ ଏତିକି ହେବ ଯେ ଯମ ଆତ୍ମାକୁ ବେଶୀ କଷ୍ଟ ଦେଇପାରିବ ନାହିଁ ।”
ନାଟକର ସଂଘର୍ଷପୂର୍ଣ୍ଣ ଦୃଶ୍ୟ ଭଳି ମୋ ଆଖି ସାମ୍ନାରେ ଦେଖାଯାଉଥିଲା ବଡ଼ଭାଇର ବର୍ଣ୍ଣନାର ଚିତ୍ର ସବୁ । ନୀଳ ଆକାଶ, ଆକାଶରେ ଗୋଟିଏ ଭୟଙ୍କର ମଇଁଷି, ମଇଁଷି ପିଠିରେ ଯମ, ନିଶବାନ ଯମଦୂତ । ହାତରେ ଗଦା ଓ ପାଳଦଉଡ଼ିର ଫାଶ । ଏହିଭଳି ଲୋମହର୍ଷଣ କାରୀ ଦୃଶ୍ୟକୁ ପ୍ରତ୍ୟକ୍ଷ କରି ନପାରି ଥିବାରୁ ନିଜ ଉପରେ ରାଗ ଆସୁଥିଲା । ବଡ଼ଭାଇ ଗୌରବର ହସ ହସି ବାରଣ୍ଡାରେ ବସିଥିଲା ।
ମୁଁ ଆକାଶକୁ ଅନେଇଲି । ନିରେଖି କି ଚାହିଁଲି । କାଳେ କେଉଁଠି ଯମର ପାଦ ଚିହ୍ନ ଅବା ଯମଦୂତମାନଙ୍କର ଗଦାର ଶେଷାଂଶ ଅବା ମଇଁଷିର ଲାଙ୍ଗୁଡ଼ଟା ଦିଶିବ ପରା ।
କେତେବେଳେକେ ଫେରିଲା ବୋଉ । ଫେରିଆସି ଅନୁସନ୍ଧାନ କରିନେଲା ସବୁ ଠିକ୍ ଅଛି ନା ନାଇଁ? ଆମେ କେହି ବାହାରକୁ ଯାଇଥିଲୁ ନା ନାଇଁ?
ମୁଁ କହିଲି: ଆମେ ଘରେ ଅଛୁ । ମୁଁ ତ ଏଇଠି ଖେଳୁଛି ।
ବଡ଼ଭାଇ କହିଲା: ମୁଁ ଶାଗପଟାଳିରୁ ଘାସ ବାଛୁଥିଲି ପରା ।
ବୋଉ ଖୁସୀ ହେଲା । ୟା’ପରେ ଫେରିଲା ସାନଭାଇ ।
ବାବା ଫେରିଲେ ଅନେକ ଡ଼େରିରେ । ସେ ଦିଶୁଥିଲେ କ୍ଲାନ୍ତ ଏବଂ ଝାଳନାଳ । ବୋଉକୁ ଲକ୍ଷ୍ୟ କରି କହିଲେ; ସବୁକାମ ଯା’ ହେଉ ସୁରୁଖୁରୁରେ ହୋଇଗଲା । ବୁଢ଼ୀର ପୁଣ୍ୟବଳ କିଛି ଥିଲା, ନୋହିଲେ ସାଙ୍ଗେ ସାଙ୍ଗେ ଏତେ ଲୋକ ବାହାରି କାମଟା ସାରି ଦେଇନଥାନ୍ତେ । ମତେ ଗୋଟାଏ ଗାମୁଛା ଦିଅ । ମୁଁ ଲୁଗା ପାଲୋଟି ଗାଧୋଇବି ।
ବୋଉ ବାବାଙ୍କ ହାତକୁ ବଢ଼ାଇ ଦେଲା ଗାମୁଛା ।
ମୁଁ ପଚାରିଲି, “ଲୁଗା ପାଲଟି ଗାଧୋଇବ କାହିଁକି?
