ସୁପ୍ରିୟା ମିଶ୍ର ତାଙ୍କ ଘର ଉପରମହଲାରେ ବସି ତାଙ୍କ ସ୍ୱର୍ଗବାସୀ ବାପାଙ୍କୁ ମନେ ପକାଉଥିଲେ । ସମୟ ଉପରବେଳା । ଏବଂ କାନ୍ଥରେ ଶୋଭା ପାଉଥିବା ତାଙ୍କ ବଡ଼ ଫଟୋ ଆଡ଼କୁ ଟିକିଏ ଅନେଇ ଦେଇ ସ୍ମୃତିକଥାଗୁଡ଼ିକର ମାଧୁରୀକୁ ଅଧିକରୁ ଅଧିକ ଅନୁଭବ କରୁଥିଲେ । ଯାହାର ଶେଷ କଥା ଥିଲା:
ଏଇ ଲୋକଟି ମୋତେ କେତେ ଭଲ ପାଉ ନଥିଲା ମ? ସତେ ଅସାଧାରଣ!
…ମଲା, ବାପ ତା’ ଝିଅକୁ ଭଲ ପାଇବାରେ ନୂଆ କଥା କ’ଣ ଅଛି? ତା’ ଛଡ଼ା ଭୁଲି ଯାଆ ନାହିଁ ଯେ ତୁ ତୋ ବାପାମାଆଙ୍କର ଗୋଟିଏ ବୋଲି ଝିଅ । ଏବଂ କୋଡ଼ପୋଛା, ତିନି ପୁଅଙ୍କ ପରେ । ସେହେତୁ ଗେହ୍ଲାର କିିଛି ଅଧିକ ବୋନସ୍ ମାର୍କ ମିଳିଥିବ ତୋତେ, ଯାହାକି ସ୍ୱାଭାବିକ । ତା ବୋଲି ଅସାଧାରଣ? ତୋର କଣ ମୁଣ୍ଡ ଖରାପ? ସେଇଠୁଁ ଦିନେ କହିବୁ ଯେ ମୋ ବୋଉ ମୋତେ ଯେମିତି ଭଲ ପାଏ ନା, କେତେଜଣ ମାଆ ସେମିତି ଭଲ ପାଇବେ ତାଙ୍କ ଝିଅକୁ? ଆଉ ଦିନେ କହିବୁ ଯେ ‘ସିଏ’ ମୋତେ ଯେମିତି ଭଲ ପାଆନ୍ତି ନା…! ଫୁଲେଇ ଟାଏ!…
କିନ୍ତୁ ସୁପ୍ରିୟା ଅପରପକ୍ଷର ଏଇ ଇତରସାଧାରଣ ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନଥିଲେ । କହିଲେ, ହଁ, ମୁଁ ଅଳ୍ପ ବହୁତ ଫୁଲେଇ ହୋଇପାରେ, କିନ୍ତୁ ମୁଁ କଣ ମିଛୁଟାରେ ଫୁଲେଇ ହେଉଛି? ଆରେ, ମୋ ସଂସାରର ନିଜ ଲୋକମାନେ ଯଦି ମୋତେ ଏ -ତେ ଭଲ ପାଆନ୍ତି, ଯାହା ଜଳଜଳ ହୋଇ ଦିଶିଆଯାଉଛି ମୋତେ, ମୁଁ ତା’କୁ ଅସ୍ୱୀକାର କରିବି କେମିତି?
ମୋ ବାପା ଜଣେ ବଡ଼ ଅଫିସର ଥିଲେ । ‘ବନସ୍ପତି ବିକାଶ ନିଗମ’ର ବଡ଼ କର୍ତ୍ତା ମ୍ୟାନେଜିଂଗ୍ ଡାଇରେକ୍ଟର । ଯାହାକି କେବଳ ସଚିବ ପାହ୍ୟାର ପଦବୀ ନୁହେଁ, ବସ୍ତୁତଃ ତା’ ଠାରୁ ଊଦ୍ଧ୍ୱର୍ରେ । ଆମ ରାଜ୍ୟର ଏଇ ବିଶିଷ୍ଟ ନିଗମକୁ ମିଳିଥିବା ମର୍ଯ୍ୟାଦା ହେତୁ । ସେତେବେଳେ ସେସବୁ କଥା ଜଣା ନଥିଲା ମୋତେ, ବାହାଘର ପରେ ଯାଇଁ ଜାଣିଲି ୟାଙ୍କ ଠାରୁ । କିନ୍ତୁ ସେତେବେଳେ, ମାନେ ମୋ କୁଆଁରୀ ଜୀବନଟା ଯାକ, ମୁଇଁ ଥିଲି ମନେ ମନେ ସବୁଠାରୁ ବଡ଼ ପଦବୀର ଅଧିକାରୀ । ବିଶେଷତଃ ମୋ ପିଲାଦିନେ । କାରଣ ଫୁରୁସତ୍ ବେଳେ ତାଙ୍କ କୋଳ ନାମକ ସିଂହାସନରେ ଭୁସ୍କିନି ବସିପଡ଼ି ମୁଁ ଯେମିତି ଅନଉଥିଲି ପୃଥିବୀର ପ୍ରାଣୀମାନଙ୍କୁ, ଆମ ଘର ଲୋକମାନଙ୍କ ସମେତ, ମୋର ମନେ ହେଉଥିଲା ଯେ ପିୟାହିଁ ରାଜ୍ୟର ମହାରାଣୀ, ତମେ ସେ କଥା ବୁଝ ନ ବୁଝ । ଏବଂ ମଝିରେ ମଝିରେ ତାଙ୍କ ମୁହଁକୁ ଅନେଇ ହସି ଦେଉଥିଲି ଟିକିଏ, ଚୁମାଟିଏ ପାଇବା ପାଇଁ । ଏବଂ ପାଉଥିଲି, ପ୍ରାୟ ପ୍ରତେକ ଥର । କିନ୍ତୁ ଯେତେବେଳ ମୋର ମନେ ହୁଏ ଯେ ମୋ ପାଉଣା ମିଳୁନାହିଁ ମୋତେ, ମୁଁ ଏମିତି ଗୁମ୍ ହୋଇ ରହେ ତାଙ୍କ ସାଂଗରେ ପାଟି ନ ଫିଟେଇ, ଯେ ସେ ବୁଝନ୍ତି କଥାଟା କଅଣ । ଏବଂ ସେଇଠୁଁ ସେ ଯେମିତି ବ୍ୟସ୍ତ ହୋଇ ଉଠନ୍ତି ମୋତେ ମନେଇବା ପାଇଁ, କୁତୁକୁତୁ ଠାରୁ ଆରମ୍ଭ କରି ଗେହ୍ଲାରେ ଗେହ୍ଲାରେ ମୋତେ ଅଣନିଃଶ୍ୱାସୀ କରିବା ଯାଏଁ, ତା’ ଦେଖିବା କଥା!
ହଁ, ମୁଁ ପ୍ରଣବ ଫୁଲେଇ । କିନ୍ତୁ ସେଥିପାଇଁ ଏଇ ଲୋକଟି ଦାୟୀ, ଏଇ ଲୋକଟି!
ଏଇ ହେଉଛନ୍ତି ନମ୍ବର ଉଆନ୍ । ଯାହାଙ୍କ ଭଲପାଇବାକୁ ନେଇ ମୋତେ ଏମିତି ‘ବଡ଼ଲୋକ’ ହେଲା ପରି ଲାଗୁଛି । ମୋ ହେତୁ ପାଇବା ଦିନୁ, ଯେ ମୋର ମନେ ହୁଏ ଯେ ମୁଁ ଆଉ ଯାହା ପାଇଛି ଅନ୍ୟମାନଙ୍କଠାରୁ, ପ୍ରୀତି-ପ୍ରେମ-ଶ୍ରଦ୍ଧା-ସ୍ନେହ ଇତ୍ୟାଦିର ସଂଭାର, ସେସବୁ ସହଜେ ମିଳିଥାଆନ୍ତା ମୋତେ । ମୁଖ୍ୟ ଅତିଥିଙ୍କ ଠାରୁ ଗୋଟାଏ ଆଖିଦୁରୁଶିଆ ଡବଲ୍ ଫୁଲମାଳାର ଅଧିକାରୀ ହେଲାପରେ, ଚୂନାଫୁଲସବୁ ଯେମିତି କୁଢ଼େଇ ହୋଇଯାଏ କେଉଁ ମହାନ ବ୍ୟକ୍ତିଙ୍କ ପ୍ରତିକୃତି ଉପରେ, ଏବଂ ସେ ତା’ର ହିସାବ ରଖିପାରୁନଥିବେ ।
ବାପା ହସୁଛନ୍ତି କେମିତି ଦେଖି ପାରୁନ? ନା, ତମେ ସବୁ କେହି ଦେଖିପାରୁ ନଥିବ । ଦେଖୁଥିବ କେବଳ ଜଣେ ସୌମ୍ୟ, ଶାନ୍ତ, ଗୁରୁଗମ୍ଭୀର ଗୃହସ୍ୱାମୀ ତଥା ଉଚ୍ଚ ପଦାଧିକାରୀଙ୍କ ମୁହଁ । ବାପାଙ୍କୁ କେହି କେବେ ଭୁରୁଂଗାମୁହାଁ କି ଶୁଖିଲା ମୁହାଁ ବୋଲି କହିବ ନାହିଁ । କିନ୍ତୁ ଯେଉଁ ହସଟିଏ, ହସର ଝଲକଟିଏ, ଆଭାସଟିଏ, ସେ ଚୁପ୍କିନି ବଢ଼େଇ ଦିଅନ୍ତି ମୋ ଆଡ଼କୁ, ଏବଂ ଖାସ୍ ମୋରି ପାଇଁ, ତା’ କେତେଜଣଙ୍କ ଆଖିରେ ପଡ଼ିବ? ଏଇକ୍ଷଣି ବି ସେ ହସୁଛନ୍ତି ସେମିତି ମୋ ଆଡ଼କୁ ଚାହିଁ । ଗୋପନରେ, ନୀରବରେ । ଆଉ କହୁଛନ୍ତି,-ହଁ ଲୋ ଝିଅ, କଥାଟା ଠିକ୍ ସେଇଆ ନୁହେଁ କି?
ବସୁଥିଲି ଯାଇଁ ସେଇ ସିଂହାସନରେ କେଜାଣି କେତେ ବର୍ଷ ଯାଏ । ନିନ୍ଦୁକ ଭାଷାରେ ବୁଢ଼ୀଟିଏ ହେବାଯାଏଁ । ଭାଷାଟା ବୋଉ ଓ ଭାଇମାନଙ୍କ ହାଲୁକା ଥଟ୍ଟା ହେଉ ବା ପ୍ରତିବେଶିନୀ ଆଣ୍ଟିଙ୍କର ଆକ୍ଷେପ । କିନ୍ତୁ ଆମେ କୋଉ ପରୁଆ କରୁଥିଲୁ ସେମାନଙ୍କୁ ।
ହେଲେ ମୋତେ ହିଁ ଦିନେ ବୁଝିବାକୁ ପଡ଼ିଲା ଯେ ଏଣିକି ସୁନ୍ଦର ଦିଶିବ ନାହିଁ ମୁଁ ତାଙ୍କ କୋଳରେ ବସି ଗେହ୍ଲେଇ ହେଲେ । ସେଇଠୁଁ ମୁଁ ଧିରେ ସୁସ୍ଥେ ଏବଂ ସ୍ୱଇଚ୍ଛାରେ ଓହ୍ଲେଇ ଆସିଲି । ଏବଂ ସେ ବି ମୋତେ ବଳେଇଲେ ନାହିଁ । କିନ୍ତୁ ମୁଁ ସହଜେ ହାରିଯବା ଲୋକ ନୁହେଁ । ସିଂହାସନରୁ ଓହ୍ଲେଇ ଆସିଲି ସିନା, ମୁଁ ତାଙ୍କ ପାଖରେ ବସିପଡ଼ୁଥିଲି ଓ ବସି ରହୁଥିଲି ମନ ଇଚ୍ଛା । ତାଙ୍କ ଅଫିସ୍ରୁ ଆସିଥିବା କେଉଁ ନିତାନ୍ତ ସରକାରୀ ଏବଂ ବାହାର ଲୋକ ତାଙ୍କ ପାଖରେ ନଥିଲେ । ସେ ତାଙ୍କ ବହି ପଢ଼ା କି ଆଉ କୋଉ କାମ ଭିତରେ ବି ତାଙ୍କ ହାତ ବେଢା଼ଇ ଆଣନ୍ତି ମୋ ଉପରେ, ମଝିରେ ମଝିରେ, ଏବଂ ମୋତେ ଚାପି ଧରନ୍ତି ଟିକିଏ । ବାସ୍, ସେଇ ଯଥେଷ୍ଟ ମୋ ପାଇଁ । କାଲି ସକାଳେ ବାହା ହେବାକୁ ଯାଉଥିବା (ଯାହା ବୋଉ ସଦାବେଳେ କହିଚାଲିଛି ବାପାଙ୍କୁ ଓ ମୋତେ) କେତେଟା ଝିଅଙ୍କୁ ମିଳେ ଏଭଳି ପିତୃସ୍ନେହର ଅଂଗୀକାର?
କେହି ମୋର ପ୍ରତିଦ୍ୱନ୍ଦୀ ନଥିଲେ ।
ନା, ନା, ଥିଲେ । ଯେତେକ ଅପରଛନିଆ ବିଲେଇ!…ସୁପ୍ରିୟା ହସି ଉଠିଲେ ସେଇ ଦୃଶ୍ୟକୁ ମନେ ପକାଇ ।.. ଯେତେବେଳେ ସେମାନେ ବି କୋଉଠୁ ଆସି ପହଞ୍ଚିଯାଉଥିଲେ ବାପାଙ୍କ କୋଳରେ ବସିବା ପାଇଁ, ହେଲେ ମହାରାଣୀ ପିୟାକୁ ମୂହୁର୍ତ୍ତେ ସମୟ ଲାଗୁନଥିଲା ତାଙ୍କୁ ତଳକୁ ଫିଙ୍ଗି ଦେବା ଲାଗି । ଏତେ ସାହସ ତୋର, ଆସିଛୁ ମୋ ସିଂହାସନରେ ଭାଗ ପକେଇବୁ?
ମଧ୍ୟ ମୁଁ ରାଗୁଥିଲି ବାପାଙ୍କ ଉପରେ, ଯେ ସେ ନିଜେ ସେମିତି କିଛି କରୁନାହାନ୍ତି । ଅବର୍ଯ୍ୟା ଜନ୍ତୁଗୁଡ଼ାଙ୍କୁ ଚଟ୍କିନି ଠେଲି ଦେଉ ନାହାନ୍ତି ତଳକୁ, ଯଦିଓ ତାଙ୍କୁ ବେଶ୍ ଜଣା ଅଛି ଯେ ମୁଁ ସେଗୁଡ଼ାଙ୍କୁ ହେଟ୍ କରେ । ଏତେ ସମଝ୍ଦାର ହୋଇ କ’ଣ ସେ ବୁଝିବାକୁ ନାହାଁନ୍ତି, ମୁଁ ତାଙ୍କୁ କାହିଁ କି ହେଟ୍ କରେ? ଆଶ୍ଚର୍ଯ୍ୟ!
