ଆଜି ସନ୍ଧ୍ୟା ପାଞ୍ଚଟାରେ ସେମାନଙ୍କର ଆସିିବାର ଅଛି ମତେ ଦେଖିବେ ତା’ପରେ ବାହାଘର ତାରିଖ ଠିକ୍ କରାଯିବ । ଆଗରୁ ଫଟୋ ଦେଖିଛନ୍ତି ଆମଘର ବିଷୟରେ ଓ ବିଶେଷ କରି ମୋ ବିଷୟରେ ସବୁ ଜାଣି ସାରିଛନ୍ତି । ମଧ୍ୟସ୍ଥି ସ୍ୱାମୀ ସ୍ତ୍ରୀ ପହଁଞ୍ଚି ସବୁ ବନେ୍ଦାବସ୍ତର ତଦାରଖ କରିସାରିଲେଣି । ସବୁଠିକ୍ ଅଛି ଦେଖି ସେମାନେ ଖୁସି ।
ପାଞ୍ଚଟାପରେ ପନ୍ଦର ମିନିଟ ଚାଲି ଗଲାଣି-ଛାତିଟା ଖୁବ ଜୋରରେ ଧଡ ଧଡ ହେଉଛି । ତଣ୍ଟି ଶୁଖିଯାଉଛି- ଦି ଗ୍ଲାସ ପାଣି ପିଇବା ଦେଖି ଭାଉଜ ଥଟ୍ଟା କରୁଛନ୍ତି । ସାଢେ ପାଞ୍ଚଟା ହେଲାଣି – ଘର ପାଇଲେ ନାହିଁକି? ନା’ମ ଭୁବନେଶ୍ୱର ଟୋକା । ଶହୀନ ନଗରରେ ଘର ପାଇବ ନାହିଁ । ବାହାରୁ ବାହାରୁ ଡେରି ହେଉଥିବ ।
ଏହି ସମୟରେ ଗେଟ୍ ପାଖରେ ଗୋଟିଏ ଧଳା ମାରୁତି କାର ଅଟକିଲା । ସେମାନେ ଆସିଗଲେ । ମଧ୍ୟସ୍ଥି ଚାଲିଗଲେ ପାଛୋଟି ଆଣିବାକୁ, ଦି ଜଣ ସ୍ତ୍ରୀ ଲୋକ ଓ ଜଣେ ଝିଅ ଏବଂ ତାଙ୍କ ସାଙ୍ଗରେ କାଳିଆ ହୋଇ ଜଣେ ଲୋକ, ସମସ୍ତେ ମୁହଁରେ ପୂର୍ଣ୍ଣମାତ୍ରାରେ ମାଞ୍ଜା ଚଢେଇଛନ୍ତି । ଯୁବକଟି କୋଉଠି ଗୋଟିଏ ଇଂଜିନିୟର । ଛାତି ପକେଟରୁ ରେବାନ ଚଷମାର ଖୋଳ ଉଙ୍କି ମାରୁଛି । ସିଏ ଆସି ବାପାଙ୍କ ପାଖରେ ବସିଲେ ଓ ତାଙ୍କ ସାଙ୍ଗରେ ଆସିଥିବା ତାଙ୍କ ଭାଉଜ ଓ ଭଉଣୀ ଦୁଇଜଣ ଘର ଭିତରକୁ ଆସି ମତେ ଘେରି ବସିଲେ । ତାପରେ ତାଙ୍କର ପ୍ରଶ୍ନ ବାଣ ମୋ ଉପରେ ବିଛାଡି ହୋଇ ପଡିଲା । ମୁଁ ଦେଖୁଥାଏ ସିଏ ବାପାଙ୍କ ସାଂଗରେ କଥାବାର୍ତ୍ତା କଲାବେଳେ ମୁହଁଚାଳେଇ ଅଲାଜୁକ ଭାବେ ମୋ ଆଡେ ଚାହୁଁଥାନ୍ତି । ପ୍ରଥମ ପର୍ଯ୍ୟାୟ ଶେଷରେ ମତେ ଅଣାଗଲା ତାଙ୍କ ସାମନାକୁ ଫାଇନାଲ ଇଣ୍ଟରଭୁ୍ୟ ପାଇଁ । ତାଙ୍କ ଭାଉଜ କହିଲେ କଥାବାର୍ତ୍ତା ସମୟରେ ଆମଘର ଲୋକେ ଏପରିକି ମଧ୍ୟସ୍ଥି ବି ରହିପାରିବେ ନାହିଁ । ଏହି କଥା କାହାରି ପସନ୍ଦ ନହେଲେ ମଧ୍ୟ ସମସ୍ତେ ବାହାରି ଯିବାକୁ ବାଧ୍ୟ ହେଲେ ।
ତାପରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ କ୍ଲାସ୍ । ହଠାତ୍ ସେ ପ୍ରଶ୍ନକଲେ ତମେ ହୋମିଓପାଥିକ ଡାକ୍ତରଗୁଡାକ ଠକ ପାଣି ଟିକିଏ ଦେଇ ଲୋକଙ୍କୁ ଠକୁଛ । ପାଣିରେ ଷ୍ଟିରଏଡ ମିଶାଉଛ । ମନେ ମନେ ଭାବିଲି ଇଏ ମତେ ଦେଖି ଆସିଛନ୍ତି ନା ମୋ ପ୍ରଫେସନକୁ କ୍ରିଟିସାଇଜ୍ କରିବାକୁ ଆସିଛନ୍ତି । ମତେ ବହୁତ ରାଗ ଲାଗିଲା ।ମୁହଁ ଖୋଲି କହିଲି – ମୁଁ ଛ ବର୍ଷ କଲେଜରେ ପଢି ଡାକ୍ତର ହେଇଛି- ଏଗୁଡା ଆପଣଙ୍କର ନିଜସ୍ୱମତ ହୋଇପାରେ । ମନ ହେଉଥିଲା କହି ଦେବାକୁ (ତୁ ତ ଗୋଟିଏ ଇଂଜିନିୟର – ତୁ ଯେତିକି ଦରମା ପାଉଛୁ ମୁଁ ପାଉଛୁ ମୁଁ ବି ସେତିକି ଦରମା ପାଇବି- ଏଇଆ ଯେ, ତୁ ବ୍ଲାକ ମନି ଅର୍ଜନ କରୁଛୁ- ମୁଁ ଲୋକମାନଙ୍କର ସେବା କରି ପଇସା ରୋଜଗାର କରିପାରେ- ତୁ କଣ ଫୁଟାଣି ମାରୁଛୁ?) କିନ୍ତୁ ଜିଭ ଲେଉଟିଲା ନାହିଁ । ଏହି ସମୟରେ ଭାଉଜ ଜଳଖିଆ ଆଣି ଥୋଇଦେଲେ । କିନ୍ତୁ ଇଂଜିନିୟର ବାବୁ ମୋ ଜବାବରେ କ୍ଷୁବ୍ଧ ହୋଇ ଉଠି ପଡିଲେ ଏବଂ ସମସ୍ତଙ୍କୁ ଉଠିବାକୁ ଆଦେଶ ଦେଲେ । ସାମାନ୍ୟ ତମ ଭଦ୍ରାମି ନାହିଁ । କାହାକୁ ଖାତିର ନାହିଁ- ବହୁତ ଫୁଟାଣି ଯେ, ଜଣେ ଇଂଜିନିୟର ଉପୁରି ପଇସା ରୋଜଗାର କରୁଛନ୍ତି ।
ଭାଉଜ ଓ ଭଉଣୀଙ୍କୁ ଧରି ଇଂଜିନିୟର ସାହେବ ଧଳା ମାରୁତି ଚଢି ଚାଲିଗଲେ କିଛି ଧୂଳି ଉଡେଇ । ଶୁଣିଲି ଯେ, ମାରୁତିଟି ତାଙ୍କର ନୁହେଁ । ତାଙ୍କ ପାଖରେ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଠାରୁ ମାଗିଆଣି ଥିଲେ, ବଡ ଲୋକି ଜାହିର କରିବାକୁ । ମଧ୍ୟସ୍ଥି କ୍ଷୁବ୍ଧ-ରୋକଠୋକ୍ ମନା କରିଦେଲେ ଏମିତି ଅଭଦ୍ରକୁ ତୋର ବାହାହେବା ଦରକାର ନାହିଁ । ସେମାନଙ୍କର ମଧ୍ୟ ମୁହଁ ନାହିଁ କି ଭଦ୍ରାମି ମଧ୍ୟ ନାହିଁ ଖବର ଦେବାକୁ ।