ସୁଚିତ୍ରାର ବଡ଼ ଦେଢ଼ଶୁର ଗାଁ’ରୁ ଆସିଥିଲେ କ’ଣ କାମରେ । ରହିବା ପାଇଁ ତାଙ୍କ ହାତରେ ସମୟ ନଥିଲା । ସେଇଦିନ ଗାଁ’କୁ ଫେରିଯିବା କଥା । ସେଥିପାଇଁ ଖାଇ ସାରିବା ସଂଗେ ସଂଗେ ହିଁ ଯିବାକୁ ବାହାରିଲେ । ଶେଷଦେବକୁ କହିଲେ, ଏଥର ପଞ୍ଚୁଦୋଳର ଦୁଇ ତିନିଦିନ ଆଗରୁ ଯିବୁ । ଆଖପାଖ ଗାଁ’ରୁ ଆଉ କେତେ ମୂର୍ତ୍ତି ବିମାନ ଆସୁଛନ୍ତି । ମହାଦେବ ଆଉ ମୋ ସାଙ୍ଗରେ ତୁ ବି ରହିଲେ ସୁବିଧା ହବ ।
ରୀତି ସେଠି ଥିଲା । ସିଏ ହଠାତ୍ ପଚାରି ଦେଲା-ବଡବାପା! ଦୋଳ ତ ଦୋଳ ପଞ୍ଚୁ ଦୋଳ ପୁଣି କ’ଣ?
ସୁଚିତ୍ରାର ଦେଢ଼ଶୂର ତାକୁ ଚାହିଁଲେ ମୁହୂର୍ତ୍ତେ । ତାପରେ କହିଲେ, ତତେ ଏଇକ୍ଷିଣା ବୁଝେଇବାକୁ ମୋ ପାଖରେ ବେଳ ତ ନାହିଁରେ, ମା’ । ଗାଡ଼ି ଛାଡ଼ିଦେବ । ଏଥର ଦୋଳରେ ବାପା ସାଙ୍ଗେ ଗାଁ’କୁ ଆସିବୁ-ମେଲଣ ଦେଖିବୁ, ପଞ୍ଚୁଦୋଳ କ’ଣ ଜାଣିବୁ । ହେଲା? ତାପରେ ଶେଷଦେବକୁ କହିଲେ, ଆରେ ଶେଷ ଏଥର ପିଲାମାନଙ୍କୁ ନେଇ ଯିବୁ ତ! ବହୁତ ଦିନ ହେଲା ସେମାନେ ଆଉ ଯାଇନାହାନ୍ତି ।
ବଡଭାଇ କହିଲେ ତ ନାହିଁ, ଆଦେଶ ଦେଇଗଲେ । ଆଉ ସୁଚିତ୍ରା ଜାଣିଚି, ବଡଭାଇଙ୍କ ଆଦେଶ ଶେଷଦେବର ଶିରୋଧାର୍ଯ୍ୟ ।
ଦୋଳବେଳକୁ ଗାଁ’କୁ ଯିବା କଥା ଶୁଣି ରୀତି, ନୀତି ଖୁସିରେ ନାଚି ଉଠିଲେ । ଚାରିବର୍ଷ ହେଲା ସେମାନେ ଗାଁ’କୁ ଯାଇନାହାନ୍ତି । ଚାରିବର୍ଷ ତଳେ, ପ୍ରାୟ ଶୈଶବ ଅବସ୍ଥାରେ ଶେଷଥର ପାଇଁ ସେମାନେ ଗାଁ’କୁ ଯାଇଥିଲେ । ସେତେ ବେଳକାର ଘଟଣା, ଗାଁର ଘର, ବାଡି-ବଗିଚା, ପୋଖରୀ, କେନାଲ, ଜେଜେମା’, ବଡ଼ମା’, ସାନମା’, ଆଉ ଭାଇ ଭଉଣୀମାନଙ୍କ ବିଷୟରେ ନିଜ ନିଜ ଭିତରେ ସ୍ମୃତି ବିନିମୟ କରୁଥିଲେ ।
ଆନନ୍ଦ ବିଭୋର ହୋଇ ଗାଁ’ ରହଣି ବେଳର ସ୍ମୃତିଚାରଣ କରୁଥିବା ବେଳେ ନୀତି କହିଲା-ଗାଁ’ରେ ଆମ ଘର କେତେ ବଡ଼? ଖେଳିବା ପାଇଁ କେତେ ଯାଗା? ଘରେ କେତେ ଲୋକ! ହେଲେ ମତେ ଗୋଟିଏ କଥା ବେଳେ ବେଳେ ଭାରି ଖରାପ ଲାଗେ ଜାଣିଚୁ? ଜେଜେ ମା’, ବଡ଼ ମା’, ସାନମା’ଙ୍କ ଭିତରେ ମା’ ନଥିବାଟା ଏତେ ଗହଳି ଭିତରେ ବି ମତେ ବେଳେ ବେଳେ ଭାରି ଏକୁଟିଆ ଲାଗେ । ମା’ ଗାଁକୁ ଯେ କାହିଁକି ଯାଆନ୍ତି ନାହିଁ… ।
ରୀତି କହିଲା-ମା’ଙ୍କୁ ଗାଁ ଭଲ ଲାଗୁନଥିବ ବୋଧେ । ମତେ ବାବା ଆମ ଗାଁ’ଟାକୁ କିନ୍ତୁ ଭା..ରି ଭଲ ଲଗେ । ଜେଜେ ମା’, ବଡ ମା’, ସାନ ମା’ଙ୍କ ମେଳରେ ମା’ ନଥିବାଟା ମୁଁ ମୋଟେ ଜାଣିବି ପାରେ ନାହିଁ । ଆମ ଗାଁ’ବିଷୟରେ ବାପା କ’ଣ ତ କହୁଥିଲେ… ସେଇ ଯୋଉ ହୀରାଫୁଲଚାନ୍ଦୁଆ, ଆଉ କ’ଣ ଯୋଉ ଗାଲିଚା!
ଏ ଘରେ ବସି ସୁଚିତ୍ରା ପିଲା ଦୁହିଁଙ୍କର କଥାବାର୍ତ୍ତା ସ୍ପଷ୍ଟ ଭାବେ ଶୁଣି ପାରୁଥିଲା । ଗାଁ’ ବିଷୟରେ ଶେଷ ଦେବ ପିଲାମାନଙ୍କୁ ଯାହାକହିଥିଲା, ରୀତିର ପୂରା ମନେ ନଥିଲା, ଆଉ ନୀତିର ତ ମୋଟେ ମନେ ନାହିଁ ବୋଲି ଜାଣି ହେଉଥିଲା । ସୁଚିତ୍ରା ଶେଷଦେବକୁ ସେଇ କଥା ଥରେ କହିଥିଲା, ବାହାଘର ପରେ ଚଉଠୀ ରାତିରେ-
ସୁଚିତ୍ରା ଥିଲା ପୁରାପୁରି ସହରର ଝିଅ । ସହରରେ ଜନ୍ମ, ସହରର ପରିବେଶରେ ଲାଳିତପାଳିତ ହୋଇ ସହରର ପାଣି ପବନରେ ବଡ ହୋଇଥିଲା । ଶେଷଦେବ ସହିତ ବାହାଘରର ପ୍ରସ୍ତାବ ଉଠିବା ବେଳେ ସୁଚିତ୍ରାର ମା’ ଟିକେ ନାରାଜ ହେଉଥିଲା-ନିପଟ ମଫସଲ ଗାଁରେ ତାଙ୍କ ଝିଅ ଚଳି ପାରିବ ନାହିଁ ।
ସୁଚିତ୍ରା ବାପା କିନ୍ତୁ ଆପତ୍ତିକୁ କାନ ଦେଇ ନଥିଲେ । ସାତ ପୁରୁଷିଆ ଖାନ୍ଦାନୀ ଘର ଅଚଳାଚଳ ସମ୍ପତ୍ତି ଆଉ ସର୍ବୋପରି ଏପରି ସୁଯୋଗ୍ୟ ପାତ୍ର । ଭାଗ୍ୟରେ ଥିଲେ ଏକାସାଙ୍ଗେ ଏସବୁ ମିଳିଥାଏ ।
ତାପରେ ନିଜେ ଯାଇ ଘର-ଦ୍ୱାର ଏବଂ ବର ଦେଖିବା ପରେ ସୁଚିତ୍ରାର ମା’ଙ୍କର ଆଶଙ୍କାକୁ ଅମୂଳକ ବୋଲି ଭାବିଥିଲେ । ଗୋଟିଏ କଥାରେ ଖାଲି ସିଏ କହିଥିଲେ ପିଲାଟି ସହରରେ କାମ କରୁଚି । ସୁଚିକୁ ପାଖକୁ ନେଇଯିବ ନାହିଁ? ସବୁଦିନେ ସିଏ କ’ଣ ଗାଁ’ରେ ରହିବ?