ତେବେ କେବେ ହେଲେ ତିଆରି ନାହାଁନ୍ତି ମୋତେ ଯେ ମୁଁ ଏଭଳି ଅଭଦ୍ର ଏବଂ ନିଷ୍ଠୁର ବ୍ୟବହାର କରୁଛି ସେମାନଙ୍କ ପ୍ରତି । ବେଳେ ବେଳେ ମୋତେ ଟିକିଏ ଥଟ୍ଟା କରନ୍ତି ଯାହା, ମୋର ଏଇ ଅହେତୁକ ବିଲେଇ ବିରାଗକୁ ନେଇ । ଥରେ ବି’ ପଚାରିଥିଲେ ମୋତେ ସେ ବିଷୟରେ ବୋଧହୁଏ କୌତୁହଳ ବଶତଃ-ଆଲୋ, ତୁ କାହିଁକି ଏତେ ରାଗୁ ତାଙ୍କ ଉପରେ? କେତେ ସୁନ୍ଦର ରୁମୁରୁମିଆ ଗେହ୍ଲେଇ ଫୁଲେଇ ଜନ୍ତୁଗୁଡ଼ିଏ, ସେମାନେ ତୋର କଣ କ୍ଷତି କରନ୍ତି? ସେତେବେଳକୁ ମୁଁ ଟିକିଏ ବଡ଼ ହୋଇଗଲିଣି । କେମିତି ଭଲା ମୁହଁ ଖୋଲି କହିବି ଯେ ମୁଁ ବାଦ କରୁଛି ସେମାନଙ୍କ ଉପରେ, ମୋ ସିଂହାସନରେ ବସିବାକୁ ଚାହାଁନ୍ତି ବୋଲି? ଆଉ ସତକଥା କହିବାକୁ ଗଲେ ସେମାନେ କେହି ଅପରଛନିଆ ନଥିଲେ । ଅପରଂତୁ ତାଙ୍କୁ ସୁଂଦରିଆ ବୋଲି କହିବାକୁ ହେବ । ସେଇଠୁଁ ମୁଁ ହଠାତ୍ କହି ପକେଇଲି, ଗୋଟାଏ ଖିଆଲ୍ରେ-
“ତାଙ୍କ ଆଖି ଦିଟାକୁ ମୁଁ ସହ୍ୟ କରି ପାରେ ନାହିଁ”
“ଆଖି ଦିଟା? ଚିଲା, ଢ଼ାଉଆ, ଶାଗୁଆ, ନା ଆଉ କଅଣ?” କହି ହସୁଛନ୍ତି । ସତେକି ମୁଁ ଗୋଟାଏ ବିଚିତ୍ର କଥା ଶୁଣେଇଲି ତାଙ୍କୁ ।
“ ମୁଁ ଜାଣେ ନାହିଁ, କିନ୍ତୁ ତମ ଆମ ଆଖି ପରି ନୁହେଁ, ଆଉ ପ୍ରକାରେ ।”
ବାପା ଅନେଇଲେ ମୋ ଆଡ଼କୁ ଟିକିଏ ଆଶ୍ଚର୍ଯ୍ୟ ହୋଇ । ସେଇଠୁ ଧୀରେ ଧୀରେ ଏବଂ ନିଶ୍ଚିତ ଭାବରେ ମୁଣ୍ଡ ଟୁଂଗାରିଲେ ଏବଂ ମନକୁ ମନ ହସିଲା ପରି ହେଉଛନ୍ତି, ମୋ କଥାର ସାରବତ୍ତା ବୁଝିଲା ପରି । ମଧ୍ୟ ତାକୁ ଅନୁଭବ-ଉପଭୋଗ କଲା ପରି ।
“ଠିକ୍ କହିଛୁ । ଆଉ ପ୍ରକାରେ, ଏଣ୍ଡ୍ ଇଟ୍ କ୍ୟାନ୍ ବି ଟେରିବଲ୍- ନୋ?” ‘ଟେରିବଲ୍’ର ଅଥ ‘ଭୟାନକ’, ଯାହା ଅଭିଧାନ କୁହେ । ତେଣୁ ମୁଁ ବୁଝିଲି ନାହିଁ ବାପାଙ୍କୁ କ’ଣ ଟା ମଜା ଲାଗୁଛି, ଓ ସେ ତା’କୁ ଉପଭୋଗ କରୁଛନ୍ତି । ଅଜବ୍ ଲୋକଟିଏ, ମୋର ଏଇ ବାପାଜଣକ!
ଏନିୱେ ଡ୍ୟାମ୍ ଦି ଷ୍ଟୁପିଡ଼ କ୍ୟାଟ୍ସ୍!
ସୁପ୍ରିୟା ଫେରିଆସିଲେ ତାଙ୍କ ପୂର୍ବର ଭାବଭାବନାକୁ ଏବଂ ନିଜକୁ କହିଲେ ଯେ ମୁଁ ଆଜି ଗୋଟାଏ ବିଶେଷ କାରଣରୁ ମନେ ପକାଉଛି ଏମିତି ମୋ ବାପାଙ୍କୁ ଯାହାର ଆଧାର କେବଳ ଆମ ଦି’ଜଣଙ୍କ ଭିତରେ ଥିବା ଭଲ ପାଇବା ଏବଂ ପ୍ରବେଶ ନିଷେଧ କେଉଁ ବ୍ୟକ୍ତି, ବସ୍ତୁ ଅଥବା ବିଲେଇର ।
…କିନ୍ତୁ ମୁଁ ବାପାଙ୍କ ପାଖରେ ଏମିତି ଗେହ୍ଲେଇ ଫୁଲେଇ ହେଉଥିଲି ବୋଲି କ’ଣ ଭାବିଛ ସେ ମୋତେ ପ୍ରଶୟ ଦେଉଥିଲେ, ଯେଉଁଥିରେ ମୋ ପଢ଼ାପଢ଼ିକୁ ବାଧା ହେବ, କି ମୋ ସ୍ୱଭାବ ଚରିତ୍ର ବିଗିଡ଼ିଯିବ? ମୋଟେ ନୁହେଁ । ବାପା ଜଣେ ଘୋର ନୀତିବାଦୀ ଥିଲେ ଏବଂ ମୋତେ ଗେହ୍ଲା କରିବା ଭିତରେ ସେ ତାର ବର୍ଣ୍ଣମାଳା ମୋ ମୁଣ୍ଡରେ ପୂରେଇବାର ସୁଯୋଗ ଛାଡ଼ୁନଥିଲେ । ଏବଂ ଏପରି ଭାବରେ, ଯେ ମୁଁ ତାଙ୍କୁ ଆଡ଼େଇ ଦେବାକୁ ଚାହିଁବି ନାହିଁ । କାରଣ ମୁଁ ବୁଝିବି ଯେ ଭଲ କଥାଗୁଡ଼ାକ ମଧ୍ୟ କେତେ ସୁନ୍ଦର ଆଉ ଠିକଣା କଥା, ଏବଂ ଖରାପ କଥା ଗୁଡ଼ାକ କେତେ ଗଂଧିଆ । ଯଥା, କହୁଥିଲେ-
“ବୁଝିଲୁ ନା ‘ପିଉ’ (ମୋର ସର୍ବସାଧାରଣ ଡାକ ନାଆଁ ଥିଲା ‘ପିୟା’ ହେଲେ ‘ପିଉ’ ଥିଲା ମୋର ସ୍ପେଶାଲ ଡାକ ନାଆଁ ବାପାଙ୍କ ପାଇଁ), ମିଛ କହିବା ମହାପାପ ହେଉ ବା ନ ହେଉ, ତା ପରେ ଏମିତି ଲାଜ ଲାଗିବ ତୁମକୁ ଯେ କ’ଣ କହିବି ଯେ, ମୁଁ ଜାଣିଶୁଣି ଗଧକୁ ଘୋଡ଼ା ବୋଲି କହିଲି କେମିତି? ମୁଁ କ’ଣ ଏତେ ବୋକା ନା ପାଗଳ? ସେତେବେଳେ ତମର ସତରେ ଇଚ୍ଛା ହେବ ଶାସ୍ତି ପାଇବା ଲାଗି…” । ସେଇଠୁ ଏମିତି ଚାହିଁଲେ ମୋ ଆଡ଼କୁ, ମୁର୍କି ହସଟିଏ ଦେଇ, ଯେ ମନେ ହେବ ସେ ଅପେକ୍ଷା କରିଛନ୍ତି କେତେବେଳେ ମୋ ମନର ଲାଜ କଥାଗୁଡ଼ା ବାହାରି ଆସିବ ପଦାକୁ । ହେଲେ ସେ ଦିଗରେ ସେ ବିଶେଷ ସଫଳ ହୋଇଛନ୍ତି ବୋଲି କହିହେବ ନାହିଁ ।
ଏଇ ଗେହ୍ଲା ଜିନିଷଟା ଉପରେ ମଧ୍ୟ ସେ କ’ଣ ତାଙ୍କର ସ୍ପେଶାଲ ଟୀପ୍ପଣୀ ଶୁଣେଇ ନାହାଁନ୍ତି ମୋତେ? କହିଲେ- ମନେ ରଖ, ହେଉ ପଛେ ସିଏ ଯେ କୌଣସି ଧରଣର ଭଲ ପାଇବା, ବାପା ଓ ପିଉଙ୍କ ଭିତରେ, ପିଉର ବାପା ଓ ତା’ ମାଆଙ୍କ ଭିତରେ (ଟିକିଏ ହସି ଦେଇ) ଅବା ସାଂଗମାନଙ୍କ ଭିତରେ, ସେଥିରେ ଗୋଟାଏ ଦାୟିତ୍ୱ ଅଛି । ଅବଶ୍ୟ ସବୁ ଦାୟିତ୍ୱ ଏକାଭଳି ନୁହେଁ । ହେଲେ ତୁମକୁ ହିଁ ତାର ଗ୍ରେଡ଼ ଦେବାକୁ ପଡ଼ିବ । କ’ଣ ବୁଝୁଛୁ ନା ମୁଁ କ’ଣ କହୁଛି? (ମୁଁ ମୁଣ୍ଡ ଟୁଙ୍ଗାରି ଦିଏ, ସବୁ ବୁଝିଲା ପରି) ଯେମିତିକି କୋଉ ଦାୟିତ୍ୱ କେତେ ମୂଲ୍ୟବାନ ତମ ପାଇଁ, ତା’ର ଧାରଣା ଖଞ୍ଜି ହୋଇ ରହିବ ତମ ମନରେ ଏବଂ ତମେ ଖାଲି ହସ ଖୁସି ହେବ ନାହିଁ, ଗେହ୍ଲାର ଦିଆନିଆ ହୋଇ । ତମେ ମଧ୍ୟ ଆର ଲୋକଟି ପାଇଁ କିଛି କଠିନ କଥା କରିବ, ଦରକାର ହେଲେ । ତା’ର ସୁଖ ପାଇଁ, କିମ୍ବା ତାକୁ କେଉଁ ବିପଦରୁ ରକ୍ଷା କରିବା ଲାଗି । ଯଦିଓ ସେଥିରେ ତମକୁ ବେଶ୍ କିଛି କଷ୍ଟ ହୋଇପାରେ । ଏଇଆକୁ ସାଧୁ ଭାଷାରେ କୁହନ୍ତି ସ୍ୱାର୍ଥତ୍ୟାଗ । ବଡ଼ ହେଲେ ବୁଝିବୁ ତାର ଅର୍ଥ କଅଣ, ଆଉ ସେଥିରେ ଯେଉଁ ସ୍ପେଶାଲ୍ ଆନନ୍ଦ ମିଳେ ତମକୁ… ।
କିନ୍ତୁ ତାଙ୍କ ବଚନିକା ସରିବା ଯାଏଁ ଗଲା ନାହିଁ । ଫୁଲେଇ ପିଉ ତାଙ୍କୁ ପଚାରି ବସିଲା- “ବାପା, ମୋତେ ତମେ କେଉଁ ଗ୍ରେଡ଼ରେ ରଖିଛ?”
“ଏ-ପ୍ଲସ୍!” ହସି ଉଠି ବାପା କହିଲେ ମୂହୁର୍ତ୍ତେ ବିଳମ୍ବ ନକରି, “ଏ ବିଷୟରେ କ’ଣ କିଛି ସଂଦେହ ଥାଇପାରେ?”
“ତା’ ମାନେ ମୋର ମନଲାଖି ସୁଖ ଆଣିଦେବା ପାଇଁ ତମେ କିଛି ହେଲେ କରିବା ପାଇଁ ପଛେଇବ ନାହିଁ? ଦରକାର ହେଲେ ସୁନାର ଲଙ୍କା ପୋଡି ଦେଇପାରିବ, ସାତତାଳ ପାଣି ଭିତରକୁ ଯାଇ କୋଉ ଅସୁରୁଣୀର ବେକ ମୋଡି ଦେଇ ପାରିବ?
ବାପା ବୁଝିଲେ କୋଉଠିକା ପାଣି କୋଉଠିକ୍ ଯାଉଛି । ସେଇଠୁ କହୁଛନ୍ତି ମୋର, ନୀତିବାନ୍ ବାପା-
“ନା । ତୋର ମନ ଲାଖି ସୁଖ ଯଦି ଏମିତି କିଛି ହୋଇଥାଏ, ଯାହାକୁ ମୁଁ ପସନ୍ଦ କରିପାରୁନାହିଁ, ତା’ ହେଲେ ମୁଁ କେବେ ହେଲେ ତୋର ଇଚ୍ଛାକୁ ପ୍ରଶ୍ରୟ ଦେବି ନାହିଁ, କୋଉ ଲଙ୍କାକୁ ପୋଡିବାକୁ ଯିବା ଦୂରର କଥା । ଅପରଂତୁ ମୁଁ ତୋ ହାତକୁ ଅଟକେଇବି, ଯେତେଦୂର ସଂଭବ । କିନ୍ତୁ ତୋ ମୁଣ୍ଡକୁ ହାତ ପାଇଗଲା ପରେ ମୁଁ କ’ଣଟା କରିପାରିବି, ଟିକିଏ ଦୁଃଖ କରିବା ଛଡ଼ା? ହେଲେ ମୁଁ ମୋ ଦୁଃଖ ବି ଜଣେଇବି ତୋତେ, ଛାଡ଼ିବି ନାହିଁ । କାଳେ ତୋ ମନ ବଦଳିଯିବ ପରା ।”
ତାଙ୍କ ଗେହ୍ଲାଝିଅର ପିଲାମନକୁ, ମାନେ ତା’ ପିଲାମନର ବଡ଼େଇକୁ ସହଜେ ଟିକିଏ ବାଧା ହେଲା, ଏମିତିକା କଥା ଶୁଣି ତା’ ବାପାଙ୍କ ମୁହଁରୁ । ଏବଂ ମୋର ଭାବାନ୍ତର ବୋଧହୁଏ ଦୃଶ୍ୟ ହୋଇଗଲା ତାଙ୍କୁ । ସେଇଠୁ ସେ କହୁଛନ୍ତି, ମୋତେ କୁଣ୍ଡେଇ ପକେଇ-“ଆଲୋ ହୁଣ୍ଡୀ, ସେମିତି ହେବା ଯାଏଁ ଯିବ କାହିଁକି ଯେ? ତୋ ମନଲାଖି ସୁଖ ମୋ ମନକୁ ପାଇବ ନାହିଁ, ୟା’ କୋଉଠୁ ହେଲାଣି? ତୁ ପରା ମୋରି ଝିଅ ।”
ସେଇଠୁଁ ମୁଁ ହସି ଦେଲି ଫିକ୍କିନି । କିନ୍ତୁ ତାଙ୍କର ଆହୁରି କିଛି କହିବାର ଥିଲା, ଏବଂ ସେ କହିଲେ ଗୋଟାଏ କଥା, ଯାହା ଭୁଲିବାର ନୁହେଁ । କହିଲେ,“ଆଉ ଯଦି ମୋର କେବେ ମନେ ହୁଏ ଯେ ଏଇଥିରେ ତୋର ପ୍ରକୃତ ସୁଖ, ବିଶେଷ ସୁଖ, ହେଲେ ସିଏ ସହଜେ ଧରା ଦେଉ ନାହିଁ ଆମ ହାତରେ, ତା’ ହେଲେ ମୁଁ କିଭଳି ଲମ୍ପ ଦେବି ଉପରକୁ, କିମ୍ବା କୁଦା ମାରିବି ତଳକୁ, ତା’ କଣ ତୋତେ ବୁଝେଇବାକୁ ପଡ଼ିବ?” ସେଇଠୁଁ ହୁଣ୍ଡୀ-ଫୁଲେଇ ଯେଉଁ ପ୍ରକାର ସଂପଦ ଲାଭ କଲା ତା’ ବାପାଙ୍କ ଠାରୁ, ବର୍ତ୍ତମାନ ପାଇଁ, ତା’ର ବର୍ଣ୍ଣନା ଅନାବଶ୍ୟକ ।
ସୁପ୍ରିୟା ବେଶ୍ କିଛି ସମୟ ଯାଏଁ ଅନେଇ ରହିଲେ ତାଙ୍କ ବାପାଙ୍କ ଫଟୋ ଆଡ଼କୁ, ଏବଂ କହିଲେ ମନେ ମନେ- ସତରେ ବାପା, କୌଣସି ସ୍ୱାର୍ଥତ୍ୟାଗ ବଳେଇ ଯାଇ ନଥାଆନ୍ତା ତମକୁ ମୋତେ କୋଉ ସରଗର ଚାନ୍ଦ ଆଣି ଦେବା ଲାଗି, ଯାହା ତମ ହାତ ପାହାନ୍ତାରେ ଥିଲା ପରି ମନେ ହେଉଛି, ହେଲେ ଧରା ଦେଉନାହିଁ । କିନ୍ତୁ ତମ ଝିଅ କ’ଣ ଏତେ ଅଗୁଆଁର ହୋଇଛି, ଯେ ତମକୁ ସେଭଳି ଅସୁବିଧାରେ ପକେଇ ଥାଆନ୍ତା?
