ରୋଗ ହେଲେ ଆମେ ଡାକ୍ତରଙ୍କୁ ଲୋଡୁ । ସେ ଆମର ରୋଗର କାରଣ, ମାତ୍ରାକୁ ଅନୁଧ୍ୟାନ କରି ଚିକିତ୍ସା କରନ୍ତି ଓ ଆମେ ସୁସ୍ଥ ହୋଇଯାଉ । ରୋଗ ନହେଲେ ଆମେ ଡାକ୍ତରଖାନାକୁ ଯାଉନା । କିନ୍ତୁ ରୋଗ ନହେବା ପାଇଁ କ’ଣ କରିବାକୁ ହେବ, ଏକଥା ଆମେ ଅଳ୍ପ ବହୁତ ଯେ ଜାଣୁନା, ଏକଥା ବି ନୁହେଁ । ଆସନ୍ତୁ ଜାଣିବା, ଜଣେ ଡାକ୍ତରଙ୍କଠାରୁ ସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟାର କିଛି ଦିଗ । ଆମକୁ କେବଳ ଏସବୁକୁ ମାନି ଚଳିବାକୁ ହେବ ।
ଶରୀରର ଜଳୀୟ ଅଂଶ କମିବାକୁ ଦେବା ନାହିଁ
ଆମ ଶରୀରର ୩/୪ ଭାଗ ଜଳରେ ସମୃଦ୍ଧ । ଶରୀର ମଧ୍ୟରେ ଥିବା ଜଳ ସବୁବେଳେ କାମରେ ଲାଗିଥାଏ । ଏଥିରେ ଦ୍ରବିଭୂତ ହୋଇ ରହିଥାଏ ଖାଦ୍ୟସାର, ଉତ୍ତାପକୁ ଠିକ୍ ରଖୁଥିବା ତତ୍ତ୍ୱ ଓ ବିଷାକ୍ତ ପଦାର୍ଥଗୁଡ଼ିକୁ ନିର୍ଗମନ କରିବାର ଚାବିକାଠି ।
ଆବଶ୍ୟକୀୟ ଜଳପାନ ବା ଜଳୀୟ ଖାଦ୍ୟ ଗ୍ରହଣ କଲେ ଆମର ଶକ୍ତି, ଜୀବନସତ୍ତା ସମୃଦ୍ଧ ହୁଏ, ମାନସିକ ପ୍ରତ୍ୟୁତ୍ପନ୍ନତା ବୃଦ୍ଧି ହୁଏ ।
ଏଥିପାଇଁ ବିଭିନ୍ନ ଖାଦ୍ୟ ଛଡ଼ା ଦୈନିକ ପ୍ରାୟ ୪-୫ ଲିଟର ଜଳ ପାନ କରିବା ଆବଶ୍ୟକ । ଏହା ଆମ ଶରୀର ମଧ୍ୟରେ ଜଳୀୟ ଅଂଶର ଅଭାବ ସୃଷ୍ଟି କରିବାକୁ ଦିଏନା ।
ମନମୂନ ଦେଇ ଖାଇବା ଉଚିତ୍
ଆଜିର ଯୁଗରେ ଆମେ ତରବରରେ ଖାଉଛେ । କେମିତି ଗଣ୍ଡାଏ ଖାଇ ଦେଇ କାମରେ ବାହାରିଯିବା, ସେଥିପାଇଁ ନାନା ଚିନ୍ତାରେ ବୁଡ଼ିରହୁ ।
ସେଥିପାଇଁ ଅଶାନ୍ତ ମନରେ ନଖାଇବା ଉଚିତ୍ । ଧୀର, ଶାନ୍ତ ଚିତ୍ତରେ ଖାଇ ବସନ୍ତୁ । ହାତଧୋଇ ଖାଇବା ଥାଳି ପାଖରେ ବସିଲା ବେଳେ ବାରଚିନ୍ତା ମଧ୍ୟ କରନ୍ତୁ ନାହିଁ । ଅଧିକ ସମୟ ନିଅନ୍ତୁ ଅଥଚ ଦରକାରଠାରୁ ଅଧିକ ଖାଆନ୍ତୁ ନାହିଁ ।
ଖାଦ୍ୟକୁ ଚୋବେଇ ଖାଆନ୍ତୁ । ତରବରରେ ଗିଳି ଦିଅନ୍ତୁ ନାହିଁ । ଖାଦ୍ୟ ଭଲ ହଜମ ହେବ ଓ ଆପଣ ଖାଦ୍ୟର ସ୍ୱାଦ, ରଙ୍ଗ ଓ ମହକକୁ ମଧ୍ୟ ଉପଭୋଗ କରିପାରିବେ ।
