ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଡ଼ଗଡ଼ ବ୍ଲକ୍ର ଏକ ଅଖ୍ୟାତପଲ୍ଲୀ ବାଗବୁରା । ବଣ ଜଙ୍ଗଲ ପରିବେଷ୍ଟିତ ସେହି ଅଖ୍ୟାତ ପଲ୍ଲୀରେ ଭୂମିଷ୍ଠ ହୋଇଥିବା ଗୋଟିଏ ଆଦିବାସୀ ଝିଅ ଯେ ଦିନେ ନିଜର ନୈସର୍ଗିକ ପ୍ରତିଭା ବଳରେ ହକି ଜଗତର ଏକ ଚର୍ଚ୍ଚିତ ଚେହେରାରେ ପରିଣତ ହେବ, ଏହାର କଳ୍ପନା ସେତେବେଳେ କେହି ବି ସ୍ୱପ୍ନରେ ସୁଦ୍ଧା କରିନଥିବେ । କିନ୍ତୁ ତୁଳସୀ ଦୁଇପତ୍ରରୁ ବାସିଲା ଭଳି ସେହି ଝିଅଟିର ପ୍ରତିଭା ଧୀରେ ଧୀରେ ବିକଶିତ ହେଲା । ହକି ଖେଳରେ ନିଜସ୍ୱ କଳାକୌଶଳର ପରିଚୟ ଦେଇ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପଦାର୍ପଣ କଲା । ସେଠାରେ ଉପଯୁକ୍ତ ପ୍ରଶିକ୍ଷଣ ଲାଭ କରିବା ସହିତ କଠୋର ଅଧ୍ୟବସାୟ ବଳରେ ପ୍ରଥମେ ଓଡ଼ିଶା ଦଳ ପାଇଁ, ତା’ପରେ ପଞ୍ଜାବ ତଥା ନିଯୁକ୍ତିଦାତା ରେଳବାଇ ଦଳ ପାଇଁ ଏବଂ ପରିଶେଷରେ ଭାରତୀୟ ଜାତୀୟ ଦଳ ପାଇଁ ଖେଳି ସୁନାମ ମଧ୍ୟ ଅର୍ଜନ କଲା । ପ୍ରତିଭାର ସୌରଭ ଯେ କେବଳ ଭାରତବର୍ଷରେ ବିଛୁରିତ ହେଲା ତାହା ନୁହେଁ ବରଂ ଅଷ୍ଟ୍ରେଲିଆ, ଜିମ୍ବାୱେ, କେନିୟା, ଦକ୍ଷିଣ ଆଫି୍ରକା, ନୁ୍ୟଜିଲାଣ୍ଡ, ଇଂଲଣ୍ଡ, ଥାଇଲାଣ୍ଡ, ମାଲେସିଅ. କୋରିଆ, ଚୀନ୍, ଜାପାନ, ଫ୍ରାନ୍ସ, ରୁଷିଆ, ନେଦରଲାଣ୍ଡ, ସ୍ପେନ୍ ଆଦି ଦେଶମାନଙ୍କରେ ମଧ୍ୟ ସେହି ଅମ୍ଳାନ ଈଶ୍ୱରଦତ୍ତ ପ୍ରତିଭାର ଝଲକ ପ୍ରଦର୍ଶିତ ହେଲା, ଯାହାକୁ ଦେଖି ଚମକ୍ରୃତ ହୋଇଥିଲେ ସେ ସମସ୍ତ ଦେଶର ହକିପ୍ରେମୀ ଦର୍ଶକଗଣ ।
୧୯୭୮ ମସିହା ଅକ୍ଟୋବର ୯ ତାରିଖରେ ସୁନ୍ଦରଗଡ଼ର ବାଗବୁରା ଗ୍ରାମରେ ଜନ୍ମ ନେଇଥିବା ସେହି ଝିଅଟିର ନାମ ହେଲା ଜ୍ୟୋତି ସୁନିତା କୁଲ୍ଲୁ । ସ୍କୁଲରେ ପଢ଼ୁଥିବା ସମୟରେ ହକି ଖେଳ ପ୍ରତି ଆକୃଷ୍ଟ ହୋଇ ଏହାକୁ ନିଜର ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ କରିନେଇଥିଲେ ସେ । ୧୯୮୯ରେ ତାଙ୍କୁ ପାନପୋଷ କ୍ରୀଡ଼ା ଛାତ୍ରାବାସ ନିମନ୍ତେ ଚୟନ କରାଗଲା ଏବଂ ଏହିଠାରୁ ହିଁ ଜ୍ୟୋତିଙ୍କ କ୍ରୀଡ଼ା ଜୀବନ ଏକ ନୂଆ ମୋଡ଼ ନେଲା । ଜୁନିଅର ଜାତୀୟ ହକି ପ୍ରତିଯୋଗିତା ଏବଂ ନେହରୁ ହକିରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ପରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ସମର୍ଥ ହେଲେ । ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପାଞ୍ଚବର୍ଷ ଧରି ପ୍ରଶିକ୍ଷଣ ନେବା ପରେ ୧୯୯୪ରେ ପଞ୍ଜାବର କପୁରଥଲା ହକି ଏକାଡେମୀରେ ସେ ଭର୍ତ୍ତିହେଲେ । ଏହାପରଠାରୁ ସେ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ପାଇଁ ନୁହେଁ ବରଂ ପଞ୍ଜାବ ପକ୍ଷରୁ ଖେଳିବାକୁ ଲାଗିଲେ ଏବଂ କିଛିବର୍ଷ ପରେ କପୁରଥଲା ସ୍ଥିତ ରେଲ୍ୱେ କୋଚ ଫ୍ୟାକ୍ଟରୀରେ ଚାକିରି ମିଳିବା ପରେ ରେଳବାଇର ପ୍ରତିନିଧିତ୍ୱ କରିବା ଆରମ୍ଭ କଲେ । ଇତିମଧ୍ୟରେ ଜାନୁଆରୀ ୧୯୯୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇନ୍ଦିରା ଗାନ୍ଧୀ ଗୋଲ୍ଡ କପ୍ ହକି ପ୍ରତିଯୋଗିତା ସକାଶେ ଭାରତୀୟ ଦଳରେ ସାମିଲ ହୋଇ ନିଜର ଆନ୍ତର୍ଜାତିକ କ୍ରୀଡ଼ା ଜୀବନ ମଧ୍ୟ ଆରମ୍ଭ କଲେ ଜ୍ୟୋତି ସୁନିତା କୁଲ୍ଲୁ ।
ଜ୍ୟୋତିଙ୍କ ପୂର୍ବରୁ ଗ୍ଲୋରିଆ ଡୁଙ୍ଗଡୁଙ୍ଗ୍, ଟେରେସା କୁଜୁର, ସବିତା ଏକ୍କାଙ୍କ ଭଳି ଓଡ଼ିଆ ଖେଳାଳିମାନେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିଲେ ହେଁ କେହି ହେଲେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ । ଜ୍ୟୋତି ସୁନିତା କିନ୍ତୁ ଥିଲେ ସେମାନଙ୍କ ତୁଳନାରେ ଅଧିକ ପ୍ରତିଭା ସମ୍ପନ୍ନ । ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ସେବା କରିବା ନିମନ୍ତେ ସେ ଥିଲେ ଦୃଢ଼ ପ୍ରତିଜ୍ଞ । ପ୍ରବଳ ଆତ୍ମବିଶ୍ୱାସର ସହିତ ହକି ଖେଳର କଳାକୌଶଳ ପ୍ରଦର୍ଶନ ପୂର୍ବକ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦେଖିବାକୁ ମିଳିଲା ତାଙ୍କର ଯାଦୁ । ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ଧରି ଭାରତୀୟ ଦଳରେ ସାମିଲ ରହିବା ସହିତ ୧୭୯ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଅଂଶଗ୍ରହଣ କରି ସେ ଅନେକ ସୁନାମ ଅର୍ଜନ କଲେ । ଲେଫ୍ଟ ୱିଙ୍ଗ ତଥା ସେଣ୍ଟର ଫରୱାର୍ଡ ସ୍ଥାନରେ ଖେଳୁଥିବା ଜ୍ୟୋତି ବିଭିନ୍ନ ମ୍ୟାଚ୍ରେ ଅନେକ ଗୋଲ୍ କରିବା ଦିଗରେ ସକ୍ଷମ ହେବା ସହିତ ଦେଶ ପାଇଁ ପଦକ ଜିତିବାରେ ମଧ୍ୟ ସଫଳତା ହାସଲ କଲେ । ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଚାମ୍ପିଆନ୍ସ ଚାଲେଞ୍ଜ, ହକି ଏସିଆ କପ୍ ଭଳି ପ୍ରତିଯୋଗିତାର ପଦକ ଶୋଭା ପାଇଲା ତାଙ୍କ ଗଳାରେ । ପରିଶେଷରେ ଭାରତର ଅଧିନାୟକ ହେବାର ଗୌରବ ମଧ୍ୟ ତାଙ୍କୁ ମିଳିଲା । ତାଙ୍କରି ଅଧିନାୟକତ୍ୱରେ ମହିଳା ବିଶ୍ୱକପ୍ ଭଳି ବଡ଼ ଧରଣର ପ୍ରତିଯୋଗିତାରେ ଅଂଶଗ୍ରହଣ କଲା ଭାରତୀୟ ଦଳ ।
୧୯୯୬ରେ ନିଜ ଜୀବନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ରେ ଅଂଶଗ୍ରହଣ କରିବା ପରେ ସେହି ବର୍ଷ ଚୀନ୍ ଗସ୍ତରେ ମଧ୍ୟ ସେ ଦଳରେ ରହିଥିଲେ । ଏହାପରେ ୧୯୯୭ରେ କେନିୟା ଗସ୍ତ ତଥା ଜିମ୍ବାୱେର ହରାରେଠାରେ ଅନୁଷ୍ଠିତ ବିଶ୍ୱକପ୍ କ୍ୱାଲିଫାୟାରରେ ଜ୍ୟୋତି ଚମତ୍କାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରି ଦଳର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ହରାରେଠାରେ ୧୮ ବର୍ଷ ବୟସ୍କା ଜ୍ୟୋତି ତଥା ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ବଳରେ ଭାରତୀୟ ଦଳ ସେହି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରି ୧୯୯୮ର ବିଶ୍ୱକପ୍ରେ ସ୍ଥାନ ସଂରକ୍ଷଣ କରିନେଇଥିଲା । ୧୯୯୮ର ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ ଉଦେ୍ଦଶ୍ୟରେ ଭାରତୀୟ ଦଳ ଦକ୍ଷିଣ ଆଫି୍ରକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜର୍ମାନୀ ଗସ୍ତ କରିଥିଲା ଏବଂ ଏ ସମସ୍ତ ଗସ୍ତରେ ଜ୍ୟୋତି ସୁନିତା କୁଲ୍ଲୁ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ । ବିଭିନ୍ନ ମ୍ୟାଚ୍ରେ ଭାରତର ପ୍ରଦର୍ଶନ ସେଭଳି କିଛି ଖାସ୍ ନଥିଲେ ହେଁ ସନ୍ଦୀପ କୌର୍, ସୁରିନ୍ଦର କୌର୍, ସୀତା ଗୋସାଇଁ, ସମୁରାଇ ଟେଟେ, ନିଧି ଖୁଲ୍ଲରଙ୍କ ଭଳି ଖେଳାଳିଙ୍କ ସହିତ ଜ୍ୟୋତି ସୁନିତାଙ୍କ ପ୍ରଦର୍ଶନ ମଧ୍ୟ ଥିଲା ବେଶ୍ ଉଚ୍ଚକୋଟୀର ।