ତାପରେ ଟିକିଏ ରହି କହିଥିଲେ-ବୁଝିଲନା, ଘର-ଦ୍ୱାର, ବାଡି-ବଗିଚା ଯାହା ଦେଖି ଆସିଲି ତିନିଭାଇଙ୍କର ତିନିପୁରୁଷ ଏକାଠି ରହିଲେ ବି ଯାଗା ବଳି ପଡ଼ିବ । ମତେ ତ ଲାଗୁଚି, ସୁଚି ଆମର ସେଠି ଥରେ ଆରେଇ ଗଲେ ସେ ଘର ଛାଡ଼ି ବାହାରକୁ ଆସିବାକୁ ମନ କରିବ ନାହିଁ ।
ସବାରୀରୁ ଓହ୍ଲେଇ ଶାଶୁଘର ପ୍ରଥମ ଥର ପାଇଁ ପାଦ ଦେବା ମାତ୍ରେ ହିଁ ସୁଚିତ୍ରା ଜାଣି ପାରିଥିଲା ଯେ, ତା ବାପା ଯାହା କହିଥିଲେ, ସେଥିରେ ଟିକେ ହେଲେ ଅତିଶୟୋକ୍ତି ନାହିଁ । ବୋହୂ ବନ୍ଦାଣ ପରେ ତା’ର ଓଢ଼ଣାକୁ ହାତେ ଲମ୍ବର ଟାଣିଦେଇ, ନୁଆଇଁ ନୁଆଁଇ ତାକୁ ତା ପାଇଁ ନିର୍ଦ୍ଦିଷ୍ଟ କୋଠରୀକୁ ବାଟ କଢ଼େଇ ନେଇ ଯାଉଥିବା ବେଳେ, ସୁଚିତ୍ରାର ମନେ ହୋଇଥିଲା ସିଏ ଅସରନ୍ତି ପଥରେ ପାଦ ରଖିଚି । ତାଙ୍କ ସାଇର ଏ ମୁଣ୍ଡରୁ ସେ ମୁଣ୍ଡ ଯାକେ ଯିବା ପାଇଁ ବି ଏତେ ସମୟ ଲାଗିବ ନାହିଁ ।
ସୁଚିତ୍ରା ସେତେବେଳେକୁ ଏ ଘରର କିଛି ହେଲେ ବି ଦେଖିନଥିଲା । ଅନ୍ୟ ଦ୍ୱାରା ପରିଚାଳିତ ହୋଇ, ଦରକାର ବେଳେ ଗୋଟିଏ ଯାଗାରୁ ଆଉ ଗୋଟିଏ ଯାଗାକୁ ଯିବା ସମୟରେ ଦୂରତ୍ୱରୁ ହିଁ ଘରଟିର ଆୟତନ ବିଷୟରେ କଳନା କରୁଥିଲା ମନେ ମନେ ।
ଚଉଠି ରାତି ଦିନ ଶେଷଦେବ ତାଙ୍କ ଘର ବିଷୟରେ ତାକୁ ତ କିଛି କହି ନଥିଲା । ସୁଚିତ୍ରା ସହରର ଝିଅ, ଗାଁରେ ଚଳିବାକୁ ତାକୁ ଟିକେ ଅଡ଼ୁଆ ଲାଗିପାରେ ଜାଣି ଆଶ୍ୱାସନା ଦେବା ଢ଼ଙ୍ଗରେ ଶେଷଦେବ କହିଥିଲା- ପ୍ରଥମେ ପ୍ରଥମେ ତୁମକୁ ବୋଧେ ଭଲ ଲାଗିବ ନାହିଁ । କିନ୍ତୁ କିଛି ଦିନ ରହିଗଲେ ଦେଖିବ, ଆମ ଗାଁ’ ତ ତୁମ ସହର ପରି କଂକ୍ରିଟ୍ର ଜଙ୍ଗଲ ନୁହେଁ ଏଇ ହେଲା ହୀରାଫୁଲ ଖଞ୍ଜା ଚାନ୍ଦୁଆ ତଳେ ରଙ୍ଗବେରଙ୍ଗର ଖଣ୍ଡେ ମଖମଲି ଗାଲିଚା ।
ହୀରାଫୁଲ ଖଞ୍ଜା ଚାନ୍ଦୁଆ ତଳେ ରଙ୍ଗ ବେରଙ୍ଗ ମଖମଲି ଗାଲିଚା ଖଣ୍ଡକ ସାଙ୍ଗରେ ସୁଚିତ୍ରାର ସେଇ ସାଙ୍ଗେ ସାଙ୍ଗେ ତ ପରିଚୟ ହୋଇପାରି ନଥିଲା । ହେଲା ବହୁତ ପରେ, ଚଟକିନା ନୁହେଁ ବା ଗୋଟିଏ ଥର ଦେଖାରେ ନୁହେଁ, ଧିରେ ଧିରେ । ବାହାଘରର ମାସକ ପରେ ଶେଷଦେବର ଛୁଟି ସରିଯିବାରୁ ତା’ର ଚାକିରି ଯାଗାକୁ ବାହାରିବା ବେଳେ ସୁଚିତ୍ରାର ବି ତା ସାଙ୍ଗେ ଯିବା ଦରକାର ବୋଲି ସମସ୍ତେ ଭୁଲି ଯାଇଥିଲେ ଯେମିତି । ଶେଷଦେବ କିନ୍ତୁ ତାକୁ ଜଣେଇ ଥିଲା- ତା ଯିବା କଥା ସିଏ ମା’ଙ୍କୁ ପଚାରିଥିଲା । ମା’ କହିଲେ-ଯିବ ତ ନିଶ୍ଚେ ତୋ ପାଖକୁ । ହେଲେ ଏବେ ଏବେ ବାହାଘର ହେଇଚି-ଭୂଆଷୁଣି ବୋହୂଟା-ଯାଉ ବର୍ଷଟେ । ଘର ମଣିଷ ସମସ୍ତିଙ୍କୁ ଚିହ୍ନୁ-ଘରର ଶଣ୍ଠଣା ଶିଖୁ । ତା ହେଲେ ସିନା ପଟ୍ଟନାୟକ ଘରର ବୋହୂ ବୋଲି ତା ମନରେ ଗୋଟେ ଭାବ ରହିବ ।
ପରବର୍ତ୍ତୀ ସମୟରେ ସୁଚିତ୍ରା ନିଜକୁ କେବେ ବି ପଟ୍ଟନାୟକ ଘରର ବୋହୂ ବୋଲି ଭାବିବାକୁ ସୁଯୋଗ ସୃଷ୍ଟି ନ କରିଥିଲେ ମଧ୍ୟ ବାହାଘର ପରେ ପୂରା ଗୋଟିଏ ବର୍ଷ ପାଇଁ ତାକୁ ଶେଷଦେବର ଗାଁ’ରେ ରହିବାକୁ ହୋଇଥିଲା ।
ଆଉ, ସେଇ ସୁଦୀର୍ଘ ବର୍ଷଟିଏ ଭିତରେ ଗାଁ’କୁ ସେ ମୁହୂର୍ତ୍ତକ ପାଇଁ ବି ଖରାପ ବୋଲି ଭାବି ପାରି ନଥିଲା । ସେ ଯେତେ ପୁରୁଣା ହେଉଥିଲା, ଗାଁ’ ସହିତ ତା’ର ପରିଚୟ ସେତିକି ଘନିଷ୍ଠ ହେଉଥିଲା । ଗାଁ’ ତାକୁ ଭଲ ବି ଲାଗି ଆସୁଥିଲା । ଗାଁ’ରେ ହିଁ ସେ ଆକାଶ, ପବନ, ଧରିତ୍ରୀକୁ ଚିହ୍ନିଲା, ଚନ୍ଦ୍ର-ତାରାଙ୍କୁ ଆଖି ମେଲେଇ ଦେଖିପାରିଲା । ଷଡ଼ଋତୁର ବୈଭବର ପସରାକୁ ଅତି ପାଖରେ ଠିଆ ହୋଇ ଦେଖିପାରିଲା । ସହରରେ ବି ସେମାନେ ରଜ, ଖୁଦୁରୁକୁଣୀ, ଜହ୍ନି ଓଷା ପାଳୁଥିଲେ, ହେଲେ ଗାଁରେ ପୂଜାପର୍ବ ପାଳନର ମହତ୍ତ୍ୱ ଅଲଗା । ହୃଦୟର କୋଣ-ଅନୁକୋଣରେ ସେ ଭାବ ସଞ୍ଚରି ଯାଏ ।