କିନ୍ତୁ କିଛି ସମୟ ପରେ ସୁପ୍ରିୟା ଗୋଟାଏ ଗୁପ୍ଚୁପିଆ କଥା କହିଲେ ତାଙ୍କ ବାପାଙ୍କୁ । ଏବଂ ଟିକିଏ ଦୁଷ୍ଟାମି କଲା ପରି ।- ଜାଣିଛ ବାପା, ମୁଁ କାହିଁକି ଆଜି ବେଶି ମନେ ପକଉଛି ତମକୁ? କହିବି? କହିବି? କହିବାକୁ ଡର ଲାଗୁଛି କାଳେ ମୋର ମହାନୀତିବାନ୍ ବାପା ରାଗିବେ ମୋ ଉପରେ ଯେ ମୁଁ ଗୋଟାଏ ବେଆଇନ କାମ କରିଛି । ରାଗିଲେ ରାଗ, ଆଇକ୍ୟାଣ୍ଟ ହେଲ୍ପ୍ ଇଟ୍ । କିନ୍ତୁ ତମେ ଅବଶ୍ୟ ଖୁସି ହେବ ଶୁଣି । ମୁଁ ଚୋରାରେ ପରୀକ୍ଷା କରେଇ ନେଇଛି ନିଜକୁ, ମୋ ଡାକ୍ତରାଣୀ ସାଙ୍ଗରେ କ୍ଲିନିକ୍ରେ । ଆଉ ସେ କ’ଣ କହିଲା ଜାଣିଛ? କହିଲା କୌଣସି ସନ୍ଦେହ ନାହିଁ ଯେ ଏଥର ମୋର ପୁଅଟିଏ ହେବ । ମାନେ ତମର ନାତିଟିଏ ହେବ ବାପା, ନାତିଟିଏ ହେବ । ତମର ତିନିଟାଯାକ ପୁଅ କେହି ଗୋଟାଏ ନାତି ଦେଇ ନାହାଁନ୍ତି ତମକୁ । ବଡ଼ଭାଇ ତ ବାବାଜୀ ହୋଇ ରହିଲେ । କ’ଣ ତାଙ୍କ ମତଲବ ସେଇ ଜାଣନ୍ତି । ବାକି ଦି ଜଣଙ୍କର ତିନିଟା ଝିଅ । ଆଉ ମୋ କପାଳକୁ ବି ଦିଟା ସୁନ୍ଦରୀ ସୁନାନାକୀ ଦି ଜଣ, ତମେ କାହାରିକୁ ଦେଖିନ, ହେଲେ ତମ ନାତୁଣୀ । କିନ୍ତୁ ଭଗବାନଙ୍କ କୃପାରୁ ଏତେ ଦିନକେ ଗୋଟିଏ ନାତି ଆସୁଛି ତମ ପାଇଁ,- ବୁଝିଲ ବାପା? ମୁଁ ୟାଙ୍କୁ ବି କହି ନାହିଁ ଏତେ ବେଳଯାଏ, ଅଫିସ୍ରୁ ଫେରିଲେ କହିବି । କିନ୍ତୁ ଆଗେ ତମେ ।
ତା’କୁ ଆଶୀର୍ବାଦ କର ବାପା, ସେ ତମ ପରି ହେଉ । କୋଉ କାର୍ତ୍ତିକ କି କୁବେର ନହେଲା ନାହିଁ, ତୁମର ସ୍ୱଭାବ ଚରିତ୍ର ମିଳିଯାଉ ତାକୁ । ସେଇଭଳି ସ୍ନେହଶ୍ରଦ୍ଧା ସେ ବାଣ୍ଟିଦେଉ ତା ସଂସାରରେ, ହେଲେ ସେତିକି ନୀତିବାନ୍ ହେଉ । ଯେ ସବୁକଥାରେ ରାଇଟ୍, ଭାଂଗିବେ ପଛକେ ନଇଁବେ ନାହିଁ । ଖାଲି ମୁଁ କହୁନାହିଁ, ଯାହା ସାରା ଦୁନିଆଁ କୁହେ ତମ ବିଷୟରେ ।
ସୁପ୍ରିୟା ହାତ ଯୋଡ଼ି ପ୍ରଣାମ କଲେ ତାଙ୍କ ବାପାଙ୍କୁ । ପ୍ରାୟ ଏଗାର ବର୍ଷ ତଳେ, ତାଙ୍କ ବାହାଘରର ଦି ମାସ ନପୂରୁଣୁ ହଠାତ୍ ହାଟର୍୍ଫେଲରେ ଇହଧାମରୁ ବିଦାୟ ନେଇଥିବା ସୁନାମଧନ୍ୟ ପ୍ରଶାସକ ବିଶ୍ୱବଂଧୁ ତ୍ରିପାଠୀଙ୍କ ଫଟୋ ଆଡ଼କୁ ଚାହିଁ । ଏବଂ ତାଙ୍କ ଆଶୀର୍ବାଦ ଲୋଡିଲେ, ଏତେ ଦିନକେ ତାଙ୍କ ଗର୍ଭରେ ଆସି ପହଁଞ୍ଚିଥିବା ପୁଅ ପାଇଁ ।
ସଂଜ ପାଖେଇ ଆସିଲାଣି । କେତେ ସମୟ ପରେ ସୁପ୍ରିୟା ଫଟୋ ପାଖରେ ପଡ଼ିଥିବା ଚଉକିରୁ ଉଠିଯାଇ ଠିଆ ହେଲେ ବାଲ୍କୋନିର ରୋଲିଂଗ୍କୁ ଧରି । ଭଲ ପାଇବାର ଆଉ ଗୋଟାଏ ଅନୁଭବ ଆଡ଼କୁ ଢ଼ଳିଗଲା ପରି ।
ଆମ ବାବୁଙ୍କର ଅଫିସରୁ ଫେରି ଆସିବା ବେଳ ହୋଇଗଲାଣି । କହୁଥିଲେ ପରା ସେ ଆଜି ଜଲ୍ଦି ଆସିବେ ବୋଲି? କ’ଣ ହେଲା? ନା, ମୁଁ ବଡେଇ କରୁନାହିଁ, କିନ୍ତୁ ଏଇ ଲୋକଟି ବି କ’ଣ ମୋତେ କମ୍ ଭଲପାଏ । ବୋଉ ହଜାରଥର କହିଛି ମୋତେ,ଯେ ବାପା ୟାଙ୍କ ରୂପଗୁଣରେ ମୋହି ହୋଇ ଯାଇଥିଲେ । ଆଉ ୟାଙ୍କୁ ହିଁ ବାଛି ବାଛି ଜ୍ୱାଇଁ କରିଛନ୍ତି ମୋ ପାଇଁ, ଦୁନିଆଁଁ ପ୍ରାର୍ଥୀମାନଙ୍କୁ ଆଡ଼େଇ ଦେଇ । ରିଏଲି ବାପା, ତମେ ମୋତେ ଏତେ ଭଲ ପାଅ ଯେ ବୋଧହୁଏ ସେଇଥିଲାଗି ତମକୁ ଦୃଶ୍ୟ ହୋଇଯାଏ ମୁଁ କେଉଁଥିରେ ବେଶି ସୁଖୀ ହୋଇପାରିବି ମୋ ଜୀବନରେ । ବାହାରକୁ ଯାହା ମନେ ହେଉ ପଛେ । ତେଣୁ ତମକୁ ଜଣାଥିଲା ଯେ ଏଇ ଲୋକଟି ହିଁ…ଥ୍ୟାଙ୍କ୍ ୟୁ ବାପା, ୟୁ ଆର୍ ୱଣ୍ଡରଫୁଲ୍!…
ଏହି ଭାବରେ ସୁପ୍ରିୟା ସ୍ୱାମୀ ଜିତେନ୍ ମିଶ୍ର, ଆଇ.ଏ.ଏସ୍ ଏବଂ ରାଜ୍ୟ ସଚିବାଳୟରେ କାମ କରୁଥିବା ଅନ୍ୟତମ ଡେପୁଟି ସେକ୍ରେଟେରୀଙ୍କ ଫେରନ୍ତା ବାଟକୁ ଚାହିଁ ରହିଥିଲେ, ବାପାଙ୍କୁ ଘନ ଘନ ଧନ୍ୟବାଦ ଦେବା ସହ ।
ଆକାଶରେ ମେଘ ନଥିବା କଥା ଛାଡ଼, ଏଭଳି ଗୋଟିଏ ସୁମଧୁର ଓ ସମ୍ମୋହକ ସଂଧ୍ୟାରେ, ବଜ୍ରପାତ ହେବ ବୋଲି କିଏ ଜାଣିଥିଲା? ଏବଂ ଏତେ ପ୍ରଚଣ୍ଡ ଥିଲା ତାର ସଂଘାତ, ଯେ ସୁପ୍ରିୟା କଚାଡି ହୋଇ ପଡ଼ିଲେ ବୋଲି କହିଲେ ଭୁଲ୍ ହେବ ନାହିଁ । ବୁଝିପାରିଲେ ନାହିଁ କ’ଣ ହେଲା । ସେ ଭୂତ ଦେଖୁଛନ୍ତି, ନା ତାଙ୍କ ପୃଥିବୀଟା ହଠାତ୍ ଓଲଟି ଯାଇଛି କାହିଁକିନା ସ୍ୱାମୀ ଜିତେନ୍ ବାବୁ ଝଡ଼ ପରି ପଶି ଆସିଲେ ଘରକୁ, ମୁହଁରେ କଥା ନାହିଁ, ଖାଲି ଗୋଟାଏ ଗୁମ୍ ସୁମ୍ ଭାବ, ଏବଂ କହୁଛନ୍ତି ତାଙ୍କୁ, ସେ କିଛି ପଚାରିବା ପୂର୍ବରୁ,-
“ଜାଣିଛ? ତମ ବାପା ଗୋଟିଏ ଚୋର!”
କଚାଡ଼ି ହୋଇ ପଡ଼ିଲା ପରେ ସେ କେମିତି ଉଠି ଠିଆ ହୋଇ ଥାଆନ୍ତେ, ଝାଂପ ଦେଇ ଥାଆନ୍ତେ ତାଙ୍କ ସ୍ୱାମୀଙ୍କ ଉପରେ କି ଆଉ କଣ କରିଥାଆନ୍ତେ ଭଗବାନଙ୍କୁ ଜଣା, କିନ୍ତୁ କଥାଟା ଗଲା ନାହିଁ ସେ ଯାଏଁ । କାରଣ ପରେ ପରେ ଜିତେନ୍ ବାବୁ କହୁଛନ୍ତି ମୁହ୍ୟମାନ ସ୍ତ୍ରୀଙ୍କ ମୁହଁକୁ ଚାହିଁ, “ହଁ, ସିଏ ଚୋର, ତମେ ଚୋର, ମୁଁ ଚୋର, ଆମେ ସମସ୍ତେ ଚୋର । ସାଧୁ କେବଳ ଆମର ଏଇ ନୂଆ ସରକାର, ଯାହାର ମୁଖ୍ୟ ହେଉଛନ୍ତି ବିଷ୍ଣୁ ମହାପାତ୍ର । ବିଷ୍ଣୁଦେବ ଓହ୍ଲାଇ ଆସିଛନ୍ତି ପୃଥିବୀକୁ, ଏଠିକାର ଦୁର୍ନୀତି ନାଶ କରିବା ପାଇଁ । ବୁଝିଲ?”
କେତେବେଳକେ ସେ କଥାଟାକୁ ବୁଝେଇଲେ, ତାଙ୍କ ସ୍ୱରକୁ ନରମେଇ । ସତେକି ସଂଘାତ ତା’ର କାମ କରି ସାରିଲାଣି, ଯାହା ସେ ଚାହୁଁଥିଲେ, ଏଣିକି ସମ୍ବାଦ କହିଲେ,
“ଶୁଣ, ଗୋଟାଏ ଭିଜିଲାନ୍ସ କେସ୍ର ଆଦେଶ ଦେଇଛନ୍ତି ବିଷ୍ଣୁଦେବ । ଯାହା ମୁଁ ବୁଝିଲି ବିଶ୍ୱସ୍ତ ସୂତ୍ରରୁ । ଯେ ତମ ବାପା ଯେତେବେଳେ ବନସ୍ପତି ବିକାଶ ନିଗମର ବଡ଼କର୍ତ୍ତା ଥିଲେ, ତାଙ୍କର ଆକସ୍ମିକ ମୃତ୍ୟୁ ପୂର୍ବରୁ, ସେ କୁଆଡ଼େ ପୁରୁଣା ସରକାର ମନ୍ତ୍ରୀ ବିଧୁ ପୂଜାରୀଙ୍କ ସାଙ୍ଗରେ ସଲା ହୋଇ ଗୋଟାଏ କଣ୍ଟ୍ରାକ୍ଟ୍ ବଢ଼େଇ ଦେଇଥିଲେ କୋଉ ସଂସ୍ଥାର ହାତକୁ, ଯେଉଁଥିରେ ସରକାରଙ୍କୁ ବିସ୍ତର କ୍ଷତି ସହିବାକୁ ପଡ଼ିଛି । ଏବଂ ନିଗମର ଡେପୁଟି ଡାଇରେକ୍ଟର ପ୍ଲାନିଂଗ୍, ସୁଶ୍ରୀ କୁସୁମ ଚୌଧୁରୀ ତମ ବାପାଙ୍କୁ ସାହାଯ୍ୟ କରିଥିଲେ ସେ ଦିଗରେ । ଠିକଣା ନୋଟ୍ଟିଏ ପ୍ରସ୍ତୁତ କରି , ଯାହା ପଠାଯିବ ମନ୍ତ୍ରୀଙ୍କ ପାଖକୁ, ବାପାଙ୍କ ବାଟ ଦେଇ । ସନ୍ଦେହ ଯେ ମୋଟା ଟଙ୍କାର ଦିଆନିଆ ହୋଇଛି କଣ୍ଟ୍ରାକ୍ଟ୍ ପାଇଁ ଅର୍ଥାତ ଦୁର୍ନୀତି ।
ସୁପ୍ରିୟାଙ୍କ ବିମୂଢ଼ତା ଭାଙ୍ଗିଗଲା ସେଇ ଶବ୍ଦଟାକୁ ଶୁଣିଲାକ୍ଷଣି, ଏବଂ ସେ ଚିହିଂକି ଉଠିଲେ-
“କ’ଣ ହେଲା? ଦୁର୍ନୀତି? ମୋ ବାପା ଆଉ ଦୁର୍ନୀତି!ଁ
ସେଇଠୁଁ ଜିତେନ୍ ବାବୁ ଆଗେଇ ଆସିଲେ ପତ୍ନୀଙ୍କ ପାଖକୁ, ଏବଂ କହିଲେ ତାଙ୍କ କାନ୍ଧରେ ହାତ ଦେଇ,
“ରିଲାକ୍ସ! ତମ ବାପା ତ ସ୍ୱର୍ଗକୁ ଗଲେଣି । କିନ୍ତୁ ଆଉ କାହାର ବି କିଛି ହେବନାହିଁ । ଭିଜିଲାନ୍ସବାଲା ଚାର୍ଜସିଟ୍ ତିଆରି କରିପାରିବେ ବୋଲି ମନେ ହେଉନାହିଁ । କିନ୍ତୁ ଯଦିବା ଟାଣି ଓଟାରି କିଛି ଗୋଟାଏ ତିଆରି କରିବେ, ତାକୁ କୌଣସି କୋର୍ଟ୍ ଗ୍ରହଣ କରିବେ ନାହିଁ । ଲେଖି ନିଅ ମୋଠୁଁ । କିନ୍ତୁ ମୋତେ ରାଗ ଲାଗୁଛି, ଯେ ଦେଖ ଏମାନଙ୍କ ସାହସ । ତମ ବାପାଙ୍କ ଭଳିଆ ଜଣେ ଲୋକ, ସାଧୁ ସଚ୍ଚୋଟ ପଣିଆର ପ୍ରତିମୂର୍ତ୍ତି, ତାଙ୍କ ମୁହଁରେ ବି’ କଳା ବୋଳିବାକୁ ପଛଉ ନାହାନ୍ତି ଏମାନେ । ତୁଛା ପଲିଟିକ୍ସର ଦାଉ ସାଧିବା ଲାଗି । ମାନେ ଯେମିତି ବିଧୁ ପୂଜାରୀ, ଗୋଟାଏ ଟାଣୁଆ ମନ୍ତ୍ରୀ ଥିଲା ସିଏ ଆଗ ସରକାରଙ୍କର, ତା’ର ବଦ୍ନାମ ହେବ । ତା ସାଙ୍ଗକୁ ହୁଏତ କେଇଟା ଅଫିସରଙ୍କର ବି କ୍ଷତି ହେବ, କିନ୍ତୁ ସେଥିରେ ଯାଏ କେତେ ଆସେ କେତେ?
