ସବୁ ରବିବାର ଭଳି ଆଜି ବି ସକାଳୁ ଗାଧୋଇ ଜଳଖିଆ ଖାଇ ସାଇକେଲ ଧରି ବାହାରି ପଡ଼ିଛି । ସାଇକେଲର ବ୍ୟବହାର ଏବେ ଏମିତି ସୀମିତ ହୋଇଯାଇଛି, କେବଳ ରବିବାର ଦିନକୁ । ଅଧ୍ୟାପକ ଜୀବନରେ ରବିବାର ସକାଳଟା ମୋର ସହକର୍ମୀ ତଥା ଅନ୍ୟାନ୍ୟ ସାଙ୍ଗସାଥି ଗହଣରେ କଟି ଯାଏ । ଆଜି ବାହାରିଛି ଅଧ୍ୟାପକ ବନ୍ଧୁ ଶିଶିରର ଗୃହାଭିମୁଖେ । ଗନ୍ତବ୍ୟର ଅଭିପ୍ରାୟ କିନ୍ତୁ ଶିଶିର ସହ ଘଣ୍ଟାଏ ଅଥବା ଦୁଇ ଘଣ୍ଟାର କଥୋପକଥନ ତଥା ଚା’ପାନ ନୁହେଁ, ଗନ୍ତବ୍ୟର ଲକ୍ଷ୍ୟ ହେଉଛି ବହୁଦିନ ପରେ କୁନୁଅପା ସହ ଭେଟ । କୁନୁଅପା ଶିଶିରର ଭାଉଜ ।
ଦଶବର୍ଷ ପରେ କୁନୁଅପା ସହ ଭେଟ ହେବାର ସମ୍ଭାବନା ହଠାତ୍ ମୋ ଆଗରେ ପହଞ୍ଚିଯିବ ବୋଲି ମୁଁ କେବେ ହେଲେ ଭାବି ନଥିଲି । ଶିଶିର ଯେତେବେଳେ ମୋତେ କହିଲା ଯେ, ତା’ ଭାଉଜ ମୋତେ ନିମନ୍ତ୍ରଣ କରିଛନ୍ତି ଏବଂ ଏଇ ରବିବାର ସକାଳେ ତାଙ୍କ ଘରକୁ ଯିବାକୁ ମୁଁ ବାଧ୍ୟ, ସେତେବେଳେ ମୁଁ ଖୁବ୍ ଅବାକ୍ ହୋଇଗଲି । କିନ୍ତୁ, ସେ ଯେତେବେଳେ ତା’ ଭାଉଜର ପରିଚୟଟା ମୋ ଆଗରେ ବାଢ଼ିଲା ଆନନ୍ଦରେ ଗଦ ଗଦ ହୋଇ ସେଇ ରାଜରାସ୍ତାରେ ସୌଜନ୍ୟ ପୋଷାକ ଫିଙ୍ଗିଦେଇ ତାକୁ ମୁଁ କୁଣ୍ଢାଇ ପକାଇଲି । ମୋର ଅତି ଆପଣାର କୁନୁଅପା ଶିଶିରର ଭାଉଜ । ଅଥଚ ଏକଥା ଆଜିଯାଏ ଶିଶିର ମୋତେ କହି ନଥିଲା । କେଡ଼େ ବୋକା ଏଇ ଶିଶିରଟା ।
ସାଇକେଲ୍ ପେଡ଼ାଲ୍ରେ ଗୋଡ଼ ଦେଉ ଦେଉ ମୁଁ ଦଶବର୍ଷ ପଛକୁ ଫେରିଗଲି ।
କୁନୁଅପା ମୋ କ୍ଲାସମେଟ । ତା’ର ବାପା ଆସିଷ୍ଟାଣ୍ଟ ଇଞ୍ଜିନିୟର । ନୂଆ ହୋଇ ସେମାନେ ସେତେବେଳେ ଆସିଥାନ୍ତି ଆମ ସାହିକୁ । ଆମର ଘର ପାଖରେ ତାଙ୍କର କ୍ୱାର୍ଟର୍ସ ।
ପ୍ରଥମଥର ପାଇଁ କୁନୁଅପା ଯୋଉଦିନ ଆମ ଘରକୁ ବୁଲି ଆସିଥିଲା ତା’ ବୋଉ ସହିତ, ମୁଁ ଖଟ ଉପରେ ଶୋଇ ଏକ ଡିଟେକଟିଭ୍ ଉପନ୍ୟାସ ପଢ଼ାରେ ମଗ୍ନ ଥିଲି । କୁନୁଅପାକୁ ମୋ ସାମ୍ନାରେ ଦେଖି ହଠାତ୍ ଛାତି ମୋର ଧଡଧଡ କରି ଉଠିଲା । ଲାଜେଇ ଯାଇ ମୁଁ ବହିଟି ଧରି ଅନ୍ୟ ଘରକୁ ଚାଲିଗଲି । ବୋଉ ଆସି ସେଇ ଖଟ ଉପରେ ସେମାନଙ୍କୁ ବସେଇ ତାଙ୍କ ସହିତ ଗପିବାରେ ଲାଗିଲା । ମନଟାକୁ ଖୁବ୍ ଜୋରରେ ଠେଲି ଠେଲି ବହିଟାର ପୃଷ୍ଠା ଭିତରେ ଆବଦ୍ଧ କରିବାକୁ ଚେଷ୍ଟାକଲି ସତ, କିନ୍ତୁ ପାରିଲି ନାହିଁ । ଉଠାଣିଆ ସଡ଼କରେ ଗୋଟାଏ ଠେଲାଗାଡ଼ିକୁ ଜୋର କରି ଠେଲି ଠେଲି ନେଇ ଛାଡ଼ିଦେଲେ ଯେମିତି ସେ ଖୁବ୍ ଜୋରରେ ତଳକୁ ଗଡ଼ି ଆସିବ, ମନଟା ମୋର ସେମିତି ଅମାନିଆ ହୋଉ ଉଠିଲା । କାନେଇ କାନେଇ ଶୁଣିବା ଭିତରେ କଥୋପକଥନର ଅନେକ ଅଂଶ ମୋ ମନ ଭିତରକୁ ପ୍ରବେଶ କରିଥିଲେ ସୁଦ୍ଧା, ସେଥିରୁ କେବଳ କେଇଟା ଶବ୍ଦ ମୁଁ ଆଜିଯାଏ ସାଇତି ରଖିପାରିଛି । କୁନୁ ଅପାର ବୋଉ କହୁଥିଲେ “ସତରେ ଦେଖିଲ! ପ୍ରଭାସ ଆଉ କୁନୁ କେମିତି ଭାଇଭଉଣୀ ଭଳି ଦେଖା ଯାଉଛନ୍ତି ।”
ତା’ପରଦିନ ସଞ୍ଜବେଳେ କୁନୁଅପା ମୋତେ ଡ଼କେଇ ପଠାଇଲା ତା’ ଘରକୁ । ବୋଉ କହିଲା “ଯାଉନୁ ବୁଲି ଆସିବୁ” । ମୁଁ ଡରି ଡରି କୁନୁ ଅପା ଘରେ ଯାଇ ପହଞ୍ଚôଲି । ତାଙ୍କ ଘର ବାରଣ୍ଡାରୁ ହିଁ କୁନୁ ଅପା ମୋତେ ସ୍ୱାଗତ ଜଣାଇଲା । ହସି ହସି କହିଲା “ଆଜି ମୁଁ କ୍ଲାସ ଯାଇପାରିନଥିଲି । ତମଠୁ ଅନର୍ସ ନୋଟ୍ଟା ମାଗିବା ପାଇଁ ତୁମକୁ ଡକାଇଥିଲି । ଚା’ ତଥା ବିସ୍କୁଟରେ ଆପ୍ୟାୟିତ କରି ସାରିବା ପରେ କୁନୁଅପା ପୁଣି ଆରମ୍ଭ କଲା । “ମାଉସୀ କହୁଥିଲେ ତମେ କୁଆଡ଼େ ମୋର ସାନଭାଇ ଭଳି ଦେଖାଯାଉଛ । ମୋତେ ତୁମେ ଅପା ବୋଲି ଡାକିବ? ଏ ପ୍ରଶ୍ନର ଉତ୍ତରରେ ମୁଁ କେବଳ ଛୋଟ ‘ହଁ’ଟିଏ ଭରିଦେଇଥିଲି । କୁନୁଅପାର ସ୍ମାର୍ଟ ବ୍ୟକ୍ତିତ୍ୱ ନିକଟରେ ମୁଁ ନିଜକୁ ଅନେକ ଛୋଟମନେ କରୁଥିଲି ।
କୁନୁ ଅପା ଯେ କେବଳ ସ୍ମାର୍ଟ ନୁହେଁ ବରଂ ଏକାଧାରାରେ ଭଲ ଛାତ୍ରୀ, ଉତ୍ତମ ଗାୟିକା ଏବଂ ଭଲ ଡିବେଟର-ସେଇଟା ମୁଁ ଆସ୍ତେ ଆସ୍ତେ ଜାଣିପାରିଲି ଆମ ଘନିଷ୍ଠତା ବଢ଼ିବା ସଂଗେ ସଂଗେ । ବୋଉ ସହିତ ଟିକି ଭଉଣୀ ମୀନା ସହ ଏବଂ ଏକାକୀ ମଧ୍ୟ ଅନେକଥର ମୁଁ କୁନୁଅପା ଠାରୁ ତା’ର ସୁଲଳିତ କଣ୍ଠରେ ଗୀତ ଶୁଣିଛି । ବହୁ ପରେ ମୁଁ ଜାଣିଲି ଯେ କୁନୁଅପା ଗଳ୍ପ ବି ଲେଖେ ।
କୁନୁ ଅପାକୁ ପରିହାସ ଛଳରେ ଦିନେ ମୁଁ ପଚାରିଥିଲି-“କୁନୁ ଅପା, ତମେ ଜୀବନରେ କ’ଣ ହେଲେ ଖୁସି ହେବ?” କୁନୁଅପା ହସି ହସି ସହଜ କଣ୍ଠରେ କହିଥିଲା, “ଖୁବ ଭଲ ଲେଖିପାରିଲେ, ଖୁବ୍ ଭଲ ଗାଇପାରିଲେ ।”
“ଆରେ ପ୍ରଭାସ । ଏଇଠି ରହ ।” ଶିଶିରର ଡାକ ଶୁଣି ସାଇକେଲରେ ମୁଁ ବ୍ରେକ ଦେଲି । ସାମ୍ନାରେ ଗୋଟିଏ କୋଠାଘର ବାରଣ୍ଡାରେ ଠିଆ ହୋଇଛି ଚାରି ପାଞ୍ଚ ବରଷର ସୁନ୍ଦର ଶିଶୁଟିଏ । ପାହାଚରେ ଗୋଡ଼ ଦେଉ ଦେଉ ଶିଶିର ଶିଶୁଟି ସହ ପରିଚୟ କରିଦେଲା । “ଏଇଟା ମୋ ପୁତୁରା ।”
କୁନୁଅପାର ପୁଅ ତା’ ହେଲେ ଏତେ ବଡ଼ ହୋଇଗଲାଣି । କୁନୁଅପା ବି ତ ବେଶ୍ ବୟସ୍କ ଜଣାପଡ଼ୁଥିବ ।
ସୁସଜ୍ଜିତ ଡ୍ରଇଂ ରୁମରେ ବସାଇ ଦେଇ ଶିଶିର ଚାଲିଗଲା ତା’ ଭାଉଜକୁ ଡାକିବାକୁ ।
ଘରଟି ବେଶ ସୁସଜ୍ଜିତ । ଘରର ପ୍ରତ୍ୟେକ କୋଣ ଅନୁକୋଣରେ କୁନୁଅପାର ଆର୍ଟିଷ୍ଟିକ ଟଚ୍ ମୁଁ ଅନୁଭବ କଲି । କୁନୁଅପା ୟା ଭିତରେ ନିଶ୍ଚୟ ଜଣେ ସୁଗାୟିକା ହୋଇଯାଇଥିବ । ମନେ ମନେ ସ୍ଥିର କଲି କୁନୁଅପାକୁ ନିଶ୍ଚୟ ଗୀତଟିଏ ଗାଈବାକୁ ବାଧ୍ୟ କରିବି ।
“ଟୁନୁ”- ବହୁ ପରିଚିତ ସେଇ କଣ୍ଠସ୍ୱର । ପଛକୁ ଫେରି ଚାହିଁଲି । କୁନୁଅପା ହାତରେ ଜଳଖିଆ ପ୍ଲେଟ୍ ଧରି ଠିଆ ହୋଇଛି । ଦଶବରଷ ଭିତରେ କୁନୁଅପାର ଚେହେରା ଏତେ ବଦଳିଗଲା ।
“ବସ୍ ଟୁନୁ”-ଜଳଖିଆ ପ୍ଲେଟଟି ଟେବୁଲ ଉପରେ ଥୋଉ ଥୋଉ କୁନୁଅପା କହିଲା- “ୟା ଭିତରେ କେଡ଼େ ବଡ଼ ହୋଇଗଲୁଣି । ଖୁବ୍ ବଡ଼ ଲୋକ ବି ହୋଇଗଲୁଣି । ମୁଁ ତ ଭାବିଥିଲି ମୋତେ ଭୁଲିଯାଇଥିବୁ ବୋଲି । ଭାବିଥିଲି ଡାକିବା ସତ୍ତ୍ୱେ ତୁ ଆମ ଘରକୁ ଆସିବୁନି ।