ତେବେ, ଗାଁକୁ ଏପରି ଭାବରେ ଭଲ ପାଇ ଆସୁଥିବା ଲୋକ ଥରେ ଯୋଉ ଗାଁ’ର ସୀମା, ସରହଦ ଡେଇଁ ବର ସାଙ୍ଗରେ ଆସିଲା ନିଜର ଘରକରଣା କରିବାକୁ, ଆଉ ଥରେ ବୋଲି ମୂଳ ଆସ୍ଥାନ କୁ ଫେରିବାକୁ ମନ କଲାନାହିଁ କାହିଁକି? ଗାଁ’ର ଲୋକମାନେ, ପରିବାରର ଲୋକମାନେ ତା’ର ପସନ୍ଦ ହେଲେ ନାହିଁ? ସେମାନଙ୍କୁ ସେ ଭଲ ପାଇ ପାରିନଥିଲା ।
ମୋଟେ ନୁହେଁ, ସେ କଥା ମୋଟେ ସତ ନୁହେଁ । ତା’ର ଶାଶୁଘର ଲୋକଙ୍କ କଥା ଛାଡ଼, ସାଇ-ପଡ଼ିଶା, ଜ୍ଞାତି-କୁଟୁମ୍ବଙ୍କ ଠାରୁ ଆରମ୍ଭ କରି ସାରା ଗାଁ’ଟାର ଲୋକମାନେ ତ ତାକୁ ଭଲ ପାଉଥିଲେ । ଖାଲି ଭଲ ତ ପାଉନଥିଲେ, ପଟ୍ଟନାୟକ ଘରର ସାନବୋହୂ ହେବାର ସମ୍ମାନ ବ୍ୟତୀତ ସେ ଗାଁ’କୁ ସହରୀ ପୁଣି ପାଠୁଆ ଝିଅ ପ୍ରଥମ କରି ବୋହୂ ହୋଇ ଆସିବାରୁ ତା’ର ଗୋଟେ ଅଲଗା ମର୍ଯ୍ୟାଦା ମଧ୍ୟ ଥିଲା ।
ଗାଁ’ର ଲୋକମାନଙ୍କୁ, ଶେଷଦେବର ପରିବାରର ଲୋକମାନଙ୍କୁ ସୁଚିତ୍ରା ଭଲ ପାଇବାର ଆଉ ଗୋଟେ କାରଣ ଥିଲା । ସେମାନେ ଥିଲେ ଭାରି ସରଳ । ସିଧା-ସଳଖ କଥାବାର୍ତ୍ତା । ପେଟରେ ଗୋଟେ ରକମର କଥା ମୋଟେ ନଥିଲା ।
ଗାଁ’ ଭଲ । ଗାଁ’ର ଲୋକମାନେ ବି ଭଲ । ଶାଶୁଘରର ଲୋକମାନଙ୍କ ସାଙ୍ଗେ ସୁଚିତ୍ରାର ସଂପର୍କ ଭାରି ଭଲ । ଗାଁ’ରୁ ଯିଏ, ଯେତେବେଳେ ଆସିଲେ ବି ସୁଚିତ୍ରା ସେମାନଙ୍କର ଆଦର, ଆପ୍ୟାୟନ କରିବାରେ କେବେ ହେଲେ ତ୍ରୁଟି କରି ନାହିଁ । ଯିଏ ଯେତେବେଳେ ରହନ୍ତୁ, ସୁଚିତ୍ରାର ବ୍ୟବହାରରେ କେହି କେବେ ଦୋଷ ଦେଖିନାହିଁ । ଦୁଇ ଦୁଇ ଜଣ ପୁତୁରା, ଝିଆରୀ ତ ଚାରି ଚାରି ବର୍ଷ ସୁଚିତ୍ରା ପାଖରେ ରହି କଲେଜରେ ପଢ଼ିକରି ଗଲେ । ନିଜ ପିଲାଙ୍କଠୁ ଅନ୍ୟ ଭାବରେ ସୁଚିତ୍ରା କେବେ ବି ସେମାନଙ୍କୁ ଦେଖିନାହିଁ ।
ଅଥଚ, ସିଏ ଥରେ ହେଲେ ଆଉ ଗାଁ’କୁ ଯିବାକୁ ମନ କରିନାହିଁ । ନୂଆ ନୂଆ ସମୟରେ ଶେଷଦେବ ଡାକୁଥିଲା ବହୁତ ତାକୁ ସାଙ୍ଗରେ ଯିବା ପାଇଁ । ଏକପ୍ରକାର ଜବରଦସ୍ତି ମଧ୍ୟ କରୁଥିଲା । କିନ୍ତୁ ସୁଚିତ୍ରାର ଏଇ ଗୋଟିକ ଟାଣପଣ ପାଖରେ ନଇଁ ପଡ଼ିଥିଲା । ଆଉ କେବେ ହେଲେ ଗାଁ’କୁ ଯିବାକୁ ଡାକି ତ ନଥିଲା, କାହିଁକି ଯିବନାହିଁ ବୋଲି ପଚାରି ମଧ୍ୟ ନଥିଲା ।
କେହି ପଚାରିନଥିବାରୁ ବୋଧେ ସୁଚିତ୍ରା ମନରେ କାହିଁକିର ଉତ୍ତର ଆସୁନଥିଲା । ଆଜି ରୀତି ପାଖେ ନୀତି ସେଇ କଥା ଉଠେଇବାରୁ ସେ ଭାବିଲା, କହିଦବ କି ସେମାନଙ୍କୁ ଯେ, ତାକୁ ବି ଗାଁ’ଭଲ ଲାଗେ, କିନ୍ତୁ ଗାଁ’ର ଚଳଣି ତା ପକ୍ଷେ ଅସହ୍ୟ ହୋଇ ଉଠିଥିଲା-ଏକଦମ୍ ଅସହ୍ୟ ।
ନୂଆ ନୂଆ ବୋହୂ ହୋଇଥିବା ବେଳର ଘଟଣା । ସହରୀ ଝିଅ ସୁଚିତ୍ରା କୁଞ୍ଚ ପକେଇ ଶାଢ଼ୀ ପିନ୍ଧିବା ଛଡ଼ା ଅନ୍ୟ ଭାବରେ ପିନ୍ଧିବାର ଜାଣି ନଥିଲା । ଶାଶୁଘରେ ପ୍ରଥମ ଉପହାସର ପାତ୍ର ହେଲା ସେ ସେଇଥିପାଇଁ । ଗଲା-ଆଇଲା, ସାଇ-ପଡ଼ିଶା ଲୋକେ ତ କହିଲେ, ଶେଷଦେବର ଘରଲୋକେ ବି କହିଲେ-ଶାଢ଼ୀ ପିନ୍ଧାର ଇଏ କି ଖୀରସ୍ତାନୀ ଢ଼ଙ୍ଗ! ପଟେ ଦିଶୁଛି ତା ପିଠିରୁ, ଲୁଗା ଉଠି ଯାଉଛି । ଶଣ୍ଠଣା କରି ଶାଢ଼ି ପିନେ୍ଧଇବାକୁ ମା’ ଶିଖେଇ ନାହିଁ?