ଏହି ସମୟରେ ଗୋଟାଏ ଫୋନ୍ ଆସିଲା ଏବଂ ଜିତେନ୍ ବାବୁ ଗଲେ ତାକୁ ଧରିବାକୁ । ଏବଂ ଦେଖାଗଲା ସେ ଫୋନ୍ରେ ହସି ହସି ‘ଆଇ.ସି!’ ବୋଲି କହୁଛନ୍ତି ବାରମ୍ବାର, ସେ ପାଖରୁ ଆସୁଥିବା କୌଣସି ସଂବାଦରେ ଖୁସିଟାଏ ହେଲା ପରି । ଏବଂ ଫେରି ଆସି କହୁଛନ୍ତି ପତ୍ନୀଙ୍କୁ ସେଇ ଖୁସିଭାବରେ ଦୋଳାୟମାନ ହୋଇ- “ମୋର ଗୋଟାଏ ସାଂଗ ଫୋନ୍ କରିଥିଲା । ତା’କୁ ଅନେକ ଭିତିରି କଥା ଜଣା । କହିଲା ଆଇନ୍ କାନୁନ୍ କଥା ଛାଡ଼, ସିଏ ତ ସହଜେ ଦୁର୍ବଳ କୋଉ ‘କେସ’ ଟାଏ ଗଢ଼ିବା ପାଇଁ ଏମାନଙ୍କ ବିରୁଦ୍ଧରେ । କିନ୍ତୁ ତା’, ଛଡ଼ା କୁସୁମଦିଦିଙ୍କ କରାମତି କ’ଣ କମ୍? ତାଙ୍କୁ ଦବେଇ ରଖିବା କଣ ସହଜ ହୋଇଛି? ସେ କୁଆଡ଼େ ଏବେଠୁଁ ତାଙ୍କର ଆସନ ଜମେଇଲେଣି ବିଭିନ୍ନ ଠିକଣା ଜାଗାରେ କେସ୍ଟାର ଅଗ ମୋଡିଦେବା ପାଇଁ…”
କିନ୍ତୁ ସୁପ୍ରିୟାଙ୍କ ଜଳି ଉଠିଥିବା ଚାହାଣୀ ତଥାପି ଶାନ୍ତ ହେବାକୁ ଚାହିଁଲା ନାହିଁ, ଏବଂ ସେ କହିଲେ ସ୍ୱାମୀଙ୍କୁ, ତାଙ୍କ କଥା ମଝିରେ–
“କେସ୍ର ଯାହା ହବ ନହବ, ଆଇଡୋଣ୍ଟ କେୟାର୍ । କିନ୍ତୁ ଗୋଟାଏ ସନ୍ଦେହ ରହିଯିବ ଯେ ମୋ ବାପା କୋଉ ମୋଟା ଟଙ୍କାର ଲାଞ୍ଚ ନେଇଥିବେ ପରା, ମୁଁ ସେଇ ଅପବାଦକୁ ସହି ନେଇପାରିବି ନାହିଁ । ମୁଁ ବୁଝିବି ସବୁ କଥା, ମୋ ହିସାବରେ । ସେଇଠୁ ମୁଁ କାହାରିକୁ କ୍ଷମା କରବି ନାହିଁ ଆଉ କରିବି, ମୁଁ ଯାହା ଠିକ୍ ବୋଲି ଭାବିବି । ଡୁ ୟୁ ଅଣ୍ଡର୍ଷ୍ଟାଣ୍ଡ?”
“ଆଇ ଅଣ୍ଡରଷ୍ଟାଣ୍ଡ୍” । ଜିତେନ୍ ବାବୁ ପତ୍ନୀଙ୍କୁ ଆଉଜେଇ ଆଣିଲେ ତାଙ୍କ ଛାତି ଉପରକୁ ।
ବର୍ତ୍ତମାନ ଲୁହ ଝରିବାର ଉପକ୍ରମ ହେଲା ସୁପ୍ରିୟାଙ୍କ ଆଖିରୁ । ଏବଂ ସେ କାନ୍ଦୁରା ଅସ୍ପଷ୍ଟ ସ୍ୱରରେ ତାଙ୍କ ଦାବି ଜଣାଇଲେ ସ୍ୱାମୀଙ୍କୁ,
“କିନ୍ତୁ ତମେ ମୋତେ ସାହାଯ୍ୟ କରିବ ତ?”
“ନିଶ୍ଚୟ । ଆଇ ପ୍ରମିଜ୍ ।”
-୨-
କିନ୍ତୁ କାର୍ଯ୍ୟତଃ ସୁପ୍ରିୟା କଣ ବୁଝିବେ ତାଙ୍କ ବାପାଙ୍କ ବିରୁଦ୍ଧରେ ଆସିଥିବା ଦୁର୍ନୀତିର ଅଭିଯୋଗ ବିଷୟରେ, ଏବଂ ଜିତେନ୍ ବାବୁ କେଉଁ ଭାବରେ ସାହାଯ୍ୟ କରିବେ, ତା’ ସେ ନିଜେ ଭାବି ପାରିଲେ ନାହିଁ । ଇତିହାସରେ ଏମ୍.ଏ.ପାସ୍ କରିଥିବା ସୁପ୍ରିୟାଙ୍କୁ ଅବଶ୍ୟ ସୁଶିକ୍ଷିତା ଏବଂ ବୁଦ୍ଧିମତୀ ବୋଲି କୁହାଯିବ, ଏବଂ ସେ ମଧ୍ୟ କିଛି ଦିନ ପାଠ ପଢ଼ାଉଥିଲେ କଲେଜରେ, ବାହା ହେବା ପୂର୍ବରୁ । କିନ୍ତୁ ପ୍ରଶାସନର ନୀତିନିୟମ ଗୋଲକଧଂଦା, ତଥା ତା’ରି ଭିତର ଦେଇ କିଭଳି ଫାଇଦା ହାସଲ କରାଯାଇପାରେ ସେ ବିଷୟରେ ତାଙ୍କୁ କ’ଣ ଟା ଜଣା ଅଛି? ଖାଲି ତଥ୍ୟ ହିସାବରେ ସେ ଏତିକି ବୁଝିଲେ ସ୍ୱାମୀଙ୍କ ଠାରୁ ଯେ ଆଜିକୁ ପ୍ରାୟ ଏଗାର ବର୍ଷ ତଳେ– ତାଙ୍କୁ ବାହାଘରର ଦି ତିନି ମାସ ପୂର୍ବରୁ ଗୋଟାଏ କଣ୍ଟ୍ରାକ୍ଟ୍ ସ୍ୱାକ୍ଷରିତ ହୋଇଥିଲା “ବନସ୍ପତି ବିକାଶ ନିଗମ” ଏବଂ “ପ୍ରଗ୍ରେସିଭ ସାଇନ୍ସ ସୋସାଇଟି” ନାମକ ଗୋଟାଏ ତଥାକଥିତ ସର୍ବଭାରତୀୟ ସଂସ୍ଥା ଭିତରେ, ସେବେକାର ମନ୍ତ୍ରୀ ବିଧୁ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଭିଦ ବିଜ୍ଞାନରେ ଅନର୍ସ ନେଇ ବି.ଏ ପାସ୍ କରିଥିବା ମନ୍ତ୍ରୀ ନିଜେ କୁଆଡ଼େ ଏଇ ସଂସ୍ଥାକୁ ବାଛିଥିଲେ ନିଗମର ତଥା ରାଜ୍ୟର ଅନେକ ଦିନର ଆକାଂକ୍ଷା ପୂରଣ କରିବା ପାଇଁ । ଯେ ଏଇମାନେ ହିଁ ପାରିବେ, ଯାହା ଆମଦ୍ୱାରା ହୋଇପାରିଲା ନାହିଁ ଆଜିଯାଏ । ଆମ ରାଜ୍ୟରେ ଥିବା ଔଷଧ ଗଛମାନଙ୍କୁ ଚିହ୍ନଟ କରି, ସେଥିରେ ଚେରମୂଳ କି ଫଳଫୁଲରେ ଥିବା କେମିକାଲ୍ ଗୁଣର ପରୀକ୍ଷା କରି, ତାର ଫଳାଫଳ ବଢ଼େଇ ଦେବେ ରାଜ୍ୟ ସରକାରଙ୍କ ହାତକୁ । ଅନେକ ଟଙ୍କା ମିଳିଥିଲା ଏମାନଙ୍କୁ ସରକାରଙ୍କ ଠାରୁ, ତାଙ୍କ ଉଦ୍ୟମର ଜାଲ ବିଛେଇବା ପାଇଁ । କଣ୍ଟ୍ରାକ୍ଟ୍ର ମିଆଦ ବଢ଼େଇ ଦିଆ ହେଉଛି ଥରକୁ ଥର, ନିୟମିତ ଭାବରେ କିନ୍ତୁ ତାଙ୍କର ଅବଦାନ ନଗଣ୍ୟ ବୋଲି କହିବାକୁ ହେବ । ସୋସାଇଟି କୁହେ ଯେ ଅମେ ଆମ କାମରେ ହେଳା କରିନାହୁଁ । କିନ୍ତୁ ଆଜି ସରକାର କୁହେ ଯେ ତମର ମୂଳରୁ ଉପଯୁକ୍ତ ଯୋଗ୍ୟତା ନଥିଲା । ଏବଂ ଆମ ସନ୍ଦେହର କାରଣ ଅଛି ଯେ ତମେ ପୁଳାଏ ପୁଳାଏ ଟଙ୍କା ଦେଇ, କଣ୍ଟ୍ରାକ୍ଟ୍କୁ କିଣି ନେଇଛ ସେ ବେକାର କର୍ତ୍ତୃପକ୍ଷମାନଙ୍କ ଠାରୁ । ଯେଉଁଥିରେ ତମେ ପୋଷି ହେଉଛ ଆଜିଯାଏ, ଏବଂ ସରକାରଙ୍କ କ୍ଷତି ବଢ଼ି ଚାଲିଛି । ହେଲେ ଇଏ ଚଳିବ ନାହିଁ ଆଉ । ଲାଭ କ୍ଷତି କଥା ଛାଡ଼, ନିର୍ମଳ ଶାସନ ହିଁ ଆମର ପ୍ରାଥମିକ ଲକ୍ଷ୍ୟ, ବାକି ସବୁ କଥା ପରେ…
ସୁପ୍ରିୟା ଶୁଣିଲେ ମୁଣ୍ଡ ଟେକିଥିବା ‘କେସ୍’ର ସଂକ୍ଷିପ୍ତ ବିବରଣୀ । କିଛିଦିନ ପରେ ଏଭଳି ଗୋଟାଏ କେସ୍ ଚାଲିଛି ବୋଲି ପ୍ରକାଶ ପାଇଲା ଖବରକାଗଜରେ, ସରକାରୀ ସୂତ୍ରରୁ ମଧ୍ୟ ଜଣାପଡ଼ିଲା ଯେ କମିଶନର ପାହ୍ୟାକୁ ଆସି ଯାଇଥିବା ବରିଷ୍ଠ ଅଧିକାରୀ କୁସୁମ ଚୌଧୁରୀଙ୍କୁ ସସ୍ପେଣ୍ଡ କରାଯାଇଛି ଭିଜିଲାନ୍ସ ତଦନ୍ତର ସୁବିଧା ପାଇଁ । ସେଇଠୁଁ ସୁପ୍ରିୟାଙ୍କର ମନେ ହେଲା ଯେ ବେଳେବେଳେ ‘ ସେମାନେ’, ବଂଧୁପରିଜନ ତଥା ସମଅଫିସରିଆଣୀ ମାନେ ଅନଉଛନ୍ତି ତାଙ୍କ ଆଡ଼କୁ କଣେଇ କଣେଇ । ତାଙ୍କ ଚାହାଣୀରେ ଦୟାସହାନୁଭୂତି ଆଉ କି ମଉଜିଆ ହିଂସୁକୁଟିଆ ଭାବ । ଏବଂ ସେତେବେଳେ ପିତ୍ତ ଚଢ଼ିଯାଏ ତାଙ୍କ ମୁଣ୍ଡକୁ । ଆଉ ମନ ହୁଏ ପାଟି କରି ଉଠିବେ ।
‘ନା! ମୋ ବାପା କୋଉ ଦୁର୍ନୀତି କରିନାହାଁନ୍ତି!ତା’ ହୋଇ ନପାରେ । ତମେ ଜାଣିନ ମୋ ବାପାଙ୍କୁ । କିନ୍ତୁ ପରେ ପରେ ସେ କାନ୍ଦନ୍ତି ମନେ ମନେ ଯେ ସେ ଅସହାୟ । କିଛି ହେଲେ କରିପାରିବେ ନାହିଁ ।ସରକାରୀ କାଗଜପତ୍ର ଖେଳେଇବାରେ, କେଉଁ ବିଶ୍ୱସ୍ତ ସୂତ୍ରରୁ ଭିତିରି କଥା ବୁଝିବାରେ, ଅବା ସେଭଳି କିଛି । ଏବଂ ସେ ତାଙ୍କ ସରଳ ଓ ଭାବପ୍ରବଣ ସ୍ୱାମୀଙ୍କ ଉପରେ ରାଗନ୍ତି ଯେ ଯେତେ ଫୁଟାଣି ବାହାର କଲେ ବି ସେ ଏ ଦିଗରେ ‘ଇଉସ୍ଲେସ୍’ ।
ସୁପ୍ରିୟା ଦିନକୁ ଦିନ ନିସ୍ତେଜ ଓ ବିଷର୍ଣ୍ଣ ଦେଖାଗଲେ । ଯାହା ଜିତେନ୍ ବାବୁଙ୍କ ଆଖିରେ ପଡ଼ିଲା । ଗର୍ଭାଧାନର ପ୍ରଥମ ପର୍ଯ୍ୟାୟରେ ସ୍ତ୍ରୀଲୋକମାନେ ଏମିତି ଦେଖାଯିବା ସ୍ୱାଭାବିକ ବୋଲି ଜାଣିଥିଲେ ମଧ୍ୟ ତାଙ୍କର ମନେ ହେଲା ଯେ ପିୟା ଘାରି ହେଉଛି ଏକ ଅନ୍ୟ କାରଣରୁ । ଏବଂ ବୋଧ ହୁଏ ତା’ର ବାପଘରୁ ଟିକିଏ ବୁଲି ଆସିଲେ ଭଲ ହେବ । ବୋଉଙ୍କ ପାଖରେ କିଛି ଦିନ ଦୁଃଖ ସୁଖ ହୋଇ, କେତେ ପିଲାଦିନ କଥା ମନେ ପକେଇ ।
ସ୍ୱାମୀଙ୍କର ସରଳ ସୁନ୍ଦର ପ୍ରସ୍ତାବରେ ପ୍ରଥମେ ହସିଦେଲେ ମଧ୍ୟ, ସୁପ୍ରିୟା ପରେ ପରେ ରାଜି ହୋଇଗଲେ । କାରଣ ସେ ଭାବିଲେ ଯେ ସେଇ ‘ବାପଘର’ର ବାତାବରଣରେ, ତାଙ୍କ ନିଜ ତଦନ୍ତର ପନ୍ଥା ବୋଧହୁଏ ଟିକିଏ ସୁଗମ ହୋଇ ଉଠିବ ଯଦିଓ ଏଇକ୍ଷଣି ଇଏ ଆମ ନିଜ ଘର, ନିଗମର ହେଡ଼୍କ୍ୱାଟର୍ସ ନାରାୟଣପୁରରେ ଥିବା ବଂଗଳା ନୁହେଁ, ଯେଉଁଠି ବାପାଥିଲେ ସେତେବେଳେ ଏବଂ ଯେଉଁ ସମୟରେ ବାପା କୋଉ ଦୁର୍ନୀତି କରିଥିବେ ବୋଲି କୁହାଯାଏ । ମୋ ବାହାଘରର କେଇଟା ମାସ ପୂର୍ବରୁ ।
… ମନେ ପକେଇବି ବାପାଙ୍କୁ । ତା’ଙ୍କ ଚେହେରା କ’ଣ ଆଉ ପ୍ରକାରେ ଦିଶୁ ନଥିବ ସେତେବେଳେ, ଯଦି ସେ ସେଇ ଅଧର୍ମ ବିତ୍ତ ଆଡ଼କୁ ହାତ ବଢ଼ାଉଥିଲେ? ଆଉ ସେ ତାଙ୍କ ସ୍ତ୍ରୀ ପିଲାଙ୍କ ଚାହାଣୀରୁ, ବିଶେଷତଃ ‘ପିଉ’ର ଚାହାଣୀରୁ ଲୁଚିଲୁଚି ବୁଲୁନଥିବେ? ମନେ ପଡ଼ିଯିବ ସବୁ କଥା । ତାଙ୍କ ସେବେଳର ଚେହେରା, ସେବେଳର କଥାକୁହା, ମଧ୍ୟ ସେ ଯେଉଁ ନୀତିବାକ୍ୟ ଶୁଣାଉଥିଲେ ମୋ ଆସନ୍ନ ନୂଆଜୀବନ ବିଷୟରେ । ଆଉ ମୁଁ ଠିକ୍ ଜାଣି ପାରିବି ସେଥିରେ କୋଉ ଭିଜିଲାନ୍ସବାଲାଙ୍କୁ ମିଳିବ ନାହିଁ । କାହିଁ କିନା ଖାଲି ମୁଇଁ ଜାଣିଛି ମୋ ବାପାଙ୍କୁ, ମୁଇଁ ପଢ଼ି ଦେଇପାରିବି ତାଙ୍କୁ ଯାହା ଆଉ କେହି ପାରିବେ ନାହିଁ ।
ତା’ଛଡ଼ା ବୋଉଠୁଁ ଅନେକ କଥା ବୁଝିହେବ ତାଙ୍କ ସେବେଳର ମତିଗତି ଚାଲିଚଳଣ ବିଷୟରେ । ସହଜେ ବୋଉ ତାର ତାତ୍ପର୍ଯ୍ୟ ବୁଝିପାରିନଥିବ, ଯଦି ସେଥିରେ କିଛି ଅବିଗୁଣ କି ବିକୃତି ଥିଲା । କିନ୍ତୁ ମୁଁ ତାଙ୍କୁ ବୁଝିନେଇ ପାରିବି ଏଇ କ୍ଷଣି ।
ସୁପ୍ରିୟା ଗଲେ ବାପଘରକୁ । ବୋଉକୁ କହିଲେ- “ମୁଁ ଆସିଛି ବେଶ୍ କିଛିଦିନ ରହିବା ପାଇଁ ଏଠି ତୋ ପାଖରେ । ତୋର କିଛି ଆପତ୍ତି ଅଛି? ଆଉ ତାଙ୍କ ବୋଉ ବୁଝିଗଲେ ସେ କୋଉଥିପାଇଁ କହୁଛି ଏମିତି । ତା’ର ବିଶେଷତ୍ୱ କଅଣ । ମଲା, ପିଲାଟିଏ ବଢ଼ୁଛି ପରା ଏଇକ୍ଷଣି ମୋ ଝିଅର ପେଟରେ? କିଏ ଭଲା ତା’ ରୁଚି-ଅରୁଚିକୁ ବୁଝି ତା’ର ଠିକଣା ଯତ୍ନ ନେଇ ପାରିବ ଏଇକ୍ଷଣି, ତା’ ବୋଉ ଛଡ଼ା?
