ସେଖୁବ୍ ଡେଙ୍ଗା ଥିଲେ । ତାଙ୍କ ମୁହଁଟା ଗୋଲ । ତାଙ୍କ ଲମ୍ବା ଲମ୍ବା କେଶ ଗୁଡ଼ିକ ପିଠି ଆଡ଼କୁ ଝୁଲି ପଡ଼ିଥିଲା । ତାଙ୍କ ନିଶ ଓ ଦାଢ଼ି ବୋଧହୁଏ କେବେ କଟାଯାଇନଥିଲା । ତାଙ୍କ କେଶ, ନିଶ ଓ ଦାଢ଼ିର ଯନô ସେ କେବେ ନେଉନଥିଲେ ବୋଲି ସ୍ପଷ୍ଟ ଜାଣି ହେଉଥିଲେ ବି ସେଗୁଡ଼ିକ ଅପରିଷ୍କାର ଦେଖାଯାଉଥିଲା । ସେ ଅତି ସୁନ୍ଦର ନଥିଲେ । କିନ୍ତୁ, ଖୁବ୍ ଆକର୍ଷଣୀୟ ବୋଧ ହେଉଥିଲେ । ତାଙ୍କ ବୟସର ସଠିକ୍ ଅନ୍ଦାଜ୍ ଲଗାଇବା କାଠିକର ପାଠ ଥିଲା ।
ସେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ । ବାଳକ ବାଳିକାମାନେ ତାଙ୍କୁ ଦେଖି ହସିଲେ । ଯୁବକ ଯୁବତୀମାନେ ତାଙ୍କୁ ଦେଖି ଥଟ୍ଟା କଲେ । ବୁଦ୍ଧ ବୃଦ୍ଧାମାନେ ତାଙ୍କର ପାଦ ସ୍ପର୍ଶ କରିବା ପାଇଁ ହାତ ବଢ଼େଇଲେ ଏବଂ ବିବେକୀମାନେ ତାଙ୍କୁ ଦେଖି ମୂକ ପାଲଟିଗଲେ । ସେ କଥା କହୁନଥିଲେ । ସେ ଚାଲୁଥିଲେ । ସେ ଚାଲୁଥିଲେ ଯେମିତି ସେ ସବୁ ଜାଣିଛନ୍ତି । ଯେମିତି ଜାଣିଛନ୍ତି ସେ ସବୁ ଦିଗର ରାସ୍ତା, ସବୁ ଦିଗରୁ ରାସ୍ତା ଓ ସବୁ ଦିଗକୁ ରାସ୍ତା । ତାଙ୍କୁ ଯେମିତି ଜଣା ଅଛି ତାଙ୍କର ଲକ୍ଷ୍ୟ ।
ସେ ହସୁଥିଲେ । ତାଙ୍କ ହସ ଦେଖିଲେ ଜଣାପଡ଼ୁଥିଲା ଯେମିତି ସେ ଏକା ହସି ଜାଣିଛନ୍ତି । ତେଣୁ ତାଙ୍କ ଆଗରେ ଅନ୍ୟକୁ ହସିବାକୁ ଲାଜ ମାଡ଼ୁଥିଲା । ଭୟ ବି ଲାଗୁଥିଲା…ହସି ନଜାଣି ହସି ପକେଇବାଟା… । ଲୋକମାନେ ତାଙ୍କୁ ଘେରିଗଲେ ସେ ସେମାନଙ୍କୁ ଏମିତି ଭାବେ ଚାହୁଁଥିଲେ ଯେମିତି ସେମାନଙ୍କୁ ସେ ଯୁଗଯୁଗ ଧରି ଜାଣିଛନ୍ତି ।