ସୁଚିତ୍ରାର ମା’ ତା ଶିଖେଇ ନଥିଲେ । କିନ୍ତୁ କହିବା ଲୋକମାନଙ୍କ ଭିତରୁ କେହି ଜଣେ ହେଲେ ତାକୁ ଶିଖେଇ ଦେଇ କହିନଥିଲେ ଯେ, ଦେଖ ଗାଁ’ରେ ଏଇ ବାଗରେ ଶାଢ଼ୀ ପିନ୍ଧନ୍ତି ।
ସୁଚିତ୍ରା ଘରେ ପାନପେଡ଼ି ଥିôଲା । ମା’ ଦିନରେ ଖଣ୍ଡେ, ଦୁଇଖଣ୍ଡ ଖାଆନ୍ତି । ଘରକୁ ଆସିଥିବା କୁଣିଆଙ୍କୁ ପାନ ଦିଆଗଲାବେଳେ ବାପା ବି କେବେ କେମିତି ଗୋଟାଏ ଖିଲ ଖାଇ ଦିଅନ୍ତି । କିନ୍ତୁ ପିଲାମାନେ ପାନ ଖାଇବେ? ମୋଟେ ନୁହେଁ । ପାଠ ପଢ଼ିବାକୁ ଯାଉଥିବା ପିଲା, ପାନ ଖାଇ ଦାନ୍ତ ଅସନା କରିବେ? ଓଠ ନାଲି କରିବେ? ଆଉ ଯାହା କଥା ଯେମିତି, ରଜପର୍ବ, କୁଆଁର ପୁନେଇଁ ଓଷାରେ ଦୁଇ,ଚାରିଖିଲ ପାନ ଚୋବେଇ ପକାନ୍ତି । କିନ୍ତୁ ସୁଚିତ୍ରାର ପାନ ସାଙ୍ଗେ ମୋଟେ ପଡ଼େ ନାହିଁ । ସାଙ୍ଗମେଳରେ କେବେ ଖଣ୍ଡେ ଖାଇଦେଲେ ତଣ୍ଟିରେ ଗୁଆ ଲାଗେ । ଜିଭ ମୋଟା ମୋଟା ଲାଗେ । ସେଥିପାଇଁ ସୁଚିତ୍ରା ପାନ ଖାଏ ନାହିଁ ।
କିନ୍ତୁ ବାପଘରେ ଯୋଉଟା ଗୋଟେ ଗୁଣର କଥା ଥିଲା, ଶାଶୁଘରେ ସେଇଟା ହେଲା ମହାଦୋଷର । ଜଳଖିଆ ଖାଇସାରିବା ପରେ ରାନ୍ଧୁଣୀ ନାନୀକୁ ସେ ବେଳାର ରନ୍ଧା ବିଷୟରେ ବରାଦ କରି, ପରିବାପତ୍ର କାଟି ଯୋଗେଇ ଦେଇ ସୁଚିତ୍ରାର ଦୁଇ ଯାଆ ବଂଶସାରା ପାଇଁ ଦିନ ଗୋଟାକର ପାନ ଭାଙ୍ଗିବା ପାଇଁ ପାନପେଡି ମେଲେଇ ବସିଲେ ସୁଚିତ୍ରା ବି ବସେ ତାଙ୍କ କାମରେ ଭାଗ ନେବା ପାଇଁ ।
ସେତିକି ବେଳେ ହିଁ ଥରେ ବଡ଼ ଯାଆ କହିଥିଲେ-ସାନବୋହୂ, ପାନ ଖଣ୍ଡେ ଖଣ୍ଡେ ଖାଆ । ପାଟି ମହକିବ । ଓଠ ନାଲି ଗୁଲୁଗୁଲ ହୋଇ ସୁନ୍ଦର ଦିଶିବ ।
ପାନପେଡ଼ି ମେଲେଇ ବସିଲେ ପାନ ଭାଙ୍ଗିବା ଲୋକଙ୍କ ଅପେକ୍ଷା ଦେଖଣାହାରୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଆଉ ସେମାନେ ସମସ୍ତେ ଯେ ନିଜ ଲୋକ ହେବେ, ସେମିତି କିଛି ମାନେ ନାହିଁ ।
ସେଇ ଦେଖଣାହାରୀଙ୍କ ଭିତରୁ ଜଣେ କିଏ ଟିପ୍ପଣୀ ଦେଲା- ହଁ ଗୋ ଭାଉଜ, ନୂଆ ଭାଉଜ ପାନ ଖଣ୍ଡେ ଖଣ୍ଡେ ନଖାଇବାରୁ ଦାନ୍ତଗୁଡ଼ା ହେଡ଼ା ଦାନ୍ତ ପରି ଦିଶୁଛି । ସାନଭାଇ ଆଗରେ ହସିଦେଲେ ସିଏ କଣ କହୁଥିବେ ଗୋ!