“କୁନୁ ଅପା, ତମେ ଯାହା କୁହନା!”- ବହୁ ଦିନର ସଂଚିତ ଅଭିମାନ କୁନୁଅପା ଉପରେ ଏଇ କେତୋଟି ଶବ୍ଦ ସାହାଯ୍ୟରେ ଅଜାଡ଼ି ଦେଲି ।
“କିନ୍ତୁ ସତରେ କୁନୁଅପା, ତମେ ଏବେ ଦରବୁଢ଼ୀ ଦେଖାଗଲଣି ।”
ଖିଲିଖିଲି ହୋଇ କୁନୁଅପା ହସି ଉଠିଲା । ସେଇ ପୁରୁଣା ମନ ଖୋଲା ହସ ।
“କୁନୁ ଅପା, ତମେ ୟା ଭିତରେ ଆଉ କେତୋଟି ଗଳ୍ପ ଲେଖିଲଣି? ୟା ଭିତରେ ତମେ ଖୁବ୍ ଭଲ ଗୀତ ଗାଇବା ଅଭ୍ୟାସ କରିସାରିଥିବ । ଦଶବରଷ ହେଲା ତମ କଣ୍ଠରୁ ଗୀତ ଶୁଣି ନାହିଁ । ଆଜି ତମକୁ ନିଶ୍ଚୟ ଗାଇବାକୁ ହେବ ।
ଏତେ ଗୁଡ଼ାଏ ପ୍ରଶ୍ନ ତଥା ଦାବିର ଚାପରେ କୁନୁଅପା ବୋଧେ ଟିକେ ଆସ୍ୱସ୍ଥ ହୋଇ ପଡ଼ିଲା । କହିଲା- “ଆଜି ନାହି । କାଲି ରାତିରେ ତୁ ଏଠି ଖାଇବୁ । ସେତିକି ବେଳେ ଗାଇବି ।”
ଅଳ୍ପ ସମୟ ପରେ କୁନୁଅପା ଠାରୁ ବିଦାୟ ନେଇ ଆସିଲି । ଅବଶ୍ୟ କଥା ଦେଇ ଯେ ତା’ ପରଦିନ ରାତିରେ ମୁଁ ନିଶ୍ଚୟ ଯିବି ।
ତା’ପରଦିନ କଲେଜରେ ଶିଶିର ମୋତେ ଚିଠିଟିଏ ଦେଲା । କୁନୁଅପାର ଚିଠି । ଆଶ୍ଚର୍ଯ୍ୟ । ରାତିରେ ତ କୁନୁଅପା ସହ ଭେଟ ହେବ । ସେ ପୁଣି ଚିଠିଟାଏ କାହିଁକି ଦେଲା । ଶିଶିର କହିଲା- “ମୁଁ ଜାଣିନି । ଭାଉଜ କେବଳ କହିଲେ ତୋତେ ଦେଇ ଦେବାକୁ ।
ବନ୍ଦ ଲଫାପା ଭିତରୁ ଚିଠିଟିକୁ ଉଦ୍ଧାର କରି ପଢ଼ିଲି-
“ଟୁନୁରେ! ମୁଁ ଜାଣିଛି ମୋ ଗୀତ ଶୁଣିବାରେ ତୋର କେଡ଼େ ଆଗ୍ରହ । ଗପ ଲେଖିବା ଠାରୁ ଗୀତ ଗାଇବା ପର୍ଯ୍ୟନ୍ତ ମୋର ସବୁ ଆମ୍ବିସନ୍ ପଛରେ ଗୋଡ଼ାଇବାକୁ ତୁ ସବୁବେଳେ ମୋତେ ଉତ୍ସାହ ଦେଇ ଆସିଛୁ । କିନ୍ତୁ ସେ ସବୁ ଆଉ ସମ୍ଭବ ହେଉନି । କାରଣ ଖୋଜିବୁନି । ସବୁ ଜିନିଷର କାରଣ ଖୋଜିଲେ ମନ ଦୁଃଖ ହୋଇପାରେ । ଭୁଲ ବୁଝିବୁନି । ରାତିରେ ଆସିବୁ ନିଶ୍ଚୟ ।
ତୋର କୁନୁ ଅପା ।