ପ୍ରତ୍ୟହ ଚାଲନ୍ତୁ
ହାତଗୋଡ଼କୁ ହଲାଇ ସରଳଭାବେ ଚାଲନ୍ତୁ । ପ୍ରତ୍ୟେକ ଦିନ କିଛି ସମୟ ଚାଲିବାର ଅଭ୍ୟାସ ରଖନ୍ତୁ । ଶରୀର ଓ ମସ୍ତିଷ୍କର ବହୁ ଉପକାର ହେବ । ଅନେକ ରୋଗ ସଂକ୍ରମଣର ସମ୍ଭାବନା କମିଯିବ, ଦୁଃଶ୍ଚିନ୍ତା ଓ ଉଦ୍ବେଗ କମିବ, ମନ ପ୍ରଫୁଲ୍ଲ ରହିବ ।
ବିନା ଗପସପରେ ଅନ୍ତତଃ ଅଧଘଣ୍ଟାଏ ପ୍ରତ୍ୟହ ଚାଲିବା ଉଚିତ୍ ହେବ ।
ଶୋଇବାରେ କମ୍ କରନ୍ତୁ ନାହିଁ
ଉଭୟ ଶାରୀରିକ ଓ ମାନସିକ ଶକ୍ତି ମଧ୍ୟରେ ସମନ୍ୱୟ ଆଣିବା ପାଇଁ ନିଦର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତି ରାତିରେ ଅନ୍ତତଃ ୮ଘଣ୍ଟା ଶୋଇପାରିଲେ ଅନେକ ଦୁରାରୋଗ୍ୟ ବ୍ୟାଧିରୁ ରକ୍ଷା ମିଳେ ତଥା ଜୀବନକାଳ ଦୀର୍ଘହୁଏ । ରାତି ୯ଟାରେ ଶୋଇ ସକାଳ ୫ଟାରେ ଉଠିଲେ ଲାଭ ଅନେକ ।
ଆହୁରି ଆଗୁଆ ଶୋଇପାରିଲେ ବହୁତ ଭଲ । ଏଣୁ ୮ଘଣ୍ଟା ଶୋଇବାର ସରଳ ସମାଧାନ ହେଲା ଶୀଘ୍ର ଶୋଇବା । ଯେଉଁମାନେ କାର୍ଯ୍ୟକ୍ଷେତ୍ରରୁ ଘରକୁ ଫେରିବାରେ ବିଳମ୍ବ କରନ୍ତି, ସେମାନେ ରାତି ୧୦-୧୦.୩୦ ମଧ୍ୟରେ ଶୋଇପଡ଼ିଲେ ସ୍ୱାସ୍ଥ୍ୟ ପାଇଁ ହିତକର ।
ଟେଲିଭିଜନ ଓ କମ୍ପୁ୍ୟଟରଗୁଡ଼ିକୁ ସନ୍ଧ୍ୟା ଆଗରୁ ବନ୍ଦ କରିବା ପରେ ନିଜର କାମ ସାରି ଶୀଘ୍ର ଭୋଜନ କରିବା ଅଭ୍ୟାସ କଲେ ୮ଘଣ୍ଟା ଗାଢ଼ ନିଦ ଆସିବ ।
ମାଦକ ଦ୍ରବ୍ୟ ଯଥା ସିଗାରେଟ୍, ମଦ ଓ ଧୂଆଁପତ୍ର ପରିତ୍ୟାଗ କରନ୍ତୁ
ଯଦି ଆପଣ ମଦ୍ୟପାନ ପ୍ରତି ଆସକ୍ତ କିମ୍ବା ସିଗାରେଟ୍, କଡ଼ାପାନ ଓ ଧୂଆଁପତ୍ର ପ୍ରସ୍ତୁତ କିଛି ବି ମାଦକଦ୍ରବ୍ୟ ସେବନ କରୁଥାଆନ୍ତି, ତେବେ ମୋନବଳ ଦୃଢ଼ କରି ସେସବୁ ପରିତ୍ୟାଗ କରନ୍ତୁ ।
ସ୍ୱାସ୍ଥ୍ୟଖର ଜୀବନଚର୍ଯ୍ୟାକୁ ନେଇ ଅନେକ କିଛି କୁହାଯାଇପାରେ । ଆମେ ଆଶାକରୁ ଯେ, ଚଳିତ ଦୁର୍ଗାପୂଜା ଅବସରରେ ଆପଣ ଆମର ପ୍ରସ୍ତାବିତ କିଛି ସାଧାରଣ ଓ ସରଳ ଜୀବନଚର୍ଯ୍ୟାକୁ ନିଜର କରି ସୁସ୍ଥ, ନିରାମୟ ଓ ସୁନ୍ଦର ଜୀବନଯାପନ କରିବାର ପ୍ରୟାସ କରିବେ ।