ସମଗ୍ର ଭାରତବର୍ଷରେ ୫୬ ଭୋଗଖିଆ ଠାକୁର । ଷୋଡ଼ଶ ଉପଚାର ଓ ପଞ୍ଚୋପଚାରରେ ଭୋଗ ଖାଇଥାନ୍ତି । ମାତ୍ର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ଯାତ୍ରା ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରଭୁଙ୍କର ସେବାପୂଜା ସ୍ୱତନ୍ତ୍ର ରୂପେ ହୋଇଥାଏ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ୧୫ଦିନ ଜ୍ୱର ରୋଗରେ ପୀଡିତ ହୋଇ ଅନବସର ଗୃହରେ ରୁହନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଯେଉଁଠାରେ କି ଆଦ୍ୟ ସେବକ ବା ଅଙ୍ଗଲାଗି ସେବକମାନଙ୍କ ଦ୍ୱାରା ସେବା ପୂଜା ହୋଇଥାଏ ଓ ସ୍ୱତନ୍ତ୍ର ଶୈଳୀ ଯାହାକୁ ଗୁପ୍ତସେବା ବୋଲି କୁହାଯାଏ । ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିକୁ ଅନ୍ନ ବ୍ୟଞ୍ଜନ ପରିବର୍ତ୍ତେ ସ୍ୱତନ୍ତ୍ର ଭୋଗ ଦିଆଯାଇଥାଏ ।
ବିଶାଳ ଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର ଶ୍ରୀଜଗନ୍ନାଥ ଦାରୁବିଗ୍ରହ ଧାରଣ କରି ଜୀବଗଣଙ୍କର ପରମକଲ୍ୟାଣ ସାଧନ ନିମନ୍ତେ ପୁରୁଷୋତ୍ତମ କ୍ଷେତ୍ରରେ ନିତ୍ୟ ବିଦ୍ୟମାନ । ସେ ହିଁ ବଦ୍ରିନାଥ, ନୃସିଂହନାଥ, ରଘୁନାଥ, ଗୋପୀନାଥ ଏବଂ ଅନାଥର ନାଥ ଜଗନ୍ନାଥ । ଏ କ୍ଷେତ୍ର ନୀଳାଚଳ ଧାମ ବା ପୁରୁଷୋତ୍ତମ ଧାମ । ଜନଶ୍ରୁତି ଅନୁସାରେ ଭାରତର ଚାରିଧାମ ମଧ୍ୟରୁ ଭଗବାନ ପରଂବ୍ରହ୍ମ ବିଷ୍ଣୁ ଉତ୍ତରର ବଦ୍ରିକାଠାରେ ସ୍ନାନ କରନ୍ତି, ଦକ୍ଷିଣରେ ରାମେଶ୍ୱର ଠାରେ ଶୟନ କରନ୍ତି, ପଶ୍ଚିମରେ ଦ୍ୱାରିକାଠାରେ ବେଶ ହୁଅନ୍ତି ଏବଂ ପୂର୍ବରେ ଶ୍ରୀପୁରୁଷୋତ୍ତମ ଧାମରେ ଜଗନ୍ନାଥ ରୂପେ ଭୋଜନ କରନ୍ତି । ଏ କ୍ଷେତ୍ର ଦିବ୍ୟ କ୍ଷେତ୍ର । ମୋକ୍ଷର କ୍ଷେତ୍ର । ମୁକ୍ତିର କ୍ଷେତ୍ର । କାରଣ ପ୍ରଭୁଙ୍କ ଉଚ୍ଚିଷ୍ଟାନ୍ନଙ୍କୁ ଭକ୍ଷଣ କରି ଜୀବ ଏଠି ମୁକ୍ତିଲାଭ କରେ । ଯାହାର ନାମ ମହାପ୍ରସାଦ । ଏହାକୁ ସେବନ କଲେ ସର୍ବଦୁଃଖ ନିବୃତ୍ତି ହୋଇ ପରମାନନ୍ଦ ପ୍ରାପ୍ତି ହୁଏ । ‘ପ୍ରସାଦେତୁ ପ୍ରସନ୍ନତା’ ବ୍ୟକ୍ତି ନିତ୍ୟ ମୋକ୍ଷ ଲାଭ କରିଥାଏ । ଶ୍ରୀମଦ୍ ଭଗବତ୍ ଗୀତାରେ କୁହାଯାଇଛି-
ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋଽପଦାୟତେ
ପ୍ରସନ୍ନଚେତ ସୋ ଦ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ ।
ଏହି ଦିବ୍ୟ କ୍ଷେତ୍ର ଶ୍ରୀ ବା ଲକ୍ଷ୍ମୀଙ୍କର କ୍ଷେତ୍ର । ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ ପ୍ରତ୍ୟହ ଭୋଜନ ରନ୍ଧନ କରି ପରଷିଦିଅନ୍ତି ପ୍ରଭୁଙ୍କୁ । ଏଠି ପ୍ରଭୁ ମଧ୍ୟ ବେଦୋକ୍ତ ସହିତ ଶାବରୀ ମତରେ ପୂଜା ପାଇଥାନ୍ତି । ଶାବରୀ କହିଲେ- ଶବର ରାଜା ବିଶ୍ୱାବସୁଙ୍କ ବଂଶଧରମାନଙ୍କ ଦ୍ୱାରା ସେବା ପୂଜା ହୋଇଥାଏ । ଏଠି ପ୍ରଭୁ ଦିନକ ମଧ୍ୟରେ ୫ଥର ଭୋଗ ପାଇଥାନ୍ତି ।
ସମଗ୍ର ଭାରତବର୍ଷରେ ୫୬ ଭୋଗଖିଆ ଠାକୁର । ଷୋଡ଼ଶ ଉପଚାର ଓ ପଞ୍ଚୋପଚାରରେ ଭୋଗ ଖାଇଥାନ୍ତି । ମାତ୍ର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ଯାତ୍ରା ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରଭୁଙ୍କର ସେବାପୂଜା ସ୍ୱତନ୍ତ୍ର ରୂପେ ହୋଇଥାଏ ।
ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ୧୫ଦିନ ଜ୍ୱର ରୋଗରେ ପୀଡିତ ହୋଇ ଅନବସର ଗୃହରେ ରୁହନ୍ତି । ଯେଉଁଠାରେ କି ଆଦ୍ୟ ସେବକ ବା ଅଙ୍ଗଲାଗି ସେବକମାନଙ୍କ ଦ୍ୱାରା ସେବା ପୂଜା ହୋଇଥାଏ ଓ ସ୍ୱତନ୍ତ୍ର ଶୈଳୀ ଯାହାକୁ ଗୁପ୍ତସେବା ବୋଲି କୁହାଯାଏ । ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିକୁ ଅନ୍ନ ବ୍ୟଞ୍ଜନ ପରିବର୍ତ୍ତେ ସ୍ୱତନ୍ତ୍ର ଭୋଗ ଦିଆଯାଇଥାଏ ।
ତାହାହିଁ ଆଲୋଚ୍ୟ ପ୍ରବନ୍ଧର ମୁଖ୍ୟ ବିଷୟ ବସ୍ତୁ ।
ସ୍ନାନପୂର୍ଣ୍ଣିମା : ଏହି ଦିନ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ହୋଇ ସ୍ନାନବେଦୀକୁ ଆସନ୍ତି ମଙ୍ଗଳ ଆଳତି, ଅବକାଶ ବେଶ ଆଦି ସରିବା ପରେ ସର୍ବସମ୍ମୁଖରେ ଭୋଜନ କରିଥାନ୍ତି । ସେ ସମୟରେ ସ୍ନାନମଣ୍ଡପରେ ପ୍ରଭୁ ଗଜାନନ ବେଶ ହୁଅନ୍ତି । ତେଣୁ ହାତୀ ଯେପରି ଶୁଣ୍ଢ ବଢ଼ାଇ ଭୋଜନ କରେ ସେହି ଭାବରେ ଠାକୁରଙ୍କ ଆଗପଛ ଚାରିଆଡ଼େ ଭୋଗ ଥୁଆ ହୋଇଥାଏ । ଷୋଡ଼ଶ ଉପଚାରରେ ଗୋଟିଏ ଭୋଗ ହୋଇଥାଏ । ବଲ୍ଲଭ ଓ ଧୂପ ଏକ ସଙ୍ଗରେ ହୋଇଥାଏ । ଅନ୍ନ, ଡାଲେମା, ବେସର, ମହୁର, ଶାଗ, ଡାଲି, ଖେଚୁଡ଼ି ଆଦି ସୁସ୍ୱାଦୁ ବ୍ୟଞ୍ଜନ ସହିତ ପର୍ବାଣି ଭୋଗ ହୋଇଥାଏ ।