କିନ୍ତୁ ଦୁଃଖର ବିଷୟ ସୁପ୍ରିୟାଙ୍କୁ କିଛି ହେଲେ ଦୃଶ୍ୟ ହେଲାନାହିଁ ସେ ବେଳର ବାତାବରଣ କି ବାପାଙ୍କର ଚାଲିଚଳଣଙ୍କୁ ନେଇ, ଯାହାକୁ ଅସ୍ୱାଭାବିକ ବୋଲି କୁହାଯିବ । ଏବଂ ବୋଉ ଶୋଭାଦେବୀଙ୍କ ଠାରୁ ମଧ୍ୟ କିଛି ହେଲେ ମିଳିଲା ନାହିଁ, ତାଙ୍କ ବିଶ୍ଲେଷଣ ପାଇଁ । ଫଟା ରେକର୍ଡ ପରି ବୋଉ ଖାଲି ସେଇ ଗୋଟିଏ କଥାକହି ଚାଲିଛି ବାପାଙ୍କ ବିଷୟରେ-
“ଆଲୋ, ତୋର କଣ ମନେ ନାହିଁ ତୋ ବାପା କେମିତି ପାଗଳଙ୍କ ପରି ହେଉଥିଲେ ସେତେବେଳେ, ତୋତେ କେମିତି ଭଲରେ ଭଲରେ ବାହା ଦେବେ ବୋଲି ? ଆଉ କୋଉ ଚିନ୍ତା କ’ଣ ଥିଲା ତାଙ୍କ ମୁଣ୍ଡରେ? ହେଲେ ଆଉ କୋଉଠି ନୁହେଁ, ଏଇ ଜିତେନ୍ ସାଂଗରେ… କମ୍ ଜିଦିଆ ନଥିଲେ ତୋ ବାପା!
ହଁ, ମୋର ଏଇ ‘ସୃଷ୍ଟିଛଡ଼ା’ ବରଜଣକ ମୋ ବାପାଙ୍କ ବରଦାନ-ମୁଁ କ’ଣ ଜାଣେ ନାହିଁ ସେ କଥା? ସୁପ୍ରିୟା ଗଦ୍ଗଦ୍ ହେଉଥିଲେ ମନେ ମନେ, ଇଷତ୍ ହସି ଦେଇ ।
“ତୋତେ କ’ଣ ବରଘର ଅପୂରୁବ ଥିଲେ? ତୁ ତ ଆରକ ଜିଦିଆ । ଆଗରୁ ଅଡ଼ି ବସିଥିଲୁ ବାହା ହେବୁ ନାହିଁ ବୋଲି । କିନ୍ତୁ ଯେବେଠୁଁ କହିଲୁ ତୋର ସେଇ ଚୋପା ଚାକିରୀଟାକୁ ଛାଡ଼ିଦେଇ, ଯେ ଏଣିକି ତୋର ଆପତ୍ତି ନାହିଁ ବାହାସାହା ହୋଇ ଘର କରିବା ପାଇଁ, ଏବଂ ଆମେ ତା’ର ଡେଂଗୁରା ପିଟିଲୁ ଚାରିଆଡ଼େ, ସେଇଦିନଠୁଁ କ’ଣ କମ୍ ପ୍ରସ୍ତାବ ଆସିଛି ତୋ ପାଇଁ, ଯଦିଓ ଝିଅଘର ହିସାବରେ ଆମର ହିଁ ପ୍ରଥମେ ପ୍ରସ୍ତାବ ପକେଇବା କଥା, କାଇଦା ଅନୁଯାୟୀ? କିନ୍ତୁ ୟାଙ୍କର ଏକା ଜିଦି, ଯେ ଜିତେନ୍ ମିଶ୍ର ଜଣକ ହିଁ ଯୋଗ୍ୟ ତାଙ୍କ ସୁନାନାକୀ ଝିଅ ପାଇଁ, ଆଉ ସମସ୍ତେ ଥାର୍ଡକ୍ଲାସ । ଯେତେକ ଓକିଲ, ଡାକ୍ତର, ବ୍ୟବସାୟୀ, ଲେକ୍ଚରର୍, କେହି କିଛି ନୁହଁନ୍ତି । ଖାଲି ଏଇ ଜଣକ । ନାରଣ ମିଶ୍ର କଣ୍ଟ୍ରାକ୍ଟରଙ୍କ ପୁଅ ଜିତେନ୍ ମିଶ୍ର, ଆଇ.ଏ.ଏସ । ଯେ ଗୋଟିଏ ହାକିମ, ଏବଂ ତାଙ୍କଠୁଁ ବଳି ବଡ଼ ହାକିମଟିଏ ହେବ । କାହିଁକିନା ସେ ସିନା ପ୍ରମୋସନ ପାଇ ପାଇ ଉଠିଥିଲେ ଏତେ ଉପରକୁ, ଆଇ.ଏ.ଏସ୍. ଜ୍ୱାଇଁ ତ ଚାହୁଁ ଚାହୁଁ ଉଠିଯିବ କାହିଁ କେତେ ଉପରକୁ… ।
ଖାଲି ତା ନୁହେଁ ମ ବୋଉ, ୟାଙ୍କ ପରି ସୁଂଦରିଆ ଗୁଣବନ୍ତ ଜ୍ୱାଇଁଟିଏ କଣ ସହଜେ ମିଳିଥାଆନ୍ତା ତମକୁ?-ସୁପ୍ରିୟା ନୀରବ ପ୍ରତିବାଦ ଜଣାଇଲେ ବୋଉଙ୍କୁ ।
“ଆଉ ସେଠି ତୋର ବାହାଘର ଠିକ୍ ନହେବା ଯାଏ କ’ଣ ନିଦ ଥିଲା ତାଙ୍କ ଆଖିରେ?
“କିନ୍ତୁ…କିନ୍ତୁ ସେଥିପାଇଁ ଏତେ ବ୍ୟସ୍ତ ହେବାର କ’ଣ ଥିଲା? ଏମାନେ କ’ଣ ରାଜି ହେଉନଥିଲେ ପ୍ରଥମେ?” ସୁପ୍ରିୟା ପଚାରିଲେ ଟକିଏ ଆଶ୍ଚର୍ଯ୍ୟ ହୋଇ ।
“ ନା, ନା, ତା’ ନୁହେଁ ଯେ,”
“ଆଉ କ’ଣ ତା’ ହେଲେ?
‘ବାପର ଝିଅ’ ଚାହାଣୀରେ କିଭଳି ଜିଦିଖୋର ଥିଲା କେଜାଣି, ଶୋଭାଦେବୀ କହି ପକେଇଲେ ଗୋଟାଏ କଥା, ଯାହା ସେ ଏଥିପୂର୍ବରୁ କହି ନଥିଲେ କାହାକୁ, ଏପରିକି ତାଙ୍କ ପୁଅମାନଙ୍କୁ ।
“କାହିଁକିନା ତାଙ୍କର ଗୋଟାଏ ଡିମାଣ୍ଡ୍ ଥିଲା । ନା, ଡିମାଣ୍ଡ ନୁହେଁ । ନାରଣ ବାବୁ ବାରଂବାର କହିଛନ୍ତି ୟାଙ୍କୁ, ଯେ ଇଏ ତାଙ୍କର ଆକୁଳ ମିନତି, ଜଣେ ଦୁଃଖୀ କନ୍ୟାପିତା ହିସାବରେ । ଯେ ଯୌତୁକ ହିସାବରେ ଯଦି କିଛି ମୋଟା ଟଙ୍କା ମିଳିଯାଆନ୍ତା ତାଙ୍କୁ, ତାଙ୍କ ପୁଅ ଜିତେନ୍ ପାଇଁ ତା’ ହେଲେ ସେ ତାଙ୍କ ଝିଅଟାକୁ ପାରି କରି ଦେଇପାରନ୍ତେ । ଯାହାକୁ ବରଘର ଜୁଟିବାକୁ ନାହିଁ । କାରଣ ସେ ଦେଖିବାକୁ ଭଲ ନୁହେଁ ସେମିତି, ଆପଣଙ୍କ ଝିଅପରି । କିନ୍ତୁ ତୋ ବାପା କୋଉଠୁ ଆଣିବେ ଏତେ ଟଙ୍କା? ସେଇଥିଲା ତାଙ୍କର ଚିନ୍ତା । ଅଥଚ ସେ ଏଭଳି ଗୋଟିଏ ପାତ୍ର ହାତଛଡ଼ା କରିବାକୁ ଚାହୁଁନଥିଲେ…”
“କେତେ ଟଙ୍କା? ସେଇଠୁଁ ସେ କ’ଣ କଲେ? କେମିତି ପୁଣି ରାଜି କରେଇଲେ ୟାଙ୍କ ବାପାଙ୍କୁ?”… ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ ସୁପ୍ରିୟା ଉତ୍ତେଜିତ ହୋଇ ।
“ମୁଁ ଜାଣେ ନାହିଁ କେତେ ଟଙ୍କା, ମୁଁ ସତ କହୁଛି । କାହାଠୁଁ ଧାର କରି ଆଣିଲେ ତା’ ବି ଜାଣେ ନାହିଁ । କିନ୍ତୁ ଦିନେ ଆସି କହୁଛନ୍ତି ମୋତେ, ଯେ ସବୁ ଠିକ୍ ହୋଇଗଲା ।”
“ମାନେ?”
“ମାନେ ଟଙ୍କାର ଯୋଗାଡ଼ ହୋଇଗଲା । ଆଉ ସିଏ ସିଧାସଳଖ ଯିବ ନାରଣ ବାବୁଙ୍କ ପାଖକୁ । ଏଠିକି ଆସିବା ଦରକାର ନାହିଁ”
ସୁପ୍ରିୟାଙ୍କ ଆଖି ଜଳି ଉଠିଲାଣି ସେତେବେଳକୁ ଏବଂ ତାଙ୍କ ମନ ହେଉଥାଏ କହିବା ପାଇଁ-କେମିତି ସେଇ ନୋଟ୍ବିଡ଼ାର ମୁହଁ ଦେଖିବ ବାପା, ମୋ ନୀତିବାନ୍ ବାପା? ଲାଂଚ ଟଙ୍କାକୁ ଘରେ ପୂରେଇବ କେମିତି? ଛିଃ! ତମ ନୀତିକୁ ବାଧା ହେବ ନାହିଁ?
ଯାହା ହେଉ ତାଙ୍କୁ ଧନ୍ୟବାଦ ଦେବା ଉଚିତ ଯେ ସେ ନିଜକୁ ସଂଭାଳି ରଖିଲେ କୌଣସି ମତେ । ହେଲେ ଯଥା ଶୀଘ୍ର ପଳେଇ ଆସିଲେ ସେଠୁଁ କିଛି ଗୋଟାଏ ବାହାନା କରି, ନିଜକୁ ଏକୁଟିଆ ପାଇବା ପାଇଁ । ଆସି ଭୁସ୍କିନି ଲୋଟିଗଲେ ତାଙ୍କ ଶୋଇବା ବିଛଣା ଉପରେ । ସେଇଠୁଁ ମୁଣ୍ଡ ଟେକି ମୁଥ ପରେ ମୁଥ ମାରି ଚାଲିଲେ ତକିଆଟାକୁ । ଯେଉଁ କ୍ରୋଧର ପରିଭାଷା ଥିଲା,-
ବାପା, ଶେଷକୁ ଏଇଆ କ’ଲ ତମେ? ଲାଂଚ ନେବାକୁ ପଛେଇଲ ନାହିଁ ତମ ଝିଅକୁ ତମ ମନଲାଖି ଘରେ ବାହା ଦେବ ବୋଲି? ହିଁ, ମୁଁ ଜାଣେ ସେ ଟଙ୍କା କୋଉଠୁ ଆଣିଲ ତମେ । କାଳବେଳ ମିଶିଯାଉଛି ପୂରାପୂରି । ଠିକଣା ସମୟରେ ଆସିଲା ସେ ଟଙ୍କା । ମଧ୍ୟ ପୁଳାଏ ପୁଳାଏ ଯାଇଥିବ ମଂତ୍ରୀ ଆଉ କୋଉ କୁସୁମ ଦିଦିଙ୍କ ପାଖକୁ । ଚୁକ୍ତି ସ୍ୱାକ୍ଷରିତ ହେଲା । ଆଉ ତମ ଝିଅ ବି ବାହା ହୋଇଗଲା ଯେଉଁଠି ତମେ ଚାହୁଁଥିଲ…
କିନ୍ତୁ ସେ ହଠାତ୍ ସ୍ତବ୍ଧ ହୋଇଗଲେ । ମୁଥମରା ହାତ ଦିଟା ଅବଶ ହେଲା ପରି ମନେ ହେଲା । କାହିଁ କି ନା ସୁପ୍ରିୟାଙ୍କ ମନକୁ ଆସିଲା ଯେ ଘଟଣାର ଶେଷ କଥା ହେଉଛି ଏଇ ଯେ ମୋ ବାପା ମରିଗଲେ ତା’ପରେ । ତାଙ୍କର ସେଇ ଦୁର୍ନୀତିକୁ ନେଇ ବଂଚି ରହି ପାରିଲେ ନାହିଁ । ଝିଅ ବାହା ହେଲା ସତ, ଏବଂ ସେ ଖୁସି ହେଲେ ଯେ ତାଙ୍କ କାମଟା ସରିଯାଇଛି । କିନ୍ତୁ ବଂଚି ରହିବା ଆଉ ସଂଭବ ହେଲା ନାହିଁ ତାଙ୍କ ପାଇଁ । ନହେଲେ କି ସେ ହଠାତ୍ ଏମିତି ହାର୍ଟ୍ଫେଲ୍ରେ ଚାଲି ଯାଇଥାଆନ୍ତେ ମୋ ବାହାଘରର ଦି’ ମାସ ନ ପୂରୁଣୁ?