ସେ ପହଞ୍ଚିଲେ ଆଖପାଖ ପାଞ୍ଚଖଣ୍ଡ ମୌଜାର ସର୍ବସାଧାରଣ ଶ୍ମଶାନ ବୋଲାଉଥିବା ନିସ୍ତବଧ, ଭୟଙ୍କର ପଡ଼ିଆଟାରେ । କେତେବେଳେ ତାଙ୍କ କାନ୍ଧରେ, କେତେବେଳେ ପିଠିରେ ଓ କେତେବେଳେ ତାଙ୍କ ମୁଣ୍ଡ ଉପରେ ବସି ତାଙ୍କୁ ଅନୁସରଣ କରୁଥିବା ବିଚିତ୍ର ବର୍ଣ୍ଣା ପାରାଟା ମଧ୍ୟ ପହଞ୍ଚିଲା ସେଠାରେ । ହଠାତ ସେ ତାଙ୍କ କାନ୍ଧରୁ ଓହ୍ଲାଇ ଆସି ବସିପଡ଼ିଲା ସେଠାରେ ଥିବା ବିରାଟ, ଅଥଚ ଥୁଣ୍ଟା ବରଗଛଟି ମୂଳରେ । ପାରା ଯେମିତି ଜାଣିଥିଲା ସେ ଏଠାକୁ ଆସିବେ । ସେ ନୀରବରେ ସେଠାରେ ବସିଲେ । ପାରାଟିକୁ ଆଉଁସିଲେ । ଆଖି ବୁଜି ଅନେକ ସମୟ ରହିଲେ । ତାପରେ ନଦୀକୁ ଯାଇ ସ୍ନାନ କଲେ । ପୁଣି ସେ ସେଠାରେ ବସିରହିଲେ ।
ତା ପରେ ଚାହୁଁ ଚାହୁଁ ଅନେକ କଥା ଘଟିଗଲା । ମରୁଡ଼ିର ପ୍ରକୋପରେ ହାହାକାର କରୁଥିବା ସେ ଅଞ୍ଚଳର ଚାଷୀମାନେ ବର୍ଷାର ଆନନ୍ଦ ଉପଭୋଗ କଲେ । ଲଣ୍ଡା ବରଗଛଟା ହଠାତ୍ ସବୁଜ ପାଲଟିଗଲା । ତାର କଅଁଳ ଛନ ଛନ ପତ୍ର ଉପରେ ଚଢ଼େଇମାନେ ବସି ଅନବରତ କେଁ କଟର କରିବାକୁ ଲାଗିଲେ । ଶ୍ମଶାନ ଭିତରେ ଫୁଲଗଛମାନ ଉଠି ସେଥିରେ ଫୁଲ ଭର୍ତ୍ତି ହୋଇଗଲା । ଲୋକମାନେ ତାଙ୍କ ପାଖକୁ ଧାଡ଼ିବାନ୍ଧି ଛୁଟିଲେ । କିଏ ଜାଣେ ସେମାନେ ମନ ଭିତରେ କ’ଣ ପୂରେଇ ତାଙ୍କ ପାଖକୁ ଆସୁଥିଲେ ଓ ଛାତି ଭିତରେ କଣ ସବୁ ନେଇ ଚାଲି ଯାଉଥିଲେ ।
କିନ୍ତୁ ନବ ବେହେରା ପରିଷ୍କାର ଜାଣିଥିଲା ସେ କି ମନ ନେଇ ଆସିଥିଲା ଓ କି ଛାତି ନେଇ ତାଙ୍କ ଠାରୁ ଫେରିଥିଲା । ସେ ହାହାକାର କରୁଥିବା ଶୂନ୍ୟ ମନଟିଏ ନେଇ ଆସିଥିଲା ଓ ଫେରିଥିଲା ହୃଦୟଭର୍ତ୍ତି ଶାନ୍ତି ନେଇ । କିନ୍ତୁ, ନବାର ଅବୁଝା ରହିଗଲା ଶୂନ୍ୟ ମନଟା ଏତେ ଓଜନ ଓ ଭର୍ତ୍ତି ହୃଦୟ ଏତେ ହାଲୁକା ହୁଏ କେମିତି? ନବା ଆଗରୁ ନିଃସନ୍ତାନ ଥିଲା । ଏବେ ସେ ପୁଅର ବାପା । ଯାହା ନବାର ଅସୁମାରି ଆଗ୍ରହ, କେତେ ଡାକ୍ତରଙ୍କ ନିଷ୍ଠା ଓ କେତେ କେତେ ଦେବ ଦେବୀଙ୍କ ପ୍ରାର୍ଥନା ପରେ ମିଲିନଥିଲା ତାହା ତାଙ୍କ ଦର୍ଶନ ମାତ୍ରେ ମିଳିଗଲା । ନବା କେମିତି କୃତଘ୍ନ ହୁଅନ୍ତା? ପୁଅଟା ଯହୁଁ ଯହୁଁ ବଢ଼ିଲା ନବାର ତାଙ୍କ ପ୍ରତି ଭକ୍ତି ତହୁଁ ତହୁଁ ବଢ଼ିଚାଲିଲା । ସେ ମନସ୍ଥ କଲା, ନିଜର ବାକିତକ ସମୟ ସେ ତାଙ୍କରି ସେବାରେ କଟେଇଦବ । ମାତ୍ର, ନବା ବା କି ସେବା କରିପାରିବ ତାଙ୍କର? ଯାହାର ଅନ୍ନର ଆବଶ୍ୟକତା ନାହିଁ, ବସ୍ତ୍ରର ଆବଶ୍ୟକତା ନାହିଁ, ପ୍ରେମର ଆବଶ୍ୟକତା ନାହିଁ, ସ୍ନେହର ଆବଶ୍ୟକତା ନାହିଁ, ତାର କ’ଣ ସେବାର ଆବଶ୍ୟକତା ଥାଇପାରେ?
କି ଖରା କି ବର୍ଷା ସେ ସେହି ବରଗଛ ମୂଳେ ବସି ରହନ୍ତି । ପାରାଟି ଥାଏ ତାଙ୍କ କୋଳରେ, ନହେଲେ ତାଙ୍କ କାନ୍ଧରେ, ନତୁବା ତାଙ୍କ କଡ଼ରେ । ଅନେକ ଲୋକ ଆସନ୍ତି, ଯାଆନ୍ତି । ସେମାନେ ଆଖିବୁଜି ହାତ ଯୋଡ଼ି କଣ ସବୁ ମନେ ମନେ ମାଗି ପକାନ୍ତି । କେତେକ ଖୁବ୍ ବଡ଼ ପାଟିରେ ରଡ଼ି ଛାଡ଼ି ମାଗନ୍ତି । ସେମାନେ ଫେରିବା ବେଳେ ବେଶ୍ ଖୁସିରେ ଯାଉଥିବାର ଦେଖାଯାଆନ୍ତି । ସେ କେବେ ଖାଇବାର କି ଶୋଇବାର କେହି କେବେ ଦେଖିନାହାନ୍ତି । ତାଙ୍କ ପାଇଁ ସେଠାରେ ଘରଟେ ତିଆରି କରିଦେବାର ଆୟୋଜନ ଲୋକେ କରିଥିଲେ । ସେ ନିରବ ଇଙ୍ଗିତରେ ମନା କଲେ । ତାଙ୍କୁ ସ୍ପର୍ଶ କରିବାକୁ ନବାର ଇଚ୍ଛାଥିଲେ ମଧ୍ୟ ଖୁବ୍ ଭୟ ଲାଗେ । ତେଣୁ ନବା ସେଥିରୁ ନିବୃତ୍ତ ରହେ ।
ବହୁ ଭାବିଚିନ୍ତି ନବା ଠିକ୍ କଲା ଯେ ସେ ପ୍ରତିଦିନ ଦିନକୁ ଦୁଇଥର ଆସି ସେ ଅଞ୍ଚଳଟା ଖରକା ଖରକି କରି ସଫା ରଖିବ । ଏତିକି ଛଡ଼ା ଅଧିକ କିଛି କଲା ଭଳି ସୁଯୋଗ ସେଠାରେ ନାହିଁ ।