ତା ପରେ ମହିଳା ମଣ୍ଡଳୀ ଭିତରେ ଉଠିଲା ହସର ଲହର-ହେଁହେଁ, ଫେଁଫେଁ ହୋଇ । ନିଜ ଭିତରେ ଚିମୁଟା ଚିମୁଟି ହୋଇ ଆଖି ଠରାଠରିରେ ସାଙ୍କେତିକ କଥା ହୋଇ ଜଣକ ଉପରେ ଜଣେ ପଡ଼ି ଯାଉଥାଆନ୍ତି ଗଛ କାଟିଲା ପରି ।
ଅପମାନରେ ସୁଚିତ୍ରାର ମୁହଁ ଲାଲ ହୋଇଗଲା କେବଳ । ବହୁତ କିଛି କହିବାକୁ ଇଚ୍ଛା ହେଉଥିଲେ ମଧ୍ୟ କିଛି କହିପାରିନଥିଲା । ଏକ ପ୍ରକାର ଅସହାୟବୋଧତାରେ ପୀଡ଼ିତ ହୋଇ ମନେ ମନେ ବାପା ମା’ଙ୍କ ଉପରେ ରାଗିଥିଲା କେବଳ । ଅଥଚ ବଡ଼ ଯାଆ, ମଝିଆ ଯାଆ ଅତି ସରାଗରେ ତା ପାଟିରେ ପାନଖିଲେ ପୂରେଇ ଦେବା ବେଳେ ମନା ବି କରି ପାରିନଥିଲା । ପାନ ଖାଇବାର ଫଳ ନିଜେ ହିଁ ଭୋଗିଥିଲା ।
ଚା’ ପିଇବା ସୁଚିତ୍ରାର ଅଭ୍ୟାସ ନୁହେଁ । କିନ୍ତୁ ଅବହେଳାରେ ମୁଣ୍ଡ ଧୋଇ ଗାଧୋଇଲେ, ସ୍କୁଲ ବା କଲେଜରେ ଫେରିବା ବେଳେ ବର୍ଷାରେ ଭିଜିଥିଲେ ମା’ ଅଦା ପକେଇ ବାମ୍ପ ଉଠା ଚା’ କପେ ଧରେଇ ଦେଇ ସାଙ୍ଗେ ସାଙ୍ଗେ ପିଇ ଦବାକୁ କହୁଥିଲେ ।
ସେ ଦିନ ପହଁରା ଶିଖିବ ବୋଲି ସାଇର ନଣନ୍ଦଙ୍କ ସହିତ ଭିତର ବାଡିର ପୋଖରୀରେ ବେଶ୍ ବେଳଯାଏ ସୁଚିତ୍ରା ବୁଡ଼ ପକେଇଥିଲା ।
ମୁଣ୍ଡ ବି ଓଦା ହୋଇ ଯାଇଥିଲା । ଚଉପାଢ଼ୀଙ୍କୁ ପଠେଇବା ପାଇଁ ଉପରବେଳା ମଝିଆଁ ଯାଆ ଚା’ କରୁଥିବା ବେଳେ ସୁଚିତ୍ରା କହିଲା-ଦିହଟା କସ୍ମସ୍ ଲାଗୁଚି ଅପା । ମୋ ପାଇଁ ଚା’ କପେ ଦବ?
ପଟ୍ଟନାୟକ ଘରର ବୋହୂମାନେ ଚା’ ଖାଆନ୍ତି ନାହିଁ ବୋଲି ସେଇଠି ସିଏ ମନା କରିଦେଇଥିଲେ ହୋଇଥାନ୍ତା । ସେଠି ତ ଆଉ କେହି ନଥିଲେ । କଥାଟା ଦଶକାନ ହେଲା କେମିତି?
ତା ପରେ କେତେ ଛି ଛାକର । ମାଇକିନା ଝିଅ-ସାଇବ ପରି ହବାକୁ ମନ! ଚା’ ପିଇବେ । କାନ ଉଠିବା ଦିନୁ ମଣିଷ ଶୁଣିନଥିଲା । ପଟ୍ଟନାୟକ ଘର ସାନବୋହୁଟା ଦି ଅକ୍ଷର ପାଠ ପଢ଼ି ଇନ୍ଦ୍ରଚନ୍ଦ୍ର ମାନୁନାହିଁ ।
ଆହୁରି କେତେ କଥା ଛୋଟ ଘଟଣାକୁ ନେଇ । ତାଙ୍କ ସହରୀ ଜୀବନରେ ଯାହା କର୍ତ୍ତବ୍ୟ ନୁହେଁ । ଆଜି ଆଉ ସୁଚିତ୍ରାର ସେ ସବୁ ମନେ ନାହିଁ । ସେଇ ଯୋଉ କହନ୍ତି, ବସିଲେ ହୁଙ୍କା ବସିଚି, ଶୋଇଲେ ଢ଼ିଙ୍କି ଶୋଇଚି-ସବୁ କଥାରେ ସୁଚିତ୍ରାକୁ ପଦେ ପଦେ ଉଲୁଗୁଣା ଶୁଣିବାକୁ ହେଉଥିଲା । ତାକୁ ଲାଗୁଥିଲା-ସବୁ କଥାରେ ତାକୁ ସମେସ୍ତ ଖୁଣୁଚନ୍ତି ।
ଆଉ ବିଚାରୀ ସୁଚିତ୍ରା! ମନ କଥା କହିବ ବା କାହା ପାଖରେ? ଏ ଘରେ ଅତି ନିଜର ଲୋକଟି କହିଲେ ଶେଷଦେବ । କେତେ ନିଜର ସିଏ ହେଇଥିଲା ସେତେବେଳେ? ଯେତେ ହେଲେ ବି, ସିଏ ତ ସେଇ ଘରର ପୁଅ!
ସେଥିପାଇଁ ଥରେ ସେ ଘରୁ ଗୋଡ଼ କାଢ଼ି ଆସିବା ପରେ ସୁଚିତ୍ରାକୁ ବିଧିନିଷେଧର ଗୋଟେ କାରାଗାରରୁ ମୁକ୍ତି ପାଇବା ପରି ମନେ ହେଉଥିଲା । ମନେ ମନେ ସେ ଠିକ୍ କରିନେଲା କେବେ ବି ଆଉ ସିଏ ଶେଷଦେବର ଗାଁ’ଆଡ଼େ ମୁହଁ କରିବ ନାହିଁ ।
ପ୍ରଥମେ ପ୍ରଥମେ ତ ନଯିବାର ବାହାନା ମିଳି ଯାଇଥିଲା । ରୀତି, ନୀତିଙ୍କର ଜନ୍ମ, ତାଙ୍କର ଲାଳନ-ପାଳନ, ଟିକେ ବଡ଼ ହୋଇ ସ୍କୁଲ ଯିବା ପରେ ସେମାନଙ୍କ ପାଠପଢ଼ା ଇତ୍ୟାଦି, ଇତ୍ୟାଦି । ଆଉ ତାପରେ ନୂଆବୋହୂଟା ପୁରୁଣାରେ ପରିଣତ ହୋଇ ଟିକେ ଦମ୍ଭିଲା ହୋଇଗଲା ପରେ ଶେଷଦେବର ମୁହେଁ ମୁହେଁ ମନା କରିଦେଇଚି । ମତେ ଯାହା କହିବ ତୁମର ସବୁକଥା ମାନିବି, ହେଲେ ତୁମ ଗାଁ’କୁ ଯିବା କଥା ମତେ କହିବ ନାହିଁ । ମୁଁ ସେଠିକୁ ଆଉ କେବେ ବି ଯିବି ନାହିଁ ।
ଆଶ୍ଚର୍ଯ୍ୟ କଥା, ଶେଷଦେବ ତାପରେ ତାକୁ ଥରେ ହେଲେ ଡାକିନାହିଁ । ବରଂ ରୀତି, ନୀତି ବଡ଼ ହବା ପରେ ତାଙ୍କର ଛୁଟି ଥିଲେ ଅନେକ ସମୟରେ ସେମାନଙ୍କୁ ନେଇ ଯାଇଚି ।
ପଟ୍ଟନାୟକ ଘରେ ବାରମାସରେ ତେର ପରବ । ଦଶରା, ପଞ୍ଚୁଦୋଳକୁ ଝିଅମାନେ ସବୁ ଶାଶୁଘରୁ ଆସନ୍ତି । ଝିଆରୀ, ପୁତୁରାଙ୍କ ମଙ୍ଗଳକୃତ୍ୟ । ବନ୍ଧୁବାନ୍ଧବଙ୍କ ଗହଳିରେ ଘରେ ଥାଟପଟାଳି । ଏକା ନଥାଏ ସୁଚିତ୍ରା ।
ସେମାନେ କ’ଣ କେବେହେଲେ ଖୋଜି ନାହାନ୍ତି ସାନବୋହୂକୁ? ପୁଅ ଏବଂ ନାତୁଣୀଙ୍କୁ ଦେଖି ସାନବୋହୂର ଅସ୍ତିତ୍ୱ ଭୁଲି ଯାଇଛନ୍ତି କିମ୍ବା, ହୁଏତ ଶେଷଦେବକୁ ପଚାରୁଥିବେ । ଶେଷଦେବ ତାଙ୍କୁ କ’ଣ କହୁଥବ? ଆଜି ସୁଚିତ୍ରାର ହଠାତ୍ ମନେହେଉଛି, ଏ ବିଷୟରେ ଶେଷଦେବକୁ କିଛି ପଚାରିବାର ଆବଶ୍ୟକତା ସିଏ ଅନୁଭବ କରିନାହିଁ । ଆଉ ଶେଷଦେବ ବି ତ କେବେ ହେଲେ ତାକୁ କିଛି କହିନାହିଁ ।
ସୁଚିତ୍ରା ସିନା କେବେ ହେଲେ ଆଉ ଗାଁ’କୁ ଯାଇନାହିଁ, କିନ୍ତୁ ଗାଁ’ ସାଙ୍ଗେ ତ ତା’ର ସଂପର୍କ କଟି ଯାଇନାହିଁ । ଦେଢ଼ଶୂରମାନେ ବରାବର ଆସନ୍ତି । କେବେ କେବେ ଦିନେ, ଦୁଇଦିନ ରହନ୍ତି ତ କେବେ ସେଇ ଦିନ ଆସି, କାମ ସାରି ପାଟିରେ କ’ଣ ଦି’ଟା ପକେଇ ଦେଇ ସେଦିନ ଫେରି ଯାଆନ୍ତି ।
ଝିଆରୀମାନଙ୍କ ବାହାଘର ପାଇଁ ଯାଆମାନେ ଆସିଚନ୍ତି ଜିନିଷ କିଣିବାକୁ । ସୁଚିତ୍ରା ଗାଡ଼ି କରି ନିଜେ ସେମାନଙ୍କୁ ନେଇ ଜିନିଷ କିଣେଇ ଦେଇଚି-ସହର ବୁଲେଇଚି । ଆଦର, ଆପ୍ୟାୟନରେ ଟିକେ ହେଲେ ତ୍ରୁଟି ନାହିଁ । ସେମାନେ ଭାବିଚନ୍ତି ଏଟା ଦିଅର, ଯାଆଙ୍କର ଘର ନୁହେଁ-ପଟ୍ଟନାୟକ ଘରର ବର୍ଦ୍ଧିତ ଅଂଶ ସହରରେ ।
ବାହାହେଲା ନଣନ୍ଦମାନେ, ଝିଆରୀମାନେ, ଭାଣିଜିମାନେ ଆସି ମାସ ମାସ ଧରି ରହି ଯାଇଚନ୍ତି ତା ପାଖରେ । ଦୁଇ ଦୁଇଜଣ ପୁତୁରା ତା’ରି ପାଖରେ ରହି କଲେଜ ପଢ଼ା ଶେଷ କରିଗଲେ । ମା’, ସାନମା’ଙ୍କୁ ଛାଡ଼ି ନୂଆ ମା’ ପାଖେ ରହିଲେ । କାହାରି କୌଣସିଥିରେ କିଛି ବି ଅସୁବିଧା ହୋଇନାହିଁ । ନିଜ ପିଲା ପରି ସୁଚିତ୍ରା ସେମାନଙ୍କୁ ଆକଟ କରିଚି, ଶାସନ କରିଚି, ପ୍ରାଣ ଭରି ଭଲ ବି ପାଇଚି । ସେମାନେ ମଧ୍ୟ ତାଙ୍କର କୌଣସି ଅଳି, ଅର୍ଦ୍ଦଳି ତାପାଖେ ପ୍ରକାଶ କରିବାକୁ ସଙ୍କୋଚ କରିନାହାନ୍ତି ।
ଗାଁ’ସହିତ ଏପରି ସଂପର୍କ ଥିବା ଯୋଗୁଁ ଗାଁ’ବିଷୟକ ଟିକିନିଖି ଖବର ତାକୁ ଅବଗତ । ସମୟକ୍ରମେ ସେ ଜାଣିପାରିଚି, ଗାଁ’ଆଉ ପୂର୍ବର ଗାଁ’ହୋଇ ରହିନାହିଁ । କେତେ ବଦଳି ଗଲାଣି । ଝିଅମାନଙ୍କ ପାଇଁ ଗାଁ’ରେ ହାଇସ୍କୁଲ ହେଲାଣି । ସ୍କୁଲ୍ରୁ ପାସ୍ କରି ଝିଅମାନେ ନଈ ଆରପାରିର ଭରତପୁର ଗାଁ’ର କଲେଜକୁ ପଢ଼ିବାକୁ ଯାଉଚନ୍ତି ।
ଗାଁ’ରେ ଯାହା ବଦଳିବାର ବଦଳିଚି । ପଟ୍ଟନାୟକ ଘରେ ବି ଆଗର ସେଇ ମାନଧାତିଆ ଚଳଣି ଆଉ ନାହିଁ- ଯଦି ଓ ସେଇ ଲୋକମାନେ ଅଛନ୍ତି-ଘରର ସେଇ ଲୋକମାନେ-ସେଇ ରାନ୍ଧୁଣୀ ନାନୀ, ସେଇ କାମତୁଣୀ, ସେଇ ବୋଲକରା ।
ଯାହାଥିଲା ସବୁ ଅଛି । ଚଳିବାର ଢ଼ଙ୍ଗ ଯାହା ବଦଳିଯାଇଛି । ଆଉ ସେ ସବୁ ବଦଳେଇବାର ପଛରେ ଅଛି କେବଳ ଗୋଟିଏ ମାତ୍ର ମଣିଷର ହାତ-ସୁଚିତ୍ରାର ବଡ଼ ପୁତୁରା ବୋହୂ ।
ସୁଚିତ୍ରାର ବଡ଼ ପୁତୁରା- ସବୁଠୁ ବଡ଼ ଯାଆଙ୍କର ବଡ଼ ପୁଅ । ଶେଷଦେବରର ପୁତୁରା ହେଲେ ବି ସାନଭାଇ ପରି । ଆଠ, ଦଶବର୍ଷର ସାନ ବଡ଼ । ଏଗ୍ରିକଲ୍ଚରାଲ୍ ଇଂଜିନିୟରିଂ ପାସ୍ କରି ଚାକିରି କରୁଥିଲେ । ହଠାତ୍ ମନେ କଲେ ଚାକିରି ନକରି ବୁଦ୍ଧି-ବିଦ୍ୟା ଖଟେଇ ନିଜର ଅମାପ ଜମିବାଡ଼ିକୁ ଆଧୁନିକ ପ୍ରଣାଳୀରେ ଚାଷ କରେଇବା ସାଙ୍ଗେ ସାଙ୍ଗେ ଭଲ ଧରଣର ଚାଷ କରିବା ପାଇଁ ଗାଁ’ଲୋକଙ୍କୁ ମଧ୍ୟ ଶିଖେଇବେ ।
ସେଇ ପୁତୁରାଙ୍କ ସ୍ତ୍ରୀ ଶିକ୍ଷିତା । ବି.ଏ. ପାସ୍ କରି ପଢ଼େଇବାର ଟ୍ରେନିଂ ବି ନେଇଚି । ପୁତୁରା ଲାଗିଗଲେ ଚାଷ ଜମିର ସଂସ୍କାରରେ । ବୋହୂ ଲାଗିଗଲା ମଣିଷମାନଙ୍କର, ଝିଅମାନଙ୍କର ସଂସ୍କାରରେ ।
ସେତେବେଳ ପର୍ଯ୍ୟନ୍ତ ବି ଶେଷଦେବ ଗାଁ’ର ଝିଅମାନଙ୍କର ପାଠପଢ଼ାର ଆବଶ୍ୟକତା ବିଷୟରେ ବାପା-ମା’ ଚିନ୍ତା କରିପାରିନଥିଲେ । ଅକ୍ଷର ଦୁଇଟା ଚିହ୍ନି ଚିଠି ଖଣ୍ଡେ ଲେଖି ପାରିଲେ ଢ଼େର । ଆଉ ବେଶୀଗୁଡ଼ା ପାଠରୁ କ’ଣ ମିଳିବ?