ବୋଉ ବୁଝାଇଲା, “ମଶାଣୀକୁ ଗଲେ ମଶାଣୀଛୁଆଁ ହେବ । ନ ଗାଧୋଇଲେ ଘରଦ୍ୱାର ମାରା ହୋଇଯିବ । ଲୁଗାପଟା ସବୁ ଧୋଇ ଦେବାକୁ ପଡ଼ିବ ।
ମୁଁ ପଚାରିଲି, “ଘରଦ୍ୱାରା ମାରା ହେଲେ କଣ ହେବ”!
ବୋଉ କହିଲା, ଘରେ ଆଉ ଠାକୁର ପାଣି ପାଇବେଟି । ସବୁ ନଷ୍ଟଭ୍ରଷ୍ଟ ହୋଇ ଯିବନି?
ଏଥର ମୁଁ ବଡ଼ ଭାଇ ଆଡ଼କୁ ଚାହିଁଲି, ବଡ଼ଭାଇ ମଶାଣୀଛୁଆଁ ହେଇ ବି ଏବେ ଆରାମରେ ବସିରହିଲା । ପ୍ୟାଣ୍ଟସାର୍ଟ ଧୋଇବା ବା ଗାଧୋଇବାର ନାମ ଧରୁ ନଥିଲା । କିନ୍ତୁ ତାର ପାପଟିକୁ ଲୁଚାଇଦେବା ମୋ ପକ୍ଷରେ ସମ୍ଭବ ନଥିଲା । କାରଣ ତାହା ହେଲେ ଘରୁ ସବୁ ଠାକୁର ଚାଲିଯିବେ । ଠାକୁରମାନେ ପାଣି ପାଇବେ ନାହିଁ, ତାଙ୍କ ପାଖରେ ଭୋଗ ହେବନି, ଏବଂ ଭୋଗ ନହେଲେ ଆଉ ଯାହା ହେଉ ନହେଉ ସକାଳୁ ଟିକେ ଟିକେ ଭୋଗ ଯେ ଖାଇବାକୁ ମିଳୁଛି ତାହା ମିଳିବନି ।
ମୁଁ ବଡ଼ଭାଇକୁ କହିଲି: ଯା! ତୁ ବି ଗାଧୋଇ ପଡ଼ ।
ବଡ଼ଭାଇ ଗାଲୁ ମାରିଲା, “ମୁଁ କାହିଁକି ଗାଧୋଇବି ।”
ମୁଁ ଜାଣିଲି ବଡ଼ଭାଇ ଫାଙ୍କି ଦେବାକୁ ବସିଚି । ମାତ୍ର ଏତେ ବଡ଼ ଅନ୍ୟାୟକୁ ବରଦାସ୍ତ କରିବା ମୋ ପକ୍ଷରେ ଅସମ୍ଭବ ଥିଲା । ବାଧ୍ୟ ହୋଇ ମୁଁ କଥାଟାକୁ ବୋଉର ନଜରକୁ ଆଣିଲି ।
କହିଲି, “ଭାଇ ବି ମଶାଣୀକୁ ଯାଇଥିଲା, କିନ୍ତୁ ଗାଧଉ ନାହିଁ ।”
ବଡଭାଇ ଆତ୍ମରକ୍ଷାର ସ୍ୱରରେ କହିଲା, “ମୁଁ ମଶାଣୀକୁ ଯାଇନି,”
କିନ୍ତୁ ମୁଁ ଜୋର ଦେଇ କହିଲି, “ହଁ ! ହଁ! ସେ ଯାଇଥିଲା ।”
ଅବଶେଷରେ ସେଇ ଦୁଃଖଦାୟକ ଘଟଣାଟି ଘଟିଲା । ବଡ଼ଭାଇ ଉପରେ ମାଡ଼ ହେଲା । ଉଭୟ ବାବା ବୋଉଙ୍କ ପକ୍ଷରୁ । ସେ କାନ୍ଦିଲା ଓ ଶେଷରେ ଲୁଗାବଦଳି ଗାଧେଇଲା । ମୋ ସହିତ ସାରା ସଞ୍ଜବେଳ କଥା କହିଲାନି । ରୁଷିଲା, ଆମର ଅପଡ଼ ହେଲା ।
ରାତିରେ ଶୋଇବାକୁ ଗଲାବେଳେ ସେ ମୋତେ କଥା କହିଲା । କହିଲା: ମୁଁ ପ୍ରକୃତରେ ମଶାଣୀକୁ ଯାଇନଥିଲି । ମୁଁ ମିଛ କହିଥିଲି ।
ମୁଁ ପଚାରିଲି, “ତେବେ ତୁ କୁଆଡ଼େ ଯାଇଥିଲୁ”?