ସେଇ କର୍ମ ନବା କରି ଚାଲିଛି । ଜାଗାଟା ଖରକିବାକୁ ବହୁତ ଭଲ ଲାଗେ ତାକୁ । ଖରକୁ ଖରକୁ ସେ ଭାବେ, ଜଣେ ଲୋକ କେମିତି ଏତେ ଆବଶ୍ୟକତାହୀନ, ଏତେ ନିର୍ବିକାର ହୋଇପାରେ । ତାପରେ ତା ଚିନ୍ତା ଦୌଡ଼ିଯାଏ ତାକୁ କୁନି ପୁଅଟି ପାଖକୁ । ଚମତ୍କାର ଗଢ଼ଣର ହୋଇଛି ଟୋକାଟା । ତାକୁ ବାପା ବୋଲି ଡାକିଲାଣି । ନବା ଖରକୁ ଖରକୁ ଗର୍ବରେ ଦଣ୍ଡେ ଛିଡ଼ା ହୋଇଯାଏ । ମନକୁ ମନ କହେ – ଦେଖରେ ହାରାମଜାଦା ମାନେ, ଯେଉଁମାନେ ନବା ନିଃସନ୍ତାନ ବୋଲି ତା ମୁହଁ ଚାହିଁବା ପାପ ମଣୁଥିଲ, ଯେଉଁମାନେ ନବାକୁ ଦୋଷ ଦେଉଥିଲ ତା ଅନୁର୍ବରତା ପାଇଁ, ଦେଖ ସେହି ବଜ୍ଜାତ୍ ଗୋଷ୍ଠୀ-ନବା କେଡ଼େ ଗୁଲୁଗୁଲିଆ ପୁଅର ବାପା ହୋଇଛି । ନବା ଆଜି ତମ ମୁହଁରେ ଛେପ ପକାଉଛି । ନବାର ବଡ଼ ହସଟିଏ ହସିବାକୁ ଇଚ୍ଛା ହୁଏ । କିନ୍ତୁ ସେ ଦବେଇ ଦିଏ ହସଟା ।
ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଯାଏ ସେଠାରେ ଲୋକ ଲାଗିରହନ୍ତି । ରାତିରେ କେହି ତାଙ୍କ ଦର୍ଶନ ପାଇଁ ଆସନ୍ତି ନାହିଁ । ଏହା ତାଙ୍କର ନିୟମ ନୁହେଁ । ସେଠାର ଲୋକମାନେ ହିଁ କରିଛନ୍ତି । କାରଣ, ସେ ତ କଥା କହନ୍ତି ନାହିଁ । ସେ ବୋଧହୁଏ କେବେ କ୍ଲାନ୍ତ ବି ହୁଅନ୍ତି ନାହିଁ । ତଥାପି, ରାତିରେ ତାଙ୍କୁ ଏକୁଟିଆ ଛାଡ଼ିଦେବାର ନିଷ୍ପତ୍ତି ନେଇଛନ୍ତି ଲୋକମାନେ । ସବୁବେଳେ ତାଙ୍କୁ ବ୍ୟସ୍ତ କଲେ ଯଦି କିଛି ଅନର୍ଥ ଘଟିଯାଏ?
ସବୁଦିନ ଭଳି ସେଦିନ ବି ନବା ସୂର୍ଯେ୍ୟାଦୟର ଯଥେଷ୍ଟ ପୂର୍ବରୁ ଜାଗା ଖରକିବା ପାଇଁ ଆସିଗଲା । ସେ ନଥିଲେ । ସ୍ନାନ କରିବାକୁ ଯାଇଥିଲେ । ନବା ଖରକିବା ବେଳେ ପାରାଟି ଆସି ତା କାନ୍ଧରେ ବସିଲା । ସେ ପହଁରା ଛାଡ଼ି ପାରାକୁ ହାତରେ ଧରିଲା ତା ପିଠି ଆଉଁସିଲା । ଏତେ ନରମ । ନବା ତାକୁ ଭଲ କରି ଦେଖିଲା, ପାରାଟିର ପ୍ରତ୍ୟେକ ଅଂଶ ମନକୁ ମୋହିତ କରିଦେବା ଭଳି । ସେ ତାକୁ ଅନେକ ସମୟ ଧରି ଆଉଁସିଲା । ଧୀରେ କରି ତା ପିଠି ଓ ପେଟକୁ ଚିପିଦେଲା । ଅପୂର୍ବ! ଏତେ କୋମଳ! ତା ହୃଦୟର ନିଷିଦ୍ଧ କୋଣୁ କ୍ଷୁଦ୍ରତମ ହିଂସ୍ର ଆଶାଟିଏ ଚେଇଁ ଉଠିଲା । ନରମ ପାଖରେ ହିଂସ୍ର ହୋଇ ଉଠିବାର କୋମଳତାର ମହକ ତା ମନକୁ ଆଛନ୍ନ କରିପକାଇଲା । ସେଥିରୁ ମୁକୁଳିବାକୁ ଚେଷ୍ଟା କରି ନବା ମନକୁ ମନ କହିଲା, ‘ନା’ । ସେ କାମରେ ମନ ଦେଲା ।
ସେ ସ୍ନାନ ସାରି ଆସିଲେ । ପାରା ଉଡ଼ିଗଲା ତାଙ୍କ ପାଖକୁ । ସେ ତାକୁ ସାଉଁଳାଇ ଦେଲେ । ନବା ଖରକା ସାରିଦେଇଥାଏ । ସେ ଚାହିଁଲେ ତାକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ । ନବା ଅନୁଭବ କଲା, ସେ ଯେମିତି ତାକୁ ଏଠାକୁ ଆସିବାକୁ ବାରଣ କରୁଛନ୍ତି । ଏ ଜାଗା ସଫା କରିବାକୁ ମନା କରୁଛନ୍ତି । ନବା ତାଙ୍କ ପାଦ ଧରି ପଡ଼ିଗଲା । ମତେ ଏଠାକୁ ଆସି ଏ କର୍ମ କରିବାକୁ ବାରଣ କରନ୍ତୁନି ।
ତା ପରଠୁ ନବା ଯେତେବେଳେ ଆସେ ପାରାଟାକୁ ସେ ବହୁ ସମୟ ଧରି ଦେଖେ । ଗୋଟାଏ ପ୍ରବଳ ଆକର୍ଷଣର ମୋହରେ ସେ ଅତିଷ୍ଟ ହୋଇ ଉଠେ । ତାଙ୍କ ନଥିବା ବେଳେ ସେ ପାରାଟାକୁ ଧରେ, ଆଉଁସେ, ମୁହଁରେ ଲଗାଏ । ତା ପେଟ ଆଉଁସେ, ମୁହଁରେ ଲଗାଏ । ତା ପେଟ ଓ ପିଠିକୁ ଧୀରେ ଧୀରେ ଚିପେ । ବେଳେ ବେଳେ ତା ଗଳା ପାଖକୁ ହାତ ନେଇ ସାଉଁଳାଏ । ଟିପ ମାଡ଼େ ସାମାନ୍ୟ ଜୋରରେ । ପାରାର ଗଳାଟା ଆସ୍ୱାଭାବିକ ଭାବେ ନରମ ଲାଗେ । କଣ ନାହିଁ କଣ କରିଦେବାକୁ ଇଚ୍ଛା ହୁଏ ତାର । ନବା ନିଜକୁ ରୋକେ । ସେଠାରୁ ଫେରିଆସେ । କିନ୍ତୁ, ମନ ଭିତରେ ଏକ ଭୟଙ୍କର ଲୋଭର ଲାଳନପାଳନ ସେ କରୁଥାଏ ।
ଦିନକୁ ଦିନ କଣ ହେଉଥାଏ କେଜାଣି, ତାଙ୍କ ମୁହଁରୁ ହସ ଲିଭିଲିଭି ଆସୁଥାଏ । ସେଠାର ଫୁଲଗଛଗୁଡ଼ିକ ମଉଳି ପଡ଼ିବା ଆରମ୍ଭ କରିଥାନ୍ତି । ବରଗଛର ପତ୍ରଗୁଡ଼ା ବୁଢ଼ା ବୁଢ଼ା ଦିଶୁଥାନ୍ତି । ସେ ସେହି ଫୁଲଗଛ ଓ ବରଗଛକୁ ଅନେଇଲା ବେଳେ ବିମର୍ଷ ଦିଶନ୍ତି । ଏହା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥାନ୍ତି । ସେ ବୋଧହୁଏ ମଣିଷର ଭିଡ଼ ଚାହୁଁନାହାନ୍ତି । ତେଣୁ, ଇଚ୍ଛା ଥିଲେ ମଧ୍ୟ ଲୋକଙ୍କ ଯିବା ଆସିବା କମି ଯାଉଥାଏ । କିଏ ଆସୁ ନ ଆସୁ ନବା ଠିକ ସମୟରେ ଆସେ । ତା କାମ କରେ । ସେ ଜାଗା ତାର ଏତେ ଆପଣାର ହୋଇ ପଡ଼ିଥାଏ ଯେ ସେ ସେଠାକାର ପରିବର୍ତ୍ତନକୁ ଲକ୍ଷ୍ୟ କରିପାରୁ ନଥାଏ କି ଅନୁଭବ କରିପାରୁନଥାଏ । କିନ୍ତୁ, ଗୋଟିଏ ଜିନିଷ ତାକୁ ଦିନକୁ ଦିନ ସୁନ୍ଦରରୁ ସୁନ୍ଦରତର, କୋମଳରୁ ଆହୁରି କୋମଳ ଦେଖାଯାଉଥାଏ । ସେଇ ପାରାଟି । ୟା ଭିତରେ ସେ ଦିନେ ନବାର ହାତ ଧରି ପକାଇଥିଲେ । ନବା ନିଜ ଭିତରେ ବିଦୁ୍ୟତ୍ର ସ୍ପର୍ଶ ଅନୁଭବ କରିଥିଲା । ହତବାକ୍ ନବା ନଇଁପଡ଼ି ତାଙ୍କ ପାଦ ଛୁଇଁଥିଲା ।
ତା’ପରେ ଅନେକ ଦିନ ଚାଲିଗଲା । ସେଦିନ ସୂର୍ଯ୍ୟାସ୍ତ ପରେ ନବା ଟିକିଏ ଡେରିରେ ଆସିଲା । ସେ ସ୍ନାନ ପାଇଁ ଚାଲିଯାଇଥିଲେ । ପାରାଟା ବସିଥିଲା । ଅନ୍ଧାରରେ ମଧ୍ୟ ସେ ତାର ଉପସ୍ଥିତିକୁ ଉପଲବ୍ଧ କଲା । ତାର ଢ଼ଳ ଢ଼ଳ ଆଖି ଦି’ଟାର ଚିନ୍ତା ନବାକୁ ନିଶାଗ୍ରସ୍ତ କରି ପକାଇଲା । ତରତରରେ ଖରକା ଖରକି ସାରି ସେ ପାରା ପାଖକୁ ଆସିଲା । ତାକୁ ହାତରେ ନେଇ ଢ଼େର ସମୟ ସାଉଁଳେଇଲା । ମୁହଁ ପାଖରେ ଜାକିଲା । ଛାତିରେ ଜଡ଼େଇ ଧରିଲା । ପେଟ ପିଠି ଚିପିଲା । ଗଳା ପାଖକୁ ହାତ ଆଣି ବେକଟାକୁ ଭଲ କରି ଧରିଲା । ଭୟ ମିଶ୍ରିତ ଆନନ୍ଦର ଢ଼େଉଟେ ଆସି ତା କାନରେ ପିଟିହେଲା-ଡେରି କାହିଁକି କରୁଛୁ? ଶୀଘ୍ର ସାର । ନବାର ଆଉ ଧର୍ଯ୍ୟ ନଥିଲା । ସେ ପାରା ବେକକୁ ମୋଡିଦେଲା । ମୁର୍ଦ୍ଦାରଟିକୁ ଗାମୁଚ୍ଛାରେ ବାନ୍ଧି ସେ ଦୌଡ଼ିଲା ଘରକୁ । ସାମନାବାଟେ ନ ଆସି ସେ ପଛପଟେ ଆସି ବାଡ଼ିକବାଟ ବାଡ଼େଇଲା, ତା ସ୍ତ୍ରୀ କବାଟ ଖୋଲିବା ମାତ୍ରେ ସେ ଧଇଁସଇଁ ଘର ଭିତରକୁ ପଶିଆସି କବାଟ ବନ୍ଦ କରିଦେଲା । ‘ଦେଖିଲୁ କଣ ଆଣିଛି”? ଶଳା, କେତେଦିନରୁ ଭଲ ମାଂସଟିକେ ପାଟିରେ ବାଜିନି ।’