ହଁ ସେଇଆ । ଠିକ୍ ସେଇଆ । ମୁଁ ସବୁ ବୁଝିଗଲିଣି…
ଲୁହଧୁଆ ମୁହଁଟାକୁ କୋଉ ସମଦୁଃଖୀ ସାଥୀର ଛାତିରେ ଥାପି ଦେବାର ଅବାକାଶ ନାହିଁ ଏଇକ୍ଷଣି । ତା’ ଛଡ଼ା ତାଙ୍କୁ ଭାବିବାକୁ ପଡ଼ିଲା ଯେ ସେ ଜଣକ ବି ଏଇ ଦୋଷରେ ଭାଗୀ । ଜାଣି କରି ହେଉ ବା ଅଜାଣତରେ । ଏବଂ ସେ ନିଶ୍ଚୟ କଲେ ଯେ ସେ ତାଙ୍କ ସ୍ୱାମୀଜଣଙ୍କୁ ମଧ୍ୟ ଟାଣୁଆ ଜେରା କରିବେ ଏ ବିଷୟରେ, ଛାଡ଼ିବେ ନାହିଁ । କିନ୍ତୁ ଏଇକ୍ଷଣି ତାଙ୍କ ଶୋକାର୍ତ୍ତା ହୃଦୟ ଜଣାଇବାକୁ ଚାହିଁଲା ବାପାଙ୍କୁ-
ନା ବାପା, ଇଏ ଦୁର୍ନୀତି ନୁହେଁ । ଇଏ ହେଉଛି ସ୍ୱାର୍ଥତ୍ୟାଗ । ମନେ ନାହିଁ ତମେ କ’ଣ କହିଥିଲ ମୋତେ, ତମ କୋଳରେ ବସେଇ, ଭଲ ପାଇବାର ଦାୟିତ୍ୱ ବୟସରେ? ଆଉ ଯେଉଁ ଭଲ ପାଇବାର ଗ୍ରେଡ଼୍ ଦେଇଥିଲ ମୋତେ, ସିଏ ‘ଏ ପ୍ଲସ୍’ ପରା?
ସୁପ୍ରିୟା ତାଙ୍କ ଲୁହର ଛୁଟଣକୁ ଆଉ ଅଟକେଇ ରଖି ପାରିଲେ ନାହିଁ ।
କାର୍ଯ୍ୟସୂଚୀର ଦ୍ୱିତୀୟ ଆଇଟେମ୍ ହେଲା ମୋର ଭୋଳା (ଅଥବା ଭଗବାନ ନ କରନ୍ତୁ, ଚୁପ୍ ସଇତାନ୍) ସ୍ୱାମୀଜଣଙ୍କୁ ଜେରା କରିବା । ସେଥିରେ ମୋତେ କିଛି ଅଧିକ ସାକ୍ଷୀ ପ୍ରମାଣ ମିଳିଯିବ, ତା ନୁହେଁ । କିନ୍ତୁ ମୁଁ ମୋ ମନକୁ ଶାନ୍ତ କରିପାରିବି, ସମସ୍ତ ଦୋଷୀମାନଙ୍କୁ ଚିହ୍ନଟ କରି ନେଇ । ଏବଂ ଯେଉଁମାନେ ଏଭଳି ଗୋଟାଏ ପରିସ୍ଥିତି ସୃଷ୍ଟି କଲେ ବାପାଙ୍କ ପାଇଁ, ସେମାନଙ୍କୁ ଲଜ୍ଜା ଦେବି । ଶ୍ୱଶୁରଙ୍କୁ ସିନା କିଛି କହିପାରିବି ନାହିଁ ତାଙ୍କ ମୁହଁ ଉପରେ, ତାଙ୍କ ପୁଅକୁ ଦି’ପଦ ଶୁଣେଇ ପାରିବି ନାହିଁ? ଏହି ପ୍ରକାର ତାଡ଼ନା ବଶତଃ ସୁପ୍ରିୟା ଅବିଳମ୍ବେ ଫେରିଗଲେ କ୍ୟାପିଟାଲ୍ରେ ଥିବା ସରକାରୀ କ୍ୱାଟର୍ସକୁ । ଏବଂ ସେଇଦିନ ରାତିରେ ସେ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କଲେ,-
“ଶୁଣ, ମୁଁ ତମକୁ ଗୋଟାଏ କଥା ପଚାରିବାକୁ ଚାହେଁ ।”
ସ୍ତ୍ରୀଙ୍କ ମୁଡ଼୍ ଦେଖି ବିସ୍ମିତ ହୋଇ ଉଠିଥିବା ଜିତେନ୍ ବାବୁ ନିଜକୁ ସଜାଡ଼ିବାର ସମୟ ପାଇଲେ ନାହିଁ । ସୁପ୍ରିୟାଙ୍କ ପରବର୍ତ୍ତୀ ପ୍ରଶ୍ନ ।
“ତମ ବାପା ଯୌତୁକ ଡିମାଣ୍ଡ୍ କରିଥିଲେ ମୋତେ ବୋହୂ କରି ଆଣିବା ଲାଗି?
“ଯୌତୁକ? ୱେଲ୍, ତମର ଶାଢ଼ୀ, ଗହଣା, ମୋର ସୁଟ୍କନା, ଇତ୍ୟାଦି ଯାହାକିଛି ଆସିଥିବ-”
“ଧ୍ୟାତ୍ । ମୁଁ ସେକଥା କହୁନାହିଁ । ଥୋକ୍ ଟଙ୍କା । ଏତିକି ବଢ଼େଇ ଦିଅ ମୋ ହାତକୁ, ନହେଲେ ତମ ଝିଅ ଆସିପାରିବନି ଆମ ଘରକୁ ।”
“ଇଂପସିବ୍ଲ୍!”
“ନା ପସିବ୍ଲ୍ । ସମ୍ଭବ, ଏବଂ ସତକଥା, ଶୁଣ ମୋଠୁଁ ।”
ସେଇଠୁଁ ସୁପ୍ରିୟା ତାଙ୍କୁ ଶୁଣାଇଲେ ତାଙ୍କ ଗୋଇନ୍ଦା ଗିରିର ଚମକପ୍ରଦ ଆବିଷ୍କାର ବିଷୟରେ । ଏବଂ ଶେଷକୁ ସେ ଗୋଟାଏ ତାଚ୍ଛଲ୍ୟଭରା ପାଲଟା ଅସ୍ତ୍ର ପେଷିଲେ ସ୍ୱାମୀଙ୍କ ଆଡ଼କୁ-ତା ମାନେ ତମେ ଯାହା କହୁଥିଲ ସତ । ମୋ ବାପା ଗୋଟିଏ ଚୋର । ଏବଂ ଥ୍ୟାଙ୍କସ୍ ଟୁ ତମ ବାପା, ତାଙ୍କୁ ଏଇ ଚୋରି କରିବାର କାରଣ ମିଳିଗଲା । ନହେଲେ ଆମ ଶୁଭପରିଣୟ ସଂଭବ ହୋଇପାରିନଥାନ୍ତା । ସେହେତୁ ସେମାନଙ୍କୁ ଆମର କୋଟି କୋଟି ପ୍ରଣାମ ।”
ଜିତେନ୍ ବାବୁ ଆଉ ସହ୍ୟ କରି ପାରିଲେ ନାହିଁ । ଉଠିପଡ଼ିଲେ ବିଛଣାରୁ, ଏବଂ ସୁପ୍ରିୟାଙ୍କ ଦୁଇ ହାତକୁ ମୁଠେଇ ଧରି କହିଲେ ଭାବଦଗ୍ଧ କଣ୍ଠରେ ।
“ମୋତେ କ୍ଷମା କର ପ୍ରିୟା, ଯଦି ଏମିତି ହୋଇଥାଏ । କିନ୍ତୁ ମୁଁ ଚୁପ୍ ହୋଇ ରହିଯିବି ନାହିଁ । ମୁଁ କାଲି ବାହାରୁଛି ଆମ ଗାଁକୁ ଛୁଟି ନେଇ । ଆଉ ବାପାଙ୍କୁ ଯାଇ ପଚାରିବି । ଯଦିଓ ଯାହା ହେବାର ହୋଇଗଲାଣି, ଏବଂ ତା’କୁ ବଦଳେଇ ଦେଇ ହେବ ନାହିଁ ଏଇକ୍ଷଣି ।”
ସୁପ୍ରିୟା ତାଙ୍କୁ ବାରଣ କଲେ ନାହିଁ । ଯଦିଓ ତାଙ୍କ ମନରେ ବିଶ୍ୱାସ ଆସିଗଲାଣି ସେତେବେଳେ ଯେ ଏଇ ଲୋକର କିଛି ଦୋଷ ନାହିଁ । ଭାବିଲେ ଯେ ତାଙ୍କର ବି ନିଶ୍ଚିତ ହେବା ଉଚିତ ଏ ବିଷୟରେ । ସେଇଠୁ ସେ ବି ଟିକିଏ କଷ୍ଟ ପାଆନ୍ତୁ ମୋ ପରି । ମିଛୁଟାରେ କ’ଣ ମୋ ଜୀବନ ସାଥି ହୋଇଛନ୍ତି?
କିନ୍ତୁ ତାଙ୍କ ଗାଆଁରୁ ଫେରି ଆସିଲା ପରେ ଜିତେନ୍ ବାବୁ ଯେମିତି ଗୁମ୍ ହୋଇ ରହିଲେ, ସତେକି ବ୍ୟଥାତୁର ହୃଦୟରୁ କଥାଟିଏ ବାହାରିପାରୁନାହିଁ, ସେଥିରେ ସୁପ୍ରିୟାଙ୍କୁ ହସ ଲାଗିଲା, “ ଲୋକଟି” ପ୍ରତି ଦୟାଭାବ ଆସିବା ସତ୍ତେ୍ୱ ।… ଇଏ କୁଆଡ଼େ ହାକିମ ହୋଇଛି, ଏଇ କୋମଳାଂଗ ମଣିଷଟି ମୋର, ଏବଂ ଆହୁରି ବଡ଼ ହାକିମଟିଏ ହେବ, ଯେଉଁଥିରେ ମୋ ବାପାଙ୍କ ମନଟା ଆହୁରି ପୂରି ଉଠିବ ସ୍ୱର୍ଗରେ ଥାଇ!
କିନ୍ତୁ ସେ ପ୍ରସ୍ତୁତ ନଥିଲେ ସ୍ୱାମୀଙ୍କର ଅବାରିତା କ୍ଷମାଭିକ୍ଷା ଲାଗି, ଯେତେବେଳେ ସେମାନେ ଏକାଠି ହେଲେ ଏକୁଟିଆରେ ତାଙ୍କ ଯୋଡି ପଲଙ୍କରେ । ଯାହାର ମୂଳକଥା ହେଲା ଏଇ ଯେ ତମେ ଠିକ୍ ବୁଝିଛ । ମୋ ବାପା ଏତେ ତଳକୁ ଯିବେ ବୋଲି ମୁଁ ଭାବି ନଥିଲି । ଜାଣିଛ କ’ଣ କହିଲେ, କହିଲେ- ‘ଏଇ ଗୋଟାଏ ସୁଯୋଗ ମିଳୁଥିଲା ମୋତେ ମଂଦିକୁ ଉଠେଇ ଦେବା ପାଇଁ କହିବାକୁ ଗଲେ ଲାଷ୍ଟ ଚାନ୍ସ, ଆଉ ମୁଁ ତାକୁ ଛାଡ଼ି ଦେଇ ଥାଆନ୍ତି, ? ମୋ ଝିଅ ଅଭିଆଡ଼ୀ ହୋଇ ରହିଯାଇଥାଆନ୍ତା, ତା ଜୀବନଟା ଯାକ? ସତେକି ଏହା ହିଁ ଥିଲା ତାଙ୍କର କର୍ତ୍ତବ୍ୟ । ହେ ଭଗବାନ୍! ଆଇ ଆମ ସରି ପିୟା, ଭେରୀ ଭେରୀ ସରୀ, ପ୍ଲିଜ୍ ଫରଗିଭ୍ ମି!
ସେଇଠୁଁ ସୁପ୍ରିୟା ତାଙ୍କ ଉଦାର କ୍ଷମାଶୀଳତାର ପରିଚୟ ଦେଲେ । କହିଲେ ଫରଗେଟ୍ ଇଟ୍ । ତମ ବାପା କୋଉ ତଳକୁ ଯାଇଛନ୍ତି ବୋଲି କିଏ କହିଲା? ଯୌତୁକ ଦେବା-ନେବା ବେଆଇନ୍ ହୋଇପାରେ, ହେଲେ ଏପର୍ଯ୍ୟନ୍ତ ଗୋଟିଏ ନୈତିକ ଅପରାଧ ହିସାବରେ ଗଣା ହୋଇ ନାହିଁ ଆମ ସମାଜରେ । କିନ୍ତୁ ଲାଞ୍ଚର ଦିଆ-ନିଆ ଭିନ୍ନ ଜିନିଷ ।
ଜିତେନ୍ ବାବୁ ତେଜି ଉଠିଲେ, ଏବଂ କହିଲେ ତାଙ୍କ ସ୍ତ୍ରୀଙ୍କୁ,
“ତମ ବାପା ବି କୋଉ ଲାଂଚ ନେଇନଥିବେ । ମୋର ପୂର୍ଣ୍ଣ ବିଶ୍ୱାସ । ଟଙ୍କାଟା ମିଳିଥିବ ଆଉ କେଉଁଠୁ । ଉଧାର କିମ୍ବା ଅଯାଚିତ ଦାନ, ଯାହାକୁ ଦାନ ବୋଲି କୁହାଯାଇ ନପାରେ । କିଓ, ତାଙ୍କର ଉପକାରୀ ବଂଧୁ କ’ଣ କମ୍ ଅଛନ୍ତି, ଯେଉଁମାନେ ନିଜକୁ ଧନ୍ୟ ମନେ କରିବେ, ତାଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇଲେ?”
“ଥ୍ୟାଂକସ୍ । ତମ ତୁଣ୍ଡ ସୁତୁଣ୍ଡ ହେଉ । ସୁପ୍ରିୟାଙ୍କ ମନରେ ତିଳେ ହେଲେ ସଂଦେହ ନଥିଲା ଯେ ଟଙ୍କାଟା ଆସିଛି ସେଇ ସୋସାଇଟିବାଲାଙ୍କଠାରୁ ଏବଂ ତାଙ୍କୁ ଅବଶ୍ୟ ଲାଂଚ କୁହାଯିବ । ତଥାପି ସେ ଏଇ ପଦକ କହିଲେ, କାରଣ ଆଶ ଜିନିଷଟାକୁ କଦାପି ହରେଇବାର ନୁହେଁ ।
କିନ୍ତୁ ଲାଂଚ ବୋଲାଇଲେ ବି’ କିଏ ବୁଝିବ କ’ଣ ଥିଲା । ତା’ ପଛରେ , କିଭଳି ସ୍ୱାର୍ଥ ତ୍ୟାଗ? ଏବଂ କେଉଁ ଗ୍ରେଡ଼ର ଭଲ ପାଇବା ଉସ୍କେଇଲା ବାପାଙ୍କୁ ଏତେ ବଡ଼ ତ୍ୟାଗ କରିବା ପାଇଁ ଯେଉଁଥିରେ ଘୃଣ୍ୟ ଦୁର୍ନୀତିର ଭାବ ଆସିବ ତାଙ୍କ ମନରେ, ଏଇ ସେଇ ଆତ୍ମାଗ୍ଲାନି ଖାଇଦେବ ତାଙ୍କୁ କେଇଟା ମାସ ଭିତରେ?
କେହି ବୁଝିବେ ନାହିଁ, କେହି ବୁଝିବେ ନାହିଁ ମୋ ବାପାଙ୍କ ବଡ଼ପଣ!
ସେ ଦୋଷୀ ନୁହଁନ୍ତି, ଦୋଷୀ ହେଉଛି ମୁଁ, ଯେ ଏଭଳି ଅଧିକାର ଜମେଇଥିଲା ତାଙ୍କ ଉପରେ ।…
ସୁପ୍ରିୟା ଗୋଟିଏ ଦୀର୍ଘ ନିଃଶ୍ୱାସ ପକେଇ ଆଖି ବୁଜି ଆଣିଲେ । ସେଥିରେ ଥିବା ଦୁଃଖ ପହଞ୍ଚୁଥିବ ନିଶ୍ଚୟ, ଶଯ୍ୟାସାଥିର ମନରେ, ହୃଦୟରେ । କିନ୍ତୁ ଯେଉଁ ଆତ୍ମଗୌରବ ମିଶି ରହିଥିଲା ସେଇ ଦୁଃଖରେ, କିଏ ଭଲା ତା’ର ଭେଦ ପାଇପାରିଥାଆନ୍ତା?