ଦେବସ୍ନାନ ପୂର୍ଣ୍ଣିମା- ପର୍ବାଣି ଭୋଗ
ନାଡୀ-୧, ଧଉଳା-୨, ଗଇର ଚୂଳ-୨, ସାନଆରିସା-୧୮, ଅଧିକ ମନୋହର-୨, ସାନ ପିଠା-୪, ବଡ଼ ହଂସକେଳି-୫, ସାନ ହଂସକେଳି-୫, ବଡ଼କାନ୍ତି-୪ସ, ସାନକାନ୍ତି-୫ସ, ମାଠପୁଳି-୨୦, ବଡ଼ବଡ଼ା-୧୬, ସାନବଡ଼ା-୨୦, ସାନ ପିଠା-୧୦, ବଡ଼ ନାଡୀ-୪, ଘି ନାଡୀ-୪, ବଡ଼ କାକରା- ସ ୪, କାନିକା-୨୨, ଓରିଆ-୧୦, ଖିରୀ-୪, ମୁଗ-୪
ଏହାପରେ ଠାକୁର ପହଣ୍ଡିବିଜେ ହୋଇ ଫେରିଯାଆନ୍ତି ଅଣସର ଗୃହକୁ । ସେହିଠାରେ ସେବାପୂଜା ଚାଲେ ଏକ ସ୍ୱତନ୍ତ୍ର ଶୈଳୀରେ ଦଇତାପତି ସେବକଙ୍କ ଦ୍ୱାରା ।
ଅଣସର ଗୃହରେ କିପରି ହୁଏ ଭୋଗ-
ଏହି ସମୟରେ ଠାକୁରଙ୍କୁ ଗୁପ୍ତ ଭାବରେ ପୂଜା କରାଯାଏ । ବାହାର ପିଣ୍ଡିକାରେ ଦଶ ଅବତାର ପଟି ଦିଅଁ ପୂଜା ପାଉଥିବା ବେଳେ ଅଣସର ଅନ୍ଧାରୁଆ ଗୃହରେ ପୂଜା ପାଆନ୍ତି ଅଖିଳ ବିଶ୍ୱବ୍ରହ୍ମାଣ୍ଡର ଠାକୁର । ପ୍ରତ୍ୟେହ ସକାଳୁ ପଟି ଠାକୁରଙ୍କ ପହଡ଼ ଖୋଲାହୁଏ ଆରମ୍ଭ ହୁଏ ତାଙ୍କର ଦୈନନ୍ଦିନ ନୀତି- ମଙ୍ଗଳ ଆଳତି, ବେଶ ମଇଲମ, ଅବକାଶ, ବେଶ ପରେ ଗୋପାଳବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ପରେ ଆଳତି ହୋଇ ଦଶଅବତାର ପଟିଠାକୁର ପହୁଡ଼ ପଡ଼େ ବା କବାଟ ବନ୍ଦ ହୁଏ ।
ଏହାପରେ ଆରମ୍ଭ ହୁଏ ଅଣସର ଠାକୁରଙ୍କ ନୀତି । ଅଣସର ଘରେ ଖୋଲାଯାଏ ପ୍ରାୟତଃ ସମୟ ଦିବା ୧ଘଣ୍ଟା ପରେ । ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଭିନ୍ନ ଉପଚାର ନୀତି ଲାଗି କରାଯାଏ । ସେବକମାନଙ୍କର ମୁଖନିସୃତ ବାଣୀ ଏହି ସମୟରେ ସେମାନେ ଠାକୁରଙ୍କୁ ଗୋଟିଏ ମଣିଷ ପରି ସେବା କରନ୍ତି । ତାଙ୍କ ହାତ ଗୋଡ଼ ଆଉଁଶି ଦିଅନ୍ତି । ବିଭିନ୍ନ ନୀତି ସମାପନ ପରେ ଠାକୁରଙ୍କୁ ଭୋଗଲାଗେ । ଏହି ଭୋଗ ଏକ ସ୍ୱତନ୍ତ୍ର ଭୋଗ । ଗୌଡ଼ବାଡ଼ ସାହିର ସୁନା ଗୋସାଇଁ ମଠ ତରଫରୁ ୪ସରା ମଇଲମ ଭୋଗ ଆସେ । ଏହି ମଇଲମ ଭୋଗ କହିଲେ ୪ଟି ବାଲିମାଟି ସରାରେ ଧୁଆ ମୁଗ, ତା’ ଉପରେ କୋରାନଡ଼ିଆ, ଚିନି ଅଳ୍ପ ପଡ଼ିଥାଏ । ଏହାଛଡ଼ା ବିଭିନ୍ନ ନିଯୋଗ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ବ୍ୟକ୍ତିବିଶେଷଙ୍କ ପ୍ରଦତ୍ତ ଭୋଗ ଫଳ ଆଦି ଯଥା- ଆମ୍ବ, ପଣସ, ସପୁରୀ, କଦଳୀ, ସେପଟା ଭୋଗ ସହିତ ନନ୍ଦ ଦୁଲାଳି ଗୋପକୃଷ୍ଣ ସରଲବଣୀ ଖିଆ ଠାକୁରଙ୍କୁ ଭୋଗହୁଏ ଚକଟା- ଛେନା, ସର, ରାବିଡି, ଖିର, ଖୁଆ । ଏହି ଚକଟା ଭୋଗ ଓଡ଼ିଆ ମଠ ତରଫରୁ ମଧ୍ୟ କିଛି ଆସିଥାଏ । ଏସବୁ ଭୋଗ ହେବା ପରେ ତାଙ୍କର ସେବାୟତମାନେ ଭିତରେ ଥିବା ଦଇତା ସେବକ ବୃନ୍ଦ ଏହାକୁ ସେବନ କରନ୍ତି । ଅବଶିଷ୍ଟ ବଳିଲେ ସେହିଠାରେ ଗୋଟିଏ କଡ଼କୁ ଫୋପାଡ଼ି ଦେଇ ରଖିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଣସର ସମୟରେ ଯେଉଁ ଦ୍ରବ୍ୟ ଯାଏ ତାହାର ଅବଶେଷ ବାହାରକୁ ଆସେ ନାହିଁ ଅଥଚ ଦୀର୍ଘ ୧୩ଦିନ ପର୍ଯ୍ୟନ୍ତ ଏସବୁ ଭିତରେ ରହିଲେ ମଧ୍ୟ ଏହା ପଚେନାହିଁ କି କୌଣସି ଦୁର୍ଗନ୍ଧ ଏଥିରୁ ଆସିନଥାଏ । ଚକଟା ଭୋଗ ସରିବା ପରେ ସେବକ ବୃନ୍ଦ ବାହାରକୁ ଆସିବା ସମୟରେ ଅଣସର ତାଟି ପାଖରେ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଥାନ୍ତି ଅଣସରପଣା ଯାହା ଖିର, କର୍ପୂର, ସର, ଚିନିରେ ପ୍ରସ୍ତୁତ ହୋଇଥାଏ । ଏହା ଭୋଗ ହେବା ପରେ ଏହାକୁ ସର୍ବସାଧାରଣରେ ବିତରଣ କରିଥାନ୍ତି । ଏହାପରେ ଅଣସର ଗୃହ ପହୁଡ଼ ପଡ଼େ । ଏସବୁ ନୀତି ସରିବା ବେଳକୁ ବେଳ ପ୍ରାୟ ରାତି ୮ଟା କିମ୍ବା ୯ଟା ପରେ ।
ଏହାପରେ ପୁନଃ ଖୋଲେ ପଟି ଠାକୁରଙ୍କ ପହୁଡ଼ । ଦଶ ଅବତାର ପଟିଠାକୁରଙ୍କୁ ସନ୍ଧ୍ୟା ଆଳତି କରାଯାଏ ଏହାପରେ ତାଙ୍କର ଅବଶିଷ୍ଟ ନୀତି ସମାପନ ହୋଇ ବଡ଼ ସଂହାର ଭୋଗ ହୋଇ ଦୁଆର ଆଉଜା ଯାଏ । ଏହାପରେ ପୁନଃ ଖୋଲେ ଅଣସର ଠାକୁରଙ୍କ କବାଟ । ଅଣସରରେ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚକଟା ଭୋଗ ହୋଇ ଅଣସର ତାଟି ପାଖରେ ଅଣସର ପଣା ସମର୍ପଣ କରାଯାଏ । ଏହି ସମୟରେ ହେଉଥିବା ଭୋଗ କୌଣସି ମନ୍ତ୍ରରେ ନହୋଇ କେବଳ ସମର୍ପଣ କରାଯାଏ । ଏହିପରି ନୀତି ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ହୁଏ ଏହା ପୂର୍ବରୁ ଅଣସର ଦଶମୀ ଦିନ ଠାକୁର ଚକାବିଜେ ହେବା ପରେ ଅଣସର ଏକାଦଶୀ ଦିନ ଶ୍ରୀବିଗ୍ରହଙ୍କୁ ହେଉଥିବା ଭିତର ଭୋଗ ସମୁଦାୟ ରାଘବ ଦାସ ମଠ ତରଫରୁ ଦିଆଯାଇଥାଏ । ଯଥା- ଖଇ ୨୨ ହାଣ୍ଡି, କଦଳୀ, ପଣସ, ଆମ୍ବ, କୋରା । ଏହି ଭୋଗ ତହିଁଆର ଦିନ ଅର୍ଥାତ୍ ଦ୍ୱାଦଶୀ ଦିନ ରାଜପ୍ରସାଦ (ଶ୍ରୀଅଙ୍ଗର ଚନ୍ଦନ ଓ କରାଳ ଚନ୍ଦନ) ବାହାରିବା ପରେ ତାହାକୁ ଦଇତାପତିମାନେ ବାଣ୍ଟି ଦିଅନ୍ତି । ଏହି ଅଣସର ସମୟରେ ଯେଉଁ ଭୋଗ ହୁଏ ସେତେବେଳେ ଘଣ୍ଟ, ଛତା, କାହାଳି ବାଜିନଥାଏ ।
ନେତ୍ରୋତ୍ସବରେ ଭୋଗ
ଆଷାଢ଼ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କର ନେତ୍ରୋତ୍ସବ ନୀତି ସମାପନ କରାଯାଏ । ଦତ୍ତ ମହାପାତ୍ର ଦେଇଥିବା ରୁପା ପିଙ୍ଗଣରେ କଳା ଯାହାକୁ ତିନିଜଣ ପୂଜାପଣ୍ଡା ତିନୋଟି କାଠିରେ ଶ୍ରୀନେତ୍ର ଲାଗି କରନ୍ତି । ଏହାପରେ ଯାତ୍ରାଙ୍ଗୀ ମହାସ୍ନାନ ଆଦି ଅନ୍ୟାନ୍ୟ ନୀତି ହୋଇ ଠାକୁରଙ୍କ ପାଖରେ ଭୋଗ ଲାଗେ । ହେଲେ ଏହି ଦିନ ବଲ୍ଲଭ ଓ ଧୂପ ଏକ ସାଙ୍ଗରେ ହୋଇଥାଏ ।
ନେତ୍ର ଉତ୍ସବ ପର୍ବାଣି ଭୋଗ-
ନାଡୀ-୧, ଧଉଳା-୨, ଖଇରଚୁଳ-୨, ମନୋହର-୨, ଆରିସା-୧୮, ବଡ଼ପିଠା-୪, ପୁଳି ପିଠା-୪, ବଡ଼କାନ୍ତି-୪, ସାନକାନ୍ତି-୫, ମାଠପୁଳି-୨୦, ସାନ ପିଠା-୧୦, ବଡ଼ ହଂସକେଳି-୪, ସାନହଂସକେଳି-୫, ବଡ଼ନାଡୀ-୪, ଘି ନାଡୀ-୪, ବଡ଼ କାକରା-୪, ସାନ କାକରା-୨୦, ବଡ଼ ସାନ ବଡ଼ା-୩୨, ଗଜା-୫, ପଣସୁଆ-୪, ସାନ ଡାଳିମ୍ବ-୧୨, ବଡ଼ ଡାଳିମ୍ବ-୪, ବଡ଼ ସାନ ଆରିସା-୧୬, କାନିକା-୧୨, ମୁଗ-୪, ଖିରୀ-୪, ଶାକରା-୪, ମରିରିଗଣୀ-୪, ପଣା-୪, ଓରିଆ-୧୦ ।
ଗୁଣ୍ଡିଚା ଯାତ୍ରା: ଏହି ଆଷାଢ଼ ମାସ ଶୁକ୍ଳପକ୍ଷ ଦିନ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ । ଏକଦିନ ସକାଳ ଧୂପ ଓ ବଲ୍ଲଭ ଏକ ସଙ୍ଗରେ ଷୋଡ଼ଶ ଉପଚାରରେ ହୋଇଥାଏ । ହେଲେ ମୁରୁଜ ପଡ଼ିନଥାଏ । ୧୨ କୁଆ ଖେଚୁଡ଼ି ସହିତ ପିଠା, ଟାକୁଆ, କାନ୍ତି, ଚଣ୍ଡମାଠପୁଳି ଆଦି ଭୋଗ ହୁଏ । ଏହାଛଡ଼ା ଏହିଦିନ ବିଭିନ୍ନ ମଠ ଓ ବ୍ୟକ୍ତିବିଶେଷ, ନିଯୋଗ ତରଫରୁ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ପନ୍ତିଭୋଗ କରାଯାଇଥାଏ ।