୧୯୯୮, ମେ’ ମାସରେ ନେଦରଲାଣ୍ଡର ୟୁଟ୍ରେକ୍ଟଠାରେ ଅନୁଷ୍ଠିତ ହେଲା ନବମ ବିଶ୍ୱକପ୍ ହକି ପ୍ରତିଯୋଗିତା । ଭାରତର ମହିଳା ହକି ଦଳ ଦୀର୍ଘ ୧୫ ବର୍ଷ ପରେ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ଲାଭ କଲା । ସେହି ୟୁଟ୍ରେକ୍ଟଠାରେ ଏକା ସାଙ୍ଗେ ପୁରୁଷ ବିଶ୍ୱକପ୍ ହକି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ଏବଂ ସେଥିରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ସାମିଲ ଥିଲେ ସୁନ୍ଦରଗଡ଼ ଜିଲ୍ଲାର ଆଉ ଦୁଇଜଣ ତାରକା- ଦିଲୀପ ତିର୍କୀ ଓ ଲାଜରୁସ୍ ବାର୍ଲା । ତେବେ ପୁରୁଷ ଦଳର ପ୍ରଥମ ମ୍ୟାଚ୍ ମେ’ ୨୧ ତାରିଖରେ ଖେଳାଯାଇଥିବା ବେଳେ ମହିଳାମାନଙ୍କର ଉଦ୍ଘାଟନୀ ମ୍ୟାଚ୍ ଥିଲା ଏହାର ଗୋଟିଏ ଦିନ ପୂର୍ବରୁ । ୧୯୯୮ ପୂର୍ବରୁ କୌଣସି ଓଡ଼ିଆ ଖେଳାଳି ବିଶ୍ୱକପ୍ ଭଳି ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇନଥିବା ଦୃଷ୍ଟୁରୁ ମେ’ ୨୦ ତାରିଖ ଦିନ ଇଂଲଣ୍ଡ ବିପକ୍ଷରେ ଖେଳି ଜ୍ୟୋତି ସୁନିତା ଯେକୌଣସି ଖେଳର ବିଶ୍ୱକପ୍ରେ ଅଂଶଗ୍ରହଣ କରିବା ଦିଗରେ ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ୍ ହେବାର ଗୌରବ ଅର୍ଜନ କଲେ । ଏହି ବିଶ୍ୱକପ୍ରେ ଅବଶ୍ୟ ଭାରତୀୟ ଦଳ ରହିଥିଲା ଦ୍ୱାଦଶ ତଥା ଅନ୍ତିମ ସ୍ଥାନରେ ।
ଏହାପରେ କିନ୍ତୁ ସେହି ୧୯୯୮, ସେପ୍ଟେମ୍ବର ମାସରେ ମାଲେସିଆର ରାଜଧାନୀ କ୍ୱାଲାଲମପୁରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ବେଳେ ଡିସେମ୍ବର ମାସରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ମିଳିଲା ରୌପ୍ୟ ପଦକ । ଏହି ଦୁଇଟି ଯାକ ପ୍ରତିଯୋଗିତାରେ ଜ୍ୟୋତି ସୁନିତାଙ୍କ ପ୍ରଦର୍ଶନ ଥିଲା ବେଶ୍ ଉଳ୍ଲେଖନୀୟ । ବିଶେଷ କରି ୧୯୯୮ର ବ୍ୟାଙ୍କକ୍ ଏସୀୟ କ୍ରୀଡ଼ାରେ ତାଙ୍କ ଷ୍ଟିକ୍ରୁ ସ୍କୋର ହୋଇଥିଲା ତିନିଟି ଗୋଲ୍ । ଏହାର ଫାଇନାଲରେ ଦକ୍ଷିଣ କୋରିଆ ସହିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ ଦଳ ୨-୧ରେ ପରାଜିତ ହୋଇଗଲା, ଅନ୍ୟଥା ସ୍ୱର୍ଣ୍ଣ ପଦକ ଜିତିବା ମଧ୍ୟ ଅସମ୍ଭବ ନଥିଲା । ତେବେ ସେ ଯାହା ହେଉ ନା କାହିଁକି ଏସୀୟ କ୍ରୀଡ଼ାର ଏହି ରୌପ୍ୟ ପଦକଟି