ଚିରକାଳ ମାଂସପ୍ରିୟ ନବାର ସ୍ତ୍ରୀ ସାମାନ୍ୟତମ ଉକôଣ୍ଠା ପ୍ରକାଶ ନକରି କହିଲା ‘ପୁଅଟା ଖେଳୁଥିଲା ହଠାତ୍ ମୂର୍ଚ୍ଛା ହୋଇଗଲା ଯେ ଚେତା ଫେରିନି’ । ତାର ସ୍ତ୍ରୀ କାନ୍ଦିବା ପାଇଁ ଯେମିତି ତା ଆସିବାକୁ ଅପେକ୍ଷା କରିଥିଲା । ଧର୍ଯ୍ୟ ହରେଇ ସେ କାନ୍ଦିଲା ।
ନବା ପାଦ ତଳର ମାଟି ଦୁଲୁକି ଗଲା । ସଦ୍ୟ ଆହରିତ ଆନନ୍ଦ ଟିକକ ହଠାତ୍ କେଉଁ ଆଡ଼େ ଆତ୍ମଗୋପନ କରିଗଲା । ଅସହ୍ୟ ଯନ୍ତ୍ରଣାରେ ସେ ଛଟପଟ ହେଲା, ଯେମିତି ଛଟପଟ ହେଉଥିଲା ପାରାଟିକୁ ମାରିବା ଆଗରୁ, ପାରାଟାକୁ ମାରିବା ପାଇଁ । ସେ ପୁଅକୁ ଦେଖିଲା । ଛୁଆଟା ନିସ୍ତେଜ । ଖାଲି ଯା ନିଃଶ୍ୱାସ ଚାଲିଛି । ସେ ସ୍ତ୍ରୀକୁ କହିଲା ‘ଚାଲ, ପୁଅଖୁ ଧର’ ସ୍ତ୍ରୀ ବୁଝିଗଲା, ନବା କୁଆଡ଼େ ଡାକୁଛି । ବରଗଛ ପାଖରେ ସେ ନଥିଲେ । ନବା ଚାରିଆଡ଼େ ଖୋଜାଖୋଜି କଲା । ବିକଳ ହୋଇ ଡାକିଲା । ଗାଧୁଆ ତୁଠରେ ଦେଖିଲା । ପାଗଳ ପ୍ରାୟ ସବୁ ସମ୍ଭାବ୍ୟ ଜାଗାରେ ଖୋଜି ଆସିଲା । ସେ କେଉଁଠି ନଥିଲେ । ଏତିକି ବେଳେ ଶିଆଳ ପଞ୍ଜାଏ କେଉଁଠି ଥିଳେ ଭୁକି ଭୁକି ସେ ଆଡ଼େ ମାଡ଼ି ଆସିଲେ । ବରଗଛ ଉପରୁ ପେଚାଟିଏ ବୋବେଇଲା । ଶାଗୁଣା ଉଡ଼ିବା ଭଳି ଫଡ଼ପଡ଼ ଶବ୍ଦ ଶୁଣାଗଲା । ଭୟରେ ଶିହରୀ ଉଠି ନବା କହିଲା ‘କିଏ ମରିଗଲା’ ? ତା ସ୍ତ୍ରୀ ପୁଅକୁ ଛାତିରେ ଜାକିଦେଇ ପ·ରିଲା, କିଏ, କିଏ??
କିଏ ମରିଗଲା ? ପୁଅକୁ ଜଡେଇ ଧରିଲା ନବାର ସ୍ତ୍ରୀ । ପେଚା ବୋବେଇଲା , ଶିଆଳ ଭୁକିଲେ , ଶାଗୁଣାଟା ଉଡ଼ି ଯାଉଥିଲା ।
ଜୀବନ ବୋଧେ ସରି ଯାଉଥିଲା ନବାର ଅନ୍ତର୍ଦାହ ଭିତରେ