ରାଘବ ଦାସ ମଠ : ଗୁଣ୍ଡିଚା, ବାହୁଡ଼ା, ସୁନାବେଶରେ ପୁରି, ସୋଲା, ମହନଭୋଗ, ଦ୍ୱାଦଶୀରେ ୩ଟି ଅଧର ହାଣ୍ଡି ପଣା, ନୀଳାଦ୍ରି ବିଜେ ସମୟରେ ରସଗୋଲା ଭୋଗ ।
ଗୋବର୍ଦ୍ଧନ ମଠ- ଗୁଣ୍ଡିଚା, ବାହୁଡ଼ା ଦିନ ପନ୍ତିଭୋଗ ଦେଇଥାନ୍ତି ।
ଶଙ୍କରାନନ୍ଦ ମଠ : ରଥଯାତ୍ରା, ନୀଳାଦ୍ରିବିଜେ ଓ ବାହୁଡ଼ାରେ ନାକଚଣା ଦ୍ୱାରଠାରେ ୪ଟି ପନ୍ତିଭୋଗ ।
ଏହାଛଡ଼ା ଜଗନ୍ନାଥ ବଲ୍ଲଭ ମଠ, ସମାଧି ଆଶ୍ରମ, ବଡ଼ ଓଡ଼ିଆ ମଠ, ଛାଉଣୀ ମଠ, ମହୀପ୍ରକାଶ ମଠ, ଶ୍ରୀରାମ ଦାସ (ଦକ୍ଷିଣ ପାଶ୍ୱର୍ ମଠ, ଏମାର ମଠ, ନେବଳ ଦାସ, ଗଙ୍ଗାମାତା ମଠ ଭଳି ପୁରୀର ବହୁ ମଠ ତରଫରୁ ଏହି ରଥଯାତ୍ରା ସମୟରେ ପନ୍ତି ଭୋଗ ରହିଛି ।
ବାହୁଡ଼ାରେ ପୋଡ଼ପିଠା ଭୋଗ : ଦାରୁମୂର୍ତ୍ତି ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ କରି ବାହୁଡ଼ି ଆସନ୍ତି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ବାଟରେ ଅପେକ୍ଷା କରିଥାନ୍ତି ମାଉସୀ ମା’ ବା ଅର୍ଦ୍ଧାଶନୀ ଦେବୀ । ପୌରାଣିକ କିମ୍ବଦନ୍ତି ଅନୁସାରେ ତ୍ରେତୟାରେ ମାତା କୈକେୟୀଙ୍କୁ ତାଙ୍କ ମାଗୁଣିରେ ବର ପ୍ରଦାନ କରି କହିଥିଲେ କଳିଯୁଗରେ ତୁମେ ଅର୍ଦ୍ଧାଶନୀ ଦେବୀ ରୂପେ ମୋ ମାଉସୀ ଭାବେ ପୂଜିତ ହେବ ଏବଂ ଗୁଣ୍ଡିଚାଯାତ୍ରାରୁ ଫେରିବା ବାଟରେ ତୁମରି ପାଖରୁ ପୋଡ଼ପିଠା ଖାଇ ରତ୍ନବେଦୀକୁ ଆସିବି । ସେହି ଆଧାରରେ ବାହୁଡ଼ା ରଥ ମାଉସୀମା’ ମନ୍ଦିରରେ ଅଟକି ଯାଏ ।
ଏହି ପୋଡ଼ପିଠା ଛେନା, ଗହମ ଅଟା, ଚିନି, ପିସ୍ତାବାଦାମ, ଭଲ ଘିଅ, ଅଳେଇଚ, ଲବଙ୍ଗ ପ୍ରଭୃତି ଦ୍ରବ୍ୟରେ ମିଶ୍ରଣ ହୋଇ ପ୍ରସ୍ତୁତ ହୁଏ । ଏହାର ନାମ ପୋଡ଼ ପିଠା ହୋଇଥିଲେ ହେଁ ବାସ୍ତବରେ ଏହା ପୋଡ଼ାଯାଏ ନାହିଁ । ଏ ସମସ୍ତ ଦ୍ରବ୍ୟକୁ ଏକତ୍ର କରି ଏକ ମାଟି ତାଡ଼ରେ ରଖି ତାହା ଉପରେ ଢାଙ୍କୁଣୀ ଘୋଡ଼ାଯାଏ । ତାଡ଼ରେ ପୂର୍ବରୁ ପାଣି ଦିଆଯାଇ ଅଥାର ହାଣ୍ଡି ଭଳି ପ୍ରସ୍ତୁତ କରାଯାଇଥାଏ । ଏହାକୁ ଚୁଲିରେ ବସାଇ ପ୍ରାୟ ଆଠ ଦଶଘଣ୍ଟା ସିଝାଯାଏ । ଏହା ସିଝିଗଲା ପରେ ଏହାକୁ ଥଣ୍ଡା କରି ଖଣ୍ଡ ଖଣ୍ଡ କରି କଟାଯାଇ ଭଲ ଘିଅରେ ଛଣାଯାଏ । ପରେ ଏହାକୁ ମାଟି ହାଣ୍ଡି ବା ବଡ଼ ବାଇହାଣ୍ଡି କୁଡୁଆରେ ରଖାଯାଇ ତିନିରଥ ନିକଟକୁ ନେଇ ଭୋଗ କରାଯାଏ । ଏହି ପୋଡ଼ ପିଠା ଦୀର୍ଘ ୧ ମାସ ପର୍ଯ୍ୟନ୍ତ ସେହିପରି ସତେଜ ଥାଏ ।