ଥିଲା ଜ୍ୟୋତି ସୁନିତାଙ୍କର ପ୍ରଥମ ଆନ୍ତର୍ଜାତିକ ପଦକ । ସେହିଭଳି ୧୯୯୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମହିଳା ହକି ଏସିଆ କପ୍ର ଫାଇନାଲରେ ମଧ୍ୟ ଦକ୍ଷିଣ କୋରିଆଠାରୁ ହାରି ଭାରତ ପାଇଥିଲା ରୌପ୍ୟ ପଦକ ଏବଂ ଏଥିରେ ମଧ୍ୟ ଜ୍ୟୋତି ସ୍କୋର କରିଥିଲେ ତିନିଟି ଗୋଲ୍ ।
ଦେଖିବାକୁ ଗଲେ ୨୦୦୨ରେ ଭାରତୀୟ ମହିଳା ହକି ଦଳକୁ ମିଳିଲା ବେଶ୍ ଆଖିଦୃଶିଆ ସଫଳତା । ପୂର୍ବବର୍ତ୍ତୀ ଦୁଇବର୍ଷର ବିଫଳତାକୁ ପଛରେ ପକାଇ ସେମାନେ ଦକ୍ଷିଣ ଆଫି୍ରକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ଚାମ୍ପିଆନ୍ସ ଚାଲେଞ୍ଜ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କଲେ । ୨୦୦୨ରେ ଏହି ଚାମ୍ପିଆନ୍ସ ଚାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ଜ୍ୟୋତି ସୁନିତା ୫ଟି ଗୋଲ୍ ଦେଇ ଟପ୍ ସ୍କୋରର ପୁରସ୍କାର ମଧ୍ୟ ଜିଣିଥିଲେ । ଏହାପରେ ସେହି ୨୦୦୨ରେ ମାଞ୍ଚେଷ୍ଟରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁରଜଲତା ଦେବୀଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଦଳ ଫାଇନାଲରେ ଆୟୋଜକ ଇଂଲଣ୍ଡକୁ ୩-୨ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିବା ଥିଲା ଏକ ବଡ଼ଧରଣ ସଫଳତା । ଏଥିରେ ଜ୍ୟୋତି ସୁନିତାଙ୍କର ଥିଲା ମହତ୍ତ୍ୱପୂର୍ଣ୍ଣ ଅବଦାନ ଏବଂ ସମୁଦାୟ ଟୁର୍ଣ୍ଣାମେଣ୍ଟରେ ସେ ଦେଇଥିଲେ ଚାରିଟି ଗୋଲ୍ । କେବଳ ସେତିକି ନୁହେଁ ୨୦୦୩ର ଆଫ୍ରୋ ଏସିଆନ୍ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିଣିଥିଲା ଭାରତୀୟ ମହିଳା ଦଳ । ହାଇଦ୍ରାବାଦରେ ଆୟୋଜିତ ଏହି ଖେଳରେ ଜ୍ୟୋତି ସୁନିତାଙ୍କ ବ୍ୟତୀତ ଓଡ଼ିଶାର ଆଉ ଦୁଇଜଣ ମହିଳା ହକି ତାରକା ମଧ୍ୟ ଦଳରେ ସାମିଲ ଥିଲେ । ସେ ଦୁଇଜଣ ହେଲେ ସୁଭଦ୍ରା ପ୍ରଧାନ ଓ ଆନାରିଟା କେର୍କେଟା । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଆଫ୍ରୋଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣିମ ସଫଳତା ପରେ ୨୦୦୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହକି ଏସିଆ କପ୍ର ସ୍ୱର୍ଣ୍ଣ ପଦକ ମଧ୍ୟ ମିଳିଥିଲା ଭାରତକୁ । ଫାଇନାଲରେ ଜାପାନକୁ ୧-୦ରେ ପରାସ୍ତ କରି ଭାରତ ଲାଭ କରିଥିଲା ଏହି ସଫଳତା ।