ବର୍ଷେ ଉପରେ ହୋଇଗଲାଣି ୟା’ ଭିତରେ । ପୁଅଟିଏ ଆସିଲାଣି ସୁପ୍ରିୟାଙ୍କ କୋଳକୁ । ପୁଅର ନାଁ ଦିଆ ହୋଇଛି ବିଶ୍ୱକଲ୍ୟାଣ । ଏବଂ ମାଆ ତାକୁ କାଖେଇ ଠିଆ ହୋଇଥିବା ଫଟୋଟିଏ ଗଲାଣି ସ୍ୱର୍ଗୀୟ ବିଶ୍ୱବଂଧୁଙ୍କ ପ୍ରତିକୃତିର ପାଦଦେଶକୁ । ତାଙ୍କ ସୁକଲ୍ୟାଣର ପ୍ରାର୍ଥୀ ହେଲା ପରି ।
ଏବଂ ଅଳ୍ପ କେତେଦିନ ତଳେ ଆଉ ଗୋଟିଏ ସୁଖବର ଆସି ପହଞ୍ଚୁଛି ସୁପ୍ରିୟା ଓ ଜିତେନ୍ବାବୁଙ୍କ ସଂସାରରେ । ଭିଜିଲାନ୍ସବାଲା ଜଣେଇ ସାରିଲେଣି । ‘ବିଷ୍ଣୁଭଗବାନଙ୍କୁ’ ଯେ ତାଙ୍କ ସୁଦର୍ଶନ ଚକ୍ର କାମ ଦେବ ନାହିଁ ଏଠି (ଉଚ୍ଛ୍ୱସିତ ଜିତେନ ବାବୁଙ୍କ ଭାଷା), କୌଣସି କେସ୍ ଠିଆ କରେଇ ହେବ ନାହିଁ ପ୍ରାକ୍ତନ ମଂନ୍ତ୍ରୀ ବିଧୁ ପୂଜାରୀ ଓ ତାଙ୍କ ଅଫିସରମାନଙ୍କ ବିରୁଦ୍ଧରେ, ବି.ବି ନିଗମର ଉକ୍ତ ପରୀକ୍ଷାନିରୀକ୍ଷାମୂଳକ ଉଦ୍ୟମକୁ ନେଇ । ମଧ୍ୟ ସୁଶ୍ରୀ କୁସୁମ ଚୌଧୁରୀ ସସମ୍ମାନେ ଫେରି ଆସିଲେଣି ତାଙ୍କ କାମକୁ । ଏବଂ ତାଙ୍କୁ କୁହାଯାଇଛି ଯେ ତାଙ୍କର ସସ୍ପେଣ୍ଡ ହୋଇଥିବା ସମୟ ଡିଉଟି ହିସାବରେ ଗଣା ହେବ ।
ଏଇ ଅବସରରେ ଗୋଟିଏ ବଂଧୁ ମିଳନର ବିଚାର ଜୁଟିଲା ଜିତେନ୍ ବାବୁଙ୍କ ମନକୁ । ଯେ ଗୋଟାଏ ବଡ଼ ଧରଣର ଡିନର୍ ଆୟୋଜନ କରାଯାଉ ଆମ ଘରେ । ଭାଇବଂଧୁକୁଟୁମ୍ବଙ୍କ ଛଡ଼ା ମୁଁ ଆମ ଅଫିସର କେତେକଙ୍କୁ ମଧ୍ୟ ଡାକିବାକୁ ଚାହେଁ, ଯେଉଁମାନେ ଆମର ଶୁଭାକାଙ୍ଖୀ । ଯେମିତିକି ଉଭୟ ବିଶ୍ୱବଂଧୁ ଓ ବିଶ୍ୱକଲ୍ୟାଣଙ୍କୁ ମିଳିବ ଅନେକ ଅନେକ ବଧେଇ ଏବଂ ସୁକଲ୍ୟାଣ । ପୁଅର ଏକୋଇଶା ଅବଶ୍ୟ ଗଲାଣି କେବେଠୁ, କିନ୍ତୁ ସେଥିରେ ଯାଏ ଆସେ ନାହିଁ । ଉତ୍ସବର ବେଳା ସରିଯାଇ ନାହିଁ । କିଛି ଆପତ୍ତି ଅଛି ତମର? ସେ ପଚାରିଲେ ପତ୍ନୀଙ୍କୁ । ଏବଂ ସସ୍ମିତା ସୁପ୍ରିୟା ତାଙ୍କ ସମ୍ମତି ଜଣାଇଲେ, ଧନ୍ୟବାଦ ପୂର୍ବକ ।
ଅତିଥିମାନଙ୍କ ମଧ୍ୟରେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ । କୁସୁମ ଚୌଧୁରୀ । ଯେହେତୁ ସେ ଥିଲେ ବାପାଙ୍କର ସେବେଳର ସହକର୍ମୀ, ନିଗମର ଡେପୁଟି ଡାଇରେକ୍ଟର ତଥା ଫସର ଫାଟି ଯାଇଥିବା ଭିଜିଲାନ୍ସ କେସ୍ର ଅନ୍ୟତମ ଆସାମୀ, ଯେ ହସି ହସି ଫେରି ଆସିଛନ୍ତି ତାଙ୍କର ଗାଦିକୁ । ଏବଂ ବାପାଙ୍କ ପଛକୁ ସେ ମଧ୍ୟ ଏଇ ଉତ୍ସବର ଅନ୍ୟତମ ଅଧିଷ୍ଠାତ୍ରୀ ଦେବତା ବୋଲି ସ୍ୱୀକାର କରି ନେଇଥିଲେ ହୋଷ୍ଟ ଏବଂ ହୋଷ୍ଟେସ୍ ଜିତେନ ବାବୁ ଓ ସୁପ୍ରିୟା ।
ଦିହେଁ ଏକାଠି ଆଗେଇ ଯାଇଥିଲେ ତାଙ୍କୁ ପାଛୋଟି ଆଣିବା ପାଇଁ । ତଥା ସହାସ୍ୟ ନଇଁଲା ନମସ୍କାରଟିଏ ପକେଇଥିଲେ । ସେଇଠୁଁ-ଦେଖଣାହାରୀମାନେ ଅଳ୍ପବହୁତ ମୁଗ୍ଧ ଓ ଚକିତ ହେଲେ ସେଇ ଦୃଶ୍ୟ ଦେଖି-ମିସ୍ ଚୌଧୁରୀ କୁଣ୍ଢେଇ ପକେଇଲେ ସୁପ୍ରିୟାଙ୍କୁ, ପ୍ରତିନମସ୍କାର ଦେଉ ନଦେଉଣୁ । ଏବଂ କହିଲେ-
“ୱେଲ, ୱେଲ… ସାର୍ଙ୍କ ଝିଅ, ଆଉ ଆମ ଜିତେନବାବୁଙ୍କ ସ୍ତ୍ରୀ । ଏଡ଼େ ବଡ଼ଟିଏ ହୋଇଗଲଣି ତମେ? ମୁଁ ତୋତେ, ଆଇ ମିନ୍ ତମକୁ(ଆତ୍ମୀୟତାର ଆମୋଦ-ହସ ଛିଡ଼ିକି ପଡ଼ିଲା ତିନିଜଣଙ୍କ ଓଠରୁ) ଲାଷ୍ଟ ଦେଖିଥିଲି, ତମେ ଯେତେବେଳେ ଥିଲ ତମ ବାପାଙ୍କ ପାଖରେ, ପିଲାଟିଏ ହୋଇଥିଲ…
ସୁପ୍ରିୟାଙ୍କର କିଛି ମନେ ପଡ଼ିଲା ନାହଁ । ଏବଂ ସେ ଭାବିଲେ ଯେ ଯଦି ସେ ଆସୁଥିଲେ ଆମଘରକୁ, ମୁଁ ପିଲା ଥିଲା ବେଳେ, ତା ହେଲେ ସେ କଣ ଆହୁରି ଜୋର୍ରେ ଏବଂ ବାରଂବାର କୁଣ୍ଡେଇ ଧରୁନଥାଆନ୍ତେ ମୋତେ? ଏବଂ ଏଭଳି ଗୋଟିଏ ଲମ୍ବା ଚଉଡା ଗୋରା ତକତକ ଓ କୁହାଳିଆ ଭିନ୍ନ ଦେଶୀୟ ଆଣ୍ଟିଙ୍କର ଆଲିଙ୍ଗନ କ’ଣ ମନେ ନ ଥାଆନ୍ତା ମୋର?
ଏବଂ ଆଲିଂଗନ କଣ ମନେ ନଥାଆନ୍ତା ମୋର?
ଏବଂ ଆଲିଂଗନରୁ ମୁକ୍ତ ହୋଇ ସେ ଯେତେବେଳେ ଦେଖିଲେ ତାଙ୍କ ମୁହଁଙ୍କୁ, ଆହୁରି ପାଖରେ, ସୁପ୍ରିୟାଙ୍କର ସନ୍ଦେହ ରହିଲା ନାହିଁ ଯେ କେବେହେଲେ ୟାଙ୍କ ସାଙ୍ଗରେ ଭେଟ ହୋଇନଥିଲା ଏଥିପୂର୍ବରୁ । କାରଣ ବଡ଼ ବଡ଼ ଚିଲା ଆଖି ଦି’ଟା ଅନେଇଛି ତାଙ୍କ ଆଡ଼କୁ । ତାକୁ କ’ଣ କେବେ ହେଲେ ଭୁଲି ହୋଇ ଥାଆନ୍ତା?
କୁସୁମ ଚୌଧୁରୀ ହୋ’ ହୋ’ ହୋଇ ହସି ଉଠିଲେ ସୁପ୍ରିୟାଙ୍କ ମୂଢ଼ତା ଦେଖି ଏବଂ କହିଲେ- “କଣ କିଛି ହେଲେ ମନେ ପଡ଼ୁନାହିଁ?”ଏବଂ ସୁପ୍ରିୟା ନୀରବରେ ମୁଣ୍ଡ ହଲାଇଲେ, ତାଙ୍କର ଅକ୍ଷମତା ମାନି ନେଲା ପରି । ସେଇଠୁଁ ଆଗନ୍ତୁକା କହି ଚାଲିଲେ ‘ସାର’ଙ୍କ ସହିତ ତାଙ୍କର ଅନେକ ଦିନର ସଂପର୍କ ବିଷୟରେ । ଯେ ନିଗମରେ ତାଙ୍କର ଜଣେ ସହକର୍ମୀ ହେବା ପୂର୍ବରୁ ମଧ୍ୟ ସେ ନାନାଦି ବିଭାଗରେ ଏବଂ ନାନାଦି କାମରେ ସାର୍ଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇଥିଲେ । ଖାଲି ସେତିକି ନୁହେଁ ଚାକିରୀର ଆରମ୍ଭରେ ଜଣେ ପ୍ରୋବେସନର ହିସାବରେ ସେ ଅନେକ ପରାମର୍ଶ ଲୋଡୁଥିଲେ ଏବଂ ପାଉଥିଲେ ତାଙ୍କ ଠାରୁ ପ୍ରଶାସନର ନୀତିନିୟମ ଓ ଦାୟିତ୍ୱ ବିଷୟରେ । ଯାହା ଲୋଡୁଥିଲେ ତା ଠାରୁ ଅନେକ ଅଧିକ । ସେଇଠୁ ଟିକିଏ ରହିଯାଇ କହିଲେ , ଭାବଭରା କଣ୍ଠରେ-
“ମହାନ୍ ଲୋକଟିଏ ଥିଲେ ଆମ ସାର୍ ।”
ତା’ ପରେ ସ୍ମିତହାସ୍ୟଟିଏ ଦେଇ “ଆଉ ମୁଁ ଥିଲି ତାଙ୍କର ଜଣେ ଫେଭରିଟ୍ ଅଫିସର ।”
ସୁପ୍ରିୟା ଅବଶ୍ୟ ଖୁସି ହେବାକୁ ଚାହିଁଲେ । ଯେ ମୋ ବାପାଙ୍କର ବଡ଼ପଣ ୟାଙ୍କୁ ମଧ୍ୟ ଛୁଇଁଛି । କିନ୍ତୁ କେଜାଣି କେମିତି ତାଙ୍କୁ ଟକିଏ ଅଡ଼ୁଆ ଲାଗିଲା । ମନେ ହେଲା ଯେ ଏଇ ବିପୁଳା ଫୁଲ୍ଲକୁସୁମିତା ଭଦ୍ର ମହିଳା ପ୍ରୋବେସନର ବେଳେ ସେ ଏତେ ବିପୁଳା ନଥିବେ ଏବଂ ଆହୁରି ସତେଜ ଦିଶୁଥିବେ , ସେ ବାପାଙ୍କର ଫେବରିଟ ଅଫିସର ହୋଇ ପାରିଥାନ୍ତି, କିନ୍ତୁ ତାଙ୍କର ଏକାନ୍ତ ସୁବୋଧ ଓ ଅନୁଗତ ଛାତ୍ରୀଟିଏ ହୋଇନଥିବେ । କାରଣ ୟାଙ୍କ ରୂପଗୁଣରେ ଗୋଟାଏ ଜବରଦସ୍ତ ଭାବ ରହିଛି, ଯାହାକୁ ସେ ଇଚ୍ଛା କଲେ ପ୍ରୟୋଗ କରିପାରିବେ ତାଙ୍କ ମାଷ୍ଟ୍ରମାନଙ୍କ ଉପରେ । ଉପର ହାକିମମାନଙ୍କ ଉପରେ । ତେଣୁ ଏଇ ଫେଭ୍ରିଟି୍ ଅଫିସରଜଣକ ବାପାଙ୍କୁ ଅଳ୍ପ ବହୁତ ହଇରାଣ କରି ନଥିବେ ବୋଲି କିଏ କହିବ?
କାହାପରି ବୋଲି ଭାବିବାକୁ ଚାହିଁଲେ ସୁପ୍ରିୟା, କିନ୍ତୁ ପାରିଲେ ନାହିଁ ।
ପ୍ରଭୂତ ଆନନ୍ଦ କୋଳାହଳରେ ମୁଖରିତ ହୋଇ ଉଠିଥିଲା ସେଦିନର ଡିନ୍ର ପାର୍ଟି । ମାଲ୍ୟବିଭୂଷିତ ସ୍ୱର୍ଗତଃ ବିଶ୍ୱବଂଧୁଙ୍କୁ ଅନେକ ଭକ୍ତିପୂତ ପ୍ରଣାମ ମିଳିଥିଲା ତଥା ବଧେଇ । ତନ୍ମଧ୍ୟରେ ବିଶେଷ ଉଲ୍ଲେଖଯୋଗ୍ୟ କୁସୁମ ଚୌଧୁରୀଙ୍କ ପ୍ରକଳ୍ପିତ ଏବଂ ଆଖିଦୃଶିଆ ଶ୍ରଦ୍ଧାଂଜଳି ଏବଂ ବିଶ୍ୱ କଲ୍ୟାଣକୁ ଅନେଇ ଗେହ୍ଲା, ଏବଂ ଝୁମୁକା ଜାତୀୟ ବସ୍ତୁ । ମିସ୍ ଚୌଧୁରୀଙ୍କ ପାଉଣାରେ ମଧ୍ୟ କିଛି ଉଣା ନଥିଲା ।
ସମସ୍ତେ ଖୁସି ଥିଲେ । କିନ୍ତୁ ବୋଧହୁଏ ସବୁଠୁଁ ବେଶି ଖୁସିଥିଲେ ସୁଶ୍ରୀ କୁସୁମ ଚୌଧୁରୀ । ସେ ତାଙ୍କର ଜଣେ ସଂଗିନୀ ବାଲ୍କୋନିର ରେଲିଙ୍ଗକୁ ଭରା ଦେଇ କଣ ପଦେ ଅଧେ କଥା ହେଉଥିଲେ, ଏବଂ ଜହ୍ନକୁ ଦେଖୁଥିଲେ । ଶୁକ୍ଲପକ୍ଷର ପ୍ରାୟ ପୂରା ହୋଇ ଆସିଥିବା ଜହ୍ନ । ମନେ ହେଉଥିଲା ଇଏ କଥା କୁହା ନୁହେଁ, ଏକତରଫା ଉଚ୍ଚାରଣ । ବିଜୟୋଲ୍ଲାସରେ ଏମିତି ଭରି ଉଠିଛି କୁସୁମଙ୍କ ମନ, ଯେ ସେଇଥିରୁ ପଦେଅଧେ ଉପୁଚି ଉଠୁଛି ।, ଯାହାଙ୍କୁ ତାଙ୍କ ସଂଗିନୀ ଗୋଟେଇ ନେବ । ପାଖରେ ଆଉ କେହି ନଥିଲେ । କିନ୍ତୁ ଚଇତାଳି ହାଉଆର କିଛି କମ୍ କରାମତି ନଥିଲା ସେଦିନ, ମୁହଁରୁ ବାହାରୁଥିବା ଶବ୍ଦମାନଙ୍କୁ ଖେଳେଇ ବୁଲେଇ ଆଣିବା ପାଇଁ । ଯେହେତୁ ପାଖ ରୁମ୍ରେ ଥିବା କାଚ୍ ଆଲମାରୀରୁ ଆହୁରି କେତେଟା ଆଇସ୍କ୍ରିମ୍ କପ କାଢ଼ି ଆଣିବା ପାଇଁ ଆସିଥିବା ହୋଷ୍ଟେସ୍ଙ୍କ କାନରେ ପଡ଼ିଲା ଅଳ୍ପ କେତୋଟି ଶବ୍ଦ ଓ ବାକ୍ୟ । ବସେଇ ବସେଇ କହୁଛନ୍ତି ସେ, ସୁଶ୍ରୀ କୁସୁମ ଚୌଧୁରୀ- ।
“ସାର ରାଜି ହେଉନଥିଲେ ସହଜେ । କିନ୍ତୁ ମୁଇଁ ତାଙ୍କୁ ରାଜି କରେଇଲି । ତର୍କ କଲିନାହିଁ ତାଙ୍କ ସାଂଗରେ । ଖାଳି ଅନେଇ ରହିଲି ତାଙ୍କୁ, ମୋର ବକ୍ତବ୍ୟ ସରିଲା ପରେ । କେଜାଣି କେତେ ସମୟ ଯାଏ । ଯାହାର ଅର୍ଥ-କ’ଣ ଏତିକି କରିପାରିବେ ନାହିଁ ଆପଣ? ସତେ ପାରିବେ ନାହିଁ?”