ସେଇ ଝିଅମାନଙ୍କୁ ଏକାଠି କରେଇ ପୁତୁରା ବୋହୂ ଗୀତ ଶିଖେଇଲା । ଜାମା ସିଲେଇ, ଉଲ୍ବୁଣା, କ୍ରୁଶ ବୁଣା ଶିଖେଇଲା । ତା ପରେ ହାତରେ ସିଲଟ୍ ଧରେଇଲା । ପଟ୍ଟନାୟକ ଘର ନାତୁଣୀ ବୋହୂ ପାଖେ ଖରାବେଳେ ଝିଅ ପଲକ ଏକାଠି ହଉଛନ୍ତି ବୋଲି ସମସ୍ତେ ଜାଣିଥିଲେ । କ’ଣ କରି ଖରାବେଳଟା କଟଉଛନ୍ତି, କାହାରିକୁ ଜଣାନଥିଲା ।
ବୋହୂ ଯେତେବେଳେ ଶଶୂରଙ୍କ ପାଖେ ମାଗୁଣି କଲା-ବାପା, ଦିନବେଳେ ତ ଚଉପାଢ଼ିଟା ଖାଲି ପଢ଼ିଛି, ଆମେ ସେଠି ଟିକେ ବାଳିକା ସ୍କୁଲ ବସେଇବୁ? ସେତେବେଳେ ସମସ୍ତେ କାବ୍ବା ହୋଇଗଲେ ପ୍ରଥମେ । ବୋହୂ ଶ୍ୱଶୂରଙ୍କୁ ରାଜିକରେଇଲା ବା ବୋହୂର କୃତିତ୍ୱରେ ଶ୍ୱଶୂର ବିଚଳିତ ହୋଇ ରାଜି ହୋଇଗଲେ, ସୁଚିତ୍ରାକୁ ଜଣାନାହିଁ । କିନ୍ତୁ ଚଉପାଢ଼ୀରେ ସ୍କୁଲ ଆରମ୍ଭ ହେଲା । ନିଜ ସାଇ ଛଡ଼ା ଗାଁ’ର ଏବଂ ଗାଁ’କୁ ଲାଗି ପାଖ ଗାଁ’ର ଝିଅମାନେ ପାଠ ପଢ଼ିବାକୁ ଆସିବାରୁ ଚଉପାଢ଼ୀରେ ଯାଗା କୁଳେଇଲା ନାହିଁ । ସୁଚିତ୍ରାର ଦେଢ଼ଶୂରମାନଙ୍କ ଚେଷ୍ଟାରେ ତାଙ୍କ ଆମ୍ବ ତୋଟା ପାଖ ପଡ଼ିଆରେ ବିଧିବଦ୍ଧ ଭାବରେ ସ୍କୁଲ ପାଇଁ ଘର ତିଆରି ହେଲା ଏବଂ ଆସବାବପତ୍ର ସହ ଅନ୍ୟାନ୍ୟ ଦରକାରୀ ଜିନିଷ କିଣା ହେଲା ।
ସେ ବୋହୂର ସାହସକୁ ଧନ୍ୟ କହିବ! ନିଜ ଗାଁ’ରେ, ଆଖପାଖ ଗାଁରେ ଆଉ କିଏ ପାଠୋଇ ବୋହୂ, ଝିଅ ଅଛନ୍ତି ଖବର ନେଇ ସେମାନଙ୍କ ଘରେ ଯାଇ ଧାରଣା ଦେଲା- ମୁଁ ଏକ୍ଲା ପାରୁନାହିଁ । ମୋ ସାଙ୍ଗେ ମିଶି ପଢ଼େଇବା ପାଇଁ ଏମାନଙ୍କୁ ଦି’ ଚାରିଘଣ୍ଟା ପାଇଁ ଛାଡ଼ନ୍ତୁ ।
ପଟ୍ଟନାୟକ ଘର ବୋହୂ ନିଜେ ଆସି ଅଳି କଲେ ତୁଚ୍ଛା ହାତରେ ଫେରେଇ ଦେଇହବ? ସ୍କୁଲ ଭଲ ଭାବରେ ଚାଲିଲା । ବର୍ଷ ପରେ ବର୍ଷ ନୂଆ ଶ୍ରେଣୀ ଖୋଲିଲା । ସରକାରଙ୍କ ସ୍ୱୀକୃତି ମଧ୍ୟ ମିଳିଲା ।
ସ୍ମୁଲରେ ପଢ଼େଇବା ପାଇଁ ସାଙ୍ଗେ ସାଙ୍ଗେ ଘର ଭିତରେ ମଧ୍ୟ ସଂସ୍କାର ଆଣିଲା । ଅଯଥା ବାଛବିଚାର ମାନିଲା ନାହିଁ । ନମ୍ର ଅଥଚ ଦୃଢ଼ ଭାବରେ ପ୍ରତିବାଦ କଲା । ପୁରୁଷ ପୁରୁଷ ଧରି ଚଳି ଆସୁଥିବା ପରମ୍ପରାର ଭଲଟିକୁ ଗ୍ରହଣ କରି ଭେଲଟିକୁ ଅସ୍ୱୀକାର କଲା । ନଜେ ତ ବୁଝିଥିଲା ଶାଶୁ, ଖୁଡ଼ୀଶାଶୁ ଏବଂ ଅନ୍ୟମାନଙ୍କୁ ବୁଝେଇଥିଲା ମଧ୍ୟ ।
ନଦେଖିଲେ ବି ସୁଚିତ୍ରା ଶୁଣିଛି ଏସବୁ କଥା । ଏତେ ଦିନ ହେଲା ଏସବୁ ତା ମନରେ କୌଣସି ପ୍ରଭାବ ପକେଇ ପାରିନଥିଲା । ସେ କେବଳ ଖୁସି ହୋଇଥିଲା ଯେ, ଯା’ ହଉ, ଏତେଦିନେ ସେ ଗାଁ’ ଲୋକଙ୍କ ଆଖି ଫିଟିଲା ।
କିନ୍ତୁ, ଆଜି ହଠାତ୍ ମନେ ହେଲା, ତା’ର ପୁତୁରା ବୋହୂ ବଦଳରେ ସୁଚିତ୍ରା ନିଜେ ତ କିଛି ସଂସ୍କାର କରେଇ ପାରିଥାନ୍ତା! ନିଜେ ସେମାନଙ୍କ କଥାରେ ନଚାଲି, ନିଜେ ନିଜ ଭାବରେ ରହି ସେମାନଙ୍କୁ ବୁଝେଇ ପାରିଥାନ୍ତା ଯେ, କେମିତି ଲୁଗା ପିନ୍ଧିବା, କେମିତି ମୁଣ୍ଡ ବାନ୍ଧିବା, କ’ଣ ଖାଇବା, କ’ଣ ନ ଖାଇବା ହେଉଛି ନିଜ ପସନ୍ଦର କଥା । ସେଥିରେ ଅନ୍ୟ କାହାର କିଛି ଲାଭ-କ୍ଷତି ହେବ ନାହିଁ । ଭଲ ମଣିଷ ହବାଟା ହେଉଚି ବଡ଼ କଥା । ଗୋଟିଏ ମଲ୍ଲୀଫୁଲ ଘରସାରା ବାସ ଚହଟେଇ ଦିଏ, ଗୋଟିଏ ପଚା ଆମ୍ବ ଟୋକେଇ ଆମ୍ବକୁ ନଷ୍ଟ କରିଦିଏ ।