୨୦୦୪ର ଏସିଆ କପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଯୋଗୁଁ ଭାରତକୁ ୨୦୦୬ର ମହିଳା ବିଶ୍ୱକପ୍ ହକିରେ ଖେଳିବା ନିମନ୍ତେ ପ୍ରବେଶାଧିକାର ମିଳିଥିଲା । ଏହି ବିଶ୍ୱକପ୍ ଖେଳାଯାଇଥିଲା ସ୍ପେନ୍ର ରାଜଧାନୀ ମାଦ୍ରିଦରେ । ଏଥିରେ ଭାରତୀୟ ଦଳର ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ ଜ୍ୟୋତି ସୁନିତା କୁଲ୍ଲୁ । ୨୦୦୩ର ରୁଷିଆ ଗସ୍ତ ସମୟରେ ତାଙ୍କୁ ଭାରତୀୟ ଦଳର ଉପଅଧିନାୟକ ଭାବେ ମନୋନୀତ କରାଯାଇଥିଲା ବେଳେ ୨୦୦୬ର ବିଶ୍ୱକପ୍ ପୂର୍ବରୁ ହୋଇଥିବା ନେଦରଲାଣ୍ଡସ୍ ଗସ୍ତ ସମୟରେ ନେତୃତ୍ୱ ଭାର ଅର୍ପଣ କରାଯାଇଥିଲା । ମାଦ୍ରିଦ୍ରେ ଅନୁଷ୍ଠିତ ଏକାଦଶ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଜ୍ୟୋତିଙ୍କ ବ୍ୟତୀତ ସୁଭଦ୍ରା ପ୍ରଧାନ ଓ ବିନିତା ଟୋପ୍ପୋଙ୍କ ଭଳି ଦୁଇ ଓଡ଼ିଆ ଖେଳାଳି ମଧ୍ୟ ଭାରତୀୟ ଦଳର ଶୋଭା ବଢ଼ାଇଥିଲେ । ଏହି ବିଶ୍ୱକପ୍ରେ ଭାରତକୁ ମିଳିଥିଲା ଏକାଦଶତମ ସ୍ଥାନ । ୨୦୦୬ର ବିଶ୍ୱକପ୍ ପୂର୍ବରୁ ସେହିବର୍ଷ ମେଲବୋର୍ଣ୍ଣରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ରୌପ୍ୟ ପଦକ ଜିତିଥିବା ବେଳେ ସେହିବର୍ଷ ଡିସେମ୍ବରରେ କାତାରର ଦୋହାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଜ୍ୟୋତିଙ୍କ ଅଧିନାୟକତ୍ୱରେ ବ୍ରୋଞ୍ଜ ପଦକ ଜିତିଥିଲା । ଦୋହା ଏସିଆଡ୍ର ଉଦ୍ଘାଟନୀ ଉତ୍ସବରେ ତାଙ୍କୁ ଭାରତର ଜାତୀୟ ପତାକା ବହନ କରିବାର ସୌଭାଗ୍ୟ ମଧ୍ୟ ମିଳିଥିଲା ।
ଭାରତ ପାଇଁ ଯଥେଷ୍ଟ ସୁନାମ ଅର୍ଜନ କରିବା ସହିତ ଆମ ରାଜ୍ୟର ଗୌରବ ବଢ଼ାଇଥିବା ଜ୍ୟୋତି ସୁନିତା ୨୦୦୭ରେ ହାସଲ କରିଥିଲେ ଅର୍ଜୁନ ପୁରସ୍କାର । ସେ ଯେ ଆମ ଓଡ଼ିଶାର ସର୍ବଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଏଥିରେ ସନେ୍ଦହର ଅବକାଶ ନାହିଁ । ଏତଦ୍ବ୍ୟତୀତ ସେ ହେଉଛନ୍ତି ହକି ଜଗତର ଜ୍ୟୋତି ।