ସେ ତାର ଅଭିଜ୍ଞତା ବର୍ଣ୍ଣନା କଲା । କହିଲା, “ମୁଁ ସେଇ ଭିକାରୁଣୀ ରହୁଥିବା ଜାଗାଟାକୁ ଯାଇଥିଲି । କଣ ଦେଖିଲି ଜାଣୁ? ଦେଖିଲି ଗୋଟେ ଖାଲି ଯାଗା । ହେଲେ ସେ ଖାଲି ଜାଗାଟା କେମିତି ଗୋଟେ ବିଚିତ୍ର ଦିଶିଲା । ଖାଁ ଖାଁ ଦିଶିଲା । ମୋ ଆଖିରେ ଖାଲି ଥରି ଉଠିଲା । ଯେମିତି ଭୂମିକମ୍ପ । ମୁଁ ସେଠୁ ପଳାଇ ଆସିଲି । ଏଣେ ତେଣେ ଦୌଡ଼ିଲି ତେବେ ଦୌଡ଼ିପାରିଲିନି । କେମିତି ଭୟ ଲାଗିଲା । ଲାଗିଲା ଯେମିତି ସବୁ ରାସ୍ତା ବନ୍ଦ ହୋଇ ଆସୁଛି । ରୁନ୍ଧି ହୋଇ ଆସୁଛି । ଗୋଟେ ଗଛ ମୂଳରେ ବସିଲି । କାନ୍ଦିଲି । ଫେରିଆସିଲି ।”
ମୁଁ ବଡ଼ ଭାଇର କାନ୍ଧରେ ହାତ ରଖିଲି ।
ଆଶ୍ୱାସନାର ହାତ ।
ବଡ଼ଭାଇ ମୋ ପାଖକୁ ଘୁଞ୍ଚି ଆସିଲା ।
କହିଲା, “ମରିଯିବାମାନେ କଣ ଜାଣୁ?”
ମୁଁ ପଚାରିଲି, “କଣ?”
ସେ କହିଲା, “ମରିଯିବା ମାନେ ହେଲା…?”
ସେ ଆଉ ଅଧିକ କିଛି କହିପାରିଲାନି । କେମିତି କହିଥାନ୍ତା? କାରଣ ସେତେବେଳେ ତାର ବୟସ ଥିଲା କମ୍ । ତା ମଥାରେ ନଥିଲା ଅଭିଜ୍ଞତା ନା ଥିଲା ଜ୍ଞାନ । ପୃଥିବୀର ସମସ୍ତ ନିଷ୍ଠୁର ଓ ଦୁଃଖଦ ଆବେଗକୁ ଶବ୍ଦରୂପ ଦେବା ପାଇଁ ସାମର୍ଥ୍ୟ ନଥିଲା ତା କଥାରେ । ମୋର ବି ବୟସ ଥିଲା ଆହୁରି କମ । କିନ୍ତୁ ମୋର ମନେ ହେଉଥିଲା ମୁଁ ଯେମିତି ସବୁ ବୁଝିପାରୁଚି । ବଡ଼ଭାଇର ମୁହଁର ଅଭିବ୍ୟକ୍ତି ମୋ ପାଇଁ ସରଳ ମାନସାଙ୍କ ଭଳି ସ୍ପଷ୍ଟ ହେଇ ଆସୁଥିଲା ।
କହିଲି, “ମୁଁ ବି ବାହାରକୁ ଯାଇଥିଲି । ତୁମେ ଯାହାଯାହା ଦେଖିଲ ମୁଁ ବି ସେଇଆ ଦେଖିଛି ।”
ବଡ଼ଭାଇ ମତେ କୁଣ୍ଢେଇ ପକାଇଲା
ଆମେ ଦୁଇଜଣ କାନ୍ଦି ପକେଇଲୁ ।