ନିଜର ଅଜାଣତରେ ସୁଚିତ୍ରାର ଦୀର୍ଘ ନିଃଶ୍ୱାସ ବାହାରି ଆସିଲା । ଏବେ ହେଜୁଚି । ସେତେବେଳେ କିନ୍ତୁ ପୃଷ୍ଠଭଙ୍ଗ ଦେଇ ଯୋଉ ପଳେଇ ଆସିଲା, ଆଉ ଯିବା ପାଇଁ ମନ କରିନାହିଁ ।
ଏତେ ଦିନ ପରେ ସୁଚିତ୍ରା ଘର, ଗାଁ’ କଥା ମନେ ପଡ଼ିଲା । ନାଳବନ୍ଧ ପାରି ହୋଇ ଗଲେ ଆଗ ଆଖିରେ ପଡ଼ିବ ଚଉପାଢ଼ୀ- ଚଉପାଢ଼ୀ ଆଗକୁ ସାତଶେଣିଅାଁ ଖଞ୍ଜା-ଗୋଟିଏ ପାଖକୁ ଗୋଟିଏ ହୋଇ ତିନୋଟି-ଖଞ୍ଜା ପରେ ରୋଷେଇ ଘର, ସର ଘର ପଛକୁ ଲମ୍ବି ଯାଇଚି ବଗିଚା । ବଗିଚା ମଝିରେ ପଦୁଅଁ ପୋଖରୀ-ଚାରି ପାଖରେ ଚାରିଟି ସିମେଣ୍ଟର ପାହାଚ ଥିବା ଘାଟ । ବେଳ ବୁଡିଲା ବେଳକୁ ଡୁବିଲା ସୂର୍ଯ୍ୟର ଅବିର ରଙ୍ଗ ମଖା ପଦୁଅଁ ପୋଖରୀର ସ୍ଥିର କାଚକେନ୍ଦୁ ପାଣି ଲାଙ୍ଗୁଡ ବାଡ଼େଇ ସପରିବାର ଘୂରି ବୁଲୁଥିବା ଚିତଳ, ରୋହୀ, ଭାକୁଡ଼ଙ୍କ ଦଳ- ପୋଖରୀ ହୁଡ଼ାର କଦଳୀ ବଣ, ଗଙ୍ଗଶିଉଳୀ, ମାଳତୀ ଲଟା-ବଗିଚାର ଗୋଟେ ମୁଣ୍ଡକୁ ନଡ଼ିଆ ବଣ, ଆରପାଖେ ଆମ୍ବତୋଟା ।
ଆମ୍ବତୋଟା ପରର ପଡ଼ିଆ ପାଖରୁ ପଟ୍ଟନାୟକ ଘରର ଧାନବିଲ-କେତେ ଦୂର ଲମ୍ବି ଯାଇଚି, ଆଖି ପାଏ ନାହିଁ । ଆକାଶ ସାଙ୍ଗେ ମିଶିଗଲା ପରି ।
ଶରତର ଏକ ବିଳମ୍ବିତ ସନ୍ଧ୍ୟାରେ ଶେଷଦେବ ଦିନେ ତାକୁ ନେଇ ଯାଇଥିଲା ସେଠିକୁ-ସମସ୍ତିଙ୍କ ଅଜାଣତରେ । ଖଞ୍ଜା ଭିତରେ ଏତେ ଲୋକ ହାଉଜାଉରେ ନୂଆ ବୋହୂଟା କୋଉ କ’ଣରେ ପଡିଥିବ ବୋଲି କେହି ଖିଆଲ କରି ନଥିଲେ ।
ସେଇ ଦିନ ହାତ ପାଆନ୍ତାରେ ଥିବା ପରି ଲାଗୁଥିବା ତାରା ଝଲମଲ ଆକାଶକୁ ଚାହିଁ ଚାହିଁ ଶେଷଦେବ କହିଥିଲା-ଆମ ଗାଁ’ ତୁମକ ଭଲ ଲାଗୁଥିବ ଏଥର । ଗାଁ’ ତ ନୁହେଁ-ଇଏ ହେଲା ହୀରାଫୁଲ ଖଞ୍ଜା ଚାନ୍ଦୁଆ ତଳେ ରଙ୍ଗବେରଙ୍ଗର ଖଣ୍ଡେ ମଖମଲି ଗାଲିଚା ।
ସୁଚିତ୍ରା ପେଟ ଭିତର ଆଉଟୁପାଉଟି ହୋଇଗଲା । ପଞ୍ଚୁଦୋଳ ଆହୁରି ସପ୍ତାହେ ଡେରି ଅଛି । ତା’ର ମନେ ହେଲା- ଏଇ ମୁହୂର୍ତ୍ତରେ ସିଏ ଉଡ଼ି ଯାଆନ୍ତା କି-
ଆଲମାରୀରୁ ଲୁଗାପଟା କାଢ଼ି ବାକ୍ସରେ ପୂରାଉଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ରୀତି ପଚାରିଲା-ମା’ ତୁମେ କ’ଣ କୁଆଡ଼େ ବାହାରିଲଣି?
ତା ମୁହଁକୁ ନଚାହିଁ ସୁଚିତ୍ରା ଉତ୍ତର ଦେଲା-ଏଥର ପଞ୍ଚୁଦୋଳ ପାଇଁ ମୁଁ ବି ତୁମ ସାଙ୍ଗେ ଗାଁ’କୁ ଯିବି । ରୀତି ଆସି ତାକୁ କୁଣ୍ଢେଇ ପକେଇଲା । ତା ମୁହଁକୁ ତା ଆଡ଼କୁ ବୁଲେଇ ଦେଇ ପଚାରିଲା- ସତରେ ମା’? ତାପରେ ହସି ହସି କହିଲା-କିନ୍ତୁ ମା’, ପଞ୍ଚୁଦୋଳ ତ ଯାଇ ଆର ସପ୍ତାହରେ ତୁମେ ଆଜିଠୁ ଲୁଗାପଟା ସଜାଡୁଚ?