ସୁନାବେଶରେ ଚୁଡ଼ାଘଷା
ଚତୁର୍ଦ୍ଧା ମୂର୍ତ୍ତି ବାହୁଡ଼ା ବିଜେ ହୋଇ ଆସିବା ପରେ ସିଂହଦ୍ୱାର ଠାରେ ଆଷାଢ଼ ଶୁକ୍ଳ ଏକାଦଶୀରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୁଏ ସୁନାବେଶ । ମହାପ୍ରଭୁ ସୁନାର ହାତ ଗୋଡ଼ ଓ ନାନା ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଥାନ୍ତି । ପୁନଶ୍ଚ ଏହିଦିନ ପୁରୀରେ ଘରେ ଘରେ ଭକ୍ତମାନେ ଚୁଡ଼ା, ନଡ଼ିଆ, ଚିନି କିମ୍ବା ଗୁଡ଼, ଘିଅ, ଜୁଆଣି, ଗୋଲମରିଚ, କର୍ପୂର, ଅଳେଇଚ, କିସ୍ମିସ୍ ପକାଯାଇ ସୁନ୍ଦର ଭାବରେ ତିଆରି କରନ୍ତି ଓ ସର୍ପାମଣୋହିରେ ଏହା ଉତ୍ସର୍ଗ କରାଯାଏ । ଏହି ଚୁଡ଼ାଘଷା ଭୋଗ ଏତେ ମହକୁ ଥାଏ ତାହା କେବଳ ଅନୁଭବୀ ହିଁ ଜାଣିପାରିବ ।
ହିଦିନ ଭକ୍ତମାନେ ମଧ୍ୟ ଠାକୁରଙ୍କୁ ତୁଳସୀ, ଦୟଣା ଓ ମରୁଆ ଲାଗି କରିଥାନ୍ତି ।
ଅଧରପଣା : ବାହୁଡ଼ାଯାତ୍ରା ପରେ ସିଂହଦ୍ୱାର ଠାରେ ତିନିରଥ ଉପରେ ଦ୍ୱାଦଶୀ ଦିନ ଏହି ଅଧରପଣା ଭୋଗହୁଏ । ପୂର୍ବେ ଏହି ଅଧର ପଣା ବାହୁଡ଼ା ଦଶମୀରେ ତିନିହାଣ୍ଡି, ଏକାଦଶୀ ତିଥିରେ ତିନିହାଣ୍ଡି ଓ ଦ୍ୱାଦଶୀ ଦିନ ତିନିହାଣ୍ଡି ଏହିପରି ନଅ ଗୋଟି ହାଣ୍ଡି ପଣା ଭୋଗ ହେଉଥିଲା । ମାତ୍ର ସଂପ୍ରତି ଏହା ଦ୍ୱାଦଶୀ ଦିନ ମୋଟ୍ ୯ହାଣ୍ଡି ଅଧର ପଣା ଭୋଗ ହେଉଅଛି । ଏହି ପରମ୍ପରା ପ୍ରାୟ ୪୬୦ ବର୍ଷର ପୁରାତନ । ଅଧର ପଣା କହିଲେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ହେଉଥିବା ପଣା ଭୋଗ । ମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ, ଖୀର, କର୍ପୂର, ଜାଇଫଳ ଇତ୍ୟାଦି ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି । ଏହି ସମୟରେ ଭିତରଚ୍ଛ, ତଳୁଛ, ପାଳିଆ ପୁଷ୍ପାଳକ ଟେରା ବାଗାମୁଛା ଧରିଥାନ୍ତି । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆସେବକ ପୂଜା ଠା’ କରନ୍ତି । ପାଳିଆ ପୂଜାପଣ୍ଡା ଏହାପରେ ପଞ୍ଚୋପଚାରରେ ଭୋଗ କରିଥାନ୍ତି । ଏହା ଭୋଗ ହେବା ପରେ ହାଣ୍ଡିକୁ ବାଡେଇ ଦିଆଯାଏ । କାରଣ ଏହି ପଣା ରଥର ପାଶ୍ୱର୍ ଦେବଦେବୀ, ଅନ୍ୟାନ୍ୟ ଚଣ୍ଡୀଚାମୁଣ୍ଡା, ଅଶରୀରୀଙ୍କ ପାଇଁ ଉଦ୍ଦିଷ୍ଟ ଏହାକୁ ଜନସାଧାରଣ ସେବନ କରିବା ଅନୁଚିତ୍ ।
ନୀଳାଦ୍ରିବିଜେରେ ରସଗୋଲା ଭୋଗ : ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ମହାପ୍ରଭୁଙ୍କ ପାଖରେ ରସଗୋଲା ଭୋଗ ହୁଏ । ଅଭିମାନୀ ମାନମୟୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ମନାଇବା ପାଇଁ ଜଗତର ଠାକୁର ରସଗୋଲା ନେଇ ସାଙ୍ଗରେ ଯାଆନ୍ତି । ଲୋକ ପରମ୍ପରାନୁସାରେ ଲକ୍ଷ୍ମୀନାରାୟଣଙ୍କର ବଚନିକା ହୋଇ ଆପୋଷ ବୁଝାମଣା ପରେ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ଠାକୁର ଜଗନ୍ନାଥ ପହଞ୍ଚିବା ପରେ ଋକ୍ମିଣୀ ବିବାହ କାଳର ଗଇଁଠାଳ ଫିଟାଯାଏ । ଭିତରଚ୍ଛ ମହାପାତ୍ର ବନ୍ଦାପନା, ରସଗୋଲା ଭୋଗ କରିଥାନ୍ତି । ଏହି ରସଗୋଲା ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧପୂତ ଭାବରେ ତିଆରି ହୋଇଥାଏ । ମହାପ୍ରଭୁ ଏହାକୁ ଲକ୍ଷ୍ମୀଦେବୀଙ୍କୁ ଖୁଆଇ ତାଙ୍କର ମାନଭଞ୍ଜନ କରିଥାନ୍ତି । ଏଣୁ ଏହିଦିନ ଶ୍ରୀକ୍ଷେତ୍ର ବା ପୁରୀ ସହରର ବିଭିନ୍ନ ବ୍ୟକ୍ତିବିଶେଷ, ମଠାନୁଷ୍ଠାନ ଓ ସେବକମାନେ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ପୂର୍ବରୁ ରଥ ଉପରେ ରସଗୋଲା ଭୋଗ କରିଥାନ୍ତି । ସଂପ୍ରତି ଏହି ଦିନକୁ ରସଗୋଲା ଦିବସ ବୋଲି ପାଳନ ମଧ୍ୟ କରାଯାଉଅଛି । ବାସ୍ତବରେ ଆମ ଠାକୁର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଶାନ୍ତି, ମୁକ୍ତି ତଥା ରାଷ୍ଟ୍ରୀୟ ସଂହତିର ପ୍ରତୀକ ।
ସହାୟକ : (୧) ଶ୍ରୀମନ୍ଦିର ସ୍ୱତ୍ୱଲିପି, (୨) ଦଇତା ସେବକ ଶ୍ରୀଜଗନ୍ନାଥ ଦାସମହାପାତ୍ର, (୩) ମହାପ୍ରସାଦର ତାତ୍ତ୍ୱିକତା ଓ ପ୍ରସ୍ତୁତି ପ୍ରକ୍ରିୟା, (୪) ଶ୍ରୀମନ୍ଦିର ରୋଷ ଓ ମହାପ୍ରସାଦ ।