ତା’ ପରେ ଗୋଟାଏ ଦୀର୍ଘ ବ୍ୟବଧାନ ପରେ ।
“ଶେଷକୁ ସାର୍ ହାରିଗଲେ । ହସିଦେଲେ ମୋ ଆଡ଼କୁ ଚାହିଁ । ଆଉ କହିଲେ-ଓ -କେ’ । ସେଇଠୁଁ ମୁଁ ସୁଖବରଟାକୁ ଯଥାଶୀଘ୍ର ପହଞ୍ଚେଇ ଦେଲି ସୋସାଇଟିବାଲାଙ୍କ ପାଖରେ । କାମ୍ ଫତେ” ହସର ହାବୁକାଏ ।
ଭାଗ୍ୟ ଭଲ ଆଇସ୍କ୍ରିମ୍ କପ୍ଟାଏ ତଳେ ଖସିପଡ଼ି ଭାଂଗି ଯାଇ ନାହିଁ । ଯାହା ହେଉ ସୁପ୍ରିୟା ସବୁ ଛାଡ଼ି ଛୁଡ଼ି ଦେଇ ପଳେଇ ଗଲେ ସେଠୁଁ । ଆଉ କ’ଣ ଶୁଣିବି? କାହିଁକି ଶୁଣିବି? ମରନ୍ତୁ ଗେଷ୍ଟ୍ମାନେ! ଚୁଲିକୁ ଯାଉ ତମ ବଂଧୁମିଳନ! ପଳେଇ ଗଲେ ନିଜକୁ ଏକୁଟିଆ ପାଇବା ପାଇଁ । ଏବଂ ମନଇଚ୍ଛା ରାଗିବା ପାଇଁ ସେଇ ‘ମିଛେଇଟା’ ଉପରେ ।
ବସିପଡ଼ିଲେ ଯାଇଁ କୋଉ କୋଣରେ, କାନ୍ଥକୁ ଆଉଜି । ଗୁମ୍ ହୋଇ । କିଏ କଣ ଭାବିଲେ ଭାବୁ, କହିବି ମୋ ଦେହ ଭଲ ଲାଗୁନାହିଁ.. ଏବଂ ରାଗିଲେ ବିଶିଷ୍ଟ ଅତିଥି ତଥା ମିଛୋଇ କୁସୁମ ଚୌଧୁରୀଙ୍କ ଉପରେ-
ଏମିତି କଦାପି ହୋଇନଥିବ ସେ ସେମିତି କହୁଛି ତା’ ସାଙ୍ଗ ଆଗରେ, ତା’ ନିଜର ଭାଉ ବଢ଼ାଇବା ଲାଗି ।
… କିନ୍ତୁ କାହିଁ କି ହୋଇନଥିବ?
କେମିତି ଜାଣିଲୁ ପିୟା ଏମିତି ହୋଇନଥିବ ବୋଲି? ଯେ ବାପାଙ୍କର ସବୁ ଦ୍ୱିଧାଦ୍ୱଂନ୍ଦ କଟିଗଲା, ଇଏ ଯେମିତି ଅନେଇ ରହିଲା ତାଙ୍କ ଆଡ଼କୁ, ତା’ର ସେଇ ଚିଲା ଆଖିରେ..?
ଚିଲା ଆଖି । ବିଲେଇ । ସୁପ୍ରିୟାଙ୍କର ମନେ ପଡ଼ିଗଲା ବାପା ଯାହା ତାକୁ କହିଥିଲେ, ହସି ହସି, ବିଲେଇ ଆଖିର । ‘ଟେରିବୁଲ୍’ ଚାହାଣୀ ବିଷୟରେ, ଝିଅର କଥାକୁ ମାନି ନେଲା ପରି ।… ମୁଁ ସେତେବେଳେ ଭାବିଥିଲି ଟେରିବ୍ଲ୍ମାନେ ଭୟାନକ । ବୁଝିନଥିଲି ତାର ତାତ୍ପର୍ଯ୍ୟ, ବଡ଼ମାନଙ୍କ ଦୁନିଆଁର ଚଳନ୍ତି ଭାଷାକୁ ନେଇ । ଟେରିବଲ୍ମାନେ ଯାହା ପ୍ରତିରୋଧ କରିହେବ ନାହିଁ । ବାପା ତା’ର ପ୍ରତିରୋଧ କରିପାରିଲେ ନାହିଁ । ସେଇଠୁ ଟିକିଏ ହସି ଦେଲେ, ଆଉ କହିଲେ ‘ଓ-କେ’ । ଆଉ କୁସୁମ ରାଣୀଙ୍କର କାମ୍ ଫତେ । ହୋଇପାରେ ସେ ଗୋଟାଏ ମହାଫୁଲେଇ, ଯଦିଓ ଆସି ଦରବୁଢ଼ୀ ହେଲାଣି, କିନ୍ତୁ ମିଛ କହୁନାହିଁ ।
ଏଇ ଫୁଲ୍ମ କୁସୁମିତା ନାରୀ ଜଣଙ୍କ ହୁଏତ ତା ରୂପଲାବଣ୍ୟ ଛତରେଇ ହୋଇ ଗଲାଣି ଏଇ ବୟସରେ, ମୋ ବୋଉପରି ନୁହେଁ । ଆମ କାହା ପରି ନୁହେଁ । ଅନ୍ୟା । ସେଇ ହେଲା ତାର ଆକର୍ଷଣ ବାପାଙ୍କ ପାଇଁ । ଯଦିଓ ସେ ବେଶି ଦୂରକୁ ଯାଇନଥିବେ, ତାକୁ ଭଲପାଇ ବସିବା ଦୂରର କଥା । ତଦୁପରି ତାର ସେଇ ଟେରିବଲ୍ ଚାହାଣୀ । ସେଇଥିରେ ହିଁ ଭୁଷୁଡ଼ିଗଲା ତାଙ୍କ ନୀତିବୋଧର ବଂଧ, ଏବଂ ସେ କହିଲେ । ‘ଓ-କେ’ ।
ବାପା, ସତରେ କ’ଣ ଏଇଆ?
ନା’ ମୁଁ ଜାଣେ ତମେ ଯାହା କରିଛ, ତାକୁ ଦୁର୍ନୀତି କୁହ, କି ଆଉ ଯାହା, ସିଏ ହେଉଛି କେବଳ ମୋ ପାଇଁ । ତମ ଗେହ୍ଲା ଝିଅ ପାଇଁ, ଯାହାକୁ ତମେ ତମ ଭଲ ପାଇବାର ସର୍ବୋଚ୍ଚ ଗ୍ରେଡ଼ ଦେଇଛ । ଏ ପ୍ଲସ୍ । ଏଇ ଭୁତୁଣୀର କ’ଣ ସଂପର୍କ ଅଛି ତା’ ସାଙ୍ଗରେ, ତମର ସେଇ ଅନବଦ୍ୟ, ସ୍ୱାର୍ଥତ୍ୟାଗ କହିବାକୁ ଗଲେ ଆତ୍ମାହୁତି ସାଂଗରେ?
ଓଃ! ମୁଁ କଣ ଜାଣେ ନାହିଁ ସେ କଥା? କିନ୍ତୁ ପ୍ରଶ୍ନ ହେଉଛି ଯେ ତଥାପି କଣ ସେ କୋଉ ଦୁର୍ନୀତିର ପାଖ ମାଡ଼ି ଥାଆନ୍ତେ, ଯଦି ଏଇ ଅନ୍ୟା, ଏଇ ଫୁଲେଇ ବିଲେଇ ତାଙ୍କ ଆଡ଼କୁ ଅନେଇ ନଥାଆନ୍ତା ସେମିତି? ଅଥବା ଭାବିବାକୁ ହେବ ଯେ ବାପା ତରଳିଗଲେ ତାର ସେଇ ଚାହାଣିରେ, ଏବଂ ସେଇଠୁଁ ତାଙ୍କ ମନକୁ ଆସିଲା ଯେ ଏମିତି କଲେ କୁସୁମକୁ ଖୁସି କରିବା ସାଂଗେ ସାଂଗେ, ତାଙ୍କ ଝିଅର ବାହାଘର ପ୍ରୋବ୍ଲେମ୍ ବି ଦୂର ହୋଇଯବ? ଗୋଟାଏ ଟେକାରେ ଯୋଡ଼ାଏ ଚଢ଼େଇ- ।
ନା! ମୁଁ ଆଗେ, ତା’ ପରେ ସିଏ । ବାପାଙ୍କ ଦୁର୍ନୀତି ଖାସ୍ ମୋରି ଯୋଗୁଁ, ମୋରି ପାଇଁ ।
ଡ୍ୟାମ୍ ଇଟ୍ । ତା’ ବି ନୁହେଁ । ଆଗ ପଛର ପ୍ରଶ୍ନ ଉଠୁନାହିଁ । କୋଉ ଅସଭ୍ୟ ବିଲେଇ ବସି ପାରିବ ନାହିଁ ମୋ ପାଖରେ, ମୋ ସିଂହାସନରେ, ସେଥିରେ ଚେନାଏ ଚିରୁଡ଼ାଏ ଜାଗାରେ ବି ନୁହେଁ । ମୁଁ ତା’କୁ କେବେଠୁଁ ଫିଂଗି କଚାଡ଼ି ଦେଇଛି ତଳକୁ । ଆଉ ବାପା ମୋତେ ତିଆରି ନାହାଁନ୍ତି କେବେ ହେଲେ । ଏଇଥିରୁ ବୁଝୁନ?…
ତଥାପି ଯେ ସୁପ୍ରିୟାଙ୍କ ମନ ପୂରାପୂରି ବୁଝିଗଲା ସେଦିନ, ତା’ ନୁହେଁ । କାହିଁକି ନା ମୋ ଦେହଟା ଭଲ ଲାଗୁନାହିଁ ବୋଲି କହି ସେ ଜିତେନ୍ ବାବୁଙ୍କ ସାଂଗରେ ଭଲ ଭାବରେ କଥା କହିଲେ ନାହିଁ ତିନି ଚାରିଦିନ ଯାଏଁ । ମଧ୍ୟ ରାତିରେ ତାଙ୍କ ଆଡ଼କୁ ପିଠି କରି ଶୋଇଲେ କାହିଁ କିନା ତାଙ୍କ ମନରେ ଆସିଲା ଯେ ଇଏ ମୋତେ ଯେତେ ଭଲ ପାଇଲେ ବି, କୋଉ ‘ଅନ୍ୟା’ର ପାଲରେ ପଡ଼ିବେ ନାହିଁ ଭବିଷ୍ୟତରେ, ତା କିଏ କହିବ? ବରଂ ବେଶି ଭୟ ୟାଙ୍କ ପାଇଁ, ଇଏ ଯେମିତି ସ୍ୱଭାବ ସରଳ ଭାବକାତର ମଣିଷଟିଏ ।
କିନ୍ତୁ ସବୁଦିନ ଯାଏଁ ତ ସ୍ୱାମୀ ଆଡ଼କୁ ପିଠି କରି ଶୋଇ ହେବ ନାହିଁ, କୌଣସି କଳି କଜିଆ ହୋଇନଥିଲେ ଖାଲି ମୋର ଦେହ ଭଲ ଲାଗୁନାହିଁ ବୋଲି କହି? ହେଲେ ସୁପ୍ରିୟା ତାଙ୍କୁ ଗୋଟାଏ ପ୍ରଶ୍ନ ନପଚାରି ରହି ପାରିଲେ ନାହିଁ, ଯେତେବେଳେ ସେ କଡ଼ ଲେଉଟେଇଲେ ଆର ପାଖକୁ ସ୍ୱାମୀଙ୍କ ଆମଂତ୍ରଣଙ୍କୁ ସ୍ୱୀକାର କରି । ହେଲେ କୁନ୍ଥେଇଲା ପରି ହୋଇ ପଚାରିଲେ ।
“ତମ ପୁରୁଷମାନଙ୍କ ମନ କଣ ସତରେ ଏତେ ଗଣ୍ଡଗୋଳିଆ? ଜଣକୁ ଭଲ ପାଇ, ଆଉ ସେଇ ଭଲ ପାଇବାକୁ ଗଣ୍ଠିଧନ ପରି ଯେତେ ମୁଠେଇ ଧରିଲେ ବି’ ତମ ମନ ପୂରେ ନାହିଁ, ଗୋଟାଏ ଯୋଡ଼ାଏ ଭୁତୁଣୀଙ୍କ ପାଲରେ ନପଡ଼ିବା ଯାଏ? କାରଣ ସିଏ କୋଉ ଭିନ୍ନ ସ୍ୱାଦୁ ଚଖେଇ ପାରିବ ତୁମକୁ? ଛି!”
ସୁପ୍ରିୟା ପ୍ରଶ୍ନର ଉତ୍ତର ଲୋଡି ନଥିଲେ । ଏବଂ ଜିତେନ୍ବାବୁ ମଧ୍ୟ ତାର କୌଣସି ଉତ୍ତର ଦେବାର ଦୁଃସାହସ କଲେ ନାହିଁ । ଏମିତି ତାଙ୍କୁ ପଚାରିଲେ ନାହିଁ ଯେ କାହିକି ଏଭଳି ପ୍ରଶ୍ନ ଆସୁଛି ତମ ମନକୁ । କୋଉ ଉପନ୍ୟାସ, ଟି.ଭି ସିରିଆଲ୍, ସଂଗିନୀର ଅଶ୍ରୁଳ ଆତ୍ମକଥା, ନା ଆଉ କଅଣ, କାରଣ ସେ ଜାଣିଥିଲେ ଯେ ଆମ ସ୍ତ୍ରୀଲୋକମାନଙ୍କର ମୁଣ୍ଡ ବିଗିଡ଼ିଯାଏ ଏମିତି, ବେଳେ ବେଳେ, ତାଙ୍କର କୋଉ ସଂଭାବତ୍ ଏକାଧିପତ୍ୟରେ ଆଂଚ ଲାଗିଲେ । ଏପରିକି ତାର ଆଶଂକାରେ । ଏବଂ ତାଙ୍କ ସଂବେଦନାର ପାତ୍ର ମଧ୍ୟ ସହଜେ ଭରି ଉଠେ, ଆଉ କାହା ପାଇଁ । ହେଲେ ସେଥିପ୍ରତି ଗୁରୁତ୍ୱ ନ ଦେବା ହିଁ ବୁଦ୍ଧିମାନର କାର୍ଯ୍ୟ ।
ସୁପ୍ରିୟା ଶାନ୍ତ ହେଲେ । କ୍ଷାନ୍ତ ହେଲେ । ବୁଝିଲେ ଯେ ନୀରବତାର ଅର୍ଥ ସ୍ୱୀକାରୋକ୍ତି, ଏବଂ ପୁରୁଷ ଗୁଡ଼ାକ ସତରେ ଏମିତି । ଅଜବ୍ ପ୍ରାଣୀ । କିନ୍ତୁ କ’ଣ କରାଯିବ? ତାଙ୍କୁଇଁ ନେଇ ତ ଚଳିବାକୁ ପଡ଼ିବ?
ଏବଂ ତା’ ପରଦିନ ସେ ତାଙ୍କ ବାପାଙ୍କ ଫଟୋ ପାଖରେ ଠିଆ ହୋଇ ତାଙ୍କୁ କ୍ଷମା ମାଗିଥିଲେ । ତାଙ୍କ ହୃଦୟର ଅନ୍ତରତମ ପ୍ରଦେଶରୁ । ଏବଂ କହିଲେ-ନାଇଁ ବାପା, ମୁଁ ପ୍ରକୃତରେ ସେମିତି କିଛି ଖରାପ କଥା ଭାବୁନଥିଲି ତମ ବିଷୟରେ ସେଇ ସ୍ତ୍ରୀଲୋକଟାକୁ ନେଇ । କିନ୍ତୁ ତମେ ତ ଜାଣିଛ, ମୁଁ କେତେ ହେଟ୍ କରେ ସେଇ ବିଲେଇଗୁଡ଼ାଙ୍କୁ!